Search This Blog

Thursday 16 February 2017

ଶହେ ଟଂକା



ଶହେ ଟଂକା
ସମର ବହୁଦିନ ପରେ ବଂଧୁ ଶରତଂକ ଘରକୁ ବାହାରିଛଂତି। ଶରତଂକ ପିତା ଅସୁସ୍ଥ। ସମ୍ଭବତଃ ମଉସାଂକ ସହ ଭବିଷ୍ୟତରେ ଆଉ ଦେଖା ହୋଇ ନପାରେ ସାଥି ଖବର ଦେଇଛି ମଉସା କୁଆଡେ ବିଳିବିଳଉଛଂତି, “ସମରକୁ ଡାକ, ତାକୁ ଟିକେ ଦେଖଂତି” ତାଂକ ସହ ଦେଖା ପ୍ରାୟ ପଂଦର ବର୍ଷ ତଳେ ଯେତେବେଳେ ସେ ମାଉସୀଂକ କ୍ରୀୟାକର୍ମକୁ ଯାଇଥିଲେ  ପୂର୍ବରୁ ବୈତରଣୀ କୂଳର ଏହି ରାମଗଡ ଗ୍ରାମକୁ ଯିବା ଆସିବା ପ୍ରାୟ ଲାଗି ରହିଥିଲା। କଲେଜ ଛୁଟିର ଅଧେ ଦିନ କଟୁଥିଲା ଶରତ ଘରେ ବାକି ଅଧା ଛୁଟି ଉଭୟ ବଂଧୁ କଟାଉଥିଲେ ବ୍ରାହ୍ମଣୀ କୂଳର ନିଜଗ୍ରାମ ଗଡମଧୁପୁରରେ। ମଧୁପୁରରେ ଆଉ କେହି ରହୁନାହାନ୍ତି, ଭାଇ ମାନେ ସମସ୍ତେ ବାହାରେ ରୁହଂତି।ଘରଟି ଭାଇଆଳିଆଂକ ନିଘାରେ ଯାହା ଥାଏ। ଶରତ କିଂତୁ ଗ୍ରାମ ସ୍କୁଲରେ ଶିକ୍ଷକତା କରଂତି, ଏଣୁ ତାଂକ ଘରଟି ଅଦ୍ୟାବଧି ଝୋଟିଚିତା, ପିଠାପଣା ଓ ହସ ଖୁସିରେ ଭରାସମର ରାଜଧାନୀ କଲେଜର ଗଣିତ ବିଭାଗର ବରିଷ୍ଠ ଅଧ୍ୟାପକ ଓ ତା ବାଦ ତାଂକର ଗଣିତ ଟିଉଟରିଆଲ୍ ସେଣ୍ଟର ରାମାନୁଜମ୍ବି ବେଶ ନାମକରା।
ରାମଗଡକୁ ଯିବାକୁ ହେଲେ ପାସେଞର ଟ୍ରେନରେ ଯାଇ କେଂଦୁଆପଦା ଷ୍ଟେସନରେ ଓଲ୍ହାଇ ପ୍ରାୟ ତିନି କିଲୋ ମିଟର ଅଣଓସାରି ଅଂକାବଂକା ରାସ୍ତାରେ ଚାଲି ଯିବାକୁ ପଡେ। ଏ ରାସ୍ତାରେ ଚାଲିଟା ନିଆରା। ଭାରୀ ଭଲଲାଗେ, ନଦୀକୂଳିଆ ସବୁଜ ଖେତ ଚିରି ରାସ୍ତାଟି ନିର୍ବାକ ଶୋଇଥାଏ। ଉଭୟ କଡରେ ଭରପୁର କିଆବୁଦାର ମହକ, କାଶତଣ୍ଡି ଓ କାଇଁଚ ବୁଦାର ଝୁମର, ନାନା କିସମର କଣ୍ଟାଜାତୀୟ ବୁଦୁବୁଦୁକିଆ କୋଳିଗଛର ସବୁଜ, ହଳଦିଆ ଅବା ଲାଲ ଟୁକୁ ଟୁକୁ ଖଟା,ମିଠା, କଶା କିମ୍ବା ପିତା କୋଳି ଆଉ କେତେ କିସମର ଅନାବନା ଉଲ୍ଲସିତ ବିପ୍ଳବ। ଅବଶ୍ୟ ସେମାନେ ନିଜ ନିଜର ଅସ୍ତିତ୍ୱ ଭିନ୍ନ ଭିନ୍ନ ଋତୁରେ ଜାହିର କରୁଥିଲେ, କିଂତୁ ତହିଁ ଆଶ୍ରୀତ ଏଣ୍ଡୁଅ, ଗୋଧି, ନେଉଳ ଓ ଉଡି ବୁଲୁଥିବା କଂକି, ପ୍ରଜାପତି କିମ୍ବା କ୍ଷୂଦ୍ରାତିକ୍ଷୂଦ୍ର ନାମ ଅଜଣା ବିହଂଗଂକ ଋତୁଚକ୍ର ଥିବାର ପ୍ରତୀତ ହେଉ ନଥିଲା ବସ୍ତୁତଃ ସେମାନଂକ ନିରବିଛିନ୍ନ ଚଳ ପ୍ରଚଳ ପ୍ରତି ମୂହୁର୍ତ୍ତରେ ନୂତନ ପୁଲକର ସମ୍ଭାବନା ରଖୁଥିଲା ସେହି ରାସ୍ତାରେ ସାଇକେଲ, ରିକ୍ସା କିମ୍ବା ଶଗଡ ଗାଡିର ଚଳ ପ୍ରଚଳ ଥିଲା ନଗଣ୍ୟ ଯେହେତୁ ରାସ୍ତାଟି କେବଳ ଏହି ଭୁଗୋଳ ପୋଥିପତ୍ରରେ ବିଶେଷ ନାମ ନଥିବା ଛୋଟିଆ ଗ୍ରାମକୁ ତାର ସେବା ଯୋଗାଉ ଥିଲା। ଏକ ବିଶାଳ ବୃକ୍ଷପ୍ରାୟ ଦେଖା ଯାଉଥିବା ଗ୍ରାମଟିକୁ ବୃତ୍ତାକାରେ ଘେରିରହିଥିଲା କୃଷିକ୍ଷେତ୍ର। ନଦୀକୂଳରେ ଏମିତି ଏକ ବିଛିନ୍ନ ଜନବସତି ପ୍ରାୟତଃ ଦେଖାଯାଏ ନାହିଁ।
ବାଇକ କିମ୍ବା କାର ନେଇ ଯିବା ପାଇଁ, ପତ୍ନୀ ସୁମୀ, ସ୍ମରଣ କରାଇ ଦେଇଥିଲେ। କିଂତୁ ସମର, ବିଗତ ଦିନର ଭାବକୁ ପୁନଶ୍ଚ ଅନୁଭବ ଅଥବା ଆବିଷ୍କାର କରିବାର ଅକୁହା ଆବେଗ ବା ପ୍ରେରଣା ପରିଚାଳିତ ହୋଇ ସକାଳ ଡି.ଏମ୍.ଉ ପାସେଂଜର ଧରିବା ପାଇଁ ଛୁଟିଥିଲେ ଷ୍ଟେସନ, ଏକ ସେୟାର୍ଡ ଅଟୋରେ। ଅଟୋରୁ ଓଲ୍ହାଇ ସାତ ଟଂକା ଦେବାକୁ ପକେଟ ଅଣ୍ଡାଳି ଜାଣିଲେଯେ ପର୍ସଟି ଘରେ ରହିଗଲା। ସବୁ ପକେଟ ଅଣ୍ଡାଳିଲା ପରେ ଦୈବାତ କେଉଁ କଣରୁ ଶହେଟଂକା ମିଳିଗଲା।
ଓ ହୋ!
“ଅଗ୍ଯାଁ ଚେନ୍ଜ ନାହିଁ, ସମୁଦାୟ ରୋଜଗାର ଏକୋଇଶ ଟଂକା।“
 ଏତେ ସକାଳୁ କେଉଁଠୁ ଖୁଚୁରା ଆଣିବା ବେଳକୁ ଟ୍ରେନ ଚାଲିଯିବ, ପୁଣି ଆଠ ଘଣ୍ଟାପରେ ଦ୍ୱିତୀୟ ପାସେଂଜର୍।
“ଆଗ୍ୟାଁ ବ୍ୟସ୍ତ ହୁଅନ୍ତୁ ନାହଁ, ଆମ ପିଂକି ମାଂକୁ କହିଦେବେ, ଦେଇ ଦେବାକୁ, ସେ ମୋ ପିଂକ୍ ଅଟୋରେ କଲେଜ ଯାଆଂତି।“
 ସମର ପ୍ରୀତ ହେଲେ, ପୁଣି ଭାବିଲେ, ଛିଃ ସେ କେତେ ଆତ୍ମକୈଂଦ୍ରୀକ, ତାଂକରି ଗଳିରେ ରହୁଥିବା ଏହି ବିନୟୀ ଅଟୋବାଲାକୁ ସେ ଜାଣି ନାହାଂତି ଅଥଚ ତହିଁରେ ନିରାପଦରେ ନିଜ ଝିଅ ଯିବା ଆସିବା କରୁଛି, ଧିକ୍ ଝିଅକୁ ସ୍କୁଟର ନଦେଇଥିବା, ସଂଯୋଗ ବଶତଃ ସାହାଯ୍ୟ କଲା। ନଚେତ ଶହେଟଂକାଟା, ହୋଇ ଯାଇଥାଂତା ତେୟାନବେ ଏତେ ଦିନ ପରେ ଅଂତରଂଗ ସାଥିର ଅସୁସ୍ଥ ବାପାଂକ ଡକରାରେ ଯାଉଛନ୍ତି, ସେ ପୁଣି ପ୍ରାୟ ଶେଷ ଡାକରା, ହର୍ଲିକ୍ସଟିଏ କିଣି ନେବେ ନାହିଁ! ସେଓ ଅଂଗୁର୍ବି ନୁହେଁ? ଘରକୁ ଫେରିଯାଇ କାର କିମ୍ବା ବାଇକ ନେଇ ଯିବେକି? କିଏ ଯାଣେ ଏହା ଏକ ପରୀକ୍ଷା ହୋଇପାରେ, ହୁଏତ ଏବେ ଗଲେ ଦେଖିବେ, ଡେରିକଲେ ମଉସା ଠକିଦେବେ। ଫୁଃ! ଶରତକୁ କଥାଟା ଫିଟାଇ କହି ଦେବାରେ କେଉଁ ଲାଜଯେ! ତାକୁ କିଛି ମଗାଯାଇ ପାରେ, ମଲା ମାଗିବା କିଶ ଦରକାର ସେ ବଳେ ବୁଝିବ ନାହିଁକି। ସେ କଣ ପର ହୋଇଛି ନା ସେ ଯିବେ ଅଲବତ ଯିବେ, କିଛି ନନେଇକି ଯିବେ, ଦରକାର ପଡିଲେ ବିନା ଟିକଟରେ ଫେରିବେ। ଷ୍ଟେସନ୍ରୁ ଘରକୁ ଚାଲି ଚାଲି ଫେରିବେ। ଏଇ ଦେଖୁନ ଅଟୋବାଲା ପଇସା ନେଲା ନାହିଁ, ଏଥିରୁ କଣ ଜଣା ପଡୁନି ପ୍ରଭୁଂକ ଇଛା ସେ ଯାଆଂତୁ।“
ତାଂକ ବ୍ୟାକ୍ ପ୍ୟାକ୍ ବ୍ୟାଗଟା ପିଠିରେ ପକାଇ, କଲେଜ ପିଲାଂକ ଭଳି ଚାଲିଲେ ଟିକେଟ ଘରକୁବ୍ୟାଗଟାରେ, ମା ଆଉ ସୁମୀ ନାନାଦି ଚିଜ ଭରିଛଂତି। ମା ଜାଣଂତି ଶରତର ପସଂଦ। ସଂଧ୍ୟାରେ ଖବର ଆସିବା ଠାରୁ ରାତି ଅଧ ପର୍ୟ୍ୟଂତ ସେମାନେ ମାତିଥିଲେ ଯୁଦ୍ଧକାଳୀନ ଭିତ୍ତିରେ।  ମା ଆଉ ପାରଂତି ନାହିଁ ତାଂକ ସମୟର କେତେ କିସମର ସୁଆଦିଆ ତୁଣ ଶାଗ, ପିଠାପଣା ପ୍ରସ୍ତୁତ କରିବାକୁ, କାଲି କିଂତୁ ଶାଶୁ ବୋହୁ, ପାରମ୍ପରିକ ଦୁର୍ମୂଲ୍ୟ ଚିଜ ଗୁଡିଏ ଆଧୁନିକ ମେସିନ ଲଗାଇ ତୁରଂତ କରିଛ୍ଂତି।
ସୁମୀ ଡେରି ରାତିରେ କହିଲେ, “ମାଆଂକର ପାଦ ଆଉ ତଳେ ଲାଗୁନି, ଏ ଶରତଟି ତୁମ ସାଂଗ ଅବା ଯମଜ ଭ୍ରାତା! କେଜାଣି କାଲି ପରିସ୍ଥିତି କଣ ଥିବ! ଆମ ଏତିକି ମେହନତର ସ୍ୱାଦ ନେବାପାଇଁ ମଉସାଂକ ଅବସ୍ଥା ଅନୁକୁଳ ଥିବକି ନାହିଁ। ମାଆ ଜାଣି ନାହାଂତି ତୁମେ କି କାରଣେ ରାମଗଡ ଯାଉଛ। ତୁମେ ଯଦି କାର ନେଇ ଯାଇଥାଂତ ସେ ନିଶ୍ଚେ ବାହାରିଥାଂତେ, ଟ୍ରେନକୁ ସାହାସ କରୁନହାଂତି ତାଂକ ବର୍ଣନାରୁ ମୁଁ ,ସ୍ୱଚକ୍ଷୁରେ ତୁମ ବଂଧୁଂକ ଘର ଦେଖିଥିବାର ମନେ ହେଲାଣି। ଏତେ ଘନିଷ୍ଠତା ମଧ୍ୟକୁ ତାଂକ ସ୍ତ୍ରୀ ରାନୁ ଆଉ ମତେ କାହିଁକି ଯୋଡ କଲନି। କଣ ଅସୁବିଧା ଥିଲା!”
ସତେ, ଏତେ ନିବିଡତା ମଧ୍ୟରେ ଭଟ୍ଟା କେମିତି ଆସିଲା! ତା ପରିବାର ଆଉ ସମରଂକ ପରିବାର ଏମିତି ଦୂର କାହିଁକି ରହିଗଲେ! ଏହା ଉଦ୍ଦେଶ୍ୟମୂଳକ ଶିଥିଳତା ଅବା କାର୍ଯ୍ୟ ବ୍ୟସ୍ତତା କାରଣ୍ରୁ! ଧେତ୍, କାର ନେଇ ଯାଇଥିଲେ ଭଲ ହୋଇଥାଆଂତା, ମା, ସୁମୀ ଓ ପିଂକିକୁ ଧରି। କେଜାଣି ସେମାନେ ଯାଇଥାଆଂତେ କି ନାହିଁ! ସେ ଅଂକା ବଂକା ଗ୍ରାମ ସଡକଟି ହୁଏତ ପ୍ରଧାନ ମଂତ୍ରୀ ଗ୍ରାମ ସଡକ ଯୋଜନାରେ କଂକ୍ରୀଟ ହେବଣି! ବୋଧହୁଏ, ପୂର୍ବର ସେ ଛୋଟିଆ କାରଟା ଥିଲେ ସେ ନେଇ ପାରିଥାଂତେ। ଏବେ ସେ ଏକ ଅତ୍ୟାଧୁନୀକ ଅଡି କିଣିଛଂତି। ସେ ଗାଡିକୁ  ଗ୍ରାମ୍ୟ ରାସ୍ତାକୁ ନେବାର ରିସ୍କ ନେବାକୁ ସେ ଚାହିଁଲେ ନାହିଁ।ଏ ପରିସ୍ଥିତିରେ ସେ ଭାନିଟି, କିମିତି ଗୋଟେ ଅବାଗିଆ ଲାଗିଲା, ସମରଂକୁ।
ସେ ଟିକେଟ ଲାଇନରେ ଠିଆ ହୋଇ କଛପଗତିରେ ଆଗକୁ ଚାଲିଲେ। ତାଂକୁ ଭାରୀ ହସ ଲାଗିଲା, ବୋର୍ଡରେ ଲେଖା, କେଂଦୁଆପଦାକୁ ଟିକେଟ ପଚିଶ ଟଂକା! ସେମାନେ ଶେଷଥର ଯେବେ କଲେଜ ଜୀବନରେ ସାଥିରେ ଯାଇଥିଲେ, ସମ୍ଭବତଃ ଏହାଥିଲା ଦଶଟଂକା। ଖୁବ ଗୋଟେ ଫୁଟାଣି ଥିଲା, ସେଦୁହେଁ ଅନ୍ୟମାନଂକ ଭଳି ବିନାଟିକେଟିଆ କଲେଜ ପଢୁଆ ନୁହଂତି। ପଚୋସ୍ତରୀ ଟଂକାର ପେଟ୍ରୋଲରେ ଦଶ କିଲୋମିଟର କାରରେ ଯିବାରେ ଅଭ୍ୟସ୍ତ ସମରବାବୁଂକୁ ରାଗ ଲାଗିଲା ରେଳବାଇ ଉପରେ। ଏତେ ଭଡା ପୁଣି ପାସେଂଜର ଗାଡିରେ ସେ ଶହେଟଂକିଆ ନୋଟଟିକୁ ଯତନେଇକି ଧରିଛଂତି। ମୁହଁରେ ତାଂକର ବ୍ୟାକୁଳତା ଟିକେଟ ମେସିନ ଲାଗିଛି ସେଠି ଗହଳିବି ନାହିଁଡର ଲାଗିଲା, କାଳେ ଯଦି ମେସିନର ମୁଣ୍ଡ ବିଗିଡିଗଲା ଓ ତାହା ବଳକା ପଚୋସ୍ତରୀ ନଫେରେଇଲା! ନା ବରଂ ସେ ଲାଇନରେ ରହିବେ, ଦେଖୁନ ମେସିନ କେମିତି ଫାଂକା, ଅଥଚ ଲାଇନରେ ଠେଲାପେଲା ଓ ଝଗଡାଝାଣ୍ଟି। ସେ ପୁଣିଥରେ ସକାଳର ସେହି ପିଂକ ଅଟୋଚାଳକ କଥା ମନେ ପକାଇ ଖୁସିହେଲେ ଓ ଏକ ବିମର୍ଷ ଓ ଉଲ୍ଲାସର ମିଶାଣିଆ ଭାବନାରେ ସେହି ପ୍ରୀୟ ନୋଟଟିକୁ କାଉଣ୍ଟରରେ ଦେଇ, କହିଲେ ଆଗ୍ୟାଁ କେଂଦୁଆପଦା।
ସେପଟୁ ଉତ୍ତର ମିଳିଲା, “ପାଂଚଟଂକା ଚେଂଜ ଦିଅଂତୁ”। ତାଂକୁ ପୁଣି କଡରେ ଅପେକ୍ଷା କରିବାକୁ ପଡିଲା। ଟ୍ରେନ ବେଳ ରତ ରତ। ଅଜାଣତରେ ଏକ ଦୀର୍ଘଶ୍ୱାସ ଓ ମଉସାଂକ ସମ୍ଭାବ୍ୟ ଅବସ୍ଥାର ଆଶଂକା ତାଂକ ଅପେକ୍ଷାକୁ ଏକ କାଳୀନ ସାଥିଦେଲେ। ପର୍ସ ପାଖରେ ନାହିଁ, ଥିଲେବି ସେ କଏନ୍ ରଖିବାକୁ କେଉଁ ଅବା ଭଲ ପାଆଂତି! ପାଂଚଜଣ ଟିକେଟ କାଟିଲାପରେସେ ତାଂକ ଟିକେଟ ଓ ମହର୍ଘ ପଚୋସ୍ତରୀ ଫେରି ପାଇଲେ। ଛୁଟିଲେ ପ୍ଳାଟଫର୍ମ ଆଡକୁ
ଧେତ୍, ଗାଡି ଲେଟ୍, ଅଧ ଘଣ୍ଟା। ତାହା ଏକ ଘଣ୍ଟା ହୋଇପାରେ।ଏତିକି ସମୟ ଅଛିବୋଲି କିଏ ଜାଣିଥିଲା। ହୁଏତ ଘରକୁ ଯାଇ ପର୍ସଟା ଅଣାଯାଇ ପାରିଥାଂତା। ପୁରୁଣା ଦିନର ସେ ଯେଉଁ ଖବରକାଗଜ ବାଲା,ଏବେବି ବସିଛି। ତା ପାଖକୁ ଅଜାଣତରେ ଟାଣି ହୋଇଗଲେ। ନିଜଆଡୁ ଚିହ୍ନାମଣିଷ ଭଳି କଥା ହେଲେ, କିଂତୁ ପେପର ବିକାଳୀ କୌଣସି ଆଂତରକିତା ଦେଖାଇବା ଜଣାପଡିଲା ନାହିଁ। ସମର ସିନା ଏହି ଜଣଂକ ଠାରୁ ବାରଂବାର ପେପର କିଣିଛଂତି ବୋଲି ମନେ ରଖିଛଂତି, ହେଲେ ପେପରବାଲାତ ଇତି ମଧ୍ୟରେ ଲକ୍ଷେ ଗରାଖଂକୁ ଭେଟିଥିବ, ସବୁ ପୁଣି ନବ ଯାଯାବର, କେତେ ଲୋକଂକୁ ମନେ ରଖିବ ଉଦାର ମନରେ କିଛି ଦୁଃଖ ନକରି ସମାଜଟିଏ ଓ ଇଂରେଜୀ ପେପରଟି ଧରି ଟଂକା ଦେବାକୁ ଗଲେ, କିଂତୁ ନା, ସେ ଅଟକିଗଲେ, କଉଡି ଆଜି ଗୋଟି ଗଣତା, ଅଗତ୍ୟା ପେପର ଦୁଇଟି ଯଥା ସ୍ଥାନରେ ସଯତ୍ନେ ରଖିଦେଲେ। ଖବର କାଗଜ ବାଲା ପ୍ରଥମ ବିକ୍ରୀରେ ଯେତିକି ଉଲ୍ଲସିତ ହୋଇଥିଲା, ତହିଁରୁ କେତେଗୁଣ ଅଧିକ ଚିଂତିତ ହୋଇପଡିଲା ବଇନି ମାଡ ଖାଇବାଟା ତାକୁ ଯମା ଠିକ ଲାଗିଲା ନାହିଁ।
“କି ଅଜବ ଲୋକ, ପେପରଟିଏ କିଣିବ ନ କିଣିବ ଠିକ କରିପାରୁନା।“
ସ୍ମିତହାସ୍ୟର ଲାଜୁଆ ଓ ଅକୁହା କ୍ଷମାଟିଏ ମାଗିବା ବ୍ୟତିରେକେ ସେ ନାଚାର। ଦୋକାନୀର ଦୃଷ୍ଟି ଅଗମ୍ୟ, ଏକ ବେଂଚରେ ବସି ସେ ରୋମଂଥନ କରିବାରେ ଲାଗିଲେ ଅନେକ ସ୍ମୃତ୍ତି କିଂତୁ ମଉସାଂକ ଅବସ୍ଥା ଦୃଷ୍ଟିରୁ ତାହା ମଧ୍ୟ ସ୍ୱଭାବିକ ଲାଗିଲା ନାହିଁ। ସମୟତକ ଏଣିକି କଟିଗଲା ଦୁଃଖ ଅବା ସୁଖ ନିରପେକ୍ଷ ପ୍ରାୟ।
ଟ୍ରେନ୍ ଅସ୍ୱଭାବିକ ଭାବେ ଭୀଡ ଥିଲା। ବାହୁଡା ବାସି ଟ୍ରେନ୍, ଅବଶ୍ୟ ଓହ୍ଲାଇଲେ ଅଧିକ। ସମର କଷ୍ଟେମଷ୍ଟେ ସିଟରେ ଗେଞ୍ଜିହୋଇ ବସି ପଡିଲେ, ପ୍ରାୟ ଯେପରି ସେ କଲେଜ ଦିନରେ କରୁଥିଲେ। ଶରତ ଏସବୁକୁ ପାରେ ନାହିଁ, ଏଣୁ ସେ ତା'କୁ ନିଜ ସିଟ ଦେଇ ଅନ୍ୟ ସିଟ ଦେଖନ୍ତି। ଅବଶ୍ୟ ଏ ଅସୁବିଧା, ରାଜଧାନୀରୁ ଛାଡୁଥିବା ଟ୍ରେନରେ ହୁଏ ନାହିଁ।

ସମରବାବୁ ନୂଆ କାର କିଣିବାର ଯୁକ୍ତିମାନ ଥିଲା, ପାଦପାଇଁ , କହୁଣୀ ପାଇଁ, ମୁଣ୍ଡ ଉପରେ, ଗାଡିତଳେ ଶୂନ୍ୟସ୍ଥାନ କେତେ। କେତେ ସେଣ୍ଟିମିଟର କେଉଁ କାରରେ। ନିରାପତ୍ତା ପାଇଁ କଣ ସବୁ ବ୍ୟବସ୍ଥା ଅଛି, ଚାଳକ ପାଇଁ ଗାଡି ଆରାମ ଦାୟକକି ନୁହେଁ। ଅଟୋକାର୍ ପତ୍ରୀକାଟିକୁ ଘାଣ୍ଟି ଚକଟି ସେ ମନସ୍ଥ କଲେ ଅଡି ଠିକ ହେବ। ତାଂକ କୋଡିଏ କିଲୋମିଟର ପ୍ରତି ଲିଟର ଚାଲୁଥିବା ଛୋଟ ଗାଡିଟି ବଦଳାଇ, ତାର ଦୁଇଗୁଣ ତେଲ ପିଉଥିବା ଓ ଦଶଗୁଣ ଦାମୀ କାରଟି କିଣିଲେ। ଆଗେ କହୁଥିଲେ, ହଁମ ଲେଡୀ ଡାଏନାଂକ ଗାଡିରେ କଣ ନିରାପତ୍ତା ନଥିଲା ସେ ତ ପୁଣି ଦୈବ ଦୁର୍ଘଟଣାରେ ଗଲେ। ପକେଟ୍କୁ ଟଂକା ଆସିଲା କଥା ବଦଲିଗଲା। ଆଜି ସାମାନ୍ୟ ଶହେ ଟଂକିଆ ନୋଟଟି ତାଂକୁ ହିସାବ ମାଗୁଛି କୈଫିୟତ!
 ସେ ବହୁଦିନପରେ ସାଧାରଣ ଜନତା, ତିନି ଜଣିଆ ସିଟରେ ବସିଛଂତି ପାଂଚ ଜଣ ମୁଣ୍ଡ ଉପର ଲଗେଜ ରାକ ଅଥବା ଜାଲି ସ୍ଲିପରରେରେ ବସିଛଂତି ଲୋକେ। ତହିଁରେ ପୁଣି ଜନୈକ ଭଦ୍ରବ୍ୟକ୍ତି ତାଂକ ଜୋତାବି ପିଂଧି ରହିଛଂତି, ସମର ଗାଲରୁ ଧୁଳି ପୋଛୁ ପୋଛୁ ଭାବୁଥିଲେ। ସେ ଟିକେ ଘୁଞ୍ଚିଯିବାକୁ ଚେଷ୍ଟାକରି ହେଲେ ବିଫଳ।ତାଙ୍କ ବ୍ୟାଗଟା ଜାବୁଡି ଧରି ବସିବାରୁ ଅହେତୁକ ଭାବେ ଆଉ ଅସନା ଲାଗିଲା ନାହିଁ। ଦୁଇ ଧାଡି ସିଟ ମଝିରେବି ଲୋକେ ଖୁଂଦି ହୋଇଛଂତି। ଅଧିକାଂଶ ପୁରୀ ଫେରଂତା ଆଗରେ ବସିଥିବା ବୃଦ୍ଧ ଦମ୍ପତ୍ତି ସାରା ଭାରତ ତୀର୍ଥ ଶେଷରେ, ଜଗନ୍ନାଥ ଦର୍ଶନ କରି ଫେରିଛଂତି। ଏକ ଛୋଟ ଜାରିକେନରେ ଗଂଗାଜଳବି ରଖିଛଂତି, କେତୋଟି ଛୋଟ ଶିଶିରେବି ଅଛି ପୁରୀରୁ ନିର୍ମାଲ୍ୟବି ସଂଗ୍ରହ କରିଛଂତି କୋଳରେ ଧରି ବସିଛଂତି।

ସେହି ଗହଳି ମଧ୍ୟରେବି ନାନା କିସମର ପାଟି ଟକଳିଆ ଖାଦ୍ୟ ଦ୍ରବ୍ୟର ବିକ୍ରିବଟା ଚାଲିଥାଏ। ଖବରକାଗଜ ଘଟଣାରୁ ସମର ଡରି ଯାଇଥାନ୍ତି, ଜିହ୍ୱ।ଲାଳସାରେ କିଛି ବରାଦ କରିଦେବେ ଯଦି, ସେ ଦାନ୍ତ ଚିପି ବସିଲେ। କଟକ ପହଞ୍ଚିଗଲା। ଭୀଡ କିଛି କମହେଲା ବୋଧେ। କେତୋଟି ଷ୍ଟେସନ ପରେ, ଡାକ ଶୁଭିଲା, "ଝାଲ ମୁଢି-ଝାଲ୍ ମୁଢି"। ସେ ଶୁଣି ନଶୁଣିଲା ପରି ବସି ରହିଲେ। କିଏ ଜଣେ ଅର୍ଡର ଦେଲେ। ଆଶ୍ଚର୍ଯ୍ୟ, ମୁଢିବାଲା କେତେ ସମୟ ମନ ଧ୍ୟାନ ଦେଇ ନାନା ମହକର ମସଲା ପକାଇ ଯେଉଁ ପ୍ୟାକେଟଟି ତିଆରି କଲା ସେଇଟା ସେହି ଗ୍ରାହକକୁ ନଦେଇ ଧରାଇଲା ସମରଙ୍କୁ, "ଆରେ ସମା, କି ଭାଗ୍ୟ, ନେ ନେ ସେହି ଅସିଆ କାଳର ମସିଆ, -ନା, ନା, ବଢିଆ ଝାଲ୍ ମୁଢି। ଆଜି ତୋ ଗାଡି? କଣ, ଘରକୁ ଯାଉଛୁ? ନା ଆଉ କୁଆଡେ? ତୁ କାହିଁକି ଏସନ ରଜକୁ ଆସିଲୁ ନାହିଁ? ଆମେ ସବୁ ତୋ ଉପରେ ରାଗିଛୁ। ତୋ ବିନା ଭୋଜିଟା ଅଧୁରା ଲାଗିଲା।“

ଜଗା ତାଂକ ଗାଆଁର, ବାଲ୍ୟବଂଧୁ, କାଳକ କଟିଗଲା ଏହି ବେପାରରେ, ଦିନସାରା ଟ୍ରେନରେ, କଟକରୁ ଗଡମଧୁପୁର, ଗଡ ମଧୁପୁରରୁ କଟକ, କେବଳ ଯାହା ପାସେଂଜର ଗାଡି, ରବିବାର ଘରେ ରୁହେ, ସୋମବାର ଦିନ ଗାଆଁ ଶିବ ମଂଦିରରେ ଓଳିକର ବେଉସା ତାପରେ ଛୁଟି। ସାରା ଗ୍ରାମରେ ତାର ଆଦର, ଭାରୀ ମେଳାପୀ
ଅନ୍ୟ ମାନଂକ ମୁଢି ବରାଦ ମେଣ୍ଟାଇବା ପରେ ବେଶ୍ କିଛି ସମୟ ଗାଆଁ ମଜଲିସର ପସରା ମେଲାଇଲା ପରେ ଗଲା। ସମରଂକୁ ଗଡଟିଏ ଜିତିଲା ଭଳି ଲାଗିଲା। ନୁହେଁ ଆଉ କଣ, ଏ ଲାଇନର ସର୍ବଶ୍ରେଷ୍ଠ ଝାଲ ମୁଢି ବାଲା ତାଂକ ଗାଆଁ ଲୋକ, ଓ ଏକାଂତ ଘନିଷ୍ଠ,, ଏହା କଣ କମ କଥା! ସକାଳୁ ଏପର୍ଯ୍ୟଂତ ଉଦାସ ରହୁଥିବା ସମର ବେଶ ପ୍ରଫୁଲ ଦେଖାଗଲେ।

କିଛ ସମୟ ପରେ ପୁଣି ମଉସାଂକ ଅବସ୍ଥା କଥା ମନେ ପଡିଲା ସେ ଭାବିଲେ ସାମନାର ବସିଥିବା ସେ ତୀର୍ଥ ଫେରଂତା ଯାତ୍ରୀଂକଠାରୁ ଟିକେ ଗଂଗାଜଳ ଓ ନିର୍ମାଲ୍ୟ ମାଗିବେକି? ନାମଁ, ମଉସାଂକର କିଛି ହୋଇ ନଥିବ, ଶରତ କଣ ଭାବିବ! ଓ ହୋ, ସେଥିରେ କିଶ ଅଛି, ଘର କରିକି ନିର୍ମାଲ୍ୟ, ଗଂଗାଜଳ ଟିକେ ରଖିବା କଥା ନୁହେଁ।
“ଆଗ୍ୟାଁ ମଉସା, .........”
“ଇଏ ଗୋଟେ କଥା ପୁଅ, ଶାସ୍ତ୍ର କହିଛି ଆଚଣ୍ଡାଳ ବ୍ରାହ୍ମଣ ପରସ୍ପର ଛଡାଛଡି ହୋଇ ଖାଇବେ, ନିର୍ମାଲ୍ୟ କାହାକୁ ଦେଲେ ବହୁ ପୂଣ୍ୟ ଆଉ କିଏ ଆଶାକଲେ ଓ ତାଂକ ଆଶା ପୂରଣ କଲେ, ତେବେସେ ଲୋକ ଜୀବନ ସାରା ଯାହାକୁ ଯେତେ ଦେଲେବି ତାର ଉଣା ହେବନି। ଏହା ଅତି ଭାଗ୍ଯର କଥା।“
ସତେ!
ଲୋକେ ବଲ ବଲକି ଅନାଇଲେ
ଏତିକି କହି ସେ ଦୁଇ ଦାନା ନିର୍ମାଲ୍ୟ ସମରଂକ ହାତ ପାପୁଲିରେ ଦେବା ସହ ଏକ ପ୍ଯାକେଟ ମଧ୍ୟ ଦେଲେ ଓ ଛୋଟ ଗଂଗାଜଳ ଶିଶି ଟାଏ ଦେଲେ। ମାଉସୀ ସେ ପର୍ଯ୍ୟଂତ ମୁରୁକି ମୁରୁକି ହସୁଥିଲେ, ଏବେ କହିଲେ, “ ନିର୍ମାଲ୍ୟ ଦେଇ ପୁତ୍ର କଲ, ସାତ ଯୁଗକୁ ଆବୋରିଲ”
ଯେତେ ମନା କଲେବି ଏକ କୁଡୁଆ ପୁରୀ ଭୋଗ ଦେଲେ ଓ ଘରକୁ ନେବାକୁ କହିଲେ। ତା ପରେ ଘର ପରିବାର, ଠିକଣା, ତୀର୍ଥ ବୁଲା, ଚାକିରୀ ଇତ୍ୟାଦି ଇତ୍ୟାଦି ସମ୍ପର୍କରେ ବେଶ ଆଲୋଚନା ଜମିଲା। ସମରଂକ ବ୍ୟାଗକୁ, ଓଡିଆ ସଂସ୍କୃତିର ଏହି ଅମୂଲ୍ୟ ଚିଜ ତାତ୍ପର୍ୟ୍ୟ ପୂର୍ଣଭାବେ ସ୍ଫୀତ କଲା।
ପୁଣି ନାନା କିସମର ଆଲୋଚନାରେ ଅବଶିଷ୍ଟ ସମୟ କଟିଗଲା ଓ କେଂଦୁଆପଦା ଆସିଗଲା। ସେ ସେହି ନୂତନ ସମ୍ମାନୀୟ ଆତ୍ମୀୟଂକୁ ପ୍ରଣାମ ଜଣାଇ ଟ୍ରେନ୍ରୁ ଓହ୍ଲାଇ ପଡିଲେ।
ଷ୍ଟେସନ ବଜାର ବେସ ବଡ ହୋଇ ଯାଇଛି। ସେ ଫଳ ଦୋକାନ ପାଖକୁ ଗଲେ, ଭାବିଲେ କଣ ବା କିଣି ପାରିବେ। ପ୍ରତ୍ୟକ ଫଳର ଦାମ ପୁଛା କଲେ ସେଓ କିଲୋ ନବେ, କୁହାବୋଲାରେ ଖସିଲା ଅଶିକୁ, ପଚୋସ୍ତରୀରେ ରାଜିହେଲା ନାହିଁ ଦୋକାନୀ ବାଧ୍ୟହୋଇ ତାଂକୁ କହିଲେ ହିସାବ କରି, ସେତିକି ଟଂକାରେ ଯେତିକି ହେଉଛି, ସେତିକି ଦେବା ପାଇଁ। ତାଂକର ହିସାବ କରିବାରେ ଆଦୌ ଇଛାହେଲା ନାହିଁ। ସେ ବାଛି ବାଛି ଛୋଟ ଛୋଟ ସେଓ ପାଲାରେ ଥୋଇଲେ ଯେମିତି ସଂଖ୍ୟାରେ ଅଧିକ ହେବ ଏବଂ ଏହା କରିବା ଯୋଗୁ ସେ ଅପେକ୍ଷାକୃତ ଅପକ୍ୱ ସେଓକୁ ବାଛି ଦୋକାନୀ ମନରେ, ବେକୁବ ବୋଲି ସାବସ୍ତ୍ୟ ହେଲେ। ସେ ନିଜକୁ ବୁଝାଉଥିଲେ ହଁମ ଛୋଟ ହେଲେବି ସୁଆଦିଆ ଲାଗିବ। ଦୋକାନୀ ଅଛିଣ୍ଡା ହିସାବ ନକରି ଅଥବା ନିକୃଷ୍ଟ ଫଳ ବିକୁଥିବା ହେତୁ ପୁରା ଏକ କିଲୋ ଓଜନ କଲା
ଖୁବ ଶୀଘ୍ର ସେହି ଅଂକା ବଂକା ରାସ୍ତା ଉପରେ ସେ ଚାଲୁଥିଲେ। ରାସ୍ତାଟି କଂକ୍ରିଟ ଓ ଚଉଡା ହୋଇଛି କିଂତୁ ସବୁଜୀମା ଓ ସାଥି ଜୀବଜଂତୁ ମାନେ ବିଲୁପ୍ତ
ଶରତ କହିଲା, “ତୁ ଟ୍ରେନରେ ଆସିବୁ ଜାଣିଥିଲେ ମୁଁ ଯାଇଥାଂତି ଅବା କାହକୁ ପଠାଇ ଥାଂତି, ମୁଁ ଭାବିଲି ତୁ କାରରେ ଆସିବୁ ବ୍ୟସ୍ତ ହେବାର କିଛି ନାହିଁ, ବାପାଂକର ଜର କମିଗଲା ପରେ ସେ ପୁରାଭଲ ଓ ସକାଳୁ ବ୍ୟସ୍ତ- ତୋ ଆସିବା ଓ ତୋର ରୁଚି ଓ ପସଂଦ ଉପରେ ଚାଲିଛି ତାଂକର ନିର୍ଦ୍ଦେଶ। କାଲି ଏତେବେଳକୁ ବାପାଂକୁ ଡାକ୍ତରବାବୁ ଦେଖି କଟକ ରିଫର କରିଥିଲେ ବାପା ଜମା ରାଜି ହେଲେ ନାହିଁ, କହିଲେ ମୁଁ ହୋସରେ ଥିଲା ପର୍ଯ୍ୟଂତ କେହି ମତେ ଏଠୁ ନେଇ ପାରିବେ ନାହିଁ। ମୁଁ ଭାବିଲି ତୁ ଆସି କହିଲେ ସେ ରାଜି ହେବେ ପୁଣି କାଲି କଣ ହୋଇ ପାରେ, ତୁ ତାଂକୁ ଟିକେ ବୁଝା।“

 କହିବା ବାହୁଲ୍ୟ, ବେସ ହସଖୁସିରେ ସମୟ କଟିଥିଲା, ରାନୁ ଏବଂ ଦୁଇ ପୁଅ ଝିଅଂକ ଆଦର କହିଲେ ନସରେ।
 ପରଦିନ ଏକ ଭଡା ଗାଡିରେ ସମସ୍ତେ କଟକ ଯାଇଥିଲେ।
ଇତି ମଧ୍ୟରେ ସେ ସୁମୀଂକୁ ସବିଶେଶ ବିବରଣୀ ଫୋନରେକହିଥିଲେ ପରଦିନ ସମସ୍ତେ କଟକ ପହଂଚିବା ବେଳକୁ କୋଚିଂ ସେଣ୍ଟରର ଷ୍ଟାଫ ଆସି ସମରଂକୁ ହସ୍ତାଂତର କରିଥିଲେ ତାଂକ ପର୍ସ ଓ କାର୍ଡ୍।

 ସେ ବହୁତ ଖୁସି, ପୁଣି ଏକ ପରୀକ୍ଷାରେ ଶହେରୁ ଶହେରେ ଉତ୍ତୀର୍ଣ।






   

Sunday 12 February 2017

ତରଂଗ Waves


T