Search This Blog

Sunday, 29 December 2019

ତପୁର ଅଭିଯାନ। Tapu's Expedition.


TAPURA ABHIYANA.
A story for children and adolescents, also a pleasure read for adults.
Published in Kasturi.


ତପୁର ଅଭିଯାନ ।
ତପୋଧନ ତନ୍ତୀ, ଗାଁଆକୁ ଫେରୁଛନ୍ତି । ଜାତୀୟ ରାଜପଥ ପରେ ରାଜ୍ୟ ରାଜପଥ ଓ ଶେଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ତାଙ୍କ ଗାଆଁ ରାସ୍ତାରେ ଗାଡି ତାଙ୍କର ଚାଲିଲାଣି । ଯେଉଁଠି ହରି ସାଆନ୍ତଙ୍କ ବରଗଛ ପଡେ ସେଇଠୁ ଗ୍ରାମ ପ୍ରବେଶ, ଗାଆଁର ଶେଷମୁଣ୍ଡ କାଳେ ଏହି ବିନ୍ଦୁଟି । ତାଙ୍କ ପିଲାବେଳେ ଗଛଟି ଥିଲା ତାଙ୍କ ଭଳି ପିଲା । ଏବେ ଏହା କାୟାକଳ୍ପ ବିସ୍ତାର କରିଛି, ଓହଳ ଝୁଲିଲାଣି । ଆହାଃ, ପିଲାମାନେ ଦୋଳି ଖେଳୁଛନ୍ତି । କେଡେ ଭାଗ୍ୟବାନ ସେମାନେ, କସରତ ହେବ, ଟାଣୁଆ ହେବେ; ଠିକ୍ ସେ ଯେମିତି ହୋଇଥିଲେ ପିଲାଦିନେ । କୌଣସି କଥା ସହଜରେ ମିଳେନି, ସେ ପାଇଁ ପରିଶ୍ରମ ଆବଶ୍ୟକ । ମନୋରଞ୍ଜନ ପାଇଁ ବି ଝାଳ ବୋହିବା ଦରକାର । ବାଃ । ଏହି ବୟସର ପିଲା ଏବେ ଗଛଚଢା ଜାଣୁନି, ପହଁରା ଶିଖୁ ନାହିଁ, ଖେଳୁଛି ଗୋଟେ ଫୋନ ଧରି । ତାଙ୍କ ଗାଆଁ ପିଲା ଭାଗ୍ୟବାନ, ମନ କୁଣ୍ଢେମୋଟ ହୋଇଗଲା ।
ଅନେକ ଦିନ ତଳର କଥା । ତପୋଧନ ବା ତପୁ ବାଲ୍ୟାବସ୍ଥାର ଶେଷ ସୋପାନରେ । ବସନ୍ତ ଋତୁ ବିଦାୟ ନେବାକୁ ବସିଲାଣି ତପୁର ଶୈଶବ ଭଳି । ପତ୍ରଝଡା ବର ଓ ଅଶ୍ୱତ୍ଥ ବୃକ୍ଷ ମାନେ ନବ ପଲ୍ଲବିତ । ରଙ୍ଗୀନ ପତ୍ରମାନେ ସବୁଜ ହୋଇ ଗଲେଣି । ବୃକ୍ଷମାନେ ଖୁବ ଝଙ୍କାଳିଆ ଦିଶୁଛନ୍ତି । ତପୁ ଦେଖିଛି ଅନେକ ଲୋକ ପତ୍ରଡାଳ ଭାଙ୍ଗିଆଣୁଛନ୍ତି । ସେମାନଙ୍କ ଛେଳି ମେଣ୍ଢା ତୃପ୍ତିରେ ଆହାର କରୁଛନ୍ତି । ତପୁ ଘର ମଧ୍ୟ କେତୋଟି ଛେଳି ପାଳିଛନ୍ତି । ହତଭାଗ୍ୟ ଏହି ଛାଗଦଳ ଯାହିଁ ତାହିଁ ଚରି ବୁଲି ଖାଆନ୍ତି । ଏମିତି ସ୍ୱାଦିଷ୍ଟ ଭୋଜନ ପାଆନ୍ତି ନାହିଁ ।
ଘରେ ଥାଆନ୍ତି ତିନି ମୁଲିଆ- ଗୁରମାମୁଁ, ନିତିଆ ଦାଦା ଓ ବେଙ୍ଗ ଭାଇ । ତପୁ କେତେ ଅଳି କଲାଣି ସେମାନଙ୍କୁ, କେହି ତାକଥା ମାନି ଗଛରୁ ଡାଳପତ୍ର ସଂଗ୍ରହ କରୁ ନାହାନ୍ତି । ସମସ୍ତେ କାର୍ଯ୍ୟବ୍ୟସ୍ତ । ବାରମାସିଆ ପିଲା ଦୁଇଜଣ ଚେମା ଓ ମାକୁନୁ ବି ତା କଥା ଶୁଣୁ ନାହାନ୍ତି । ଘରେ ଭାଇ, ଭଉଣୀ ଓ ବାପା ତାହାର ଏମନ୍ତ ପ୍ରସ୍ତାବକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି । ମାଆଙ୍କୁ କହିଲେ ସେ ଡାଲାଏ ଚାଉଳ ଧରାଇ କହୁଛନ୍ତି, ଛେଳିମାନେ କାଳେ ଡାଳ ପତ୍ରଠାରୁ ଆହୁରି ଅଧିକ ଶରଧାରେ ଖାଇବେ ଚାଉଳ ।
ସେ ଭାବିହୁଏ, ଏତେ ବଡ କଥାକୁ ସମସ୍ତେ ଅଣଦେଖା କରୁଛନ୍ତି କେମିତି!
ସେ ତ ଗଛଚଢାରେ ଧୁରନ୍ଧର । କାଳେ ସେ ନିଜେ ଗଛଚଢି ଡାଳ ଭାଙ୍ଗିବ, ଏ ଭୟରେ ତାକୁ ତାଗିଦ କରିଛନ୍ତି ସେମାନେ; ସେମିତି ଡାଳ ସଂଗ୍ରହ କରିବା ଜରୁରୀ ନାହିଁ, ଗଛମୂଳେ ଯକ୍ଷ ଅଛନ୍ତି, ତାଙ୍କ ଗଛରୁ ଡାଳ ଭାଙ୍ଗିବା ଭଲ ନୁହେଁ, ଏବେ କୃଷିକ୍ଷେତ୍ର ପଡିଆ, ଖରା ସେତେ ହୋଇନି, ଛନଛନିଆ ଘାସର ଅଭାବ ନାହିଁ । ଛେଳି ଭୋକରେ ରହୁନାହାନ୍ତି ।
 ତପୁ ସବୁଠୁ ସାନ । ସେ ମାନିବାକୁ ବାଧ୍ୟ । ଚଗଲା ପିଲା ନହୋଇ ସୁନା ପିଲା ହେବାକୁ ପରାମର୍ଶ ଦିଅନ୍ତି ସମସ୍ତେ । ସେ ବୁଝିପାରେ ନାହିଁ ଯେଉଁ କାମ ଗୁଡିକ ତାର କରିବାକୁ ଇଛା ଓ ତହିଁରୁ ଆନନ୍ଦ ମିଳୁଛି, ତାହା କେମିତି ଦୁଷ୍ଟାମି ହେଲା; ଯେମିତି ପାଣିରେ ପହଁରିବା, ଗଛରେ ଚଢିବା । ଶିଶୁ ପାଠରେ ପଢିଥିଲା- ପହଁରି ଶିଖିବା ଭଲ । ଶିଖିବା ଯଦି ଭଲ, ଅଭ୍ୟାସ କରିବା କେମିତି ଖରାପ ହେବ! ସେମିତି ଥରେ ଜଣେ ଗୁରୁଜନ କହିବାର ଶୁଣିଛି ସେ- ଗଛଚଢା ନଜାଣେ ଯିଏ, କାଉ ଅଇଁଠା ଖାଏ ସିଏ । ଯଦି କଥାଟି ସତ, ସେ ତାହେଲେ, ଗଛ ଚଢୁଛି ବୋଲି ଦୁଷ୍ଟ କେମିତି! ସେ ବୁଝିପାରେନି ପାଣିରେ ବେଶି ବୁଡାବୁଡି କଲେ ଶରୀର ଅସୁସ୍ଥ ହେବ, ଗଛରେ ଚଢିଲେ ଦୈବାତ ଖସି ପଡି ଗୋଡ ହାତ ଭାଙ୍ଗିବାର ସମ୍ଭାବନା ଅଛି । ଏସବୁ କଥା ତା ମଗଜକୁ ପଶେ ନାହିଁ । ଗାଆଁ ପୋଖରୀ କୁସୁମା ଏତେ ବଡ, ସବୁଠୁ ଡେଙ୍ଗାପିଲା ବି ଗେଙ୍ଗୁଟିଟିଏ ଫିଙ୍ଗିଲେ ଏ ଆଡିରୁ ସେ ଆଡି ପହଞ୍ଚେ ନାହିଁ । ସେ ଏକା ଥରକେ ଦଶଥର ଏପଟରୁ ସେପଟ ଓ ସେପଟରୁ ଏପଟ ପହଁରି ଯାଏ ସେ କୁସୁମାକୁ । ସେ କ’ଣ ପାଣିରେ ବୁଡିଯିବ, ସେ ଜାଣେ ସେଠି କୁମ୍ଭୀର ଡରାଣିଟି ଡାହା ମିଛ । ତା’କୁ କାଳେ ଥଣ୍ଡା ଧରିବ! ପାଣିରୁ ଯଦି ଥଣ୍ଡା ଧରୁଥାନ୍ତା ପାଣିକୁଆ, ମାଛ, କଇଁଚ ଇତ୍ୟାଦି ଭଲରେ ଥାଆନ୍ତେ! ସେମିତି ସେ ଚଢିଛି ଗଛର ସବୁଠୁ ନହ ନହକା ଅଗ ଡାଳକୁ ଯେଉଁ ପର୍ଯ୍ୟନ୍ତ ଅନ୍ୟମାନେ ସାହସ କରନ୍ତି ନାହିଁ । ସେ କଣ କରିବ, ବଡ ବଡ ସ୍ୱାଦିଷ୍ଟ ଦର ପାକଲା ପିଜୁଳି ସେଇଠି ଥାଏ, ତଳ ଡାଳରୁ ତ ବଦମାସ ପିଲାଏ କଷିବେଳୁ ଛିଡାଇ ନେଉଛନ୍ତି । ପିଜୁଳି ଖାଇଲା ବେଳକୁ ସମସ୍ତେ ଖୁସି । ତଥାପି ଅଭିଯୋଗ କଣ ନା, ଦୁଷ୍ଟ ତପୁ ଗଛ ଅଗକୁ ଚଢୁଛି ।
ଏସବୁ ଥିଲା ତପୁର ଏକ ଅଭିଯାନ ପୂର୍ବର ସ୍ୱଭାବିକ ଭାବନା । ଗତକାଲି ସରିଛି ଚଇତି ପର୍ବ ଖୁବ୍ ଧୁମ୍ଧାମରେ । ରାତିରେ ଦଣ୍ଡନୃତ୍ୟ ହେଉଥିଲା । ତପୁକୁ ଯେତେ ଡାକିଲେ ସେ ଗଲାନହିଁ, କହିଲା, ଖୁବ୍ ନିଦ ଲାଗୁଛି । ବୁଢୀମା କୋଳରେ ଗେଞ୍ଜି ହୋଇ ଶୋଇପଡିଲା ।
ପରଦିନ ଆଦ୍ୟ ଅପରାହ୍ନ, ପରିବାରର ସମସ୍ତେ ନିଘୋଡ ନିଦରେ ଶୋଇଛନ୍ତି । ମୂଲିଆ ମାନଙ୍କର ଆଜି ଛୁଟି । ଚେମା ଓ ମାକୁନୁଙ୍କୁ ବହଳ ନିଦ, ତାଙ୍କ ଚାଳିଆ କୋଠରୀରେ । ରାତି ଉଜାଗର ଗାଁରେ ସମସ୍ତେ ଶୋଇଛନ୍ତି ଦ୍ୱିପ୍ରହରରେ । ଦେଖିବା ତା’କୁ କିଏ ଅଟକାଇବ? ଇଛା ତା’ର ହେଲା ଦୁର୍ବାର । ସଜନା ଛୁଇଁ ପାରିବା ନଗିକୁ ଆଣିଲା । ନଗି ଅଗକୁ ବାଣିରେ ବାନ୍ଧି ମଜବୁତ କଲା ଯେମିତି ଡାଳ ଭାଙ୍ଗୁ ଭାଙ୍ଗୁ ଆଙ୍କୁଡିଟି ଭାଙ୍ଗି ନଯାଏ । କୁସୁମା ଚାରିକଡେ ଅଛି ବର, ଓସ୍ତ ମିଶି ଚଉଦଟି ବଡ ବଡ ଗଛ । ତହିଁକୁ ତା ନଗି ପାଇବ ନାହିଁ କିମ୍ବା ସେ ଗଛ ଚଢିବାକୁ ତା କୁଣ୍ଢ ପାଇବ ନାହିଁ । ତା ଛଡା ନିଦରୁ ଉଠି କିଏ ନା କିଏ ପୋଖରୀକୁ ଆସିବାର ସମ୍ଭାବନା ଅଛି । ସେ ଡାଳ ତୋଳୁଛି ବୋଲି ତାଙ୍କ ଘରେ ଫେରାଦ ହେବେ । ଗାଁରେ ତା ବୟସର କେତେକ ପିଲା ନିତି ପ୍ରତିଦିନ ଏ କାମ କଲେ ବି କେହି ତାଙ୍କୁ ଆକଟ କରୁ ନାହାନ୍ତି, ବରଂ ତାରିଫ କରୁଛନ୍ତି ଯେ ଏହା ବାପା ଭାଇଙ୍କୁ ସାହାଯ୍ୟ । ଅଥଚ ତା ପାଇଁ ନିୟମ ଭିନ୍ନ । ଏମିତି ଭିନ୍ନ ଭିନ୍ନ ନିୟମ କାହିଁକି? ସେ ବହି ବସ୍ତାନି ଧରି ସ୍କୁଲ ଯିବ ବେତମାଡ ଖାଇବାକୁ ଅଥଚ ସେ ପିଲାଏ ପାଠ ନପଢି ଦିନସାରା ମଜା କରିବେ, ଏତେ ପାତର ଅନ୍ତର କାହିଁକି? ସେ ନିଜକୁ ପ୍ରଶ୍ନ କରେ । ତା ପିଲାମନ ବିଦ୍ରୋହ କରି ଉଠେ ।
ସେ ଆଗକୁ ଚାଲିଲା । ହରି ସାଆନ୍ତ ଲଗାଇଥିବା ବରଗଛଟି ଛୋଟ । ତା ଡାଳ ନୁଆଣିଆ, ନଗି ପାଇବ, ସରୁ ଗଛର ଗଣ୍ଡିକୁ କୁଣ୍ଢାଇ ଗଛ ଚଢି ହେବ । ସେ ଢେର୍ ଡାଳ ଭାଙ୍ଗି ଆଣିବ । ହରି ସାଆନ୍ତଙ୍କ ଘର ଲୋକେ କେଉଁ ଦେଖିପାରିବେ ଅବା । ଦେଖିଲେ ଦେଖନ୍ତୁ, ତାଙ୍କଛୁଆ କେମିତି ତପୁ ବାଡିରୁ ପିଜୁଳି ତୋଳି ନେଉଛନ୍ତି! ଉଧାରକୁ ବଦଳ । ସେ ଡାଳ ପତ୍ର ଆଣି ନିଜେ ଖାଇବ ନାହିଁ, ଛେଳି କେଇଟା ଖାଇ ଖୁସି ହେବେ । ତପୁ ଚାଲିଲା ।
ପ୍ରଥମେ ତଳଆଡୁ ଯେତିକି ପାରିଲା ଡାଳପତ୍ର ଭାଙ୍ଗିଲା, ତାପରେ ଗଛକୁ ଚଢିଲା । ପୁଣି ଆଉକିଛି ଡାଳ ଭାଙ୍ଗିଲା । ରାସ୍ତା ଜନଶୂନ୍ୟ । ତା କାମରେ କେହି ବାଧା ଦେବାକୁ ନାହିଁ । ବାଳକ ମନ । ହଠାତ୍ କିଏ ତାକୁ ମନେ ପକାଇଦେଲା, ଏତେ ଡାଳ ତ ଭାଙ୍ଗିଲୁଣି, ଗଛ ରାଗିବ ନାହିଁ? ଗଛମୂଳେ ଯକ୍ଷ ଅଛନ୍ତି ପରା । ଏତିକି ଡାଳ ବୋହି ନେଇ ପାରିବୁ? ହେମାଳ ବାଆ କେଉଁଠୁ ହଠାତ ଆସି ପହଞ୍ଚିଲା, ସେ ତଳକୁ ଓହ୍ଲାଉ ଓହ୍ଲାଉ ସଚେତନ ହେଲା । ତା ପଛକୁ ବିଜୁଳି ଘଡଘଡି । ଉତ୍ତର ପଶ୍ଚିମ କୋଣକୁ ଚାହିଁଲା, ଘମାଘୋଟ କଳାହାଣ୍ଡିଆ ମେଘ । ସେ ଡରିଗଲା । ବର୍ଷା ଟୁପୁରୁ ଟାପୁରୁ ପଡିଲା । ତାପରେ ବରକୋଳିଆ ଟୋପା ଓ ତହୁଁ ବଡ ବଡ କୁଆପଥର ।  ସେ ଗଛମୂଳେ କୁଙ୍କୁର କାଙ୍କୁରୁ ହୋଇ ଠିଆ ହେଲା ।  ଗଛର ଘନବହଳ ପତ୍ର କେତେ ସମୟ ଛତା ଭଳି ରକ୍ଷା କରି ପାରିବ? ସେ ନିଜକୁ ତିରସ୍କାର କଲା, ସେଥିରୁ କିଛି ଡାଳ ନିର୍ଦ୍ଦୟ ଭାବେ ଭାଙ୍ଗିଛି ବୋଲି । ଛୋଟିଆ ଗଛଟି ତାଙ୍କୁ ଜୀବନ୍ତ ଛେଳି ଛୁଆ ପରି ମନେହେଲା । ସେ ପାଠରେ ପଢିଛି, ବୃକ୍ଷ ସଜୀବ ବର୍ଗରେ ଗ୍ରହଣ କରାଯାଏ ।
ଯେଉଁ ନିଛାଟିଆ ଅବସ୍ଥାକୁ ସେ କିଛି ସମୟ ପୂର୍ବରୁ ଆଦର କରୁଥିଲା ଏବେ ସେହି ଅବସ୍ଥା ପାଇଁ ସେ ଭୀଷଣ ଭୟ ପାଇଲା । ରଡିକରି କାନ୍ଦିଲେ ବି କେହି ଶୁଣିବେ ନାହିଁ । ତା’ର ମନେ ପଡିଲା, ସଉରା ଭାଇ କେମିତି ଚଡକ ମରାରେ ଆଖି ବୁଜିଥିଲା । ପୁଣି ଏକ ବିଜୁଳି ଖୁବ୍ ଉଜ୍ଜ୍ୱଳ ଭାବେ ଚମକିଲା ଓ ତା ପଛକୁ କାନତରା ଘଡଘଡି ଗର୍ଜନ କଲା । ସେ ଶୀଘ୍ର ଘରମୁଁହା ଦଉଡି ପଳାଇବ ବୋଲି ଚାହୁଁଥିଲା କିନ୍ତୁ ଲୋଭ ତାକୁ ପଛରୁ ଭୀଡି ଧରୁଥିଲା । ଏତେ ଡାଳ ପତ୍ର ଭାଙ୍ଗିଛି, ନନେଇ ପଳାଇବ କେମିତି? ସେ ଏବେ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା । ତେଣେ ଘରଲୋକେ ତାକୁ ଖୋଜି ହେବେଣି । ସାହାଯ୍ୟ କରିବାକୁ ଏପଟେ କେହି ଆସିବେନାହିଁ ବୋଲି ସେ ଜାଣିଛି । ଏ ଅଭିସାର କଥା କିଏ ଅବା କଳ୍ପନା କରିବ? ସମସ୍ତେ ଭାବୁଥିବେ ସେ ଆର ସାହି ସାଙ୍ଗ ଘରକୁ ଯାଇଥିବ, ସେଇଠି କାରାମ ବୋର୍ଡ ଖେଳୁଥିବ । ଘଣ୍ଟାଏ ଆଗରୁ ଯାହା ସେ ନହେଉ ବୋଲି ଭାବୁଥିଲା, ଏବେ ସେ ସବୁ ହୋଇଯାଉ ବୋଲି ଭଗବାନଙ୍କୁ ଡାକିଲା । ହେ ଭଗବାନ ମୋ ବାପା କି ଭାଇଙ୍କୁ ଏପଟେ ପଠାନ୍ତେ ନାହିଁ! ଛତା ଧରି ସେମାନେ ଆସନ୍ତେ । ସାଥିରେ ଆସନ୍ତେ ମୂଲିଆ, ତା ଉପାର୍ଜନକୁ ବୋହି ନିଅନ୍ତେ ।
ବର୍ଷା ଟିକେ ଛାଡିଲା । ସେ ଏବେ ଡାଳଗୁଡିକୁ ଏକାଠି କଲା, ଓଦା ହୋଇ ସେଗୁଡା ଓଜନିଆ ହୋଇ ଯାଇଛନ୍ତି । ବାନ୍ଧିବାକୁ ଦୋଉଡି ନାହିଁ । ତଥାପି ସେ ଆଶା ଛାଡିଲା ନାହିଁ । ନଗିରୁ ବାଣି ଫିଟାଇଲା, ଯେତିକି ସମ୍ଭବ ଡାଳକୁ ବାନ୍ଧି ଗୋଛା ତିଆରି କଲା । ସେ ଗୋଛା ସମେତ ଆଉ ଯେତେ ସମ୍ଭବ ହାତରେ ଧରି, କାଖରେ ଜାକି ଘରକୁ ବାହୁଡିଲା । ଆଉ ଯେତିକ ବୋହି ନପାରିଲା ସେଗୁଡାକୁ ସେ ପଛରୁ ଚାହିଁ ଭାବୁଥିଲା, ଅଯଥା ଗଛଟିକୁ କଷ୍ଟ ଦେଲା । ଲୋଭ । ଅତି ଲୋଭରୁ ତନ୍ତୀ ମରେ, ସାଙ୍ଗମାନେ ଯାହା କହି ତାକୁ ଚିଡାନ୍ତି, ସେ ଏବେ ନିଜକୁ ନିଜେ ସେ କଥା କହି ଧୀକ୍କାର କରୁଥିଲା । ସୁନ୍ଦରିଆ ଗଛଟିକୁ ଆକ୍ରମଣ କରି କି ଲାଭ ପାଇଲା? ଏମିତି ଭାବି ଆଗେଇଲା ବେଳକୁ ପୁଣି ବର୍ଷା ଓ ପବନ ହେଲା ପ୍ରବଳ । ନିଜକୁ ସମ୍ଭାଳିବା କଷ୍ଟ । ଗୋଛାଟି ବାଦ ଯାହା ଧରିଥିଲା ସେସବୁ ଏବେ ତ୍ୟାଗ କଲା ତପୁ । ତାକୁ ଏବେ ହାଲିଆ ବି ଲାଗୁଥିଲା, ତା କୁସୁମା ପହଁରା ବଳ ଉଣା ପଡୁଥିଲା, ଭୟ ଓ ବିଚଳିତ ଅବସ୍ଥା ଯୋଗୁଁ । ପବନର ବେଗ ଅଧିକ ହେଲା । ତଥାପି ସେ ସବୁତକ ଛାଡି ଦୌଡି ପଳାଉ ନଥିଲା । ତାଙ୍କ ଛେଳିକୁ ଡାଳ ଖୋଇବା ନିଶା ଓ ତା ଲୋଭ ଏବେ ମଧ୍ୟ ତା’କୁ ନିୟନ୍ତ୍ରଣ କରୁଥିଲେ । ଦୁରଦୁର ବର୍ଷା, ସେ ଅଟକି ଯାଇଥାଏ, ପୁରା ତିନ୍ତିଗଲା ପରେ ଓଦା ହେବାକୁ ଆଉ ଭୟ ନଥାଏ । ଗୋଛା ଫିଟାଇ ଆଉ କିଛି ଡାଳ ତ୍ୟାଗ କଲା । ଆଉ ବୋହି ପାରିଲା ନାହିଁ । ସେ ଏବେ ଗୋଛାଟିକୁ ଘୋଷାଡି ଘୋଷାଡି ନେଉଥିଲା, ପତ୍ରତକ କାଦୁଅ ବାଲିରେ ଲେପି ହେଉଥାନ୍ତି, ଅନେକ ଛିଡି ପଡୁଥାନ୍ତି । ହଠାତ କଣ ଗୋଟେ ଲାଖିଗଲା ତା ଗୋଛାରେ । ସେ ଜୋରରେ ଟାଣିଦେଲା, ବାଣି ଛିଡିଗଲା । ଇତସ୍ତତ ବିଛାଡି ହୋଇଗଲେ ତା ସମ୍ପତ୍ତି । ସେ ବାଣି ଆଉ ଗୋଛା ବାନ୍ଧିବା ଲାୟକ ନଥିଲା । ସେ ଏଣିକି ସମ୍ପୂର୍ଣ୍ଣ ଅସହାୟ ବୋଧକଲା । ଗୋଟିଏ ହାତରେ ନଗିଟି ଓ ଅନ୍ୟ ହାତରେ ଦୁଇଖଣ୍ଡ ଡାଳଧରି, ପାଣି କାଦୁଅ ସଡବଡ ତପୁ ବିରସ ମନରେ ଫେରିଲା । ଗୃହର ନିକଟବର୍ତ୍ତୀ ଯେତିକି ହେଉଥିଲା, ମନ ତାହାର ସେତିକି ଆଶ୍ୱସ୍ତ ଓ ଶାନ୍ତ  ହେଉଥିଲା । ନଥିଲା ତା ମନରେ ଗୁରୁଜନ ମାନଙ୍କ ଗାଳି ପ୍ରତି ତିଳେ ହେଲେ ଭୟ; ସବୁଠୁ ନିରାପଦ ତା ଘର । 
ସେ ପହଞ୍ଚି ଯାଇଥିଲା । ତା ଅଭିସାରର ସମସ୍ତ ବିବରଣୀ ନୀରବତା ବ୍ୟତୀତ ଅନ୍ୟ କେଉଁ ପ୍ରକାରେ ପ୍ରକାଶ କରିବାକୁ କୁଣ୍ଠିତ ଥିଲା । ସେଥିପାଇଁ କେହି ତା’କୁ ଜିଗର କରିନଥିଲେ । କୂଅମୂଳେ ପାଣିଟାଣି ବଡ ଭଉଣୀ ଗାଧୋଇ ଦେଲା । ଶୁଖିଲା ଅଙ୍ଗା ପିନ୍ଧି, ସେ ଆରାମ ଅନୁଭବ କରୁଥିଲା । ଅବଶିଷ୍ଟ ଡାଳ ଦୁଇଟିକୁ ଧୋଇଧାଇ ଛେଳିଙ୍କ ମଧ୍ୟରେ ବାଣ୍ଟକରି ଖୁଆଇ ଦେଲା । ସମ୍ଭବତଃ ତା ବାଲ୍ୟକାଳ ସମାପ୍ତ ହେଲା ।
ଆଜି ବୟସର ଅପରାହ୍ନରେ କିନ୍ତୁ ପୁଣି ଫେରି ଆସିଥିଲା ତପୋଧନ ତନ୍ତୀଙ୍କ ବାଲ୍ୟାବସ୍ଥା, ସେ ଯୋଡହସ୍ତ ହେଲେ; ସେ ବୃକ୍ଷକୁ, ତାଙ୍କ ଗ୍ରାମକୁ ଓ ସ୍ୱର୍ଗତଃ ହରି ସାଆନ୍ତଙ୍କ ମହତ ପଣିଆକୁ ।

No comments:

Post a Comment