Search This Blog

Saturday, 13 July 2019

ମାନନୀୟେଷୁ । A story for poet Pramod Pradhan and his poem collection MALLI CHAANRA.


ମାନନୀୟେଷୁ ।
ତଟିନୀର ଅବତଳ ତଟଦେଶ, ମାଆର କୋଳପ୍ରାୟ ଧାରଣ କରିଛି ସନ୍ଥପୁର ଜମିଦାରଙ୍କ ଉଆସ । ଜମିଦାରୀ ସିନା ଯାଇଛି, ଦେବରାୟ ପରିବାରର ସୁବିଶାଳ ଦ୍ୱିତଳ ହର୍ମ୍ୟର ଶୋଭା ପରିପାଟୀ ତଥା ଚଳଚଞ୍ଚଳତା ପୂର୍ବବତ୍ ଅତୁଟ ରହିଛି, ଅନ୍ୟତ୍ର ଯାହା ବିରଳ । ପୁରୁଷ ପୁରୁଷ ଧରି ଦେବରାୟ ମାନଙ୍କୁ ସଦୟ ହୋଇଛନ୍ତି ଉଭୟ, ବିଦ୍ୟାଦାତ୍ରୀ ବାଗ୍ଦେବୀ ଓ ସୌଭାଗ୍ୟଦାୟିନୀ ଇନ୍ଦିରା । ଏ ବଂଶର କବି, ଦାର୍ଶନିକ, ତର୍କି, ଜିଜ୍ଞାସୁ, ଶାସ୍ତ୍ରୀ ଓ ଲେଖକ ମାତୃଭୂମିକୁ ଯେଭଳି ବଳିଷ୍ଠ କରିଛନ୍ତି ଠିକ୍ ସେହିପରି ନାନା କିସମର ବ୍ୟାପାର ଓ ଆୟ ବ୍ୟବସ୍ଥା ସୁଦୃଢ କରିବା ପାଇଁ ସୁଭ୍ରାତା ମାନେ ଜନ୍ମ ନେଇଛନ୍ତି, ପିଢି ପରେ ପିଢି।

ଦୂର ଦୂରାନ୍ତରୁ ବିଦୁଷୀ ଓ ନିଷ୍ଠାପର କନ୍ୟାମାନେ ଦେବରାୟ ମାନଙ୍କୁ ଲାଭ ହୋଇଛନ୍ତି ।

ଭାଗ୍ୟ ।

ନୁହେଁ ତ ଆଉ କଣ! ନଚେତ୍ ସୁରା ନାରୀ, ଦୁରାଚାର ଓ ହିଂସ୍ରତା କଦାଚିତ୍ ପ୍ରବେଶ କରିନାହିଁ କେମିତି!

ଭୂମିରୂପ ଏପରି ଯେ, ମନେହୁଏ ଦେବରାୟ ନିବାସ ସୁବର୍ଣ୍ଣରେଖା ନଦୀକୁ ମୁଣ୍ଡିଆ ମାରି ବହେ ବାଟ ଠେଲି ନେଇଛି । ଏହି ମୁଣ୍ଡଟିକୁ ମଜବୁତ୍ କରିବା ପାଇଁ, ପ୍ରାକୃତିକ ଶିଳାଧାର ପୃଷ୍ଠରେ, ଏକ ବହଳ ପ୍ରସ୍ତର ପ୍ରାଚୀର କରିଛନ୍ତି ସେମାନେ, ବହୁ ପାହାଚ ଅବତରଣ କରି ସୁଦୂର ଅତୀତରେ କୁଳ ନାରୀ ନଦୀଧାରାରେ ଅବଗାହନ କରି ପାରୁଥିଲା । ଉଆସ ସଂଲଗ୍ନ ନଦୀର ସେହି ବଳୟାକୃତିର ଅଂଶବିଶେଷ, ପ୍ରାୟତଃ ସେମାନଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ପରିଗଣିତ ହୋଇଥିଲାନିର୍ବିଘ୍ନରେ ସନ୍ତରଣ, ଜଳକ୍ରୀଡା, ନୌକାବିହାର, ମତ୍ସ୍ୟ ଶିକାର କରୁଥିଲେ ଦେବରାୟେ ସକଳ । ଦ୍ୱିତଳରେ ବିଶାଳ ପାଠାଗାରର ପୂର୍ବ, ଦକ୍ଷିଣ ଓ ପଶ୍ଚିମ ଦିଗରେ ମୁକ୍ତ ବାତାୟନାରୁ ଦୃଶ୍ୟମାନ ହେଉଥିଲା ନଦୀର ଜଳରାଶି ଓ ସବୁଜ ଚପଳଛନ୍ଦାର ନାନାଦି ଶୋଭା । ସୁବର୍ଣ୍ଣରେଖାର ନୀରପୃଷ୍ଠ ପ୍ରତ୍ୟୁଷର ସ୍ୱର୍ଣ୍ଣମୟ ପୂର୍ବଦିଗନ୍ତକୁ ପ୍ରତିଫଳନ କରୁଥିଲା ସେ ପ୍ରାସାଦ ଉପରେ ଓ ପ୍ରାସାଦକୁ ପ୍ରତିବିମ୍ବିତ କରୁଥିଲା ନଦୀର ଜଳରାଶି ଉପରେ । ପଶ୍ଚିମ ଦିଗରୁ ବହୁଧା ଉଜ୍ଜ୍ୱଳ ବିଭିନ୍ନ ବିଚିତ୍ରମୟ ଶୋଭାର ପୁନରାବୃତ୍ତି ଘଟୁଥିଲା ସୂର୍ଯ୍ୟାସ୍ତ ବେଳାରେ । ହେଉ ଅବା ଅମାବାସ୍ୟାର ଗାଢା ଅନ୍ଧକାର ଅଥବା ଜୋସ୍ନାବିଧୌତ ରଜନୀ, ନବରଟି ଦିଶୁଥିଲା ନିରୀହ ଧ୍ୟାନରତ ଯୋଗୀପ୍ରାୟ, ପ୍ରକୃତିର ସ୍ନିଗ୍ଧ ଆଶ୍ଳେଷ ପାଶରେ । ପରିବେଷ୍ଟିତ ଫଳପୁଷ୍ପର ସବୁଜିମା ସାଧାରଣ ମାନସକୁ କବିପ୍ରାଣ କରିବା ସମ୍ଭବ, ସହଜେତ ଦେବାରାୟ ମାନଙ୍କ ରକ୍ତରେ ଥିଲା ସୃଜନର ଚିରନ୍ତନ ସ୍ୱାକ୍ଷର ଓ କପାଳରେ ଅଖଣ୍ଡ ଦୈବକୃପା ।
ପ୍ରମୋଦ ଦେବରାୟ ତହିଁର ସାମ୍ପ୍ରତ୍ତିକ ସଂକଳନ ।
ଦେଶ ବିଦେଶରେ ଅନ୍ୟ ଭାଇ ମାନେ ସୁନାମ ଅର୍ଜନ କରି ଦେବରାୟ ପତାକାକୁ ସଗୌରବେ ଉଡାଉ ଥିବାବେଳେ ଅନୁଜ ପ୍ରମଥ, ପାରିବାରିକ ବିଶାଳ କୃଷିକାର୍ଯ୍ୟ ଓ ବ୍ୟବସାୟର ସମସ୍ତ ଦାୟିତ୍ୱ ନିର୍ବାହ କରୁଥିଲେ ବିନା ଦ୍ୱିଧାରେ । ପତ୍ନୀ ସୁରମା ଗୃହ ଅନ୍ତପୁର ତଥା ସନ୍ତାନ ସନ୍ତତିଙ୍କ ଯତ୍ନ ନେଉଥିଲେ ଓ ଭାତୃବଧୂଙ୍କ ସହ ପରମ ସୁଖରେ କାଳ ନିର୍ବାହ କରୁଥିଲେ ।

ସନ୍ଥପୁର କଲେଜର ଅନ୍ୟତମ ପ୍ରତିଷ୍ଠାତା ଓ ସବିନୟ ଅଧ୍ୟକ୍ଷ ପଦ ଗ୍ରହଣ ନକରିଥିବା ଇଂରାଜୀ ଅଧ୍ୟାପକ, କବି ପ୍ରମୋଦଙ୍କ ଉତ୍ତରଣ ପାଇଁ, ଏ ସବୁ ଯେପରି ବିଧିର ନିର୍ଦ୍ଦେଶ ଥିଲା ।

 ପୁଅ ପୁତୁରା, ଝିଅ, ଝିଆରୀଙ୍କ କଥାମାନି ମଠା ସୁଟ୍ ପିନ୍ଧି ବାହାରି ଆସିଛନ୍ତି ଆଜିର ଏ ବିଶେଷ ଅନୁଷ୍ଠାନକୁ, ବେଶ୍ ମାନୁଛି । ମଞ୍ଚାସୀନ ସମସ୍ତ ବରେଣ୍ୟ ବରିଷ୍ଠ ଓ ବହୁ ସମ୍ମାନର ଅଧିକାରୀ ସଦସ୍ୟଙ୍କ ମଧ୍ୟରେ ମଧ୍ୟବୟସ୍କ ପ୍ରମୋଦ, ମନେ ହୁଅନ୍ତି ଯୁବକ । ବିଗତ କେତେ ସପ୍ତାହର ଗମ୍ଭୀରତା ଅନ୍ତର ହୋଇଛି ଉଦ୍ଭାସିତ ସ୍ନିଗ୍ଧ ପ୍ରଫୁଲ୍ଲ ମୁଖ ମଣ୍ଡଳ ଦେଖି, ସମସ୍ତ ଦେବରାୟ, ପ୍ରୀତ ଓ ଆଶ୍ୱସ୍ତ ।

ପ୍ରମୋଦଙ୍କ ବିଗତ ମାସାଧିକ କାଳର ଅଦ୍ଭୁତ ବ୍ୟବହାରାରେ ପରିବାର ଚିନ୍ତାଗ୍ରସ୍ତ ଥିଲେ । ଯେଉଁଦିନୁ ଶୁଭେଚ୍ଛାର ସୁଅ ଛୁଟିଛି ଯେ ସେ ସାହିତ୍ୟ ଏକାଦେମୀର ଶ୍ରେଷ୍ଠ  ସମ୍ମାନ ପାଇଛନ୍ତି ତାଙ୍କ କାବ୍ୟ ସୁବର୍ଣ୍ଣରେଖାପାଇଁ; ସେହିଦିନୁ ସମସ୍ତଙ୍କ ଆଶା ବିପରୀତେ ସେ ହୋଇଛନ୍ତି ଚିନ୍ତାଗ୍ରସ୍ତ, ବିବ୍ରତ ଓ ଅସ୍ଥିର ପାଠାଗାର ଓ ସମଗ୍ର ପ୍ରାସାଦର କୋଣ ଅନୁକୋଣ ଖୋଜି ଚାଲିଛନ୍ତି ।

ସୃଜନର ବିଚିତ୍ର ବ୍ୟବହାର କିଏ ବା କଳନା କରି ପାରିବ! ବିବ୍ରତ ପରିବାରବର୍ଗ ଆତଙ୍କିତ ହୋଇ ପଡିଛନ୍ତି । ତାଙ୍କ ଖୋଜିବାରେ କାହାର ସାହାଯ୍ୟ ନେବା ଦୂର କଥା ପଚାରିଲେ କହୁଛନ୍ତି, “କାଇଁ କଣ ଖୋଜୁଛି କେତେବେଳେ, ମୁଁ ତ କିଛି ହଜାଇ ନାହିଁ
ସୁବର୍ଣ୍ଣରେଖାଅଳ୍ପ ବର୍ଷର କୃତି ନୁହେଁ, କେଉଁ ଆଦ୍ୟ କାବିକ୍ୟର ଶବ୍ଦ ଉନ୍ମେଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅତି ମନ୍ଥର ଗତିରେ ଲିଖିତ ଏ କାବ୍ୟ । କାହାକୁ ପଢିବାକୁ ଦିଅନ୍ତି ନାହିଁ ସେ । ଲେଖନ୍ତି ପ୍ରତି ପ୍ରତ୍ୟୁଷରେ ଦିବସର ପ୍ରଥମ କାର୍ଯ୍ୟ ହିସାବରେ, ଦିନେ ଦିନେ ସେମିତି ଧ୍ୟାନରେ ବସିଯାନ୍ତି କବିତା ଆସେ ନାହିଁ ।  କେଉଁ ପତ୍ର ପତ୍ରିକାରେ ଛପାଇବାର ନାହିଁ ଯେ ଏତେ ବ୍ୟସ୍ତ ହେବେ ।

ବରିଷ୍ଠ ଗାଳ୍ପିକ କୁମାର ଚକ୍ରବର୍ତ୍ତିଙ୍କ ସୁବର୍ଣ୍ଣରେଖାର ଉତ୍ପତ୍ତି ସ୍ଥଳ, ଝାଡଖଣ୍ଡର ହୁଣ୍ଡୁଜଳପ୍ରପାତ ଓ ତା ସହ ଜଡିତ ପ୍ରାଗ୍ଐତିହାସିକ କିମ୍ବଦନ୍ତୀର ପ୍ରେମ କାହାଣୀ ଯୋନା ଓ ଯୋନାକୀକମନୀୟ ଭାବେ ଯୋଡି ହୋଇ ଯାଇଛି ଏ କାବ୍ୟରେ । ଚାଷବାସ ଓ ବସତି ସ୍ଥାପନ ପୂର୍ବ ସଭ୍ୟତାର ସର୍ବପ୍ରଥମ ପ୍ରେମ ଗାଥା, ବେଶ ରସବନ୍ତ ।  ଅର୍ଦ୍ଧନଗ୍ନ ଯାଯାବର ଶିକାରୀ ଦଳର ଏ ଦୁଇ ପ୍ରେମୀଙ୍କ ମର ଶରୀର ହୁଏତ ସାଗରରେ ବିଲୀନ ହୋଇ ଯାଇଛି କିନ୍ତୁ ସେମାନଙ୍କ ସତ୍ତା ସୁବର୍ଣ୍ଣରେଖା ଏବେ ବି ବକ୍ଷରେ ଧାରଣ କରିଛନ୍ତି, ଭାବିଛି କବିପ୍ରାଣ ।

   କବିତାଟିଏ ଲେଖିଲେ, ସୁରମାଙ୍କୁ ନ ଶୁଣେଇଲା ପର୍ଯ୍ୟନ୍ତ ଅସ୍ଥିର ହୁଅନ୍ତି ଅଥଚ ଏଇଟା ଏମିତ କେଉଁ ପ୍ରେୟସୀ ପାଇଁ ଏତେ ଲୁଚା ଚୋରାରେ ଲେଖୁଛନ୍ତି ଯେ!

 ପ୍ରମୋଦ ମନେ କରନ୍ତି, ପ୍ରତି ପାଠକ ଓ ଶ୍ରୋତା ଜଣେ ସମାଲୋଚକ । ସାହିତ୍ୟ ମାର୍ଜିତ ହେବାପାଇଁ ସମାଲୋଚନାର କଷଟି ପଥର ଚାହି କିନ୍ତୁ ଏ କବିତା ଗୁଚ୍ଛ ତ କେବଳ ନିଜ ପାଇଁ  କିମ୍ବା ତାଙ୍କ କବିପ୍ରାଣର ଉତ୍ସ ସୁବର୍ଣ୍ଣରେଖା ପାଇଁ; ସମାଲୋଚନାକୁ ଡରି ସେ କାହିଁକି ତାଙ୍କ ବିପୁଳ ସ୍ୱାଧିନାତା ଓ ବେପରୁଆ ସୃଜନକୁ କଣ୍ଠରୋଧ କରିବେ? ଏସବୁ କଣ କବିତା? ସେ ଏହାକୁ ସଜ୍ଞାବଦ୍ଧ କରି ପାରନ୍ତି ନାହିଁ! ଭାବନ୍ତି, ସଙ୍ଗୀତଜ୍ଞ ଯେଭଳି ସୁରଚର୍ଯ୍ୟା କରନ୍ତି ନିଜ କଣ୍ଠର ସ୍ପନ୍ଦନର ପ୍ରତି ରେଣୁକୁ ଶାଣିତ କାରିବା ପାଇଁ କିନ୍ତୁ ତାହା ଗୀତ ନୁହେଁ, ସେହିଭଳି ଏହା ତାଙ୍କର କବିତାର ନିତିଦିନିଆ ରିଆଜ ।  ସୁବର୍ଣ୍ଣ ରେଖାକୁ କଦବାୟ କେମିତି ଅତି ନିରୋଳାରେ ଶୁଣାନ୍ତି ଗୋପନୀୟ ଭାବେ ।

ନାରୀମନ ବିଚଳିତ ହେଲା, ଗୋପନୀୟତାରେ ଭାଗ ବସାଇ ଏକାନ୍ତରେ ସୁରମା ପଢି ଚାଲିଲେ, ଆଖି ଛଳ ଛଳ ଲୁହ ଢଳ ଢଳ । ଏମିତି କଣ ମଣିଷ ଲେଖିପାରେ! ଶାଶୁଘରକୁ ଆସିଲା ଦିନୁ, କବିତା ପଢି ପଢି, ବ୍ୟାଖ୍ୟା ଶୁଣି ଶୁଣି ସେ ସୁସମାଲୋଚିକା, କିନ୍ତୁ ସେ କେବେ ଏତେ ଜୀବନ୍ତ କବିତା ଶୁଣି ନଥିଲେ ଅବା ଦେବରାୟେଙ୍କ ବିପୁଳ କାବ୍ୟ ସଂଗ୍ରହ ମଧ୍ୟରେ ପାଇ ନଥିଲେ ।

ଏ ତ ସର୍ବକାଳୀନ ଶ୍ରେଷ୍ଠ କାବ୍ୟ । ସାହିତ୍ୟର ଗନ୍ତାଘରକୁ ଏହା ଆସିବା ନିହାତି ଜରୁରୀ ।

କିନ୍ତୁ କେମିତି କହିବେ, ସେ ଯେ ଚୋରାଇ ପଢିଛନ୍ତି । ନା ନାକହିବାକୁ ପଡିବ ନା, ମିଥ୍ୟାର ଆଶ୍ରୟ ନେବାକୁ ପଡୁପଛେ, ପାପ ହେଉ ପଛେ ।

 କାହିଁ ମୋତେ ତ ଦିନେ ସ୍ୱପ୍ନରେ ଦେବା ଦେବୀ କହୁ ନାହାନ୍ତି, ତୁମକୁ ଖାଲି କହିଦେଲେ, ‘ସୁବର୍ଣ୍ଣରେଖାଆତ୍ମ ପ୍ରକାଶ ହେବା ଜରୁରୀ?” ଲାଜେଇ କହିଲେ କବି ପ୍ରମୋଦ ।

ଚନ୍ଦ୍ରଚକିତ ବୈଶାଖ ପୂର୍ଣ୍ଣମୀ ରାତ୍ରିରେ ଏକାକୀ ନଦୀର ବାଲୁକା ରାଶି ଉପରେ କବି ପଦ ଚାରଣ କରି ଅନେକ ଦୂର ଆସିଲେଣି, ଅନ୍ୟ ମନସ୍କ ଭାବେ । ଆହା, ଆଜି ବୁଦ୍ଧଦେବଙ୍କ ଜନ୍ମ, ବୁଦ୍ଧତ୍ୱ ପ୍ରାପ୍ତି ଓ ମହାପ୍ରୟାଣର ମହାସଂଯୋଗ ଦିବସ, ନଦୀର କ୍ଷୀଣ ଜଳଧାରାରେ ପାଦ ହସ୍ତ ଓ ମୁଖ ପ୍ରକ୍ଷାଳନ କରି ବାଲି ଉପରେ ପଦ୍ମାସନାରେ ବସି ନିଜକୁ ହଜାଇ ଦେଲେ ଅନେକ ଭାବାନାରେ, ସତରେ କଣ ତାଙ୍କର ସେ ଏକାନ୍ତ ଆତ୍ମୀୟ କୃତି ଲୋକାର୍ପଣ  ହେବା ଦୈବ ଇଛା, କିଛି ସଂକେତ ତାଙ୍କୁ ତ ମିଳୁନ, କାବ୍ୟ ଏବେ ବି ଅସମାପ୍ତ । ବିଚଳିତ ମାନସକୁ ଧ୍ୟାନ ବା କାହୁଁ ଆସିବ । ବରଂ ଭଲ, ସୁଲୁ ସୁଲିଆ ଶୀତଳ ସମୀରଣରେ ସୁବର୍ଣ୍ଣ ରେଖାର ନୀର ଧାରା ସହ କିଞ୍ଚିତ୍ ବାର୍ତ୍ତାଳାପ କରିବା

କବି, କବିହୋଇ ପଦଟାଏ କହି ପକାଇଲେ, ଛାଆଁକୁ ସୁବର୍ଣ୍ଣରେଖା ତରଫର ପଦଟି ଅନ୍ତରରୁ ସ୍ପନ୍ଦିତ ହେଲା।

ହଇ ଗୋ ମାତେ ମୋର ପଦେକୁ ତୁମର ପଦେ, ମୋ ପଦଟି ତ ମୋର, ତୁମ ପଦଟି କାହାର?ନଦୀର ତାନ ଅବା ପବନର କୁଜନ, କି ପୁନେଇଁ ଚାନ୍ଦର ସମ୍ମୋହନ!

ଏମିତି ଅନେକ ବେଳ କଟିଗଲା, ସତକୁ ସତ ସେ ସମ୍ମୋହିତ ହୋଇ ପଡିଲେ ଓ ପଦ ପରେ ପଦ ଅଭୁଲା ପଂକ୍ତି ତାଙ୍କୁ ପଥ କଢେଇ ନେଲା କାବ୍ୟଟିର ସମାପ୍ତି ପର୍ଯ୍ୟନ୍ତ । ସୁଖଦ ନିଦ୍ରା କୋଳେଇ ନେଲା । ଜାଗ୍ରତ ଅବା ସୁପ୍ତ ଅଥବା ସ୍ୱପ୍ନାବ୍ଳିଷ୍ଟ, ପଦ୍ୟମାନ କିନ୍ତୁ ସୁସହଂତ, ସମ୍ମୁଜ୍ଜ୍ୱଳ, ସାବଲୀଳ ଓ ବିସ୍ମରଣ ରହିତ ।

 କାବ୍ୟ ସମାପ୍ତ ।

ବିସ୍ମିତ ପୁଅ ପୁତୁରାଙ୍କ ମୃଦୁ ତାଗିଦରେ ତଥାପି ପୁଲକିତ ପ୍ରମୋଦଙ୍କ ନିଦ ଭାଙ୍ଗିଲା । ସେ ଦିଶୁଥିଲେ ସନ୍ତୁଷ୍ଟିର ମୂର୍ତ୍ତିମନ୍ତ ସ୍ୱରୂପ ପ୍ରାୟ ।
ଭିନ୍ନ ମଣିଷ ।

ମିଥ୍ୟା ବଚନରେ ସନ୍ତୁଳିତ ସୁରମାଙ୍କ ସମସ୍ତ କ୍ଳେଷ ସ୍ୱାମୀଙ୍କୁ ଦେଖି ଦୂର ହୋଇଗଲା ।

ପାଣ୍ଡୁଲିପିଟିକୁ ପ୍ରଥମେ ପଢାଇଲେ ବାଲେଶ୍ୱରର ପୁରାତନ ପ୍ରକାଶକ ପଣ୍ଡିତ କୃଷ୍ନ ରଥ ମହାଶୟଙ୍କୁ । ଚମତ୍କୃତ ରଥ ମହାଶୟ ଏତେ ଖୁସି ହେଲେ ଯେ ତାଙ୍କ କେତେ ବର୍ଷର ଅବସର ସମାପ୍ତ କରି କାବ୍ୟର ଉଚିତ ଯତ୍ନ ନେଲେ,ଏ କୃତିକୁ ନିର୍ଭୁଲ ପ୍ରକାଶ କରିବାରେ ବ୍ରତୀହେଲେ । କେବଳ ସେତିକି ନୁହେଁ ଓଡିଶାର ଯେଉଁ ବରପୁତ୍ର ଓ ସମ୍ବାଦ ସଂସ୍ଥା ମାନ କାବ୍ୟଗ୍ରନ୍ଥଟିର ଉଚିତ ମୂଲ୍ୟାୟନ କରି ପାରିବେ, ସେମାନଙ୍କ ପାଖରେ ପହଞ୍ଚାଇବାକୁ ନିଜର ପରମ କର୍ତ୍ତବ୍ୟ ମନେ କଲେ । ପଣ୍ଡିତେ କାବ୍ୟଟିରେ ଅତ୍ୟନ୍ତ ପ୍ରଭାବିତ ହୋଇ ପଡିଥିଲେ  । ବହିଟି ସାହିତ୍ୟ ଏକାଡେମୀର ଚୟନକର୍ତ୍ତାମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ କଲେ, ଏ ବର୍ଷର ଶୀର୍ଷ ପୁରସ୍କାର ପାଇଁ ।

ପୁରସ୍କାର ବିତରଣ ଉତ୍ସବ ପାଇଁ ଆନୁଷ୍ଠାନିକ ନିମନ୍ତ୍ରଣ ପତ୍ର ଆସିଲା, ସମ୍ବାଦପତ୍ର ମାନଙ୍କରେ ଛପାଗଲା । ମୂଖ୍ୟ ଅତିଥି, ଡ. ଶ୍ରୀକର ଶ୍ରୀଚନ୍ଦନ । ସେଇଠାରେ ଅଟକିଗଲା ପ୍ରମୋଦ ଦେବରାୟଙ୍କ ନଜର ।
ପ୍ରଥିତକୀର୍ତ୍ତି, ଜୀବନ୍ତ କୀମ୍ବଦନ୍ତୀ ଶ୍ରୀକର, ବହୁ ସମ୍ମାନର ଅଧିକାରୀ, କେନ୍ଦ୍ର ସାହିତ୍ୟ ଏକାଦେମୀ ପୁରସ୍କାର ପ୍ରାପ୍ତ, ନିଃସନ୍ଦେହରେ ବର୍ତ୍ତମାନ ସମୟରର ଶ୍ରେଷ୍ଠ ଓଡିଆ କବି । କିଶୋର କବି ପ୍ରମୋଦ ଦେବରାୟଙ୍କ ସେ ଥିଲେ ଅତି ପ୍ରିୟ ଓ ଆଦର୍ଶ । ଏବେ ମଧ୍ୟ ସେ, ପ୍ରମୋଦଙ୍କ ପ୍ରଥମ ପସନ୍ଦର କବି ।

ଏ ଖବର ଆସିଲା ପରେ ସୁରମା ନିଜର ସମସ୍ତ ଅନୁଶୋଚନା ତ୍ୟାଗ କଲେ । ସନ୍ଥପୁର ଇଲାକାରେ ଆନନ୍ଦର ଲହରି ଖେଳିଗାଲା । ଅଭିନନ୍ଦନର ସୁଅ ଛୁଟିଲା । କେବଳ ଜଣେ, ସେ ସ୍ୱୟଂ କବି, ସୁଖୀ ନଥିବା ଜଣା ପଡୁଥିଲେ ।  ତାଙ୍କ  ମନର ନିଭୃତ ଇଲାକାରେ କଣ ଘଟୁଥିଲା ତାହା ଜାଣିବା ସୁରମାଙ୍କ ଅସାଧ୍ୟ ଥିଲା, ଭିନ୍ନ ଲୋକଙ୍କ କଥା କଅଣ ଅବା କୁହାଯିବ ।

ସୁରମା ଅର୍ଥକଲେ, ବୋଧହୁଏ ସ୍ୱାମୀ ତାଙ୍କ ବ୍ୟକ୍ତିଗତ ଅମୂଲ୍ୟ ସମ୍ପତ୍ତି ଲୋକାର୍ପଣ କରିବାରେ କିଞ୍ଚିତ୍ କୁଣ୍ଠାକୁ ଜବରଦସ୍ତ ଦବାଇ ଦେବାର ଗ୍ଳାନିରେ ମ୍ରୀୟମାଣ ।

କିନ୍ତୁ ସେ ଆକାଶ ପାତାଳ ଖୋଜୁଛନ୍ତି କେଉଁ ବିଶେଷ ଜିନିଷ!

କାଇଁ ନାଇଁ ତକହି ସେ ଖୋଜି ଚାଲିଛନ୍ତି । ଗୁପ୍ତ ଅବ୍ୟବହୃତ ସିନ୍ଦୁକ, ଲକର୍, ଅନ୍ଦି କନ୍ଦି ସର୍ବତ୍ର । କେଉଁ ଆଇମା ଅମଳର ଚାବି ନେନ୍ଥାମାନ ବ୍ୟବହାର କରି ଅଫିଟା ତାଲା ସବୁ ଫିଟାଉଛନ୍ତି ଓ ବନ୍ଦ କରୁଛନ୍ତି ।
ସୁରମା ସ୍ମରଣ କରାଇ ଦେଉଛନ୍ତି, “ପୁରସ୍କାରର ଦିନ ପାଖେଇ ଆସିଲାଣି, ତୁମେ ତ ଏହାର ଉତ୍ତର ବକ୍ତବ୍ୟ ଏ ପର୍ଯ୍ୟନ୍ତ ଲେଖୁନ । ଅପ୍ରସ୍ତୁତ ମନରୁ କହିବା ଠିକ୍ ହେବନି

ହଁ, ଠିକ୍ କଥା, ଲେଖିବା ।” - କିନ୍ତୁ ଲେଖନ୍ତି ନାହିଁ, ତାଙ୍କ ଖୋଜା ଅନବରତ ଚାଲିଥାଏ 

ଅବଶେଷରେ ପାଇଗଲେ ବୋଧେ, ଏକ ଆଲମୀରାର ଭିତର ଲକର ମଧ୍ୟରୁ ।

ବଣମଲ୍ଲୀ’, ତାଙ୍କ ପ୍ରଥମ କବିତା ସଙ୍କଳନ ।

ଏଇଟାକୁ କଣ ଏତେ ଖୋଜୁଥିଲେ, ଏମିତି ତ କେତେ ବଣମଲ୍ଲୀ, ବହି ଥାକରେ ଅଛନ୍ତି! ପ୍ରଥମ ସଙ୍କଳନ ତ ଅଭିଜ୍ଞତା ନଥିଲା, ଢେର୍ ଛାପି ପକାଇ ଥିଲେ, ଗୁଡାଏ ବଳି ପଡିଛି ।

ବହିଟିକୁ ଅନେକ ସମୟ ଧରି, ପ୍ରଛଦ ପୃଷ୍ଠାଟି ଖୋଲି ଚାହିଁ ରହିଲେ । ତା ମଧ୍ୟରୁ ଏକ ହସ୍ତଲେଖା କାଗଜ ବାହାର କଲେ, ଜଣା ପଡୁଛି ଏକାଧିକ ପୃଷ୍ଠା । ଶେଷରେ ବହିଟିକୁ ଲୁଚାଇ ରଖିଲେ । ଅଲକ୍ଷରେ ଲକ୍ଷ କରୁଥିବା ସୁରମା ନିଶ୍ଚିତ ହେଲେ, ଏହା କିଛି ବିଶେଷତ୍ୱ ବହନ କରେ ।

କବି ସାହିତ୍ୟିକ ଇତ୍ୟାଦି, ସେମାନଙ୍କ ସାହିତ୍ୟ ପରି ଅତି ପରିଛନ୍ନ ହୃଦୟଯୁକ୍ତ ମଣିଷ ପ୍ରାୟ ପ୍ରତିଭାତ ହୁଅନ୍ତି। ଆଦ୍ୟ ଯୌବନରେ ପ୍ରମୋଦ ତାଙ୍କ ପ୍ରଥମ ପସନ୍ଦର କବି ଶ୍ରୀକରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ବହୁଳାଂଶରେ । ତାଙ୍କର ସମସ୍ତ କୃତି ସେ ପାଠ କରିଛନ୍ତି । ପ୍ରମୋଦଙ୍କ କବିତାରେ ଶ୍ରୀକରଙ୍କ ଶୈଳୀ ଆଦ୍ୟ ଜୀବନରେ ପ୍ରତିଫଳିତ ହେଉଥିଲା । ପାଠକେବି ଏକଥା ବାରି ପାରିଥିଲେ । କହିବା ବାହୁଲ୍ୟ, ଦୂର କଟକର ରେଭେନ୍ସା କଲେଜରେ ଶ୍ରୀକର ଓଡିଆ ବିଭାଗର ମୂଖ୍ୟ ଥିବାରୁ, ସେଇଠି ନାମ ଲେଖାଇଲେ ପ୍ରମୋଦ, ଖାସ ତାଙ୍କୁ ଗୁରୁ କରିବାକୁ ।

କ୍ରମେ ଲାଜକୁଳା ପ୍ରମୋଦ, ଶ୍ରୀକରଙ୍କ ସୁନଜରକୁ ଆସିଲେ । କବିସ୍ତରୀୟ ଭାବ ବିନିମୟ ବି ହେଲା ଶ୍ରୀକର ପାଇଲେ ଜଣେ ଗୁଣମୁଗ୍ଧ ସମ୍ଭ୍ରାନ୍ତ ପାଠକ ଓ ଆଜ୍ଞାଧୀନ ଛାତ୍ର । ପ୍ରମୋଦ ପାଇଲେ ଉତ୍ସାହ ଓ ମାର୍ଗଦର୍ଶକ ।
ସେ ଉତ୍ସାହ ସୃଷ୍ଟି କଲା ନବ ଭବ୍ୟ କବିତା ଗୁଚ୍ଛ । ପ୍ରକାଶିତ ପ୍ରଥମ ସଂକଳନ ବଣମଲ୍ଲୀ  ମାନନୀୟେଷୁ ଗୁରୁଙ୍କ ହସ୍ତରେ ଧରାଇଲେ ଓ ଦ୍ୱିତୀୟ କପିରେ ଗୁରୁଙ୍କ ଆଶୀର୍ବାଦ ଓ ସ୍ୱାକ୍ଷର ଲେଖାଇ ଆଣି ପ୍ରମୋଦ ମନେକଲେ ତାଙ୍କ ଜୀବନ ସାର୍ଥକ ହୋଇଯାଇଛି ।
ସେ ଆଉ ପଛକୁ  ଫେରି ଚାହିଁଲେ ନାହିଁ, ସଙ୍କଳନ ପରେ ସଂକଳନ ପ୍ରକାଶ ପାଇଲା ।
ତେବେ, ବଣମଲ୍ଲୀର ସ୍ମୃତି ନିଆରା ।
ଶିକ୍ଷା ସମାପ୍ତ କରି ସନ୍ଥପୁର ଆସିଲା ବେଳକୁ ପ୍ରମୋଦ ହୋଇସାରିଥିଲେ ଜଣେ ପ୍ରତିଷ୍ଠିତ କବି । କ୍ରମେ ଶ୍ରୀକରଙ୍କ ସହ ଆଗ ଭଳି ସମ୍ପର୍କ ରଖିବା ସମ୍ଭବ ହୋଇ ପାରିଲା ନାହିଁ । ଚିଠି ମାନଙ୍କର ଉତ୍ତର ମିଳିଲା ନାହିଁ ।  କବିତା ମାନଙ୍କୁ ବିଶ୍ଳେଷଣ ମିଳିଲା ନାହିଁ ।
ପ୍ରମୋଦ ଅବଶ୍ୟ ବୁଝି ପାରୁଥିଲେ, ଶ୍ରୀକର କୋଟିକରେ ଗୋଟିଏ, ତାଙ୍କ ଭଳି ଅନେକ ଲୋକଙ୍କ ସେ ମାର୍ଗଦର୍ଶକ, ସମସ୍ତଙ୍କ ଅର୍ଦ୍ଦଳି କେତେ ଅବା ଶୁଣିବେ । ବିଭିନ୍ନ ସାହିତ୍ୟ ସଂଗଠନ ସହ ସେ ଜଡିତ, ସରକାରୀ ସାହିତ୍ୟାନୁଷ୍ଠାନ ଗୁଡିକ ତାଙ୍କ ନାମ ଯୋଡି ଦିଅନ୍ତି କର୍ମକର୍ତ୍ତା ମଣ୍ଡଳିରେ । କଲେଜର ଅଧ୍ୟକ୍ଷ ସେ, ବିଶ୍ୱବିଦ୍ୟାଳୟର ପରୀକ୍ଷା ପରିଚାଳନା କମିଟିର ସଦସ୍ୟ । ତାଙ୍କ ତତ୍ତ୍ୱାବଧାନରେ ସାହିତ୍ୟ ଗବେଷଣାର ଛାତ୍ର ଥାଆନ୍ତି । ଅନ୍ୟ ଗବେଷକଙ୍କ ସନ୍ଦର୍ଭ ସେ ତର୍ଜମା କରନ୍ତି । ଏତେ ବ୍ୟସ୍ତତା ମଧ୍ୟରେ ସେ ସମୟ ଦେଇନପାରିବା ଏକ ସ୍ୱଭାବିକ କଥା, ବିଚାରନ୍ତି ପ୍ରମୋଦ ।

ଏକଦା ପ୍ରମୋଦ ଦେବରାୟ ବେଶ୍ ହରଷ ଚିତ୍ତରେ କଟକ ଯାଇଥାନ୍ତି, ନବୀନତମ କବିତା ସଂକଳନର ପାଣ୍ଡୁଲିପି ଧରି । ଇଛା ଶ୍ରୀକରଙ୍କ ଆଶୀର୍ବାଦ ଭିକ୍ଷାକରି ପ୍ରକାଶକଙ୍କୁ ଦେବେ ।

ସେଦିନ କିନ୍ତୁ ସେ ଫରେିବା ପରେ ବିଚିତ୍ର ବ୍ୟବହାର ଦେଖାଇଥିଲେ ।
ବୁଝିଲ ସୁରମା, କବିଗିରି ବହୁତ ହୋଇଗଲା, ଟିକେ ବିଶ୍ରାମ ନେବା, ଅନ୍ୟାନ୍ୟ ହାଲ ବୁଝିବା । ଦେଖିଲ ଦେଖିଲ, ଏ କାନଫୁଲ କିଭଳି ହୋଇଛି? ଏ ସମ୍ବଲପୁରୀ ପାଟଟି ମନକୁ ପାଇଲା ନେଇ ଆସିଲି ।
ପିଲାମାନଙ୍କ ପାଇଁ ଆଣିଥିଲେ ପୋଷାକ, ଖେଳନା ଓ ନାନାଦି ଦାମୀ ଚକୋଲେଟ । ଗାଁ କ୍ଲବ୍ ପାଇଁ ଖେଳସାମଗ୍ରୀ ।
ବହୁତ ପ୍ରଫୁଲ୍ଲ ଲାଗୁଥିଲେ ସେ । ଅବଶ୍ୟ ପ୍ରତିଥର ବହିଟିଏ ପ୍ରକାଶିତ ହେଲେ ସେ ସୁଖ ଅନୁଭବ କରନ୍ତି କିନ୍ତୁ ଏମିତି ନୁହେଁ । ଏମିତି ଖେଳ ପଡିଆକୁ ଯିବା, ନଦୀରେ ସନ୍ତରଣ କରିବା, ମାଛ ଧରିବା, ମାଇଲ୍ ମାଇଲ୍ ପ୍ରାତଃଭ୍ରମଣ କରିବା; ଲାଗୁଥିଲା ଅତୀବ କୃତ୍ରିମ ।

ସୁରମା ବିବ୍ରତ ହୋଇଥିଲେ । ସେ ବୁଝି ପାରୁଥିଲେ ଏହା ସୁଖ ନୁହେଁ, ଦୁଃଖକୁ ଲୁଚାଇବାର ଅଭିନୟ । ସୁଖରେ କି କବି କବିତା ଗଢିବା ବନ୍ଦ କରିପାରେ!

ସେହି ଅଜବ ଦିନ ମାନଙ୍କରେ, କେବଳ ଯାହା ବ୍ରାହ୍ମ ମୁହୁର୍ତତରେ ଧ୍ୟାନ ଅନ୍ତେ କିଛି ଲେଖିବା ବନ୍ଦ କରିନଥିଲେ । ସେଇଟି ହିଁ କାବ୍ୟ, “ସୁବର୍ଣ୍ଣରେଖା”, ଯାହା ଆଜି ଆଣି ଦେଇଛି ଏତେ ବଡ ସଫଳତା । କବି ସ୍ୱୟଂ ଅବଗତ ନଥିଲେ ଯେ ଏହା ପ୍ରକାଶଯୋଗ୍ୟ ।
ଅନେକ ଦିନ ବିଗତ । ସୁରମା ସ୍ମରଣ କରି ପାରୁଥିଲେ, ସେହି ବିଚିତ୍ର ବ୍ୟବହାର ଅବକାଶରେ ସେ ଆହୁରି କିଛି ରଚନା ମଧ୍ୟ ଲେଖୁଥିଲେ । ସୁରମାଙ୍କୁ ମନେହେଲା, ଉକ୍ତ ରଚନାଟିକୁ ସେ ଲୁଚାଇ ରଖିଥିଲେ, ଖୋଜି ଖୋଜି ପାଇଥିବା ସେହି ତାତ୍ପର୍ଯ୍ୟପୂର୍ଣ୍ଣ ବଣମଲ୍ଲୀମଧ୍ୟରେ ।
ଆଜି ସେ ସମସ୍ତ ଧରି କବି ଆସିଥିଲେ, କହିଲେ ଏହା ମଧ୍ୟରେ ତାଙ୍କର ବକ୍ତବ୍ୟ ଅଛି ଅଥଚ ମଞ୍ଚ ଉପରକୁ ଗଲାବେଳେ ସେ ସବୁ ନ ନେଇ, ସତେଅବା ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ କୋଳରେ ଥୋଇ ଦେଇ ଚାଲିଗଲେ!

 କବି ମନ!

କଳା ଭବନର ଭବ୍ୟ ସଭାଗୃହ । ଭରପୁର ପ୍ରେକ୍ଷାଳୟରେ ସମସ୍ତ ନରନାରୀ ସାହିତ୍ୟିକ କିମ୍ବା ସାହିତ୍ୟ  ସାଧକ । କେତେକଙ୍କୁ ସେ ସନ୍ଥପୁର ପ୍ରାସାଦରେ ପ୍ରତ୍ୟେକ୍ଷ ଆତିଥେୟତା ଦେଇଥିବା ବେଳେ, ଅଧିକାଂଶକୁ ଅବଶ୍ୟ ଦେଇଛନ୍ତି ପାଠକୀୟ ଆତିଥେୟତା  । ରଥୀ ମହାରଥୀଙ୍କ ମଧ୍ୟରେ ସସଙ୍କୋଚେ, ସଗର୍ବେ ବସିଛନ୍ତି ସପରିବାରେ ସୁରମା । ଓଠ ଚିପି ହୋଇ ଆସୁଛି, ଆଖି ଜକେଇ ଯାଉଛି, ଚଷମା ବାରମ୍ବାର ପୋଛିବାକୁ ପଡୁଛି ।

ସଭାପତି ସଭାକାର୍ଯ୍ୟ ଆରମ୍ଭ କରି ସାରିଛନ୍ତି । କାର୍ଯ୍ୟ ଯଥାରୀତି ଚାଲିଛି । ସୁରମା ଏକ ଧ୍ୟାନରେ ଅନାଇଛନ୍ତି ପ୍ରମୋଦଙ୍କୁ, କାଳେ କେତେବେଳେ ଚାହିଁଦେବେ, ସୁରମା ତାହେଲେ ଭୁଲିଯାଇଥିବା ପୁସ୍ତକ ଓ ଲେଖାକଥା ସୂଚନା ଦେବେ । ସେ ତ ଜମା ଚାହୁଁନାହାନ୍ତି । ନିରଭିମାନ, ନିର୍ବିକାର, ସୁଖଦୁଃଖ ରହିତ ହୋଇ ଏକ ପ୍ରକାର ଭାବଶୂନ୍ୟ ମଣିଷ ପ୍ରାୟ ବସିଛନ୍ତି । ଅନେକ ସମୟ ଅନ୍ତେ ଚାରି ଚକ୍ଷୁର ମିଳନ ହେଲା । ସୁରମା ତାଙ୍କ ହଜିଲା ଧନକୁ ହାତ ଉପରକୁ ଊଠାଇ ଦେଖାଇଲେ । ପ୍ରମୋଦ ଏବେ ଟିକେ ହସିଲେ ଓ ନାସ୍ତିସୂଚନା ଦେଲେ ।

ଶ୍ରୀକରଙ୍କ ଭାଷଣ ଆରମ୍ଭ ହୋଇଯାଇଥାଏ ।

ସୁରମା ଅବଶ୍ୟ ତାଙ୍କ ଭାଷଣକୁ ଧ୍ୟାନ ଦେଲେ, କିନ୍ତୁ ମନ ମଧ୍ୟରେ ଜାଗ୍ରତ ହେଲା ଏକ ଅଦମ୍ୟ ଆଗ୍ରହ । କଣ ଏ ବଣମଲ୍ଲୀର ବିଶେଷତ୍ୱ, ଏବଂ ତା ମଧ୍ୟରେ ଥିବା ହାତଲେଖାର ବିଷୟବସ୍ତୁ । ସେ ବହିଟିର ପ୍ରଥମ ପୃଷ୍ଠା ଓଲଟାଇଲେ ।
ଶ୍ରୀକର ସେପଟେ କହୁଛନ୍ତି ଗୁରୁଶିଷ୍ୟର ପରମ୍ପରା, ଗୁରୁ କିପରି ପିତା ମାତାଙ୍କ ପରି ଛାତ୍ରର ଉନ୍ନତିରେ ଆତ୍ମବିଭୋର ହୋଇଥାଏ । ଏପରିକି ଛାତ୍ରର ଗୁରୁ ଉପରେ ବିଜୟରେ, ଗୁରୁ ହିଁ ସବୁଠୁ ଭାଗ୍ୟବାନ ମନେକରେ ନିଜକୁ ।  ସେ କହିଚାଲିଲେ ପ୍ରମୋଦଙ୍କ ସହ ତାଙ୍କର ଅନ୍ତରଙ୍ଗତା, ତାଙ୍କ ଆଦ୍ୟ ସମ୍ଭାବନାର ସଠିକ କଳନା ସେ କିପରି କରିଥିଲେ ।

ଏପଟେ ସୁରମା ଗୋଲକଧନ୍ଦାରେ ପଡିଗଲେ । ବହିଟିରେ ଲେଖାଯାଇଛି-  ମାନନୀୟେଷୁ’, ମାନନୀୟେଷୁ ଗୁରୁଜୀ ପ୍ରଫେସର ଶ୍ରୀକର ଶ୍ରୀଚନ୍ଦନଙ୍କ ଗୁରୁ ଶ୍ରୀଚରଣରେ ଅର୍ପିତ, ମାନନୀୟେଷୁ । ଆଜ୍ଞାଧୀନ ପ୍ରମୋଦ । 
ଆଶ୍ଚର୍ଯ୍ୟ! ଏ ବହିଟି ତ ସେ ଗୁରୁଙ୍କୁ ଦେବା ଅନ୍ୟଥା ହୋଇନଥିବ, ଏହା ପୁଣି ନିଜ ପାଖକୁ ଆସିଲା କେମିତି!

ଶିଷ୍ୟର ଗୁଣଗାନ ଚାଲିଥାଏ, ଅନେକ ସ୍ମୃତି, କଥୋପକଥନ ଓ ଉପଦେଶର ଦୃଷ୍ଟାନ୍ତ ମାନ ଦିଆ ଚାଲିଥାଏ, ସଭାସଦ ମାନେ ମୁଗ୍ଧ ହେଉଥାନ୍ତି । ସବୁଠୁ ବିମୁଗ୍ଧ ଦିଶୁଥାନ୍ତି, ଶ୍ରୀକର ନିଜେ । କେବଳ ଯାହା ପ୍ରମୋଦ ବଲବଲକି ଅନାଉଥାନ୍ତି । ଯଦି କିଏ ତାଙ୍କୁ ଲକ୍ଷକରିବ ହୁଏତ ଭାବିବ, ଏ ବାବୁ ସମସ୍ତ ପ୍ରଶଂସାରୁ ଉତ୍ତୀର୍ଣ୍ଣ । କିମ୍ବା ଭାବିବ, ଏଇଟାକୁ କିଏ କବି କଲା ମ, ଇଏ ତ ରସଶୂନ୍ୟ, ସମ୍ବେଦନ ବିହୀନ ।
ସୁରମା କିନ୍ତୁ ପଢିପରୁଥିଲେ ସ୍ୱାମୀଙ୍କ ମନକୁ କାରଣ ସେତେବେଳକୁ ସେ ତାଙ୍କ ହାତଲେଖା ପଢିବାକୁ ଆରମ୍ଭ କରିଥିଲେ, ଯେଉଁଥିରେ ସ୍ପଷ୍ଟ ଲେଖାଯାଇଛି କଣ ସେ ଭାବୁଛନ୍ତି । ସେ ଲେଖାଟି ଆରମ୍ଭ କରିଛନ୍ତି- ଜଣେ ସାହିତ୍ୟିକ, ପୁଣି ଉଚ୍ଚସ୍ତରର କବି ଏତେ ନିର୍ଦ୍ଦୟ ହୋଇପାରେ! ଗୁରୁ କଣ ଶିଷ୍ୟର ଭକ୍ତିଅର୍ଘ୍ୟକୁ ନର୍ଦ୍ଦମାକୁ ଫିଙ୍ଗିଦେଇ ପାରେ! ତାଙ୍କ ସ୍ଥାନ ଉଚ୍ଚରେ । ବହୁ ନବୀନ କବି ଓ ଲେଖକ ହୃଦୟଭରା ଭକ୍ତି ଓ ସମ୍ମାନର ସହ ମାନନୀୟେଷୁଙ୍କୁ ସକୃତଜ୍ଞ ଅର୍ପଣ କରନ୍ତି ନିଜର କୃତି; ପାଇବା ପାଇଁ ଆଶିଷ, ମାର୍ଜନା, ମାର୍ଗଦର୍ଶନ । ଗୁରୁଙ୍କ ପଦୁଟିଏ ସ୍ୱୀକାରୋକ୍ତି, ତାରିଫ୍ ଓ ଆନନ୍ଦ, ଶିଷ୍ୟ ମଧ୍ୟରେ ସୃଷ୍ଟିକରେ ଉତ୍ସାହ, ଶକ୍ତି ଓ ଆତ୍ମବଳ । ଅଥଚ ରଦ୍ଦି କାଗଜ ସହ ସେସବୁ ଯେ କଦାଚିତ୍ ଯାଇପାରେ ରାସ୍ତାକଡର ବହି ବିକାଳୀଙ୍କ ପାଖକୁ ଏହା କଣ ସ୍ୱଚକ୍ଷୁରେ ନଦେଖିଥିଲେ ଜାଣି ହୋଇଥାଆନ୍ତା । ହୁଏତ ତାଙ୍କ ଗୃହରେ ଆଉ ସ୍ଥାନ ନଥିଲା, ହୁଏତ ବଣମଲ୍ଲୀ ସେତିକି ମୂଲ୍ୟବାନ ନୁହେଁ କି ତାହା କୌଣସି ପାଠାଗାରକୁ ଦେଇ ହେବ, ସେ ବା ଆଉ କଣ କରିଥାନ୍ତେ । କିନ୍ତୁ ଅନ୍ୟ ଯେଉଁ ବହି ଗୁଡିକ ଏହି ଦୁଃସ୍ଥ ଅବସ୍ଥା ପ୍ରାପ୍ତ ହୋଇ ଭୂଇଁରେ ଲୋଟିଛନ୍ତି ତନ୍ମଧ୍ୟରୁ କେତେକ ଖୁବ୍ ଲୋକପ୍ରିୟ । ଗୁରୁଙ୍କ ସମ୍ବେଦନଶୀଳତା କିଛି ନିନ୍ଦାଜନକ ଭାବନା ତ ଆଣିବା କସ୍ମିନ୍ କାଳେ ଅନୁଚିତ୍ ।
ନୂଆ ପାଣ୍ଡୁଲିପିକୁ ସାର୍ଙ୍କୁ ଦେଖାଇ ପ୍ରକାଶଙ୍କକୁ ଦେବା ନୋହିଲା, ସାରଙ୍କ ଦେଖା ମିଳିଲାନି ପୂର୍ବରୁ ସୂଚନା ଥିଲେ ମଧ୍ୟ, ଟେଲିଫୋନରେ ଯୋଗାଯୋଗ ବି ହୋଇପାରିଲା ନାହିଁ । ପ୍ରକାଶକ ମହାଶୟ ଏ ଦୁଃଖ ଶୁଣି ମୁରୁକି ହସି ଥଟ୍ଟାକଲେ, “ଗୁରୁଙ୍କ ପୁରୁଣା ବହି ପଡିଛି ଶିଷ୍ୟର ପୁସ୍ତକ ପୁନଃପ୍ରକାଶିତ, ପୁଣି ନୂଆ ପାଣ୍ଡୁଲିପି। ଗୁରୁ ଲୁଚିବେ ନାହିଁ କି?” ବହୁତ ଅପ୍ରସ୍ତୁତ ଲାଗିଲା ।  ଛି ରେ ପ୍ରମୋଦ ତୋ କବି ହେବା ଧିକ୍ । ନା ଆଉ ନୁହେଁ ସାହିତ୍ୟ ମଧ୍ୟରେ ଏମିତି ସମ୍ବେଦନଶୀଳ ମୁହୂତର୍ତ ଆସିପାରେ! ବରଂ ଶ୍ରେୟଷ୍କର ଲେଖିବା ବନ୍ଦ କରିଦେବା । ଏମିତି ଏକ ଭାରାକ୍ରାନ୍ତ ମନ ସହି ପାରିବା ଅବସ୍ଥାରେ ନାହିଁ ବଣମଲ୍ଲୀର ଭୂପତନ ।

ସୁରମା ଆଖି ପୋଛି ପୁଣି ପଢିବାକୁ ଚେଷ୍ଟାକଲେ, ପ୍ରମୋଦଙ୍କ ବିଚିତ୍ର ବ୍ୟବହାରର କାରଣ ସ୍ପଷ୍ଟ ହୋଇଯାଇଥିଲା ।
ଶ୍ରୀକରଙ୍କ ଭାଷଣ କ୍ରମଶଃ ଅନର୍ଗଳରୁ ଅତିରଞ୍ଜିତ ପର୍ଯ୍ୟାୟକୁ ଚାଲିଯାଇଥାଏ, ସଭାଗୃହ ପୀଡା ଅନୁଭବ କରୁଥିଲେ ବି କହିବାର ଉପାୟ ନାହିଁ । ସୁରମା ନଶୁଣି ଶୁଣି ପାରୁଥିଲେ, ଶୁଣି ଅଶୁଣା ହେଉଥିଲେ, ସ୍ୱାମୀଙ୍କ ଲେଖା ସେମିତି ପଢି ପଢୁନଥିଲେ ଓ ନପଢି ଅନୁମାନ କରି ପାରୁଥିଲେ ।

ଭାଷଣ ସରୁନଥାଏ, ସମାନ କଥାକୁ ବୁଲାଇ ବଙ୍କାଇ ଦୋହରାଉଥାନ୍ତି ଶ୍ରୀକର । ସାରାଂଶ ପ୍ରମୋଦ ତାଙ୍କ ଛାତ୍ର, ସେ ପ୍ରମୋଦଙ୍କୁ ଗଢିଛନ୍ତି, ପ୍ରମୋଦ ଯେ ଦିନେ ଉନ୍ନତିର ଚରମ ସୋପାନକୁ ଯିବେ ଏକଥା ସେ ଆଗରୁ ଜାଣିଥିଲେ । ପ୍ରମୋଦଙ୍କ ପ୍ରତ୍ୟେକ ସଂକଳନ ତାଙ୍କ ପାଠାଗାରର ଏକ ଏକ ଉଜ୍ଜ୍ୱଳ ରତ୍ନ । ପ୍ରମୋଦଙ୍କ ଉନ୍ନତି ଗୁରୁଙ୍କ ଗାରିମା ବଢାଇଛି ଏବଂ ପ୍ରମୋଦ ତାଙ୍କ ଛାତି ଉପରେ ମୋହର କରାହୋଇଥିବା ଏକ ମେଡାଲ୍ ।

ସବୁ ଯନ୍ତ୍ରଣାର ଅବଶ୍ୟ ଅନ୍ତଃ ଥାଏ । ଶ୍ରୀକରଙ୍କ ଭାଷଣ ସରିଲା ।  ସଭାସଦ୍ ମାନଙ୍କ ଦୀର୍ଘ ତାଳିରେ ଉଛୁଳି ପଡିଲା ସଭାକକ୍ଷ ।
ସମୟ ଅତିକ୍ରାନ୍ତ । ସଭାରେ ସୁବର୍ଣ୍ଣରେଖାବିତରଣ ଚାଲୁଥାଏ ।
ମୂଖ୍ୟ ଅତିଥି ପୁରସ୍କାର ପ୍ରଦାନ କଲେ । ଫଟୋ ଉତ୍ତୋଳନ ପର୍ବରେ ସାମିଲ୍ ହେବାକୁ ସ୍ୱେଛାସେବୀ ମାନେ ପାଛୋଟି ନେଲେ ସୁରମାଙ୍କୁ । ଶ୍ରୀକର ବେଶ୍ ଖୁସି ବ୍ୟକ୍ତ କରି କାବ୍ୟରେ ସୁରମାଙ୍କର ଭୂମିକା ସମ୍ପର୍କରେ ପଣ୍ଡିତ କୃଷ୍ଣ ରଥଙ୍କଠୁ ଶୁଣିଛନ୍ତି କହିଲେ ।
ଶ୍ରୀକରଙ୍କୁ ପ୍ରଣାମ କରି ସୁରମା ପ୍ରତ୍ୟୁତ୍ତର ଦେଲେ ଯେ, କାବ୍ୟ ଏକ ସିଧାସଳଖ କଥୋପକଥନ, ପ୍ରମୋଦ ଓ ମାତା ସୁବର୍ଣ୍ଣରେଖା ମଧ୍ୟରେ ଓ ଆଉ କେହି ଏହାର ଶ୍ରେୟ ତ ନେଇ ପାରିବେ ନାହିଁ, କିନ୍ତୁ ଯେଉଁ ମାନଙ୍କ ଅବଦାନ ଅଛି ସେମାନେ ହେଲେ, କୁମାର ମହାଶୟ, ପଣ୍ଡିତେ ଓ ସାମାନ୍ୟ ଭାବରେ ସେ ନିଜେ । ତେବେ ସବୁଠାରୁ ଅଧିକ ଅବଦାନ ଅଛି ସାର୍ ଆପଣଙ୍କର । ତାହା ଅପ୍ରକାଶ୍ୟ ଓ କେବଳ ଅନୁଭବ ।

ସତ୍ୟ କି ନୁହେଁ?”, ତାତ୍ପର୍ଯ୍ୟପୂର୍ଣ୍ଣ ଭାବେର ଅନାଇଲେ ସ୍ୱାମୀଙ୍କ ଆଡକୁ । ପ୍ରମୋଦ ସମ୍ମତ୍ତି ସୁଚକ ମଥାନତ କଲେ । ଶ୍ରୀକରଙ୍କ ଛାତି କୁଣ୍ଢେ ମୋଟ ହୋଇଗଲା । ଆଶୀର୍ବାଦ ଦେଲେ ।

 ଏପଟେ ସୁରମାଙ୍କ ହାତରେ, ଗୁରୁଙ୍କ ଅବଦାନର ବର୍ଣ୍ଣନା, ଖୋଳ ପରିବୃତ୍ତ ବଣମଲ୍ଲୀର ପୃଷ୍ଠା ମଧ୍ୟରେ ।
ପ୍ରମୋଦଙ୍କ ଉତ୍ତର ରଖିବା ପାଳି । ସୁରମା ପ୍ରେକ୍ଷାଳୟର ଚତୁର୍ଦ୍ଦିଗକୁ ନିରୀକ୍ଷଣ କଲେ । ସମସ୍ତେ ଯେମିତି ବିଳମ୍ବିତ ସମୟ ପାଇଁ ଉଦବୀଗ୍ନ ।
ପ୍ରମୋଦ ସଭାକୁ ଯଥାମାନ୍ୟ ସମ୍ବୋଧନ କରି ପ୍ରଥମରୁ କହିଲେ କି, ଏ ବିଳମ୍ବିତ ସମୟ ପ୍ରତି ସେ ସଚେତନ। ପରମ ସୌଭାଗ୍ୟ, ଏ ସମୟ କଟିଛି ତାଙ୍କ ପ୍ରତି ଗୁରୁଙ୍କର ଆଶୀର୍ବାଦରେ । ସାହିତ୍ୟ ଏକାଦେମୀକୁ ଗଭୀର କୃତଜ୍ଞତା ଜଣାଇଲେ ।

ପୁଣି ସେ କହିଲେ, “ଏହା ଏକ କାବ୍ୟ, ମୁଁ ଅନୁଭବ କରିନାହିଁ, ଦୀର୍ଘ ବର୍ଷ ମଧ୍ୟରେ ବିଶେଷ ଏକ ଲିପିବଦ୍ଧ ବାର୍ତ୍ତାଳାପ ମାତ୍ର, ମା ଓ ପୁଅର ପଦ୍ୟାଳପ । ଏ ମଧ୍ୟରେ ସେ କିଶୋରରୁ ଯୁବକ, ପ୍ରୌଢ ଓ ଅଧୁନା ବାର୍ଦ୍ଧକ୍ୟରେ ଉପନୀତ । ଏହା ମଧ୍ୟରେ ସମ୍ଭବତଃ ଘଟିଥିବ ତାଙ୍କ ଚେତନାରେ ବ୍ୟାପକ ପରିତଯଥ, ଅଭିଜ୍ଞତା ହୋଇଥିବ ଜୀବନର ଅନେକ ଉତ୍ଥାନ ପତନ, ମାର୍ଜିତ ହୋଇଥିବ ଶୈଳୀ, ଦୂର ହୋଇଥିବ ଉଦ୍ଦାମ ଦାମ୍ଭିକତା, ସମ୍ଭବତଃ ରସଶୂନ୍ୟ କିନ୍ତୁ ମା ଓ ପୁଅ ମଧ୍ୟର ଅପବ ଆତ୍ମୀୟତା ସେସବୁକୁ ସମତୁଲ କରିଥିବା ସମ୍ଭବ । ଏହା ଅଣସାହିତ୍ୟ କହିବା ସମୀଚୀନ ଯେହେତୁ ଏହା ପ୍ରକାଶ ଉଦ୍ଦେଶ୍ୟରେ ଅଲିଖିତ, ସଂପାଦନା ଅସମ୍ଭବ, ପାଠକ ଅଗ୍ରାହୀ ଓ ବିଶ୍ଳେଷଣ ଅଯୋଗ୍ୟ । ମୁଁ କୃତଜ୍ଞ ପୂଜ୍ୟ କୁମାର ମହାଶୟଙ୍କ ଗଳ୍ପକୁ ସାମିଲ କରି । ସୁରମା ଏହାକୁ ପ୍ରକାଶଯୋଗ୍ୟ କାବ୍ୟ ହୋଇଥିବାର ପ୍ରଥମ ପାଠକୀୟ ମତାମତ ଦେଇ ଲୋକ ଲୋଚନକୁ ଆଣିଛନ୍ତି । ଏକ ବିଶେଷ ଯୁଗର ଲେଖକ ଓ କବିବତ୍ସଳ ପ୍ରକାଶକଙ୍କ ପ୍ରତିନିଧି, ଜ୍ଞାନୀ ଗୁଣୀ, ପଣ୍ଡିତ କୃଷ୍ଣ ରଥ ମହାଶୟ କେବଳ ଏହା ପ୍ରକାଶ କରିବେ ଏ ଭାବନା ଅନ୍ତରାତ୍ମାରେ ଜାଗ୍ରତ ହେଲା ଯଦିଚ ଜାଣିଥିଲି ମହାଶୟ ଅବସର ନେଇ ସାରିଛନ୍ତି । ସେ ବି ତତ୍କ୍ଷଣାତ ଏହାକୁ ଆଶୀର୍ବାଦ କରିବା ଏକ ବିଶେଷ ଉପଲବ୍ଧି । ଏ ମନ୍ଦିରଟିର ମୁଣ୍ଡି ମାରିବା ପାଇଁ ଅନ୍ୟ ସମସ୍ତ ନିତ୍ୟନୈମିତ୍ତିକ ସାହିତ୍ୟ ଅଭ୍ୟାସ ବନ୍ଦ ହେବା ସମ୍ଭବ ହେଲା ଗୁରୁକୃପାରୁ, ତାହା ବୁଝାଇବା ସମ୍ଭବ ନୁହେଁ । ଏହା ମଧ୍ୟରେ ମାତା ସୁବର୍ଣ୍ଣରେଖାର ଉଭୟ କୂଳରେ ଥିବା ଘଞ୍ଚ ବାଉଁଶ ବନ ଓ ପରିବେଶ ଉଜୁଡି ଯାଇଛି । ଶହ ଶହ ଟ୍ରକରେ ସେ ସବୁ ବୁହା ଯାଇଛି କାଗଜ କଳକୁ । ସେ କାଗଜ ପର୍ଯ୍ୟନ୍ତ ହୋଇଛି ଅସଂଖ୍ୟ ବହିକୁ । ଏକ ଏକ ପୁସ୍ତକ ମେଳା ଏକ ଏକ ଖାଣ୍ଡବ ଦହନ, ପରିବେଶର ବସ୍ତ୍ରହରଣ । ହୁଏତ ତା ମଧ୍ୟରେ ଅନେକାଂଶ ଆଦୌ ପାଠ କରାଯିବନି, ପଢ କି ନପଢ ସେ ସବୁର ଶେଷ ପରିଣତି ଫୁଟପାଥ୍ । ଆପଣାର ଖଡ ଖଡ ନୂଆ ବହିଟିଏ ରାସ୍ତାକଡରୁ ଗୋଟାଇବାର କଷ୍ଟ କୌଣସି ସ୍ରଷ୍ଟାକୁ ନଆସୁ । ସାହିତ୍ୟ ତାହା ଯାହା ଅପ୍ରକାଶେ ସମାଜରେ ଲୋକ ବୋଲିରେ ଚଳେ କାଳ କାଳ, କାହାର ବିନା ପୃଷ୍ଠପୋଶକତାରେ । ଅସାହିତ୍ୟ ନିଜର ସ୍ଥିତି ଜାହିର କରିବାକୁ ଖୋଜେ କଳେବର, ପ୍ରକୃତି ହୁଏ ଧ୍ୱଂସ । ହୁଏତ ସେମିତି ନହେବା କଥା, ଆମେ ସାହିତ୍ୟ ସ୍ରଷ୍ଟା ମାନେ ପ୍ରକୃତି ଆତତାୟୀ । ଅତୟବ୍ ଏ ପ୍ରେକ୍ଷାଳୟର ହତା ବାହାରେ ଏ ସୁବର୍ଣ୍ଣରେଖାକୁ କେହି ରଦ୍ଦି କାଗଜ ପ୍ରକାରେ ବ୍ୟବହାର ନକରୁ ତହିଁରେ ଏ ଆତତାୟୀ କିଞ୍ଚିତ ଆଶ୍ୱସ୍ତ ହେବ । ପ୍ରଣାମ ମାତା
ସୁରମା ଚାହିଁଥିଲେ ଗୁରୁଙ୍କୁ, ଗୁରୁ ଦିଶୁଥିଲେ ଗୁରୁଗମ୍ଭୀରସଭାସଦ ନୀରବରେ ପ୍ରସ୍ଥାନ କରୁଥିଲେ ହସ୍ତେଧରି ସୁବର୍ଣ୍ଣରେଖା । ସୁରମା ଦିଶୁଥିଲେ ତୃପ୍ତ, ସନ୍ଥପୁରର ଦେବରାୟ ବଂଶ ସହ ।



2 comments:

  1. बहुत बढ़िया विश्लेषण किया गया है! ��

    ReplyDelete
  2. ବହୁତ ଧନ୍ୟବାଦ।

    ReplyDelete