Search This Blog

Sunday 20 August 2017

ବର୍ଷାର ଆତ୍ମକଥା



ବର୍ଷାର ଆତ୍ମକଥା।।

ମୁଁ ତ କବି ନୁହେଁ ବର୍ଷା ମାତ୍ର,
ମେଘ ସମ୍ଭାରରେ ପୁଷ୍ଟ, ଶବ୍ଦ ମୋର କାହିଁ,
କେମିତି ମୁଁ ମୋ କଥା କହିବି,
ଶବ୍ଦ ମୋର ଭୟଙ୍କର ବଜ୍ର ଘଡଘଡି,
ଟୁପୁରୁ ଟାପୁର, ଝର ଝର ଝରିପଡେ,
ଟିଣ କର୍କଟରେ ବାଇଦ ବଜାଏ,
ଖସର ଖସର ଖସିପଡି ଗଡିଯାଏ ଓଳଛିଆ ପାଣି,
ପାହାଡ଼ ଚୁଡାରୁ ମାଡ ଖାଇ,
ଘୋର ନାଦେ ଭୂମିରେ କଚାଡି ପଡେ,
ଝରଣାର ଶାସ୍ତ୍ରୀୟ ରାଗିଣୀ ଅବା ନଦୀର ସେ କୁଳୁକୁଳୁ ତାନ,
ସଭିଏଁ ମୋ ସଙ୍ଗୀତ ଆମେ ସବୁ ମିତ।।

ଏ ଭାଷା ତ କବିକୁଳ ବୁଝେ,
ଝରାଏ ତା ଝର କଲମରେ,
ଅନେକ ଆସର କରେ,
ଆଉ ଲେଖେ,
ଆସନ୍ତେ ବର୍ଷା କାଳ ନିଦାଘ ଶେଷେ,
 ଘୋଟଇ ମେଘମାଳା ଆକାଶ ଦେଶେ,
ଏସବୁ ଆଛା ଦିନ ମାନଙ୍କ ଘଟଣା,
ଆଉ ସେ ସୁଦିନ କାହିଁ,
ମୋ ମନର ବହୁ କ୍ଷୋଭ ଅନ୍ତର ବେଦନା,
 କେମିତି କହିବି,
ଶବ୍ଦ ସବୁ ଶୁଷ୍କ ଅପହୃତ,
ମୁଁ ତ ନୁହେଁ କବି, ବରଷା ମାତର।।

ହେ କବିକୁଳ!
ଲକ୍ଷେ କବିତାର ମନ୍ତ୍ର ଆହୁତି ଦେଇ ଆବାହନ କର,
ମୁଁ କି ବନ୍ଦନାର ଯୋଗ୍ୟ,
ତୁମ୍ଭ ବର୍ଷାରାଣୀ ଅପବିତ୍ର ବହୁ କାଳୁ,
ଅମ୍ଳ ତା ଶରୀର, ଗନ୍ଧକ ଓ ଅଙ୍ଗାରକର ବୋଝ ବୋହି
ଆଉ କେତେ ପାତକର ଅଣୁ,
ବିଷ ପରମାଣୁ,
କେ ଦେଇଛି ମୋର ଏହି ନୀରିହ ତନୁରେ,
ଏତେ ଜହରର ଜ୍ବାଳା!
କରିଛକି ପ୍ରତିବାଦ ଦୀପ ଶୋଭାଯାତ୍ରା କରି,
କିମ୍ବା କେବେ କଲମ ମୁନରେ,
ମୋ ପିତା ସୁରୁଜ ଆଜି ପରାଜିତ,
ନାଳ ନର୍ଦ୍ଦମାରୁ ମୁକ୍ତ ଓ ପବିତ୍ର କରି ଆକାଶେ ସଞ୍ଚିଲା,
କିନ୍ତୁ ତହିଁ ବି ସୁରକ୍ଷା କାହିଁ,
ବଳ ବୁଦ୍ଧି ପୂର୍ଣ୍ଣ, ଜନ ନଜରରୁ,
ଗାଅ କବି, ରକ୍ଷାକର ନଷ୍ଟ ବର୍ଷା ଦୁଲାଳୀକୁ,
ବ୍ୟଭିଚାରୀ, ଅତ୍ୟାଚାରୀ ଦାନବ ଦାଉରୁ।।

ମୋ ମାତା ଏ ସବୁଜ ବନାନୀ,
ଛାଣି ଛାଣି ସବୁ ଖାଦ,
ପତ୍ର ରନ୍ଧ୍ରେ ନିରୋଳା ଜଳକଣା ମୁକ୍ତ କରେ,
ମୁଁ ବି ଖୋଜେ ମା କୋଳ,
 ଖେଳିବାକୁ, ମୁହଁ ଗେଞ୍ଜିବାକୁ,
ମା'କି କରିବ ତ୍ୟାଗ,
ମେଘମାଳେ ଜାବୁଡି ଚୁମ୍ବନ ଦିଏ,
ମୁଁ ବର୍ଷାରେ ପରିଣତ ହୋଇ ଧରାକୁ ତିନ୍ତାଏ,
ଚାଷୀକୁଳ ମୂଖେ ହସ ଖେଳେ,
ମୁଁ ମାତା ବିଜଡିତ, ମା ମୋତେ ଶୋଷେ,
ଅସହିଷ୍ଣୁ ରାକ୍ଷସ ମନୁଷ୍ୟ,
ବାଧାଦିଏ ଆମ ଏ ଖେଳରେ,
ଯନ୍ତ୍ର ଜନତା ନିର୍ମମେ ହତ୍ୟା କରେ,
ମାତାକୁ ମୋହର,
ଶତ ଶତ ଲରି ଶୋଭାଯାତ୍ରା ବୁହେ, ତା ମର ଶରୀର,
ଗାଅ କବି ପ୍ରତିବାଦ କର,
ଏହି ଅଳି ଅବଳା ବର୍ଷାର।।

ଉତ୍ତୁଙ୍ଗ ଶିଖର ମାଳା ପ୍ରସ୍ତର ପ୍ରାଚୀର,
ସଖା ଏ ବର୍ଷାର, ଏ ଅଲଂଘ୍ୟ ନିୟମ,
ମୋ ପ୍ରିୟତମ ଓ ମୁଁ, ଯୁଗ ଯୁଗ ନିଭାଇଛୁ,
ପୁଣି ପ୍ରତିଶୃତ ଭବିଷ୍ୟତ ବହୁ କଳ୍ପ,
ସାକ୍ଷୀ ବନ, ସାକ୍ଷୀ ଜୀବଜନ୍ତୁ,
ସାକ୍ଷ୍ୟ ଦେବେ ଅମ୍ବର ନିବାସୀ ଯେତେ,
ସବୁ ମୋର ସପକ୍ଷେ ଥାଇବି, କେବଳ ଚତୁର ଜନ୍ତୁ,
ନମାନଇ ପ୍ରକୃତି ନିୟମ,
ମାତାକୁ ମୋ କରି ହତ୍ୟା,
ରାମ୍ପି ବିଦାରି ଦିଏ ପ୍ରିୟତମ ବୁକୁ,
ଗଢ଼ା ହୁଏ ଇମାରତ ସଖା ମାଉଁସରେ,
ରନ୍ଧା ଯାଏ ସଖାର ଅମୂଲ୍ୟ ରୁଧୀର,
ଦେଖ କବି ମାଳ ମାଳ ଧୂମଶ୍ରାବୀ ନଳୀ,
ଜଳ, ସ୍ଥଳ ଓ ଆକାଶ,
ସର୍ବ ବିଦ୍ୟମାନ ଏହି ବିଷର ଫୁତ୍କାର,
କବିଶ୍ରେଷ୍ଠ ମାନେ, ମୁଁ ବର୍ଷା ସର୍ବକାଳ ବାନ୍ଧବୀ ତୁମ୍ଭର,
ଚଲାଅ କଲମ ତୁମ୍ଭ, ରକ୍ଷାକର ମାନ ଏ ସଖୀର।।

ଭୂମିରେ ବି ନାହିଁ ରକ୍ଷା,
ଜଳ ହୋଇ ଝରରେ ଝରିଲି,
କେତେ ଅଙ୍କା ବଙ୍କା ପଥ ଦେଇ,
ନଦୀ ନାଳେ ଭରି ହେଲି ମୁହିଁ,
ମହାନଦୀ, ସତଲେଜ କାବେରୀ,
ମାନିଲାନି ମନ ଏ ନରର,
ବନ୍ଧ ବାଡେ ବନ୍ଦୀ କରି, ସରିତାର ସାଗର ଗମନ,
ଦେଶ ଦେଶ, ରାଜ୍ୟ ରାଜ୍ୟ ଯୁଦ୍ଧ ଲାଗେ,
ପ୍ରକୃତି ଉପରେ, ଆପଣାର ଅଧିକାର, କରନ୍ତି ଜାହିର,
ଗଢାହୁଏ ଅଟ୍ଟାଳିକା, ପୋତା ହ୍ରଦ ପୁଷ୍କରଣୀ,
ରହିବି କେଉଁଠି, ଏଣୁ ଅନାବୃଷ୍ଟି, ଅକାଳ ମରୁଡି,
 ପଥରୋଧ ମହା ନଗରୀରେ ବନ୍ୟା ମୁଁ ଭିଆଏ,
ବର୍ଷଣ ଅଧିକ, ଅବା ସ୍ବଳ୍ପ ଯାହାର ଆୟତ୍ତ,
ସେ ପ୍ରକୃତି ଜୀବନର ରାହା ଖୋଜେ,
କୁହ କବି ରଖି କି ନପାରିବ ତାହାର ଜୀବନ,
ବର୍ଷା କୁ ମୁକ୍ତି ଦିଅ କବି, ଏ ସମସ୍ତ ଅପବାଦୁ,
ଚଳାଅ କଲମ।।

ଅଳି କଲି, ଦେଲି ଚେତାବନୀ,
ତେଣିକି ଆପଣାର ଇଛା,
ଅତ୍ୟାଚାରର ଶେଷ ସୀମା ଉପନୀତ,
ଅନ୍ୟାୟର ତାପ ମାତ୍ରା ପଚାଶ ଛୁଇଁଲା,
ଜଳାଭାବ ଅତିଶୟ , ବୃକ୍ଷରାଜି ସମୁହେ ଜଳିବେ,
ମେଘ ହେବ ବଳୀଆନ, ଅଣାୟତ୍ତ ଅସମୟ,
ଅଣଚାଶ ପବନ ବହିବ,
କେବେ ମହାବାତ୍ୟା ପୁଣି କେବେ ଫାଇଲିନ୍,
ଭାଙ୍ଗିଯିବ ଶୃଙ୍ଖଳିତ ମୌସୂମୀ ପ୍ରବାହ,
ଦ୍ବନ୍ଦ୍ବରେ ପଡିବେ କୃଷିବନ୍ଧୁ,
ଦ୍ବନ୍ଦ୍ବେ କବି କେବେ ତାର କବିତା ଆସର,
ବର୍ଷିବି ବର୍ଷିବି,
ଡୁବାଇବି ପ୍ରଳୟ ପୟୋଧି ଜଳେ ଏ ଧରାକୁ,
ମୀନକୁ ଦୂର ନରହିବ, ବାଇଶି ପାହାଚ,
ସୁଧୁରିବାକୁ ଏ ଶେଷ ଚେତାବନୀ,
ମୁଁ ଚାହିଁନି ମନ୍ତ୍ର ବନ୍ଦନା ଅବା କବିତା ଆହୁତି,
ମୁକ୍ତି ଦିଅ, ଶାନ୍ତି ଦିଅ ପ୍ରକୃତିରେ ସ୍ବାଧୀନତା ଦିଅ,
ମୁଁ ବର୍ଷାରାଣୀ ସର୍ବକାଳ କବିମନ କରିଛି ହରଣ,
ମାଗେ ପ୍ରତିଦାନ ହେ ବାନ୍ଧବେ, ରଖ ମୋର ମାନ।।।।

Wednesday 16 August 2017

ତ୍ୟାଗୀ ଦୁଃଖର ସ୍ବର୍ଗୀୟ ଅନୁଭୁତି।

ତ୍ୟାଗୀ ଦୁଃଖର ସ୍ବର୍ଗୀୟ ଅନୁଭୁତି।

ଯଦିଓ ଏ ନିଛକ ସତ୍ୟ ଗଳ୍ପଟି ମୁଁ ଲେଖୁଛି, ଏହାର ଅସଲ ଲେଖିକା ପତ୍ନୀ ସରିତା ଯିଏ ଘଟଣାର ଅନୁଭବୀ ଓ ବର୍ଣ୍ଣନାକର୍ତ୍ତ୍ରୀ। ସତ ଘଟଣା ଯେକୌଣସି କଳ୍ପନା ଠାରୁ ମଧ୍ୟ ବଳୀଆନ ହେବା ସମ୍ଭବ। ମଣିଷର ଅତି ଦୁର୍ବଳ ଓ ସମ୍ବେଦନଶୀଳ କ୍ଷଣ ମାନ ଡାକ୍ତର ସାମ୍ନାରେ ଘଟିଯାଏ ଓ ପ୍ରକାଶିତ ହେବାକୁ ବାଧ୍ୟ କରେ। ସେଥିପାଇଁ ହୁଏତ ସାହିତ୍ୟ ବିବର୍ଜିତ ବହୁ ଚିକିତ୍ସକ ଲେଖିଥାନ୍ତି ଯେମିତି ମୁଁ ଆଜି ଲେଖୁଛି।

ସୁରେଶ ମହାକୁଡ ଗୋଟିଏ ଇଛାମୃତ୍ୟୁ ଦରଖାସ୍ତ ଦେଇଛନ୍ତି। ଅନେକ ଦିନ ହେଲା ତାଙ୍କ ବିଭାଗରେ ଚିକିତ୍ସିତ ଏହି ବୃଦ୍ଧ ବ୍ୟକ୍ତି, ସେମିତି କିଛି ବୃଦ୍ଧ ନୁହନ୍ତି। ତେବେ ହସ୍ତପଦ ଚାରି ଅଙ୍ଗ ଅଚଳ ହେବା ଅବସ୍ଥାରେ ସେ ଦୀର୍ଘ ତିରିଶ ବର୍ଷ ହେଲା ଅଛନ୍ତି, ଖାତାରେ ତାଙ୍କ ବୟସ ଚୋଉବନ ଲେଖା ହୋଇଛି।
ଇଛାମୃତ୍ୟୁ ଆମ ଦେଶରେ ଆଇନ୍ ସମ୍ମତ ନୁହଁ। ଏତେ ବର୍ଷ ଏହି ଜୀବନ ଆପଣେଇବା ପରେ ହଠାତ୍ କାହିଁକି ଏ ନିଷ୍ପତ୍ତି! ବିଭାଗର ପ୍ରଫେସର ସେଦିନ କୌଣସି ଜରୁରୀ କାର୍ଯ୍ୟବଶତଃ ଅନୁପସ୍ଥିତ  ଥାଆନ୍ତି। ଦରଖାସ୍ତଟି ଉପର ଅଧିକାରୀଙ୍କୁ ପଠାଯିବ କି ନାହିଁ ଏ ପ୍ରଶ୍ନ ଆନ୍ଦୋଳିତ କରୁଥାଏ। ଏହାତ ଏକ ଗୁରୁତର ବ୍ୟାପାର। ଚୁପଚାପ ବସି ରହିଲେ ଚଳିବ ନାହିଁ। ରୋକଠୋକ ଶୁଣାଇଦେବା, 'ଏମିତି ହୁଏ ନାହିଁ' ତ କେବେ ଏହାର ଉତ୍ତର ନୁହେଁ। ହୁଏତ ଲୋକ ବିକଳ ହେଉଥିବ ଆତ୍ମହତ୍ୟା କରିବାକୁ। କିନ୍ତୁ ସେଥିପାଇଁ ବି ସେ ଅକ୍ଷମ। ଯେମିତି ହେଉ ତାଙ୍କୁ କାଉନସେଲିଂ ଦରକାର।
ଏମିତି ତାଙ୍କ ଖଟିଆ ଆସି ଯାଇଥାଏ। ସବୁଦିନ ପରି ସେ ବିମର୍ଷ କିନ୍ତୁ ଦୃଢ଼ମନା ଦେଖାଯାଉ ଥାଆନ୍ତି। ତାଙ୍କ ସହକାରୀ ପାଖରେ ଥାଆନ୍ତି, କିନ୍ତୁ ବିଚଳିତ ଦେଖା ଯାଉଥାଆନ୍ତି। ସହକର୍ମୀ ଓ ଛାତ୍ରମାନେ ଥାଆନ୍ତି, ଅନ୍ୟ ରୋଗୀଙ୍କ ଖଟିଆ ଦୂର ନୁହଁ। ସମୟବି ନାହିଁ। ଏ ବ୍ୟକ୍ତିଙ୍କୁ ବୁଝାଶୁଝା କରିବାକୁ ବୃତ୍ତିଗତ ବିଶେଷ ଦକ୍ଷତା ଥିବା ଉଚିତ ଉପଦେଷ୍ଟା ହୁଏତ ମାନସିକ ବିଭାଗରେ ଥାଇପାରନ୍ତି। ଏହା ପାଇଁ ବିଧି ବ୍ୟବସ୍ଥା ବି ଥାଇପାରେ। ତେଣୁ ମନମୁଖି କିଛି କରିବା ଠିକ୍ ନହୋଇପାରେ।
ତାଙ୍କର ଜରୁରୀ ଥାଏ ଏକ ବିଶେଷ ପରୀକ୍ଷା। ଉକ୍ତ ବିଭାଗକୁ ଗତକାଲି ପଠା ଯାଇଥିଲା, ଦେୟ ଭରିବା ପାଇଁ ଅର୍ଥ ନଥିଲାରୁ ଫେରି ଆସିଲେ। ଆଜି ପୁଣି ତାଙ୍କୁ ମାଗଣା କରିବାର ପତ୍ର ଅନୁରୋଧ କରାଗଲା। ସହକାରୀ ଝାଳନାଳ ହୋଇ ଫେରିଆସି କହିଲେ, ସେମାନେ ମନା କଲେ, କାରଣ ମାଗଣା ଫର୍ମ ବିଭାଗୀୟ ମୂଖ୍ୟଙ୍କ ଦସ୍ତଖତରେ ହେବା ନିୟମ। ସେ ତ ନାହାନ୍ତି। ଅଗତ୍ୟା ଦୟା ବିଗଳିତା ଡାକ୍ତରାଣୀ ନିଜେ ଚାଲିଲେ, ତହୁଁ ଉପରିସ୍ଥ ପ୍ରଫେସରଙ୍କ ସ୍ବାକ୍ଷର ଦେଇ କାମଟି ସମ୍ପୂର୍ଣ୍ଣ କରିବାକୁ। ସେ ଥାଆନ୍ତି ବହିର୍ବିଭାଗରେ ଯାହା ଦୂର।
ସେ ମହାଶୟ ଏ ସମସ୍ୟାର ଦିନିକିଆ ହାଲ ନକରି, ଉପଯୁକ୍ତ ବ୍ୟକ୍ତି ମାନଙ୍କୁ ଫୋନ କରି ସବୁଦିନିଆ ବ୍ୟବସ୍ଥା କରାଇଲେ। ତେବେ କାମଟି ହୋଇ ପାରିଲା ନାହିଁ ଯେହେତୁ ରୋଗୀର ସହାୟକଙ୍କ ସମୟ ନଥିଲା। ଫେରିଲା ବେଳକୁ ବିମର୍ଷ ସୁରେଶ ଏକୁଟିଆ ଖଟରେ ଥାଆନ୍ତି। ସରିତା ତାଙ୍କ ସହ ଦୁଇ ପଦ କଥା ହେବାକୁ ଉଚିତ ମନେ କଲେ।
ସହାୟକଙ୍କ  ଉପରେ ରାଗ ଲାଗୁଥାଏ, ସେହି ବୋଧେ ଏ ଇଛାମୃତ୍ୟୁ ଦରଖାସ୍ତର ନେପଥ୍ୟରେ ରହିଛନ୍ତି।
ଆଛା ସୁରେଶ ବାବୁ ତୁମେ ବ୍ୟସ୍ତ ହୁଅ ନାହିଁ। ଆସନ୍ତା କାଲି ଏ କାମ ହୋଇଯିବ।
ସେ କହିଲେ, "କେମିତି ହେବ ମୋ ପାଖରେ ତ କେହି ନାହାନ୍ତି। ସେ ସହାୟକର ନିଜ ଲୋକ ଗୁରୁତର ଅସୁସ୍ଥ। ଭୁବନେଶ୍ୱର ରାଜଧାନୀ ଡାକ୍ତର ଖାନାରେ ଭର୍ତ୍ତି, ସେ  ବା କଣ କରିବ? ଦୌଡିଲା। କେଜାଣି ଆଉ ଆସି ପାରିବକି ନାହିଁ।"
ସେ ତୁମ୍ଭର କ'ଣ ହେବ।
"କିଛି ନୁହେଁ, ପଡୋଶୀ।"
ସରିତା  ତାଜୁବ୍  ହୋଇ ପଚାରିଲା, ତୁମ୍ଭର କିଏ ଅଛନ୍ତି!
"କେହି ନାହିଁ।"
ମାନେ!
"ପ୍ରକୃତରେ କେହି ନାହିଁ, କୌଣସି ସମ୍ପତିବି ନାହିଁ, କେମିତି ରହିବ, ବସି ଖାଇଲେ ତ ନଈ ବାଲି ସରେ, ମୁଁ ତ ମୂଳରୁ ଥିଲି ଦିନ ମଜୁରିଆ। ଯାହା ଥିଲା ଦିନ କେଇଟାରେ ସରିଗଲା। ସେ'କାଳେ ଏବେ ଭଳି  ସରକାରୀ ସୁବିଧା ନଥିଲା। ଏଣୁ ପଡୋଶୀ ହେଲେ ସାହା ଭରସା।"
ଏ ଲୋକ କେତେ ଦିନ ହେଲା ଏମିତି ତୁମ୍ଭର ସେବା କରୁଛନ୍ତି!
"ତିରିଶ ବର୍ଷ। ସେ ମୋ ଖେଳସାଥି ମଧ୍ୟ ନୁହେଁ। ପାଞ୍ଚ ବର୍ଷ ସାନ। ଶନିଆ ତାର ନାମ। ଭଲ ଚାଷବାସ ଥିଲାବାଲାର ପରିବାର। ଭିଡିଗଲା ମୋ କାମରେ। ବାହାସାହା ହେଲା ନାହିଁ। ଅବଶ୍ୟ ଅନ୍ୟ ଭାଇମାନେ ଅଛନ୍ତି, କୁଟୁମ୍ବ ବଡ। ତେବେ ମୁଁ ହିଁ ତାର ଏକ ମାତ୍ର ଦାୟିତ୍ୱ। ଉପରବାଲା ଜାଣୁଥିବ ତା ଗଢା ସଂସାରରେ ଶନିଆ ମାନେ ବି ଅଛନ୍ତି।"
ଏହି ଶନିଆକୁ ଟିକେ ଆଗରୁ ଭୁଲ୍ ବୁଝୁଥିଲେ ଡାକ୍ତରାଣୀ। ମଣିଷର ଭାବନା ଗୁଡା ସତରେ କେତେ ଭ୍ରମପୂର୍ଣ୍ଣ ହୋଇପାରେ!
କେମିତି ଏକ ଭାବନା ଆସିଲା, ସୁରେଶ ତ ଇଛାମୃତ୍ୟୁ ବାବଦରେ ଭୁଲି ଯାଇଛନ୍ତି, ସେ କାହିଁକି କଥା ଉଖୁରେଇବେ। ବରଂ ନୂଆ ସମସ୍ୟା ଉପରେ ଚିନ୍ତା କରୁଥାନ୍ତି ସେ। ସହଯୋଗୀ ନଥିବା ନିଃସହାୟ ରୋଗୀଙ୍କ ଦାୟିତ୍ୱ ନେଉଥିବା ସଂସ୍ଥାକୁ ଲେଖିବାକୁ ପଡିବ। ଏ ନେଇ ସେ ପ୍ରଫେସରଙ୍କ ସହ ଫୋନରେ କଥା ହେବା ଜରୁରୀ।
ପରଦିନ, ଶନିଆ ହାଜର। ସେ ସାମାନ୍ୟ ଉତ୍ୟକ୍ତ ଥାଆନ୍ତି। କହିଲେ, ୟାଙ୍କ  କାମ ସାରି ସେ ଭୁବନେଶ୍ୱର ଯିବେ, ତାଙ୍କ ବାପା ସେଠି ଭର୍ତ୍ତି ହୋଇଛନ୍ତି।
ସରିତାର ମନ କହିଲା ଶନିଆଙ୍କୁ ଦୁଇ ପଦ ମିଠା କଥା କହିବାକୁ ଓ ସୁରେଶ ଯେ ସତ କହିଛନ୍ତି ସେକଥା ଜାଣିବାକୁ।
ଶନିଆ ତାଙ୍କ ତ୍ୟାଗ ପାଇଁ ସେମିତି ସଚେତନ ଥିବା ଭଳି ମନେ  ହେଲା ନାହିଁ ତେବେ ତାଙ୍କ ମନ ହାଲୁକା ହୋଇଗଲା।
"ଦେଖନ୍ତୁ ମାଡାମ୍ ସେ ହୁଏତ ମୋର ଏ ଜନ୍ମରେ କେହି ନୁହନ୍ତି, କିନ୍ତୁ ସେ ମୋର କେହି ନୁହନ୍ତି ବୋଲି କହି ପାରିବିକି। ଯଦି ସେମିତି ହୋଇଥାନ୍ତା  ତେବେ ମୋ ମନ କାହିଁକି, ତାଙ୍କ ଦୁଃଖରେ ବିଗଳିତ ହୋଇଥାନ୍ତା, ଦୁନିଆରେ କଣ ଦୁଃଖୀ ଲୋକଙ୍କ ଅଭାବ। ସେ କାହିଁକି ମୋର ପଡୋଶୀ ହୋଇ ଜନ୍ମ ହୋଇଥିଲେ। ତାଙ୍କ ତ୍ୟାଗ ତ ଅତି ମହତ। ସେ ବୃତ୍ତିରେ କୂଅ ଖୋଳା ଶ୍ରମିକ। କୌଣସି ଏକ ଗ୍ରାମର ମହାଜନଙ୍କ କୂଅ ଖୋଳୁଥାନ୍ତି ଅନେକ ଗଭୀରତାରେ, ଉପରୁ କାହାର ପାଟି ଶୁଭିଲା। ମହାଜନଙ୍କ ସୁପୁତ୍ର ଯେତେ ବାରଣ କଲେ ବି ଝୁଙ୍କିକି କୂଅ ଉପରୁ ଦେଖନ୍ତି। ସୁରେଶ ଅନାଉ ଅନାଉ ଓ ଅନ୍ୟ  ଶ୍ରମିକ ଟାଣି ଧରୁ ଧରୁ ସେ ପଡିଗଲେ। କିଂକର୍ତ୍ତବ୍ୟବିମୁଢ ସୁରେଶ ଅଚାନକ ସ୍ନାୟବିକ ପ୍ରତିକ୍ରିୟା ପରିଚାଳିତ ହୋଇ, ଉପରକୁ ପିଠି କରି ନଇଁ ରହିଲେ। ସୁପୁତ୍ର ପିଠିରେ ପଡିଲା ଦୁଲଦାଲ୍।  ଅକ୍ଷତ ରହିଲା। ସୁରେଶଙ୍କ ମେରୁଦଣ୍ଡ ବେକ ପାଖରେ ଭାଙ୍ଗିଗଲା। ସେମାନେ ନେଇ ଚିକିତ୍ସା କଲେ ସତ କିନ୍ତୁ ଭାଗ୍ୟ କଣ କିଏ ବଦଳାଇ ପାରିବ! ସୁରେଶଙ୍କ ବାହାଘର ମାସେ ପୁରିନଥାଏ। ନୂଆ ଦୁର୍ଘଟଣା ହେଲା, ସେ ଭାଉଜ ଆତ୍ମହତ୍ୟା କଲେ। ସେତେବେଳେ ମୁଁ କେମିତି ତାଙ୍କ ଦାୟିତ୍ୱକୁ ମୋ ଯୁବ ମନରେ ଆପଣାଇଲି ଓ ମୋ ପରିବାର ମୋତେ ଆକଟ କଲେ ନାହିଁ ତାହା  ବି ଏକ ବିସ୍ମୟ। ଏମିତି କାଳ କଟିଗଲା। ସେ ଅଭିମାନ କରି ମୋ ବିନା ପରାମର୍ଶରେ ଇଛାମୃତ୍ୟୁ ଦରଖାସ୍ତ ଦେଇଛନ୍ତି। କିନ୍ତୁ ମୁଁ ଏକଥା ଜାଣିଛି ଜାଣିଲେ ସେ ଏତେ ଦୁଃଖ ପାଇବେ ଯେ ମୁଁ ଏହା ଜଣାଇବାକୁ ଚାହୁଁନାହି। ମୁଁ ଜାଣିଛି ଏହା ଆଇନତଃ ସମ୍ଭବ ନୁହେଁ, ସେଥିପାଇଁ ନୀରବ ରହିଛି।"
ସରିତା ବହୁତ ଆଶ୍ବସ୍ତ ଅନୁଭବ କଲା। ସୁରେଶଙ୍କୁ ଅସହାୟ ରୋଗୀ ତାଲିକାକୁ ନେବା ଘୋର ପାପ ହେବ ବୋଧହେଲା। ପରବର୍ତ୍ତୀ ଘଟଣା ସେହି ଈଶ୍ବରଙ୍କ ଇଛା।

ମୋ ଜନ୍ମ

ମୋ ଜନ୍ମ।
ହଜାର ଥର ବୋଉ ଠାରୁ ଶୁଣିଛି, ସେଥିପାଇଁ ମନେ ଅଛି। ମୋ ଉପରେ ଦୁଇ ଭାଇ ଓ ଦୁଇ ଭଉଣୀ ବାଦ୍ ବୋଉର ଅନ୍ୟ ଏକ ନବଜାତ ମୃତ ହୋଇଥିଲା। ମୋ ଜନ୍ମ ୧୯୬୭ ମସିହା ବୈଶାଖ ମାସରେ। ଏପ୍ରିଲ ୨୩ ତାରିଖ, ରବିବାର ସକାଳ ୬ଟା ୩୬ମିନିଟ। ଖୁସିରେ ବୋଉ ଅବଶ୍ୟ କହେ ସୂର୍ଯ୍ୟ ଉଦୟ ସମୟରେ, କିନ୍ତୁ ରବି ସେ ସମୟରେ ତ ଚେନାଏ ଆକାଶକୁ ଉଠି ଯାଇଥିବେ। ବୋଉ ବହୁତ ଅସୁସ୍ଥ ଥିଲା। ରକ୍ତହୀନତା ଓ ପିତପଥୁରୀ (gallstone)ରେ ଆକ୍ରାନ୍ତ ହୋଇ ଜଟିଳ ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଶଲ୍ୟ ଚିକିତ୍ସା ବିଭାଗର ପ୍ରଫେସର ଖାଡେଙ୍ଗାଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିଲା ଓ ପ୍ରାୟ ଦୁଇ ମାସ ପରେ ପ୍ରସୁତି ବିଭାଗକୁ ସ୍ଥାନାନ୍ତରିତ ହୋଇଥିଲା। ଆମ ପାଖ ଗାଆଁ ବାର୍ଦା'ର ନିମାଇଁ ପଟନାୟକ ମୋଉସା ପ୍ରସୁତି ବିଭାଗର ପଞ୍ଜିକରଣ ବିଭାଗରେ ନିଯୁକ୍ତ ଥାଆନ୍ତି। ସେ ମୋ ବାପାଙ୍କୁ, ବୋଉର ଚିକିତ୍ସା ବାବଦରେ ବହୁତ ସାହାଯ୍ୟ କରନ୍ତି। ସେଠାରେ ଆମ ଗ୍ରାମର ଶ୍ରୀ ଶିବ ସାହୁ ଦାଦା, ଚମ୍ପା ଖୁଡିଙ୍କୁ ଦ୍ବିତୀୟ ସିଜରିଆନ୍ ପାଇଁ ଭର୍ତ୍ତି କରିଥାନ୍ତି। ତାଙ୍କର ପ୍ରଥମ କନ୍ୟା ଜୟନ୍ତୀ ଦେଇ। ସେ ବହୁତ ଚିନ୍ତାରେ ଥାନ୍ତି କି ପୁଣି ଯଦି ଝିଅ ହେଲା! ୧୯୬୭ ମସିହାରେ ପୁତ୍ର ପାଇଁ ଇଛା ଅଧିକ ଥିବା ସ୍ବଭାବିକ ଓ ସିଜରିଆନ ମାଆଙ୍କୁ ତୃତୀୟ ଗର୍ଭ ପାଇଁ ବାରଣ କରାଯାଏ। ତେଣୁ ସେ କାନ୍ଦି ପକାନ୍ତି। ବୋଉ ଓ ତାଙ୍କ ମଧ୍ୟରେ ସମ୍ପର୍କ ଅତି ଉତ୍ତମ। ସେମାନେ କଥା ଦିଆନିଆ ହୋଇଥାନ୍ତି ଯେ ଯଦି ବୋଉର ପୁଅ ଓ ତାଙ୍କର ଝିଅ ହେଲା ତେବେ ପରସ୍ପର ଆଦାନ ପ୍ରଦାନ କରିବେ। ସେ ସମୟର ସରଳ ଜୀବନରେ, କହିଥିବା କଥାର ମୂଲ୍ୟ ବହୁ ଅଧିକ ଥିଲା।
ପ୍ରଥମେ ମୁଁ ଜନ୍ମ ହେଲି। ବେହେରାଣୀ ଆସି ବୋଉକୁ କହିଲେ, ବହୁତ ଓଜନ, ସାଢେ ଆଠ ପାଉଣ୍ଡ ଅର୍ଥାତ ପ୍ରାୟ ତିନି କିଲୋ ଆଠଶହ ଗ୍ରାମ। ଶାରୀରିକ ଅସୁସ୍ଥ ଥିବା ବୋଉକୁ ମୁଁ ଜନ୍ମ ପୂର୍ବରୁ ଏହି ଭଳି ନିଷ୍ଠୁର ଭାବେ ଗ୍ରାସ କରି ନିଜକୁ ପୁଷ୍ଟ କରିଥିଲି। ସେତେବେଳେ ଜନ୍ମ ଛୁଆଙ୍କୁ ବି ସାବୁନ ତେଲ ଲଗାଇ ଗାଧେଇ ଦିଆ ଯାଉଥିଲା ଯାହା ଆଜିର ବିଚାରରେ ସମ୍ପୂର୍ଣ୍ଣ ଭୁଲ୍। ପାଣି କୁଣ୍ଡଗୁଡା, ଆମେ ଏ ଶତକର ଆରମ୍ଭରେ ଉପାଧ୍ୟୁତ୍ତର ପାଠ ପଢିଲା ବେଳ ପର୍ଯ୍ୟନ୍ତ ଥିଲା, ଅବଶ୍ୟ ଗାଧେଇବା ବନ୍ଦ ହୋଇ ସାରିଥିଲା ଅନେକ ଦିନରୁ, ଯଦିଚ ଲୋକଙ୍କୁ ପୂର୍ବବତ୍ ତେଲ ସାବୁନ ଦେବାକୁ ପଡୁଥିଲା। ସେଯାବତ ନିମାଇଁ ମୋଉସା ବି ଥିଲେ। ଏହା ମଧ୍ୟ ସମ୍ଭବ ମୋତେ ସଫା କରିଥିବା ମାଉସୀ ମଧ୍ୟ ଅବସର ନେଇ ନଥିବ।
ହଁ କଣ କହୁଥିଲି, ହଁ ହଁ, ମୋତେ ଆଣି ବୋଉ ପାଖରେ ଦେବାରେ ଡେରି ହେବାରୁ ବୋଉ ଵ୍ୟସ୍ତ ହେଲା। ଉତ୍ତର ପାଇଲା, "ତୁମ ପୁଅ କାହା ସହ ବଦଳ ହେବାର ସମ୍ଭାବନା ନାହିଁ, କିଏ ତା ପାସଙ୍ଗରେ ପଡୁ ନାହାନ୍ତି"। ବାଳୁତ କାଳରେ ଏ କଥା ଶୁଣି ମୋତେ ବହୁତ ଆନନ୍ଦ ମିଳୁଥିଲା କିନ୍ତୁ ଏମିତି କାହିଁକି କୁହାଯାଏ ତାହାର କାରଣ ନିଜେ ଜାଣିଲି, ହସ ଓ ଲାଜ ଦୁହେଁ ମୋ କାନ ମୋଡିଦେଲେ। ବୋଉ ପୁଣି ଚିନ୍ତା ଗ୍ରସ୍ତ ରହିଲା, ସତରେ ଯଦି ଚମ୍ପାଖୁଡିଙ୍କ ଝିଅ ହେଲା! ତା ସାଢ଼େ ଆଠ ପାଉଣ୍ଡିଆକୁ ଦେବାକୁ ପଡେ!
ମୁଁ ପଚାରେ ସତରେ କଣ ଦେଇ ଦେଇଥାନ୍ତୁ? ସେ ନୀରବ ରୁହେ। ବୋଧହୁଏ ସେମିତି ହୋଇଥାନ୍ତା। ମୁଁ ବି ଅଭିମାନରେ ଭାବେ, ନୂଆ ପରିବେଶରେ ଜୀବନଟା ମଜାଦାର ହୋଇଥାନ୍ତା। ଅବଶ୍ୟ ଚମ୍ପା ଖୁଡିଙ୍କର ପୁଅ ହେଲା, ଡଉଲ ଡାଉଲ, ନାମଟି ତାର ଅରୁଣ। କେଜାଣି କାହିଁକି ଏ ସମ୍ପର୍କରେ ମୁଁ କେବେ ଖୁଡିଙ୍କ ସହ କିମ୍ବା ଅରୁଣ ସହ ଆଲୋଚନା କରିନାହିଁ। ତେଣୁ ତାଙ୍କ ତରଫରୁ ଏ କଥାର ଭିନ୍ନ ମତ ଥାଇପାରେ। ଆଜି ସେ ଖୁଡି ଓ ବୋଉ ଉଭୟ ଭିନ୍ନ ଜଗତରେ ସାଥି ହେଉଥିବେ। ଏସବୁ ହିସାବରୁ ବୋଉ ସଠିକ କରି କହିଦିଏ ଆମ ଗାଆଁର କିଏ କେବେ ଜନ୍ମ ହୋଇଥିଲା, ଗଣେଶ ପୂଜା କେତେ ଦିନ ଥିଲା ଅବା ଆମ ଅମୁକର ଏତେ କି ସେତେ ଦିନ ଆଗ ପଛ। ସେ ଯାହା ବି ହେଉ, ମୋ ବିଚାରରେ ସେହି ପ୍ରକାରେ ମୁଁ ବି ଏ ବାଲ୍ୟକାଳ ସ୍ମୃତି ଲେଖେ, ଯେମିତି ମୋ ଷଷ୍ଠ ଶ୍ରେଣୀ ପ୍ରଥମାଷ୍ଟମୀ ଦିନ ଆମ ଗ୍ରାମରେ ପ୍ରଥମ କରି କ୍ରିକେଟ୍ ଖେଳ ଆରମ୍ଭ ହୋଇଥିଲା।
ବୋଉ

Wednesday 2 August 2017

https://m.facebook.com/story.php?story_fbid=1062251170577278&id=100003772162648