Search This Blog

Friday 19 January 2018

Udbasita Atmiyata, ଉଦବାସିତ ଆତ୍ମୀୟତା।

ଉଦବାସିତ ଆତ୍ମୀୟତା

ସମୀର,
 ତୁମ୍ଭ ପାଦରେ ମୋର ଅନେକ ପ୍ରଣତି, ଜାଣେ ମୋ ଆପଣାର ମାନସିକ ଚାପରେ ମୁଁ ଏହା ଲେଖୁଛି  । ଏ ପତ୍ର ମୁଁ ତୁମ୍ଭଙ୍କୁ ପ୍ରେରଣ କରିବାରେ ସମ୍ଭାବନା ନାହିଁ, ତୁମ୍ଭେ ପଢ଼ିବ ଅବା କେମିତି ! ଏ କୁଷ୍ଠ ପଲ୍ଲୀର ଲୁକ୍କାୟିତ ଜୀବନକୁ ପୁଣି ଥରେ ଉନ୍ମୋଚନ କରିବାର କୌଣସି ଅଭିପ୍ରାୟ ନାହିଁ  । ହୁଏତ ଅନେକ ପ୍ରଚେଷ୍ଟା ପରେ ଯେଉଁ ଦୁଃଖ ତୁମ୍ଭର ବିସ୍ମୃତ ଇଲାକାକୁ ପ୍ରତ୍ୟାଗତ ହୋଇଥିବ, ସେ ଦୁଃଖକୁ ପୁନଶ୍ଚ ସ୍ମରଣ କରାଇବା ଅନୁଚିତ୍ ଏକଥା ଅବଶ୍ୟ ମୁଁ ଜାଣେ  । ତେଣୁ ମୁଁ ଲେଖିବି, ମୁଁ ହୋଇ, ତୁମ୍ଭ ସୁମିତ୍ରା ହୋଇ ଏବଂ ମୁଁ ପଢ଼ିବି ତୁମ୍ଭେ ହୋଇ  । ଅତୀତର କୋଣ ଅନୁକୋଣ, ଘଟଣା, ଅଘଟଣ, ହସକାନ୍ଦ ସବୁ ଚଳଚ୍ଚିତ୍ରର ଛବି ପରି ଭାସମାନ ହେଉଛନ୍ତି  ।
ମନେପଡେ, ମୋ ଜ୍ୟେଷ୍ଠଭ୍ରାତାଙ୍କ ସାଥୀ ହୋଇ ଆମ ଘରକୁ ଯେବେ ଆସୁଥିଲ, ଆମ ପରିବାରର ସ୍ନେହମମତା ପାଉଥିଲେ ଯେତିକି ଲେଉଟାଉ ଥିଲେ ତାହାଠୁ ଅଧିକ  । ମୋ ବିବାହର ପ୍ରସ୍ତାବ ଚାଲିଲା ଉପାଧି ଶ୍ରେଣୀ ପରେ  । ତୁମ୍ଭେ ବି ମୋ ବାପା, ଭାଇଙ୍କୁ ସେଦିନ ମାନଙ୍କର ଆୟୋଜନରେ ସାହାଯ୍ୟ କରୁଥିଲ, ଯେବେ ଏ ସମ୍ବନ୍ଧୀୟ ଯିବା ଆସିବା ଲାଗି ରହୁଥିଲା  । କେମିତି ତୁମ ବାପା ମାଆଙ୍କର ହଠାତ୍ ମନେପଡ଼ିଲା, ସୁମୀକୁ ବୋହୁ କରିବା ପାଇଁ ଏବଂ ସେମାନେ ପ୍ରସ୍ତାବ ଆଣିଲେ  । ସେବେଠୁ ତୁମ୍ଭେ ଗାୟବ୍ ହୋଇଗଲା  । ଏମିତି ବିି ସମ୍ଭବ ତୁମ୍ଭେ ଆମ ଘରକୁ ଆସିବା ବନ୍ଦ କରିଦେଇ ସେ ପଟେ କୌଣସି ଉପଯୁକ୍ତ ବ୍ୟକ୍ତିଙ୍କୁ ଲଗାଇଦେଲ, ନିଜ ପିତା ମାତାଙ୍କୁ ଏ ପ୍ରସ୍ତାବ ଆଣିବାକୁ ପ୍ରବର୍ତ୍ତାଇବା ପାଇଁ । ଭାଇ ଓ ବାପା ମାଆ ଆମ ଘରେ ଅରାଜି ହେବାର କାରଣ ନଥିଲା  । ସେମାନେ  ସମସ୍ତେ ଭାବିନେଲେ, ଅନୁମାନ କଲେ ଯେ ଆମ୍ଭେ ପରସ୍ପରକୁ ପ୍ରେମ କରନ୍ତି  । ନାଇଁତ, କେଜାଣି ତୁମ କଥା ମୁଁ ଆଜି ପର୍ଯ୍ୟନ୍ତ ଜାଣିପାରିଲି ନାହିଁ  । ଶ୍ରଦ୍ଧା, ସେନେହ ଥିଲା ଅନେକ  । ପ୍ରେମ, ବିବାହ; ଅର୍ଥାତ୍ ସ୍ୱାମୀ ଅବା ସ୍ତ୍ରୀ ପ୍ରାପ୍ତିର ଉଦ୍ଦେଶ୍ୟରେ ଭଲ ପାଇବା! ନା, ବୋଧହୁଏ ନୁହେଁ କିନ୍ତୁ ପ୍ରସ୍ତାବଟି ଆସିବା ପରେ ଏବଂ ସାଦରେ ଗୃହୀତ ଦେଲା ଉତ୍ତାରେ ହୁଏତ ଆମେ ଉଭୟ ଅତ୍ୟନ୍ତ ସୁଖୀ ଅନୁଭବ କରିଥିଲେ ଯେ ବହୁ ଦିନର ପରସ୍ପର ଚିହ୍ନା ଏବଂ ଆଚାର ବ୍ୟବହାର ସହ ପରିଚିତ ଜୀବନ ସାଥୀଟିଏ ପାଇଥିବା ହେତୁ  ।
 ମନେପଡ଼େ ବିବାହର ବର୍ଷଟାଏ ପରେ ତୁମ୍ଭେ ଯେବେ ଆଇ. ଏ. ଏସ୍. ପାଇଲ ଏବଂ ଆପାତତଃ ସମ କାଳରେ ଆମ ପୁତ୍ର ରାଜୁ ଜନ୍ମ ହେଲା  । ତୁମ ଘରେ ଭାବି ନେଲେ ମୁଁ କୁଆଡ଼େ ବହୁତ ଲକୀ ତୁମ୍ଭମାନଙ୍କ ପାଇଁ  । ଆଜିବି ମନେଅଛି ତୁମ୍ଭେ କହିଥିଲ, ‘ପୁତ୍ରବତୀ ସୁମୀ ତୁମ୍ଭେ ଭାଗ୍ୟବତୀ ହୁଅ’ ଯେବେ ରାଜୁକୁ ପ୍ରଥମ କରି କୋଳକୁ ନେଇଥିଲ ତମେ, ପୁତ୍ର ତ ତୁମ୍ଭର ଏବଂ ଭାଗ୍ୟ ତ ତୁମ୍ଭେ  । ପୁଅ ଜନ୍ମ ହୋଇଥିଲା ୧୯୬୭ ଏପ୍ରିଲ ୨୩ ତାରିଖରେ ତୁମ୍ଭେ ପ୍ରଶାସନିକ ତାଲିମ ପାଇଁ ଯାଇଥିଲ ଦୁଇବର୍ଷ ପରେ, ୧୯୬୯ ମସିହା, ତୁମ୍ଭେ ଯୋଗଦିଅ, ସବ ଅର୍ବାନ୍ ଏସ୍. ଡି ଓ ହୋଇ କଲିକତାରେ  ।
କେତେ ମାସ ଖୁବ୍ ଆନନ୍ଦରେ କଟିଯାଏ  । ବଡ଼ ବଙ୍ଗଳା, ଲୋକବାକ ସାହାଯ୍ୟକାରୀ କେଉଁଥିରେ ଅଭାବ ନଥାଏ  । ତା ପରେ -
ତାପରେ କେଜାଣି ଯେମିତି ସାମାନ୍ୟ ଏକ ବଧିରା ଛଉ ରୂପରେ ପଶିଆସେ ରୋଗଟାଏ ତୁମ ଫାଟକ ଟପି। ସାଧାରଣ ଜନତା  ଅବା ଚୋର ତସ୍କର ସିନା ଆସିବା ସମ୍ଭବ ନୁହେଁ କିନ୍ତୁ ରୋଗ, ସେଇଟା ତ ଚାଲିଆସିଲା  । ଡାକ୍ତର କହିଲେ ଲେପ୍ରସୀ, କୁଷ୍ଠ  । ମୁଁ ବୁଝିଲି ବଡ଼ରୋଗ, ସଂକ୍ରାମକ- ସ୍ୱାମୀ ଓ ପୁଅକୁ ବ୍ୟାପିବ  । ମୁଁ ପଢ଼ିଥିଲି, ଜାଣିଥିଲି ଏହା ରୋଗ  । ଏହା ଅଭିଶାପ ପାଇଁ ହୁଏ ନାହିଁ  । ତୁମ ସାଙ୍ଗ - ମୋ ଭାଇ ସେତେବେଳକୁ ନୂଆ ନାମକରା ଡାକ୍ତର ହୋଇଗଲାଣି, ତୁମେ ବୁଝାଇଲ ଭାଇ ବି ବୁଝାଇଲା ମୁଁ ବି ବୁଝୁଥିଲି କିନ୍ତୁ ସବୁ ବୁଝି ବୁଝି କେବଳ ଗୋଟିଏ ବିନ୍ଦୁରେ ମନ ମୋର କେନ୍ଦ୍ରୀଭୂତ ହୋଇଥିଲା  । ଏହା ସଂକ୍ରାମକ, ଏହା ସ୍ୱାମୀ ଓ ପୁଅକୁ ବ୍ୟାପିବ  । ପୁଣି ଭାବୁଥିଲି ଏହାତ ଅଭିଶାପ ଯୋଗୁଁ ଶାମ୍ବଙ୍କୁ ଫଳି ଥିଲା, ସେ ସୂର୍ଯ୍ୟ ପୂଜା କରି ଆରୋଗ୍ୟ ହୋଇଥିଲେ ତେଣୁ ଅଭିଶପ୍ତା ସୁମିତ୍ରା ସିନା ରୋଗଗ୍ରସ୍ତା ହେଲା ସ୍ୱାମୀ ଏବଂ ପୁତ୍ର କାହିଁକି ହେବେ ଯେ  ।

କଲିକତା ସହରରେ ପୁରାତନ ମେଡିକାଲ କଲେଜର ଲେପ୍ରସୀ ହୋମରେ ତୁମ୍ଭେ ଆଉ ଭାଇ ମୋତେ ନେଇ ଭର୍ତ୍ତି କରି ଦେଲ  । କୌଣସି ବେସରକାରୀ ଡାକ୍ତରଖାନା ଅବା ସେମିତି କେହି ଘରୋଇ ଦେଖିବା ଭଳି ଡାକ୍ତର ବ୍ୟବସ୍ଥା ସେବେଳେ ଥିଲା କି ? ବୋଧହୁଏ ନୁହେଁ  । ମୁଁ କାନ୍ଦୁଥିଲି, ତୁମେ ମତେ ବୁଝାଉଥିଲ  । ମୁଁ ତୁମ୍ଭଙ୍କୁ କିମ୍ବା ରାଜୁକୁ ପାଖ ମଡ଼ାଉ ଦେଉନଥିଲି  । ବିଛଣା ଅଲଗା। ଲୋକବାକ ଆସିବା ବନ୍ଦ କରିଦେଲେ  । ଦୁର୍ଭାଗ୍ୟକୁ ଡାପ୍ସୋନ୍ ନାମକ ଔଷଧକା ମୋ ଦେହରେ ଗଲା ନାହିଁ  । ଦେହ ହାତ ଚକଡ଼ା ଚକଡ଼ା ଫଳିଗଲା   । ଏହା ପରେ ତ ମୁଁ ଲେପ୍ରସୀ ହୋମରେ ରହିବାକୁ ବାଧ୍ୟ ହେଲି  । ତୁମେ ଜାଣ ସେଠି ବି କେମିତି ବାଛ ବିଚାର ଥାଏ  । ସେଠି ରୋଗୀ ମାନେ ରୋଗୀ, ବଡ଼ ରୋଗୀ, ଦୂରରୁ ଥାଇ ଚିକିତ୍ସା, ଅଛୁଆଁ ରୋଗୀ; ଆଜି ଏତେ ବର୍ଷ ପରେ କଥା ଅନେକ ବଦଳିଗଲାଣି  । ଆଧୁନିକ ଭାଷା ସେବେଳେ ବି ଶୁଣାଯାଉଥିଲା  । କିନ୍ତୁ ଚଳନି ବଦଳି ନଥିଲା  । ଭୟ ଥିଲା ଅନେକ  । ବିଶେଷ କରି ମୋର ଭୟ କାଳେ ମୋ ସ୍ୱାମୀଙ୍କୁ ବ୍ୟାପିବ, କାଳେ ମୋ ରାଜୁକୁ ଡେଇଁବ  । ସମଜନେ, ସମବେଦନାର ସାମୂହିକ ସମାଜ ଗଠନ କରନ୍ତି  । ଧିରେ ଧିରେ ମୁଁ ଦୂର ଦୂରାନ୍ତରୁ ଆସିଥିବା ଓ ବିିଭିନ୍ନ କୁଷ୍ଠ ପଲ୍ଲୀର ଅଭିଜ୍ଞତା ଥିବା ଭାଇ, ଭଉଣୀ, ମଉସା, ମାଉସୀଙ୍କ ସହ ସହଜ କଥା ହେଲି  । ଅଧିକାଂଶ ଘର ଛାଡ଼ିଛନ୍ତି ଗୋଷ୍ଠୀ ଜୀବନ ସ୍ଥାପନ କରିଛନ୍ତି  । ଭିକ୍ଷା ବୃତ୍ତି କରୁଛନ୍ତି  । ମଉସା ଜଣେ ବୁଝାଇଦେଲେ କୁଳଶ୍ରେଷ୍ଠ ବ୍ରାହ୍ମଣ ଯଦି ଭିକ୍ଷା କରି ଚଳୁଛି, ରୋଗୀଟିଏ କଲା ତ କଣ ହେଲା!
ମୁଁ ବି ସ୍ଥିର କଲିି ତୁମ୍ଭଙ୍କୁ ଏବଂ ରାଜୁକୁ, ପରିବାରକୁ, ପିତୃକୁଳ ଓ ଶ୍ୱଶୁରାଳୟକୁ ସମ୍ପୂର୍ଣ୍ଣ ତ୍ୟାଗ କରି କେଉଁ ଅଜଣା ମୁଲକକୁ ପଳାଇବି  । କ୍ରମେ ଏହି ଅବାସ୍ତବ ଭାବନାଟା ବାସ୍ତବତାରେ ପରିଣତ ହେବାର ସମ୍ଭାବନା ଦେଖାଦେଲା  । ମୁଁ ଜାଣିଥିଲି ତୁମ୍ଭେ ମୋତେ ଖୋଜି ପାଇଯିବ  ।

ମୋ ପୁଅ ପାଇଁ ଏବଂ ତୁମ୍ଭ ପାଇଁ ହୃଦୟଟା ରାମ୍ପିବିଦାରି ପକାଉଥାଏ, ସେ ପରିସ୍ଥିତିରେ ପଡ଼ି ନଥିବା କେହି ଜଣେ ବି ବୁଝିପାରିବ ନାହିଁ, କେଉଁ କାରଣରୁ ସାଧାରଣ ଘରୁ, ଗ୍ରାମରୁ ଏବଂ ସମାଜରୁ ରୋଗୀଟିଏ ବାହାରିଯାଏ  । ସେଦିନ ଚାକର ଟୋକାଟା ଗଲାବେଳେ କେମିତି ଅତି ନିରୀହ ଭାବେ କହିଦେଲା, ବାବୁ ମତେ ଡର ଲାଗୁଛି  । ମୁଁ ରହିଲେ ତୁମ୍ଭେ ଚଳିବ କେମିତି ? ମୋ ରାଜୁର ଦାୟିତ୍ୱ ନେବ କିଏ  । ସମସ୍ତେ ତ ଭୟ କରିବେ  ।
ଛାତିରେ ପଥର ରଖିଲି  । ପାଖରେ ତୁମ୍ଭେ ଦେଇଥିବା ଦୁଇ ହଜାର ଟଙ୍କା ଥିଲା  । ଠିକ୍ ଆଦି ଭଳି ଏକ ଲମ୍ବା ଚଉଡ଼ା ପତ୍ର ଲେଖିଲି କି ମୁଁ ଯାଉଛି କାଶୀ ଅବା ବୃନ୍ଦାବନା ଗଙ୍ଗା କିମ୍ବା ଯମୁନାରେ ଝାସଦେବି, ତୁମ୍ଭେ ପୁନଶ୍ଚ ବିବାହ କରି ସାଧାରଣ ଜୀବନ ଯାପନ କରିବ । ପ୍ରକୃତରେ କିନ୍ତୁ ପହଞ୍ଚିଲି ନୀଳାଚଳ ଧାମରେ, ଶହ ଶହ କୁଷ୍ଠରୋଗୀ ରହୁଛନ୍ତି, ମତେ କଣ ସ୍ଥାନ ମିଳିବ ନାହିଁ ! ରୋଗୀ ମାଉସୀଟିକୁ ସିଂହଦ୍ୱାରେ ଭେଟିଲି  । ମତେ ଲୁଚାଇ ରଖିବା ପାଇଁ  ତାକୁ ପାଞ୍ଚ ଶହ ଟଙ୍କା ଦେଲି  । ମାଉସୀ ମତେ ନେଇ ତା କୁଡ଼ିଆରେ ଗାନ୍ଧୀ କୁଷ୍ଠ ପଲ୍ଲୀରେ, ଲୋକନାଥ ମନ୍ଦିର ପାଖରେ ରଖିଲା  । ନାମ ବଦଳିଗଲା ବିମଳା। ମାଉସୀ ତା ନିଜ ଝିଆରୀ ତା ଗ୍ରାମରୁ ଆସିଛି କହି ନାମ ପଞ୍ଜିକରଣ କରି ରଖିଦେଲା  । ପ୍ରାୟ ମାସଟାଏ ବାହାରକୁ ବାହାରିଲି ନାହିଁ  । କ୍ରମେ ପଲ୍ଲୀର ଚଳନି ଶିଖିଗଲି, ମାଉସୀ ଛିଡ଼ା ଶାଢ଼ୀ ଯୋଗାଇଲା, ଥାଳି ଯୋଗାଇଲା, ସତ ଖଣ୍ଡିଆ ସହ ମିଛ ଖଣ୍ଡିଆକୁ ଗଜ କପଡ଼ା ଗୁଡ଼ାଇ ମୋତେ ଦାଣ୍ଡକୁ ପଠାଇଲା  । ମୁଁ ଭିକାରୁଣୀ ହେଲି । ଶଙ୍ଖ କ୍ଷେତ୍ରର ଭିକାରୁଣୀ  ।

ସେଦିନ କାନ୍ଦି ନଥିଲି  । କାନ୍ଦିବା ମୋର ସରିଯାଇଥିଲା ଅନେକ ଦିନରୁ  । ମୋ ରାଜୁର ଅଲରା ବାଳ କେରାକ ମନେ ପଡ଼ୁଥିଲା  । ସ୍ମରଣ ଥିଲା ଆମ୍ଭ ମାନସିକ; ରାଜୁର ବାରବର୍ଷ ହେଲେ ତା ଠାକୁର ବାଳକୁ ପୁରୀରେ ପକାଇବା ନୀଳାଚଳ ଧାମରେ  । ସେଇଠି ମୁଁ ହେଲି ଭିକାରୁଣୀ, ଗ୍ରାଜୁଏଟ୍ ଭିକାରୁଣୀ, ଆଇ. ଏ. ଏସ୍. ସମୀରଙ୍କ ସହଧର୍ମିଣୀ ସୁମିତ୍ରା ଭିକାରୁଣୀ, ବଡ଼ ଡାକ୍ତର ଭାଇର ଭଉଣୀ ଭିକାରୁଣୀ । ମନେ ପଡ଼ୁଥିଲା, ସେଇ ଯେଉଁ ଗଳ୍ପଟି ‘ଜାତିର ଧକ୍କା’  । ମୁଁ ସେମିତି ପାଇଥିଲି ରୋଗର ଧକ୍କା, ଘୃଣାର ଧକ୍କା, କ୍ଷତର ଧକ୍କା, ଉପାୟଶୂନ୍ୟ ହେବାର ଧକ୍କା, ଯାହା ଅବିଶ୍ୱାସ ଯୋଗ୍ୟ ତାହା କେତେ ବାସ୍ତବରେ ଘଟିଯାଉଥିଲା  ।

ସେ ପଲ୍ଲୀ ବାସ୍ତବ ଚିତ୍ର ଜାଣିବାକୁ ଅଧିକ ଦିନ ଲାଗିଲା ନାହିଁ  । ଚୂନ ଧୋଉଳା ଚାଳ ଛପର ପକ୍କା ଘର ମଧ୍ୟରେ ରୋଗୀମାନେ ପରିବାର କରି ରହିଛନ୍ତି । ଘରକୁ ରଖନ୍ତି ପରିସ୍କାର  । ନିଜକୁ ନିହାତି ଅସହାୟ ଦେଖାଇବା ତାଙ୍କର ଅଭିନୟ  । ଭେକ ନଥିଲେ ଭିକ ମିଳେନି  । ତାଙ୍କର ଆଉ କଣ! ମୁଁ ତ ତହିଁରେ ସାମିଲ  । ବସ୍ତି ମଧ୍ୟ ଶହେ ହେବ ନଡ଼ିଆଗଛ । ଅମୁକ ଗାଁରୁ ଆସିଥିବା ମାଇପି ରୋଗୀଟି ସମୁକ ଗାଆଁରୁ ଆସିଥିବା ପୁରୁଷ ରୋଗୀକୁ ବାହାହୋଇଯାଏ  । ଏମିତି ଉଭୟ ରୋଗୀ ଥାଇ ବି ଜନ୍ମ କରିଛନ୍ତି ଚାରି ପାଞ୍ଚ ସନ୍ତାନ  । ସେମାନେ ଟିକେ ବଡ଼ ହୋଇ ଗଲେ ବିଭିନ୍ନ ସରକାରୀ ଆବାସିକ ବ୍ୟବସ୍ଥାରେ ରହି ପାଠ ପଢନ୍ତି  । ପରେ ସମଜାତୀୟ ପାତ୍ର ପାତ୍ରୀ ଦେଖି ସାଧାରଣ ସମାଜରେ ସହଜରେ ବସବାସ କରନ୍ତି  । ସେମାନେ ରୋଗୀ ହୋଇ ନଥାନ୍ତି ।

 ରୁହ ସମୀର ପ୍ରଥମେ ମୋ କଥା କହିସାରେ  ।

ଏଠାକାର ବସ୍ତି ମାନଙ୍କର ସମିତି ଅଛି  । କେହି ରୋଗୀ ମରିଗଲେ ସେ କୁଟୀରଟି ସମିତିର ହୋଇଯାଏ  । ସେଇଟା ପୁଣି ନୂଆ ରୋଗୀ ସମିତି ଠାରୁ କିଣି ନିଅନ୍ତି ଅଥବା ଭଡ଼ା ସୂତ୍ରରେ ନିଅନ୍ତି  । ତୁମ୍ଭର ଏ ପ୍ରିୟତମା ସୁମୀକୁ ଚାରିଶହ ଟଙ୍କା ଦେଇ ଏମିତି କୁଡ଼ିଆଟିଏ କିଣିବାକୁ ପଡ଼ିଲା  । ମାଉସୀର ଆଶା ଥିଲା ଭିନ୍ନ, ସେ କେବଳ ତା ରୋଜଗାରକୁ ଦୁଇଗୁଣ କରିବାକୁ ମୋତେ ଏତେ ଆଦର ଯତ୍ନ କରୁଥିଲା  ।
ଶୁଣିବ ତା  ପରର କଥାଗୁଡ଼ା ! ବଡ଼ ବେଦନା ଦାୟକ  । ଭିକାରୁଣୀ ଜୀବନ, ତା ବାଦ ପୁଣି ବସ୍ତିଟିରେ ଅବିଭାବକ ପଣିଆ ଜାହିର କରୁଥିବା ରୋଗୀଙ୍କୁ ସମ୍ମାନ ଦେବାକୁ ପଡ଼େ  । ସମିତି ବାଧ୍ୟ କରୁଥିଲା ନୂଆ ସଂସାର ଗଢ଼ିବାକୁ  । ଏକରକମ ଯେମିତି ଏହା ସେଠାର ପ୍ରଥା ଓ ନିୟମ  । ଅଳ୍ପ ବୟସ୍କା ସ୍ୱାମୀ ପରିତ୍ୟକ୍ତାଟି କଣ ରୋଗୀ ହେଲା ବୋଲି ଜୀବନ ସାରା ବେସାହାରା ରହିବ  । ବୁଢ଼ାବୁଢ଼ୀ ହେଲେ ଚଳିବେ କେମିତି  । ପ୍ରତ୍ୟେକ୍ଷ ଦାୟିତ୍ୱ ନ ନେଲେ ବି ପିଲା ଛୁଆମାନେ ପରୋକ୍ଷ ଦାୟିିତ୍ୱ ତ ନେବେ  । ଛିଃ ଛିଃ କି ଯନ୍ତ୍ରଣାର ଦିନ ଗୁଡ଼ା  । ନିଷ୍ଠୁର ସେମାନଙ୍କ ଉପଦେଶ  । ତୁମ୍ଭ ଛାତିର ଉଷ୍ଣତା ଏବେ ବି ମୁଁ ଅନୁଭବ କରେ ସମୀର  । ତୁମ୍ଭ ନିଃଶ୍ୱାସର ଶବ୍ଦ ମୋ କାନର ପରଦାରେ କମ୍ପନ ସୃଷ୍ଟି କରେ  । ତୁମ୍ଭର ସେ ସ୍ନେହ ବୋଳା କଥା ଅଦ୍ୟାବଧି ମୋ ରୋଗୀଣା ମନକୁ ଆଶ୍ୱାସନା ଦିଏ, ହୃଦୟକୁ ଶାନ୍ତି ଫେରାଇ ଆଣେ  । ତୁମେ କେମିତି ଜାଣିବ ଏ କୁଡ଼ିଆ ମାନଙ୍କ ସମ୍ପର୍କରେ  । ଏମାନଙ୍କର ଲାଳସା ଜୀବନର ଅପରାହ୍ନ ପର୍ଯ୍ୟନ୍ତ ଥାଏ ପ୍ରଖର  । ବହୁ ବୟସ୍କରୋଗୀ ବି ଖୋଲା ଖୋଲି ପ୍ରସ୍ତାବ ଦିଅନ୍ତି ବାହା ହେବାକୁ  । ଗଞ୍ଜେଇ, ଅଫିମ ଖୋର ରୋଗୀଙ୍କ ସଂଖ୍ୟା କିଛି  କମ୍ ନୁହେଁ  । ପଲ୍ଲୀ ମଧ୍ୟରେ ଏମାନଙ୍କ କଳି ଶୁଣିଲେ ତୁମ୍ଭେ ନିଜକୁ ବିଶ୍ୱାସ କରିପାରିବ ନାହିଁ  । ଅସହାୟତା ଏକ ଆପେକ୍ଷିକ ଅବସ୍ଥା  । ସମାନ ଅସୁବିଧାର ଅନେକ ଲୋକ ସାଥିରେ ରହିଲେ ଅସହାୟତା ଅପସରିଯାଏ  । ସେମାନେ ପୁଣି ସାଧାରଣ ଲୋକଙ୍କ ଭଳି ରାଗ, ହିଂସା, ବାଦବିବାଦ ଯାବତୀୟ ମାନବୀୟ ଦୁର୍ଗୁଣର ବେଶ୍ ଉପଯୋଗ କରନ୍ତି  । ମାଡ଼ପିଟ ବି ଲାଗନ୍ତି  । 
ଭଲଗୁଣ ଯେ ଏମାନଙ୍କର ଦୂର ହୋଇ ଯାଇଛି ସେ କଥା ନୁହେଁ । ସହଯୋଗ କରନ୍ତି  । କେବେ କେବେ ମିଳିମିଶି ଉପାର୍ଜନକୁ ଭାଗ କରି ନିଅନ୍ତି  । ରୋଗ ବାଧିକୀ ବଢ଼ିଲେ ଡାକ୍ତରଖାନା ନିଅନ୍ତି  । ପର୍ବ ପର୍ବାଣିରେ ଯଦିଓ ସମସ୍ତେ ବ୍ୟସ୍ତ ରହନ୍ତି, କିଛି କିଛି ପର୍ବ ବସ୍ତିରେ ପାଳନ ହୁଏ  । ସେମାନଙ୍କ ପିଲାଏ ଛୁଟିରେ ଘରକୁ ଆସିଲେ କ୍ଲବ ଘର ବା କୋଠ ଘରେ ରହନ୍ତି  । ମୁଁ ସେମାନଙ୍କୁ ବେଳେ ବେଳେ ପାଠ ପଢ଼ାଏ  । ମୋ ଶିକ୍ଷାର ମହତ୍ତ୍ୱ ସେମାନେ ବୁଝିଲେ  । ମତେ ଆଉ ସେମାନେ ବିବାହର ପ୍ରସ୍ତାବ ଦେଇ ହରକତ କଲେ ନାହିଁ  । ମତେ କେହି ମୋ ସ୍ୱାମୀ ଓ ରାଜୁଠାରୁ ଅଲଗା କରିପାରିବେ ନାହିଁ  । ଏ ଉଦବାସନ ଏକାନ୍ତ ଇଚ୍ଛାକୃତ  । ଆତ୍ମୀୟତା ଅମଳିନ, ଅତୁଟ  ।

ମୋ ଗୋଡ଼ର କେତୋଟି ଆଙ୍ଗୁଠି ଛିଡ଼ିଯାଇଛି  । ହାତ ଠିକ୍ ଅଛି  । ବ୍ଲାକ୍ ବୋର୍ଡ଼ରେ ଲେଖିବା, ଚିତ୍ର କରିବା, ଏ ସବୁ ମୋ ପାଇଁ ସହଜ  । ରୋଗ ଆଉ ବଢ଼ୁନି  । ନିଜର ଯତ୍ନ ପାଇଁ ଯେଉଁସବୁ ସରକାରୀ ପ୍ରଶିକ୍ଷଣ ଦିଆଯାଉଛି ତାହା ଯେପରି ସମସ୍ତେ ଶିଖିବେ ଓ କାମରେ ଲଗାଇବେ ସେଥିରେ ମୁଁ ଲାଗି ରହିଥାଏ  । ବସ୍ତି ବାଲା ଏବେ ସଭିଏଁ ମତେ ଶ୍ରଦ୍ଧା କରନ୍ତି  । ମୁଁ ଆଉ ଭିକ୍ଷା ବୃତ୍ତି କରେ ନାହିଁ  । ଝିଅ ପିଲା ମାନେ ଦୂର ଆବାସିକ ବିଦ୍ୟାଳୟକୁ ପ୍ରାୟ ଯାଆନ୍ତି ନାହିଁ  । ସେମାନେ ଏହି ସ୍ଥାନୀୟ ବିଦ୍ୟାଳୟ ମାନଙ୍କରେ  ପଢ଼ନ୍ତି । ମୁଁ ସେମାନଙ୍କ ପଢ଼ାର ଯତ୍ନ ନେଇ ସେମାନଙ୍କ ପରୀକ୍ଷା ଫଳ ବେଶ୍ ଉତ୍ତମ କରାଏ  । ସମସ୍ତେ ମତେ କିଛି ପାରିଶ୍ରମିକ ଦେଉଛନ୍ତି  । ମୁଁ ତହିଁରେ ଚଳି ଯାଉଛି  । ବଳକା ବି ରହୁଛି  । ମୋ ଗଳ୍ପ, କବିତା ଛଦ୍ମନାମ, ‘ବିମଳା ଦେଇ’ ନାମରେ ପ୍ରକାଶିତ  । ବଜାରରେ ଉପଲବ୍ଧ  । ତୁମ୍ଭେ ବି କିଣିପାରିବ  । କିନ୍ତୁ କେମିତି ? ତୁମ୍ଭଙ୍କୁ ତ ଏଇ ଚିଠି ମୁଁ ପଠାଇବି ନାହିଁ  । ମୋର ଆୟ ହେଉଛି  । ମୁଁ ତହିଁରେ ତିନିଜଣ ଝିଅଙ୍କୁ ଉଚ୍ଚ ଶିକ୍ଷାରେ ସାହାଯ୍ୟ କରୁଛି  । ତପନ ଏବଂ ପ୍ରଶାନ୍ତ ନାମକ ଦୁଇଜଣ ଯୁବକ ଆର ଇ ସି (ଏନଆଇଟି) ରାଉରକେଲାରେ ଇଞ୍ଜିନିୟରିଂ ଛାତ୍ର  ।
କିନ୍ତୁ ହତାଶାର ସ୍ୱର ମୋ ଅନ୍ତରରୁ ଲିିଭିନାହିଁ  । ନିଶବ୍ଦ ହୋଇ ପାରିବ ନାହିଁ  । ମୋ ରାଜୁ ମୋ କୋଳରେ ନାହିଁ  । ୧୯୮୦ ମସିହାରେ ତାକୁ ଦେଖିଥିଲି  । ଭାଇ, ତୁମ୍ଭେ ଓ ସେ ପୁରୀ ଆସିଥିଲା  । ରାଜୁ ଲଣ୍ଡିତ ହୋଇଥିଲା  । ତୁମ୍ଭେ ମାନସିକ ରକ୍ଷା କରିଛି  । ମୋ ରାଜୁ ସ୍ୱହସ୍ତରେ ସମସ୍ତଙ୍କୁ ଦାନ କରୁଥିଲା  । ସେତେବେଳେ ମୁଁ ଭିକ୍ଷା ବୃତ୍ତି କରୁଥିଲି  । ମୋ ଥାଳିରେ ବି ପକାଇଲା ରାଜୁ  । ତୁମ୍ଭେ ଏବଂ ମୋ ଭାଇ ମୋତେ ଦେଖୁଥିଲ  । ଦଶ ବର୍ଷ ତଳେ ଆତ୍ମହତ୍ୟା କରିଥିବା ଏକ ଭୂତକୁ ଦେଖି ଚିହ୍ନିପାରିବା ସମ୍ଭବ ହୋଇନଥିଲା ତୁମ୍ଭର । ସଭିଏଁ ମତେ ବିମଳୀ ଡାକୁଥିଲେ  । ମୁଁ ତୁମ୍ଭଙ୍କୁ ଠକିଦେଲି  । ବିମଳୀ ସୁମିତ୍ରାଙ୍କୁ ସବୁ ବେଳେ ଠକିଛି  ।
କିଏବା କଳନା କରିପାରିବ ସେଦିନର ସେ ହାହାକାରର ଅନ୍ତର୍ବେଦନା  । ଉଦବାସିିିତ ମୋର ସେ ଆତ୍ମୀୟତା, ଲେଉଟାଣି ଅସମ୍ଭବ  । ମୁଁ ଭୟ କରୁ ନଥିଲି ରୋଗକୁ  । ମୁଁ ବସ୍ତିର ପିଲାଛୁଆଙ୍କୁ ନିରୋଗ ଦେଖି ଜାଣି ସାରିଥିଲି ଏହା ମୋ ପରିବାରକୁ, ପିଲାଙ୍କୁ ଆଉ ବ୍ୟାପିବାର ସମ୍ଭାବନା ନାହିଁ  । କିନ୍ତୁ ମୁଁ କି ଆଉ ଲେଉଟି ପାରିବି  । ସହସ୍ର ଅଗ୍ନିଚିତା ଅପେକ୍ଷା କରିବେ ମୋର ପରୀକ୍ଷା ନେବା ପାଇଁ ଏ ବସ୍ତିରୁ ମୋତେ କେହି ଖୋଜି ନେଇ ତୁମ୍ଭ ପାଖରେ ପହଞ୍ଚାଇବାରେ ଆଦୌ ସମ୍ଭାବନା ନଥିଲା  । ଏ ବସ୍ତି ଏକ ପରିତ୍ୟକ୍ତ ସମାଜ ଏଠି ସମସ୍ତଙ୍କ ଅତୀତ ଠିକଣା ଭସ୍ମୀଭୂତ ସେ ଭସ୍ମରୁ କେହି ତାର ଠିକଣା ପୁନରୁଦ୍ଧାର କରିବା ସମ୍ଭବ ହୋଇନାହିଁ  । ନା ସେ ବ୍ୟକ୍ତି ସ୍ୱୟଂ, ନୁହେଁ ତାର ପରିବାର କିମ୍ବା ସରକାରୀ ବ୍ୟବସ୍ଥା  । କୁଷ୍ଠ ପଲ୍ଲୀର କୁନି କୁନି ପିଲାଙ୍କ ଗହଣରେ ସେ ଦୁଃଖକୁ ବିସର୍ଜନ କରିଥିଲି  । ରାଜୁକୁ ତୁମ୍ଭେ ଏକୁଟିଆ ପାଳିଛ  । ସାରା ଜୀବନ ତୁମ୍ଭଙ୍କୁ ଏମିତି ନିଃସଙ୍ଗ କରି ମୁଁ ଚାଲି ଆସିଲି  । ମୁଁ ତ ତୁମ୍ଭଙ୍କୁ ଅନୁମତି ଦେଇଥିଲି, ଅନୁରୋଧ କରିଥିଲି  । ଅବଶ୍ୟ ବିଶ୍ୱାସ କରିଥିଲି ତୁମ୍ଭେ ପୁଣି ସଂସାରକୁ ସଜାଡ଼ିବ  । ସାଥୀ ଖୋଜିବ  । ଯଦିଓ ତୁମ୍ଭେ ଆଉ କେବେ ମୋର ନୁହେଁ ତଥାପି ଦୁଃଖ ମଧ୍ୟରେ ସୁଖ ବି ଲାଗୁଥିଲା ତୁମ୍ଭର ସେ ସୁମିତ୍ରା ଆସନଟି ଅଦ୍ୟାବଧି ଶୂନ୍ୟ ପଡ଼ିଛି  । ମୁଁ ନାରୀ ମୋର ଭାବନା ନାରୀମୟ  । ଆଉ ତୁମ୍ଭେ -ତୁମ୍ଭର ତୁଳନା ନାହିଁ  ।
ଆଜି ୧୯୮୬ ମସିହା, ମୋର ବୟସ ଚାଳିଶ ହେଲାଣି  । ତୁମ୍ଭେ କେଉଁ ଉଚ୍ଚ ପଦବୀରେ ଅଛ ମୁଁ ଜାଣିନି  । ମହାତ୍ମାଗାନ୍ଧୀଙ୍କ ନାମ ବହନ କରି, କଣ ଗୋଟିଏ ମହାଭାରତୀୟ ଅନୁଷ୍ଠାନ ଅଛି ଖଦୀ ଓ କୁଟୀର ଶିଳ୍ପ ଇତ୍ୟାଦିକୁ ନେଇ  । ତୁମ୍ଭେ ତାହାର ଅଧ୍ୟକ୍ଷ ଏବଂ ତୁମ୍ଭ ଅନୁଷ୍ଠାନ ପୁରୀରେ ବିଭିନ୍ନ କୁଷ୍ଠପଲ୍ଲୀ ପାଇଁ ଅନେକ କାର୍ଯ୍ୟକ୍ରମ କରୁଛି  । ସୋଲାର ହିଟର, ଉନ୍ନତ ମାନର ତିନିଚକିଆ ଗାଡ଼ି, ବିଭିନ୍ନ କିସମର ସୁରକ୍ଷା ଯୋତା ଆହୁରି କେତେଜଣ  । ଏ ସବୁ ମୁଁ ଜାଣିଲି ଖବର କାଗଜର ବିଶାଳ ବିଜ୍ଞାପନ ଦେଖି  । ପଲ୍ଲୀର ଆନନ୍ଦମୟ ଆଲୋଚନା ଶୁଣି  ।
ତୁମ୍ଭେ କଣ ସେଦିନର ସେ ସାମାନ୍ୟ ଦେଖାରେ ଆଜି ପର୍ଯ୍ୟନ୍ତ ଧନ୍ଦି ହେଉଛି  । ୧୯୭୦ ରେ ଆତ୍ମହତ୍ୟା କରିଥିବା ତୁମ୍ଭର ପତ୍ନୀକୁ ଖୋଜୁଛ! ଖୋଜିବା ସ୍ୱାଭାବିକ୍  । ପ୍ରଶାସନ ଜଣେ ଏତେବଡ଼ ଅଫିସର ପତ୍ନୀର ଲାସ୍ ଖୋଜି ତୁମ୍ଭଙ୍କୁ ଦେଇ ପାରିନଥିଲା  । ନା ବୃନ୍ଦାବନରୁ ନାଁ କାଶୀ ବାରଣାସୀରୁ  । ତୁମ୍ଭେ କି ପରତେ ଯାଇଥିବ ସୁମିତ୍ରା ମୃତ  । ତୁମେ ସେ ଦିନ ଦେଖିଥିବା ସେ ବିମଳୀକୁ ପୁଣି ଠାବ କରିବାକୁ ଚାଲିଆସିଲ କି ?
ତୁମ୍ଭର ଏଠି ତିନି ଦିନିଆ ରହଣି  । ପଲ୍ଲୀରେ ସମସ୍ତେ ଯାଇଛନ୍ତି, ସେମାନଙ୍କୁ ନାନାଦି ସାମଗ୍ରୀ ମିଳିଛି  । ସମସ୍ତେ ତୁମ୍ଭର ଏ କାର୍ଯ୍ୟକ୍ରମକୁ ଓ ତୁମ୍ଭଙ୍କୁ ପ୍ରଶଂସା କରୁଛନ୍ତି  । ସ୍ଥାନୀୟ ପ୍ରଶାସନ, ପଲ୍ଳୀରେ ସରକରୀ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟସେବା ଇତ୍ୟାଦିକୁ ଉପଭୋକ୍ତା ମାନଙ୍କ ପାଖରେ ଗ୍ରହଣୀୟ କରାଇବାରେ ମୋର ଭୂମିକା ଦୃଷ୍ଟିରୁ, ମୋତେ ଏକ ପୁରସ୍କାର, ମାନପତ୍ର ଓ ନଗଦ ଦେବାର ବ୍ୟବସ୍ଥା କରିଛନ୍ତି  । ବିମଳୀ ଦାସ ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କୃତ ହେଲା ତୁମ୍ଭରି ସ୍ୱହସ୍ତରେ  । କେଉଁ ଉତ୍ତମ କାର୍ଯ୍ୟ ? ସ୍ୱାମୀ ଓ ପୁତ୍ରଙ୍କୁ ଉପେକ୍ଷା କରି ଚାଲିଆସିବାର ଉତ୍ତମ କାର୍ଯ୍ୟ । ମୁଁ ଖୋଜୁଥିଲି ରାଜୁକୁ  । ସେ ଅଠର ବର୍ଷର ହେବଣି  । କେଉଁଠି କଲେଜରେ ପଢ଼ୁଥିବ  । ସେ କାହିଁକି ସରକାରୀ କାର୍ଯ୍ୟକ୍ରମରେ ତୁମ୍ଭ ସହ ଆସିବ!  ମୁଁ ଗ୍ରହଣ କଲି ମୋର ପୁରସ୍କାର  । ତୁମ୍ଭ ହସ୍ତରୁ, ମୁଁ ତୁମ୍ଭଙ୍କୁ ଚାହିଁଥିଲି, ତୁମ୍ଭେ ବି  । ଚାରି ଚକ୍ଷୁର  ମିଳନ ହୋଇଥିଲା  । ମୋ ନୟନରୁ ଦୁଇଧାରା ଗଡ଼ି ଆସିଥିଲା  । ମୁଁ ମୋର ପ୍ରାପ୍ତ ଅର୍ଥକୁ ବସ୍ତି ଉଦ୍ଦେଶ୍ୟରେ ଦାନ କଲି  । ସମସ୍ତେ ଧରି ନେଇଥିଲେ ଝରି ପଡ଼ିଥିବା ଅଶ୍ରୁ ଆନନ୍ଦର  । ମୁଁ ଜାଣିଥିଲି ତାହା ଉତ୍ତପ୍ତ ଲାଭା ହୁଏତ ପୃଥିବୀ ଉପରେ ପଡ଼ିଲେ ବସୁଧା ଦୁଇଭାଗ ହୋଇଯିବ  । ମାତା ସୀତାଙ୍କ ପରି ମୁଁ ତା ମଧ୍ୟରେ ଲୀନ ହୋଇଯିବି  । ଏତେ ବଡ଼ ଆସ୍ପର୍ଦ୍ଧା  । ମୁଁ ଅଗତ୍ୟା ଶାଢ଼ୀ କାନୀରେ ଲୁହ ପୋଛିଲି  । ମୋତେ ତଳକୁ ଓହ୍ଲାଇବାର ପାହାଚ ଗୁଡ଼ାକ ସ୍ପଷ୍ଟ ଦେଖାଦେଲା  । ତଳକୁ ତଳକୁ ଓହ୍ଳାଇବାରେ ଝୁଣ୍ଟି  ପଡ଼ିବାର ସମ୍ଭାବନା ନଥିଲା  । ମୁଁ ଆଜି ପଡ଼ିବି କି ଝୁଣ୍ଟିି, ତୁମ୍ଭେ ମୋର ଛଳନାର ପରଦା ଅପହୃତ କରି ସର୍ବ ସମ୍ମୁଖରେ ସୁମିତ୍ରାକୁ ଉନ୍ମୋଚନ କରିଦେବ କି,ଏ ସନ୍ଦେହ ମୋର ଅମୂଳକ ସାବସ୍ତ୍ୟ ହେଲା  । ମୁଁ ମାଟିତଳ ବସୁଧାରା ଶକ୍ତ ବାସ୍ତବତାରେ ପହଞ୍ଚି ଯାଇଥିଲି  । ଭୂମି ମୋର ଖଣ୍ଡିଆ ପାଦକୁ ଦୃଢ଼ତା ପ୍ରଦାନ କରିଥିଲା  ।
ଭାବପ୍ରବଣତା ମୋତେ ସିନା ଏ ଚିଠିଟି ଲେଖିବାକୁ ବାଧ୍ୟ କରୁଛି କିନ୍ତୁ ଏହା ତୁମ୍ଭ ପାଖରେ ପହଞ୍ଚିବ ନାହିଁ  । ପ୍ରଭୁ ଜଗନ୍ନାଥ ମୋ  ସ୍ୱାମୀ, ମୋ ପୁତ୍ର ରାଜୁକୁ ଶଂଖରେ ପୁରାଇ, ଘୁଣ୍ଟ ଘୋଡ଼ାଇ ଚକ୍ର ଉହାଡ଼ରେ ରଖନ୍ତୁ ଏତିକି ମୋ କାମନା ।
                                                                          ଇତି, ତୁମର ସୁମୀ।


Friday 12 January 2018

କସ୍ତୁରୀର ଗଳ୍ପ।

ସଂଗୁପ୍ତ ସମ୍ଭାବନା
ଦଶହରା
ପଶ୍ଚିମରେ କ୍ରୋମ ଉପତ୍ୟକାରୁ ପୂର୍ବରେ ତ୍ରିକୋଣଭୂମି ପର୍ଯ୍ୟନ୍ତ, ପ୍ରାୟତଃ ଅର୍ଦ୍ଧଶତ କିଲୋମିଟର ବ୍ୟାସ ପରିମିତ ବିଶାଳ ଶିଳ୍ପ ସହର ମଧୁବନ ଆଜି ମହାନଗରୀ  । ମାଳ ମାଳ ଝୁମ୍ପୁଡ଼ି ବସ୍ତି, ଶହ ଶହ କୋଠାଘର ଏବଂ ବହୁ ବହୁତଳ ପ୍ରାସାଦ ହେବା ସତ୍ତେ୍ୱ ବାସଗୃହ ନିଅଣ୍ଟ  । ଶିକ୍ଷିତ, ଉଚ୍ଚଶିକ୍ଷିତ, ଜ୍ଞାନୀ, ଗୁଣୀ, କର୍ମକୁଶଳୀ ସଭ୍ୟ ମନୁଷ୍ୟ କେଉଁ ଦୂର ଦୂରାନ୍ତରୁ ଆକର୍ଷିତ ହୋଇ ଆସିଛନ୍ତି  । ଏହି ନଗରୀକୁ ଆସଛନ୍ତି ଅନେକ ସାଧାରଣ ଏବଂ ଅତି ସାଧାରଣ ଶ୍ରମିକ ଗୋଷ୍ଠୀ  । ସେମାନେ ନିଜେ, ଚିପ୍ସ, ବାଲି, ଗୋଡ଼ି ଓ ସିମେଣ୍ଟ ସମଜାତୀୟ ମଣିଷ  ।
ଏ ସମୃଦ୍ଧ ନଗରୀକୁ ଦୂର ଏକ ଗ୍ରାମରୁ ଆସି ପହଞ୍ଚେ ବୁଦ୍ଧିରାମ  । ସଂକ୍ଷେପରେ ବୁଧିଆ, କର୍ମ ଅନ୍ୱେଷଣରେ  । ଇଚ୍ଛା କରେ ମିତ୍ର ମନମୋହନ ବା ମନୁଆ ପାଖରେ ପହଞ୍ଚି ପରବର୍ତ୍ତୀ ନିଷ୍ପତ୍ତି ନେବ  । ମନୁଆ ମଧୁବନ ନଗରୀରେ ପ୍ରତିଷ୍ଠିତ, ଧନାଢ଼୍ୟ ବ୍ୟକ୍ତି  ।
ମନୁଆ, ବୁଦ୍ଧିଆକୁ ଆଲିଙ୍ଗନ କରି କହିଲା, ଚିନ୍ତା କର ନାହିଁ ବନ୍ଧୁ  ।
ସରକାରୀ କଳର ନୀତି ନିୟମକୁ ନମାନି ସହରର ଉପାନ୍ତରେ ଅପଣାଛାଏଁ ଗଢ଼ି ଉଠିଥିବା ଏକ କଚ୍ଚା ବସ୍ତିରେ, ମନୁଆର ଏକ ନାତିବୃହତ୍ ପକ୍କା ଘର ଅନେକ ଦିନରୁ ଅଛି  । ସେ ଏବେ ସେ ଘରଠାରୁ ଅଧିକ ଓଜନର ମଣିଷ, ଅତଏବ ଘରଟି ଖୋଲା ପଡ଼ିଛି  । ସ୍ୱାଭାବିକ ପ୍ରକ୍ରିୟାରେ ଆପଣା ଛାଏ ଗଢ଼ି ଉଠିଥିବା ଏହି ବସ୍ତିଟିକୁ କେଉଁଦିନ ବୁଲଡୋଜର୍ ଆସି ଅବଶ୍ୟ ଅବୈଧ ଘୋଗଣା କରି ମାଡ଼ି ଦଳି ଚାଲିଯାଇପାରେ  । ସଭ୍ୟତାର ଇଟା, ବାଲି ଚିପ୍ସ ସବୁ ରାସ୍ତା କଡ଼ରେ କିମ୍ବା କେଉଁ ଅପନ୍ତରାରେ ବିଛାଡ଼ି ହୋଇ ପଡ଼ିବେ  । ମନୁଆ ସେମାନଙ୍କୁ ନେତୃତ୍ୱ ଦିଏ  । ଭରସା ଦିଏ  । ସେ ଥାଉଁ ଥାଉଁ କିଛି ହେବନି  । ଲୋକେ ବିଶ୍ୱାସ କରନ୍ତି  । ସେଥିପାଇଁ ସେ ନେତା, ସେତିକି କରି ନ ପାରିଲେ ତା ପକ୍କା ଘରଟା ବି ଯିବ  । ସରକାରୀ ଦଳର ଭୋଟ୍ ମୁଣି ସେ ବସ୍ତି । ବୁଧିଆ ସ୍ୱଚ୍ଛନ୍ଦରେ ରହିଯାଏ ସେଠାରେ  । ମନୁଆର ପିଲାଛୁଆ ଗାଁଆରେ ରହନ୍ତି  । ସେମାନଙ୍କର ଚଳନି ଦେଖି ବୁଧିଆ ଅନୁମାନ କରିଥିଲା ବନ୍ଧୁର ରୋଜଗାର ଭଲ  । ସେଥିପାଇଁ ତ ଚାଲିଆସିଛି । ତାକୁ ବି କିଛି କାମରେ ମନୁଆ ଲଗେଇ ଦେବ  । ଅବଶ୍ୟ ମନୁଆର କାମଟା ଭଲ କି ମନ୍ଦ ସେ ନେଇ ବୁଧିଆ ଭାବି ନାହିଁ  । ତାହାର ସେଥିରେ ଯାଏ ଆସେ ନାହିଁ  । ତାକୁ ଦରକାର କିଛି ଗୋଟିଏ କର୍ମସଂସ୍ଥାନ ।
ଏକ ଘରେ ରହିଛନ୍ତି, ଚଳିଛନ୍ତି, କେତେକାଂଶରେ ମନୁଆର ରୋଜଗାରରେ ପ୍ରତିପାଳିତ ହୋଇଛି ବୁଧିଆ  ।
ବୁଧିଆ, ଖୁବ୍ ଉଚ୍ଚ ନ ହେଲେ ବି ଶିକ୍ଷିତ  । ମହାନଗରୀର କୋଚିଂ ସେଣ୍ଟର ମାନଙ୍କ ପାଇଁ ଦରକାର ହେଉଥିବା ଶିକ୍ଷା ତାର ଅଛି  । କର୍ମ ମିଳିଗଲା । ପାରିଶ୍ରମିକ ସ୍ୱଳ୍ପ ଘର ଚଳାଇବା ପାଇଁ ନିଅଣ୍ଟ  । ଭଡ଼ା ଘରେ ରହିବା ଏବେ ସମ୍ଭବ ହୋଇନାହିଁ । ମନୁଆ ସହ ରହିଯାଇଛି  । ମନୁଆର ନେତାଗିରି ଏବଂ ଅନେକ ଲୋକଙ୍କ ସହ ବସା ଉଠାରେ ବୁଧିଆର ଅସୁବିଧାତ ହୁଏ କିନ୍ତୁ ସେ ରହିଯାଏ  । ବାଧ୍ୟ  ।
ସେ ଚେଷ୍ଟା କରେ ଏସବୁ ଭରଣା କରିବା ପାଇଁ, ମନୁଆର ଖର୍ଚ୍ଚ କମାଇବା ପାଇ, ରାନ୍ଧି ଖାଇବା ଆରମ୍ଭ କରିଛି  । ହୋଟେଲ ବନ୍ଦ  । ବେପରୁଆ ମନୁଆକୁ ନିଶା ପାଣି, ଧୂମପାନରୁ ବିରତ କରିଛି  । ମନୁଆ ମାନେ ନାହିଁ  । ନିର୍ଭରଶୀଳ ବୁଧିଆର ଗାର୍ଜନ ପଣିଆ ପାଣିଚିଆ ହେବାକୁ ବାଧ୍ୟ  ।
ଧିରେ ଧିରେ ମନୁଆର ଅସଲ ସ୍ୱରୂପ ବୁଧିଆକୁ ଜ୍ଞାତ ହୁଏ । ଏ ବସ୍ତିଟିରେ ସେ ସିନା ସୁଧାର କିନ୍ତୁ ସହରର ଅନ୍ୟ ଏକ ଇଲାକାରେ ‘ଭାଇ ସୁଲୋ’ ପାଇଁ ସେ କାମ କରେ  । ଭାଇ ସୁଲୋ, ଅପରାଧ ଦୁନିଆରେ ଡନ୍  । କେବଳ ଏ ମହାନଗରୀ ନୁହେଁ, ଭାଇ ସୁଲୋ ଆନ୍ତର୍ଜାତୀୟ ଅପରାଧୀ । ନିଶା କାରବାର, ଡକାୟତି, ରାହାଜାନୀ, ହପ୍ତା ଆଦାୟ, ଚୋରା ଅସ୍ତ୍ର ଓ ବାରୁଦ ବେପାର, ଏବଂ ମହାନଗରୀର କ୍ଷୁଧତ ମାନବର ପୈଶାଚିକ କ୍ଷୁଧା ମେଣ୍ଟାଇବା ପାଇଁ ଦେହ ବ୍ୟାପାର ଓ ମଣିଷ ଚାଲାଣ ଏ ସବୁ ଥିରେ ରହିଛି ତାର ହାତ  । ଅନେକ ସୁପାରୀ କିଲର ତା ଅଧିନରେ  । ଏହି ମହା ଦାନବର କିଛି ଖାସ୍ ଲୋକଙ୍କ ମଧ୍ୟରେ ମନୁଆ ଅନ୍ୟତମ  ।
ମନୁଆ ଅତୀତରେ ହୁସିଆର ନଥିଲା, କେତେବାର ଗିରଫ ହୋଇଛି ମୁକୁଳି ବି ଯାଇଛି  । ବୁଧିଆ ତାର ଅନ୍ତରଙ୍ଗ  । କେବେ କେବେ ମାତାଲ୍ ହୋଇ ଗପେ  । ବୁଧିଆ ବହୁତ ଚେଷ୍ଟା କରେ, କାୟୋମନବାକ୍ୟରେ ଉଦ୍ୟମ ରତ ରହେ ମନୁଆକୁ ସୁପଥରେ ଫେରାଇ ଆଣିବାକୁ କିନ୍ତୁ ପାରେନି  । ବିପଦରେ ପଡ଼ିଗଲେ ବା ପୁଲିସ ଠାରୁ ବର୍ତ୍ତିବା ପାଇଁ ସେ ତାକୁ ସାହାଯ୍ୟ କରେ । ବୁଧିଆର ଆଗମନ ଭତ୍ତାରେ ମନୁଆ ଆଉ ହାଜତକୁ ଯାଇନାହିଁ  । ଭାଇ ସୁଲୋ ଅଥବା ରାଜନୈତିକ ଅଭିଭାବକ ମାନଙ୍କ ସାହାଯ୍ୟ ନେଇନାହିଁ ଜେଲରୁ ମୁକୁଳିବା ପାଇଁ  । ଭାଇ ସୁଲୋ ଧରି ନେଇଛି ମନୁଆ ଏବେ ପୋଖତ ଖେଳାଳୀ  । ଧୀରେ ଧୀରେ ସେ ହୁଏ ଭାଇ'ର ପାଖ ଲୋକ ।
ଅପରାଧ ଦୁନିଆରେ ପାଖ ଲୋକର ସଂଜ୍ଞା କଣ? ଅତି ଜଘନ୍ୟ ଅପରାଧର ଦାୟିତ୍ୱ ଓ ବଦଳରେ ଯାବତୀୟ ଅୟେଶ, ଭୋଗ ବିଳାସ  । ସେ ଅୟେଶର ଛିଟିକା ଧରି ଘରକୁ ଫେରେ  । ବୁଧିଆ ନିକଟରେ ସେ ଖୋଲା  । କିଛି ଲୁଚା ଛପାରେ ନୁହେଁ  । ନିଶଙ୍କୋଚରେ ମନୁଆ ଯାହା ଇଚ୍ଛା ତାହା କରିପାରେ  । ବୁଧିଆ ଠାରୁ କୌଣସି ବିପଦ ନାହିଁ ସେ ବରଂ ବିପଦରୁ ରକ୍ଷା ପାଇଁ ବୁଦ୍ଧି ଯୋଗାଇବ  । ତାର ଢ଼ାଲ  । ବୁଧିଆ ବହୁତ କଷ୍ଟପାଏ ।  ବୁଧିଆ ମନୁଆର ଗାଁଆରେ ଛାଡ଼ି ଆସିଥିବା ସ୍ତ୍ରୀ ଓ ପରିବାର କଥା ଭାବେ  । ଅହାଃ ସେମାନେ କଣ ଏ ଅଧଃପତନର ବିନ୍ଦୁ ବିସର୍ଗ ଜାଣୁଥିବେ  । ବୁଧିଆ ବ୍ୟଥିତ ହୁଏ  । ମନୁଆଟାକୁ ଯାବତୀୟ ରୋଗ ଗ୍ରାସ କରିବଣି  । ଘୃଣା ଆସେ  । କିନ୍ତୁ ସେ ନାଚାର, ତାରି ଦୟାରେ ପଡ଼ି ରହିଛି  । ମନୁଆକୁ ସମୟ ପାଇଲେ ଉତ୍ତମ କଥା ଶୁଣାଇବା ସୁପଥକୁ ଫେରି ଆସିବାର ଉପଦେଶ ଦେବା ଛଡ଼ା ଅଧିକ ବା ସେ କଣ କରିପାରିବ ବା ମନୁଆର ସ୍ଫଳିତ ମନକୁ ବୁଧିଆର ସୁବୁଦ୍ଧି, କାଟୁ କରେ ନାହିଁ  । ସ୍ୱାର୍ଥପରତାର ଏକ ଅସ୍ୱସ୍ତି  ଭାବନା ବୁଧିଆକୁ କ୍ଷତ ବିକ୍ଷତ କରେ  । ସେ ଯେମିତି ଚୋର ମାଉସୀଆ।
ମନୁଆର ଭାବନା ଶକ୍ତି ଅପସରି ଯାଇଛି  । ବୁଧିଆ ଭାବେ, ଭାବିଚାଲେ, କିନ୍ତୁ ମନୁଆକୁ ଏ ଭାବନା ପ୍ରବାହିତ ହୁଏ ନାହିଁ  । କେବଳ ଯାହା ପ୍ରତିଫଳିତ ହୋଇ ଫେରିଆସେ  ।
ଭାଇ ସୁଲୋର ଆଦେଶ ମାନିବାକୁ ମନୁଆ ବାଧ୍ୟ  । ନଚେତ୍ ତା ନିଜ ସ୍ଥିତି ବିପନ୍ନ । ସେ ପେଶାଦାର ଅପରାଧୀ ହୋଇ ସାରିଛି  । ମୁକୁଳିବାର ଏକମାତ୍ର ରାସ୍ତା ମୃତ୍ୟୁ  । ସେ ଛଳନା କରେ, କହେ “ପେଟ ପୋଶ ନାହିଁ ଦୋଷ”  । ସେ ଭାବେ, ତାଦ୍ୱାରା ଆଉ କେଉଁ ପେଶା ସମ୍ଭବ ହେବନି  । ଭଲମନ୍ଦ ବାଛି ପାରୁଥିବା ଭାବନା ତା ମନକୁ କେବେ କେବେ ଦଲକାଏ ଶୀତଳ ପବନ ପରି ଲେଉଟି ଆସେ ସିନା, ଅନ୍ତର୍ଦ୍ଦେଶକୁ ପ୍ରବେଶ କାରେନି । ଅପରାଧର ନିଶା, ତାକୁ ପଥର ପରି ଟାଣ କରିଛି ।
 ବୁଧିଆ କଷ୍ଟ ପାଏ  । ମୌଳିକ ପ୍ରଶ୍ନ ତାକୁ ବିବ୍ରତ କରେ, ସେ ମନୁଆର ପାପରୁ ଭାଗୀ କି ନୁହେଁ  । ପାପ ପୁଣ୍ୟର ଲୁଚକାଳି ଖେଳରେ ସେ ପୁଲସି୍ ହୋଇ ମନୁଆକୁ ସୁପଥ ଦେଖାଇଛି  । ଚୋର ହୋଇ ସାଙ୍ଗକୁ ପୁଲିସଠାରୁ ରକ୍ଷା କରିଛି  । ଏ ମହାନଗରୀରେ ବୁଧିଆ ବିନା କିଏ ବା ଅଛି ସାହାସ କରିବାକୁ, ମନୁଆକୁ ସତ୍ ବୁଦ୍ଧି ଦେବାରେ  ।
ଏମିତି ଏକ ଉପଦେଶ ଦେବା, ବୁଝାସୁଝା କରିବାର ଅଧିବେଶନ ପାଇଁ ବୁଧିଆ ତା ସାଙ୍ଗକୁ ଦିନେ ଭିଡ଼ି ନେଇଥିଲା, ବସ୍ତିର ଅନତି ଦୂରରେ ଥିବା କୁନି ନଈ କଡ଼ର ବରଗଛ ମୂଳକୁ  । ଯେଉଁଠି ବସିବା ପାଇଁ ଚାନ୍ଦିନୀ ତିଆରି କରିଛି ମନୁଆ  । ଦୁଇବନ୍ଧୁ ବସିଥାନ୍ତି  । ଦୂର ଦିଗବଳୟରେ ଅସ୍ତାଚଳଗାମୀ ସହସ୍ରାଂଶୁଙ୍କ ଲୋହିତ ଆଭା ନାନାଦି ବର୍ଣ୍ଣାଳୀରେ ପଶ୍ଚିମ ଦିଗନ୍ତଃକୁ ସଜାଇଥାଏ । ବୁଧିଆ ମନୁଆକୁ ବୁଝାଉଥାଏ  । ଆଃ ଏବେ ଲେଉଟି ଚାଲ, ମୁକ୍ତିର ଆନନ୍ଦ ମାର୍ଗରେ ଏକ ସାଧାରଣ ସରଳ ଜୀବନ ତୋର କାମ୍ୟ  ।
ମହାନଗରୀରେ ଏହି କ୍ଷୁଦ୍ର ପ୍ରାକୃତିକ ପରିବେଶଟି ମଣିଷରୁ ଦାଉରୁ ବଞ୍ଚିଯାଇଛି । ଏହା ରେଲୱେ ଡିପାର୍ଟମେଣ୍ଟର ଅଧୀନରେ  । ସମ୍ମୁଖରେ ରେଳ ଲାଇନ୍ ଯାଇଛି  । ଅଦୂରରେ କୁନି ନଈ ଉପରେ ପୋଲ  । ତାହା ଉପରେ ରେଳ ଗାଡ଼ିଟି ଛୁଟି ଆସୁଛି  । ଶବ୍ଦ ଏହା ସୂଚାଉଛି  । ରେଲୱେ ପ୍ରୋଜେକ୍ଟର ବୃହତ୍ତର ଯୋଜନାରେ ଏ ପ୍ରାକୃତିକ ପରିବେଶ ସମେତ ଏ ବସ୍ତିଟି ନିପାତ ହେବ  । ଏହାକୁ ମନୁଆ କିମ୍ବା ଭାଇ ସୁଲୋ ଅଟକାଇ ପାରିବେ ନାହିଁ  । ରାଷ୍ଟ୍ରଶକ୍ତି ନିକଟରେ, ଏମାନେ ଛାର ପୋକ ଜୋକ  । ମନୁଆ ନିଷ୍କପଟରେ କହେ ଯେ ଏ ସମୁଦାୟ ନଗରୀରେ କେବଳ ଏହି ଏକମାତ୍ର ସ୍ଥାନ ହିଁ ତାକୁ ଶାନ୍ତି ଦିଏ  । ଏଠାରେ ବସି ସେ ବସ୍ତି ପାଇଁ ଉନ୍ନତିମୂଳକ ଚିନ୍ତା କରେ, ପାଞ୍ଚଲୋକର ହାରି ଗୁହାରୀ ଶୁଣେ  । ଏ ସ୍ଥାନର କିମ୍ବା ବଟ ବୃକ୍ଷର କୌଣସି ନା କୌଣସି ମହତ୍ତ୍ୱ ରହିଛି  । ଏଠାକୁ ଆସିଲେ ସାମୟିକ ଭାବେ ହେଉ ପଛେ ମନୁଆ ସମସ୍ତ ବିକଳ ଭାବନାରୁ ମୁକ୍ତ ରହେ  । ସେଥିପାଇଁ ସେ ଆସେ ଏବଂ ସେଥିପାଇଁ ଆଜି ବୁଧିଆ ତାକୁ ଟାଣି ଆଣିଛି ।
ଏ ବଟ ବୃକ୍ଷର ଶୀତଳ ପବନ ତା ମନରେ ଆଣିଦିଏ ନିଜ ଭିଟାମାଟିର ଭାବନା, ତାଙ୍କ ଗାଁଆ ଶିବ ମନ୍ଦିର, ଚାଷ ବାସର ସବୁଜିମା, ମୃଦୁମନ୍ଦ ଗତିରେ ବାଲୁକା ଶେଜରେ ପ୍ରବାହିତ କ୍ଷୀଣଧାରା ନଦୀ ଓ ବାଲ୍ୟକାଳର ବହୁ ମଧୁର ସ୍ମୃତି  । ତାଙ୍କ ଘର ଆଗର ଚଉଁରାରେ ତା ସ୍ତ୍ରୀ ଜାଳୁଛି କି ସଞ୍ଜବତୀ, ତା ପିଲା ଦୁଇ ସେଇଠି ଠିଆ ହୋଇଛନ୍ତି  । ଆହୁରି କେତେ କଣ ? ସେ କଇଁ କଇଁ ହୋଇ କାନ୍ଦୁ ଥିବାର ଦେଖିଲା ବୁଧିଆ । ଚାରିଆଡ଼କୁ ଅନିସା କଲା, ସନ୍ଧ୍ୟା ମାଡ଼ି ଆସିଲାଣି  । ମନୁଆ ମଧ୍ୟରେ ସତରେ କଣ ପରିବର୍ତ୍ତନର କୌଣସି ସଂଗୁପ୍ତ ସଂଭାବନା ଅଛି  । ଶେଷ ମାଘର ଆଂଶିକ ଶୀତଳ ସନ୍ଧ୍ୟାରେ ବରଗଛଟି ଯେପରି କଳ୍ପବଟ ଓ ତାର ଆତ୍ମା ବୁଧିଆକୁ ଭରସା ଦେଇ ସଂଗୋପନେ କହି ଚାଲିଗଲା, “ହଁ ନିଶ୍ଚେ ଅଛି ମନୁଆର ପରିବର୍ତ୍ତନର ସମ୍ଭାବନା”  ।
ମନୁଆଟାକୁ କେତେ ଦିନ ହେଲା ଜ୍ୱର ଆସୁଛି, ସେ ଭାଇ ସୁଲୋଠାରୁ ସାମୟିକ ଅବ୍ୟାହିତ ନେଇଛି, ଡାକ୍ତରବାବୁଙ୍କ ନିର୍ଦ୍ଦେଶ ବିଶ୍ରାମ ନେବାକୁ ଏକ ସପ୍ତାହ  । ନିଶାପାଣି ଛୁଉଁ ନାହିଁ  । ବଡ଼ଦେଉଳର ବହଳ ଚୁନ ପରସ୍ତ ଛଡ଼ାଇଲା ପରେ, ଦେଉଳ ଗାତ୍ରରେ ଖୋଦିତ କମନୀୟ କାରୁକାର୍ଯ୍ୟ ଉଦ୍ଭାସିତ ହେଲା ପ୍ରାୟ, ଏ ମନୁଆ ମନରୁ ସମସ୍ତ ମଇଳା ଅପସରି ଯାଇଛି, ସେ ଦେଖାଯାଉଛି ଅସାମାନ୍ୟ ସାଧାରଣ ନରମ ମଣିଷ, ରକ୍ତ ମାଂସରେ ରୋଗ ଲାଗିଥିବା ଏକ ନୀରିହ ମଣିଷ  । ଏହି ଭାବନାଟା ସ୍ଥାୟୀ ହୁଅନ୍ତା କି, ବୁଧିଆର ସେତିକି କରିପାରିବାର ଦକ୍ଷତା ନାହିଁ  । ଦୁହେଁ ଫେରିଲେ, ବୁଧିଆ ପଛକୁ ଫେରି ଚାହିଁଲା, ବରଗଛ ଦିଶୁଛି ଅତି କମନୀୟ  ।
ମନୁଆର ଫୋନ୍ ଆସିଛି, ଅତ୍ୟନ୍ତ ଜରୁରୀ, ଗୁରୁତର ବ୍ୟାପାର  । ଭାଇ ସୁଲୋ ଉପରେ ମରଣାନ୍ତକ ଆକ୍ରମଣ  । ଏଣୁ ତାକୁ ଯିବାକୁ ପଡ଼ିବ ।
ମନୁଆର ଅସୁସ୍ଥତା ଓ ଛୁଟି କାଳରେ ଅନେକ କିଛି ଘଟି ଯାଇଛି  । ମନୁଆର ଅନୁପସ୍ଥିତିରେ ଭାଇ ସୁଲୋକୁ ଗାଦିଚ୍ୟୁତ କରିବା ପାଇଁ ଛୋଟ ଡନମାନଙ୍କର ବିଦ୍ରୋହ  । ଗୋଷ୍ଠୀ ସଂଘର୍ଷ  ।
ମନୁଆ ପହଞ୍ଚିଲା, ମୃତ୍ୟୁ ଅନିର୍ବାର୍ଯ୍ୟ  । ଭାଇ ସୁଲୋ ମନୁଆ ମୁଣ୍ଡରେ ମହାନଗରୀର ଅପରାଧ ଜଗତର ମୁକୁଟ ଦେବାକୁ ଇଚ୍ଛା କରି ଶେଷ ନିଶ୍ୱାସ ତ୍ୟାଗ କଲା  । ଏକ ବିଶାଳ ସଂଗଠନର ସମସ୍ତ ଦାୟିତ୍ୱ ସମ୍ଭାଳିବାକୁ ମନୁଆ ଅପରାଧ ବଦଳରେ କର୍ତ୍ତବ୍ୟ ଜ୍ଞାନ କଲା  । ଭାଇ ସୁଲୋର ଶେଷ ଇଚ୍ଛାକୁ ଅଧିକାଂଶ ସମର୍ଥନ ଜଣାଇଲେ  । ଯେଉଁମାନେ ବିରୋଧ କଲେ ବା ସେଭଳି କରିବାର ସମ୍ଭାବନା ଥିଲା ସେମାନଙ୍କୁ ସବୁଦିନ ପାଇଁ ହଟାଇ ଦିଆଗଲା, ସେ ହେଲା ବାଦଶାହା  ।
ସେ ଆଉ ବସ୍ତିକୁ ଫେରିନାହିଁ  । ବସ୍ତିର ଭଲମନ୍ଦର ଦାୟିତ୍ୱ ବୁଧିଆକୁ ଦେଇ ସେ ଏବେ ସମ୍ପୂର୍ଣ୍ଣ ନିଜ ମନର ମାଲିକ । ସୁବୁଦ୍ଧି ଦେବାକୁ ବୁଧିଆ ନାହିଁ । ଭଲ ଆଉ ମନ୍ଦ ମଧ୍ୟର ସୂକ୍ଷ୍ମ ରେଖାଟିକୁ ପରଖିବା ପାଇଁ ଛାତି ଭିତରଟା ରାମ୍ପି ବିଦାରି ହୁଏ ।
 ବୁଧିଆ ବରଗଛ ମୂଳକୁ ଯାଏ  । ହତାଶ୍ ହୁଏ, ମନୁଆକୁ ପାଏ ନାହିଁ  । ବଟ ବୃକ୍ଷର ଆତ୍ମା କୌଣସି ସଂକେତ ଦିଏ ନାହିଁ  । ରେଳଗାଡ଼ିଟିଏ ପୋଲ ଉପରେ ମାଡ଼ି ଚାଲିଲେ ଶବ୍ଦ କର୍କଶ ଶୁଭେ  ।
ଗାଆଁକୁ ଫେରିଯିବାକୁ ଚାହେଁ  । ମନୁଆର ବସ୍ତି, ମନୁଆ ସମ୍ଭାଳୁ । ଆସନ୍ତା କାଲି ପ୍ରଭାତରୁ ସେ ଚାଲିଯିବ  । ତେବେ ସେ କଣ ମନୁଆକୁ ନଜଣାଇ ଚାଲିଯିବ! ମନୁଆ ତ ଖାସ୍ ତାକୁ ବସ୍ତିରେ ରହି ବସ୍ତିବାସିନ୍ଦାଙ୍କ ଉନ୍ନତି କାମନା କରିବାକୁ ଅନୁରୋଧ ଜଣାଉଛି  । ଆବଶ୍ୟକ ଅର୍ଥ ଦେଉଛି  । ବୁଧିଆକୁ ଏ ସବୁ ପିତା ଲାଗୁଛି, କଲରା ଭଳି ପିତା ନୁହେଁ, ପିତା ଜହ୍ନି ଭଳି ପିତା, ଅସହ୍ୟ ଅସ୍ୱସ୍ତି  । ସେ ବା କାହିଁକି ମନୁଆର ମତାମତ ଅବା ଅନୁମତି ନେବ, ବସ୍ତି ଛାଡ଼ିବାକୁ  । ସେ ତ ସମ୍ରାଟ ସେ କି ତା କଥା ଶୁଣିବା ବା ହିତୋପଦେଶ ଗ୍ରହଣ କରିବା ଅବସ୍ଥାରେ ଅଛି  । କେତେବେଳେ ନିଦ୍ରା ଆସିଛି  । କବାଟରେ ଆଘାତ, ବାହାରେ କୋଳାହଳ  । ରଙ୍ଗ ମିସ୍ତ୍ରୀ ପୁଅକୁ ସର୍ପ ଦଂଶନ କରିଛି  । ଅଗତ୍ୟା ବୁଧିଆ ସେ ପିଲାକୁ ନେଇ ଦୌଡ଼ିଛି ଡାକ୍ତରଖାନା  ।
ଏମିତି ଯେତେ ବାର ଚେଷ୍ଟା କରିଛି, କିଛି ନା କିଛି ସମସ୍ୟାରୁ ଅଟକି ଯାଇଛି  । ବହୁଲୋକଙ୍କ ସେବାରେ ରହିଲେ ସଦାସର୍ବଦା ବ୍ୟସ୍ତ ରହିବାକୁ ପଡ଼ିବ, ଅତଏବ ସେ ନାଚାର । ମନ୍ଦିରକୁ ଯାଏ, ଦେବ ଦେବୀଙ୍କୁ ଗୁହାରୀ କରେ ସେ, “ମୋ ମନୁଆ ମନକୁ ବୁଦ୍ଧିଦିଅ ଭଗବାନ” !
ଶେଷରେ ଦିନେ ସେ କୋଚିଂ ସେଣ୍ଟର ବଦଳରେ ପ୍ରଭାତରେ ପହଞ୍ଚିଲା ରେଳ ଷ୍ଟେସନରେ  । ହାତରେ ବ୍ୟାଗଟିଏ ବି ନାହିଁ  । ଖାଲି ହାତରେ ଆସିଥିଲା, ଶୂନ୍ୟ ହସ୍ତରେ ଫେରି ଯିବ  । ଭାବନାର ଗୋଲକ ଧନ୍ଦାରେ ଧନ୍ଦି ହେଉଛି, ପ୍ଲାଟଫର୍ମର ଏକ ସିମେଣ୍ଟ ବେଞ୍ଚର ବସି  । ତା ପାସେଞ୍ଜର ଟ୍ରେନ୍ କେଉଁ ଏକ ବିଶେଷ ଅସୁବିଧା ପାଇଁ ଦୁଇଘଣ୍ଟା ବିଳମ୍ବ ହେବ, ଦୁଃଖର ସହ ଏ ଘୋଷଣା ବାରମ୍ବାର ଶୁଣାଉଛନ୍ତି ନାରୀ କଣ୍ଠରେ ଜଣେ ପୁରୁଷ ଉଦ୍ଘୋଷକ  । ସମୟ ବିତାଇବା ପାଇଁ ଅଥବା ନିଜକୁ ଲୁଚାଇବା ପାଇଁ ଖବର କାଗଜ ପଢ଼ାରେ ମନ ଦେଇଛି  । ହଠାତ୍ କାହାର ମୃତ୍ୟୁ ଅଙ୍ଗୁଳି ସ୍ପର୍ଶରେ ଧ୍ୟାନ ଭାଙ୍ଗିଛି  ।
ଏ କଣ! ଏତ ପୂଜ୍ୟ ବିବେକାନନ୍ଦ ଗୁରୁଜୀ, ସଂକ୍ଷେପରେ ବିବେକ ସାର  । ଉଭୟ ମନୁଆ ଏବଂ ବୁଧିଆଙ୍କ ଗୁୁରୁଜୀ । ସେ ମହାନଗରୀ ଆସିଛନ୍ତି, ଶିକ୍ଷକ ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ  । ମୁଖ୍ୟ ପ୍ରଶିକ୍ଷକ ଭାବେ  । ବୁଧିଆର ତତ୍କାଳୀନ ମାନସିକ ଅବସ୍ଥା ଯାହା, ତାକୁ ବୋଧ ହେଲା, ଗୁରୁଜୀଙ୍କ ଆବିର୍ଭାବ ବିଧିର ନିର୍ଦ୍ଦେଶ । ସେ ଆଙ୍ଗୁଳି ସ୍ପର୍ଶରେ ଯେପରି ଶ୍ରୀକୃଷ୍ଣ ଅବା ଅର୍ଜୁନଙ୍କୁ ଛୁଇଁ ଦେଲେ  । ସମସ୍ତ କଳା ହରଣ କରିବାକୁ ନୁହେଁ ସମସ୍ତ ଦୁଃଖ, ଅନୁଶୋଚନା ଦୂର କରିବା ଉଦ୍ଦେଶ୍ୟରେ   । ସେ ଭୋ ଭୋ କାନ୍ଦିଲା, ମନୁଆକୁ ରକ୍ଷା କରିବା ତା ଦୁର୍ବଳ ବୁଦ୍ଧିରେ ସଂଭବ ନୁହେଁ  । ତା ବିବେକରେ ସଂଜୀବନୀ ଶକ୍ତି ଦେବାର କ୍ଷମତା ବିବେକ ସାରଙ୍କର ଅଛି  । ବିବେକ ସାର ଏକ ଭିନ୍ନ ସମୟର ପ୍ରତିନିଧି, ଯେବେ ଶିକ୍ଷାଦାନ ଥିଲା ଶିକ୍ଷାର ଏକ ସାମାନ୍ୟ ଅଂଶ ବିଶେଷ ଯାହା ଅଚିରେ ବିସ୍ମରଣକୁ ପ୍ରତ୍ୟାଗତ ହୁଏ  । ବାସ୍ତବରେ ଯାହା ରହେ ତାହା ଅମୂଲ୍ୟ ଓ ଶିକ୍ଷା ନିର୍ଘଣ୍ଟ ବାହାରର ବ୍ୟାପାର  । ବିବେକ ସାରଙ୍କ ପ୍ରଭାବରେ ତାଙ୍କ ଅଞ୍ଚଳରେ ଶହ ଶହ ଛାତ୍ରଙ୍କ ବ୍ୟକ୍ତିତ୍ୱ ଗଠନ ହୋଇଛି । ନିଜକୁ ଧିକ୍କାର କଲା ବୁଧିଆ, ମନୁଆକୁ ମଧ୍ୟ  । ଏଭଳି ମହତ ଲୋକଙ୍କ ଛାତ୍ର ହୋଇ ସେମାନେ ଆଜି ଖଣ୍ଟ । ବିବେକ ସାର କହନ୍ତି ଅଳ୍ପ କଥା, ସର୍ବଦା ଅବିଚଳିତ ସ୍ଥିତିପଜ୍ଞ ।
 ସେ ସାମାନ୍ୟ ହସିଲେ । ତହିଁରେ ଥିଲା ନିର୍ଭର ପ୍ରତିଶ୍ରୁତିର ଆଭାସ ।
ସମ୍ଭାବନା କେବେ ମୃତ ହୁଏନି, ସଂଗୋପିତ ଓ ଲୁକ୍କାୟିତ ହୋଇଯାଏ, ଅଥବା ଜୋର୍ କରି ତାକୁ ଆୟତ୍ତ କରେ ଦୃଷ୍ଟଶକ୍ତି । ପୁଣି ସମ୍ଭବ ସମ୍ବାଳୁଆରୁ ପ୍ରଜାପତି, ପଙ୍କରୁ ପଦ୍ମ, ରତ୍ନାକରରୁ ବାଲ୍ମିକୀ । ଚଣ୍ଡାଶୋକରୁ ଧର୍ମାଶୋକ ହେବା ତ ଐତିହାସିକ ସତ୍ୟ  । ଶାଶ୍ୱତର ଆଶୀର୍ବାଦରେ କି’ବା ଅସମ୍ଭବ ! ମନୁଆ ମଧ୍ୟରେ ବି ମନୁଷ୍ୟକୁ ପରିବର୍ତ୍ତିତ ହେବାର ସଂଭାବନାଟି ଅବଶ୍ୟ ଗୋପନରେ ଅଛି  ।
ବିବେକସାର୍ କର୍ତ୍ତୃପକ୍ଷଙ୍କ ରହଣି ବ୍ୟବସ୍ଥାକୁ ବାତିଲ କରି ରହିଲେ ବୁଧିଆ ସାଥିରେ, ବସ୍ତିରେ  । ଅହୋଽଭାଗ୍ୟ ସମ୍ପୂର୍ଣ୍ଣ ଦୁଇ ସପ୍ତାହର ପ୍ରଶିକ୍ଷଣ  । ଦୁଇ ସନ୍ଧ୍ୟାରେ ବସ୍ତିଟିର ମନ କିଣି ନେଲେ ବିବେକ ସାର୍  । ଠିକ୍ ଭାବରେ କହି ହେବ ନାହିଁ ତାହା ଶାସ୍ତ୍ର ଆଲୋଚନା କି ପ୍ରବଚନ ଅଥବା ବ୍ୟବହାରିକ ହାନି ଲାଭର ତାତ୍ତ୍ୱିକ ବ୍ୟାଖ୍ୟା  । ବୁଧିଆ ଆଶ୍ଚର୍ଯ୍ୟ ହୁଏ, ବିବେକ ସାର ଏହି ବସ୍ତିର ନିରକ୍ଷର, ମଦୁଆ, ଜୁଆଡ଼ୀ, ନାନା ଅପକର୍ମରେ ଲିପ୍ତ ଅମଣିଷ ଗୁଡ଼ାଙ୍କୁ ବି ସହଜରେ ମଣ କରିଦିଅନ୍ତି । ବିବେକ ସାରଙ୍କ ସ୍ପର୍ଶରେ କାଦୁଅରୁ ଅନେକ ମୂର୍ତ୍ତି ତିଆରି ହୋଇଛନ୍ତି, ଏବେ ସେ ପଥରରେ ଖୋଦେଇ କରିବେ କମନୀୟ ଭାସ୍କର୍ଯ୍ୟ  ।
ମନୁଆ ଆସିଛି, ଆସିବାକୁ ବାଧ୍ୟ, ସେ କି ଅଜ୍ଞାତ ରହିପାରିବ ଯେତେବେଳ ସ୍ୱୟଂ ବିବେକ ସାର୍ ଆସି ତା ପାପ ଅର୍ଥରେ ନିର୍ମିତ ବାସଗୃହଟିରେ ରହୁଛନ୍ତି । ସେ ଆସିଛି । ଥାଟ୍ଟବାଟଙ୍କୁ ପଛରେ ପକାଇ, ଦେହରକ୍ଷୀଙ୍କୁ ନଆଣି । ଜୀବନ ପ୍ରତି ତାର ବିପଦ  । ତା ଜଗତରେ, ଶତ୍ରୁ ଓ ମିତ୍ର କ୍ଷଣକୁ କ୍ଷଣ ବଦଳୁ ଥାଆନ୍ତି  । ଭାଇ ସୁଲୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିବା ସମସ୍ତ ଶତ୍ରୁଙ୍କୁ ଦମନ କରିସାରିଥିବା ସତ୍ତ୍ବେ ସେ ନିରାପଦ ନୁହେଁ  । ଭୟର ଭାବନା ଅପସରି ଯାଇଛି । ସେ ଗୁୁରୁଜୀଙ୍କ ପାଖକୁ ଆସିଛି  । ମନୁଆ ମୁହଁଟେକି ସାରଙ୍କୁ ଚାହିଁ ପାରୁନି । ବିବେକ ସାର୍ ପ୍ରଶାନ୍ତ, ସବୁଦିନ ପରି ଅମାୟିକ ହସ ମଧ୍ୟରେ  । ମନୁଆକୁ ଆଶୀର୍ବାଦ କରନ୍ତି  । କୌଣସି ଉପଦେଶ ଦିଅନ୍ତି ନାହିଁ, କୌଣସି ଆକଟ କରନ୍ତି ନାହିଁ  । ବୁଧିଆ ବ୍ୟସ୍ତ ହୋଇପଡେ  । ସେ ଭାବିଥିଲା ବିବେକ ସାର୍ ମନୁଆର କାନମୋଡ଼ି ଘୋସାଡ଼ି ନେବେ ମନ୍ଦିର ପ୍ରାଙ୍ଗଣକୁ  । ସେଇଠି ଠାକୁରଙ୍କ ଧଣ୍ଡା ଛୁଆଇଁ ଶପଥ କରାଇ ନେବେ ସେ ଯେପରି ଆଉ ଅପକର୍ମ ନ କରେ  । ଅଥବା ଏହି ପ୍ରକାରେ ଅନ୍ୟ କିଛି ଆଶୁ ନାଟକୀୟ ସମାଧାନ  । ବିବେକ ସାରଙ୍କର ଆଚରଣରେ କୌଣସି ପରିବର୍ତ୍ତନ ହେଉ ନାହିଁ  । ବୁଧିଆ ଭାବେ ଏ ମନୁଆଟା ତାର ସମସ୍ତ ଅସୁବିଧା ଗୁରୁଜୀଙ୍କୁ କହିଛି କି ଲୁଚାଇଛି କେଜାଣି । ସୌଜନ୍ୟତା ଦୃଷ୍ଟିରୁ, ଏ ପ୍ରସଙ୍ଗ ପୁନଶ୍ଚ ଉପସ୍ଥାପନ କରିବା ପାଇଁ ବୁଧିଆ ଉଚିତ୍ ମନେ କରେ ନାହିଁ  ।
ଆସିଲା, ରବିବାର, ପ୍ରଶିକ୍ଷଣ ଶିବିର ଅଧାରୁ ଛୁଟି, ମନମୋହନ (ମନୁଆ) ସହଳ ଆସିଛି, ବୁଦ୍ଧିରାମ (ବୁଧିଆ) ବି କୋଚିଂ କ୍ଲାସ ସାରି ଫେରି ଆସିଲାଣି । ସମୟ, ଶେଷ ଅପରାହ୍ନ  । ମନ୍ଦିର ଠାରୁ କୁନି ନଈ କୂଳେ କୂଳେ ଚାଲିଛନ୍ତି ବିବେକ ସାର୍ ଏବଂ ଦୁଇ ଶିଷ୍ୟ ମନମୋହନ ଓ ବୁଦ୍ଧିରାମ  । ଜଣେ ସୁଧାର ଓ ଅନ୍ୟ ଜଣେ ପ୍ରଚଣ୍ଡ  । ବିବେକ ସାର ଅତି ସାଧାରଣ କଥା କହୁଥାନ୍ତି, ଯେମିତିକି ଗାଆଁର ଚାଷ ବାସ, ବୟସ୍କ ଲୋକଙ୍କ ହେହ ପା, କିଏ କିଏ ବିଗତ, କାହା ପୁଅ ଝିଅର ବିବାହ ହୋଇଗଲା  । କେଉଁ ମନ୍ଦିରରେ କଣ ସବୁ କାର୍ଯ୍ୟକ୍ରମ ଏସନ କରାଗଲା  । ଯାବତୀୟ ମାମୁଲି କଥା  । ବୁଧିଆ ବ୍ୟତିବ୍ୟସ୍ତ ହେଉଥାଏ  । କେତେବେଳେ ସେ ମନୁଆକୁ ଆସଲ କଥା ମାନ କହିବେ । ଉଚିତ ମାର୍ଗକୁ ଫେରାଇ ଆଣିବେ ? କିନ୍ତୁ ସେ କହୁନାହାନ୍ତି  । ଏମିତି ଚାଲିଚାଲି ଆସି ପହଞ୍ଚି ଗଲେଣି ସେହି ଚାନ୍ଦିନୀ ଘେରା ବଟ ବୃକ୍ଷ ନିକଟକୁ । ବୁଧିଆ ବୃକ୍ଷଟିକୁ ପ୍ରଣାମ କଲା, ମା ହିଙ୍ଗୁଳାଙ୍କ ବାସସ୍ଥାନ, ମନମୋହନ ବି ପ୍ରଫୁଲ୍ଲ ଦେଖାଯାଉଛି  । ବିବେକ୍ ସାର୍, ଅସ୍ତଗାମୀ ତପନର ରକ୍ତିମ ଅରୁଣିମାକୁ ସନିଗ୍ଧ ନୟନରେ ଅନାଇ, ମୃଦୁ ମୃଦୁ ହାସ୍ୟ ମୁଦ୍ରାରେ ଅଛନ୍ତି  । ଦୁର୍ବଳ ଶରୀରର ଯୁବକଟିଏ, ବୃକ୍ଷ ମୂଳର ଚାନ୍ଦିନୀରେ ପଶ୍ଚିମ ଦିଗକୁ ମୁହଁ କରି ଏକାଗ୍ରତାର ସହ କଣ ଗୋଟେ କରୁଛି । ତଳେ କାଗଜ କିମ୍ବା ସେହି ଜାତୀୟ କିଛି, ଯା ଉପରେ ସେ କଲମ ଅବା ତୁଳୀ ଦ୍ୱାରା କବିତା ଲେଖୁଛି ଅଥବା ଚିତ୍ର ଆଙ୍କୁଛି  । ସେମାନେ ପାଖକୁ ଯିବାକୁ ଟିକେ ଅନିଚ୍ଛୁକ ହେଲେ । ସମ୍ଭବତଃ ଯୁବକଟିର ଧ୍ୟାନ ପୂର୍ଣ୍ଣ କାର୍ଯ୍ୟରେ ବ୍ୟାଘାତ ହେବ । ବିବେକ୍ ସାର ସେମିତି କହିଚାଲୁଛନ୍ତି ଗ୍ରାମର କେଉଁ କେଉଁ ପୁଷ୍କରଣୀର ପଙ୍କୋଦ୍ଧର କରାଗଲା  । କେଉଁ କେଉଁ ରାସ୍ତା କକ୍ରିଂଟ ହେଲା, କେଉଁ ଉଦ୍ୟମୀ ଯୁବକ କୁକୁଡ଼ା ଫାର୍ମ କଲେ, ଇତ୍ୟାଦି ଇତ୍ୟାଦି  । କେତେ ମୁହୂର୍ତ୍ତ ବିତିଗଲାଣି ଯୁବକଟି ସେମାନଙ୍କ ଉପସ୍ଥିତି ପ୍ରତି ଆଦୌ ସଚେତନ ନୁହେଁ । କେମିତି ଏ ଯୁବକ ତା ଲିଖନ କିମ୍ବା ଅଙ୍କନ ପାଇଁ, ନଗରୀର ଏ ଶାନ୍ତ ପରିବେଶଟି ଆବିଷ୍କାର କଲା ! ସେ ତ ସ୍ଥାନୀୟ ଯୁବକ ନୁହେଁ, ନଚେତ୍ ଦୁଇବନ୍ଧୁ ତାକୁ ଚିହ୍ନିଥାନ୍ତେ ।
 ଶାନ୍ତ ବାତାବରଣର ନୀରବତା ଭଙ୍ଗକରି ଦୂରାନ୍ତରୁ ଏକ ଟ୍ରେନ୍ ମାଡ଼ି ଆସୁଛି । ଶବ୍ଦ ନିକଟରୁ ନିକଟତର ହେଉଛି  । କିଛି ସମୟ ପରେ ଏହା ସ୍ଥାନୀୟ ସେତୁ ଅତିକ୍ରମ କରିବା ସହ ତଦ୍ଜନିତ ବାଦ୍ୟପ୍ରାୟ ଶବ୍ଦ ସୃଷ୍ଟି କଲା ଓ ସହରର ମୁଖ୍ୟ ଷ୍ଟେସନ ଆଡ଼କୁ ଅଗ୍ରସର ହେଲା  । ଯୁବକଟି ଆସ୍ଥାନ ଛାଡ଼ି ଉଠିଲା, ହଠାତ୍ କ୍ଷୀପ୍ର ଗତିରେ ଧାବମାନ ହୋଇ ରେଳ ଗାଡ଼ି ସମ୍ମୁଖକୁ ଡେଇଁ ପଡ଼ିଲା  । ଗୁରୁଶିଷ୍ୟ ତ୍ରୟ, କେବଳ ହାଁ ହାଁ କହିବା ଛଡ଼ା ଅନ୍ୟ କୌଣସି ଉପାୟରେ ତାକୁ ବଞ୍ଚାଇବା ସମ୍ଭବ ନଥିଲା  । ସେମାନେ ପଶ୍ଚ୍ୟାତରେ ବିପରୀତ ଦିଗରେ ଥିଲେ  ।
ସୂର୍ଯ୍ୟାସ୍ତ ଭୟଙ୍କର ଦେଖାଯାଉଥିଲା । ବଟବୃକ୍ଷରେ ଥିବା ବିରାଟ ମହୁଫେଣାର ଅଜସ୍ର ମହୁମାଛି ଅକାରଣେ ଉଡ଼ି ବୁଲିଲେ  । ସେ ସବୁକୁ ଭୃକ୍ଷେପ ନ କରି ମନ ମୋହନ ଦୌଡ଼ିଲା ଯୁବକଟି କିଛି କ୍ଷଣ ପୂର୍ବରୁ ବସିଥିବା ଚଟାଣ ଉପରକୁ  । ସେ ତାହାହେଲେ ତାର ଆତ୍ମହତ୍ୟା ପତ୍ରଟି ଲେଖୁଥିଲା  । ବିଚରା ।
ଏମିତି ଏକ ଶାନ୍ତ ସୁନ୍ଦର ପରିବେଶ ଯାହା ଅପରାଧି ମନୁଆ ମନରେ ପ୍ରଶାନ୍ତି ଆଣି ପାରୁଥିଲା, ସେ ପରିବେଶରେ ଏକ ନବଯୁବକ, କି ବା ତାର ଦୁଃଖ, ଆତ୍ମହତ୍ୟା କଲା ଏମିତି ଯନ୍ତ୍ରଣାଦାୟକ ଉପାୟରେ! ଜଣେ ମନୁଷ୍ୟ ନିଜ ମନର ଭାବନା ବା ଅବସ୍ଥାକୁ ନେଇ ଦୁନିଆକୁ ଦେଖେ  । ଯେମିତି ସେମାନେ କିଛି କ୍ଷଣ ପୂର୍ବରୁ ଭାବୁଥିଲେ, ସେ କବିତା ଲେଖୁଛି ଅବା ସେ ଶୋଭାମୟ ସୂର୍ଯ୍ୟାସ୍ତକୁ ରଙ୍ଗ ତୁଳୀରେ କଏଦ କରୁଛି  । ମନୁଆ । ଭାବୁଛି, ତା ଇଲାକାରେ ଏମିତି ବସି ରହିଥିବା ଯୁବକକୁ ଧମକାଇ ହଟାଇ ଦେବା ତାର ସ୍ୱଭାବିକ ବ୍ୟବହାର, କେବଳ ବିବେକ ସାରଙ୍କ ଉପସ୍ଥିତି ପାଇଁ ସେ ଏମିତି କଲା ନାହିଁ  । ବୁଧିଆ ଭାବୁଥିଲା, ଦୁନିଆଟା ଆତ୍ମ କେନ୍ଦ୍ରିକ  । କିଏ କଣ କରୁଛି ତାହା ପ୍ରତି ଅନ୍ୟମାନେ ଅଚେତନ  । ଆହାଃ କିଛି କ୍ଷଣ ପୂର୍ବରୁ ସେମାନେ ଯଦି ଟିକେ ଉଦ୍ୟମ କରିଥାନ୍ତେ, ଜାଣିବା ପାଇଁ, ଦୌଡ଼ିଯାଇ ପିଲାଟାର ସୁଖ ଦୁଃଖରେ ଭାଗୀ ହୋଇଥାନ୍ତେ! ଚୋର ପଳାୟନ ପରେ ବୁଧିଆର ବୁଦ୍ଧିର ଆଉ କି ଲାଭ?
ବିବେକ ସାର ନିର୍ବିକାର, ଯେମିତି କିଛି ଘଟିନାହିଁ, ଅଥବା ଏ ଘଟଣାଟି ତାଙ୍କ ସମ୍ମୁଖରେ ଘଟିବା ଅବଶ୍ୟମ୍ଭାବୀ ଏହା ସେ ନିର୍ଦ୍ଦିଷ୍ଟ କରି ଜାଣିପରୁଥିଲେ । ଅଦୃଷ୍ଟର ବିଧାନ ! ଯୁବକଟି କେଉଁ ଏକ ଗ୍ରାମରୁ ଏ ମହାନଗରୀକୁ ବିଦ୍ୟାଧ୍ୟୟନ ପାଇଁ ଆସି, ମାରାତ୍ମକ ନିଶା କବଳରେ ପଡ଼ିଯାଇଛି  । ତହିଁରୁ ମୁକୁଳି ପାରୁନାହିଁ  । ନିଶାପାଇଁ ଅର୍ଥର ଅଭାବ, ଚୋରି କରୁଛି, ବାପାକୁ ମିଛ ସତ କହି ଅର୍ଥ ମାଗିଆଣୁଛି କିନ୍ତୁ ଚେଷ୍ଟା କଲେ ବି ନିଶା କବଳରୁ ମୁକ୍ତି ପାଉନାହିଁ । ସେ ନିରୁପାୟ । ସେ ସମାଜ ପାଇଁ, ପରିବାର ପାଇଁ ଓ ସର୍ବୋପରି ଖାସ୍ ନିଜ ପାଇଁ ଅଲୋଡ଼ା  । ଏକ ଅପାଂକ୍ତେୟ ଯନ୍ତ୍ରଣା ପୂର୍ଣ୍ଣ ଜୀବନରେ କିସ ଆଉ ଲାଭ  । ଏଣୁ ସେ ଜୀବନ ହାରିବା ଥୟ । ଏଥିପାଇଁ କାହାରିକୁ ଦାୟୀ କରିନାହିଁ ବିଚରା  ।
ହତଭମ୍ବ ମନ ମୋହନ ଭାବିଲା, କେହି କିଭଳି ଦାୟୀ ନୁହନ୍ତି, ସେ ତ ଏ ନଗରୀର ନିଶା ସମ୍ରାଟ, କେତେ ଜୀବନ ଏହିଭଳି ଝରି ପଡ଼ିଥିବ ନିଶା ପାଇଁ ପ୍ରତ୍ୟଖ ଆତ୍ମହତ୍ୟା ଅବା ପରୋକ୍ଷ ଶରୀର କ୍ଷୟ ଯୋଗୁଁ  । ଏଥିପାଇଁ ନିଶା ଦାୟୀ ଅର୍ଥାତ୍ ସେ ନିଜେ ଦାୟୀ  । ତା ଭିତରଟା ଯେପରି କିଏ ଖୋଳି ତାଡି ପକାଇଲା । ଏହି ହାତରେ ସେ ଏକାଧିକ ଜୀବନ ନେଇଛି, କେବେ ବନ୍ଧୁକ କେବେ ପୁଣି ବୋମା ଫୁଟାଇ ପ୍ରତିଶୋଧ ନେଇଛି, ପ୍ରତିପକ୍ଷଙ୍କ ଉପରେ  । ତା ବାହିନୀ ସୁପାରୀ ନେଇ ହତ୍ୟା କରିଛନ୍ତି  । ତହିଁରେ ସେ ବିଚଳିତ ହୋଇନି  । ଆଜି ଡନ'ର ନିଜ ଡେନରେ ସାଧାରଣ ଯୁବକ ଟିଏ ଆଖି ସାମ୍ନାରେ ଓ ଗୁରୁଜୀଙ୍କ ସାମ୍ନାରେ ଜୀବନ ହାରିଲା । ନା ଏହା ଅସହ୍ୟ । ତାର ମନେ ପଡ଼ିଲା ସେ ବି ଗାଆଁରେ ଏକୋଇର ବଳାକୁ ପତ୍ନୀ ପାଖେ ନିର୍ଦ୍ଦୟ ଭାବେ ପକାଇ ରଖି ଏ ସମଗ୍ର ଅପରାଧ ସାମ୍ରାଜ୍ୟକୁ ଉପଭୋଗ କରୁଛି  । ଆହା ମାତ୍ର ମିନିଟିକ ପୂର୍ବରୁ ସେ ଯଦି ପରର ବ୍ୟାପାରରେ ହସ୍ତକ୍ଷେପ କରିଥାନ୍ତା, ସୁନ୍ଦର ଜୀବନଟି ଟଳି ପଡ଼ିନଥାନ୍ତା  ।
ସନ୍ଧ୍ୟା ନଇଁ ଆସିଲା  । ତା ସହ ନଇଁ ଆସିଲା ମନମୋହନଙ୍କ ଜୀବନର ଏକ ଦୃଶ୍ୟର ଯବନୀକ।।  । ମନମୋହନ, ବିବେକ ସାରଙ୍କ ପାଦରେ ଶରଣ ଗଲା  । ବୁଦ୍ଧିରାମଙ୍କୁ ଆଲିଙ୍ଗନ କଲା ଏବଂ ପୋଲିସ୍ କମିଶନରଙ୍କୁ ଫୋନ କରି ଅପେକ୍ଷାରେ ରହିଲା  ।
କହିବା ବାହୁଲ୍ୟ ସମସ୍ତ ସମ୍ବାଦପତ୍ରର ମୁଖ୍ୟପୃଷ୍ଠା ମଣ୍ଡନ କରି ମନୁଆର ଆତ୍ମ ସମର୍ପଣ ଏବଂ ମଧୁବନ ମହାନଗରୀର ଅପରାଧ ଜଗତର ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶିତ ହେଲା  ।
କୋଡ଼ିଏ ବର୍ଷ ପରେ ମନୁଆ କାରାଦଣ୍ଡର ଅବଧି ଶେଷ କରି ମୁକ୍ତିଲାଭ କଲା  । ବୁଦ୍ଧିରାମ ଏ ସମୟରେ ଯତ୍ପୋରନାସ୍ତି ଉଦ୍ୟମ କରି ସଫଳ ହୋଇଛନ୍ତି  । ମନମୋହନଙ୍କ ପତ୍ନୀ ଓ ପୁତ୍ରଙ୍କ ଉପଯୁକ୍ତ ଦାୟିତ୍ୱ ନେଇଛନ୍ତି  ।
ଦୁଇବନ୍ଧୁ ପରଦିନ ବିବେକ ସାରଙ୍କ ସମାଧି ଉପରେ ପୁଷ୍ପ ଚଢ଼ାଇଛନ୍ତି, ଯାହାଙ୍କ ଜୀବନ କଟି ଯାଇଛି ବହୁ ପ୍ରଜାପତି ସୃଷ୍ଟି ହେବାର ସଂଗୁପ୍ତ ସମ୍ଭାବନାକୁ ସମ୍ଭବ କରିବାରେ  ।
(ହୋଇପାରେ ମନ, ବୁଦ୍ଧି ଓ ବିବେକ ଏକହିଁ ଗୃହ ମଧ୍ୟରେ ବନ୍ଦୀ କିନ୍ତୁ ଅଦୃଷ୍ଟର, ବିଧି ବ୍ୟବସ୍ଥା ପ୍ରତି ସମସ୍ତେ ଅଜ୍ଞ ଯେଉଁ କ୍ୱଚିତ୍ ସନ୍ଧାନୀ ସେ ଅଜ୍ଞତା ଦୂର କରିବା ଦିଗରେ ପ୍ରଚେଷ୍ଟ, ସେମାନଙ୍କ ଉଦ୍ଦେଶ୍ୟରେ ଗଳ୍ପଟି ସମର୍ପିତ  ।)