Search This Blog

Monday 30 December 2019

ଅଠର ଗୁଣ୍ଠ। .

ଅଠର ଗୁଣ୍ଠ  ।
ଅକୁ ବାବୁ ଭରା ଧାନକ୍ଷେତ ଦେଖି ସନ୍ତୋଷ ଅନୁଭବ କରି ଆସୁଥିଲେ କିନ୍ତୁ ଅଟକି ଗଲେ । ତାଙ୍କୁ ଲାଗିଲା ସତେ ଅବା ଏତେ ମେହନତର ଫସଲଟି ବିଦୃପ କରୁଛି, ଠିକ୍ ଯେମିତି ତାଙ୍କ ନାମଟି ସବୁଦିନ ତାଙ୍କ ବ୍ୟକ୍ତିତ୍ୱକୁ ଖତେଇ ହୋଇ ଚାଲିଛି । ସେ ବାବୁ ପଦବାଚ୍ୟ ନୁହନ୍ତି । ଆଦ୍ୟ ଶୈଶବ୍ୟରେ କେଉଁଠୁ କେମିତି ତାଙ୍କ ମଗଜକୁ ପଶି ଆସିଥିଲା ବାବୁ ହେବାର ବା ବାବୁ ଡାକଟି ପାଇବାର ଅଦମନୀୟ ଅଭିଳାଷ । ସାନ ବଡ ଯେ କେହି ପିଲାଟିର ନାମ ଧରି ଡାକନ୍ତି, ଅକୃର ବା ଅକୁ, ପିଲାଟି ଚିଡି ଉଠୁଥିଲା, ବୋଧ ହେଉଥିଲା ଏ ସମ୍ଭାଷଣ ଯାହା, କେହି ତା ଜାମା ପେଣ୍ଟ ଖୋଲିଦେବା ସେଇଆ । ସେ ସଫା ସଫା ଦାବି କରେ; ଭଦ୍ରତାର ସହ ଅକୃର ବାବୁ ଡାକନ୍ତୁ । ନଚେତ ସମସ୍ତଙ୍କ ମୁହଁ ଉପରକୁ ଧୁଳି ବାଲି  ଛାଟେ । କେହି କେହି ପିଲାଟିକୁ ଚିଡାଇବା ପାଇଁ ବିନା ବାବୁରେ ତା ନାମ ନେଲେ ସେ ଅସମ୍ଭାଳ ହୁଏ । ଅକୃର ବଦଳରେ ଅକୁ ହେଲେ ମଧ୍ୟ ଚଳୁଥିଲା କିନ୍ତୁ ବାବୁ ନହେଲେ ଅଚଳ । କ୍ରମଶଃ ସମସ୍ତେ ତାକୁ ବାବୁ ଡାକିବା ଅଭ୍ୟାସ କରିନେଲେ ।

ଅକୃର ଯାହୁଁ ବଡହେଲା ତାହୁଁ ତା ବାବୁ ହେବା ନିଶା ବଢିଲା । ଏହାର ପ୍ରଭାବରେ ସର୍ବଦା ବେଶ୍ ଚଇନି ଚିକ୍କଣ ରହିବାକୁ ଥାଏ ତାହାର ଝୁଙ୍କ ।   ବାବୁ ଯେ ସେ ନହୋଇଥାନ୍ତା ନୁହେଁ, ଭଲ ପାଠ ପଢୁଥିଲା । କୃଷି ପ୍ରିୟ ମହାନ୍ତ ଘର ପୁଅ ହେଲେବି ବିଲ ବାଡିକୁ ଯିବାକୁ ପସନ୍ଦ ନଥିଲା ତାହାର । ବାବୁ କଣ ପାଣି କାଦୁଅରେ ଘାଣ୍ଟି ହୁଅନ୍ତି?
କିନ୍ତୁ ଆଜି ଅକୁବାବୁ ଧାନ ବିଲକୁ ସିଧା ଚାହିଁ ପାରିଲେ ନାହିଁ, ଯେମିତି ଏ ଜମି ଖଣ୍ଡକ ତାଙ୍କୁ ବାବୁ କହିବାକୁ ନାରାଜ । ତାଙ୍କ କଛାମରା ପାଞ୍ଚହାତି ଖୋର୍ଦ୍ଦା ଗାମୁଛାକୁ ଫସଲ କହୁଛି, ତୁ ମୋରି ଭଳି ନିରିମାଖି । ଇଛା ହେଉଥିଲା ଧୁଳି ବାଲିରେ ପୋତି ପକାଇବାକୁ ଏ ବେଖାତିରି ପାଇଁ । କିନ୍ତୁ ଓଲଟି, ତାଙ୍କୁୁ କଣ କମ ନାକେଦମ କରିଛି, ଧୁଳି ବାଲିରେ ପୋତି ନପକାଇଛି ଅଠର ଗୁଣ୍ଠର ଗଡା ଦୁଇଟି । ପ୍ରାୟ ପଚିଶି ବର୍ଷ ପଡିଆ ପଡିଲା ପରେ ଏହା ଆଉ ଚାଷ ଉପଯୋଗୀ ନଥିଲା । ଅକୁ ବାବୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ବିନା ମୂଲିଆରେ ଜମିକୁ ପୁନଃ ଆବାଦୀ କରିଛନ୍ତି, ଫସଲ ଉପୁଜାଇଛନ୍ତି, ସେ ଏକା ନୁହେଁ, ସ୍ତ୍ରୀ ରେଣୁ ବି ଅଣ୍ଟାରେ କାନି ଭିଡି ସମ ପରିମାଣର ମେହେନତ କରିଛନ୍ତି । ଏ ଫସଲକୁ ଉଜୁଡାଇ ଦେବାର ଭାବନାଟି ଆସୁଛି କେମିତି? ସେ କ’ଣ ମାନସିକ ଭାରସ୍ୟାମ ହରାଇ ଦେବେକି? ତାହେଲେ ରାତି ଉଜାଗର ହୋଇ ପାଖରେ ଥିବା ମହୁଲ ଗଛତଳେ ମଞ୍ଚାଟିଏ କରି ହାତୀ ବାର୍ହାଙ୍କୁ ଜଗୁଥିଲେ କାହିଁକି, ହଁ, ସେ ବି ଏକ ମସ୍ତ ପାଗଳାମି ଥିଲା ।

 ଜଗନ୍ନାଥ ଇସ୍ପାତ କାରଖାନାର ପାଚେରୀକୁ ଲାଗିଛି ଅଧିଗ୍ରହଣରୁ ବାଦ ପଡିଥିବା ତାଙ୍କର ଏହି ଅଠର ଗୁଣ୍ଠ ଜମି, ଏଠି ତ ଆଉ ନେଉଳଟିଏ ଦେଖାଯାଉନି, ହାତୀ, ବାର୍ହା ଆସିବେ କେଉଁଠୁ? ସତରେ ଯଦି ଆସିଥାନ୍ତେ ସେ କ’ଣ ଘୋଉଡାଇ ପାରିଥାନ୍ତେ?
ତଥାପି ସେ ଜଗିଛନ୍ତି ଅନେକ ଦିନରୁ, ସମ୍ଭବତଃ ମଣିଷକୁ ଜଗୁଛନ୍ତି । ଆହୁରି କଥାଟିଏ ବି ଅଛି । ଜମିର ଉପର ମୁଣ୍ଡରେ ଅଛି ମହୁଲିଆ ଓ ତଳ ମୁଣ୍ଡରେ ଟୁମୁଣିଆ; ଦୁଇଟି ସର୍ବ ସାଧାରଣ ଛୋଟ ପୋଖରୀ । ପଞ୍ଚାୟତରୁ ଲିଜ ନେଇଛନ୍ତି କୋଡିଏ ବର୍ଷ ପାଇଁ । ସେ ଦୁଇଟିକୁ ପୁନରୁଦ୍ଧାର କରିଛନ୍ତି, ମହୁଲିଆରେ ରୋହି ଓ ଭାକୁର ଜାଆଁଳ ଛାଡିଛନ୍ତି, ଟୁମୁଣିଆରେ ଦେଶୀମାଛ, କୋଉ, ମାଗୁର, ଶେଉଳ ଇତ୍ୟାଦି । କାଳେ କିଏ ଜାଲ ପକାଇ ଧରିନେବ!  ଆଗ ସମୟ ହୋଇଥିଲେ ସେ ଅଙ୍କ କଷିଥାନ୍ତେ, ଏତିକି ରାତି ଉଜାଗର ହେବାର ମୂଲ କେତେ, ଧାନ ଫଳିବ କେତେ, ମାଛରୁ ମିଳିବ କେତେ, ଲାଭ କେତେ, ହାନୀ କେତେ? ଏସବୁ ଅଙ୍କକଷା, ପରିସ୍ଥିତି ତାଙ୍କୁ ଭୁଲିବାକୁ ବାଧ୍ୟ କରିଛି ।

ଆହୁରି ଭୁଲି ଯିବାକୁ ଚାହିଁଛନ୍ତି ତାଙ୍କ ଜୀବନର ଗତ ପଚିଶି ବର୍ଷକୁ, ତାର ଲାଭ କ୍ଷତିକୁ । ଏତେ ଲମ୍ବା ସମୟଟି ଥିଲା ଅପସ୍ୱପ୍ନଭରା ଗୋଟିଏ କାଳ ରାତ୍ରୀ । ଅଥବା ଏ ସମୟଟି ଆଦୌ ଆସିନି ତାଙ୍କ ଜୀବନକୁ । ସେ ତାଙ୍କ ବାପ ଗୋସାପଙ୍କ କାମକୁ ଯେମିତି ବିନା ମଧ୍ୟାନ୍ତରରେ ଆଗେଇ ନେଇଛନ୍ତି । ସେ ପଚିଶି ବର୍ଷକୁ ତାଙ୍କ ଆୟୁ ମଧ୍ୟରୁ ସେ ଲିଭାଇ ଦେଇଛନ୍ତି, ଏମିତି ସେମିତି ସମୟ ନୁହେଁ, ଏ ତାଙ୍କ ସମଗ୍ର ଯୌବନ, ଅଠରରୁ ତେୟାଳିଷି । ସେମିତି କେମିତି ହେବ, ସେ ପୁଣି ନିଜ ମସ୍ତିଷ୍କର ସୁସ୍ଥତା ଉପରେ ସନ୍ଦେହ କଲେ? କେତେ ଦିନ ହେଲା ସମସ୍ତେ ତାଙ୍କୁ ପାଗଳ ବୋଲି ତାଙ୍କ ପଛରେ କହୁଛନ୍ତି, ଅନ୍ତତଃ ସେ ସେମିତି ସନ୍ଦେହ କରୁଛନ୍ତି । ରେଣୁକୁ ଏକଥା ପଚାରି ପାରୁନାହାନ୍ତିି, କାଳେ ସେ ଦୁଃଖ ପାଇବ, କାଳେ ସେ ଭାବିବ, ତା ସ୍ୱାମୀର ମୁଣ୍ଡ ଗୋଳମାଳ ହୋଇଗଲା! ଅକୁବାବୁ ହସିଲେ, ଓ ହୋ, ସତେ ଯେମିତି ସେ ଆଗରୁ ଭଲଥିଲେ । ଭଲ ଥିଲେ ତ ଏ ବାବୁ ଡାକର ଦାବିଟି କଣ ପାଗଳାମି ନଥିଲା!
“ଜଗନ୍ନାଥ ଇସ୍ପାତ ନିଗମ”, ଆଜିର ଶିଳ୍ପ ନଗରୀ ମଧୁବନର ପ୍ରଥମ କାରଖାନା ପାଇଁ ସରକାର ତାଙ୍କ ‘ମହାନ୍ତପଡା’ ଗାଁକୁ ଉଚ୍ଛେଦର ବିଜ୍ଞାପନ ଦେଲେ । ସାରା ଗାଁ ବିସ୍ଥାପନ ବିରୋଧୀ ମେଳି କଲା ବେଳକୁ ସେ କେମିତି ପଧାନ ଘର ସହ ମିଶିଥିଲେ ବିସ୍ଥାପନ ସପକ୍ଷରେ, ତାହା କଣ ନଥିଲା ବିକୃତି!
ସେ ଅଳସୁଆ ହୋଇ ଏତେ କଥା ଭାବୁ ନଥିଲେ, ଏ ମଧ୍ୟରେ ହିଡ ଉପରୁ ଘାସକାଟି ଅଧା ଅଖା ଭର୍ତ୍ତି କଲେଣି, ଆହୁରି କାଟିବେ, ଜର୍ସି ଗାଇଟି ଢେର ଖାଇ ଯାଉଛି, କେତେ ଚାରା ଅବା କିଣି ପାରିବେ? ପୁଣି ଛେଳି ପୁଞ୍ଜାଏ ରଖିଛନ୍ତି। ଭାଡିଏ କୁକୁଡା ମଧ୍ୟ ଅଛନ୍ତି, ଖାଆନ୍ତି ପୋକ ଜୋକ ବୁଲି ଚରି ।

କି ରେ, ଅକୁ ବାବୁ ବନୁଥିଲୁ ପା, କୁଆଡେ ଗଲା ସେ ଦମ୍ଭ, ମହାନ୍ତ ପୁଅ ବୁଲିବାଲିକି ଆଣ୍ଠେଇ ପଡିଲୁ ବିଲରେ, କାଦୁଅ ମାଟିରେ ଗୋଳି ହେଲୁ । ମାଟି ମାଆ କଥା ମନେ ପଡିଲା, ନା ନା ମା କେବେ ଖତେଇ ହୋଇ ପାରେ! ତା ସୁନାର ଫସଲ ତା ମଲା ମାଆର ପଣତ ଭଳି ଦେଖା ହେଲା । ସେ ଧାନଟିଏ ଆଣି ପାଟିରେ ଦେଲେ, ହଁ ଏଥର କ୍ଷୀର ଢୋକି ସାରିଲାଣ, ଚାଉଳ ହେଲାଣି ଆଉ ଦିନ କେଇଟାରେ ଚାହୁଁ ଚାହୁଁ ପାଚିଯିବ, ସ୍ୱର୍ଣ୍ଣ ଧାନ, ଭଲ ଫଳିଛି । ସେମାନେ ଦୁଇ, ଝିଅ ଅନୁ ଓ ପୁଅ ଦାସିଆ, ବିଧବା ଭାଉଜ, ଏମିତି ପାଞ୍ଚ ପ୍ରାଣୀ କୁଟୁମ୍ବ । ବର୍ଷ ମୁଣ୍ଡ ପାଇଯିବ ।
ଭାଉଜ ଆଶାମଣୀ, ବିସ୍ଥାପିତ କଲୋନୀର ଆଶାଦିଦୀ, ପିଲା ଝିଲା ନାହାନ୍ତି, ଅକୁ ବୋଲି ଡାକନ୍ତି ତାକୁ ବିନା ବାବୁ ଲଗାଇ, ପୁଅ ଜ୍ଞାନ କରନ୍ତି । ଅକୁବାବୁ ଆଖି ପୋଛିଲେ, ଭାଇଙ୍କ କଥା ମନେ ପଡିଗଲା ତା ସହ ସେ ସମସ୍ତ ଦୁର୍ଘଟଣା । ଓ! ଦୀର୍ଘଶ୍ୱାସ ନେଲେ ।
ବରଂ ଭଲ, ସେ ଭାଉଜଙ୍କୁ ପଚାରିବେ ତାଙ୍କ ମାନସିକ ସୁସ୍ଥତା ସମ୍ବନ୍ଧେ, ସେ ସମଝଦାର, ପ୍ରଶିକ୍ଷିତା, ସେଦିନ ସେ ନିଜେ ନେଇ ଛାଡି ଆସିଥିଲା ମାନସିକ ରୋଗପାଇଁ ଆଶାମାନଙ୍କ ପ୍ରଶିକ୍ଷଣ ଶିବିରରେ ।
  ଗୋସବାପା ନିତ୍ୟାନନ୍ଦ ମହାନ୍ତଙ୍କ ଥିଲା ଦଶ ଏକର ଜମି । ବାପା ସଦାଶିବ ମହାନ୍ତ ଓ କାକା ସଦାନନ୍ଦ ମହାନ୍ତ ଭାଗ ପାଇଥିଲେ ପାଞ୍ଚ ଏକର ପ୍ରତ୍ୟେକ । କଠିନ ପରିଶ୍ରମୀ ବାପା, ସେ ଜମିକୁ ବଢାଇଥିଲେ ନଅ ଏକରକୁ । ଗାଈ ଗୋରୁ, କୁକୁଡା, ଛେଳି, ପରିବା, ଫଳଚାଷ ଓ ନାନାଦି ଫନ୍ଦି ଫିକର କରି, ବାପା ମାଆ ପରିବାରଟିକୁ ଆଗକୁ ବାହୁଥିଲେ । ହଠାତ ସବୁ ବଦଳିଗଲା । ଶୁଣାଗଲା ସେମାନଙ୍କୁ ବିସ୍ଥାପିତ ହେବାକୁ ପଡିବ । ସରକାରୀ କାରଖାନା ବସିବ । ଜମି ତାଙ୍କର ନୁହେଁ, ସେମାନେ ପଟ୍ଟାଧାରୀ ଖାତକ, ପ୍ରଜା ମାତର । ଦେଶର ବିକାଶ ହେବ, ସେମାନେ ହଟିବେ । ଗାଁଟି ସାରା କୁଡୁମି-ମହାନ୍ତମାନେ ଚାଷୀ, ସେମାନେ ବିରୋଧ କଲେ । ଅନ୍ୟ ସଂଖ୍ୟାନ୍ୟୁନ ବାରଜାତି ବି ତାଙ୍କୁ ସମର୍ଥନ କଲେ ।
ପଧାନ ଘରକୁ ହାତ କଲେ ଶାସନ କର୍ତୃପକ୍ଷ, ସେମାନେ ଗାଁ ମୁଖିଆ । ପଧାନ ଘର ଲୋକେ ଲାଗିପଡି ସମସ୍ତଙ୍କୁ ବୁଝାସୁଝା କଲେ । ଉପଯୁକ୍ତ କ୍ଷତି ପୁରଣ ମିଳିବ, ପକ୍କାଘର ମିଳିବ ଯେତେ ଚୁଲି ସେତେ ଘର, ଚାକିରି ମିଳିବ । ଇଲାକାର ସର୍ବାଙ୍ଗୀନ ଉନ୍ନତି ହେବ, ରାସ୍ତା ଘାଟ, ସ୍କୁଲ, ଡାକ୍ତରଖାନା, ପାନୀୟ ଜଳ ଯୋଗାଣ, ନିରନ୍ତର ବିଜୁଳି ଓ ଆହୁରି କେତେ କଣ । ସବୁ ପାଖ ଗାଁ ଲୋକେ ଆଗଭର, ମହାନ୍ତପଡା ଗାଁ ପଛରେ ପଡିବା ଠିକ୍ ନୁହେଁ । ଅକୁବାବୁ ସେବେଳେ ଅଠର ବର୍ଷର ମାତ୍ର, ଯୁକ୍ତଦୁଇ ବିଦ୍ୟାଳୟ ଶେଷକରି ଉପାଧି ଶ୍ରେଣୀରେ  ନାମ ଲେଖାଇଛନ୍ତି । ତାଙ୍କ ଯୁବ ମଗଜ କଥାକୁ ସମର୍ଥନ କରିଥିଲା । ଚାଷବାସ କଥା ତାକୁ ସୁହାଏ ନାହିଁ । ପଧାନପୁଅ ବାପି ତା ସାଙ୍ଗ, ନେତା ହୋଇଗଲା, ସମସ୍ତଙ୍କୁ ବୁଝାସୁଝା କଲା; “ସୁଯୋଗ ସବୁବେଳେ ଆସେନି, ଆମେ ଗରିବ କାରଣ ଆମେ ଗରିବ, ଆମର ସର୍ବନିମ୍ନ ଆବଶ୍ୟକତା ପୁରଣ ନହେଉଣୁ ଆମ ସବୁ ରୋଜଗାର ସରି ଯାଉଛି, ଋଣ ବି ହେଉଛି, ଜୀବନବ୍ୟାପି ଆମେ କେବଳ ପଇଠ କରି ଚାଲୁଛୁ, ସୁଝୁଛୁ । ଜୀବନ ଚାଲି ଯାଉଛି । ହଠାତ ସମସ୍ତ ଗାଁକୁ ବହୁତ ଟଙ୍କା ଆସିଯିବ, ଘର ମିଳିଯିବ, ଚଳିବା ପାଇଁ ବୃତ୍ତି ମିଳିଯିବ । ଆମେ ବଳକା ଅର୍ଥକୁ ପୋଶା ମନାଇବା, ସେ କଥା କହିବ, ନାଚିବ, ଆୟ ଆଣି ଦେବ, ଆମ ପାଖରେ ସୁବିଧା ଅସୁବିଧାରେ ଜିନ୍ ଭଳି ହେ ମାଲିକ ଆଜ୍ଞା ଦିଅନ୍ତୁ କହି ହାଜିରା ମାରିବ, ଆମ ଚଳନି ବଦଳିଯିବ । ନା କଣ କହୁଛୁ ଅକୁବାବୁ?”

 ଅକୁ ପରବୁଦ୍ଧିଆ ନଥିଲା, ତା ମଧ୍ୟରୁ ଛାଆଁକୁ ସେହି ଏକ ହିଁ ସ୍ୱର ବାହାରୁଥିଲା, ତା ବାବୁ ହେବାର ଅଭିଳାଷକୁ ଏହା ବଳ ଯୋଗାଉଥିଲା । ଏହି ସାଧାରଣ କଥା ଲୋକେ ନବୁଝିବେ କେମିତି? ସେମାନେ କୁଡୁମି, ସେମାନେ ସରଳ, ନବୁଝିବା ପର୍ଯ୍ୟନ୍ତ ଗ୍ରହଣ କରିବେ ନାହିଁ, ଥରେ ବୁଝିଗଲେ ଆଉ ତାଙ୍କ ମନରେ ଦ୍ୱନ୍ଦ୍ୱ ନଥାଏ । ସଭିଏଁ ପେଡି ପୁଟୁଳା ବାନ୍ଧିଲେ, ସରକାରର ବ୍ୟବସ୍ଥାକୁ ଗ୍ରହଣ କରିନେଲେ । ଭବିଷ୍ୟତର ସୁନେଲି ସ୍ୱପ୍ନ ମଧ୍ୟରେ ନିଜର ଏବେର ଜୀବନ, ଜୀବିକା, ଚାଷବାସ, ପଶୁପାଳନ, ଯତ୍ସାମାନ୍ୟ ମାଛ ଚାଷ, ଦିଅଁ, ଦେଉଳ ଓ ଦେଇପିଣ୍ଡିକୁ ସବୁଦିନ ପାଇଁ ମନରୁ ପୋଛି ପକାଇ ଆସିଲେ ଦୂରକୁ, ପକ୍କା ଚହଟ କଲୋନୀକୁ ।

ସଧବା ନାରୀ ସିନ୍ଦୁର ପୋଛିଦେବାର ଅବସ୍ଥାକୁ ସେମାନେ ଯେ ବୁଝୁ ନଥିଲେ ସେକଥା ନୁହେଁ କିନ୍ତୁ ସେମାନେ ମନକୁ ବୁଝାଇ ଦେଇଥିଲେ । ସବୁବେଳେ ଆଗାମୀ କାଲିର ସ୍ୱପ୍ନ ଆଜିଟିକୁ ପରାଭୁତ କରିଦିଏ । ଆଜିର କଷ୍ଟକୁ ବେଖାତିରି କରି ସେ ଖଟିଚାଲେ, ତ୍ୟାଗ କରିଚାଲେ, ଭାବେ ସମୟ ବଦଳିଯିବ, ଭଲ ପାଇଁ ବଦଳି ଯିବ । ଭବିଷ୍ୟତ ସର୍ବଦା ମଙ୍ଗଳମୟ ଓ ସେ ଭାବନା ସମସ୍ତ ଆଶଙ୍କାକୁ ଜିତିଯାଏ, ସେ କାଲି ଆଡକୁ ପାଦ ବଢାଏ । ଅକୃର ମହାନ୍ତ ଆଜି ଏକଥା ଭାବି ପାରୁଛି, ସେଦିନ ବି ଭାବି ପାରୁଥିଲା ଯଦିଓ ତଫାତ ଅନେକ । ସେବେଳେ ତା ଯୁବମନ ଏକଥା ବୁଝିବା ଅସମ୍ଭବ ଥିଲା, ମନ ଥିଲା ସ୍ୱପ୍ନ ମସଗୁଲ । ସମୟର ବେତ ମାଡରୁ ସେ ବୁଝି ସାରିଛି, ଏକଥା ଆପେକ୍ଷିକ । ତା ପାଇଁ କଥାଟି ଯାହା, ବାପି ପାଇଁ କଥାଟି ସେଇଆ ନୁହେଁ । ଅଲମ୍ପିକ ଲୋଗୋ ପରି ଛନ୍ଦାଛନ୍ଦି ବଳୟ ମାର୍କା ଗାଡି, ଶୁଣାଯାଏ ଯାହାର ଦାମ ପାଖାପାଖି ଏକ କୋଟି, ସେ କାର୍ ଚଢୁଛି ବାପି । କେତେ ଥର ତା ଗାଡିରେ ବସିଛି ସେ, ସେହି ତା ଖୁସି, ସେ ଈର୍ଷା କରେନି, ବାପି ତା ବଳ । ଆଜି ଚାହିଁଲେ ତାକୁ ଅନେକ ସାହାଯ୍ୟ କରିବ, କେତେଥର ତା ଆଡୁ ପ୍ରସ୍ତାବ ଦେଇଛି । ପ୍ରସ୍ତାବକୁ ସେ ଏଡେଇ ଦିଏ, ପ୍ରତ୍ୟାଖାନ କରିବା ତା ନିଜର ବଳ । ତଥାପି ତା ସାହାଯ୍ୟ ବିନା ସେ କେବେ ମହୁଲିଆ ଓ ଟୁମୁଣିଆ ପୋଖରୀ ଦୁଇଟି ଲିଜରେ ନେଇ ପାରିଥାନ୍ତା! ତାହାରି ଭାଲୁଗାଡି ଲଗାଇ ସ୍ୱଳ୍ପ ଖର୍ଚ୍ଚରେ ସେ ପୋଖରୀ ଦୁଇକୁ ଉଦ୍ଧାର କରିଛି । ଅକୁବାବୁ ସେଥିପାଇଁ ବାପି ପ୍ରତିନିଧିତ୍ୱ କରୁଥିବା ଧନୀକ ବର୍ଗଙ୍କୁ ହତାଦର କରିପାରେନା, ଦାୟୀ କରିପାରେନା ଖଟିଖିଆ ମାନଙ୍କ ଦୁରବସ୍ଥା ପାଇଁ । ଅବଶ୍ୟ ଏ ଅନାବନା ପୋଖରୀ ନିଲାମରେ ଅନ୍ୟ କେହି ଦାବିଦାର ନଥିଲେ ।

ସେ ବେଳେ, ସରକାରୀ କଳ ଭାବି ନେଇଥିଲା, ସବୁଠୁ ବେଶି ବିରୋଧ ହେବ ମହାନ୍ତପଡାରୁ, କାରଣ ସେମାନେ ଚାଷୀ, ବାସ୍ତବ ଅର୍ଥରେ ଚାଷୀ । କିନ୍ତୁ ସବୁଠୁ ପ୍ରଥମେ ସେମାନେ ରାଜି ହୋଇଗଲେ । ଏହାର ଶ୍ରେୟ ଗଲା ପଧାନ ଘରକୁ । ସେମାନେ ଠିକା ପାଇଲେ, ଶ୍ରମିକ ଯୋଗାଇବା ଠିକା । ଆଉ କୁରାଢୀର ବେଣ୍ଟ ହୋଇ ଯେଉଁ କାଠ ଖଣ୍ଡିକ ଜଙ୍ଗଲ ସଫା କରିଥିଲା ସେ ଅକୁବାବୁ ପାଇଲା ଚାକିରି, ବାପି ମାର୍ଫତରେ ଯୋଗାଣ ହୋଇଥିବା ଶ୍ରମିକଙ୍କ ସୁପରଭାଇଜର ଚାକିରି, ଠିକାଦାର ପ୍ରଦତ୍ତ ଠିକା ଚାକିରି । ଏଥିରେ କିଛି ସ୍ଥାୟୀତ୍ୱ ନାହିଁ, ଏକଥା ବୁଝିଲା ବେଳକୁ ବେଳ ଉଛୁର ହୋଇଯାଇଥିଲା ।  କାଳେ ସବୁ ନିଯୁକ୍ତି ସରିଯିବ ଭାବି, ପାଠ ଛାଡିଥିଲା ଅକୁବାବୁ । ସୁପରଭାଇଜର ପଦଟି ମଧ୍ୟ ବାବୁ ପଦବାଚ୍ୟ ମାଲୁମ ହେଲା । ସେ କଣ ଜାଣିଥିଲା ତାହା କେବଳ ବାହୁର ଶ୍ରମ ବ୍ୟତୀତ ଭିନ୍ନ କିଛି ନୁହେଁ । ଅବଶ୍ୟ ସେ କଥା ବାପି ମଧ୍ୟ ଜାଣି ନଥିବ । କାରଖାନା କୁଶଳୀ ଶ୍ରମିକ ଖୋଜେ, ସେ ଅଣ କୁଶଳୀ । ବରଂ ଭଲ ହୋଇଥାନ୍ତା ପ୍ରଥମେ ସରକାରଙ୍କୁ ବିସ୍ଥାପିତ ମାନେ ବାଧ୍ୟ କରିଥାନ୍ତେ, ଆଗେ ସେମାନଙ୍କୁ କୌଶଳ ଶିଖାଅ, ପ୍ରଶିକ୍ଷଣ ଦିଅ, ତାପରେ ଅନ୍ୟ ଯାହା କ୍ଷତି ପୁରଣ ଦେଉଛ ଦିଅ । ଯେଉଁ ଜମି ଉପରେ ପାଣି କାଦୁଅ ନହେବାକୁ ସେ ଦିନେ ଜିଦି କରୁଥିଲା ସେହି ଜମି ଉପରେ ଦେଶର ବିକାଶ ପାଇଁ ସେ କେତେ ଝାଳ ବୁହାଇଛି, ସେ ଝାଳକୁ ଧୁଳି ଧୁଆଁ ଗୋଳାଇ କାଦୁଅ କରିଛି, ଦୋମାଟିଆ ହୋଇ ଘରକୁ ଫେରିଛି, ଅବଶ୍ୟ ସିଧା, ଛାତି ଫୁଲାଇ, ମୁଁହ ସଳଖ କରି; ଅନ୍ୟଙ୍କ ଭଳି ଟଳି ଟଳି ନୁହେଁ । ସରକାରୀ କାରଖାନା, ମାଲିକେ କଣ ଠକିବେ? ଆଜି ନହେଲେ କାଲି ତାକୁ ସ୍ଥାୟୀ କରିଦେବେ । କିନ୍ତୁ କାଲି କେବେ ଆସିନି, ଆଜି ଗୁଡାକୁ ଚିପୁଡି ତା ନିଲଠା ଶରୀର ଦୁଇ ଅଣା ପାଉଣା ପାଏ, କେଇଟି ଦେହ ଢୋକେ ପିଇ ଦିନ ଦଣ୍ଡକ ବଞ୍ଚି ଯାଆନ୍ତି, କାଲି ପାଇଁ ବଳକା ନଥାଏ, ବଳକା କେବଳ ସ୍ୱପ୍ନ, କଦବାୟ କେମିତି ସୁନେଲି କିନ୍ତୁ ଅଧିକରୁ ଅଧିକ ଦୁଃସ୍ୱପ୍ନ । ସେ ‘ଆଜି’ ମହାଶୟର ବି ସମାପ୍ତି ଘଟିଲା, ଆଜି କାରଖାନା ନିଜେ ଗଲା ଇତିହାସକୁ, ସେ ଇତିହାସକୁ ତାଲା ମାରି ଅକୁବାବୁ ଚାଲି ଆସିଲେ । ଅନ୍ୟମାନଙ୍କ ପରି କଳିଗୋଳ ଓ ଆନ୍ଦୋଳନରେ ଯୋଗ ନଦେଇ ଚାଲି ଆସିଲେ । ଖୁସି ମନରେ ମୁକ୍ତ ବିହଙ୍ଗ ପରି ସ୍ୱାଧୀନତାର ଆନନ୍ଦରେ । ଅବଶ୍ୟ କେଉଁଠି ନା କେଉଁଠି ହେଲେ ତ, ଦାନାରେ ଚଢେଇଟିର ନାମ ଲେଖାଥିବ । ହିଡମୁଣ୍ଡରେ ଘାସ କାଟୁ କାଟୁ ଏବେ ଅକୁବାବୁ ହସି ପକାଇଲେ, ଆହାଃ ତାଙ୍କ ଆହାର ହେବ ଏଇ ମାଟି ମାଆ, ଅଠର ଗୁଣ୍ଠିଆ ଟିକି ମାଆଟି, ବିସ୍ଥାପନ ଦାଢରୁ ବର୍ତ୍ତି ଯାଇଥିବା ଜମି ଖଣ୍ଡିକ । ଭାଇ ସଙ୍ଗେ ଭାଗ ନାହିଁ; ଅକୁବାବୁଙ୍କ ମନେ ପଡିଗଲା ଭାଇଙ୍କ କଥା, ମନ ମଧ୍ୟରେ ହାହାକାର ଘୋଟି ଆସିଲା, ମୂହୁର୍ତ୍ତ ପରେ ତାହା ଦୂର ହୋଇଗଲା, ଯେଉଁ ଅତୀତକୁ ସେ ତ୍ୟାଗକରି ଶାନ୍ତିରେ ଅଛନ୍ତି; ଜମି, ଗାଭୀ, ଭାଉଜ ଓ ଜଗତକୁ ମା ଜ୍ଞାନ କରି ମାତୃକରୁଣାରେ ଆଶ୍ରୀତ ହୋଇଛନ୍ତି, ସେ ବିଗତ କାଲିର କଥା ହୋଇଯାଇଛି ।
ଦୁଃଖ କଣ ଜାଣୁନଥିଲେ ତାଙ୍କ ଭାଇ । ବୟସରେ ବାର ବର୍ଷ ବଡ । ସେ ଜଣେ ଅଦ୍ଭୁତ ମଣିଷ । ସବୁବେଳେ ଲାଗି ରହିଥାନ୍ତି ଈଶ୍ୱର ଚିନ୍ତନରେ, ଗାଁ ଯେବେ ଥିଲା ସେ ଥିଲେ ଗ୍ରାମର ଆଧ୍ୟାତ୍ମିକ ଚେତନାର କେନ୍ଦ୍ରବିନ୍ଦୁ । ତାଙ୍କ ପ୍ରଚେଷ୍ଟାରେ ପୁନରୁଦ୍ଧାର ହୋଇଥିଲା ଭାଗବତ ଟୁଙ୍ଗି ଗାଁ ମଠରେ । ସାଧୁ, ସନ୍ୟାସୀ ଓ ପଣ୍ଡିତ ମାନଙ୍କ ଯିବା ଆସିବା ଚାଲୁଥିଲା । ବଡ ଅମାୟିକ । ପ୍ରତ୍ୟେକ କାମକୁ ଈଶ୍ୱରଙ୍କ ନିର୍ଦ୍ଦେଶ ଜ୍ଞାନ କରି ସେ କରି ଚାଲନ୍ତି, ଯାହା ଈଶ୍ୱରଙ୍କ କାମ ତାହା ତାଙ୍କ ପାଇଁ କଷ୍ଟ ହେବ କେମିତି । ନାମଟି ତାଙ୍କ ଉଦ୍ଧବ । ସମସ୍ତଙ୍କ ଅତି ପ୍ରିୟ ଉଦ୍ଧବ । କିନ୍ତୁ କେବଳ ଯାହା ଅକୁ ପାଇଁ ସେ ମନ ଉଣା କରନ୍ତି । କେତେ ଆଶା କରିଥିଲେ ସାନ ଭାଇଟି ବଡବାବୁ ଜଣେ ହେବ ।
 ଅନେକ ବର୍ଷ ବିବାହିତ ଜୀବନରେ ପିଲାଟିଏ ହେଲାନି । ଦିଅଁ ଦେବତା ପୂଜା ବ୍ୟତୀତ କୌଣସି ଡାକ୍ତର ପରାମର୍ଶ ସେ କରି ନାହାନ୍ତି । ସେ ପାଇଁ ଅବଶ୍ୟ ଅର୍ଥର ଆବଶ୍ୟକତା ଥିଲା ଓ ସେମାନଙ୍କ ଅଭାବ ଲାଗି ରହିଥିଲା । କ୍ଷତି ପୁରଣ ରାଶିତକ ଅନାଉ ଅନାଉ ସରିଗଲା । ଆହା, ସେମାନେ ଯଦି ଜାଣିଥାନ୍ତେ ଅର୍ଥ କେମିତି ପରିଚାଳନା କରାଯାଏ! ଯେଉଁ ପ୍ରଚୁର ପରିମାଣର ଅର୍ଥ ସେମାନେ ହଠାତ ପାଇଥିଲେ ଓ ଯାହା ତାଙ୍କର ଦାସ ହୋଇ ସେବା କରିଥାନ୍ତା, ସେ ଯେ ଲକ୍ଷ୍ମୀ ଚଞ୍ଚଳା ଏକଥା ବୁଝିବା ବେଳକୁ ଲକ୍ଷ୍ମୀଛଡା ହୋଇଯାଇଥିଲେ ଅଧିକାଂଶ । କାଁ ଭାଁଙ୍କ ପ୍ରତି ଭାଗ୍ୟ ସଦୟ ହେଲା, ସେମାନେ ଉଠିଲେ, ବାକି ମାନେ ଏକ ଦିଗରେ ଜମି ହରାଇଲେ ଅନ୍ୟ ଦିଗରେ କ୍ଷତିପୁରଣ ମଧ୍ୟ ଶେଷ ହୋଇଗଲା । ଭଉଣୀ ମାନଙ୍କ ବାହାଘର, ବୃଦ୍ଧ ପିତା ମାତାଙ୍କ ଚିକିତ୍ସା ଓ ମୃତ୍ୟୁ ପରବର୍ତ୍ତି କ୍ରୀୟାକର୍ମରେ ସବୁ ଟଙ୍କା ସରିଗଲା।
 ଏସବୁ କହିବା ବାହୁଲ୍ୟ କଥା ମାତ୍ର, ଅର୍ଥର ନିଜସ୍ୱ ପ୍ରବୃତ୍ତି ହେଲା ବଢିବ ନହେଲେ ଛିଡିବ । ଛିଡିବାଟି ସମସ୍ତଙ୍କ ପାଇଁ, ବଢିବାଟି କ୍ୱଚିତ ଲକ୍ଷ୍ମୀବନ୍ତଙ୍କ ପାଇଁ ଘଟିଥିଲା । ସମସ୍ତଙ୍କ ପରି ଅକୁବାବୁଙ୍କ ପରିବାରର ଅବସ୍ଥା । ତା ମଧ୍ୟରେ ଭାଇଙ୍କ ଦୁର୍ଘଟଣା ଓ ଅସଫଳ ଚିକିତ୍ସାର ଖର୍ଚ୍ଚ ।
ଭାଇଙ୍କ ତଳେ ଦୁଇ ଭଉଣୀ, ସେମାନଙ୍କ ବିଭାଘର ହେଲା । ବାପାଙ୍କ ଦେହ ଅସୁସ୍ଥ ହୋଇ ପଡିଲା, ଚିକିତ୍ସା ସତ୍ତ୍ୱେ ସେ ଆରୋଗ୍ୟ ଲାଭ କଲେନି । ବାପା ଗଲା ପରେ ମାଆ ବି ଟିକେଟ କାଟିଲେ । କେବେ କେବେ ଭାଇ ଭଉଣୀ ଚାରିଜଣ କଥା ହୁଅନ୍ତି, ସେମାନଙ୍କ ଜୀବନ ଥିଲା ମହାନ୍ତପଡାରେ, ବିନା ପ୍ରାଣରେ କେତେ ଦିନ ଅବା ଜଣେ ବଞ୍ଚି ପାରିବ ମରୁଭୂମି ପ୍ରାୟ କଲୋନିରେ, ନା ଅଛି ଚାଷ ନା ଅନ୍ୟ କୌଣସି ସେମାନଙ୍କ ଇଛା ମୁତାବକ କାମ! ଅକୁବାବୁ କୋଳ ପୋଛା ପିଲା । ଭାଉଜ ଆଶାମଣୀ ଅକୁ ପାଇଁ ଚିନ୍ତା କଲେ ।
ବିଲମୁଣ୍ଡରେ ଅକୁବାବୁ ଦୀର୍ଘ ଶ୍ୱାସ ଛାଡିଲେ । ସବୁ ଘଟଣା ମନେ ପଡିଗଲା । ଭାଇଙ୍କ ଦୁର୍ଘଟଣା ପରେ ଠିକା କର୍ମଚାରୀ ମାନେ ବୁଝିପାରିଲେ ସେମାନଙ୍କ ସ୍ଥିତି କଣ, କର୍ମଚାରୀ ସ୍ୱାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ ସାହାଯ୍ୟ କେତେ ନଗଣ୍ୟ । ପ୍ରଥମ ଥର ପାଇଁ ଜଗନ୍ନାଥ ଇସ୍ପାତରେ ଆନ୍ଦୋଳନ ହେଲା । ଆଗରୁ ନେତା ବୋଲାଉଥିବା ଅକୁବାବୁ କିନ୍ତୁ ନୀରବ ହୋଇଯାଇଥିଲେ । ସତେ ଯେମିତି ଭାଇ ଗଲାପରେ ଭାଇଙ୍କ ସମୁଦାୟ ବ୍ୟକ୍ତିତ୍ୱ ତାଙ୍କୁ ଅବଲମ୍ବନ କରିନେଇଥିଲା । ସେମିତି ଠିକ୍ ଭାଇଙ୍କ ପରି ସ୍ୱଳ୍ପଭାଷୀ, ବିନୟୀ ଓ ଅମାୟିକ; ସମସ୍ତଙ୍କ ଆଦରଣୀୟ ମଣିଷଟେ ପାଲଟିଗଲେ ସେ ।
ଅକୁବାବୁ ଅନାସକ୍ତ ଭାବେ ନିଜ ବିଗତ ଜୀବନକୁ ପୁଣି ତର୍ଜମା କଲେ । କାରଖାନା ଆରମ୍ଭବେଳେ ସେ ବିସ୍ଥାପନ ସପକ୍ଷବାଦୀ ଓ ବାପିର ବନ୍ଧୁ ହୋଇଥିବାରୁ ତାଙ୍କୁ ବିପକ୍ଷବାଦୀ ଆନ୍ଦୋଳନ ପ୍ରିୟ କର୍ମଚାରୀ ଓ ଶ୍ରମିକ ମାନେ ନିଜ ଗୋଷ୍ଠୀରେ ମିଶାଉ ନଥିଲେ । କ୍ରମେ ଜଣାଗଲା, ଆନ୍ଦୋଳନ ସୃଷ୍ଟି କରୁଥିଲା ଛୋଟ ମୋଟ ନେତୃତ୍ୱ, ନେତା ପାଉଥିଲେ ତୁଷ୍ଟିକରଣ ଅର୍ଥ ଓ ତାପରେ ଚୁପ ରହୁଥିଲେ । ଅବଶ୍ୟ ସେମାନଙ୍କ ପ୍ରଭାବ ତାଙ୍କ ସରକାରୀ କାରଖାନାରେ କମ ଥିଲା, ମଧୁବନ ଶିଳ୍ପାଞ୍ଚଳର ଅନ୍ୟ ଘରୋଇ ଉଦ୍ୟୋଗ ମାନଙ୍କ ତୁଳନାରେ । ଶ୍ରମିକ ଏକତା, ବିଶ୍ୱ ଶ୍ରମିକ ଭାତୃତ୍ୱ କଥା ଭାଷଣରେ କହୁଥିବା ଏହି ନେତାମାନେ ବାସ୍ତବରେ ଶ୍ରମିକ ମାନଙ୍କୁ ଭାଗ ଭାଗ କରୁଥିଲେ । ଯେତେ ନେତା ବୋଲାଇବାକୁ ଚାହିଁଲେ ସେତେ ସଂଗଠନ ଓ ଗୋଷ୍ଠୀ । ଅକୁବାବୁ ଏକଥାସବୁ ସଠିକ ବୁଝି ପାରୁନଥିଲେ, ବୁଝିବା ପାଇଁ ଅନେକ ବିଶ୍ୱ ବନ୍ଦନୀୟ ନେତୃତ୍ୱର ବଳିଦାନର କାହାଣୀମାନ ପଢିଲେ । ନେତୃତ୍ୱ ନେବା ଓ ନେତା ବୃତ୍ତି ଆପଣାଇବା ମଧ୍ୟରେ ବହୁତ ପାର୍ଥକ୍ୟ । ଯାହା ପଢିଲେ ଓ ବୁଝିଲେ ତାହାକୁ ସେ ସମସ୍ତଙ୍କ ସହ ଆଲୋଚନା କଲେ । ଯେଉଁମାନେ ବିଶ୍ୱ ଶ୍ରମିକ ଏକତାର କଥା ମାନ କହୁଥିଲେ ସେମାନଙ୍କୁ ପ୍ରଶ୍ନ କଲେ, ଆଗ ନିଜ ମଧ୍ୟରେ ଏକତା କରୁନ କାହିଁକି? ସେହି ଗୋଟିଏ କଥା କହିବାକୁ ଓ ଏକ ଆଦର୍ଶର ଅନୁଗାମୀ ହୋଇ ଅନେକ ଦଳ ହେଲ କେମିତି? ସେ ବିନା ସଂଗଠନରେ କ୍ରମଶଃ ନେତା ହୋଇଗଲେ । ଅନ୍ୟମାନେ ତାଙ୍କ ମତ ଓ ପରାମର୍ଶ ନେବା ଆରମ୍ଭ କଲେ । ଅନେକ ସମୟରେ ସେ ଉପରିସ୍ଥ ଅଧିକାରୀ ମାନଙ୍କ ସହ ନାନାଦି ସମସ୍ୟାର ଆଲୋଚନା କଲେ । କିନ୍ତୁ ଠିକା ଶ୍ରମିକର ଅସୁବିଧା ଯେ ଆଦୌ ଦୂର ହୋଇ ପାରିବ ନାହିଁ ଓ ଏ ଠିକା ବ୍ୟବସ୍ଥା ଏକ ଠକିବା ବ୍ୟବସ୍ଥା ବୁଝିବାକୁ ତାଙ୍କୁ ବେଶି ଡେରି ଲାଗିଲା ନାହିଁ । ଉଦ୍ଧବଙ୍କ ମୃତ୍ୟୁପରେ ତାଙ୍କ ଭାବନାରେ ଆହୁରି ବ୍ୟାପକ ପରିବର୍ତ୍ତନ ଆସିଲା ।
ଯାହା କିଛି ସ୍ୱଳ୍ପ କ୍ଷତିପୁରଣ ମିଳିଲା ଭାଉଜ ଆଶାମଣୀ ତାହାକୁ ସଞ୍ଚୟ କରି ରଖିଲେ । କଲୋନି ଲୋକଙ୍କ ବହୁମତରୁ ତାଙ୍କୁ ଆଶାଦିଦୀ ପଦଟି ମିଳିଲା । ତାଙ୍କ ସମସ୍ତ ଭାବନା ଏଣିକି ପୁଅ ବୋହୂ ଜ୍ଞାନ କରୁଥିବା ଦିଅର ଅକୁ ଓ ଯା ରେଣୁଙ୍କ ପାଇଁ ଘନୀଭୁତ ହେଲା ।
ପୁଣି ଅତୀତ କଥା ଡେଣା ପିଟିଲା, ଜଗନ୍ନାଥ ଇସ୍ପାତ ବନ୍ଦ ହେବାର ପୂର୍ବ କଥା  । କାରଖାନାରେ କ୍ଷତି ହେଉଛି, ଏହାକୁ ଭାରତୀୟ ଇସ୍ପାତ ନିଗମ ସହ ମିଶାଯିବ ଓ ଏମିତି ନାନା କଥା ଶୁଣାଯାଏ । ଆହୁରି ବି ଶୁଣାଯାଏ, ନିଜର ପ୍ରତିପତ୍ତି ହ୍ରାସ ହେବାର ସମ୍ଭାବନାରୁ ସ୍ଥାନୀୟ ନେତାମାନେ ଏହା କରାଇ ଦିଅନ୍ତି ନାହିଁ । କାରଖାନାରୁ ସମସ୍ତଙ୍କ ଜାଣତରେ ଚୋରି ହୋଇଯାଏ । ଚୋରି କରିବା ବି ଏକ ମର୍ଯ୍ୟାଦା ପୁର୍ଣ୍ଣ କାମ ହେଲାଣି । ଖଣିରୁ କଞ୍ଚା ମାଲ ଚୋରି, କାରଖାନାରୁ ଉତ୍ପାଦ ଚୋରି, ଅଧିକାରୀଙ୍କ ଆନୁଗତ୍ୟର ଚୋରି, କର୍ମଚାରୀଙ୍କ ଶ୍ରମ ଓ ସମୟ ଚୋରି ତଥା ନେତା ମାନଙ୍କ ଚୋରିର ବ୍ୟାପକତା ମଧ୍ୟରେ କୌଣସି ସଂସ୍ଥା ଚିରଦିନ ତିଷ୍ଠିବା କେବେ ହେଲାଣି! ଅକୁବାବୁ ନିଜକୁ ବୁଝାଇ ଦିଅନ୍ତି । ଏଠି କିି ପରାମର୍ଶ ଦେଇ ପାରିବେ ତାଙ୍କ ଭଳି ଜଣେ ଠିକା ସୁପରଭାଇଜର? ଏଣୁ ସେ ଭାବନା ଗୁଡାକୁ ଆୟତ୍ତ କରିବା ଉଚିତ ମନେ କଲେ । ଯାହା ଭାଙ୍ଗିବା ସୁନିଶ୍ଚିତ ତାହା ପାଇଁ ବିଶ୍ୱ ମାନ୍ଦା ଅବସ୍ଥା ଏକ ଉପଲଖ୍ୟ ମାତ୍ର । ସ୍ଥାୟୀ କର୍ମଚାରୀ ଓ ଶ୍ରମିକଙ୍କୁ ଥଇଥାନର ବ୍ୟବସ୍ଥା ହୋଇପାରୁନି, ଅସ୍ଥାୟୀଙ୍କ କଥା କିଏ ପଚାରୁଛି। ଆନ୍ଦୋଳନ ଦାନା ବାନ୍ଧିଲା । ସମସ୍ତେ ଏକଜୁଟ ହେଲେ, ମାନେ ସବୁ ଅସ୍ଥାୟୀ ମାନେ ଏକତ୍ର ହେଲେ, ଅକୁବାବୁଙ୍କୁ ଡକରା ହେଲା । ସେ ହସିଲେ । ଶିକ୍ଷା ଅସମାପ୍ତ କରି, ପୈତୃକ ସମ୍ପତ୍ତି ହରାଇ, ନିଜ ଯୁବ କାଳର ବାହୁବଳକୁ ଖଟାଇ, ଦେଶର ବିକାଶରେ ସାମିଲ ହୋଇଥିବା ଠିକା କର୍ମଚାରୀ ଅକୁ, ନିଜ ଦେବ ପ୍ରତିମ ଭାଇଙ୍କୁ ହରାଇଲା ପରେ କେବଳ ଖୋଜୁଥିଲେ ମୁକ୍ତି । ପଳାୟନପନ୍ଥୀ ନବୋଲାଇବାକୁ ଯାହା ସେ ପଡି ରହିଥିଲେ । ସଭାକୁ ଗଲେ, କିନ୍ତୁ ଏହିସବୁ କଥାର ଆଭାସ ମାତ୍ର ଦେଇ, ସେ କେବଳ ମୁକ୍ତି ଅପେକ୍ଷାରେ ରହିଲେ । କାଲି କଥା ଚିନ୍ତାକରି ଆଜି ମାନଙ୍କୁ ହରାଇ ଦେଇଥିବା ଅକୁବାବୁ ଆଉ ଶଙ୍କା କରୁନଥିଲେ ଆସନ୍ତା କାଲିର । ଏ ଦୁନିଆରେ ବହୁତ ଲୋକ, ବରଂ କହିବା ଉଚିତ, ଅଧିକାଂଶ ଲୋକ ଆଗାମୀ କାଲିର ଭାବନା କରନ୍ତି ନାହିଁ । ସର୍ବଦା ଅକୁବାବୁ ସେମାନଙ୍କୁ ମୂର୍ଖ ଶ୍ରେଣୀରେ ଗଣନ୍ତି । ଏବେ ନିଜେ ତାହାକୁ ଅବୋରି ନେବାକୁ ପ୍ରସ୍ତୁତ । ସମସ୍ତେ ଯେତେବେଳେ ଏମ୍ଡି ଅଫିସ ଘେରାଉ କରିଥାନ୍ତି, ସେତିକି ବେଳେ ସେ ସବୁଦିନ ପାଇଁ ନିଜକୁ ହଟାଇ ଆଣିଲେ । କେବଳ ସେତିକି ନୁହେଁ, ମୋ ଜମି ଉପରେ କାରଖାନା ଠିଆ ହୋଇଛି ଭାବନାଟିକୁ ବି ଚିରଦିନ ପାଇଁ ତ୍ୟାଗ କରି ଚାଲି ଆସିଲେ ।
ଆଗକୁ କରିବେ କଣ? କାରଖାନା ହତା ବାହାରେ ଏହାର ଐଶାନ୍ୟ କୋଣରେ ଠିଆ ହୋଇ, ବିସ୍ଥାପନରୁ ବଳକା, ଆପଣାର ପୈତୃକ ଅଠର ଗୁଣ୍ଠକୁ ଠାବ କରିବାକୁ ଚେଷ୍ଟା କଲେ । ପାଚେରୀ ନିର୍ମାଣ ବେଳେ ଗେଟି, ବାଲି, ଇଟା ଓ ସିମେଣ୍ଟ ପଡି ପୋତି ହୋଇ ପଡିଛି, ହିଡ ଆଉ ନାହିଁ କହିଲେ ଚଳେ । ଆଉ ତାପରେ ମେହେନତ, ଲଘୁ ସବୁଜ ବିପ୍ଳବର ମଶାଲ ଧରି ଅଶ୍ୱାରୋହୀ, ସାଥୀରେ ରେଣୁ । ଅଶ୍ୱ ସ୍ୱୟଂ ଆଶାମଣୀ, ଅର୍ଥ ଓ ଉତ୍ସାହ ତଥା ଅଭୟ ଦିଅନ୍ତି ।
ଅକୁବାବୁ ମୁହଁରେ ଉକୁଟି ଆସିଲା ପ୍ରସନ୍ନଭାବ ।
କୁନି ଝିଣ୍ଟିକାଟିଏ ତାଙ୍କ ବାମ ବାହୁରେ ବସି ପଡିଲା, ଅକୁବାବୁଙ୍କୁ କଣ୍ଟକଣ୍ଟ ଲାଗିଲା, କୀଟଟିକୁ ହଟାଇ ଦେବାକୁ ହାତ ଉଠାଇଲେ ସେ । ଦେଖିଲେ ବୁନ୍ଦା ବୁନ୍ଦା ସ୍ୱେଦବିନ୍ଦୁ ତାଙ୍କ ଦେହକୁ ଢାଙ୍କି ପକାଇଲାଣି । ଅକୁବାବୁ ଥକ୍କିଗଲେକି? ସେ ଠିଆ ହେଲେ, ଝିଣ୍ଟିକା ଛାଆଁକୁ ଉଡିଗଲା, ଗାମୁଛା କାନିରେ ଦେହ ପୋଛୁ ପୋଛୁ ଭାବିଲେ, ଏ କଣ ସେହି ଏକା ଝାଳ ଯାହା ସେ କାରଖାନାରେ ବୁହାଉ ଥିଲେ, ପରପାଇଁ! ପର ପାଇଁ ନା ଦେଶ ପାଇଁ? କ୍ଷତି ତ ହେଲା, ବିକାଶ ତ ହେଲା ନାହିଁ, ତେବେ ସେ କଣ ଦେଶର କ୍ଷତି ଯଜ୍ଞରେ ଶ୍ରମକୁ ଆହୁତି ଦେଉଥିଲେ । କ୍ଷତି କାହିଁକି ହେଲା? କୁ ପରିଚାଳନା ଓ ଚୋରି ପାଇଁ ବୋଲି ସେ ଭାବନ୍ତି । ସେଥିପାଇଁ ଦାୟୀ କିଛି ଲୁଟିଖିଆ, କିଛି ଚୋର, ‘କମ୍ପାନୀକା ମାଲ୍, ଦରିଆମେ ଡାଲ୍’ ବିଚାରୁଥିବା ଲୋକେ । ସେମାନେ ଲାଭରେ ରହିଲେ । ଦେଶର କ୍ଷତି ଓ ସେହିମାନଙ୍କର ଲାଭ ପାଇଁ ସେ ଆଜି ଜମିହରା, ଯୌବନ ହରା, ଭାତୃହରା ଓ ସର୍ବହରା । ବିକାଶ କାହିଁ? କାରଖାନା ହତା ମଧ୍ୟରେ ଏହି ଅଠରଗୁଣ୍ଠକୁ ଲାଗି ରହିଛି ତାଙ୍କ ଜମି, ନଅ ଏକର । ସେ ଜମି ଫସଲ ଫଳାଉଥିଲା, ଖୁବ୍ ନହେଲେ କିଛି ତ ଫଳୁଥିଲା, ଖଣିଜ ସମ୍ପତ୍ତି ନଷ୍ଟ ନକରି, ବିଷାକ୍ତ ବାୟୂରେ ଆକାଶକୁ ନଘାଣ୍ଟି, ତାପମାତ୍ରା ନବଢାଇ, ଅନାମିକା ନାଳରେ ଚବ ଚବ ପାଣିର ଗତିକୁ ନରୋକି ସେ ମାଟି କିଛି ଯୋଗାଇଥିଲା; ଅବଶ୍ୟ ତାହା କମ । ସମସ୍ତ ପଞ୍ଚଭୁତକୁ ଦଳନ କରି ଏ ଯେଉଁ କାରଖାନା ବସିଥିଲା ଶେଷରେ ତାହା ବନ୍ଦ ହୋଇଗଲା । ଏମିତି ଅନେକ କାରଖାନା ବନ୍ଦ, ଅନେକ ସ୍ଥାନରେ ଅନେକ ଜମିହରାଙ୍କ ଜମି ଦେଶର ଚିରଦିନର ନଷ୍ଟ ସମ୍ପତ୍ତି ହୋଇ ପଡିଛି । ଚାଷୀ ହୁଡିଲେ ବରଷେ କିନ୍ତୁ କାରଖାନା ହୁଡିଲେ..!
ଅକୁବାବୁଙ୍କ ଛାତି ଫାଟିଯିବକି ଆଉ । ନା ସେମିତି ହେବନି ଘରେ ଆଶାମଣୀଙ୍କ ଅଭୟ, ରେଣୁର ଅଣ୍ଟାର ଆଣ୍ଟ, ମେଧାବୀ ପିଲାଦୁହିଁକ ଆଗତପ୍ରାୟ ସୁନେଲି ଭବିଷ୍ୟତ ଓ ଏ ଅଠରଗୁଣ୍ଠିଆ ମାଆ ଥାଉ ଥାଉ ସେ ସର୍ବହରା ନହୋଇ ପାରନ୍ତି, ସେ ମାନିବେ ନାହିଁ । ସେ ଜଣେ ପରିଶ୍ରମୀ ବାପାର ପୁଅ, ସେ ଜଣେ ଦିବ୍ୟ ଭ୍ରାତାଙ୍କ ଧ୍ୱଜାଧାରୀ ।
 ଅକୁବାବୁ ଆଖି ପୋଛିଲେ, ଆଖିଖୋଲି ଅନାଇଲା ବେଳକୁ ଦେଖିଲେ, ମଳାଏ ଧାନ ପତୁରିଆ ପଡିଯାଇଛି ଓ ସେଇଠି କିଛି ହଲଚଲ । ସେ ପାଖକୁ ଗଲେ, ଦୁଇଟି ବଡ ଧଣ୍ଡସାପ ସେଠି ପାଣିରେ । ବିଲ ପ୍ରାୟ ଶୁଖି ଆସିଲା ପରେ ଏହି ମଳାକ ଖାଲୁଆ ଯାଗାରେ ତଥାପି ପାଣି ଅଛି । ସେ ଭଲକି ଚାହିଁଲେ, ଆରେ ବାପ୍'ରେ, ଏଇଠି ତ ପୁଳାଏ ମାଛ, ଶୁଖିଲା ଜମିର ଶେଷ ଆଶ୍ରୟ । ତାଙ୍କର କର୍ତ୍ତବ୍ୟ କଣ, ଏଗୁଡାଙ୍କୁ ଧରିବା କଷ୍ଟ ନୁହେଁ । ଧଣ୍ଡ ଦୁଇଟି ମଣିଷର ଆବିର୍ଭାବକୁ ସାଲୁଟ ମାରି ସର ସର ପଳାଇଗଲେ ।
ଅନାମିକା ନାଳଟି କାରଖାନା ପୋତି ଦେଇଥିଲା, ଏହି କେତେଦିନ ପ୍ରକୃତି ସହ ଏକାତ୍ମ ହେଲାପରେ ଅକୁବାବୁ ସେ ଅଦୃଶ୍ୟ ନାଳର ସତ୍ତା ସହ ପରିଚିତ ହୋଇଥିଲେ । ମହୁଲିଆକୁ ଅଳ୍ପ ଖୋଳିଲା ପରେ ତହିଁରୁ ଝର ପଡିଥିଲା । ତାଙ୍କ ଅନୁମାନ ଉଚ୍ଚାରେ ଥିବା ମହୁଲିଆରୁ ନିମ୍ନରେ ଥିବା ଟୁମୁଣିଆକୁ ଯେମିତି ବି ହେଉ ପାଣି ଯାଉଛି । ବୋଧହୁଏ ଏହି ଜମି ତଳେ ଅଛି ଜଳ ପ୍ରବାହ ଓ ତାହାରି ଏକ କ୍ଷୁଦ୍ର ଅଂଶ ତାଙ୍କ ଜମି ମଧ୍ୟରେ ଉକ୍ତ ଖାଲୁଆ ସ୍ଥାନରେ ବିଦ୍ୟମାନ, ସେ ପାଇଁ ଏହା ଶୁଖୁନାହିଁ । ପ୍ରକୃତି ମଧ୍ୟରେ ଏତେ ଖେଳ! ସେ ବିସ୍ମିତ ଯେତିକି ଆମୋଦିତ ତତୋଧିକ । ଉପରକୁ ଦେଖାଯାଉଛି ସେ ଧାନ ଚାଷ କରିଛନ୍ତି କିନ୍ତୁ ପ୍ରକୃତରେ କେତେ କିସମର କୀଟ ପତଙ୍ଗ, ସାପ, ବେଙ୍ଗ ଓ ଆହୁରି ଅନେକ ଏଠି ଆଶ୍ରୀତ । ସେ ସର୍ବାଧୁନିକ ଜୈବ ସନ୍ତୁଳନ ବିଜ୍ଞାନର ସାହାରା ନେଇ, ବିନା ରସାୟନ ଓ ବିନା ବିଷର ଚାଷ କରିଛନ୍ତି । ଜମିରେ ପ୍ରଚୁର ଜିଆ, ଜିଆ ଫେଣେଇଛି ମାଟିକୁ, ଧାନ ଦେଇଛି ଅଗଣିତ ପିଲ, ଜିଆଙ୍କୁ ଖାଇ ବିଲ ମାଛ ହୃଷ୍ଟପୃଷ୍ଟ ହୋଇଛନ୍ତି । ମାଛ ସମାଜବି ବିଷାକ୍ତ ପାଣିକୁ ତ୍ୟାଗ କରିବା ଶିଖିଛନ୍ତି । ବହୁତ ମାଛ ସେ ଧରିଲେଣି ଏ ବର୍ଷା ଋତୁରେ । କେତେ କିସମର ଦେଶୀ ମାଛ ଛାଡି ସାରିଲେଣି ଟୁମୁଣିଆରେ । ସେଦିନ ଜୈବ ବିବିଧତା ଉପରେ ଲେଖାଟିଏ ପଢି ସେ ଉତ୍ସାହିତ । ତାଙ୍କ ଇଛା; ପୁରୁଣା କାଳରେ ମିଳୁଥିବା ସମସ୍ତ କିସମର ଛୋଟ ବଡ, ସଫା, ରଙ୍ଗୀନ, କଳା ଓ ସ୍ୱଛ ସମସ୍ତ କିସମର ମାଛରେ ଟୁମୁଣିଆକୁ ସଜେଇବେ । ଯେଉଁଠୁ ଗୋଟିଏ ନୂଆ ମାଛ ଦେଖନ୍ତି ତାକୁ ଆଣି ଏ ଗଡିଆରେ ଛାଡି ଦିଅନ୍ତି । ଘାସ କଟା ସ୍ଥଗିତ ରଖି ସେ ଏବେ ମାଛତକ ଧରିଲେ । ଗାମୁଛାରେ ମୁଣାକରି ସେସବୁ ରଖିଲେ । ଟୁମୁଣିଆ ପାଣିରେ ପଶିଲେ, ତାଙ୍କ ଗାମୁଛାରୁ ଯେତିକି ମାଛ ପହଁରି ପଳାଇଲେ ସେତକ ରହିଲେ ଗଡିଆରେ, ଯେତିକି ଦରମରା ତାକୁ ଗଣ୍ଠି ପକାଇ ଘରକୁ ନେଲେ । ଅକୁବାବୁ, ଓଦା ସଡ ସଡ, ସାଇକେଲ ପଛରେ ଘାସ ବସ୍ତା ବାନ୍ଧି ଘରକୁ ଫେରିଲେ । (ତାଙ୍କ ପୁରୁଣା ବାଇକ ସରକାରୀ ନିୟମରେ ମୃତ, ସେ ତାହାକୁ ଏକ ପାଣି ଉଠା ମେସିନ କରିଛନ୍ତି, ଧାନ ଚାଷ ପରେ ରବି ଫସଲ କରିବେ, ପରିବା ଓ ମୁଗ ।) ଭାଉଜ ଦେଖିଲେ ଗାଳିଦେବେ, ଜର ହେବ ବୋଲି ବିରକ୍ତ ହେବେ, ସେ ସନ୍ତର୍ପଣରେ କଲୋନି ଘରର ପଛ କବାଟ ଦେଇ ପଶିଗଲେ, ସେଇଠି କରିଛନ୍ତି ତାଙ୍କ ଗୁହାଳ, ଗାଈ ବାଛୁରୀ, ଛେଳି ପୁଞ୍ଜାଏ ଓ  କୁକୁଡା ଭାଡିଏ । ରେଣୁକୁ ଶୁଖିଲା ଲୁଗା ଆଣିବାକୁ ଡାକ ପକାଇଲେ । ଆଶାମଣୀ ଘରେ ନଥିଲେ, ଆଜି ବୁଧବାର, ପିଲାଙ୍କ ଟୀକାଦାନ ଦିବସ, ସେ ସେଇଠିକୁ ଯାଇଛନ୍ତି । ତାଙ୍କ ତରଫ ତାଗିଦ କାମଟି ଅବଶ୍ୟ ରେଣୁ ତୁଲାଇଲେ ।
“ଭୋକ ଲାଗିଲାଣି, ଆଗ ମାଛ ଭାଜ ପଛେ ଗାଳି କରିବ । ବୁଝିଲ ରେଣୁ, ସ୍ୱାଧୀନତାର ମହକ ଖୁବ ବେଶି । ମୋ ଏ ରୂପକୁ ଦେଖି, କେହି ମତେ ଆଉ ବାବୁ ଡାକିବେ? ଓ! ତହିଁରୁ ମୁକ୍ତି ମିଳିଯାଉ ।”
“ଯାଅ ଆଗେ ନଳକୂଅ ପାଣିରେ ସଫାହୋଇ ଗାଧୋଇ ପଡ । ଟୁମୁଣିଆରେ ଯେଉଁ ଜୋକ, ଭଲକି ଦେଖ ଗାମୁଛା ଭିତରେ ଜୋକ ଲାଗିଥିବେ । ହା ହା ।”
“ସେଇ ଜୋକ ଗଡିଆରୁ ସତେ ଯେମିତି ସୁନୁ ସୁନିଆଁ, କଳମ ଶାଗ ତୋଳୁନ, ମତେ କହିବାକୁ ପାଟିରେ ବାଟୁଳି ବାଜୁନି । ଅସଲ କଥା ହେଲା ମୁକ୍ତି । ତୁମେ ଜାଣିଛ, ଆମ ପିଲାବେଳେ ମଠକୁ ଜଣେ ଅଦ୍ଭୁତ ବାବା ଆସିଥିଲେ, ତାଙ୍କୁ ଲୋକେ କହନ୍ତି ଅବଧୂତ ବାବା, ସେ ଯେତେ ସବୁ ଜୋକ ଗଡିଆରେ ପଶି ଗାଧୋଇବେ, ଆହୁରି କେତେ କଣ ଅବାଗିଆ କାମ କରିବେ । ଡାଲାରେ ଧରି ଖଇ ଖାଉଥିବେ, ତାଙ୍କ କୁକୁର ବି ମୁହଁ ପୁରାଉଥିବ । କିଛି ଲୋକେ ତାଙ୍କୁ ପାଗଳ କହୁଥିଲେ, ସେ ଆସିଥିଲେ ଅଚାନକ, ମଠ ଛାଡି ପଳାଇଲେ ଅଚାନକ । ବାବାଙ୍କ ସାଧନା ବାବଦରେ କହିବା ଭଳି ମୁଣ୍ଡ ମୋର ନାହିଁ କିନ୍ତୁ ତାଙ୍କ ଆନନ୍ଦର କିଞ୍ଚିତ ଅଂଶ ବୁଝି ପାରୁଛି ।”
“ଯାଉନ ବାବା ହେବ, କିଏ ଅଟକାଉଛି । କି ବାବା? ଜିଅଲ ଯିବା ବାବା? ”
ଏମିତି କଥା ମଧ୍ୟରେ ରେଣୁ କଡେଇ ବସେଇ ସାରିଲେଣି, ମାଛ କେଇଟା ବାଛି ସାରିଲେଣି । “ଓ ମାଛଖିଆ ବାବା ଯାଅ ଗାଧୋଇ ଆସ, ଭୋଜନ ପ୍ରସ୍ତୁତ ।”

ଅକୁବାବୁ ଆଉ କିଛି ଥଟ୍ଟା ପରିହାସ କରିଥାନ୍ତେ ଭାଉଜ ଓ ଝିଅ ଅନୁ ଧଇଁସଇଁ ହୋଇ ପଶି ଆସିଲେ, ଯେମିତି କିଏ ଆଗେ ପହଞ୍ଚିବ ପ୍ରତିଯୋଗୀତା । ଏବେ କିଏ ଆଗେ କହିବ’ର ପ୍ରତିଯୋଗୀତାରୁ ଆଶାମଣୀ ଓହରି ଆସିଲେ । “ଆମ ଅନୁ କହିବ, ଜଗତ ଜିତା ଅନୁ”, ସେ କିଛି କହିବା ଅବସ୍ଥାରେ ବି ନଥିଲେ, ଯେମିତି ବହୁଦିନରୁ, ସଂସାର କଲାଦିନରୁ ମନମଧ୍ୟରେ ଦବାଇ ରଖିଥିବା କୋହତକ ତପ୍ତ ଲାଭା ହୋଇ ଆଖିରୁ ତାଙ୍କର ଧାର ଧାର ଗଡିଆସୁଛି । ଅନୁ ତାଙ୍କୁ ମାଆ ଡାକେ, ଜେଜେ ମା ଜ୍ଞାନ କରେ । ସେ କଣ କହିବ ବା କରିବ ବୁଝି ନପାରି ମାଆର ପଣତରେ ମାଆର ଆଖି ପୋଛିଦେଲା, ମାଆକୁ କୁଣ୍ଢାଇ ଧରି ଗାଲକୁ ତାର ଚୁମିଦେଲା । ସେ ଆଉ ଛୋଟପିଲା ନୁହେଁ, ଆର ବର୍ଷକୁ ମେଟ୍ରିକ ପରୀକ୍ଷା ଦେବ । ଅକୁବାବୁ ଓ ରେଣୁ ତାଜୁବ ହୋଇ ଚାହିଁଥାନ୍ତି ଶୁଣିବାକୁ, ବଡ ଝିଅ ତାଙ୍କ କେମିତି ହେଲା ଜଗତ ଜିତା । ଖେଳଛୁଟି ସମୟ ହୋଇ ଯାଇଥିଲା ପୁଅ ଦାସିଆ ପହଞ୍ଚିଗଲା ।
“ନାନୀ, ନାନୀ ତୁ କୁଆଡେ ମାସକୁ ଦଶହଜାର ଟଙ୍କା ପାଇବୁ, ତା ବାଦ ଯେତେ ପଢିବୁ ସରକାର ସେତେ ପଢାଇବ ତୋତେ, ହଁ ବାପା, ହଁ ବୋଉ, ହଁ, ସତକଥା ମାଆ; ସ୍କୁଲରେ ଓ ଗାଁରେ ପରା ସେହି ଆଲୋଚନା ସମସ୍ତେ କରୁଛନ୍ତି । ନାନୀ ଜାତୀୟ ବିଶେଷ ମେଧାବୃତ୍ତି ପାଇଛି । ପାଇଥାଉ, ମୋ ବେଳ ଆସିଲେ ମୁଁ ପାଇବି ନାହିଁ କି!”
ଅକୁବାବୁ ତରବର ହୋଇ ଗାଧୋଇ ଆସିଲେ, ସମସ୍ତେ ମିଳିମିଶି ପଖାଳ ଓ ମାଛ ଭଜାତକ ଖୁସି ମନରେ ଖାଇଲେ । ଆଶାମଣୀ ପିଲାଦୁହିଁକୁ ନିଜ ହାତରେ ଖୋଇ ଦେଉଥାନ୍ତି, ମଝିରେ ମଝିରେ ତାଙ୍କ ଆଖିରୁ ଝରି ପଡୁଥାଏ ମୋତି ବିନ୍ଦୁ ମାନ । ରେଣୁ ପ୍ରଫୁଲ୍ଲ ମନରେ ସମସ୍ତଙ୍କ ଖୁସିକୁ ଉପଭୋଗ କରୁଥାନ୍ତି ।
ପିଲା ଦୁହିଙ୍କ ସହ ଅକୁବାବୁ ସ୍କୁଲକୁ ଚାଲିଲେ ଗୁରୁଜୀ ମାନଙ୍କଠୁ ସତ୍ୟାସତ୍ୟ ବୁଝି ଧନ୍ୟବାଦ ଦେବାକୁ । ସେ ଆକାଶକୁ ଘଡିଏ ଚାହିଁଲେ ଧଳା ବାଦଲ ମାନ ପରସ୍ପର ବାଗୁଡି ଖେଳୁଥାନ୍ତି, ଭାଇ ସେଠି କଣ ଖେଳର ରେଫରୀ! ଆଉ ତଳେ, ସେ ଅକୃର, ଚକ୍ରବତ୍ ଗଡି ଚାଲିଛନ୍ତି, କେବେ ସୁଖ କେବେ ଦୁଃଖ ମଧ୍ୟରେ । ଏବେ ସେ ଅନୁଭବ କରୁଛନ୍ତି, ଯାଉ ପଛେ ନଅ ଏକର, ହଜିଯାଉ ଜୀବନର ଏକ ଚଉଠ ଶତାଦ୍ଦୀ କିଛି ଚିନ୍ତା ନାହିଁ, ମହୁଲିଆ ଓ ଟୁମୁଣିଆ ମଧ୍ୟସ୍ଥ ସ୍ୱର୍ଣ୍ଣପ୍ରସୂ ଅଠରଗୁଣ୍ଠ ଯଥେଷ୍ଟ । ହୀରା ମୋତି ଭଳି ପିଲା ଦୁଇଟି, ରେଣୁ ଭଳି ସଦାଚାରୀ ପତ୍ନୀ ଓ ମାଆ ବଦଳ ମାଆ ଆଶାମଣୀ; ସତରେ କେତେ ସୌଭାଗ୍ୟବନ୍ତ ସେ । 
ସ୍କୁଲରେ ଦେଖିଲେ ସାମ୍ବାଦିକ ମାନେ ଭୀଡ କରିଛନ୍ତି । ଓ ହୋ, ଅନୁ ତାହାଲେ ଖୁବ୍ ବଡ ଗୋଟେ କଣ କରି ପକାଇଛି! ସେ ନୀରବରେ ଗୁରୁକୁଳଙ୍କୁ ହୃଦୟଭରା ଧନ୍ୟବାଦ ଅର୍ପଣ କରୁଥିଲେ ।
 

Sunday 29 December 2019

ତପୁର ଅଭିଯାନ। Tapu's Expedition.


TAPURA ABHIYANA.
A story for children and adolescents, also a pleasure read for adults.
Published in Kasturi.


ତପୁର ଅଭିଯାନ ।
ତପୋଧନ ତନ୍ତୀ, ଗାଁଆକୁ ଫେରୁଛନ୍ତି । ଜାତୀୟ ରାଜପଥ ପରେ ରାଜ୍ୟ ରାଜପଥ ଓ ଶେଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ତାଙ୍କ ଗାଆଁ ରାସ୍ତାରେ ଗାଡି ତାଙ୍କର ଚାଲିଲାଣି । ଯେଉଁଠି ହରି ସାଆନ୍ତଙ୍କ ବରଗଛ ପଡେ ସେଇଠୁ ଗ୍ରାମ ପ୍ରବେଶ, ଗାଆଁର ଶେଷମୁଣ୍ଡ କାଳେ ଏହି ବିନ୍ଦୁଟି । ତାଙ୍କ ପିଲାବେଳେ ଗଛଟି ଥିଲା ତାଙ୍କ ଭଳି ପିଲା । ଏବେ ଏହା କାୟାକଳ୍ପ ବିସ୍ତାର କରିଛି, ଓହଳ ଝୁଲିଲାଣି । ଆହାଃ, ପିଲାମାନେ ଦୋଳି ଖେଳୁଛନ୍ତି । କେଡେ ଭାଗ୍ୟବାନ ସେମାନେ, କସରତ ହେବ, ଟାଣୁଆ ହେବେ; ଠିକ୍ ସେ ଯେମିତି ହୋଇଥିଲେ ପିଲାଦିନେ । କୌଣସି କଥା ସହଜରେ ମିଳେନି, ସେ ପାଇଁ ପରିଶ୍ରମ ଆବଶ୍ୟକ । ମନୋରଞ୍ଜନ ପାଇଁ ବି ଝାଳ ବୋହିବା ଦରକାର । ବାଃ । ଏହି ବୟସର ପିଲା ଏବେ ଗଛଚଢା ଜାଣୁନି, ପହଁରା ଶିଖୁ ନାହିଁ, ଖେଳୁଛି ଗୋଟେ ଫୋନ ଧରି । ତାଙ୍କ ଗାଆଁ ପିଲା ଭାଗ୍ୟବାନ, ମନ କୁଣ୍ଢେମୋଟ ହୋଇଗଲା ।
ଅନେକ ଦିନ ତଳର କଥା । ତପୋଧନ ବା ତପୁ ବାଲ୍ୟାବସ୍ଥାର ଶେଷ ସୋପାନରେ । ବସନ୍ତ ଋତୁ ବିଦାୟ ନେବାକୁ ବସିଲାଣି ତପୁର ଶୈଶବ ଭଳି । ପତ୍ରଝଡା ବର ଓ ଅଶ୍ୱତ୍ଥ ବୃକ୍ଷ ମାନେ ନବ ପଲ୍ଲବିତ । ରଙ୍ଗୀନ ପତ୍ରମାନେ ସବୁଜ ହୋଇ ଗଲେଣି । ବୃକ୍ଷମାନେ ଖୁବ ଝଙ୍କାଳିଆ ଦିଶୁଛନ୍ତି । ତପୁ ଦେଖିଛି ଅନେକ ଲୋକ ପତ୍ରଡାଳ ଭାଙ୍ଗିଆଣୁଛନ୍ତି । ସେମାନଙ୍କ ଛେଳି ମେଣ୍ଢା ତୃପ୍ତିରେ ଆହାର କରୁଛନ୍ତି । ତପୁ ଘର ମଧ୍ୟ କେତୋଟି ଛେଳି ପାଳିଛନ୍ତି । ହତଭାଗ୍ୟ ଏହି ଛାଗଦଳ ଯାହିଁ ତାହିଁ ଚରି ବୁଲି ଖାଆନ୍ତି । ଏମିତି ସ୍ୱାଦିଷ୍ଟ ଭୋଜନ ପାଆନ୍ତି ନାହିଁ ।
ଘରେ ଥାଆନ୍ତି ତିନି ମୁଲିଆ- ଗୁରମାମୁଁ, ନିତିଆ ଦାଦା ଓ ବେଙ୍ଗ ଭାଇ । ତପୁ କେତେ ଅଳି କଲାଣି ସେମାନଙ୍କୁ, କେହି ତାକଥା ମାନି ଗଛରୁ ଡାଳପତ୍ର ସଂଗ୍ରହ କରୁ ନାହାନ୍ତି । ସମସ୍ତେ କାର୍ଯ୍ୟବ୍ୟସ୍ତ । ବାରମାସିଆ ପିଲା ଦୁଇଜଣ ଚେମା ଓ ମାକୁନୁ ବି ତା କଥା ଶୁଣୁ ନାହାନ୍ତି । ଘରେ ଭାଇ, ଭଉଣୀ ଓ ବାପା ତାହାର ଏମନ୍ତ ପ୍ରସ୍ତାବକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି । ମାଆଙ୍କୁ କହିଲେ ସେ ଡାଲାଏ ଚାଉଳ ଧରାଇ କହୁଛନ୍ତି, ଛେଳିମାନେ କାଳେ ଡାଳ ପତ୍ରଠାରୁ ଆହୁରି ଅଧିକ ଶରଧାରେ ଖାଇବେ ଚାଉଳ ।
ସେ ଭାବିହୁଏ, ଏତେ ବଡ କଥାକୁ ସମସ୍ତେ ଅଣଦେଖା କରୁଛନ୍ତି କେମିତି!
ସେ ତ ଗଛଚଢାରେ ଧୁରନ୍ଧର । କାଳେ ସେ ନିଜେ ଗଛଚଢି ଡାଳ ଭାଙ୍ଗିବ, ଏ ଭୟରେ ତାକୁ ତାଗିଦ କରିଛନ୍ତି ସେମାନେ; ସେମିତି ଡାଳ ସଂଗ୍ରହ କରିବା ଜରୁରୀ ନାହିଁ, ଗଛମୂଳେ ଯକ୍ଷ ଅଛନ୍ତି, ତାଙ୍କ ଗଛରୁ ଡାଳ ଭାଙ୍ଗିବା ଭଲ ନୁହେଁ, ଏବେ କୃଷିକ୍ଷେତ୍ର ପଡିଆ, ଖରା ସେତେ ହୋଇନି, ଛନଛନିଆ ଘାସର ଅଭାବ ନାହିଁ । ଛେଳି ଭୋକରେ ରହୁନାହାନ୍ତି ।
 ତପୁ ସବୁଠୁ ସାନ । ସେ ମାନିବାକୁ ବାଧ୍ୟ । ଚଗଲା ପିଲା ନହୋଇ ସୁନା ପିଲା ହେବାକୁ ପରାମର୍ଶ ଦିଅନ୍ତି ସମସ୍ତେ । ସେ ବୁଝିପାରେ ନାହିଁ ଯେଉଁ କାମ ଗୁଡିକ ତାର କରିବାକୁ ଇଛା ଓ ତହିଁରୁ ଆନନ୍ଦ ମିଳୁଛି, ତାହା କେମିତି ଦୁଷ୍ଟାମି ହେଲା; ଯେମିତି ପାଣିରେ ପହଁରିବା, ଗଛରେ ଚଢିବା । ଶିଶୁ ପାଠରେ ପଢିଥିଲା- ପହଁରି ଶିଖିବା ଭଲ । ଶିଖିବା ଯଦି ଭଲ, ଅଭ୍ୟାସ କରିବା କେମିତି ଖରାପ ହେବ! ସେମିତି ଥରେ ଜଣେ ଗୁରୁଜନ କହିବାର ଶୁଣିଛି ସେ- ଗଛଚଢା ନଜାଣେ ଯିଏ, କାଉ ଅଇଁଠା ଖାଏ ସିଏ । ଯଦି କଥାଟି ସତ, ସେ ତାହେଲେ, ଗଛ ଚଢୁଛି ବୋଲି ଦୁଷ୍ଟ କେମିତି! ସେ ବୁଝିପାରେନି ପାଣିରେ ବେଶି ବୁଡାବୁଡି କଲେ ଶରୀର ଅସୁସ୍ଥ ହେବ, ଗଛରେ ଚଢିଲେ ଦୈବାତ ଖସି ପଡି ଗୋଡ ହାତ ଭାଙ୍ଗିବାର ସମ୍ଭାବନା ଅଛି । ଏସବୁ କଥା ତା ମଗଜକୁ ପଶେ ନାହିଁ । ଗାଆଁ ପୋଖରୀ କୁସୁମା ଏତେ ବଡ, ସବୁଠୁ ଡେଙ୍ଗାପିଲା ବି ଗେଙ୍ଗୁଟିଟିଏ ଫିଙ୍ଗିଲେ ଏ ଆଡିରୁ ସେ ଆଡି ପହଞ୍ଚେ ନାହିଁ । ସେ ଏକା ଥରକେ ଦଶଥର ଏପଟରୁ ସେପଟ ଓ ସେପଟରୁ ଏପଟ ପହଁରି ଯାଏ ସେ କୁସୁମାକୁ । ସେ କ’ଣ ପାଣିରେ ବୁଡିଯିବ, ସେ ଜାଣେ ସେଠି କୁମ୍ଭୀର ଡରାଣିଟି ଡାହା ମିଛ । ତା’କୁ କାଳେ ଥଣ୍ଡା ଧରିବ! ପାଣିରୁ ଯଦି ଥଣ୍ଡା ଧରୁଥାନ୍ତା ପାଣିକୁଆ, ମାଛ, କଇଁଚ ଇତ୍ୟାଦି ଭଲରେ ଥାଆନ୍ତେ! ସେମିତି ସେ ଚଢିଛି ଗଛର ସବୁଠୁ ନହ ନହକା ଅଗ ଡାଳକୁ ଯେଉଁ ପର୍ଯ୍ୟନ୍ତ ଅନ୍ୟମାନେ ସାହସ କରନ୍ତି ନାହିଁ । ସେ କଣ କରିବ, ବଡ ବଡ ସ୍ୱାଦିଷ୍ଟ ଦର ପାକଲା ପିଜୁଳି ସେଇଠି ଥାଏ, ତଳ ଡାଳରୁ ତ ବଦମାସ ପିଲାଏ କଷିବେଳୁ ଛିଡାଇ ନେଉଛନ୍ତି । ପିଜୁଳି ଖାଇଲା ବେଳକୁ ସମସ୍ତେ ଖୁସି । ତଥାପି ଅଭିଯୋଗ କଣ ନା, ଦୁଷ୍ଟ ତପୁ ଗଛ ଅଗକୁ ଚଢୁଛି ।
ଏସବୁ ଥିଲା ତପୁର ଏକ ଅଭିଯାନ ପୂର୍ବର ସ୍ୱଭାବିକ ଭାବନା । ଗତକାଲି ସରିଛି ଚଇତି ପର୍ବ ଖୁବ୍ ଧୁମ୍ଧାମରେ । ରାତିରେ ଦଣ୍ଡନୃତ୍ୟ ହେଉଥିଲା । ତପୁକୁ ଯେତେ ଡାକିଲେ ସେ ଗଲାନହିଁ, କହିଲା, ଖୁବ୍ ନିଦ ଲାଗୁଛି । ବୁଢୀମା କୋଳରେ ଗେଞ୍ଜି ହୋଇ ଶୋଇପଡିଲା ।
ପରଦିନ ଆଦ୍ୟ ଅପରାହ୍ନ, ପରିବାରର ସମସ୍ତେ ନିଘୋଡ ନିଦରେ ଶୋଇଛନ୍ତି । ମୂଲିଆ ମାନଙ୍କର ଆଜି ଛୁଟି । ଚେମା ଓ ମାକୁନୁଙ୍କୁ ବହଳ ନିଦ, ତାଙ୍କ ଚାଳିଆ କୋଠରୀରେ । ରାତି ଉଜାଗର ଗାଁରେ ସମସ୍ତେ ଶୋଇଛନ୍ତି ଦ୍ୱିପ୍ରହରରେ । ଦେଖିବା ତା’କୁ କିଏ ଅଟକାଇବ? ଇଛା ତା’ର ହେଲା ଦୁର୍ବାର । ସଜନା ଛୁଇଁ ପାରିବା ନଗିକୁ ଆଣିଲା । ନଗି ଅଗକୁ ବାଣିରେ ବାନ୍ଧି ମଜବୁତ କଲା ଯେମିତି ଡାଳ ଭାଙ୍ଗୁ ଭାଙ୍ଗୁ ଆଙ୍କୁଡିଟି ଭାଙ୍ଗି ନଯାଏ । କୁସୁମା ଚାରିକଡେ ଅଛି ବର, ଓସ୍ତ ମିଶି ଚଉଦଟି ବଡ ବଡ ଗଛ । ତହିଁକୁ ତା ନଗି ପାଇବ ନାହିଁ କିମ୍ବା ସେ ଗଛ ଚଢିବାକୁ ତା କୁଣ୍ଢ ପାଇବ ନାହିଁ । ତା ଛଡା ନିଦରୁ ଉଠି କିଏ ନା କିଏ ପୋଖରୀକୁ ଆସିବାର ସମ୍ଭାବନା ଅଛି । ସେ ଡାଳ ତୋଳୁଛି ବୋଲି ତାଙ୍କ ଘରେ ଫେରାଦ ହେବେ । ଗାଁରେ ତା ବୟସର କେତେକ ପିଲା ନିତି ପ୍ରତିଦିନ ଏ କାମ କଲେ ବି କେହି ତାଙ୍କୁ ଆକଟ କରୁ ନାହାନ୍ତି, ବରଂ ତାରିଫ କରୁଛନ୍ତି ଯେ ଏହା ବାପା ଭାଇଙ୍କୁ ସାହାଯ୍ୟ । ଅଥଚ ତା ପାଇଁ ନିୟମ ଭିନ୍ନ । ଏମିତି ଭିନ୍ନ ଭିନ୍ନ ନିୟମ କାହିଁକି? ସେ ବହି ବସ୍ତାନି ଧରି ସ୍କୁଲ ଯିବ ବେତମାଡ ଖାଇବାକୁ ଅଥଚ ସେ ପିଲାଏ ପାଠ ନପଢି ଦିନସାରା ମଜା କରିବେ, ଏତେ ପାତର ଅନ୍ତର କାହିଁକି? ସେ ନିଜକୁ ପ୍ରଶ୍ନ କରେ । ତା ପିଲାମନ ବିଦ୍ରୋହ କରି ଉଠେ ।
ସେ ଆଗକୁ ଚାଲିଲା । ହରି ସାଆନ୍ତ ଲଗାଇଥିବା ବରଗଛଟି ଛୋଟ । ତା ଡାଳ ନୁଆଣିଆ, ନଗି ପାଇବ, ସରୁ ଗଛର ଗଣ୍ଡିକୁ କୁଣ୍ଢାଇ ଗଛ ଚଢି ହେବ । ସେ ଢେର୍ ଡାଳ ଭାଙ୍ଗି ଆଣିବ । ହରି ସାଆନ୍ତଙ୍କ ଘର ଲୋକେ କେଉଁ ଦେଖିପାରିବେ ଅବା । ଦେଖିଲେ ଦେଖନ୍ତୁ, ତାଙ୍କଛୁଆ କେମିତି ତପୁ ବାଡିରୁ ପିଜୁଳି ତୋଳି ନେଉଛନ୍ତି! ଉଧାରକୁ ବଦଳ । ସେ ଡାଳ ପତ୍ର ଆଣି ନିଜେ ଖାଇବ ନାହିଁ, ଛେଳି କେଇଟା ଖାଇ ଖୁସି ହେବେ । ତପୁ ଚାଲିଲା ।
ପ୍ରଥମେ ତଳଆଡୁ ଯେତିକି ପାରିଲା ଡାଳପତ୍ର ଭାଙ୍ଗିଲା, ତାପରେ ଗଛକୁ ଚଢିଲା । ପୁଣି ଆଉକିଛି ଡାଳ ଭାଙ୍ଗିଲା । ରାସ୍ତା ଜନଶୂନ୍ୟ । ତା କାମରେ କେହି ବାଧା ଦେବାକୁ ନାହିଁ । ବାଳକ ମନ । ହଠାତ୍ କିଏ ତାକୁ ମନେ ପକାଇଦେଲା, ଏତେ ଡାଳ ତ ଭାଙ୍ଗିଲୁଣି, ଗଛ ରାଗିବ ନାହିଁ? ଗଛମୂଳେ ଯକ୍ଷ ଅଛନ୍ତି ପରା । ଏତିକି ଡାଳ ବୋହି ନେଇ ପାରିବୁ? ହେମାଳ ବାଆ କେଉଁଠୁ ହଠାତ ଆସି ପହଞ୍ଚିଲା, ସେ ତଳକୁ ଓହ୍ଲାଉ ଓହ୍ଲାଉ ସଚେତନ ହେଲା । ତା ପଛକୁ ବିଜୁଳି ଘଡଘଡି । ଉତ୍ତର ପଶ୍ଚିମ କୋଣକୁ ଚାହିଁଲା, ଘମାଘୋଟ କଳାହାଣ୍ଡିଆ ମେଘ । ସେ ଡରିଗଲା । ବର୍ଷା ଟୁପୁରୁ ଟାପୁରୁ ପଡିଲା । ତାପରେ ବରକୋଳିଆ ଟୋପା ଓ ତହୁଁ ବଡ ବଡ କୁଆପଥର ।  ସେ ଗଛମୂଳେ କୁଙ୍କୁର କାଙ୍କୁରୁ ହୋଇ ଠିଆ ହେଲା ।  ଗଛର ଘନବହଳ ପତ୍ର କେତେ ସମୟ ଛତା ଭଳି ରକ୍ଷା କରି ପାରିବ? ସେ ନିଜକୁ ତିରସ୍କାର କଲା, ସେଥିରୁ କିଛି ଡାଳ ନିର୍ଦ୍ଦୟ ଭାବେ ଭାଙ୍ଗିଛି ବୋଲି । ଛୋଟିଆ ଗଛଟି ତାଙ୍କୁ ଜୀବନ୍ତ ଛେଳି ଛୁଆ ପରି ମନେହେଲା । ସେ ପାଠରେ ପଢିଛି, ବୃକ୍ଷ ସଜୀବ ବର୍ଗରେ ଗ୍ରହଣ କରାଯାଏ ।
ଯେଉଁ ନିଛାଟିଆ ଅବସ୍ଥାକୁ ସେ କିଛି ସମୟ ପୂର୍ବରୁ ଆଦର କରୁଥିଲା ଏବେ ସେହି ଅବସ୍ଥା ପାଇଁ ସେ ଭୀଷଣ ଭୟ ପାଇଲା । ରଡିକରି କାନ୍ଦିଲେ ବି କେହି ଶୁଣିବେ ନାହିଁ । ତା’ର ମନେ ପଡିଲା, ସଉରା ଭାଇ କେମିତି ଚଡକ ମରାରେ ଆଖି ବୁଜିଥିଲା । ପୁଣି ଏକ ବିଜୁଳି ଖୁବ୍ ଉଜ୍ଜ୍ୱଳ ଭାବେ ଚମକିଲା ଓ ତା ପଛକୁ କାନତରା ଘଡଘଡି ଗର୍ଜନ କଲା । ସେ ଶୀଘ୍ର ଘରମୁଁହା ଦଉଡି ପଳାଇବ ବୋଲି ଚାହୁଁଥିଲା କିନ୍ତୁ ଲୋଭ ତାକୁ ପଛରୁ ଭୀଡି ଧରୁଥିଲା । ଏତେ ଡାଳ ପତ୍ର ଭାଙ୍ଗିଛି, ନନେଇ ପଳାଇବ କେମିତି? ସେ ଏବେ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା । ତେଣେ ଘରଲୋକେ ତାକୁ ଖୋଜି ହେବେଣି । ସାହାଯ୍ୟ କରିବାକୁ ଏପଟେ କେହି ଆସିବେନାହିଁ ବୋଲି ସେ ଜାଣିଛି । ଏ ଅଭିସାର କଥା କିଏ ଅବା କଳ୍ପନା କରିବ? ସମସ୍ତେ ଭାବୁଥିବେ ସେ ଆର ସାହି ସାଙ୍ଗ ଘରକୁ ଯାଇଥିବ, ସେଇଠି କାରାମ ବୋର୍ଡ ଖେଳୁଥିବ । ଘଣ୍ଟାଏ ଆଗରୁ ଯାହା ସେ ନହେଉ ବୋଲି ଭାବୁଥିଲା, ଏବେ ସେ ସବୁ ହୋଇଯାଉ ବୋଲି ଭଗବାନଙ୍କୁ ଡାକିଲା । ହେ ଭଗବାନ ମୋ ବାପା କି ଭାଇଙ୍କୁ ଏପଟେ ପଠାନ୍ତେ ନାହିଁ! ଛତା ଧରି ସେମାନେ ଆସନ୍ତେ । ସାଥିରେ ଆସନ୍ତେ ମୂଲିଆ, ତା ଉପାର୍ଜନକୁ ବୋହି ନିଅନ୍ତେ ।
ବର୍ଷା ଟିକେ ଛାଡିଲା । ସେ ଏବେ ଡାଳଗୁଡିକୁ ଏକାଠି କଲା, ଓଦା ହୋଇ ସେଗୁଡା ଓଜନିଆ ହୋଇ ଯାଇଛନ୍ତି । ବାନ୍ଧିବାକୁ ଦୋଉଡି ନାହିଁ । ତଥାପି ସେ ଆଶା ଛାଡିଲା ନାହିଁ । ନଗିରୁ ବାଣି ଫିଟାଇଲା, ଯେତିକି ସମ୍ଭବ ଡାଳକୁ ବାନ୍ଧି ଗୋଛା ତିଆରି କଲା । ସେ ଗୋଛା ସମେତ ଆଉ ଯେତେ ସମ୍ଭବ ହାତରେ ଧରି, କାଖରେ ଜାକି ଘରକୁ ବାହୁଡିଲା । ଆଉ ଯେତିକ ବୋହି ନପାରିଲା ସେଗୁଡାକୁ ସେ ପଛରୁ ଚାହିଁ ଭାବୁଥିଲା, ଅଯଥା ଗଛଟିକୁ କଷ୍ଟ ଦେଲା । ଲୋଭ । ଅତି ଲୋଭରୁ ତନ୍ତୀ ମରେ, ସାଙ୍ଗମାନେ ଯାହା କହି ତାକୁ ଚିଡାନ୍ତି, ସେ ଏବେ ନିଜକୁ ନିଜେ ସେ କଥା କହି ଧୀକ୍କାର କରୁଥିଲା । ସୁନ୍ଦରିଆ ଗଛଟିକୁ ଆକ୍ରମଣ କରି କି ଲାଭ ପାଇଲା? ଏମିତି ଭାବି ଆଗେଇଲା ବେଳକୁ ପୁଣି ବର୍ଷା ଓ ପବନ ହେଲା ପ୍ରବଳ । ନିଜକୁ ସମ୍ଭାଳିବା କଷ୍ଟ । ଗୋଛାଟି ବାଦ ଯାହା ଧରିଥିଲା ସେସବୁ ଏବେ ତ୍ୟାଗ କଲା ତପୁ । ତାକୁ ଏବେ ହାଲିଆ ବି ଲାଗୁଥିଲା, ତା କୁସୁମା ପହଁରା ବଳ ଉଣା ପଡୁଥିଲା, ଭୟ ଓ ବିଚଳିତ ଅବସ୍ଥା ଯୋଗୁଁ । ପବନର ବେଗ ଅଧିକ ହେଲା । ତଥାପି ସେ ସବୁତକ ଛାଡି ଦୌଡି ପଳାଉ ନଥିଲା । ତାଙ୍କ ଛେଳିକୁ ଡାଳ ଖୋଇବା ନିଶା ଓ ତା ଲୋଭ ଏବେ ମଧ୍ୟ ତା’କୁ ନିୟନ୍ତ୍ରଣ କରୁଥିଲେ । ଦୁରଦୁର ବର୍ଷା, ସେ ଅଟକି ଯାଇଥାଏ, ପୁରା ତିନ୍ତିଗଲା ପରେ ଓଦା ହେବାକୁ ଆଉ ଭୟ ନଥାଏ । ଗୋଛା ଫିଟାଇ ଆଉ କିଛି ଡାଳ ତ୍ୟାଗ କଲା । ଆଉ ବୋହି ପାରିଲା ନାହିଁ । ସେ ଏବେ ଗୋଛାଟିକୁ ଘୋଷାଡି ଘୋଷାଡି ନେଉଥିଲା, ପତ୍ରତକ କାଦୁଅ ବାଲିରେ ଲେପି ହେଉଥାନ୍ତି, ଅନେକ ଛିଡି ପଡୁଥାନ୍ତି । ହଠାତ କଣ ଗୋଟେ ଲାଖିଗଲା ତା ଗୋଛାରେ । ସେ ଜୋରରେ ଟାଣିଦେଲା, ବାଣି ଛିଡିଗଲା । ଇତସ୍ତତ ବିଛାଡି ହୋଇଗଲେ ତା ସମ୍ପତ୍ତି । ସେ ବାଣି ଆଉ ଗୋଛା ବାନ୍ଧିବା ଲାୟକ ନଥିଲା । ସେ ଏଣିକି ସମ୍ପୂର୍ଣ୍ଣ ଅସହାୟ ବୋଧକଲା । ଗୋଟିଏ ହାତରେ ନଗିଟି ଓ ଅନ୍ୟ ହାତରେ ଦୁଇଖଣ୍ଡ ଡାଳଧରି, ପାଣି କାଦୁଅ ସଡବଡ ତପୁ ବିରସ ମନରେ ଫେରିଲା । ଗୃହର ନିକଟବର୍ତ୍ତୀ ଯେତିକି ହେଉଥିଲା, ମନ ତାହାର ସେତିକି ଆଶ୍ୱସ୍ତ ଓ ଶାନ୍ତ  ହେଉଥିଲା । ନଥିଲା ତା ମନରେ ଗୁରୁଜନ ମାନଙ୍କ ଗାଳି ପ୍ରତି ତିଳେ ହେଲେ ଭୟ; ସବୁଠୁ ନିରାପଦ ତା ଘର । 
ସେ ପହଞ୍ଚି ଯାଇଥିଲା । ତା ଅଭିସାରର ସମସ୍ତ ବିବରଣୀ ନୀରବତା ବ୍ୟତୀତ ଅନ୍ୟ କେଉଁ ପ୍ରକାରେ ପ୍ରକାଶ କରିବାକୁ କୁଣ୍ଠିତ ଥିଲା । ସେଥିପାଇଁ କେହି ତା’କୁ ଜିଗର କରିନଥିଲେ । କୂଅମୂଳେ ପାଣିଟାଣି ବଡ ଭଉଣୀ ଗାଧୋଇ ଦେଲା । ଶୁଖିଲା ଅଙ୍ଗା ପିନ୍ଧି, ସେ ଆରାମ ଅନୁଭବ କରୁଥିଲା । ଅବଶିଷ୍ଟ ଡାଳ ଦୁଇଟିକୁ ଧୋଇଧାଇ ଛେଳିଙ୍କ ମଧ୍ୟରେ ବାଣ୍ଟକରି ଖୁଆଇ ଦେଲା । ସମ୍ଭବତଃ ତା ବାଲ୍ୟକାଳ ସମାପ୍ତ ହେଲା ।
ଆଜି ବୟସର ଅପରାହ୍ନରେ କିନ୍ତୁ ପୁଣି ଫେରି ଆସିଥିଲା ତପୋଧନ ତନ୍ତୀଙ୍କ ବାଲ୍ୟାବସ୍ଥା, ସେ ଯୋଡହସ୍ତ ହେଲେ; ସେ ବୃକ୍ଷକୁ, ତାଙ୍କ ଗ୍ରାମକୁ ଓ ସ୍ୱର୍ଗତଃ ହରି ସାଆନ୍ତଙ୍କ ମହତ ପଣିଆକୁ ।