Search This Blog

Friday 30 October 2020

 ୭

ଗ୍ରୀଷ୍ମଛୁଟି ହେଲା । ମୁଁ ପ୍ରଥମେ ପାଇକାଳୀରେ ପହଞ୍ଚିଲି‌। ମୁଁ ଜାଣିନଥିଲି, ଏହା ମଧ୍ୟରେ ଘଟିଯାଇଥିଲା ଅତି ଦୁଖଦଃ ଘଟଣା । ଆମ ମାନଗୋବିନ୍ଦ ଏବଂ ତାଙ୍କ ସ୍ତ୍ରୀ ଗାଡି ଦୁର୍ଘଟଣାରେ ମୃତ ହୋଇଥିଲେ । ସେମାନେ ପ୍ରକୃତରେ ଲେଖାଯୋଖାରେ ମାୟାର ନିଜ ସମ୍ପର୍କୀୟ । ତାଙ୍କର ଥାଏ ଟିକି ପୁଅଟିଏ । ତା ଦାୟିତ୍ୱ ନେବାକୁ କେହି ନଥାନ୍ତି । ମାଆ ନିଜେ ତାକୁ ପାଳୁଥାନ୍ତି । 

ରାଜଧାନୀରେ ମାନଗୋବିନ୍ଦଙ୍କ ସହ ଦୁଇବର୍ଷର ସ୍ମୃତି ସଜୀବ ହୋଇ ଉଠିଲା । ଗାଆଁରେ ପତ୍ନୀଙ୍କୁ ଛାଡି ଆମ ରୋଷେଇ ପାଇଁ ରହିଥାନ୍ତି । କେବେ କେବେ ବିକଳ ହୋଇ କହନ୍ତି, -ବାବୁ, ମନଟି ଭଲ ଲାଗୁନି ଟିକେ ଗାଆଁ ଆଡେ ବୁଲି ଆସନ୍ତି ।

ମାୟାଧର ଅରାଜି ହୁଏ ମୋ ପଢା ଖରାପ ହେବ ବୋଲି । ମୁଁ ମାୟାକୁ ରାଜି କରାଏ । କେଜାଣି ମୁଁ କେମିତି ବୁଝିନିଏ ତାଙ୍କ ଯିବାଟି ଜରୁରୀ । ମଣିଷର ମନଟି କଣ ତାହା ମୋତେ ଅଧିକ ଜଣାଥାଏ ବୋଧେ । ତା ଛଡା ମୋର ଗୃହ ବିଭାଗଟି ଥିବାରୁ ମାନ'ଙ୍କ ସହ ବେଶି ଭାବଗତ ସମ୍ପର୍କ ଥାଏ । ମୁଁ ତାଙ୍କ ଛୁଟି ଯେମିତି ହେଲେ ମଞ୍ଜୁର କରିଦିଏ ଓ ତାଙ୍କ କାମଟି ତାଙ୍କ ଅନୁପସ୍ଥିତିରେ କରେ । ସେ ମୋତେ ମୁଣ୍ଡରେ ବସାଇଥାନ୍ତି । ମନଟି ବଡ ବିଚଳିତ ହୋଇ ପଡିଲା । କାହାର ଖବର ନରଖିଥିବାରୁ ନିଜକୁ ଦୋଷୀ ମନେକଲି । ମଣିଷ କେଡେ ସ୍ୱାର୍ଥପର, କାମ ସରିଗଲେ କିଏ କାହାକୁ ପଚାରେ । ମାନ ଚାଲିଗଲେ ସାଥିରେ ସ୍ତ୍ରୀଙ୍କୁ ନେଇ, ତାଙ୍କର ପୁଣି ଟିକି ପୁଅ ଅଛି! ଅଥଚ ମୁଁ ଜାଣିନି । ନିଜେ ଏତେ ଆତ୍ମକୈନ୍ଦ୍ରିକ! ସେଇଆ ନୁହେଁ ତ ଆଉ କଣ! ମନର ଆବେଗ ତରଳି ଯାଇ ଝରି ପଡିଲା ଦୁଇ ଆଖିରୁ ।

ପୁଣି ନିଜକୁ ପ୍ରକୃତିସ୍ଥ କଲି । ମୋ ଉଦ୍ଦେଶ୍ୟରୁ ବିଚ୍ୟୁତ ହେବାର ନାହିଁ । ମାଆଙ୍କୁ କହିଲି, ଏଥର ଭାଉଜ ଆଣିବା । ଭାବିଲି, ଏ ବିଷମ ପରିସ୍ଥିତିରେ ମାଆଙ୍କ ମନକୁ କଥାଟି ପାଇବ । ସେ ଭାବି ପାରନ୍ତି କି ମାୟା ବାହାହେବାକୁ ଚାହିଁଲାଣି, ସୁମନ ତା ପାଇଁ ଓକିଲାତି କରୁଛି । ଭାବିଲେ ଭଲ । ଟିକେ ଟିକେ ରାଜନୀତି ଦୋଷାବହ ନୁହେଁ ।

କଥାଟି ଓଲଟା କାମ ଦେଲା । ମାଆ କହିଲେ,  -ଏହାସମ୍ଭବ ନୁହେଁ । ନା, ଏ ଛୁଆଟି ଟିକେ ବଡ ନହେଲେ ଆମେ ସେମିତି କରିବା ନାହିଁ । ନଆସୁଣୁ ପରଝିଅ ହାତେ ଏତେ ବୋଝ ଲଦିଦେବା ଠିକ୍ ନୁହେଁ । ସେ ଘାବରେଇ ଯିବ । ମାୟାଧରର ବୟସ ମାତ୍ର ବାଇଶି । ଯାଉ ଆଉ ତିନିବର୍ଷ । ମୋ ବୟସ ଏମିତି କେତେ କି? ମାୟା ଜନ୍ମ ବେଳକୁ ମୋତେ ହୋଇଥିଲା ଏକୋଇଶ । ପୁଅ ବି ସେମିତି ଚାହୁଁଛି ।

ଆଉ କିଛି କହିବାର ନଥିଲା । ସବୁ ବୟସ ହିସାବ ପାଇଗଲି । ମୋ ବୟସ ମାତ୍ର ଉଣେଇଶ ପୁରିଲା । ମନେ ହେଉଥିଲା କିନ୍ତୁ, ଏକ ଯୁଗ ଜୀଇଁ ସାରିଲିଣି ମୁଁ । ମୋ ବିଶ୍ୱାସ ତୁଟିଗଲା କି ଆଉ ତିନିବର୍ଷ ଅପେକ୍ଷା କରିହେବ ନିଜ ପରିଚୟ ଲୁଚାଇବାରେ ।

କେଡେ ବିଶାଳ ହୃଦୟ ମାଆ ଓ ପୁଅଙ୍କର । ସେ ଘରର ଧୂଳିକଣା ବି ମୋତେ ବଡ ପବିତ୍ର ଲାଗିଲା । ମୁଁ ତାହାକୁ ମୁଣ୍ଡରେ ମାରିଲି ।

ଆମେ ଗ୍ରୀଷ୍ମାବକାଶର ବିଶ୍ବଭାରତୀଳ ପ୍ରକଳ୍ପ କାମ ଆରମ୍ଭ କଲୁ । କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଦିଆ ଯାଇ ନଥିଲା । ଆମେ ମିଳିମିଶି କଲୁ ‘ସୁମନ ମାୟାଧର’ ବ୍ୟାନରରେ । କଳାଟି ଥିଲା, ଏକ ଅସହାୟ ଶିଶୁ ଦିଗବଳୟରେ ଦେଖୁଛି ସୂର୍ଯ୍ୟଙ୍କୁ । ପିଲାଟିକୁ ସ୍ୱଭାବିକ ଶିଳ୍ପୀ ଦେଖୁଛି ତା ଛାଇପଟରୁ । ଏଣୁ ସେ ଅସ୍ପଷ୍ଟ । ତା ପରିସୀମାରେ ଏକ ଉଜ୍ଜ୍ୱଳ ବଳୟ । ଜଣା ନାହିଁ ତା ଜୀବନକୁ ଅନ୍ଧାର ଘୋଟି ଆସୁଛି ଅଥବା ନୂତନ ସୂର୍ଯ୍ୟ ଉଇଁ ଆସୁଛନ୍ତି । ଖୁସି ମନରେ ଦେଖିଲେଏହା ଦେଖାଯିବ ଏକ ଆଶାର ପ୍ରତୀକ । ଦୁଃଖ ମନରେ ଦେଖିଲେ ନିରାଶା । ଚିତ୍ରର ଶୀର୍ଷକ "ଅଂଶୁ" ।

ସେ କୁନିପୁଅର ନାମଟି ଥାଏ ଅଂଶୁ । ଅଂଶୁକୁ କୋଳେଇ ନେଲାବେଳେ ମୁଁ ଭାବୁଥିଲି ମୋ ଜୀବନ ଆକାଶର ପୂର୍ବାଶାରେ  ନବ ରବି ଉଇଁ ଆସିଛି ।

"ଅଂଶୁ", ସେ ବର୍ଷର ଶ୍ରେଷ୍ଠ ପ୍ରକଳ୍ପ ହୋଇଥିଲା ।

ଏହାପରେ ଆମକୁ  ଅନେକ ଏକାଦେମିକ୍ କାମ ମିଳିଲା । ସବୁ କାମ ଗ୍ରହଣୀୟ ହେଲା । ଅଚିରେ ମାୟାଧର ପାଇଲା ପାଠ୍ୟକ୍ରମ ବାହାରର ଡିପ୍ଲୋମା । ସେ ଏଣିକି ଆମ ବିଶ୍ୱଭାରତୀରେ ତଥା ଅନ୍ୟତ୍ର ପ୍ରଦର୍ଶନୀରେ ଏକକ ବା ଆମ ସହ ମିଶି ଭାଗ ନେବା ସମ୍ଭବ । ଏଇଟା ଏତେ ସହଜ ନୁହେଁ । ଆମ ବିଶ୍ୱବିଦ୍ୟାଳୟର ଏତେ ବର୍ଷର ଇତିହାସରେ ଏମିତି ଡିପ୍ଲୋମା ପାଇଥିଲେ ମାତ୍ର ଚାରିଜଣ । ମାୟାଧର ପଞ୍ଚମ ଚିତ୍ରକର । ତାପରେ ଆମେ ଆଉ ପଛକୁ ଫେରି ଚାହିଁନୁ ।

ଉପାଧି ପ୍ରାପ୍ତ ହେଲାପରେ ତୁରନ୍ତ ଟିଉଟର ପଦରେ ନିଯୁକ୍ତି ପାଇଲି ଅସ୍ଥାୟୀ ଭାବରେ । ତା ସହ ଉପାଧ୍ୟୁ‌ତ୍ତର ପାଠ ମଧ୍ୟ ପଢିଲି ।

ତା ପରେ ମୋ ଚାକିରି ସ୍ଥାୟୀ ହୋଇଗଲା ।

ପୁଣି ଏକ ଦ୍ୱନ୍ଦ୍ୱ । ଚାକିରି ସ୍ଥାୟୀ ହେଲାପରେ ନିଜର ପରିଚୟ ସମାଜକୁ ଦେବି ବୋଲି ମୋ ମନର କଥାକୁ ନେଇ ଦ୍ୱନ୍ଦ୍ୱ । ଆଉ ଅପେକ୍ଷା କରିହେବ ନାହିଁ । କିନ୍ତୁ ଏହାପରେ ଯେଉଁ ଝଡ ସୃଷ୍ଟିହେବ, ତାହାକୁ ସୁମନ ମୁକାବିଲା କରି ପାରିବ ତ! ଝଡ ହେବ ବିଶ୍ୱଭାରତୀରେ । ପ୍ରଳୟ ବି ହୋଇପାରେ, ମାୟା କେମିତି ଗ୍ରହଣ କରିବ! ଆଉ ମାଆ କିପରି ଭାବିବେ! ମହୁଲକୁସୁମରେ ମୋ ପରିବାର ଲୋକେ ପୁଣି କଷ୍ଟ ପାଇବେ । ମୋ ଗାଆଁ ଲୋକେ କଥାଟିକୁ କେମିତି ଗ୍ରହଣ କରିବେ! ହୁଏତ ଖବରକାଗଜରେ ଫର୍ଦ୍ଦ ଫର୍ଦ୍ଦ ଲେଖାହେବ । ଏମିତି ନାନାଦି ଭୟ ମୋ ମଗଜକୁ ଉଦବେଳିତ କରୁଥାଏ । କିନ୍ତୁ ମୋ ଭଳି ଭୁକ୍ତଭୋଗୀ କେବଳ ବୁଝିପାରିବ ଏସବୁ କେତେ ହାଲୁକା ଜୀବନର ସତ୍ୟକୁ ଲୁଚାଇ ରଖିବା ତୁଳନାରେ । ମୁଁ ଯେମିତି ମୁଁ ସେମିତି । ମୁଁ ନିଜକୁ ସର୍ବାଧିକ ଭଲ ପାଉଥିବାର ଅନୁଭବ କଲି । ଏହା ସ୍ୱାର୍ଥପରତା ନୁହେଁ । ଏହା ମୋର ମନର କଥା, ମୋ ଅନୁରକ୍ତି ସତ୍ୟ ପ୍ରତି । ଯାହାହେବ ପଛେ ମୁଁ ମୋ ଅଭିନୟରୁ ବାସ୍ତବ ଜୀବନକୁ ଫେରିବି । ଏତିକି କଥା, ମୋତେ, ମୋ ଭଳି ଆଉ ଜଣେ, ମୋ ଗାଆଁରେ କହିଥିଲେ; ଲକ୍ଷ୍ମୀମା ।

ମୁଁ ଚିନ୍ତାକଲି କୌଣସି ଏକ ପ୍ରଦର୍ଶନୀ କାଳରେ ମାୟା ସାଥିରେ ଯାଇଥିବ, ସେଇଠି ତାକୁ କହିବି । ଏମିତି କେତେ ପ୍ରଦର୍ଶନୀ ଗଲାଣି, ଆମେ ଅନେକ ଭ୍ରମଣ କରୁଛୁ ସାଥିରେ କିନ୍ତୁ ମୁଁ ପାରେନି । ଭୟ ହୁଏ, କାଳେ ମାୟାଧର ମୋତେ ତ୍ୟାଗ କରିଦେବ । ବେଳେବେଳେ ବଡ ଭାବୁକ ହୋଇଯାଏ । ସବୁ ସମୟରେ ଈଶ୍ୱର ମୋତେ ସହାୟତା ଦେଇଛନ୍ତି । ଭଲ ପଢିବା, ଲକ୍ଷ୍ମୀ ମାଆଙ୍କ ଉପଦେଶ, କଳାବୃତ୍ତି, ମାୟାଧର ପରି ସାଥୀ, ତା ମାଆଙ୍କ ପରି ଭଲ ମଣିଷ, କଳା ପ୍ରତିଷ୍ଠାନର ସଫଳତା, ମାୟାର ସାହାଯ୍ୟ, ସୁମନ ମିତ ଓ ମୋ ଉଚ୍ଚଶିକ୍ଷା ଏତେ ସବୁ ଥାଇ ମୁଁ କେଡେ ଅସହାୟ! ଆମେ ସାଥିରେ ବୁଲୁଛୁ ଅଥଚ ଏ ମନ ଓ ସେ ମନ ମଧ୍ୟରେ କଣ ଘଟୁଛି ତାହା ପରସ୍ପରଙ୍କୁ ଅଗୋଚର । ମୁଁ ଯାହା ମୁଁ ତାହା ହିଁ ଅଛି, ସେ ଯାହା ସେ ତାହା ହିଁ ଅଛି ଓ ଆମେ ଏତେ ସାଥୀ: ଅଥଚ ସତଟିଏ ପ୍ରକାଶ କରିଦେଲେ ପରିସ୍ଥିତି ବଦଳିଯିବ! ମାନେ, ପ୍ରତି ସମ୍ପର୍କ ଏକ ଗୋପନୀୟ ବୁଝାମଣା ଉପରେ ଖିଲିଖିଲି ହସୁଥାଏ! ଏମିତି ତ ହେବାକଥା ନୁହେଁ! ସତ ଯଦି ଏକ ସମ୍ପର୍କକୁ ଭାଙ୍ଗିଦେବ ତାହେଲେ ସେ ସମ୍ପର୍କଟିର ପ୍ରଗାଢତା ଅତି ସାମାନ୍ୟ ନୁହେଁକି? ମୁଁ ଅନ୍ୟମନସ୍କ ହୋଇପଡେ । କାମ ଚଳିବ କେମିତି? ସେ ତ ସ୍ୱଭାବିକ ତା ଖିଆଲ ମଧ୍ୟରେ ଥାଏ । ଅନେକ କଥା ଭୁଲିଯାଏ । ମୁଁ ସେମିତି ହେଲେ ଚଳିବ ନାହିଁ । ଏମିତି କଟିଗଲା ପ୍ରାୟ ଛଅ ମାସ ।

ମୁଁ କହି ନପାରିବାର ମୂଖ୍ୟ ପ୍ରତିବନ୍ଧକ ଥାଏ ମାୟାର ବିଭାଘରରେ ସମ୍ଭାବ୍ୟ ପ୍ରତିବନ୍ଧକ ।

ମୁଁ ପୁଣି ଥରେ ମାଆଙ୍କ ପାଖରେ ପ୍ରସ୍ତାବ ରଖିଲି ଯେ ମାୟାଧର ପାଇଁ କନିଆ ଖୋଜିବା । ମାଆ କହିଲେ ଯେ ସେ ତ ରାଜିହେଉନି, ଆହୁରି ସମୟ ମାଗିଛି । ଅଂଶୁ ଦଶ ବର୍ଷର ହେଲେ ଯାଇ ସେ ବାହାହେବ । କେଜାଣି, ସତ କି ଅଂଶୁର ବାହାନା ନେଉଛି ।

ମୁଁ ଏକ ଭିନ୍ନ ଚିନ୍ତାକଲି । ମୁଁ ନିଜେ ତାକୁ ନିଜର ପରିଚୟଗତ ନାନାଦି ସାମାଜିକ ଅସୁବିଧା ବାବଦରେ କହିବି  ଓ ସେଥିପାଇଁ ସେ ବାହା ହୋଇଯିବା ଭଲ ବୋଲି ବୁଝାଇବି । ତାପରେ ଯାଇ ନିଜ ପରିଚୟ ସମାଜକୁ ଦେବି । କଥାଟି ଠିକ୍ ମନେହେଲା । ସତ୍ୟ ଓ ସାମାଜିକତା ମଧ୍ୟରେ ଏକ ସମନ୍ୱୟର ଏ ଯୋଜନା, ମୋ ମନକୁ ବ୍ୟାପକରୁ ବ୍ୟାପକତର କଲା । ମୁଁ ଏଥିପାଇଁ ମୋ ପ୍ରେମକୁ ବଳିଦାନ ଦେଉଛି, ସେ କଥା ବହୁତ ଛୋଟିଆ ଲାଗିଲା । ଅବଶ୍ୟ ଭାବିଲି ସେଇଟା ମୋ ବ୍ୟକ୍ତିଗତ କଥା । ମାୟା ତ ମୋତେ ସେମିତି ନଜରରେ ଦେଖି ନଥିବ, ଅତୟବ୍ ସେ କଷ୍ଟ ପାଇବାର ସମ୍ଭାବନା ନାହିଁ । ଭାବିଲି, ହଁ ମ, ମୋ ଭଳି ଲୋକେ କେତେ ଦୁଃଖକଷ୍ଟରେ ଅଛନ୍ତି, ସେ ତୁଳନାରେ ମୁଁ ଅନେକ କିଛି ପାଇଛି । କଥା ପକ୍କା, ମୁଁ କହିବି ମାୟାଧରକୁ ମୋ ପରିଚୟ ବାବଦରେ । ମୋ ମନର ଗୋପନୀୟ ବ୍ୟାକୁଳତାକୁ  ନିଦ୍ରାରେ ଶୁଆଇ ଦେବି ।

Tuesday 27 October 2020

(ଏପର୍ଯ୍ୟନ୍ତ କୁହାଯାଇଛି ସୁମନ କିପରି ନିଜ ଗ୍ରାମରୁ ଆସି ରାଜଧାନୀରେ ଉଚ୍ଚ ବିଦ୍ୟାଳୟ ଓ ପରେ ଇଣ୍ଟରମେଡିଏଟ ପାଠ ସମାପ୍ତ କରେ କୃତିତ୍ବର ସହ। ତା ସାଥୀ ବିଶିଷ୍ଟ ଚିତ୍ରଶିଳ୍ପୀ ମାୟାଧରର ସହାୟତା ସବୁବେଳେ ସେ ପାଉଥାଏ।)

ଏ ଏକ ପର୍ବ ସରିଲା । ପୁଣି ଆଗକୁ ଭାବି ଚାଲିଲି । କଣ କରିବି ଭାବି ପାରୁ ନଥାଏ । ମାୟା ଆଉ ପଢିବ ନାହିଁ ବୋଲି ଅନେକ ଦିନରୁ ସ୍ପଷ୍ଟ କରି ସାରିଥାଏ । ମୋତେ କେବଳ କହୁଥାଏ, ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ।

ମୁଁ ତା ପାଖରେ ଠିଆ ହେଲି, ଯେମିତି ସେ ମୋ ଅଭିଭାବକ ।

- ମାୟା, ମୋର ଗୋଟେ କଥା ରଖିବୁ ।

- ହଁ ରଖିବି, କଣ କହ ତ ଆଗେ ।

- ମୁଁ ଚାହୁଁଛି, ବିଶ୍ୱଭାରତୀରେ ଚିତ୍ରକଳାରେ ଉପାଧି କରିବି । ଡାକ୍ତରୀ ପଢିବି ନାହିଁ । ଏତେବର୍ଷ କିଏ ପଢିବ । ଘର ପରିସ୍ଥିତି ଦୃଷ୍ଟିରୁ ଶୀଘ୍ର ମୋର ଚାକିରି ଦରକାର । ଦୁଇବର୍ଷ ପରେ ଚାକିରି କରିବି । ତା ପରେ ପଛେ ଅଧିକ ଅଧିକ ପଠିବି; ପିଜି ଓ ତାଠୁ ଅଧିକ । ଆମ ଶିଳ୍ପ ଏମିତି ବଣମଲ୍ଲୀ ହୋଇ ରହିବ ନାହିଁ ଆମେ ବୃହତ୍ତ କଳା ଜଗତରେ ପ୍ରଦର୍ଶିତ ଓ ପରିଚିତହେବା । ମୋର କଣ କିଛି ଦାୟିତ୍ୱ ରହିବା କଥା ନୁହେଁ ଆମ ସଂସ୍ଥା ପାଇଁ?     

ସେ ନୀରବ ଓ ଗମ୍ଭୀର ହୋଇଗଲା । ହତାଶ ଦେଖାଗଲା । ସତେ ଅବା ଅଚାନକ ବଜ୍ରପାତ ହେଲା ।

କିଛି କ୍ଷଣ ପରେ ସମ୍ଭ୍ରମତାର ସହ କହିଲା, - ମୁଁ କେତେ ସ୍ୱପ୍ନ ଦେଖିଥିଲି, ତୁ ଡାକ୍ତର ହେବୁ । ତୁ ଜାଣିନୁ ମୁଁ କେତେ ଟଙ୍କା ସଞ୍ଚୟ କଲିଣି । ଜାଣିଛୁ, ଦଶ ରାତି ଅନିଦ୍ରା ହୋଇଯେଉଁ ଭରା ଗଙ୍ଗଶିଉଳି ଗଛର ଛବି ଆଙ୍କିଥିଲି ଓ ସୂର୍ଯ୍ୟଦୋୟ ପରେକଅଁଳ ଆଲୋକରେ ସବୁ ଫୁଲଝଡି ପଡିବା ପରର ଗଛ ବି ଆଙ୍କିଥିଲି ଗୋଟିଏ କାନଭାସରେ; କେବଳ ସେଇଟିକୁ ମୁଁ ଏକ ବଡ ହୋଟେଲରେ ବିକିଛି କୋଡିଏ ହଜାର ଟଙ୍କାରେ । କଣ ଆଉ ଅଧିକ ଦରକାର? ଅଧିକକୁ ଆଶା ରଖିଲେ ଦୁଃଖ । ଦେଖୁନୁ, ତୁ ଡାକ୍ତରୀ ପଢିବାର ଆଶାଟି ଆଜି ମୋତେ କେମିତି ହତାଶ କରୁଛି । ଯାହା ତୁ କରିବୁ କର । ରାତି କଟି ଯାଇଛି, ସବୁ ଫୁଲ ଝଡି ପଡିଛି । ତଥାପି ସୁନ୍ଦର । ମୁଁ ତ କଥା ଦେଇଦେଇଛି, ଯାହା କରିବୁ ତୋ ଇଛା ।

ମାୟା ପୁଣି ଏମିତି ଭାବାବିଷ୍ଟ ହୋଇପାରେ! ସେ ଭାବିଥିଲା ମୁଁ ତା କଥାରେ ତରଳି ଯିବି । କିନ୍ତୁ ସେମିତି ହେଲାନି । ସେ କେବେ ବୁଝି ପାରିବ ନାହିଁ, କେଡେ ଯନ୍ତ୍ରଣା ଦାୟକ ମୋ ଭଳି ମଣିଷର ଜୀବନ । ସେଇଟା ଜୀବନ ନୁହେଁ, ନିରନ୍ତର ଜ୍ୱଳନ । ମୋର ଦରକାର ଶୀଘ୍ର ମୁକ୍ତି ମୋ ଅଭିନୟରୁ ।

କିନ୍ତୁ ତା କୋଡିଏ ହଜାରର ଆୟ ମୋତେ ବହୁତ ଆଶ୍ୱାସନା ଦେଇଥାଏ । ସେତେବେଳେ ଜଣେ ଛାତ୍ରର ମାସିକ ଖର୍ଚ୍ଚ ଅତି ବେଶିରେ ପାଞ୍ଚଶହ ହେଉଥାଏ ।

ମୁଁ ବିଶ୍ୱଭାରତୀ ପ୍ରବେଶିକାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେଲି, ବୃତ୍ତି‌ତି ଯୋଗ୍ୟତା ସହ । ଚାଲିଲି ଏବେ ଆହୁରି ଦୂରକୁ ।

ପୁଣି ସଂଘର୍ଷ । ପୁଣି ନୂଆ ପରିବେଶ, ନୂଆ ସାଙ୍ଗସାଥୀ, ନୂଆ ଭୟ । ମନେହେଲା ଆମ ଜୀବନରେ ଆନନ୍ଦର ଅନ୍ୟ ନାମ ଭୟ । ବିକାଶର ଅନ୍ୟ ନାମ ସଂଗ୍ରାମ । ନିଜକୁ ଖୁବ୍ ମଜବୁତ ଅନୁଭବ କଲି ।

ମୁଁ ଦୀର୍ଘ ଛଅ ବର୍ଷ ପରେ ମୋ ମାୟାଧର ଠାରୁ ଅଲଗା ହୋଇଗଲି ।

ମୋ ଶତ ଅନୁରୋଧ ସତ୍ତ୍ୱେ ସେ ଆଉ ପଢିଲା ନାହିଁ ।

ସେ ବି ମୋଠାରୁ ମୁକ୍ତି ପାଇବା ଜରୁରୀ ବୋଲି ବିଚାର କରୁଥିଲି ମୁଁ । ମୋ ଅନୁପସ୍ଥିତରେ କେହି ଆସନ୍ତୁ ତା ଜୀବନରେ । ପାଠପଢା ଛାଡିଲା, ରୋଜଗାର ଭଲ, ମା ଏକୁଟିଆ । ହୁଏତ ମାଆ ଏବେ ଚାହିଁବେ ତାକୁ ବିଭା ଦେବା ପାଇଁ । ହଁ, ତାକୁ ଆଉ କେଉଁଠି ବୟସ ହୋଇନାହିଁ ଯେ! (ସେ କାଳରେ ଏମିତି ସହଳ ବିବାହ ହେଉଥିଲା ।)

ହେଉ ଅବା ନହେଉ, ତାକୁ ସେ ସୁଯୋଗ ଦିଆଯାଉ । ଅଭିମାନ ଓ ଆତ୍ମସମ୍ମାନ ଜ୍ଞାନ, ମୋ ଅନ୍ୟଥା ବୃଥା ଭଲପାଇବାକୁ ଏକ ମଖମଲି କପଡାରେ ଗୁଡାଇ ତୁଡାଇ କୌଣସି ଏକ ଲୁକ୍କାୟିତ ଅନ୍ତର୍ଦ୍ଦେଶରେ ସାଇତିରଖିଲା । ବୁଝିଥିଲି ତାହା ଆଉ ଏ ଜୀବନରେ ଫିଟିବାର ନାହିଁ ।

ମାଆ ଖୁବ୍ ଚିନ୍ତିତ ହୋଇ ପଡିଲେ, ମୋ ଅନୁପସ୍ଥିତରେ ତାଙ୍କ ପୁଅ ଚଳିବ କେମିତି? କିନ୍ତୁ ସେ ମୋ ଉନ୍ନତିରେ ଉଲ୍ଲସିତ ହେଉଥିଲେ ଅବଶ୍ୟ ।

ଦୂରକୁ ଅଧିକ ପଢିବାକୁ ଯିବାରେ ମୋ ପରିବାର ଲୋକେ ବହୁତ ଖୁସି ହେଉଥିଲେ । ସେମାନେ ଭାବୁଥିଲେ, ତାଙ୍କ ପୁଅ ସୁମନ ଏବେ ଖୁବ୍ ମଜବୁତ, ଜବରଦସ୍ତ ପାରିବାର ଯୁବକ ।

ବିଶ୍ୱଭାରତୀରେ ଗୋଟିଏ ପିଲାକୁ ଗୋଟିଏ ରୁମ୍ ମିଳୁଥାଏ । ତା ସହ ପ୍ରସାଧନ କକ୍ଷ ଲାଗିକି ଥାଏ । ମୋ ମନଟି ଖୁସି ହୋଇଗଲା । ହଁ ଚଳିଯିବି । ମୁଁ ଅଭିନୟ ଜାରି ରଖିଲି । ଆଉ ଦୁଇବର୍ଷର କଥା । ତାପରେ ଚାକିରି କରିବିି । ଆଉ ତାପରେ ମୁଁ ଆଜାଦ୍‌, ମୁଁ ମୋ ଭଳିଆ ଚଳିବି । ସତରେ ପାରିବି? ସନ୍ଦେହ ମାଡି ଆସିଲା । ସତ ଓ ସନ୍ଦେହ ମଧ୍ୟରେ ମୋ ଜୀବନ ଯେମିତି ପେଶିହୋଇ ଚାଲିଛି । ଦୁନିଆରେ ପ୍ରତ୍ୟେକ ଲୋକ କେତେ ପ୍ରକାରର ସଂଗ୍ରାମ କରୁଛନ୍ତି ଆଗକୁ ଯିବା ପାଇଁ, ମୋର ବି ସେ ଯୁଦ୍ଧ ରହିଛି । କିନ୍ତୁ ସମସ୍ତ ଜୀବନ ଯୁଦ୍ଧ ଠାରୁ ଅଧିକ ମନେ ହୋଇଛି ଏ ପରିଚୟର ଲଢେଇ । ଏ ଲଢେଇ ସ୍ୱତନ୍ତ୍ର ।

ବିଶ୍ୱଭାରତୀରେ ମୋ ଶ୍ରେଣୀରେ ଝିଅଟିଏ ଯୋଗ ଦେଇଥାଏ । ନାମ ତାହାର ସୁମନ ମିତ୍ର । ମୁଁ ସେ ପର୍ଯ୍ୟନ୍ତ ଜାଣି ନଥିଲି ସୁମନ ଏକ ଝିଅର ନାମ ହୋଇପାରେ ବୋଲି । ବହୁତ ଖୁସି ଲାଗିଲା । ସୁମନ ମିତ୍ର ଜଣେ ବିଶିଷ୍ଟ ନେତାଙ୍କ କନ୍ୟା । ତାଙ୍କ ସହ ବନ୍ଧୁତା ଗଢିଉଠିଲା । ବିଶ୍ୱଭାରତୀରେ ପୁଅ ଝିଅଙ୍କ ମଧ୍ୟରେ ସେମିତି ଭେଦଭାବ ରହୁ ନଥାଏ । ଆମେ ପରସ୍ପର ମିତ ଡକାଡକି ହେଲୁ ।

ତାଙ୍କ ମଧ୍ୟରେ ଥାଏ ଏକ ବିପ୍ଳବୀ ବ୍ୟକ୍ତିତ୍ୱ । ଥରେ ଆମ ଶ୍ରେଣୀର ସମସ୍ତେ ଏକ ପରିଭ୍ରମଣରେ ଯାଉଥାଉ ରେଳଗାଡିରେ । କେତେଜଣ କିନ୍ନର ଭିକ୍ଷା ମାଗୁଥାନ୍ତି । ଦୁଇ ତିନି ଜଣ ପହଞ୍ଚି ଯାଉଥାନ୍ତି, ତାଳି ମାରୁଥାନ୍ତି । ବଡ ଜବରଦସ୍ତିଆ ମାଗୁଥାନ୍ତି । ନଦେଲେ କହୁଥାନ୍ତି ବତମିଜ୍ କରିବେ । ଅବଶ୍ୟ କିଛି ସେମିତି କରୁନଥାନ୍ତି । ସେମାନେ ଆମ ପାଖକୁ ଆସିଲା ବେଳକୁ କେତେ ଜଣ ପୁଅ ସାଙ୍ଗ ଡରିକି ଶୌଚାଳୟ ପଳାଇଗଲେ । ଆଉ କେତେ ଜଣ ସୌମ୍ୟ ଦର୍ଶନ ସାଙ୍ଗଙ୍କୁ ସେମାନେ ଏମିତି ହଲାପଟା କଲେ ଯେ ଚଟାପଟ ସେମାନେ ଦଶ ଟଙ୍କିଆ ନୋଟ ଧରାଇ ଦେଲେ । ଆଉ ଦୁଇଜଣ ମୋ କଜ୍ଜ୍ୱଳ ଲଗା ଆଖିରେ ଆଖି ମିଶାଇ କହିଲେ, ଆଲୋ ଭଉଣୀ ତୁମେ କାହା ସାଥେ ଯାଉଛ କିଲୋ ? ମୋତେ ଅପ୍ରସ୍ତୁତ ଲାଗିଲା । ମୋ ମିତ ତାଙ୍କ ଉପରେ ନାଗୁଣୀ ଭଳି ଫଁ କରିଉଠିଲା । ସେମାନେ ଚାଲିଗଲେ, ମୋ ମନଟି ବିମର୍ଷ କରିଦେଇ । ଲାଗିଲା ସେମାନଙ୍କ ବ୍ୟବହାର ପାଇଁ ମୁଁ ଯେମିତି ଲଜ୍ଜିତହେଉଛି । ସମୟ ସଂଧ୍ୟା । ଜଣେ ଖୁବ୍ କମ ବୟସର କିନ୍ନର, ବେଶଭୂଷାରେ ଅତି ସୁନ୍ଦରୀ ଦିଶୁଥାଏ । ଦୁଷ୍ଟ ଯାତ୍ରୀ ଜଣେ ତା ସହ ଅଶାଳୀନ ବ୍ୟବହାର କଲା । ପିଲାଟି କାନ୍ଦିଲା ଉଚ୍ଚ ସ୍ୱରରେ । ମୋ ମିତକି ଆଉ ଛାଡେ । ସଙ୍ଗେ ସଙ୍ଗେ ହେଲା କୋଳାହଳ । ଆମ ସହ କିନ୍ନର ଦଳ ମଧ୍ୟ ମାତିଗଲେ । ଦେଖାଦେଖି ସାଧାରଣ ଯାତ୍ରୀ ସମର୍ଥନ ଦେଲେ । ପୋଲିସ ଆସିଲେ, ମିତ ନିଜର ପରିଚୟ ଦେବାରୁ ପୋଲିସ ଅଧିକ ତତ୍ପରତା ପ୍ରକାଶ କରି ବଦମାସକୁ ଗିରଫ କରିନେଲେ । ଆଉ କିଏ କଣ ଭାବୁଥିଲା କେଜାଣି ମୋ ଆତ୍ମାକୁ ଶାନ୍ତିମିଳିିଲା । ମୋ ମଧ୍ୟରେ ପ୍ରଥମ ଥର ପାଇଁ ଖେଳି ଯାଇଥିଲା ଭୟ । ଆମ ଭଳି ମଣିଷ ଏତେ ଅସୁରକ୍ଷିତ! ଯେମିତି ମୁଁ ଶରବିଦ୍ଧ ହୋଇ ଯାଇଥିଲି । ଅତ୍ୟାଚାର ମୋ ଉପରେ, ମୋ ପରିବାର ଉପରେ ଓ ମୋ ବିଶେଷ ସମାଜ ଉପରେ ହୋଇଥିବା ଅନୁଭବ କରୁଥିଲି । ମୁଁ ନିଶ୍ଚିତ ହେଲି ଯେ ମୋ ସମାଜକୁ ମୁଁ ଖୁବ୍ ଭଲ ପାଉଛି । ସାଧାରଣ ସମାଜଟି ଏମିତି ବିବେକ ବିହୀନ ହୋଇପାରେ! କିନ୍ତୁ ଏକଥା ବି ମନକୁ ଆସିଲା, ଲଢେଇ ଏକ ବ୍ୟବସ୍ଥା, ଲଢିବାକୁ ପଡିବ । ଏ ଲଢେଇ ମୋର ଓ ମୋ ଭଳି ମଣିଷର । ସବୁବେଳେ ମୋ ମିତ ନଥିବ । ମୋ ମନ ଭିତରେ ବ୍ୟାପକ ପରିବର୍ତ୍ତନ ଅନୁଭବ କଲି । ମୋ ସମାଜରେ ମୁଁ ମିଶିଯିବି, ସତେ ଅବା ଏକ ଦୁର୍ବାର ଆହ୍ୱାନରେ ମୁଁ ଟାଣି ହୋଇଗଲି ସେମାନଙ୍କ ପ୍ରତି । ମାଗୁଥାନ୍ତୁ ପଛେ ଭିକ୍ଷା ସେମାନେ କିନ୍ତୁ ମୋ ନିଜର ସମାଜ ।

କିନ୍ନର ଦଳଟି ଖୁସିରେ ମୋ ମିତ ଓ ଆମ୍ଭମାନଙ୍କୁ ବହୁତ ଆଶୀର୍ବାଦ ଦେଲେ ତାଙ୍କ ବିଧି ମୁତାବକ । ସେମାନେ କହିଲେ, ଯଦି ଆମ୍ଭେମାନେ ନଥାନ୍ତୁ ପୋଲିସ ଆସି ଓଲଟି ସେମାନଙ୍କୁ ତାଗିଦ କରିଥାନ୍ତା, କାହିଁକ ଭିକ୍ଷା ମାଗୁଛ ବୋଲି । ହେ ସଭ୍ୟ ଶିକ୍ଷିତ ଯୁବକ ଯୁବତୀମାନେ ଟିକେ ଭଲକରି ଚିନ୍ତାକରି ଦେଖ; ଜୀବନ ଧାରଣ ପାଇଁ ଆମ ପାଖେ କେଉଁ ଉପାୟଟି ସମାଜ ଛାଡିଛି କି? ଆମର ତ ବୟସ ହୋଇ ଗଲାଣି, ଏହି ଟିକିଝିଅ ଅମିନାକୁ ଘରୁ ତଡି ଦେଇଛନ୍ତି, ତାକୁ କେହି ସମାଜର ମୂଖ୍ୟସ୍ରୋତରେ ମିଶାଇ ପାରିବ? ଅମିନା ଆଡେ ମୁଁ ଓ ମିତ ଅନାଇ ରହିଲୁ । ମନେ ମନେ ଚିନ୍ତାକଲି, ଦୁନିଆକୁ ମୁଁ ଉଦ୍ଧାର କରି ନପାରେ, ଅତି କମରେ ଏହି ଅମିନାକୁ ତ ଥଇଥାନ କରି ପାରିବି । ମୋ ଚାହାଣିରୁ କଣ ପାଇଲା କେଜାଣି, ଅମିନା ମତେ ଖାଲି ବଲବଲ କରି ଅନାଇ ଥାଏ, ସତେ ଅବା ବହୁତ ଦିନର ଚିହ୍ନା ପରିଚୟ ।

କିନ୍ତୁ ପୁଣି ମନେ ପଡିଲେ ଲକ୍ଷ୍ମୀ ମା । ଲାଗିଲା ତଥାପି ସେ ସମୟ ଉପନୀତ ହୋଇ ନାହିଁ । ଅପେକ୍ଷା କର, ଅଭିନୟ କର ସୁମନ! ଏକ ଭାରାକ୍ରାନ୍ତ ମନ ନେଇ ଫେରିଲି । ପିଲାଟିର ନାମ, ଗ୍ରାମ ଓ ଠିକଣା ମୋ ମନରେ ଲିପିବଦ୍ଧ ହୋଇ ରହିଗଲା ଯେତେବେଳେ ପୋଲିସ ତା ପ୍ରାଥମିକ ବୟାନ ନେଉଥିଲେ ।

ଦିନେ ମୁଁ ମିତକୁ ସମୟ ମାଗିଲି । ଆମେ ପାର୍କରେ ବସିଲୁ । ମୋ ଏପର୍ଯ୍ୟନ୍ତ ଘଟିଥିବା କାହାଣୀ କହିଲି ତାକୁ । ଆଜି ପର୍ଯ୍ୟନ୍ତ କେବେ କାହାକୁ କହିନଥିଲି । ମୋ ପରିଚୟ ଜାଣି ସେ ପ୍ରତିକ୍ରିୟା ପ୍ରକାଶ କଲାନାହିଁ । ସେ ମୋତେ ଭରସା ଦେବା ସହ ଲକ୍ଷ୍ମୀମା ଭଳି ଉପଦେଶ ଦେଲା । ସେବେଠୁ ଆମ ଦୁହିଁଙ୍କ ବନ୍ଧୁତା ନିବିଡ ହେଲା ।

ମାୟାଧର ସହ ଆଉ କୌଣସି ସମ୍ପର୍କ ନଥାଏ । ଖଣ୍ଡିଏ ହେଲେ ଚିଠି ଦେଇ ନଥାଏ । ଆସିଲା ବେଳେ ସେ ଦେଇଥିବା ସମସ୍ତ ପାଣ୍ଠି ସରିଗଲାଣି । ବୃତ୍ତି ଟଙ୍କା ବର୍ଷ ଶେଷକୁ ମିଳେ, ତାହା ପର୍ଯ୍ୟାପ୍ତ ହେବାର ସମ୍ଭାବନା ନଥାଏ । ଚଳିବି କେମିତି? ମୁଁ ମୋ ଫାଇନ ଆର୍ଟ ଓ ଅନ୍ୟାନ୍ୟ ପାଠଯତ୍ନରେ ପଢୁଥାଏ । ବହୁତ ପ୍ରକଳ୍ପ କରିବାକୁ ପଡୁଥାଏ । ଅନେକ ଖର୍ଚ୍ଚ ହେଉଥାଏ। ପଢା ବ୍ୟାଘାତ କରି କିଛି ରୋଜଗାରିଆ କାମ କରିବାକୁ ଇଛା ହେଉ ନଥାଏ । ଚିନ୍ତିତ ହୋଇପଡିଲି ।

ଦୁଃଖ ମଧ୍ୟରେ ଈଶ୍ୱରଙ୍କ କରୁଣା ସର୍ବଦା ମୋତେ ମିଳିଛି । କେଡେ ଆଶ୍ଚର୍ଯ୍ୟ କଥା, ନିଜେ ମାୟାଧର ଆସି ପହଞ୍ଚିଗଲା । ଶୁଖିକି କଳାକାଠ ପଡିଯାଇଥାଏ । ଦାଢୀ ବଢିଯାଇଛି । କେଶ ଲମ୍ବାଲମ୍ବା ପୁଣି ଅବିନ୍ୟସ୍ତ । ଓଠ କଳା ପଡିଯାଇଥାଏ । ସେ କଣ ସିଗ୍ରେଟ୍ ପିଇବା ସମ୍ଭବ? ମୋତେ କାନ୍ଦ ଲାଗିଲା । ରୋକି ପାରିଲି ନାହିଁ ନିଜକୁ । ମୁଁ ମୁହଁ ବୁଲାଇ ନେଲି । ତା ସହ କଥା ହେବିନି କହିଲି । ସାଧାରଣତଃ ଅବିଚଳିତ ମଣିଷଟିର ଆଖି ଛଳଛଳ ହୋଇଗଲା । କହିଲା ମାଆ ପଠାଇଛନ୍ତି । ସେ ତୋତେ ଦେଖିବାକୁ ଚାହୁଁଛନ୍ତି । ତୁ ଚିଠିଟାଏ ଥରେ ମଧ୍ୟ ଲେଖିଲୁନି । ସେ ବହୁତ ଦୁଃଖ କରନ୍ତି ସେପାଇଁ । ମୋ ଅଭିମାନ ଭାଙ୍ଗିଗଲା । ମୁଁ ନିଜକୁ ସମ୍ଭାଳି ପାରିଲି ନାହିଁ । ମାୟାକୁ ଭିଡିଆଣି ମୋ ଛାତିରେ ଯାକି ଧରିଲି । ଧାର ଧାର ଲୁହ ଗଡିଚାଲିଥାଏ ।

ମାୟା ସାମ୍ପୋକରି ତା ମୁଣ୍ଡ ଧୋଇଲା । ସେଲୁନକୁ ଗଲୁ । ତାକୁ ମାର୍ଜିତ ଭାବେ ମୋ ମିତକୁ ନଦେଖଇଲେ ଚଳିବ କି?

ମିତ ସହ ଦେଖାରେ ମୋ ଗୁପ୍ତ କଥାର ଆଭାସ ସେ କିଛି ଦେଲାନି ମାୟାକୁ । ମୁଁ ମାୟାକୁ ନେଇ କଲେଜରେ ଅଧ୍ୟାପକ ମାନଙ୍କ ସହ ପରିଚିତ କରାଇଲି । ତା କଳାର ବିଶେଷତ୍ୱର ସୂଚନା ଦେଲି । ସେ କିଭଳି ଜହ୍ନଭିଜା ଭରା ଗଙ୍ଗଶିଉଳି ଗଛ ଅବିକଳ ଆଙ୍କି ପାରନ୍ତି । ସମାନ ପେଣ୍ଟିଂରେ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟର ଭ୍ରମ ସୃଷ୍ଟି କରିପାରନ୍ତି ସେ । ନିମିଷେକ ପାଇଁ ଦେଖିଦେଲେ ଏକ ସପ୍ତାହ ପରେ ସେ ଆଙ୍କିପାରନ୍ତି ଏକ ଛବି । ସେ କୌଣସି ଧାରା ମାନନ୍ତି ନାହିଁ, ନିଜେ ହିଁ ଏକ ଧାରା ।

ସେମାନେ ଏକ ଭଲ କଥା କହିଲେ ଯାହା ମୁଁ ଆଗରୁ ଜାଣି ନଥିଲି । ମୋର ପର ପ୍ରକଳ୍ପରେ ମୁଁ ତାଙ୍କୁ ସାଥିରେ ରଖିପାରିବି । ଯଦି ସେ କାମ ମନୋନୀତ ହୁଏ ତେବେ ତାଙ୍କୁ ଆଉଟ୍ ଅଫ୍ କୋର୍ସ ସାର୍ଟିଫାଏଡ୍ ଆର୍ଟିଷ୍ଟ୍ ପ୍ରମାଣପତ୍ର ମିଳିବ । ପାଠ୍ୟକ୍ରମ ବାହାର ପ୍ରମାଣିତ ଚିତ୍ରକର, ବଢିଆ ତ! ଏମିତି ପାଞ୍ଚ‌ଟି ମିଳିଲା ପରେ ତାଙ୍କୁ ମିଳିବ ପାଠ୍ୟକ୍ରମ ବାହାର ଡିପ୍ଲୋମା । ଏହା ବଳରେ ସେ ଯେକୌଣସି ନାମକରା ପ୍ରଦର୍ଶନୀରେ ଭାଗନେଇ ପାରିବେ ।

ମୁଁ ଜାଣେ, ମାୟାଧର ଏସବୁର ଦାୟ ଧାର ଧରେନି । ତଥାପି କାହିଁକି ମନେହେଲା ମୋ କଥାକୁ ସେ ଏଡେଇ ଦେବନାହିଁ ।

ମାୟାଧର ଫେରିଗଲା ବେଳେ ଅବଶ୍ୟ ମୋ ଆର୍ଥିକ ସମସ୍ୟା ଦୂର କରି ଯାଇଥିଲା ଆଗାମୀ ଛଅ ମାସ ପର୍ଯ୍ୟନ୍ତ । ତା ସହ ଛାଡିଗଲା ଏକ ଆଟାଚି । କହିଲା ତାହା ମଧ୍ୟରେ ଯାହା ଅଛି ସେସବୁ ସେ ଗଲାପରେ ହିଁ ଖୋଲିବ । ଆଟାଚିର ଚାବି ସେ ଷ୍ଟେସନରେ ବିଦାୟ ବେଳାରେ ଦେଇଥିଲା । ମାଆଙ୍କ ପାଇଁ ଯାହାସବୁ ପଠାଇଲି ଖୁସି ମନରେ ନେଲା ।

ଭାରୀ ମନ ନେଇ ମୁଁ ଛାତ୍ରାବାସକୁ ଫେରିଲି । ତତ୍କ୍ଷଣାତ୍ ଆଟାଚି ଖୋଲି ଆଶ୍ଚର୍ଯ୍ୟ ହୋଇଗଲି । ଆଟାଚିରେ ଥାଏ ରୋଲ ହୋଇ ଦଶଟି ପେଣ୍ଟିଂ, ସଦ୍ୟ ପ୍ରସ୍ତୁତ । ସେସବୁ ଆଉ କାହାର ନୁହେଁ ମୋ ନିଜର ପ୍ରୋଟ୍ରେଟ୍ । ଦୁଇ ନାୟିକା ଭୂମିକାରେ ମୋର ବିଭିନ୍ନ ପୋଷାକ ଓ ଅଭିବ୍ୟକ୍ତିର କଳାକୃତି । ସବୁଗୁଡିକ ହସଖୁସି ସମୟର । ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଚିତ୍ରଶିଳ୍ପ ବିଭାଗର ଉପାଧି ଶ୍ରେଣୀର ସୁମନ ଭାବି ପାରିଲା ନାହିଁ କିପରି ଏତେ ଦିନ ପରେ ଏସବୁ ଆଙ୍କିବା ସମ୍ଭବ! ସତରେ ମୁଁ କେଡେ ସୁନ୍ଦର ଦିଶୁଥିଲି । ସେସବୁ କାମର ପ୍ରତିବିନ୍ଦୁରୁ ନାୟିକାର ଖୁସି ଚହଟି ଉଠୁଥିଲା । ମନେହେଲା ମାୟାର କଳା ନିକଟରେ ମୁଁ ନିରକ୍ଷରା ମାତ୍ର ।

ଏ ତ ଗଲା କଳା କଥା । ମାୟାର ଭାବନାଗତ ତଥ୍ୟ ମୋତେ ଆହୁରି ରୋମାଞ୍ଚିତ କରୁଥିଲା । ମୁଁ ବୁଝିପାରିଲି ନାହିଁ, ମାୟା କେମିତି ଜାଣିଲା ଏସବୁ କଳାକୃତି ମୋତେ ଏତେ ଖୁସି ଦେବ ବୋଲି । କଳାକାରର ବିଶେଷ ଦୃଷ୍ଟି ତାହେଲେ କଣ ସଠିକ ଚିହ୍ନି ପାରିଛି ସୁମନକୁ । ନଚେତ୍ ସେ କଣ ଏମିତି କରିବାକୁ ଭଲ ପାଇଥାନ୍ତା? ମୋ ମୁଣ୍ଡ ଗୋଳମାଳ ହୋଇଗଲା । ମୋ ମାୟାଠୁ, ମୁଁ ସିନା ଛାତିରେ ପଥର ରଖି ଏତେଦିନ ସମ୍ପର୍କ କାଟିଦେଲି କିନ୍ତୁ ମନେହୁଏ ତାହା ସେମିତି ଫଳପ୍ରଦ ହୋଇ ନାହିଁ ।

ତାହେଲେ? 

ତାହେଲେ କି ମାୟାଧରର ଏତେ ଭଲପାଇବା, ଦାୟିତ୍ୱ ନେବା ସହିତ ତା ସାଙ୍ଗ ସୁମନ ନୁହେଁ ନାୟିକା ସୁମନ ଜଡିତ । ତାହେଲେ? ତାହେଲେ ସେ ସେଦିନ ପିଙ୍କି କଥାରୁ ଏମିତି କେମିତି କହିଥିଲା ଯେ ମୋତେ ବି ଭବିଷ୍ୟତରେ ଅନେକ ଝିଅସାଙ୍ଗ ମିଳିବେ! ଛଳ କପଟ ଜାଣି ନଥିବା ମାୟାଧର ପୁଣି ଏତେ ମାୟାବୀ ହୋଇପାରେ! ନା ସେ ସେମିତି କରି ପାରେନା । ତାହେଲେ? ତାହେଲେ କେବେ ସେ ଏମିତି ଭାବନା ଆଣିଲା? ଯଦି କିଛି ନଭାବି ଏସବୁ ଆଙ୍କିଥାନ୍ତା ତାହେଲେ ପ୍ରଥମରୁ ମୋତେ ଦେଖାଇଥାନ୍ତା, ଏତେ ରହସ୍ୟ କରି କହି ନଥାନ୍ତା ଯେ ସେ ଗଲାପରେ ଏସବୁ ଫିଟାଇବାକୁ । କିଛି ତ ଅଡୁଆ ଅଛି ।

ଧେତ୍‌, ମୁଁ ମୋ ମନର ଭାବନା ଗୁଡା ତା ଉପରେ ପକାଇ ଦେଉଛି କି? କଳାର ଅନେକ ଗତି । ଭାବିଥିବ ସୁମନକୁ ଚିଡାଇବି । ଭାବିଥିବ ଏ ଏକ ଆହ୍ୱାନ, ଏତେ ଦିନପରେ ଫୁଟାଇ ପାରୁଛି କି ନାହିଁ ରଙ୍ଗତୁଳୀରେ ନାୟିକା ସୁମନକୁ । ହୁଣ୍ଡାଟା ହୁଏତ ବିଲକୁଲ୍ କିଛି ନଭାବି ତା ପାରଦର୍ଶିତାର ଆଉ ଏକ ଦୃଷ୍ଟାନ୍ତ ଭାବେ ଏମିତି କରିଛି । ମନଟିକୁ ବୁଝାଇ ଦେଲି ।

ମୁଁ ପୁଣି ନିଜକୁ ଦୃଢକଲି । ସରକାରୀ ଚାକିରି ନମିଳିଲା ପର୍ଯ୍ୟନ୍ତ ମୋ ପରିଚୟକୁ ଗୋପନ ରଖିବି, ଯେତେ କଷ୍ଟ ହେଉ ପଛେ । ଏଥର ନିଶ୍ଚେ ମାଆଙ୍କୁ ବୁଝାଇବି ସେ ମାୟାକୁ ବାହା କରାଇ ଦେବା ପାଇଁ । ହଁ କହିବି, ନିଶ୍ଚିତ କହିବି । ଜଣେ ବିଧବା ମାଆଙ୍କ ଏକମାତ୍ର ପୁତ୍ର ମାୟା, ପରିବାର ଆଗକୁ ବଢିବା ଦରକାର । ତାଙ୍କ ସ୍ଥାନରେ ରହି ଏସବୁ ବିଚାର କରୁଥିଲି ମୁଁ । ସୁମନ ନିଶ୍ଚିତ ପାରିବ । ମାୟାର ଭଲପାଇଁ ଏ ସମଗ୍ର ବିଶ୍ୱକୁ ସୁମନ ଲୁଚାଇ ଦେଇପାରେ, ତା ନିସଙ୍ଗ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ବିଶାଳ ହୃଦୟର ଅତଳ ଗହୀରରେ ।

ମୁଁ ମାୟାକୁ ଭଲପାଇବାର ଏକମାତ୍ର ପ୍ରମାଣ ହେବ ମୋ ତ୍ୟାଗ । ସବୁ ଭଲପାଇବା ଠାରୁ ମୋ ଭଲପାଇବା ନିଆରା ନହେବ କାହିଁକି? ମାୟା କେବଳ ମାୟା, ମୋ ସଖା ମାୟା । ମୋର ଜଣେ ମାଆର ପୁଅ । ମୋ ଭଲପାଇବା କଣ ଲିଭିଯିବ । ପ୍ରତିଟି କଳା ତଳେ ଲେଖାଯାଏ ‘ସୁମନ ମାୟାଧର’, ପ୍ରତିଷ୍ଠାନଟି  ‘ସୁମନ ମାୟାଧର’ । ବାହାର ସଂସାର ଜାଣିଛି ଶିଳ୍ପୀଟିର ନାମ ସୁମନ ମାୟାଧର । ଏତିକି କଣ କମ ହେଲାଣି ଯେ ଆହୁରି ଅଧିକ ଆଶା କରିବି, ଯାହା ହୁଏତ ମୋ ମାୟା ଓ ତା ପରିବାରର ଅହିତ କରିବ ।

ମନେ ପଡିଲା ସେ ଚିତ୍ର, ଯାହା ଉପରେ ପ୍ରଥମ କରି ଲେଖା ହୋଇଥିଲା ସୁମନ ମାୟାଧର । ଏକ ପାଖେ ବ୍ୟାଘ୍ର, ଅପର ପାଖେ ହରିଣ, ଶଶକ ଓ ମଝିରେ ଅଲଂଘ୍ୟ ଜଳ ପ୍ରପାତ । ତା ଉପରେ ଶୋଭା ପାଉଥିଲା ଲେଖା, ସୁମନ । ସେ ନିଜେ ଅଲଂଘ୍ୟ ପ୍ରତିରୋଧ ହେବାକୁ ଚାହୁଁ  ନଥିଲା ।

ନା ନା,ଯେମିତି ହେଲେ ମାୟା ଏବେ ବାହା ହେବା ଜରୁରୀ । ମୁଁ ଜାଣି ସାରିଥିଲି ଥରେ ମୋ ପରିଚୟ ମୁଁ ଉନ୍ମୋଚିତ କରିଦେଲେ ମାୟାକୁ ଆଉ କନ୍ୟା ମିଳିବେ ନାହିଁ । ଜଣେ କିନ୍ନର ସହ ଏତେ ସମ୍ପର୍କର ଲୋକଟାକୁ କିଏ ଝିଅ ଦେବ? ମୁଁ ଜାଣିଥିଲି, ବାହାରେ ରହୁଥିବ ସତ୍ତ୍ୱେ ମୋ ଭାଇ ଭଉଣୀ ମାନଙ୍କ ବାହାସାହା ହେବାରେ କେତେ ସବୁ ଅସୁବିଧା ହୋଇଥିଲା । ମୋତେ ଖବର ଦିଅନ୍ତି ବାହାଘର ପରେ, କହନ୍ତି ମୋ ପଢା ଖରାପ ହେବ ବୋଲି ଜଣାଇଲେ ନାହିଁ । ଏଇଟା ଆମ ଜୀବନ । ଏକଲା ରୁମ ମଧ୍ୟରେ କାନ୍ଦିବାରେ କିଛି ଅସୁବିଧା ନଥିଲା । ଆନନ୍ଦରେ କି ଦୁଃଖରେ, ଭଲପାଇବାରେ କି ତାକୁ ତ୍ୟାଗ କରିବାରେ, ଜଣେ ଭିନ୍ନ ମଣିଷର ହାହାକାର ଭରା ବ୍ୟଥାରେ କିମ୍ବା ସବୁ ସମୟରେ ତାକୁ ଦୈବାତ୍ ମିଳୁଥିବା ସହାୟତାରେ; କେଉଁଥି ପାଇଁ ମୁଁ କାନ୍ଦୁଥିଲି ମୁଁ ଜାଣେନା । ଖଟ ଉପରେ ନାୟିକା ସୁମନର ଛବିତକ ସଜେଇ ଦେଇ ସାରା ରାତି ଉଜାଗରରେ କଟିଗଲା ସିନା ମୋ ଆଖିର ଝରଣା ଶୁଖିଲା ନାହିଁ ।

Saturday 24 October 2020

ସୁମନ ମାୟାଧର - ଭାଗ ୪ ଓ ୫।

(ଆଗରୁ ଆମେ ପଢିଛନ୍ତି, ସୁମନ ଓ ମାୟାଧର ରାଜଧାନୀ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ଏକ ପ୍ରକୋଷ୍ଠରେ ରହୁଛନ୍ତି। ଉଭୟ ଚିତ୍ରକର, କିନ୍ତୁ ସୁମନର ଧ୍ୟାନ ମୂଖ୍ୟତଃ ପାଠରେ ଓ ମାୟାଧରର ଚିତ୍ରକଳାରେ। ଦୁଇଜଣ ପରସ୍ପର ପାଇଁ ଆବଶ୍ୟକ ଓ ବେଶ୍ ଭଲରେ ଅଛନ୍ତି। ଏବେ ସେମାନେ ଶେଷବର୍ଷର ଛାତ୍ର)

ଛାତ୍ରାବାସରେ ଆମ ପ୍ରକୋଷ୍ଠର ପଂକ୍ତିଟି ବାହାର ରାସ୍ତାକୁ ଲାଗିଥାଏ । ସେହି ରାସ୍ତାରେ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ସକାଳ ସାତଟା ପୁର୍ବରୁ କଲେଜ ଯାଆନ୍ତି । ଆମ ଛାତ୍ରାବାସର ଦଶମ ଓ ଏକାଦଶ ଶ୍ରେଣୀର ପିଲାଏ ପ୍ରତି ଝରକା ପାଖରେ ରୁଣ୍ଡ ହୋଇ ସେମାନଙ୍କୁ ଅନାଇ ରହନ୍ତି ସବୁଦିନ । କଲେଜ ଝିଅଙ୍କୁ ହାଇସ୍କୁଲ ପିଲାଏ କିଛି ମନ୍ତବ୍ୟ ଦେବାକୁ ସାହସ କରୁନଥିଲେ ମଧ୍ୟ ନିଜ ନିଜ ମଧ୍ୟରେ ସେମାନଙ୍କ ବାବଦରେ କଥାହୋଇ ମଜା ନେଉଥାନ୍ତି । ଥରେ ଅଣ୍ଡିରିଚଣ୍ଡୀ ଝିଅଟିଏ ଚପଲ ଉଠାଇ ଅଖି ତରାଟିକହିଲା, -ମେଞ୍ଚଡ ଛୁଆ, ଗାଲ ଚିପିଦେଲେ ଦୁଧ ବାହାରି ପଡିବ, ଓଳିଆରୁ ଗଜା ହେଉଛ । ଦେଖିବ ତୁମ ହେଡ୍‌ମାଷ୍ଟ୍ରେଙ୍କୁ କହିବୁ । ପିଲାଏ ଯିଏ ଯୁଆଡେ ଦୌଡିଲେ । ପରଦିନ ଯେଉଁ କଥାକୁ ସେଇ କଥା । ସେ ଝିଅଟି ମଥାରେ ହାତପିଟି ମୁରୁକି ହସି ଚାଲିଗଲା, ଯେମିତି କହିଲା; ଏମାନଙ୍କ ବୟସକୁ ପାରିହେବ ନାହିଁ ।

ମାୟାଧର ଏ ଦର୍ଶକ ବର୍ଗରେ ନଥାଏ । ମୁଁ କିନ୍ତୁ ଝରକା ପାଖରେ ଦେଖେ । କେତେ କିସମର ବେଶ ପୋଷାକ, କେଶ ବିନ୍ୟାସ, ଚୁଡି, କାନଫୁଲ, ସରୁସରୁ ସୁନାଚେନ ଓ ରଙ୍ଗିନ ଚପଲ । ମୋତେ ଲାଗେ ପରୀମାନେ ଚାଲିଗଲେ, ମୁଁ ବି ଚାଲନ୍ତି ସେମିତି, ଦୁଇପାଖରେ ଲମ୍ବା ଲମ୍ବା ବେଣୀ ଝୁଲାଇ । ମୋ ବୟସଟି ଅମାନିଆ ହେଲାଣି । ମାୟାଧର ଏ ବାବଦରେ ମତେ କିଛି ପଚାରେ ନାହିଁ କିମ୍ବା ମୁଁ ବି ତାକୁ କିଛି କହେ ନାହିଁ । ହୁଏତ ଭାବୁଥିବ ସୁମନ ଏବେ ଟୋକା ଫିଟିଲାଣି, ଝିଅ ମାନଙ୍କୁ ନଜର କରୁଛି ।

ଆମେ ଦିହେଁ ଜଗବନ୍ଧୁ ସାରଙ୍କ ଘରକୁ ଅନେକବାର ଯାଉ, କେତେବେଳେ ଚିତ୍ରାଙ୍କନ ଓ ଆଉ କେତେବେଳେ ପାଠ ବୁଝିବାକୁ । ପୁଣି କେବେ କେବେ ସାର ତାଙ୍କ ଘରେ ପର୍ବପର୍ବାଣିରେ ଖାଇବାକୁ ଡାକନ୍ତି । ଜଗବନ୍ଧୁ ସାରଙ୍କ ଅତି ସୁନ୍ଦର ଝିଅଟିଏ ଥାଏ, ପିଙ୍କି । ସେ ମାୟାଧରର ଚିତ୍ରକଳା ମାନଙ୍କୁ ତାରିଫ କରେ । ସେସବୁକୁ ବୁଝାଇ କହିବାକୁ ଅଳି କରେ । ଆମକୁ, ଅର୍ଥାତ ମାୟାଧରକୁ ଦେଖିଲେ ତା ମଧ୍ୟରେ ଖୁସି ସ୍ପଷ୍ଟ ବାରି ହୋଇପଡେ ।  ଧୀରେ ଧୀରେ ମୋର କାହିଁକି ସନ୍ଦେହ ହେଲା ସେ ମାୟାଧରକୁ ଭଲ ପାଉଛି । ମାୟାଧର ବି ତା ସହ ହସିକି କଥା ହୁଏ । ମାୟାଧର ଭଳି ଚୁପଚାପ ପିଲା ପୁଣି ପିଙ୍କି ସହ ହସିହସି କଥା ହୋଇପାରେ! 

ମୁଁ ବିଚଳିତ ଅନୁଭବ କଲି । ରାତିରେ ନିଦ ହେଲାନାହିଁ । ଭୋକଶୋଷ ଭୁଲିଗଲି । ପାଠପଢାରେ ଏକାଗ୍ରତା ରହିଲା ନାହିଁ । ମୋ ମଧ୍ୟରେ ଏକ ହାହାକାର ଅବସ୍ଥା ଅନୁଭବ କଲି । ଲୁଚି ଲୁଚି ଖୁବ୍ କାନ୍ଦେ । ଆହାଃ, ମୁଁ ଯଦି ପିଙ୍କି ଭଳି ହୋଇଥାନ୍ତି! ମନେ ହେଲା ପିଙ୍କି ମୋ ମାୟାଧରକୁ ମୋଠାରୁ ଛଡେଇ ନେଉଛି । ମନେହୁଏ ଆହୁରି ଅନେକ କିଛି । ଆବିଷ୍କାର କରେ; ପିଙ୍କି ମାୟାକୁ ଭଲପାଉକି ନପାଉ, ମାୟା ତାକୁ ଭଲପାଉକି ନପାଉ, ମୁଁ ନିଶ୍ଚେ ମୋ ମାୟାକୁ ଭଲ ପାଉଛି । ଦିନେ ଭାବୁଥିଲି ସେ ମୋ ଭାଇ ଭଳି, ଆଉ ଦିନେ ମାଆ ଭଳି ତାକୁ ଖୁଆଇ ଦେଇଥିଲି । ଏବେ କିନ୍ତୁ ସେମିତ ନୁହେଁ, ବୁଝୁଥିଲି ମୁଁ ଏକ ପ୍ରସ୍ଫୁଟନମାଣ ମନ; ସେ ମନଟି ମୁଁ ଦେଇ ଦେଇଛି ମୋ ମାୟାଧରକୁ ।

ମୁଁ ବଡ କଷ୍ଟ ଅନୁଭବ କରେ । ଗାଆଁରେ ଥରେ କୌଣସି ପ୍ରସଙ୍ଗରେ ଜଣେ ବୁଢାସାଅନ୍ତ କହିବାର ଶୁଣିଛି, ନିଆଁ ପାଖରେ ଘିଅ ରହିଲେ ତରଳି ଯିବା ନିଶ୍ଚିତ । ଏବେ କଥାଟିର ମାନେ ବୁଝିପାରେ । ବାସ୍ ଆଉ କିଛି ନୁହେଁ, ମୁଁ କେବଳ ଏତିକି ଭାବେ; ମୁଁ ଯେ ନିଆଁ ନୁହେଁ ଘିଅ ଏତିକି ବୁଝୁ ମାୟାଧର । ତେବେ ମୁଁ ଖୁବ୍ ସତର୍କ ଥାଏ ଘିଅର ଗିନା ମଧ୍ୟରେ । ଗିନାକୁ ଆହୁରି ଗଭୀର କରେ ଯେମିତି ତରଳି ଡବ୍‌ଡବ୍ ଫୁଟିଲେ ମଧ୍ୟ ବାହାରକୁ ଛିଟିକିବ ନାହିଁ । ମୁଁ ପଛେ କଷ୍ଟ ପାଏ ମୋ ମାୟା ଏକଥା ନଜାଣୁ, ସେ କଷ୍ଟ ନପାଉ । ଏ ନିଷିଦ୍ଧ ଅଭିସାର ଯେଉଁ ମନ ମଧ୍ୟରେ ସୃଷ୍ଟି ସେଇଠି ତାହାର ବିଲୟ ଘଟୁ । ଭଗବାନଙ୍କୁ ଅଭିଶାପ ଦିଏ, ମୋ ମନଟାକୁ ଏମିତି କାହିଁକି କଲେ? ମନ ଓ ଶରୀର ମଧ୍ୟରେ ଏତେ ଫରକ ରଖିଲେ କେଉଁ ଅପରାଧରୁ ।

ପୁଣି ଦିନେ, ପଙ୍କିି, କଥା ହେଉ ହେଉ ମାୟାର ମୁଣ୍ଡବାଳ ସାଉଁଳେଇ ଦେଲା । ସେଦିନ ମୁଁ ଆଉ ସହିପାରିଲି ନାହିଁ । ଖୁବ୍‌କାନ୍ଦିଲି । ଲୁଚିକି ନୁହେଁ ମୋ ରୁମରେ, ମାୟା ସାମ୍ନାରେ । ସେ କିଛି ବୁଝିଲା । ଦୁଃଖକଲା । ପ୍ରଥମ ଥର ପାଇଁ ମୋତେ ବୁଝାଇଲା, - କାହିଁକି ଚିନ୍ତା କରୁଛୁ ତୋତେ ବି କେତେ ଝିଅ ସାଙ୍ଗ ମିଳିବେ କଲେଜ ଗଲେ, ତା ଛଡା ପିଙ୍କି ପ୍ରତି ମୋର ଟିକେ ମଧ୍ୟ ଦୁର୍ବଳତା ନାହିଁ । 

ମାୟା ଭାବୁଥିଲା ମୋର ଝିଅ ସାଙ୍ଗ ନାହିଁ ବୋଲି ମୁଁ ତାକୁ ଈର୍ଷା କରୁଛି । ତା କଥା ମୋତେ ସାନ୍ତ୍ୱନା ଦେଉନଥିଲା କିମ୍ବା ଦୁଃଖ ଦେଉନଥିଲା ।

ମୁଁ କିନ୍ତୁ ଅସୁସ୍ଥ ହୋଇ ପଡିଲି । ମାୟାଧର ମୋର ଅନେକ ଯତ୍ନ ନେଲା । ମୁଁ, ତା ସେବା ସୁଶ୍ରୁଷା କରିବା ଏକ ସାଧାରଣ କଥା ହୋଇଯାଇଥାଏ କିନ୍ତୁ ଏମିତି ଓଲଟା କଥା କେବେ ଆବଶ୍ୟକ ପଡିନଥିଲା । ମୋତେ ଖୁବ୍ ଭଲ ଲାଗୁଥିଲା । ଇଛା ହେଉଥିଲା ଏମିତି ବାରମ୍ବାର ଅସୁସ୍ଥ ହୁଅନ୍ତି କି । ପୁଣି ଭାବୁଥିଲି, ଏକାଦଶ ଶ୍ରେଣୀ, ଅସୁସ୍ଥ ହେଲେ ଚଳିବ ନାହିଁ । ସେ ମୋ କପାଳରେ ପାଣି ପଟି ପକାଉଥାଏ । ଆଉଁସି ଦେଉଥାଏ । ମୁଁ କଷ୍ଟରେ କି ଆନନ୍ଦରେ ଅବା ମନର କୋହରେ କଇଁକଇଁ ହୋଇ କାନ୍ଦୁଥାଏ । ମୁଁ ଉଠିବସିଲି । ସେ ମୋ ଲୁହପୋଛି ଦେଲା, ମୋ ମୁଣ୍ଡକୁ ତା ଛାତିରେ ଆଉଜାଇ ନେଲା । ମୁଁ ବି ଲୋଟିପଡିଲି । ମୋର ଅନୁଭବ ହେଲା ବିଚିତ୍ର । ଯେମିତି ଏକ ସ୍ୱଭାବିକ ଘଟଣା ଘଟିଗଲା । ମୋ ଦୁଃଖ ମଧ୍ୟରେ ବି ମୁଁ ଅନୁଭବ କଲି, ଏକ ବିଶାଳ ହୃଦୟରେ ମୁଁ ଶୋଭା ପାଉଛି । ମୁଁ ଖୋଜି ପାଇଛି ମୋର ଅବଲମ୍ବନ । ତେବେ ମୁଁ ପର ମୁହୂର୍ତ୍ତରେ ନିଜକୁ ସଚେତନ କରାଇନେଲି ଓ ଏଣିକି ସତର୍କ ରହିଲି ଆହୁରି ଅଧିକ ମୋ ନିଜ ଆୟତ୍ତରେ । 

ମୁଁ ସୁସ୍ଥ ହେଲି ।

ମୁଁ ଆହୁରି ଦାୟିତ୍ୱ ସମ୍ପର୍ଣ୍ଣ ବଡ ପିଲା ହୋଇ ଯାଇଥିଲି । ମାୟା, ତା ଘର, ତା ମାଆ ସବୁକିଛି ମୋତେ ନିଜର ନିଜର ଲାଗିଲେ ବି ମୁଁ ବୁଝିଥିଲି ଅବାସ୍ତବ ଆକାଶ କଇଁଆ ଖୋଜୁଛି । ବାମନ ହୋଇ ଚାନ୍ଦକୁ ହାତ ବଢାଉଛି । ଏତେ ବଡ ଖାନଦାନରେ ବିଧବା ମାଆ ଜଣେ କେତେ ଆଶା ନେଇ ପୁଅଟିକୁ ବଢାଇଛନ୍ତି । ସେମାନଙ୍କ ପରିବାର ହସଖୁସିରେ ଆଗକୁ ବଢିବ । ଅଥଚ ମୁଁ! ନିଜକୁ ତିରସ୍କାର କଲି । କାହାର ବିଶ୍ୱାସରେ ବିଷ ଦେବା ମୋ ଚରିତ୍ରର ଅଂଶ ହୋଇନପାରେ ।  ଧୀରେ ଧୀରେ ମୁଁ ଅଭିନୟ ମଧ୍ୟରେ ଆହୁରି ଅଭିନୟ କରେ । ମୁଁ ଲକ୍ଷ୍ମୀମା କଥା ମନେ ପକାଏ । ମୋର ପ୍ରଥମେ ଦରକାର ସରକାରୀ ଚାକିରି । 

ମୁଁ ମନକୁ ଦୃଢକରେ, ଘିଅ ପୁଣି ଜମାଟ ବାନ୍ଧିଯାଏ । ହେଲେ ସେଇଟିକି ଆଉ ପଥର ହୋଇପାରେ!

ମୁଁ ବୁଝିସାରିଥାଏ ପ୍ରତି କଥାରେ ମୁଁ ମୋ ବିନା ଦୋଷରେ ନିଜକୁ ହୀନ ମନେ କରୁଛି, କେତେବେଳେ ସମାଜର କଟାକ୍ଷରେ ଆଉ କେତେବେଳେ ଆପଣାର ଅଭାବ ବୋଧରେ । କଣ ପାଇଁ! ମୁଁ ଶପଥ ନିଏ ନା ମୁଁ ଯେମିତି ମୁଁ ସେମିତି । ମୁଁ ନିଜକୁ ପ୍ରଥମେ ପ୍ରଚୁର ଭଲପାଇବା ଦରକାର । ମୁଁ ବୁଦ୍ଧିମତୀ, କଳାକାର, ଦାୟିତ୍ୱସମ୍ପର୍ଣ୍ଣା ଓ ଜଣେ ଦକ୍ଷ ଖେଳାଳୀ; ମୁଁ କାହିଁକି ନିଜକୁ ହୀନ ମନେ କରିବି ଯେ । ନା ଆଉ ନୁହେଁ ।

ବାସ୍ତବିକ ମୁଁ ନବ ଜନ୍ମ ପାଇଲି । ମୁଁ ପୁଣି ନିଜକୁ ଭଲପାଇବା ଆରମ୍ଭ କଲି । କିନ୍ତୁ ନିଜକୁ ଯେତେ ଭଲ ପାଇଲେ ବି ମଣିଷ ତ ସ୍ୱୟଂସମ୍ପୂର୍ଣ୍ଣ ହୋଇନପାରେ । ସେ ଲୋଡିବ ସମାଜରୁ ଅନେକ କଥା । ଭାବନା ଓ ସମ୍ବେଦନକୁ ବିଜୟ କରିବ କେମିତି?

ମୁଁ ସିନା ବୁଝିନେଲି ମାୟା ମୋ'ଠୁ ସ୍ୱାଧୀନ, ତା ମାନେ ନୁହେଁ ମୋର କିଛି ପ୍ରତିକ୍ରିୟା ହେବ ନାହିଁ । କିନ୍ତୁସବୁ ଆଲୋଡନକୁ  ନିଜ ମଧ୍ୟରେ ଆୟତ୍ତ‌ କରିନେବା ମହତ ପଣିଆ, ଏତିକି କଥା ବୁଝିନେଲି ।

ଆମେ ହାଇସ୍କୁଲ ପାଶକଲୁ । ମୁଁ ବହୁତ ଅଧିକ ନମ୍ବର ରଖିଥାଏ । ମାୟାଧର ଦ୍ୱିତୀୟ ଶ୍ରେଣୀରେ ପାଶ କରିଥାଏ । ମାଆ ବହୁତ ଖୁସି ହୋଇ କହିଲେ ଉଭୟ ଏବେ କଲେଜରେ ପଢ । ମୋ ଘରେ ବି କହିଲେ, ପାଠ ପଢିବା ପାଇଁ । ବୃତ୍ତି‌ ଅବଧି ଶେଷ ହେଲା । ପଢିବି କେମିତି?

ମୁଁ ମନ କଥା ମନରେ ରଖିଥାଏ । କିଛି ଟଙ୍କା ଥାଏ । ଆମେ ମହାବିଦ୍ୟାଳୟରେ ଭର୍ତ୍ତି ହୋଇଗଲୁ । ତା’ର ରାଜଧାନୀ କଲେଜରେ କଳାରେ ଓ ମୋର ବିଜେବି କଲେଜରେ ବିଜ୍ଞାନରେ ।

ମୁଁ ବିଜେବି କଲେଜରେ ମୋ ସଞ୍ଚିିତ ଅର୍ଥରେ ନାମ ଲେଖାଇଲି । ଘରେ ସହଜରେ କହିଦେଲେ ପାଠ ପଢ । ମୁଁ ଦୂରରେ ରହିଲେ ସେମାନଙ୍କ ଶାନ୍ତି । ସେମାନେ ଭାବୁଥିଲେ ମୁଁ ଟିଉସନ କରି ପଢିବି । ବିଜ୍ଞାନ ପାଠ, ସମୟ ଅନ୍ୟ ଆଡେ ଦେଲେ ଅସୁବିଧା ହୋଇପାରେ । ପୁଣି କାହାଘରେ ଯାଇ ପଢାଇବା ଏତେ ସହଜ କଥା କି ମୋ ଭଳି ତଥାକଥିତ ଜଣେ ମାଇଚିଆ ପାଇଁ । ମୁଁ ଏ ଶବ୍ଦଟିକୁ ଆଦୌ ଭଲ ପାଉନଥିଲେ ମଧ୍ୟ ବିକଳ୍ପ ଶବ୍ଦଟିଏ ସ୍କୁଲବେଳେ ଜାଣିନଥିଲି । ବୁଝିଥିଲି, ମୁଁ ମାୟାଧର ନୁହେଁ କି ପିଙ୍କି ବି ନୁହେଁ । ଚାରିବର୍ଷ ସିନା ରୁମ ମଧ୍ୟରେ କାଟିଦେଲି ଏବେ ନିଜକୁ ଲୁଚାଇବା ସମ୍ଭବ ହେବା ଭଳି ମନେ ହେଉ ନଥିଲା । ଇଛା ହେଉଥିଲା ନା ଆଉ ନୁହେଁ, ମୁଁ ଯେମିତି ମୁଁ ସେମିତି ରହିବି । ପୁଣି ମନେ ପଡିଲା ଲକ୍ଷ୍ମୀମାକୁ ଦେଇଥିବା କଥାର ବି ଏକ ମହତ୍ୱ ଅଛି । ମାୟାଧର ସହ ଚଳି ଶିଖିଥିଲି । ପୁଣି ଛାତ୍ରାବାସରେ ନୂଆ ପିଲାଙ୍କ ସହ ରହିବା ମୋତେ ଅସମ୍ଭବ ଲାଗୁଥିଲା । ମୁଁ ସେତେବେଳକୁ କିଛି ପତ୍ରିକା ପଢି ଆମ୍ଭ ମାନଙ୍କ ସମ୍ପର୍କରେ ଅଧିକ ଜାଣିଲିଣି । ମନେହେଲା ଛାତ୍ରାବାସ ଓ ଛାତ୍ରୀ ନିବାସ ବାଦ ଆମ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରହଣି ବ୍ୟବସ୍ଥା ହେବା ଉଚିତ୍‌, ଛୋଟ ହେଉ ପଛେ ।

 ମୁଁ ବୁଝିଲିଣି ରାଜଧାନୀରେ ମୋ ଭଳି ଅନେକ ଅଛନ୍ତି । ସେମାନଙ୍କର ଏକ ସମାଜ ଅଛି । ଭାବିଲି ସେମାନଙ୍କୁ ଭେଟିବି, ସେମାନେ କିଛି ବୁଦ୍ଧି ଦେଇପାରନ୍ତି । ଶିକ୍ଷିତ ହିସାବରେ ମୋତେ ଲାଗିଲା, ମୋ ଭଳି ଲୋକଙ୍କ ଅଧିକାର ବାବଦରେ ଭାବିବା ଓ ସମସ୍ୟାର ଆଲୋଚନା କରିବା ମୋର ଏକ କର୍ତ୍ତବ୍ୟ । ବିଭିନ୍ନ କଲେଜରେ ଫର୍ମ ପକାଇବାକୁ ଗଲାବେଳେ ମୁଁ ବୁଝି ଯାଇଥିଲି ଚାରି ବର୍ଷର ସୁରକ୍ଷା ପରେ ପୁଣି ମୋତେ ଟାହିଟାପରା ଶୁଣିବାକୁ ପଡୁଛି । ମାଇଚିଆ ଶବ୍ଦର ଅନେକ ପ୍ରତିଶବ୍ଦରେ ମୋତେ ଟିପ୍ପଣି କଲା ସମାଜ; ଛକା, ରଙ୍ଗ, ହିଞ୍ଜିଡା, କିନ୍ନର, ବେଜୁ । ତଥାପି କିନ୍ତୁ ମୋତେ ଖୁବ୍ ଭୟ ଲାଗୁଥିଲା ମୋ ସମାଜର ଲୋକଙ୍କୁ ଭେଟିବାକୁ । ମୁଁ ରେଳ ଯାତ୍ରା କାଳରେ ଜାଣିଥିଲି ମୋ ଭଳି କେତେ ମଣିଷ ଭିକ୍ଷା ବୃତ୍ତି କରନ୍ତି । ମୋତେ ସେମିତି ବାଧ୍ୟ କରିବେ ନାହିଁ  ତ?

ମାଆ କହୁଥାନ୍ତି । ତୁମେ ଦୁହେଁ ଘରଭଡା ନେଇ ରୁହ । ରୋଷେଇଆ ରହିବ । ତୁମେ କେବଳ ପାଠ ପଢିବ । ସେ ନିଜେ ପାଇକାଳୀ ଛାଡି ରହିପାରିବେ ନାହିଁ; ଚାଷବାସ, ମନ୍ଦିର, ବନ୍ଧୁବାନ୍ଧବ ଓ ଆହୁରି ଅନେକ ଦାୟିତ୍ୱ । ମୁଖ୍ୟକଥା ହେଲା, ସେ ଭାବୁଥିଲେ ମୁଁ ତାଙ୍କ ପୁଅ ପାଖରେ ନରହିଲେ ସେ ଚଳି ପାରିବ ନାହିଁ । ପାଠ ପଢିବ ନାହିଁ । ସେ କିଛି ଭୁଲ ଭାବୁ ନଥିଲେ । ସେଇଟା ଠିକ୍ ଉପାୟ ଜଣା ପଡୁଥିଲା । କିନ୍ତୁ ମୋ ସ୍ୱାଭିମାନ ମୋତେ ବାଧା ଦେଉଥିଲା । ମନାକଲେ ମାଆଙ୍କ ମନଦୁଃଖ ହେବ । ସବୁ ଆଡୁ ଭାବିଲେ କିଛି ବୁଦ୍ଧିବାଟ ଦିଶୁ ନଥିଲା । ମାୟା ଏକ ସୁନ୍ଦର ପ୍ରସ୍ତାବ ଦେଲା । ଘର ଭଡାନେଇ ଏକ କଳା ପ୍ରତିଷ୍ଠାନ କରିବା । ଆୟ ହେବ ବୋଲି ଆମ ଭରସା ଥାଏ । ସେତେବେଳକୁ ‘ସୁମନ ମାୟାଧର’ ନାମରେ ବହୁତ କଳାକୃତି ଅନେକ ସମ୍ବାଦପତ୍ର ଓ ପତ୍ରିକାରେ ପ୍ରକାଶ ପାଉଥାଏ । କିଛି ଆୟ ଦେଉଥାଏ । ପରୀକ୍ଷାମୂଳକ ଭାବେ କିଛି କଳାକୃତି ବିକ୍ରି ମଧ୍ୟ ହେଉଥାଏ । ବିଜ୍ଞାପନ ଓ ଜନ ସଚେତନତା କାମ ବି ମିଳିବ । ଛାତ୍ର ସମାଜ ପାଇଁ ଏକ ଉଦାହରଣ ହେବ । ହୁଏତ ଆଉ କିଛି ଛାତ୍ର-ଶିଳ୍ପୀ ଯୋଗ ଦେବେ, ନିଜ ଗୁଜୁରାଣ ପାଇଁ । ମୁଁ ଜାଣିଥିଲି, ଯଦିଓ ଅଧିକାଂଶ ଆୟ ମାୟା ମାଧ୍ୟମରେ ହେବ ତଥାପି ମୋତେ କୌଣସି ଅସ୍ୱସ୍ତି ଲାଗିବ ନାହିଁ । କିଛିଟା ସାହାଯ୍ୟ ତ ମୁଁ କରିବି । ଘର ଦାୟିତ୍ୱ ନେବି । ମୁଁ ବଡ ପିଲା ହୋଇ ଯାଇଥିଲି, ମାୟାଧର ସହ ରହିବାରେ ସେମିତି କିଛି ନିଆଁ ଘିଅର ପ୍ରେମ ଭାବନା ଆଉ ନଥିଲା । ମତେ ଲାଗିଲା ମାୟାଧରର ଚକ୍ରଉହାଡରେ ରହିବା ବିଧି ନିର୍ଦ୍ଦେଶିତ ।

ମାଅଙ୍କ ମୂଳପୁଞ୍ଜିରେ ଜନ୍ମ ନିଏ, “ସୁମନ ମାୟାଧର ଚିତ୍ରକଳା ପ୍ରତିଷ୍ଠାନ” । ମୋ ସୁବିଧା ପାଇଁ ଘରଟି ନିଆ ଯାଇଥିଲା ଆମ କଲେଜ ପାଖରେ । ମାୟାଧର ସ୍ୱଭାବରେ ଅନେକ ପରିବର୍ତ୍ତନ ହୋଇଥିଲା । ସେ ଖୁବ୍ ଜିଦି ଓ ଜବରଦସ୍ତିଆ  ହୋଇ ଯାଇଥିଲା । ସଫା ସଫା କହିଦେଲା ତା ଉଦ୍ଦେଶ୍ୟ କି ମୁଁ ବିଜ୍ଞାନର ଛାତ୍ର ହୋଇଥିବାରୁ ମୂଖ୍ୟତଃ ପାଠ ପଢିବି, ପ୍ରତିଷ୍ଠାନ କଥା ବୁଝିବି ନାହିଁ, ଫଳ ଯେମିତି ଭଲ ହେବ, ପୁଣି ଯେମିତି ଡାକ୍ତରୀ ପାଠ ପଢିବି ।

ଅଭିମାନ କରି କହିଲି, -ଆଉ ତୁ? ତୁ ପଢିଲେ ମୁଁ ଖୁସି ହେବିନି କି?

ସେ ହସିଲା । ପୁଣି କହିଲା -ପାଠ! କେବଳ ମାଆକୁ ଖୁସି କରିବାକୁ ପଢୁଛି । ପାଶ କରିଗଲେ ଗଲା । ମୋର ମୂଳଲକ୍ଷ କଳା ଓ ବ୍ୟବସାୟ । ଆଗକୁ ତୁ ଡାକ୍ତରୀ ପଢିଲେ କେତେ ଟଙ୍କା ଦରକାର ହେବ ଜାଣିଛୁ? ରୋଜଗାର ଦରକାର ।

ମୁଁ ଆଦୌ ସେମିତି ଭାବୁନଥିଲି । ମୁଁ ଚାହୁଁଥିଲି ଶୀଘ୍ର ସରକାରୀ ଚାକିରି । ଡାକ୍ତରୀ ପଢିଲେ ବହୁତ ଦିନ ଲାଗିବ । କିନ୍ତୁ ତା କଥାରେ ହଁ ଭରିଲି । ମୁଁ ତା ମନରେ ଦୁଃଖ ଦେବାକୁ ଚାହୁଁ ନଥିଲି । ମନକଥା ମନରେ ରହିଲା ।

-କିନ୍ତୁ ଦେଖ୍‌, ରୋଷେଇଆ ସିନା ରୋଷେଇ କରିବ, ଘର ଦାୟିତ୍ୱ ମୋର, ମୁଁ ହସି ହସି କହିଲି । ସେ ପୁଣି ଥରେ ହସିଲା ।

ଆଉ ଥରେ ଶପଥ ନେଲି ମୁଁ ନିଖୁଣ ଅଭିନୟ କରିବି, ନିଜ ମଧ୍ୟରେ ନିଜକୁ ଛୁପାଇ ଦେବି ସମାଜ ସହ ଲୁଚକାଳି ଖେଳି । ଦୀର୍ଘଶ୍ୱାସଟିଏ ବାହାରି ଆସିଲା ହୃଦୟର ନିଭୃତ କନ୍ଦରରୁ ।

ଆମ ବ୍ୟବସାୟ ସଫଳ ହୁଏ । ଦୁଇଜଣ ଇଣ୍‌ଟରମିଡିଏଟ୍ ଛାତ୍ରଙ୍କ ଏ ଅଭିନବ ଉଦ୍ୟମ ଆଲୋଚିତ ହୁଏ ସହରରେ । ବଡ ଅଜବ କଥା, ନିଜେ ଜଣେ ଶିଳ୍ପୀ ହୋଇ ନିଜ ନାମର ପ୍ରତିଷ୍ଠାନରେ ବୃତ୍ତିଗତ ଭାବେ ପ୍ରାୟତଃ ସାମିଲ ନଥାଏ । କଲେଜ ଯାଏ, ପାଠ ପଢେ, ଘରକୁ ଆସେ ରୋଷେଇଆ ମାନଗୋବିନ୍ଦକୁ ଧରି ଖାଇବା ପିଇବା କଥା ବୁଝେ, ଘର ଓ ପ୍ରତିଷ୍ଠାନର ସାଜସଜା କରେ ପୁଣି ଡେରି ରାତିଯାଏ ପାଠ ପଢେ । ମାୟାଧର ଚିତ୍ରଶିଳ୍ପରେ ବୁଡି  ରହେ, ଭଲ ଗରାଖ ଯୋଗାଡ କରେ ତା ବିଶେଷ କାମକୁ ବିକିବା ପାଇଁ; କଲିକତା, ବମ୍ବେ ଓ ଦିଲ୍ଲୀକୁ ଯାଏ ।  କେତେ ଜଣ ଛାତ୍ର ପ୍ରଶିକ୍ଷଣ ନିଅନ୍ତି । ଆଉ କେତେଜଣ ଛାତ୍ର କଳାକାର କାମ କରି କଲେଜ ଖର୍ଚ୍ଚ ଉଠାନ୍ତି । ମୋଟାମୋଟି ଭଲ ଆୟ ହୁଏ । ଆୟ ମାୟାର, ଖର୍ଚ୍ଚ ସୁମନର । ମୋତେ କିନ୍ତୁ କିଛି ମାଡି ପଡେନି । ଏତେ ବର୍ଷର ଚଳନିରେ ଏମିତି ଆପଣାର ଭାବ ଆସି ଯାଇଥାଏ ।

ମୁଁ ତା ପଢାକଥା ମନେ ପକାଇଦେଲେ, ଏ କାନରେ ପୁରାଇ ସେ କାନରେ ବାହାର କରିଦିଏ । ସବୁବେଳେ କହେ, ଆଗକୁ ବହୁତ ଟଙ୍କା ଦରକାର, ତୁ ଡାକ୍ତରୀ ପଢିବୁ ।

ମୁଁ ହସିଦିଏ । ମନର କଥା ମନରେ ରଖେ । ଲକ୍ଷ୍ମୀମା କିଛି ନାକରା କଥା କହିନି, ମୋର ଦରକାର ଶୀଘ୍ର ଏକ ମର୍ଯ୍ୟାଦାପୂର୍ଣ୍ଣ ସରକାରୀ ଚାକିରି । ସେ ସମୟ ଆସୁ, ଏବେଠୁ କାହିଁକି ତା ମନରେ କଷ୍ଟ ଦେବି!

ନୂଆବର୍ଷ ପୂର୍ବରୁ ଆମର ଦୁଇଟି ଅଭିନନ୍ଦନ ପତ୍ରକୁ କିଣି ନେଇଥାଏ ବିଶିଷ୍ଟ ଗ୍ରୀଟିଙ୍ଗ୍‌ସ କମ୍ପାନୀ ଆର୍ଚ୍ଚିଜ୍ । ‘ସୁମନ ମାୟାଧର’ ନାମଟି ଖ୍ୟାତ ହେବା ଆରମ୍ଭ କରିଥାଏ ।

ଦୁଇ ବର୍ଷ ଚାହୁଁ ଚାହୁଁ ଚାଲିଗଲା । ମୁଁ ଖୁବ ବେଶି ନମ୍ବର ରଖି ପ୍ରଥମ ଶ୍ରେଣୀ ପାଇଥିବା ବେଳେ ମାୟାଧର ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥାଏ ।

ଘରେ ଖୁସି ହେଲେ । ମାଆଙ୍କ ଖୁସି କହିଲେ ନସରେ ।

Tuesday 20 October 2020

ସୁମନ ମାୟାଧର। (ଭାଗ ୨ ଓ ୩, ଶବ୍ଦସଂଖ୍ୟା ୨୩୦୦।)

(ପ୍ରଥମ ଅଧ୍ୟାୟରେ ସୁମନ ଜଣେ କିନ୍ନର ଛାତ୍ର କଳାରେ ବୃତ୍ତି ପାଇ ସୁଦୂର ମୟୂରଭଞ୍ଜର ମହୁଲକୁସୁମ ଗ୍ରାମରୁ ଭୁବନେଶ୍ୱର ଆସିଛି ରାଜଧାନୀ ଉଚ୍ଚ ବିଦ୍ୟାଳୟରେ ପଢିବା ପାଇଁ, ପ୍ରଥମ ଭାଗ ଆଗେ ପଢନ୍ତୁ। ଦ୍ବିତୀୟ ଓ ତୃତୀୟ ଅଧ୍ୟାୟ କ୍ଷୁଦ୍ର ଥିବାରୁ, ଏକତ୍ର ପ୍ରସାରଣ କରୁଛି)

ରାଜଧାନୀ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ଥାଆନ୍ତି ତେୟାଳିଶ ଜଣ ଛାତ୍ର । ଚିତ୍ର ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଛାତ୍ର ମାୟାଧର ବଳିଆରସିଂ ସହ ମୋତେ ଗୋଟିଏ ପ୍ରକୋଷ୍ଠ ମିଳିଲା । ବିଦ୍ୟାଳୟଟି କେବଳ ପୁଅ ପିଲାଙ୍କ ପାଇଁ । ମୋ ମନରେ ପ୍ରଶ୍ନ ଆସିଲା ଯଦି ଏ ବୃତ୍ତି‌ ଜଣେ ଝିଅ ପିଲାକୁ ମିଳିଥାନ୍ତା ତାହେଲେ ସେ କେଉଁ ବିଦ୍ୟାଳୟରେ ପଢିଥାନ୍ତା? ସେହି ସ୍କୁଲଟି ମୋ ପାଇଁ ବି ଠିକ୍ ହୋଇଥାନ୍ତା ବୋଧେ । ମୁଁ କିନ୍ତୁ ସେହି ଗୋଟିଏ କଥା ମନରେ ରଖିଥାଏ, ମୋତେ ଅଭିନୟ କରିବାକୁ ପଡିବ । ମୁଁ ସବୁବେଳେ ନିଜକୁ ପାଠ ଓ ଚିତ୍ରାଙ୍କନରେ ବ୍ୟସ୍ତ ରଖିଲି । ପୁଣି ଚୁପଚାପ୍ ଯାଇ ଫୁଟବଲ୍ ଖେଳି ଫେରିଆସେ । ବିଶେଷ କଥା ଭାଷା କାହା ସହ କରେନି । ସମସ୍ତେ ମୂଳରୁ ଭାବିନେଲେ ମୁଁ ସେମିତି ମିଶାଣିଆ ନୁହେଁ । ମୁଁ ବି ବହୁତ ଭୟରେ ରହୁଥିଲି । ଲାଗୁଥିଲା ଏତେ ପୁଅ ପିଲାଙ୍କ ସହ କେମିତି ରହିବି । ଏକଥା ବଡ କଷ୍ଟ, ସମସ୍ତଙ୍କ ସହ ମିଶିବା ଯେମିତି ମୋର ସ୍ୱଧର୍ମ ମନେ ହେଉଥିଲା, କିନ୍ତୁ ସେ ଇଛାକୁ ଜୟ କରିଯାଉଥିଲି । ମୋ ବୋଉ ଓ ନାନୀମାନଙ୍କ କଥା ବହୁତ ମନେ ପଡୁଥିଲା । ବିଦ୍ୟାଳୟରେ ଜଣେ ମଧ୍ୟ ଶିକ୍ଷୟତ୍ରୀ ନଥିଲେ ।  ପୁଣି ଭାବୁଥିଲି, ଝିଅ ପିଲା ବା ଶିକ୍ଷୟତ୍ରୀ ଥିଲେ ମୋର ବା କି ଲାଭ? ମୁଁ ସାରା ସଂସାରରେ ଯେମିତି ଏକୁଟିଆ । ଯେଉଁ ଜଣକ ମୋ କଥା ବୁଝି ପାରିଥାନ୍ତେ ସେ ମୋ ଗାଆଁରେ ଅଛନ୍ତି; ଲକ୍ଷ୍ମୀ ମା ।

ଚିତ୍ରକଳା ଶିକ୍ଷକ ଶ୍ରୀଯୁକ୍ତ ଜଗବନ୍ଧୁ ନାୟକ ପ୍ରଥମ କରି ଏମିତି ଦୁଇ ଜଣ ଛାତ୍ର ପାଇ ବେଶ୍ ଖୁସି ଥିଲେ । ଯେମିତି କେବଳ କଳା ନୁହେଁ, ଆମର ପୁରା ପାଠର ଦାୟିତ୍ୱ ତାଙ୍କ ଉପରେ । ସବୁ ବିଷୟରେ ତାଙ୍କର ଦକ୍ଷତା ଥିଲା । ଆମକୁ କୌଣସି ଟିଉସନର ଆବଶ୍ୟକତା ନଥିଲା । ଅତ୍ୟନ୍ତ ସ୍ନେହୀ ଥିଲେ ଜଗବନ୍ଧୁ ସାର୍ । ମନେ ହୋଇଥିଲା ସେ ଆମ ଗୁରୁ, ଆମ ବାପା ଓ ମାଆ ମଧ୍ୟ ।

ମାୟାଧର ଜଣା ପଡୁଥିଲା ବୟସରେ ବଡ । ସେହି ଅଷ୍ଟମ ଶ୍ରେଣୀରେ ତାହାର ନିଷ ଦାଢି ଉଣା ଅଧିକେ ଉଠିଥିଲା । ସେ ବଡ ଶ୍ରେଣୀର ପିଲା ଭଳି ଦେଖା ଯାଉଥିଲା । ଡେଙ୍ଗା ଓ ସୁଠାମ ଥିଲା ତା ଗଠନ, ଦେଖିବାକୁ ଖୁବ୍ ସୁନ୍ଦର । ସେ ବି ଭଲ ପାଉଥିଲା ରୁମରେ ରହି ଏକୁଟିଆ ନିଜ କାମ କରିବା ପାଇଁ । ଯାହା ଜଣା ପଡୁଥିଲା ପାଠରେ ସେ ଭାରି ପଛୁଆ । କିନ୍ତୁ ଚିତ୍ରକର ଭାବେ ସେ ଥିଲା ଅସମ୍ଭବ ଭାବେ ଦକ୍ଷ । ନିମିଷେକ ପାଇଁ ଦେଖିଲେ, ଅବିକଳ ଯେ କୌଣସି ଚିତ୍ର ଆଙ୍କି ପାରୁଥିଲା ସେ । କଳ୍ପନାରୁ ଆଙ୍କୁଥିଲା ଅଦ୍ଭୁତ ଚିତ୍ରାବଳୀ । ମୋ କଥା ଛାଡ, ଜଗବନ୍ଧୁ ସାର ବି ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ । କେବଳ ଚିତ୍ର ନୁହେଁ, ଭଳିକି ଭଳି ମୂର୍ତ୍ତି ଗଢିବା, ପଥରରେ କମକୁଟ ଚିତ୍ର ଖୋଦେଇ କରିବା  ଓ ପ୍ରତିମା ତିଆରି କରିବା, କାଲିଗ୍ରାଫି ଲେଖିବା ଓ ଟିକିଟିକି ଚିତ୍ର କରିବା ତା ପାଇଁ ଥିଲା ସହଜ । ବିଭିନ୍ନ ରଙ୍ଗର ମିଶ୍ରଣରେ ତା ଚାହୁଁଥିବା ରଙ୍ଗ ତିଆରି କରି ପାରୁଥିଲା ସେ । କଳାର ପ୍ରତି କ୍ଷେତ୍ରରେ ତାହାର ସହଜାତ ଦଖଲ ଥିଲା । ସେ ଛାତ୍ର ନୁହେଁ ମାଷ୍ଟର ଆର୍ଟିଷ୍ଟ ଥିଲା ଯେମିତି ।

ଜଗବନ୍ଧୁ ସାର ଏକୁଟିଆ ମୋତେ କହିଥିଲେ, -ଦେଖ ସୁମନ ମୁଁ କିମ୍ବା ତୁ ମାୟାଧର ହୋଇ ପାରିବା ନାହିଁ । ତାଠୁ ଶିଖିବୁ । ତାକୁ ଈର୍ଷା କରିବୁ ନାହିଁ । ସେ ସାଧାରଣ ନୁହେଁ ଅସାଧାରଣ । ପ୍ରଥମରୁ ତାହାର ଏକ କଳାକୃତିରେ ସେ ଦେଖାଇଥିଲା ବାଦୁଡିଟିଏ ରାତିରେ ପିଜୁଳି ଖାଉଛି । ଲାଗୁଥିଲା ସତେ ଅବା ପୁନେଇର ରାତି, ବାଦୁଡିଟି ଦିଶୁଛି ଭିଜା ଜହ୍ନରେ ସ୍ପଷ୍ଟ । ଜଗବନ୍ଧୁ ସାର ସେ କୃତିକୁ ଦେଖି ଖୁସିରେ କାନ୍ଦି ପକାଇଲେ । ତାହା ମାତ୍ର ଆରମ୍ଭ ଥିଲା ।

କିନ୍ତୁ ପାଠର ଦାୟ ଧାର ଧରୁ ନଥିଲା । ମୁଁ ଚେତେଇ ଦେଲେ ମୋଠୁ କିଛି ବୁଝୁଥିଲା ଓ ଆଉ କିଛି ଗୃହ ପାଠ ଟିପି ନେଉଥିଲା । ମୋ ଠାରେ ତଥାପି କିଶୋର ଭାବନା ଉଦ୍ରେକ ହୋଇ ନଥାଏ । ତା ସହ ଗୋଟିଏ ରୁମରେ ରହିବାକୁ ମୋ ମନରେ ମିଶ୍ର ପ୍ରତିକ୍ରିୟା ଆସୁଥିଲା । ଭଲ ଲାଗୁ ନଥିଲା କିନ୍ତୁ ମୁଁ ବିଚଳିତ ନଥିଲି । ଭାବୁଥିଲି ମୁଁ ନରହିଲେ ସେ ପାଠ କେମିତି କରିବ! ନିଜକୁ ବୁଝାଇ ଦେଉଥିଲି, ସେ ଗୋଟେ ମୋର ଭାଇ । ବହୁତ ସୁରକ୍ଷିତ ଲାଗୁଥିଲା ତା ପାଇଁ । ପୁଣି କେବେ କେବେ ଲାଜ ଲାଗୁଥିଲା । ଅବଶ୍ୟ ଆଜି ମୁଁ ଭାବୁଛି, ଆମେ ଉଭୟଙ୍କ ଆବଶ୍ୟକତାରୁ ପରସ୍ପର ପରିପୁରକ ଭାବେ ଚଳିବା ପାଇଁ ଏମିତି ବ୍ୟବସ୍ଥା ଭଗବାନ କରିଥିଲେ ।

ସେ ଥିଲା ଏକ ଆଭିଜାତ୍ୟ ପରିବାରର ଜଣେ ବିଧବା ମାଆଙ୍କ ଏକମାତ୍ର ସନ୍ତାନ । ମାଅଙ୍କୁ ଝୁରି ହେଉଥିଲା । ତା ଚିତ୍ର ବାଦ କିଛି କାମ ତାକୁ ଜଣା ନଥିଲା, ଗେହ୍ଲା ପୁଅ । ତାଙ୍କ ଗ୍ରାମ ପାଇକାଳୀ ଖୁବ୍ ଦୂର ନଥିଲା, ସେହି ଖୋର୍ଦ୍ଧା ଜିଲ୍ଲାରେ । ମାଆ ଅନେକ ଥର ଆସି ବୁଲିଯାଉଥିଲେ । ଆମ ପାଇଁ ଢେର ଖାଦ୍ୟ ଜିନିଷ ଆଣୁଥିଲେ, କେଉଁଟି ସେହି ଦିନ ଖାଇବା ଜିନିଷ, ଆଉ କିଛି ଦୁଇ ଚାରି ଦିନ ରଖି ହେବ ଏବଂ କିଛି ରଖି ହେବ ଲମ୍ବା ସମୟ; କେତେ ହାତଗଢା ପିଠା ମିଠା ଓ ଇତ୍ୟାଦି, ଫଳ, ବିସ୍କୁଟ, ଚେନାଚୁର, ଚୁଡା, ମୁଢି, ଉଖୁଡା ଓ କେତେକଣ । ଆମେ ଦୁହେଁ ଯେତେ ଖାଇଲେ ମଧ୍ୟ ସରିବା ପୂର୍ବରୁ ପୁଣି ଆଣି ଆସୁଥିଲେ । ମାୟାଧରର ମଇଳା ପୋଷାକ ତକ ନେଇ ଯାଉଥିଲେ ଓ ସଫା ପୋଷାକ ଦେଇ ଯାଉଥିଲେ । ଅସଲ କଥା ହେଲା ପୁଅକୁ ନଦେଖିଲେ ତାଙ୍କ ମନ ହା ହୁତାଶନ ହୋଇ ଯାଉଥିଲା । ସେ ମୋତେ କହୁଥିଲେ, -ତୁ ବି ମୋର ଗୋଟିଏ ପୁଅ, ତୁମ ଘର ଏତେ ଦୂର, ତୁ ଛୁଟି ହେଲେ ଆମ ଘରକୁ ଚାଲି ଆସିବୁ ମାୟା ସାଙ୍ଗରେ । ମୋଠୁ ମାଆ ଡାକ ଆଦାୟ କରି ନେଇଥିଲା ତାଙ୍କ ସ୍ନେହ । 

ଦିନେ ପଚାରିଲି, - ମାଆ! ମାୟାଧର ଖାଇବାବେଳେ ମୁହଁ ବିଲିବିଲା କରି ଦେଉଛି, ଠିକ୍ ଭାବେ ଖାଇ ଜାଣୁନି, ଭାତକୁ ଛୋଟ ପିଲା ଭଳି ଥାଳି କଡକୁ ବାହି ଦେଉଛି । ଏଡେ ସୁନ୍ଦର ଚିତ୍ରକରର ଧାଡିସାଡି ଏମିତି ବଙ୍କା କାହିଁକି ହେଉଛି?

ମାଆ ହସିଲେ ଓ ତାପରେ କାନ୍ଦିଲେ । - ଦୁଷ୍ଟ ପିଲାଟା, ବାପା ଚାଲିଗଲେ, ବାପାକୁ ଚିହ୍ନି ନାହିଁ ସେ । ମୁଁ ଆଉ କଣ କରିଥାନ୍ତି! ଦୁନିଆର ସବୁ ସେନେହ ତାରି ଉପରେ ଅଜାଡି ପକାଇଲି । ଏଠିକୁ ଆସିଲା ପର୍ଯ୍ୟନ୍ତ ଦିନଟିଏ ହାତରେ ଖାଇ ନଥିଲା । ସେମିତି ଗୁମ୍‌ମାରି ବସିଥିବ । ନଖୋଇଲେ ଖାଇବ ନାହିଁ । ନଡାକିଲେ ତା ଚିତ୍ର ଅଙ୍କା ବନ୍ଦ ହେବ ନାହିଁ । କେତେ ଜାତିକା ଚିତ୍ର ଆଙ୍କୁଥିବ । ଆମ ପୂର୍ବ ପୁରୁଷଙ୍କ ତୈଳ ଚିତ୍ର ତିଆରି କରୁଥିବ । ତା ବାପାଙ୍କ ଖଣ୍ଡିଏ ଫଟୋ ପାଇଗଲା ଯେ ତାଙ୍କ ଭିନ୍ନ ଭିନ୍ନ ବୟସର ଛବିଗୁଡା ମନରୁ ଆଙ୍କିଦେଲା । ତା ରଙ୍ଗତୁଳୀ ଭଲ ତ ସିଏ ଭଲ । ମୁଁ କନ୍ଦାକଟା କଲେ ଯାଇ ବହି ଲେଉଟାଇବ । ହଁ ବାପା ସୁମନ, ଏ ଦୂରକୁ ଆସିବା ତା ପାଇଁ ଏକ ବରଦାନ । ଏଣିକି ସବୁ ଶିଖିବ । ଆଉ ପିଲାଙ୍କୁ ଦେଖି ପାଠ ପଢିବ । ତୁ ସବୁବେଳେ ତାକୁ ମନେ ପକାଇ ଦେଉଥିବୁ ପାଠ କଥା ।

ମତେ ଲାଗୁଥିଲା, ମାଆ ମୋ ଦାୟିତ୍ୱରେ ତାକୁ ଛାଡି ଯାଉଥିଲେ । ମତେ ଅହୁରି ମଧ୍ୟ ଲାଗୁଥିଲା, ଅକୁହା ଭାବରେ ମୁଁ ବି ଥିଲି ମାୟାଧର ଦାୟିତ୍ୱରେ । ଜାଣେନି ମୋ ଅଭିନୟ କେତେ ନିଖୁଣ ଥିଲା, କିନ୍ତୁ ମାୟାଧର କେବେ ମୋତେ ସଚେତନ କରୁନଥିଲା କି; ସୁମନ ତୁ ଏମିତି ଚାଲ, ସେମିତି ରଙ୍ଗଢଙ୍ଗ ହୋ’ନି, ଆଖିରେ କଜ୍ଜ୍ୱଳ ଲଗାନି ।

କଜ୍ଜ୍ୱଳ ଲଗାଇବା ଥିଲାମୋ ଅଭିନୟର ଏକ ମାତ୍ର ବ୍ୟତିକ୍ରମ । ଥରେ ମାଆଙ୍କୁ କହିଥିଲି, -ମାଆ, ମୋ ବୋଉ କହେ କଜ୍ଜ୍ୱଳ ଲଗାଇଲେ ଆଖି ଥଣ୍ଡାରହେ । ଘିଅ ଦୀପରୁ ସେ କଜ୍ଜ୍ୱଳ ତିଆରି କରେ ।

ମାଆ ସତ ମଣିଲେ, ପର ଥର ମୋ ପାଇଁ ତାଙ୍କ ହାତ ତିଆରି କଜ୍ଜ୍ୱଳ ଆଣିଦେଲେ । 

ମୁଁ ଲଗାଇଲେ ମାୟାଧର କିଛି କହେନି । ସେ ନକହୁଥିବାରୁ କିମ୍ବା ସମସ୍ତେ ଅଭ୍ୟସ୍ତ ହୋଇ ଯାଇଥିବାରୁ ଏ କଥା ନଜର କରି ପାରୁ ନଥିଲେ । ମତେ ଖୁବ୍ ଭଲ ଲାଗେ । ଅନ୍ୟଥା ମୋ ଅଭିନୟ ଥାଏ ନିଖୁଣ ଯାହା ମୋ ଅସଲି ପରିଚୟକୁ ଲୁଚାଇ ଦିଏ ବୋଲି ମୁଁ ସେବେ ଭାବୁଥିଲି, ଆଜି ସେମିତି ଭାବୁନି ଅବଶ୍ୟ । ମୋ ଇଛା ଥାଉକି ନଥାଉ ଫୁଟବଲ ଖେଳେ । ତହିଁରେ ବି ମୁଁ ସରସ ଥାଏ । ଓଡିଶାର ଝିଅ ମାନେ ଭାରତୀୟ ମହିଳା ଫୁଟବଲ ଦଳରେ ସାମିଲ ହୋଇଥାନ୍ତି, ମୋତେ ଲାଗୁଥିଲା ମୁଁ ବି ପାରିଥାନ୍ତି । କିନ୍ତୁ ନା ମୁଁ ତ ସେ କୁଳରେ ନୁହେଁ । ସେ ସମୟରେ ଏକ ଗୀତ ବାଜୁଥିଲା, ଦିନରେ ମଳୟ ଆମେ ରାତିରେ ମାଳତୀ.....ହଇରେ ବିଧାତା ତୁ ଏ କି କଲୁ । ମତେ ଖୁବ୍ ଚିଡି ଲାଗୁଥିଲା ସେ ଗୀତ ବାଜିଲେ । ଦିନରେ ହେଉ କି ରାତିରେ ସବୁବେଳେ ମୁଁ ମୋ ଭଳିଆ, ଆମ ଗାଆଁରେ ଆଉ ଜଣେ ଅଛି ମୋ ଭଳିଆ, ସେ ଲକ୍ଷ୍ମୀ ମା । ମନେ ମନେ ଭାବିଲି, ନା, ମୁଁ କେବେ ବିଧାତାକୁ; ଏ କି କଲୁ ବୋଲି ପ୍ରଶ୍ନ କରିବି ନାହିଁ । ମୋ ପାଇଁ ଟାଟା କମ୍ପାନୀର ବୃତ୍ତି ଥିଲା ବିଧାତା । ସମସ୍ତ ଖର୍ଚ୍ଚ ଭରଣା କଲାପରେ ମଧ୍ୟ ହାତ ଖର୍ଚ୍ଚ ମିଳୁଥିଲା ମାସକୁ ପନ୍ଦର ଟଙ୍କା । ଖର୍ଚ୍ଚ କରିବାର ଉପାୟ ନଥିଲା । ଦିନେ ମାଆଙ୍କ ପାଇଁ କିଣି ଆଣିଥିଲି ଅଠର ଟଙ୍କାରେ ସୁନ୍ଦର ହଳେ ଚପଲ । ମାଆ ଖୁସି ହେଲେ ବୋଲି ବୁଝିଲି । ମାଆଙ୍କ ପୁରୁଣା ଚଟି ଆମ ରୁମରେ ରହିଗଲା, ମୁଁ ବି ଖୁସ୍ ।

ସତରେ କଣ ମୋର ପରିଚୟ ଲୁଚିଯାଏ? ଅନ୍ୟ କୌଣସି ଅନ୍ତେବାସୀର ଦେହ ପା ଖରାପ ହେଲେ ମୋ ମନ ବିଚଳିତ ହୁଏ, ତା ମାଆଠୁ ସେ ବି ଦୂରରେ ଅଛି ମୋ ଭଳିଆ, କେତେ କଷ୍ଟ ପାଉଥିବ ବିଚରା । ନିଜକୁ ରୋକି ପାରେନା, ତା ସେବାଯତ୍ନ କରିବାକୁ ପହଞ୍ଚି ଯାଏ । ସାଙ୍ଗମାନେ ମୁଣ୍ଡ ବିନ୍ଧୁଥିଲେ ଅମୃତାଞ୍ଜନ ଧରି ମୋ ପାଖରେ ହାଜର ହୁଅନ୍ତି ।  ସମସ୍ତେ ଓ ସମସ୍ତଙ୍କ ପରିବାର ତଥା ଆମ ଛାତ୍ରାବାସର ଅଧୀକ୍ଷକ ମୋର ଏହି ବ୍ୟବହାରକୁ ପ୍ରଶଂସା କରନ୍ତି । ମୋ ପଛରେ କେହି କିଛି କଥା ହେଉଥିବାର ମୋର ସନ୍ଦେହ ଧୀରେ ଧୀରେ ଦୂର ହୋଇଯାଏ ।  ମୋ ପରିସ୍ଥିତି ସହ ମୁଁ ସୁଖରେ ସହାବସ୍ଥାନ କରିଥାଏ । ସାଥୀ ଯାହାର ମାୟାଧର, କିବା ତା ଦୁନିଆକୁ ଡର । 

ମାୟାଧର ଆମ କୋଠରୀରେ କିଛି କରେନି । ସେ ତ ଥାଳି ଧୋଇବ ଯେ ଅଇଁଠା ଲାଗିଥିବ । ମୁଁ ଆଉଥରେ ଧୋଇଦିଏ ତା ଥାଳି । ମୁଁ ନ ଓଳାଇଲେ ଘର ସେମିତି ପଡିଥାଏ । ଘରଟିର ସାଜସଜା ଦେଖି ଅନ୍ୟ ପିଲାଏ ଭାବନ୍ତି; ଦୁହେଁ କଳାକାର ଯେହେତୁ କୋଠରୀକୁ ବି ସେମିତି ରଖିଛନ୍ତି । ମୁଁ ବାହାଦୁରୀ ଦେଖାଇ କହିବାର ଅବକାଶ ନଥାଏ, ତା ଚିତ୍ରାଙ୍କନ ଭଲ ତ ମାୟାଧର ଭଲ, ଆଉ ତା ବାଦ ସେ କିଛି ଜାଣେନି । ଅସନା ଲୁଗା ଓ ମୋଜା ମୋତେ ଖୁବ୍ ବିରକ୍ତ ଲାଗେ । ଝାଳ ଗନ୍ଧ ମୁଁ ସହି ପାରେନା । ବିଶେଷ କରି ମାୟାଧରର ଝାଳ ଗନ୍ଧ ଉତ୍କଟ ଜଣାପଡେ । ମୁଁ ପ୍ରତିଦିନ ଆମ ଉଭୟଙ୍କ ଲୁଗାପଟା ଭୋର ସମୟରେ ସଫା କରିଦିଏ । ସେ ପ୍ରଥମେ ମୋତେ ବାରଣ କରୁଥିଲା ଏତେ ସବୁ କରିବାକୁ । ପରେ ତା ଦେହସୁହା ହୋଇଗଲା । କହେ, - ଯା କରୁଛୁ କର, ତୁ ଆଉ କେଉଁ ପର କି? ମାଆ ଖୁସି ହୁଅନ୍ତି କି ମାୟାଧର ଏଣିକି ନିଜ କାମ ନିଜେ କରି ଶିଖିଲାଣି । ଅସଲ କଥା ମୁଁ ତ କହେନି, ମାୟା ବି ଭୁଲିଯାଏ କହିବାକୁ । ସେ ଏକ ଅନ୍ୟ ଜଗତର ମଣିଷ ।

ଥରେ ମାଆ ଦେଇ ଯାଇଥିଲେ  ନଡିଆ-କୋରା, ବାଡି କଦଳୀ ଓ ଛେନା । ମୁଁ ଚୁଡା ସହ ଚକଟି ଥାଏ ଏସବୁ । ଖୁବ୍ ସ୍ୱାଦିଷ୍ଟ ହୋଇଥାଏ । ମୋ ଖିଆ ସରିଲା ପର୍ଯ୍ୟନ୍ତ ସେ ଆରମ୍ଭ କରି ନଥାଏ । ନିମଗ୍ନ ଥାଏ ଏକ ଅତି ସୁନ୍ଦର ଅଙ୍କନରେ । ଜଣେ କଳାକାର ହିସାବରେ ମୁଁ ବୁଝି ସାରିଥାଏ, ମାୟାର ଏକାଗ୍ରତାର ଗୁରୁତ୍ୱ । ଏପଟେଏଡେ ସୁସ୍ୱାଦୁ ଜଳଖିଆ ଫୁଲିଯିବ, ଆଉ ଭଲ ଲାଗିବ ନାହିଁ । ମୁଁ ତା ଡାହାଣ କଡରେ ଠିଆ ହୋଇ ଧୀରେ ଧୀରେ ତାକୁ ଖୁଆଇ ଦେଲି । ମନେହେଲା ଛୋଟ ପିଲାଟିଏ ଯେମିତି କେଉଁ କଥାରେ ଭୁଲିଯାଇ ମାଆ ହାତରୁ ଖାଇ ଚାଲିଛି ନିଜ ଅଜାଣତରେ । ସେ ଆଁ କରି ଦେଉଛି ମୁଁ ଖୋଇ ଦେଉଛି । ସେ ତା କଳାରେ ବିଭୋର ହୋଇଯିବା ମୋ ପାଇଁ ଆଉ ଆଶ୍ଚର୍ଯ୍ୟ କିଛି ନଥିଲା । କିନ୍ତୁ ଅତିଶୟ ଆଶ୍ଚର୍ଯ୍ୟ କରୁଥିଲା ମୋ ନିଜ ମନର ଆନନ୍ଦ । ବିନ୍ଦୁଏ ବି ଖାଦ୍ୟ ନଷ୍ଟ ହେଲାନି । ମୋ ଆଙ୍ଗୁଳି ଚାଟି ସଫା କରିଦେଲା । ମୁଁ ଏକ ସଫା ଗାମୁଛା ନେଇ ତା ମୁହଁ ପୋଛି ଦେଲି ।

ଜୀବନ ସାରା ଏ କଥା ଦେଇଛି ମୋତେ ପ୍ରଚୁର ଆନନ୍ଦ । ସତେ ଅବା ମୁଁ ସେଦିନ ସେ ଛୋଟ ବୟସରେ ପାଲଟି ଯାଇଥିଲି ଯଶୋଦା, ଖୋଇ ଦେଉଥିଲି ସ୍ୱୟଂ ମାୟାଧର ବାଳଗୋପାଳକୁ ।

ସେଦିନର ଚିତ୍ରଟି ଥିଲା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ଯାହାକୁ ବୁଝିବାକୁ ମୋତେ ବହୁ ବର୍ଷ ଲାଗିଥିଲା । ସେତେବେଳେ ଯାହା ବୁଝିଥିଲି ତାହା ବି ଥିଲା ଚମତ୍କାର । ଜଳ ପ୍ରପାତଟି ସୁଉଚ୍ଚ, ଏହାର ବାମ କଡରେ ସ୍ୱଛନ୍ଦରେ ଚରୁଛନ୍ତି ପୁଳାଏ ହରିଣ, ଶଶକ ଓ ଅନ୍ୟ ତୃଣଭୋଜୀ, ଡାହାଣ ପାଖରେ ଦଳେ ବ୍ୟାଘ୍ର ଉଚ୍ଚ ସ୍ଥାନରୁ ଚାହିଁ ରହିଛନ୍ତି ସେ ପ୍ରାଣୀ ମାନଙ୍କୁ । ଝରଣା ଅତିକ୍ରମ କରିବା ସେଠାରେ ସମ୍ଭବ ନୁହେଁ । ଖାଦ୍ୟ ଓ ଖାଦକ ମଧ୍ୟରେ ପ୍ରାଚୀର ପ୍ରାୟ ଏକ ତୃତୀୟ ଶକ୍ତି ।

ଜଗବନ୍ଧୁ ସାର୍ ସେ କଳାଟିକୁ ପଠାଇଲେ ସର୍ବ ଭାରତୀୟ ଏକ ବିଶିଷ୍ଟ ପତ୍ରିକାକୁ । ଏହା ପ୍ରକାଶିତ ହୋଇ ମାୟାଧରକୁ ପରିଚିତ କରାଇଲା ଉଚ୍ଚ ସ୍ତରରେ । ବିଦ୍ୟାଳୟ ତଥା ଓଡିଶାର ସୁନାମ ହେଲା । ସେ ଚିତ୍ରର ତଳେ ଲେଖାଥିଲା "ସୁମନ ମାୟାଧର" । ସମସ୍ତେ ଭାବିଲେ ଆମେ ମିଶିକି କରିଛୁ । ସୁମନ ଅଂଶଟି ଥାଏ ଝରଣାର ପାଣି ଉପରେ ଖୁବ ଉଜ୍ଜଳ ରଙ୍ଗରେ ଓ ମାୟାଧର ଥାଏ ସବୁଜିମା ଉପରେ ଏକ ହାଲୁକା ରଙ୍ଗରେ । ମୁଁ ଉପର ମନରେ ବିରକ୍ତ ହେବାରୁ ମୋତେ ସେ ବୁଝାଇ ଦେଲା; ଯଦି କାଳେ ମୁଁ ତା ଧ୍ୟାନ ଭାଙ୍ଗି ଥାନ୍ତି ତାହେଲେ ଏ ଚିତ୍ର ହାତରୁ ଖସି ଯାଇଥାନ୍ତା ।

- ତୁ ତାହେଲେ ଜାଣିଥିଲୁ ମୋ ଖୋଇଦେବା!

- ନା ସଚେତନ ନୁହେଁ । ମୁଁ ଥିଲି ମୋ ରାଜ୍ୟରେ କିନ୍ତୁ ମୋର ମନେ ହେଉଥିଲା ମୁଁ ଯେମିତି କଣ ଏକ ଆନନ୍ଦମୟ ସ୍ୱପ୍ନ ଦେଖୁଛି, ଯେଉଁଠି ତୁ ବି ଅଛୁ । ଅବଶ୍ୟ ସେଦିନର ସେ କାମ ସରିଲା ପରେ ମୁଁ ବୁଝିଗଲି ଯେ ମୁଁ ଖାଇସାରିଛି । ମୁଁ କୁଳି କରି ମୁଁହ ଧୋଇ ନଥିଲି?

ତା କଥାରେ ମୋତେ ସାମନ୍ୟ ଲାଜ ଲାଗିଲା । ସେତେବେଳକୁ ନବମ ଶ୍ରେଣୀର ଶେଷ ଭାଗ, ଲାଜ ନଲାଗିବ କେମିତି! ଅଧିକନ୍ତୁ ଲାଗିଲା ହଁ, ଏ ସୁମନ ମାୟାଧର ନାମ ଯଥାର୍ଥ ହୋଇଛି । ପରସ୍ପର ଲେଣ ଦେଣର ଏକ କୋଠରୀ ମଧ୍ୟରେ ଆମ ଚଳନି ସହଜ ହୋଇ ଉଠିଲା

ଏଣିକି ତା ଚିତ୍ରାଙ୍କନରେ ମୁଁ ଟିକେ ଅଧେ ସହଯୋଗ କଲି । ବାହାର ଦୁନିଆ ଜାଣିଲା ସୁମନ ମାୟାଧର ଜଣେ ହିଁ ଚିତ୍ରକର । ଏହାସତ୍ୟ, ସୁମନ ମାୟାଧର ନାମଟି ଦେଖିଲେ ମୋ ମଧ୍ୟରେ ଥିବା ବିଶେଷ ମୁଁ ଟି ଉଲ୍ଲସିତ ହେଉଥିଲା ।

ବଡ ହେଲାପରେ ବୁଝିଲି,ସ୍ୱାଭିମାନ ଓ ଈର୍ଷାଠାରୁ ସେନେହ କଡେ ବଳବାନ ସତେ ।

ଅଧିକାଂଶ ଛୁଟିରେ ମୁଁ ତା ସାଥିରେ ଯାଉଥିଲି, ମାଆ ଏକୁଟିଆ ଓ ପାଇକାଳୀ ପାଖ ଦୃଷ୍ଟିରୁ । ତାଙ୍କ ଘରବାଡିର ସମ୍ଭ୍ରାନ୍ତ ପରିପାଟୀ ମୋତେ ଭଲ ଲାଗୁଥିଲା । ମୋ ପରିବାର ଲୋକେ କେବେ ମୋତେ ଚିଠି ଲେଖି ଡାକୁନଥିଲେ । ମୋ ଘର ବାହୁଡା ସେମାନେ ଚାହୁଁଥିଲେ କି ନାହିଁ ଜାଣେନା । କାହିଁକି ନ ଚାହିଁବେ? ସୁୁମନ ତ ତାଙ୍କ ଚାହିଁବା ମୁତାବକ ସୁଧୁରି ଯାଇଛି । ଯଦି କେବେ ମହୁଲକୁସୁମ ଯାଏ ଶୀଘ୍ର ଫେରିଆସେ । ମାୟାଧର ଓ ତାଙ୍କ ପରିବାର କଥା କହେ । କେହି ମୋତେ କହନ୍ତି ନାହିଁ ତୋ ସାଙ୍ଗକୁ ଧରି ଆସିବୁ । ମୁଁ ଭାବେ ଆମର ଗରିବ ଘର ବୋଲି ସମସ୍ତେ ସଙ୍କୁଚିତ ଅନୁଭବ କରନ୍ତି କିମ୍ବା ଡରନ୍ତି,କାଳେ ମାୟାଧର ଗାଆଁରୁ ଶୁଣି ନେବ ସୁମନ ମାଇଚିଆଟା ପରା । ତଥାପି କେବେ କେବେ ମନରେ କ୍ଷୋଭ ଆସେ, ମୋର ଗୁରୁତ୍ୱ ଦେବାକୁ ମୋ ପରିବାର କୁଣ୍ଠିତ । ପର ମୁହୂର୍ତ୍ତରେ ନିଜକୁ ବୁଝାଇ ଦିଏ ନା ସେମିତି ନୁହେଁ, ଘରେ ଓ ଗାଁଆରେ କେତେ କଥା ମତେ ପଚାରୁଛନ୍ତି; ରାଜଧାନୀ ବାବଦରେ, ସ୍କୁଲରେ ପଢାପଢି ବାବଦରେ । ମୋ ବାହାବା କରନ୍ତି । ତଥାପି ତହିଁରେ ଏମିତିକରି କହିଥାନ୍ତି ସତେ ଅବା ମୋ ଉନ୍ନତିଟି ଏକ ବ୍ୟତିକ୍ରମ ।

“ତଥାପି କାହିଁକି?” 

ଏ ଭାବନାଟି ମୋ ମନରୁ କେବେ ଛାଡି ଯାଇନି । ଏ ଭାବନା କେମିତି ଓ କେବେ ଯିବ ସେକଥା ମୋ କିଶୋର ମନ ଭାବୁଥିଲା । ମତେ ବୟସ ତୁଳନାରେ ଅଧିକ ପରିପକ୍ୱ କରୁଥିଲା । କ଼ହି ପାରିବି ନାହିଁ ଏକଥା ମୁଁ ସତରେ କଣ ସେକାଳେ ଭାବୁଥିଲି ନା ଏବେ ଲେଖୁ ଲେଖୁ ଲେଖି ଦେଉଛି!

 ଦଶମ ଶ୍ରେଣୀ ଦଶହରା ଛୁଟିରେ ମାଆଙ୍କ ଅନୁମତି ନେଇ ମାୟାଧରକୁ ସାଥିରେ ନେଇଗଲି ଆମ ଘରକୁ ପ୍ରଥମ ଥର ପାଇଁ । ଆମ ପାଖରେ ତ ଅନେକ ସଞ୍ଚୟଥାଏ । ତାହା ସ୍ୱଭାବିକ ଭାବରେ ଏକ କୋଠ ସମ୍ପତ୍ତି ହୋଇଯାଇଥାଏ । ମାୟାଧର ଖୁବ୍ ଉତ୍ସାହିତ ହୋଇଥାଏ ମୋ ପରିବାରକୁ ଦେଖିବାକୁ । ହୁଣ୍ଡାଟିଏ, ତା ମୁଣ୍ଡରେ ପୁଣି ଏତେ ସାମାଜିକ ଭାବନା । ସମସ୍ତଙ୍କ ପାଇଁ ଉପହାର କିଣି ଆଣିଲା, ମୁଁ ଆଗରୁ ଯାହା ନିଏ ତାହାଠୁ ବହୁତ ଭଲ । ମତେ ଲାଗିଲା ହଁ ସେମାନେ ଖୁସିହେବେ । ଭଉଣୀ ମାନଙ୍କ ପାଇଁ କେତେ ସଜବାଜ ଚିଜ କିଣିଲା ବେଳେ ମୋ ମନରେ ଖୁସି ଆସୁଥିଲା, ମୋତେ ଲୁଚାଉଥିଲ ନା! ତଥାପି ଭୟ ଥାଏ, ଏଡେ ଆଗ୍ରହରେ ଭାଇ ଭଉଣୀ ନଥିବା, ବାପା ଛେଉଣ୍ଡ ସାଙ୍ଗଟିକୁ ନେଉଛି, ତାକୁ ଆଦର ମିଳିବତ! ସମାଜ ମୋ ମନରେ ସୃଷ୍ଟି କରିଥିବା ହୀନମନ୍ୟତାରୁ ମୁକୁଳିବା ମୋ ପାଇଁ ବୋଧହୁଏ ସେଦିନ ପ୍ରଥମ କରି ହୋଇଥିଲା ଏକ ଆହ୍ୱାନ ।  ମତେ ଏକଥା ବି ଲାଗୁଥିଲା ମୋ ନିଜ ଲୋକଙ୍କୁ ମୁଁ ଉପହାର ନାମରେ ଲା‌ଞ୍ଚ ଦେଉନି ତ, ଭଲପାଇବାକୁ କିଣିବାକୁ ଚେଷ୍ଟା କରୁନି ତ! ଏମିତି ବୁଢିଆଣୀ ଜାଲରେ କାହିଁକି ମୋ ମନ ଛନ୍ଦି ହୋଇଯାଇଛି? ଏତେ ସାଙ୍ଗ ହେଉଥିଲେ ମଧ୍ୟ ଏସବୁ ଅସହ୍ୟ କଥା ମାୟାଧରକୁ ବି କହିବା ସମ୍ଭବ ନୁହେଁ । ଜଣେ ବନ୍ଧୁଙ୍କୁ ଆପଣା ଗୃହକୁ ଡାକି ନେବା ମୋ ପାଇଁ ଯେମିତି ଅଗ୍ନି ପରୀକ୍ଷା । ଅନେକ ପରୀକ୍ଷାରୁ ଉତ୍ତୀର୍ଣ୍ଣ ଏ ମନଟି ନିଶ୍ଚିତ ଅସାଧାରଣ ମନେ ହେଉଥିଲା । ହୀନ ଭାବନା ଅପେକ୍ଷା ନିଜ ପ୍ରତି ସମ୍ମାନବୋଧ ଓ ଆତ୍ମବଳ ଅନେକ ଗୁଣରେ ଅଧିକ ଥିଲା । ଏହା ଯେମିତି ଯୋଗାଉଥିଲା ନିରନ୍ତର ଜଳିବା ପାଇଁ ଇନ୍ଧନ । ସେ ଜ୍ୱଳନ ତାପ ହୋଇ ମୋତେ ଜାଳୁ ନଥିଲା ବରଂ ଆଲୋକ ହୋଇ ପଥ ଦେଖାଉଥିଲା ।

ଘରେ କିନ୍ତୁ ଆମକୁ ଦେଖି ଖୁବ୍ ଖୁସି ହେଲେ । ଭାବିଲେ ମାୟାଧର ସହ ମିଶି ମୁଁ ବହୁତ ମାର୍ଜିତ ହୋଇଯାଇଛି । ମାୟାକୁ ସେମାନେ ସ୍ନେହରେ ବାନ୍ଧି ପକାଇଲେ ।

 ଭଲ ଅବା ମନ୍ଦ ଜାଣେନି, ଘଟଣାଟିଏ ଘଟିବାର ଥିଲା । ଦଶହରା ପଛକୁ ଆସେ ଗଜଲକ୍ଷ୍ମୀ ପୂଜା । ଆମ ଗାଆଁରେ ସବୁବର୍ଷ ଦୁଇଟି ନାଟକ ମଞ୍ଚସ୍ଥ ହୁଏ । ନାୟିକା ଅଭିନୟ କରନ୍ତି ପୁଅ ପିଲାମାନେ । ନାୟିକାର ଦେହ ଭୟଙ୍କର ଅସୁସ୍ଥ ହୋଇଗଲା ନାଟ ଆଉ ପାଞ୍ଚ ଦିନ ଥାଏ । ଆମେ ଦୁଇଜଣ କେତେଥର ପ୍ରସ୍ତୁତି ଅଭିନୟ ଦେଖିଥିଲୁ । ହଠାତ ମୋତେ କୁହାଗଲା ହିରୋଇନ ଭାବେ ଅଭିନୟ କରିବାକୁ । ସେମାନଙ୍କ ମତରେ ମୁଁ କାଳେ ଅନାୟସରେ ପାରିବି । ମୁଁ ଆଦୌ ରାଜିହେଲି ନାହିଁ । ନିର୍ଦ୍ଦେଶକ ଚିରଞ୍ଜୀବି ଦାଦା, ମୋ ଘରଲୋକ ମାନଙ୍କୁ ଅଳିକଲେ ମୋତେ ବୁଝାଇବା ପାଇଁ । ଅନ୍ୟ ସେମିତି କିଛି ବିକଳ୍ପ ନଥିଲା । ମୁଁ ପାରିବି ଏକଥା କାହିଁକି କହୁଥିଲେ ତାହା କାଳେ ମାୟାଧର ଜାଣିଯିବ, ସେ ଭୟ ମୋର ଥିଲା । ସେ କାହୁଁ ଜାଣିବ ମୋତେ ନେଇ ଏତେ କଥା ଅଛି! ଘର ଲୋକେ ମତେ ରାଜି କରିବାକୁ ଚେଷ୍ଟା କଲେ । – କରିଦେ, ନଚେତ୍ ଡ୍ରାମା ବନ୍ଦ ହୋଇଯିବ ।

ଅଛା!

ତଥାପି ରାଜି ହେଲିନାହିଁ । ପରିବାର ଭାବିଲା ଗୋଟାପଣେ ତାଙ୍କ ପୁଅକୁ ଫେରି ପାଇଛନ୍ତି । ସେଇଥିପାଇଁ ବୋଧେ ତାଙ୍କର ଆଉ ଭୟ ନଥିଲା ମୋତେ ନାୟିକା କରାଇବା ପାଇଁ ।

ମୁଁ ସମସ୍ତଙ୍କ ଅଜଣାତରେ ଲକ୍ଷ୍ମୀମା ପାଖକୁ ଗଲି, ତାଙ୍କ ପରାମର୍ଶ ମାଗିଲି । ସେ କହିଲେ, - ଯା ମାଆ, ଖୁସିର ଏକ ଅବସର ମିଳିଛି, ଉପଭୋଗକର ।

ପ୍ରକୃତରେ ହିରୋଇନ ହେବା ମୋ ପାଇଁ ଆଦୌ କଷ୍ଟକର ନଥିଲା । ମୁଁ କେବଳ ଢଙ୍ଗ କାଢିଲି ଯେ ମୋ ଇଛା ବିରୁଦ୍ଧରେ ମୋ ପରିବାର ଓ ଗାଆଁବାଲାଙ୍କ ମନ ରଖିବାକୁ ଏ ଅଭିନୟ କରୁଛି । ବରଂ ମୁଁ ଭାବୁଥିଲି ଅଭିନୟ ଜୀବନରୁ ଅବ୍ୟାହତି ନେଇ କିଛି କ୍ଷଣ ସତ ଜୀବନକୁ ଆପଣେଇବାର ସୁଯୋଗ ଆସିଛି । ମାୟାଧରର ଉପସ୍ଥିତିରେ ଏସବୁ ଘଟୁଥିବାରୁ ମତେ ସାମାନ୍ୟ ଲାଜ ଲାଗୁଥିଲା କିନ୍ତୁ ସେ ଲଜ୍ଜା ମଧ୍ୟରେ ଖୁସି ପୁଳାଏ ଅନୁଭବ କରୁଥିଲି । ଜଣେ ଏତେ ବଡ ଚିତ୍ରକର ମୋତେ ସାଜସଜାରେ ଦେଖୁ ।

ଗଜୁରି ଉଠୁଥିବା ନିଷ ଦାଢିକୁ ସଫା କରି ମୁହଁକୁ ଚିକ୍କଣ କଲାପରେ ମୋ ମଧ୍ୟର କିଶୋରୀଟି ଶିହରି ଉଠିଲା । ଆହୁରି ରୋମାଞ୍ଚିତ ହେଲି ମାୟା ଯେତେବେଳେ ମୋ ହାତରେ ଖୁବ୍ ସୁନ୍ଦର ମେହେନ୍ଦୀ କରିଦେଲା ଓ ମୋ ମେକଅପ ଭରା ମୁହଁ ଉପରେ କିଛି ତୁଳୀର ଯାଦୁ କଲା ।

ଦୁଇ ରାତି ଦୁଇ ନାୟିକା ଭୂମିକାରେ ସବୁ କଳାକାରଙ୍କ ମଧ୍ୟରେ ଅଧିକ ପୁରସ୍କାର ଓ ପ୍ରଶଂସା ମିଳିଥିଲା ମୋତେ ।

ଅଭିନୟ ସରିଲା । ମନର ଖୁସିକୁ ଲୁଚାଇ ଦେଇ ବିରକ୍ତ ହେଲି ପରିବାର ଉପରେ । ସ୍କୁଲ୍ ଖୋଲିବ, ହାତରୁ ମେହେନ୍ଦୀ ଦାଗ ଲିଭି ନଥିବ । ପୁଳାଏ ମେହେନ୍ଦୀ ତିଆରି କଲି ଦୁଇହାତରେ ବୋଳି ପକାଇଲି । ଶିଳ୍ପୀ ମାୟାଧରର ଯାଦୁକୁ ନିର୍ଦ୍ଦୟ ଭାବେ ଲୁଚାଇ ଦେଲି । ଚମତ୍କାର ଭାବେ ଅଭିନୟ ଜଗତକୁ ଫେରିଲି ସିନା ହୃଦୟ ମୋର ବିଦିର୍ଣ୍ଣ ହୋଇଗଲା । ମନେ ମନେ ଶିଳ୍ପୀକୁ କ୍ଷମା ମାଗିନେଲି । ଘରଲୋକେ ଏକଦମ ଖୁସି ତାଙ୍କ ସୁମନ ଏବେ ଗୋଟାପଣେ ସୁନାପୁଅ ।

ଜାଣେନି ଆମ ଗାଆଁ ବୁଲିଯିବାରେ ମାୟାଧରର ଅନୁଭୂତି କିଭଳି ରହିଲା । ନାଟକରେ ମୋର ପାରଦର୍ଶିତାକୁ ନେଇ କେହି ତାକୁ କିଛି କହିଛନ୍ତିକି? ଡର ବି ଲାଗୁଥାଏ ଭଲ ବି ଲାଗୁଥାଏ । ସେ ମୋର ଏତେ ପ୍ରିୟ ସାଙ୍ଗ, ମୋତେ ଚିହ୍ନିଲେ ଚିହ୍ନୁ । ହେଲେ ସେ କୌଣସି ମନ୍ତବ୍ୟ ଦେଲା ନାହିଁ । ଅନ୍ୟ ସାଙ୍ଗମାନଙ୍କୁ ଜଣାଇଲା ନାହିଁ ଯେ ମୁଁ ନାୟିକା ହୋଇଥିଲି । ହଁ ଭାବିଥିବ, ମୋତେ କାଳେ ଲାଜ ଲାଗିବ । ସମସ୍ତଙ୍କୁ କହିଲି, ଆମ ଗାଆଁରେ ଲକ୍ଷ୍ମୀପୂଜାରେ ଏକ ବଡ ମେହେନ୍ଦୀ ପର୍ବହୁଏ । ମାଣ୍ଡିଆରେ ମେହେନ୍ଦୀ ଗୋଳାଇବା ଦାୟିତ୍ୱ ଏଥର ମୋ ପାଳିରେ ପଡିଥିଲା ।

Sunday 18 October 2020

ସୁମନ ମାୟାଧର, ଭାଗ ୧, ୨, ୩ ୪, ୫. ୬, ୭,

ଉପନ୍ୟାସ "ସୁମନ ମାୟାଧର"। ପଦେ ଅଧେ।

ମୟୂରଭଞ୍ଜ, ବହଳଦା ବ୍ଲକର ନିପଟ ମଫସଲ ଗାଆଁ ମହୁଲକୁସୁମର ସୁମନ ପ୍ରଧାନ ଓ ଖୋର୍ଦ୍ଧା ଜିଲ୍ଲାର ପାଇକାଳୀ ଗାଆଁର ମାୟାଧର ବଳିଆରସିଂ, ଚିତ୍ରକଳାରେ ବୃତ୍ତି ପାଇ ରାଜଧାନୀ ଉଚ୍ଚ ବିଦ୍ୟାଳୟରେ ପଢନ୍ତି। ଗଢିଉଠେ ବନ୍ଧୁତା। ଅତି ମେଧାବୀ ସୁମନ ଜଣେ କିନ୍ନର ଓ ମାୟାଧର ଜଣେ ଅନନ୍ୟ ଚିତ୍ରଶିଳ୍ପୀ। ଏ ଉପନ୍ୟାସ ସୁମନର ଆତ୍ମକାହାଣୀ ଯାହା ବନ୍ଧୁତାର ଅବା ସୃଜନର ଅବା ଲିଙ୍ଗ ସଂଖ୍ୟାଲଘୁଙ୍କ ସମସ୍ୟାର ଅବା ତ୍ୟାଗପୁତ ପ୍ରେମର ଅବା ସଫଳତାର ଅବା ଏ ସବୁକିଛିର; ସେ ବିଚାର ପାଠକେ କରିବେ।

ଉପନ୍ୟାସରୁ ଏଠାରେ ଦୁଇ ପଦ, ଚରିତ୍ର ମାନଙ୍କ ପରିଚିତି ପାଇଁ।

"ଖୁସି ଲାଗୁଥାଏ, ମାଆ ଅମିନାକୁ ଶ୍ରଦ୍ଧା କରୁଥିବା ଦେଖି । ସେଦିନ ଅମିନାକୁ ତାଙ୍କ ପାଖରେ ଶୁଆଇଲେ ।

ଏସବୁ ଟିକି ଟିକି କଥା, ମାଆ ନହୋଇ ଓ କେବେ ମାଅ ହେବାର ସମ୍ଭାବନା ନଥାଇ ବି ମାଆ ହୋଇଥିବା ମୋ ଭଳି ଜଣେ ମଣିଷ ପାଇଁ ଏମିତି ଏତେ ମୂଲ୍ୟବାନ ହୋଇପାରେ! ମୁଁ ଅଭିଭୂତ ହୋଇ ପଡିଲି । ଅଂଶୁ ମୋ କୋଳରେ ଜାକି ହୋଇ ଶୋଇଥାଏ । ମନେହେଲା ଏ ତ ଜୀବନର ପୂର୍ଣ୍ଣତା, ଆଉ କଣ ଆବଶ୍ୟକ ଅଛି ଯେ ।

ମାୟାଧର କୋଠରୀରେ ଆଲୋକ ଜଳୁଥାଏ, ଦ୍ୱାର ଅଧା ମେଲା । ସେ ଏକ ପ୍ରୋଜେକ୍ଟରରୁ ଭିନ୍ନ ଭିନ୍ନ ରଙ୍ଗର ଆଲୋକ ପକାଇ ଚିତ୍ରକଳାକୁ ଦେଖୁଥାଏ ତନ୍ମୟ ଭାବେ। ତହିଁରେ ବାଧା ଉପୁଜାଇବା ମୋର ଇଛା ହେଲା ନାହିଁ । ମନେହେଲା, କେବଳ ଏତିକି ନୁହେଁ, ରାତିରେ ତା କୋଠରୀକୁ  ଯିବାକୁ ମତେ ଲାଜ ଲାଗୁଛି । ଏମିତି କେବେଠୁ ଓ କାହିଁକି ହେଲା ଠିକ୍ ଜାଣି ପାରୁନଥିଲି । ଏହା କଣ ଚିକିତ୍ସାର ପ୍ରଭାବ କିମ୍ବା ପିଲାମାନଙ୍କ ସାମ୍ପ୍ରତିକ ବ୍ୟବହାରର ପ୍ରତିଫଳନ?

 ଏହା ମଧ୍ୟରେ ମୋ ବ୍ୟକ୍ତିସତ୍ତା ଭିନ୍ନ ଭାବେ ଗଢି ଉଠିଥାଏ । କିଶୋରୀ ଓ ଆଦ୍ୟଯୌବନା କାଳେ ମାୟାଧର ସହ ଏତେ ବନ୍ଧୁତା ସତ୍ତ୍ୱେ ମୋ ମଧ୍ୟରେ ଏକ ଗୋପନ ଓ ଅପ୍ରକାଶିତ ପ୍ରେମ ଭାବନା ସମାନ୍ତରାଳ ଭାବେ ଝରି ଯାଉଥିଲା ଓ ସମ୍ଭବତଃ ମୋ ସମଗ୍ର ଭଲପାଇବାର ମୂଖ୍ୟାଂଶ ଥିଲା; ସେଇଟି ଏବେ ନାହିଁ । ବରଂ ମୁଁ କାୟୋମନବାକ୍ୟରେ ଚାହୁଁଥିଲି ମୋ ମାୟାଧର ଏକ ସାଥୀ ଆଣୁ । ଏ ଘର ପରିବାର ହସି ଉଠୁ । 

 ଅନ୍ୟଥା ସମାଜ ମୋତେ କ'ଣ କହିବ! ମୁଁ ଜଣେ କିନ୍ନର, ଏହି ସମାଜର ଟିପ୍ପଣୀର ପ୍ରଖର ସ୍ରୋତ ବିପରୀତରେ ପହଁରିବା ମୋର କଷ୍ଟକର ଧର୍ମ । ହୁଏ ଯୁଦ୍ଧ । ଆଜି ଯୁଦ୍ଧରେ ଆପାତତଃ ବିଜୟୀ ହେଲାପରେ ମୁଁ ଏମିତି କାହିଁକି ଭାବୁଛି; ସମାଜ କ'ଣ ଭାବିବ! ମୁଁ କ'ଣ ମାୟାଧରକୁ ହାସଲ କରିପାରନ୍ତି ନାହିଁ? ଅଥଚ କେବଳ ମୁଁ ଏକା ଯେମିତି ଚିନ୍ତିତ ତା ପାଇଁ, ସେ ନିଜେ କିମ୍ବା ମାଆ ନୁହନ୍ତି।

 ଅଂଶୁ ଭିଡିମୋଡି ହେଉଥାଏ, ବୋଧହୁଏ ମୋତେ ଖୋଜୁଥାଏ । ମୁଁ ତା କଡରେ ତକିଆ ଥୋଇ ଟେବୁଲ ପାଖକୁ ଆସିଲି । ଅନେକ ଦିନପରେ ଦିନଲିପି ଲେଖିବାକୁ ମନ ହେଲା ।

ପତ୍ରିକାଟିଏ ଓଲଟାଇ ପୋ ପ୍ରିୟ ଲେଖକ ମନୋଜ ଦାସଙ୍କ ଏକ ପ୍ରବନ୍ଧ ପାଇଲି । ଏହା ସଫଳତା ଓ ବିଫଳତା ଉପରେ ପର୍ଯ୍ୟବେସିତ। ଲେଖକ ଲେଖିଛନ୍ତି ଦୁଇଜଣ ବିଶିଷ୍ଟ ଦାର୍ଶନିକଙ୍କ ବକ୍ତବ୍ୟକୁ ଉଦ୍ଧାର କରି; ଦୁନିଆରେ ଦୁଇଟି ଦୁଃଖ । ପ୍ରଥମଟି ହେଲା, ଚାହୁଁଥିବା ଜିନିଷ ବା ପରିସ୍ଥିତି ନପାଇବା ଓ ଦ୍ୱିତୀୟଟି ହେଲା ସେଇଟି ମିଳିଯିବା । ପ୍ରଥମଟି ଆମେ ସମସ୍ତେ ବୁଝିଛନ୍ତି ।  କିନ୍ତୁ ସାଫଲ୍ୟ କିପରି ଜୀବନର ବିଡମ୍ବନା ହୋଇପାରେ ସେ ବାବଦରେ ଦେଇଛନ୍ତି ଅନେକ ମଜାଦାର ଓ ଗମ୍ଭୀର ଦୃଷ୍ଟାନ୍ତ । ତତ୍କ୍ଷଣାତ୍ ମନେହେଲା ମୁଁ ବି ଏକ ଦୃଷ୍ଟାନ୍ତ ।

 ଆଜି ମୋ ସଫଳତା ମୋ ପଛରେ ଦୁଃଖ ହୋଇ ଗୋଡାଉ ନାହିଁକି?

ମୁଁ ଥିଲି ପୁରୁଷ, ମାୟାଧରର ଘନିଷ୍ଠ ବନ୍ଧୁ । ଆଜି, ମୋ ଇପ୍ସିତ ନାରୀଟିଏ ମୁଁ, ଅନେକାଂଶରେ ସମ୍ପୂର୍ଣ୍ଣା, ଅମିନା ଓ ଅଂଶୁଙ୍କୁ ପାଇ । ସଫଳତା ହିଁ ସଫଳତା, ଅଥଚ ମୁଁ କଣ ଖୁସି? ଲାଗୁଛି ଏକ ବିପଦରେ ପଡିଯାଇଛି । ପ୍ରାଣଭରି ଭଲ ପାଉଥିବା ମଣିଷଟିକୁ ମୁଁ ଆଉ ଭଲ ପାଇବା ସମ୍ଭବ ହେଉନି । 

ମାଆ, ଅଂଶୁ, ପାଇକାଳୀ, ଆମ ପ୍ରତଷ୍ଠାନ “ସୁମନ ମାୟାଧର”କୁ ତ୍ୟାଗ କରିବା ମଧ୍ୟ ସମ୍ଭବ ନୁହେଁ । କ'ଣ ହେବ ମୋ ମାୟାଧରର ଅବସ୍ଥା! କ'ଣ ହେବ ଅଂଶୁର! ପରିଣତ ବୟସରେ କ'ଣ ହେବ ସେହି ମାଆଙ୍କ ଅବସ୍ଥା ଯେ ଆଦ୍ୟ ଯୌବନରୁ ବିଧବା ହୋଇ ଏ ବଳିଆରସିଂ ବଂଶର ଧ୍ୱଜାକୁ ସଗର୍ବେ ଉଡାଇଛନ୍ତି ସାରା ଜୀବନ ! ମୋ ମୁଣ୍ଡ ଗୋଳମାଳ ହୋଇଗଲା ।

କିଛି ବୁଦ୍ଧିବାଟ ଦିଶୁ ନଥିବା ବେଳେ ଦୁର୍ବୁଦ୍ଧି ବାଟ କଢାଏ ।

ହଠାତ୍ କେଉଁ ଦୁଷ୍ଟଶକ୍ତି କବଳରେ ପଡିଗଲି । ମତେ ସବୁ ବିଷମୟ ଲାଗିଲା, ଦୁନିଆ ଓ ମୁଁ ନିଜେ । 

 ଅଂଶୁ ଶୋଇଥିଲା । କେଡେ ନିରୀହ!  

 ସମୟଠୁ କେହି ବଳବାନ ହୋଇ ନପାରେ ।  ମୋ ଘର, ପରିବାର, ମହୁଲକୁସୁମ, ଅମିନା, ଳକ୍ଷ୍ମୀମା, ଅଂଶୁ, ମାୟାଧର, ମାଆ, ମୋ ମଧ୍ୟର ଶିଳ୍ପୀ, ମୋ ଶିକ୍ଷା, ମୋ ବଡ ଚାକିରି ଓ ମତେ ଖୁବ୍ ଭଲ ପାଉଥିବା ଛାତ୍ରଛାତ୍ରୀ; ଏମାନେ କେହି ମୋତେ ନିବୃତ କରିବାର ଆଶା ନଥିଲା । ସଦ୍ୟ ପାଠ କରିଥିବା ସଫଳତା ଓ ବିଫଳତାର ରଚନାଟି ମୋ ମନକୁ ଛୁଉଁଥିଲେ ମଧ୍ୟ ସେ ମୁହୂର୍ତ୍ତରେ ରେ ମୁଁ ଥିଲି ଅପଶକ୍ତିର କବଳରେ । 

ରାତି ଆଉ ଅଲ୍ପକ୍ଷଣ ଥାଏ, ଅଂଶୁକୁ ପାଖକୁ ଲଗାଇ ଆଣି ଗଡି ପଡିଲି । କେଜାଣି ନିଦ କେତେବେଳେ ହେଲା, ସ୍ୱପ୍ନ ଦେଖିଲି ମୋ ଗୁରୁଜୀ, ଗୋପିକୃଷ୍ଣା ମହାଶୟା ମୋ ପାଖରେ ଉପସ୍ଥିତ । କହିଲେ, - ସୁମନ ତୁମେ ମୋତେ ସାକ୍ଷାତ କରିବ ଆଗାମୀ କାର୍ତ୍ତିକ ପୂର୍ଣ୍ଣମୀ ଦିନ।

ଗୁରୁଙ୍କୁ ସାକ୍ଷାତ କଲେ କ୍ଷତି କଣ?"

 ସୁମନଙ୍କ କାହାଣୀ ମଧ୍ୟରେ ମାୟାଧର ଆପାତତଃ ନୀରବ। ତାଙ୍କ ଉତ୍ତର ମିଳିଥାଏ କଳା ମାଧ୍ୟମରେ ଏକାଧିକବାର, ଯାହା ଉପନ୍ୟାସର ଅଳଙ୍କାର।

ଭୂମିକା

୨୦୧୪ ଏପ୍ରିଲ ୧୫, ନାଲ୍ସା ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତୃତୀୟ ଲିଙ୍ଗର ମାନ୍ୟତା ସପକ୍ଷରେ ଐତିହାସିକ ରାୟ ଦିଅନ୍ତି । ଆମ ଦୁଇ ପ୍ରାପ୍ତବୟସ୍କ ପୁଅ ତର୍କ ଆରମ୍ଭ କଲେ ଏ ରାୟ ସପକ୍ଷରେ । ଯଦିଓ ଆମେ ମାଆ ବାପା ରାୟ ବିରୋଧରେ ନଥିଲୁ, ଏ ତର୍କ ସହ ସହଜ ହୋଇ ପାରୁନଥିଲୁ, ଉଭୟ ଡାକ୍ତର ହୋଇଥିବା ସତ୍ତ୍ୱେ । ସମଲିଙ୍ଗୀ, ଟ୍ରାନ୍ସଜେଣ୍ଡର ଓ ଇତ୍ୟାଦି ସତେ ଅବା ଘରେ ଏକାସାଥେ ବସି କଥା ହେବାର ବିଷୟ ନୁହେଁ । ଅନ୍ୟ ଏକ ଭାବନା ଆସୁଥିଲା, ତୃତୀୟଲିଙ୍ଗୀଙ୍କ ସଂଖ୍ୟା ବହୁତ କମ, ରାୟ ଯେହେତୁ ସପକ୍ଷରେ ଯାଇଛି ସରକାର ଯାହା କରିବା କଥା କରିବେ ଆମର ଏତେ ଆଲୋଚନାର କି ଆବଶ୍ୟକତା ଅଛି?

ଏ ଭାବନା ଥିଲା ତ୍ରୁଟିଯୁକ୍ତ । ସଂଖ୍ୟା ଯେତେ କମ ହେଉନା କାହିଁକି ପ୍ରତ୍ୟେକଙ୍କ ମାନବାଧିକାର ଗୁରୁତ୍ୱ ପୂର୍ଣ୍ଣ । ସମସ୍ୟାଟି ମୂଖ୍ୟତଃ ଅଜ୍ଞତା ଓ ସାମାଜିକ ବାଛ ବିଚାର । ସମାଜ ନବଦଳିଲେ କେବଳ ଆଇନ ଦ୍ୱାରା କିଛି ହୋଇନପାରେ । ଆଇନର ଭୟରେ ନୁହେଁ ସମାଜ ସ୍ୱତଃ ବାଛବିଚାର ମୁକ୍ତ ଓ ମାନବିକ ଅଧିକାର ସମ୍ପର୍ଣ୍ଣ ହେବା ଜରୁରୀ ।

ବ୍ୟକ୍ତିଗତ ସ୍ତରରେ ରେଳଗାଡିର କିଛି ତିକ୍ତ ଅନୁଭୂତିରୁ କେମିତି ଏକ ଭୟ ଲାଗେ । ପତ୍ନୀ ମୋତେ ପରିହାସ କରନ୍ତି । ଯେମିତି ଆମ ଜଗତ ଓ ସେ ଭାଇ ଓ ଭଉଣୀ ମାନଙ୍କ ଜଗତ ଭିନ୍ନ ।

ସୁକିନ୍ଦା ଡାକ୍ତରଖାନରେ ମୋ ଘରେ ଥାଆନ୍ତି ଜଣେ ବୃଦ୍ଧ ରୋଷେଇଆ, ପୂର୍ଣ୍ଣଚନ୍ଦ୍ର ମହାରଣା । ତାଙ୍କ କଥାବାର୍ତ୍ତା ଚାଲିଚଳନ, ସ୍ନେହ ଶ୍ରଦ୍ଧା, ମାନ ଅଭିମାନ; ସବୁ କିଛି ଥାଏ ମାଆ ଭଳିଆ । ଜଣେ ପର ମଣିଷ ମାଆ ଭଳି ଭଲ ପାଇପାରନ୍ତି! ମୁଁ ନଖାଇଲେ ଉପବାସରେ ଥାଆନ୍ତି, ତାଗିଦ୍ କରନ୍ତି ଦେହ ପା ଖରାପ ହେବ । ମୋ ଧାରଣାରେ ବ୍ୟାପକ ପରିବର୍ତ୍ତନ ଆସେ । ଦୀର୍ଘ ବାର ବର୍ଷ,ଏ ଜୀବନର ଏକ ସ୍ୱର୍ଣ୍ଣିମ ସମ୍ପର୍କ । ଭୟ ନୁହେଁ ବରଂ ଶ୍ରଦ୍ଧା ଲାଗେ ଏଣିକି ।

ଦୈବାତ୍ ଦିନେ ଦେଖେ କଳିଙ୍ଗ ଟିଭିର “ଭିନ୍ନମଣିଷ, ଭିନ୍ନ କଥା”, ଦେଖିଚାଲେ । କେତେ ଦୁଃଖ, କେତେ ଅତ୍ୟାଚାର ଓ କେତେ ବାଛନ୍ଦ ମଧ୍ୟରେ ଅନେକ କିନ୍ନର ଭଉଣୀ ଖୁବ୍ ସଫଳ । ଆଖିରେ ଲୁହ ଆସିଯାଏ । ଯେତେ ସଫଳ ହେଲେ ମଧ୍ୟ ଏ ସମାଜ କଣ ଫେରେଇ ପାରିବ ଯାହା ସେମାନେ ହରାଇଛନ୍ତି ସେମାନଙ୍କ କଅଁଳ ବୟସରେ । ସମାଜର ଏକ ସଦସ୍ୟ ହିସାବରେ ମୁଁ ତଥା ପ୍ରତ୍ୟେକ ବ୍ୟକ୍ତି ଏଥିପାଇଁ ଦାୟୀ ।

ଗାଳ୍ପିକଟି ମନରେ ଉଙ୍କିମାରେ ଏକ ଚରିତ୍ର “ସୁମନ” । ମୋର ସମଗ୍ର ସତ୍ତାକୁ ଆୟତ୍ତ କରି ସୁମନ ମୋତେ ବାଧ୍ୟ କରେ ତା ଆତ୍ମକାହାଣୀ ଲେଖିବାକୁ । ମୋ କାହାଣୀର ପ୍ରତ୍ୟେକ ମୋଡରେ ଆଲୋକ ପ୍ରଜ୍ୱଳିତ । ମୁଁ ନିଜେ ଆଲୋକ ବର୍ତ୍ତି‌କା । ଚିତାକର୍ଷକ ଓ ସଫଳ ଏ କାହାଣୀ ।

ମନେହୁଏ ଏଣିକି ଏମିତି ଘଟିବ । ସମାଜର ମୂଖ୍ୟ ସ୍ରୋତରେ ସମସ୍ତଙ୍କର ରହିବ ସମାନ ଅଧିକାର ଓ ଯୋଗଦାନ । ନିଃସନ୍ଦେହରେ ଗଳ୍ପଟି ଆସିଛି ଖୁବ୍ ଗଭୀରତାରୁ ।

ସମସ୍ତଙ୍କୁ ନିମନ୍ତ୍ରଣ, ପଢନ୍ତୁ, “ସୁମନ ମାୟାଧର” ।

କୃତଜ୍ଞତା

କଳିଙ୍ଗ ଟିଭିର “ଭିନ୍ନ ମଣିଷ ଭିନ୍ନ କଥା” କାର୍ଯ୍ୟକ୍ରମ ଏ ଉପନ୍ୟାସର ମୂଖ୍ୟ ପ୍ରେରଣା । ପ୍ରାୟ ପ୍ରତ୍ୟେକ ଭାଗ ଦେଖିଛି ।  ଏହି କାର୍ଯ୍ୟକ୍ରମର ପରିଚାଳକ ବୃନ୍ଦ ଓ ତହିଁରେ ସାମିଲ୍ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି । ବିଭିନ୍ନ ସୋପାନର ଶ୍ରେଣୀ ସାଥୀମାନେ ମୋ ଲେଖକୀୟ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରିବା ମୋ କଲମର କାଳି ଭଳି କାମ କରିଛି । ସେମାନେ ବିରକ୍ତ ନହୋଇ ବରଂ ସୁଖ ପାଇଥିବା ମୋର ବିଶ୍ୱାସ । ଏହା ଆତ୍ମବିଶ୍ୱାସ ଆଣିଦେଇଛି । ସେ ତାଲିକା ଦୀର୍ଘ । ସମସ୍ତଙ୍କୁ  ସକୃତଜ୍ଞ ଧନ୍ୟବାଦ । ମୋର ପ୍ରତ୍ୟେକ ଜଣା ଓ ଅଜଣା ପାଠକଙ୍କ ପାଖେ ମୁଁ କୃତଜ୍ଞ । ଏ ଅବସରରେ ଦୁଇ ଗୁରଜନ, ଗାଳ୍ପିକ ଶ୍ରୀ ହରେକୃଷ୍ଣ ସାହୁ ଓ ଶ୍ରୀ ବିରଞ୍ଚି ନାରୟଣ ମହାନ୍ତିଙ୍କୁ ପ୍ରଣାମ ଜଣାଉଛି । ମୋ ଗ୍ରାମବାସୀ ମାନଙ୍କୁ ଯଥାମାନ୍ୟ ସହ କୃତଜ୍ଞତା ଜଣାଉଛି । ଏ ବହିର ରୂପରେଖ ଅଧ୍ୟାପକ ଶ୍ରୀ ଦତ୍ତାତ୍ରେୟ ଦାଶଙ୍କ ସହାୟତା ବିନା ସମ୍ଭବ ହୋଇନଥାନ୍ତା ।  ସେ ଅନେକ ଧନ୍ୟବାଦର ପାତ୍ର ।  

ସୁମନ ମାୟାଧର।

ରବିନାରାୟଣ ସେନାପତି, ତୁଳତୀ, କୋରେଇ, ଯାଜପୁର, ୭୫୫୦୨୨.

ଉପକ୍ରମଣିକା ।

ଈଶ୍ୱର କେଉଁଠି? ସେ ଯେଉଁ ଧଉଳି ପାହାଡ ଓ ଶାନ୍ତିସ୍ତୁପ ସେପାରିର ଦିଗବଳୟରେ ସୂର୍ଯ୍ୟାସ୍ତର ନିତ୍ୟ ନୂତନ ଖେଳ ଆମ ବାଲକୋନୀରୁ ପ୍ରତିଦିନ ଦେଖି ବିଭୋର ହୁଏ, ଯାହାକୁ ମୁଁ କାନଭାସ ଉପରେ ଆଙ୍କେ ରଙ୍ଗତୁଳୀରେ; ତାହାର ନିୟନ୍ତାଙ୍କୁ ମୁଁ ଈଶ୍ୱର ମନେକରେ । ବେଳେବେଳେ ପ୍ରଶ୍ନ ବି ପଚାରେ ଈଶ୍ୱରଙ୍କୁ, ମୋ ଜୀବନ ଏମିତି କାହିଁକି? ପ୍ରହେଳିକାପୂର୍ଣ୍ଣ ଅମା ଅନ୍ଧକାର ମଧ୍ୟରେ ସର୍ବଦା ଆଲୋକିତ ଏକ କ୍ଷୀଣ ପଥର ଯାତ୍ରୀ ମୁଁ । ଫାଟକ ବିହୀନ କିନ୍ତୁ ଅନେକ ମୋଡ ସେ ରାସ୍ତାରେ । ଦୁଃଖରେ, ସୁଖରେ, ଅଭାବ ଅନଟନରେ ଏ ପଥର ଆଲୋକ ନିର୍ବାପିତ ହୋଇନାହିଁ କିମ୍ବା ଯାତ୍ରାକୁ ବିରାମ ମିଳି ନାହିଁ । କେତେ ମଶାଲଧାରୀ ସହଯାତ୍ରୀ ସତସଙ୍ଗ ମଧ୍ୟରେ କେଡେ ନିଃସଙ୍ଗ ଜୀବନ ମୋ!

ନିଃସଙ୍ଗ? ମାୟାଧର ପରି ଆନ୍ତରିକ ବନ୍ଧୁତାର ଅତୁଳନୀୟ ପ୍ରାପ୍ତି ସତ୍ତ୍ବେ ନିଜକୁ ନିସଙ୍ଗ ମନେ କରିବା ଦୈବଦ୍ରୋହ ଓ କୃତଘ୍ନତା; ଜାଣି ମଧ୍ୟ ନିରୁପାୟ । ସବୁକିଛି ମଧ୍ୟରେ ଝଲକେ ଝଲକେ ଲାଗେ ମୁଁ ଏକୁଟିଆ, ମୋ ନିଜର ଲୋକେ ମୋ ଭଳି ନୁହନ୍ତି ।

ମନେହୁଏ; ବିଦ୍ୟା, ବୁଦ୍ଧି, ପରିଶ୍ରମ ଓ ଅଧ୍ୟବସାୟ ଜୀବନର ଗତିପଥ ନିରୂପଣ କରୁଥିଲେ ମଧ୍ୟ ପାରିପାଶ୍ୱିର୍କ ପରିସ୍ଥିତି ଓ ଭାଗ୍ୟର ଅବଦାନ କିଛି କମ ନୁହେଁ । ଆକସ୍ମିକ ଘଟଣା ଘଟି ଗତିପଥକୁ ହଠାତ୍ ମୋଡ ବୁଲାଇ ଦିଏ । ଅଙ୍କାବଙ୍କା ଯାତ୍ରା ମଧ୍ୟରେ କିନ୍ତୁ କିଞ୍ଚିତ୍ ଅଗ୍ରସର ଘଟୁଥାଏ ନିରନ୍ତର ।

ସେ ଶାନ୍ତିର ସ୍ତୁପ, ସେ ପାହାଡ ଓ ସେ ଶୋଭା ମଧ୍ୟରେ କି ଲୁଚିପାରେ ଭୟଙ୍କର କଳିଙ୍ଗ ଯୁଦ୍ଧର ଗାଥା । ଆଜି ମୁଁ ବୃତ୍ତି‌ନିବୃତ୍ତ ଅପରାହ୍ନରେ ମୋ କଥା ଲେଖୁଛି । ଜୀବନ ଯୁଦ୍ଧର ପୁନର୍ପଠନ ଖୁବ୍ ଭଲ ଲାଗୁଛି । ସ୍ୱୟଂ ମୁଁ, ପ୍ରଶାନ୍ତିର ସ୍ତୁପ ମଧ୍ୟରୁ ଈଶ୍ୱରଙ୍କୁ ଜଣାଉଛି ଧନ୍ୟବାଦ ଓ କୃତଜ୍ଞତା ।

ମୁଁ ସୁମନ, ଆମ ଗରିବ ପରିବାରର ପଞ୍ଚମ ସନ୍ତାନ ଭାବେ ଜନ୍ମ ନିଏ ଷାଠିଏ ବର୍ଷ ତଳେ, ବଣ ପାହାଡ ଘେରା ମୟୂରଭଞ୍ଜର ମହୁଲକୁସୁମ ଗ୍ରାମରେ । ଉପରେ ଦୁଇ ଭାଇ ଓ ଦୁଇ ଭଉଣୀ । ଆଉ ପିଲାପିଲି ଚାହୁଁ ନଥିଲେ ମୋ ପିତାମାତା; ନା ପୁତ୍ର ନା କନ୍ୟା । ଜ୍ୟେଷ୍ଠ ସହୋଦର ମାନେ ସମ୍ଭବତଃ ନିର୍ଣ୍ଣୟ କରି ପାରୁନଥିଲେ ଭାଇଟିଏ ଖୋଜୁଛନ୍ତି କି ଭଉଣୀ ।

ଶିଶୁ ପୁତ୍ର ସୁମନର ଅଭିବୃଦ୍ଧି ସ୍ୱଭାବିକ ହୁଏ ଯାହା ମଧ୍ୟରେ ଏକ ଶିଶୁର ମନ ବିକଶିତ ହୋଇଚାଲେ । କିନ୍ତୁ ମନେହୁଏ ଏ ବିକାଶରେ କିଛି ଭିନ୍ନତା । ଜାଣେନି କାରଣଟି କଣ, ମୋ ଅଜାଣତରେ ମୋର ରଙ୍ଗଢଙ୍ଗ ଯେମିତି ହୁଏ ତାହାକୁ ଘରେ କହନ୍ତି ଏଇଟି ଝିଅ ହେଉ ହେଉ ପୁଅ ହୋଇ ଯାଇଛି । ଏହା ସମସ୍ତଙ୍କ ନଜରରେ ପ୍ରଥମେ ଥିଲା ମଜାଦାର । ଅନ୍ୟ ମାନଙ୍କ ବିବେଚନାରେ ତାହା ଅସ୍ୱଭାବିକ ବୋଲି ଟିକେ ଟିକେ ଜାଣିଲି ସେମାନେ ଯେବେ ଆକଟ କଲେ ତୁ ଏମିତି କରନି ବା ସେମିତି କରନି ବୋଲି । ଛାନିଆରେ ଶ୍ରଦ୍ଧା ନାମ ଟିକି ବଦଳାଇ ଟିକୁ ଡାକିଲେ ଏଣିକି ।

ଆଉ ଟିକେ ବଡ ହେଲି, ମୁଁ ଏଣିକି ନିଜେ ଅନୁଭବ କରୁଥିଲି ହଁ ସତରେ ମୁଁ ଭିନ୍ନ, ପୁଅ ଭଳି ଦେଖାଗଲେ ମଧ୍ୟ ମୁଁ ଯେମିତି ପୁଅ ନୁହେଁ । ସପ୍ତମ ଶ୍ରେଣୀ ବେଳକୁ ମୁଁ ଦୃଢ ନିଶ୍ଚିତ ହୋଇ ଯାଇଥିଲି, ପରଘରେ, ପୁଅ ପିଲାର ଶରୀରରେ ମୁଁ ଝିଅଟିଏ ଆଶ୍ରୟ ନେଇଛି । ମୁଁ ଯେମିତି ନିଜକୁ ଖୋଜି ପାଉନି କିନ୍ତୁ ଖୋଜିବା ଦରକାର । ସାନ ବୋଲି ସମସ୍ତେ ମୋତେ ଗେହ୍ଲା କରୁଥିଲେ ଅଧିକ । କ୍ରମଶଃ ଏହା କେବଳ କମିଲା ନାହିଁ ବରଂ ତିରସ୍କାର ଆରମ୍ଭ ହୋଇଗଲା । ସେତେବେଳକୁ ମୋର ଚାଲିଚଳନ, ବେଶଭୂଷାର ଆକର୍ଷଣ ଓ ମନର ଆବେଗରେ ବାରିହୋଇ ପଡିଲାଣି ଏକ ଝିଅପିଲା । ମୁଁ ଗୁଲୁଗାଲିଆ ଓ ସୁନ୍ଦର ଦେଖା ଯାଉଥିବାରୁ ଆଗେ ମୋ ଘର ଲୋକେ ଖୁସି ହେଉଥିଲେ କିନ୍ତୁ ଏବେ ସେଇଟା ସେମାନଙ୍କୁ ଦେଉଥିଲା ବିରକ୍ତି ଭାବ ।

ବାହାରେ ସମସ୍ତେ ମୋତେ ଚିଡେଇବା ଆରମ୍ଭ କଲେ; ମାଇଚିଆ! ସୁମନ ମାଇଚିଆ । ମୁଁ କିଛି ବୁଝି ପାରୁନଥାଏ କିନ୍ତୁ ଖୁବ୍ ଖରାପ ଲାଗୁଥାଏ । ଏହା ଅସହ୍ୟ ହେଲା ଯେବେ ମୁଁ  ନିଶ୍ଚିତ ହୋଇଗଲି, ମାସେ ବର୍ଷେ ନୁହେଁ ମୋ ପ୍ରତି ଏମିତି ଅସୂୟା ଭାବନା କେବେ ବଦଳିବ ନାହିଁ । ଓଲଟି, ସେମାନେ ସବୁ କହୁଥିଲେ ମୋତେ ବଦଳିବାକୁ ପଡିବ ।

ଭଉଣୀମାନେ  ଆଗ ଭଳି ଆଉ ସଜେଇ ଦେଉ ନଥାନ୍ତି ଓ ନିଜେ ନିଜେ ସଜେଇ ହେବାକୁ ଚାହିଁଲେ ସବୁ ସାଜସଜ୍ଜା ଲୁଚେଇ ଦେଉଥାନ୍ତି । ଭାଇମାନେ ଅତି ବିରକ୍ତ ହେଉଥାନ୍ତି, ମୋତେ ପାଖରେ ପୁରାଉ ନଥାନ୍ତି । ବାପା ବୋଉ ମନ ଅସୁଖ କରୁଥାନ୍ତି । ସମସ୍ତେ ମୋତେ ବୁଝାଇବାକୁ ଚେଷ୍ଟା କରୁଥାନ୍ତି, ସତେ ଅବା ମୋ ବୁଝିବା ଭୁଲ୍ । ସମସ୍ତଙ୍କ ଅଲିଅଳି ପଦରୁ ହଟିଯାଇ ସମସ୍ତଙ୍କ ଅନାଦରର ଏକ ଅଲୋଡା ସନ୍ତାନ ହୋଇ ଯାଇଥାଏ । ଜନ୍ମ ଆଗରୁ ବି ଅଲୋଡା ଥିଲି, ପରେ ବି ହେଲି ଅଲୋଡା! 

ପରିବାର ଲୋକେ ମୋ ଚଳନିକୁ ପିଲାଳିଆମି କହୁଥିଲେ ଓ ବଦଳି ଯିବାକୁ ବୁଝାଉ ଥିଲେ । ପୁଣି କେବେ କେବେ, ବିଜ୍ଞ ପଡୋଶୀଙ୍କଠୁ ଶୁଣୁଥିଲି ଏହା ମାନସିକ ବିକୃତି, କାଳେ କଟକରେ ସକ୍ ଦେଲେ ଭଲ ହୋଇଯିବ । ମୁଁ ଭୟରେ କମ୍ପିଉଠି ଦୌଡିଯାଇ ବୋଉ କୋଳରେ ମୁଣ୍ଡ ଗେଞ୍ଜି ଦେଉଥିଲି । ସେ କୋଳଟି କେବଳ ଥିଲା ମୋ ଅଭୟର ଶେଷ ଠିକଣା । ଭାଇମାନେ ଅକାରଣରେ ମୋ ପିଠିରେ ଦୁମଦାମ୍ ବସାଇ କଷ୍ଟ ଦେବାକୁ କୁହାଯାଉନଥିଲା ମାନସିକ ବିକୃତି! କିମ୍ବା ଭଉଣୀମାନେ ତାଙ୍କ ଟିକିଲି, କୁଙ୍କୁମ, ସ୍ନୋ ପାଉଡର ମୋଠୁ ଲୁଚାଇ ରଖିବାକୁ କେହି କହୁ ନଥିଲେ ମାନସିକ ବିକୃତି!  ଅନ୍ୟଥା ଶାନ୍ତ ପ୍ରକୃତିର ବାପା ମୋ ଉପରେ ଟିକେଟିକେ କଥାରେ ଭୟଙ୍କର ବିରକ୍ତ ହେଉଥିଲେ । ମୁଁ ନିଜକୁ ଦୋଷୀ ମନେକରୁଥିଲି ବାପାଙ୍କ ଶାନ୍ତି ବ୍ୟାହାତ କରି । ମୋ ମନକଥା ବୋଉକୁ କହିଲେ ସେ ଖାଲି କାନ୍ଦୁଥିଲା । ମନେ ହେଉଥିଲା ନା ମୁଁ ଆଉ ତା ଆଖି ଲୁହର କାରଣ ହେବି ନାହିଁ ।

ମୁଁ କିନ୍ତୁ ମୋତେ ଠିକ୍ ବୁଝିବା ଧୀରେ ଧୀରେ ଆରମ୍ଭ କରି ଦେଇଥାଏ ।

ମୁଁ ଅବଶ୍ୟ କନ୍ଦାକଟା କଲେ ସେମାନେ ସଭିଏଁ ମୋ ଆଖିରୁ ଲୁହପୋଛି ଦେଉଥିଲେ । ମୋତେ ଲାଗୁଥିଲା ମାରନ୍ତୁ ପଛେ ସେମାନେ ସବୁ ମୋ ନିଜର । ମୁଁ ଭୁଲି ଯାଉଥିଲି ମନର ବେଦନା । ମୋତେ ଧୀରେ ସ୍ଥିରେ ବୁଝାଇବାକୁ ଚେଷ୍ଟା କରୁଥିଲେ, ପୁଅପିଲାଙ୍କ ଭଳି ଚାଲି ଚଳନି ଆପଣେଇବା ପାଇଁ । ମୁଁ ସଚେତନ ଘଣ୍ଟାଏ ଅଭିନୟ କଲାପରେ ଯେଉଁ କଥାକୁ ସେଇ କଥା ହୋଇ ଯାଉଥିଲା ।

ବାହାର ଅବସ୍ଥା ଅଧିକ ଜଟିଳ ଥିଲା । ଟାହି ଟାପରାର ପରିମାଣ ବଢି ବଢି ଚାଲିଥିଲା । ମୁଁ ପାଲଟି ଯାଇଥିଲି ସେମାନଙ୍କ ପାଇଁ ଏକ ମଜାଦାର ଆଲୋଚନା ଅବା ଚିଡିଆଖାନାର ଅଜବ ଜନ୍ତୁ । ସେହି କଅଁଳ ବୟସରୁ ବି ମୁଁ ବୁଝି ସାରିଥିଲି ମୁଁ ନିରାପଦରେ ନାହିଁ, ଟାହି ଟାପରା ମାନସିକରୁ ଶାରୀରିକ ହେବା ଆରମ୍ଭ କରିଥିଲା । ମୁଁ ବୁଝି ସାରିଥିଲି ସମାଜଟି ବିଭତ୍ସ ଓ ଜଘନ୍ୟ । କ୍ରମେ ମୋ ଭରସା ତୁଟି ଯାଉଥିଲା ଛୋଟିଆ ଗାଆଁର ସବୁ ଚିହ୍ନାମୁଁହଙ୍କ ଠାରୁ ।

ଏଣୁ ଯନ୍ତ୍ରଣା ମଧ୍ୟରେ ବି ମୋ ଘର ମୋ ପାଇଁ ଥିଲା ନିରାପଦ । ସଂଧ୍ୟା ନଇଁବା ମାତ୍ରେ ଭୟରେ ମୁଁ ଦୌଡି ଆସୁଥିଲି ଘରକୁ। ମୁଁ ସବୁଥିରୁ ନିଜକୁ ଦୂରେଇ ଆଣି ଘରପଶା ପୁସ୍ତକ କୀଟ ହୋଇଗଲି । ପାଠ ଓ ପାଠ ବାହାରର ଯାହାମିଳିଲା ପଢି ଚାଲିଲି । ଆଜିି ମଧ୍ୟ ବୁଝିପାରେନି, କେଉଁ ବିଶିଷ୍ଟ ଶକ୍ତି ଜ୍ଞାନ ଆଲୋକ ଦିଗରେ ଅଡେଇନେଲା ମୋତେ ।

ସମସ୍ତେ କହନ୍ତି ମୋର ବୁଦ୍ଧି ଓ ସ୍ମରଣ ଶକ୍ତି ଥିଲା ପ୍ରଖର । ମେଧାବୀ । ଶିକ୍ଷକମାନେ ବାପାଙ୍କୁ କହିଲେ ମୋ ଦାୟିତ୍ୱ ଠିକ୍ ହିସାବରେ ନେଲେ, ମୁଁ କାଳେ ବଡ ହେଲେ ଯାହା ଚାହିଁବି ତାହା କରିବି । ମୋ ପାଇ ବିଚଳିତ ମୋ ପରିବାର ଲୋକେ ତଥାପି କିଛି ମାତ୍ରାରେ ଗର୍ବ ଅନୁଭବ କରୁଥିଲେ । ବୃତ୍ତି ପରେ ବୃତ୍ତି ପାଇବାରୁ ଆମ ବହଳଦା ବ୍ଲକରେ ବି ମୋ ପରିଚିତି ବଢିଲା କେବଳ ସେତିକି ନୁହେଁ ମୋ ମଧ୍ୟରେ ଚିତ୍ରକଳା ପାଇଁ ଥିଲା ବିଶେଷ ଆଗ୍ରହ । ସେଥିରେ ମୋ ଭାଇ ଭଉଣୀମାନେ ମୋତେ ଖୁବ୍ ଉତ୍ସାହିତ କରୁଥିଲେ । ମୁଁ ବୁଝି ପାରୁଥିଲି, ସମସ୍ତେ ଚାହୁଁଛନ୍ତି ମୁଁ ଘର ମଧ୍ୟରେ ବନ୍ଦୀ ରହି ପାଠ ପଢେ ଓ ଚିତ୍ର ଆଙ୍କେ । ବାହାରେ କେହି ନକହନ୍ତୁ ରଘୁ ପ୍ରଧାନ ପୁଅଟା ମାଇଚିଆ । ଏ ଦୁଇଟି କାମରୁ ବିରତ ରହି ମୁଁ କେବେ କେବେ ଭଉଣୀ ମାନଙ୍କ ଫ୍ରକ୍ ପିନ୍ଧିଲେ ବା ସଜେଇ ହେଲେ ସୃଷ୍ଟି ହେଉଥିଲା କଳି ଓ ଅତ୍ୟାଚାର ।

ମୁଁ ଭାବୁଥିଲି, ହେଉ ହେଲା କେତେ ଦିନ ଅଟକାଇବ ଅଟକାଅ । ମୁଁ ପାଠ ପଢିବି, ବଡ ଚାକିରି କରିବି; ହଜାର ହଜାର ଫ୍ରକ ଆଣି ପିନ୍ଧିବି । କେତେ ଲିପଷ୍ଟିକ୍‌, ପାଉଁଜି, ରିବନ କିଣିବି । ଏମାନେ ସବୁ ମୋଠୁ ନେବାକୁ ବିକଳ ହେବେ । ଅବଶ୍ୟ ମୁଁ ସେମାନଙ୍କୁ ଦେବି, ଦେବା ଭଲ । ଛୋଟ ପିଲା ଥିଲି ନା, ଏମିତି ଚୁଲୁବୁଲିଆ କଥା ଭାବୁଥିଲି ।

ମୋ ପାଖରେ ଆଉ କିଛି ଉପାୟ ନଥିଲା, ମୁଁ ମନଯୋଗ ଦେଲି ପାଠ ଓ ଚିତ୍ରାଙ୍କନରେ । ସୁଯୋଗ ମିଳିଲା ମାତ୍ରେ ଲୁଚିଲୁଚି ନିଜକୁ ଝିଅ ଭଳି ସଜାଇ ଅଇନାରେ ଦେଖୁଥିଲି, ଆଉ କାହାକୁ ଦେଖାଇବାର ମନଟି ମାରି ଦେଉଥିଲି । ମୁଁ ମୋ ନାନୀ ମାନଙ୍କ ଭଳି ଖୁବ୍ ସୁନ୍ଦର ଦିଶୁଛି ବୋଲି ଭାବୁଥିଲି ।

ଆମ ବିଦ୍ୟାଳୟର ଶିକ୍ଷକମାନେ ମୋତେ ବହୁତ ଉତ୍ସାହ ଦେଉଥିଲେ, ବିଶେଷ କରି ସୁଦାମ ସାର୍ । ଯେତେବେଳେ ଯାହା ପାଠ ପଚାରିଲେ ବୁଝାଇ ଦେଉଥିଲେ । ମୋ ଦୃଷ୍ଟାନ୍ତ ଅନ୍ୟପିଲାଙ୍କୁ ଦେଲେ ମନଟି ଖୁସି ହୋଇ ଯାଉଥିଲା । ମୋ ଶ୍ରେଣୀର ପିଲାଏ ଆଉ ମତେ ଗାଆଁର ଅନ୍ୟ ପିଲାଙ୍କ ଭଳି ଚିଡାଉ ନଥିଲେ । ମୁଁ ବି ସପ୍ତମ ଶ୍ରେଣୀର ମନିଟର ହୋଇଥାଏ ।

ଆମ ବିଦ୍ୟାଳୟରେ ଓ ଗାଆଁରେ ଆଉ କୌଣସି ପିଲା ମୋଭଳିଆ ନଥାନ୍ତି; ମାନେ ଯାହାକୁ ସମସ୍ତେ ଚିଡାଇବେ ମାଇଚିଆ । ଆମ ଗ୍ରାମର ଜଣେ ବୟସ୍କବ୍ୟକ୍ତି ଲକ୍ଷ୍ମୀଧର ମଳିକଙ୍କୁ ସମସ୍ତେ ଡାକନ୍ତି ଲକ୍ଷ୍ମୀ ମାଇଚିଆ । କେବେ କେହି କହିବାର ଶୁଣିଥିଲି ମୁଁ କାଳେ ବଡ ହେଲେ ତାଙ୍କରି ଭଳି ହେବି । ମୁଁ ବୁଝିଥିଲି ଆମେ ଦିହେଁ ସମାନ, କୌଣସି ଭିନ୍ନ କିସମର । ସେ ଦିନେ ଆମ ବିଦ୍ୟାଳୟର ବଗିଚା କାମରେ ନିୟୋଜିତ ହୋଇଥାନ୍ତି । ମୁଁ ତାଙ୍କ ପାଖକୁ ଗଲି, ଭାବିଲି ସେ ବୋଧେ ମୋତେ ମୋ ବାବଦରେ ବୁଝାଇ ପାରିବେ । ସେ ମୋତେ ଚିହ୍ନିଥିଲେ । ମତେ କହିଲେ –ଆଲୋ ଝିଅ, ତୁ ରଘୁ ଝିଅଟି ।

ମୁଁ ତାଜୁବ୍ ହୋଇଗଲି । ପ୍ରଥମ ଥର ପାଇଁ କେହି ଜଣେ ମୋତେ ସଠିକ ସମ୍ବୋଧନ କଲେ ଯେମିତି । ମୋତେ ଖୁବ୍ ଖୁସି ଲାଗିଲା । ସେ କହିଲେ, - ତୁ ପାଠ ପଢ, ଏତେ ପଢିବୁ ଯେ ସରକାରୀ ଚାକିରି ଯେମିତି ତୋ ପଛରେ ଗୋଡାଇବ । ନଚେତ୍ ତୋ ଜୀବନ ବହୁତ କଷ୍ଟକର ହେବ ।

ମୁଁ ଜାଣେନି କାହିଁକି ମୋ ପାଟିରୁ ବାହାରି ପଡିଲା; ହଁ ମା ମୁଁ ତୁମ କଥା ମାନିବି । ତାଙ୍କ ଆଖି ଲୁହ ଛଳଛଳ ହୋଇଗଲା ବୋଧହୁଏ ଆନନ୍ଦରେ । ସେ ଆଉ ଗୋଟିଏ ପରାମର୍ଶ ବି ଦେଲେ । – ସଫଳତା ନପାଇଲା ପର୍ଯ୍ୟନ୍ତ ନିଜକୁ ଲୁଚାଇ ଦେ । ସପ୍ତମ ଶ୍ରେଣୀରେ ମୁଁ ଟିକେ ବୁଝିବାର ହୋଇ ଯାଇଥାଏ । ପଚାରିଲି, ଏହା କଣ ସମ୍ଭବ ? ଲକ୍ଷ୍ମୀ ମା କହିଲେ, - ନା ସମ୍ଭବ ନୁହେଁ, କିନ୍ତୁ ସଫଳତା ପାଇଲା ପର୍ଯ୍ୟନ୍ତ ଅଭିନୟ କର ।

ଏବେ ଭାବୁଛି, ହୁଏତ ତାଙ୍କ ମୁର୍ଖ ମୁଣ୍ଡରେ ଭାବୁଥିଲେ ସଫଳତା ଦୁଇ ଚାରି ବର୍ଷର କଥା । ମୁଁ ତାଙ୍କୁ ସମ୍ମତ୍ତି ଜଣାଇ ଚାଲି ଆସିଲି । ଆଜି ବି ବୁଝିପାରେନି ଏତେ ଛୋଟ ବୟସରୁ କେମିତି ମୋ ପାଟିରୁ ତାଙ୍କ ପାଇଁ ମାଆ ଡାକ ବାହାରି ଆସିଥିଲା, ଆମ ଘରେ ଓ ଗାଆଁରେ ବୋଉ ଡାକଟି ପ୍ରଚଳିତ ଥିବା ସତ୍ତ୍ୱେ । ନିଜକୁ ଖୋଜିବାରେ ଏହି ସାକ୍ଷାତ ମୋ ଜୀବନରେ ଥିଲା ପ୍ରଥମ ସଫଳତା ।

ବଡ ଭାଇ ଦୁଇ ଜଣ ହାଇସ୍କୁଲ ପରୀକ୍ଷାରେ ଫେଲ ହେଲା ପରେ ଚାଷ କାମରେ ଲାଗି ଗଲେ । ଏହା ଥିଲା ଆମର ଏକ ମାତ୍ର ବୃତ୍ତି । ନାନୀ ଦୁହେଁ ସପ୍ତମ ପରେ ପାଠରେ ଡୋରି ବାନ୍ଧିଥାନ୍ତି । କିଏ ଜଣେ ଥରେ କହିବାର ଶୁଣିଲି, ମାଇଚିଆ ହେଲେ କଣ ହେଲା ରଘୁ ପୁଅଟି ଖୁବ୍ ଆଗକୁ ଯିବ ।

ଏହି ସମୟରେ ଏକ ବରଦାନ ମିଳିଲା ମୋତେ । ଟାଟା କମ୍ପାନୀ ପ୍ରଥମ(ଓ ଶେଷ)ଥର ପାଇଁ ଏକ କଳା ବୃତ୍ତିର ଘୋଷଣା କଲା । ଓଡିଶାର ଦୁଇ ଜଣ ଛାତ୍ରଛାତ୍ରୀଙ୍କ ପାଇଁ । ସେ ବୃତ୍ତିର ପରିମାଣ ଖୁବ୍ ଭଲ । ସୁଦାମ ସାର ଓ ଅନ୍ୟ ଶିକ୍ଷକ ମାନେ ସେ ପାଇଁ ମୋତେ ପ୍ରସ୍ତୁତ କରାଇଲେ । ମୁଁ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଆମ ଅଞ୍ଚଳରେ ଚହଳ ପକାଇ ଦେଲି ।

ଆମ ଘରେ ଖୁବ୍ ଖୁସି ହେଲେ । ତେବେ, ସେମାନଙ୍କ ସନ୍ଦେହ ଥିଲା, ଘର ଛାଡି ସୁଦୂର ରାଜଧାନୀରେ ମୁଁ ରହିପାରିବି ତ! ଭାଇ ଓ ନାନୀମାନେ ମୋତେ କହିଲେ ଯେ ସେଠାରେ ଛାତ୍ରାବାସରେ ରହିବାକୁ ପଡିବ କେବଳ ପୁଅ ମାନଙ୍କ ଗହଣରେ, ସମ୍ଭବ ତ ଟିକୁ! ମୋ ସହୋଦର ମାନେ ମୋତେ ବୁଝିବାରେ ସମର୍ଥ ଥିଲେ । ସେମାନେ ମୋ ଚାଲିଚଳନ ବଦଳେଇବାକୁ ଉପଦେଶ ଦେଲେ ।

ଲକ୍ଷ୍ମୀ ମା ଠିକ୍‌ଏହି ପ୍ରକାର କଥା କହିଥିଲେ, ମୋତେ ଦୁଃଖ ବଦଳରେ ଆନନ୍ଦ ଲାଗିଥିଲା । ଏମାନେ ମୋ ନିଜର, ଏମାନଙ୍କ କଥାରେ ଦୁଃଖ କରିବି କିଆଁ!

ହଁ ପାରିବି । ସେଦିନ ଅପରାହ୍ନରେ ଆମ ଗାଁ ମହୁଲକୁସୁମର ପଶ୍ଚିମ ଦିଗନ୍ତରେ ଥିବା ବିଶାଳ ଖେଳ ପଡିଆରେ, ପୁଅ ପିଲାଙ୍କ ସହ ଫୁଟବଲ ଖେଳିବା ଆରମ୍ଭ କଲି । ମୋ ଅଭିନୟ ଆଣିିଦେଲା ମୋ ପରିବାରରେ ଅପୂର୍ବ ଆନନ୍ଦ । 

ଆଜି ଭାବେ, କିନ୍ତୁ ସେବେ ମୁଁ ଜାଣି ନଥିଲି ଦିନ କେଇଟାରେ ମୁଁ ରାଜଧାନୀକୁ ପଢିବାକୁ ଚାଲିଗଲା ପରେ ଗାଁଆକୁ ଖାଲି ଝୁରି ହେବା ସାର ହେବ । ଯେଉଁ ପଥ ମୋ ଗାଆଁରୁ ମୋତେ ଆଗକୁ ବାଟ କଢେଇଲା ସେଇଟି କେବଳ ପ୍ରସ୍ଥାନର ପଥ । ତାପରେ ମଣିଷ ନୂଆ ନୂଆ ଦାୟିତ୍ୱରେ ଛନ୍ଦି ହୋଇଯିବ । ଲେଉଟାଣି ହେବ ଅସମ୍ବବ । ହଁ, ଏକଥା ଆଜି ସିନା ଭାବୁଛି ସେତେବେଳେ ତ ମୁଁ ଛୁଆ, ବାଳୁତର ଶେଷ ସୋପାନରେ । ସମସ୍ତ ଗୁରୁ ଗୁରୁଜନଙ୍କ ପାଦଧୂଳି ନେଇ ଦିନେ ମୁଁ ଚାଲିଲି ଭୁବନେଶ୍ୱର । ସଫଳତାର ଅନନ୍ଦ ଓ ମୋତେ ଚିଗୁଲାଉ ଥିବା ସମାଜରୁ ବିଦାୟର ଆନନ୍ଦ ସତ୍ତ୍ୱେ ମୋତେ ଖୁବ୍ ଦୁଃଖ ବି ଲାଗୁଥିଲା ।

(ପ୍ରଥମ ଅଧ୍ୟାୟରେ ସୁମନ ଜଣେ କିନ୍ନର ଛାତ୍ର କଳାରେ ବୃତ୍ତି ପାଇ ସୁଦୂର ମୟୂରଭଞ୍ଜର ମହୁଲକୁସୁମ ଗ୍ରାମରୁ ଭୁବନେଶ୍ୱର ଆସିଛି ରାଜଧାନୀ ଉଚ୍ଚ ବିଦ୍ୟାଳୟରେ ପଢିବା ପାଇଁ, ପ୍ରଥମ ଭାଗ ଆଗେ ପଢନ୍ତୁ। ଦ୍ବିତୀୟ ଓ ତୃତୀୟ ଅଧ୍ୟାୟ କ୍ଷୁଦ୍ର ଥିବାରୁ, ଏକତ୍ର ପ୍ରସାରଣ କରୁଛି)

ରାଜଧାନୀ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ଥାଆନ୍ତି ତେୟାଳିଶ ଜଣ ଛାତ୍ର । ଚିତ୍ର ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଛାତ୍ର ମାୟାଧର ବଳିଆରସିଂ ସହ ମୋତେ ଗୋଟିଏ ପ୍ରକୋଷ୍ଠ ମିଳିଲା । ବିଦ୍ୟାଳୟଟି କେବଳ ପୁଅ ପିଲାଙ୍କ ପାଇଁ । ମୋ ମନରେ ପ୍ରଶ୍ନ ଆସିଲା ଯଦି ଏ ବୃତ୍ତି‌ ଜଣେ ଝିଅ ପିଲାକୁ ମିଳିଥାନ୍ତା ତାହେଲେ ସେ କେଉଁ ବିଦ୍ୟାଳୟରେ ପଢିଥାନ୍ତା? ସେହି ସ୍କୁଲଟି ମୋ ପାଇଁ ବି ଠିକ୍ ହୋଇଥାନ୍ତା ବୋଧେ । ମୁଁ କିନ୍ତୁ ସେହି ଗୋଟିଏ କଥା ମନରେ ରଖିଥାଏ, ମୋତେ ଅଭିନୟ କରିବାକୁ ପଡିବ । ମୁଁ ସବୁବେଳେ ନିଜକୁ ପାଠ ଓ ଚିତ୍ରାଙ୍କନରେ ବ୍ୟସ୍ତ ରଖିଲି । ପୁଣି ଚୁପଚାପ୍ ଯାଇ ଫୁଟବଲ୍ ଖେଳି ଫେରିଆସେ । ବିଶେଷ କଥା ଭାଷା କାହା ସହ କରେନି । ସମସ୍ତେ ମୂଳରୁ ଭାବିନେଲେ ମୁଁ ସେମିତି ମିଶାଣିଆ ନୁହେଁ । ମୁଁ ବି ବହୁତ ଭୟରେ ରହୁଥିଲି । ଲାଗୁଥିଲା ଏତେ ପୁଅ ପିଲାଙ୍କ ସହ କେମିତି ରହିବି । ଏକଥା ବଡ କଷ୍ଟ, ସମସ୍ତଙ୍କ ସହ ମିଶିବା ଯେମିତି ମୋର ସ୍ୱଧର୍ମ ମନେ ହେଉଥିଲା, କିନ୍ତୁ ସେ ଇଛାକୁ ଜୟ କରିଯାଉଥିଲି । ମୋ ବୋଉ ଓ ନାନୀମାନଙ୍କ କଥା ବହୁତ ମନେ ପଡୁଥିଲା । ବିଦ୍ୟାଳୟରେ ଜଣେ ମଧ୍ୟ ଶିକ୍ଷୟତ୍ରୀ ନଥିଲେ ।  ପୁଣି ଭାବୁଥିଲି, ଝିଅ ପିଲା ବା ଶିକ୍ଷୟତ୍ରୀ ଥିଲେ ମୋର ବା କି ଲାଭ? ମୁଁ ସାରା ସଂସାରରେ ଯେମିତି ଏକୁଟିଆ । ଯେଉଁ ଜଣକ ମୋ କଥା ବୁଝି ପାରିଥାନ୍ତେ ସେ ମୋ ଗାଆଁରେ ଅଛନ୍ତି; ଲକ୍ଷ୍ମୀ ମା ।

ଚିତ୍ରକଳା ଶିକ୍ଷକ ଶ୍ରୀଯୁକ୍ତ ଜଗବନ୍ଧୁ ନାୟକ ପ୍ରଥମ କରି ଏମିତି ଦୁଇ ଜଣ ଛାତ୍ର ପାଇ ବେଶ୍ ଖୁସି ଥିଲେ । ଯେମିତି କେବଳ କଳା ନୁହେଁ, ଆମର ପୁରା ପାଠର ଦାୟିତ୍ୱ ତାଙ୍କ ଉପରେ । ସବୁ ବିଷୟରେ ତାଙ୍କର ଦକ୍ଷତା ଥିଲା । ଆମକୁ କୌଣସି ଟିଉସନର ଆବଶ୍ୟକତା ନଥିଲା । ଅତ୍ୟନ୍ତ ସ୍ନେହୀ ଥିଲେ ଜଗବନ୍ଧୁ ସାର୍ । ମନେ ହୋଇଥିଲା ସେ ଆମ ଗୁରୁ, ଆମ ବାପା ଓ ମାଆ ମଧ୍ୟ ।

ମାୟାଧର ଜଣା ପଡୁଥିଲା ବୟସରେ ବଡ । ସେହି ଅଷ୍ଟମ ଶ୍ରେଣୀରେ ତାହାର ନିଷ ଦାଢି ଉଣା ଅଧିକେ ଉଠିଥିଲା । ସେ ବଡ ଶ୍ରେଣୀର ପିଲା ଭଳି ଦେଖା ଯାଉଥିଲା । ଡେଙ୍ଗା ଓ ସୁଠାମ ଥିଲା ତା ଗଠନ, ଦେଖିବାକୁ ଖୁବ୍ ସୁନ୍ଦର । ସେ ବି ଭଲ ପାଉଥିଲା ରୁମରେ ରହି ଏକୁଟିଆ ନିଜ କାମ କରିବା ପାଇଁ । ଯାହା ଜଣା ପଡୁଥିଲା ପାଠରେ ସେ ଭାରି ପଛୁଆ । କିନ୍ତୁ ଚିତ୍ରକର ଭାବେ ସେ ଥିଲା ଅସମ୍ଭବ ଭାବେ ଦକ୍ଷ । ନିମିଷେକ ପାଇଁ ଦେଖିଲେ, ଅବିକଳ ଯେ କୌଣସି ଚିତ୍ର ଆଙ୍କି ପାରୁଥିଲା ସେ । କଳ୍ପନାରୁ ଆଙ୍କୁଥିଲା ଅଦ୍ଭୁତ ଚିତ୍ରାବଳୀ । ମୋ କଥା ଛାଡ, ଜଗବନ୍ଧୁ ସାର ବି ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ । କେବଳ ଚିତ୍ର ନୁହେଁ, ଭଳିକି ଭଳି ମୂର୍ତ୍ତି ଗଢିବା, ପଥରରେ କମକୁଟ ଚିତ୍ର ଖୋଦେଇ କରିବା  ଓ ପ୍ରତିମା ତିଆରି କରିବା, କାଲିଗ୍ରାଫି ଲେଖିବା ଓ ଟିକିଟିକି ଚିତ୍ର କରିବା ତା ପାଇଁ ଥିଲା ସହଜ । ବିଭିନ୍ନ ରଙ୍ଗର ମିଶ୍ରଣରେ ତା ଚାହୁଁଥିବା ରଙ୍ଗ ତିଆରି କରି ପାରୁଥିଲା ସେ । କଳାର ପ୍ରତି କ୍ଷେତ୍ରରେ ତାହାର ସହଜାତ ଦଖଲ ଥିଲା । ସେ ଛାତ୍ର ନୁହେଁ ମାଷ୍ଟର ଆର୍ଟିଷ୍ଟ ଥିଲା ଯେମିତି ।

ଜଗବନ୍ଧୁ ସାର ଏକୁଟିଆ ମୋତେ କହିଥିଲେ, -ଦେଖ ସୁମନ ମୁଁ କିମ୍ବା ତୁ ମାୟାଧର ହୋଇ ପାରିବା ନାହିଁ । ତାଠୁ ଶିଖିବୁ । ତାକୁ ଈର୍ଷା କରିବୁ ନାହିଁ । ସେ ସାଧାରଣ ନୁହେଁ ଅସାଧାରଣ । ପ୍ରଥମରୁ ତାହାର ଏକ କଳାକୃତିରେ ସେ ଦେଖାଇଥିଲା ବାଦୁଡିଟିଏ ରାତିରେ ପିଜୁଳି ଖାଉଛି । ଲାଗୁଥିଲା ସତେ ଅବା ପୁନେଇର ରାତି, ବାଦୁଡିଟି ଦିଶୁଛି ଭିଜା ଜହ୍ନରେ ସ୍ପଷ୍ଟ । ଜଗବନ୍ଧୁ ସାର ସେ କୃତିକୁ ଦେଖି ଖୁସିରେ କାନ୍ଦି ପକାଇଲେ । ତାହା ମାତ୍ର ଆରମ୍ଭ ଥିଲା ।

କିନ୍ତୁ ପାଠର ଦାୟ ଧାର ଧରୁ ନଥିଲା । ମୁଁ ଚେତେଇ ଦେଲେ ମୋଠୁ କିଛି ବୁଝୁଥିଲା ଓ ଆଉ କିଛି ଗୃହ ପାଠ ଟିପି ନେଉଥିଲା । ମୋ ଠାରେ ତଥାପି କିଶୋର ଭାବନା ଉଦ୍ରେକ ହୋଇ ନଥାଏ । ତା ସହ ଗୋଟିଏ ରୁମରେ ରହିବାକୁ ମୋ ମନରେ ମିଶ୍ର ପ୍ରତିକ୍ରିୟା ଆସୁଥିଲା । ଭଲ ଲାଗୁ ନଥିଲା କିନ୍ତୁ ମୁଁ ବିଚଳିତ ନଥିଲି । ଭାବୁଥିଲି ମୁଁ ନରହିଲେ ସେ ପାଠ କେମିତି କରିବ! ନିଜକୁ ବୁଝାଇ ଦେଉଥିଲି, ସେ ଗୋଟେ ମୋର ଭାଇ । ବହୁତ ସୁରକ୍ଷିତ ଲାଗୁଥିଲା ତା ପାଇଁ । ପୁଣି କେବେ କେବେ ଲାଜ ଲାଗୁଥିଲା । ଅବଶ୍ୟ ଆଜି ମୁଁ ଭାବୁଛି, ଆମେ ଉଭୟଙ୍କ ଆବଶ୍ୟକତାରୁ ପରସ୍ପର ପରିପୁରକ ଭାବେ ଚଳିବା ପାଇଁ ଏମିତି ବ୍ୟବସ୍ଥା ଭଗବାନ କରିଥିଲେ ।

ସେ ଥିଲା ଏକ ଆଭିଜାତ୍ୟ ପରିବାରର ଜଣେ ବିଧବା ମାଆଙ୍କ ଏକମାତ୍ର ସନ୍ତାନ । ମାଅଙ୍କୁ ଝୁରି ହେଉଥିଲା । ତା ଚିତ୍ର ବାଦ କିଛି କାମ ତାକୁ ଜଣା ନଥିଲା, ଗେହ୍ଲା ପୁଅ । ତାଙ୍କ ଗ୍ରାମ ପାଇକାଳୀ ଖୁବ୍ ଦୂର ନଥିଲା, ସେହି ଖୋର୍ଦ୍ଧା ଜିଲ୍ଲାରେ । ମାଆ ଅନେକ ଥର ଆସି ବୁଲିଯାଉଥିଲେ । ଆମ ପାଇଁ ଢେର ଖାଦ୍ୟ ଜିନିଷ ଆଣୁଥିଲେ, କେଉଁଟି ସେହି ଦିନ ଖାଇବା ଜିନିଷ, ଆଉ କିଛି ଦୁଇ ଚାରି ଦିନ ରଖି ହେବ ଏବଂ କିଛି ରଖି ହେବ ଲମ୍ବା ସମୟ; କେତେ ହାତଗଢା ପିଠା ମିଠା ଓ ଇତ୍ୟାଦି, ଫଳ, ବିସ୍କୁଟ, ଚେନାଚୁର, ଚୁଡା, ମୁଢି, ଉଖୁଡା ଓ କେତେକଣ । ଆମେ ଦୁହେଁ ଯେତେ ଖାଇଲେ ମଧ୍ୟ ସରିବା ପୂର୍ବରୁ ପୁଣି ଆଣି ଆସୁଥିଲେ । ମାୟାଧରର ମଇଳା ପୋଷାକ ତକ ନେଇ ଯାଉଥିଲେ ଓ ସଫା ପୋଷାକ ଦେଇ ଯାଉଥିଲେ । ଅସଲ କଥା ହେଲା ପୁଅକୁ ନଦେଖିଲେ ତାଙ୍କ ମନ ହା ହୁତାଶନ ହୋଇ ଯାଉଥିଲା । ସେ ମୋତେ କହୁଥିଲେ, -ତୁ ବି ମୋର ଗୋଟିଏ ପୁଅ, ତୁମ ଘର ଏତେ ଦୂର, ତୁ ଛୁଟି ହେଲେ ଆମ ଘରକୁ ଚାଲି ଆସିବୁ ମାୟା ସାଙ୍ଗରେ । ମୋଠୁ ମାଆ ଡାକ ଆଦାୟ କରି ନେଇଥିଲା ତାଙ୍କ ସ୍ନେହ । 

ଦିନେ ପଚାରିଲି, - ମାଆ! ମାୟାଧର ଖାଇବାବେଳେ ମୁହଁ ବିଲିବିଲା କରି ଦେଉଛି, ଠିକ୍ ଭାବେ ଖାଇ ଜାଣୁନି, ଭାତକୁ ଛୋଟ ପିଲା ଭଳି ଥାଳି କଡକୁ ବାହି ଦେଉଛି । ଏଡେ ସୁନ୍ଦର ଚିତ୍ରକରର ଧାଡିସାଡି ଏମିତି ବଙ୍କା କାହିଁକି ହେଉଛି?

ମାଆ ହସିଲେ ଓ ତାପରେ କାନ୍ଦିଲେ । - ଦୁଷ୍ଟ ପିଲାଟା, ବାପା ଚାଲିଗଲେ, ବାପାକୁ ଚିହ୍ନି ନାହିଁ ସେ । ମୁଁ ଆଉ କଣ କରିଥାନ୍ତି! ଦୁନିଆର ସବୁ ସେନେହ ତାରି ଉପରେ ଅଜାଡି ପକାଇଲି । ଏଠିକୁ ଆସିଲା ପର୍ଯ୍ୟନ୍ତ ଦିନଟିଏ ହାତରେ ଖାଇ ନଥିଲା । ସେମିତି ଗୁମ୍‌ମାରି ବସିଥିବ । ନଖୋଇଲେ ଖାଇବ ନାହିଁ । ନଡାକିଲେ ତା ଚିତ୍ର ଅଙ୍କା ବନ୍ଦ ହେବ ନାହିଁ । କେତେ ଜାତିକା ଚିତ୍ର ଆଙ୍କୁଥିବ । ଆମ ପୂର୍ବ ପୁରୁଷଙ୍କ ତୈଳ ଚିତ୍ର ତିଆରି କରୁଥିବ । ତା ବାପାଙ୍କ ଖଣ୍ଡିଏ ଫଟୋ ପାଇଗଲା ଯେ ତାଙ୍କ ଭିନ୍ନ ଭିନ୍ନ ବୟସର ଛବିଗୁଡା ମନରୁ ଆଙ୍କିଦେଲା । ତା ରଙ୍ଗତୁଳୀ ଭଲ ତ ସିଏ ଭଲ । ମୁଁ କନ୍ଦାକଟା କଲେ ଯାଇ ବହି ଲେଉଟାଇବ । ହଁ ବାପା ସୁମନ, ଏ ଦୂରକୁ ଆସିବା ତା ପାଇଁ ଏକ ବରଦାନ । ଏଣିକି ସବୁ ଶିଖିବ । ଆଉ ପିଲାଙ୍କୁ ଦେଖି ପାଠ ପଢିବ । ତୁ ସବୁବେଳେ ତାକୁ ମନେ ପକାଇ ଦେଉଥିବୁ ପାଠ କଥା ।

ମତେ ଲାଗୁଥିଲା, ମାଆ ମୋ ଦାୟିତ୍ୱରେ ତାକୁ ଛାଡି ଯାଉଥିଲେ । ମତେ ଅହୁରି ମଧ୍ୟ ଲାଗୁଥିଲା, ଅକୁହା ଭାବରେ ମୁଁ ବି ଥିଲି ମାୟାଧର ଦାୟିତ୍ୱରେ । ଜାଣେନି ମୋ ଅଭିନୟ କେତେ ନିଖୁଣ ଥିଲା, କିନ୍ତୁ ମାୟାଧର କେବେ ମୋତେ ସଚେତନ କରୁନଥିଲା କି; ସୁମନ ତୁ ଏମିତି ଚାଲ, ସେମିତି ରଙ୍ଗଢଙ୍ଗ ହୋ’ନି, ଆଖିରେ କଜ୍ଜ୍ୱଳ ଲଗାନି ।

କଜ୍ଜ୍ୱଳ ଲଗାଇବା ଥିଲାମୋ ଅଭିନୟର ଏକ ମାତ୍ର ବ୍ୟତିକ୍ରମ । ଥରେ ମାଆଙ୍କୁ କହିଥିଲି, -ମାଆ, ମୋ ବୋଉ କହେ କଜ୍ଜ୍ୱଳ ଲଗାଇଲେ ଆଖି ଥଣ୍ଡାରହେ । ଘିଅ ଦୀପରୁ ସେ କଜ୍ଜ୍ୱଳ ତିଆରି କରେ ।

ମାଆ ସତ ମଣିଲେ, ପର ଥର ମୋ ପାଇଁ ତାଙ୍କ ହାତ ତିଆରି କଜ୍ଜ୍ୱଳ ଆଣିଦେଲେ । 

ମୁଁ ଲଗାଇଲେ ମାୟାଧର କିଛି କହେନି । ସେ ନକହୁଥିବାରୁ କିମ୍ବା ସମସ୍ତେ ଅଭ୍ୟସ୍ତ ହୋଇ ଯାଇଥିବାରୁ ଏ କଥା ନଜର କରି ପାରୁ ନଥିଲେ । ମତେ ଖୁବ୍ ଭଲ ଲାଗେ । ଅନ୍ୟଥା ମୋ ଅଭିନୟ ଥାଏ ନିଖୁଣ ଯାହା ମୋ ଅସଲି ପରିଚୟକୁ ଲୁଚାଇ ଦିଏ ବୋଲି ମୁଁ ସେବେ ଭାବୁଥିଲି, ଆଜି ସେମିତି ଭାବୁନି ଅବଶ୍ୟ । ମୋ ଇଛା ଥାଉକି ନଥାଉ ଫୁଟବଲ ଖେଳେ । ତହିଁରେ ବି ମୁଁ ସରସ ଥାଏ । ଓଡିଶାର ଝିଅ ମାନେ ଭାରତୀୟ ମହିଳା ଫୁଟବଲ ଦଳରେ ସାମିଲ ହୋଇଥାନ୍ତି, ମୋତେ ଲାଗୁଥିଲା ମୁଁ ବି ପାରିଥାନ୍ତି । କିନ୍ତୁ ନା ମୁଁ ତ ସେ କୁଳରେ ନୁହେଁ । ସେ ସମୟରେ ଏକ ଗୀତ ବାଜୁଥିଲା, ଦିନରେ ମଳୟ ଆମେ ରାତିରେ ମାଳତୀ.....ହଇରେ ବିଧାତା ତୁ ଏ କି କଲୁ । ମତେ ଖୁବ୍ ଚିଡି ଲାଗୁଥିଲା ସେ ଗୀତ ବାଜିଲେ । ଦିନରେ ହେଉ କି ରାତିରେ ସବୁବେଳେ ମୁଁ ମୋ ଭଳିଆ, ଆମ ଗାଆଁରେ ଆଉ ଜଣେ ଅଛି ମୋ ଭଳିଆ, ସେ ଲକ୍ଷ୍ମୀ ମା । ମନେ ମନେ ଭାବିଲି, ନା, ମୁଁ କେବେ ବିଧାତାକୁ; ଏ କି କଲୁ ବୋଲି ପ୍ରଶ୍ନ କରିବି ନାହିଁ । ମୋ ପାଇଁ ଟାଟା କମ୍ପାନୀର ବୃତ୍ତି ଥିଲା ବିଧାତା । ସମସ୍ତ ଖର୍ଚ୍ଚ ଭରଣା କଲାପରେ ମଧ୍ୟ ହାତ ଖର୍ଚ୍ଚ ମିଳୁଥିଲା ମାସକୁ ପନ୍ଦର ଟଙ୍କା । ଖର୍ଚ୍ଚ କରିବାର ଉପାୟ ନଥିଲା । ଦିନେ ମାଆଙ୍କ ପାଇଁ କିଣି ଆଣିଥିଲି ଅଠର ଟଙ୍କାରେ ସୁନ୍ଦର ହଳେ ଚପଲ । ମାଆ ଖୁସି ହେଲେ ବୋଲି ବୁଝିଲି । ମାଆଙ୍କ ପୁରୁଣା ଚଟି ଆମ ରୁମରେ ରହିଗଲା, ମୁଁ ବି ଖୁସ୍ ।

ସତରେ କଣ ମୋର ପରିଚୟ ଲୁଚିଯାଏ? ଅନ୍ୟ କୌଣସି ଅନ୍ତେବାସୀର ଦେହ ପା ଖରାପ ହେଲେ ମୋ ମନ ବିଚଳିତ ହୁଏ, ତା ମାଆଠୁ ସେ ବି ଦୂରରେ ଅଛି ମୋ ଭଳିଆ, କେତେ କଷ୍ଟ ପାଉଥିବ ବିଚରା । ନିଜକୁ ରୋକି ପାରେନା, ତା ସେବାଯତ୍ନ କରିବାକୁ ପହଞ୍ଚି ଯାଏ । ସାଙ୍ଗମାନେ ମୁଣ୍ଡ ବିନ୍ଧୁଥିଲେ ଅମୃତାଞ୍ଜନ ଧରି ମୋ ପାଖରେ ହାଜର ହୁଅନ୍ତି ।  ସମସ୍ତେ ଓ ସମସ୍ତଙ୍କ ପରିବାର ତଥା ଆମ ଛାତ୍ରାବାସର ଅଧୀକ୍ଷକ ମୋର ଏହି ବ୍ୟବହାରକୁ ପ୍ରଶଂସା କରନ୍ତି । ମୋ ପଛରେ କେହି କିଛି କଥା ହେଉଥିବାର ମୋର ସନ୍ଦେହ ଧୀରେ ଧୀରେ ଦୂର ହୋଇଯାଏ ।  ମୋ ପରିସ୍ଥିତି ସହ ମୁଁ ସୁଖରେ ସହାବସ୍ଥାନ କରିଥାଏ । ସାଥୀ ଯାହାର ମାୟାଧର, କିବା ତା ଦୁନିଆକୁ ଡର । 

ମାୟାଧର ଆମ କୋଠରୀରେ କିଛି କରେନି । ସେ ତ ଥାଳି ଧୋଇବ ଯେ ଅଇଁଠା ଲାଗିଥିବ । ମୁଁ ଆଉଥରେ ଧୋଇଦିଏ ତା ଥାଳି । ମୁଁ ନ ଓଳାଇଲେ ଘର ସେମିତି ପଡିଥାଏ । ଘରଟିର ସାଜସଜା ଦେଖି ଅନ୍ୟ ପିଲାଏ ଭାବନ୍ତି; ଦୁହେଁ କଳାକାର ଯେହେତୁ କୋଠରୀକୁ ବି ସେମିତି ରଖିଛନ୍ତି । ମୁଁ ବାହାଦୁରୀ ଦେଖାଇ କହିବାର ଅବକାଶ ନଥାଏ, ତା ଚିତ୍ରାଙ୍କନ ଭଲ ତ ମାୟାଧର ଭଲ, ଆଉ ତା ବାଦ ସେ କିଛି ଜାଣେନି । ଅସନା ଲୁଗା ଓ ମୋଜା ମୋତେ ଖୁବ୍ ବିରକ୍ତ ଲାଗେ । ଝାଳ ଗନ୍ଧ ମୁଁ ସହି ପାରେନା । ବିଶେଷ କରି ମାୟାଧରର ଝାଳ ଗନ୍ଧ ଉତ୍କଟ ଜଣାପଡେ । ମୁଁ ପ୍ରତିଦିନ ଆମ ଉଭୟଙ୍କ ଲୁଗାପଟା ଭୋର ସମୟରେ ସଫା କରିଦିଏ । ସେ ପ୍ରଥମେ ମୋତେ ବାରଣ କରୁଥିଲା ଏତେ ସବୁ କରିବାକୁ । ପରେ ତା ଦେହସୁହା ହୋଇଗଲା । କହେ, - ଯା କରୁଛୁ କର, ତୁ ଆଉ କେଉଁ ପର କି? ମାଆ ଖୁସି ହୁଅନ୍ତି କି ମାୟାଧର ଏଣିକି ନିଜ କାମ ନିଜେ କରି ଶିଖିଲାଣି । ଅସଲ କଥା ମୁଁ ତ କହେନି, ମାୟା ବି ଭୁଲିଯାଏ କହିବାକୁ । ସେ ଏକ ଅନ୍ୟ ଜଗତର ମଣିଷ ।

ଥରେ ମାଆ ଦେଇ ଯାଇଥିଲେ  ନଡିଆ-କୋରା, ବାଡି କଦଳୀ ଓ ଛେନା । ମୁଁ ଚୁଡା ସହ ଚକଟି ଥାଏ ଏସବୁ । ଖୁବ୍ ସ୍ୱାଦିଷ୍ଟ ହୋଇଥାଏ । ମୋ ଖିଆ ସରିଲା ପର୍ଯ୍ୟନ୍ତ ସେ ଆରମ୍ଭ କରି ନଥାଏ । ନିମଗ୍ନ ଥାଏ ଏକ ଅତି ସୁନ୍ଦର ଅଙ୍କନରେ । ଜଣେ କଳାକାର ହିସାବରେ ମୁଁ ବୁଝି ସାରିଥାଏ, ମାୟାର ଏକାଗ୍ରତାର ଗୁରୁତ୍ୱ । ଏପଟେଏଡେ ସୁସ୍ୱାଦୁ ଜଳଖିଆ ଫୁଲିଯିବ, ଆଉ ଭଲ ଲାଗିବ ନାହିଁ । ମୁଁ ତା ଡାହାଣ କଡରେ ଠିଆ ହୋଇ ଧୀରେ ଧୀରେ ତାକୁ ଖୁଆଇ ଦେଲି । ମନେହେଲା ଛୋଟ ପିଲାଟିଏ ଯେମିତି କେଉଁ କଥାରେ ଭୁଲିଯାଇ ମାଆ ହାତରୁ ଖାଇ ଚାଲିଛି ନିଜ ଅଜାଣତରେ । ସେ ଆଁ କରି ଦେଉଛି ମୁଁ ଖୋଇ ଦେଉଛି । ସେ ତା କଳାରେ ବିଭୋର ହୋଇଯିବା ମୋ ପାଇଁ ଆଉ ଆଶ୍ଚର୍ଯ୍ୟ କିଛି ନଥିଲା । କିନ୍ତୁ ଅତିଶୟ ଆଶ୍ଚର୍ଯ୍ୟ କରୁଥିଲା ମୋ ନିଜ ମନର ଆନନ୍ଦ । ବିନ୍ଦୁଏ ବି ଖାଦ୍ୟ ନଷ୍ଟ ହେଲାନି । ମୋ ଆଙ୍ଗୁଳି ଚାଟି ସଫା କରିଦେଲା । ମୁଁ ଏକ ସଫା ଗାମୁଛା ନେଇ ତା ମୁହଁ ପୋଛି ଦେଲି ।

ଜୀବନ ସାରା ଏ କଥା ଦେଇଛି ମୋତେ ପ୍ରଚୁର ଆନନ୍ଦ । ସତେ ଅବା ମୁଁ ସେଦିନ ସେ ଛୋଟ ବୟସରେ ପାଲଟି ଯାଇଥିଲି ଯଶୋଦା, ଖୋଇ ଦେଉଥିଲି ସ୍ୱୟଂ ମାୟାଧର ବାଳଗୋପାଳକୁ ।

ସେଦିନର ଚିତ୍ରଟି ଥିଲା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ଯାହାକୁ ବୁଝିବାକୁ ମୋତେ ବହୁ ବର୍ଷ ଲାଗିଥିଲା । ସେତେବେଳେ ଯାହା ବୁଝିଥିଲି ତାହା ବି ଥିଲା ଚମତ୍କାର । ଜଳ ପ୍ରପାତଟି ସୁଉଚ୍ଚ, ଏହାର ବାମ କଡରେ ସ୍ୱଛନ୍ଦରେ ଚରୁଛନ୍ତି ପୁଳାଏ ହରିଣ, ଶଶକ ଓ ଅନ୍ୟ ତୃଣଭୋଜୀ, ଡାହାଣ ପାଖରେ ଦଳେ ବ୍ୟାଘ୍ର ଉଚ୍ଚ ସ୍ଥାନରୁ ଚାହିଁ ରହିଛନ୍ତି ସେ ପ୍ରାଣୀ ମାନଙ୍କୁ । ଝରଣା ଅତିକ୍ରମ କରିବା ସେଠାରେ ସମ୍ଭବ ନୁହେଁ । ଖାଦ୍ୟ ଓ ଖାଦକ ମଧ୍ୟରେ ପ୍ରାଚୀର ପ୍ରାୟ ଏକ ତୃତୀୟ ଶକ୍ତି ।

ଜଗବନ୍ଧୁ ସାର୍ ସେ କଳାଟିକୁ ପଠାଇଲେ ସର୍ବ ଭାରତୀୟ ଏକ ବିଶିଷ୍ଟ ପତ୍ରିକାକୁ । ଏହା ପ୍ରକାଶିତ ହୋଇ ମାୟାଧରକୁ ପରିଚିତ କରାଇଲା ଉଚ୍ଚ ସ୍ତରରେ । ବିଦ୍ୟାଳୟ ତଥା ଓଡିଶାର ସୁନାମ ହେଲା । ସେ ଚିତ୍ରର ତଳେ ଲେଖାଥିଲା "ସୁମନ ମାୟାଧର" । ସମସ୍ତେ ଭାବିଲେ ଆମେ ମିଶିକି କରିଛୁ । ସୁମନ ଅଂଶଟି ଥାଏ ଝରଣାର ପାଣି ଉପରେ ଖୁବ ଉଜ୍ଜଳ ରଙ୍ଗରେ ଓ ମାୟାଧର ଥାଏ ସବୁଜିମା ଉପରେ ଏକ ହାଲୁକା ରଙ୍ଗରେ । ମୁଁ ଉପର ମନରେ ବିରକ୍ତ ହେବାରୁ ମୋତେ ସେ ବୁଝାଇ ଦେଲା; ଯଦି କାଳେ ମୁଁ ତା ଧ୍ୟାନ ଭାଙ୍ଗି ଥାନ୍ତି ତାହେଲେ ଏ ଚିତ୍ର ହାତରୁ ଖସି ଯାଇଥାନ୍ତା ।

- ତୁ ତାହେଲେ ଜାଣିଥିଲୁ ମୋ ଖୋଇଦେବା!

- ନା ସଚେତନ ନୁହେଁ । ମୁଁ ଥିଲି ମୋ ରାଜ୍ୟରେ କିନ୍ତୁ ମୋର ମନେ ହେଉଥିଲା ମୁଁ ଯେମିତି କଣ ଏକ ଆନନ୍ଦମୟ ସ୍ୱପ୍ନ ଦେଖୁଛି, ଯେଉଁଠି ତୁ ବି ଅଛୁ । ଅବଶ୍ୟ ସେଦିନର ସେ କାମ ସରିଲା ପରେ ମୁଁ ବୁଝିଗଲି ଯେ ମୁଁ ଖାଇସାରିଛି । ମୁଁ କୁଳି କରି ମୁଁହ ଧୋଇ ନଥିଲି?

ତା କଥାରେ ମୋତେ ସାମନ୍ୟ ଲାଜ ଲାଗିଲା । ସେତେବେଳକୁ ନବମ ଶ୍ରେଣୀର ଶେଷ ଭାଗ, ଲାଜ ନଲାଗିବ କେମିତି! ଅଧିକନ୍ତୁ ଲାଗିଲା ହଁ, ଏ ସୁମନ ମାୟାଧର ନାମ ଯଥାର୍ଥ ହୋଇଛି । ପରସ୍ପର ଲେଣ ଦେଣର ଏକ କୋଠରୀ ମଧ୍ୟରେ ଆମ ଚଳନି ସହଜ ହୋଇ ଉଠିଲା

ଏଣିକି ତା ଚିତ୍ରାଙ୍କନରେ ମୁଁ ଟିକେ ଅଧେ ସହଯୋଗ କଲି । ବାହାର ଦୁନିଆ ଜାଣିଲା ସୁମନ ମାୟାଧର ଜଣେ ହିଁ ଚିତ୍ରକର । ଏହାସତ୍ୟ, ସୁମନ ମାୟାଧର ନାମଟି ଦେଖିଲେ ମୋ ମଧ୍ୟରେ ଥିବା ବିଶେଷ ମୁଁ ଟି ଉଲ୍ଲସିତ ହେଉଥିଲା ।

ବଡ ହେଲାପରେ ବୁଝିଲି,ସ୍ୱାଭିମାନ ଓ ଈର୍ଷାଠାରୁ ସେନେହ କଡେ ବଳବାନ ସତେ ।

ଅଧିକାଂଶ ଛୁଟିରେ ମୁଁ ତା ସାଥିରେ ଯାଉଥିଲି, ମାଆ ଏକୁଟିଆ ଓ ପାଇକାଳୀ ପାଖ ଦୃଷ୍ଟିରୁ । ତାଙ୍କ ଘରବାଡିର ସମ୍ଭ୍ରାନ୍ତ ପରିପାଟୀ ମୋତେ ଭଲ ଲାଗୁଥିଲା । ମୋ ପରିବାର ଲୋକେ କେବେ ମୋତେ ଚିଠି ଲେଖି ଡାକୁନଥିଲେ । ମୋ ଘର ବାହୁଡା ସେମାନେ ଚାହୁଁଥିଲେ କି ନାହିଁ ଜାଣେନା । କାହିଁକି ନ ଚାହିଁବେ? ସୁୁମନ ତ ତାଙ୍କ ଚାହିଁବା ମୁତାବକ ସୁଧୁରି ଯାଇଛି । ଯଦି କେବେ ମହୁଲକୁସୁମ ଯାଏ ଶୀଘ୍ର ଫେରିଆସେ । ମାୟାଧର ଓ ତାଙ୍କ ପରିବାର କଥା କହେ । କେହି ମୋତେ କହନ୍ତି ନାହିଁ ତୋ ସାଙ୍ଗକୁ ଧରି ଆସିବୁ । ମୁଁ ଭାବେ ଆମର ଗରିବ ଘର ବୋଲି ସମସ୍ତେ ସଙ୍କୁଚିତ ଅନୁଭବ କରନ୍ତି କିମ୍ବା ଡରନ୍ତି,କାଳେ ମାୟାଧର ଗାଆଁରୁ ଶୁଣି ନେବ ସୁମନ ମାଇଚିଆଟା ପରା । ତଥାପି କେବେ କେବେ ମନରେ କ୍ଷୋଭ ଆସେ, ମୋର ଗୁରୁତ୍ୱ ଦେବାକୁ ମୋ ପରିବାର କୁଣ୍ଠିତ । ପର ମୁହୂର୍ତ୍ତରେ ନିଜକୁ ବୁଝାଇ ଦିଏ ନା ସେମିତି ନୁହେଁ, ଘରେ ଓ ଗାଁଆରେ କେତେ କଥା ମତେ ପଚାରୁଛନ୍ତି; ରାଜଧାନୀ ବାବଦରେ, ସ୍କୁଲରେ ପଢାପଢି ବାବଦରେ । ମୋ ବାହାବା କରନ୍ତି । ତଥାପି ତହିଁରେ ଏମିତିକରି କହିଥାନ୍ତି ସତେ ଅବା ମୋ ଉନ୍ନତିଟି ଏକ ବ୍ୟତିକ୍ରମ ।

“ତଥାପି କାହିଁକି?” 

ଏ ଭାବନାଟି ମୋ ମନରୁ କେବେ ଛାଡି ଯାଇନି । ଏ ଭାବନା କେମିତି ଓ କେବେ ଯିବ ସେକଥା ମୋ କିଶୋର ମନ ଭାବୁଥିଲା । ମତେ ବୟସ ତୁଳନାରେ ଅଧିକ ପରିପକ୍ୱ କରୁଥିଲା । କ଼ହି ପାରିବି ନାହିଁ ଏକଥା ମୁଁ ସତରେ କଣ ସେକାଳେ ଭାବୁଥିଲି ନା ଏବେ ଲେଖୁ ଲେଖୁ ଲେଖି ଦେଉଛି!

 ଦଶମ ଶ୍ରେଣୀ ଦଶହରା ଛୁଟିରେ ମାଆଙ୍କ ଅନୁମତି ନେଇ ମାୟାଧରକୁ ସାଥିରେ ନେଇଗଲି ଆମ ଘରକୁ ପ୍ରଥମ ଥର ପାଇଁ । ଆମ ପାଖରେ ତ ଅନେକ ସଞ୍ଚୟଥାଏ । ତାହା ସ୍ୱଭାବିକ ଭାବରେ ଏକ କୋଠ ସମ୍ପତ୍ତି ହୋଇଯାଇଥାଏ । ମାୟାଧର ଖୁବ୍ ଉତ୍ସାହିତ ହୋଇଥାଏ ମୋ ପରିବାରକୁ ଦେଖିବାକୁ । ହୁଣ୍ଡାଟିଏ, ତା ମୁଣ୍ଡରେ ପୁଣି ଏତେ ସାମାଜିକ ଭାବନା । ସମସ୍ତଙ୍କ ପାଇଁ ଉପହାର କିଣି ଆଣିଲା, ମୁଁ ଆଗରୁ ଯାହା ନିଏ ତାହାଠୁ ବହୁତ ଭଲ । ମତେ ଲାଗିଲା ହଁ ସେମାନେ ଖୁସିହେବେ । ଭଉଣୀ ମାନଙ୍କ ପାଇଁ କେତେ ସଜବାଜ ଚିଜ କିଣିଲା ବେଳେ ମୋ ମନରେ ଖୁସି ଆସୁଥିଲା, ମୋତେ ଲୁଚାଉଥିଲ ନା! ତଥାପି ଭୟ ଥାଏ, ଏଡେ ଆଗ୍ରହରେ ଭାଇ ଭଉଣୀ ନଥିବା, ବାପା ଛେଉଣ୍ଡ ସାଙ୍ଗଟିକୁ ନେଉଛି, ତାକୁ ଆଦର ମିଳିବତ! ସମାଜ ମୋ ମନରେ ସୃଷ୍ଟି କରିଥିବା ହୀନମନ୍ୟତାରୁ ମୁକୁଳିବା ମୋ ପାଇଁ ବୋଧହୁଏ ସେଦିନ ପ୍ରଥମ କରି ହୋଇଥିଲା ଏକ ଆହ୍ୱାନ ।  ମତେ ଏକଥା ବି ଲାଗୁଥିଲା ମୋ ନିଜ ଲୋକଙ୍କୁ ମୁଁ ଉପହାର ନାମରେ ଲା‌ଞ୍ଚ ଦେଉନି ତ, ଭଲପାଇବାକୁ କିଣିବାକୁ ଚେଷ୍ଟା କରୁନି ତ! ଏମିତି ବୁଢିଆଣୀ ଜାଲରେ କାହିଁକି ମୋ ମନ ଛନ୍ଦି ହୋଇଯାଇଛି? ଏତେ ସାଙ୍ଗ ହେଉଥିଲେ ମଧ୍ୟ ଏସବୁ ଅସହ୍ୟ କଥା ମାୟାଧରକୁ ବି କହିବା ସମ୍ଭବ ନୁହେଁ । ଜଣେ ବନ୍ଧୁଙ୍କୁ ଆପଣା ଗୃହକୁ ଡାକି ନେବା ମୋ ପାଇଁ ଯେମିତି ଅଗ୍ନି ପରୀକ୍ଷା । ଅନେକ ପରୀକ୍ଷାରୁ ଉତ୍ତୀର୍ଣ୍ଣ ଏ ମନଟି ନିଶ୍ଚିତ ଅସାଧାରଣ ମନେ ହେଉଥିଲା । ହୀନ ଭାବନା ଅପେକ୍ଷା ନିଜ ପ୍ରତି ସମ୍ମାନବୋଧ ଓ ଆତ୍ମବଳ ଅନେକ ଗୁଣରେ ଅଧିକ ଥିଲା । ଏହା ଯେମିତି ଯୋଗାଉଥିଲା ନିରନ୍ତର ଜଳିବା ପାଇଁ ଇନ୍ଧନ । ସେ ଜ୍ୱଳନ ତାପ ହୋଇ ମୋତେ ଜାଳୁ ନଥିଲା ବରଂ ଆଲୋକ ହୋଇ ପଥ ଦେଖାଉଥିଲା ।

ଘରେ କିନ୍ତୁ ଆମକୁ ଦେଖି ଖୁବ୍ ଖୁସି ହେଲେ । ଭାବିଲେ ମାୟାଧର ସହ ମିଶି ମୁଁ ବହୁତ ମାର୍ଜିତ ହୋଇଯାଇଛି । ମାୟାକୁ ସେମାନେ ସ୍ନେହରେ ବାନ୍ଧି ପକାଇଲେ ।

 ଭଲ ଅବା ମନ୍ଦ ଜାଣେନି, ଘଟଣାଟିଏ ଘଟିବାର ଥିଲା । ଦଶହରା ପଛକୁ ଆସେ ଗଜଲକ୍ଷ୍ମୀ ପୂଜା । ଆମ ଗାଆଁରେ ସବୁବର୍ଷ ଦୁଇଟି ନାଟକ ମଞ୍ଚସ୍ଥ ହୁଏ । ନାୟିକା ଅଭିନୟ କରନ୍ତି ପୁଅ ପିଲାମାନେ । ନାୟିକାର ଦେହ ଭୟଙ୍କର ଅସୁସ୍ଥ ହୋଇଗଲା ନାଟ ଆଉ ପାଞ୍ଚ ଦିନ ଥାଏ । ଆମେ ଦୁଇଜଣ କେତେଥର ପ୍ରସ୍ତୁତି ଅଭିନୟ ଦେଖିଥିଲୁ । ହଠାତ ମୋତେ କୁହାଗଲା ହିରୋଇନ ଭାବେ ଅଭିନୟ କରିବାକୁ । ସେମାନଙ୍କ ମତରେ ମୁଁ କାଳେ ଅନାୟସରେ ପାରିବି । ମୁଁ ଆଦୌ ରାଜିହେଲି ନାହିଁ । ନିର୍ଦ୍ଦେଶକ ଚିରଞ୍ଜୀବି ଦାଦା, ମୋ ଘରଲୋକ ମାନଙ୍କୁ ଅଳିକଲେ ମୋତେ ବୁଝାଇବା ପାଇଁ । ଅନ୍ୟ ସେମିତି କିଛି ବିକଳ୍ପ ନଥିଲା । ମୁଁ ପାରିବି ଏକଥା କାହିଁକି କହୁଥିଲେ ତାହା କାଳେ ମାୟାଧର ଜାଣିଯିବ, ସେ ଭୟ ମୋର ଥିଲା । ସେ କାହୁଁ ଜାଣିବ ମୋତେ ନେଇ ଏତେ କଥା ଅଛି! ଘର ଲୋକେ ମତେ ରାଜି କରିବାକୁ ଚେଷ୍ଟା କଲେ । – କରିଦେ, ନଚେତ୍ ଡ୍ରାମା ବନ୍ଦ ହୋଇଯିବ ।

ଅଛା!

ତଥାପି ରାଜି ହେଲିନାହିଁ । ପରିବାର ଭାବିଲା ଗୋଟାପଣେ ତାଙ୍କ ପୁଅକୁ ଫେରି ପାଇଛନ୍ତି । ସେଇଥିପାଇଁ ବୋଧେ ତାଙ୍କର ଆଉ ଭୟ ନଥିଲା ମୋତେ ନାୟିକା କରାଇବା ପାଇଁ ।

ମୁଁ ସମସ୍ତଙ୍କ ଅଜଣାତରେ ଲକ୍ଷ୍ମୀମା ପାଖକୁ ଗଲି, ତାଙ୍କ ପରାମର୍ଶ ମାଗିଲି । ସେ କହିଲେ, - ଯା ମାଆ, ଖୁସିର ଏକ ଅବସର ମିଳିଛି, ଉପଭୋଗକର ।

ପ୍ରକୃତରେ ହିରୋଇନ ହେବା ମୋ ପାଇଁ ଆଦୌ କଷ୍ଟକର ନଥିଲା । ମୁଁ କେବଳ ଢଙ୍ଗ କାଢିଲି ଯେ ମୋ ଇଛା ବିରୁଦ୍ଧରେ ମୋ ପରିବାର ଓ ଗାଆଁବାଲାଙ୍କ ମନ ରଖିବାକୁ ଏ ଅଭିନୟ କରୁଛି । ବରଂ ମୁଁ ଭାବୁଥିଲି ଅଭିନୟ ଜୀବନରୁ ଅବ୍ୟାହତି ନେଇ କିଛି କ୍ଷଣ ସତ ଜୀବନକୁ ଆପଣେଇବାର ସୁଯୋଗ ଆସିଛି । ମାୟାଧରର ଉପସ୍ଥିତିରେ ଏସବୁ ଘଟୁଥିବାରୁ ମତେ ସାମାନ୍ୟ ଲାଜ ଲାଗୁଥିଲା କିନ୍ତୁ ସେ ଲଜ୍ଜା ମଧ୍ୟରେ ଖୁସି ପୁଳାଏ ଅନୁଭବ କରୁଥିଲି । ଜଣେ ଏତେ ବଡ ଚିତ୍ରକର ମୋତେ ସାଜସଜାରେ ଦେଖୁ ।

ଗଜୁରି ଉଠୁଥିବା ନିଷ ଦାଢିକୁ ସଫା କରି ମୁହଁକୁ ଚିକ୍କଣ କଲାପରେ ମୋ ମଧ୍ୟର କିଶୋରୀଟି ଶିହରି ଉଠିଲା । ଆହୁରି ରୋମାଞ୍ଚିତ ହେଲି ମାୟା ଯେତେବେଳେ ମୋ ହାତରେ ଖୁବ୍ ସୁନ୍ଦର ମେହେନ୍ଦୀ କରିଦେଲା ଓ ମୋ ମେକଅପ ଭରା ମୁହଁ ଉପରେ କିଛି ତୁଳୀର ଯାଦୁ କଲା ।

ଦୁଇ ରାତି ଦୁଇ ନାୟିକା ଭୂମିକାରେ ସବୁ କଳାକାରଙ୍କ ମଧ୍ୟରେ ଅଧିକ ପୁରସ୍କାର ଓ ପ୍ରଶଂସା ମିଳିଥିଲା ମୋତେ ।

ଅଭିନୟ ସରିଲା । ମନର ଖୁସିକୁ ଲୁଚାଇ ଦେଇ ବିରକ୍ତ ହେଲି ପରିବାର ଉପରେ । ସ୍କୁଲ୍ ଖୋଲିବ, ହାତରୁ ମେହେନ୍ଦୀ ଦାଗ ଲିଭି ନଥିବ । ପୁଳାଏ ମେହେନ୍ଦୀ ତିଆରି କଲି ଦୁଇହାତରେ ବୋଳି ପକାଇଲି । ଶିଳ୍ପୀ ମାୟାଧରର ଯାଦୁକୁ ନିର୍ଦ୍ଦୟ ଭାବେ ଲୁଚାଇ ଦେଲି । ଚମତ୍କାର ଭାବେ ଅଭିନୟ ଜଗତକୁ ଫେରିଲି ସିନା ହୃଦୟ ମୋର ବିଦିର୍ଣ୍ଣ ହୋଇଗଲା । ମନେ ମନେ ଶିଳ୍ପୀକୁ କ୍ଷମା ମାଗିନେଲି । ଘରଲୋକେ ଏକଦମ ଖୁସି ତାଙ୍କ ସୁମନ ଏବେ ଗୋଟାପଣେ ସୁନାପୁଅ ।

ଜାଣେନି ଆମ ଗାଆଁ ବୁଲିଯିବାରେ ମାୟାଧରର ଅନୁଭୂତି କିଭଳି ରହିଲା । ନାଟକରେ ମୋର ପାରଦର୍ଶିତାକୁ ନେଇ କେହି ତାକୁ କିଛି କହିଛନ୍ତିକି? ଡର ବି ଲାଗୁଥାଏ ଭଲ ବି ଲାଗୁଥାଏ । ସେ ମୋର ଏତେ ପ୍ରିୟ ସାଙ୍ଗ, ମୋତେ ଚିହ୍ନିଲେ ଚିହ୍ନୁ । ହେଲେ ସେ କୌଣସି ମନ୍ତବ୍ୟ ଦେଲା ନାହିଁ । ଅନ୍ୟ ସାଙ୍ଗମାନଙ୍କୁ ଜଣାଇଲା ନାହିଁ ଯେ ମୁଁ ନାୟିକା ହୋଇଥିଲି । ହଁ ଭାବିଥିବ, ମୋତେ କାଳେ ଲାଜ ଲାଗିବ । ସମସ୍ତଙ୍କୁ କହିଲି, ଆମ ଗାଆଁରେ ଲକ୍ଷ୍ମୀପୂଜାରେ ଏକ ବଡ ମେହେନ୍ଦୀ ପର୍ବହୁଏ । ମାଣ୍ଡିଆରେ ମେହେନ୍ଦୀ ଗୋଳାଇବା ଦାୟିତ୍ୱ ଏଥର ମୋ ପାଳିରେ ପଡିଥିଲା ।

(ଆଗରୁ ଆମେ ପଢିଛନ୍ତି, ସୁମନ ଓ ମାୟାଧର ରାଜଧାନୀ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ଏକ ପ୍ରକୋଷ୍ଠରେ ରହୁଛନ୍ତି। ଉଭୟ ଚିତ୍ରକର, କିନ୍ତୁ ସୁମନର ଧ୍ୟାନ ମୂଖ୍ୟତଃ ପାଠରେ ଓ ମାୟାଧରର ଚିତ୍ରକଳାରେ। ଦୁଇଜଣ ପରସ୍ପର ପାଇଁ ଆବଶ୍ୟକ ଓ ବେଶ୍ ଭଲରେ ଅଛନ୍ତି। ଏବେ ସେମାନେ ଶେଷବର୍ଷର ଛାତ୍ର)

 ୪