Search This Blog

Monday 24 April 2017

ସମୟର ସ୍ବରବର୍ଣ୍ଣ......ଏକ ବର୍ଷ.....

ସମୟର ସ୍ବରବର୍ଣ୍ଣ......ଏକ ବର୍ଷ.....
ଏ ଶୀର୍ଷକ, କବି ସଙ୍କର୍ଷଣ ପରିଡାଙ୍କ ଚମତ୍କାର କବିତା ସଂକଳନର। ପଢି ମୁଁ ବିମୋହିତ। ତେବେ ଏ ଲେଖାଟି ସମ୍ବନ୍ଧିତ ନୁହେଁ, ଏଣୁ କ୍ଷମା ଚାହୁଁଛି।
ଭାରତୀୟ ବର୍ଣ୍ଣମାଳା ମାନଙ୍କରେ ସ୍ବରବର୍ଣ୍ଣ ଯାକ, ଆଦ୍ୟରେ ପୁଞ୍ଜିଭୁତ ଓ ଏହାର ସଂଯୋଗ ବିନା ବ୍ୟଞ୍ଜନ ବର୍ଣ୍ଣ ଅନେକାଂଶରେ ଅପୂର୍ଣ୍ଣ।

ଆଜି ଏପ୍ରିଲ ମାସ 23 ତାରିଖ, ସେକ୍ସପିୟରଙ୍କ ଜନ୍ମଦିନ, ମୋର ମଧ୍ୟ। ସବୁ ବର୍ଣ୍ଣରୁ ସେ ଉତ୍ତୀର୍ଣ୍ଣ, କାଳଜୟୀ, ପ୍ରତି ଲେଖକର ପ୍ରେରଣା। ବୟସ ମୋର ଅର୍ଧ ଶତ ଅତିକ୍ରାନ୍ତ, ସମୟର ନିରବଚ୍ଛିନ୍ନ ଗତି ଏଥିପାଇଁ ଦାୟୀ, ମୋର ପ୍ରଚେଷ୍ଟା ଦ୍ବାରା ତ ଏହା ଘଟିନାହିଁ। ଗୁରୁଜୀଙ୍କ ଭାଷାରେ ଏହି ଏକମାତ୍ର ଗୌରବ ଆପଣାଛାଏଁ ଆସେ।
ଅସାର ଜୀବନଟା, ଏ ବୃହତ କାଳରେ, ଆପଣାର ଯେତେକ ଗୁରୁ ପ୍ରଦତ୍ତ ନାନାଦି ବର୍ଣ୍ଣମାଳା ଆୟତ୍ତ କରିଥିବାର ମନେ ହୁଏ ନାହିଁ। ସମ୍ଭବତଃ, ସମୟର ସ୍ବରବର୍ଣ୍ଣରୁ ଉତ୍ତୀର୍ଣ୍ଣ ହୋଇ ନଥାଇପାରେ। ହେବା ଉଚିତ ଥିଲା।
ବିଗତ ବର୍ଷ ଏହି ସମୟରେ ଉଚ୍ଚ ଶିକ୍ଷାର ନିଶାରେ ଯେମିତି ବିଭୋର ସେମିତି ବିବ୍ରତ ଥିଲି। ତା ପୂର୍ବ ବର୍ଷଟି ପ୍ରସ୍ତୁତି। ସଫଳତା ମିଳିଲା, ଫଳଟା ବହୁତ ପିତା । ହିତକର ହେବାର ଆଶାରେ ଆଠ ନଅ ମାସ ଖାଇ ଚାଲିଲି ସପ୍ତାହକୁ ପନ୍ଦର ଶହ କିଲୋମିଟର ବସ୍ ଅବା ରେଳରେ। ଜାତୀୟ ଅନୁଷ୍ଠାନର ସ୍ବରୂପ କିଭଳି ଦେଖିଲି। ବଙ୍ଗର ଚଳନୀ ଓ କଲିକତାକୁ କିଛି ବୁଝିଲି। ବୈଜ୍ଞାନିକ ହାବଭାବ ସହ ପରିଚିତ ହେଲି, ମେଡିକାଲ ଜେନେଟିକ୍ସ ଜିନିଷଟା କଣ ବୁଝିଲି। ଛାଡିଦେଇ ଭଲ କଲି।
ସାହିତ୍ୟରୁ ବହୁତ ଶାନ୍ତି ମିଳେ, ଔଷଧୀୟ ଗୁଣ ଥାଏ। ଉଭୟ ଗୋଦାବରୀଶ ଓ ନୀଳକଣ୍ଠ ନିଜ ନିଜ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଗୋଦାବରୀଶଙ୍କୁ ବିଲାତରେ ଟ୍ରେନିଂ ପଠା ଯାଉଥିଲା, ଫେରି ଆସି କଲିକତାର ମୂକ ବଧିର ମହାବିଦ୍ୟାଳୟର ଅଧ୍ୟକ୍ଷ ହୋଇଥାନ୍ତେ। ଗୋପବନ୍ଧୁ ବାଣ ମାରିଲେ, ସାରା ଓଡ଼ିଆ ଜାତି ମୁକ ଓ ବଧିର ପ୍ରାୟ ପଡିଛି। ସେ ଫେରିଆସିଲେ ସତ୍ୟବାଦୀ।  କୌଣସି ଆଦର୍ଶର ଦ୍ବାହି ଦେଇ ମୁଁ ଫେରି ନାହିଁ, କିନ୍ତୁ ସାବ୍ୟସ୍ତ କରିଛି, ମୁଁ ଯେଉଁ, 'ମଧୁବନର ଘୁଗୁନିବାଲା' ଗଳ୍ପଟି ଲେଖିଥିଲି ତାହା ମୋ ପାଇଁ ପ୍ରଯୁଜ୍ୟ। ସତରେ କୌଣସି କାମରେ ପାରଙ୍ଗମ ହେଲାପରେ ତାହାକୁ ଆଉ ତ୍ୟାଗ କରିବା ଅନୁଚିତ। ମୋ ଗଳ୍ପର ନାୟକ ଫେରିଛି ତାର ଛୋଟିଆ ବେପାରକୁ, ମୁଁ ବି ଫେରିଛି ମୋ ପୁରୁଣା କାମ ପ୍ରସୁତିର ଯତ୍ନ ନେବାକୁ। ସରକାରୀ ଚାକିରୀ ଅବା ପେନ୍ସନ, ପ୍ରଶ୍ନ ଵାଚକ। ବର୍ଷଟି ଘଟଣା ବହୁଳ। ମନୋଜ ଦାସଙ୍କୁ ଯେ ଦିନେ ପାଖରୁ ଦେଖିବି, କଥା ହେବି ଏହା ଥିଲା ମୋ ପାଇଁ କଳ୍ପନା। ସଫଳ ହୋଇଛି ବାର ବାର। କିଛି ଅଭୁଲା କର୍ତ୍ତବ୍ୟ କରାହୋଇଛି। ତାଙ୍କ ଅନୁଗାମୀ ପାଠକ ମାନଙ୍କ ସହ ଅନ୍ତରଙ୍ଗ ହୋଇଛି। ଏକ ବୃହତ ପାଠାଗାରର କଳ୍ପନାକୁ ବାସ୍ତବ କରିବା ଦିଗରେ ଅଗ୍ରଗତି କରିଛି। ଆଉ କେତେ ବନ୍ଧୁଙ୍କ ପରି ସାଇଟେସନ ଲେଖିଛି। ମୋ ଗଳ୍ପ ସଂକଳନ ଓ ଶିଶୁ ଗଳ୍ପ ବାସ୍ତବ ହେବାକୁ ଯାଉଛି।
ପିତା ମାତା, ଶାଶୁମା ଓ ପରିବାର ବର୍ଗ ନିରୋଗ ଅଛନ୍ତି। ପତ୍ନୀ ସରିତା ସହ ତାର ଏକାଡେମୀକ୍ କାମରେ ଚିନ୍ ଯାଇ ଦେଖି ଆସିଛି ସେମାନେ ଭାରତ ତୁଳନାରେ କେତେ ଆଗେଇ ଯାଇଛନ୍ତି। ବାପା ଆଜିକାଲି ଲେଖୁଛନ୍ତି, ଭଲ। ପୁଅ ଦୁହେଁ ଚମତ୍କାର ଲେଖୁଛନ୍ତି। ସରିତା ସଫଳତା ପାଇଛି।
ବୟସର ବୋଝତ ବଢିଛି, ଦିମାକ୍ ଶିଥିଳ, ଚେସ୍ ଖେଳିଲେ ଜଣା ପଡୁଛି ଏହା।
ବନ୍ଧୁ ମାନଙ୍କ ସହ ମୁଁ ଏତେ ମିଶି ପାରେ ନାହିଁ, ଏ ମେଡିଆ ଯୁଗରେ, କମ ମିଶିବାଟା ବି ବ୍ୟାପକ।
ସେ ଦିଗଟି ସମ୍ଭାଳିବାରେ ସରିତା ପ୍ରବୀଣା, ଏମିତି ଈଶ୍ୱର ସମତୁଲ କରିଛନ୍ତି ପରିବାରକୁ।
ଆଜିକାଲି ମୁଁ ଗୋଟିଏ ନୂଆ ନିୟମରେ ଚଳୁଛି। ଅତି ଅଳ୍ପ ହେଉ ପଛେ କିଛି ପାଠ ଓ ସାହିତ୍ୟ ପଢୁଛି। ଲେଖୁଛି। ବଗିଚାକାମ କରୁଛି। କିଛି ଉନ୍ନତିର କାର୍ଯ୍ୟ କରୁଛି। କିଛି ସାହାଯ୍ୟବି କରୁଛି। ଜୀବନଟା ଅସମ୍ପୂର୍ଣ୍ଣ ସ୍ବରବର୍ଣ୍ଣରୁ ଉତ୍ତୀର୍ଣ୍ଣ ହେବାକୁ ଉଚ୍ଚାଟ ହେଲାଣି।
ବହୁ ବଡ ମଣିଷ ସ୍ବଳ୍ପାୟୂ ଥିଲେ।  ଗୋପବନ୍ଧୁଙ୍କ ପ୍ରେରଣା ହରିହର ଦାସ (ଆଚାର୍ଯ୍ୟେ ନୁହନ୍ତି) ମାତ୍ର 31 ବର୍ଷରେ ମରିଥିଲେ ଏବଂ ସେ ତାଙ୍କୁ ଦେଖି ନଥିଲେ। ଅବଶ୍ଯ ବଡ ମଣିଷ ହେବାର କୌଣସି ଆବଶ୍ୟକତା ନାହିଁ।
ଗୋପବନ୍ଧୁଙ୍କ ନାମ ଧରିଲେ ରାଜନୈତିକ ଚିତ୍ର ମନକୁ ଆସୁଛି। ସେ ତାଙ୍କ ପୁଅଙ୍କୁ ମୃତ୍ୟୁ ଶଯ୍ୟାରେ ଛାଡି ଯାଇଥିବା ଏକ ଡାହାମିଛ କଥା, ତାଙ୍କର ବ୍ୟକ୍ତିତ୍ବକୁ ଉଜ୍ଜ୍ଵଳ ନୁହେଁ ନିନ୍ଦିତ କରିଛି। ସେ ଯୁଗରେବି ରାଜନୀତିରେ ବର୍ତ୍ତମାନ ଭଳି ଅନେକ ମାର ପେଞ୍ଚ ଥିଲା। ଏମିତିକି ଗୋପବନ୍ଧୁ ବନ୍ୟା ପାଣ୍ଠିରୁ 42000 ଖାଇଦେଲେ ବୋଲି ମକଦ୍ଦମା ହୋଇଥିଲା। ତେବେ ସେମାନେ ଏତେ ନିର୍ଲ୍ଲଜ ନଥିଲେ ଯେ କ୍ଷମତା ପାଇଁ ଦଙ୍ଗା ଭିଆଇବେ।
ସମାଜଟାକୁ ବାରୁଦ ଗଦା କରି ଦିଆଯାଇଛି। ନିଆଁର ଚୌକିଦାର ସାଜିଛି ସାମାଜିକ ଗଣ ମାଧ୍ୟମ। କାଲି ରାତି ଭଦ୍ରକିଆ ବନ୍ଧୁ ଜଣେ ଔଷଧ କିଣିବାକୁ ରାତି ଦଶଟା ବେଳେ କର୍ଫ୍ୟୁ ପାଇଁ ଗଲେ ନାହିଁ। କର୍ଫ୍ୟୁ ସିନା ପୋଲିସ ରାସ୍ତାରେ ଲଗାଇବ, ମଣିଷର ମନ ଭିତରେ କିଏ ଲଗାଇବ? କାହାନ୍ତି ଗାନ୍ଧୀ, କାହାନ୍ତି ମଧୁବାବୁ ଯେଉଁମାନଙ୍କର ସେ ଶକ୍ତି ଥିଲା ଜନମାନସରେ କର୍ଫ୍ୟୁ ଲଗାଇ ପାରୁଥିଲା। ଅଛନ୍ତି କିନ୍ତୁ ପରିସ୍ଥିତି ଏତେ ବ୍ୟାପକ ବଦଳି ଯାଇଛିଯେ ସେମାନେ କିଂକର୍ତ୍ତବ୍ୟବିମୁଢ ହୋଇ ଆତ୍ମଗ୍ଳାନିରେ ରହୁଛନ୍ତି।  ଶିକ୍ଷିତ ଓ ଅଶିକ୍ଷିତ, ଅଧିକାଂଶ ବାଣ୍ଟି ହୋଇଯାଇଛନ୍ତି ବିଭିନ୍ନ ବଣ୍ଟନ ଥାଳରେ। ମୁଁ ଗୀତା ଭାଗବତ ଏପରିକି ରାମାୟଣ ମହାଭାରତ ନିଜେ ପଢିନାହିଁ। କିନ୍ତୃ ଏହିସବୁ ମହାଗ୍ରନ୍ଥ ନପଢୁଥିବା ଲୋକବି ଏମାନଙ୍କ ଦ୍ବାରା ପ୍ରଭାବିତ। ସେ ମୁଁ ହୁଏ କିମ୍ବା ମୋ ସାଙ୍ଗ ଆଲାମ୍ ହେଉ। ପିଲାବେଳୁ ମୋତେ ଅବିଭାବକ ମାନେ ଚିହ୍ନାଇ ଦେଇ ଥିବାରୁ ମୁଁ ଏକ ନିର୍ଦ୍ଦିଷ୍ଟ ଧର୍ମର ବୋଲି ଲେଖୁଛି। ମୁଁ ଯଦି ଏକ ଭିନ୍ନ ପରିବାରରେ ପାଳିତ ହୋଇଥାନ୍ତି ମୁୁଁ ହୁଏତ ଭିନ୍ନ ବ୍ୟବହାର ଦେଖାନ୍ତି।
ଏଣୁ ଧର୍ମ ସଂପୂର୍ଣ୍ଣ ଆପେକ୍ଷିକ, ଏମିତିକି ଏ ପାଠର ବିନ୍ଦୁ ବିସର୍ଗ ହୁଏତ ମାନବ ସଭ୍ୟତାକୁ ଅଦ୍ୟାବଧି ଅଗୋଚର। କିନ୍ତୁ ନିଜକୁ, ପରିବାରକୁ, ଗ୍ରାମକୁ, ରାଜ୍ୟ ଓ ଦେଶକୁ ଭଲପାଇବା ଏକ ଅନାପେକ୍ଷିକ ସହଜାତ ପ୍ରବୃତ୍ତି। ଏ ବାବଦରେ କାହାକୁ ସନ୍ଦେହ ଚକ୍ଷୁରେ ଦେଖୁଥିବା ବ୍ୟକ୍ତିଟି ଅତ୍ୟନ୍ତ ନିକୃଷ୍ଟ। ଏହିଭଳି ଏକ ଦୁର୍ଦ୍ଦିନରେ ବୟସ ମୋର ଏକାବନ ହେଲା, ମୁଁ ବହୁକାଳ ବଞ୍ଚିବାକୁ ଚାହୁଁଥିବା ଗୋଷ୍ଠୀର। ବ୍ୟଞ୍ଜନବର୍ଣ୍ଣକୁ ଆଉ ମନ ବଳୁନି। ମନର ଉଚ୍ଚାଟ ମନରେ ମରିଯାଉ। ଏ ଲେଖା ସାମ୍ପ୍ରତିକ ରାଜନୈତିକ ଉତ୍ଥାନକୁ ନେଇ ନୁହେଁ। ଏ ବିଘଟନ ବହୁ ଅନେକ ବର୍ଷରୁ କ୍ରମାଗତ ତଳକୁ ତଳକୁ ଚାଲିଛି। ସମ୍ଭବତଃ ଏହା ଗଣତନ୍ତ୍ରର ଏକ ଅନ୍ତର୍ନିହିତ ସ୍ବରୁପ। ଭଗବତ୍ ସତ୍ତାର କରୁଣା ବାଞ୍ଛା କରୁଛି, ସର୍ବେ ଭବନ୍ତୁ ସୁଖୀନଃ। ଜୟ୍ ହିନ୍ଦ୍ ।

Friday 21 April 2017

ରେଡ଼ିଓ।

ଆଜି ସହଯୋଗୀ ବନ୍ଧୁ ଜଣେ  କହିଲେ, ଘରେ ଆଉ ରହି ହେବ ନାହିଁ। ପୁଅଟି ଭୟ ପାଇ କାନ୍ଦୁଛି, ତା ଜେଜେ ଏବେ ଭାରି ଚିଡିଚିଡା ହୋଇ, ବଡ ବାପାଙ୍କ ସହ ଅହର୍ନିଶି କଟର କଟର ହେଉଛନ୍ତି ଖୁବ୍ ଉଚ୍ଚ ସ୍ବରରେ। ପୁଅ କାନ୍ଦୁଛି। ଠିକ୍ ଏହିଭଳି ପରିସ୍ଥିତି ହୋଇଥିଲା ବର୍ଷେ ତଳେ ଯେବେ ବଡଭାଇଙ୍କ ବଦଳରେ ସେ ନିଜେ ଉତ୍ପୀଡିତ ହୋଇଥିଲେ ବାପାଙ୍କ ବୟସାଧିକ ବ୍ୟବହାରରେ।
ଏଥିକୁ ଉପାୟ! -ଶ୍ରୋତାବନ୍ଧୁ ପ୍ରଶ୍ନ କଲେ।

ଭାବୁଛି ଘରେ ଆଉ ରହିବା ଅନୁଚିତ୍। ଏଇ ପଲ୍ଲୀରେ ଘର କରି ରହିବି।

କିନ୍ତୁ ଆପଣଙ୍କ ଦୁଇ ମହଲା ନୂଆଘର!

ତାହା ଅଶାନ୍ତିଠାରୁ ସ୍ବଳ୍ପମୂଲ୍ୟ ନିଶ୍ଚିତ।

ତାହେଲେ ଏଇଠି ଶାନ୍ତି ସୁନିଶ୍ଚିତ! କାଲି ସଂଧ୍ୟାରେ ଏମିତି ଶାନ୍ତିର ରୋମାଞ୍ଚଟିଏ ଖେଳିଗଲା, ଲୋକେ ଯେବେ ଠେଙ୍ଗାବାଡ଼ି ଧରି ଏକ ଗାଡଭାଲୁକୁ ଗୋଡାଉଥିଲେ। କେହି ପ୍ରତ୍ୟକ୍ଷଦର୍ଶୀ ନଥିଲେ ଅଥଚ ସମସ୍ତେ ଅନ୍ଧାରରେ ଭାଲୁକୁ ତଡୁଥିଲେ, ସଦଳବଳେ ଏବଂ କୌଶଳରେ।
ଗୁଜବ, ହା ହା ହି ହି।
କାଲି ଆପଣଙ୍କ ପୁଅବି କହିବ, "ବାପା! କେତେ ବଡ ଅଜଗର ସାପ ଦେଖିଲି", ଆପଣ ଜଙ୍ଗଲ ବିଭାଗକୁ ଫୋନ୍ କରି ରାଧୁଆ ବନିଯିବେ।

ସେ ଖୁବ୍ ହସିଲେ ଓ କଥାର ଖିଅ ଧରିଲେ।

 ସେମାନେ ସବୁ ମିଛ ଭାଲୁର ଆନନ୍ଦ ନେଲେ ଅଥଚ ମୁଁ ଜଙ୍ଗଲ ବିଭାଗର ରୋଷ କୁ ସିଧା ସୁଝାଇବି ପୁଅ ଉପରେ। ସେ ମୂଳ ପ୍ରସଙ୍ଗ ଭୁଲି ତାଙ୍କ ବାବାଙ୍କ ଅମଳର ସତ୍ୟ ମଜାଳିଆ ଗପଟିଏ ଯୋଡିଲେ।

ଏକଦା ମହାବଳୀ ଥିଲେ ରାଜାଙ୍କ ତଳେ, ଇଲାକାର ସବୁଠାରୁ ସମ୍ମାନିତ କିମ୍ୱା ଭୟଙ୍କର ବ୍ୟକ୍ତି। ଗଡଜାତର ଉଆସ ବାହାରେ ଏକମାତ୍ର ରେଡ଼ିଓ ଆଣିଥାନ୍ତି ସେ। ବିଶେଷ ଓ ନିର୍ଦ୍ଦିଷ୍ଟ ଅବସ୍ଥାପନ ଉତ୍ତାରେ ରେଡ଼ିଓଟି ବାଜେ। ତାଙ୍କ ପରିବାର ରେଡ଼ିଓଟି ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରି ଯେତିକି ଆନନ୍ଦ ପାଉଥିଲେ ତତୋଧିକ ସୁଖ ସଂଗ୍ରହ କରୁଥିଲେ, ଅଧିକ ଭିଡ ସମୟରେ ହଠାତ ଏହାକୁ ଅକାରଣେ ବନ୍ଦକରି। ଏକଦା, ଗ୍ରାମର ସର୍ବଶ୍ରେଷ୍ଠ  ଚତୁର ବ୍ୟକ୍ତି, ଯେ ସହରରେ ଓକିଲ ବାବୁଙ୍କୁ କେଶ୍ ବାସ୍ ଯୋଗାନ୍ତି, ତାଙ୍କର ଏ ରେଡ଼ିଓ ଘଟଣା ନେଇ ମହାବଳୀଙ୍କ ସହ ବଚସା ହେଲା। ଯଦିଓ ପାରଙ୍ଗମ ଲୋକଟି ବିଭିନ୍ନ ନିଶା ସେବନ କରି ସବୁ ଅର୍ଥ ଉଡାଇ ଦିଏ ଓ ପେଟରେ ଦରିଦ୍ର କିନ୍ତୁ ମୂଖରେ ମାମଲ୍ତିକାରର ଜୀବନ କାଟୁଥାଏ। ମୁହଁ ଟାଣକରି ନିଜକୁ ସବୁଠାରେ ଧନୀକ ପ୍ରାୟ ଉପସ୍ଥାପନ କରେ।
ରାଜା, ମହାବଳୀର ପକ୍ଷରେ ରାୟ ଶୁଣାଇ ଚତୁରଙ୍କୁ ଦଣ୍ଡିତ କଲେ। ଗଡଜାତର ଦୈତ ଶାସନ ଦୃଷ୍ଟିରୁ ସେ ଚିହ୍ନା ଓକିଲଙ୍କ ସାହାଯ୍ୟ ନେଇ କୋର୍ଟରେ କେଶ୍ ଚଳାଇଲେ। ମହାବଳୀଙ୍କ ତରଫରୁ ନାମଜାଦା ବାରିଷ୍ଟର ଲଢିଲେ। ସମସ୍ତେ ଭାବିଲେ ଚତୁର ପାଗଳ ହୋଇଗଲେଣି। କାହିଁ ରାଜା ଓ ମହାବଳୀ, କାହିଁ ଏ ଗଞ୍ଜୋଡ।
ପ୍ରଥମରେ ରାଜାଙ୍କ ଦଣ୍ଡ ଥିଲା ମାତ୍ର ଏକ ବେତ୍ରାଘାତ, ତାହା ପୁଣି କୋମଳ। ଗ୍ରହଣ କରି ନେଇଥିଲେ ଭଲ ହୋଇଥାନ୍ତା। ଲୋକେ କୁହାକୁହି ହେଲେ।
ଗ୍ରାମରେ ଆଉ ଜଣେ ବ୍ୟକ୍ତି ଥାଆନ୍ତି ଯେ କି, ରେଡ଼ିଓରୁ ଯାହା ଶୁଣନ୍ତି, ସମ୍ପୂର୍ଣ୍ଣ ମନେ ରଖି ପାରନ୍ତି, ବିଶେଷତଃ ସମ୍ବାଦତକ ସମସ୍ତଙ୍କୁ ବୁଲି ବୁଲି ଗାଆନ୍ତି। କେବଳ ସେତିକି ନୁହେଁ, ସାରା ଗାଁ'ର ଗଣ୍ଠିଖବର ସେ'ହିଁ ଜାଣନ୍ତି ଓ ପ୍ରଚାର କରନ୍ତି। ସମସ୍ତେ ତାଙ୍କୁ ରେଡ଼ିଓ ନାମରେ ସମ୍ବୋଧନ କରିବା ସେମିତି କିଛି ବିଚିତ୍ର ଲାଗେ ନାହିଁ।
ଚତୁର ଦିନେ ଅତି ଆଦରରେ ରେଡ଼ିଓଙ୍କୁ ନୈଷଭୋଜିରେ ଆପ୍ୟାୟିତ କରି ଯାହା ଦେଖାଇଲେ ତହିଁରେ ତାଙ୍କ ହୋସ ଉଡିଗଲା। ସାତ ମାଠିଆ, ଆକଣ୍ଠ ରୋପ୍ୟ ମୁଦ୍ରା। ତାଙ୍କୁ ଗୋଟିଏ ଜବରଦସ୍ତ ହାତଗୁଞ୍ଜା ଦେଇ ଅନୁରୋଧ କଲେ ଏକଥା ଗୁପ୍ତ ରଖିବା ପାଇଁ। ଔଷଧ କାଟୁ କଲା। ସମୁଦାୟ ଶହେଟି ରୋପ୍ୟ ମୁଦ୍ରା ଭଡାରେ ଆଣି, ବୁଦ୍ଧି ବଳରେ ତାକୁ ସାତ ମାଠିଆ କରି ସେ ଠିକ୍ ବାଣଟି ମାରିଥିଲେ। ବାର୍ତ୍ତାଟି ଠିକ୍ କାନରେ ପହଞ୍ଚିଗଲା।
ପ୍ରକୃତ ପକ୍ଷେ ସୁବିଚାର ହେଲେ, ମହାବଳୀଙ୍କର ହିଁ ଦୋଷୀ ହୋଇଥାନ୍ତେ। ତେଣୁ ସେ କେଶ୍ ଆଉ ନଲଢି ଆପୋଷ ବୁଝାମଣା କରି ପକାଇଲେ।

ତାହେଲେ ଆପଣଙ୍କ ବାପା ସେ ଯୁଗରେ କିପରି ଥିଲେ।

ଦରିଦ୍ର, ସତପଥୀ, ସ୍ବାଭିମାନୀ ଓ ନିର୍ଭୀକ ବ୍ରାହ୍ମଣ ଯାହା ଉତ୍ତରାଧିକାରୀ ସୂତ୍ରରେ ସେ ନିଜେ ପାଇଛନ୍ତି। ଅବଶ୍ୟ ଆର୍ଥିକ ଅବସ୍ଥା ଅନେକ ସୁଧୁରିଛି।
କହିବା ବାହୁଲ୍ୟ ଗଳ୍ପଟିକୁ ସମାପ୍ତ କରିବା ବେଳକୁ, ସେ ବାପାଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଉଠିଥିଲେ।

Saturday 15 April 2017

'ଠକ ଜେଜେ'

ଗପ କୁହ, ଯେସମୟେ ଯେବେ ମୁଁ ଡାକିଲି,
ଆଗ୍ରହେ ଗପିଲ ଜେଜେ, ଅବଶ୍ୟ ମାନିଲି,
ସାତ କାଣ୍ଡ ରାମାୟଣ  ତୁମ୍ଭ ପ୍ରିୟ ମୁଣି,
ମନ୍ଥରା ମନ୍ଥନ, ଆଉ କୈକେୟୀଙ୍କ ବିସ୍ମୃତ ଜିଜ୍ଞାସା,
କୌଶଲ୍ୟା ଭାଳେଣୀ ପୁଣି ରାଜାଙ୍କ ମେଲାଣି,
ସର୍ବମୂଳେ ଭାରବୁହା ଶ୍ରବଣ କୁମାର,
ପାତ୍ରେ ଭରେ, ଝରଣାର ସୁଶୀତଳ ପାଣି,
ହେ ରାଜନ! ଶୁଣ ମୋର ଶାପ,
ଏକ ଶରେ ଅଯୋଧ୍ୟାର ସିଂହାସନ, ପଡିଲାକି ଟଳି।।

କାଷ୍ଠର ପାଦୁକାପରେ ହସ୍ତୀଦନ୍ତ ଚୁଳି,
କୋଟି ଯୁଗ ଅଭିଶିକ୍ତ କୁମାର ଭରତ,
ଅନୁଜ ଲକ୍ଷ୍ମଣ, ଅପଲକ ଚଉଦ ବରଷ,
ମହାତ୍ୟାଗୀ, ତ୍ୟେଜି ଭୟ, ଜାୟା, ନିଦ୍ରା, କ୍ଷୂଧା,
କିନ୍ତୁ କ୍ଷୂଦ୍ର ମହାଭକ୍ତ ମାରୁତି ତୁଲ୍ୟରେ,
କହୁପଛେ ବହୁକଳ୍ପ, ଗୃହ ଶତୃ ବିଭୀଷଣ,
ଅଭୃକ୍ଷେପ ଅଯାଚିତ ଉପଦେଶ ଅନେକ ଅଜାଡେ,
ସହସ୍ର ଧୀକ୍କାର,
ମୁଣ୍ଡପାତି ସହିନିଏ ଆତ୍ମ ନିର୍ବାସନ।।

ତାଡକା, ମରୀଚ, ଜଟାୟୂ, ଦସ୍ୟୁ ରତ୍ନାକର,
ନାଉରୀ ନକରେ ପାରି,
ଶତ ଡର, ଅହଲ୍ୟା ଉଦ୍ଧାର,
ଶବରୁଣୀ ସୁମିଷ୍ଟ ଉଚିଷ୍ଟ,
କୁହ ଜେଜେ, ଏତେ ମନ୍ଦ କ'ଣ,
ସୃପଣେଖା ପ୍ରେମ ନିବେଦନ,
ପରିଣତି କି'ବା ଆବଶ୍ୟକ,
କର୍ଣ୍ଣ ନାସା କରିବା ଛେଦନ,
ଦିଗ୍ ବଳୟ ତେନ ପାରି ସୁନାର ହରିଣ,
ମୋହଗ୍ରସ୍ତ ସ୍ବୟଂ ପ୍ରଭୁ, ପଶ୍ଚ୍ୟାତେ ଧାବନ୍ତି,
ମାୟା ଡାକେ, ତ୍ରାହିମାଂ ଲକ୍ଷ୍ମଣ।।

ଗ୍ରାସେ କାଳ ମାୟା,
ଭର୍ସିତ ଦେବର ଯା'ନ୍ତି,
କୁଣ୍ଠିତେ ଅଙ୍କନ କରି, ଯୁଗ ଯୁଗ ରେଖାତ୍ରୟ,
ସୀମାବଦ୍ଧ କୁଳବଧୂ, ଛଳନା ପରିଚାଳିତ,
ପୁଷ୍ପଭରା ପୁଷ୍ପକ ବିମାନେ, ଅପହୃତା ମାତ,
କିଏ ଅବା ସାକ୍ଷୀ, ଏ ଅପହରଣ'କି କାମନା ତାଡନା!
ସାକ୍ଷୀ ସେ ଅଶୋକ ବନ, ସାକ୍ଷୀ ମନ୍ଦୋଦରୀ,
ସାକ୍ଷୀ ସ୍ବୟଂ ଅଗ୍ନି ଦେବ, ରାବଣ ପକ୍ଷରେ,
ତଥାପି ହେ ଜେଜେ, ତୁମ୍ଭ ଗଳ୍ପ ମାନିନେଲି,
ଦଶାନନ ବିରୁଦ୍ଧରେ,
ରାମରାଜ୍ୟ ଦେଖିବା ଆଶାରେ।।

ଦୂତ ସେ ପବନ ତନୟ,
ଲଙ୍କାକାଣ୍ଡ, ସ୍ବର୍ଣ୍ଣମୟୀ ରାଜ୍ୟ ଛାରଖାର,
ସେତୁ'ତ ସମ୍ପର୍କ ଯୋଡେ,
ସେତୁବନ୍ଧେ ଶତ୍ରୁର ପ୍ରବେଶ,ପ୍ରଜାକୁଳ ଯାନ୍ତି ନାଶ,
ରାଜାର ଦର୍ପରେ,
କୁମ୍ଭକର୍ଣ୍ଣ ନିଦ୍ରା ତୁଟିଯାଏ,
ଭୂପତିତ ଦଶଶୀର ପଣ୍ଡିତ ପ୍ରବର,
ବିଜିତଠୁ ସବିନୟ ଶୁଣି ପ୍ରବଚନ,
ରାମରାଜ୍ୟର ଖସଡ଼ା,
ସର୍ବକାଳ ସ୍ବର୍ଣ୍ଣାକ୍ଷରେ, ଶ୍ରେଷ୍ଠ ସେ ଶାସନ।।

କିନ୍ତୁ ଜେଜେ, ଏତେ ଯୁଦ୍ଧାନ୍ତରେ,
ରାମରାଜ୍ୟେ, ସାମାନ୍ୟ ରଜକର ଅପବାଦେ,
ସ୍ବୟଂ ମାତା ନିର୍ବାସିତ ଗର୍ଭବତୀ ରାଣୀ,
ଜଟିଳ ଯମଜ, ଜନ୍ମନ୍ତି ଅରଣ୍ୟେ ମୁନିର ଆଶ୍ରମେ,
ଅଶ୍ବମେଧ ଅଶ୍ବର ବନ୍ଧନ,
ସ୍ବର୍ଣ୍ଣ ପ୍ରତିମାର ସୀତା,
ଏ'କି ରାମରାଜ୍ୟ!
ଅସହଣି ବସୁଧା ଫାଟିଲା,
ବରିନେଲେ ଭୂମିସୁତା ସ୍ବଗୃହେ ପ୍ରସ୍ଥାନ।।

ଜେଜେ ତୁମ୍ଭେ ଏଇଠି ଠକିଲ,
ରାମାୟଣର ବୋଝନେଇ,
ଧରିତ୍ରୀର ବୁକୁ ଚିରିଗଲା ପରେ,
ଆଉ କିଛି  ଗପିଲନି,
ଜାଣିବି କିଭାବେ ଅସଲ ରାମରାଜ୍ୟର ସ୍ବରୂପ,
ଏହା କିବା ଇଚ୍ଛାକୃତ, ରାମରାଜ୍ୟ ମରୀଚିକା,
ଦିଗନ୍ତର ସୁଶୋଭିତ ଇନ୍ଦ୍ରଧନୁ ସମ,
ସେଥିପାଇଁ ଏତେ ମନୋରମ,
ଶାସକର ଚିରନ୍ତନ ପ୍ରତିଶ୍ରୁତି,
ରାମପ୍ରାୟ କରିବେ ରାଜୁତି,
ନକହି ନବର୍ଣ୍ଣି, ସେପୁରକୁ ଠକି ଚାଲିଗଲ।।

ଆଉଜଣେ ଜେଜେ,
କହିଥିଲେ ଆଣିଦେବେ ରାମରାଜ୍ୟ,
ଘଟିଥିଲା ଅହିଂସାର ବହୁୁ ରକ୍ତପାତ,
ଧ୍ବଂସ ଲଙ୍କା, ଆପଣାର ସୁନାର ଭାରତେ,
ବିଦେଶୀ ଗୋରା ବେପାରୀ,
ହଟିଗଲେ ଫଟାଇ ଏ ଧରା,
ଚିରକାଳ ଭଗ୍ନବାହୁ, ପୂର୍ବ ଓ ପଶ୍ଚିମେ,
ଲକ୍ଷେ ମାତା ଗଲେ ନିର୍ବାସନ,
ଲକ୍ଷ ଲକ୍ଷ ଗୃହଦାହ, ହତ୍ୟା ଓ ଲୁଣ୍ଠନ,
ହତଭମ୍ବ ଜେଜେ ଆମ,
ସ୍ବରାଜ ରାମରାଜ୍ୟର ସ୍ବପ୍ନ ଜାଗ୍ରତ କରି,
ରାମଧୂନ ଗାଇ ଗାଇ, ଶେଷେ ପୁଣି,
ରାମନାମ ତୁଣ୍ଡେଧରି, ଠକି ଚାଲିଗଲେ।।

ଇତିହାସର ପୃଷ୍ଠାରେ ଏମିତି,
ଅନେକ ରାମରାଜ୍ୟର ପ୍ରତିଷ୍ଠା, ରାଜନେ କରନ୍ତି,
ଆଶାର ମୀନାର କଲ୍ପିତ,
ଲଙ୍କା କାଣ୍ଡ, ଧ୍ବଂସ ଓ ବିଲୟ, ଅବଶ୍ୟ ନିଶ୍ଚିତ,
ମୃଗତୃଷ୍ନା ଇନ୍ଦ୍ରଧନୁର ବିଭୋର ସ୍ବପ୍ନରେ,
ଅନେକ ସଂହାର ଲୀଳା, ସଂଘଟିତ ହୋଇଛି ଧରାରେ,
ଅଲଂଘ୍ୟ ସେ ସମୟର ଶତଧାରା,
ମହାକାଳର ପ୍ରଳୟେ, ଭିଏତନାମ୍, ସିଂହଳ,
ଅବା ଯେ ଗାନ୍ଧାର, ବାଗ୍ଦାଦ୍ ପୁନଶ୍ଚ ସିରିଆ,
ସବୁଠି ପ୍ରତିଷ୍ଠିତ ହୁଏ, ପ୍ରତିଶ୍ରୁତ ରଘୁବଂଶ,
ନକହି ଏ ରାମରାଜ୍ୟଟା କିସ,
ଜେଜେ ଯେତେ ଠକି ଚାଲିଯାନ୍ତି।।

ସର୍ବଦିଗେ ସଂଗଠିତ, ସଂଘଟିତ,
ସର୍ବବ୍ୟାପୀ ହିଂସା ଓ ବିଦ୍ବେଷ,
ସବୁଠି ବିକ୍ରି ହୁଏ, ରାମରାଜ୍ୟ ବିଜ୍ଞାପନ,
ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ଶିଳ୍ପ,
ଜଳ, ସ୍ଥଳ, ଆକାଶକୁ  ପ୍ରକମ୍ପିତ କରେ,
ସୁଶାସନ ସ୍ବପ୍ନେ ମସଗୁଲ,
ଦିଗନ୍ତରେ ଶୋଭିତ ବର୍ଣ୍ଣାଳୀ,
ଏ ମଣିଷ ଗୃହେ ଯୁଦ୍ଧ କରେ,
ମାନବିକତାର ଲକ୍ଷେ ହତ୍ୟା, ଘଟିଚାଲେ ନିତି ପ୍ରତିଦିନ,
ଅପେକ୍ଷା ସେ  କରେ, ରଘୁନନ୍ଦନ ଶାସନ।।

କାହାନ୍ତି ସେ ମର୍ଯ୍ୟାଦା ପୁରୁଷ,
ଅବା ସେ ମହାତ୍ମା ଜେଜେ,
ସର୍ବେ ଆଜି ରାମ,
ବହୁ ପ୍ରୟୋଜନ ଏଠି ଲକ୍ଷେ ବିଭୀଷଣ
କହିବାକୁ ରାଜା କାନେ ସତ୍ୟର ବଚନ,
ମାୟାଯୁଦ୍ଧେ ଇନ୍ଦ୍ରଜିତ ମାନେ, ରାମପ୍ରାୟ ଦୃଶ୍ୟମାନ,
ହେ ପଣ୍ଡିତ ଦଶାନନ, ଆସ ଏ ଧରାକୁ,
ଚିହ୍ନାଇ ଯାଅ ଏଠାରେ ଅସଲି ରାମଙ୍କୁ,
ଶିଖାଇ ଯାଅ ତାହାଙ୍କୁ, ଶାସନ ସ୍ବରୂପ,
ନଚେତ ଏହା ସୁନିଶ୍ଚିତ,
ଜପି ଜପି  ରାମନାମ ଭଣ୍ଡ ଜେଜେ ମାନେ,
ଅଖଣ୍ଡତାର ମାୟାଜାଲ ବୁଣି ବୁଣି,
ଗୃହଯୁଦ୍ଧେ, ଖଣ୍ଡ  ବିଖଣ୍ଡିତ କରି ଏ ଭୂଖଣ୍ଡ,
ଅନ୍ୟକାଳ ସମ, ଠକ ଠକ, ଠକି ଚାଲିଯିବେ।।।