Search This Blog

Sunday 29 November 2020

"ସୁମନ ମାୟାଧର", ଭାଗ ୧୮, ୧୯। ଶବ୍ଦସଂଖ୍ୟା ୨୭୦୦।


 ୧୮

ମାଆଙ୍କ ଅନୁମତି ନେଲି, ମୋ କିନ୍ନର ସମାଜ ପାଇଁ କିଛି କରିବି, ସମୟ ଦେବି । ମାଆ ବିରୋଧ କରିବା ତ ଦୂରର କଥା, ଉତ୍ସାହିତ କଲେ । ତାଙ୍କର ଏବେ ମଧ୍ୟ ବିଶ୍ୱାସ ଥିଲା ହୁଏତ ଦିନେ ତାଙ୍କ ମଉସା ପୁଅ ଭାଇ କାଳନ୍ଦୀଙ୍କ ସନ୍ଧାନ ମୋ ମାଧ୍ୟମରେ ମିଳିବ ।

ମୁଁ କାମ ଆରମ୍ଭ କରେ । ସେ ସମୟରେ କୌଣସି ସଂଗଠନ ହୋଇ ନଥାଏ । କିନ୍ନର ମାନେ ସବୁଠୁ ଦୁସ୍ଥ ଅବସ୍ଥାରେ ରହୁଥାନ୍ତି । ସମାଜ ଏମିତି ନଜରରେ ଦେଖେ, ସତେ ଅବା ଆମ ସମାଜ ଏକ ଅପରାଧୀ ଗୋଷ୍ଠୀ ।  କାହାକୁ ଘର ମିଳେନି ଭଡାରେ ରହିବାକୁ । ଚାରି ଦଉଡି କଟା ବାସ୍ତୁହରା ସମସ୍ତେ । ବଡ କାମ କଥା ଛାଡ, ଛୋଟିଆ ମୋଟିଆ ଶ୍ରମିକ କାମ ବି ମିଳେନି । ଗତାନୁଗତିକ ହିଞ୍ଜଡା ସଂସ୍କୃତି ବି ଆମ ରାଜ୍ୟରେ ଆଗେଇ ନଥାଏ । କେଉଁଠି ନାଚଗୀତ ଅନୁଷ୍ଠାନ ନଥାଏ । ବାହାବ୍ରତ, ଏକୋଇଶିଆ ଇତ୍ୟାଦିରେ କିନ୍ନର ମାନଙ୍କଠୁ ଆଶୀର୍ବାଦ ନେବା ସଂସ୍କୃତି ଓଡଶାରେ ନଥାଏ କହିଲେ ଚଳେ । ଖାଇବେ କେମିତି ଚଳିବେ କେମିତି? ଅନେକ କିନ୍ନର ଭଉଣୀ ବାଧ୍ୟ ହୋଇ ଭିକ୍ଷା ବୃତ୍ତି କରନ୍ତି । ତହିଁରେ ମଧ୍ୟ ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ କମ ଉପାର୍ଜନ ହୁଏ । ଜୀବନ ନାଶକ ଏଚଆଇଭି ରୋଗ ପ୍ରବେଶ କରି ଯାଇଥାଏ ଆମ ଭଉଣୀ ମାନଙ୍କ ବାଧ୍ୟ ବିପଦଶଙ୍କୁଳ କାର୍ଯ୍ୟ କଳାପ ପାଇଁ । ଯାହା ସହ କଥା ହେଲେ ମନ ବିମର୍ଷ ହୁଏ, ସମସ୍ତେ ଶୋଷିତ, ନିଷ୍ପେସିତ । କିଛି ବୁଦ୍ଧିବାଟ ଦେଖା ଯାଏନି, କି କାମ କରିବି, କେଉଁଠୁ ଆରମ୍ଭ କରିବି । 

ଗୁରୁଜୀଙ୍କ ଉପଦେଶ ମନେପଡେ । ମୁଁ କେବଳ ସମସ୍ତଙ୍କ ସହ ପରିଚିତ ହୁଏ । ସେମାନଙ୍କ ଠିକଣା ଟିପିରଖେ । ଯେଉଁମାନେ ଏତେ ଅସୁବିଧା ମଧ୍ୟରେ ସମ୍ପ୍ରଦାୟର ଉତ୍ଥା‌ନ ପାଇଁ ମଙ୍ଗ ଧରିଥାନ୍ତି ସେମାନଙ୍କ ସହ ମିଶେ, ତାଙ୍କ କାମ ପାଇଁ ଅଭିନନ୍ଦନ ଜଣାଏ । କ୍ରମଶଃ ସମସ୍ତଙ୍କ ପ୍ରିୟ ଭାଜନ ହୁଏ । ପନ୍ଦର ଦିନରେ ଥରେ ଆମେ ବୈଠକ କରୁ । ମୁଁ ଗୁରୁଙ୍କ ଉପଦେଶ ଅନୁସାରେ ସମୟ ପାଇଲେ ମୋ ନିଜ କାହାଣୀ ସମସ୍ତଙ୍କୁ କହେ । ଗୁରଙ୍କ ଦୁଇଜଣ ଶିଷ୍ୟା, ଅର୍ଥାତ ମୋ ଗୁରୁ ଭଉଣୀଙ୍କ ସହ ପରିଚିତ ହୁଏ । 

ସେତେବେଳର ସ୍ଥିତି ଅତି ସଙ୍ଗିନ । ଆରମ୍ଭ ସମୟରେ କେବଳ ସୀମିତ ରଖୁ ନିଜକୁ ଅତି ଜରୁରୀ କାର୍ଯ୍ୟରେ; ଅଧିକ ଅସୁବିଧାରେ ପଡିଥିବା ଭଉଣୀଟି କେମିତି ଚଳି ପାରିବ, ରୋଗୀ ଓ ବୟସ୍କା ମାନେ କେମିତି ଅବହେଳିତ ନହେବେ, ରୋଗ ବ୍ୟାଧି କେମିତି ନ ବ୍ୟାପିବ । ମୋ କଲେଜ ସମୟର ସାଙ୍ଗମାନେ କେତେଜଣ ଉଚ୍ଚ ପଦରେ ଥାଆନ୍ତି । ସେମାନଙ୍କ ସହ ମୁଁ ସ୍ୱଭାବିକ ସମ୍ପର୍କ ସ୍ଥାପନ କରିଥାଏ । କହି ବୋଲି କିଛି ସୁବିଧା ହାସଲ କରୁଥାଏ । ସବୁଆଡେ ଦୂର୍ ଦୂର୍ ଶୁଣିବା ମଧ୍ୟରେ କଛପ ଗତିରେ ଚାଲିଥାଉ ଆମେ । ଅପରାହ୍ନ ଚାରିରେ କଲେଜ ଛାଡେ, ପର ଦୁଇଘଣ୍‌ଟା ସମୟ ମୋ ସମ୍ପ୍ରଦାୟ ପାଇଁ ଦେଇ ଆନନ୍ଦ ଅନୁଭବ କରୁଥାଏ । 

ଅଜଣା ଲୋକେ ମୋତେ ଖରାପ ନଜରରେ ଦେଖନ୍ତି । ଜଣା ଲୋକେ ଉପଦେଶ ଦିଅନ୍ତି, ନିଜ ସୁଖରେ ସମୟ ନକାଟି ଏ ମାଗନ୍ତା ହିଞ୍ଜିଡାଙ୍କ ପାଇଁ ସମୟ ଦେବାର ଆବଶ୍ୟକତା ନାହିଁ, ଏମାନେ ସୁଧୁରିବେ ନାହିଁ । ମୋ ଛାତିରେ ଛୁରୀ ଭୁସି ହେଲା ଭଳି ଲାଗେ । ଗୋଟିଏ ଅନୁଭବ ହୁଏ, ଏ ସାଧାରଣ ସମାଜ ତୁଳନାରେ ଆମ ସମ୍ପ୍ରଦାୟ କେଡେ ନିସ୍ୱାର୍ଥପର । ଆଉ ଜଣଙ୍କୁ ଭୋକରେ ରଖି ସେ ଖାଏନି । ସମାଜ ପାଇଁ ଚାନ୍ଦା ମାଗିଲେ ତା ଆୟର ଅଧିକାଂଶ ଦେବାକୁ ସେ ଆଗଭର । ଯେଉଁ ପରିବାର ତାକୁ ତ୍ୟାଗ କରିଦେଲା ବା ସେ ଯାହାଙ୍କୁ ଛାଡି ଆସିଲା, ସେହିମାନଙ୍କୁ ସାହାଯ୍ୟ କରିବାକୁ ସେ ସବୁବେଳେ ପ୍ରସ୍ତୁତ । ଟିକିଏ ଆଦର ପାଇଲେ ସବୁ ଅନ୍ୟାୟ ଅତ୍ୟାଚାରକୁ  କ୍ଷମା କରିଦିଏ । କର୍ତ୍ତବ୍ୟ ଜ୍ଞାନରେ ନୁହେଁ ସ୍ୱତଃସ୍ଫୁର୍ତ୍ତ ଭାବେ ମୋ ମନରେ ଏକ ଭଲପାଇବା ଆସିଯାଏ ଆମ ଭଉଣୀ ମାନଙ୍କ ପାଇଁ । 

ସାଧାରଣ ସମାଜର ଆକ୍ଷେପକୁ ମୁଁ ମୋ ମଧ୍ୟକୁ ନିଏ ନାହିଁ । ପ୍ରତ୍ୟେକ ନିଜ ନିଜ ସୀମିତ ଭାବନାର ଦାସ, ସେମାନଙ୍କ ପ୍ରତିକ୍ରିୟା ତାଙ୍କ ନିଜ ଭାବନା ସଂଜାତ । ମୋ ମନ ବା ଆଭିମୂଖ୍ୟକୁ ସେମାନେ ବୁଝନ୍ତି କେତେ? ମୁଁ ବିଚଳିତ ହୁଏ ନାହିଁ । ଲଢିବାର ସାମର୍ଥ୍ୟ ମନେହୁଏନା ଆମର ସେ ସମୟରେ ଥିବା ଭଳି । ମୁଁ ମୋ ମିତ ସୁମନ ମିତ୍ର ଭଳି ରାଜନୀତିରେ ବଳୀଆନ ନୁହେଁ । ଏହି ସମାଜରେ ପୁଣି ଅଛନ୍ତି ମୋ ସୁଦାମ ସାର୍‌, ଜଗବନ୍ଧୁ ସାର୍‌, ମୋ ମାୟାଧର, ମାଆ, ମୋ ମିତ ଓ ମୋ ଛାତ୍ରଛାତ୍ରୀଙ୍କ ଭଳି ଭଲ ମଣିଷ । ଏଣୁ ସମାଜ ସହ ସନ୍ଧି କରିବାକୁ ମୋ ମନହୁଏ । ବୁଝାମଣା ବଦଳିଲେ ସମାଜ ବଦଳିବ । ମୋର ପୁଣି ସରକାରୀ ଚାକିରି ଅଛି । ଚେଷ୍ଟାକରେ ମୋ କର୍ମସଂସ୍ଥାନ, ସହକର୍ମୀ, ବ୍ୟକ୍ତିଗତ ଓ ପାରିବାରିକ ଜୀବନ ତଥା ମୋ ସାମ୍ପ୍ରଦାୟିକ କାମ ପରସ୍ପର ସୁସଂହତ ହିସାବରେ ଚାଲୁ, ପରସ୍ପର ଲଢେଇ ନକରୁ । ଏହା ବୋଧହୁଏ ଶିକ୍ଷାର ଅବଦାନ । ମୁଁ ସଫଳ ହୁଏ । ଖୁବ୍ କମ ସମୟରେ ଆମ ସମ୍ପ୍ରଦାୟର ଯତ ସାମାନ୍ୟ ନେତ୍ରୀବୃନ୍ଦା ମୋତେ ଶ୍ରଦ୍ଧାଭରେ ପ୍ରତି କଥାରେ ମତ ମାଗନ୍ତି । ମୋ ପ୍ରତି କାହାର ଈର୍ଷା ନଥାଏ । 

ଏହି ସମୟ ମଧ୍ୟରେ ମୋର ଶକ୍ତି ଭଉଣୀଙ୍କ ସହ ଦେଖାହୁଏ । ସେହି ଶକ୍ତି ଯାହାଙ୍କୁ ଦିନେ ରେଳଯାତ୍ରା କାଳରେ ଭେଟିଥିଲି । ଯାହାଙ୍କୁ ଢେଙ୍କାନାଳ ରଘୁପୁରର ତତ୍କାଳୀନ ସରପ‌ଞ୍ଚ ସଦାନନ୍ଦ ମହାନ୍ତି ତାଙ୍କ ଗୃହତ୍ୟାଗୀ କିନ୍ନର ସନ୍ତାନ ସୁବୋଧର ଫଟୋଟିଏ ଦେଇ କହିଥିଲେ ଖୋଜି ଆଣିବାକୁ । 

ମୁଁ ସେ ପ୍ରସଙ୍ଗ ଉଠାଇଲି । ଶକ୍ତି ଏହା ମଧ୍ୟରେ ସୁବୋଧକୁ ଠାବ କରି ସାରିଥାଏ । କିନ୍ତୁ ସୁବୋଧ ଆଦୌ ରାଜି ହେଉନଥାଏ ଘରକୁ ଫେରି ଯିବାକୁ । ଶକ୍ତି ମୋ ସାହାଯ୍ୟ ଚାହିଁଲା । ଆମରେ ଦିହେଁ ପୁନଶ୍ଚ ସୁବୋଧକୁ ଭେଟିଲୁ । ଅନେକ ବୁଝାସୁଝା କରିବା ପରେ ସେ ରାଜି ହେଲା । ସୁବୋଧ କିଛିଟା ପଥଭ୍ରଷ୍ଟ ହୋଇଯାଇଥଏ । ବେଶଭୂଷା, ଚାଲିଚଳନ ଓ ଖାଦ୍ୟ ପାନୀୟରେ ଉଗ୍ରତା ବାରି ହୋଇ ପଡୁଥାଏ । ପ୍ରଥମେ ଶକ୍ତି ତାକୁ ନିଜ ପାଖରେ ରଖି ସୁପଥକୁ ଫେରାଇ ଆଣିବାରେ ଦିନରାତି ଲାଗିପଡିଲା । ସଫଳ ହେଲା ।

ଆମ୍ଭେ ସୁବୋଧଙ୍କୁ ନେଇ ଛାଡି ଆସିଲୁ ତାଙ୍କ ପରିବାରରେ । 

ସଦାନନ୍ଦ ମୁକ୍ତ କଣ୍ଠରେ ଆମ୍ଭଙ୍କୁ ଅନେକ ପ୍ରଶଂସା କଲେ । ଆମ ସମ୍ପ୍ରଦାୟ କାର୍ଯ୍ୟ ପାଇଁ ସାହଯ୍ୟର ହାତ ବଢାଇଲେ ।   

ଆମ କଲେଜରେ ଦୁଇ ଜଣ କିନ୍ନର ଛାତ୍ର ଥାଆନ୍ତି । ମୁଁ ସେମାନଙ୍କ ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ବ୍ୟବହାର ସାମାନ୍ୟ ହେବା ଦିଗରେ, ସଚେତନତାର ଗୋଷ୍ଠୀ ଆଲୋଚନା କଲି । ସେ ଦୁହିଁଙ୍କ ପାଇଁ ଆମ ବ୍ୟବସାୟ ପ୍ରତିଷ୍ଠାନରେ କାମ ବ୍ୟବସ୍ଥା କରିଦେଇଥାଏ । ସେଠାରେ ବି ସଚେତନତା ପାଇଁ ଗୋଷ୍ଠୀ ଆଲୋଚନା କରାଇଥାଏ ।  ମୋର ସହକର୍ମୀ ଶିକ୍ଷକ ମାନଙ୍କ ମଧ୍ୟରେ ବି ମୁକ୍ତ ଭାବେ ଆଲୋଚନା କରିଥାଏ,  ଆମଭଳି ମଣିଷ ସମାଜଠାରୁ କଣ ଆଶା କରେ; ଦୟା ନୁହେଁ କେବଳ ବାଛବିଚାରରୁ ମୁକ୍ତି । ଏସବୁ ଛୋଟ ଛୋଟ କାମକୁ ବିଚାର କରେ ସାମାନ୍ୟ ସଫଳତା । 

ମୋର ବିଶ୍ୱାସ ଥାଏ ଆଉ ସେ ଦିନ ଦୂର ନାହିଁ, ଆମେ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବୁ । ବହୁତ ଶିକ୍ଷିତ ଭଉଣୀ ମାନେ ଆମର ଏ ଆରମ୍ଭ କାମକୁ ଆଗକୁ ନେବେ ।

ଆଜି ଏ ଜୀବନୀ ଲେଖିଲା ବେଳକୁ ମନେହୁଏ ସେଦିନର ମୋ ଭାବନା ଭୁଲ ନଥିଲା । ଆଜି ସ୍ଥିତି ବଦଳିଛି ଅନେକ ।  ମୁଁ ସ୍ୱପ୍ନ ଦେଖିଛି ଆମ ଆଜିର ସଂଗଠିକା ମାନେ ଆମ ସମାଜକୁ ମୁକ୍ତ କରିଦେବେ, ଦିନେ ଯେମିତି ଏ ଧରାଧାମରୁ ମୁକ୍ତ ହୋଇଥିଲା ଦାସତ୍ୱ, ମୁକ୍ତ ହୋଇଥିଲା ବାଲ୍ୟ ବିଧବା ଓ ସତୀପ୍ରଥା, ମୁକ୍ତ ହୋଇଥିଲା ବର୍ଣ୍ଣ ବୈଷମ । ଏହା ଘଟିବ ମୋ ଜୀବଦ୍ଦଶା ମଧ୍ୟରେ । ସେ ସମସ୍ତ ସଂଗଠିକାଙ୍କ ସହ ମୋର ସମ୍ପର୍କ ଅତି ଉ‌ତ୍ତମ । ମୁଁ ଏବେ ପ୍ରାୟ ନେପଥ୍ୟରେ ରହି ମୋ ଚିତ୍ରକଳା ମାଧ୍ୟମରେ ମୁକ୍ତିର ବାର୍ତ୍ତା ଦିଏ । 

ଥାଉ ଏକଥା ଏତିକି । ମୋ ପାରିବାରିକ ଓ ବ୍ୟକ୍ତିଗତ ଜୀବନକୁ ଫେରି ଯାଉଛି ।   


୧୯

ମହୁଲକୁସୁମରୁ ଫେରିବା ଦିନଠୁ କେମିତି ଏକ ଶଙ୍କା ଓ ସନ୍ଦେହରେ ରହୁଥାଏ ଅଂଶୁ । ବାରମ୍ବାର ମୋତେ ପଚାରିଦିଏ ଯେ ମୁଁ ତାକୁ କେବେ ଛାଡି ପଳାଇବି ନାହିଁ ତ । ତା ଛଡା, ସବୁଦିନ ଏଣିକି ଘରକୁ ଫେରିବା ଡେରି ଦେଖି ସେ ଆହୁରି ଛାନିଆ ହୋଇ ଯାଉଥାଏ । ମୁଁ ବି ବୁଝି ପାରେନା, ସେ ଆଉ ଅତି ଛୋଟ ପିଲା ନାହିଁ, ଅଥଚ ଏତେଟା ଖୋଜୁଛି କାହିଁକି ମୋତେ । ଅସୁରକ୍ଷିତ ଅନୁଭବ କାହାକୁ ବଡ ହେବାକୁ ଦିଏନି । ସେ ଜାହିର କରି ବସେ ତା ମନକଥାକୁ । ସବୁବେଳେ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରେ । ଶିଶୁଟିଏ କାହା ମଧ୍ୟରେ ସମ୍ପୂର୍ଣ୍ଣ ସାବାଳକ ହୁଏ ଅବା! ନିଜକୁ ପ୍ରଶ୍ନ କରେ, ସୁମନ ପ୍ରଧାନ ତୁ ନିଜେ ବଡ ହେଲୁଣି ତ? କାଲି ପରା ଜୀବନ ହାରିବୁ ବୋଲି କହୁଥିଲୁ ।

ସହଜେ ଅଂଶୁର ବାପା ଏବେ ସେ ପ୍ରକଳ୍ପରେ ସମ୍ପୂର୍ଣ୍ଣ ଲାଗି ପଡିଥାନ୍ତି, ସେ ଏକ ପ୍ରକାରେ ପୁଅର ଦାୟିତ୍ୱ ମୋ ଉପରେ ଦେଇ ସାରିଥାନ୍ତି । ସଂଧ୍ୟାବେଳେ ଅଂଶୁ ଅନାଇ ବସିଥାଏ ମୁଁ କେତେବେଳେ ଫେରିବି । ମୁଁ ପହଞ୍ଚିଲା ପରେ ଆମେ ଗୋଡହାତ ଧୋଇ ଠାକୁର ଘରେ ପ୍ରାର୍ଥନା କରୁ । ଅଂଶୁକୁ କିଛି ଖୁଆଇ ଦେଇ ପାଠ ପଢାଏ । ରୋଷେଇ କଥା ବୁଝାବୁଝି କରେ । ପରିବାର ମଧ୍ୟରେ ଆମର ଏକ ଭିନ୍ନ ଦୁନିଆ ତା ରୀତିରେ ଚାଲୁଥାଏ । 

ଦିନେ ଆଉ ବଙ୍କା ଟଙ୍କା ନପଚାରି ସିଧା ସଳଖ ପଚାରିଦେଲା, - ମାମା, ସେଦିନ ମାମୁଁଘରେ ଆମ ଅଜା ଆଈ, ମାମୁଁ ମାଇଁ ଓ ପିଉସୀ ନାନୀ ମାନେ କଥା ହେଉଥିଲେ ତୁମକୁ ବାହା ଦେବା ପାଇଁ । ବାହା ହେଲେ ଶାଶୁ ଘରକୁ ଯାଆନ୍ତି ନା ମାମା? ତୁମେ ସେମିତି ପଳାଇବ? ମୁଁ କଣ କରିବି? ମୋତେ ତୁମ ସାଥିରେ ରହିବାର ଅଛି, ମୋ ଜେଜେ ଓ ବାପାଙ୍କ ସହ ବି ରହିବାର ଅଛି । ବାହା ହେଲେ କି ଲାଭ ପାଇବ ମାମା? ଦିଦି ଓ ମୋତେ ତୁମେ ଜନ୍ମ କରିନ ନା ମାମା? ତୁମେ ଶାଶୁ ଘର ଗଲେ ତୁମକୁ ବି ଡାକ୍ତରଖାନାରୁ ପୁଅ ଝିଅ ମିଳିବେ ନା! ଜାଣିଛ ମାମା ମୁଁ କେମିତି ଏକଥା ଜାଣିଲି? ଦିଦି ମତେ କହି ନାହିଁ, ଅବଶ୍ୟ ସେ ବି ଜାଣିଥିବ ଏକଥା । ମତେ ପାଇକାଳୀରେ ଜଣେ ବୁଢୀ ମାଉସୀ କହୁଥିଲେ କି ମୋ ବାପା ମାମା ମରି ଯାଇଛନ୍ତି । ମୋତେ ପାଳନ କରୁଛନ୍ତି ମୋ ଜେଜେ ମାଆ ଓ ତୁମ ସାଙ୍ଗ ମୋ ବାପା । ସେ କହୁଥିଲେ, ମୋ ବାପା ନୂଆ ମାଆ ଯେବେ ଆଣିବେ ମୋର ଆଉ ଭାଇ ଭଉଣୀ ଆସିବେ । ନୂଆ ମାଆ ମୋତେ ହୀନିମାନ କରିବେ । ଏମିତି ସବୁ ହୁଏନା ମାମା?

ମାମା ଗୋଟେ ଆଇଡିଆ କହିବି । ତୁମେ ଯଦି ମୋ ବାପାଙ୍କୁ ବାହା ହୋଇ ପଡନ୍ତ ମୋତେ ହୀନିମାନ ହେବାକୁ ପଡନ୍ତା ନାହିଁ । ମାମା ମୁଁ ଶପଥ କରୁଛି ତୁମେ ଡାକ୍ତରଖାନାରୁ ଯେଉଁ ପୁଅ କି ଝିଅ ଆଣିବ ମୁଁ ତାଙ୍କ ସହ କଳିଗୋଳ କରିବି ନାହିଁ । ଦେଖୁଛ ମୁଁ କଣ ତୁମ ଝିଅ, ଅମିନା ଦିଦି ସହ କଳି କରୁଛି । କାହିଁକି କରିବି ଯେ କଳି କଲେ ସେ ମୋତେ କିଛି ଦେବ ନାହିଁ, କଳି ନକଲେ ମୋ ପାଇଁ ରାଜକୁମାର ପୋଷାକ ଆଣିଦେବ । ସତରେ ମାମା ଯଦି ଆମ ମାମୁଁ ଘରେ ତୁମକୁ ବାହା ଦେବାକୁ ଚାହୁଁଛନ୍ତି ତୁମେ ମୋ ବାପାଙ୍କୁ ବାହା ହୋଇଯାଅ । ମୁଁ ବାପାଙ୍କୁ ବି ଏକଥା କହିଦେବି, ଜେଜେଙ୍କୁ ବି ଅଳି କରିବି । 

ନହେଲେ ମାମା, କହିଲ ଦେଖି ମୋ ଅବସ୍ଥା କଣ ହେବ? 

ମାମା ତୁମେ ଏମିତି କାନ୍ଦୁଛ କାହିଁକି? 

ଅଂଶୁ ମୋ ଲୁହ ପୋଛିଦେଲା । କଣ ତାକୁ କହିବି କିଛି ଭାବି ପାରିଲି ନାହିଁ । ଜାଣେନି କିଏ ସବୁ ତାକୁ ଏମିତି ବୁଦ୍ଧି ଦେଲା । ହୁଏତ ଭାଇ ଭଉଣୀ ଦୁହେଁ ଟେଲିଫୋନରେ ଏସବୁ କଥା ହୋଇଛନ୍ତି । କିନ୍ତୁ ଅମିନା ବୁଝିବା ଶୁଝିବାର ହେଲାଣି । ସେ ତ ଏମିତି କହିବ ନାହିଁ ଅଂଶୁକୁ । 

- ନା ମାମା ତୁମେ କାନ୍ଦ ନାହିଁ । ମୁଁ ତ ଛୋଟପିଲା, ମୁଁ କେମିତି ଜାଣିବି ମୋ କଥା ତୁମ ମନରେ କଷ୍ଟ ଦେବ!

ଇଛା ହେଉଥିଲା ତାକୁ କହିଦେବା ପାଇଁ, ଅମିନା ଓ ଅଂଶୁ ବାଦ ଆଉ ମୋର ପିଲାଛୁଆ ହେବେ ନାହିଁ । ଅଙ୍କଲ ମାନେ ବଦଳି ଆଣ୍‌ଟି ବା ମାମା ହେଲେ ତାଙ୍କୁ ଡାକ୍ତରଖାନରେ ପୁଅ ଝିଅ ଦିଅନ୍ତି ନାହିଁ । ଇଛା ହେଉଥିଲା କହି ଦେବାକୁ, ତୋ ମାମା କେବେ ବି ଶାଶୁଘରକୁ ଯିବାର ନାହିଁ । କିନ୍ତୁ ପିଲାର ମନକୁ ଆଉ କିଛି ନୂଆ ସନ୍ଦେହ ପୁରାଇବାର ଇଛା ହେଲା ନାହିଁ । ମୁଁ ତା ପିଠି ଥାପୁଡାଇ ଶୁଆଇ ଦେଲି । 


ମାଆ କେତେଥର କହଲେଣି ମୋ ବାପା ବୋଉ ଓ ପରିବାର ବର୍ଗଙ୍କୁ ଦେଖିବା ପାଇଁ । ମୁଁ ମୂଖ୍ୟତଃ ମାୟାଧରର କାମରେ ବ୍ୟାଘାତ କରିବାକୁ ଚାହୁଁ ନଥାଏ, କହୁଥାଏ ଏହି କାମଟି ସରିଯାଉ ଆମେ ଯିବା ମାଆ । କାମ ମନେହୁଏ ସରି ଗଲାଣି ଅଥଚ ସେ କଣ କରୁଥାଏ ଓ କେତେଦିନ କରିବ ସେକଥା ସିଏ ଜାଣେ । ମାଆ ବିକଳ୍ପ ପ୍ରସ୍ତାବ ଦେଲେ କି ସେମାନେ ସବୁ ଆସନ୍ତୁ ଆମେ ଜଗନ୍ନାଥ ଦର୍ଶନରେ ଯିବା, କୋଣାର୍କ ବି ବୁଲି ଆସିବା । ମାୟା ତା କାମ କରୁଥାଉ, ଗୋଟିଏ ଦିନର କଥା । ମୁଁ ଘରକୁ ପତ୍ର ଲେଖିଲି ଯଦିଓ ମୁଁ ଜାଣିଥାଏ ସେମାନେ ଆସିଲେ ମୋ ବାହାଘର ବାବଦୀୟ କଥା ଉଠାଇବେ । ସେଥିରେ କିଛି ନାହିଁ ଯେ କିନ୍ତୁ ଅଂଶୁର ବର୍ତ୍ତମାନଳ ଅବସ୍ଥା ଯୋଗୁଁ ଆନ୍ତରିକ ଭାବେ ମୁଁ ସେମିତି ଚାହୁଁ ନଥାଏ । ମାଆର ଭଲପାଇବା ଏତେ ବଡ ବୋଲି ମୁଁ ଜାଣି ନଥିଲି, ଅଂଶୁ ପାଇଁ ମୋ ବାପା ବୋଉ, ଭାଇ ଭାଉଜ ଇତ୍ୟାଦିଙ୍କୁ ଏଡାଇ ଯିବାକୁ ମାଆର ମନଟି କହୁଥାଏ । ଜଣା ପଡିଲାନି ଅମିନା ଓ ଅଂଶୁ ମୋତେ ସତ ସତୁକା ମାଆର ମନଟେ ଦେଇଦେଲେ, ଜନ୍ମ ଦେଇନଥିଲେ ମଧ୍ୟ । ମନେହେଲା ପ୍ରସବ ବେଦନା ନପାଇଲେ ମଧ୍ୟ ମୁଁ ବାଞ୍ଝ ନୁହେଁ । ମୋ ମନ ପୁରି ଉଠିଲା । ମୋର ମନେ ପଡୁଥାଏ ପାର୍ବତୀ ପୁତ୍ର ଗଣେଶଙ୍କ କଥା, ନିଜ ଦେହର ମଳିରୁ ମାତା ଗଢିଦେଲେ ତାଙ୍କୁ କିନ୍ତୁ ସେ କଣ କମ? ବିଜ୍ଞାନର ମନଟି ଭାବିଲା ଆଛା ମାତାଙ୍କ କ୍ଲୋନ ହୋଇ ଗଣେଷ ଦେବୀ ହେବା କଥା ଦେବତା ହେଲେ କେମିତି! ମନେ ପଡିଲା କାନାଡାରେ ଡାକ୍ତର ସୁବ୍ରତ ମିଶ୍ର ମୋ ଅପରେସନ ପୂର୍ବରୁ ବୁଝାଇଥିବା ପାଠ । ପୁଅ ଝିଅ ସବୁକିଛି କେମିତି ସମ୍ଭବ ଗୁଣସୂତ୍ର ଯାହା ବି ଥାଉନା କାହିଁକି । ତା ଛଡା ଆମ ମଣିଷଙ୍କ କଥା ଦେବ ଦେବୀଙ୍କ ସହ ତୁଳନୀୟ ହୋଇ ନପାରେ । ମୁଁ ମାତାଙ୍କୁ କ୍ଷମା ମାଗିନେଲି । 

ନୂଆବର୍ଷ  ପ୍ରଥମ ସପ୍ତାହରେ କେବଳ ବଡଭାଇଙ୍କୁ ଘରେ ଛାଡି ମୋ ସାରା ପରିବାର ଆସିଥିଲେ । ଅମିନା ବି ଆସି ଯାଇଥିଲା । ଆମେ ବୁଲି ବାହାରିଲୁ । ଅଂଶୁ ଓ ଅମିନା ଏକ ହୋଇ ଯାଇଥାନ୍ତି । ମାମୁଁଘର ଲୋକଙ୍କ ସହ ବିଶେଷ ମିଶୁ ନଥାନ୍ତି । ସେମାନଙ୍କ ମନର ଅସୁରକ୍ଷିତ ଭାବନା ତୁଳନାରେ ମୋ ଜୀବନରେ ପ୍ରଥମ କରି ମୋ ବାପା ବୋଉ, ଭାଇ ଭାଉଜ, ଭଉଣୀ ଭିଣୋଇଙ୍କ ସହ ବୁଲିଯିବାର ଉତ୍ସାହ ମ୍ଳାନ ଅନୁଭବ ହେଲା । ମୁଁ ବୁଝି ପାରିଲି ମୁଁ ମାଆ । ମୁଁ ସିନା ନାରୀ ହୋଇ ଯାଇଥିଲି ତଥାପି ମୋ ମନରେ ସନ୍ଦେହ ଥିଲା ଏମାନେ ସବୁ ମୋତେ ଶତ ପ୍ରତିଶତ ନାରୀ ଭାବୁଛନ୍ତି କି ନାହିଁ । କିନ୍ତୁ ମୋ ମନରେ ତିଳେ ହେଲେ ସନ୍ଦେହ ଆସୁ ନଥିଲା ମୋ ପିଲାଦୁହିଁଙ୍କ ମନରେ ମୁଁ ଶତ ପ୍ରତିଶତ ମାଆ ଛଡା ଅନ୍ୟକିଛି ବୋଲି ।  ମୁଁ ସ୍ଥିର କରିନେଲି ମୋର ଆଗାମୀ ଭୂମିକା । ମୋ ନିର୍ଣ୍ଣୟରେ ମୋ ପିଲା ମାନଙ୍କୁ ପ୍ରାଥମିକତା ଦେବା ନିଶ୍ଚିତ କଲି । ଦେଖାଯାଉ ।

ମାଆ ମୋ ପରିବାରକୁ ଆଦର ଯତ୍ନରେ ବାନ୍ଧିନେଲେ । ମାୟା ପାଇଁ ସବୁ ବନ୍ଦୋବସ୍ତ କରି ଆମେ ସବୁ ବୁଲି ବାହାରିଲୁ । ମୋ ପୁତୁରା ଝିଆରୀ ଓ ପିଲା ମାନଙ୍କ କଥା ମୁଁ ବୁଝୁଥାଏ । ସବୁବେଲେ ସେମାନଙ୍କୁ କିଛି ନା କିଛି ଖେଳରେ କିମ୍ବା ଗପସପରେ ବ୍ୟସ୍ତ ରଖୁଥାଏ । ମୁଁ ଚାହୁଁ ନଥାଏ ବଡ ମାନଙ୍କ କଥାରେ ସେମାନେ ମିଶନ୍ତୁ । ଅବଶ୍ୟ ରାସ୍ତାରେ କେବଳ ଖୁସି ଗପ ବ୍ୟତୀତ ଅନ୍ୟ ଆଡକୁ ଆଲୋଚନା ନେଇ ନଥିଲେ ସେମାନେ ।

ଫେରିଲା ପରେ ଆମେ ସବୁ ପାଇକାଳୀ ଚାଲିଲୁ, ଏକେ ତ ମାଆଙ୍କ ନିଜ ସ୍ଥାନ ଦେଖିବେ, ଦ୍ୱତୀୟତଃ ଏତେ ଲୋକଙ୍କ ରହିବା ପାଇଁ ସେଠାରେ ସୁବିଧା ହେବ ।

ପରଦିନ ବାପା ବୋଉ କଥା ପକାଇଲେ ମଆଙ୍କ ସହ କି- ଦିଦି, ଏ ପିଲାମାନଙ୍କ ବୟସ ହୋଇଗଲାଣି ବାହା ସାହା କରାଇ ଦେଲେ ଭଲ ହୁଅନ୍ତା, ବିଶେଷ କରି ମୁଁ ଝିଅ ହୋଇଥିବା ଦୃଷ୍ଟିରୁ ମୋ ବିବାହ ବୟସ କାଳେ ଶୀଘ୍ର ସରିଯିବ । 

ମାଆ କହିଲେ, -ପୁଅ ତ ମାଗି ନେଇଛି ସମୟ, ଅଂଶୁକୁ ଆର ବର୍ଷକୁ ଦଶ ପୁରିଲେ ଯାଇ ସେ ବିଷୟରେ ଚିନ୍ତା କରିବ । ବଳିଆରସିଂ ପରିବାର ସର୍ବଦା ସୁପଥରେ ରହିଛି ବୋଲି ସମାଜରେ ଆଲୋଚନା ହୁଏ, ତଥାପି କେଜାଣି କାହିଁକି ଅଦୃଷ୍ଟର ଏମିତି ବିଧାନ, ଅନେକ ପୁରୁଷ ଧରି ଏ ବଂଶ ପୋଷ୍ୟପୁତ୍ର ଗ୍ରହଣ କରି ସୁରୁଖୁରୁରେ ଆଗେଇଛି । ମାୟାଧର ମୋ ଜନ୍ମିତ ପୁତ୍ର କେତେ ପୁରୁଷ ପରେ, ଅଥଚ ତା ବାପା ଚାଲିଗଲେ । କୁଳ ଜ୍ୟୋତିଷ କହିଦେଲେ ପୁଅକୁ ଦେଖିବୁ ତ ନାତିକୁ ନୁହେଁ । ମୁଁ ଏସବୁ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେନି କିନ୍ତୁ ମୋ ମାଆ ମନ ବଡ ଦ୍ୱନ୍ଦ୍ୱରେ ରହିଛି ସାରା ଜୀବନ । ପୁଣି ଈଶ୍ୱର ଦୁଃଖଦେଲେ ଅଂଶୁକୁ, ଯାହା ସୁଖ ହୋଇ ଲେଉଟି ଆସିଲା ଆମ ଭାଗ୍ୟକୁ । ଅଂଶୁ ବାଦ ଏ ବଂଶର କଳ୍ପନା ମୋ ମନକୁ ଆସେନି । ବାହାର ଲୋକଙ୍କୁ ତ ଏ କଥା ଅବିଶ୍ୱାସ ହେବ କିନ୍ତୁ ଯେ ଅନୁଭବୀ ସେ ବୁଝି ପାରିବ ଅଂଶୁ ହିଁ ଏ କୁଳର ଭବିଷ୍ୟ ପ୍ରଦୀପ । ଏସବୁ ଶୁଣିଲା ପରେ, କେଉଁ ବାପ ତା ଝିଅକୁ ଦେବ ମୋ ପୁଅକୁ । ତେଣୁ ଅଂଶୁର ଉଦୟ ହେବାକୁ, ପୁଅ ସମୟ ମାଗିବାକୁ ଓ ମୋ ମାଆ ମନ ବ୍ୟାକୁଳ ହେବାକୁ ପରସ୍ପର ଛନ୍ଦିଦେଇ ମୁଁ ଖୁବ୍ ଶାନ୍ତିରେ ଅଛି ।

ତା ଛଡା ମାୟା ଓ ସୁମନ ଏତେ ବର୍ଷର ସାଥୀ । ସାଙ୍ଗରେ ରହିଲେ, ଦେଶ ବିଦେଶ ବୁଲିଲେ, ବ୍ୟବସାୟ ପ୍ରତିଷ୍ଠାନ କଲେ, ସୁମନ ପାଠ ପଢି ଚାକିରି କଲା, ପୁଅରୁ ଝିଅ ହେଲା, ଝିଅଟିଏ ପାଳିଲା, ଆଜି ଅଂଶୁ ବି ତାକୁ ଛାଡି ଘଡିଏ ରହୁନି; ଏ ସବୁ ମୁଁ ଦେଖୁଛି । ମନରେ ଏକ ନିଜର ପଣ ଆସି ଯାଉଛି । ତେଣୁ ସେ ଦିହେଁ କଣ ଭାବୁଛନ୍ତି ଆମକୁ ବୁଝିବାକୁ ପଡିବ । ଯେତିକି ଜାଣିଛି ସେମାନେ କେବଳ ସାଙ୍ଗ କିନ୍ତୁ ଏ ବନ୍ଧୁତା ଚିରଦିନର । ନୂଆ ବୋହୂଟିଏ ଆସିବ, କେତେ ସେ ଅଂଶୁକୁ ବୁଝିବ ଯେମିତି ଏକ ପ୍ରଶ୍ନ ସେମିତି ଏକ ପ୍ରଶ୍ନ, କେତେ ସେ ବୁଝିବ ସୁମନକୁ! ପୁଣି କେତେ ସେ ବୁଝିବ ଅଂଶୁ ଓ ସୁମନର ସମ୍ପର୍କକୁ । ପରଝିଅ ପାଇଁ ବଡ ଜଟିଳ ହେବନି କି ଏ ଚଳନି? 

ଏସବୁ କିଏ ଇଛା କରି କରିନାହିଁ । ଦୈବ ନିର୍ଦ୍ଦେଶ, ସମସ୍ୟା ନୁହେଁ ସମାଧାନ । କେବେ କେବେ ମନେହୁଏ ମୁଁ କଣ ଭଲ ମାଆ? ସେମିତି ହୋଇଥିଲେ କେବଳ ମୋ ପୁଅ ମାୟାଧର କୈନ୍ଦ୍ରିକ ହୋଇଥାନ୍ତି । ପୁଣି ଭାବେ ମାଆ ତ ଏକ ଚଳନ୍ତି ଧାରା ଗଙ୍ଗା ମାଆ ପରି, କେତେ କେତେ ସନ୍ତାନର ମାଆ । ମୋ ସମଗ୍ର ପାଇକାଳୀ ମୋତେ ମାଆ ଡାକୁଛି । ସୁମନ ଡାକେ ମାଆ । ମୁଁ ଅଂଶୁର ଜେଜେ ମାଆ । ମୁଁ ଗୋଟେ ମାଆ । ମାଆର ପରିଚୟ ନେଇ ଅତି ଅଲ୍ପ ବୟସରୁ ମୁଁ ରହିଛି, ଆପାତତଃ ସୁଖରେ । ତା ବ୍ୟତୀତ ଆଉ କଛି ପରିଚୟ ମୋର ନାହିଁ । ମାଅ କେବେ ପକ୍ଷପାତିତା କରେ? ନା କଣ ଭଉଣୀ? 

ମୋ ବୋଉ ଆଡକୁ ପ୍ରଶ୍ନଟି ଗଲା । 

ବୋଉ ଯେମିତି ତା ଜୀବନରେ ପ୍ରଥମ ଥର କେଉଁଠି କହିବାର ସୁଯୋଗ ପାଇଲା । ସେ କହିଲା, - ପ୍ରକୃତ କଥା ହେଲା, ସୁମନ ପାଇଁ ସମସ୍ତଙ୍କ ମନରେ ରହିଛି ପ୍ରାୟଶ୍ଚିତର ଭାବନା । ପିଲାବେଳେ ସମସ୍ତେ ତାକୁ ଭୁଲ ବୁଝିଛନ୍ତି । କଥା କଥାକେ ଅପମାନ ଓ ଯନ୍ତ୍ରଣା ଦେଇଛନ୍ତି । ହେୟଜ୍ଞାନ କରିଛନ୍ତି । ତା ଝିଅ ସୁଲଭ ସ୍ୱଭାବ ପାଇଁ ଅଯଥା ବାର ଲୋକ ବାର କଥା କହିବେ, ଏମାନେ ସବୁ ଶୁଣି ଅପମାନିତ ଅନୁଭବ କରିବେ । ତାକୁ ବୁଝିବାକୁ ଚେଷ୍ଟା ନକରି ରାଗତକ ତା ଉପରେ ସୁଝାଇବେ । ଅବଶ୍ୟ ସେମାନେ ଅଜ୍ଞତା ହେତୁ ଭାବୁଥିଲେ ସୁମନକୁ ଭଲବାଟକୁ ଆଣିବା ପାଇଁ ଏସବୁ ତାଙ୍କ ପ୍ରଚେଷ୍ଟା ।

ସେ ପିଲା, ଆମ ଗାଆଁ କଣ ସେ ଆଖ ପାଖରେ ସବୁଠୁ ଅଧିକ ଆଗକୁ ଗଲା । ବିଦେଶ ଗଲା । ଗାଆଁରୁ ଜଣେ ମୃତପ୍ରାୟ ଲୋକର ସେବା କରି ନବଜୀବନ ଦେଲା । ସମସ୍ତଙ୍କ ମୁଁହରେ ଆଜି ତାହାର ପ୍ରଶଂସା । ସେଥିରେ କେବଳ ଆମେ ବାପା ମାଆ ନୋହୁଁ ମୋ ପରିବାରର ସମସ୍ତେ ବଡ ଗର୍ବ ଅନୁଭବ କରନ୍ତି । ପୁଣି କି ଆଚମ୍ବିତ କଥା ଭଗବାନ ତାକୁ ଦଶ ମାସ ମୋ ପେଟ ମଧ୍ୟରେ ଗଢାଇଥିଲେ ପୁଅ, ସେ ବିଜ୍ଞାନ ବଳରେ ଯେମିତି ତା ପିଲାଦିନୁ ଚାହୁଁଥିଲା ସେମିତି ହେଲା, ଝିଅ । ଆମେ ସେତିକି ସ୍ୱଛଳ ନଥିଲୁ । ସବୁ ପିଲାଙ୍କ କାମ ଯାକ ଅଳ୍ପ ସ୍ୱଳ୍ପରେ କଲୁ । ପିଲା ମାନଙ୍କ ମନ, ଟିକି ବାହାଘର ଖୁବ୍ ଯାକଜମକରେ କରିବେ । କିଛି ତ ଗୋଟେ ବାଟ ବାହାର କରିବେ କରିଥିବା ଦୋଷର ପ୍ରାୟଶ୍ଚିତ କରିବା ପାଇଁ । ଆମେ ବାପା ମାଆ ବା ଯେକୌଣସି ପିତା ମାତା ଆଉ ଅଧିକ କଣ ବା ଚାହାନ୍ତି । କେତେ କେତେ ଦୁଃଖ ଆମେ ନିଜ ମନରେ ଚାପିଦେଉ ଟିକି ଉପରେ ହେଉଥିବା ଅନ୍ୟାୟ ଦେଖି । ଆଜି ସେ ବେଳ ଆସିଛି, ମୋର ସବୁ ପିଲା, ଟିକିକୁ ମୁଣ୍ଡରେ ବସାଇ ବୁଲୁଛନ୍ତି । ଏ କଣ କମ କଥା ।

ତା ନିଜ ପ୍ରଚେଷ୍ଟା ବଳରେ ଓ ଭାଗ୍ୟର ସହାୟତାରେ ସେ ଆଗକୁ ଗଲା, ନଚେତ୍ ସେ କଣ କରୁଥାନ୍ତା ଭାବିଲେ ଏବେ ବି ରାତିର ନିଦ ହଜିଯାଏ । ମୋ ଟିକି ଭଳି ଏ ଦୁନିଆରେ ଯେତେ ଅଛନ୍ତି ଈଶ୍ୱର ସେମାନଙ୍କୁ ତାହାରି ଭଳି ମଣିଷ କରନ୍ତୁ । ମୁଁ ବି ତୁମ ଭଳି ମାଆ । ଯେଉଁଠି ମୋ ଟିକି ଭଳି ପିଲାଟିଏ ଦେଖେ, ତା ମଧ୍ୟରେ ଟିକିକୁ ଦେଖେ । ଭାବେ କହିବାକୁ, ତୁମେ କାହିଁକି ନିଜକୁ ଛୋଟ ମନେ କରୁଛ, ଆସ ମୋ ଝିଅ ଟିକିକୁ ଦେଖ । ତୁମେ ସବୁ ଏମିତି କାମ କରନା । ଭାବି ଦିଏ ସିନା ପୁଣି ଭାବେ କଣ କରିବେ ସେମାନେ, ସମସ୍ତେ ଟିକି ଭଳି ଊଚ୍ଚ ଶିକ୍ଷିତ ହେବା ସମ୍ଭବ ନୁହେଁ । ଲୋକେ ତାଙ୍କୁ ଟିକେ ବୁଝିବା ଦରକାର, କାମ ଦେବା ଦରକାର ।

ଏହି କ୍ରମରେ ଆମ ବାପା ମାଆଙ୍କ ମନରେ ବି ଏକ ଝୁଙ୍କ୍ ଆସିଛି; ଟିକି ପାଇଁ ବର ଆସିବେ ସେ ବାହା ହେବ, ପିଲା ଛୁଆ ହେବେ । ଖୁସି ଓ ସମ୍ମାନର ସହ ସେ ରହିବ । ତା ଭଳି ଅନେକ ଝିଅଙ୍କ ପାଇଁ ଆଗକୁ ବାଟ ଖୋଲିଯିବ । ମୋର ଖୁବ୍ ଇଛା ତା ଭଳି ଝିଅ ମାନଙ୍କ ମାଆ ବାପାଙ୍କୁ ଆମେ ବୁଝା ସୁଝା କରନ୍ତୁ କି ତୁମେ ଜନ୍ମ କରି ତାଙ୍କୁ ହତାଦର କରନି । 

ବୋଉ ତୁନି ପଡିଲା ।

ସବୁ କଥା ମୁଁ ଶୁଣି ପାରି ନଥିଲି । ସାନ ଭାଉଜ ଆସି ମୋ ପାଖରେ ପ୍ରାଞ୍ଜଳ ଭାବେ ଗପିଲେ । ଅଗତ୍ୟା ମୁଁ ଆଉ କଥା ନଲୁଚାଇ କହିଲି ଭାଉଜଙ୍କୁ କି ବିଜ୍ଞାନ ଆମକୁ ମାଆ ହେବାର ଦକ୍ଷତା ଦେବା ଭଳି ଉନ୍ନତି କରିନାହିଁ । ଅତୟବ୍ ବିବାହ କରିବା ଏତେ ସହଜ ନୁହେଁ । 

ଭାଉଜ ଆକାଶରୁ ଖସି ପଡିଲେ ଯେମିତି । –ଓଃ କଥା ତାହେଲେ ଏମିତି । ହେଲା ହେଲା, ତୁମେ ମନ ଦୁଃଖ କରନି । ଦୁଇଟା ଛୁଆର ମାଆ ତୁମେ । ଦେଖିବା ଆଗକୁ କଣ ହେଉଛି । 

ମୋ କାନ ପାଖକୁ ମୁଁହ ଲାଗାଇ ପୁଣି ଚୁପିଚୁପି କହିଲେ, -ବୁଝିଲ ଟିକି, ମାୟାଧର ବାବୁଙ୍କ ମାଆଙ୍କ ସମସ୍ୟା ଯେମିତି, ତୁମେ ତ ତାହାର ସମାଧାନ । 

- ନାଇଁ ଭାଉଜ, ମାୟାଧର ପ୍ରତି ମୋ ପ୍ରଚୁର ଭଲ ପାଇବା ଓ ତା ତରଫରୁ ମୋତେ ସେ ତତୋଧିକ ଭଲ ପାଇବା ମଧ୍ୟରେ ସେମିତି ଗୋଟେ ସ୍ୱାମୀ ସ୍ତ୍ରୀର ଭାବନା ପ୍ରାୟତଃ ନାହିଁ । କିନ୍ତୁ ଏ ସମ୍ପର୍କ ଏ ଜୀବନରେ ଭାଙ୍ଗିବାର ସମ୍ଭାବନା ନାହିଁ । ସେଇଠି ହେଲା ଅସୁବିଧା । ଏହା ତା ବୈବାହିକ ଜୀବନରେ ବାଧା ଉପୁଜାଇ ପାରେ । କିନ୍ତୁ କଣ କରିବି? ଅଂଶୁକୁ ଛାଡି ହେବନି କି ମାୟାକୁ ଅବା ତା ମାଆଙ୍କୁ । ନପାଇ ମରୁଥିଲି ଏବେ ପାଇ ମଲି । 

- ତୁମ ଭାଗ୍ୟ ସବୁବେଳେ ତୁମକୁ ସାଥୀ ଦେଇଛି । ଅପେକ୍ଷା କର ସମୟ ସବୁକିଛି ସମାଧାନ କରେ । ମନେରଖ ଟିକି, ଯଦି ସୁଯୋଗ ଆସେ ଉପେକ୍ଷା କରିବ ନାହିଁ । ଯେଉଁ ପ୍ରକାରର ହେଉନା କାହିଁକି ତୁମ ଭଲପାଇବା ତୁଟି ନଯାଉ ।

ଭାଉଜ ବଡ ଗମ୍ଭୀର ଦିଶୁଥିଲେ କିନ୍ତୁ । ସେ ତ କଥାକୁ ପେଟରେ ରଖି ପାରନ୍ତି ନାହିଁ । ତୁରନ୍ତ ବଡ ଭାଉଜଙ୍କୁ କହିଦେଲେ ପ୍ରକାରନ୍ତେ ସମସ୍ତେ ଜାଣିଗଲେ କେବଳ ମାଆଙ୍କୁ ଛାଡି ଯେ ମୁଁ ମାଆ ହୋଇ ପାରିବି ନାହିଁ । 

କଥା ବୁଲିଗଲା, ସମସ୍ତେ ଟୁପୁରୁ ଟାପୁରୁ ହେଲେ କି, ମଲା ମଲା ଅମିନା ଓ ଅଂଶୁ ଥାଉ ଥାଉ ଆଉ କିଶ ଦରକାର ହେ ଛୁଆ ପିଲା, ନହେବେ ତ ନାହିଁ । 

ପିଲାମାନେ ତାଙ୍କ ଟେରରେ ଥାଆନ୍ତି । ଦୁହେଁ ମୋ ପାଖରେ ହାଜର, - ମାମା ମାମା ତୁମେ ଆଦୌ ମନଦୁଃଖ କରନାହିଁ ତୁମକୁ ଡାକ୍ତରଖାନାରୁ ଛୁଆ ମିଳିବ ନାହିଁ ବୋଲି । ନମିଳୁ, ଆମେ ପା ଅଛୁ । 

କହିବା ବାହୁଲ୍ୟ, ମାଆଙ୍କୁ ବି ଏ ପିଲାଏ ଶୁଣାଇ ଦେଲେ ଏ କଥାଟି । 

ଭଲ ହେଲା, ଯାହା ସତ୍ୟ ତାହା ଦୁନିଆ ଜାଣୁ ଏହା ତ ଜଣେ କିନ୍ନରର ଧର୍ମ । ମୋ ମନ ଅନେକାଂଶରେ ହାଲୁକା ହୋଇଯାଇଥିଲା ମୋ ପରିବାରକୁ  ବିଦାୟ ଦେଲାବେଳେ । ସମ୍ଭବତଃ ଅଧିକ କିଛି ଭାବିବାର ଉପାୟ ନଥିଲା ସେମାନଙ୍କ ପାଖରେ । କିନ୍ତୁ ମାଆ? ମୁଁ ବୁଝି ପାରୁଥିଲି ତାଙ୍କ ମନ ମଧ୍ୟରେ ବର୍ତ୍ତମାନ ଯେଉଁ ସମ୍ଭାବ୍ୟ ଆଲୋଡନ ସୃଷ୍ଟି ହୋଇଥିବ । 

ଏତେ ସବୁ ଘଟିଗଲା ମାୟାଧରର ଅଗୋଚରରେ ।  ମୁଁ ପ୍ରଭୁଙ୍କୁ ଡାକିଲି, ମାଆଙ୍କ ମନ ଶାନ୍ତିରେ ଭରିଯାଉ ।   


7 comments:

  1. କାହାଣୀ କ୍ଲାଇମାକ୍ସ ଆଡକୁ ଯାଊଛି, ତେଣୁ ଉତ୍କଣ୍ଠା ଆହୁରି ବଢୁଛି

    ReplyDelete
    Replies
    1. Thank you so much mam for your constant encouragement.

      Delete
  2. Bahut badhia conclusion pakhaku jauchi. Co-ordination badhia laguchi. Bhasa sanjojana ati sundar.

    ReplyDelete
  3. ବହୁତ ଧନ୍ୟବାଦ। ଦେଖାଯାଉ।

    ReplyDelete
  4. A good attempt to get rid of those inequality about them in our society.

    ReplyDelete
  5. This comment has been removed by the author.

    ReplyDelete