Search This Blog

Tuesday 1 June 2021

 ମାଷ୍ଟ୍ରେ, ମଧୁ ଓ ମନୋଜ ଦାସ ।

ଜୀବନର ନବେ ଦଶକ ଆଗତ ପ୍ରାୟ, ତଥାପି କିନ୍ତୁ ସ୍ୱଭାବିକ ଚଳ ପ୍ରଚଳ କରନ୍ତି ବିପିନି ମାଷ୍ଟ୍ରେ । ଖବରକାଗଜ, ଗୀତା ଭାଗବତ ପଢନ୍ତି । ଶ୍ରବଣ ଶକ୍ତି ହ୍ରାସ ଜନିତ ଭ୍ରମରୁ ଖୁବ୍ ଉଚ୍ଚ ସ୍ୱରରେ କଥା ହୁଅନ୍ତି । ସମାଜ ପୃଷ୍ଠା ଓଲଟାଉ ଓଲଟାଉ ଡାକ ଛାଡିଲେ ବୋହୂ ମାଆକୁ । ମିନୀ, ମିନୀ ଏ ମିନୀ! ଆ ଦେଖିବୁ ଆ, ମଧୁକୁ ଡାକେ । 

ଏଇଟି ତାଙ୍କ ଅଭ୍ୟାସ, ମଧୁକୁ ସେ ସିଧା ସଳଖ ଡାକନ୍ତି ନାହିଁ, ମିନୀ ମାଧ୍ୟମ ହୁଏ । ଏକଦା ଖୁବ୍ ଖପ୍ପା ହୋଇ ମଧୂକୁ ସେ ସମ୍ପୂର୍ଣ୍ଣ ଅଣଦେଖା ଅଚିହ୍ନା ପ୍ରାୟ ବ୍ୟବହାର କରୁଥିଲେ, ଏବେ ଟିକେ ସୁଧୁରିଲେଣି ।

ଆଜ୍ଞା ବାପା, କଣ ହେଲା?

ଦେଖ୍ ଦେଖ୍ ସମାଜ କଣ ଲେଖିଛି! ମନୋଜ ଆସୁଛି, ଆମ କଲେଜ ବନ୍ଧୁମିଳନକୁ , ମୁଁ ଯିବି, ନିଶ୍ଚିତ ଯିବି । ସେ ମୋ ସାଙ୍ଗ, ତା ଭାଷଣ ଶୁଣିବି, ଅତି ଚମତ୍କାର ସେ ଭାଷଣ ।

ବୋହୂ କିଛି ବୁଝି ନପାରି ଚକିତ ନୟନରେ ଚାହିଁ ରହିଲା, ଯେମିତି କହିବ କେଉଁ ମନୋଜ?

ତୁ ମା ଅଧିକ ପଢିଥିଲେ ଜାଣନ୍ତୁ ମନୋଜ କିଏ? ସାମ୍ପ୍ରତିକ କଥା ସାହିତ୍ୟରେ ସାରା ପୃଥିବୀରେ ତା ସମ କିଏ ଅଛି? ତା ଭାଷଣ ମନଛୁଆଁ, ଜ୍ଞାନଗର୍ଭକ ଓ ଆଧ୍ୟାତ୍ମିକ ପ୍ରଜ୍ଞାମୟ । ଶ୍ରୀ ଅରବିନ୍ଦ ଆଶ୍ରମର ଅନ୍ୟତମ ସାଧକ । ତୁ କୁଆଡୁ ଜାଣିବୁ, ମୂର୍ଖଲୋକ ଅନ୍ଧ ଯେସନ ।

ମିନୀର ମନ ଖଟା ହୋଇଗଲା, ସାନ ବାପା ସବୁବେଳେ ତାକୁ ମୂର୍ଖ ବିଚାରନ୍ତି । ଏ ଦରବୁଢୀ କାଳେ ଏମିତି କଥା ବାଧୁଛି । ସ୍ୱାମୀ ମଧୁ, ଷଷ୍ଠ ଶ୍ରେଣୀ ପଢିଲାପରେ ସପ୍ତମରେ ରହିଗଲେ । ସେ ବର୍ଷ ପ୍ରଥମ କରି ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଲା । ସାନ ବାପା ଥିଲେ ମାଷ୍ଟ୍ରେ । ସବୁ ପିଲାଙ୍କୁ ମଣିଷ କଲେ । ଦେଢଶୁର ମାନେ ଖୁବ ଉଚ୍ଚ ଶିଖିତ, ନଣନ୍ଦ ମାନେ ମଧ୍ୟ ବେଶ୍ ପାଠୋଇ, ସମ୍ଭ୍ରାନ୍ତ ପରିବାର ମାନଙ୍କର କୁଳବଧୂ । ସମସ୍ତେ ଦୂର ଦୂରାନ୍ତରେ, କେତେଜଣ ଦୂର ଅଦୂର ବିଦେଶରେ । କିନ୍ତୁ ସ୍ୱାମୀ ମଧୁଙ୍କୁ ସେ ପାରିଲେ ନାହିଁ । ଚେତାବନୀ ନାମରେ ସେ ଯେବେ ତାଗିଦ୍ କଲେ ମଧୁଙ୍କୁ ଯେ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ମନଦେଇ ପାଠ ପଢ ନହେଲେ ଫେଲ୍ ହେବୁ; ମଧୁ ମନ ଭିତରେ ସେଗୁଡିକ ପଶିଲାନି, କେବଳ ଯାହା ସେ ବୁଝିନେଲା ଫେଲ୍ ହେବା ଥୟ । ଯୌଥ ପରିବାରର ଆଠ ଭାଇ ଭଉଣୀ ମଧ୍ୟରେ ମଧୁ କନିଷ୍ଠ । ବିପିନି ମାଷ୍ଟ୍ରେ ସଭିଙ୍କୁ ପାଠ ପଢାଇ ମେଧାବୀ କଲେ!

କିଏ କାହାକୁ ମେଧାବୀ କରିପାରେ? 

ସେ ସମୟର ପ୍ରଣାଳୀ ଥିଲା, ଛାଟ ନହେଲେ ପାଠ ହେବ ନାହିଁ । ମାଷ୍ଟ୍ରେ ଏ ତତ୍ତ୍ୱରେ ଖୁବ୍ ବିଶ୍ୱାସ କରନ୍ତି । ସେ କହନ୍ତି ଭୟ ନଥିଲେ ଜୟ ନାହିଁ । କଠୋର ଶାସନର ଉଦାହରଣ ଥିଲେ ମାଷ୍ଟ୍ରେ । ପ୍ରତି ବର୍ଷ ତାଙ୍କ ବିଦ୍ୟାଳୟର ପିଲାଏ ନିଶ୍ଚିତ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେଉଥିଲେ । ପ୍ରାଥମିକ ଶିକ୍ଷକ ହେଲେ ମଧ୍ୟ, କ୍ରମଶଃ ଗଢିଉଠିଥିବା ମଧ୍ୟ ଇଂରାଜୀ ଓ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ବି ତାଙ୍କ କଡା ନଜର ଥାଏ । ସବୁ ବିଦ୍ୟାଳୟର ଫଳାଫଳ ଚମତ୍କାର ହୁଏ । ସଭିଏଁ ବିପିନିଙ୍କୁ ସମ୍ମାନ ଓ ଭୟ କରନ୍ତି । ପାଞ୍ଚ ଖଣ୍ଡ ଗ୍ରାମରେ ଚର୍ଚ୍ଚା ହୁଏ; ଯଦି ଦୁଇଟି ରାସ୍ତା ଥାଏ, ଗୋଟିକରେ ମାଷ୍ଟ୍ରେ ଓ ଅନ୍ୟଟିରେ ବାଘ, ତେବେ ବାଘ ବାଟେ ପଛେ ପିଲାଏ ଯିବେ ଆର ବାଟେ ନୁହେଁ । ମାଷ୍ଟ୍ରେ ନାନାଦି କଠିନ ପାଠ ଦିଅନ୍ତି ଓ ଅଭିନବ ଶୈଳୀ ଉଦ୍ଭାବନ କରି ପଢାନ୍ତି । ତଥାପି କିନ୍ତୁ ସେ କହନ୍ତି, “ଘୋଷଣ ବିଦ୍ୟା ଘୋଷ, ନହେଲେ ଚାଳରେ ଖୋସ୍” । ସେ କୌଣସି ଗୋଟିକରେ ସନ୍ତୁଷ୍ଟ ହେବାର ସମ୍ଭାବନା ନଥାଏ । ପିଲାଏ ପାଠରେ ଭଲ କରିବା ଓ ବିଦ୍ୱାନ ହେବା ନିଶ୍ଚିତ । ସହଜେ ନିଜ ପରିବାରର ପିଲାଙ୍କ ପ୍ରତି ସେ ହୁଅନ୍ତି ମାତ୍ରାଧିକ କଠୋର । ସେ ପିଲାଏ ନିଜ ନିଜ ଶ୍ରେଣୀରେ ପ୍ରଥମ ହୋଇ ଚାଲନ୍ତି ।

ମୂଳଦୁଆ ମଜବୁତ ହେଲେ ଘର ମଜବୁତ ହେବ । ସମସ୍ତେ ହେଲେ ଉଚ୍ଚ ଶିକ୍ଷିତ ସ୍ୱସ୍ଥାନ ମାନଙ୍କରେ ମଜବୁତ । ମାଷ୍ଟ୍ରେ ଖୁସି ।

କିନ୍ତୁ ଘର!

କିନ୍ତୁ ମଧୁ! 

ମାଷ୍ଟ୍ରେଙ୍କ ମନ ବ୍ୟାକୁଳ ହୋଇଯାଏ, ମନେ ପଡିଲେ ମଧୁକୁ ମଣିଷ କରିବାରେ ତାଙ୍କ ଅସଫଳତା । ଘରର କୋଳପୋଛା ପିଲା, ସମସ୍ତଙ୍କ ଗେହ୍ଲା ମଧୁ । ବିଚକ୍ଷଣ, ଦୁଷ୍ଟ । ସମସ୍ତେ କହିଲେ ପିଲାଟା ଭାରୀ ଚାଲାଖ୍ । ସମସ୍ତଙ୍କୁ ପାଠରେ ଟପିବ, ଦେଖୁନ କେମିତି ଭାଇ ଭଉଣୀଙ୍କ ପାଠ ଶୁଣି ଶୁଣି ମନେ ରଖି ଦେଉଛି । ମାଷ୍ଟ୍ରେ ତା ଉପରେ ଏକ ବିଶେଷ ନଜର ରଖିଲେ । ସମସ୍ତେ ଗେହ୍ଲା କଲେ ଚଳିବକି । ଲାଡୟତି ପଞ୍ଚ ବର୍ଷାଣି; ଏହା ସମାପ୍ତ । ମଧୁ ସେତେବେଳକୁ ଶୁଣି ଶୁଣି ପଚିଶିକ ପଣିକିଆ ଓ ଆଉ ଯେତେ ଯେତେ ପାଠ ମନେ ରଖିସାରିଲାଣି । କିନ୍ତୁ ମଣ୍ଡୁଳା ମଡା, ଅ ଆ, ଏକ ଦୁଇ ଇତ୍ୟାଦି ସ୍ଲେଟ ଖଡିରେ ଲେଖିବା ଭଲି ଅସ୍ୱସ୍ତିକର କାମ କରିବାକୁ ତା ମନ ବଳିଲା ନାହିଁ । ପିଠିରେ ପଡିଲା ମୃଦୁ ଏକ ଛାଟ।

ସରିଲା କଥା । ଛାଟର ପୀଡା ନୁହେଁ , ବାଲ୍ୟ ଅଭିମାନରେ କାନ୍ଦି କାନ୍ଦି ଘର ଫଟାଇଲା, ଭୂଇଁରେ ଗଡି ଆସିଲା, ଗପରେ ଶୁଣିଥିଲା ଭଳି, ମଶା ମାଛି ଭଣ ଭଣ, ମୂଷା ମାଟି ଶଣ ଶଣ, ଭାଡିତଳକୁ ଯାଇ ମୁହଁମାଡି ଶୋଇଲା । ଗତ ସପ୍ତାହ ଖଡିଛୁଆଁ ଦିନର ଖୁସି କୁଆଡେ ହଜିଗଲା । ବଅଁଶ ସାରା ବୁଝାଇ ବୁଝାଇ ଥକ୍କିଲେ କିନ୍ତୁ ଅୟମାରମ୍ଭରୁ ସେ ସୂଚନା ଦେଲା, ସେ ଏକ ବିଶେଷ ଉପାଦାନରେ ଗଢା । ବହୁ କଷ୍ଟରେ ତାକୁ ସେଦିନ ବୁଝା ଶୁଝା କରାଗଲା । ଅନେକ ଦିନ ଧରି ସ୍ଲେଟ୍ ଧରିଲା ନାହିଁ । ଏପଟେ ବାବରଠୁ ଆଉରଙ୍ଗଜେବ୍ ପର୍ଯ୍ୟନ୍ତ ମୁଖସ୍ଥ, ଅମର କୋଷ ଜଳବତ୍ ତରଳ ନିର୍ଗତ ହୁଏ ମୁଖରୁ; କେବଳ ଶୃତି ବଳରେ । ପିଲାଟି ବୁଦ୍ଧିଆ, ଆଜି ନହେଲେ କାଲି ପଢିବ ତା ପ୍ରତି କଠୋର ହେବା ସମ୍ଭବ ନୁହେଁ । କିନ୍ତୁ ବଡ ବିଚିତ୍ର ହେଲା ତାର ଆଚରଣ । ତା ପାଇଁ ତ ସଂସାରର ନିୟମ ବଦଳିଯିବ ନାହିଁ । ଘରେ ଅନ୍ୟ ପିଲାଏ ଦଣ୍ଡ ପାଇଲେ ସେ ପ୍ରତିକ୍ରିୟାଶୀଳ ହୋଇ ପଡିଲା, ସେମିତି ବିଦ୍ୟାଳୟରେ । 

ମୋଟାମୋଟି ଭାବେ ମଧୁକୁ ମଣ କରିବା ହେଲା କାଠିକର ପାଠ । ପାଠ ବିଷୟରେ କେହି କିଛି ନକହିଲେ ସେ ନିଜେ ପଢେ । କେବେ କେବେ ଭଉଣୀମାନେ ଗେହ୍ଲାକରି ଲେଖା ଶିଖାଇ ଦିଅନ୍ତି । ତେବେ ପାଠ ଅପେକ୍ଷା ଶାଠରେ ତା ମନ ଅଧିକ ଉତ୍ସୁକ । ଛୋଟବେଳୁ ବଡ ବଡ ଗଛ ଅଗକୁ ଚଢିବା, ଫୁଲ ଫଳ ତୋଳି ଆଣି ଭାଇ ଭଉଣୀ ମାନଙ୍କୁ ଦେବା ହେଲା ତା’ର କାମ । ସାମାନ୍ୟ ବଡ ହେଲା ମାତ୍ରେ ପୋଖରୀରେ ପହଁରିବା, ଚଢେଇ ଧରି ଆଣି ପାଳିବା, ବିଲେଇ, କୁକୁର, ନେଉଳ ପୋଷିବା, ଏମିତି ନାନଦି କଥା ତ ମୁଣ୍ଡକୁ ଅହରହ ପଶିଲା । ଗାଈପାଇଁ ବାଛି ବାଛି ଘାସ ଓ କେତେ କିସମର ଡାଳପତ୍ର ସଂଗ୍ରହ କରିବାରେ ମୁଲିଆ ମାନଙ୍କୁ ସେ ଟପିଲା । ସେ ତୁଳସୀ ଅବା ବିଛୁଆତି ନିର୍ଣ୍ଣୟ କରିବା ବଡ ମାନଙ୍କ ପାଇଁ କାଠିକର ପାଠ ହେଲା । 

ଥରେ ଗ୍ରାମରେ ଯାତ୍ରାଭିନୟ ହେଉଥାଏ, ସେନାପତି ପରାସ୍ତ ଓ ବନ୍ଦୀ ହେଲେ । ତାଙ୍କ ଖଣ୍ଡା ଗୋଟାଳି ଆସିବା ଆଗରୁ ମଧୁ ଦୌଡିଯାଇ ଖଣ୍ଡା ଉଠାଇ ବହେ ବୁଲାଇ ପକାଇଲା । ଦର୍ଶକ କରତାଳି ଦେଲେ । ଏମିତି ନାନାଦି କାମ । 

ମାଷ୍ଟ୍ରେ ହାଇଁପାଇଁ ହୁଅନ୍ତି, କିଛି କରି ପାରନ୍ତି ନାହିଁ ।

ଆଉ ଟିକେ ବଡ ହେଲାରୁ କହିଲା, “ପାଠ ଗୁଡା ପର ଅଇଁଠା । ସେମାନେ ପାଠ ତିଆରି କରିଛନ୍ତି ମୁଁ ଘୋଷିବି, ମୁଁ କାହିଁକି ପାଠ ତିଆରି ନକରିବି?”

ଦିନେ ଭାଇ ଭଉଣୀ ମାନଙ୍କୁ ଚମତ୍କୃତ କରି କହିଲା ଯେ, ବାଘ ଛେଳି ଖେଳଟା ଗୋଟେ ଖେଳ ହୋଇ ନପାରେ, କାରଣ ଏଥିରେ ଠିକ୍ ଠିକ୍ ଖେଳିଲେ ସବୁବେଳେ ଛେଳି ପଟ ଜିତିବ । ସମସ୍ତଙ୍କ ସହ ଖେଳି ଏକଥା ପ୍ରମାଣ କରିଦେଲା । 

ଶୁଣିଲା ଏମନ୍ତ ଗପ; ବାବାଜୀ ଜଣେ ଦାନ୍ତ ଘଷିସାରି ଦାନ୍ତ କାଠିଟିକୁ ପୋତିଦେଲେ ଓ ସେଇଟା ଗଛ ହୋଇଗଲା । ତାକୁ କିଛି ଆଶ୍ଚର୍ଯ୍ୟ ଲାଗିଲା ନାହିଁ । କହିଲା ବାବାଜୀ ଗୋଲାପ ଡାଳରେ ଦାନ୍ତ ଘଷିଥିବେ । ତେବେ ଖୁବ୍ ପିଲାଦିନୁ ଏଥିରେ ଉଦବୁଦ୍ଧ ହୋଇ ସେ ବଗିଚାର ଯାବତୀୟ ଗଛରୁ କଲମୀ ଚାରା ବାହାର କରିବାରେ ମାତିଗଲା, କିଛି କିଛି ସଫଳ ହେଲା ମଧ୍ୟ ।

ଧୁ ଧୁ ଖରାଦିନ ଦ୍ୱିପ୍ରହରେ ସେ କେବେ ଶୋଇନି, ସମସ୍ତେ ନିଦ୍ରାଗଲେ ସେ ଖଳାକୁ କିମ୍ବା ପଡୋଶୀ ଘର ବାଡିକୁ ଚୁପ କରି ଖସିଯାଏ ତା ଗବେଷଣା ଜାରି ରଖିବାକୁ ଯେ, ସେ ଏକ ନୂଆ ଖେଳ ସୃଷ୍ଟି କରିବ । ଘରକାଟି ତା ଉପରେ କେଉଁ ଯୁଗରୁ ଲୋକେ ତିଇଇ ତାଃ ଖେଳ ଡେଇଁ ଡେଇଁ ଖେଳୁଛନ୍ତି, ଅଇଁଠା ଖିଏ ପତର ଚାଟି ମାନଙ୍କୁ ବିରକ୍ତ ଲାଗୁନି । ସେ ନୂଆ ଖେଳଟିଏ କରିବ ଓ ଭାଇ ଭଉଣୀ, ସାଙ୍ଗ ସାଥୀମାନେ ଖେଳିବେ । ପାଖାପାଖି ସଫଳତା ପାଇଲା ବେଳକୁ, ସେ ମନେକଲା ସେଇ ଘର ଓ ଖପରା ତଥା ରାହା ଧରିବାର ଖେଳ, ନୂଆ ହେଲେ ବି ନୂତନତ୍ୱ କାହିଁ? ଅନ୍ୟମାନେ ଖେଳିଲେ ସିନା, ତା ମନକୁ ନିଜ ଗବେଷଣାଲବ୍ଧ ଖେଳଟି ପ୍ରତି ଆଉ ଶ୍ରଦ୍ଧା ନଥିଲା । ଏ ମଧୁକୁ ମଣ କରିବ କିଏ? ମାଷ୍ଟ୍ରେ ହତାଶ ହୋଇ ନିଜ ମାଷ୍ଟ୍ରେପଣିଆର ଅସହାୟତାକୁ ମର୍ମେ ମର୍ମେ ଅନୁଭବ କରନ୍ତି ଓ ଆଜି ବି କରୁଛନ୍ତି । ସ୍ୱଗତକ୍ତି କରନ୍ତି- ମୁର୍ଖ ଅପଗଣ୍ଡ! ମଧୁକୁ ଯେତିକି ନୁହେଁ ତତୋଧିକ ନିଜପ୍ରତି ଏ ସଂଭାଷଣଟି ଉଦ୍ଦିଷ୍ଟ ରଖନ୍ତି ସେ । କେତେ ରାଣ ନିୟମ କରି ଭଉଣୀ ମାନେ ତାକୁ ପାଠସହ ଯୋଗ କରନ୍ତି ଓ ତାହାର ଫଳ ସ୍ୱରୂପ ସେ ଷଷ୍ଠ ପର୍ଯ୍ୟନ୍ତ ପଢିଗଲା । କିନ୍ତୁ ହଠାତ ଏ ଫାଜିଲ୍ ସରକାର ବୋର୍ଡ୍ ପରୀକ୍ଷା ନିୟମ କଲା । ସେ ଆଦୌ ଦେବ ନାହିଁ, କିଏ କଣ କରୁଛି ଦେଖିବା । ପାଠ ପଢି କିଏ ସ୍ୱର୍ଗକୁ ଗଲାଣି, ପାଠ ଯଦି ଭଲ ହୋଇଥାନ୍ତା, ତାକୁ ଏତେ ବିରକ୍ତ କାହିଁକି ଲାଗନ୍ତା! କାହିଁ, ପିଜୁଳି, ଆତ, ଡାଳିମ୍ବ ସବୁଦିନ ଖାଇଲେ ବି ଖରାପ ଲାଗୁନି ତ । ସୁଦ୍ ମୁର୍ଖ ବୁଢୀମାଙ୍କ ଗପ ସବୁଠୁ ଚମତ୍କାର ଲାଗୁଛି କେମିତି । ସେ କାହିଁକି ଗପ ନଲେଖିବ? ସେ ତ ଲେଖି ଶିଖିଛି । ସେ ଲେଖିବ ଓ ତା ଲେଖା ସ୍କୁଲ୍ କଲେଜରେ ପଢାହେବ । ତାହେଲେ ପାଠୁଆ ହେଲା କିଏ?

ସପ୍ତମ ଶ୍ରେଣୀ ଷାଣ୍ମାସିକ ବା ଟେଷ୍ଟ ପରୀକ୍ଷାର ଇଂରାଜୀ ପତ୍ରରେ ସାତଟିରୁ ପାଞ୍ଚଟି ଶବ୍ଦର ବାକ୍ୟ ଗଠନ ପାଇଁ କୁହାଯାଇଥିଲା । ମଧୂକୁ ମାତ୍ର ଦୁଇଟି ଆସିଲା । ବାକି କ, ଖ ଓ ଗ ଶବ୍ଦ ପ୍ରତ୍ୟେକଟିକୁ ସେ ଲେଖିଲା ଏହିପରି । “ କ ର ମାନେ ମୋତେ ଜଣା ନାହିଁ । ଖ ଶବ୍ଦ ବାବଦରେ ବାପାଙ୍କୁ ପଚାରିବି । ଗ ଶବ୍ଦଟିକୁ ଅଭିଧାନରେ ଖୋଜୁଛି ।” 

ଇଂରାଜୀ ଶିକ୍ଷକ ଡାକି ତାଗିଦ୍ କଲେ । ମଧୂ ଜିଦି କଲା ସେ ତ ଶବ୍ଦ ଗୁଡିକ ଲେଖିଛି ଓ ତାହା ଏକ ଏକ ବାକ୍ୟ ମଧ୍ୟରେ ଅଛି, ଅତଏବ ତାକୁ ପୂର୍ଣ୍ଣ ମାର୍କ ମିଳୁ । ଇଂରାଜୀ ସାର୍ ତା ମୁଣ୍ଡ ସାଉଁଳାଇ ଖୁବ୍ ତାରିଫ କଲେ ସିନା ମାର୍କ ଦେଲେ ନାହିଁ । ସାହିତ୍ୟରେ ପତ୍ର ଲିଖନ ପଡିଥିଲା । ଠିକଣା ଲେଖିଲା ମହାଦେଶ, ଗୋଲାର୍ଦ୍ଧ, ଗ୍ରହ ଓ ବିଶ୍ୱ ପର୍ଯ୍ୟନ୍ତ । ସାହିତ୍ୟ ଶିକ୍ଷକ ଏକଥା ସବୁଆଡେ କହି ବୁଲିଲେ ।

ସେ ମଧୁ। 

ମାଷ୍ଟ୍ରେ ଦିନେ ନାନା ସୁସ୍ୱାଦୁ ଚିଜ ଦେଇ ତାକୁ କୋଳରେ ବସାଇ ବୁଝାଇଲେ, ବାବୁରେ ବୋର୍ଡ ପରୀକ୍ଷା ଆସୁଛି ତୁ ସେପର୍ଯ୍ୟନ୍ତ ତୋ କଥା ଅନୁସାରେ ଏ ଅଇଁଠା ରୂପକ ପାଠଟିକୁ ଘୋଷିଦେ, ନହେଲେ ପା ତୋ ଭବିଷ୍ୟତ ଜାଣିବୁ ଚାଳରେ ଖୋସା ହୋଇଯିବ ।

ପ୍ରତ୍ୟୁତ୍ତର ମିଳିଲା, ଆଜ୍ଞା ସାନବାପା, ଆମ ଏ ଚାଳଘର ବଦଳାଇ ଚୌଧୁରୀ ସାଆନ୍ତଙ୍କ ଭଳି କୋଠାଘର କର, ଚାଳରେ ଖୋସିବା ଭୟ ନଥିବ ।

ହେଉ ହେଲା, କହିଲୁ ପଲାସି ଯୁଦ୍ଧ କେବେ ହୋଇଥିଲା ?

ଅଠର ଶହ ସତାବନ, ସାନବାପା ।

ତାହେଲେ ସିପାହୀ ବିଦ୍ରୋହ?

ସତର ଶହ ସତାବନ । 

ମାଷ୍ଟ୍ରେ ରାଗିକି ଲାଲ୍ ପଡିଗଲେ । ତାହେଲେ ଇଂରେଜ ମାନେ ଶାସନ କରିବା ଆଗରୁ ସିପାହୀ ମାନେ ବିଦ୍ରୋହ କରିଥିଲେ ବୋଧେ? 

ନାଇଁ ସାନବାପା ତୁମେଟିକେ କମବୁଝା ମଣିଷ । ପ୍ରଥମେ ବୁଝ, ତୁମେ କହୁଛ ସତର ପରେ ଅଠର, କହି ପାରିବ କି ଏହା କାହିଁକି? ପ୍ରମାଣ କରି ପାରିବ? ମୁଁ ଯଦି କହେ ଛଅ, ଆଠ, ସାତ ଓ ସେମିତି ଶୋହଳ, ଅଠର, ସତର। ଏଣୁ ଅଠର ଶହ ସତାବନ ଆଗ।

ମାଷ୍ଟ୍ରେଙ୍କ ଧର୍ଯ୍ୟଚ୍ୟୁତି ଘଟିଲା । -ମୂର୍ଖ, ଅପଗଣ୍ଡ କାହାଁକା, ମୋ ସହ ଥଟ୍ଟା କରୁଛୁ । ସ୍ୱୀକାର୍ଯ୍ୟ ବା ଆସମ୍ପସନ୍ ମାନଙ୍କୁ ବେଖାତିର୍ କରୁଛୁ । ଯା ଗାଈଚରା ।

ମଧୁ ପୁଣି କହିଲା, ସତ କହିଲ ସାନବାପା, ଏ ଗାଈଚରା କାମଟି ପାଠ ଅପେକ୍ଷା ଭଲ ନୁହେଁ? ଭଗବାନ ଗାଈ ଚରାଉ ନଥିଲେ?

ବସିଲା ଏକ ଚଟକଣି ।

ଏଥର ମଧୁ କାନ୍ଦିଲା ନାହିଁ ।

ପରଦିନ ମଧୁ ଆଉ ଘରେ ନଥିଲା ।

ସମସ୍ତେ ଖୋଜିଲେ, ପୁଲିସ ସମେତ । ବନ୍ଧୁ ବାନ୍ଧବ, ସୁକୃତ ମୈତ୍ର‌୍ ମାନଙ୍କ ଘର ମାନଙ୍କୁ ଖବର ଦିଆଗଲା କିନ୍ତୁ ମଧୁ କେଉଁଆଡେ ଗଲା ଜଣା ପଡିଲାନି ।

ସାରା ଗ୍ରାମ ହୁଲୁସ୍ତୁଲ ହୋଇଗଲା । ବାଳୁତ ମାତ୍ର, କୁଆଡେ ହଜିଗଲା । ମାଷ୍ଟ୍ରେଙ୍କ ଅବସ୍ଥା ଅନୁମେୟ । ପିତା ମାତା ଓ ସମଗ୍ର ପରିବାର କିଛି ଦିନ କନ୍ଦାକଟା ଅନ୍ତେ ଧରିନେଲେ ମଧୁ ଆଉ ଫେରିବ ନାହିଁ । ଗାଆଁ ମଠକୁ ଆସିଥିଲେ ଜଣେ ତ୍ରିକାଳଦର୍ଶୀ ମୌନୀବାବା । ଧ୍ୟାନରେ ବସି ସେ ସାଂକେତିକ ଉତ୍ତର ଦେଲେ ଉର୍ଦ୍ଧ୍ୱଗାମୀ ମଧୁ । ତାହେଲେ ସେ କି ମୃତ? ମୁଣ୍ଡ ହଲାଇ ସ୍ମିତ ହାସ୍ୟରେ ବାବା ନାସ୍ତି କଲେ । ମଧୁଠୁ ଆସିଥିବା ଚିଠିର ପୋଷ୍ଟାଲ ଷ୍ଟାମ୍ପ ବସିଥାଏ ଋଷିକେଶ ।

ବାବା, ସେ ତେବେ କଣ ଋଷିକେଶରେ? ସଂକେତ ମିଳିଲା ଆହୁରି ଉର୍ଦ୍ଧ୍ବରେ । ଯଥା ସମ୍ଭବ ହିମାଳୟକୁ ଖୋଜାଗଲା । ଏହା କଣ ସମ୍ଭବ? ମଧୁ ମିଳିଲା ନାହିଁ ।

ପ୍ରାୟ ବାର ବର୍ଷ ପରେ ସେ ଫେରିଲା । ସାଧାରଣ ମଣିଷ ଭଳି । ନା କିଛି ଅଭିଯୋଗ ନା କିଛି ସଫେଇ । ନା ଜଟାଜୁଟ ନା ଶୁଭ୍ର ଅବା ଗେରୁଆ ବସ୍ତ୍ର । ତାର ଆଚରଣ ଥିଲା; ଯେମିତି କୌଣସି ବନ୍ଧୁଘର ଯାଇ ଫେରି ଆସିଛି । 

କିଏ ଦିନେ ତାକୁ ସାହାସ କରି ପଚାରି ନାହିଁ । ଗାଆଁଲୋକେ ପଚାରିଲେ ହସିଦିଏ, ନିରୁତ୍ତର ରହେ । ସାନବାପା ସେଦିନରୁ ଅଦ୍ୟାବଧି ମଧୁକୁ କଥା ହୁଅନ୍ତି ନାହିଁ ।

ସେ କଥା ଅନେକ ଦିନୁ ବିଗତ । ସମସ୍ତ ଭ୍ରାତା ଭଗ୍ନୀମାନେ ପାଠ ସମାପ୍ତ କରି ପଦ ପଦବୀରେ ରହିଲେ, ଆତ୍ମ ନିର୍ବାସିତ ହୋଇ । କାଳ କ୍ରମଶଃ ଆବୋରି ନେଇଛି, ବାପା, ବଡବାପା, ମାଆ, କାକୀ ଓ ବଡ ମାଆଙ୍କୁ । ରହିଛନ୍ତି କେବଳ ଏହି ସାନ ବାପା, ବିପିନି ମାଷ୍ଟ୍ରେ । ମଧୁ ଦୁଇ ସନ୍ତାନର ଜନକ । ଏତେ ବଡ ପରିବାର କିଏ କେଉଁଠି ରହିଲେ । ପିଲାଏ ସାଧାରଣ ଭାବେ ସାନ ଜେଜେଙ୍କ ଆଦର ଯତ୍ନରେ ବେଶ ଭଲ ଆଗୁଆ ସବୁ ଦିଗରୁ । ଏବେ ବୈଷୟିକ ଅନୁଷ୍ଠାନ ମାନଙ୍କରେ ଦୂରାନ୍ତରେ । 

ମିନୀ ଆଜି ସାନ ବାପାଙ୍କ କଟୁକଥାରେ ମୁହଁ ଶୁଖାଇ ଘର କାମ ମାନ କରି ଚାଲିଛି । ମଧୁ ଆସି ପହଞ୍ଚିଲା ପରେ ଓ ପଚାରନ୍ତେ, ମନଖୋଲି ସେ କଥା କହିଗଲା ।

ମଧୁ ହାସ୍ୟ ସମ୍ବରଣ କରି ନପାରି ମିନୀକୁ ପିଲାଙ୍କ ପଢାଘରକୁ ନେଇଗଲା । ତା ବ୍ୟକ୍ତିଗତ ବହି ଆଲମୀରା ଖୋଲି ଦେଖାଇଲା, ଏଗୁଡାରୁ ଅନେକ ତୁମେ ପଢିଛ । ପଢିନ କି ଆରଣ୍ୟକ, ଶେଷ ବସନ୍ତର ଚିଠି, ଲକ୍ଷ୍ମୀର ଅଭିସାର ଇତ୍ୟାଦି ଇତ୍ୟାଦି? ଅଥଚ ଜାଣିନ ଲେଖକ କିଏ । ଏମିତି କି “ମନୋଜ ପଞ୍ଚବିଂଶତି” ପଢି କେମିତି ତୁମେ ନାମଟି ଭୁଲିଗଲ! 

ଏବେ ମିନୀ ମୁହଁରେ ହସ, “ସାନବାପା ଠିକ୍ କହଛନ୍ତି, ମୋଠୁ ମୂର୍ଖ କେହି ନାହିଁ” । 

ଓ! ଇଏ ତାହେଲେ ସେହି ମନୋଜ ଦାସ, ଯେ ଦ୍ୱନ୍ଦ୍ୱରେ ପକାଇ ଦିଅନ୍ତି, ଅଗି ନିଆଁରେ ମଦୁଆ ଦଳ ମଣିଷ ଅବା ବାର୍ହାକୁ ଖାଇଗଲେ, ମଧୁବନର ମେୟରଙ୍କୁ ସାରା ରାତି ନଦୀପାଣିକୁ ବସ୍ତ୍ରପ୍ରାୟ ଲଜ୍ଜାନିବାରଣ ବ୍ୟବସ୍ଥା କରାନ୍ତି, ସଭ୍ୟ ମନୁଷ୍ୟକୁ ଆଇନା ଆଗରେ ନିର୍ବସ୍ତ୍ର ଟାଇ ପିନ୍ଧାନ୍ତି, ପୃଥୀରାଜଙ୍କ ଘୋଡାର ଶକ୍ତିରେ ମଲା ଦଦରା ପଣ୍ଡିତକୁ ଲକ୍ଷେ ସିଂହର ବଳ ଦିଅନ୍ତି । ମଲା ମଲା, ମୁଁ ଚକୁଳି ଖାଇବା ଲୋକ, ବିରି କିଏ ଚାଷ କଲା ମୁଁ କେମିତି ଜାଣିବି? ମୁଁ କାହିଁକି ଗପ ପଢୁ ପଢୁ କିଏ ଲେଖିଲା ମନେ ରଖିବି ମଁ । ସାନ ବାପା ଠିକ୍ କହୁଥିଲେ ସେ ଲେଖକ ସବୁଠୁ ଆଗରେ । ତା ବ୍ୟତୀତ ଏମିତି ଗପ ଲେଖୁଥିବା ଲୋକ ଜଣଙ୍କ କଣ ଆମ ସାନ ବାପା ଭଳି ନବେ ବର୍ଷର ହୋଇ ପାରନ୍ତି? ମୁଁ ଭାବୁଥିଲି ସେ ଅତି ବେଶି ହେଲେ ଷାଠିଏ ବର୍ଷର ହୋଇଥିବେ । (୨୦୦୭ ମସିହା କଥା) । ସାନ ବାପା କହୁଥିଲେ ସେ ତାଙ୍କ ସହପାଠୀ ।

ମଧୁ ପୁଣି ହସିଲା । 

ହା ହା, ବିରି ଚାଷୀକୁ ନଜାଣ, ସୁଆଦରୁ କହିପାରିବ ନାହିଁ ଚକୁଳି ମାଆ କରିଛି କି ଜେଜେ ମାଆ? ସାନ ବାପା ଠିକ୍ କହିଛନ୍ତି । ସେ ମାଇନର ପାସ କରି ମାଷ୍ଟ୍ରେ ହୋଇଥିଲେ । ଧୀରେ, ଧୀରେ କେବେ କେବେ ଘରୋଇ ପରୀକ୍ଷା ଦେଇ ଆଗକୁ ଗଲେ । ଅନେକ ବର୍ଷ ପରେ ବାଲେଶ୍ୱର ନୈଶ୍ୟ ମହାବିଦ୍ୟାଳୟ ଖୋଲିବାରୁ ସେଇଠି କଲେଜରେ ନାମ ଲେଖାଇଲେ । ଦିନରେ ମାଷ୍ଟ୍ର ରାତିରେ ଛାତ୍ର । ମିତ୍ରପୁରରୁ ବାଲେଶ୍ୱର ନିତି ସାଇେକେଲରେ ଯିବେ ପୁଣି ଘଡିଏ ରାତିକୁ ଫେରିବେ । ପ୍ରକୃତରେ ସେ ପ୍ରାୟ ତେର ଚଉଦ ବର୍ଷ ବଡ । ତେବେ ତାଙ୍କର ଏ ମନସ୍ୱୀ ସାଙ୍ଗ ଜଣକ, ଷାଠିଏ ନୁହେଁ ତେସ୍ତୋରି ବର୍ଷର ହେଲେଣି । ସେ ସମୟରେ ଛାତ୍ରମାନଙ୍କ ମଧ୍ୟରେ ଘନିଷ୍ଠତା ଥିଲା ବୋଧହୁଏ ବହୁତ, ଏଣୁ ନୈଶ୍ୟ ମହାବିଦ୍ୟାଳୟର ଛାତ୍ରମାନେ ବି ସମସ୍ତଙ୍କୁ ଚିହ୍ନୁଥିଲେ । ମନୋଜ ମହାଶୟ ସେତେବେଳକୁ ଲେଖକର ମର୍ଯ୍ୟାଦା ପାଇଲେଣି । ଛାତ୍ର ନେତା, ସାମ୍ୟବାଦୀ ନେତା, କବି, ଗୀତିକାର, ବାଦ୍ୟ ଓ ସଂଗୀତକାର ତଥା ସଂପାଦକ । ସବୁ ଛାତ୍ର ତାଙ୍କୁ ଚିହ୍ନିବା ସ୍ୱଭାବିକ । ସେମିତି ବୁଢାକାଳରେ ପାଠ ପଢୁଥିବା ମାଷ୍ଟ୍ରେଙ୍କୁ ମଧ୍ୟ ସମସ୍ତେ ଚିହ୍ନୁଥିଲେ ଓ ମାଷ୍ଟ୍ରେ ସମ୍ବୋଧନ କରୁଥିଲେ । ତେଣୁ ସେ କିଛି ମିଛ କହି ନାହାନ୍ତି। 

ସାନବାପା କାହିଁ ତାଙ୍କ ନାତି ଦୁଇଜଣଙ୍କୁ ତ ଛାଟ ଦେଇ ପାଠ ପଢାଇଲେ ନାହିଁ । ଏଣୁ ସେ ମାନନ୍ତୁ ଅବା ନମାନନ୍ତୁ ଏହା ଯେ ଭୁଲ ପଦ୍ଧତି ଥିଲା ତାହା ସେ ହୃଦୟଙ୍ଗମ କଲେଣି । କେବଳ ସେ କାହିଁକି, ସମାଜ ଓ ଶିକ୍ଷା ବ୍ୟବସ୍ଥା ମଧ୍ୟ ଏକଥା ବୁଝିଲାଣି, ବିଦ୍ୟାଳୟ ଏବେ ଦଣ୍ଡମୁକ୍ତ ଅଞ୍ଚଳ । ସେ ବିଜ୍ଞାପନଟି ଦେଖିଲେ ମତେ ହସ ଲାଗେ ।

ମୋର ଯାହା ଅନୁଭବ ବହୁତ ସମୟରେ ସେ ନିଜକୁ ନିଜେ ମୂର୍ଖ ଅପଗଣ୍ଡ କହିଥାନ୍ତି । 

ଏହି ସାନବାପା ହିଁ ମୋତେ ଫେରାଇ ଆଣିଥିଲେ । ହଠାତ୍ ଦିନେ ମନେହେଲା, ମୋ ପାଇଁ ସେ କେତେ କଷ୍ଟ ପାଇଛନ୍ତି ଓ ପାଉଥିବେ। ମୁଁ ପଢିଲି ନାହିଁ ସେ କଷ୍ଟ ପାଇଲେ, ତାଙ୍କ ଉପରେ ଅଭିମାନ କରି ମୁଁ ଘର ଛାଡିଲି ସେ ଅଯଥା ନିଜକୁ ଦୋଷୀ ମନେ କରୁଥିବେ, ହଠାତ ମୁଁ ଗୁରୁଙ୍କୁ ପଚାରିବାରୁ ଗୁରୁ ମୋତେ ରେଳ ଟିକେଟ ଦେଇ ବିଦା କରିଦେଲେକି ମୋ ଏ ଜୀବନର ସମସ୍ତ କର୍ତ୍ତବ୍ୟ ତାଙ୍କ ପାଖରେ । ଦେଖ, ସବୁ ଚାଲିଗଲେ ସେ ଆମକୁ ଛାଡି ଯାଉନାହାନ୍ତି କାରଣ ମୋତେ ତାଙ୍କ ଇଛା ମୁତାବକ ମଣିଷ କରି ପାରିନଥିବାର କଷ୍ଟ ପାଇବା ତାଙ୍କର ଦୁର୍ଭାଗ୍ୟ ଯାହା ତାଙ୍କର ଆଉ ହୁଏତ କିଛି ବାକି ଅଛି । ଆମେ ତାଙ୍କ ଦାୟିତ୍ୱ ନେବାର ଆନନ୍ଦ ପାଇବା, ସେତିକି ଦେବା ପାଇଁ ସେ ଅଛନ୍ତି । ଯେପର୍ଯ୍ୟନ୍ତ ସେ ବୁଝିନଥିବେ ଯେ ମଧୁ ଓ ମିନୀ ସଫଳ ମଣିଷ ସେ ପର୍ଯ୍ୟନ୍ତ ସେ ନିଜକୁ ଓ ଆମକୁ କହି ଚାଲିଥିବେ ମୂର୍ଖ ଅପଗଣ୍ଡ । ଆମ ପିଲା ମାନଙ୍କ ସଫଳତାକୁ ସେ ଆମ ସଫଳତା ବିଚାର କରୁ ନାହାନ୍ତି । ସଫଳତା ଓ ବିଫଳତାର ସଜ୍ଞା ସେ ନିରୁପଣ କଲେ ଯାଇ ତାଙ୍କ କର୍ତ୍ତବ୍ୟ ସରିବ ।

ମିନୀକୁ ଏସବୁ କଥା ଠିକ ଲାଗିଲେ ସତ, ଏତେ ଗହନକୁ ଯିବାରେ ତାହାର ରୁଚି ନଥାଏ । ବିଶେଷ କରି ସେ କେବେ ମଧୂଙ୍କୁ ପଚାରେ ନାହିଁ, କେଉଁ ଗୁରୁଙ୍କ କଥା ସେ କହନ୍ତି । ତାକୁ ଭୟ ଲାଗେ ଯଦିଓ ସେ ନିଶ୍ଚିତ ସ୍ୱାମୀ କେବେ ତାକୁ ଛାଡି କେଉଁଆଡେ ଚାଲିଯିବେ ନାହିଁ। ସେ କେବଳ ଛୋଟ କଥାଟିଏ ଭାବେ, ମଧୁ ଯଦି ସେମିତି ଏକ ବଡ ପଦବୀରେ ବିଦେଶରେ ଥାଆନ୍ତେ ତାହେଲେ ସାନ ବାପା କେମିତି ମିତ୍ରପୁରରେ ରହି ପରିଥାନ୍ତେ । ସେ କେବେ ଗାଆଁ ଛାଡି କୁଆଡେ ଯାଇ ପାରିଥାନ୍ତେ ! ଆଉ ଏହି ସାନଜେଜେଙ୍କ ପାଇଁ ତ ନାତି ଦୁଇଟି ଉପରକୁ ଯାଇଛନ୍ତି ।

ମଧୁ ପକେଟ ମଧ୍ୟରୁ ଛୋଟିଆ ଶ୍ରବଣ ଯନ୍ତ୍ରଟି ବାହାର କଲେ । ବୁଝିଲ ମିନୀ, ଏଥିରେ ବ୍ୟାଟେରୀ ପକାଇ ଆଣିଲି । ସାନ ବାପା କହିବା ଆଗରୁ ମୁଁ ଅବଗତ ଥିଲି କି ସେ ନଶ୍ଚେ ଏ ସଭାକୁ ଯିବେ । ନିଜର କାଲାପଣ ଲୁଚାଇବାକୁ ଯାଇ ଦିନେ ବି ଏହାକୁ ବ୍ୟବହାର କଲେ ନାହିଁ, ବ୍ୟାଟେରୀ ସରିଗଲା । ଦେଖାଯାଉ ଏଥର ରାଜି ହେଉଛନ୍ତି କି ନାହିଁ?

ଇଛାଥିଲେବି ମୋ କଥା ଶୁଣିବେ ନାହିଁ, ତାଙ୍କୁ ବୁଝାଇ ଶୁଝାଇ ଏଇଟା ଦିଅ ।

କହିବା ବାହୁଲ୍ୟ ମାଷ୍ଟ୍ରେ ଅତ୍ୟନ୍ତ ପ୍ରସନ୍ନ ହେଲେ, “ମୋ ମନକଥା ମଧୁ ବୁଝେ, ଏତେ ବୁଦ୍ଧିମାନ ପିଲାକୁ ମୁଁ ମଣିଷ କରିପାରିଲି ନାହିଁ। ଧିକ୍ ମୋ ମାଷ୍ଟ୍ର ପଣିଆ!” 

“କାହିଁକି ଆଉ ସେକଥା କହୁଛ ସାନବାପା । କୁହତ ତୁମ ସାନପୁଅ ମନରେ ଦୁଃଖ ଅଛି? କେତେ ଖୁସି ସେ ପ୍ରତି ମୁହୁର୍ତ୍ତରେ । ତୁମେ ତାଙ୍କୁ କହିବା ତାଙ୍କୁ କିଛି ଫରକ ପଡେନି, ତୁମର ଏ ଝିଅଟି କଷ୍ଟ ପାଏ”, ନିଜ ଆଡକୁ ଆଙ୍ଗୁଳି ଦେଖାଇ ମିନୀ ଏତକ କହିଲା ତ ନାହିଁ ଯେମିତି ପିଚକାରୀ ମାରିଦେଲା ।

ସାନବାପା ସ୍ୱଗତକ୍ତି କଲେ, ସମ୍ଭବତଃ ନିଜ ଆଡକୁ ହାତ ଦେଖାଇ, “ମୂର୍ଖ ଅପଗଣ୍ଡ” । 

ସୁଦିନ ଆସିଲା, ସଜ ବାଜ ହୋଇ ତିନିହେଁ ସଭାକୁ ଗଲେ । କାନରେ ଶ୍ରବଣ ଯନ୍ତ୍ର, ମାଷ୍ଟ୍ରେ ଆଜି ବଡ ଧୀର ସ୍ୱରରେ କଥା ହେଉଥାନ୍ତି । ମନେହୁଏ ସମଗ୍ର ସଭା ମଧ୍ୟରେ ସେ ବରିଷ୍ଠ । ସେ ଯେ ସଭାକୁ ଆସିବେ ଏକଥା କେହି ଭାବିନଥିଲେ, ନଥିଲା ତାଙ୍କପାଇଁ ବିଶେଷ ନିମନ୍ତ୍ରଣ । କିନ୍ତୁ ଆଜି ଫକୀର ମୋହନ କଲେଜର ଅଧ୍ୟକ୍ଷ ତାଙ୍କ ଛାତ୍ର । ମଧୂକୁ ସେ ପିଲାଦିନୁ ଚିହ୍ନନ୍ତି । ତା’ଠୁ ଏକଥା ଶୁଣି ସେ ଆୟୋଜନ କଲେ ବନ୍ଧୁମିଳନ ମଧ୍ୟରେ ଆଉ ଏକ ବନ୍ଧୁମିଳନ । 

ଯେଉଁମାନେ ଶ୍ରୀ ଦାସଙ୍କ ସହପାଠୀ ସେମାନଙ୍କୁ ଗୋଟିଏ ରୁମରେ ବସାଇ ସଭାପରେ ଚା ପର୍ବଟିଏ ହେବ । 

ସଭା ଆରମ୍ଭ, ଶ୍ରୀ ଦାସଙ୍କ ଭାଷଣ ପାଇଁ ସମ୍ମାନ ପ୍ରଦାନ ପର୍ବଟି ପଛକୁ ଘୁଞ୍ଚିଥିବାରୁ ସେ ପ୍ରଥମେ ଦୁଃଖ ପ୍ରକାଶ କରି ତାଙ୍କ ସ୍ୱଭାବ ସୁଲଭ ମଜାଳିଆ ବକ୍ତବ୍ୟ ଦେଇ କହିଲେ, ଆଫ୍ରିକାର ଏକ ପ୍ରଥା ଅନୁସରଣ କରି ଏକଗୋଡରେ ଠିଆ ହୋଇ ଭାଷଣ ଦେବା ପ୍ରଥାଟି ଭାରତରେ ପ୍ରଚଳନ କଲେ ମନ୍ଦ ହୁଅନ୍ତା ନାହିଁ । ବକ୍ତା ଅଳ୍ପ କହିବାକୁ ବାଧ୍ୟ ହୁଅନ୍ତେ । 

ମାଷ୍ଟ୍ରେଙ୍କୁ ଭଲ ଶୁଭୁଛି ସେ ସମସ୍ତଙ୍କ ପରି ହସି ଉଠି ତାଳି ମାରିଲେ। ଲଘୁ ଗମ୍ଭୀର ଭାଷଣ, ସଫଳତା ଓ ବିଫଳତାର ସମୀକ୍ଷା ଦିଗକୁ ଆଗେଇଲା । ସେ କହିଲେ ପାଣ୍ଡୋରା ବାକ୍ସରୁ ବାହାରିଥିବା ଶେଷ କଥାଟି ହେଲା ଅଶା, ଓ ତାକୁ ନେଇ ମଣିଷ ବଞ୍ଚୁଥାଏ । ଓସ୍କାର ୱଇଲ୍ଡି ଓ ବାର୍ଣ୍ଣାଡ ଶ କହିଛନ୍ତି ମଣିଷ ଯାହା ଚାହେଁ ତାହା ପାଇବା ଓ ତାହା ନପାଇବା ଏ ଉଭୟ ଆଣନ୍ତି ତା ପାଇଁ ଦୁଃଖ ।

ପ୍ରାଚୀନ ପାରସ୍ୟର ନରପତି ଜର୍ଗେସ ଗ୍ରୀସ ଅକ୍ତିଆର କରିବା ପାଇଁ ତତ୍କାଳୀନ ପୃଥିବୀର ସର୍ବ ବୃହତ ସ୍ଥଳ ଓ ନୌସେନାକୁ ଟ୍ରୟ ନଗରୀର ପର୍ବତ ଚୁଳରୁ ନିରୀକ୍ଷଣ କରି ସଫଳତାର ହସ ହସିଲା ପରେ ଅବସାଦର ଲୁହ ଝରାଇଲେ, ହାୟ ଆଉ ଶହେ ବର୍ଷପରେ ଏ ଦିଗନ୍ତ ବ୍ୟାପୀ ସୈନ୍ୟବାହିନୀରୁ କେହିଜଣେ ନଥିବେ, ବିଜିତ ଓ ବିଜେତା ବାହୁଡି ଯାଇଥିବେ । ସଫଳତା ତାହେଲେ କାହିଁ? ବିଶ୍ୱବିଜୟୀ ଆଲେକ୍ଜାଣ୍ଡର ଦରିଦ୍ର ଦାର୍ଶନିକ ଡାଓଜେନିସଙ୍କ ପାଖକୁ ଛୁଟିଯାଉଥିଲେ ଜୀବନ ଜିଜ୍ଞାସାର ବିନ୍ଦୁଏ ଦର୍ଶନ ପ୍ରାପ୍ତ ହେବାପାଇଁ। ତାଙ୍କ ଗୁରୁ ଆରିଷ୍ଟଟଲ୍ ତାଙ୍କ ମଧ୍ୟରେ ସୃଷ୍ଟି କରିଥିବା ଅଭିପ୍ସାକୁ ଅବହେଳା କରି ସେ ମର୍ମେ ମର୍ମେ ବିଫଳତା ଅନୁଭବ କରୁଥିବାର ପ୍ରମାଣ । ଆଲି ହାଥିସ ଜଣେ ଜ୍ୟୋତିଷଙ୍କ ପ୍ରରୋଚନାରେ କିଣିଥିବା ପାହାଡିଆ ଭୂମିରୁ ସୁନାଫଳିବ ଭବିଷ୍ୟବାଣୀରେ ନିରାଶ ହୋଇ ତାହାକୁ ସ୍ୱଳ୍ପ ମୂଲ୍ୟରେ ବିକି ଦେଲେ । ଛଅ ମାସ ପରେ ସେଠାରେ ଗୋଲକୁଣ୍ଡା ହୀରାଖଣି ଆବିଷ୍କୃତ ହେଲା । ଏ ଖବରରେ ଅତିଷ୍ଠ ହୋଇ ସେ ପ୍ରାଣତ୍ୟାଗ କଲେ । ନୂଆ ବୃଦ୍ଧ ମାଲିକ ସେତେବେଳକୁ ଧନ ଉପଭୋଗ ବୟସରୁ ଅତିକ୍ରାନ୍ତ, ସେ ଭାଳେଣିରୁ ସେ ଜୀବନ ହାରିଲେ । ତାଙ୍କ ଉତ୍ତରାଧିକାରୀ ରୋଗଗ୍ରସ୍ତ ହୋଇ ପ୍ରାଚୂର୍ଯ୍ୟକୁ ଉପଭୋଗ ନକରି ମରିଗଲେ । ହୀରା ମାନେ ଆଜି କେଉଁଠି? 

ପିଲାଳିଆ କଥାଟିଏ କହିଲେ । ଉତ୍ତର ବାଲେଶ୍ୱରର ଏକ ମେଧାବୀ ଛାତ୍ରକୁ ଶିକ୍ଷକମାନେ ପ୍ରସ୍ତୁତ କରାଇଥାନ୍ତି ସ୍କୁଲ ସବଇନିସ୍ପେକ୍ଟର ବାବୁଙ୍କୁ ସାମ୍ନା ହେବାପାଇଁ । “ସୁଦୂର କାବୁଲ ଦେଶେ ଅଟେ ମୋର ଘର, କରିବାକୁ ଆସିଥିଲି କାରବାର ।” ସେ କହିବାର ଥାଏ କବି କହୁଛନ୍ତି କେବଳ ଦୂର ନୁହେଁ, ସୁଦୂର କାବୁଲ ଦେଶରେ ବ୍ୟାପାରୀଙ୍କ ଘର ।

ଠିକ୍ ସମୟରେ ବାବୁଙ୍କ ପ୍ରଶ୍ନରେ ହଡବଡେଇଗଲା ପିଲାଟି କହିଲା, କବି କହୁଛନ୍ତି ଖାଲି ବୁଲ ନୁହେଁ କା ବୁଲ ଦେଶରୁ ବ୍ୟାପାରୀ ଆସିଛନ୍ତି । ନିଜର ତ୍ରୁଟି ପରକ୍ଷଣରେ ବୁଝିପାରି ସେ ଏମିତି ମ୍ରୀୟମାଣ ହୋଇ ପଡିଲା ଯେ ପାଠରେ ଡୋରୀ ବାନ୍ଧିଦେଲା ।

ମଧୁ, ମିନୀ ଓ ମାଷ୍ଟେଙ୍କ ହୃଦୟକୁ କଥାଟି ବେଦନାସିକ୍ତ କରିଦେଲା। ମଧୂ ହସିଦେଲା, ମିନୀ ଝାଉଁଳି ପଡିଲା । ମାଷ୍ଟ୍ରେଙ୍କ ଆଖିରେ ଲୁହ, ସେ ଯେମିତି ଅନୁଭବ କଲେ ସମ୍ପୃକ୍ତ ବାବୁ ଜଣକ ସେ ନିଜେ ଓ ପିଲାଟି ମଧୁ ବ୍ୟତୀତ କେହି ନୁହନ୍ତି । 

ମନୋଜ କହିଲେ, ହିଟଲରଙ୍କ ମସ୍କୋ ଅବରୋଧର ସମସ୍ତ ଗଣନା କିପରି ଅଦୃଷ୍ଟର ଅକାଳ ତୁଷାରପାତରେ ବିଫଳ ହୋଇଗଲା । 

ନିଜର ଯାତ୍ରାଦଳକୁ ତାଙ୍କ ପରବର୍ତ୍ତୀ ନାଟକର ବିୟୋଗାନ୍ତକ ମର୍ମ ଗଛମୂଳେ ବୁଝାଉ ବୁଝାଉ, ଓଃ କି ଟ୍ରାଜେଡି, ଗୋଟିଏ ଛଞ୍ଚାଣର ଆକ୍ରମଣରେ ଅନ୍ୟ ଛଞ୍ଚାଣର ଚଞ୍ଚୁରୁ ଖସି ପଡିଲା ବୋହି ନେଉଥିବା କଛପଟି । ଆସ୍କେଲାସଙ୍କ ଚନ୍ଦାମୁଣ୍ଡ ଦୁଇଫାଳ ହୋଇଗଲା । କେତେବେଳେ କାହା ମୁଣ୍ଡରେ ଏମିତି କଛପ ପତ୍ତନ ଘଟିବ ସେକଥା ଜାଣିବାର ଉପାୟ ନାହିଁ । 

ବିରାଟ ଯୋଦ୍ଧା ଆନସିୟସ ବହୁ ବିଜୟାନ୍ତେ ବିଶ୍ରାମର ସ୍ୱପ୍ନରେ ପ୍ରାସାଦ ନିର୍ମାଣ କରି ବଗିଚାରେ ଚାଷ କରାଇଲେ ଶ୍ରେଷ୍ଠ ଅଙ୍ଗୁର ଓ ତହିଁରୁ ହେବ ଦିନେ ବିଶେଷ ସ୍ୱାଦର ସୁରା ।

ହାୟ! ଖଉନ୍ଦ ସେ ସୁରା ସେବନ କରିପାରିବେ ନାହିଁ ଭବିଷ୍ୟବାଣୀ କରିଥିଲେ ଦାସରୂପୀ ଦାର୍ଶନିକ ।

ସେହି ଦାର୍ଶନିକଙ୍କୁ ସାକ୍ଷୀ ରଖି ସେ ବିଶେଷ ସୁରାପର୍ବ ଆରମ୍ଭ ହେଲା ।

ତଥାପି ଦାର୍ଶନିକ କହିଲେ, ପିଆଲା ଓ ଓଷ୍ଠ ମଧ୍ୟରେ ଅନେକ ପାନୀୟ ଭୂପତିତ ହେବାର ସମ୍ଭାବନା ଥଏ ।

ବାର୍ହା ପଶି ଆସିଲା ବଗିଚାକୁ, ସୁରାପାତ୍ର ଥୋଇ ଅସୀ ହସ୍ତେ ବାହାରିଗଲେ ଆନସିୟସ । ହାୟ, ସୁରାପାନ ନଥିଲା ବିଧାନ!

ଏମିତି ଅସଂଖ୍ୟ ଉଦାହରଣ କଣ ଆମକୁ ଶିକ୍ଷାଦିଏ? 

ଆମକୁ ସୂଚନା ମିଳେନା ପର ମୁହୁର୍ତ୍ତରେ କଣ ଘଟିବ, ଆମେ ଅଜ୍ଞାନ । ଜନ୍ମ ଓ ମୃତ୍ୟୁ ଦୁଇଟି ଅଜ୍ଞାତ ତାରିଖର ବନ୍ଧନୀ ମଧ୍ୟରେ ସୀମିତ ଏ ଜୀବନରେ କି ଜ୍ଞାନ ଅବା ସମ୍ଭବ! ତାହେଲେ କଣ ଜ୍ଞାନମାର୍ଗ କିଛିନାହିଁ?

ଅଛି, କିନ୍ତୁ ଅଜ୍ଞାନତା ଓ ଅହଂ; ଜ୍ଞାନ ଅର୍ଜନରେ ପ୍ରତିବନ୍ଧକ । ଅହଂ କବଳିତ ମଣିଷ ନିଜକୁ କେବେ ସନ୍ଦେହ କରିପାରେନା ଯେ ସେ ଅଜ୍ଞାନ ।

ଏଥର ମାଷ୍ଟ୍ରେ, କଥାଟିକୁ ନିଜ ଅନ୍ତରକୁ ଟାଣିନେଲେ । ତାଙ୍କ ସଫଳତା ଓ ବିଫଳତାର ସଜ୍ଞା ବଦଳିଗଲା । ହଠାତ ଅନୁଭବ କଲେ, କେବଳ ଯାହା ଏଇ ମଧୁଟି ପାଇଁ ସିନା ତାଙ୍କ ଜୀବନର ଏ ଅନ୍ତିମ ପର୍ଯ୍ୟାୟ ଉଣା ଅଧିକେ ମଧୁମୟ । ମଧୁକୁ ଅମଣିଷ କରିବାର ଗ୍ଳାନିର ପରିସମାପ୍ତି ଘଟିଲା । କହିବା ବାହୁଲ୍ୟ ସେ ଶ୍ରବଣ ଯନ୍ତ୍ର କାନରୁ ବାହାର କରି ନୀରବତାର ଆଶ୍ରୟ ନେଲେ । 

ସଭା ସରିଲା ପରେ, ସ୍ୱଳ୍ପ ସମୟ ଏକାଠି ହେଲେ । ଶ୍ରୀ ଦାସଙ୍କ ସମେତ ଆଉ ଚାରିଜଣ ବନ୍ଧୁ ମାଷ୍ଟ୍ରେଙ୍କ ଉପସ୍ଥିତିରେ ଦେଖାଯାଉଥାନ୍ତି ଯେମିତି ତାଙ୍କ ଛାତ୍ର । ସମସ୍ତଙ୍କ ସେହି ଗୋଟିଏ ସମ୍ବୋଧନ, ମାଷ୍ଟ୍ରେ! ମାତ୍ର ପାଞ୍ଚ ମିନିଟିରେ ଏ ବୟସ୍କ ବିଜ୍ଞଜନେ ପାଞ୍ଚ ଯୁଗର କଥା ହୋଇଗଲେ । ମାଷ୍ଟ୍ରେଙ୍କୁ ସହାୟତା ଦେବା ପାଇଁ ମଧୁ ଓ ମିନୀ ସେଇଠି ଉପସ୍ଥିତ ଥାଆନ୍ତି । ଅଧ୍ୟକ୍ଷ ଚିହ୍ନାଇ ଦେଲେ । ଇଏ ମଧୁ, ଓରଫ ଗାଳ୍ପିକ ଶ୍ରୀଆନନ୍ଦ, ମାଷ୍ଟ୍ରେଙ୍କ ପୁତୁରା ଓ ତାଙ୍କ ପତ୍ନୀ ମିନତୀ । 

ଶ୍ରୀଆନନ୍ଦ! 

ମାଷ୍ଟ୍ରେଙ୍କ ସମେତ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିିଁଲେ । ସେମାନଙ୍କ ମୁହଁରୁ ବାହାରି ଆସିଲା, ଚମତ୍କାର ଗଳ୍ପ ତାଙ୍କର । 

ମିନୀ ଜାଣିଛି, ସେଦିନ ଉପାଧିଶ୍ରେଣୀରେ ପଢାଯାଉଥିବା ଶ୍ରୀଆନନ୍ଦଙ୍କ ଗଳ୍ପଟି ପଢି ସାନବାପା କେତେ ଖୁସି ହୋଇଥିଲେ । ପଚାରିଲେ ଏ ଲେଖକ କିଏ? ମିନୀ ଗପ ପଢେ, ଲେଖକ କିଏ ଜାଣିବାରେ ଆଗ୍ରହ ନଥାଏ । ମଧୁଙ୍କୁ ଏକଥା ପଚାରିବାରୁ ସେ ହସିଦେଇ ଜାଣି ନାହାନ୍ତି ବୋଲି କହିଥିଲେ । ଆଜି ଘରକୁ ଫେରିଲେ ବୁଝିବା ତାଙ୍କ କଥା । ଏତେ ମିଛ ।

ଘରେ ପହଞ୍ଚିଲା ପର୍ଯ୍ୟନ୍ତ ମାଷ୍ଟ୍ରେ କେବଳ ଗୋଟିଏ କଥା ଭାବୁଥିଲେ, କେତେ ସଫଳ ତାଙ୍କର ଏ ପୁଅଟି । ଅହଂ ପ୍ରଣୋଦିତ ମନ ତାଙ୍କର ଅଯଥା ଏ ସଫଳତାର ଆନନ୍ଦ ଟିକକ ଆସ୍ୱାଦନ କରିପାରିଲା ନାହିଁ । ଧିକ୍ ହୀରାଖଣି ଆବିଷ୍କାର ହେଲା ତାଙ୍କ ଆସନ୍ନ ମୃତ୍ୟୁରେ ।

ବହୁଦିନ ପରେ ଦୂର ଦୂରାନ୍ତରୁ ଆସି ସମସ୍ତ ପରିବାର ଏକାଠି ହେଲେ, ମାଷ୍ଟ୍ରେଙ୍କ କ୍ରୀୟାକର୍ମ ସୁରୁଖୁରୁରେ ହୋଇଗଲା । ତା ସହ ସାରା ମିତ୍ରପୁର ସନ୍ଧାନ ପାଇଲା ଶ୍ରୀଆନନ୍ଦଙ୍କର, ଯେ ପାଠ ତିଆରି କରିବ ବୋଲି ବାଲ୍ୟକାଳରେ ଆସ୍ଫାଳନ କରି ନିଜେ ରହିଗଲେ ଷଷ୍ଠ ପାସ ।

ଶ୍ରୀଆନନ୍ଦ ଅନ୍ତରରେ ଗୁରୁଙ୍କୁ ସ୍ମରଣ କରୁଥିଲେ ।