Search This Blog

Friday 26 July 2019

Payal Tadvi, ପାୟଲ ତାଢବୀ।

ପାୟଲ ତାଡଭି।
କାଲି ଭଳି ମନେହୁଏ, ଓୟୁଏଟି ଛାଡି ଏସସିବି ଆସିଲି। ଓୟୁଏଟି ରାଗିଂ ତୁଳନାରେ ସେବେଳେ ଏସସିବିର ରାଗିଂ ବହୁତ କମ ଥିଲା। ମୋତେ ଆଦୌ ଭୟ ଲାଗୁନଥିଲା। ପ୍ରଥମ ବର୍ଷ ପିଲାମାନଙ୍କୁ ହଷ୍ଟେଲରେ ତୁରନ୍ତ ସିଟ ମିଳୁ ନଥିଲା। କମନ ରୁମରେ ଦାଦନିଆଙ୍କ ପରି ରହୁଥିଲୁ ପ୍ରଥମ ମାସେରୁ ଛଅ ମାସ ପର୍ଯ୍ୟନ୍ତ।
ଏହାହିଁ ଥିଲା କର୍ତ୍ତୃପକ୍ଷ କର୍ତ୍ତୃକ ସବୁଠୁ ବଡ ରାଗିଂ।
ମନେଅଛି ପ୍ରମୋଦ ଭାଇ ଓ ବରୁଆ ଭାଇ ତାଙ୍କ ପ୍ରାକ୍ଟିକାଲ ଖାତା ଲେଖିବାକୁ ଧରାଇଦେଲେ।
ମୁଁ ବହୁତ ସେନ୍ସିଟିଭ ଥିଲି ବୋଧହୁଏ। ସେ ଖାତା ଗୁଡିକ ସେମିତି ପଡି ରହିଲେ। ଲେଖିଲି ତ ନାହିଁ, ସେଗୁଡିକ ହେପାଜତରେ ରଖିଲି ନାହିଁ କି କହିଲି ନାହିଁ ବି ଲେଖିବି ନାହିଁ ବୋଲି।
ସମ୍ଭବତଃ ମୋର ଅଣ ଓଡିଆ ବୈରଭାବ ଥିଲା, ଯାହା ଉଚିତ ନୁହେଁ। ମୁଁ ବୁଝିଥିଲି ଏମାନେ ଓଡ଼ିଆ ମାନଙ୍କ ସିଟ ନେଇ ଯାଉଛନ୍ତି, ବୁଝି ନଥିଲି ଓଡ଼ିଆ ପିଲାଟି ବି କଲିକତା ଅବା ବମ୍ବେରେ ସେ ରାଜ୍ୟର ସିଟ ନେଇଥିବ।  ଏ ଦୁହେଁ ଅଣ ଓଡିଆ ଥିଲେ।
ସେମାନେ ହତାଶ ହେଲେ, ମତେ ବିରକ୍ତ ହୋଇ କହିଲେ, ତୁ କଣ ଡରୁନୁ? ମୁଁ କହିଲି, ନା ସେମିତି ନୁହେଁ, ସମୟ ପାଇଲି ନାହିଁ।
କଣ କରୁଛୁ କି?
ପାଠାଗାର ଯାଉଛି। ହଷ୍ଟେଲରେ ତ ସିଟ ନାହିଁ। ସେଠି କେମିତି ଲେଖିବି? ତା ଛଡା ମୋ ଅକ୍ଷର ଅତ୍ୟନ୍ତ କଦର୍ଯ୍ୟ, ଦେଖୁନ ମୋ ନୋଟ।
ପିଲାମାନଙ୍କ ରାଗିଂ ଅପେକ୍ଷା କର୍ତ୍ତୃପକ୍ଷଙ୍କ ରାଗିଂ ଥିଲା ଅଧିକ। ହିପୋକ୍ରଟିକ ଓଥ ଅନୁସାରେ ତଥା ଭାରତୀୟ ପରମ୍ପରା ଅନୁସାରେ ଗୁରୁନିନ୍ଦା କରିବା ମହାପାପ। କିନ୍ତୁ ଏ ଆଲୋଚନା, ତା ବିନା ଅଧୁରା।
ଜଣେ ସର୍ବୋତ୍ତମ ପ୍ରଫେସର କହିଲେ, କାନ୍ଥବାଡରେ ବି କାନ ଅଛି, କେଉଁଠି କଣ ମେଳି କଲ ବା ନେତା ହେଲ ଖବର ପହଞ୍ଚିବ। ଏ କଥାର ମାନେ କଣ? ଏଠି କଣ ପ୍ରତିଯୋଗିତା ହେବ, ଛାତ୍ର ବନାମ ବ୍ୟବସ୍ଥା।
ପୁଣି ଏସସିବିରେ ବହୁତ ପିଲାଙ୍କୁ ପ୍ରଥମ ଏମବିବିଏସ ପରୀକ୍ଷାରେ ଫେଲ କରୁଥିଲେ। ଶୁଣାଯାଏ ମାନ ଉତ୍ତମ ପାଇଁ ଏହା କରାଯାଏ। ପିଲା ଡରିକି ପାଠ ପଢିବେ। ଜାଣେନି ଏହା କେତେ ସଠିକ। ତେବେ ହଠାତ ନିଜକୁ ଖୁବ ଉତ୍ତମ ଛାତ୍ର ଭାବୁଥିବା ବେଳେ ଏ ଫେଲ କଥା କେତେ ଭୟାନକ ତାହା ଅନୁଭବି ହିଁ ଜାଣେ। ସବୁପିଲା ସମାନ ନାହାନ୍ତି। ସାଥି ସୋମ୍ୟ ସେନ ଓ ସେମିତି କେତେ ପିଲା ପରୀକ୍ଷାକୁ ଏତେ ଭୟ କରନ୍ତି ନକହିବା ଭଲ, ଯଦିଓ ସେମାନେ ଖୁବ ମେଧାବୀ।
ସତକୁ ସତ ପ୍ରାୟ କୋଡିଏ ପିଲାଙ୍କୁ ଫେଲ କରିଦେଲେ ଆମ ଉପର ବ୍ୟାଚରେ ଓ ଆମ ବ୍ୟାଚରେ। ମାନେ ଛଅ ମାସ ପଛୁଆ। ପିଲା ଫେଲ ହେବା ପିଲାଙ୍କୁ ଯେମିତି ଅପମାନ ବ୍ୟବସ୍ଥାକୁ ସେମିତି ଅପମାନ ହେବା ଉଚିତ। ବାଛି ବାଛି ମଲେଇ ଦିଆଗଲା, ପୁଣି ଫେଲ କଣ?
ଏ ବାକ୍ୟ ବିତର୍କିତ। ଯାହିଁ ତାହିଁ କଣ ପାଶ କରି ରୋଗୀ ମାରିବେ ନା କଣ?
ଏହା ବୁଝାଇ ହେବନି କିନ୍ତୁ ସତ୍ୟ ଯେ ଯେଉଁମାନେ ଫେଲ ହେଉଥିଲେ ତାଠୁ କମ ପ୍ରସ୍ତୁତ ପିଲା ପାଶ କରୁଥିଲେ। ଏବଂ ପାଶ ଫେଲର ଗୁରୁତ୍ୱ ଭବିଷ୍ୟତ ପାଇଁ ସେମିତି କିଛି ନାହିଁ। କିନ୍ତୁ ତତ୍କାଳୀନ ଭୟ ଦୃଷ୍ଟିରୁ ଏହା ପିଲା ଉପରେ ନାକାରତ୍ମକ ପ୍ରଭାବ ପକାଏ।
ସୌମ୍ୟ ପାଠ ସମ୍ପୂର୍ଣ୍ଣ କଲା ନାହିଁ।
ବରଂ ଯଦି କୁହାଯାଇଥାନ୍ତା ଯେ ତୁମେ ସବୁ ଖୁବ ମେଧାବୀ ପିଲା ଓ ଆମେ ଶିକ୍ଷକ ମାନେ ତୁମକୁ ସର୍ବଦା ସହାୟତା ଦେବୁ, ଏଣୁ ନିର୍ଭୟ ପଢ ଓ ଆମକୁ ପଚାର; ତାହେଲେ ଏହା ଉତ୍ତମ ହୋଇଥାନ୍ତା।
ଦ୍ୱିତୀୟ ପ୍ରକାରେ ଘଟୁଥିଲା ବୁର୍ଲାରେ। ଆମର କୋଡିଏ ପ୍ରତିଶତ ଫେଲ ଓ ଜଣେ ଅଧେ ଅନର୍ସ ବେଳେ ସେମାନଙ୍କର ଘଟିଥିଲା ଠିକ ଓଲଟା।
ପିଲାଙ୍କୁ ଶାସନ କରିବାର ଏ ବିଚିତ୍ର ବ୍ୟବସ୍ଥା ଥିଲା  ସର୍ବବୃହତ ରାଗିଂ।
ବ୍ୟକ୍ତିଗତ ଭାବେ ଏହା ମୋର କ୍ଷତି କରିନଥିଲା ପ୍ରତ୍ୟକ୍ଷ। କିନ୍ତୁ ହୁଏତ ଭୟର ବାତାବରଣ ନଥିଲେ, ଡାକ୍ତରୀ ପାଠ ଭଳି ପୁଳାଏ ମନେ ରଖିବାର କଷ୍ଟ କିଛି ଲାଘବ ହୋଇଥାନ୍ତା।

ପିଜି ବେଳର କଥା।
କିଛି ପାୟଲ ତାଢବୀ ଭଳି ସମସ୍ୟା ସର୍ବବ୍ୟାପି।ସିନିୟର ଦୁଇ ପ୍ରକାରର, କିଛି ଜୁନିୟର ମାନଙ୍କୁ ଶିଖାଇ ଦାୟିତ୍ୱ ହସ୍ତାନ୍ତର କରିବା ଭଳି। ମାନେ ଭଲ ଶାଶୁ। ଆଉ କିଛି, ଆମେ ଏମିତି ହଇରାଣ ହୋଇଥିଲୁ ଏମାନେ କାହିଁକି ହେବେ ନାହିଁ? ଏ ଦ୍ବିତୀୟ ପ୍ରକାରର ଶାଶୁ। ଭଲ ହୁଅନ୍ତୁ କି ମନ୍ଦ ହୁଅନ୍ତୁ, ପ୍ରଥମ ବର୍ଷର ସମ୍ପର୍କ ଦ୍ବିତୀୟ ବର୍ଷ ସହ ହେଲା ବଡ ଯାଆ ପ୍ରକାରର ଓ ତୃତୀୟ ବର୍ଷ ସହ ଶାଶୁ ବୋହୂ ପ୍ରକାରର। କେଉଁ ନୂଆ ପିଜି କେମିତି ଏହାର ରିପୋର୍ଟିଂ ପ୍ରାୟ ହୁଏ ଫାକଲ୍ଟି ମାନଙ୍କ ପାଖରେ। ବୋହୂ ପୁଣି ଦିନେ ଶାଶୁ ହୁଏ ଓ ଏମିତି ଚାଲେ।
ତେବେ ପାଞ୍ଚ ଛଅ ବର୍ଷ ପେରିଫେରିରେ ବହୁତ ଦାୟିତ୍ୱ ସମ୍ପର୍ଣ୍ଣ କାମ କରି, ଚାରି ପାଖରେ ରୋଗୀ ହାଉଯାଉର ଏକ ପରିବେଶରୁ ହଠାତ ବୋହୂ ହେବା ବଡ କଷ୍ଟ। ତହିଁରେ ପୁଣି ଇନ ସର୍ଭିସ ପିଜିଙ୍କୁ ବିଚାର କରାଯାଏ ଟିକେ ପଛୁଆ ବୋଲି। ଜୁନିୟର ପିଲାଏ ଉପର ଶ୍ରେଣୀରେ ଥିବେ।
ଏ ମାହୋଲ, ରାଗିଂ ଶୂନ୍ୟ ବଡ ରାଗିଂ। ତେବେ ଏଠି କୌଣସି ନିର୍ଦ୍ଦିଷ୍ଟ ଜାତି, ଧର୍ମ ବା ଆଞ୍ଚଳିକତାର ଭେଦ ନଥାଏ। ଏହାକୁ ଭାଙ୍ଗିବାର ଇଛା କଲାଭଳି ଜଟିଳତା ଏ ବ୍ୟବସ୍ଥାରେ ନଥାଏ। କିନ୍ତୁ ତାଢବୀ କଥାଟି ଏହା ପୁନଶ୍ଚ ସୂଚିତ କରୁଛି ଯେ ଯାହାକୁ ଆମେ ଅତି ସାଧାରଣ ମନେ କରୁଛୁ ତାହା ସଧାରଣ ନହୋଇ ଜୀବନ ନାଶକ ହୋଇପାରେ। ସମସ୍ତେ ସମାନ ଭାବେ ସମ୍ବେଦନଶୀଳ ନୁହନ୍ତି। ସେନସିଟିଭ ହେବା ଏକ ଦୋଶ ନୁହେଁ କାହାର ସମ୍ବେଦନରେ ଆଘାତ ଦେବା ନିଶ୍ଚିତ ଏକ ଦୋଶ।
ତେଣୁ ବିଚାରୀ ପାୟଲ କ୍ଷେତ୍ରରେ ଆମେ ମାନିନେବା ଉଚିତ ଯେ ସେମିତି କଷ୍ଟ ଅନୁଭବ ନହେଲେ ଜଣେ ମେଧାବିନୀ ଏଭଳି ମାନସିକ ଭାରସାମ୍ୟ ହରାଇ ନପାରେ। ଏମିତି ଭାବି ନେବାରେ ହିଁ ଭବିଷ୍ୟତ ପାଇଁ ଭଲ। ପୁଣି ସତରେ ଯଦି ତାଙ୍କୁ ଦଳିତ ହୋଇଥିବରୁ ଯାତନା ମିଳିଥାଏ ତାହେଲେ ଏହା ସାଂଘାତିକ ବ୍ୟାପାର।
ଏହା ବିଚାରାଧୀନ ଓ ଆଶା କରିବା ସୁବିଚାର ହେବ। ଯଦି ଅଭିଯୁକ୍ତା ମାନେ ପ୍ରକୃତରେ ଦୋଷୀ ନୁହନ୍ତି ତେବେ ସେମାନେ ରକ୍ଷା ପାଇବେ ଯଦି ଦୋଷୀ ତାହେଲେ ଦଣ୍ଡ ବିଧାନ ହେବ।
ତେବେ କର୍ତ୍ତୃପକ୍ଷଙ୍କ ଭୁମିକା ବି ଗୁରୁତ୍ୱପୂର୍ଣ୍ଣ।

ମନେ ଅଛି, ମୋ ପାଖେ ଟଙ୍କା ନଥାଏ, ଛଅ ମାସ ପର୍ଯ୍ୟନ୍ତ ଶିକ୍ଷା ଛୁଟି ମଞ୍ଜୁର ହୋଇ ନଥାଏ, ହଠାତ ମୋଟର ସାଇକେଲ ଚୋରି ହୋଇଗଲା। ଏଭଳି ସଙ୍ଗିନ୍ ପରିସ୍ଥିତିରେ ହଠାତ ଦିନେ ମତେ ଆମ ସଂଘ ସମ୍ପାଦକ ଖୁବ କଡା କରି ଓ ପୂର୍ଣ୍ଣ ସାରଙ୍କ ନାମ ନେଇ ତାଗିଦ କଲେକି ତୁମେ ତୁରନ୍ତ ସଙ୍ଘ ସଭ୍ୟ ଚାନ୍ଦା ଦିଅ। ହୁଏତ ପ୍ରଥମ ବର୍ଷର ଛାତ୍ର ନହୋଇଥିଲେ ଏମିତି କଥା ଶୁଣି ନଥାନ୍ତି। ଅବଶ୍ୟ କିଛି କହିବାକୁ ପଡି ନଥିଲା ମୋ ବକ୍ତବ୍ୟ ମୋ ଶାରୀରର ଭାଷା ଜଣାଇ ଦେଇଥିଲା। ପଇସା ହେଲେ ଦେବି କହିଲି, ମାତ୍ର ପାଞ୍ଚ ଶହ ଟଙ୍କା। ଏଠି ମୋ ବ୍ୟକ୍ତିଗତ କଥା ଗୌଣ୍ୟ, ମୂଖ୍ୟ କଥା ହେଲା ମାନବିକ ସମ୍ବେଦନରେ କନିଷ୍ଠ ଓ ବରିଷ୍ଠର ଭିନ୍ନ ଦୃଷ୍ଟିଭଙ୍ଗି ଯାହାର ଫଳ ହେଉଛି ସ୍ବର୍ଗୀୟା ଡା ପାୟଲ ତାଢବୀ।
ପୁଣି ଥରେ; ସମ୍ବେଦନ ସହି ନପାରିବା ଏକ ଭୁଲ ନୁହେଁ, ସମ୍ବଦନକୁ ଆଘାତ ପହଞ୍ଚାଇବା ନିଶ୍ଚିତ ଅପରାଧ।

Wednesday 24 July 2019

ବିଜୁଳି କନ୍ୟା।

ବିଜୁଳି କନ୍ୟା।
କୁଆଡେ ହଜିଲେ ଝିଅ ମାନେ?
ସମ୍ପ୍ରତି ଉତ୍ତର କାଶୀ ଜିଲ୍ଲାର ଏକ ଶହ ବତିଶ ଗ୍ରାମରେ ଗତ ତିନି ମାସରେ ଜନ୍ମ ହୋଇଛନ୍ତି ଦୁଇଶହ ଶୋହଳ ନବଜାତ। ଭାବିଲେ ବହୁତ କମ, ଜନସଂଖ୍ୟା ନିୟନ୍ତ୍ରିତ, ମାତ୍ର ଖୁସି ହେବାର ଭୁଲ କରନ୍ତୁ ନାହିଁ। ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ଏମଧ୍ୟରେ ଜଣେବି ଝିଅ ନାହାଁନ୍ତି। ଏ ବାବଦରେ ଜିଲ୍ଲାପାଳ ଅନୁସନ୍ଧାନ ଚଳାଇଛନ୍ତି। ଅନ୍ୟ ପଡୋଶୀ ଗ୍ରାମର ଛବି ବିଶେଷ ତଫାତ ଥିବା, ମନେ ହୁଏନି।

୨୦୧୨ ମସିହାରେ ଆମ ପ୍ରସୂତି ବିଭାଗର ଜାତୀୟ ସମ୍ମିଳନୀ ହୋଇଥିଲା ଦିଲ୍ଲୀରେ। ସ୍ବର୍ଗତଃ ଶୀଲ୍ଲା ଦିକ୍ଷିତ ଏହାକୁ ଉଦ୍ଘାଟନ କରିବା ଅବସରରେ କଣ ଏକ ବଡ ପ୍ରୋତ୍ସାହନ କଥା କହିଥିଲେ କନ୍ୟା ରତ୍ନ ପାଇଁ। ସେ ବେଶ୍ ଗୁରୁତ୍ୱ ଦେଇଥିଲେ ଲିଙ୍ଗଭେଦରେ ଭୃଣ ହତ୍ୟା ବାବଦରେ।
ଦିଲ୍ଲୀରେ ଚାରିଦିନ ରହଣିରେ ମୋ ଟ୍ୟାକ୍ସି ଚାଳକ ଥାନ୍ତି ଜଣେ ଶିଖ୍ ଯୁବକ, ସୁଖବିନ୍ଦର ସିଂହ। ବୟସ ପ୍ରାୟ ଚାଳିଶ। ସୁଖ ଦୁଃଖ ହେଲୁ। ତାଙ୍କ ପିଲା ଛୁଆଙ୍କ ବାବଦରେ ପଚାରିଲି।
ସେ ହସିଲେ, "ମୋର ବିବାହ ହୋଇନି ଆଜ୍ଞା।"
ଏଁ, କାହିଁକି?
"ଝିଅ ମିଳୁନାହାନ୍ତି ଦିଲ୍ଲୀରେ। ପଞ୍ଜାବର ଝିଅବାପା କହୁଛନ୍ତି, ଡ୍ରାଇଭର ଜଣେ, ଘରବାଡି ନଥିବ, କେମିତି ଚଳିବ ଆମଝିଅ। ସେମାନେ କେମିତି ଜାଣିବେ ଆଜ୍ଞା, ଦିଲ୍ଲୀର ଦାମୀ ଇଲାକାରେ ମୋର ନିଜ ଘର ଅଛି, ବେଶ୍ ବଡ। ଭାବୁଛି ଆଉ କିଛି ଟଙ୍କା ହେଲେ କେରଳରୁ ଝିଅ ସଂଗ୍ରହ କରି ବାହା ହେବି। ଦିଲ୍ଲୀରେ, କେତେ ଯୁବକ ସେମିତି କଲେଣି।"
ବୌଦ୍ଧିକ ଆଲୋଚନା ମଧ୍ୟରେ ଏ ସମସ୍ୟା ସୀମିତ ବୋଲି ମନେ କରିଥିଲି କିନ୍ତୁ ଏହା ଯେ ସମାଜିକ ହୋଇଗଲାଣି, ତାହାର ପ୍ରତ୍ୟକ୍ଷ ଉଦାହରଣ ପାଇଲି, ଡ୍ରାଇଭର ସୁଖବିନ୍ଦର ଠାରୁ; ଯାହାର ଅଛି ଦିଲ୍ଲୀର ଦାମୀ ଇଲାକାରେ ନିଜ ଘର। କିନ୍ତୁ ତା ପାଇଁ କନିଆ ଉଭାନ। ସେ ଜାଣେନି ପଞ୍ଜାବର ପରିସ୍ଥିତି ବି ସଙ୍ଗୀନ୍।
ଅଧୁନା ସର୍ବତ୍ର ଏ ସମସ୍ୟା ଅନୁଭୂତ ହେଲାଣି। ବରଖୋଜାଠୁ କନିଆଁ ଖୋଜା ଅଧିକ ଜଟିଳ, ସମୟ କ୍ରମେ ବରପିତା କହୁଛନ୍ତି, ଆମର ଜାନି ଯୌତୁକ ଦରକାର ନାହିଁ, ଯଦି ସମସ୍ୟା ଅଛି ଆମ ସହଯୋଗ ନିଅ କିନ୍ତୁ କନ୍ୟାଟି ଆମ୍ଭ ଘରକୁ ଦିଅ। ହୁଏତ ଆଉ ଦିନ କେଇଟାରେ କନ୍ୟାସୁନା ପ୍ରଚଳିତ ହେବ।
ମାତ୍ର ତିନି ମାସରେ ଗୋଟେ ଛୋଟ ଅଞ୍ଚଳରେ ଯଦି ଦୁଇଶତ ଶୋହଳ ପୁଅରେ ଶୂନ ଝିଅ ହୁଅନ୍ତି ତାହଲେ ସାମାଜିକ ବିଭ୍ରାଟ ହେବା ସ୍ବଭାବିକ। ହଜାରରେ ଆଠଶହ ଝିଅ କହିଲେ ଏତେ ବୁଝା ପଡୁନି। କିନ୍ତୁ ଏକ ନିଉତରେ ଆଠଲକ୍ଷ ଝିଅ କହିଲେ ବୁଝା ପଡୁଛି, ଦୁଇ ଲକ୍ଷ ଯୁବକ ହେବେ ସାଥି ହରା। ଦୁଇଲକ୍ଷ ତ ବାବାଜୀ ହେବେ ନାହିଁ। ତାହେଲେ?
କେରଳରୁ ଝିଅ ଆଣିବା କଥାଟି ଶୁଣାଯାଉଛି, କିନ୍ତୁ ଆମ ଓଡିଶାରୁ ବି ଯାଉ ନାହାନ୍ତି କି! ରାଜସ୍ଥାନର ପଟେଲ ମାନେ ୨୦୧୭ରେ ଏକ ନିର୍ଦ୍ଦିଷ୍ଟ ଜାତିର ଓଡିଆ କନ୍ୟାଙ୍କୁ ବେଶ୍ ଆଦର ଯତ୍ନରେ ଅନେକ ଉପଢୌକନ ଦେଇ, ସସମ୍ମାନେ ସାମାଜିକ ସ୍ବୀକୃତି ସହ ବୋହୂ କରିନେଲେ। ହୁଏତ ଅଦ୍ୟାବଧି ଏ ନୂଆ ପ୍ରଥାଟି ଚାଲିଥିବ। କେବଳ ରାଜସ୍ଥାନ ନୁହେଁ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶକୁ ବି ଯାଉଛନ୍ତି। ଉକ୍ତ ଜାତିରେ ପୁଅ ଓ ଝିଅମାନଙ୍କୁ ସମାଦର ମିଳେ। ଏହି ଜାତି ବହୁଳ ଅଞ୍ଚଳରେ ତଥା ଆଦିବାସୀ ଅଞ୍ଚଳରେ କାମ କରି ଏ ଲେଖକ ବେଶ୍ ଖୁସି ହୁଏ, ପୁଅ ହେଉ କି ଝିଅ ହେଉ ସେମାନେ ସମାନ ଭାବେ ଆନନ୍ଦିତ ହୁଅନ୍ତି। ଏମିତି କିଛି ନିର୍ଦ୍ଦିଷ୍ଟ ଜାତି ପାଇଁ, ଏ ଲିଙ୍ଗ ତାରତମ୍ୟରେ କିଛିଟା ସନ୍ତୁଳନ ରହିଛି। ଯେତେବେଳେ ଜଣେ ନିରୁପାୟ ତା ପାଇଁ ଜାତି ଧର୍ମ ବର୍ଣ୍ଣ ହୁଏ ଗୌଣ୍ୟ, ସେ ସବୁଠୁ ନିରପେକ୍ଷ। ଏ ଆନ୍ତରାଜ୍ୟ କିଣା କନିଆଁ ତାହାର ଦୃଷ୍ଟାନ୍ତ।
ବିଡମ୍ବନା, ତଥାକଥିତ ଉଚ୍ଚ ଜାତିର କନ୍ୟା-ମାରୁ ସମାଜ, ଲିଙ୍ଗ ନିରପେକ୍ଷ ସମାଜକୁ ଟାହି ଟାପରା କରେ! ପ୍ରକୃତରେ ଆଦିବାସୀ ଓ କୁଡୁମୀ ସମାଜକୁ ବାଦ ଦେଇ ପରିସଂଖ୍ୟାନ କଲେ, ଲିଙ୍ଗ ତାରତମ୍ୟର ଛବି ଆହୁରି ଭୟାନକ ଦେଖାଯିବ।
ଲିଙ୍ଗ ନିରୂପଣ କରି ଡାକ୍ତର ଓ ପିତାରୂପୀ ଭଗବାନ ଦ୍ବୟ  ହୁଅନ୍ତି କଂସ ଓ ବିଜୁଳି କନ୍ୟା ମାନ ହାତୁ ଖସି ଅନ୍ତର୍ଦ୍ଧାନ ହୋଇଯାନ୍ତି। ଦିଲ୍ଲୀର ଦାମୀ ଇଲାକାରେ ଘରଥାଇ ମଧ୍ୟ ଦୁଃଖୀ ସୁଖବିନ୍ଦରକୁ କନିଆ ଅମେଳି ହୁଏ।
ଆଶ୍ଚର୍ଯ୍ୟର କଥା, ନିପଟ ମଫସଲର ସାଧାରଣ ଲୋକଟି ଜାଣି ପାରୁଛି କେଉଁ ନିର୍ଦ୍ଦିଷ୍ଟ କ୍ଲିନିକରେ ଏ କାମ ହେଉଛି କିନ୍ତୁ ପ୍ରଶାସନ ଜାଣି ପାରୁନି।
ଜନ ସଚେତନତା ବ୍ୟାପକ ହେଲାଣି। ଏ ସଚେତନତା ପାଇଁ ଆଉ ଅଯଥା ବ୍ୟୟ ନହେଉ, ଚେଇଁ ଶୋଇଛି ସମାଜ।
ଏକ ଅଲଟ୍ରାସାଉଣ୍ଡ କ୍ଲିନିକ ଯେତେ ବିବେକବନ୍ତ କାମ କରୁନା କାହିଁକି ଏହାକୁ ଏକ ମଦ ଦୋକାନ ଅଥବା ଜୁଆ ଆଡ୍ଡାଠୁ ଅଧିକ ନିନ୍ଦିତ କରାଯାଉଛି ଅଥଚ ଫଳ ଶୂନ୍ୟ।
ପ୍ରକୃତରେ ପ୍ରଚଳିତ ବିଦ୍ଧି ବ୍ୟବସ୍ଥା ଓ ଧରପଗଡ ଅଣ ପ୍ରଭାବି ଓ ଏହାକୁ ଦୃଢ କରିବାର ଅଛି।
ବର୍ତ୍ତମାନର ନିୟମ ଅନୁସାରେ, ଏକ ଅଲଟ୍ରାସାଉଣ୍ଡ ପରୀକ୍ଷା ପାଇଁ ଥାକେ ଲେଖାପଢା ଓ ନିୟମ ପାଳନ କରାଯାଉଛି। ରୋଗୀଙ୍କ ସବିଶେଷ ବିବରଣୀ, ଫଟୋ ପରିଚୟପତ୍ର, ଘୋଷଣା ପତ୍ର ରଖାଯାଉଛି। ଡାକ୍ତର ପୁଳାଏ ଦସ୍ତଖତ କରୁଛି ଓ ଘୋଷଣା ପତ୍ର ଜାରି କରୁଛି। ଏହାର ଅର୍ଥ? ନିୟାମକ ଚିନ୍ତା କରୁଛି ଯେ ଚୋରି ହୁଏ ସମସ୍ତ ପ୍ରମାଣ ରଖି।
ଯଦି ଏକ ନିୟମ କରାଯାଏ ଯେ ବ୍ୟାଙ୍କରେ ଚୋରି ରୋକିବା ପାଇଁ ଗରାଖ ପ୍ରଥମେ ସିସିଟିଭି କ୍ୟାମେରା ଆଗରେ ପୋଜ ଦେବ, ପୁଳାଏ ଦସ୍ତଖତ କରିବ, ବ୍ୟାଙ୍କ ତାହାର ପ୍ରମାଣ ସରକାରଙ୍କୁ ଦେବ; ସେକଥାଟି ଯେମିତି ହେବ, ଠିକ ସେମିତି ଚାଲିଛି ଅଲଟ୍ରାସାଉଣ୍ଡ କ୍ଲିନିକରେ ଯଗିବା।
ଆରେ ବାବା ଯିଏ ଚୋରି କରିବ ସେ କଣ ଏତେ ହିସାବ ରଖିବ? ସେ ତ ମିନିଟିକରେ ବିନା ଲେଖାପଢାରେ ଶୋଇବ ଓ ନିଜ କାମଟି କରିନେଇ ଯିବ। ଈଶ୍ୱରଙ୍କୁ ବାଦ ଦେଲେ କେହି କିଛି ଜାଣିବା ଅସମ୍ଭବ। ପ୍ରଶାସନ ଏ ଗଦା ଗଦା 'ଫର୍ମ ଏଫ' ଧରି ଚାଟୁଥାଉ, ଏକଶହ ବତିଶ ଗ୍ରାମରେ ତିନି ମାସରେ ଏକ ବି କନ୍ୟା ଜନ୍ମ ନହେଉ।
ଥରେ ଜଣେ ଓଡ଼ିଆ ଗର୍ଭବତୀ, ଦକ୍ଷିଣ କୋରିଆରେ ହୋଇଥିବା ତାଙ୍କ ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖାଇଲେ। ଦକ୍ଷିଣ କୋରିଆର ସ୍ବାସ୍ଥ୍ୟସେବା ଓ ସାମାଜିକ ସୁରକ୍ଷା ବାବଦରେ ସେ ଯେତେ ସାଧୁବାଦ ଜଣାଉଥିଲେ ତାହା ମୋ ଆଖି ଖୋସିଦେଲା ଓ ହୀନମନ୍ୟତା ଜାଗ୍ରତ କଲା।
ତାଙ୍କ ଅଲଟ୍ରାସାଉଣ୍ଡ ରିପୋର୍ଟରେ ଲିଙ୍ଗ ନିରୂପଣ କରାଯାଇଥିଲା। ଏହା ସେ ଦେଶର ବାଧ୍ୟତାମୂଳକ ନିୟମ। ତେବେ ସେଠାରେ ଲିଙ୍ଗ ନିରୂପଣ କରି ବାପା ଭଗବାନ ଓ ଡାକ୍ତର ଭଗବାନ ମିଶି ବିଜୁଳି କନ୍ୟାକୁ ଶିଳରେ ପିଟନ୍ତି ନାହିଁ। ସମାଜ ସନ୍ତୁଳିତ।
ଏକଦା ଜଣେ ବିଳମ୍ବିତ ବୟସର ବେଶ ଶିକ୍ଷିତ ଦମ୍ପତି ନିୟମିତ ଆସି ଗର୍ଭ ପରୀକ୍ଷା କରୁଥାନ୍ତି। ଚତୁର୍ଥ ମାସପରେ ଆଉ ଦେଖା ମିଳିଲା ନାହିଁ। ଯେହେତୁ ସେ ମାନ୍ୟଗଣ୍ୟ, ବାରିହୋଇଗଲା ତାଙ୍କ ହାଜିରା ନଦେବା। ତାଙ୍କ ପାଖଲୋକ ମୋର ଜଣେ କର୍ମଚାରୀଙ୍କୁ ପଚାରି ବୁଝିଲି। ସେ ଦୂର ଢେଙ୍କାନାଳ ଯାଇ କଂସାସୁର ନାଟକ କରି ସାରିଥିଲେ।
କଥା ହେଉଛି, ସେତେବେଳକୁ ସେ ସରକାରୀ ରେଜିଷ୍ଟ୍ରେସନ ଓ ଟୀକାକରଣ ଆରମ୍ଭ କରିଥିବେ। ଏଣୁ ଏ ଗର୍ଭଟି ହେଲା କଣ? ଏ ବାବଦରେ ତାଙ୍କୁ ଟ୍ରାକ କରି କୈଫିୟତ ତଥା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। କିନ୍ତୁ ସେମିତି ହେବ ନାହିଁ। ଅଭିଯୋଗ ଆଣିବ କିଏ, ବାଡ ଯଦି କ୍ଷେତ ଖାଏ!
ଥରେ ଜଣେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକରୀ ଅଲଟ୍ରାସାଉଣ୍ଡ କ୍ଲିନିକ ଅନୁସନ୍ଧାନରେ ଆସି ବେସରକାରୀ ଭାବେ ନିଜର ରାୟ ଦେଲେ କି ଲିଙ୍ଗ ନିରୂପଣ ଏକ ଦମ୍ପତିର ବ୍ୟକ୍ତିଗତ ଆବଶ୍ୟକତା ଯାହା ପୁରଣ ହେବା ଉଚିତ। ବଡଲୋକୁ ଉତ୍ତର ନାହିଁ।

ଆଉଥରେ ଜଣେ ବିଶିଷ୍ଟ ଡାକ୍ତର ଏକ ସରକାରୀ ଅଲଟ୍ରାସାଉଣ୍ଡ ମାର୍ଗଦର୍ଶନ କର୍ମଶାଳାରେ ନିର୍ଲ୍ଲଜ ଭାବେ ସର୍ବସମ୍ମୁଖରେ ଉଚ୍ଚ ସ୍ବରରେ କହିଲେ ଯେ ଜଣଙ୍କର ଦୁଇଟି ଝିଅ ପରେ ଲିଙ୍ଗ ନିରୂପଣ ଏକ ଆବଶ୍ୟକତା।
ହେ ଭଗବାନ, ଏଠି ସମାଜ ଏକ ପରିବାର ଯାହାର ତତ୍ବାବଧାରକ ଡାକ୍ତର ଓ ସେ ପରିବାରରେ ଝିଅ ଶୂନ୍ୟତା ଯେମିତି, ଝିଅ ମାନଙ୍କୁ ଅବହେଳାର ରକ୍ତ ଶୂନ୍ୟତା ସେମିତି ଓ ଡାକ୍ତରଟି ବେଲଜ୍ୟା ସେମିତି। ବ୍ୟସ୍ତ ହେବାର ନାହିଁ, ସେ ଡାକ୍ତର ବନ୍ଧୁ ୨୦୨୪ରେ ବିଧାୟକ ହେବା ଥୟ।
ଏଠି ଲକ୍ଷେ କଟକଣା, ବାପ ପୁଅ ରାତି ଅନିଦ୍ରା ହୋଇ ଜଗିଛନ୍ତି, ଘୁଙ୍ଗରା ପଛ ମେଲା। ଅଥଚ କୋରିଆରେ ଖୋଲାଖୋଲି ଲିଙ୍ଗ ନିରୂପଣ କିନ୍ତୁ ସମାଜ ସମତୁଲ।
କଥାଟି ସ୍ପଷ୍ଟ ନୁହେଁ କି ସାମାଜିକ ଆଭିମୁଖ୍ୟ ହିଁ ମୂଖ୍ୟ କାରଣ ଆମ ମିଶିଙ୍ଗ ଇଭ ମାନଙ୍କ ପାଇଁ।
ପିସିପିଏନଡିଟି ଆଇନ ପ୍ରଭାବଶୂନ୍ୟ ଓ ମଣିଷର ବିବେକ ବଦଳିବାର ନାହିଁ। ଆମେ କଣ ଏମିତି ଛାଡି ଦେବା ଉପାୟ କିଛି ନାହିଁ!
ଅଛି, ଜରୁର ଅଛି ଓ ସମସ୍ୟା ଯେମିତି ଉତ୍କଟ ଏହା ଯୁଦ୍ଧ କାଳୀନ ଭିତ୍ତିରେ ହେବା ଉଚିତ।
ଲେଖକ ମତରେ। ପ୍ରତି ଗର୍ଭ ପଞ୍ଜିକରଣ ଖୁବ ଶୀଘ୍ର ହେବା ଜରୁରୀ ଓ ପ୍ରୋତ୍ସାହନ ଦେଇ। ସମ୍ଭାବ୍ୟ ଚୋରମାନେ ଜାଣି ଜାଣି ପଞ୍ଜୀକରଣ କରିବେ ନାହିଁ ତ। ଏଣୁ ଶିକ୍ଷିତ(ସପ୍ତମ ପାଶ ବା ଅଧିକ) ବ୍ୟକ୍ତି ଡେରିରେ ପଞ୍ଜିକରଣ କଲେ ତାହାକୁ ଚୋର ବୋଲି ଧରି ନିଆଯିବାର ନିୟମ କରାଯାଉ ଓ ଦଣ୍ଡ ମିଳୁ। ଯିବେ କୁଆଡେ ପୁଅ ବୋଲି ଜାଣିଲେ ପୁଣି ବ୍ୟବସ୍ଥାକୁ ଫେରିବେ ନା ନାହିଁ! ପ୍ରୋତ୍ସାହନ ବନାମ ଦଣ୍ଡ। ଦ୍ବିତୀୟ ପଦକ୍ଷେପ ହେଲା ଥରେ ପଞ୍ଜିକରଣ ହଲେ, ସରକାର ବାଧ୍ୟତାମୂଳକ କୋରିଆ ଭଳି ଲିଙ୍ଗ ନିରୂପଣ କରୁ ଓ ହିସାବ ରଖୁ। କୁଆଡେ ଗଲା ଲଳନା ମୂଳରୁ ଖୋଜାଚାଲୁ।
 ଗର୍ଭଟିଏ, ପୁଣି ଅଧିକ ମାସରେ, ପୁଣି ଶିକ୍ଷିତ ଲୋକ କେବେ ଘରେ ନଷ୍ଟ କରିବେ ନାହିଁ। ଏବଂ ଏହା ପଞ୍ଜିକରଣ ହୋଇଥିଲେ ଏ ପାଇଁ ଖୋଳତାଡ ବି କରି ହେବ; ଗଲା କୁଆଡେ? ଏହାକୁ ଭିତ୍ତି କରି ଅଭିଯୋଗ ନଆସିଲେ ବି, ସରକାର ନିଜେ କୈଫିୟତ ମାଗୁ। ସାବାଡ ହୋଇଯିବେ। ଶିକ୍ଷିତ ଲୋକେ ଲୁଚାଣିଆ ନାନାଦି ଜଘନ୍ୟ ଅପରାଧ କରନ୍ତି। କିନ୍ତୁ ପେଡି ଫିଟିବାର ଥିଲେ ସେମାନଙ୍କ ଭୟ ଅଧିକ।
ଲେଖକର ମତଟି ଯାହା ଚାଲିଛି ତାହାର ବିପରୀତ ମାଲୁମ ପଡୁଛି। ଦ୍ୱିତୀୟ କଥା ହେଲା ଏହା ଜବରଦସ୍ତିଆ ରାଷ୍ଟ୍ରର ବ୍ୟକ୍ତି ଉପରେ ଆକ୍ରମଣ ଭଳି ଜଣା ପଡୁଛି।
ସତ।
କିନ୍ତୁ ଯୁଦ୍ଧକାଳୀନ ଅବସ୍ଥା ଉପସ୍ଥିତ ଓ ଯୁଦ୍ଧର ନିୟମ କଡା। ଦ୍ବିତୀୟ କଥା ହେଲା, ପାଟି ଫିଟି ନଥିବା ମାତୃଗର୍ଭ ଭଳି ଅତି ସୁରକ୍ଷିତ ସ୍ଥାନରେ ଥିବା ନିଷ୍ପାପ କଳିକାର ଜଘନ୍ୟ ହତ୍ୟାରେ ତା ପକ୍ଷ ନେବ କିଏ, ରାଷ୍ଟ୍ର ନିଶ୍ଚିତ।
ଭୟଙ୍କର ସାମାଜିକ ବିଭ୍ରାଟ ପରିଲକ୍ଷିତ ହେଲାଣି, ସାଧାରଣ ସମାଜଟି ଅତିଷ୍ଠ ହେଲାଣି ତଥାପି ହେଜୁନାହିଁ ବ୍ୟକ୍ତି। ସମାଜକୁ ରକ୍ଷା କରିବା ଅଧିକ ଆବଶ୍ୟକ।
ଆଶାକରେ ସୁଖବିନ୍ଦର ଇତି ମଧ୍ୟରେ ସଂସାର କରି ସାରିଥିବ ଓ କନ୍ୟା ଦୁଇଟିର ଲାଳନ ପାଳନ କରୁଥିବ ଦିଲ୍ଲୀର ତା ଦାମୀ ଇଲାକାର ବଡ ଘରେ। ଓ ଦିଲ୍ଲୀର ଦୁହିତା ମାନେ ସୁରକ୍ଷିତ ଥିବେ।

Tuesday 23 July 2019

Two Wishes. By Khalil Gibran, ଦୁଇ ପ୍ରାର୍ଥନା। ଅନୁସୃଜନ, ରବିନାରାୟଣ ସେନାପତି।

ଦୁଇ ପ୍ରାର୍ଥନା।
Two Wishes. By Khalil Gibran, 
ଅନୁସୃଜନ, ରବିନାରାୟଣ ସେନାପତି।

ରାତ୍ରର ଗଭୀର ନିଶବ୍ଦ ପ୍ରହରେ, ସ୍ବର୍ଗଲୋକୁ ଅବତରି ଆସିଲେ ମୃତ୍ୟୁର ଦେବତା ଯମରାଜ। ନଗରୀ ଉପରେ ବିଚରଣମାନ ତାଙ୍କ ନଜର ଭେଦିଗଲା ପ୍ରତି ପୁର ଓ କୁଟୀର। କେହୁ ଥିଲେ ସ୍ବପ୍ନେ ମସଗୁଲ ଅବା କେହୁ ସମର୍ପିତ ଗଭୀର ନିଦ୍ରାରେ। 
ଯେବେ ଶଶୀ ଡୁବିଗଲେ ନିମ୍ନ ଦିଗ୍'ବଳୟେ ଓ ନଗରୀ ଲଭିଲା ଘନକଳା ଅନ୍ଧକାର, ସନ୍ତର୍ପଣେ ନିଶବ୍ଦେ ଚଳିଲେ ମୃତ୍ୟୁଦେବ ଗୃହମାନଙ୍କରେ, -ସତର୍କ ସେ ସ୍ପର୍ଶ କାରେ ନହୁଏ ଯେସନ- ତଦ୍'ଯାବତ, ଯେବେ ସେ ପହଞ୍ଚିଲେ ଏକ ବିଶାଳ ପ୍ରାସାଦେ। ଶକ୍ତ କିଳିନି ମୁଦା ଫାଟକ, ଅଖୋଲା ରହିଲା ସେମିତି। କିନ୍ତୁ ଦେବ ପହଞ୍ଚିଲେ ଗୃହସ୍ବାମୀ ଶଯ୍ୟାର ପାର୍ଶ୍ବରେ ଏବଂ ଛୁଇଁ ଦେଲେ କପାଳ ତାଙ୍କର। 
ନିଦ୍ରା ଗଲା ଅପସରି, ସେ ଦିଶିଲେ ଭୟେ ଥରହର। 

ସମ୍ମୁଖରେ ଦେଖି ମୃତ୍ୟୁ ଭୟ, ବହୁକଷ୍ଟେ ସଂଗ୍ରହ କଲେ, ଭୟ ଓ କ୍ରୋଧ ମିଶା କ୍ଷୀଣ ଏକ ସ୍ବର। ଏବଂ କହିଲେ, " ଘୁଞ୍ଚି ଯାଅ, ହେ ଭୟଙ୍କର ଦୁଃସ୍ବପ୍ନ; ଛାଡିଦିଅ ମୋତେ ଘାତକ ପିଶାଚ। କିଏ ତୁମ୍ଭେ? କିପରି ପ୍ରବେଶିଲ ମୋର ଏହି ପୁରେ? କି ଚାହଁ ତୁମ୍ଭେ? ଦୂର୍ ହୁଅ ତୁରନ୍ତ, ନଚେତ ଡାକିବି ମୁଁ ଦାସ ଜଗୁଆଳ, ମୋ ଆଦେଶେ ହତ୍ୟା ବି କରିବେ ତୁମ୍ଭଙ୍କୁ!"
 
ଅତଃପର ମୃତ୍ୟୁଦେବ ବଜ୍ର ଗମ୍ଭୀର ବାଣି ନରମେ କହିଲେ, "ମୁଁ ଯମ। ଉତିଷ୍ଠ ମଥାନତ କର!"
  ମନୁଷ୍ୟ କହିଲେ, "କ'ଣ ଚାହାନ୍ତି ଆପଣ? କମ୍ପାଇଁ ଆସିଛ ଏଠାକୁ ଯେବେ ମୋର କାର୍ଯ୍ୟ ସରିନାହିଁ? ବଳଶାଳୀ ମୋ ଶରୀରେ କି ତୃଟି ଦେଖିଲେ ଅବା? ଯାଅ କେଉଁ ଦୁର୍ବଳ ସମୀପେ, ଘେନିଯାଅ ତାରେ।"

 "ହୁଁ, ଅସହ୍ୟ ତୁମ୍ଭର ଏ ରକ୍ତ ରଞିତ ହସ୍ତ ଯୁଗଳ ଓ ଫମ୍ପା ବଦନ, ପୁଣି ଏ ବଳୟିତ ପିଞ୍ଜରା ମାତ୍ର ତନୁ ତବ ଦିଶେ ଏକ ମୃତ ପିଣ୍ଡ ସମ।” 
ନିମିଷେ ହୃଦୟଙ୍ଗମ ହେଲା ମନୁଷ୍ୟର, ଯୋଡହସ୍ତେ ହେଲେ ଅନୁନୟ, " ନୁହେଁ ଆଜ୍ଞା, ଓ ଦୟାବନ୍ତ ଯମରାଜ! ନଘେନ ମୋ ତୃଟି ବାରେ, ଭୟ କହି ପକାଏ ଅବିବେକୀ ଅନନୁମୋଦିତ କଥା ଯେତେ। ଘେନି ନିଅ ଅପର୍ଯ୍ୟାପ୍ତ ସ୍ବର୍ଣ୍ଣ ଅବା ପୁଳାଏ ମୋ ଦାସଙ୍କ ଜୀବନ, କିନ୍ତୁ ନିସ୍ତାର ଦିଅ ମୋରେ। ଅନେକ ହିସାବ କିତାବ ବାକି ଅଛି ଏ ଜୀବନେ; ଅନାଦାୟ ବହୁ ଜନୁ ବହୁତ ସୁବର୍ଣ୍ଣ; ମୋ ଜାହାଜ ମାନ, ପୋତାଶ୍ରୟେ ପହଞ୍ଚି ନାହାନ୍ତି; ଘେନ ଏ ବିନତି, ନଘେନ ମମ ଜୀବନ, ଆହେ ମୃତ୍ୟୁଦେବ! ରାଣୀ ହଂସପୁରେ ଅଛନ୍ତି ମୋ ନୈସର୍ଗିକ ସୁନ୍ଦରୀ ଅନେକ; ଯାହାକୁ ବାଛିବ, ତାଙ୍କୁ ଦେବି ଉପହାର ସୂତ୍ରେ। ଧ୍ୟାନ ଦେଇ ଶୁଣ ହେ ଦେବତା- କିନ୍ତୁ ମୋର ଅଛି ପ୍ରାଣପ୍ରିୟ ଏକ ହିଁ ସନ୍ତାନ, ଏ ଜୀବନେ ମାତ୍ରେକ ଆନନ୍ଦ। ତାକୁ ବି ପ୍ରସ୍ତୁତ ମୁଁ ଦେବି ତୁମ୍ଭ ହସ୍ତେ- ଗ୍ରହଣ କର ତାହାକୁ, କିନ୍ତୁ ମୋତେ ଦିଅ ଛାଡି!"  
 ଯମରାଜ ଉବାଚ, “ ନୁହେଁ ତୁମ୍ଭେ ଧନୀ ଅଟ ନିଃସ୍ବ କାଙ୍ଗାଳ।"
ଅତଃପର ଧରିଲେ ହସ୍ତ ସେ ନୀଚ୍ଚ ମନୁଷ୍ୟର, ବାନ୍ଧିନେଲେ ଶରୀରରୁ ପ୍ରାଣ, ଦୂତୀଙ୍କୁ ଧରାଇ ଦେଲେକ ନିର୍ଦ୍ଦେଶ, ଭଲ ଭାବେ ମାର୍ଜନା କର ଯେ ଏହାକୁ!
 ଏଥୁଅନ୍ତେ ମୃତ୍ୟୁଦେବ ମନ୍ଥରେ ଚଳିଲେ, ଗରୀବ ବସ୍ତିମଧ୍ୟର ଜୀର୍ଣ୍ଣତମ ଗୃହେ ପ୍ରବେଶିଲେ। ଶଯ୍ୟାରେ ଶାୟିତ ଏକ ରୁଗ୍ଣ ଯୁବକ।
ମୃତ୍ୟୁ ତାଙ୍କ ନୟନ ସ୍ପର୍ଶ କଲେ; ଚମକି ପଡିଲା ଯୁବା, ଦେଖି ପାର୍ଶ୍ବେ ମୃତ୍ୟୁର ଦେବତା, ଆସ୍ଥା ଓ ଆନନ୍ଦର ମୃଦୁ ସ୍ବରେ ସେ କହିଲା,"ହେ କମନୀୟ ଦେବପ୍ରତିମ, ମୁଁ ପ୍ରସ୍ତୁତ। ମୋ ଆତ୍ମାକୁ ଘେନିଯାଅ, କାରଣ ତୁମେ ହିଁ ମୋ କେତେ ସ୍ବପ୍ନର ଆଶା। ଆସନ୍ତୁ, ସେ ସ୍ବପ୍ନ ମାନଙ୍କୁ ସହଯୋଗ ଦିଅନ୍ତୁ! ହେ ମୃତ୍ୟୁ ପ୍ରିୟତମ, ବାହୁପାଶେ ଆବଦ୍ଧ କର ମୋତେ! ତୁମ୍ଭେ ଦୟାବନ୍ତ; ତ୍ୟାଗ କରନାହିଁ ମୋତେ। ତୁମେ ଈଶ୍ବର ପ୍ରେରିତ ମର୍ତ୍ତ୍ୟେ ଦେବଦୂତ, ପହଞ୍ଚାଇ ଦେବ ମୋତେ ତାଙ୍କଠାରେ। ତୁମ୍ଭେ ସତ୍ୟର ଦକ୍ଷିଣ ହସ୍ତ, ଦୟାର ହୃଦୟ; କରନାହିଁ ଅବହେଳା ମୋ କ୍ଷେତ୍ରରେ।
ମୁଁ ତୁମ୍ଭକୁ ଅନେକ ଗୁହାରି କଲି, କିନ୍ତୁ ତୁମ୍ଭେ ଆସିଲନି; ଖୋଜିଲି ଅନେକ, କିନ୍ତୁ ତୁମ୍ଭେ ଅଣଦେଖା କଲ; ନଶୁଣିଲ ଡାକିଲି ଅନେକ।
ଏବେ କିନ୍ତୁ ଅବଶ୍ୟ ଶୁଣିବ- ଆଲିଙ୍ଗନେ ନିଅ ମୋର ଆତ୍ମା, ହେ ପ୍ରିୟତମ ଯମରାଜ!"
ଜନ୍ତୁରାଣ ନରମାଇ ହସ୍ତ, ରଖିଲେ ତାହାର ସ୍ପନ୍ଦିତ ଅଧରେ, ସଯତ୍ନେ ସଂଗ୍ରହ କଲେ ଦିବ୍ୟ ପ୍ରାଣ ତାର, ପୁଣି ନେଇ ରଖିଲେ ତାହାକୁ ସବୁଠୁ ନିରାପଦ ଆପଣାର ପକ୍ଷତଳେ।
 ସ୍ବର୍ଗଲୋକେ ପ୍ରସ୍ଥାନର କାଳେ, ଯମରାଜ ମୃଦୁସ୍ବରେ ଦେଲେ ଚେତାବନୀ: “କେବଳ ସେ ଯାଏ ଦିବ୍ୟ ଦେଶେ, ଯେ ମର୍ତ୍ତ୍ୟେ ଦିବ୍ୟତାକୁ ଅନ୍ବେଷଣ କରେ।"

Wednesday 17 July 2019

Short Stories And Memoirs: ଏକ ବିଶେଷ ପ୍ରାତଃ ଭୋଜନ ।

Short Stories And Memoirs: ଏକ ବିଶେଷ ପ୍ରାତଃ ଭୋଜନ ।: ଏକ ବିଶେଷ ପ୍ରାତଃ ଭୋଜନ । ଅବନ୍ତିପୁର ଦିନେ ଥିଲା ସୁବିଶାଳ ଗଡଜାତ , ବେଶ ମର୍ଯ୍ୟାଦାବନ୍ତ । ଓଡିଆ ନବ ଜାଗରଣରେ ରାଜା ତ୍ରିବିକ୍ରମଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ ।...

ଏକ ବିଶେଷ ପ୍ରାତଃ ଭୋଜନ ।


ଏକ ବିଶେଷ ପ୍ରାତଃ ଭୋଜନ ।
ଅବନ୍ତିପୁର ଦିନେ ଥିଲା ସୁବିଶାଳ ଗଡଜାତ, ବେଶ ମର୍ଯ୍ୟାଦାବନ୍ତ । ଓଡିଆ ନବ ଜାଗରଣରେ ରାଜା ତ୍ରିବିକ୍ରମଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ଲୋକହିତରେ ବ୍ରତୀ ରାଜା, ସ୍ୱାଧୀନତା ପରେ ସ୍ୱଭାବିକ ସାମିଲ୍ ହେଲେ ରାଜନୀତିରେ । ସାହିତ୍ୟ ତାଙ୍କ ଅନ୍ୟ ଏକ ବ୍ୟାକୁଳତା, କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଅନଗ୍ରସର ରହି କେବେ କେବେ ମାନସିକ ଉଦ୍ବେଳନ ଭାବେ ପ୍ରକାଶ ପାଉଥିଲା । ଯୁବରାଜ ବିଶ୍ୱବିକ୍ରମ, ସେହିଗୋଟିକର ଉପାସକ, ଜଣେ ବିଦ୍ୱାନ ଓ ବିଶିଷ୍ଟ ସାହିତ୍ୟ ସାଧକ । ରାଜନୀତି ଓ କ୍ଷମତାରେ ନିରାସକ୍ତ ଓ ନିର୍ଲିପ୍ତ । ଏ ଶୂନ୍ୟସ୍ଥାନ ପୂରଣ କରିଥାନ୍ତି ଯୁବରାଣୀ ।
ଅନେକ ବର୍ଷ କଟିଯାଏ । ବୟସାଧିକ କାରଣରୁ ରାଜା ଅବସର ନିଅନ୍ତି । ଅନୁଗତ ସାଧାରଣ ଜନତାଙ୍କ ସୁଖଦୁଖଃରେ ସାମିଲ ହେବାରେ ଯୁବରାଣୀ ଆଦୌ ଅବହେଳା କରୁନଥାନ୍ତି । ଦରବାର ସବୁ ସନ୍ଧ୍ୟାରେ ବସୁଥାଏ । ଯଥା ସମ୍ଭବ ଜନତାଙ୍କ ବିଭିନ୍ନ ସମସ୍ୟା ଲାଘବ କରିବା ପାଇଁ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଯୁବରାଣୀଙ୍କୁ ଦେଖିବାକୁ ମିଳୁଥାଏ ।
ଜନସାଧାରଣ ପରସ୍ପର କୁହାକୁହି ହେଉଥାନ୍ତି, କିଏ କହିପାରିବ, ଅନ୍ୟଥା ଅସୂର୍ଯ୍ୟଂସ୍ପର୍ଶ୍ୟା ଏହି ଉଗ୍ର ଆଧୁନିକା ଯୁବତୀ, ରାଜାଘର ମର୍ଯ୍ୟାଦା ଅବମାନନା କରି ବୋମ୍ବେ ପଳାଇ ଯାଇଥିଲେ ସିନେମାରେ କାମ ଖୋଜିବା ପାଇଁ । ଯେତେହେଲେ ରାଜଜେମା ଓ ରାଜବଧୂ, ଆଭିଜ୍ୟାତ କି ବୃଥାଯାଏ । ଫେରି ଆସିଲେ ନା, ନାହିଁ? ଏମିତି ଅନେକ ଅନୁକୁଳ ମନ୍ତବ୍ୟ କିନ୍ତୁ ଯୁବରାଣୀଙ୍କୁ ନିର୍ବାଚନରେ ବିଜୟୀ କରି ପାରିନଥାଏ । ଏ ପରିଭାଷା ଥିଲା ଦରବାର ଅନୁଗତ ମାନଙ୍କର ।
ବିପକ୍ଷ, ତାଙ୍କ ବାବଦରେ ବହୁତ ଅରୁଚିକର ଓ ନିମ୍ନମାନର ଆଲୋଚନା କରୁଥିଲେ ତାଙ୍କ ବିଗତ ଜୀବନକୁ ନେଇ । ସେ କିନ୍ତୁ ହତୋତ୍ସାହିତ ନହୋଇ ସାକାରତ୍ମକ ଭାବେ ଅତ୍ୟଧିକ କ୍ରୀୟାଶୀଳ ହୋଇ ପଡିଥାନ୍ତି । ରାଜନୀତି ଓ କ୍ଷମତା ଏକ ସୁମଧୁର ନିଶା, ସହଜେ ଛାଡିବାର ନୁହେଁ ।
ଅବନ୍ତିପୁର କିନ୍ତୁ ଜିଲ୍ଲା ମୂଖ୍ୟାଳୟ ନୁହେଁ ।
ପ୍ରଜାପାଳକ ରାଜା ବହୁ ପୂର୍ବରୁ ଅବନ୍ତିପୁରରେ ସ୍ଥାପନ କରିଥିଲେ ଏକ ଚିକିତ୍ସାଳୟ, ତାହା ଉନ୍ନୀତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରୂପେ ସୁଚାରୁ ରୂପେ କାର୍ଯ୍ୟ କରୁଥାଏ ଦକ୍ଷ ଅଧିକାରୀ ଡା ଦେବରାଜ ପତି ମହାଶୟଙ୍କ ନିଷ୍ଠାପର ଉଦ୍ୟମରେ । ତଥାପି କିଛି ରାଜକୀୟ ଛାପ ଇମାରତ ମାନଙ୍କରେ ରହିଯାଇଥାଏ ଗତ ଶତାବ୍ଦୀର ଶେଷ ଦଶକ ପର୍ଯ୍ୟନ୍ତ । ମହାଶୟଙ୍କ ପରିଚିତି, ‘ବଡଡାକ୍ତର। ତାଙ୍କ ପାଖକୁ ବହୁ ପ୍ରଜାଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଯୁବରାଣୀ ଚାଲି ଆସନ୍ତି । ଅଧସ୍ତନ ଡାକ୍ତର ମାନଙ୍କୁ ଯୁବରାଣୀ ଯେତିକି ହେୟଜ୍ଞାନ କରନ୍ତି, ବଡଡାକ୍ତର ସେତିକି ଭରସା କରାନ୍ତି ।
ହଠାତ ଅବନ୍ତିପୁରରେ ଚହଳ ପଡିଗଲା, ସ୍ଥାନୀୟ ଏକ ବେସରକାରୀ ଡାକ୍ତରଖାନାରେ ଜଣେ ଏଚ.ଆଇ.ଭି ରୋଗୀ ଚିହ୍ନଟ ହୋଇଛନ୍ତି । ସେତେବେଳେ ଯଦିଓ ରୋଗ ବାବଦରେ ସଠିକ ବିଧିବ୍ୟବସ୍ଥା ପ୍ରଚଳିତ ହୋଇନଥାଏ ତେବେ ସାଧାରଣ ଜ୍ଞାନ ଓ ଡାକ୍ତରୀ ପେଶାର ଆଚାର ସଂହିତା ବିଚାରରେ ଏକଥା ପ୍ରଘଟ କରିବା ଅତ୍ୟନ୍ତ ନିନ୍ଦନୀୟ ବ୍ୟାପାର ଥିଲା । ସମାଜକୁ ରକ୍ଷାକରିବାର କର୍ତ୍ତବ୍ୟ ଭାବରେ ଏହାର ଆବଶ୍ୟକତା ନଥିଲା; ଏହାତ ନଦୀ ନାଳ, ପବନ, ଭୋଜନାଳୟ କିମ୍ବା ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରୁ ବ୍ୟାପିବାର ନାହିଁ । ଏ ରୋଗ ନବ୍ୟାପିବାର ଉପାୟମାନ କିନ୍ତୁ ବେଶ୍ ପ୍ରଚାରିତ ହୋଇ ସାରିଥିଲା । ଅଯଥା ସମାଜରେ କୋକୁଆ ଭୟ ସୃଷ୍ଟିହେଲା । ରୋଗୀ ଆଉଥରେ ଉଚ୍ଚତ୍ତର ପରୀକ୍ଷା ପାଇଁ ରକ୍ତ ଦେଲାପରେ, କେଉଁଆଡେ ଲୁଚି ପଳାଇଲା । ସାଧାରଣ ନିଦାନରେ ସାବ୍ୟସ୍ତ ହୋଇଥିବା ରୋଗଟି, ସିଦ୍ଧାନ୍ତିକ ନୂତନ ପରୀକ୍ଷାରେ ଭୁଲ୍ ପ୍ରମାଣିତ ହେଲା ।
ଅକାରଣେ ଅନର୍ଥ ।
ହଠାତ୍ ଦିନେ ବିଚଳିତ ଯୁବରାଣୀ ଆସି କହିଲେ, ତାଙ୍କ ସ୍ୱପ୍ନରେ ଅବନ୍ତିପୁର ଶ୍ମଶାନ ହୋଇଯାଇଛି । ରୋଗଟି ମହାମାରୀ ଆକାର ଧାରଣ କରିଛି ଏବଂ ସବ୍ଚେକ୍ଟ ମାନଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟର ଦ୍ୱାହି ଦେଇ, ଜିଦ୍ କଲେ ଏକ ଉଚ୍ଚସ୍ତରୀୟ ଆଲୋଚନା କର୍ମଶାଳାର ଆୟୋଜନ ପାଇଁ ।
ଅବନ୍ତିପୁରରେ ଶୀଘ୍ରହେଲା ଏକ ବିଶେଷ ସଭା । ସହରର ସଭା ପ୍ରେକ୍ଷାଳୟର ଏକ ଅଣ୍ଡାକୃତି ମେଜ ଚାରିକଡେ ଆସନ ଗ୍ରହଣ କରିଥାନ୍ତି; ଜିଲ୍ଲାପାଳ, ମୂଖ୍ୟ ଚିକିତ୍ସାଧିକାରୀ, ବିଧାୟକ, ସମସ୍ତ ଡାକ୍ତର, ମାନ୍ୟଗଣ୍ୟ ବ୍ୟକ୍ତି ହିସାବରେ ଅବନ୍ତିପୁର ବନପାଳ, ରାଜଧାନୀରୁ ଜଣେ ସ୍ୱାସ୍ଥ୍ୟ ସହ-ନିର୍ଦ୍ଦେଶକ, ସାମାଜିକ ପ୍ରତିଶେଧକ ବିଭାଗର ପ୍ରାଧ୍ୟାପକ, ସ୍ଥାନୀୟ ସାମ୍ବାଦିକ ବୃନ୍ଦ, କିଛି ସ୍ୱେଛାସେବୀ ସଂସ୍ଥାର ପ୍ରତିନିଧି ଓ ସର୍ବୋପରି ଯୁବରାଣୀ । 
  ବିଧାୟକ ମହାଶୟ ସଭାପତି ଆସନ ଅଳଙ୍କୃତ କରି ସଭାକାର୍ଯ୍ୟ ଆରମ୍ଭ କଲେ ଏକ ହାସ୍ୟୋଦ୍ଦିପକ ତୃଟିରୁ । ସଭାଟି ଆୟୋଜନରେ ତାଙ୍କର ଭୂମିକା ଶୂନ୍ୟ ହୋଇଥିଲେ ମଧ୍ୟ ସେ କହି ପକାଇଲେ ଯେ ତାଙ୍କଠୁ ସୂଚନା ପାଇଲାକ୍ଷଣି, ଲୋକାଭିମୂଖୀ ମୂଖ୍ୟମନ୍ତ୍ରୀଙ୍କ ତୁରନ୍ତ ପଦକ୍ଷେପ ଏ ସଭା । ବିଧାୟକ ସଭାର ଶୀର୍ଷକ ଏଚ.ଆଇ.ଭି ଓ ଏଡ୍ସଉପରେ ନଜର ପକାଇ କହି ପକାଇଲେ, “ଆପଣ ମାନେ ଏଚ.ଆଇ.ଭି କରିଚାଲନ୍ତୁ ସରକାର ଯେତେ ଦରକାର ସେତେ ଏଡ୍ସ ଦେଇ ଚାଲିବ ।
ଯୁବ ଡାକ୍ତର ସୁଧୀର ନିଜର ହସକୁ ନିୟନ୍ତ୍ରଣ କରି ପାରିଲେନି ଓ ଏହା ସଭାଟିକୁ ସଂକ୍ରମିତ କରି ପକାଇଲା । ଖୋଦ ବିଧାୟକ, ଉଦାର ଚିତ୍ତରେ ହସିଦେଇ ତୃଟି ସୁଧାରି କହିଲେ, “ସରି ସରି, ମୁଁ କଣ ମନେ କରୁଥିଲି କି, “ଆପଣ ମାନେ ଏଚ.ଆଇ.ଭି ନିୟନ୍ତ୍ରଣ କରିଚାଲନ୍ତୁ ସରକାର ଯେତେ ଦରକାର ସେତେ ଏଡ୍ସ ଦେଇ ଚାଲିବେ ।”(ସେ ସମୟରେ ଏଡ୍ସ ଶବ୍ଦ ଏତେ ପ୍ରଚଳିତ ହୋଇ ନଥାଏ)
ପୁଣି ହାସ୍ୟରୋଳ ବ୍ୟାପକରୁ ବ୍ୟାପକତର କଲେ ବନପାଳ, ଜିଲ୍ଲାପାଳ, ସାମ୍ବାଦିକ ଅରୁଣ ଓ ବିଧାୟକଙ୍କ ଅନ୍ୟତମ ବିରୋଧୀ ସ୍ୱେଛାସେବୀ ଭିକାରି ବିଶ୍ୱ । କିଛି ସଭାସଦ ତୃଟିର ମର୍ମ ବୁଝିବା ପରେ ତୃତୀୟବାର ହସିଲେ । ମିଥ୍ୟାଚାରରେ ସଭାର ଶ୍ରେୟ ବିଧାୟକ ନେଇଯାଉଥିବାରେ କ୍ରୋଧିତ ଯୁବରାଣୀ, ସେମାନଙ୍କ ସହ ସାମିଲ୍ ହୋଇ ପଡିଲେ । ରାଗରେ ଲାଲ୍ ମୁଁହ ଏବେ ଟିକେ ପ୍ରଶମିତ ହେଲା, ସେ ଦେଖାଗଲେ ଗୋଲାପୀ ।
ଅସହାୟ ବିଧାୟକ ତୃଟି ସୁଧାରିବା ଉଦ୍ୟମରୁ ବିରତ ହୋଇ, ଚିରାଚରିତ ରାଜନୈତିକ ଅଜରତାରେ କଥା ଆଗକୁ ବଢାଇ ନେଲେ ଓ ସଭା ସୁରୁଖୁରୁରେ ଚାଲିଲା ।
ଏବେ ଜିଲ୍ଲାପାଳ ଉଠିଲେ । ଏ ସେହି ଜିଲ୍ଲାପାଳ ଯେ ଦିନେ ସୁଧୀରଙ୍କୁ ତିରିଶ ମାଇଲ ଦୂର ସାନଅବନ୍ତି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅତର୍ଛିଆ ଡେପୁଟେସନ୍ କରାଇ ନେଇଥିଲେ, ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଚାପ ପକାଇ । କେବଳ ସେତିକି ନୁହେଁ, ଦିନେ ସେଠିକାର ସର୍କିଟ ହାଉସକୁ ପିଆଦା ପଠାଇ ଡକାଇ ନେଲେ; କଣ ନା ଜ୍ୱର ହୋଇଛି । ସେଦିନ ବହୁପୃଥୁଳ ଜିଲ୍ଲାଜଜ୍ ମହାଶୟ ଥାଆନ୍ତି ସେଠି । ଉଭୟ ଉଚ୍ଚ ପଦସ୍ଥ ବ୍ୟକ୍ତି କେଉଁ ବ୍ରାଣ୍ଡର ମଦ ପିଇ କେତେ ସେଟ୍ ଟେନିସ ଖେଳିଲେ ସର୍ଦ୍ଦି ଛାଡିଯାଏ ସ୍ଥିର କରୁ କରୁ ଆଲୋଚନା ମଧ୍ୟକୁ ପଶି ଆସିଲେ ଷ୍ଟେଫି ଗ୍ରାଫ୍, ଗ୍ରାବିଏଲା ସାବାତିନି, ମାର୍ଟିନା ନାଭ୍ରାତିଲୋଭା, ମୋନିକା ସେଲେସ୍ ଓ ଅନ୍ୟାନ୍ୟ ମହିଳା ଖେଳାଳି । ଆଲୋଚନା ଚାଲୁରହିଲା, ସାମ୍ନାରେ ଶିଶୁକଲ୍ୟାଣ ବିଭାଗର ଅନେକ ମହିଳାଙ୍କ ଉପସ୍ଥିତି ସେମାନେ ଭୁଲି ଯାଇଥିଲେ କିମ୍ବା ସେ ପାଇଁ ଉତ୍ସାହିତ ହେଉଥିଲେ କହି ହେବ ନାହିଁ । ଭୋକିଲା ସୁଧୀର ଭାବୁଥିଲେ, ଟେନିସ ତ ପୁଚି ଖେଳ ନୁହେଁ ଯେ ଏମାନେ ଖାଲି ମହିଳା ଖେଳାଳି ଦେଖିଛନ୍ତି । ସୁଧୀରଙ୍କୁ ସବୁଠୁ ମଜାଦାର ଲାଗୁଥିଲା ଏ ବହୁପୃଥୁଳ ଜଜ୍, ଯାହାଙ୍କ ପାଇଁ ଦଶଫୁଟ ଚାଲିବା କଷ୍ଟ, ସେ ପୁଣି ଟେନିସ ଖେଳିବା କଥା କହୁଥିଲେ । ଜାଣି ଅତ୍ୟଧିକ କଷ୍ଟ ଲାଗିଥିଲା ଯେ ଜିଲ୍ଲାପାଳ ମହୋଦୟଙ୍କ ଅସଲ ଉଦ୍ଦେଶ୍ୟ ଥିଲା ସୁଧୀର ସେ ସ୍ଥାନକୁ ଆସୁଛନ୍ତି ନା ନାହିଁ ପରଖିବା । ବହୁ ସମୟ ପରେ ତାଙ୍କୁ ମୁକ୍ତ କରାଗଲା ସିନା ଆଉ ଭୋଜନ ମିଳିଲାନି; ଗ୍ରାମକୁ ବଡ, ସହରକୁ ଛୋଟ, ସାନଅବନ୍ତିର କତିପୟ ଲଘୁ ଭୋଜନାଳୟରେ । ସୁଧୀର ପରଦିନ ଅସୁସ୍ଥତା କାରଣରୁ ଛୁଟି ଅର୍ଜି ପଠାଇ ଦେଇ ଆଉ ଥରେ ବି ଗଲେନି ସାନଅବନ୍ତି । ଏସବୁ କଥା ଭାବୁ ଭାବୁ ମହାଶୟଙ୍କ କ୍ଷୁଦ୍ର ଭାଷଣ ସମାପ୍ତ ହୋଇଯାଇଥିଲା
ସୁଧୀର କିଛି ଶୁଣିପାରିଲେ ନାହିଁ ।
ଯୁବରାଣୀ ଏବେ ଉଠିଲେ । ସେ ମଧ୍ୟ ସାବ୍ୟସ୍ତ କରିବାକୁ ଲାଗିଲେ, ଏ ସଭା ତାଙ୍କ ମର୍ମବେଦନାର ପ୍ରତିଫଳନ । ତାଙ୍କ ସ୍ୱପ୍ନ ବୃତ୍ତାନ୍ତ କହିଲେ, କିପରି ସେ ଦେଖିଛନ୍ତି ଏ ଗଡ ଶ୍ମଶାନରେ ପରିଣତ ହୋଇଯାଇଛି, ଲୋକେ ଭୟରେ ମଢକୁ ଛୁଉଁ ନାହାନ୍ତି ଚାରିଆଡ ପୁତିଗନ୍ଧମୟ । ଅବଶ୍ୟ ସେ ବି ସମ୍ବେଦନ ସମ୍ବରଣ କରି ସରକାରଙ୍କ ଅପାରଗତା ଯୋଗୁଁ ରୋଗ ବଢୁଛି ଦିଗକୁ କଥା ମୋଡିଲେ । ଶିକ୍ଷା, ସଚେତନତା, କଣ୍ଡୋମର ବ୍ୟାପକ ପ୍ରସାର, ଏଚ୍.ଆଇ.ଭି ଟୀକାକରଣ ଓ ଆଉ ଅନେକ ଉପଦେଶ ଦେଇଚାଲୁଥିବା ବେଳେ; ତାଙ୍କ ବିରୋଧୀ ଓ ବିଧାୟକଙ୍କ ବିରୋଧୀ, ଟାଣୁଆ ଦଳିତ ଯୁବନେତା ତଥା ସ୍ୱେଛାସେବୀ ଭିକାରି ବିଶ୍ୱ ନାତିସ୍ୱଳ୍ପ ଗଳାରେ କହିବାର ଶୁଣାଗଲା, “ୟାଙ୍କର ଏ ରୋଗକୁ ଏତେ ଭୟ କିଆଁ, କାଇଁ ଆମେ ତ ଚିନ୍ତା କରୁନୁ! ଆଜି ପର୍ଯ୍ୟନ୍ତ ମ୍ୟାଲେରିଆ ଟୀକା ମିଳିଲାନି, ଣ ନା ଏଚ୍.ଆଇ.ଭି ଟୀକା! ମନେ ମନେ ଅତି ପଣ୍ଡିତିଆଣୀ!
ଭିକାରି ବିଶ୍ୱ, ଦୁର୍ଦ୍ଦାନ୍ତ ସାବ୍ୟସ୍ତ୍ୟ ହୋଇ ସାରିଥାନ୍ତି । ସ୍ଥାନୀୟ ଜଣେ ବୟସ୍କ ଅଫିସରଙ୍କୁ ଅନ୍ଧାର ରାସ୍ତାରେ ଗାଡି ଅଟକାଇ ଧୁମ ପିଟିଲେ, ପୁଣି ତାଙ୍କ ନାମରେ ଓଲଟି ଦଳିତ ଦଳନ କେଶ୍ ଦାୟାର କଲେ । ସ୍ୱଭାବିକ୍ ଭାବେ, ତାଙ୍କ ବକ୍ତବ୍ୟ ସୁଧୀର ତଥା ନିକଟରେ ବସିଥିବା ବନପାଳଙ୍କୁ ଅତି ଅନୁଚିତ ମନେହେଲା । ବନପାଳଙ୍କ ଚାହାଣିରେ ଥିଲା ତାତ୍ପର୍ଯ୍ୟପୂର୍ଣ୍ଣ ଧମକ ।
ବନପାଳ କାହିଁକି ଡରିବେ ଯେ, ସେ ତ ନିଜେ ଜଣେ ଦଳିତ । ବେଶ୍ ଚଇନି ଚିକ୍କଣ ଅବିବାହିତ, ସଦ୍ୟ ନିଯୁକ୍ତ ଯୁବକ । ତାଙ୍କ ବିଫଳ ପ୍ରେମ କାହାଣୀ ଓ ଉଚ୍ଚଜାତିର ପ୍ରେମିକାଙ୍କ ସୌନ୍ଦର୍ଯ୍ୟ, ଅବନ୍ତିପୁରରେ ଖୁବ୍ ଚର୍ଚ୍ଚା ହେଉଥାଏ । ଅବଶ୍ୟ ଅନିନ୍ଦ୍ୟସୁନ୍ଦରୀ ସେହି ଯୁବତୀ, ଖୁବ ସୁଖରେ କୁନି ସନ୍ତାନ ସହ ସାଧାରଣ ପରିବାରରେ ସ୍ୱାମୀ ସୁହାଗିନୀ ହୋଇ ସେହି ସହରରେ ଥାଆନ୍ତି । ସୁଧୀର ଏକଥା ଜାଣନ୍ତି କାରଣ ସ୍ୱାମୀଟି ତାଙ୍କ ସାଙ୍ଗ । ସେ ଖୁବ୍ ଉଚ୍ଚମନା, ଏମିତି ସ୍ତ୍ରୀ ତାଙ୍କର ଭାଗ୍ୟ ମନେ କରନ୍ତି । ବନପାଳଙ୍କ ଅନେକ ଅବିମୃଷ୍ୟକାରିତାର ଫୋନ କଲ ସେମାନଙ୍କ ଦାମ୍ପତ୍ତ୍ୟରେ ମୃଦୁ ସ୍ପର୍ଷ କରି ଫେରିଆସେ ସିନା କ୍ଷତି କରିପାରେନା । ଏ ନେଇ ସେମାନଙ୍କର କୌଣସି ଅଭିଯୋଗ ନଥାଏ । ବେଶ୍ ଉଦାର ହୃଦୟରେ ଉଭୟ କୁହନ୍ତି, ବିଚରାର ଦୋଶ କଣ । ଏମିତି କେତେ ଦିନ ଆଉ! ବଳେ ଚୁପ୍ ପଡିବନି । କିମ୍ବା ସେମାନଙ୍କର ବଦଳି ହୋଇଯିବନି କି?
ବାଃ ରେ ମହାତ୍ମା!
ଏବେ ଇଂରାଜୀ ଖବର କାଗଜ ଟାଇମ୍ସର ଯୁବ ସାମ୍ବାଦିକ ତଥା ପ୍ରେସକ୍ଲବ ସଭାପତି ଅରୁଣବାବୁ, କହୁ କହୁ କହି ପକାଇଲେ ଯେ ଅମୁକ ଖବରକାଗଜ ଏକ ଗବେଷଣାଧର୍ମୀ ପ୍ରବନ୍ଧରେ କହିଛନ୍ତି ଯେ କଣ୍ଡୋମର ସୂକ୍ଷ୍ମ ଛିଦ୍ର କୁଆଡେ ଏ ଭୁତାଣୁକୁ ରୋକିପାରିବ ନାହିଁ । ସେ କେଇଧାଡି ପଢିକି ଶୁଣାଇଲେ । କେହି ଯଦିଓ ତାଙ୍କୁ ବିରୋଧ କଲେ ନାହିଁ, ସୁଧୀର ମନେ ମନେ ପିଲା ଦିନ କଥା ଭାବୁଥିଲେ । ଗାଁ ହାଟରେ ଦଶ ପଇସାରେ ଗୋଟିଏ ଏମିତି ବଡ ବେଲୁନ ମିଳୁଥିଲା ଯାହାକୁ ପିଲାଏ କଖାରୁ ବେଲୁନ କହୁଥିଲେ । ଦୋକାନୀ ଫୁଙ୍କିକି କଖାରୁ ଭଳି ଉଡାଇ ରଖିଥାଏ । ସେ ଦିନେ ସାଙ୍ଗ ଛୁଆଠାରୁ ନେଇ ଆସିଥିଲା ଯେ ଜଣେ ଗୁରୁଜନ ବିରକ୍ତ ହୋଇ ସେଇଟିକୁ ଫୁଟାଇ ଦେବାରୁ ସେ କାନ୍ଦିଥିଲା । ଅଗତ୍ୟା ତାକୁ ଏକ ତିରିଶ ପଇସାର ମଲାଇ ଆଇସ୍କ୍ରିମ ତୁରନ୍ତ ମିଳିଯାଇଥିଲା । ଏବେ ସାମ୍ବାଦିକଙ୍କ କଥାଶୁଣି ତାଙ୍କ ସାଧାରଣ ଜ୍ଞାନ କହୁଥିଲା, ଅମ୍ଳଜାନ ଓ ଅନ୍ୟାନ୍ୟ ଅଣୁମାନଙ୍କୁ ଯେଉଁ ବେଲୁନ୍ ଘଣ୍ଟା ଘଣ୍ଟା ରୋକି ପାରୁଥିଲା ତାହା ପୁଣି ଭୁତାଣୁକୁ ଅଟକାଇ ପାରିବ ନାହିଁ କେମିତି । ଭୁତାଣୁର ଅକାର ତ ବାୟୁ ଅଣୁ ମାନଙ୍କଠାରୁ ଅନେକ ଗୁଣ ବଡ! ତେବେହେଲେ ଏ ଗବେଷଣା ଧର୍ମୀ ପ୍ରବନ୍ଧମାନ କଣ ମଣିଷର ହଟଚମଟିଆ ମନର କଥା!
ଏ ସମସ୍ତ କଥା ସରିଲା ପରେ,  ଉପସ୍ଥିତ ଉଚ୍ଚପଦସ୍ଥ ଡାକ୍ତର ବୃନ୍ଦ, ରୋଗର ସାମ୍ପ୍ରତିକ ସ୍ଥିତି ଓ ସଠିକ ମାର୍ଗଦର୍ଶନ ଖୁବ୍ ସରଳ ଓ ଉପାଦେୟ ଭାବେ ଆଲୋଚନା କଲେ । ଏହା ଅବଶ୍ୟ ତତ୍କାଳୀନ ଅନେକ ସନ୍ଦେହ ଦୂର କରିଥିଲା ।
ସଭା ସରିଲା ବେଳକୁ ସୁଧୀର ବହୁତ ବିବ୍ରତ ଜଣା ପଡୁଥଲେ । ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଅପ୍ରାସଙ୍ଗିକ ପ୍ରଶ୍ନ ଥିଲା । ସଭାପରେ ଏ ବଡ ଲୋକମାନେ କୁଆଡେ ଚଟାପଟ୍ ଖସି ପଳାଇବେ । ନା ନା, ସେ ପଚାରିବା ଉଚିତ । ଠିଆ ହୋଇ ପଡିଲେ ।
ଆଜ୍ଞା ଅସନ୍ତାକାଲି ଏ ସହରକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଜୀ ଆସୁଛନ୍ତି । ମୋତେ ନିର୍ଦ୍ଦେଶ ଆସିଛି ତାଙ୍କ ପ୍ରାତଃ ଭୋଜନ ପରୀକ୍ଷା କରିବା ପାଇଁ । ତାହା କେମିତି କରାଯାଏ ମତେ ଜଣା ନାହିଁ, ଯାହାକୁ ପଚାରିଲେ ସଠିକ କହି ପାରୁ ନାହାନ୍ତି ଓ ଆମ ସାମାଜିକ ସ୍ୱାସ୍ଥ୍ୟ ବିଜ୍ଞାନ ଅଥବା ପ୍ରଫେସର ମୋଦୀଙ୍କ ସ୍ୱାସ୍ଥ୍ୟ ବିଧି ବ୍ୟବସ୍ଥା ବହିରେ ବି ମିଳୁନାହିଁ । ମୋତେ ଏ ବାବଦରେ ଦିଗ୍ଦର୍ଶନ ଦିଅନ୍ତୁ ।
ଜିଲ୍ଲାପାଳ, ବିଧାୟକ ଓ ଅନ୍ୟାନ୍ୟ ଅଣସ୍ୱାସ୍ଥ୍ୟବିଭାଗ ମାନ୍ୟଗଣ୍ୟଙ୍କୁ କିଛିମୁହୁର୍ତ୍ତ ପୂର୍ବରୁ ପ୍ରଭାବିତ କରି ପାରିଥିବା ବିଚକ୍ଷଣ ଡାକ୍ତର ମାନେ ବଡ ଅଡୁଆରେ ପଡିଗଲେ । ଡା ଦେବରାଜ ପତି ମହାଶୟ ପରିସ୍ଥିତିକୁ ହାଲୁକା କରି କହିଲେ, “ଡା ସୁଧୀର! ଏହା ତୁମ ଭାଗ୍ୟ, ଚନ୍ଦ୍ରଶେଖରଜୀ ତୁମ ଉଚିଷ୍ଟ ଖାଇବେ । କାହିଁକି ଚିନ୍ତା କରୁଛ ପେଟ ଖାଲି ରଖି ଚାଲିଯିବ । ଅଯଥା ବିଲେଇ କୁକୁରଙ୍କୁ ଖୋଇବ ନାହିଁ, କେଶରେ ପଡିବ । ତୁମେ ପରା ଡାକ୍ତର, କେତେ ଜଣା ଅଜଣା ଜୀବାଣୁ ଭୁତାଣୁଙ୍କ ସହ ନିତି ସଂସ୍ପର୍ଷରେ ଆସୁଛ । ଡରନି ଏଠି ଚନ୍ଦ୍ରଶେଖରଜୀଙ୍କ ପ୍ରତି ବିପଦ ନାହିଁ ।
ସଭା ସାଙ୍ଗ ହେଲା ।
ଯଦି କିଛି ବିପଦ ନାହିଁ, ଏ ଖାଦ୍ୟ ପରୀକ୍ଷା କାହିଁକି? ଆଉ ଯଦି ଅଛି ତାହେଲେ, ସେ କାହିଁକି? ଧେତ୍ କଥାଟା ପଚାରି ନଥିଲେ ଭଲ ହୋଇଥାନ୍ତା । ସେ ରାତିରେ ଏକଥା ଭାବି ଭାବି ସେ ଶୋଇ ପଡିଲେ ।
ସେ ଥିଲା ଏକ ବିଶେଷ ସକାଳ । ଶବରୀ ମହାପ୍ରଭୁଙ୍କ ଖାଦ୍ୟ ପରଖି ଥିଲା, ସେ ଧାପେ କମ । ଏତେବଡ ଲୋକ । ହଁ ମ, ତାଙ୍କ ଦଳର ସଙ୍ଗଠନ ଏଠି ନାହିଁ କହିଲେ ଚଳେ । ଅତଏବ ବିରୋଧୀ ବି ନାହାନ୍ତି । ଶୁଣାଯାଏ ପୂର୍ବତନ ପ୍ରଧାନମନ୍ତ୍ରୀ ହିସାବରେ କଡାକଡି ପ୍ରୋଟକଲ୍ ପାଳନ ହେବ । ସୁଧୀର ତାଙ୍କ ମା ଓ ପତ୍ନୀଙ୍କୁ ବୁଝାଇ ଦେଲେ । ଭୋରୁ ନିଦ ଭାଙ୍ଗି ଗଲା । ନିତ୍ୟକର୍ମ ସାରି ନିଜକୁ ପ୍ରସ୍ତୁତ କରିଦେଲେ । ବେଶ୍ ଲମ୍ବା, ଇସ୍ତ୍ରୀକରା ଧଳା ଆପ୍ରୋନ ପିନ୍ଧି କାନ୍ଧରେ ଷ୍ଟେଥୋ ପକାଇ, ନିଜେ କେତେ ପ୍ରସ୍ତୁତ ପରଖିନେଲେ ଅଇନା ଆଗରେ । ଏ ପରଖରୁ ଲାଭ କ, ଅସଲ ପରଖ କାମଟିର କାଇଦା ତ ଜଣା ନାହିଁ ।
ମା ପ୍ରାତଃଭୋଜନ ବ୍ୟବସ୍ଥା କରନ୍ତେ ସୁଧୀର କହିଲେ, “ମାଆ, ଆଜି ରାଜା ଘର ଖାନା,  ମାଆ ଖାନା ନୁହେଁ ।
ଖବରଦାର ଆମର ସେଗୁଡା ଖାଇବା ଦରକାର ନାହିଁ, ତୁ ଆଗେ ପେଟେ ଖାଇଲୁ ।
ବାଇକ ବାହାର କରୁଛନ୍ତି, ଆସି ପହଞ୍ଚିଲେ ସାମ୍ବାଦିକ ଅରୁଣ, ଗତ କାଲିର ଖବର କାଗଜ ପଢାଳି । ଆସନ୍ତୁ ମୋ କାରରେ ଯିବା, ମୋର ବି ସେଠାରୁ ଖବର ଦେବାର ଅଛି । 
ବାଟରେ ସୁଧୀର ତାଙ୍କ ଗତକାଲିର କଖାରୁ ବେଲୁନ କଥା କହିଲେ । ଅରୁଣ କହିଲେ, ତାଙ୍କୁ ଏ ବାବଦରେ ଏକ ଲେଖା ଦେଲେ ସେ ଉକ୍ତ ଖବରକାଗଜରେ ବାହାର କରାଇ ଦେବେ ।
ଗାଡି ବନ ବଙ୍ଗଳାରେ ପହଞ୍ଚି ଯାଇଥାଏ । ସେଠାରେ ଏ କାର୍ଯ୍ୟକ୍ରମ ।
ପୁଣି ସେହି ଭିକାରି ବିଶ୍ୱ । ବେଶ୍ ସୁନ୍ଦର ବେଶଭୁଷାରେ ଥାଆନ୍ତି । ସେ ଚନ୍ଦ୍ରଶେଖରଙ୍କ ଦଳୀୟ ନେତା ଓ ଏ ଆୟୋଜନର ମୁଖିଆ । ତେବେ ପ୍ରୋଟକଲ ଦୃଷ୍ଟିରୁ ପ୍ରଶାସନ ଖାଦ୍ୟ ପ୍ରସ୍ତୁତି କରୁଥାଏ । ବିଭିନ୍ନ ବିଭାଗୀୟ କର୍ମଚାରୀମାନେ ତତ୍ପରତାର ସହ ଦାୟିତ୍ୱ ନିର୍ବାହ କରୁଥାନ୍ତି ।
ବନପାଳ ଓ ଜିଲ୍ଲାପାଳ ସାଥୀ ହୋଇ ପହଞ୍ଚିଲେ । ସେମାନେ ଅପେକ୍ଷାଗୃହର ମୁଖ୍ୟ ସୋଫା ଦୁଇଟିରେ ବସି ପଡିଲେ । ଅନ୍ୟମାନେ ଖୁବ୍ କର୍ମଚଞ୍ଚଳ ହେବା ପ୍ରାୟ ଆଚରଣ କରୁଥାନ୍ତି । କଣ ବା କରିବେ? ବସିବାକୁ ସ୍ଥାନ ନାହିଁ । ମାନନୀୟଙ୍କ ପାଇଁ ଉଦ୍ଦିଷ୍ଟ ଗୃହଟି ବନ୍ଦ କରି ରଖାଯାଇଥାଏ । ବିଶେଷ ସୁରକ୍ଷାକର୍ମୀ, ସମସ୍ତଙ୍କ ପରିଚୟଟି ଟିପୁଥାଏ ଓ ଦିଆଯାଇଥିବା ତାଲିକା ସହ ମିଳାଉଥାଏ । ସେତେବେଳେ ପରିଚୟ ପତ୍ରର ପ୍ରଚଳନ ସେମିତି ହୋଇନଥାଏ ।
ଭିକାରି, ଅନୁମତି ମିଳିଥିବା ତାଙ୍କ କତିପୟ କର୍ମୀଙ୍କ ସହ କେଉଁ ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା କରୁଥିଲେ ସେ କଥା ତାଙ୍କୁ ହିଁ ଜଣା ।
ହଠାତ ପହଞ୍ଚିଲେ ଯୁବରାଣୀ । ଜିଲ୍ଲାପାଳ ସମ୍ଭ୍ରମତାର ସହ ସ୍ୱାଗତ କଲେ ଓ ସୋଫାରେ ବସିବାକୁ କହିଲେ । ସୁରକ୍ଷାକର୍ମୀ  ଆସି ତାଲିକା ମିଳାଇବାରୁ ତାଙ୍କ ନାମ ଉଲ୍ଲେଖ ନଥିଲା । ଏହାଥିଲା ସ୍ୱଭାବିକ୍ । ସେ ତ ଭିନ୍ନ ଦଳର ଲୋକ । ସେ ଦୃଢତାର ସହ କହିଲେ ସ୍ୱୟଂ ଚନ୍ଦ୍ରଶେଖରଜୀ ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଗତ କାଲି ଫୋନରେ ସେ କଥା ହୋଇଥିଲେ । ସେ ବହୁତ ଥର କଥା ହୁଅନ୍ତି ।
ଭିକାରି ଓ ସୁଧୀର ଆଚମ୍ବିତ ଦେଖାହେଲେ । ହୁଏତ ଭିକାରି ଭାବୁଥିଲେ, ସେମିତି ଯଦି ସତ ହୋଇଥାନ୍ତା, ସେ ନିଶ୍ଚେ ଜାଣିଥାନ୍ତେ ।
ସୁଧୀର କିନ୍ତୁ ଆଶ୍ଚର୍ଯ୍ୟ ହୋଇଥିଲେ ଭିନ୍ନ କାରଣରୁ । ଗତକାଲି ସଭାରେ, ଖାଦ୍ୟ ପରୀକ୍ଷା ବାବଦୀୟ ପ୍ରଶ୍ନର ଊତ୍ତର ନମିଳିବାରୁ ସେ ସଂଧ୍ୟାରେ ଜଣେ ବିଜ୍ଞ ବ୍ୟକ୍ତିଙ୍କୁ ପଚାରିବା ପାଇଁ ବିଭିନ୍ନ ଟେଲିଫୋନ ବୁଥ ଓ ଶେଷରେ ଏକ୍ସଚେଞ୍ଜକୁ ଯାଇଁ ଚେଷ୍ଟା କରି ନିରାଶ ହୋଇଥିଲେ । ଫୋନସେବାରେ ବହୁତ ବଡ ବିଭ୍ରାଟ ହୋଇଥିଲା । କିନ୍ତୁ ଚନ୍ଦ୍ରଶେଖରଜୀଙ୍କୁ ମହାଶୟା କେମିତି ଫୋନ କଲେ!
ସେ ଯାହା ବି ହେଉ ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ, ସମ୍ଭ୍ରାନ୍ତ ମହିଳାଙ୍କୁ ଅନୁମତି ମିଳିଗଲା । ମହାଶୟା ଜିଲ୍ଲାପାଳଙ୍କ ସହ ସୋଫା ମଣ୍ଡନ କଲେ । ସମ୍ଭବତଃ ଉଭୟ ଆପୟିତ ଅନୁଭବ କରୁଥିଲେ । ଭିକାରି ତାଙ୍କ ଦେଖାଦେଖି ବନପାଳ ବସିଥିବା ସୋଫାରେ ଆସନ ନେବାକୁ ଯାଊଥିଲେ । ବନପାଳ ତାଙ୍କ ବେଶଭୁଷା ଉପରେ ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପ କରି ହଠାତ ହସିକି ପଚାରିଦେଲେ ତାଙ୍କ ଜୋତା ଓ ଜାକେଟରେ କେଉଁ ପଶୁର ଚମଡା ଲାଗିଛି ।
ସାତୁଷ ଆଜ୍ଞା”, ସଦର୍ପେ କହିଲେ ଭିକାରି ।
ଏଥର ବନପାଳଙ୍କ ସ୍ୱର ଶୁଭିଲା ରୁକ୍ଷ, “ହିମାଳୟର ଏହା ଏକ ଲୁପ୍ତ ପ୍ରାୟ ଜୀବ । ଏହାକୁ ରକ୍ଷା କରିବା ପାଇଁ ସରକାରୀ ନିୟମ କଡା । ଚାହିଁଲେ ଜଙ୍ଗଲ ଅଧିନିୟମ ଲଗାଇ ଏବେ ଗିରଫ କରି ପାରିବି ।
ଆଜ୍ଞା, ଏତେକଥା ତ ମୁଁ ଜାଣିନଥିଲି ।ପଛକୁ ହଟୁ ହଟୁ ଭିକାରି କହିଲେ । ବନପାଳ ସନ୍ତୋଷ ଦେଖାଗଲେ, ଯୁବରାଣୀ ମଧ୍ୟ ।
ଚନ୍ଦ୍ରଶେଖର ପହଞ୍ଚିବାରେ ବିଳମ୍ବ ଘଟୁଥାଏ । ସମସ୍ତେ ପ୍ରସ୍ତୁତ । ଏଣେ ତେଣେ ଟହଲ ମାରୁଥାନ୍ତି । ବନ ବଙ୍ଗଳାର ମନୋରମ ବଗିଚାର ଶୋଭାରେ ଆହ୍ଲାଦିତ ଦିଶୁଥାନ୍ତି ସମସ୍ତେ ।
ତିନି ମାନ୍ୟଗଣ୍ୟ ଅତି ମାମୁଲି କଥା ହେଉଥାନ୍ତି । ସୁଧୀର ସେମାନଙ୍କ ଆଳାପ ନିଶଙ୍କୋଚ ଶୁଣୁଥାନ୍ତି ।
ଆପଣ ଜିଲ୍ଲା ମଙ୍ଗ ସଠିକ ଧରିଛନ୍ତି । ଜନସାଧାରଣ ଖୁସି । ଆଉ ବନପାଳ ମହୋଦୟଙ୍କ ଚର୍ଚ୍ଚା ଜୋର ଧରିଛି । ଯାହା ଜଣା ପଡୁଛି ଅବନ୍ତିପୁର ତାହାର ଲୁପ୍ତ ବନାନୀ ଖୁବ୍ ଶୀଘ୍ର ଫେରି ପାଇବ । ଏମିତି କିଛି କଥା କହୁଥିଲେ ଯୁବରାଣୀ ଓ ସେ ବାର୍ତ୍ତାରେ ପ୍ରସନ୍ନଚିତ୍ତ ଦିଶୁଥାନ୍ତି ଉଭୟେ ।
ଏହା ବାଦ ସେ ବର୍ଣ୍ଣନା କରୁଥାନ୍ତି, ଚନ୍ଦ୍ରଶେଖରଙ୍କ ସହ ତାଙ୍କର ଘନିଷ୍ଠତାର ସବିଶେଷ ବିବରଣୀ । ଜିଲ୍ଲାପାଳ ଦିଶୁଥିଲେ ନିସନ୍ଦେହ ଓ ଯେମିତି ଅନୁଗୃହିତ କି ତାଙ୍କୁ ଏସବୁ କଥା କହିପାରୁଛନ୍ତି ଯୁବରାଣୀ, ଘନିଷ୍ଠ ଭାବି । ବନପାଳ କିନ୍ତୁ ବେପରୁଆ ଶୁଣୁଥାନ୍ତି, ସତେ ଅବା ଏ ବିଶୁଦ୍ଧ ବାହାସ୍ଫୋଟ କଥା ଗୁଡିକ କେବଳ ସମୟର ଶୂନ୍ୟସ୍ଥାନ ମାନ ପୁରଣ କରୁଛି ।
ଜିଲ୍ଲାପାଳ ଆଉଧାପେ ଆପଣାର ହୋଇ ପଚାରିଲେ । ଆଉ କଣ ଖବର ମାମ୍, ପୂଜା କାର୍ଯ୍ୟକ୍ରମ କେଉଁଠି? ରାୟପୁର ଅବା ମହୀଶୁର, ନା ପୁରୀ ଅଥବା ମୁମ୍ବାଇ ।
ହା ହା! ସେମିତି କେବେ ହେଲାଣି ନା ହେବ । ପୂଜାରେ ସବ୍ଚେକ୍ଟ ମାନଙ୍କୁ ଛାଡି ଯାଇ ହେବ! ଲୋକଙ୍କର ବହୁତ ଆଶା କଭେଟି ଆଣି ପୁଳାଏ ନେବେ । ଆମ୍ଭ ବିନା ଅବନ୍ତିପୁରର ପୂଜା କଣ ସମ୍ଭବ! ଆମ୍ଭେ ନରହିଲେ ନହୁଏ ।
ସେ ଯେଉଁ ଠାଣିରେ କହିଲେ ତାହା ଅନଭିଜ୍ଞ ସୁଧୀରଙ୍କ ଅନ୍ତରକୁ ଭେଦିଗଲା, ସତେ ଅବା ଦେବୀ ମାନେ ପୃଥିବୀକୁ ଆସିବାର ଦରଖାସ୍ତ ତାଙ୍କ ଦପ୍ତରକୁ ପଠାଇଛନ୍ତି । ସେ ମଞ୍ଜୁର କରିବେ ସେମାନଙ୍କୁ ନିରାଶ ନକରି ଆପଣାର ଉଦାରତାରେ ।
ଅରୁଣବାବୁ ପଛରୁ ସାର୍ଟ ଟାଣି ସଙ୍କେତ ଦେଲେ ସେ ବି ସେମିତି ଭାବୁଛନ୍ତି । ପ୍ରତିକ୍ରୀୟାରେ ସୁଧୀର ହଠାତ ଯେମିତି ପଛକୁ ବୁଲିପଡିଲେ ତାହା ଯୁବରାଣୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲା । କଥାର ରାଗ ବେରାଗ ହୋଇଗଲା ।
ଡକରା ପାଇ ସୁଧୀର ଭିତରକୁ ଗଲେ, କର୍ତ୍ତବ୍ୟନିଷ୍ଠ ଭାବେ ବେଶ ସୁସ୍ୱାଦୁ ଜଳଖିଆର ପ୍ରତି ବ୍ୟଞ୍ଜନରୁ ଦୁଇ ଚାମଚ ଲେଖାଏଁ ଉଦରସ୍ଥ କରି ତୃପ୍ତ ହେଲେ । ଖାଦ୍ୟ ପରୀକ୍ଷିତ କାଗଜରେ ସନ୍ତକ ଦେଲେ । 
ଡି.ଏସ.ପି ଜଣେ ଝପଟି ଆସି ଆରକ୍ଷୀ ଅଧୀକ୍ଷଙ୍କକ ଖବର ଆସିଛି କହି ସମସ୍ତଙ୍କୁ ସଜାଗ କରିଦେଲେ ।
ତିନି ମାନ୍ୟଗଣ ନିଜ ନିଜ ଫୁଲତୋଡା ଧରି ପ୍ରସ୍ତୁତ ହୋଇଗଲେ । ଭିକାରିଙ୍କ ଖଟା ମନରୁ କୃତ୍ରିମ ହସ ଉକୁଟି ଆସିଲା, ସୁଧୀର ନିଜ ଧଳା କୋର୍ଟଟିକୁ ବିନା ଅଇନାରେ ଝାଡିଝୁଡାକି ଷ୍ଟେଥୋକୁ ପକେଟରୁ ନେଇ କାନ୍ଧରେ ପକାଇଲେ, ଅରୁଣ ନିଜ ଟିପାଖାତାରେ କଣସବୁ ଗାରେଇ ପରୀକ୍ଷା କରିନେଲେ ଏହା ଚାଲୁଛି, ସତେ ଅବା ଏତେ ଘଟଣା ଘଟିବ ଯେ ସେ ତତ୍କାଳ ନଲେଖିଲେ ସ୍ମରଣ କରି ପାରିବେ ନାହିଁ । ଅନ୍ୟମାନେ ଫାଟକଠାରୁ ପଛକୁ ପଛ ଧାଡି ଲଗାଇଦେଲେ । ଉପସ୍ଥିତ କ୍ଷୁଦ୍ର ଜନ ସମାବେଶ ମଧ୍ୟରେ ଏକୁଟିଆ ଯୁବରାଣୀ ଥିଲେ ମହିଳା, ତା ବ୍ୟତୀତ ଚନ୍ଦ୍ରଶେଖରଙ୍କ ସେ ଏକମାତ୍ର ଚିହ୍ନାଜଣା । ତେଣୁ ସେ ଆଗରେ ରହିଲେ ।
ଖଦଡର ଧୋତି ଓ ଲମ୍ବା ପଞ୍ଜାବୀ ପିନ୍ଧା ଦୀର୍ଘକାୟ ଚନ୍ଦ୍ରଶେଖର ଅତୀତରେ ଯେଉଁ ମଜବୁତ ପାଦରେ ଉତ୍ତରରୁ ଦକ୍ଷିଣ, ସାରା ଭାରତ ପଦଯାତ୍ରା କରିଥିଲେ ସେଇ ପାଦ ଯୁଗଳରେ ଯେବେ ଫାଟକ ମଧ୍ୟକୁ ପ୍ରବେଶ କଲେ, ଦିଶୁଥିଲେ ସୌମ୍ୟ ପ୍ରଶାନ୍ତ । ବାର୍ଦ୍ଧକ୍ୟରେ ବି ତାଙ୍କ କାନ୍ତି ଝଟକୁ ଥାଏ । ସେ ଗମ୍ଭୀରତା ମଧ୍ୟରେ ନିଜକୁ ପ୍ରସ୍ଫୁଟିତ କରିଥିଲେ ଏକ ସ୍ନିଗ୍ଧ ସ୍ମିତହାସ୍ୟରେ । ତାଙ୍କ ବ୍ୟକ୍ତିତ୍ୱ ଯେମିତି ସମସ୍ତଙ୍କ ମଧ୍ୟକୁ ସଂଚାରିତ ହୋଇଗଲା । ଆରକ୍ଷୀ ଅଧୀକ୍ଷକ, ବ୍ଳାକ କାଟ୍ କାମାଣ୍ଡୋ ଓ କେତେଜଣ ଦଳୀୟ ରାଜନେତା ତାଙ୍କ ପଛରେ ଥିଲେ ।
ଯୁବରାଣୀ ପ୍ରଥମେ ଫୁଲତୋଡା ଦେଲେ ଓ ପରେ ପରେ ଜିଲ୍ଲାପାଳ ତଥା ବନପାଳ । ଅଧୀକ୍ଷକ ଏ ତିନିଜଣଙ୍କ ପରିଚୟ ଦେବାବେଳେ ସମ୍ଭବତଃ ମହାଶୟା ଯାହା ସଙ୍କେତ ଦେଲେ ତାହାର ମର୍ମ ଆମେ ତ ଆଗରୁ ଚିହ୍ନା । ସେ ଚନ୍ଦ୍ରଶେଖରଙ୍କ କଡକୁ ଭିଡିଗଲେ ଜଣେ ଦଳୀୟ ନେତାଙ୍କୁ ପଶ୍ଚାତକୁ ହଟାଇ । ଭିକାରି ଓ ଅନ୍ୟ ସ୍ଥାନୀୟ ଦଳୀୟ ଲୋକଙ୍କୁ ପରିଚିତ କରିବା କାମଟି ଏହି ନେତା କରିଥାନ୍ତେ ଯାହା ହୋଇ ପାରିଲା ନାହିଁ । କ୍ଷୂବ୍ଧ ଭିକାରି ବଡ କଷ୍ଟରେ ନିଜକୁ ପ୍ରଫୁଲ୍ଲ ରଖିଥାନ୍ତି । ଔପଚାରିକ ଅବା ଆଉକିଛି କଥା କହିବାରେ ଯୁବରାଣୀ ଉଣା କରୁନାଥାନ୍ତି, ଚିହ୍ନା ଲୋକ ଯେତେବେଳେ । ମହାଶୟ ସେମିତି ଅନୁତ୍କଣ୍ଠିତ ଆଗେଇ ଚାଲିଲେ । ବୋଧହୁଏ ସେ କାହାକୁ ଚିହ୍ନିବାର ଉଦ୍ୟମ କରୁନଥିଲେ ଯେମିତି ସଭିଏଁ ତାଙ୍କର ଚିହ୍ନା, ତାଙ୍କ ଦେଶବାସୀ, ଅବା ମୁହୁର୍ତ୍ତ ମଧ୍ୟରେ କାହା ସହ ପରଚିତ ହେବାର କି ବା ଆବଶ୍ୟକତା । ତେବେ ସମସ୍ତଙ୍କ ମଧ୍ୟରୁ ସୁଧୀରଙ୍କୁ ସେ ବେଶଭୁଷାରୁ ଚିହ୍ନି ପକାଇଲେ ଓ ଦୂରରୁ ହେଲେ ବି ଏକ ଧନ୍ୟବାଦ ସୂଚକ ସଙ୍କେତ ତାଙ୍କ ସ୍ମିତହାସ୍ୟର ଲାଳିତ୍ୟକୁ ବହୁଗୁଣିତ କଲା । ସୁଧୀରଙ୍କ ଗତ କେତେ ଦିନର ଦ୍ୱନ୍ଦ୍ୱ ମିଳାଇ ଗଲା ଓ ସେ ଯୋଡ ହସ୍ତ ହୋଇ ସେ ସତେଜ ହସକୁ ଆପଣାର ଅଧରରେ ପ୍ରତିଫଳିତ କଲେ । ଦିଶୁଥିଲେ ବେଶ୍ ତୃପ୍ତ । ଏ ଭାବଗତ ଆଦାନ ପ୍ରଦାନଟି ତାଙ୍କ ବୃତ୍ତିଗତ ଜୀବନର ଅଭୁଲା ସ୍ମୃତି ହୋଇ ରହିବ । କେବଳ ଜଳଖିଆ ଖାଇବା ବ୍ୟତୀତ ମହାଶୟଙ୍କ ଅନ୍ୟ କୌଣସି କାର୍ଯ୍ୟକ୍ରମ ନଥିଲା । ସେ ଖୁବ ଶୀଘ୍ର ପ୍ରତ୍ୟାବର୍ତ୍ତନ କଲେ ।
ଦେଖାଗଲା ସର୍ବପ୍ରଥମେ ବନ ବଙ୍ଗଳା ପ୍ରାଙ୍ଗଣ ତ୍ୟାଗକଲେ ଯୁବରାଣୀ, ଏମିତି କି ଜିଲ୍ଲାପାଳ କିମ୍ବା ବନପାଳଙ୍କଠୁ ସୌଜନ୍ୟ ମୂଳକ ବିଦାୟ ନନେଇ । ଝଡ ପରି ଆସିଥିଲେ ଅନାହୁତ, ବିଜୁଳି ପ୍ରାୟ ଝଅଟ ଖସିଗଲେ ।
ଠିକ୍ ତାପରେ ପଳାଇଗଲେ, ବିମର୍ଷ ଭିକାରି ବିଶ୍ୱ ।
ଆମେ ବି ଏବେ ବାହାରି ପଡିଲୁ ।