୧୬
ସେଦିନ ଥାଏ ଦୀପାବଳି ଅମାବାସ୍ୟା ।
ମାୟାଧର ମୋତେ ପାଖକୁ ଡାକିଲା । ଚିତ୍ରଟି ଯେତିକିରେ ଥିଲା ସେତିକିରେ ଅଛି । ଏତେଦିନ କରୁଥିଲା କଣ? ଘରେ ହରେକ ରଙ୍ଗର ଆଲୋକ ରଖିଛି । ମୁଁ ମୂଳରୁ ଜାଣିଛି ଆମେ ସବୁ ଚିତ୍ରକର ରଙ୍ଗ ଆବଶ୍ୟକ କରୁ କିନ୍ତୁ ମାୟାଧର ରଙ୍ଗତୁଳୀ ସହ ଆଲୋକ ମଧ୍ୟ ଆବଶ୍ୟକ କରେ । କେତେବେଳେ ତା ପେଣ୍ଟିଂ ଜ୍ୟୋସ୍ନା ପ୍ଳାବିତ, କେତେବେଳେ ଲୋହିତ କିରଣ ଭିଜା । କିନ୍ତୁ ଏ କେତେଦିନ କଣ ସେ କରୁଛି ଭଗବାନ ଜାଣନ୍ତି ।
ମୁଁ ପାଖକୁ ଗଲି । ଉଜ୍ଜ୍ୱଳ ଶୁଭ୍ର ଆଲୋକରେ ସେଚିତ୍ରକୁ ଦେଖାଇ କହିଲା, ଏକ ସମସ୍ୟା ଦେଖାଯାଇଛି । ତାହାର ସମାଧାନ ତୁ କରିବୁ । ମୁଁ ଚମକି ପଡିଲି । ଏ ଅର୍ଦ୍ଧନାରୀଶ୍ୱର କଳାଟି ଉପରେ ଏତେ ଦିନ ହେଲା ସେ କାମ କରୁଛି । ଦିନଟାଏ କିଛି ପଚାରି ନାହିଁ । ଏବେ ଏମିତି କଣ ଆବଶ୍ୟକ ପଡିଲା ଯେ? ମୋତେ କଥାଟି ବଙ୍କାଟଙ୍କା ଲାଗିଲା ।
- ଦେଖ, ପଛରେ ସେ କୈଳାସ ପର୍ବତ ଅଛି । ଆଗରେ ଈଶ୍ୱର ତାଙ୍କ ବିଶେଷ ସ୍ୱରୂପରେ । ତାଙ୍କ ଜଟାରୁ ଗଙ୍ଗା ବହି ଯାଉଛି । ଶୁଭ୍ର କୈଳାସ ପର୍ବତର ଅବସ୍ଥିତି ଦୃଷ୍ଟିରୁ ଗଙ୍ଗା ଆଦୌ ଦୃଶ୍ୟମାଣ ହେଉ ନାହାନ୍ତି । କେମିତି ଏହା ସମ୍ଭବ ହେବ?
ମୁଁ ଜାଣେନି, ହଠାତ୍ ଉତ୍ତର ଦେଲି, - ଦେଖ ମାୟା, କୈଳାସ ବହୁତ ପଛରେ, ଗଙ୍ଗାମାତା ଜଟାରୁ ବାହାରୁଛନ୍ତି, ଏଣୁ ପାଖରେ । ଈଶ୍ୱରଙ୍କ ନିଜସ୍ୱ ଆଭା ରହିବା ସମ୍ଭବ । ସେ ଆଭାରେ ଗଙ୍ଗା ଆଲୋକିତ ହେବା ସମ୍ଭବ । ତେଣୁ ଆଲୋକିତ ଗଙ୍ଗା ଶୁଭ୍ର ପ୍ରଛଦରେ ଚହଟି ଉଠିବାରେ କଣ ଅସୁବିଧା ଅଛି ।
- ବାଃ, ସୁମନ ମୁଁ ଯେଉଁଥି ପାଇଁ କେତେ କେତେ ସମୟ ଦେଇ ସମାଧାନ ପାଇ ପାରୁନଥିଲି, ତାହାର ସମାଧାନ ତୁ ।
ଏମିତି ବି ତୁ ସର୍ବଦା ମୋ ପାଇଁ ଏକ ସମାଧାନର ସୂତ୍ର, କେବେ ନିଜକୁ ସମସ୍ୟା ମନେ କରିବୁନି ।
ଏହା କହି, ସେ ଅତ୍ୟନ୍ତ ଉଲ୍ଲସିତ ହୋଇ ମୋତେ ଆଲିଙ୍ଗନ କଲା । ପୁଣି ମୁକୁଳାଇ ଦେଲା । – କ୍ଷମା କରିବୁ ସୁମନ, ମୁଁ ଭୁଲିଗଲି ତୁ ଆଉ ମୋ ଆଗ ସୁମନ ନାହୁଁ । ତୁ ପରା ନାରୀ, ମୁଁ ପୁରୁଷ । ଏକଥା କହିଲା କର ଯୋଡି ।
ମୁଁ ରହସ୍ୟ କରି ତା କାନ ମୋଡିଦେଲି, ଗାଲରେ ଦେଲି କୁନି ଚାପୁଡାଟିଏ । କିନ୍ତୁ ମନ ହେଉଥିଲା ତାକୁ ଏମିତି ଜାବୁଡି ଧରନ୍ତି, ସାରା ପୃଥିବୀର କୌଣସି ଶକ୍ତି ଆଉ ତାକୁ ମୁକୁଳାଇ ପାରନ୍ତା ନାହିଁ ।
କିନ୍ତୁ ।
ହଁ ଆଉ କେଇଟା ଦିନର କଥା । ମୁଁ ନିଜେ ମୁକୁଳି ଯିବି । ମୁକୁଳି ଯିବା ସତେ ଯେମିତି ଜୀବନର ଲକ୍ଷ । ମନେହେଲା ସମାନ ସମୟରେ ମୋର ଦୁଇ ନାକ ପୁଡାରୁ ତପ୍ତ ଓ ହେମାଳ ଶ୍ୱାସ ନିର୍ଗତ ହେଉଛି, ଆସକ୍ତି ଓ ଅନାସକ୍ତିର । ଅଧ୍ୟାପିକା, ଚିତ୍ରଶିଳ୍ପୀ, ସାଥୀ, ମାଆ, ସଫଳତା ଓ ସମ୍ମାନର ଆସକ୍ତି ସହ ଯୁଦ୍ଧ କରୁଛି ମୁକୁଳି ଯିବାର ଇଛା । ଏ ସବୁ ଯେମିତି ମାୟା, ନପାଇବା ପର୍ଯ୍ୟନ୍ତ ପିପାସା, ମିଳିଗଲେ ତୁଚ୍ଛ । ତୁଚ୍ଛ ନୁହେଁ ଆଉ କଣ । ଅନାଗତ ଭବିଷ୍ୟତର ଆଶଙ୍କା ଯେମିତି ଥିଲା ସେମିତି ରହିଛି । ପରିଚୟ ସଙ୍କଟ ତଥାପି ଟଳୁନି । ବିଚାରରେ ଦ୍ୱନ୍ଦ୍ୱ ଦୂର ହେଉନି । ବରଂ ମନରେ ଥିବା ବେପରୁଆ ଭାବ ବଦଳି ସମ୍ଭ୍ରମତାକୁ ମୁଁ ମହତ ଆଚରଣ ଭାବେ ଆବୋରି ନେଇ ଦୁଃଖ ପାଉଛି । ମୋ ଚାରିପାଖର ମଣିଷ ମାନେ ମୋତେ କଣ ଭାବିବେ, ସମାଜ କଣ ଭାବିବ? ତେଣୁ ଗୋଦଡା କୋଡିଛି ଯେତିକି ମାଡିଛି ଯେମିତି ସେତିକି । କି ଲାଭ? ଉପାର୍ଜନ ହୋଇଛି ଅନ୍ୟଥା ଅପରିଚିତ ଭାବ, ‘ଛଳନା’ । ବାହାରି ଆସୁଥିବା ଦୀର୍ଘଶ୍ୱାସକୁ ଏକ ଛଳନାର ମୃଦୁ ହସରେ ସୀମିତ କରି ମୁଁ ବାହାରି ଆସିଲି ।
କାର୍ତ୍ତିକ ପୁର୍ଣ୍ଣମୀ ଚାରି ଦିନ ଆଗରୁ ଛୁଟିନେଲି । ମନେ ମନେ ଭାବିଲି ଏଇଟି ଏ ଘରୁ ମୋ ବିଦାୟ । କେହି ଆଉ ମୋ ସନ୍ଧାନ ପାଇବେ ନାହିଁ । ଗୁରୁଙ୍କ ସହ ସାକ୍ଷାତ ପରେ କେଉଁ ଆଡେ ଯିବି ଜାଣେନା । ନରୁଦ୍ଦିଷ୍ଟ ହେବା ଯେମିତି ଆମ ଭାଗ୍ୟ । ସହକାରୀ ଅଧ୍ୟାପିକା, ଚିତ୍ରଶିଳ୍ଫୀ, ‘ସୁମନ ମାୟାଧର’ ବ୍ରାଣ୍ଡର ସୁମନ ହେବ ନିରୁଦ୍ଦିଷ୍ଟ ।
ଅଂଶୁକୁ ବୁଝାଇ ଦେଲି ଜରୁରୀ କାମ ଥିବାରୁ ଯାଉଛି । ସେ ମତେ ପୁଣି ଥରେ ଶୀଘ୍ର ଫେରି ଆସିବାର ଶପଥ କରାଇ ନେଲା । ପୁଣି ଛଳନା ।
୧୭
ଗୁରୁଜୀ ଗୋପିକୃଷ୍ଣା ତାଙ୍କ ଆସ୍ଥାନରେ ମତେ ଯେମିତି ଅପେକ୍ଷା କରିଥିଲେ । ମୁଁ ଦେବୀମାତା ଓ ଗୁରୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲି । ଇଛାଥିଲେ ବି ପଚାରିଲି ନାହିଁ ଗୁରୁ କଣ ସତରେ ଜାଣିଥିଲେ ମୁଁ ଆସୁଛି ବୋଲି । କିନ୍ତୁ ଆଜି ପୂର୍ଣ୍ଣମୀ ହୋଇଥିବା ସତ୍ତ୍ୱେ ଗୁରୁଜୀ ଏକୁଟିଆ ଅଛନ୍ତି କେମିତି ଓ କାହିଁକି? ସେ ନିଶ୍ଚିତ କିଛି ବିଶେଷ ବାର୍ତ୍ତା ଦେବେ ।
କିନ୍ତୁ ମୋତେ ସେ ପଚାରିଲେ ମୋର ଭଲ ମନ୍ଦ । ସତେ ତାଙ୍କୁ କିଛି ଜଣା ନାହିଁ । ଗୁରୁ ଈଶ୍ୱରଙ୍କ ପାଖକୁ ପ୍ରବେଶ ଦ୍ୱାର, ତାଙ୍କୁ କିଛି ଲୁଚାଇଲି ନାହିଁ । ମୋର ପ୍ରତ୍ୟେକ ଅନ୍ତର୍ଦାହର ଟିକିନିଖି ବିବରଣୀ ତାଙ୍କୁ ସମର୍ପଣ କଲି ।
- ମନୁଷ୍ୟ ଅର୍ଥ କଣ ସୁମନ?
- ଯେ ମନ ସର୍ବସ୍ୱ ପ୍ରାଣୀ ।
- ସବୁ ମନୁଷ୍ୟ ମନ ସର୍ବସ୍ୱ?
- ନୁହେଁ ଗୁରୁଜୀ, ଅଧିକାଂଶ ପଶୁଭଳି ଦେହ ଓ ଇନ୍ଦ୍ରିୟ ପରିଚାଳିତ, ଯାହାକୁ ସେମାନେ ମନର କଥା ଭାବନ୍ତି । କିନ୍ତୁ ନୁହେଁ । ଅସଲରେ, ମନର ପରିଚାଳିତ କାର୍ଯ୍ୟ ସମାପ୍ତି ପରେ ମଧ୍ୟ ଆନନ୍ଦ ଦେଉଥାଏ ।
- ତୁମେ ନିଜେ ଦେହ ସର୍ବସ୍ୱ ନା ମନ ପରିଚାଳିତ?
- ମନ ପରିଚାଳିତ ଗୁରୁଜୀ ।
- କେମିତି?
- ଦେହଟି ମୋର ଥିଲା ଏକ ପୁରୁଷ । ମୁଁ ତହିଁରୁ ଅଲଗା କରି ନେଉଥିଲି ମୋ ମନକୁ । ମନ ମୋର ଥିଲା ନାରୀ । କେବଳ ମୁଁ ନୁହେଁ, ପ୍ରତିଟି କିନ୍ନର ତା ମନକୁ ଅନୁସରଣ କରି ସର୍ବସ୍ୱ ହରାଇ ଦିଏ ଗୁରୁଜୀ । ଘର, ପରିବାର, ଅଧିକାର, ଧନସମ୍ପଦ, ସାମାଜିକ ପ୍ରରାଧାନ୍ୟ ଓ ଆହୁରି ଅନେକ କିଛି । ଦେହ ଗୋଟେ ଭୋକ ଓ ଭୟର ଭୂଗୋଳ । ସେଇଟିକୁ ସେ ଖୁବ୍ ହେୟ ମନେକରେ । ତାକୁ କେବେ ଭିକାରୀ ସଜାଏ ପୁଣି କେବେ ଦୁଇ କଉଡିରେ ବିକ୍ରି କରିଦିଏ । ଆଦୌ ଗୁରୁତ୍ୱ ଦିଏନି ଦୁଃଖ କଷ୍ଟକୁ। ମନଟିର ଧାରଣ ପାଇଁ ଦେହଟି ଦରକାର ଯେହେତୁ । ଦେହଟି ଅତ୍ୟାଚାରିତ ହେଲା, ଅପମାନିତ ହେଲା, କଳୁଷିତ ହେଲା ସିନା ମନଟି ତାହାର ଥାଏ ନିର୍ମଳ । ମୁଁ ହୁଏତ ଭାଗ୍ୟବଳରେ ଆଗକୁ ମାଡି ଚାଲିଲି, ପାରପାଶ୍ୱିର୍କ ପରିସ୍ଥିତି ଓ ଅନ୍ତରଙ୍ଗ ମାୟାଧର ପାଇଁ ମୋ ପଥ ପରିଷ୍କାର ହୋଇଗଲା । କିନ୍ତୁ ମୋ ଝିଅ ଅମିନା? କେତେ କେତେ କଷ୍ଟ ସେ ସହିଛି । ଏକ ପୁଅର ଦେହ ସହ ସମ ଭାବରେ ରହି ତା ବାପା ମାଆଙ୍କ ଛତ୍ରଛାୟା ତଳେ ସୁଖରେ ରହି ପାରିଥାନ୍ତା ସେ । ତା ହେଲେ ତା ମନଟି କଣ କଳୁଷିତ? ଆଦୌ ନୁହେଁ ଗୁରୁଜୀ । ଅତି ନିରୀହ, ନିରିମାଖି ସେ ।
- ତାହେଲେ କିନ୍ନର ଏକ ଅସଲ ମନୁଷ୍ୟର ଚଳନ୍ତି ପରୀକ୍ଷାଗାର ନୁହେଁ କି, ଦ୍ୱିପଦ ପ୍ରାଣୀ ମନୁଷ୍ୟ ବାସ୍ତବିକ ମନ ପରିଚାଳିତ ପ୍ରମାଣ ଦେବାପାଇଁ?
- ଅଜ୍ଞା ମହାଶୟା ।
- ତାହେଲେ ଦ୍ୱନ୍ଦ୍ୱ କାହିଁକି? ନିଜ ମନର ପଥରେ ଯିବା ପାଇଁ?
- ସାମାଜିକ ଲୌକିକତା ଗୁରୁଜୀ ।
- କଥା ଫେରି ଆସିଲା ସାମାଜିକ ଲୌକିକତାକୁ, ମୂଳରୁ କାହିଁକ ସାମାଜର ସାମାଜିକତା ବିରୁଦ୍ଧରେ ଲଢୁଥିଲ?
- କିନ୍ତୁ ନିଜ ମନ ଭଳି, ପାଞ୍ଚ ଜଣଙ୍କ ମନ ବି ଅଛି ଗୁରୁଜୀ । ବେଳେ ବେଳେ ସଂଘର୍ଷ ହେବନି କେମିତି?
- ପାଞ୍ଚ ଲୋକର ମନ ଯାଇ ପରଖି ନିଅ । ନିଜ ମନର ଭାବନାକୁ ସମସ୍ତଙ୍କ ମନରେ ଲଦି ଦେଇ ନିଷ୍କର୍ଷ ବାହାର କରିବାର କାରଣ କିଛି ନାହିଁ ।
- ଆଜ୍ଞା । କିନ୍ତୁ ନିଜ ପାଇଁ ବଞ୍ଚିବା ତ ଆମ ଆଭିମୂଖ୍ୟ ହେବା ଅନୁଚିତ୍ ।
- ସର୍ବଦା ତାହା ନୁହେଁ, କେବେ କେବେ ନିଜର ଚଳନି ଅନ୍ୟମାନଙ୍କ ପଥ ପ୍ରଦର୍ଶକ ହୁଏ ସୁମନ ।
- କିଛି ହାସଲ କରିନେବା ମନର ସ୍ୱଧର୍ମ ନହୋଇପାରେ ମାତା ।
- ତାହେଲେ କିଛି ଦାନ କର । କିଛି ତ୍ୟାଗ କର । ମୂଖ୍ୟତଃ ତୁମ ଅହମିକା ତ୍ୟାଗକର? ଦେଇ ଚାଲ ।
- କିଛି ସମୟ ଦରକାର ଗୁରୁଜୀ ।
- ନିଅ, ଯଥେଷ୍ଟ ସମୟ ନିଅ । ଅପେକ୍ଷା କର, ଉପେକ୍ଷା ନୁହେଁ ।
- ଅପେକ୍ଷା ସମୟତକ କିଛି ଉତ୍ତମ କାର୍ଯ୍ୟରେ ଲଗାଇବାର ଆଶୀର୍ବାଦ ଦିଅନ୍ତୁ ଗୁରୁଜୀ ।
- ଯାଅ ନିଜ ସମାଜ ସହ ଜଡିତ ହୋଇ କିଛି କାମ କର, ସେମାନଙ୍କର ଉତ୍ଥାନ କର ।
- କିଛି ନିର୍ଦ୍ଦିଷ୍ଟ କୁହନ୍ତୁ ମହାଶୟା ।
- ତୁମର କିଛି କରିବା ଆବଶ୍ୟକ ନାହିଁ । କେବଳ ସେମାନଙ୍କୁ ଚିହ୍ନ, ସୁଖ ଦୁଃଖ ବାଣ୍ଟ । ତୁମ ନିଜ କାହାଣୀ ସମସ୍ତଙ୍କୁ ଶୁଣାଅ ତାହା ହିଁ ଯଥେଷ୍ଟ ।
ଗୁରୁଜୀ ତାଙ୍କ ମୁଦ୍ରିତ କରଯୁଗଳକୁ ମୋ ଶୀର ଉପରେ ଖୋଲିଦେଲେ । ବୃଷ୍ଟି ହେଲା କେତେ କିସମର ପୁଷ୍ପ । ମୁଁ ସେସବୁ ଗୋଟାଇ ସାରିଲା ବେଳକୁ ଗୁରୁ ଗୋପିକୃଷ୍ଣା ଧ୍ୟାନଯୁକ୍ତହୋଇସାରିଥିଲେ । ମୁଁ ନୀରବରେ ପ୍ରସ୍ଥାନ କଲାବେଳେ ମନେ ହୋଇଥିଲା ମୋତେ ଏକ ମାର୍ଗ ନିର୍ଦ୍ଦେଶ ହୋଇ ସାରିଛି ।
ଅନେକ ପ୍ରସନ୍ନତା ମଧ୍ୟରେ ଅମିନା ଓ ଲକ୍ଷ୍ମୀ ମାଆଙ୍କୁ ସାକ୍ଷାତ କଲି । ଅନେକ ଦିନହେଲା ଆମେ ଫୋନରେ କଥା ହୋଇ ନଥିଲୁ । ମୁଁ ହୁଏତ ବିବ୍ରତ ଥିବାରୁ ବା ସେମାନଙ୍କୁ ଆଶ୍ଚର୍ଯ୍ୟ କରାଇବା ପାଇଁ କିମ୍ବା ଗୁରୁଙ୍କ ସହ ସାକ୍ଷାତ ପରର କାର୍ଯ୍ୟପନ୍ଥା ଉପରେ ସନ୍ଦେହ ଥିବାରୁ ସେମାନଙ୍କୁ ଜଣାଇ ନଥିଲି । ସେ ମହୁଲକୁସୁମରୁ ଫେରିବା ପରେ ଘର ଲୋକଙ୍କ କଥାରୁ ମୋ ଉପରେ ଅକାରଣେ ଅଭିମାନ କରି କଥା ହେବାକୁ ସଙ୍କୋଚ କରୁଥିଲା ବୋଧହୁଏ ।
ହଠାତ୍ ମୋତେ ଦେଖି ସେମାନ ବହୁତ ସୁଖ ଅନୁଭବ କଲେ । ତା ଅଭିମାନର ଆଭାସ ନଥିଲା ।
ଝିଅ ଯଥେଷ୍ଟ ବଡ ହୋଇ ଯାଇଥିଲା, ମୋ ବାବଦରେ ତା ମନର କଥା ଲକ୍ଷ୍ମୀ ମାଆଙ୍କୁୁ କହି ସାରିଥିଲା ।
ଲକ୍ଷ୍ମୀ ମା କେବଳ ସାଙ୍କେତିକ ହିସାବରେ କହିଲେ ଯେ ପିଲାଏ ଆଦୌ ଚାହୁଁ ନାହାନ୍ତି କି ସେମାନଙ୍କଠୁ ମୁଁ ଦୂରେଇ ଯାଏ । ଏମିତି ତ ଅମିନା ଦୂରରେ ରହୁଛି, ଯାହା ସେ କହିଛି କେବଳ ଅଂଶୁପାଇଁ ଓକିଲାତି ।
ମୁଁ ଲକ୍ଷ୍ମୀ ମାଆଙ୍କୁ ସିଧାସିଧା କହିଦେଲି କି କୌଣସି ପରିସ୍ଥିତିରେ ମୋର ଅଂଶୁଠାରୁ ଦୂରେଇ ଯିବା ସମ୍ଭବ ନୁହେଁ । ମନେ ମନେ ଗୁରୁଙ୍କୁ ପ୍ରଣାମ କଲି । କେଇପଦ କଥା ମୋତେ ଶାନ୍ତ କରିଦେଇଥିଲା ।
ଲକ୍ଷ୍ମୀ ମା ଜାଣିଲେ ତାଛଡା ଅଉ କିଛି ଅଧିକ ପଚାରିବା ଅନୁଚିତ ।
ମୁଁ ଆଉ ଅପେକ୍ଷା ନକରି ଫୋନ ଲଗାଇଲି । ଅଂଶୁ ଭାବି ପାରିଲା ନାହିଁ ଯେ ଏପଟୁ ଶୁଣିବ ତା ମାମାର ସ୍ୱର । କହିଲା, ଦିଦିକୁ ଧରି ଶୀଘ୍ର ପଳାଇ ଆସ । ତା ଦିଦି ମୋ ହାତରୁ ଫୋନ ଛଡାଇ ନେଇ ମୋତେ ସେ ଯାଗାରୁ ତଡିଦେଲା । ବୁଝିଲି, ତା ଓକିଲାତିର ସଫଳତା ଗପିବ ।
ମୋ ମିତ ସୁମନ ମିତ୍ରଙ୍କୁ ଦେଖାକଲି । ମଜାଦାର ଖବର ଥିଲା । ତାଙ୍କ ନିର୍ବନ୍ଧ ହୋଇ ଯାଇଥିଲା ଜଣେ ବିଧାୟକଙ୍କ ସହ, ସେ ପୁଣି ତାଙ୍କ ବିରୋଧୀ ଦଳର । ଘରେ କଳି ଲାଗିବେ ନାହିଁ ତ! ମୁଁ ଆଶ୍ଚର୍ଯ୍ୟ ହେବାରୁ ସେ କହିଲା, କଣ ଆଉ କରାଯିବ, ପିଲାଦିନର ସାଙ୍ଗ । ହା ହା ।
ଓ ହୋ, ମତେ କେମିତି ଜଣାଇ ନଥିଲ, ମୁଁ ଅଭିଯୋଗ କଲି ।
- ରାଜନୀତିଆ ଲୋକ ଗୁଡାକ ଠକ, କାଳେ ଦଳୀୟ ଚାପରେ ମୋତେ ଛାଡିଦେବ, ସେ ଭୟ ଥିଲା । କିନ୍ତୁ ନା । ଏବେ ତ କଥା ପକ୍କା ହୋଇ ଗଲାଣି ।
ତାଙ୍କୁ ଯେମିତି କହିହେବ ଓ ଯେମିତି କହିଲେ ତାଙ୍କ ସାମ୍ପ୍ରତିକ ଉଡନ୍ତା ମନର ଉତ୍ସାହ କମିବ ନାହିଁ, ସେମିତି ଭାବେ ମୋ ଅସୁବିଧାତକ କହିଲି ।
ସେ କହିଲା, - କି କଥା, ଏବେ ପ୍ରଦର୍ଶନୀରେ ବାହାରକୁ ଗଲେ କଣ ଦୁଇଟା ରୁମରେ ରହିବ ନା କଣ? ତାକୁ ବାହା ହୋଇପଡ । ସେ ଖିଆଲି ଲୋକ, ଆଜି କହିବ କାଲି କହିବ ଭାବୁ ଭାବୁ ବୁଢା ହୋଇ ଯାଇଥିବ । ତୁମେ ତାକୁ ସ୍ମରଣ କରାଇ ଦିଅ । ପିଲା ତ ଅଛନ୍ତି । ଆଉ କଣ ଅସୁବିଧା ଯେ । ଦରକାର ହେଲେ ମତେ କହିବୁ, ମୁଁ ତାକୁ ଅଭିଯୋଗ କରିବି, ବାହା ହେବନି ତ ସାଥିରେ ରହୁଥିଲା କାହିଁକି? ସମାଜ ଆଉ କଣ ମୋ ସାଙ୍ଗକୁ ସତୀ ଭାବିବ । ଅଲବତ ବାହା ହେବ ।
ରାଜନୀତିଆ ଲୋକ କଥାଟିକୁ ଏମିତି ଓଲଟାଇ ଦେଲା ।
ମୁଁ ବହେ ହସିଲି । କିନ୍ତୁ ଏମିତିକା ଳଢୁଆ ମିତଟି ଯାହାର ଥିବ ସେ ସମସ୍ତଙ୍କୁ ଜିତିଯିବ । - ଯା ତୋର ଯେଉଁ କଥା ନା । ମୁଁ କହୁଛି ଫେଡାଣ ତୁ ମତେ ପଢାଉଛୁ ମିଶାଣ ।
ବିଦାୟ ନେଲି ।
ମୁଁ ବହୁତ କିଛି ଭାବୁଥିଲି । ନାରୀଟିଏ ପୁରୁଷ ସହ ବାନ୍ଧି ହୋଇ ଯାଇପାରେ, ତାଙ୍କ ଅନ୍ୟ ବିଷମତା ଥିବା ସତ୍ତ୍ୱେ । ଅଥଚ, ମନର ମେଳ ଓ ପରିସ୍ଥିତି ଅନୁକୂଳ ଥିଲେ ମଧ୍ୟ କେମିତି ନିଷିଦ୍ଧ ମନେ ହୁଏ ସୁମନ ମାୟାଧରର ସମ୍ପର୍କ । ଏଥର ନିଶ୍ଚିତ ତାକୁ ପଚାରିବି କଣ ସେ ଭାବୁଛି । କାହାକ ୁଗୋଟେ ବାହା ହେଉନି କାହିଁକି? ମୋ ପ୍ରତି ତା ଭାବନା କଣ? ପୁଣି ମନ କହିଲା, ନା ମୁଁ ଏମିତି କେବେ କହି ପାରିବି ନାହିଁ । ଅପେକ୍ଷା କରିବି । ମୁଁ ତ କିଛି ଦାବୀ କରୁନି । ସେଦିନ ଅମିନା ଉପରେ ମୁଁ ଛେପ ପକାଇଲା ବେଳେ ମାଆ କେମିତି କହିଲେ ଯେ ଯେତେ ଶିକ୍ଷିତ ହେଲେ ବି ମାଆ ମନ ସନ୍ତାନର ଭଲ ପାଇଁ ସବୁ ଅନ୍ଧବିଶ୍ୱାସକୁ ମାନିନିଏ । କିଏ ସେ ଜ୍ୟୋତିଷ, ଜଣେ ଆଧୁନିକ ଚିନ୍ତାଧାରାର ମାଆଙ୍କ ମୁଣ୍ଡରେ ପୁରାଇ ଦେଲା, ପୁଅକୁ ଦେଖିବୁ ତ ନାତିକୁ ନୁହେଁ । ବଡ କଷ୍ଟ ଲାଗିଲା ମୋତେ, ସେ ବିଧବା ମାଆଙ୍କ ପାଇଁ । କଥା ଏଠି ସୁମନର ନୁହେଁ । ସୁମନ ତ ମାୟାଧର ସହ ରହିଲାଣି ଦୀର୍ଘ ତେରବର୍ଷ ଜଣେ ସାଙ୍ଗ ହୋଇ । ଜୀବନ ସାରା ବି ରହି ପାରିବ ସେମିତି । କିନ୍ତୁ କଣ ପାଇଁ ଏକ ଅନ୍ଧବିଶ୍ୱାସ କୌଣସି ବି ମଣିଷକୁଏମିତି କାବୁ କରି ରଖିବ । ଆଗକୁ ସୁମନ ନିଶ୍ଚିତ ଏ ବାବଦରେ ସଚେତନତା ଆଣିବ ।
ଅଂଶୁ କଥା ମନେ ପଡିଲା । କିନ୍ତୁ ଅଂଶୁ ପାଇଁ ସବୁଠୁ ବଡ ସମାଧାନ ସୁମନ ନିଜେ । ସୁମନ ତ ଅଂଶୁକୁ ଧରି ବଳିଆରସିଂ ପରିବାରରୁ ହଟି ଯିବନି । ତା ବାପା ଓ ଜେଜେ ତାକୁ ତ୍ୟାଗ କରିବେ କେମିତି?
ମୁଁ ମନ ସ୍ଥିର କରିନେଲି । ଏଥର ମୋ ସମ୍ପ୍ରଦାୟ କାମରେ ଅଧିକ ମନଦେବି ଓ କେବଳ ଅଂଶୁର ମନ ବୁଝାଇବା ପାଇଁ କିଛି ସମୟ ତା ସହ କଟାଇବି । କିନ୍ତୁ କେଉଁ ସମୟ ତାକୁ ଛାଡିବି? ତା ସ୍କୁଲ ପାଇଁ ପ୍ରସ୍ତୁତ କରିବା ସମୟ, ନା ତା ଗୃହ ପାଠ ପଢିବା ସମୟ, ନା ତାକୁ ଖୁଆଇ ଦେବା ସମୟ ନା କୋଳରେ ଧରି ଶୁଆଇବା ସମୟ । ହଁ, କେଇଟା ଦିନ ଅବା ମୁଁ ତା ଦାୟିତ୍ୱ ବୁଝିଛି, ଆଗରୁ ପୁଣି ମାଆ ସବୁ ବୁଝୁନଥିଲେ କି? ଆଉ ମୁଁ? ମୋ ଜୀବନଟା କଣ? ଯାହାକୁ କିଶୋରୀ କାଳରୁ ମନ ଦେଲି ତାଠୁ ଦୂରେଇ ଯିବା ଏବେ ମୁଁ ଚାହୁଁଛି । ପାରିବି ମଧ୍ୟ । କିନ୍ତୁ ଅଂଶୁକୁ ଛାଡି ରହିବି କେମିତି । ତା ନୂଆ ମାଆ ଆସିଲେ ମୋତେ କଣ ଆଉ ଅଂଶୁ ପାଖ ମଡାଇ ଦେବ । ଗୁରୁଜୀ କହିଛନ୍ତି । ଅପେକ୍ଷା କରିବୁ, ଉପେକ୍ଷା ନୁହେଁ । ସମୟ ହୁଏତ ସମାଧାନ କରିବ । କଣ ପାଇଁ ଏତେ ଚିନ୍ତା କରିବି । ମୋ ସମାଜ ସହ କାମ କରିବି । ସମାଜକୁ ଦେବି, ସମାଜ ମୋ ବାର୍ଦ୍ଧକ୍ୟ ସୁରକ୍ଷିତ ରଖିବ । ମନ ହାଲୁକାହୋଇଗଲା ।
ଛୁଟି ଅଧିକ ନଥିଲା, ମୁଁ ଫେରି ଆସିଲି ।
The story is flowing like a river.waiting to meet the sea
ReplyDelete