Search This Blog

Sunday 29 November 2020

"ସୁମନ ମାୟାଧର", ଭାଗ ୧୮, ୧୯। ଶବ୍ଦସଂଖ୍ୟା ୨୭୦୦।


 ୧୮

ମାଆଙ୍କ ଅନୁମତି ନେଲି, ମୋ କିନ୍ନର ସମାଜ ପାଇଁ କିଛି କରିବି, ସମୟ ଦେବି । ମାଆ ବିରୋଧ କରିବା ତ ଦୂରର କଥା, ଉତ୍ସାହିତ କଲେ । ତାଙ୍କର ଏବେ ମଧ୍ୟ ବିଶ୍ୱାସ ଥିଲା ହୁଏତ ଦିନେ ତାଙ୍କ ମଉସା ପୁଅ ଭାଇ କାଳନ୍ଦୀଙ୍କ ସନ୍ଧାନ ମୋ ମାଧ୍ୟମରେ ମିଳିବ ।

ମୁଁ କାମ ଆରମ୍ଭ କରେ । ସେ ସମୟରେ କୌଣସି ସଂଗଠନ ହୋଇ ନଥାଏ । କିନ୍ନର ମାନେ ସବୁଠୁ ଦୁସ୍ଥ ଅବସ୍ଥାରେ ରହୁଥାନ୍ତି । ସମାଜ ଏମିତି ନଜରରେ ଦେଖେ, ସତେ ଅବା ଆମ ସମାଜ ଏକ ଅପରାଧୀ ଗୋଷ୍ଠୀ ।  କାହାକୁ ଘର ମିଳେନି ଭଡାରେ ରହିବାକୁ । ଚାରି ଦଉଡି କଟା ବାସ୍ତୁହରା ସମସ୍ତେ । ବଡ କାମ କଥା ଛାଡ, ଛୋଟିଆ ମୋଟିଆ ଶ୍ରମିକ କାମ ବି ମିଳେନି । ଗତାନୁଗତିକ ହିଞ୍ଜଡା ସଂସ୍କୃତି ବି ଆମ ରାଜ୍ୟରେ ଆଗେଇ ନଥାଏ । କେଉଁଠି ନାଚଗୀତ ଅନୁଷ୍ଠାନ ନଥାଏ । ବାହାବ୍ରତ, ଏକୋଇଶିଆ ଇତ୍ୟାଦିରେ କିନ୍ନର ମାନଙ୍କଠୁ ଆଶୀର୍ବାଦ ନେବା ସଂସ୍କୃତି ଓଡଶାରେ ନଥାଏ କହିଲେ ଚଳେ । ଖାଇବେ କେମିତି ଚଳିବେ କେମିତି? ଅନେକ କିନ୍ନର ଭଉଣୀ ବାଧ୍ୟ ହୋଇ ଭିକ୍ଷା ବୃତ୍ତି କରନ୍ତି । ତହିଁରେ ମଧ୍ୟ ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ କମ ଉପାର୍ଜନ ହୁଏ । ଜୀବନ ନାଶକ ଏଚଆଇଭି ରୋଗ ପ୍ରବେଶ କରି ଯାଇଥାଏ ଆମ ଭଉଣୀ ମାନଙ୍କ ବାଧ୍ୟ ବିପଦଶଙ୍କୁଳ କାର୍ଯ୍ୟ କଳାପ ପାଇଁ । ଯାହା ସହ କଥା ହେଲେ ମନ ବିମର୍ଷ ହୁଏ, ସମସ୍ତେ ଶୋଷିତ, ନିଷ୍ପେସିତ । କିଛି ବୁଦ୍ଧିବାଟ ଦେଖା ଯାଏନି, କି କାମ କରିବି, କେଉଁଠୁ ଆରମ୍ଭ କରିବି । 

ଗୁରୁଜୀଙ୍କ ଉପଦେଶ ମନେପଡେ । ମୁଁ କେବଳ ସମସ୍ତଙ୍କ ସହ ପରିଚିତ ହୁଏ । ସେମାନଙ୍କ ଠିକଣା ଟିପିରଖେ । ଯେଉଁମାନେ ଏତେ ଅସୁବିଧା ମଧ୍ୟରେ ସମ୍ପ୍ରଦାୟର ଉତ୍ଥା‌ନ ପାଇଁ ମଙ୍ଗ ଧରିଥାନ୍ତି ସେମାନଙ୍କ ସହ ମିଶେ, ତାଙ୍କ କାମ ପାଇଁ ଅଭିନନ୍ଦନ ଜଣାଏ । କ୍ରମଶଃ ସମସ୍ତଙ୍କ ପ୍ରିୟ ଭାଜନ ହୁଏ । ପନ୍ଦର ଦିନରେ ଥରେ ଆମେ ବୈଠକ କରୁ । ମୁଁ ଗୁରୁଙ୍କ ଉପଦେଶ ଅନୁସାରେ ସମୟ ପାଇଲେ ମୋ ନିଜ କାହାଣୀ ସମସ୍ତଙ୍କୁ କହେ । ଗୁରଙ୍କ ଦୁଇଜଣ ଶିଷ୍ୟା, ଅର୍ଥାତ ମୋ ଗୁରୁ ଭଉଣୀଙ୍କ ସହ ପରିଚିତ ହୁଏ । 

ସେତେବେଳର ସ୍ଥିତି ଅତି ସଙ୍ଗିନ । ଆରମ୍ଭ ସମୟରେ କେବଳ ସୀମିତ ରଖୁ ନିଜକୁ ଅତି ଜରୁରୀ କାର୍ଯ୍ୟରେ; ଅଧିକ ଅସୁବିଧାରେ ପଡିଥିବା ଭଉଣୀଟି କେମିତି ଚଳି ପାରିବ, ରୋଗୀ ଓ ବୟସ୍କା ମାନେ କେମିତି ଅବହେଳିତ ନହେବେ, ରୋଗ ବ୍ୟାଧି କେମିତି ନ ବ୍ୟାପିବ । ମୋ କଲେଜ ସମୟର ସାଙ୍ଗମାନେ କେତେଜଣ ଉଚ୍ଚ ପଦରେ ଥାଆନ୍ତି । ସେମାନଙ୍କ ସହ ମୁଁ ସ୍ୱଭାବିକ ସମ୍ପର୍କ ସ୍ଥାପନ କରିଥାଏ । କହି ବୋଲି କିଛି ସୁବିଧା ହାସଲ କରୁଥାଏ । ସବୁଆଡେ ଦୂର୍ ଦୂର୍ ଶୁଣିବା ମଧ୍ୟରେ କଛପ ଗତିରେ ଚାଲିଥାଉ ଆମେ । ଅପରାହ୍ନ ଚାରିରେ କଲେଜ ଛାଡେ, ପର ଦୁଇଘଣ୍‌ଟା ସମୟ ମୋ ସମ୍ପ୍ରଦାୟ ପାଇଁ ଦେଇ ଆନନ୍ଦ ଅନୁଭବ କରୁଥାଏ । 

ଅଜଣା ଲୋକେ ମୋତେ ଖରାପ ନଜରରେ ଦେଖନ୍ତି । ଜଣା ଲୋକେ ଉପଦେଶ ଦିଅନ୍ତି, ନିଜ ସୁଖରେ ସମୟ ନକାଟି ଏ ମାଗନ୍ତା ହିଞ୍ଜିଡାଙ୍କ ପାଇଁ ସମୟ ଦେବାର ଆବଶ୍ୟକତା ନାହିଁ, ଏମାନେ ସୁଧୁରିବେ ନାହିଁ । ମୋ ଛାତିରେ ଛୁରୀ ଭୁସି ହେଲା ଭଳି ଲାଗେ । ଗୋଟିଏ ଅନୁଭବ ହୁଏ, ଏ ସାଧାରଣ ସମାଜ ତୁଳନାରେ ଆମ ସମ୍ପ୍ରଦାୟ କେଡେ ନିସ୍ୱାର୍ଥପର । ଆଉ ଜଣଙ୍କୁ ଭୋକରେ ରଖି ସେ ଖାଏନି । ସମାଜ ପାଇଁ ଚାନ୍ଦା ମାଗିଲେ ତା ଆୟର ଅଧିକାଂଶ ଦେବାକୁ ସେ ଆଗଭର । ଯେଉଁ ପରିବାର ତାକୁ ତ୍ୟାଗ କରିଦେଲା ବା ସେ ଯାହାଙ୍କୁ ଛାଡି ଆସିଲା, ସେହିମାନଙ୍କୁ ସାହାଯ୍ୟ କରିବାକୁ ସେ ସବୁବେଳେ ପ୍ରସ୍ତୁତ । ଟିକିଏ ଆଦର ପାଇଲେ ସବୁ ଅନ୍ୟାୟ ଅତ୍ୟାଚାରକୁ  କ୍ଷମା କରିଦିଏ । କର୍ତ୍ତବ୍ୟ ଜ୍ଞାନରେ ନୁହେଁ ସ୍ୱତଃସ୍ଫୁର୍ତ୍ତ ଭାବେ ମୋ ମନରେ ଏକ ଭଲପାଇବା ଆସିଯାଏ ଆମ ଭଉଣୀ ମାନଙ୍କ ପାଇଁ । 

ସାଧାରଣ ସମାଜର ଆକ୍ଷେପକୁ ମୁଁ ମୋ ମଧ୍ୟକୁ ନିଏ ନାହିଁ । ପ୍ରତ୍ୟେକ ନିଜ ନିଜ ସୀମିତ ଭାବନାର ଦାସ, ସେମାନଙ୍କ ପ୍ରତିକ୍ରିୟା ତାଙ୍କ ନିଜ ଭାବନା ସଂଜାତ । ମୋ ମନ ବା ଆଭିମୂଖ୍ୟକୁ ସେମାନେ ବୁଝନ୍ତି କେତେ? ମୁଁ ବିଚଳିତ ହୁଏ ନାହିଁ । ଲଢିବାର ସାମର୍ଥ୍ୟ ମନେହୁଏନା ଆମର ସେ ସମୟରେ ଥିବା ଭଳି । ମୁଁ ମୋ ମିତ ସୁମନ ମିତ୍ର ଭଳି ରାଜନୀତିରେ ବଳୀଆନ ନୁହେଁ । ଏହି ସମାଜରେ ପୁଣି ଅଛନ୍ତି ମୋ ସୁଦାମ ସାର୍‌, ଜଗବନ୍ଧୁ ସାର୍‌, ମୋ ମାୟାଧର, ମାଆ, ମୋ ମିତ ଓ ମୋ ଛାତ୍ରଛାତ୍ରୀଙ୍କ ଭଳି ଭଲ ମଣିଷ । ଏଣୁ ସମାଜ ସହ ସନ୍ଧି କରିବାକୁ ମୋ ମନହୁଏ । ବୁଝାମଣା ବଦଳିଲେ ସମାଜ ବଦଳିବ । ମୋର ପୁଣି ସରକାରୀ ଚାକିରି ଅଛି । ଚେଷ୍ଟାକରେ ମୋ କର୍ମସଂସ୍ଥାନ, ସହକର୍ମୀ, ବ୍ୟକ୍ତିଗତ ଓ ପାରିବାରିକ ଜୀବନ ତଥା ମୋ ସାମ୍ପ୍ରଦାୟିକ କାମ ପରସ୍ପର ସୁସଂହତ ହିସାବରେ ଚାଲୁ, ପରସ୍ପର ଲଢେଇ ନକରୁ । ଏହା ବୋଧହୁଏ ଶିକ୍ଷାର ଅବଦାନ । ମୁଁ ସଫଳ ହୁଏ । ଖୁବ୍ କମ ସମୟରେ ଆମ ସମ୍ପ୍ରଦାୟର ଯତ ସାମାନ୍ୟ ନେତ୍ରୀବୃନ୍ଦା ମୋତେ ଶ୍ରଦ୍ଧାଭରେ ପ୍ରତି କଥାରେ ମତ ମାଗନ୍ତି । ମୋ ପ୍ରତି କାହାର ଈର୍ଷା ନଥାଏ । 

ଏହି ସମୟ ମଧ୍ୟରେ ମୋର ଶକ୍ତି ଭଉଣୀଙ୍କ ସହ ଦେଖାହୁଏ । ସେହି ଶକ୍ତି ଯାହାଙ୍କୁ ଦିନେ ରେଳଯାତ୍ରା କାଳରେ ଭେଟିଥିଲି । ଯାହାଙ୍କୁ ଢେଙ୍କାନାଳ ରଘୁପୁରର ତତ୍କାଳୀନ ସରପ‌ଞ୍ଚ ସଦାନନ୍ଦ ମହାନ୍ତି ତାଙ୍କ ଗୃହତ୍ୟାଗୀ କିନ୍ନର ସନ୍ତାନ ସୁବୋଧର ଫଟୋଟିଏ ଦେଇ କହିଥିଲେ ଖୋଜି ଆଣିବାକୁ । 

ମୁଁ ସେ ପ୍ରସଙ୍ଗ ଉଠାଇଲି । ଶକ୍ତି ଏହା ମଧ୍ୟରେ ସୁବୋଧକୁ ଠାବ କରି ସାରିଥାଏ । କିନ୍ତୁ ସୁବୋଧ ଆଦୌ ରାଜି ହେଉନଥାଏ ଘରକୁ ଫେରି ଯିବାକୁ । ଶକ୍ତି ମୋ ସାହାଯ୍ୟ ଚାହିଁଲା । ଆମରେ ଦିହେଁ ପୁନଶ୍ଚ ସୁବୋଧକୁ ଭେଟିଲୁ । ଅନେକ ବୁଝାସୁଝା କରିବା ପରେ ସେ ରାଜି ହେଲା । ସୁବୋଧ କିଛିଟା ପଥଭ୍ରଷ୍ଟ ହୋଇଯାଇଥଏ । ବେଶଭୂଷା, ଚାଲିଚଳନ ଓ ଖାଦ୍ୟ ପାନୀୟରେ ଉଗ୍ରତା ବାରି ହୋଇ ପଡୁଥାଏ । ପ୍ରଥମେ ଶକ୍ତି ତାକୁ ନିଜ ପାଖରେ ରଖି ସୁପଥକୁ ଫେରାଇ ଆଣିବାରେ ଦିନରାତି ଲାଗିପଡିଲା । ସଫଳ ହେଲା ।

ଆମ୍ଭେ ସୁବୋଧଙ୍କୁ ନେଇ ଛାଡି ଆସିଲୁ ତାଙ୍କ ପରିବାରରେ । 

ସଦାନନ୍ଦ ମୁକ୍ତ କଣ୍ଠରେ ଆମ୍ଭଙ୍କୁ ଅନେକ ପ୍ରଶଂସା କଲେ । ଆମ ସମ୍ପ୍ରଦାୟ କାର୍ଯ୍ୟ ପାଇଁ ସାହଯ୍ୟର ହାତ ବଢାଇଲେ ।   

ଆମ କଲେଜରେ ଦୁଇ ଜଣ କିନ୍ନର ଛାତ୍ର ଥାଆନ୍ତି । ମୁଁ ସେମାନଙ୍କ ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ବ୍ୟବହାର ସାମାନ୍ୟ ହେବା ଦିଗରେ, ସଚେତନତାର ଗୋଷ୍ଠୀ ଆଲୋଚନା କଲି । ସେ ଦୁହିଁଙ୍କ ପାଇଁ ଆମ ବ୍ୟବସାୟ ପ୍ରତିଷ୍ଠାନରେ କାମ ବ୍ୟବସ୍ଥା କରିଦେଇଥାଏ । ସେଠାରେ ବି ସଚେତନତା ପାଇଁ ଗୋଷ୍ଠୀ ଆଲୋଚନା କରାଇଥାଏ ।  ମୋର ସହକର୍ମୀ ଶିକ୍ଷକ ମାନଙ୍କ ମଧ୍ୟରେ ବି ମୁକ୍ତ ଭାବେ ଆଲୋଚନା କରିଥାଏ,  ଆମଭଳି ମଣିଷ ସମାଜଠାରୁ କଣ ଆଶା କରେ; ଦୟା ନୁହେଁ କେବଳ ବାଛବିଚାରରୁ ମୁକ୍ତି । ଏସବୁ ଛୋଟ ଛୋଟ କାମକୁ ବିଚାର କରେ ସାମାନ୍ୟ ସଫଳତା । 

ମୋର ବିଶ୍ୱାସ ଥାଏ ଆଉ ସେ ଦିନ ଦୂର ନାହିଁ, ଆମେ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବୁ । ବହୁତ ଶିକ୍ଷିତ ଭଉଣୀ ମାନେ ଆମର ଏ ଆରମ୍ଭ କାମକୁ ଆଗକୁ ନେବେ ।

ଆଜି ଏ ଜୀବନୀ ଲେଖିଲା ବେଳକୁ ମନେହୁଏ ସେଦିନର ମୋ ଭାବନା ଭୁଲ ନଥିଲା । ଆଜି ସ୍ଥିତି ବଦଳିଛି ଅନେକ ।  ମୁଁ ସ୍ୱପ୍ନ ଦେଖିଛି ଆମ ଆଜିର ସଂଗଠିକା ମାନେ ଆମ ସମାଜକୁ ମୁକ୍ତ କରିଦେବେ, ଦିନେ ଯେମିତି ଏ ଧରାଧାମରୁ ମୁକ୍ତ ହୋଇଥିଲା ଦାସତ୍ୱ, ମୁକ୍ତ ହୋଇଥିଲା ବାଲ୍ୟ ବିଧବା ଓ ସତୀପ୍ରଥା, ମୁକ୍ତ ହୋଇଥିଲା ବର୍ଣ୍ଣ ବୈଷମ । ଏହା ଘଟିବ ମୋ ଜୀବଦ୍ଦଶା ମଧ୍ୟରେ । ସେ ସମସ୍ତ ସଂଗଠିକାଙ୍କ ସହ ମୋର ସମ୍ପର୍କ ଅତି ଉ‌ତ୍ତମ । ମୁଁ ଏବେ ପ୍ରାୟ ନେପଥ୍ୟରେ ରହି ମୋ ଚିତ୍ରକଳା ମାଧ୍ୟମରେ ମୁକ୍ତିର ବାର୍ତ୍ତା ଦିଏ । 

ଥାଉ ଏକଥା ଏତିକି । ମୋ ପାରିବାରିକ ଓ ବ୍ୟକ୍ତିଗତ ଜୀବନକୁ ଫେରି ଯାଉଛି ।   


୧୯

ମହୁଲକୁସୁମରୁ ଫେରିବା ଦିନଠୁ କେମିତି ଏକ ଶଙ୍କା ଓ ସନ୍ଦେହରେ ରହୁଥାଏ ଅଂଶୁ । ବାରମ୍ବାର ମୋତେ ପଚାରିଦିଏ ଯେ ମୁଁ ତାକୁ କେବେ ଛାଡି ପଳାଇବି ନାହିଁ ତ । ତା ଛଡା, ସବୁଦିନ ଏଣିକି ଘରକୁ ଫେରିବା ଡେରି ଦେଖି ସେ ଆହୁରି ଛାନିଆ ହୋଇ ଯାଉଥାଏ । ମୁଁ ବି ବୁଝି ପାରେନା, ସେ ଆଉ ଅତି ଛୋଟ ପିଲା ନାହିଁ, ଅଥଚ ଏତେଟା ଖୋଜୁଛି କାହିଁକି ମୋତେ । ଅସୁରକ୍ଷିତ ଅନୁଭବ କାହାକୁ ବଡ ହେବାକୁ ଦିଏନି । ସେ ଜାହିର କରି ବସେ ତା ମନକଥାକୁ । ସବୁବେଳେ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରେ । ଶିଶୁଟିଏ କାହା ମଧ୍ୟରେ ସମ୍ପୂର୍ଣ୍ଣ ସାବାଳକ ହୁଏ ଅବା! ନିଜକୁ ପ୍ରଶ୍ନ କରେ, ସୁମନ ପ୍ରଧାନ ତୁ ନିଜେ ବଡ ହେଲୁଣି ତ? କାଲି ପରା ଜୀବନ ହାରିବୁ ବୋଲି କହୁଥିଲୁ ।

ସହଜେ ଅଂଶୁର ବାପା ଏବେ ସେ ପ୍ରକଳ୍ପରେ ସମ୍ପୂର୍ଣ୍ଣ ଲାଗି ପଡିଥାନ୍ତି, ସେ ଏକ ପ୍ରକାରେ ପୁଅର ଦାୟିତ୍ୱ ମୋ ଉପରେ ଦେଇ ସାରିଥାନ୍ତି । ସଂଧ୍ୟାବେଳେ ଅଂଶୁ ଅନାଇ ବସିଥାଏ ମୁଁ କେତେବେଳେ ଫେରିବି । ମୁଁ ପହଞ୍ଚିଲା ପରେ ଆମେ ଗୋଡହାତ ଧୋଇ ଠାକୁର ଘରେ ପ୍ରାର୍ଥନା କରୁ । ଅଂଶୁକୁ କିଛି ଖୁଆଇ ଦେଇ ପାଠ ପଢାଏ । ରୋଷେଇ କଥା ବୁଝାବୁଝି କରେ । ପରିବାର ମଧ୍ୟରେ ଆମର ଏକ ଭିନ୍ନ ଦୁନିଆ ତା ରୀତିରେ ଚାଲୁଥାଏ । 

ଦିନେ ଆଉ ବଙ୍କା ଟଙ୍କା ନପଚାରି ସିଧା ସଳଖ ପଚାରିଦେଲା, - ମାମା, ସେଦିନ ମାମୁଁଘରେ ଆମ ଅଜା ଆଈ, ମାମୁଁ ମାଇଁ ଓ ପିଉସୀ ନାନୀ ମାନେ କଥା ହେଉଥିଲେ ତୁମକୁ ବାହା ଦେବା ପାଇଁ । ବାହା ହେଲେ ଶାଶୁ ଘରକୁ ଯାଆନ୍ତି ନା ମାମା? ତୁମେ ସେମିତି ପଳାଇବ? ମୁଁ କଣ କରିବି? ମୋତେ ତୁମ ସାଥିରେ ରହିବାର ଅଛି, ମୋ ଜେଜେ ଓ ବାପାଙ୍କ ସହ ବି ରହିବାର ଅଛି । ବାହା ହେଲେ କି ଲାଭ ପାଇବ ମାମା? ଦିଦି ଓ ମୋତେ ତୁମେ ଜନ୍ମ କରିନ ନା ମାମା? ତୁମେ ଶାଶୁ ଘର ଗଲେ ତୁମକୁ ବି ଡାକ୍ତରଖାନାରୁ ପୁଅ ଝିଅ ମିଳିବେ ନା! ଜାଣିଛ ମାମା ମୁଁ କେମିତି ଏକଥା ଜାଣିଲି? ଦିଦି ମତେ କହି ନାହିଁ, ଅବଶ୍ୟ ସେ ବି ଜାଣିଥିବ ଏକଥା । ମତେ ପାଇକାଳୀରେ ଜଣେ ବୁଢୀ ମାଉସୀ କହୁଥିଲେ କି ମୋ ବାପା ମାମା ମରି ଯାଇଛନ୍ତି । ମୋତେ ପାଳନ କରୁଛନ୍ତି ମୋ ଜେଜେ ମାଆ ଓ ତୁମ ସାଙ୍ଗ ମୋ ବାପା । ସେ କହୁଥିଲେ, ମୋ ବାପା ନୂଆ ମାଆ ଯେବେ ଆଣିବେ ମୋର ଆଉ ଭାଇ ଭଉଣୀ ଆସିବେ । ନୂଆ ମାଆ ମୋତେ ହୀନିମାନ କରିବେ । ଏମିତି ସବୁ ହୁଏନା ମାମା?

ମାମା ଗୋଟେ ଆଇଡିଆ କହିବି । ତୁମେ ଯଦି ମୋ ବାପାଙ୍କୁ ବାହା ହୋଇ ପଡନ୍ତ ମୋତେ ହୀନିମାନ ହେବାକୁ ପଡନ୍ତା ନାହିଁ । ମାମା ମୁଁ ଶପଥ କରୁଛି ତୁମେ ଡାକ୍ତରଖାନାରୁ ଯେଉଁ ପୁଅ କି ଝିଅ ଆଣିବ ମୁଁ ତାଙ୍କ ସହ କଳିଗୋଳ କରିବି ନାହିଁ । ଦେଖୁଛ ମୁଁ କଣ ତୁମ ଝିଅ, ଅମିନା ଦିଦି ସହ କଳି କରୁଛି । କାହିଁକି କରିବି ଯେ କଳି କଲେ ସେ ମୋତେ କିଛି ଦେବ ନାହିଁ, କଳି ନକଲେ ମୋ ପାଇଁ ରାଜକୁମାର ପୋଷାକ ଆଣିଦେବ । ସତରେ ମାମା ଯଦି ଆମ ମାମୁଁ ଘରେ ତୁମକୁ ବାହା ଦେବାକୁ ଚାହୁଁଛନ୍ତି ତୁମେ ମୋ ବାପାଙ୍କୁ ବାହା ହୋଇଯାଅ । ମୁଁ ବାପାଙ୍କୁ ବି ଏକଥା କହିଦେବି, ଜେଜେଙ୍କୁ ବି ଅଳି କରିବି । 

ନହେଲେ ମାମା, କହିଲ ଦେଖି ମୋ ଅବସ୍ଥା କଣ ହେବ? 

ମାମା ତୁମେ ଏମିତି କାନ୍ଦୁଛ କାହିଁକି? 

ଅଂଶୁ ମୋ ଲୁହ ପୋଛିଦେଲା । କଣ ତାକୁ କହିବି କିଛି ଭାବି ପାରିଲି ନାହିଁ । ଜାଣେନି କିଏ ସବୁ ତାକୁ ଏମିତି ବୁଦ୍ଧି ଦେଲା । ହୁଏତ ଭାଇ ଭଉଣୀ ଦୁହେଁ ଟେଲିଫୋନରେ ଏସବୁ କଥା ହୋଇଛନ୍ତି । କିନ୍ତୁ ଅମିନା ବୁଝିବା ଶୁଝିବାର ହେଲାଣି । ସେ ତ ଏମିତି କହିବ ନାହିଁ ଅଂଶୁକୁ । 

- ନା ମାମା ତୁମେ କାନ୍ଦ ନାହିଁ । ମୁଁ ତ ଛୋଟପିଲା, ମୁଁ କେମିତି ଜାଣିବି ମୋ କଥା ତୁମ ମନରେ କଷ୍ଟ ଦେବ!

ଇଛା ହେଉଥିଲା ତାକୁ କହିଦେବା ପାଇଁ, ଅମିନା ଓ ଅଂଶୁ ବାଦ ଆଉ ମୋର ପିଲାଛୁଆ ହେବେ ନାହିଁ । ଅଙ୍କଲ ମାନେ ବଦଳି ଆଣ୍‌ଟି ବା ମାମା ହେଲେ ତାଙ୍କୁ ଡାକ୍ତରଖାନରେ ପୁଅ ଝିଅ ଦିଅନ୍ତି ନାହିଁ । ଇଛା ହେଉଥିଲା କହି ଦେବାକୁ, ତୋ ମାମା କେବେ ବି ଶାଶୁଘରକୁ ଯିବାର ନାହିଁ । କିନ୍ତୁ ପିଲାର ମନକୁ ଆଉ କିଛି ନୂଆ ସନ୍ଦେହ ପୁରାଇବାର ଇଛା ହେଲା ନାହିଁ । ମୁଁ ତା ପିଠି ଥାପୁଡାଇ ଶୁଆଇ ଦେଲି । 


ମାଆ କେତେଥର କହଲେଣି ମୋ ବାପା ବୋଉ ଓ ପରିବାର ବର୍ଗଙ୍କୁ ଦେଖିବା ପାଇଁ । ମୁଁ ମୂଖ୍ୟତଃ ମାୟାଧରର କାମରେ ବ୍ୟାଘାତ କରିବାକୁ ଚାହୁଁ ନଥାଏ, କହୁଥାଏ ଏହି କାମଟି ସରିଯାଉ ଆମେ ଯିବା ମାଆ । କାମ ମନେହୁଏ ସରି ଗଲାଣି ଅଥଚ ସେ କଣ କରୁଥାଏ ଓ କେତେଦିନ କରିବ ସେକଥା ସିଏ ଜାଣେ । ମାଆ ବିକଳ୍ପ ପ୍ରସ୍ତାବ ଦେଲେ କି ସେମାନେ ସବୁ ଆସନ୍ତୁ ଆମେ ଜଗନ୍ନାଥ ଦର୍ଶନରେ ଯିବା, କୋଣାର୍କ ବି ବୁଲି ଆସିବା । ମାୟା ତା କାମ କରୁଥାଉ, ଗୋଟିଏ ଦିନର କଥା । ମୁଁ ଘରକୁ ପତ୍ର ଲେଖିଲି ଯଦିଓ ମୁଁ ଜାଣିଥାଏ ସେମାନେ ଆସିଲେ ମୋ ବାହାଘର ବାବଦୀୟ କଥା ଉଠାଇବେ । ସେଥିରେ କିଛି ନାହିଁ ଯେ କିନ୍ତୁ ଅଂଶୁର ବର୍ତ୍ତମାନଳ ଅବସ୍ଥା ଯୋଗୁଁ ଆନ୍ତରିକ ଭାବେ ମୁଁ ସେମିତି ଚାହୁଁ ନଥାଏ । ମାଆର ଭଲପାଇବା ଏତେ ବଡ ବୋଲି ମୁଁ ଜାଣି ନଥିଲି, ଅଂଶୁ ପାଇଁ ମୋ ବାପା ବୋଉ, ଭାଇ ଭାଉଜ ଇତ୍ୟାଦିଙ୍କୁ ଏଡାଇ ଯିବାକୁ ମାଆର ମନଟି କହୁଥାଏ । ଜଣା ପଡିଲାନି ଅମିନା ଓ ଅଂଶୁ ମୋତେ ସତ ସତୁକା ମାଆର ମନଟେ ଦେଇଦେଲେ, ଜନ୍ମ ଦେଇନଥିଲେ ମଧ୍ୟ । ମନେହେଲା ପ୍ରସବ ବେଦନା ନପାଇଲେ ମଧ୍ୟ ମୁଁ ବାଞ୍ଝ ନୁହେଁ । ମୋ ମନ ପୁରି ଉଠିଲା । ମୋର ମନେ ପଡୁଥାଏ ପାର୍ବତୀ ପୁତ୍ର ଗଣେଶଙ୍କ କଥା, ନିଜ ଦେହର ମଳିରୁ ମାତା ଗଢିଦେଲେ ତାଙ୍କୁ କିନ୍ତୁ ସେ କଣ କମ? ବିଜ୍ଞାନର ମନଟି ଭାବିଲା ଆଛା ମାତାଙ୍କ କ୍ଲୋନ ହୋଇ ଗଣେଷ ଦେବୀ ହେବା କଥା ଦେବତା ହେଲେ କେମିତି! ମନେ ପଡିଲା କାନାଡାରେ ଡାକ୍ତର ସୁବ୍ରତ ମିଶ୍ର ମୋ ଅପରେସନ ପୂର୍ବରୁ ବୁଝାଇଥିବା ପାଠ । ପୁଅ ଝିଅ ସବୁକିଛି କେମିତି ସମ୍ଭବ ଗୁଣସୂତ୍ର ଯାହା ବି ଥାଉନା କାହିଁକି । ତା ଛଡା ଆମ ମଣିଷଙ୍କ କଥା ଦେବ ଦେବୀଙ୍କ ସହ ତୁଳନୀୟ ହୋଇ ନପାରେ । ମୁଁ ମାତାଙ୍କୁ କ୍ଷମା ମାଗିନେଲି । 

ନୂଆବର୍ଷ  ପ୍ରଥମ ସପ୍ତାହରେ କେବଳ ବଡଭାଇଙ୍କୁ ଘରେ ଛାଡି ମୋ ସାରା ପରିବାର ଆସିଥିଲେ । ଅମିନା ବି ଆସି ଯାଇଥିଲା । ଆମେ ବୁଲି ବାହାରିଲୁ । ଅଂଶୁ ଓ ଅମିନା ଏକ ହୋଇ ଯାଇଥାନ୍ତି । ମାମୁଁଘର ଲୋକଙ୍କ ସହ ବିଶେଷ ମିଶୁ ନଥାନ୍ତି । ସେମାନଙ୍କ ମନର ଅସୁରକ୍ଷିତ ଭାବନା ତୁଳନାରେ ମୋ ଜୀବନରେ ପ୍ରଥମ କରି ମୋ ବାପା ବୋଉ, ଭାଇ ଭାଉଜ, ଭଉଣୀ ଭିଣୋଇଙ୍କ ସହ ବୁଲିଯିବାର ଉତ୍ସାହ ମ୍ଳାନ ଅନୁଭବ ହେଲା । ମୁଁ ବୁଝି ପାରିଲି ମୁଁ ମାଆ । ମୁଁ ସିନା ନାରୀ ହୋଇ ଯାଇଥିଲି ତଥାପି ମୋ ମନରେ ସନ୍ଦେହ ଥିଲା ଏମାନେ ସବୁ ମୋତେ ଶତ ପ୍ରତିଶତ ନାରୀ ଭାବୁଛନ୍ତି କି ନାହିଁ । କିନ୍ତୁ ମୋ ମନରେ ତିଳେ ହେଲେ ସନ୍ଦେହ ଆସୁ ନଥିଲା ମୋ ପିଲାଦୁହିଁଙ୍କ ମନରେ ମୁଁ ଶତ ପ୍ରତିଶତ ମାଆ ଛଡା ଅନ୍ୟକିଛି ବୋଲି ।  ମୁଁ ସ୍ଥିର କରିନେଲି ମୋର ଆଗାମୀ ଭୂମିକା । ମୋ ନିର୍ଣ୍ଣୟରେ ମୋ ପିଲା ମାନଙ୍କୁ ପ୍ରାଥମିକତା ଦେବା ନିଶ୍ଚିତ କଲି । ଦେଖାଯାଉ ।

ମାଆ ମୋ ପରିବାରକୁ ଆଦର ଯତ୍ନରେ ବାନ୍ଧିନେଲେ । ମାୟା ପାଇଁ ସବୁ ବନ୍ଦୋବସ୍ତ କରି ଆମେ ସବୁ ବୁଲି ବାହାରିଲୁ । ମୋ ପୁତୁରା ଝିଆରୀ ଓ ପିଲା ମାନଙ୍କ କଥା ମୁଁ ବୁଝୁଥାଏ । ସବୁବେଲେ ସେମାନଙ୍କୁ କିଛି ନା କିଛି ଖେଳରେ କିମ୍ବା ଗପସପରେ ବ୍ୟସ୍ତ ରଖୁଥାଏ । ମୁଁ ଚାହୁଁ ନଥାଏ ବଡ ମାନଙ୍କ କଥାରେ ସେମାନେ ମିଶନ୍ତୁ । ଅବଶ୍ୟ ରାସ୍ତାରେ କେବଳ ଖୁସି ଗପ ବ୍ୟତୀତ ଅନ୍ୟ ଆଡକୁ ଆଲୋଚନା ନେଇ ନଥିଲେ ସେମାନେ ।

ଫେରିଲା ପରେ ଆମେ ସବୁ ପାଇକାଳୀ ଚାଲିଲୁ, ଏକେ ତ ମାଆଙ୍କ ନିଜ ସ୍ଥାନ ଦେଖିବେ, ଦ୍ୱତୀୟତଃ ଏତେ ଲୋକଙ୍କ ରହିବା ପାଇଁ ସେଠାରେ ସୁବିଧା ହେବ ।

ପରଦିନ ବାପା ବୋଉ କଥା ପକାଇଲେ ମଆଙ୍କ ସହ କି- ଦିଦି, ଏ ପିଲାମାନଙ୍କ ବୟସ ହୋଇଗଲାଣି ବାହା ସାହା କରାଇ ଦେଲେ ଭଲ ହୁଅନ୍ତା, ବିଶେଷ କରି ମୁଁ ଝିଅ ହୋଇଥିବା ଦୃଷ୍ଟିରୁ ମୋ ବିବାହ ବୟସ କାଳେ ଶୀଘ୍ର ସରିଯିବ । 

ମାଆ କହିଲେ, -ପୁଅ ତ ମାଗି ନେଇଛି ସମୟ, ଅଂଶୁକୁ ଆର ବର୍ଷକୁ ଦଶ ପୁରିଲେ ଯାଇ ସେ ବିଷୟରେ ଚିନ୍ତା କରିବ । ବଳିଆରସିଂ ପରିବାର ସର୍ବଦା ସୁପଥରେ ରହିଛି ବୋଲି ସମାଜରେ ଆଲୋଚନା ହୁଏ, ତଥାପି କେଜାଣି କାହିଁକି ଅଦୃଷ୍ଟର ଏମିତି ବିଧାନ, ଅନେକ ପୁରୁଷ ଧରି ଏ ବଂଶ ପୋଷ୍ୟପୁତ୍ର ଗ୍ରହଣ କରି ସୁରୁଖୁରୁରେ ଆଗେଇଛି । ମାୟାଧର ମୋ ଜନ୍ମିତ ପୁତ୍ର କେତେ ପୁରୁଷ ପରେ, ଅଥଚ ତା ବାପା ଚାଲିଗଲେ । କୁଳ ଜ୍ୟୋତିଷ କହିଦେଲେ ପୁଅକୁ ଦେଖିବୁ ତ ନାତିକୁ ନୁହେଁ । ମୁଁ ଏସବୁ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେନି କିନ୍ତୁ ମୋ ମାଆ ମନ ବଡ ଦ୍ୱନ୍ଦ୍ୱରେ ରହିଛି ସାରା ଜୀବନ । ପୁଣି ଈଶ୍ୱର ଦୁଃଖଦେଲେ ଅଂଶୁକୁ, ଯାହା ସୁଖ ହୋଇ ଲେଉଟି ଆସିଲା ଆମ ଭାଗ୍ୟକୁ । ଅଂଶୁ ବାଦ ଏ ବଂଶର କଳ୍ପନା ମୋ ମନକୁ ଆସେନି । ବାହାର ଲୋକଙ୍କୁ ତ ଏ କଥା ଅବିଶ୍ୱାସ ହେବ କିନ୍ତୁ ଯେ ଅନୁଭବୀ ସେ ବୁଝି ପାରିବ ଅଂଶୁ ହିଁ ଏ କୁଳର ଭବିଷ୍ୟ ପ୍ରଦୀପ । ଏସବୁ ଶୁଣିଲା ପରେ, କେଉଁ ବାପ ତା ଝିଅକୁ ଦେବ ମୋ ପୁଅକୁ । ତେଣୁ ଅଂଶୁର ଉଦୟ ହେବାକୁ, ପୁଅ ସମୟ ମାଗିବାକୁ ଓ ମୋ ମାଆ ମନ ବ୍ୟାକୁଳ ହେବାକୁ ପରସ୍ପର ଛନ୍ଦିଦେଇ ମୁଁ ଖୁବ୍ ଶାନ୍ତିରେ ଅଛି ।

ତା ଛଡା ମାୟା ଓ ସୁମନ ଏତେ ବର୍ଷର ସାଥୀ । ସାଙ୍ଗରେ ରହିଲେ, ଦେଶ ବିଦେଶ ବୁଲିଲେ, ବ୍ୟବସାୟ ପ୍ରତିଷ୍ଠାନ କଲେ, ସୁମନ ପାଠ ପଢି ଚାକିରି କଲା, ପୁଅରୁ ଝିଅ ହେଲା, ଝିଅଟିଏ ପାଳିଲା, ଆଜି ଅଂଶୁ ବି ତାକୁ ଛାଡି ଘଡିଏ ରହୁନି; ଏ ସବୁ ମୁଁ ଦେଖୁଛି । ମନରେ ଏକ ନିଜର ପଣ ଆସି ଯାଉଛି । ତେଣୁ ସେ ଦିହେଁ କଣ ଭାବୁଛନ୍ତି ଆମକୁ ବୁଝିବାକୁ ପଡିବ । ଯେତିକି ଜାଣିଛି ସେମାନେ କେବଳ ସାଙ୍ଗ କିନ୍ତୁ ଏ ବନ୍ଧୁତା ଚିରଦିନର । ନୂଆ ବୋହୂଟିଏ ଆସିବ, କେତେ ସେ ଅଂଶୁକୁ ବୁଝିବ ଯେମିତି ଏକ ପ୍ରଶ୍ନ ସେମିତି ଏକ ପ୍ରଶ୍ନ, କେତେ ସେ ବୁଝିବ ସୁମନକୁ! ପୁଣି କେତେ ସେ ବୁଝିବ ଅଂଶୁ ଓ ସୁମନର ସମ୍ପର୍କକୁ । ପରଝିଅ ପାଇଁ ବଡ ଜଟିଳ ହେବନି କି ଏ ଚଳନି? 

ଏସବୁ କିଏ ଇଛା କରି କରିନାହିଁ । ଦୈବ ନିର୍ଦ୍ଦେଶ, ସମସ୍ୟା ନୁହେଁ ସମାଧାନ । କେବେ କେବେ ମନେହୁଏ ମୁଁ କଣ ଭଲ ମାଆ? ସେମିତି ହୋଇଥିଲେ କେବଳ ମୋ ପୁଅ ମାୟାଧର କୈନ୍ଦ୍ରିକ ହୋଇଥାନ୍ତି । ପୁଣି ଭାବେ ମାଆ ତ ଏକ ଚଳନ୍ତି ଧାରା ଗଙ୍ଗା ମାଆ ପରି, କେତେ କେତେ ସନ୍ତାନର ମାଆ । ମୋ ସମଗ୍ର ପାଇକାଳୀ ମୋତେ ମାଆ ଡାକୁଛି । ସୁମନ ଡାକେ ମାଆ । ମୁଁ ଅଂଶୁର ଜେଜେ ମାଆ । ମୁଁ ଗୋଟେ ମାଆ । ମାଆର ପରିଚୟ ନେଇ ଅତି ଅଲ୍ପ ବୟସରୁ ମୁଁ ରହିଛି, ଆପାତତଃ ସୁଖରେ । ତା ବ୍ୟତୀତ ଆଉ କଛି ପରିଚୟ ମୋର ନାହିଁ । ମାଅ କେବେ ପକ୍ଷପାତିତା କରେ? ନା କଣ ଭଉଣୀ? 

ମୋ ବୋଉ ଆଡକୁ ପ୍ରଶ୍ନଟି ଗଲା । 

ବୋଉ ଯେମିତି ତା ଜୀବନରେ ପ୍ରଥମ ଥର କେଉଁଠି କହିବାର ସୁଯୋଗ ପାଇଲା । ସେ କହିଲା, - ପ୍ରକୃତ କଥା ହେଲା, ସୁମନ ପାଇଁ ସମସ୍ତଙ୍କ ମନରେ ରହିଛି ପ୍ରାୟଶ୍ଚିତର ଭାବନା । ପିଲାବେଳେ ସମସ୍ତେ ତାକୁ ଭୁଲ ବୁଝିଛନ୍ତି । କଥା କଥାକେ ଅପମାନ ଓ ଯନ୍ତ୍ରଣା ଦେଇଛନ୍ତି । ହେୟଜ୍ଞାନ କରିଛନ୍ତି । ତା ଝିଅ ସୁଲଭ ସ୍ୱଭାବ ପାଇଁ ଅଯଥା ବାର ଲୋକ ବାର କଥା କହିବେ, ଏମାନେ ସବୁ ଶୁଣି ଅପମାନିତ ଅନୁଭବ କରିବେ । ତାକୁ ବୁଝିବାକୁ ଚେଷ୍ଟା ନକରି ରାଗତକ ତା ଉପରେ ସୁଝାଇବେ । ଅବଶ୍ୟ ସେମାନେ ଅଜ୍ଞତା ହେତୁ ଭାବୁଥିଲେ ସୁମନକୁ ଭଲବାଟକୁ ଆଣିବା ପାଇଁ ଏସବୁ ତାଙ୍କ ପ୍ରଚେଷ୍ଟା ।

ସେ ପିଲା, ଆମ ଗାଆଁ କଣ ସେ ଆଖ ପାଖରେ ସବୁଠୁ ଅଧିକ ଆଗକୁ ଗଲା । ବିଦେଶ ଗଲା । ଗାଆଁରୁ ଜଣେ ମୃତପ୍ରାୟ ଲୋକର ସେବା କରି ନବଜୀବନ ଦେଲା । ସମସ୍ତଙ୍କ ମୁଁହରେ ଆଜି ତାହାର ପ୍ରଶଂସା । ସେଥିରେ କେବଳ ଆମେ ବାପା ମାଆ ନୋହୁଁ ମୋ ପରିବାରର ସମସ୍ତେ ବଡ ଗର୍ବ ଅନୁଭବ କରନ୍ତି । ପୁଣି କି ଆଚମ୍ବିତ କଥା ଭଗବାନ ତାକୁ ଦଶ ମାସ ମୋ ପେଟ ମଧ୍ୟରେ ଗଢାଇଥିଲେ ପୁଅ, ସେ ବିଜ୍ଞାନ ବଳରେ ଯେମିତି ତା ପିଲାଦିନୁ ଚାହୁଁଥିଲା ସେମିତି ହେଲା, ଝିଅ । ଆମେ ସେତିକି ସ୍ୱଛଳ ନଥିଲୁ । ସବୁ ପିଲାଙ୍କ କାମ ଯାକ ଅଳ୍ପ ସ୍ୱଳ୍ପରେ କଲୁ । ପିଲା ମାନଙ୍କ ମନ, ଟିକି ବାହାଘର ଖୁବ୍ ଯାକଜମକରେ କରିବେ । କିଛି ତ ଗୋଟେ ବାଟ ବାହାର କରିବେ କରିଥିବା ଦୋଷର ପ୍ରାୟଶ୍ଚିତ କରିବା ପାଇଁ । ଆମେ ବାପା ମାଆ ବା ଯେକୌଣସି ପିତା ମାତା ଆଉ ଅଧିକ କଣ ବା ଚାହାନ୍ତି । କେତେ କେତେ ଦୁଃଖ ଆମେ ନିଜ ମନରେ ଚାପିଦେଉ ଟିକି ଉପରେ ହେଉଥିବା ଅନ୍ୟାୟ ଦେଖି । ଆଜି ସେ ବେଳ ଆସିଛି, ମୋର ସବୁ ପିଲା, ଟିକିକୁ ମୁଣ୍ଡରେ ବସାଇ ବୁଲୁଛନ୍ତି । ଏ କଣ କମ କଥା ।

ତା ନିଜ ପ୍ରଚେଷ୍ଟା ବଳରେ ଓ ଭାଗ୍ୟର ସହାୟତାରେ ସେ ଆଗକୁ ଗଲା, ନଚେତ୍ ସେ କଣ କରୁଥାନ୍ତା ଭାବିଲେ ଏବେ ବି ରାତିର ନିଦ ହଜିଯାଏ । ମୋ ଟିକି ଭଳି ଏ ଦୁନିଆରେ ଯେତେ ଅଛନ୍ତି ଈଶ୍ୱର ସେମାନଙ୍କୁ ତାହାରି ଭଳି ମଣିଷ କରନ୍ତୁ । ମୁଁ ବି ତୁମ ଭଳି ମାଆ । ଯେଉଁଠି ମୋ ଟିକି ଭଳି ପିଲାଟିଏ ଦେଖେ, ତା ମଧ୍ୟରେ ଟିକିକୁ ଦେଖେ । ଭାବେ କହିବାକୁ, ତୁମେ କାହିଁକି ନିଜକୁ ଛୋଟ ମନେ କରୁଛ, ଆସ ମୋ ଝିଅ ଟିକିକୁ ଦେଖ । ତୁମେ ସବୁ ଏମିତି କାମ କରନା । ଭାବି ଦିଏ ସିନା ପୁଣି ଭାବେ କଣ କରିବେ ସେମାନେ, ସମସ୍ତେ ଟିକି ଭଳି ଊଚ୍ଚ ଶିକ୍ଷିତ ହେବା ସମ୍ଭବ ନୁହେଁ । ଲୋକେ ତାଙ୍କୁ ଟିକେ ବୁଝିବା ଦରକାର, କାମ ଦେବା ଦରକାର ।

ଏହି କ୍ରମରେ ଆମ ବାପା ମାଆଙ୍କ ମନରେ ବି ଏକ ଝୁଙ୍କ୍ ଆସିଛି; ଟିକି ପାଇଁ ବର ଆସିବେ ସେ ବାହା ହେବ, ପିଲା ଛୁଆ ହେବେ । ଖୁସି ଓ ସମ୍ମାନର ସହ ସେ ରହିବ । ତା ଭଳି ଅନେକ ଝିଅଙ୍କ ପାଇଁ ଆଗକୁ ବାଟ ଖୋଲିଯିବ । ମୋର ଖୁବ୍ ଇଛା ତା ଭଳି ଝିଅ ମାନଙ୍କ ମାଆ ବାପାଙ୍କୁ ଆମେ ବୁଝା ସୁଝା କରନ୍ତୁ କି ତୁମେ ଜନ୍ମ କରି ତାଙ୍କୁ ହତାଦର କରନି । 

ବୋଉ ତୁନି ପଡିଲା ।

ସବୁ କଥା ମୁଁ ଶୁଣି ପାରି ନଥିଲି । ସାନ ଭାଉଜ ଆସି ମୋ ପାଖରେ ପ୍ରାଞ୍ଜଳ ଭାବେ ଗପିଲେ । ଅଗତ୍ୟା ମୁଁ ଆଉ କଥା ନଲୁଚାଇ କହିଲି ଭାଉଜଙ୍କୁ କି ବିଜ୍ଞାନ ଆମକୁ ମାଆ ହେବାର ଦକ୍ଷତା ଦେବା ଭଳି ଉନ୍ନତି କରିନାହିଁ । ଅତୟବ୍ ବିବାହ କରିବା ଏତେ ସହଜ ନୁହେଁ । 

ଭାଉଜ ଆକାଶରୁ ଖସି ପଡିଲେ ଯେମିତି । –ଓଃ କଥା ତାହେଲେ ଏମିତି । ହେଲା ହେଲା, ତୁମେ ମନ ଦୁଃଖ କରନି । ଦୁଇଟା ଛୁଆର ମାଆ ତୁମେ । ଦେଖିବା ଆଗକୁ କଣ ହେଉଛି । 

ମୋ କାନ ପାଖକୁ ମୁଁହ ଲାଗାଇ ପୁଣି ଚୁପିଚୁପି କହିଲେ, -ବୁଝିଲ ଟିକି, ମାୟାଧର ବାବୁଙ୍କ ମାଆଙ୍କ ସମସ୍ୟା ଯେମିତି, ତୁମେ ତ ତାହାର ସମାଧାନ । 

- ନାଇଁ ଭାଉଜ, ମାୟାଧର ପ୍ରତି ମୋ ପ୍ରଚୁର ଭଲ ପାଇବା ଓ ତା ତରଫରୁ ମୋତେ ସେ ତତୋଧିକ ଭଲ ପାଇବା ମଧ୍ୟରେ ସେମିତି ଗୋଟେ ସ୍ୱାମୀ ସ୍ତ୍ରୀର ଭାବନା ପ୍ରାୟତଃ ନାହିଁ । କିନ୍ତୁ ଏ ସମ୍ପର୍କ ଏ ଜୀବନରେ ଭାଙ୍ଗିବାର ସମ୍ଭାବନା ନାହିଁ । ସେଇଠି ହେଲା ଅସୁବିଧା । ଏହା ତା ବୈବାହିକ ଜୀବନରେ ବାଧା ଉପୁଜାଇ ପାରେ । କିନ୍ତୁ କଣ କରିବି? ଅଂଶୁକୁ ଛାଡି ହେବନି କି ମାୟାକୁ ଅବା ତା ମାଆଙ୍କୁ । ନପାଇ ମରୁଥିଲି ଏବେ ପାଇ ମଲି । 

- ତୁମ ଭାଗ୍ୟ ସବୁବେଳେ ତୁମକୁ ସାଥୀ ଦେଇଛି । ଅପେକ୍ଷା କର ସମୟ ସବୁକିଛି ସମାଧାନ କରେ । ମନେରଖ ଟିକି, ଯଦି ସୁଯୋଗ ଆସେ ଉପେକ୍ଷା କରିବ ନାହିଁ । ଯେଉଁ ପ୍ରକାରର ହେଉନା କାହିଁକି ତୁମ ଭଲପାଇବା ତୁଟି ନଯାଉ ।

ଭାଉଜ ବଡ ଗମ୍ଭୀର ଦିଶୁଥିଲେ କିନ୍ତୁ । ସେ ତ କଥାକୁ ପେଟରେ ରଖି ପାରନ୍ତି ନାହିଁ । ତୁରନ୍ତ ବଡ ଭାଉଜଙ୍କୁ କହିଦେଲେ ପ୍ରକାରନ୍ତେ ସମସ୍ତେ ଜାଣିଗଲେ କେବଳ ମାଆଙ୍କୁ ଛାଡି ଯେ ମୁଁ ମାଆ ହୋଇ ପାରିବି ନାହିଁ । 

କଥା ବୁଲିଗଲା, ସମସ୍ତେ ଟୁପୁରୁ ଟାପୁରୁ ହେଲେ କି, ମଲା ମଲା ଅମିନା ଓ ଅଂଶୁ ଥାଉ ଥାଉ ଆଉ କିଶ ଦରକାର ହେ ଛୁଆ ପିଲା, ନହେବେ ତ ନାହିଁ । 

ପିଲାମାନେ ତାଙ୍କ ଟେରରେ ଥାଆନ୍ତି । ଦୁହେଁ ମୋ ପାଖରେ ହାଜର, - ମାମା ମାମା ତୁମେ ଆଦୌ ମନଦୁଃଖ କରନାହିଁ ତୁମକୁ ଡାକ୍ତରଖାନାରୁ ଛୁଆ ମିଳିବ ନାହିଁ ବୋଲି । ନମିଳୁ, ଆମେ ପା ଅଛୁ । 

କହିବା ବାହୁଲ୍ୟ, ମାଆଙ୍କୁ ବି ଏ ପିଲାଏ ଶୁଣାଇ ଦେଲେ ଏ କଥାଟି । 

ଭଲ ହେଲା, ଯାହା ସତ୍ୟ ତାହା ଦୁନିଆ ଜାଣୁ ଏହା ତ ଜଣେ କିନ୍ନରର ଧର୍ମ । ମୋ ମନ ଅନେକାଂଶରେ ହାଲୁକା ହୋଇଯାଇଥିଲା ମୋ ପରିବାରକୁ  ବିଦାୟ ଦେଲାବେଳେ । ସମ୍ଭବତଃ ଅଧିକ କିଛି ଭାବିବାର ଉପାୟ ନଥିଲା ସେମାନଙ୍କ ପାଖରେ । କିନ୍ତୁ ମାଆ? ମୁଁ ବୁଝି ପାରୁଥିଲି ତାଙ୍କ ମନ ମଧ୍ୟରେ ବର୍ତ୍ତମାନ ଯେଉଁ ସମ୍ଭାବ୍ୟ ଆଲୋଡନ ସୃଷ୍ଟି ହୋଇଥିବ । 

ଏତେ ସବୁ ଘଟିଗଲା ମାୟାଧରର ଅଗୋଚରରେ ।  ମୁଁ ପ୍ରଭୁଙ୍କୁ ଡାକିଲି, ମାଆଙ୍କ ମନ ଶାନ୍ତିରେ ଭରିଯାଉ ।   


Wednesday 25 November 2020

ଭାଗ ୧୬ ଓ ୧୭, ସୁମନ ମାୟାଧର, ଶବ୍ଦସଂଖ୍ୟା ୧୬୦୦।


 ୧୬

ସେଦିନ ଥାଏ ଦୀପାବଳି ଅମାବାସ୍ୟା ।

ମାୟାଧର ମୋତେ ପାଖକୁ ଡାକିଲା । ଚିତ୍ରଟି ଯେତିକିରେ ଥିଲା ସେତିକିରେ ଅଛି । ଏତେଦିନ କରୁଥିଲା କଣ? ଘରେ ହରେକ ରଙ୍ଗର ଆଲୋକ ରଖିଛି । ମୁଁ ମୂଳରୁ ଜାଣିଛି ଆମେ ସବୁ ଚିତ୍ରକର ରଙ୍ଗ ଆବଶ୍ୟକ କରୁ କିନ୍ତୁ ମାୟାଧର ରଙ୍ଗତୁଳୀ ସହ ଆଲୋକ ମଧ୍ୟ ଆବଶ୍ୟକ କରେ । କେତେବେଳେ ତା ପେଣ୍‌ଟିଂ ଜ୍ୟୋସ୍ନା ପ୍ଳାବିତ, କେତେବେଳେ ଲୋହିତ କିରଣ ଭିଜା । କିନ୍ତୁ ଏ କେତେଦିନ କଣ ସେ କରୁଛି ଭଗବାନ ଜାଣନ୍ତି ।

ମୁଁ ପାଖକୁ ଗଲି । ଉଜ୍ଜ୍ୱଳ ଶୁଭ୍ର ଆଲୋକରେ ସେଚିତ୍ରକୁ ଦେଖାଇ କହିଲା, ଏକ ସମସ୍ୟା ଦେଖାଯାଇଛି । ତାହାର ସମାଧାନ ତୁ କରିବୁ । ମୁଁ ଚମକି ପଡିଲି । ଏ ଅର୍ଦ୍ଧନାରୀଶ୍ୱର କଳାଟି ଉପରେ ଏତେ ଦିନ ହେଲା ସେ  କାମ କରୁଛି । ଦିନଟାଏ କିଛି ପଚାରି ନାହିଁ । ଏବେ ଏମିତି କଣ ଆବଶ୍ୟକ ପଡିଲା ଯେ? ମୋତେ କଥାଟି ବଙ୍କାଟଙ୍କା ଲାଗିଲା ।

- ଦେଖ, ପଛରେ ସେ କୈଳାସ ପର୍ବତ ଅଛି । ଆଗରେ ଈଶ୍ୱର ତାଙ୍କ ବିଶେଷ ସ୍ୱରୂପରେ । ତାଙ୍କ ଜଟାରୁ ଗଙ୍ଗା ବହି ଯାଉଛି । ଶୁଭ୍ର କୈଳାସ ପର୍ବତର ଅବସ୍ଥିତି ଦୃଷ୍ଟିରୁ ଗଙ୍ଗା ଆଦୌ ଦୃଶ୍ୟମାଣ ହେଉ ନାହାନ୍ତି । କେମିତି ଏହା ସମ୍ଭବ ହେବ? 

ମୁଁ ଜାଣେନି, ହଠାତ୍ ଉ‌ତ୍ତର ଦେଲି, - ଦେଖ ମାୟା, କୈଳାସ ବହୁତ ପଛରେ, ଗଙ୍ଗାମାତା ଜଟାରୁ ବାହାରୁଛନ୍ତି, ଏଣୁ ପାଖରେ । ଈଶ୍ୱରଙ୍କ ନିଜସ୍ୱ ଆଭା ରହିବା ସମ୍ଭବ । ସେ ଆଭାରେ ଗଙ୍ଗା ଆଲୋକିତ ହେବା ସମ୍ଭବ । ତେଣୁ ଆଲୋକିତ ଗଙ୍ଗା ଶୁଭ୍ର ପ୍ରଛଦରେ ଚହଟି ଉଠିବାରେ କଣ ଅସୁବିଧା ଅଛି ।

- ବାଃ, ସୁମନ ମୁଁ ଯେଉଁଥି ପାଇଁ କେତେ କେତେ ସମୟ ଦେଇ ସମାଧାନ ପାଇ ପାରୁନଥିଲି, ତାହାର ସମାଧାନ ତୁ ।

ଏମିତି ବି ତୁ ସର୍ବଦା ମୋ ପାଇଁ ଏକ ସମାଧାନର ସୂତ୍ର, କେବେ ନିଜକୁ ସମସ୍ୟା ମନେ କରିବୁନି ।

ଏହା କହି, ସେ ଅତ୍ୟନ୍ତ ଉଲ୍ଲସିତ ହୋଇ ମୋତେ ଆଲିଙ୍ଗନ କଲା । ପୁଣି ମୁକୁଳାଇ ଦେଲା । – କ୍ଷମା କରିବୁ ସୁମନ, ମୁଁ ଭୁଲିଗଲି ତୁ ଆଉ ମୋ ଆଗ ସୁମନ ନାହୁଁ । ତୁ ପରା ନାରୀ, ମୁଁ ପୁରୁଷ । ଏକଥା କହିଲା କର ଯୋଡି ।

ମୁଁ ରହସ୍ୟ କରି ତା କାନ ମୋଡିଦେଲି, ଗାଲରେ ଦେଲି କୁନି ଚାପୁଡାଟିଏ । କିନ୍ତୁ ମନ ହେଉଥିଲା ତାକୁ ଏମିତି ଜାବୁଡି ଧରନ୍ତି, ସାରା ପୃଥିବୀର କୌଣସି ଶକ୍ତି ଆଉ ତାକୁ ମୁକୁଳାଇ ପାରନ୍ତା ନାହିଁ ।

କିନ୍ତୁ ।

ହଁ ଆଉ କେଇଟା ଦିନର କଥା । ମୁଁ ନିଜେ ମୁକୁଳି ଯିବି । ମୁକୁଳି ଯିବା ସତେ ଯେମିତି ଜୀବନର ଲକ୍ଷ । ମନେହେଲା ସମାନ ସମୟରେ ମୋର ଦୁଇ ନାକ ପୁଡାରୁ ତପ୍ତ ଓ ହେମାଳ ଶ୍ୱାସ ନିର୍ଗତ ହେଉଛି, ଆସକ୍ତି ଓ ଅନାସକ୍ତିର । ଅଧ୍ୟାପିକା, ଚିତ୍ରଶିଳ୍ପୀ, ସାଥୀ, ମାଆ, ସଫଳତା ଓ ସମ୍ମାନର ଆସକ୍ତି ସହ ଯୁଦ୍ଧ କରୁଛି ମୁକୁଳି ଯିବାର ଇଛା । ଏ ସବୁ ଯେମିତି ମାୟା, ନପାଇବା ପର୍ଯ୍ୟନ୍ତ ପିପାସା, ମିଳିଗଲେ ତୁଚ୍ଛ । ତୁଚ୍ଛ ନୁହେଁ ଆଉ କଣ । ଅନାଗତ ଭବିଷ୍ୟତର ଆଶଙ୍କା ଯେମିତି ଥିଲା ସେମିତି ରହିଛି । ପରିଚୟ ସଙ୍କଟ ତଥାପି ଟଳୁନି । ବିଚାରରେ ଦ୍ୱନ୍ଦ୍ୱ ଦୂର ହେଉନି । ବରଂ ମନରେ ଥିବା ବେପରୁଆ ଭାବ ବଦଳି ସମ୍ଭ୍ରମତାକୁ ମୁଁ  ମହତ ଆଚରଣ ଭାବେ ଆବୋରି ନେଇ ଦୁଃଖ ପାଉଛି । ମୋ ଚାରିପାଖର ମଣିଷ ମାନେ ମୋତେ କଣ ଭାବିବେ, ସମାଜ କଣ ଭାବିବ? ତେଣୁ ଗୋଦଡା କୋଡିଛି ଯେତିକି ମାଡିଛି ଯେମିତି ସେତିକି । କି ଲାଭ? ଉପାର୍ଜନ ହୋଇଛି ଅନ୍ୟଥା ଅପରିଚିତ ଭାବ, ‘ଛଳନା’ ।  ବାହାରି ଆସୁଥିବା ଦୀର୍ଘଶ୍ୱାସକୁ ଏକ ଛଳନାର ମୃଦୁ ହସରେ ସୀମିତ କରି ମୁଁ ବାହାରି ଆସିଲି । 

କାର୍ତ୍ତିକ ପୁର୍ଣ୍ଣମୀ ଚାରି ଦିନ ଆଗରୁ ଛୁଟିନେଲି । ମନେ ମନେ ଭାବିଲି ଏଇଟି ଏ ଘରୁ ମୋ ବିଦାୟ । କେହି ଆଉ ମୋ ସନ୍ଧାନ ପାଇବେ ନାହିଁ । ଗୁରୁଙ୍କ ସହ ସାକ୍ଷାତ ପରେ କେଉଁ ଆଡେ ଯିବି ଜାଣେନା । ନରୁଦ୍ଦିଷ୍ଟ ହେବା ଯେମିତି ଆମ ଭାଗ୍ୟ ।  ସହକାରୀ ଅଧ୍ୟାପିକା, ଚିତ୍ରଶିଳ୍ଫୀ, ‘ସୁମନ ମାୟାଧର’ ବ୍ରାଣ୍ଡର ସୁମନ ହେବ ନିରୁଦ୍ଦିଷ୍ଟ ।

ଅଂଶୁକୁ ବୁଝାଇ ଦେଲି ଜରୁରୀ କାମ ଥିବାରୁ ଯାଉଛି । ସେ ମତେ ପୁଣି ଥରେ ଶୀଘ୍ର ଫେରି ଆସିବାର ଶପଥ କରାଇ ନେଲା । ପୁଣି ଛଳନା ।

୧୭

ଗୁରୁଜୀ ଗୋପିକୃଷ୍ଣା ତାଙ୍କ ଆସ୍ଥାନରେ ମତେ ଯେମିତି ଅପେକ୍ଷା କରିଥିଲେ । ମୁଁ ଦେବୀମାତା ଓ ଗୁରୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲି । ଇଛାଥିଲେ ବି ପଚାରିଲି ନାହିଁ ଗୁରୁ କଣ ସତରେ ଜାଣିଥିଲେ ମୁଁ ଆସୁଛି ବୋଲି । କିନ୍ତୁ ଆଜି ପୂର୍ଣ୍ଣମୀ ହୋଇଥିବା ସତ୍ତ୍ୱେ ଗୁରୁଜୀ ଏକୁଟିଆ ଅଛନ୍ତି କେମିତି ଓ କାହିଁକି? ସେ ନିଶ୍ଚିତ କିଛି ବିଶେଷ ବାର୍ତ୍ତା ଦେବେ ।

କିନ୍ତୁ ମୋତେ ସେ ପଚାରିଲେ ମୋର ଭଲ ମନ୍ଦ । ସତେ ତାଙ୍କୁ କିଛି ଜଣା ନାହିଁ । ଗୁରୁ ଈଶ୍ୱରଙ୍କ ପାଖକୁ ପ୍ରବେଶ ଦ୍ୱାର, ତାଙ୍କୁ କିଛି ଲୁଚାଇଲି ନାହିଁ । ମୋର ପ୍ରତ୍ୟେକ ଅନ୍ତର୍ଦାହର ଟିକିନିଖି ବିବରଣୀ ତାଙ୍କୁ ସମର୍ପଣ କଲି ।

- ମନୁଷ୍ୟ ଅର୍ଥ କଣ ସୁମନ?

- ଯେ ମନ ସର୍ବସ୍ୱ ପ୍ରାଣୀ ।

- ସବୁ ମନୁଷ୍ୟ ମନ ସର୍ବସ୍ୱ?

- ନୁହେଁ ଗୁରୁଜୀ, ଅଧିକାଂଶ ପଶୁଭଳି ଦେହ ଓ ଇନ୍ଦ୍ରିୟ ପରିଚାଳିତ, ଯାହାକୁ ସେମାନେ ମନର କଥା ଭାବନ୍ତି । କିନ୍ତୁ ନୁହେଁ । ଅସଲରେ, ମନର ପରିଚାଳିତ କାର୍ଯ୍ୟ ସମାପ୍ତି ପରେ ମଧ୍ୟ ଆନନ୍ଦ ଦେଉଥାଏ ।

- ତୁମେ ନିଜେ ଦେହ ସର୍ବସ୍ୱ ନା ମନ ପରିଚାଳିତ?

- ମନ ପରିଚାଳିତ ଗୁରୁଜୀ ।

- କେମିତି?

- ଦେହଟି ମୋର ଥିଲା ଏକ ପୁରୁଷ । ମୁଁ ତହିଁରୁ ଅଲଗା କରି ନେଉଥିଲି ମୋ ମନକୁ । ମନ ମୋର ଥିଲା ନାରୀ । କେବଳ ମୁଁ ନୁହେଁ, ପ୍ରତିଟି କିନ୍ନର ତା ମନକୁ ଅନୁସରଣ କରି ସର୍ବସ୍ୱ ହରାଇ ଦିଏ ଗୁରୁଜୀ । ଘର, ପରିବାର, ଅଧିକାର, ଧନସମ୍ପଦ, ସାମାଜିକ ପ୍ରରାଧାନ୍ୟ ଓ ଆହୁରି ଅନେକ କିଛି । ଦେହ ଗୋଟେ ଭୋକ ଓ ଭୟର ଭୂଗୋଳ । ସେଇଟିକୁ ସେ ଖୁବ୍ ହେୟ ମନେକରେ । ତାକୁ କେବେ ଭିକାରୀ ସଜାଏ ପୁଣି କେବେ ଦୁଇ କଉଡିରେ ବିକ୍ରି କରିଦିଏ । ଆଦୌ ଗୁରୁତ୍ୱ ଦିଏନି ଦୁଃଖ କଷ୍ଟକୁ। ମନଟିର ଧାରଣ ପାଇଁ ଦେହଟି ଦରକାର ଯେହେତୁ । ଦେହଟି ଅତ୍ୟାଚାରିତ ହେଲା, ଅପମାନିତ ହେଲା, କଳୁଷିତ ହେଲା ସିନା ମନଟି ତାହାର ଥାଏ ନିର୍ମଳ । ମୁଁ ହୁଏତ ଭାଗ୍ୟବଳରେ ଆଗକୁ ମାଡି ଚାଲିଲି, ପାରପାଶ୍ୱିର୍କ ପରିସ୍ଥିତି ଓ ଅନ୍ତରଙ୍ଗ ମାୟାଧର ପାଇଁ ମୋ ପଥ ପରିଷ୍କାର ହୋଇଗଲା । କିନ୍ତୁ ମୋ ଝିଅ ଅମିନା? କେତେ କେତେ କଷ୍ଟ ସେ ସହିଛି । ଏକ ପୁଅର ଦେହ ସହ ସମ ଭାବରେ ରହି ତା ବାପା ମାଆଙ୍କ ଛତ୍ରଛାୟା ତଳେ ସୁଖରେ ରହି ପାରିଥାନ୍ତା ସେ । ତା ହେଲେ ତା ମନଟି କଣ କଳୁଷିତ? ଆଦୌ ନୁହେଁ ଗୁରୁଜୀ । ଅତି ନିରୀହ, ନିରିମାଖି ସେ ।

- ତାହେଲେ କିନ୍ନର ଏକ ଅସଲ ମନୁଷ୍ୟର ଚଳନ୍ତି ପରୀକ୍ଷାଗାର ନୁହେଁ କି, ଦ୍ୱିପଦ ପ୍ରାଣୀ ମନୁଷ୍ୟ ବାସ୍ତବିକ ମନ ପରିଚାଳିତ ପ୍ରମାଣ ଦେବାପାଇଁ?

- ଅଜ୍ଞା ମହାଶୟା ।

- ତାହେଲେ ଦ୍ୱନ୍ଦ୍ୱ କାହିଁକି? ନିଜ ମନର ପଥରେ ଯିବା ପାଇଁ?

- ସାମାଜିକ ଲୌକିକତା ଗୁରୁଜୀ ।

- କଥା ଫେରି ଆସିଲା ସାମାଜିକ ଲୌକିକତାକୁ, ମୂଳରୁ କାହିଁକ ସାମାଜର ସାମାଜିକତା ବିରୁଦ୍ଧରେ ଲଢୁଥିଲ?

- କିନ୍ତୁ ନିଜ ମନ ଭଳି, ପାଞ୍ଚ ଜଣଙ୍କ ମନ ବି ଅଛି ଗୁରୁଜୀ । ବେଳେ ବେଳେ ସଂଘର୍ଷ ହେବନି କେମିତି?

- ପାଞ୍ଚ ଲୋକର ମନ ଯାଇ ପରଖି ନିଅ । ନିଜ ମନର ଭାବନାକୁ ସମସ୍ତଙ୍କ ମନରେ ଲଦି ଦେଇ ନିଷ୍କର୍ଷ ବାହାର କରିବାର କାରଣ କିଛି ନାହିଁ ।

- ଆଜ୍ଞା । କିନ୍ତୁ ନିଜ ପାଇଁ ବଞ୍‌ଚିବା ତ ଆମ ଆଭିମୂଖ୍ୟ ହେବା ଅନୁଚିତ୍ । 

- ସର୍ବଦା ତାହା ନୁହେଁ, କେବେ କେବେ ନିଜର ଚଳନି ଅନ୍ୟମାନଙ୍କ ପଥ ପ୍ରଦର୍ଶକ ହୁଏ ସୁମନ ।

- କିଛି ହାସଲ କରିନେବା ମନର ସ୍ୱଧର୍ମ ନହୋଇପାରେ ମାତା ।

- ତାହେଲେ କିଛି ଦାନ କର । କିଛି ତ୍ୟାଗ କର । ମୂଖ୍ୟତଃ ତୁମ ଅହମିକା ତ୍ୟାଗକର? ଦେଇ ଚାଲ ।

- କିଛି ସମୟ ଦରକାର ଗୁରୁଜୀ ।

- ନିଅ, ଯଥେଷ୍ଟ ସମୟ ନିଅ । ଅପେକ୍ଷା କର, ଉପେକ୍ଷା ନୁହେଁ ।

- ଅପେକ୍ଷା ସମୟତକ କିଛି ଉତ୍ତମ କାର୍ଯ୍ୟରେ ଲଗାଇବାର ଆଶୀର୍ବାଦ ଦିଅନ୍ତୁ ଗୁରୁଜୀ ।

- ଯାଅ ନିଜ ସମାଜ ସହ ଜଡିତ ହୋଇ କିଛି କାମ କର, ସେମାନଙ୍କର ଉତ୍‌ଥାନ କର ।

- କିଛି ନିର୍ଦ୍ଦିଷ୍ଟ କୁହନ୍ତୁ ମହାଶୟା ।

- ତୁମର କିଛି କରିବା ଆବଶ୍ୟକ ନାହିଁ । କେବଳ ସେମାନଙ୍କୁ ଚିହ୍ନ, ସୁଖ ଦୁଃଖ ବାଣ୍ଟ । ତୁମ ନିଜ କାହାଣୀ ସମସ୍ତଙ୍କୁ ଶୁଣାଅ ତାହା ହିଁ ଯଥେଷ୍ଟ ।

ଗୁରୁଜୀ ତାଙ୍କ ମୁଦ୍ରିତ କରଯୁଗଳକୁ ମୋ ଶୀର ଉପରେ ଖୋଲିଦେଲେ । ବୃଷ୍ଟି ହେଲା କେତେ କିସମର ପୁଷ୍ପ । ମୁଁ ସେସବୁ ଗୋଟାଇ ସାରିଲା ବେଳକୁ ଗୁରୁ ଗୋପିକୃଷ୍ଣା ଧ୍ୟାନଯୁକ୍ତହୋଇସାରିଥିଲେ । ମୁଁ ନୀରବରେ ପ୍ରସ୍ଥାନ କଲାବେଳେ ମନେ ହୋଇଥିଲା ମୋତେ ଏକ ମାର୍ଗ ନିର୍ଦ୍ଦେଶ ହୋଇ ସାରିଛି ।

ଅନେକ ପ୍ରସନ୍ନତା ମଧ୍ୟରେ ଅମିନା ଓ ଲକ୍ଷ୍ମୀ ମାଆଙ୍କୁ ସାକ୍ଷାତ କଲି । ଅନେକ ଦିନହେଲା ଆମେ ଫୋନରେ କଥା ହୋଇ ନଥିଲୁ । ମୁଁ ହୁଏତ ବିବ୍ରତ ଥିବାରୁ ବା ସେମାନଙ୍କୁ ଆଶ୍ଚର୍ଯ୍ୟ କରାଇବା ପାଇଁ କିମ୍ବା ଗୁରୁଙ୍କ ସହ ସାକ୍ଷାତ ପରର କାର୍ଯ୍ୟପନ୍ଥା ଉପରେ ସନ୍ଦେହ  ଥିବାରୁ ସେମାନଙ୍କୁ ଜଣାଇ ନଥିଲି । ସେ ମହୁଲକୁସୁମରୁ ଫେରିବା ପରେ ଘର ଲୋକଙ୍କ କଥାରୁ ମୋ ଉପରେ ଅକାରଣେ ଅଭିମାନ କରି କଥା ହେବାକୁ ସଙ୍କୋଚ କରୁଥିଲା ବୋଧହୁଏ ।


ହଠାତ୍ ମୋତେ ଦେଖି ସେମାନ ବହୁତ ସୁଖ ଅନୁଭବ କଲେ । ତା ଅଭିମାନର ଆଭାସ ନଥିଲା ।

ଝିଅ ଯଥେଷ୍ଟ ବଡ ହୋଇ ଯାଇଥିଲା, ମୋ ବାବଦରେ ତା ମନର କଥା ଲକ୍ଷ୍ମୀ ମାଆଙ୍କୁୁ କହି ସାରିଥିଲା ।

ଲକ୍ଷ୍ମୀ ମା କେବଳ ସାଙ୍କେତିକ ହିସାବରେ କହିଲେ ଯେ ପିଲାଏ ଆଦୌ ଚାହୁଁ ନାହାନ୍ତି କି ସେମାନଙ୍କଠୁ ମୁଁ ଦୂରେଇ ଯାଏ । ଏମିତି ତ ଅମିନା ଦୂରରେ ରହୁଛି, ଯାହା ସେ କହିଛି କେବଳ ଅଂଶୁପାଇଁ ଓକିଲାତି ।

ମୁଁ ଲକ୍ଷ୍ମୀ ମାଆଙ୍କୁ ସିଧାସିଧା କହିଦେଲି କି କୌଣସି ପରିସ୍ଥିତିରେ ମୋର ଅଂଶୁଠାରୁ ଦୂରେଇ ଯିବା ସମ୍ଭବ ନୁହେଁ । ମନେ ମନେ ଗୁରୁଙ୍କୁ ପ୍ରଣାମ କଲି । କେଇପଦ କଥା ମୋତେ ଶାନ୍ତ କରିଦେଇଥିଲା ।

ଲକ୍ଷ୍ମୀ ମା ଜାଣିଲେ ତାଛଡା ଅଉ କିଛି ଅଧିକ ପଚାରିବା ଅନୁଚିତ ।

ମୁଁ ଆଉ ଅପେକ୍ଷା ନକରି ଫୋନ ଲଗାଇଲି । ଅଂଶୁ ଭାବି ପାରିଲା ନାହିଁ ଯେ ଏପଟୁ ଶୁଣିବ ତା ମାମାର ସ୍ୱର । କହିଲା, ଦିଦିକୁ ଧରି ଶୀଘ୍ର ପଳାଇ ଆସ । ତା ଦିଦି ମୋ ହାତରୁ ଫୋନ ଛଡାଇ ନେଇ ମୋତେ ସେ ଯାଗାରୁ ତଡିଦେଲା । ବୁଝିଲି, ତା ଓକିଲାତିର ସଫଳତା ଗପିବ ।


ମୋ ମିତ ସୁମନ ମିତ୍ରଙ୍କୁ ଦେଖାକଲି । ମଜାଦାର ଖବର ଥିଲା । ତାଙ୍କ ନିର୍ବନ୍ଧ ହୋଇ ଯାଇଥିଲା ଜଣେ ବିଧାୟକଙ୍କ ସହ, ସେ ପୁଣି ତାଙ୍କ ବିରୋଧୀ ଦଳର । ଘରେ କଳି ଲାଗିବେ ନାହିଁ ତ! ମୁଁ ଆଶ୍ଚର୍ଯ୍ୟ ହେବାରୁ ସେ କହିଲା, କଣ ଆଉ କରାଯିବ, ପିଲାଦିନର ସାଙ୍ଗ । ହା ହା ।

ଓ ହୋ, ମତେ କେମିତି ଜଣାଇ ନଥିଲ, ମୁଁ ଅଭିଯୋଗ କଲି ।

- ରାଜନୀତିଆ ଲୋକ ଗୁଡାକ ଠକ, କାଳେ ଦଳୀୟ ଚାପରେ ମୋତେ ଛାଡିଦେବ, ସେ ଭୟ ଥିଲା । କିନ୍ତୁ ନା । ଏବେ ତ କଥା ପକ୍କା ହୋଇ ଗଲାଣି ।

ତାଙ୍କୁ ଯେମିତି କହିହେବ ଓ ଯେମିତି କହିଲେ ତାଙ୍କ ସାମ୍ପ୍ରତିକ ଉଡନ୍ତା ମନର ଉତ୍ସାହ କମିବ ନାହିଁ, ସେମିତି ଭାବେ ମୋ ଅସୁବିଧାତକ କହିଲି ।

ସେ କହିଲା, - କି କଥା, ଏବେ ପ୍ରଦର୍ଶନୀରେ ବାହାରକୁ ଗଲେ କଣ ଦୁଇଟା ରୁମରେ ରହିବ ନା କଣ? ତାକୁ ବାହା ହୋଇପଡ ।  ସେ ଖିଆଲି ଲୋକ, ଆଜି କହିବ କାଲି କହିବ ଭାବୁ ଭାବୁ ବୁଢା ହୋଇ ଯାଇଥିବ । ତୁମେ ତାକୁ ସ୍ମରଣ କରାଇ ଦିଅ । ପିଲା ତ ଅଛନ୍ତି । ଆଉ କଣ ଅସୁବିଧା ଯେ । ଦରକାର ହେଲେ ମତେ କହିବୁ, ମୁଁ ତାକୁ ଅଭିଯୋଗ କରିବି, ବାହା ହେବନି ତ ସାଥିରେ ରହୁଥିଲା କାହିଁକି? ସମାଜ ଆଉ କଣ ମୋ ସାଙ୍ଗକୁ ସତୀ ଭାବିବ । ଅଲବତ ବାହା ହେବ ।

ରାଜନୀତିଆ ଲୋକ କଥାଟିକୁ ଏମିତି ଓଲଟାଇ ଦେଲା । 

ମୁଁ ବହେ ହସିଲି । କିନ୍ତୁ ଏମିତିକା ଳଢୁଆ ମିତଟି ଯାହାର ଥିବ ସେ ସମସ୍ତଙ୍କୁ ଜିତିଯିବ । - ଯା ତୋର ଯେଉଁ କଥା ନା । ମୁଁ କହୁଛି ଫେଡାଣ ତୁ ମତେ ପଢାଉଛୁ ମିଶାଣ । 

ବିଦାୟ ନେଲି । 

ମୁଁ ବହୁତ କିଛି ଭାବୁଥିଲି । ନାରୀଟିଏ ପୁରୁଷ ସହ ବାନ୍ଧି ହୋଇ ଯାଇପାରେ, ତାଙ୍କ ଅନ୍ୟ ବିଷମତା ଥିବା ସତ୍ତ୍ୱେ । ଅଥଚ, ମନର ମେଳ ଓ ପରିସ୍ଥିତି ଅନୁକୂଳ ଥିଲେ ମଧ୍ୟ କେମିତି ନିଷିଦ୍ଧ ମନେ ହୁଏ ସୁମନ ମାୟାଧରର ସମ୍ପର୍କ । ଏଥର ନିଶ୍ଚିତ ତାକୁ ପଚାରିବି କଣ ସେ ଭାବୁଛି । କାହାକ ୁଗୋଟେ ବାହା ହେଉନି କାହିଁକି? ମୋ ପ୍ରତି ତା ଭାବନା କଣ? ପୁଣି ମନ କହିଲା, ନା ମୁଁ ଏମିତି କେବେ କହି ପାରିବି ନାହିଁ । ଅପେକ୍ଷା କରିବି । ମୁଁ ତ କିଛି ଦାବୀ କରୁନି । ସେଦିନ ଅମିନା ଉପରେ ମୁଁ ଛେପ ପକାଇଲା ବେଳେ ମାଆ କେମିତି କହିଲେ ଯେ ଯେତେ ଶିକ୍ଷିତ ହେଲେ ବି ମାଆ ମନ ସନ୍ତାନର ଭଲ ପାଇଁ ସବୁ ଅନ୍ଧବିଶ୍ୱାସକୁ ମାନିନିଏ । କିଏ ସେ ଜ୍ୟୋତିଷ, ଜଣେ ଆଧୁନିକ ଚିନ୍ତାଧାରାର ମାଆଙ୍କ ମୁଣ୍ଡରେ ପୁରାଇ ଦେଲା, ପୁଅକୁ ଦେଖିବୁ ତ ନାତିକୁ ନୁହେଁ । ବଡ କଷ୍ଟ ଲାଗିଲା ମୋତେ, ସେ ବିଧବା ମାଆଙ୍କ ପାଇଁ । କଥା ଏଠି ସୁମନର ନୁହେଁ । ସୁମନ ତ ମାୟାଧର ସହ ରହିଲାଣି ଦୀର୍ଘ ତେରବର୍ଷ ଜଣେ ସାଙ୍ଗ ହୋଇ । ଜୀବନ ସାରା ବି ରହି ପାରିବ ସେମିତି । କିନ୍ତୁ କଣ ପାଇଁ ଏକ ଅନ୍ଧବିଶ୍ୱାସ କୌଣସି ବି ମଣିଷକୁଏମିତି କାବୁ କରି ରଖିବ । ଆଗକୁ ସୁମନ ନିଶ୍ଚିତ ଏ ବାବଦରେ ସଚେତନତା ଆଣିବ । 

ଅଂଶୁ କଥା ମନେ ପଡିଲା । କିନ୍ତୁ ଅଂଶୁ ପାଇଁ ସବୁଠୁ ବଡ ସମାଧାନ ସୁମନ ନିଜେ । ସୁମନ ତ ଅଂଶୁକୁ ଧରି ବଳିଆରସିଂ ପରିବାରରୁ ହଟି ଯିବନି ।  ତା ବାପା ଓ ଜେଜେ ତାକୁ ତ୍ୟାଗ କରିବେ କେମିତି?

ମୁଁ ମନ ସ୍ଥିର କରିନେଲି । ଏଥର ମୋ ସମ୍ପ୍ରଦାୟ କାମରେ ଅଧିକ ମନଦେବି ଓ କେବଳ ଅଂଶୁର ମନ ବୁଝାଇବା ପାଇଁ କିଛି ସମୟ ତା ସହ କଟାଇବି । କିନ୍ତୁ କେଉଁ ସମୟ ତାକୁ ଛାଡିବି? ତା ସ୍କୁଲ ପାଇଁ ପ୍ରସ୍ତୁତ କରିବା ସମୟ, ନା ତା ଗୃହ ପାଠ ପଢିବା ସମୟ, ନା ତାକୁ ଖୁଆଇ ଦେବା ସମୟ ନା କୋଳରେ ଧରି ଶୁଆଇବା ସମୟ । ହଁ, କେଇଟା ଦିନ ଅବା ମୁଁ ତା ଦାୟିତ୍ୱ ବୁଝିଛି, ଆଗରୁ ପୁଣି ମାଆ ସବୁ ବୁଝୁନଥିଲେ କି? ଆଉ ମୁଁ? ମୋ ଜୀବନଟା କଣ? ଯାହାକୁ କିଶୋରୀ କାଳରୁ ମନ ଦେଲି ତାଠୁ ଦୂରେଇ ଯିବା ଏବେ ମୁଁ ଚାହୁଁଛି । ପାରିବି ମଧ୍ୟ । କିନ୍ତୁ ଅଂଶୁକୁ ଛାଡି ରହିବି କେମିତି । ତା ନୂଆ ମାଆ ଆସିଲେ ମୋତେ କଣ ଆଉ ଅଂଶୁ ପାଖ ମଡାଇ ଦେବ । ଗୁରୁଜୀ କହିଛନ୍ତି । ଅପେକ୍ଷା କରିବୁ, ଉପେକ୍ଷା ନୁହେଁ । ସମୟ ହୁଏତ ସମାଧାନ କରିବ । କଣ ପାଇଁ ଏତେ ଚିନ୍ତା କରିବି । ମୋ ସମାଜ ସହ କାମ କରିବି । ସମାଜକୁ ଦେବି, ସମାଜ ମୋ ବାର୍ଦ୍ଧକ୍ୟ ସୁରକ୍ଷିତ ରଖିବ । ମନ ହାଲୁକାହୋଇଗଲା ।

ଛୁଟି ଅଧିକ ନଥିଲା, ମୁଁ ଫେରି ଆସିଲି ।


Saturday 21 November 2020

ସୁମନ ମାୟାଧର, ଭାଗ ୧୫, ଶବ୍ଦସଂଖ୍ୟା ୧୫୮୦


 ୧୫

ଏହା ମଧ୍ୟରେ କେତେଦିନ ବିତି ଯାଏ । ଆମର ପାଇକାଳୀରେ ଫୋନ ସେବା ଆରମ୍ଭ ହୋଇ ଯାଇଥାଏ । ମାଆ ଗାଆଁକୁ ଯାଇଥାନ୍ତି । ଅମିନା ତା କର୍ମକ୍ଷେତ୍ରରେ କେତେଦିନ ରହି ପୁନଶ୍ଚ ଆସିଥାଏ । 

ଅଂଶୁ  ତଥାପି ମୋତେ ମାମା ବୋଲି ସମ୍ବୋଧନ କରି ନଥାଏ । ଅମିନାକୁ ଦିଦି ଡାକିବାକୁ ସଙ୍କୋଚ କରେ । ମୁଁ ଭାବିଲି ସେ ବୋଧେ ଅମିନାର କିନ୍ନର ପରିଚୟକୁ ବାରୁଛି । କିନ୍ତୁ ଅମିନା ତ ଏମିତି ପୁରା ଝିଅଟିଏ ପରି ଦେଖାଯାଏ । ତା ସ୍ୱର ବି ଫରକ ଆଣେନି । ଅସଲ କଥା ହେଲା ଅଂଶୁ ଆଉ ମତେ କାହା ସହ ଭାଗ କରିବାକୁ ପ୍ରସ୍ତୁତ ନଥିଲା । ଅମିନା, ମାମା ମାମା ଡାକ ପକାଇଲା ବେଳକୁ ଅଂଶୁ ଲଗାଇଲା କଳି । ସେ ଚିଡିଲେ ଅମିନା ଅଧିକ ଅଧିକ ଡାକିଲା । ମୋତେ କିଛି ବୁଦ୍ଧିବାଟ ଦେଖାଗଲାନି । ମାୟାଧର ତା ନୀରବତା ଭଙ୍ଗ କରି ଅଂଶୁକୁ ବୁଝାଇଲା, - ଦେଖ ଅଂଶୁ, ଅମିନା ଦିଦି ତୋ’ଠୁ ଅନେକ ବଡ । ସେ ଆଗରୁ ସେମିତି ଡାକି ଆସିଛି, ଏବେ କେମିତି ବଦଳାଇବ । ତୁ କଣ ତୋ ଡାକ ବଦଳେଇ ପାରିଲୁ? ଦେଖୁନୁ, ତା ମାମାକୁ ତୁ ନା ଡାକୁଛୁ ଅଙ୍କଲ ନା ଡାକୁଛୁ ଆଣ୍ଟି । ଡାକ ବଦଳେଇବା ସହଜ ନୁହେଁ ।

- ନା ବାପା, ସେ କେବଳ ମୋତେ ଗେହ୍ଲା କରିବେ, ତାକୁ ନୁହେଁ ।

- ସେ’ ବୋଲି କାହାକୁ କହୁଛୁ? ତାକୁ’ ବୋଲି କାହାକୁ କହୁଛୁ?

- ସେ ବୋଲି କହୁଛି ତୁମ ସାଙ୍ଗକୁ ଯିଏ ମତେ ତୁମଠୁ ବି ଅଧିକ ଭଲ ପାଉଛନ୍ତି । ତାକୁ ବୋଲି କହୁଛି, ଏଇ ସାମ୍ନାରେ ଯେଉଁ ଠିଆ ହୋଇଛି, ଅମିନା ନା ଫମିନା । ଦେଖୁନା କେତେ କଟିଙ୍ଗରେ ଡ୍ରେସ୍ ପିନ୍ଧିଛି, ଯେମିତି ପରୀ ରାଇଜରୁ ଆସିଛି ।

ଅମିନା ଓ ମାୟାଧର ବୁଝି ପାରିଲେ ନାହିଁ, ଅଂଶୁ ଗାଳି ଦେଉଛି ନା ତାରିଫ କରୁଛି ।

- ଆଛା, ତା ମାମା କଥା ଛାଡ, ଅମିନା ମୋତେ ଚାଚା ଡାକୁଛି ନା ନାହିଁ? ଯଦି ସେ ମୋର ଝିଆରୀ ହେଲା ତୁ ତାକୁ ଦିଦି ଡାକିବା କଥା । ତୁ ତାକୁ ଦିଦି ଡାକିଲେ ସିନା ସେ ତୋ ପାଇଁ ରାଜକୁମାର ପୋଷାକ ବନେଇ ଦେବ ।

ଅମିନା କହିଲା, - ବନେଇ ଦେବି ଆଉ କଣ, ମୁଁ ତା ପାଇଁ ଆଣି ସାରିଛି, କେବଳ ଶୁଭ ବିଜୟାକୁ ଅପେକ୍ଷା କରିଥିଲି । ଦେଖିବୁ କି ଅଂଶୁ?

- ନା ନା ମୋର ଦେଖିବାର ନାହିଁ, ତୁ ଆସିଛୁ ଯାହାକୁ ମାମା ଡାକୁଛୁ ତାକୁ ମୋଠୁ ଛଡେଇ ନେବାକୁ । ମୋତେ ଆଉ ବହଲେଇବାକୁ ଚେଷ୍ଟା କରନି । ଛୋଟପିଲା ଭାବିଛୁ କି?

ମୁୁଁଁ ଟିକେ ଦୂରରୁ ସବୁ ଶୁଣୁଥାଏ । ଅମିନା ମାମା ମାମା ଡାକି ମୋ ଆଡକୁ ଦୌଡି ଆସିଲା । ତା ପୂର୍ବରୁ ଅଂଶୁ ଆସି ମୋତେ ଭିଡି ଧରିଲା ଆଗ ଆଡୁ । 

ଅମିନା ଚିଡାଉ ଥାଏ, - ମୋ ମାମାକୁ ଛାଡ, ମୋ ମାମାକୁ ଛାଡ ।

ମୋତେ ତ ଡର ଲାଗିଲାଣି । ଜଣେ ନଥାଇ ମାତୃହରା, ଆଉ ଜଣେ ଥାଇକି ମାତୃହରା । ମୁଁ କିଂକର୍ତ୍‌ତବ୍ୟବିମୁଢ ହୋଇ ନୀରବ ରହିଥାଏ ।

ଅଂଶୁ ଉଚ୍ଚ ସ୍ୱରରେ କାନ୍ଦି ଉଠିଲା । କାନ୍ଦି କାନ୍ଦି କହିଲା, - ମୁଁ ଯମା ଛାଡିବି ନାହିଁ, ସେ କଣ ଏକୁଟିଆ ତୋ ମାଆ, ମୋ ମାଆ ନୁହେଁ । ମାମା, ମାମା, ମାମା, ଅଲବତ ସେ ମୋ ମାମା ।

କେତେବେଳେ ଦୁଇଜଣ ଯାକୁ ମୁଁ ଭୀଡି  ଧରିଥାଏ ମୁଁ ବି ଜାଣେନି । କଣ କରିବି ବୁଝି ପାରୁ ନଥାଏ । ମାୟାଧର କଣ ଭାବିବ! ସେ ଟେଲିଫୋନ ପାଖକୁ ଚାଲି ଯାଇଥାଏ । ବୋକାଟାଏ ଭଳି ମାଆଙ୍କୁ ଏକଥା ସବୁ ଗପୁଥାଏ ବୋଧହୁଏ ।

ଭିକ ମୁଠାଏ ମାଗିଲେ ଆଞ୍ଜୁଳାଏ ରତ୍ନ ଦେଇଛନ୍ତି ଈଶ୍ୱର, କିନ୍ତୁ ଏତେ ଗ୍ରହଣୀୟ ହୋଇନପାରେ । ସୁଅ ମୁହଁରେ ପତର ପରି ମନଟି ମୋ ଭାସିଗଲା । ଅଂଶୁର ମାମା ଡାକ ମୋ ଭାବନାରେ ନଥିଲା । ମାୟାଧର ମୋ'ଠୁ ଅଭିନ୍ନ, କିନ୍ତୁ ତା ଭବିଷ୍ୟତର ନକ୍ସା ମୁଁ ଭିନ୍ନଭାବେ ଦେଖୁଥିଲି । ବୁଝି ବିଚାରି ମୋ ମନରେ ଅତୀତରେ ଉଠିଥିବା ସମସ୍ତ ଜୁଆରକୁ ମୁଁ ଆୟତ୍ତ କରି ସାରିଥିଲି । ମୁଁ ଏବେ ବୁଝିବା ସୁଝିବା ମଣିଷ । ଧେତ୍‌, ପିଲାଙ୍କ କଥାରୁ ଏତେ କଣ ଭାବୁଛି ଯେ । ମୋ ବୋଉ ବାଦ ମୋର ମଧ୍ୟ ଜଣେ ମାଆ ଅଛନ୍ତି, ପୁଣି ମୋ ଲକ୍ଷ୍ମୀମା ବି ଅଛନ୍ତି । ଜଗନ୍ନାଥଙ୍କ ମହାପ୍ରସାଦ ଦେଲେ କେତେ ସମ୍ପର୍କ ଗଢି ଉଠୁଛି । ଡାକନ୍ତୁ ପିଲାଏ କଣ ଡାକୁଛନ୍ତି । ମୁଁ ଟିକେ ହସି ଦେଲି । ଗୋଟିଏ ଘରେ ବାପାଟିଏ ମାଆଟିଏ ଗୋଟିଏ ପିଲାର, ସେମାନେ ଦୁଇ ସାଙ୍ଗ, ଦୁଇ ଅଭିନ୍ନ ଆତ୍ମା ଅଥଚ ବାପାଟି ବାପା ନୁହେଁ, ମାଆଟି ମାଆ ନୁହେଁ । ଯଦି ବି ବାପାଟି ବାପା ଓ ମାଆଟି ଆଜି ହେଲା ମାଆ, କିନ୍ତୁ ଧେତ୍ କେବଳ ବନ୍ଧୁଟିଏ, ବଧୂ ନୁହେଁ । ମୁଁ ଜୋରରେ ହସିଲି । –ହଁ ହଁ ଅଂଶୁ ଠିକ୍‌, ମୋ ଝିଅ ମୋତେ ତୋଠୁ ଛଡେଇ ନେଇ ପାରିବ ନାହିଁ । ସେ ବଡ ହେଲାଣି ତୁ ଛୋଟ ଅଛୁ । 

- ତାହେଲେ ମାମା, ତାକୁ କୁହ, ମୋ ରାଜକୁମାର ପୋଷାକ ଦେଖାଉ ।

- କାହାକୁ?

- ସେଇ ପୋଡାମୁହିଁ ଅମିନା ନା ଫମିନା ଦିଦିକୁ । ନା ନା ଖାଲି ଦିଦି କହିବି ।

ଅମିନା ବୁଝି ପାରିଲା ନାହିଁ ପୋଡାମୁହିଁର ଅର୍ଥ । ରକ୍ଷା ।

ଅମିନା ଦୌଡିଗଲା, ତା ବ୍ୟାଗରୁ ବାହାର କରିଆଣିଲା ହଳେ ଚମତ୍କାର ପୋଷାକ । ଆଗ ଅଂଶୁକୁ ମାପ ଚଖେଇଲା, ଅନୁମାନରେ କରିଛି ଯେତେବେଳେ । ଅଂଶୁ ମନକୁ ପାଇଗଲା । ଆହାଃ କି ସୁନ୍ଦର ନା ମାମା? ଧନ୍ୟବାଦ ଦିଦି ।

- ଦେ ଦେ ମୁଁ ରଖିଦିଏ ଆଗକୁ ଶୁଭ ବିଜୟା ଆସୁଛି, ପିନ୍ଧିବୁ ।

- ଶୁଭ ବିଜୟା କାହାକୁ କୁହାଯାଏ ଦିଦି?

- ଦଶହରା କଣ ଜାଣିନୁ କି ଅଂଶୁ?

- ହଁ ଜାଣିଛି, ଦୂର୍ଗାପୂଜା ।

- ଆହୁରି ରଖିଛି ଯେ ।

 ଆଉ ତିନି ହଳ ବାହାର କରିଆଣିଲା ଅମିନା, -ନେ ଦେଖ ଯେଉଁଟି ପସନ୍ଦ ହେବ ରଖ ।

ଅଂଶୁ କି ଆଉ ଛାଡେ! – ସବୁତକ ମୋର ।

ଅମିନା ହସିଲା ।

ତାପରେ ଦେଖିବାର ଥିଲା ତାଙ୍କର ଯୋଡି ।

ପରଦିନ ମାଆ ଆସି ପହଞ୍ଚିଲେ । ଅଂଶୁ ଦଉଡି ଆସି କହି ପକାଇଲା, -ଜେଜେ ଜେଜେ, ଜାଣିଛ ମୋ ମାମାକୁ ଏ ଦିଦି, ଅମିନା ଦିଦି ମଁ,ମାମା ଡାକିଲେ ମୁଁ ଆଉ କଳି କରିବି ନାହିଁ, ସେ ମୋ ଦିଦି ଯେହେତୁ । ଜାଣିଛ ସେ ମୋ ପାଇଁ କେତେ ରାଜକୁମାର ପୋଷାକ ଆଣି ଦେଇଛି ।  ଅମିନା ଦିଦି ଭାରି ଭଲ ।

- ମୋ ନାତିଟା, ବଡ ଲୋଭୀ ଜଣାପଡୁଛି । ମାଆ ମୋତେ ଅନାଇ କହିଲେ । ମାଆ ଖୁସି ଥିଲେ । ମୁଁ ମଥାନତ କଲି ।

ଦଶହରା ଆସିଗଲା, ଆମେ ସବୁ ପାଇକାଳୀ ଗଲୁ । ସେ ସମୟରେ ମାୟାଧର ପାଇକ ବେଶ ହୁଏ । ଅନେକ ପୂଜା ପାଠ ଓ ପରମ୍ପରାର ପାଳନ କରାଯାଏ । ଭଳିକି ଭଳି ପୋଷାକରେ ଅଂଶୁ ଦିଶୁଥାଏ ସତେ ଅବା ରାଜକୁମାର । ମାଆ ମୋ ପାଇଁ ଏକ ହାର ଗଢାଇଥାନ୍ତି, ମୁଁ କେବଳ ସେହି ଗୋଟିକ ଅଳଙ୍କାର ପକାଇଥାଏ । ହାଲୁକା ରହିବାକୁ ଇଛା ହେଉଥାଏ । ଅମିନାକୁ ମିଳିଥିବା କାନଫୁଲ ହଳକ ସେ ବଡଖୁସିରେ ପିନ୍ଧିଥାଏ । ମୋ ଗହଣାତକ ପିନ୍ଧି ପକାଇଥାଏ । ବଡ ସୁନ୍ଦରବେଶଭୂଷାରେ ଝିଅ ମୋର ଝଟକୁ ଥାଏ । ମୋତେ ତା ଉପରେ ନଜର ରଖିବାକୁ ପଡୁଥାଏ । ମାଆ,ତା ସୁରକ୍ଷା ବ୍ୟବସ୍ଥା ଜଣେ ପରିଚାରିକାଙ୍କୁ ଦେଇଥାନ୍ତି । ଘରକୁ ଯିଏ ବି ଆସିଲେ, ଶୁଭ ବିଜୟା କହି ପ୍ରଣାମ କରୁଥାଏ । ଏ ବଙ୍ଗାଳି ସମ୍ଭାଷଣ ସମସ୍ତଙ୍କୁ ମଧୁର ଲାଗୁଥାଏ । ଆମର ସେଠାରେ କେବଳ ଅସ୍ତ୍ର ଶସ୍ତ୍ର ପୂଜା ହେଉଥାଏ । କେହି ଜଣେ କହିବାର ଶୁଣିଲି, ନାନୀ ତୁମ ଏ ପରଦେଶୀ ନାତୁଣୀଟିକୁ ସେହି ଖଣ୍ଡାଟି ଧରାଇ ଦେଇ ସେଇଠି ଠିଆ କରିଦେଲେ ସାକ୍ଷାତ ମାଆ ଦୂର୍ଗା । ମୋ ମନ ଖୁସି ତ ହୋଇଗଲା କିନ୍ତୁ ଭୟ ବି ଲାଗିଲା । ଅମିନା ମୋ ପାଖରେ ଠିଆ ହୋଇଥିଲା, ମୁଁ ତା ମଥାକୁ ଟେଳାଏ ଛେପ ପକାଇ ଦେଲି, ମୋ ଝିଅ ଉପରେ ନଜର ପଡିଗଲା ଭାବି । ସେ ବିରକ୍ତ ହୋଇ ମତେ ଅନାଇଲା କିଛି ବୁଝି ନପାରି ।  ଧୁଆଧୁଇ ହୋଇ ପୁଣି ଥରେ ସାଜସଜା ଲଗାଇ ଆସିବା ମଧ୍ୟରେ ମାଆ ମୋତେ କହିଦେଲେ, -ବୁଝିଲୁ ତ ମାଆ, ଏକ ମାଆର ମନଟି କେମିତିକା । ତୁ ଯାହା କଲୁ ତାହା କଣ ଅନ୍ଧବିଶ୍ୱାସ ନୁହେଁ? ଏତେ ପାଠ ତୋତେ ମୁକ୍ତି ଦେଇଛି? କିଛି ବୁଝୁଛୁଟି ମାଆ?

ମୁଁ ଠିକ୍ ବୁଝିଥିଲି ସେ କଣ କହିବାକୁ ଚାହୁଁଛନ୍ତି । ମୁଁ କିଛି କହିଲି ନାହିଁ । ଆଉ କେଇଟା ଦିନର କଥା, କାହିଁକି ତାଙ୍କ କଥାକୁ ଏତେ ଗୁରୁତ୍ୱ ଦେବି! ତଥାପି ମୋ ମନରେ ଦ୍ୱନ୍ଦ୍ୱ ଥାଏ, ଭାବୁଥାଏ ସବୁକିଛି ତ୍ୟାଗକରି ସ୍ଥନାନ୍ତରକୁ ଚାଲିଯିବି, ମୋତେ କେହି ଖୋଜି ପାଇବେ ନାହିଁ । ଦେଖିବା କେମିତି, କେଉଁ ଦାୟିତ୍ୱଶୂନ୍ୟ ଜ୍ୟୋତିଷର କଥା ମାନି, ସେ ତାଙ୍କ ପୁଅକୁ ଅଟକାଇବେ । କିନ୍ତୁ ମୁଁ ତାଙ୍କୁ ଖୁସି କରିବା ପାଇଁ ଟିକେ ହସି ଦେଲି ।

ଦଶହରା ପରେ ଛୁଟି ଆଉ କେତେ ଦିନ ବାକି ଥାଏ । ମୁଁ ମହୁଲକୁସୁମ ଚାଲିଗଲି, ଅଂଶୁକୁ ସାଥିରେ ନେବାର ଅନୁମତି ମିଳିଥିଲା । ଗଲାବେଳେ କହିଲେ, ଘରଟା ଭଲ ଲାଗିବ ନାହିଁ, କିନ୍ତୁ ଟୋକା କଣ ସମ୍ଭଳା ପଡିବ ତୋତେ ଛାଡି । ଯାଉ; ବଣ, ପାହାଡ, ଝରଣା ଦେଖି ଆସୁ । ଅମିନା ଓ ଅଂଶୁ ଜେଜେ ମାଆଙ୍କ ପାଖରେ କେତେ ଗେହ୍ଲା ହୋଇ ବିଦାୟ ନେଲେ । ମାଆ, ସେ ଏକ ବିଶାଳ ଓ ବ୍ୟାପକ ହୃଦୟ । ମାୟାଧର ଯିବାର ସମ୍ଭାବନା ନଥିଲା । ଆମ ସାଥିରେ ଜଣେ ବିଶ୍ୱସ୍ତ ଲୋକ ଯିବାର ବ୍ୟବସ୍ଥା କରାଇଲେ ।

ପ୍ରଥମ ଥର ପାଇଁ ମୋ ଝିଅ ଓ ପୁଅ ମାମୁଁ ଘରକୁ ଚାଲିଲେ । ନୁହେଁ ଆଉ କଣ? ମଣିଷର ମନଟି ବଡ ବିଚିତ୍ର, ଢେଉ ଢେଉକା, କେବେ ଉପରେ କେବେ ତଳେ, କେବେ ଆନନ୍ଦ କେବେ ଅବସାଦ, ବିଶେଷ କରି ମୋ ଭଳି ମଣିଷର ଅନିଶ୍ଚିତ ମନ । ପୁଣି ମୁଁ ଖୁସି ହୋଇଗଲି ।  

ମାୟାଧର ଥଟ୍ଟାରେ କହିଲା, - ଆଉ, ଏଥର ଲକ୍ଷ୍ମୀପୁଜାରେ ନାଟ୍ୟାଭିନୟରେ ମିଶିବ ନାହିଁ ତ, ଆମ ନାୟିକା ସାହିବା?

ମୁଁ ହସିଦେଲି, କହିଲି, - କଣ କହିଲ, ଆଉ ଥରେ କହିଲ ଦେଖି ।

ସେ ଲାଜେଇ ଗଲା ବୋଧହୁଏ ଜୀବନରେ ପ୍ରଥମ ଥର ପାଇଁ । ଚୁପ ରହିଥିଲେ ଭଲ ହୋଇଥାନ୍ତା, ବୋକାଟା ପୁଣି କହିଲା, ମଲା ତୁ ଆଉ କେଉଁ ହିରୋଇନ ଠାରୁ କମ କି? ଏଥର ଲାଜେଇ ଯିବାର ପାଳି ଥିଲା ମୋର ।

ମହୁଲକୁସୁମ ସାରା ସମସ୍ତେ କହିଲେ, ସୁମନର ଝିଅ ଓ ପୁଅ ଆସିଛନ୍ତିି । ଭାଇ ଭାଉଜଙ୍କୁ ସେ ଦିହେଁ ମାମୁଁ ମାଇଁ ଡାକିବା ଓ ବାପା ବୋଉଙ୍କୁ ଅଜା ଆଈ ଡାକିବା ଯେତିକି ସ୍ୱଭାବିକ ଲାଗୁଥିଲା ସେତିକି ଅସ୍ୱଭାବିକ । ଭଉଣୀମାନେ ବି ଆସିଥାନ୍ତି । ଘରେ ଏବେ ବହୁତ ପିଲା । ଅମିନା ଓ ଅଂଶୁ ପିଲା ମାନଙ୍କ ସହ ବେଶ୍ ଯୋଡି ହୋଇଗଲେ । ବୟସରେ ଏମାନେ ସବୁଠୁ ବଡ ଥିଲେ । ସୁମନ ସମସ୍ତଙ୍କଠୁ ସାନ ହେଲେ ତା ପିଲାଏ ସମସ୍ତଙ୍କଠୁ ବଡ, ହା ହା ।

ମୋର ତଥାପି ମନେଥାଏ ମୋ ପିଲାଦିନେ କେମିତି ମୋ ସହ କେତେ ଜଣ ଆମ ଗାଆଁ ଲୋକ ଅନୁଚିତ ବ୍ୟବହାର କରିଥିଲେ । ମୁଁ ଅମିନାକୁ ସତର୍କ କରି ଦେଇଥିଲି । ଗାଆଁରେ ହେଉ କି ସହରରେ ଦୁଷ୍ଟ ଲୋକେ ସର୍ବ ବିଦ୍ୟମାନ, ଖୁବ୍ ହୁସିଆର ।

ସାନ ଭାଉଜ ଗତଥର ମୋ ମଥାର ସିନ୍ଦୁର ଦେଖି ନଥିଲେ । ବଡ ଥଟ୍ଟା ହେଲେ, ଖାଲି ପୁଅ ନୁହେଁ ତା ବାପାଟା ବି ତୁମର ମନେ ହୁଏ ।

ମୁଁ ହସି କହିଲି,-ତୁମେ ଯେମିତି ଭାଇଙ୍କ ଦୀର୍ଘାୟୁ ପାଇଁ ସିନ୍ଦୁର ଲଗାଉଛ ଭାଉଜ, ମୁଁ ସେମିତି ଆମ କିନ୍ନର ସମ୍ପ୍ରଦାୟର ପ୍ରଥା ଅନୁସାରେ ମୋ ଗୁରୁଜୀଙ୍କ ଦୀର୍ଘ ଜୀବନ ପାଇଁ ସିନ୍ଦୁର ଲଗାଉଛି । ଆଗଥର ତୁମେ ବୋଧହୁଏ ଭଲକି ଲକ୍ଷ କରିନଥିଲ ।

ମୁଁ  ଭାଉଜଙ୍କୁ ନିରୋଳାରେ ମୋ ସମସ୍ୟାର ମାର୍ଜିତ ସଂସ୍କରଣ କହିଲି । ସେ ଚିନ୍ତିତ ହୋଇ ଉଠିଲେ । ସେ ମୋତେ ଖୁବ୍ ଭଲ ପାଆନ୍ତି ।

- ଦେଖସୁମନ, ତୁମେ ତ ଏବେ ଜଣେ ଝିଅ । ଆମେ ନିଶ୍ଚିତରେ ଅଛୁ ତୁମେ ମାୟାଧରକୁ ବାହା ହେବ ବୋଲି । ତାହା ହେବ ନାହିଁ ବୋଲି ତୁମେ ଚାହୁଁଛ, ବୁଝିଲି ତୁମ କଥାର ଯଥାର୍ଥତା । କିନ୍ତୁ ତୁମର ଆଉ କଣ ବୟସ ଆସୁଛି । ଆମେ ବାହାଘର କଥା ବୁଝିବା ଉଚିତ୍ । ମୁଁ ଏବେ ଅପା, ବୋଉ ଓ ତୁମ ଭାଇଙ୍କୁ ଏକଥା କହୁଛି । ରୂପ, ଗୁଣ ଓ ଯୋଗ୍ୟତା, କେଉଁଥିରେ ତୁମର ଅଭାବ ଅଛି ଯେ ।

କହି ଦେଇଥିଲେ ଭଲ ହୋଇଥାଆନ୍ତା, କିନ୍ତୁ କହି ପାରିଲି ନାହିଁ, ଅଛି ଅଭାବ; ମୁଁ ମାଆ ହୋଇ ପାରିବି ନାହିଁ । ନକହିବାର ମୂଖ୍ୟ କାରଣ ହେଲେ ଅଂଶୁ ଓ ଅମିନା । ଦୁଇ ଦୁଇଟା ପିଲାଙ୍କ ମାଆ ହୋଇ କେମିତି ଏକଥା କହିବାକୁ ଜିଭ ଲେଉଟିବ?

ସତକୁ ସତ ଘରେ ସମସ୍ତେ ତତ୍ପର ହୋଇ ଉଠିଲେ ମୋ ବାହାଘର ସମ୍ବନ୍ଧରେ । ଜାଣେନି ସେମାନେ ମୋତେ କେତେ ବୁଝିଥିଲେ ।

ମୁଁ ଲକ୍ଷ କଲି ଏକଥା ଅମିନା ଓ ଅଂଶୁ ଶୁଣିନେଇ ପରସ୍ପର ବୋଧହୁଏ କିଛି କଥା ହେଲେ । ତା ପରେ ହଜିଗଲା ତାଙ୍କ ମାମୁଁଘର ଆନନ୍ଦ । 

ମୁଁ ବହୁତ କଥା ବୁଝିଗଲି । ଭାବୁଥାଏ ଆଉ କେତେଟା ଦିନ ପରେ ମୁଁ  ତ ନଥିବି ଏମାନେ ଏମିତି କଷ୍ଟ ପାଇବା ସାର ହେବ ।

ସୁଦାମ ଗୁରୁଜୀଙ୍କୁ ଦେଖାକଲି । ମୋଠାରୁ ଅପରେସନ ବାବଦରେ ସବୁ କଥା ବୁଝିବା ପାଇଁ ତାଙ୍କର ଥିଲା ଅନେକ ଆଗ୍ରହ । ମୁଁ ଯଥା ସମ୍ଭବ ନିଜେ ବୁଝିଥିବା ଅନୁସାରେ ତାଙ୍କୁ ବୁଝାଇଲି ।

ଲକ୍ଷ୍ମୀ ମାଆଙ୍କ କୁଟୁମ୍ବ ଲୋକେ ମୋ ପାଖକୁ ଆସି ସେମାନଙ୍କ କୃତଜ୍ଞତା ଜଣାଇଲେ । ମୋତେ ଓ ମୋ ପିଲାମାନଙ୍କୁ ଅତି ଆଦରରେ ଲୁଗାପଟା ଦେଲେ । ଲକ୍ଷ୍ମୀ ମାଆଙ୍କ ପାଖକୁ କିଛି ଟଙ୍କା ପଠାଇଲେ ।

ମନେହେଲା ଲୋକ ଗୁଡିକ ଭଲ, କେବଳ ଲୋକଙ୍କ ଅଜ୍ଞତା ପାଇଁ ଆମ କିନ୍ନରକୁଳ ଯାତନା ସହୁଛି । ଅନ୍ତରାତ୍ମା କହିଲା ଏ ନେଇ କିଛି କରିବି ।

ଆମେ ଫେରିଲୁ । ଅମିନା ଓଡିଶା ଛାଡି ଗଲାବେଳକୁ ଅଂଶୁ କାନରେ କଣ ସବୁ କହିଗଲା ।

ମାଆ ମୋତେ ପରଦିନ କହିଲେ । ପିଲାମାନେ ଖୁବ୍ ଡରି ଯାଇଛନ୍ତି ତୋ ବାହା ହେବା କଥା ଶୁଣି । ତେବେ ତୁ ଭୟ କର ନା । ସମୟ ସବୁ କିଛି ସମାଧାନ କରିଦିଏ ।

ଲାଗିଲା, ମାଆ କହିଲେ କମ, ଲୁଚାଇ ଦେଲେ ବହୁତ! ମୁଁ ନିଜର ଆନ୍ଦାଜ ତହିଁରେ ଲଗାଇବାକୁ ଉଚିତ ମନେକଲି ନାହିଁ ।

ଅଂଶୁ ମୋତେ କେତେ ଥର କହେ ତୁମେ ସତ୍ୟ କର ମାମା, ତ୍ରିବାର ସତ୍ୟ, ମୋତେ ଛାଡି କୁଆଡେ ଯିବ ନାହିଁ ।

- ତ୍ରିବାର! କଣ ବଉଳା ଗାଈ ବାଘ ପାଖରେ ଯେମିତି କରିଥିଲା? ତାକୁ କୋଳେଇ ନେଇ ପଚାରିଲି ହସି ହସି ।

- ହଁ ମାମା । ମାମୁଁ ଘରେ କହୁ ନଥିଲେ ମାମା, ତୁମକୁ ଶାଶୁଘର ପଠାଇ ଦେବେ । ମୁଁ କି ଅମିନା ଦିଦି ତୁମକୁ ଯମା ଛାଡିବୁ ନାହିଁ । ଆମେ ସେମିତି କଥା ହୋଇଛୁ ଯେ । ତୁମେ ଦିଦି ସହ ଟେଲିଫୋନରେ କଥା ହୁଅ, ବୁଝି ପାରିବ, ସତ ଅବା ମିଛ ।  

ଜାଣେନି ଏସବୁ କଥା ମୋତେ ବାନ୍ଧୁଥିଲା କି ବନ୍ଧନ ମୁକ୍ତ କରୁଥିଲା? ବାହାରି ଆସୁଥିବା ଦୀର୍ଘଶ୍ୱାସକୁ ସ୍ମିତହାସ୍ୟରେ ବଦଳାଇ ଅଂଶୁ କପାଳରେ ବୋକଟିଏ ଦେଲି ।  ଜାବ ପକାଇ ଧରିନେଲା ମୋତେ । ଯେମିତି ଶତ ସହସ୍ର ପ୍ରଶ୍ନ ପଚାରିଦେଲା, ପାରିବ ମୁକୁଳି?


Wednesday 18 November 2020

ସୁମନ ମାୟାଧର, ଭାଗ ୧୪, ଶବ୍ଦସଂଖ୍ୟା ୧୧୦୦।।


 ୧୪

ମନ ଅଣାୟତ୍ତ‌ ହେଲା । ମୁଁ ଅମିନାକୁ ମୋ ପାଖକୁ ଡକାଇ ଆଣିଲି କିଛିଦିନ ପାଇଁ । ଖୁସି ଲାଗୁଥାଏ ମାଆ ଅମିନାକୁ ଶ୍ରଦ୍ଧା କରୁଥିବା ଦେଖି । ଅମିନା ମଧ୍ୟ ଖୁବ ଖୁସିରେ ମାଆଙ୍କ ସହ ମିଶିଯାଇଥାଏ । ଜେଜେ ମା, ଜେଜେ ମା- ଡାକ ପକାଉ ଥାଏ । ଅମିନା ଏବେ ଚଳନିୟ ଭାବେ ଓଡିଆ କହି ପାରୁଥାଏ ।

ଦିନେ ଦେଖିଲି, ଅମିନା ମାଆଙ୍କୁ ବାଧ୍ୟକରି ଶୁଆଇ ଦେଇ ଗୋଡହାତ ମୋଡି ଦେଉଥାଏ । ମାଆ ଯାହା ପଚାରୁଥାନ୍ତି କହୁଥାଏ । ଅମିନା ସମ୍ଭବତଃ ତା ବାପାମାଆ, ଓ ଅତୀତର ଦୁଃଖ କାହାଣୀ ବିନା ଦ୍ୱିଧାରେ ଗପୁଥାଏ । ସେ ଆଉ ମାନସିକ ବିକାର ମଧ୍ୟରେ ନଥିଲେ ବି ପ୍ରଗଳ୍ଭତା ତାକୁ କେବେ ଛାଡି ଯାଇନାହିଁ । ମାଆ ସବୁ ଶୁଣୁଥାନ୍ତି । ପରେ ସେ ଉଠିବସିଲେ, ଅମିନାର ମୁକୁଳା କେଶରେ ବେଣୀ ପକାଇଦେଲେ ।

ସେଦିନ ଅମିନାକୁ ତାଙ୍କ ପାଖରେ ଶୁଆଇଲେ ।

ଏସବୁ ଟିକି ଟିକି କଥା, ମାଆ ନହୋଇ ଓ କେବେ ମାଅ ହେବାର ସମ୍ଭାବନା ନଥାଇ ବି ମାଆ ହୋଇଥିବା ମୋ ଭଳି ଜଣେ ମଣିଷ ପାଇଁ ଏମିତି ଏଡେ ମୂଲ୍ୟବାନ ହୋଇପାରେ! ଏ ଅନୁଭୂତିରେ ମୁଁ ଅଭିଭୂତ ହୋଇ ପଡିଲି । ଅଂଶୁ ମୋ କୋଳରେ ଜାକି ହୋଇ ଶୋଇଥାଏ । ମନେହେଲା ଏ ତ ଜୀବନର ପୂର୍ଣ୍ଣତା ଆଉ କଣ ଆବଶ୍ୟକ ଅଛି ଯେ । ତଥାପି କାହିଁକି ନିଦ ହେଲା ନାହିଁ । ରୁମ୍ ବାହାରକୁ ଯାଇସବୁ ଦିଗରେ ନଜର କରି ଫେରିଲି । ମାୟାଧର ରୁମରେ ଆଲୋକ ଜଳୁଥାଏ, ଦ୍ୱାର ଅଧା ମେଲା । ମୁଁ ତା କବାଟ ଆଉଜାଇ ଦେଲାବେଳେ ଅନାଇ ଦେଖିଲି । ସେ ଏକ ପ୍ରୋଜେକ୍ଟରରୁ ଭିନ୍ନ ଭିନ୍ନ ରଙ୍ଗର ଆଲୋକ ପକାଇ ଅର୍ଦ୍ଧନାରୀଶ୍ୱର ଚିତ୍ରକଳାକୁ ଦେଖୁଥାଏ । ମୁଁ କିଛି ବୁଝି ପାରିଲି ନାହିଁ । ପାଖକୁ ଗଲି ନାହିଁ । କେତେଦିନ ହେଲା ସେ ଏ କାମରେ ତନ୍ମୟ ଥାଏ, ତହିଁରେ ବାଧା ଉପୁଜାଇବା ମୋର ଇଛା ହେଲା ନାହିଁ । ମନେହେଲା, କେବଳ ଏତିକି ନୁହେଁ, ରାତିରେ ତା କୋଠରୀକୁ  ଯିବାକୁ ମତେ ଲାଜ ଲାଗୁଛି । ଏମିତି କେବେଠୁ ଓ କାହିଁକି ହେଲା ଠିକ୍ ଜାଣି ପାରୁନଥିଲି । ଏହା କଣ ଚିକିତ୍ସାର ପ୍ରଭାବ ନା ପିଲାମାନଙ୍କ ସାମ୍ପ୍ରତିକ ବ୍ୟବହାରର ପ୍ରତିଫଳନ? ନା ମୁଁ ବୁଝି ପାରିଲି ନାହିଁ ।

ମୋ ମନରେ ଏହା ମଧ୍ୟରେ ଏକ ବ୍ୟକ୍ତିସତ୍ତା ଭିନ୍ନ ଭାବେ ଗଢି ଉଠିଥାଏ । କିଶୋରୀ ଓ ଆଦ୍ୟ ଯୌବନା କାଳେ ଯେଉଁ ମାୟାଧର ସହ ଏତେ ବନ୍ଧୁତା ସ‌ତ୍ତ୍ବେ ମୋ ମଧ୍ୟରେ ଏକ ଗୋପନ ଓ ଅପ୍ରକାଶିତ ପ୍ରେମ ଭାବନା ସମାନ୍ତରାଳ ଭାବେ ଝରି ଯାଉଥିଲା ଓ ସମ୍ଭବତଃ ମୋ ସମଗ୍ର ଭଲ ପାଇବାର ମୂଖ୍ୟାଂଶ ଥିଲା; ସେଇଟି ଆଉ ନଥିଲା । ବରଂ ମୁଁ କାୟୋମନବାକ୍ୟରେ ଚାହୁଁଥିଲି ମୋ ମାୟାଧର ଏକ ସାଥୀ ଆଣୁ । ଏ ଘର ପରିବାର ହସି ଉଠୁ । ଯେତିକି ପାଇଲିଣି ସେତିକି ରଖିବା ପାଇଁ ସତେ ଅବା ମୋ ମଧ୍ୟରେ ସ୍ଥାନର ଅଭାବ । ଅନ୍ୟଥା ସମାଜ ମୋତେ କଣ କହିବ,ସେ ଚିନ୍ତା ପଶି ଆସୁଥାଏ । ମୁଁ ଜଣେ କିନ୍ନର, ଏହି ସମାଜର ଟିପ୍ପଣୀର ପ୍ରଖର ସ୍ରୋତ ବିପରୀତରେ ପହଁରିବା ମୋର ସହଜାତ ଧର୍ମ । ତହିଁରେ ବୋଧହୁଏ ମୁଁ ପାରଙ୍ଗମ, ମନତଳେ ଚାପିଦେଇ ସବୁ ଦୁଃଖ । ଘର ପରିବାର, ବନ୍ଧୁ କୁଟୁମ୍ବ ସମସ୍ତେ ଯେତେବେଳେ ସମାଜ ସ୍ରୋତର ଅନୁକୁଳରେ ଥାଆନ୍ତି ଓ ସେମାନେ ଚାହାନ୍ତି ମୁଁ ବି ସେମିତି ରହେ; ମୁଁ ପାରେନି । ହୁଏ ଯୁଦ୍ଧ । ଆଜି ଯୁଦ୍ଧରେ ଆପାତତଃ ବିଜୟୀ ହେଲାପରେ ମୁଁ ଏମିତି କାହିଁକି ଭାବୁଛି; ସମାଜ କଣ ଭାବିବ! ସମାଜ ଉପରେ ମୁଁ କେବେଠୁ ଗୁରୁତ୍ୱ ଦେଲିଣି!  ମୁଁ କଣ ମାୟାଧରକୁ ହାସଲ କରିପାରନ୍ତି ନାହିଁ? ଅଥଚ କେବଳ ମୁଁ ଏକା ଯେମିତି ଚିନ୍ତିତ ତା ଭବିଷ୍ୟତ ପାଇଁ । ସେ ନିଜେ କିମ୍ବା ମାଆ ଚିନ୍ତା କରିବାର ଆଭାସ ନାହିଁ ।

ମାଆ ଠକାମିରେ ପଡିନାହାନ୍ତି ତ? ଭାବୁଥିବେ ଯଦି ସୁମନ ଏବେ ପୁରା ଝିଅ, ମାୟାର ଏତେ ସାଙ୍ଗ, ଶୁଭଚିନ୍ତକ, ତା ବୃତ୍ତିଗତ ସହକର୍ମୀ ଓ ଶକ୍ଷିତା; ସେ ହେତୁ ସବୁ ଦୃଷ୍ଟିରୁ ମାୟା ପାଇଁ ସୁନ୍ଦର ଜୀବନ ସାଥୀ! ଏ ତ ଅବ୍ୟକ୍ତ ଛଳନା ମୋ ତରଫରୁ । ମୁଁ ସ୍ଥିର କଲି, ମାଆଙ୍କୁ ଜଣାଇ ଦେବି ଯେ ବିଜ୍ଞାନ ସେତେ ପର୍ଯ୍ୟନ୍ତ ପହଞ୍ଚିି ନାହିଁ କି ସୁମନ ମାଆ ହୋଇ ପାରିବ । ପୁଣି ଭାବିଲି, ଏକଥା, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନାହିଁ ପରି ହେବ । ମୁଁ କେମିତି ଜାଣିବି ସେ କଣ ଭାବୁଛନ୍ତି ।

ମୁଁ ମୋ ପ୍ରକୋଷ୍ଠକୁ ଫେରି ଆସିଲି । ଅଂଶୁ ଭିଡିମୋଡି ହେଉଥାଏ, ବୋଧହୁଏ ମୋତେ ଖୋଜୁଥାଏ । ମୁଁ ତା କଡରେ ତକିଆ ଥୋଇ ଟେବୁଲ ପାଖକୁ ଆସିଲି । ଅନେକ ଦିନପରେ ଦିନଲିପି ଲେଖିବାକୁ ମନ ହେଲା ।

 ପତ୍ରିକାଟିଏ ପଡିଥାଏ । ଓଲଟାଇ ଦେଖିଲି, ପୋ ପ୍ରିୟ ଲେଖକ ମନୋଜ ଦାସଙ୍କ ଏକ ପ୍ରବନ୍ଧ ପାଇଲି । ଆଜି ତା ଶୀର୍ଷକ ମନେ ନାହିଁ । ଏହା ସଫଳତା ଓ ବିଫଳତା ଉପରେ ପର୍ଯ୍ୟବେସିତ । ଲେଖକ ଲେଖିଛନ୍ତି ଦୁଇଜଣ ବିଶିଷ୍ଟ ଦାର୍ଶନିକ ଓସ୍କାର ୱଇଲ୍ଡ ଓ ଜର୍ଜ ବାର୍ଣ୍ଣାଡ ଶ’ଙ୍କ ବକ୍ତବ୍ୟକୁ ଉଦ୍ଧାର କରି; ଦୁନିଆରେ ଦୁଇଟି ଦୁଃଖ । ପ୍ରଥମଟି ହେଲା, ଚାହୁଁଥିବା ଜିନିଷ ବା ପରିସ୍ଥିତି ନପାଇବା ଓ ଦ୍ୱିତୀୟଟି ହେଲା ସେଇଟି ମିଳିଯିବା । ପ୍ରଥମଟି ଆମେ ସମସ୍ତେ ବୁଝିଛନ୍ତି । ସ୍ୱୟଂ ବୁଦ୍ଧଦେବ ତାହାର ସାରାଂଶ କହି ନାହାନ୍ତି କି କାମନାର ବିନାଶରେ ଦୁଃଖର ବିନାଶ! ଏଣୁ ଏହା ଉପରେ ମନୋଜ ମହାଶୟ ବିଶେଷ ବ୍ୟାଖ୍ୟା କରି ନାହାନ୍ତି । କିନ୍ତୁ ସାଫଲ୍ୟ କିପରି ଜୀବନର ବିଡମ୍ବନା ହୋଇପାରେ ସେ ବାବଦରେ ଦେଇଛନ୍ତି ଅନେକ ମଜାଦାର ଓ ଗମ୍ଭୀର ଦୃଷ୍ଟାନ୍ତ । ତତ୍କ୍ଷଣାତ୍ ମନେହେଲା ସେ ଯଦି ମୋ କଥା ଜାଣିଥାନ୍ତେ ତାହେଲେ ମୁଁ ବି ଏକ ଦୃଷ୍ଟାନ୍ତ । ଆଜି ମୋ ସଫଳତା ମୋ ପଛରେ ଦୁଃଖ ହୋଇ ଗୋଡାଉ ନାହିଁକି? ଦୁନିଆ ଆଖିରେ ମୁଁ ଥିଲି ପୁରୁଷ, ମାୟାଧର ସହ ବନ୍ଧୁତା ଆଲୋଚନା ସାପେକ୍ଷ ନଥିଲା । ଆଜି ମୁଁ ସଫଳ, ମୋ ଇପ୍ସିତ ନାରୀଟିଏ ମୁଁ, ଅନେକାଂଶରେ ସମ୍ପୂର୍ଣ୍ଣା । ବାକି ଅଭାବ ପୁରଣ କରି ଦେଇଛନ୍ତି ଅମିନା ଓ ଅଂଶୁ । ସଫଳତା ହିଁ ସଫଳତା, ଅଥଚ ମୁଁ କଣ ଖୁସି? ଲାଗୁଛି ଏକ ବିପଦରେ ପଡିଯାଇଛି । ପ୍ରାଣଭରି ଭଲ ପାଉଥିବା ମଣିଷଟିକୁ ମୁଁ ଆଉ ଭଲ ପାଇବା ସମ୍ଭବ ହେଉନି । ମାଆ, ଅଂଶୁ, ପାଇକାଳୀ, ଆମ ପ୍ରତଷ୍ଠାନ “ସୁମନ ମାୟାଧର”କୁ ତ୍ୟାଗ କରିବା ମଧ୍ୟ ସମ୍ଭବ ନୁହେଁ । “ସୁମନ ମାୟାଧର” କି ସୁମନ ବିନା ବଞ୍ଚି ପାରିବ ଯଦିଓ ସୁମନର ଯୋଗଦାନ କିଛି ନାହିଁ? ନା କଦାପି ନୁହେଁ । ମୁଁ ହୁଏତ ଏମାନଙ୍କୁ ଛାଡି ରହିଯିବି କିନ୍ତୁ ଏମାନେ? କଣ ହେବ ମୋ ମାୟାଧରର ଅବସ୍ଥା! କଣ ହେବ ଅଂଶୁର ଅବସ୍ଥା! ଏମାନଙ୍କ ଅବସ୍ଥାକୁ ନେଇ କଣ ହେବ ସେହି ମାଆଙ୍କ ଅବସ୍ଥା ଯେ ଆଦ୍ୟ ଯୌବନରୁ ବିଧବା ହୋଇ ଏକ ଖାନଦାନୀ ବଳିଆରସିଂ ବଂଶର ଧ୍ୱଜାକୁ ସଗର୍ବେ ଉଡାଇଛନ୍ତି ସାରା ଜୀବନ । ପରିଣତ ବୟସରେ ସେ କେତେ କଷଣ ପାଇବେ! ମୋ ମୁଣ୍ଡ ଗୋଳମାଳ ହୋଇଗଲା । ନା ମୁଁ ଏମାନଙ୍କୁ ଛାଡି ଯିବା ଠିକ୍ ହେବ ନାହିଁ ।

କିନ୍ତୁ ମୁଁ ଓ ମୋ ଅପ୍ରକାଶିତ ଭଲ ପାଇବାର ଉପସ୍ଥିତି ମଧ୍ୟରେ ଆଉ ଜଣେ ନାରୀ କେବେ ସ୍ୱଛନ୍ଦରେ ରହି ପାରିବ ଏ ଘରେ? ଅଂଶୁ ତାଙ୍କୁ ଗ୍ରହଣ କରିପାରିବ? ଲିଭାଇ ଦେଇ ପାରିବ କେହି ସମ୍ଭବା ମହିୟସୀ, ସୁମନ ଅଂଶକୁ ସୁମନ-ମାୟାଧରରୁ? ନଲିଭାଇ ରହି ପାରିବ ଏକ ଛାତତଳେ? ମୁଁ କଣ ମୋ ଭଉଣୀକୁ ଏମିତି ଘରେ ବାହା ଦେଇଥାନ୍ତି? ନା ତାହା ବି ସମ୍ଭବ ନୁହେଁ ।


ଦୁନିଆରେ କେଉଁଟା କାହା ପାଇଁ ଅଟକିଲାଣି ଯେ, ମାଆ କଣ ଏକୁଟିଆ ଜୀବନ କାଟିଲେ ନାହିଁ,  ବାପା ମାଆ ଚାଲିଗଲା ପରେ ଈଶ୍ୱର ବିକଳ୍ପ ବ୍ୟବସ୍ଥା କଲେନି କି ଅଂଶୁପାଇଁ? ସେମାନେ ସେମିତି ଚଳିଯିବେ । ମୁଁ ମନ ସ୍ଥିର କଲି, ମୁଁ ମୋ ବାଟ ଦେଖିବି । ଯାହା ବି କଷ୍ଟ ଲାଗୁ ପଛେ, ମୁଁ ଏଣିକି ସରକାରୀ ଘର ଆବେଦନ କରିବି । ସେଇଠିକୁ ପଳାଇବି । ଏମାନଙ୍କୁ ଭୁଲି ଯିବି । ସବୁ ସମ୍ଭବ । କିନ୍ତୁ ଏମାନେ ସବୁ ସେଠି ପହଞ୍ଚି ଯିବେ ନାହଁକି? ମନେହେଲା ବିଶ୍ୱଭାରତୀ ଛାଡି ଭୁଲ କଲି । ମୋର ସେଠାରେ ଅମିନା ଓ ଲକ୍ଷ୍ମୀ ମାଆଙ୍କ ସହ ସୁଖରେ ରହିଥାନ୍ତି । ଅଂଶୁ ମୋ ଭାବାବେଗକୁ କବଳିତ କରି ନଥାନ୍ତା ।

କିଛି ବୁଦ୍ଧିବାଟ ଦିଶୁ ନଥିବା ବେଳେ ଦୁର୍ବୁଦ୍ଧି ବାଟ କଢାଏ ।

ଆଛା ସମସ୍ତଙ୍କ ପଥ ପରିଷ୍କାର କରିବା ପାଇଁ ମୁଁ ଯଦି ହଟିଯାଏ?

ହଠାତ୍ କେଉଁ ଦୁଷ୍ଟଶକ୍ତି କବଳରେ ପଡିଗଲି । ମତେ ସବୁ ବିଷମୟ ଲାଗିଲା, ଦୁନିଆ ଓ ମୁଁ ନିଜେ । ମନେହେଲା ଆତ୍ମହତ୍ୟା ବୋଧହୁଏ ଏକ ମାତ୍ର ସମାଧାନ । ମୁଁ ନଥିଲେ, ମୋ ସ୍ମୃତିକୁ ଏମାନେ କେତେ ଦିନ ଅବା ମନେ ରଖିବେ । ସମୟ ସବୁ କିଛି ସମାଧାନ କରିଦେବ । ଅମିନା ତ ନିଜ ଗୋଡରେ ଠିଆ ହୋଇଛି । ଅଂଶୁକୁ ନୂଆ ମାଆ ମିଳିଯିବ । ଅଂଶୁ ଶୋଇଥିଲା । କେଡେ ନିରୀହ! ତଥାପି ମୋ ମନ ଢଳିଲା ନାହିଁ ।

ଆତ୍ମହତ୍ୟାର ଭାବନା ବରଂ ଶାନ୍ତି ଦେଉଥିଲା । ଆଜି ଏ ଜୀବନୀ କେଉଁ ନର୍ଦ୍ଦମାରେ ବି ସ୍ଥାନ ପାଇନଥାନ୍ତା । ଅତୃପ୍ତ ଆତ୍ମା ଯଦି ଥାଏ ତାହେଲେ ମୁଁ ସେମିତି ଥାଆନ୍ତି । କିନ୍ତୁ ସମୟଠୁ କେହି ବଳବାନ ହୋଇ ନପାରେ । ବିଚଳିତ ସମୟରେ ମୋ ସିଦ୍ଧାନ୍ତକୁ ମୁଁ ଭୁଲ୍ ଭାବୁ ନଥିଲି । ମୋ ଘର, ପରିବାର, ମହୁଲକୁସୁମ, ଅମିନା, ଳକ୍ଷ୍ମୀମା, ଅଂଶୁ, ମାୟାଧର, ମାଆ, ମୋ ମଧ୍ୟର ଶିଳ୍ପୀ, ମୋ ଶିକ୍ଷା, ମୋ ଚାକିରି ଓ ମତେ ଖୁବ୍ ଭଲ ପାଉଥିବା ଛାତ୍ରଛାତ୍ରୀ; ଏମାନେ କେହି ମୋତେ ନିବୃତ କରିବାର ଆଶା ନଥିଲା । ସଦ୍ୟ ପାଠ କରିଥିବା ସଫଳତା ଓ ବିଫଳତାର ରଚନାଟି ମୋ ମନକୁ ଛୁଉଁଥିଲେ ମଧ୍ୟ ସେ ମୁହୂର୍ତ୍ତରେ ମୁଁ ଥିଲି ଅପଶକ୍ତିର କବଳରେ । ଭାବୁଥିଲି ଯଦି ଏହା ମୋ ସିଦ୍ଧାନ୍ତ ତେବେ ଡେରି କାହିଁକି? 

ପୁଣି ଭାବିଲି, ନା କାହାକୁ କଷ୍ଟ ଦେବି ନାହିଁ । ଅମିନା ଆଗ ଫେରିଯାଉ । ମୁଁ ଅନ୍ୟତ୍ର ଏକ ଗୋପନୀୟ ସ୍ଥାନକୁ ଯାଇ ପରାଣ ହାରିବି ।

ରାତି ଆଉ ଅଲ୍ପକ୍ଷଣ ଥାଏ, ଅଂଶୁକୁ ପାଖକୁ ଲଗାଇ ଆଣି ଗଡି ପଡିଲି । କେଜାଣି ନିଦ କେତେବେଳେ ହେଲା, ସ୍ୱପ୍ନ ଦେଖିଲି ମୋ ଗୁରୁଜୀ, ଗୋପିକୃଷ୍ଣା ମହାଶୟା ମୋ ପାଖରେ ଉପସ୍ଥିତ । କହିଲେ, - ସୁମନ ତୁମେ ମୋତେ ସାକ୍ଷାତ କରିବ ଆଗାମୀ କାର୍ତ୍ତିକ ପୂର୍ଣ୍ଣମୀ ଦିନ ।

ପରଦିନ ଭାବିଲି, ସ୍ୱପ୍ନ ହୋଇପାରେ କିନ୍ତୁ ଏଡେ ବଡ କାମ କରିବା ପୂର୍ବରୁ ଗୁରୁଙ୍କୁ ସାକ୍ଷାତ କଲେ କ୍ଷତି କଣ? ପୁଣି ଭାବିଲି ଏ ବିଶାଳ ପୃଥିବୀରେ ନିଜକୁ କଣ ଲୁଚାଇ ପାରିବି ନାହିଁ ଯେ ଜୀବନ ହାରିବା ଭଳି ଅପକର୍ମ କରିବି?

ଗୁରୁକୃପା ସମସ୍ତ ଯନ୍ତ୍ରଣାରୁ ମୁକ୍ତ କରିଦେଇପାରେ। ସମସ୍ତ ଦ୍ବନ୍ଦ୍ବର ସମାଧାନର ରାସ୍ତା ଦେଖାଇପାରେ। ସାମାନ୍ୟ ଗୋଟିଏ ରାତିରେ ମୋ ମନ କେତେ କଣ ଭାବିନେଇ, କେତେ ଦୁର୍ଗମ ଓ ଅଗମ୍ୟ ରାଇଜ ଭ୍ରମଣ କରି ପୁଣି ଆପଣାର ସୁରକ୍ଷିତ ବଳୟ ମଧ୍ୟକୁ ଫେରି ଆସିଲା। ମନର ଗତି ସତରେ ସବୁଠୁ ବେଗବାନ। ଗୁରୁଙ୍କ ମଧ୍ୟରେ ଈଶ୍ୱରଙ୍କୁ ଜ୍ଞାନ କରି ମୁଁ ଶାନ୍ତ ହୋଇଗଲି। ଅଂଶୁ ଓ ଅମିନା ବାଦବୁଦିଆ ହୋଇ ମୋ ଦୁଇ ହାତକୁ ଦୁଇଆଡୁ ଟାଣୁଥିଲେ। ଛି, ମୁଁ କେମିତି ଏତେ ସବୁ ନିନ୍ଦନୀୟ କଥା ଭାବିଗଲି!


Saturday 14 November 2020

ଭାଗ ୧୨ ଓ ୧୩, ସୁମନ ମାୟାଧର। ଶବ୍ଦସଂଖ୍ୟା ୧୫୯୦।


 ଶୁଭ ଦୀପାବଳି।

୧୨

ହଠାତ୍ ପୁଣି କାହିଁକି ଅଭାବ ବୋଧ ଅନୁଭବ ହେଲା ନିଜ ପାଇଁ । ମନ ଯେମିତି ତାଗିଦ କରୁଛିି, କେବଳ ବାହ୍ୟ ସ୍ୱରୂପ ବଦଳାଇଛୁ ସୁମନ । ତୋ ଦେହଟା ତ ଗୋଟେ ପୁରୁଷ ।

 ସେ ସମୟରେ ଭାରତରେ ଲିଙ୍ଗ ପରିବର୍ତ୍ତନ ଶଲ୍ୟ ଚିକିତ୍ସା ସେମିତି ପ୍ରସାର ହୋଇ ନଥାଏ । ମୁଁ ବୁଝିଲି ଏ ପାଇଁ ସବୁଠୁ କମ ଖର୍ଚ୍ଚରେ କିନ୍ତୁ ସଫଳ ଚିକିତ୍ସା ହେଉଛି କାନାଡାର ଟରେଣ୍ଟୋ ସହରରେ । ଏ ସହରକୁ ବାଛିବାର ଆଉ ଏକ କାରଣ ଥିଲା ସେଠାରେ ଚିକିତ୍ସକ ଦଳରେ ଥାଆନ୍ତି ଜଣେ ଓଡିଆ, ଡାକ୍ତର ସୁବ୍ରତ ମିଶ୍ର । ସେ ଜଣେ ଉଚ୍ଚକୋଟୀର ଚିତ୍ରଶିଳ୍ପୀ ମଧ୍ୟ । କିଛିଦିନ ଆମ ପ୍ରତିଷ୍ଠାନ ସହ ଜଡିତ ଥିଲେ । ଛୁଟି ମଞ୍ଜୁର ହେଲା । ମନେହେଲା ମୋର ସମସ୍ତ ସଞ୍ଚୟ ବାଦ ଆହୁରି କିଛି ଋଣ କରିବାକୁ ପଡିବ । ଆଉ କିଛିଦିନ ଅପେକ୍ଷାରେ ରହିଲି । ମାୟାଧର ମଧ୍ୟରେ ଥିବା ବ୍ୟବସାୟିକ ଦିଗଟି ସକ୍ରିୟ ହୋଇ ଉଠିଲା । ଅନେକ ଦିନ ପରେ ସେ ପୁଣି ବିକ୍ରି କରିଦେଲା ତାହାର ଗତ ଓଡିଶା ରହଣି କାଳର କେତେକ କୃତି । ଯଥେଷ୍ଟ ଅର୍ଥ ସଂଗ୍ରହହୋଇଗଲା ।

ଅମିନା ଆଗ ଭଳି ତା ରୋଜଗାର ମୋ ପାଖରେ ପଇଠ କରୁ ନଥାଏ । କେଜାଣି କଣ ସେ ଭାବୁଛି? ଭାବୁଛି କି ମାମା ସବୁ ଅର୍ଥ ତା ଚିକିତ୍ସାରେ ଶ୍ରାଦ୍ଧ କରିଦେବ । ତା ଟଙ୍କା ମୁଁ ସେମିତି ରଖିଥାଏ । ବେଳେ ବେଳେ ମନେହୁଏ ମୁଁ କ୍ଷୁଦ୍ରମନା । ମୋ ଝିଅ ବାବଦରେ ଏମିତି କେମିତି ଭାବୁଛି । ସନ୍ଦେହର ଭାବନା ମୋର ମୌଳିକ ନା ସମାଜର ହୀନଦୃଷ୍ଟି ଏ ପାଇଁ ଦାୟୀ ତାହା ମୁଁ ବୁଝିପାରେନା । ତା ନାମରେ ବ୍ୟାଙ୍କ ପାସବହି କରିହେଉ ନଥାଏ ମୋ ସୁପାରିଶ ଥିବା ସତ୍ତ୍ୱେ । ଆମ ସମାଜରେ ଏମିତି ଅନେକ ସମସ୍ୟା ।

-ମାମା ମାମା, ଗୋଟେ କଥା ରଖିବ? ମୁଁ ଜାଣେନି ତୁମର କେତେ ଟଙ୍କା ଦରକାର, କିନ୍ତୁ ବୁଝୁଛି, ତୁମେ କିଛି ଅସୁବିଧାରେ ଅଛ । ମୁଁ ଯେତିକି ରଖିଛି ସେତିକି ତୁମେ ଖର୍ଚ୍ଚ କଲେ ମତେ ବହୁତ ଖୁସି ଲାଗିବ ମାମା ।

-ଆଲୋ ବାଇଆଣି ଠିକ୍ କଥା, ତୋ ସବୁତକ ଟଙ୍କା ମୁଁ ଖର୍ଚ୍ଚ କରିବାରେ ମନା ନାହିଁ, ଦେ କଣ ଦେଉଛୁ ଦେ । 

କାନାଡା ଯିବା ଦିନ ନିକଟତର ହେଲା, କେଜାଣି କେତେ ଦିନ ରହିବାକୁ ପଡିବ । ମୁଁ ଲକ୍ଷ୍ମୀମା ଓ ଅମିନାଙ୍କ ଚଳିବା ପାଇଁ ଯଥେଷ୍ଟ ବ୍ୟବସ୍ଥା କରି ବାହାରି ପଡିଲି । ସୁମନ ସାଥିରେ ଥିଲା ଚିର ସହଚର ମାୟାଧର ।


ନବ ଜୀବନ ।

ଆମେ ସମୁଦାୟ ଏକ ମାସ ଟରେଣ୍ଟୋରେ ରହିଲୁ । ଡାକ୍ତର ସୁବ୍ରତଙ୍କ ଉପସ୍ଥିତିରେ ଆମକୁ ସେ ବିଦେଶ ଯାଗା ବଡ ନିଜର ଲାଗିଲା । ଆମକୁ ବୁଝାଇବା ଦାୟିତ୍ୱଟି ଥାଏ ତାଙ୍କ ଉପରେ । ଅସ୍ତ୍ରୋପଚାରର କଳା ଓ ବିଜ୍ଞାନ ବାବଦରେ ସେ ଆମକୁ ପ୍ରାଞ୍ଜଳ ଭାବେ ବୁଝାଇ ଦେଲେ । ସେ ବଡ ମଜାଦାର କଥା କହିଲେ କି କେବଳ କୃଷ୍ଣଙ୍କୁ ବାଦଦେଲେ ଆଉ ସମସ୍ତେ ଗୋପୀ ପ୍ରାଥମିକ ଭାବେ, ଗୁଣସୂତ୍ର ଯାହା ଥାଉନା କାହିଁକି ।  ପୁରୁଷ ହେବା ଏକ ପରବର୍ତ୍ତୀ ଅବସ୍ଥା, ମୁଲେରିଆନ ବ୍ୟବସ୍ଥାଟି ପ୍ରକୃତି ହଟାଇଲେ ଯାଇ ପୁରୁଷର ସୃଷ୍ଟି । ବିଭିନ୍ନ ଲିଙ୍ଗଗତ ଅସ୍ପଷ୍ଟତା ବାବଦରେ ମଧ୍ୟ ବୁଝାଇ ଦେଲେ । କିନ୍ତୁ, ମନର ଲିଙ୍ଗଗତ ଗ୍ରହଣୀୟତା ସହ ଶରୀରର ଗଠନ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ, ଯାହା ହୋଇଛି ମୋ କ୍ଷେତ୍ରରେ; ଦେହଟି ତ୍ରୁଟି ନଥିବା ପୁରୁଷ ଓ ମନଟି ବଦଳିବାର ସଂଭାବନା ନଥିବା ନାରୀ ।

ସଫଳ ଭାବେ ଅସ୍ତ୍ରୋପଚାର ହେଲା ।

 ଅପରେସନ ପରେ ଅନ୍ତସ୍ରାବୀ ବିଭାଗ ଦାୟିତ୍ୱରେ ରହିଲୁ ଶେଷ ଦଶ ଦିନ । ସମ୍ପୂର୍ଣ୍ଣଭାବେ ବୁଝାଇ ଦିଆଗଲା, ଏଣିକି କଣ କଣ ଔଷଧ କେମିତି ଖାଇବି ଓ କେତେ ଦିନରେ ଥରେ ଭାରତୀୟ ଡାକ୍ତରଙ୍କୁ  ଦେଖାକରିବି । ସେମାନେ ବୃତ୍ତିଗତଭାବେ ପରସ୍ପର ଜଡିତ ।

ଆମେ ଫେରି ଆସିଲୁ ।

କ୍ରମେ ମୋ ନାରୀସୁଲଭ ମନ ଅନୁସାରେ ଶରୀର କମନୀୟ ହୋଇ ଉଠିଲା । ମୁଁ ନିଜ ଭାଗ୍ୟକୁ ଆଉ ନିନ୍ଦା କରୁନଥିଲି ।


୧୩

(ଏହି ଭାଗଟି ପ୍ରସିଦ୍ଧା କିନ୍ନର ମାଆ ଗୌରୀ ସାୱନ୍ତଙ୍କ ଉଦ୍ଦେଶ୍ୟରେ ସମର୍ପିତ)

ସମୟ ବହୁତ ଭଲ ଚାଲୁଥିଲା । ରାଜଧାନୀ କଳା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଭାବେ ମୁଁ ମନୋନୀତ ହେଲି । ଓଡିଶା ଫେରିବାର ଇଛାଟି ମୋର ମୂଳରୁ ଥାଏ । ମୁଁ ବିନା ଦ୍ୱିଧାରେ ବିଶ୍ୱଭାରତୀ ଛାଡିବାକୁ ପ୍ରସ୍ତୁତ ଥିଲି ।

 ଅମିନା ଏତିକି ଦିନ ଏକୁଟିଆ ରହି ଭରସା ସୃଷ୍ଟି କରିଥିଲା, ସେ ଏଣିକି ନିଜେ ଚଳିପାରିବ । ସରକାରୀ ଘର ତ ଛାଡିବାକୁ ପଡିବ । ଅମିନା ଓ ଲକ୍ଷ୍ମୀମା ଭଡାଘରକୁ ଚାଲିଗଲେ । ସେ ସ୍ଥାନଟି ଅମିନାର ସୁରକ୍ଷା ପାଇଁ ବେଶ୍ ଉପଯୁକ୍ତ ଥିଲା । ସେଠାକାର କିନ୍ନର ସମାଜ, ଗୁରୁ ଗୋପିକୃଷ୍ଣାଙ୍କ ପରେ ଯାହାଙ୍କୁ ସବୁଠୁ ଅଧିକ ମାନନ୍ତି ଓ ଯାହାଙ୍କ ଆନୁକୂଲ୍ୟରେ ଅମିନାର ଠିକଣା ମିଳିଥିଲା, ସେ ହେଲେ ମାଆ କାଳିଜାଈ । ସେ ମୋତେ ପ୍ରତିଶ୍ରୁତି ଦେଲେ, ଅମିନାର ଦାୟିତ୍ୱ ନେବେ । 

କାଳିଜାଈଙ୍କ ସହ ମୋର ନିବିଡ ସମ୍ପର୍କ ହୋଇଯାଇଥାଏ । ତାଙ୍କ ନାମରୁ ମୁଁ ଭାବୁଥିଲି ସେ ଓଡିଆ । ମାତ୍ର ସେ ନାସ୍ତି କଲେ । ମୁଁ ତାଙ୍କୁ କାଳିଜାଈଙ୍କ ଉପାଖ୍ୟାନ ଓ ଚିଲିକା କଥା କହିଲି । ସେ ଖୁସିହେଲେ । ପ୍ରତ୍ୟେକ କିନ୍ନର ଜଣେ ଜଣେ ଚଳନ୍ତି କାହାଣୀ । କାଳିଜାଈ ତହିଁରୁ ବାଦ ନଥିଲେ । ତାଙ୍କ କାହାଣୀରେ ଦୁଃଖ ଯେତିକି, ରୋମାଞ୍ଚ ସେତିକି ଓ ବୀରତ୍ୱ ବି ସେତିକି । 

ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇ ଯାଇଥାଏ । ଏହାର କାରଣ ପଚାରିଲା ଦିନ ସେ ତାଙ୍କ କଥା କହିଥିଲେ । 

ସେତେବେଳେ ସେ ବମ୍ବେ ବା ଆଜିର ମୁମ୍ବାଇରେ ଥାଆନ୍ତି । ଏକଦା, ଏକ ଶିଶୁ ଅପହରଣ ଘଟଣା ସେ କେମିତି ସୁରାକ ପାଇଲେ । ଜୀବନକୁ ବାଜି ଲଗାଇ ଅଚିହ୍ନା ଶିଶୁଟିକୁ ଉଦ୍ଧାର କଲେ । ସେମାନଙ୍କ ଆକ୍ରମଣରେ ଆଖି ଗୋଟିଏ ହରାଇଲେ ସତ କିନ୍ତୁ ଶିଶୁକୁ ସୁରକ୍ଷିତ ଜିମା ଦେଇ ସାରିଥିଲେ ପୋଲିସ ହସ୍ତରେ ।  ଜଣେ ସୁବିଖ୍ୟାତ ଷ୍ଟକ ଦଲାଲ ରାଜୁ କାଲେକରଙ୍କ ସୁପୁତ୍ର ସେ । ମହାଶୟ ସମସ୍ତ ପ୍ରକାର ଚିକିତ୍ସାର ସୁବନ୍ଦୋବସ୍ତ କରିବା ସତ୍ତ୍ୱେ ଆଖି ହରେଇବାକୁ ପଡିଲା କାଳିଜାଈଙ୍କୁ । ତାଙ୍କୁ ସେ ନିଜ ଅଫିସରେ ଚାକିରି ଦେଲେ । କାଲେକର କିନ୍ତୁ ନିଜର ସମସ୍ତ ବୁଦ୍ଧି ଖଟାଇ କାଳିଜାଈଙ୍କ ଅର୍ଥକୁ ବଜାରରେ ଲଗାଉ ଥାଆନ୍ତି । ତାଙ୍କ ଭାଗ୍ୟକୁ ଏସବୁ  ଖୁବ୍ ଲାଭଦେଲା । କ୍ରମଶଃ ସେ ଧନୀ ହୋଇ ଉଠିଲେ । କାଳିଜାଈଙ୍କ ଜୀବନ ଉପରେ ସେମାନଙ୍କ ତରଫରୁ ବିପଦ ଅଛି, ଏମିତି ଏକ ଖବର ଆସିଲା ବଶ୍ୱସ୍ତ ସୂତ୍ରରୁ । ସେ ପଳାଇ ଆସିଲେ ଏଠାକୁ । ଏହା ମଧ୍ୟରେ ସେ ଆହୁରି ଅଧିକ ଧନୀ ହୋଇ ସାରିଛନ୍ତି । ବହୁ ଅର୍ଥ ସେ ଆମ ସମାଜର ଉନ୍ନତି ପାଇଁ ଖର୍ଚ୍ଚ କରନ୍ତି ।  

ମୁଁ ଯଦିଓ ଓଡିଶା ଚାଲି ଆସିଲି, ସେମାନଙ୍କ ସହ ସମ୍ପର୍କର ଡୋରି କାଟିବା ସମ୍ଭବ ନଥିଲା ।

ଆମ ସହଚାଲି ଆସିଲା ସେ ଅଧାଗଢା କଳାକୃତି ।

ସେତେବେଳକୁ ମୁଁ ସମ୍ପୂର୍ଣ୍ଣ ଏକ ମହିଳା ହୋଇ ଯାଇଥାଏ । ଓଡିଶାରେ ଆଉ କିଛି ସମସ୍ୟା ହେବାର ଆଶା ନଥାଏ । ତଥାପି ଅନେକ ଆଇନଗତ ଅସୁବିଧା ହେଉଥାଏ । ମୋ ନୂଆ ଚାକିରିରେ ମୋତେ ପୁରୁଷ ନଲେଖିବାକୁ ଅନୁରୋଧ କଲି । ମହିଳା ବର୍ଗରେ ନେବା ଏତେ ସହଜ ନଥିଲା । ଲିଙ୍ଗଗତ ସଂଖ୍ୟାଲଘୁର ଓ ତୃତୀୟ ଲିଙ୍ଗର ବିଚାର ଆସିବାର ପୁର୍ବ ସମୟ । ତଥାପି ଶେଷରେ ସରକାର ମୋତେ ମହିଳା ବର୍ଗଭୂକ୍ତ କଲେ । ଆଜି ଏ ଜୀବନୀ ଲେଖିବା ବେଳକୁ ପରିସ୍ଥିତି ବହୁତ ବଦଳି ଯାଇଛି ସାକାରତ୍ମକ ଦିଗରେ । ମୂଖ୍ୟକଥା ହେଲା ମୋ ମନର ସନ୍ତୋଷ ତୁଳନାରେଏସବୁ ଅସୁବିଧା ସାମାନ୍ୟ ଓ ଅପ୍ରାସଙ୍ଗିକ ମନେ ହେଉଥାଏ ମୋ ନିଜ ଜୀବନରେ । ମୁଁ ସେ ପ୍ରତି ଅଧିକ ଧ୍ୟାନ ନଦେଇ ମୋର ଅଧ୍ୟପକ ବୃତ୍ତିରେ ଅଧିକ ଧ୍ୟାନ ଦେଇଥାଏ ।

ଏହା ମଧ୍ୟରେ ମୁଁ ମହୁଲକୁସୁମ ଯାଇ ଫେରି ଆସିଥାଏ । ମୋ ଭାଇଭଉଣୀ ଓ ବାପାବୋଉ ମୋ ମନର ଆନନ୍ଦରେ ନିଜେ ଆନନ୍ଦିତ ହେଉଥାନ୍ତି । ଭାଉଜମାନେ କେତେ କିସମର ଥଟ୍ଟା ପରିହାସ କରୁଥାନ୍ତି । ଲକ୍ଷ୍ମୀମା ଆରୋଗ୍ୟ ଲାଭକରିଥିବା କଥା ମୋ ଗ୍ରାମବାସୀଙ୍କ ମନରେ ମୋ ପାଇଁ ଅନେକ ଶ୍ରଦ୍ଧା ଜାତ କରିଥାଏ । ଲୋକେ କହୁଥାନ୍ତି, ଆୟୁଷ ଥାଉ ଥାଉ ବିଚରା ଯାଇଥାନ୍ତା ।

ଏପଟେ ପାଇକାଳୀ କଥା ଆହୁରି ଭଲ । ମାଆ ବେଶ୍ ଖୁସି ଥାଆନ୍ତି । ସେ ତ ଆଗରୁ ମୋତେ କହିଥିଲେ ନା ଆଜିକାଲି ଏମିତିହେଲାଣି । 

ଅଂଶୁ କିନ୍ତୁ ମୋ ପାଖ ମାଡିଲା ନାହିଁ । ସେ ବୁଝି ପାରିଲା ନାହିଁ ଅଙ୍କଲ ଅଙ୍କଲ କହି ଯାହା ପଛରେ ଗୋଡାଉ ଥିଲା ସେ ଏମିତି କେମିତି ବଦଳିଗଲେ । କଣ ଯେ ମୋତେ ଡାକିବ ଜାଣି ପାରିଲା ନାହିଁ । କେମିତି ଗୋଟେ ଲାଜ ଓ ଭୟରେ ସେ ଦୂରରେ ଦୂରରେ ରହିଲା । ପ୍ରଥମ ଥର ମୋତେ ଆନନ୍ଦ ପରିବର୍ତ୍ତେ ହତାଶ ଲାଗିଲା । ମୁଁ କହିଲି, ମୁଁ ତୋ ଆଣ୍ଟି‌ ଏଣିକି । ସେ କାହିଁକି ଶୁଣିବ । ତା ଜେଜେଙ୍କୁ ପଚାରିଲା ଆଣ୍‌ଟି ମାନେ ତ ମାଉସୀ, ପିଉସୀ, ଖୁଡୀ, ବଡମାଆ ଓ ମାଇଁ । ଏହା ମଧ୍ୟରୁ କେଉଁ ଆଣ୍‌ଟି ସେ ।

ମାଆ କହିଲେ, କେଉଁ ଅଙ୍କଲ ସେ ଥିଲେ? 

- ମୋ ବାବାଙ୍କ ସାଙ୍ଗ ଏଣୁ ଥିଲେ ଅଙ୍କଲ ।

- ସେମିତି, ବାବାଙ୍କ ସାଙ୍ଗ, ଏଣୁ ଆଣ୍ଟି ।

ଅଂଶୁ ମନକୁ କଥାଟି ପାଇଲା ନାହିଁ, ସେ ମୁହଁ ମୋଡିଦେଇ ଦୂରକୁ ପଳାଇଗଲା । ପାହାଡଟିଏ ସତେ ଅବା ମୋ ମୁଣ୍ଡରେ କଚାଡି ହୋଇ ମୋ ସମଗ୍ର ସତ୍ତାକୁ ଚୁରମାର୍ କରିଦେଲା । ପ୍ରଥମ ଥର ମୋ ଜୀବନ ଗଣିତ ଭୁଲ ହୋଇଗଲା । ମାଆ ମୋ ମୁହଁକୁ ଚାହିଁ କଣ ଦେଖିଲେ କେଜାଣି ପାଖକୁ ଆସି କହିଲେ, ଧର୍ଯ୍ୟ ଧର । ସେଦିନ ରାତିରେ ମାଆଙ୍କ ବଦଳରେ ମୋ କୋଳରେ ଅଂଶୁକୁ ସ୍ଥାନ ମିଳିଥିଲା । ମୁଁ ତ ରାତିସାରା ଶୋଇ ପାରିଲି ନାହିଁ, କାଳେ ଅଂଶୁ ରାତିରେ ଉଠି ଭୟ କରିବ, ତାକୁ ଠକି ଦିଆଯାଇଛି ଭାବିବ । ସେ ନିଦରେ ଶୋଇଥିଲା, ମୁଁ ତାକୁ ପାଖକୁ ଘୁଞ୍ଚାଇ ଆଣିଲି । ନିଦରେ ସେ ମୋତେ ଜାବୁଡି ଧରିଲା, ମୋ ଉପରେ ଗୋଡ ପକାଇ ଆରାମରେ ଶୋଇ ପଡିଲା । ରାତିରେ ତାକୁ ଉଠାଇ ଥରେ ପରିସ୍ରା କରାଇନେଲି । ଦେଖିଲି ତାହାର ମୋ ପ୍ରତି କିଛି ବି ବିପରୀତ ପ୍ରତିକ୍ରିୟା ହେଲାନାହିଁ । ତେବେ ସେ ତଥାପି ନିଦରେ ଥିଲା । ପ୍ରଭାତରେ ସେ ଉଠିବା ଆଗରୁ ମୁଁ ଚାଲି ଆସିଥିଲି । 

ପରଦିନ ତା ଜେଜେଙ୍କୁ କହିଲା, -ଜେଜେମାଆ, ମୁଁ କାଲିରାତିରେ ସ୍ୱପ୍ନ ଦେଖିଛି ମୋ ମାଆକୁ । ମୋତେ ସେ କେତେ ଗପ କହିଲା, କେତେ କେତେ ଭଲ ଜିନିଷ ଖାଇବାକୁ ଦେଲା, ବହୁତ ସୁନ୍ଦର ଚିତ୍ର ଆଙ୍କି ଦେଖାଇଲା, କେତେ ଗେହ୍ଲା କଲା । ମୋ ମାଆ ମରିଗଲା ବେଳକୁ ମୋତେ କେତେବର୍ଷ ହୋଇଥିଲା ଜେଜେମାଆ?

ଆମେ ବୁଝିଥିଲୁ ସେ ତା ପ୍ରକୃତ ବାପାମାଆଙ୍କ କଥା ଟିକେ ବି ଭାବେ ନାହିଁ! କିନ୍ତୁ ଏ କଣ? କୌଣସି ଉ‌ତ୍ତର ତାକୁ ମୁଁ କିମ୍ବା ମାଆ ଦେଇ ପାରିଲୁ ନାହିଁ । ମାଆ କହିଲେ, -କାହିଁକି, ମୁଁ କଣ ତୋତେ ଗପ କହୁନି, ତୋ ମନଲାଖି ଖାଇବାକୁ ଦେଉନି, କେତେ କେତେ ଯାଗା ବୁଲାଇ ନେଉନି?

ଅଂଶୁ କଣ ବୁଝିଲା କେଜାଣି, ନୀରବ ରହିଲା ।


ଯଥାପୂର୍ବ  ସ୍ଥିତି, ସେ ମୋ ସହ ସ୍ୱଭାବିକ ବ୍ୟବହାର କଲାନାହିଁ । ମୁଁ ସେଦିନ ଆଉ ତାକୁ କୋଳରେ ଶୁଆଇବା ପାଇଁ ସାହସ କଲିନାହିଁ । ରାତିସାରା ଛଟପଟ ହୋଇ କଟାଇଲି । ମନେହେଲା, ପୂର୍ବ ରାତିରେ ଅଂଶୁ ତା ଭିଡି ଧରିଥିବା ହାତ ଓ ଲଦି ଦେଇଥିବା ଗୋଡକୁ ମୁଁ ବ୍ୟାକୁଳ ହୋଇ ଖୋଜୁଛି  ଅବା ମୁଁ ଏବେ ବି ଅନୁଭବ କରୁଛି । ଏହାକୁ ଆଉ ମୁଁ ଜୀବନ ସାରା ହଟାଇବା ଅସମ୍ଭବ । ଅମିନା ମୋ ଝିଅ ହେବା ବେଳକୁ କିଶୋରୀ ହୋଇ ଯାଇଥିଲା । ମୁଁ ବି ସେତେବେଳକୁ ସମ୍ପୂର୍ଣ୍ଣ ନାରୀ ହୋଇନଥିଲି । ତେଣୁ ଗତ ରାତିର ସୁଖରେ ଥିଲା ଅନେକ ଫରକ । 

ଜାଣି ପାରିଲି, ଆଗକୁ ଏହାର ପରିଣତି ମୋ ପାଇଁ କିଛି ଶୁଭଙ୍କର ନୁହେଁ । କାହାକୁ କିଛି କହିଲି ନାହିଁ । ଛାତିରେ ପଥର ଲଦି କେତେ ଦିନ ପରେ ଭୁବନେଶ୍ୱର ଚାଲି ଆସିଲି ସିନା, ଅଂଶୁକୁ ଜିତି ପାରିଲି ନାହିଁ । ବିଜୟ ପରେ ବିଜୟ ମୋ ଜୀବନସାରା ଘଟି ଆସିଥିଲା । ପରାଜୟର ଅନୁଭୂତି ନଥିଲା । ମୁଁ ଅବସାଦ ପୀଡିତ ହେବାଭଳି ଅନୁଭବ କଲି । କୌଣସି କାମ କରିବାକୁ ଇଛା ହେଲାନାହିଁ । ଛୁଟି ମିଳିଥିଲେ ଅମିନା ପାଖକୁ ଚାଲିଯାଇଥାନ୍ତି କେତେ ଦିନ । ଅମିନା ସେତେବେଳକୁ ଖାସ ମୋ ସହ କଥା ହେବ ବୋଲି ଟେଲିଫୋନ ସେବା ନେଇଥାଏ । ମୁଁ ତାକୁ ପାଖକୁ ଡାକିଲି କେତେଦିନ ଆସିବା ପାଇଁ । ସେ ଆସିଲା । କେତେଦିନ ଅବା ରହି ପାରିଥାନ୍ତା? ମୁଁ ମୋ ମନକଥା ତାକୁ କହିବା ସମ୍ଭବ ନଥିଲା । କିନ୍ତୁ ସେ ବୁଝିଲା ତା ମାମା କିଛି ଦୁଃଖରେ ଅଛନ୍ତି ।

ଅଂଶୁକୁ ସେ ବର୍ଷ ଚତୁର୍ଥ ଶ୍ରେଣୀ ଅଧାରୁ ସ୍କୁଲ୍ ବଦଳାଇ ଭୁବନେଶ୍ୱର ଅଣାଗଲା । ମାୟାଧର ଓ ମାଆଙ୍କ ଏ ନିଷ୍ପତ୍ତି ରେ ମୁଁ ଖୁସି ଥାଏ । କିଛିଟା ବିଚଳିତ ବି ଥାଏ ।

ସମୟ ବହୁତ କଥାର ସମାଧାନ କରେ । ଯଦିଓ ଅଂଶୁ ମୋତେ ସିଧା ସମ୍ବୋଧନ କିଛି କରୁନଥାଏ, ନା ଅଙ୍କଲ୍ ନା ଆଣ୍ଟି ନା ଅନ୍ୟକିଛି, କିନ୍ତୁ କ୍ରମେ ମୋ ସହ ସହଜ ବ୍ୟବହାର କରୁଥାଏ । ମାଆ ସବୁଦିନ ଆମ ପାଖରେ ରହିବା ସମ୍ଭବ ନଥିଲା, ପାଇକାଳୀରେ ତାଙ୍କର ଅନେକ ଦାୟିତ୍ୱ । ମାୟାଧର ସବୁକାମ ବନ୍ଦ କରି ଅସମାପ୍ତ ଚିତ୍ରକଳାଟିକୁ ଲାଗି ପଡିଥାଏ ସାରିବାକୁ । ଦିନରାତି ଏକ କରି ଦେଇଥାଏ । କଣ ଯେ ଏତେକରେ? ଦଶ ମିନିଟ୍ ଭାବିଲା ପରେ ବିନ୍ଦୁଏ ଆଙ୍କୁ ଥାଏ । କିନ୍ତୁ ସେ କିଛି ଗୋଟେ କରି ସାରିଲା ପରେ ମନେହୁଏ ବଢିଆ ହେଲା ।

ମୁଁ ଅଂଶୁର ସବୁ ଦାୟିତ୍ୱ ନେଉଥାଏ । ତାକୁ ଶୁଆଇ ଦେଲା ବେଳେ ମୋଠୁ କଥା ଆଦାୟ କରିନିଏ, ରାତିରେ ତାକୁ ବାବାଙ୍କ ପାଖକୁ ନହଟେଇବା ପାଇଁ । ସେ ଏଣିକି ମୋ ସହ ଭାବାବେଗରେ ଜଡିତ ହୋଇ ପଡିଥାଏ । ତଥାପି ସେ ମୋତେ କିଛି ସମ୍ବୋଧନ କରୁ ନଥାଏ । ମୁଁ ବି ତାକୁ କୋଳାଇ ନେଇ ସୁଖନିଦ୍ରା ଯିବାରେ ଆଉ କିଛି ଅସୁବିଧା ଲାଗୁନଥାଏ । ବଡ ବିଚିତ୍ର ସେ ସମୟ । ମା ଭଳି ସବୁ ଭାବନା ମୋର କିନ୍ତୁ ମାଆହେବା ଅର୍ଥାତ୍ ମୋ ମାୟାଧରକୁ ଭାବିବା, ମୋ ମଧ୍ୟକୁ ଆଉ ଆସୁ ନଥାଏ । ସେ ଭାବନା ଅନେକ ବର୍ଷ ପୂର୍ବରୁ ମରିଯାଇଥାଏ । ଆର ବର୍ଷକୁ ଅଂଶୁକୁ ଦଶବର୍ଷହେବ । ମାୟାକୁ ବାହା କରିବା ପାଇଁ ମୁଁ ପୁଣି ମାଆଙ୍କୁ କହିବା ଆରମ୍ଭ କରିଦେଇଥାଏ ।

ମନେ ହେଉଥାଏ, ମୁଁ ଯେମିତି ଏକ ପ୍ରତିବନ୍ଧକ । କିନ୍ତୁ ଅଂଶୁକୁ ତ୍ୟାଗକରି, ମାୟାଧରକୁ ଛାଡି ମୁଁ ଅନ୍ୟତ୍ର ରହିବା କଥା ଭାବି ପାରୁନଥାଏ । ଅଂଶୁ ମତେ କିଛି ସମ୍ବୋଧନ ନକରୁ ପଛେ ଭାବୁଥାଏ ମୁଁ ତାର ମାଆ ଭଳି । ସେମିତି ତାହାର ଦାବି, ସେମିତି ନିଜର ପଣ, ସେମିତିତା ଅଳି ଅର୍ଦ୍ଦଳି । ଜେଜେମାଆ ଅବା ତା ବାବାଙ୍କ ଅପେକ୍ଷା ବି ମୋ ସହ ସେ ଅଧିକ ସ୍ନେହ ବିଜଡିତ ହୋଇ ଯାଇଥାଏ, ବା ମୁଁ ସେମିତି ଭାବୁଥାଏ । ମୋର ମନେ ହେଉଥାଏ ମୁଁ ଦୁଇଟା ଜୀବନ କାଟୁଛି । କଲେଜରେ ଜଣେ ଦାୟିତ୍ୱ ସମ୍ପର୍ଣ୍ଣା ସହକାରୀ ପ୍ରଫେସର । କିନ୍ତୁ ଘରେ ମୁଁ ଯେମିତି ଅଂଶୁଠୁ ବି ବୟସରେ ସାନ । ଅଡୁଆ ଗୁଡିସୂତାକୁ ଫିଟାଉଥିବା ଛୋଟିଆ ସୁମନ ।

ଭୁବନେଶ୍ୱର ଆସିବା ପରେ ଆମ ସମ୍ପ୍ରଦାୟ ସହ ଜଡିତ ହୋଇ ପାରିନଥାଏ । ମୋ ନିଜ ମଧ୍ୟର ଯୁଦ୍ଧ ନେଇ ମୁଁ କେବେ ଖୁସି କେବେ ଦୁଃଖ ଓ ଆଶଙ୍କା ମଧ୍ୟରେ ଥାଏ । ଜାଣେନି, ମାଆ ଅବା ମାୟାଧର ଅବା ଅମିନା କେହି କଣ ମୋ ମନ ମଧ୍ୟକୁ ଝାଙ୍କି ଦେଖି ପାରୁଥିବେ ।

ମୋର କାହିଁକି ଲକ୍ଷ୍ମୀମାଆ କଥା ବହୁତ ମନେ ପଡୁଥାଏ ।


Tuesday 10 November 2020

ସୁମନ ମାୟାଧର, ଭାଗ ୧୧, ଶବ୍ଦସଂଖ୍ୟା ୧୧୫୦।


 (ସୁମନ ନିଜ ସାଥୀ ମାୟାଧର, ମାୟାଧରଙ୍କ ମାଆ, ଓ ନିଜ ପରିବାର ତଥା ମହୁଲକୁସୁମ ଗ୍ରାମବାସୀଙ୍କୁ ଆପଣାର ବିଶେଷ ପରିଚୟ ଦେଇ ସାରିଛନ୍ତି। ଲକ୍ଷ୍ମୀମାଙ୍କୁ ସଫଳ ଚିକିତ୍ସା କରାଇଛନ୍ତି ନିଜ କର୍ମକ୍ଷେତ୍ରକୁ ନେଇ)

୧୧

ମୁଁ, ମୋ ମିତ ସୁମନ ମିତ୍ରଙ୍କୁ ଡକାଇଲି । ସମସ୍ତ ବିଷୟ ଶୁଣି ସେ ଖୁସି ହେଲେ । ସେ ଏବେ ପ୍ରତ୍ୟକ୍ଷ ରାଜନୀତିରେ ଜଡିତ । ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ, ଶିକ୍ଷକ ସଂଘ ଓ କର୍ମଚାରୀ ସଂଘ ସମସ୍ତଙ୍କର ପ୍ରିୟ ସେ । ସେ ମୋତେ ସାହସ ଦେଲେ । ସବୁ ମହଲରେ ମୋ ପରିଚୟ ସପକ୍ଷରେ ମତ ରଖିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସହାନୁଭୁତିର ସହ ମୋ ଦରଖାସ୍ତକୁ ଗ୍ରହଣ କରି ଉପରିସ୍ଥ ଅଧିକାରୀ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଞ୍ଜୁରି ପାଇଁ ପଠାଇଲେ । ଏହା ଏତେ ସହଜ ନଥିଲା । ଚାକିରିରେ ସେ ସମୟରେ ଆମ କିନ୍ନରଙ୍କ ପାଇଁ ବର୍ଗ ହିଁ ନଥିଲା । ତେବେ ସମସ୍ତେ ସହାନୁଭୁତିର ସହ ବିଚାର କରି ନିର୍ଦ୍ଦେଶ ଦେଲେ କି ନିଯୁକ୍ତି ପୁସ୍ତିକାରେ କୌଣସି ପରିବର୍ତ୍ତନ ନକରି ମୋତେ ମୋ ହିସାବରେ ଚଳିବାକୁ ଓ ବେଶଭୂଷା ହେବାକୁ ଅନୁମତି ମିଳୁ । ଛାତ୍ରଛାତ୍ରୀ ମାନେ ଖୁବ୍ ଶ୍ରଦ୍ଧା ଓ ସମ୍ମାନ କରୁଥାନ୍ତି । 

ସେଦିନ ଅଗଷ୍ଟ ନଅ ତାରିଖ, ମୋ ମିତ ଉପସ୍ଥିତିରେ ମୁଁ ଦେବୀ ରୂପରେ ଶିକ୍ଷାଦାନ ପାଇଁ ଗଲି । ଛାତ୍ରଛାତ୍ରୀ ମାନେ ତତ୍କ୍ଷଣାତ୍ ମାଡାମ୍ ସମ୍ବୋଧନ ଆରମ୍ଭ କରିଦେଲେ । ଚିତ୍ରକଳାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ସହଜ ଥିଲା । କଳା ସର୍ବକାଳେ ଲିଙ୍ଗ ନିରପେକ୍ଷ ।

ବୋଧହୁଏ ସବୁଠୁ ଖୁସି ଥିଲେ ଲକ୍ଷ୍ମୀମା ।

ଏଣିକି ମୋ ନିଜ ସମାଜ ସହ ଯୋଡି ହେବା ସହଜ ହୋଇ ଯାଇଥିଲା । ସେ ଯୋଗସୂତ୍ର ହେଲା ଅମିନା । ସେହି ଅମିନା କଥା କହୁଛି, ଯେଉଁ ଅଳ୍ପ ବୟସର କିନ୍ନର ଅମିନା ପ୍ରତି ଏକଦା ରେଳଗାଡିରେ ଦୁର୍ବ୍ୟବହାର କରିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଇ ଥିଲୁ ମୋ ମିତର ନେତୃତ୍ୱରେ । ଟିପି ରଖିଥିବା ତା ଠିକଣାରେ କେତେ ଥର ଚିଠି ଦେଇ ଡକାଇବା ପରେ ମଧ୍ୟ ଜାଣି ପାରୁ ନଥାଏ ସେ ମୋ ପତ୍ର ପାଇଲା କି ନାହିଁ । ତା ଠିକଣାରେ କଣ ଅବା ସ୍ଥାୟୀତ୍ୱ ଆଶା କରାଯାଇପାରେ । ମୋ ସମ୍ବନ୍ଧୀୟ ଖବର ସେତେବେଳେ ସମାଜରେ ଆଲୋଡନ ସୃଷ୍ଟି କରିଥାଏ । ସ୍ଥାନୀୟ କିନ୍ନର ସମାଜ ମୋ ସହ ସାକ୍ଷାତ କଲେ । ସେମାନଙ୍କ ପ୍ରଚେଷ୍ଟାରେ ଅମିନାର ପତ୍ତା ମିଳିଲା। ସେ ଆସି ପହଞ୍ଚିଲା । ଅମିନା ମୋତେ ମାମା ଡାକିବାରେ ବିଳମ୍ବ କଲା ନାହିଁ ଠିକ୍ ଯେମିତି ମୁଁ ଦିନେ ଲକ୍ଷ୍ମୀଧରଙ୍କୁ ଡାକିଥିଲି ଲକ୍ଷ୍ମୀମା । ଲକ୍ଷ୍ମୀ ମାଆକୁ ନାତୁଣୀଟିଏ ବି ମିଳିଗଲା । ଅମିନାକୁ ଆମେ ସ୍ନେହ ଶ୍ରଦ୍ଧାରେ ବାନ୍ଧି ପକାଇଲୁ । 

କ୍ରମେ ମୁଁ ଆମ ସମାଜର ରୀତିନୀତି, ବିଶ୍ୱାସ, ପୂଜାପାଠ ଓ ସାମାଜିକ ଚଳନି ସହ ପରିଚିତ ହେଲି । ମୋତେ ଗୁରୁ ମିଳିଗଲେ । ଗୁରୁ ଗୋପୀକୃଷ୍ଣା, ପ୍ରଚଣ୍ଡ ଜ୍ଞାନସମ୍ପର୍ଣ୍ଣା ସିଦ୍ଧ ଆତ୍ମା । ତାଙ୍କ ନିର୍ଦ୍ଦେଶରେ ମୁଁ ମୋ ସମାଜ ସହ ପରସ୍ପର ସାହାଯ୍ୟର ଏକ ଶ୍ରଦ୍ଧା ଡୋରିରେ ବାନ୍ଧି ହୋଇଗଲି । ସମାଜ ମୋତେ ଅନୁମତି ଦେଲା, ଅମିନାକୁ ପାଳିତ କନ୍ୟା ରୂପେ ମଣିଷ କରିବାକୁ ।

କିନ୍ତୁ ଅମିନା ମାନସିକ ଭାବେ ବିଚଳିତ ଓ ଅସୁସ୍ଥ ମନେ ହେଉଥିଲା ।

ଅମିନା ।

ମୋ ଜୀବନରେ ଝଡ ସୃଷ୍ଟିହେବା ପୁର୍ବରୁ ମୁଁ ସୁରକ୍ଷା ପାଇ ଯାଉଥିଲି । ବାରମ୍ବାର ସେହି ଏକା କଥା ମୋତେ ଆଶ୍ଚର୍ଯ୍ୟ କରେ; ଯଦି ଟାଟାର କଳା ବୃତ୍ତି ପାଇ ନଥାନ୍ତି, ଯଦି ମାୟାଧର ଭଳି ସାଥୀ ଓ ସୁରକ୍ଷା କବଚ ପାଇ ନଥାନ୍ତି, ଯଦି ଆମ “ସୁମନ ମାୟାଧର” ପ୍ରତିଷ୍ଠାନ ଅସଫଳ ହୋଇଥାନ୍ତା, ଯଦି ତା ପରିବାର ମୋତେ ଭୁଲ ବୁଝିଥାନ୍ତା, ଯଦି ସହଜରେ ଚାକିରି ମିଳି ନଥାନ୍ତା ଓ ଏମିତି ଅନେକ ଗୁଡା “ଯଦି”,  ଯଦି ମୋ ଭାଗ୍ୟାକାଶରେ ଉଦୟ ହୋଇ ନଥାନ୍ତା ତାହେଲେ ମୋ ଅବସ୍ଥା କେମିତି ହୋଇଥାନ୍ତା!

 ହୁଏତ ଅମିନା ଭଳି ।

ଅମିନା, ମୋ ସହ ଅନେକ ଦିନ ରହିଲା ପରେ ମଧ୍ୟ ରାତିରେ ଭୟଙ୍କର ପ୍ରଳାପ କରେ, ସବୁ କଥାରେ ଭୟ, କୌଣସି କାମରେ ଆଗ୍ରହ ନଥାଏ । କେବଳ ମୋ ପାଖରେ ରହିବାକୁ ଭଲ ପାଉଛି, ନିଜର ନିରାପତ୍ତା ପାଇଁ । ବୁଝିଲି ମୁଁ କିମ୍ବା ଲକ୍ଷ୍ମୀମା ତା ମନକୁ ବଦଳାଇବା ସମ୍ଭବ ନୁହେଁ । ଭାବିଲି ମାନସିକ ବିଶେଷଜ୍ଞଙ୍କ ସହାୟତା ନେବି । କିନ୍ତୁ ପଛାଇଗଲି । ମୋ ନିଜ ଅଭିଜ୍ଞତାରୁ ଜାଣିଛି ସେମାନଙ୍କ ସମସ୍ତ ଧ୍ୟାନ ଚାଲିଯାଏ ଆମ ଲିଙ୍ଗଗତ ପରିଚୟ ବିଷମତା ଉପରେ । ପୁଅ ବା ଝିଅଙ୍କ ପରି ଆମର ଯେ ଅନ୍ୟ କୌଣସି ମାନସିକ ରୋଗ ହୋଇପାରେ, ସମାଜର ବାଛବିଚାର ଆମ ମନର ଭାରସାମ୍ୟ ନଷ୍ଟ କରିପାରେ, ଶାରିରୀକ ଓ ଯୌନ ନିର୍ଯ୍ୟାତନାର ଶୀକାର ହେଲେ ଆମର ବି ଭୟ ଇତ୍ୟାଦି ବିକାର ଆସିପାରେ; ଏକଥାକୁ ସେମାନେ ଆଦୌ ଭାବନ୍ତି ନାହିଁ । ମୁଁ ଲକ୍ଷ୍ମୀମାଙ୍କୁ କହେ, ତା ସହ ସବୁବେଳେ ହସଖୁସିର କଥା ହେଉହେଉ କଥା ଆଦାୟ କରିବାକୁ । ଭାଷାଗତ ଅସୁବିଧା ଥିବା ସତ୍ତ୍ବ‌ ସେମାନେ ଉଭୟ ପରସ୍ପରକୁ ବୁଝନ୍ତି ।

କ୍ରମେ ସେ ବର୍ଣ୍ଣନା କରେ ତା ପ୍ରତି ଘଟିଥିବା ଲୋମହର୍ଷକ ଅତ୍ୟାଚାରର କଥା । ସେ ସବୁ କେମିତି ଲେଖିବି, ସେ ତ ମୋ ଝିଅ । ତାହା ସବୁ ବର୍ଣ୍ଣନା ସାପେକ୍ଷ ନୁହେଁ । ବୟସ ତାହାର ଏଗାର ଠାରୁ ଏବେ କେଜାଣି ପନ୍ଦରରୁ ବର୍ଷେ ଅଧେ ଏପଟ ସେପଟ ହେବ । ଏ ସମୟତକ ଛଟପଟ ହୋଇ ବ‌ଞ୍ଚିଛି ସେ, କିନ୍ନର ସମାଜ ସହ ମିଶିବା ଆଗରୁ ଓ ପରେ ମଧ୍ୟ । ମୁଁ ତାକୁ ଆହୁରି କେତେ ମାସ ସମୟ ଦେବାର ମନସ୍ଥ କଲି । କେବେ କେବେ ସେ ମୋତେ ବି ଭୟ କରୁଥିଲା, କାଳେ ମୁଁ ମଧ୍ୟ ତାକୁ ପୁଣି ଠକି ଦେବି ।

ମଝିରେ କେତେ ଦିନ ମାୟାଧର ଆସି ତା ଅଧାଅଙ୍କା ଚିତ୍ରକୁ ପୁରା କରୁଥାଏ । ପ୍ରଥମେ ତ ଅମିନା କହିଲା, ସେ ଲୋକଟା ରହିଲେ ତାକୁ ଖୁବ୍ ଭୟ ଲାଗୁଛି, ରାତିରେ ନିଦ ହେଉନି । ଲାଗୁଛି ସେ ତାକୁ କଷ୍ଟ ଦେବ ।

ମୁଁ ଅନେକ ବୁଝାଇଲି । - ସେ ମାୟାଧର, ମୋ ସାଙ୍ଗ, ଆମେ ଗୋଟିଏ କୋଠରୀରେ ଜୀବନର ଅନେକ ବର୍ଷ କାଟିଛୁ, କେବେ ତ ସେ କିଛି ଅସଦବ୍ୟବହାର କରି ନାହାନ୍ତି, ତୁ ଡରନି ମାଆ ।

ମାୟାଧର ସବୁ ଶୁଣେ କିଛି କହେ ନାହିଁ, ତା କଥା ତା ରଙ୍ଗତୁଳୀ କହେ ।

ଦିନେ ଅମିନା ମୋତେ କହିଲା, - ମା, ସେ ଜଣେ ଆମ ଭଳି ଦେବୀଙ୍କର ଚିତ୍ର ଆଙ୍କୁଛି ନା? ମଝିରେ ମଝିରେ ମୁଁ ଦେଖୁଛି, ସେ ଚିତ୍ରକୁ ସେ ପ୍ରଣାମ କରୁଛି । ତାକୁ ସୁନ୍ଦରରୁ ସୁନ୍ଦରତର କରୁଛି । ସେ କାହିଁ ତା ଚିତ୍ର ଉପରେ ରଙ୍ଗତୁଳୀରେ ଅତ୍ୟାଚାର କରୁନି । ସେଇଟା ଗୋଟେ ଭଲ ମଣିଷ ବୋଧହୁଏ ।

ତା ଭାଷା ଅମାର୍ଜିତ ହେଲେ ମଧ୍ୟ ମୋ ବିଚାରରେ ଏହା ଶୁଭ ସଙ୍କେତ ମନେହେଲା । ମୁଁ ଦେଖିଲି, ଚିତ୍ରକର ମାୟାଧର ନିଶ୍ଚିତ ଅମିନାର ମାନସିକ ଡାକ୍ତର ହୋଇଯିବେ । ପୁରୁଷ ଲୋକଙ୍କ ପ୍ରତି ଅମିନାର ଥିବା ଘୃଣା ଉଭେଇ ଯିବ । ମୁଁ କେବଳ ତାକୁ କହିଲି, - ଦେଖ ମାଆ, ସେ ଜଣେ ମୋର ପ୍ରିୟ ଲୋକ, ତାଙ୍କ ପ୍ରତି କଟୁଭାଷା କହିଲେ ମୋ ମନ କଷ୍ଟ ହେବନି? ସେ ମୋତେ ଜୀବନସାରା ସୁରକ୍ଷା ଦେଇଛନ୍ତି, ନଚେତ ମୋ ଅବସ୍ଥା କଣ ହୋଇଥାନ୍ତା ତାହା ମୁଁ ଜାଣେନି । ମୋତେ ସେ ପାଠ ପଢାଇଛନ୍ତି ନିଜ ପଢା ବନ୍ଦ କରି । ତୁ ମା, ତାଙ୍କୁ ଖରାପ ନଜରରେ ଦେଖନା ।

ଆଉ ଦୁଇଦିନ ପରେ ଦେଖିଲି, ମାୟା ଅଙ୍କନରେ ବୁଡି ଯାଇଛି, ଅମିନା ଦୂରରୁ ସେ କଳାକୃତିକୁ ଏତେ ତନ୍ମୟ ହୋଇ ଦେଖୁଛି ଯେ, ସେ ବି ନିଜ ଭିତରେ ହଜି ଯାଇଛି । ମୋ ଉପସ୍ଥିତି କେହି ଜାଣି ପାରୁ ନାହାନ୍ତି । ମୋତେ ଲାଗିଲା ଏ କଳାହିଁ ଅମିନାକୁ ରୋଗମୁକ୍ତ କରିବ । ନିଜେ ଜଣେ ଶିଳ୍ପୀ ହୋଇଥିବାରୁ ନିଜକୁ ଧନ୍ୟ ମନେ କଲି ।

ଆଉ କେଇଟା ଦିନ ପରେ ଅମିନାକୁ ଦେଖିଲି ମାୟା ସହ କଥା ହେବାର । ଚାଚା ସମ୍ବୋଧନ କରି ତା କଳାର ବ୍ୟାଖ୍ୟା ବୁଝାଇବା ପାଇଁ ଜିଦ୍ କରିବାର ଦେଖିଲି । ମୋ ମନରେ ଆନନ୍ଦ ଖେଳିଗଲା ।

ମାୟାଧର ବି ତାକୁ ବୁଝାଇବାକୁ ଚେଷ୍ଟାକରେ ତା କଳା ବାବଦରେ । ଆମ ପାଠ ବାହାରର ଯେଉଁ କଳା: ମୁଁ କିମ୍ବା ଆମ ବିଭାଗର ପ୍ରଫେସର ବୁଝିବା ସମ୍ଭବ ନୁହେଁ, ସେ କଳା ବୁଝିବ ଅମିନା! ହସ ଲାଗିଲା ଯେତେ ସୁଖ ଲାଗିଲା ସେତେ ।

କ୍ରମେ ଅମିନା ସହଜ ହୋଇଉଠିଲା । ମୋତେ କହିଲା ପୁଅ ଲୋକମାନେ ବି ଚାଚାଙ୍କ ଭଳି ଭଲ ମଣିଷ ହୋଇ ପାରନ୍ତି, ମାମା!

ଆଉଦିନେ କହିଲା, -ମାମା, ମୁଁ ଘରେ ଖାଲି ବସି ଖାଉଛି । କିଛି କାମକଲେ ଭଲ ହୁଅନ୍ତା ନାହିଁ! 

- କି କାମରେ ତୋର ରୁଚି କହ, ଆମେ ନିଶ୍ଚିତ ସେ କାମ କରିବା ।

- ମାମା, ମୋ ବାପା ଜଣେ ମାଷ୍ଟର ଦରଜୀ, ମୁଁ ସିଲେଇ କାମ ଟିକେଟିକେ ଶିଖିଛି, ମୋତେ ସେହି କାମରେ ପ୍ରଶିକ୍ଷଣ ଦେଲେ ମୁଁ ଆଗେଇବି । ଚାଚା ନୂଆ ନୂଆ ଡିଜାଇନ ଅଙ୍କା ଝିଅ ଚିତ୍ର କରିବେ, ମୁଁ ସେମିତି ପୋଷାକ ତିଆରି କରିବି ।

ଆମେ ହସିଲୁ, - କାହିଁକି, ତୋ ଚାଚା ଖାଲି ଡିଜାଇନ କରିପାରିବେ, ମୁଁ ପାରିବି ନାହିଁ ।

- ପାରିବ ଯେ ହେଲେ ତୁମେ କଣ ସେମିତି ପାରିବ? ନା ନା ତୁମେ ବି ପାରିବ ମାମା ।

ବୁଝିଲି, ଅମିନା ଏବେ ସ୍ୱଭାବିକ୍ ବ୍ୟବହାର କରୁଛି, ସଙ୍ଗେ ସଙ୍ଗେ ପରିସ୍ଥିତି ଅନୁସାରେ କଥା ବଦଳାଇ କହି ପାରୁଛି । ମୁଁ ତାକୁ ବୁଝାଇଲି, ଘାସ କାଟ ଅବା ଘୋଡା ଚଢ କିନ୍ତୁ ପ୍ରତିକାମ ଠିକ୍‌ରେ କରିବା ପାଇଁ ନିଷ୍ଠା ଦରକାର, ଅଧ୍ୟବସାୟ ଦରକାର ।

ଆମ ବିଶ୍ୱବିଦ୍ୟାଳୟରେ ଫେସନ ବିଭାଗରେ ସାଧାରଣ ଦରଜୀ ମାନଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ଥାଏ । ଅମିନାର ଆଉ ଭୟ ନଥିଲା । ସେ ମନଦେଇ ଯଥା ସମ୍ଭବ ଶିଖିଲା । ମୋ ପାଇଁ, ତା ନିଜ ପାଇଁ କେତେ କିସମର ପୋଷାକ ତିଆରିକଲା ।

- ବୁୁଝିଲ ମାମା, ମୁଁ ବି ଦିନେ ମୋ ବାପା ଭଳି ମାଷ୍ଟର ଦରଜୀ ହେବି । ମୋ ବାପା ଭଲ ମଣିଷ । କିନ୍ତୁ ମାମା, ମତେ ଦିନେ ବି କହିବ ନାହିଁ ଆମ ଘରକୁ ଯିବାକୁ । ମୁଁ ପାରିବି ନାହିଁ ମାମା । ମୋତେ ତଡି ଦେବନି । ମୋ ପାଇଁ ଦୋକାନ କରିଦିଅ । ମୁଁ ନିଜେ ରୋଜଗାର କରିବି । ମୋ ମାମାକୁ ଟଙ୍କା ଦେବି ।

କହୁ କହୁ ମୋ ଆଡକୁ ଆଉଜି ହୋଇ ପଡିଲା । ମୁଁ ତାକୁ କୋଳେଇ ନେଲି ।

ତେବେ ମୁଁ ସମୟ ନେଲି । ସେ ଆଉ ଅଧିକ ପାରଦର୍ଶିତା ଦେଖାଇଲା ପରେ ତା ବାପା ‘ହୋସେନ’ ନାମକୁ ନେଇ ଆରମ୍ଭ ହେଲା, “ହୋସେନ ଅମିନା ବୁଟିକ” । ଏହାକୁ ଆଶୀର୍ବାଦ କରିଥିଲେ ମୋ ଗୁରଜୀ ମହାଶୟା । ସେ ଦିନ ଆମ ସମାଜରେ ଆନନ୍ଦର ଲହରି ଖେଳିଗଲା । ନାଚଗୀତ, ଖିଆପିଆକୁ ସମସ୍ତେ ଉପଭୋଗ କରିବା ସହ ଅମିନାକୁ ଦେଇଗଲେ ଆପଣାର ପାରୁ ପର୍ଯ୍ୟନ୍ତ ଆର୍ଥିକ ସାହାଯ୍ୟ । ସେମାନଙ୍କ ଖୁସିକୁ ମୁଁ ଭାଙ୍ଗି ପାରି ନଥିଲି ।

ତା ପ୍ରତିଷ୍ଠାନ ଖୁବ୍ ଶୀଘ୍ର ବ୍ୟବସାୟିକ ସଫଳତା ପାଇବା ପଛରେ ଥିଲା, ଆମ ଫେସନ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ନୂଆ ନୂଆ ଡିଜାଇନ, ବିଶ୍ୱବିଦ୍ୟାଳୟର ଛାତ୍ରୀ ମାନଙ୍କ କାରଣରୁ ବିପୁଳ ଚାହିଦା ତଥା ଆମ କିନ୍ନର ସମାଜର ପିନ୍ଧିବା ସଉକ ।

ଅମିନା ନିଜ ଗୋଡରେ ଠିଆ ହେବା ପରେ ମୁଁ ପାଇଥିଲି ଏକ ଅବର୍ଣ୍ଣନୀୟ ଦିବ୍ୟ ଆନନ୍ଦ, ଯାହା ଆଜୀବନ ମୋ ମାତୃତ୍ୱକୁ ଆହ୍ଲାଦ ଦେଇଛି ।


Saturday 7 November 2020

ସୁମନ ମାୟାଧର, ଭାଗ ୯ ଓ ୧୦।


ଗ୍ରୀଷ୍ମଛୁଟି ଆଉ ଅଳ୍ପଦିନ ପରେ ଆରମ୍ଭ ହେବ । ବିଶ୍ୱବିଦ୍ୟାଳୟ ଆମ୍ଭଙ୍କୁ ଏକ ସମ୍ବର୍ଦ୍ଧନା ଦେଲା । ଛାତ୍ରଛାତ୍ରୀ ଓ ସହକର୍ମୀ ମାନଙ୍କ ସହ ପ୍ୟାରିସ ଅନୁଭୁତି ବାଣ୍ଟିଲୁ ଆମ୍ଭେ । 

ଅଧା ଅଙ୍କା ଚିତ୍ର ଉପରେ କାମ ଜାରି ରଖିଥାଏ ମାୟାଧର । ସବୁଦିନ ମନେହୁଏ ଏହା ସମ୍ପୂର୍ଣ୍ଣ ହେଲା, ପରଦିନ ସକାଳୁ ସେ ପୁଣି ଆରମ୍ଭ କରେ । ମୁଁ କିଛି କହେନା । ସତେ ଅବା ସବୁକିଛି କାମ ସେ ଭୁଲିଯାଇଛି । ପ୍ରତିଦିନର ନୂତନ କାମ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଏ । କରୁ ସେ ଯାହା କରୁଛି ।

ଛୁଟିହେଲା । କାମକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବାର ବ୍ୟବସ୍ଥା କରି ଆମେ ପାଇକାଳୀ ଗଲୁ । ପୁଣି ଥରେ ତାକୁ ଅଳିକଲି, ମୋ ପରିଚୟ ସେ ହିଁ ମାଆଙ୍କୁ କହିବ ।

ଯାତ୍ରାକାଳରେ ପୁଣି ଏକ ନୂଆ ଅନୁଭୂତି ହେଲା । ଦୁଃଖଦ । ଆମ ତିନି ଜଣିଆ ସିଟରେ ବସିଥାନ୍ତି ଜଣେ ମଧ୍ୟବୟସ୍କ ସମ୍ଭ୍ରାନ୍ତ ବ୍ୟକ୍ତି । କେତେଜଣ କିନ୍ନର ପହଞ୍ଚି ସେମାନଙ୍କ ଚିରାଚରିତ ଶୈଳୀରେ ଭିକ୍ଷା କଲେ । ମାୟାଧରକୁ ମୋ ଉହାଡରେ ରଖି ମୁଁ ସେମାନଙ୍କୁ କଣ କିଛି ଦେଲି । ମୋ ମୁହଁକୁ ବଲବଲକି ଅନାଇ ହସିଦେଲେ ସେମାନେ । କେଜାଣି କାହିଁକି, ମୁଁ ବି ହସିଦେଲି । ସାମ୍ନା ସିଟରେ ବସିଥିବା ଯୁବକ ତିନିହେଁଙ୍କୁ ସେମାନେ ଜବର କରୁଥିଲେ । ସେମାନେ କିଛି ଦେବାର ସମ୍ଭାବନା ନଥିଲା । ଯୁକ୍ତିତର୍କ ହୋଇଥାନ୍ତା, ମୁଁ ତାଙ୍କ ଦଳପତିଙ୍କୁ ହସି ହସି ଠାରିଦେଲି । ସେମାନେ ଚାଲି ଯାଉଥିଲେ । ଆମ ବୟସ୍କ ସହଯାତ୍ରୀଙ୍କୁ ସେମାନେ କିଛି ମାଗିଲେ ନାହିଁ । ସେ ଯଚେଇ ହୋଇ ହଜାର ଟଙ୍କିଆ ନୋଟଟିଏ ଧରାଇ ଦେଲେ । ବୋଧହୁଏ ଖୁଚୁରା ନାହିଁ ଭାବି ସେମାନେ ପରସ୍ପର ଠାରୁ ସଂଗ୍ରହ କରି ହଜାର ଟଙ୍କାର ଖୁଚୁରା ଦେଲେ । ସେ ଭାଇ ବା ମଉସା ଜଣଙ୍କ ହସି କହିଲେ, - ନାଇଁ ରଖିନିଅ କିଛି ସମୁହ କାମରେ ଲଗାଇବ । 

-ଆଜ୍ଞା, ଆଜ୍ଞା ଦେବୀ ମାଆଙ୍କ ପାଇଁ ଏକ ଚାମର ନେବୁ, ତାଙ୍କ ପାଇଁ ନବ ବସ୍ତ୍ର ନେବୁ । ତାଙ୍କ ଦଳପତି ସକୃତଜ୍ଞ ଅଭିବାଦନ ଜଣାଇ ଚାଲିଗଲେ । ସେମାନେ ଗଲାପରେ ଦେଖାଗଲା ସେ କାନ୍ଦୁଛନ୍ତି । ସାମ୍ନାର ଯୁବକ ମାନେ ସମ୍ପୂର୍ଣ୍ଣ ନୀରବ । ମୋ ମନ ଚହଲି ଗଲା ଯେମିତି ଏକ ଝଟକା ଲାଗିଲା । ମୁଁ ତାଙ୍କୁ କେମିତି ପ୍ରବୋଧନା ଦେବି ଭାବୁଥାଏ । ବଗି ବାହାରେ ଝରକା ବାଟୁ ଚାହୁଁଥାଆନ୍ତି କିନ୍ନର ଦଳପତି । ଗାଡି ଛାଡିଦେଲାଣି । ବୋଧହୁଏ ସେ ବି ଘଟଣାଟିକୁ ଦେଖିନେଇଥିଲେ । ଚଳନ୍ତା ଗାଡିରେ ଚଢି ଆସିଲେ ସେ ଜୀବନକୁ ବାଜି ଲଗାଇ । 

- ଆଜ୍ଞା କୁହନ୍ତୁ, କି ପାଇଁ ଆପଣ ବିବ୍ରତ । ମୋ ନାମ ଶକ୍ତି । ମୋ ଦ୍ୱାରା କଣ କିଛି ସମାଧାନ ହୋଇପାରେ?

ବ୍ୟକ୍ତି ଜଣଙ୍କ ଏକ କିଶୋରର ଫଟୋ ଦେଲେ ତାଙ୍କୁ । -ଏ ମୋ ଏକ ମାତ୍ର ସନ୍ତାନ, ସୁବୋଧ । ତୁମ୍ଭମାନଙ୍କ ଭଳି । ଆମେ ତାକୁ ବୁଝି ପାରିଲୁ ନାହିଁ । ସେ ବର୍ଷେହେଲା ଘରୁ ଚାଲିଯାଇଛି । କିଛି ଖବର ମିଳୁନି । କେଉଁଠି ଯଦି ମିଳନ୍ତା ଓ ଘରକୁ ଆସନ୍ତା ଆମକୁ ଶାନ୍ତି ମିଳନ୍ତା ।  

ଶକ୍ତି ସେ ଫଟୋ ଓ ତାଙ୍କ ଠିକଣା ନେଇ ଚାଲିଗଲା । ମୁଁ ମଧ୍ୟ ଟିପାଖାତାରେ ଠିକଣାଟି ଲେଖିଲି । ମୁଁ ତ ନିଜକୁ ସମ୍ଭାଳି ନେଇଥିଲି, ହେଲେ ମାୟା ଓ ସେ ସାମ୍ନା ପିଲାଏ ରୁମାଲରେ ମୁହଁ ପୋଛୁଥିଲେ । ସମସ୍ତେ ନୀରବ । ମୁଁ କିଛି କଥା ଆଦାୟ କଲି । ସେ, ସଦାନନ୍ଦ ମହାନ୍ତି । ଶାସକ ଦଳର ଜଣେ ସରପଞ୍ଚ, ଢେଙ୍କାନାଳ ଜିଲ୍ଲା  ରଘୁପୁର ପଞ୍ଚାୟତର । ସେ କହିଲେ, ଏମାନେ ବି ମୋ ଭଳି ବାପାର ପିଲା ହୋଇଥିବେ । ମୋ ପିଲା ବି ଏମିତି କିଛି ଉପାୟରେ ଚଳୁଥିବ । 

ଏବେ ସମସ୍ତେ ନୀରବରେ ଶୁଣୁଥିଲେ । ସଂଧ୍ୟା ହୋଇ ଯାଇଥିଲା ସେ ବର୍ଥର ବତୀଟି ଜଳୁ ନଥିଲା । ମୁହଁ ଅନ୍ଧାର ମଧ୍ୟରେ ମୋ ଆଖିରୁ ଗଡିଯାଉଥିଲା ଅବାରିତ ଲୋତକ । ମାୟାଧର ମୋ ପିଠି ଥାପୁଡାଇ ମୋତେ ପ୍ରବୋଧନା ଦେଉଥିଲା । 

    

ଆମେ ପାଇକାଳୀରେ ଥିଲୁ। ମୁଁ ମାଆଙ୍କୁ କେମିତି କେମିତି ଏକ ପ୍ରକାର ଲାଜ କରୁଥାଏ । ଧରା ନପଡିବା ପାଇଁ ଅଧିକାଂଶ ସମୟ ନିଜକୁ ଘର କାମରେ ଓ ଅଂଶୁ ସହ ଖେଳିବାରେ ବ୍ୟସ୍ତ ରଖୁଥାଏ । ଅଂଶୁ ମୋର ବନ୍ଧୁ ହୋଇଯାଇଥାଏ । ଅଙ୍କଲ୍ ଅଙ୍କଲ୍ କହି ମୋ ପଛରେ ଗୋଡାଉ ଥାଏ । ମୋତେ ଖୁବ୍ ଆନନ୍ଦ ଦେଉଥାଏ । ମାଆଙ୍କ ଯେଉଁ ସମୟ ବଳୁଥାଏ ସେ ପୁରାଣ ପଢୁଥାନ୍ତି । ଅଂଶୁପାଇଁ ନୂଆ ନୂଆ ଗପ ଯୋଗାଡ କରୁଥାନ୍ତି । ମାଆଙ୍କ ଏହି ପଢିବା ଗୁଣଟି ମତେ ବହୁତ ଭଲ ଲାଗେ । ଖବରକାଗଜ ପଢନ୍ତି । ଓଡିଆ ପତ୍ର ପତ୍ରିକା ପଢନ୍ତି । ନିଜକୁ ତିରସ୍କାର କଲି । ଆଗଭଳି ମୁଁ ଆଉ ମାଆଙ୍କ ପାଇଁ କିଛି ନୂଆ ପତ୍ରିକା ଆଣି ଦେଉନଥିଲି । ବିଜେବିରେ ପଢିଲାବେଳେ କେତେ ଦେଉଥିଲି ମାଆଙ୍କୁ । ତାଙ୍କର କିଛି ବାଛବିଚାର ନଥାଏ । ଯାହା ଗୋଟିଏ ପାଇଲେ ସେ ପଢି ପକାନ୍ତି ତାଙ୍କ ବଳକା ସମୟରେ । କହିଲେ ତା ବାପା ତ କେବେ ଆଣିଦେଉନି, ତା ଛଡା ଏ ବଦମାସ ନାତିଟୋକା ଫୁରୁସତ ଦେଉଛି କେଉଁଠି ଯେ ।

-କଣ କହିଲ ଜେଜେ, ମୁଁ ବଦମାସ । ହେଉହେଲା, ତୁମର ମୋର କଟି, ସୁମନ ଅଙ୍କଲ ଥିଲା ପର୍ଯ୍ୟନ୍ତ ।

- ଆଉ ତାପରେ? ଆମେ ଉଭୟ ପଚାରିଲୁ ଏକ ସମୟରେ ।

- ତାପରେ କଟି ଫିଟିବ । ଆଉ କିଏ ଥିବ ଯେ, ଜେଜେମା ବ୍ୟତୀତ ।

ହଠାତ୍ ନିଜକୁ ରୋକିଦେଲି କହିବାରୁ, କି କାହିଁକି, ଆମର ଅଂଶୁ ପାଇଁ ନୂଆ ମାଆ ଆଣିବା । ମୋ ମୁଣ୍ଡ ଝାଳେଇଗଲା । ଅଂଶୁ କଣ ଭାବିଥାନ୍ତା? ମାଆ କିଭଳି ଗ୍ରହଣ କରିଥାନ୍ତେ? କାଲି ପର୍ଯ୍ୟନ୍ତ ଯେଉଁ କଥାକୁ ଭାବୁଥିଲି ଏଥରର ମୂଖ୍ୟ ପ୍ରସଙ୍ଗ ଆଜି ସେକଥା ଖୁବ୍ ଛୋଟ ମନେହେଲା ।

ଏମିତି ଦୁଇ ଚାରି ଦିନ ଗଲା, ମୁଁ ମାୟାକୁ କହୁଥାଏ, ମୋ ପ୍ରସଙ୍ଗଟି ମାଆଙ୍କ ସହ ନିରୋଳାରେ କହିବା ପାଇଁ । ସେ ହଁ ମାରୁଥାଏ ପୁଣି କିଛି କହୁ ନଥାଏ ।

ଦିନେ ମାଆ ଖବରକାଗଜ ପଢୁଥିଲେ । ପରିଚାରକଙ୍କୁ ଅବ୍ୟାହତି ଦେଇ ମୁଁ ନିଜେ ତାଙ୍କ ଜଳଖିଆ ଧରି ପହଞ୍ଚିଲିି । ଘରକାମରେ ମୁଁ ଆନନ୍ଦ ପାଏ, ଏକଥା ସ୍ପଷ୍ଟ ।  ଅଂଶୁ ଓ ତା ବାପା ଯାଇଥାନ୍ତି ବାହାରକୁ । ମାଆ ମୋତେ ପାଖରେ ବସିବାକୁ କହିଲେ । ମୁଁ ସେଇଠି ଚଟାଣରେ ଏକ ମଖମଲି ଆସନ ପାରି ବସିଗଲି ।

ମାଆଙ୍କ ଆଖିରେ ଲୁହ । ସେ କହିଲେ, ମାୟା ତାଙ୍କୁ ସବୁକିଛି କହିଛି । ତାଙ୍କ ମାଉସୀ ପୁଅ ଭାଇଜଣେ ଥିଲେ ମୋ ଭଳିଆ । ନାଆଁଟି ତାଙ୍କ କାଳନ୍ଦୀ । କେହି ତାଙ୍କ କଥା ବୁଝନ୍ତି ନାହିଁ । ସମସ୍ତେ ଦୂର୍‌ଦୂର୍ ମାର୍‌ମାର୍ କରନ୍ତି । ବାହାର ଲୋକେ ତାକୁ ଚିଡାନ୍ତି । ସେ ଥିଲେ ମାଆଙ୍କର ଖୁବ୍ ଅନ୍ତରଙ୍ଗ । ତାଙ୍କୁ ସବୁକଥା କହନ୍ତି । ତାଙ୍କ ପାଖେ ସଜବାଜ ହୁଅନ୍ତି । ସେ ପାଇଁ ମାଆ ନିଜଘରୁ ଓ ମାଉସୀଙ୍କଠୁ ଗାଳିଶୁଣନ୍ତି । କେତେ ଭଲ ମୁରୁଜ ପକାନ୍ତି ସେ, ନୂଆ ନୂଆ ପ୍ରକାର ରଙ୍ଗୋଲି କରି ସମସ୍ତଙ୍କୁ ଚମକାଇ ଦିଅନ୍ତି । କିନ୍ତୁ ପରିସ୍ଥିତି ଏମିତି ହେଲା, ସେ ଘର ଛାଡି ପଳାଇଗଲେ । ବହୁତ ଦିନ ପରେ ସେ ଚିଠିଟିଏ ଦେଇଥିଲେ ମାଆଙ୍କ ପାଖକୁ । ନିଜ ଠିକଣା ତ ଲେଖି ନଥିଲେ, କେବଳ ଡାକ ମୋହରରୁ ଜଣା ପଡିଥିଲା ସେ ବମ୍ବେରେ ଅଛନ୍ତି । ଲେଖିଥିଲେ ସମସ୍ତଙ୍କୁ ବୁଝାଇ ଦେବାକୁ ଯେ ତାଙ୍କୁ ଭୁଲି ଯାଆନ୍ତୁ । ଆହୁରି ବି ଲେଖିଥିଲେ ତାଙ୍କ ପାଖରେ ବହୁତ ଟଙ୍କା ହେଲେ ସେ ଗାଆଁକୁ ଆସିବେ । କଣ କରୁଛନ୍ତି, କେମିତି ଚଳୁଛନ୍ତି କିଛି ଲେଖି ନଥିଲେ । ଜଣାନାହିଁ କୁଆଡେ ଅଛନ୍ତି ଏବେ । 

-ଏଇଟା କଣ ମାଉସୀ ଘର ଠିକ୍ କଲେ? ତାହାର କଣ ଦୋଷ?- କହିଲେ ମାଆ

ମାଆ ପୁଣି କହିଲେ । ତାଙ୍କ କପାଳ ପୋଡିଗଲା, ମାୟା ବାପା ଚାଲିଗଲେ । ଏହାପରେ ଅଚାନକ ତାଙ୍କ ପାଖରୁ ଦ୍ୱିତୀୟ ଚିଠି ଆସିଥିଲା । ପ୍ରକୃତରେ ସେ ଗାଆଁକୁ ଆସି କାହାଠୁ ଏ ଖବର ଶୁଣି ଆଉ ମାଆଙ୍କୁ ସାକ୍ଷାତ ନକରି ଫେରି ଯାଇଥିଲେ । ଏହାର ବହୁଦିନ ପରେ ମାଆଙ୍କ ଜଣେ ମାମୁଁଙ୍କ ନାମରୁ ତାଙ୍କ ପାଖକୁ ଦଶ ହଜାର ଟଙ୍କାର ମନିଅର୍ଡର ଆସିଥିଲା । ସେ କଲିକତାରେ ରହନ୍ତି । ମାଆ ଭାବିଲେ ମାମୁଁ ଏତେଗୁଡା ଟଙ୍କା କାହିଁକି ଦେଲେ, ଏ ଦୁଃଖ କଣ ଘୁଞ୍ଚି‌ବ? ଦଶ ହଜାର ସେ ବେଳେ ଖୁବ୍ ଅଧିକ ଟଙ୍କା । ବୁଝୁବୁଝୁ ମାମୁଁ ସେ ଟଙ୍କା ଆଦୌ ପଠାଇ ନଥିଲେ । ମାଆଙ୍କ ସନ୍ଦେହ, କେବଳ ହଜିଲା ଭାଇ କାଳନ୍ଦୀ କରିଥିଲେ ଏ କାମ । ସେ ଆଉ ଫେରି ନାହାନ୍ତି । 

ମୋତେ ଦେଖିଲା ମାତ୍ରେ ସେ କାଳେ ତାଙ୍କ କଥା ମନେ ପକାନ୍ତି, ହେଲେ ଏକଥା କେମିତି ଅବା କହନ୍ତେ? ମୋତେ ସେ କଜ୍ଜ୍ୱଳ ଦେଲାବେଳେ ମାଆଙ୍କ ମନେ ପଡିଥିଲା, କାଳନ୍ଦୀ ମାମୁଁ କେମିତି ଟିକେ ସଜ ହେବାପାଇଁ ବ୍ୟସ୍ତ ହୁଅନ୍ତି ।

ମାଆ ପୁଣି କହିଲେ ଯେ ମୁଁ ଯାହା ଇଛାକରୁଛି ତାହା କରିବାରେ ତାଙ୍କର କିଛି ବିରୋଧ ନାହିଁ । କିନ୍ତୁ ସେ ଉପଦେଶ ଦେଲେ, ମୋ ପରିବାର ଲୋକଙ୍କ ଆସ୍ଥା ଭାଜନ ହୋଇ ଯାହା କିଛି କରିବା ଭଲ ।

ମୁଁ ମାଆଙ୍କ ଗୋଡ ଦୁଇଟିକୁ ଜାବୁଡି ଧରି ବହୁତ ଦିନ ପରେ ଭୋ ଭୋ କାନ୍ଦି ପକାଇଲି । ଈଶ୍ୱର ମୋ ପ୍ରତି ଏମିତି ସଦୟ କାହିଁକି?

ମାଆ ମୋତେ କୋଳେଇ ନେଇ ତାଙ୍କ ପଣତରେ ମୋ ଆଖିରୁ ଲୁହ ପୋଛିଦେଲେ ।

କଥା ସେତିକିରେ ଅଟକିଲା ନାହିଁ । ମାଆ ଭିତରକୁ ଯାଇ ପୁଳାକଯାକ ଜ୍ଞାନବିଜ୍ଞାନ ପତ୍ରିକା ଆଣିି ମୋ ଆଗରେ ଖେଳାଇ ପକାଇଲେ । ସୂଚୀପତ୍ର ଦେଖି ଦେଖି ସେ ଶେଷରେ ପାଇଗଲେ ଏକ ବିଜ୍ଞାନ ବିଷୟ ।

- ସୁମନ! ନେ ଦେଖ, ଏହି ବିଷୟଟି ପଢିବା ଦିନ କାଳନ୍ଦୀ କଥା ଖୁବ୍ ମନେ ପଡିଥିଲା । ଆଜିକାଲି ପୁଅଟିଏ ବି ଝିଅ ହୋଇ ପାରୁଛି ନା?

ମାଆଙ୍କ ନିରୀହ କଥା ପୁଣି ଥରେ ମୋ ଆଖିରେ ପାଣି ଆଣିଦେଲା । ଅବଶ୍ୟ ଏ ପ୍ରସଙ୍ଗରେ ମୁଁ ଆଗରୁ ବହୁତ ପଢାପଢି କରିଥିଲି, ତଥାପି ମାଆଙ୍କ ହାତରୁ ଆଣି ମୁଁ ପଢି ପକାଇଲି, ତାଙ୍କୁ ଭଲ ଲାଗିବ ବୋଲି ।

ମୁଁ ପ୍ରକୃତିସ୍ଥ ହେଲି । ମାଆଙ୍କୁ ସିଧାସଳଖ କହିଦେଲି, -ମାଆ, ମୁଁ ଅତ୍ୟନ୍ତ ଯନ୍ତ୍ରଣା ପାଉଛି, ଆଉ ନିଜକୁ ଲୁଚାଇ ରଖିବାକୁ ଚାହୁଁନି । କିନ୍ତୁ ମୋ ଚାରିକଡର ନିଜ ଲୋକମାନଙ୍କ ଉପରେ ଏହାର ପ୍ରଭାବ ପଡିବ ଅନେକ । ମାଆ ଆପଣ ମାୟାର ବାହାଘର ବାବଦରେ ଚିନ୍ତା କରନ୍ତୁ ।

- ଦେଖ୍ ସୁମନ । କୌଣସି କଥା ଅନ୍ୟ ଏକ କଥା ସହ ମିଶାଇ ଭାବିଲେ ଚଳିବ ନାହିଁ ଯଦିଓ ପ୍ରତି ଟିକିଟିକି କଥା ଆଦୌ ସ୍ୱାଧୀନ ନୁହନ୍ତି । ନିଜ ସମୟ ନିଜେ ଖୋଜି ନିଅନ୍ତି ହେବାକୁ ଥିବା ଘଟଣାମାନ । କାଳନ୍ଦୀ ମୋ ମନରେ ସବୁବେଳେ ଥିଲେ ମଧ୍ୟ ଏକଥା କେବେ କାହାକୁ କହିନଥିଲି, ଏମିତି କି ମାୟା ମଧ୍ୟ ଜାଣେନି କିନ୍ତୁ ଆଜି ସେ ସମୟ ଆସିଲା ସେକଥା ତା ରାସ୍ତା ପାଇଲା ପ୍ରକଟିତ ହେବାକୁ । ସେମିତି ତୋ ପ୍ରସଙ୍ଗକୁ ମାୟା ବାହାଘର ପ୍ରସଙ୍ଗ ସହ ଯୋଡିବା ଫଳରେ ମାୟା ଉପରେ ବରଂ ଅଯଥା ଚାପ ପଡିବ । ଅଂଶୁକୁ ଦଶ ବର୍ଷହେଉ । ଆମେ ମାୟାର ବାହାଘର ପାଇଁ ମନ ସ୍ଥିରକରୁ ଆଗ । ଅଂଶୁ ଆମର ସବୁକିଛି । ମାୟା ବାହାହେବା କଥା ମୋ ମନରେ ବି ଏପର୍ଯ୍ୟନ୍ତ ସେମିତି ଅଧିକ ଚାପ ସୃଷ୍ଟିକରୁନି । ମାୟା ବାହାଘର ସମସ୍ୟାଟି ଗୌଣ୍ୟ ତୋ ପରିଚୟ ତୁଳନାରେ । ପୁଣି ତା ଜାତକ ଅନୁସାରେ ଉପଯୁକ୍ତ କ୍ଷଣ ନଆସିଲେ ସେ ବାବଦରେ ଆଗେଇବାର ନାହିଁ । ମାଆ ଯେତେବେଳେ, ଅନେକ କଥା ଅହେତୁକ ହେଲେ ମଧ୍ୟ ମନକୁ ବିଚଳିତ କରେ ।

ମୁଁ କଥାର ମୋଡ ବଦଳାଇଲି, ମାଆ ତାପରେ ଯାହା କହିଥାନ୍ତେ ତାହା ମୁଁ ଚାହିଁଲିନି ସେ କହନ୍ତୁ ବୋଲି ।

ଅଂଶୁ ଓ ମାୟା ଫେରିଆସିଥିଲେ । ତା ସହ ହଟିଯାଇଥିଲା ମାଆ ଓ ମୋ ମନରୁ ସବୁଯାକ ଆଶଙ୍କା । ପୁଣି ଏକ ବାଧା ଅପସରି ଗଲାଭଳି ଲାଗିଲା ।

ମାଆଙ୍କଠୁ ସାହସ ପାଇଲା ପରେ ମୁଁ ଅତ୍ୟନ୍ତ ଉତ୍‌ଫୁଲିତ ଥାଏ । ସମୟ କେବଳ ଅଂଶୁ ସହ କଟାଉଥାଏ । ଅଂଶୁ ବି ତା ବାପା ଆଉ ଜେଜେ ମାଆଙ୍କ ଠାରୁ ମୋତେ ଖୋଜୁଥାଏ ବେଶି । ମୋ ମଧ୍ୟରେ ଥିବା ଆଜନ୍ମ ଖାଲଖମାତକ କ୍ରମଶଃ ପରିପୂର୍ଣ୍ଣ ହେଉଥିବା ଭଳି ଲାଗେ । ମାୟାଧର ଆମ କଳା ପ୍ରତିଷ୍ଠାନର ବ୍ୟବସାୟ ଓ କର୍ମଚାରୀ ମାନଙ୍କ ସୁବିଧା ଅସୁବିଧା କଥା ବୁଝିବାରେ ମନ ଦେଇଥାଏ । ସେ ପାଇଁ ସେ କେତେଦିନ ହେଲା ଭୁବନେଶ୍ୱର ଚାଲିଯାଇଥାଏ । ଘରର ପରିଚାରକ ଇତ୍ୟାଦି ମୋତେ ଘର ପୁଅ ଭଳି ବ୍ୟବହାର ଦେଖାଉଥାନ୍ତି । ମୁଁ ମାଆଙ୍କୁ ବିଶ୍ରାମ ଦିଆଇ ଯଥା ସମ୍ଭବ ଘର କଥା ବୁଝୁଥାଏ ।

ବେଳେ ବେଳେ ଖୁବ୍ ଦୁଃଖ ଲାଗୁଥାଏ ଏତେ କମଦିନ ବ୍ୟବଧାନରେ ସଦାନନ୍ଦ ବାବୁଙ୍କ ପୁଅ ସୁବୋଧ ଓ କାଳନ୍ଦୀ ମାମୁଁଙ୍କ ସମ୍ପର୍କରେ ଜାଣିଲି, ବଡ ବ୍ୟସ୍ତ ଲାଗିଲା । ମନେହେଲା ଆମ ସମସ୍ୟାଟି ସମାଜରେ ବଡ ବ୍ୟାପକ ।



୧୦

ମୋ ଗାଆଁ ମହୁଲକୁସୁମ ଯିବା ଘୁଞ୍ଚି ଘୁ‌ଞ୍ଚି ଯାଉଥାଏ । ମାୟାଧର ଦିନେ ଭୁବନେଶ୍ୱରରୁ ଘରକୁ ଫେରିଲା । ଆମ ଗାଆଁର ମୋ ପ୍ରିୟ ଶିକ୍ଷକ ସୁଦାମ ସାର୍ ଆମ ପ୍ରତିଷ୍ଠାନକୁ ଫୋନ କରି ଜଣାଇଥିଲେ ଯେ ନିଷ୍ପତି ହୋଇଛି ଏଥର ରଜ ମହୋତ୍ସବରେ ଆମ ଦୁଇଜଣଙ୍କୁ ପ୍ୟାରିସ ଭ୍ରମଣ ପାଇଁ ସମ୍ମାନିତ କରାଯିବ । ମାୟାଧର ଏଥିପାଇଁ ସମ୍ମତି ଦେଇ ସାରିଛି । ରଜ ଆଉ ପାଞ୍ଚ ଦିନ ଥାଏ ଆମେ ବାହାରି ପଡିଲୁ, ମହୁଲକୁସୁମ ।

ମନ ହାଲୁକା ହୋଇଗଲା । ମହୁଲକୁସୁମର କୋଣ ଅନୁକୋଣ, ବିଲ, ବନ, ପାହାଡ, ଝରଣା ଓ ଦିଅଁ ଦେବତା ମୋ ମନରେ ଭାସି ବୁଲିଲେ ।

ଖୁସି ଲାଗିଲା, ଆଜି ମୋ ପରିବାର ସ୍ୱଛଳ । ମୋ ମୂଳପୁଞ୍ଜିରେ  ଯେଉଁ ତେଜରାତି ଦୋକାନ ହୋଇଥିଲା ତାହା ଭଲ ଚାଲୁଛି । ଭାଇ ଦୁହେଁ ଭିଡି ଯାଇଛନ୍ତି। ଚାଷ ପାଇଁ ଉଠାଜଳସେଚନ ନଳକୂପ କରିଛନ୍ତି । ଆଧୁନିକ ପ୍ରଣାଳିରେ ଚାଷ କରୁଛନ୍ତି । ବାପା କିଛି ଜମି କିଣି ସାରିଲେଣି । ଘର ସବୁ ପକ୍କା । ଭଉଣୀ ଦୁହେଁ ଭଲରେ ଅଛନ୍ତି ଆପଣା ଆପଣା ଶାଶୁଘରେ । ମୋ ମନଟି କୁଣ୍ଢେ ମୋଟ ହୋଇ ଯାଉଥାଏ ।

ପୁଣି ହତାଶ ଲାଗିଲା, ମୋ ମନ ପରିବାର ପାଇଁ ଯେମିତି, ସେମାନଙ୍କ ମନ ମୋ ପାଇଁ ସେମିତି ହୋଇଥିଲେ ସତରେ କେତେ ଭଲ ହୋଇ ନଥାନ୍ତା! ବୁଝାଇ ଦେଲି ମନକୁ, ନା ସେମାନେ ବଦଳି ଯାଇଥିବେ । ସେମାନଙ୍କର ଦୋଷ ଅବା କଣ? ଯାହା ମୋ ପାଇଁ ଭଲ ବୋଲି ଭାବନ୍ତି ତାହା କହନ୍ତି । ଅସଲରେ ଅଜ୍ଞତା ଦୃଷ୍ଟିରୁ ସେମାନେ ଜାଣନ୍ତି ନାହିଁ ମୋ ମନ କଣ ଚାହୁଁଛି । ବଡ ନରମ ଭାବନା ଆସୁଥାଏ ସମସ୍ତଙ୍କ ପ୍ରତି । ଯେତେହେଲେ ସେମାନେ ମୋ ନିଜଲୋକ ।

ଦୁଇ ଭାଉଜଙ୍କ ସହ ମୋର ଖୁବ୍ ଭଲ ସମ୍ପର୍କ । ସାନ ଭାଉଜ ମୋଠୁ ବୟସରେ ସାନ । ତାଙ୍କୁ ମୋ ମନ କଥା ଅନେକ ଥର କହିଛି । ଏଥର ମୋ ଉଦ୍ଦେଶ୍ୟ ତାଙ୍କୁ ଟିକେ ଜୋର ଦେଇ କହିଲି । ମୋ କଥା ଧ୍ୟାନପୂର୍ବକ ଶୁଣିଲେ, ଗମ୍ଭୀରତାର ସହ ଗ୍ରହଣ କଲେ । ସେ ବଡ ଭାଉଜଙ୍କୁ ପାଖକୁ ଡାକି ସବୁ କଥା ବଖାଣିଲେ ।

ଭାଉଜ ମାନଙ୍କ କଥାରୁ ଜାଣିଲି, ଭାଇମାନେ ମୋତେ ନଜଣାଇଲେ ମଧ୍ୟ ପ୍ରକୃତରେ ମୋ କଥା ବୁଝି ସାରିଛନ୍ତି । ବାପା ବୋଉ ଯେତେବେଳେ ମୋ ବାହାଘର କଥା କହନ୍ତି, ସେମାନେ ପ୍ରତିବାଦ କରନ୍ତି । କହନ୍ତି ପ୍ରଥମେ ସୁମନ ସହ ଆଲୋଚନା କରନ୍ତୁ, ତା ମନ ବୁଝନ୍ତୁ, ସେ ରାଜିହେଲେ ଯାଇ ଏ ବାବଦରେ ଆଗେଇବା ଉଚିତ । ଥରେ ତ ବାପାବୋଉ ବିରକ୍ତ ହୋଇ ଅଭିଯୋଗ କଲେ ଯେ ମୋ ଭାଇମାନେ କାଳେ ସମ୍ପ‌ତ୍ତି ଲୋଭରେ ଚାହୁଁଛନ୍ତି ମୋ ପରିବାର ଆଗକୁ ନବଢୁ । କେହି କେହି ଭାଇମାନଙ୍କୁ ବୁଝାଇ ଦେଇଛନ୍ତି, ମୁଁ ଜଣେ କିନ୍ନର ହୋଇଥିବାରୁ ମୋ ମୂଳଧନର ଦୋକାନ ଭଲ ଚାଲିଲା । ସେମାନେ କହନ୍ତି, ମୋ ନିଜ ଉନ୍ନତି ତଥା ଆମ ଘରର ସବୁ ଉନ୍ନତି ପାଇଁ କାଳେ ମୁଁ ହିଁ ଶୁଭ ହୋଇଛି ।

ମୁଁ ବୁଝିଲି, ତାହେଲେ ମୋ ବିଶେଷତା ବାବଦୀୟ ଆଲୋଚନା ଥମିନି । ଲୋକ ଗୁଡାଙ୍କର ଆଉ କଣ କିଛି କାମ ନଥାଏ! ସେ ଯାହା ବି ହେଉ ଏ ବାଜେ କଥା ତକ ମୋତେ ସାହାଯ୍ୟ କରିବ ନିଶ୍ଚିତ ।


ଘରେ ଏକ ଛୋଟକାଟିଆ ସଭା ହେଲା । ଭାଉଜମାନେ କଥା ଆରମ୍ଭ କଲେ । ମୁଁ ଯେଉଁଥିରେ ଖୁସି ହେବି ତାହା ସମସ୍ତେ ମାନିନେବା ଉଚିତ ବୋଲି ଓକିଲାତି କଲେ । ଭାଇମାନେ କହିଲେ ମୁଁ ଶିକ୍ଷିତ ଓ ପ୍ରାପ୍ତବୟସ୍କ ହୋଇଥିବାରୁ ମୋ ଇଛାକୁ କିଏ ଅଟକାଇ ପାରିବ? ସେମାନଙ୍କ କହିବା କଥା ଥିଲା, ଏତେ ବର୍ଷ ଜଣେ ଯୁବକ ଭଳି ଚଳିବା, ଉଚ୍ଚଶିକ୍ଷିତ ହେବା, ଗ୍ରାମର ସୁନାମ ବଢାଇବା ଓ ଏତେକାଳ ବାହାରେ କଟାଇବା ପରେ ମଧ୍ୟ ଗାଁ ଲୋକେ ତାକୁ ଭିନ୍ନ ନଜରରେ ଦେଖିବା କଣ ବନ୍ଦ କରୁଛନ୍ତି? ଯଦି ତାହା ସତ୍ୟ ତାହେଲେଏତେ ଡର କାହିଁକି ଯେ? ଏଣୁ ମୋ ମନ ରଖିବା ପାଇଁ, ସମସ୍ତେ ସମ୍ମିଳିତ ଭାବେ କହିଲେ ବାପାବୋଉଙ୍କୁ । ବାପା ନୀରବତା ଭଙ୍ଗକରି ମାୟାଧରକୁ ପାଖକୁ ଡାକିଲେ ।

କହିଲେ, - ପୁଅ ତୁମେ ତ ସୁମନର ଏତେ ଦିନର ସାଙ୍ଗ, ଏକା ସାଥିରେ ଚଳିଲ, ଦେଶ ବିଦେଶ ବୁଲିଲ; ତୁମେ କୁହ ସେ ପ୍ରକୃତରେ ଚାହୁଁଛି କଣ?

ସ୍ୱଳ୍ପଭାଷୀ ମାୟାଧର ମୁହଁ ଖୋଲିଲା । – ସେ ତ ଶିକ୍ଷିତ ହୋଇ ଚାକିରି କରିଛି । ସୁରୁଖୁରୁରେ ଘର ସଂସାର କରି ଚଳି ପାରନ୍ତା । ନାମଯଶ, ଧନଜନ ସହ ସୁନ୍ଦର ଜୀବନ କାଟି ପାରନ୍ତା । ତଥାପି ସେ ପାରୁନି କାହିଁକି? ତା ଭିତର ମନଟି ସମ୍ପୂର୍ଣ୍ଣ ଏକ ନାରୀ । ଭଗବାନ ପିତାମାତାଙ୍କ ମାଧ୍ୟମରେ ତାକୁ ସେମିତି ଗଢିଛନ୍ତି । ସେ ତ ଏକୁଟିଆ ନୁହେଁ, ଏ ସମାଜରେ ଅଗଣିତ ଅଛନ୍ତି ତା ଭଳି । ସମାଜର ହତାଦର ମଧ୍ୟରେ କୋଟିକରେ ଗୋଟିଏ ଉଧେଇ ପାରୁଛନ୍ତି । ସେ ଗୋଟିକ ସୁମନ । ଏହା କଣ ଏ ପରିବାର ପାଇଁ ଗୌରବର ବିଷୟ ନୁହେଁ । ଏହା ବ୍ୟତୀତ ତାକୁ ଏବେ ବାଧା ଦେବା ସମ୍ଭବ ନୁହେଁ । ସେ ବାହାରେ ରହୁଛି, ସେଠି କେମିତି ଚଳିବ ତାକୁ କ’ଣ ରୋକିହେବ । କେବଳ ଯାହା ଲଜ୍ଜା ଦୃଷ୍ଟିରୁ ସେ ଡରିବ, ବଣ ପାହାଡ ଘେରା ସୁନ୍ଦର ତାହାର ଏ ପ୍ରିୟ ଜନ୍ମମାଟିକୁ । ନୂଆ ରୂପରେ ଆସିବାକୁ ସୁଖ ମଣିବ ନାହିଁ । ସମସ୍ତେ କଷ୍ଟ ପାଇବା ସାର ହେବ । ତେଣିକି ବାପା, ଆପଣ ଯାହା ନିଷ୍ପତ୍‌ତି ନେଉଛନ୍ତି ନିଅନ୍ତୁ ।

ବୋଉ କାନ୍ଦୁଥିଲା । ବାପା ତାକୁ ଡାଲିକି ଦେଲେ । -କଣ ପାଇଁ କାନ୍ଦୁଛ କହିଲ । ଏତେ ବଡ ହେଲାଣି ଆମ ପିଲାଟି, ସବୁବେଳେ ଆମ ସମସ୍ତଙ୍କଠାରୁ ହତାଦର ପାଇ ମଧ୍ୟ ସେ ତା ବାଟରେ ଆଗେଇ ଗଲା । ଆମରି ସନ୍ତାନ, ଆମେ ସବୁବେଳେ ତାକୁ ଏକ ତିରସ୍କାର ନଜରରେ ଦେଖି କେତେ ଅପରାଧ କରିଛନ୍ତି । ସୁମନ ତୁ ସେସବୁକୁ ଭୁଲିଯିବୁ, ଆମ ଗାଉଁଲି ମୁଣ୍ଡରେ ଯାହା ତୋ ପାଇଁ ଭଲ ଭାବୁଥିଲୁ କହୁଥିଲୁ । ଆମ ବିଚାର ବିଭ୍ରାଟକୁ ତୋ ପ୍ରତି ଘୃଣା ବୋଲି ଭାବିବୁ ନାହିଁ । ତୁ ଯେମିତି ତୁ ସେମିତି, ଈଶ୍ୱରଙ୍କ ସୃଷ୍ଟି । ଶାସ୍ତ୍ର ପୁରାଣ ପୁଣି କହିଛି ଉପଦେବତା । ଆମ ବାପାମାଆ ହେବା ଧନ୍ୟ ବୋଲି ଆମେ କାହିଁକି ବିଚାର ନକରିବା?

ଏହା ମଧ୍ୟରେ ମୁଁ ମୁଁହଟେକି ଚାହିଁ ପାରୁନଥିଲି, ବୋଉର କୋଳରେ ମୁଣ୍ଡପୋତି ପଡିଥିଲି ମୋ ପିଲାକାଳରେ ବାହାର ଲୋକଙ୍କ ନିର୍ଯ୍ୟାତନା ସହି ନପାରି ଯେମିତି ମୁଣ୍ଡ ଗେଞ୍ଜୁଥିଲି । ବୋଉ ଯେ ଖୁବ୍ ଜୋରରେ କାନ୍ଦୁଥିଲା ଏହା ମୁଁ ବୁଝୁଥିଲି । ଭାଉଜ ଦୁହେଁ ବି ସମଦଶା । ଆଉ ମୋ ଭାଇମାନେ କେଉଁ କମ କି? ଅନୁଭବ କଲି ଏ ସାରା ସଂସାରର ସମସ୍ତ କିନ୍ନର ମାନଙ୍କ ତୁଳନାରେ ମୁଁ କେତେ ଭାଗ୍ୟବତୀ! ମୋ ପରିବାର କେତେ ଭଲ!

ପରଦିନ ଭଉଣୀ ଦୁହେଁ ଆସି ପହଞ୍ଚିଗଲେ । ସେମାନଙ୍କ ସମବେଦନା ଓ ଆନନ୍ଦ କିଛି କମ ନଥିଲା ।

ଗୋଟେ ଯୁବକର ଅଭିନୟରେ ମୋ ମନ କ୍ଷୀଣ ଓ ଦୁର୍ବଳ ଥିଲା । ପରିବାରର ଗ୍ରହଣ କରିନେବା ଯେମିତି ମୋ ତନୁମନରେ ଭରିଦେଲା ଅକଳନୀୟ ଶକ୍ତି । ବୁଝି ପାରିଲି, ପ୍ରତିଟି ମଣିଷ ପାଇଁ ନିଜ ପରିବାର କେଡେ ମୂଲ୍ୟବାନ । ପାଦ ତଳର ମାଟି ଦମ୍ଭ ଥିଲେ ଗତି କ୍ଷୀପ୍ର ହେବା ସହଜ ।  ଅନୁଭବ କଲି, ନାରୀ କାହିଁକି ଶକ୍ତି ସ୍ୱରୂପା । ପୁଣି ଏକ ବନ୍ଧନରୁ ମୁଁ ମୁକ୍ତହେଲି ।

ପରଦିନ ସକାଳେ ଲକ୍ଷ୍ମୀମା’ଙ୍କ ପାଖକୁ ଗଲି । ଭୟ କଟି ଯାଇଥିଲା, ଛପିକି ଯିବାର ଆବଶ୍ୟକତା ଅନୁଭବ କରୁନଥିଲି । ସେ ବହୁତ ଅସୁସ୍ଥ ଥିଲେ । କଣ ତାଙ୍କ ଅସୁସ୍ଥତା ଏହା ତାଙ୍କ ପୁତୁରାମାନଙ୍କ ପରିବାର ଲୋକେ ଜାଣି ନଥିଲେ । ଡାକ୍ତର ପରାମର୍ଶ ହୋଇ ନଥିଲା । ବୁଝି ପାରୁଥିଲି, ସେମାନେ ମନେ ମନେ ସ୍ଥିର କରିନେଇଛନ୍ତି ଏହା ତାଙ୍କର ଶେଷ ଅବସ୍ଥା । ବଡ ଦୁଃଖ ଲାଗିଲା । ଆଜି ପର୍ଯ୍ୟନ୍ତ କେବେ ମୋ ମନକୁ ଆସି ନଥିଲା, ଆମ କିନ୍ନର ସମାଜର ବୃଦ୍ଧାବସ୍ଥା ଏତେ ଜଟିଳ ବୋଲି । ମୁଁ ଏଣିକି ନିଜ ସମ୍ପ୍ରଦାୟର ସୁବିଧା ଅସୁବିଧା କଥା ନିଜର ବୋଲି ଭାବୁଥିଲି । ମୋ ମନଟି ବିଦ୍ରୋହୀ ହୋଇ ଉଠିଲେ ବି ପର ଘରେ ନାଟ କରିବାକୁ ଅନୁଚିତ ମନେକଲି । କିଏ ଅଛି ଲକ୍ଷ୍ମୀମା କଥା ଭାବିବାକୁ । ଖଟୁଥିଲା ବେଳେ ଗୋଟିଏ ପେଟରେ ତାଙ୍କ ରୋଜଗାର ସରି ଯାଉଥିଲା କି? ଏହି ପରିବାର ତ ସେ ଲାଭ ପାଇଛି । ଅଳ୍ପ ସ୍ୱଳ୍ପ ଜମିବାଡିର ତାଙ୍କ ଭାଗଟି ଯେଉଁମାନେ ପାଇବେ ସେମାନେ ଟିକେ ଯତ୍ନେଇଲେ ଭଲ ହୁଅନ୍ତା ନାହିଁ କି? 

ସ୍ଥିରକଲି ଲକ୍ଷ୍ମୀମା ଦାୟିତ୍ୱ ମୁଁ ନେବି । ସେମାନଙ୍କ ପରିବାରକୁ ଏକଥା କହିଲି । ସେମାନେ କିଛି ବିରୋଧ କରିବା ଅନୁଭବ ହେଲା ନାହିଁ ।  ବହଳଦା ଡାକ୍ତରଖାନାରେ ତାଙ୍କ ଚିକିତ୍ସା ପାଇଁ ଖର୍ଚ୍ଚବାର୍ଚ୍ଚର ବ୍ୟବସ୍ଥା କଲି । ତାଙ୍କ ପ୍ରାରମ୍ଭିକ ଚିକିତ୍ସାର ଆରମ୍ଭ ହେଲା । ମୋ ସମ୍ପ୍ରଦାୟ ପାଇଁ ଏହା ଥିଲାମୋର ପ୍ରଥମ କାମ ।


ରଜ ମହୋତ୍ସବରେ ଆମ୍ଭଙ୍କୁ ଭୁରିଭୁରି ପ୍ରଶଂସା ମିଲିଲା । ଅନେକ ବକ୍ତା ଅନେକ ଥର କହୁଥାନ୍ତି, ମହୁଲକୁସୁମର ପୁଅ ସୁମନ ପାଇଁ ଆମେ ଗର୍ବିତ । ପୁଅ! ମୋ ମଧ୍ୟରେ କେବଳ ସେତିକି କଥା ବାରମ୍ବାର ପ୍ରତିଧ୍ୱନିତ ହେଲାଭଳି ଲାଗୁଥିଲା ।

ମାୟାଧର ସଭାରେ କହିବାକୁ ଭଲ ପାଏନି । ମୁଁ ସମ୍ବର୍ଦ୍ଧନାର ଉତ୍ତର ରଖିଲି । ସମସ୍ତଙ୍କୁ ଧନ୍ୟବାଦ ତଥା ଅନ୍ୟ ସୌଜନ୍ୟମୂଳକ ବକ୍ତବ୍ୟ ରଖିସାରିଲା ପରେ ବିନା ଦ୍ବିଧାରେ ଓ ବିନାଭୟରେ କହିଲି । ହେ ମୋର ଯାଥାମାନ୍ୟ ପ୍ରିୟ ଗ୍ରାମବାସୀବୃନ୍ଦ ଆପଣ ମାନେ ସମସ୍ତେ ଜାଣନ୍ତି ଓ ଥଟ୍ଟା ତାମସା କରନ୍ତି ଯେ ମୁଁ କାଳେ ସୁମନ ମାଇଚିଆ । ସେ ପାଇଁ ମନଦୁଃଖ କରିବା, କଷ୍ଟ ପାଇବା ଓ ହତାଶ ହେବାର ସମୟକୁ ମୁଁ ପାର କରିଦେଇଛି । ତେବେ ପ୍ରକୃତରେ ମୁଁ ଏ ମହାନ ଗ୍ରାମର ପୁଅ ନୁହେଁ କି ଝିଅ ନୁହେଁ । ମୁଁ ତ ଜଣେ କିନ୍ନର ଓ ମୁଁ କିନ୍ନର ହିସାବରେ ଆଗାମୀ ଜୀବନ କାଟିବା ପାଇଁ ମନସ୍ଥ କରିଛି । ଆଶା ଯେଉଁ ଶ୍ରଦ୍ଧା ସମ୍ମାନ ଏ ଗାଆଁର ପୁଅକୁ ଆଜି ମିଳିଛି ସେସବୁ ସମାନ ଭାବେ ମିଳିବ କିନ୍ନର ସୁମନ ପ୍ରଧାନକୁ । ମୋ ବାପା ଶ୍ରୀ ରଘୁବୀର ପ୍ରଧାନ ଓ ପରିବାର ମୋତେ ମୋ ନୂଆ ପରିଚୟରେ ସଶ୍ରଦ୍ଧ ଗ୍ରହଣ କରିନେଇଛନ୍ତି । ଗୋଟିଏ ଗାଆଁ ଗୋଟିଏ ପରିବାର ନୁହେଁ କି? ଆପଣ ମାନେ ସମସ୍ତେ ମୋ ନିଜର । ମୋତେ ସମ୍ମାନର ସହ ବଞ୍ଚିବାକୁ ଆପଣ ମାନେ ନଦେଲେ ବାହାର ଦୁନିଆ କଣ ଦେଇ ପାରିବ? ଆମ ମହାନ ସଂସ୍କୃତି ଅନାଦି କାଳରୁ ଆମକୁ ଦେବସ୍ଥାନରେ ଗ୍ରହଣ କରିଥିବା ସତ୍ତ୍ୱେ ଆଜି ଆଧୁନିକ ସମାଜ ଏତେ ପଛୁଆ କାହିଁକି ହେବ? ମୋର ପରମ ମିତ୍ର ମାୟାଧର, ଏ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଚିତ୍ରଶିଳ୍ପୀ । ସେ ମଧ୍ୟ ମୋ ମଧ୍ୟର ଅର୍ଦ୍ଧନାରୀଶ୍ୱରର ପ୍ରତୀକକୁ ଚିହ୍ନି ନେଇଛନ୍ତି ।  ଏଣିକି ମୋ ବେଶଭୂଷା ହେବ ମୋ ନୂତନ ପରିଚୟ ଅନୁସାରେ, ଆଶା ମୋତେ କିଛି ଅରୁଚିକର ଟିପ୍ପଣୀ ମିଳିବ ନାହିଁ । ମୋ ମନର କଥା ଏତିକି ।

ସମଗ୍ର ସଭା ନୀରବ ରହିଥିଲା । କେବଳ ସୁଦାମ ସାର୍ ମୋ ପାଖକୁ ଆସିଲେ ମୋ ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ କଲେ । ମୋତେ ଅନୁଭବ ହେଲା ମୁଁ ମହୁଲକୁସୁମକୁ ଅନାୟସରେ ବିଜୟ କରିଦେଲି ।

ପରଦିନ ମାୟା ଭୁବନେଶ୍ୱରଏକୁଟିଆ ଗଲା । ବ୍ୟବସାୟକୁ ଆଉଥରେ ସୁବ୍ୟବସ୍ଥିତ କରିବା ଜରୁରୀ ।

ଲକ୍ଷ୍ମୀମା'ଙ୍କ ଅବସ୍ଥା ଆଗ ଅପେକ୍ଷା ଭଲ । ମୁଁ ତାଙ୍କୁ ମୋ କର୍ମସ୍ଥଳୀକୁ ସାଥିରେ ନେବାକୁ ଚାହିଁଲି । ପୁଣି ସାମାନ୍ୟ ବିରୋଧ ହେଲା । ସେମାନେ ଦଳିତ । ମୋର କାହିଁକି ମନେହେଲା; ଆମ ବିଶେଷ ସମାଜରେ ଦଳିତ, ଉଚ୍ଚ, ନିଚ୍ଚର ସ୍ଥାନ କାହିଁ? ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମର ସମସ୍ୟା ଏକ ଭଳି; ବାଛବିଚାର । ଆମେ ଗୋଟିଏ ମାତ୍ର ସମାଜ


, କିନ୍ନର ସମାଜ ।

 ଟିକେଟ ବ୍ୟବସ୍ଥା ହେଲାମାତ୍ରେ  ଆମେ ଚାଲିଲୁ । କହିବା ବାହୁଲ୍ୟ, ଲକ୍ଷ୍ମୀମା ଯାହାଙ୍କ ଶେଷ ସମୟ ଉପସ୍ଥିତ ବୋଲି ଏକ ଧାରଣା ଦିଆଯାଉଥିଲା, ତାହା ଉପଯୁକ୍ତ ଚିକତ୍ସକଙ୍କ ନିଘାରେ ମାତ୍ର ଦଶଦିନ ମଧ୍ୟରେ ଭଲ ହୋଇଗଲା । ମୁଁ ତାଙ୍କୁ ଆଉ ଛାଡିବାକୁ ନାରାଜ ଥିଲି । ମୋ ଅନ୍ତରାତ୍ମାକୁ ମିଳିଲା ପ୍ରଶାନ୍ତି ।



Monday 2 November 2020

 ୮

ଆମେ ପ୍ୟାରିସ୍ ଗଲୁ ଟାଟା ଆନୁକୂଲ୍ୟରେ । ଲୋଭ୍ରେ ମ୍ୟୁଜିଅମରେ ଥାଏ ଏକ ଚିତ୍ରକଳା ସମ୍ମିଳନୀ ଓ ପ୍ରତିଯୋଗିତା । ଅସଲି ମୋନାଲିସା ପେଣ୍ଟିଂ ଦେଖିବାର ସୁଯୋଗ ଆମକୁ ବହୁତ ଉତ୍ସାହିତ କରିଥାଏ । ମୁଁ କେବଳ ଭାବୁଥାଏ ମାୟାକୁ ମୋ କଥା କହିବି ନା ନାହିଁ । ସେ ବିଚଳିତ ହେବକି? ଆମ କାମ ଉପରେ ଏହାର ପ୍ରଭାବ ପକାଇବ ନାହିଁ ତ? ମୁଁ ମାୟାକୁ ଚିହ୍ନି ସାରିଥଲି ସେ ହୁଏତ ସ୍ୱୟଂ ଲିଓନାର୍ଡୋ ଦା ଭିନିସଙ୍କ ସମକକ୍ଷ । ଭାବନା, ପୂର୍ବ ପ୍ରସ୍ତୁତି, ଉତ୍କଣ୍ଠା ଓ ଆଲୋଡନର ମାନେ କିଛି ନଥାଏ ତା ପାଇଁ । ଏତେ କହିଲି, ଫୁ(ସ୍ଫୁ)ମାଟୋ ବାବଦରେ ଟିକେ ଶୁଣ, ସମ୍ମିଳନୀର ଥିମ୍ ତ ଏହିକଳା, ଭିନିସଙ୍କ କଳା । ସେ କଣ କିଛି ଶୁଣିଲା । କହିଲା ଯେ ପାହାଡ ଉପରେ ମେଘ ଢାଙ୍କିବା ଦେଖିଛୁ, ସୁମନ! ଚାଳଘରୁ ରୋଷେଇ ବେଳେ ଧୁଆଁ ଉଠିବା ଦେଖିଛୁ? ହନୁମାନଙ୍କ ମୁଁହରେ ଅନେକ ପରସ୍ତ ସିନ୍ଦୁର ବୋଳା ହେବା ଦେଖିଛୁ! ବାସ୍ ହେଲା ଫୁମାଟୋ । 

ଯାହା ତାହାର ଇଛା, ତାକୁ କିଏ ବୁଝାଇବ!

ହଁ, ଏହି ଯାତ୍ରାକାଳରେ ନିଶ୍ଚିତ କହିବି । ତାକୁ କିଛି ଫରକ ପଡିବ ନାହିଁ ।

ଆମକୁ ବିଜିନେସ୍ କ୍ଲାସ୍ ମିଳିଥାଏ, ମନେହେଲା ଗପିବାରେ କାହାର କିଛି ଅସୁବିଧା ହେବ ନାହିଁ ।

- ଏ ମାୟା! ମୁଁ କିଛି କହିବାକୁ ଚାହୁଁଛି, କିଛି ନୁହେଁ ବହୁତ କିଛି । ମୋ କଥା ଶୁଣିବୁ? 

- କହୁନୁ, ଏତେ ସମୟ ପୁଣି କଟିବ କେମିତି?

- ବହୁତ ଗମ୍ଭୀର କଥା ।

- କହ, ମୁଁ କଣ କେବେ ଶୁଣିନି ତୋ କଥା?

- ମୋତେ କଥା ଦେ, ଶୁଣି ସାରିଲେ ମୁଁ ଯାହା ମାଗିବି ଦେବୁ ।

- ନା, ସେଇଟା ପାରିବି ନାହିଁ । ଥରେ ତ ଧୋକ୍କା ଦେଇଛୁ, ମାଗି ନେଲୁ ଡାକ୍ତରୀ ନପଢିବାର ଇଛା । ମୁଁ କଣ ସତ ମାୟାଧର କି ତୁ ଯାହା ମାଗିବୁ ତଥାସ୍ତୁ କହିବି । ଶୁଣିବି, ଯାହା ଭଲ ଭାବିବି କରିବି, ତୁ କହ ।

ଦୀର୍ଘ ସମୟ ନିରବିଛିନ୍ନ କହିଲି ମୋ ଜୀବନର ଗୋପନୀୟ ତଥ୍ୟ । ମୋ ମନର ବ୍ୟଥା, ମୋ ଭବିଷ୍ୟତର ଆକାଂକ୍ଷା ଓ ମୋ କିନ୍ନର ପରିଚୟ ମିଳିଲା ପରେ କଣ ସବୁ ଅସୁବିଧା ହେବ । ମୁଁ ତାକୁ ବୁଝାଇଲି, ଦେଖ ମାୟା ତୁ ଆଗେ ବାହା ହୋଇଯା, ତାପରେ ଦୁନିଆ ନଜରରେ ମୁଁ ନାରୀ ହୋଇ ଠିଆ ହୁଏ ।

ସେ ହସିଲା, ବଡ ଅର୍ଥପୂର୍ଣ୍ଣ ସେ ହସ । ତା ହସରୁ ମୁଁ ବୁଝିଲି, ସେ ଯେମିତି କହୁଛି, ଏସବୁ ତ ପୁରୁଣା କଥା, ନୂଆ କିଛି କହ । ତଥାପି ସେ କହିଲା, ମୋ କଥା କାଳେ ବଡ ମଜାଦାର ଲାଗୁଛି ତାକୁ, ମୁଁ ଯେତେ ପାରୁଛି ଗପେ ।

ମୋର ଆଉ କିଛି କହିବାର ନଥିଲା । ଏଣୁ ମୁଁ ଆଶୁ ଅସୁବିଧା ବାବଦରେ କହିଲି ।

- ଏଥର ଆମେ ଏକା କୋଠରୀରେ ରହିବା ତ? ତୁ କିଛି ଅସ୍ୱସ୍ତି ଅନୁଭବ କରିବୁ ନାହିଁ!

- ଅନେକ ବର୍ଷ ଆମେ କଣ ଏକା କୋଠରୀରେ ରହି ନାହାନ୍ତି, ଆଜି ଏ ପ୍ରଶ୍ନ!

- ସେତେବେଳର କଥା ଅଲଗା ଥିଲା, ଏବେ ତୁ ଜାଣିଲୁଣି ମୁଁ ମନରେ ଏକ ଝିଅ । ଏବେ ତୋତେ ମାଡି ପଡିବ ମୋ ସହ ରହିବା!

- ତୋର କିଛି ଅସୁବିଧା ନାହିଁ ତ?

- ମୋର କି ଅସୁବିଧା ହେବ, ମୁଁ ତ ଝିଅଟିଏ ହୋଇ ମଧ୍ୟ ତୋ ସହ ବର୍ଷ ବର୍ଷ ରହିଛି । ହଁ ସେହି ପିଙ୍କି କଥାବେଳେ ମୁଁ ଟିକେ ବିବ୍ରତ ହୋଇପଡିଥିଲି, କିଶୋରୀ ଥିଲି ତ । ଆଉ ସେ ଉଦବେଳନ ନାହିଁ ।

- ତାହେଲେ? ଝିଅ ସାଙ୍ଗଟିର  ଯଦି ମୋ ସହ ରହିବାରେ ଡର ଭୟ ନାହିଁ, ମୁଁ କାହିଁକି ଅସହଜ ଅନୁଭବ କରିବି କହ?

ଆଉ କିଛି ଅଧିକ କହିଥିଲେ ଅସୌଜନ୍ୟ ହୋଇଥାନ୍ତା । ଇଛା ଥିଲା ଜାଣିବାକୁ, ସେ କଣ ଆଗରୁ ଏକଥା ଜାଣିଥିଲା? ମୋ ପ୍ରତି ତାର କିଛି ଭିନ୍ନ ଭାବନା ନାହିଁ! ମୋତେ ସେ ଭଲପାଉନି! ମୋ ନାୟିକା ବେଶର ପେଣ୍ଟିଂ ସେ କାହିଁକି କରିଥିଲା? ମୋନାଲିସାର କେବଳ ହସ ନୁହେଁ ସାରା କାମରେ ଯେମିତି ଖୁସି ବାରିହୁଏ, ସେମିତି ମୋ ପ୍ରତି ଲୋମକୂପରେ ସେ ଫୁଟାଇ ପାରିଥିଲା ସୁଖର ସ୍ପନ୍ଦନ, ରୂପ ଲାବଣ୍ୟ ହୋଇଥିଲା ଗୌଣ୍ୟ ।

ସବୁ ଜାଣିବୁଝି ବିନା କିଛି ଉଦ୍ଦେଶ୍ୟରେ ସେ କେବଳ ମୋ ସୁଖ ସମୃଦ୍ଧି ପାଇଁ ମୋତେ ସାହାଯ୍ୟ କରିଚାଲିଛି । ମନେ ମନେ ତାକୁ ପ୍ରଣାମ କରୁଥିଲି, ମୋ ଜୀବନରୁ ତାକୁ ବାଦ ଦେଲେ ଜୀବନଟି କଣ ହୋଇଥାନ୍ତା! ଅବଶ୍ୟ ମାୟା ମୋତେ ଭଲପାଏ । ତା ଭଲପାଇବାରେ ଆବିଳତା ନାହିଁ, ଏକ ସାଙ୍ଗକୁ ଭଲ ପାଉଛି । ମୋ ଭଲପାଇବାରେ ଆବିଳତା ଅଛି, ମୁଁ ଏକ ପୁରୁଷକୁ ଭଲ ପାଉଛି । ଏ ବନ୍ଧୁତାକୁ ତା ଭଳି ବନ୍ଧୁତା କରିବାକୁ ମୁଁ ଭାବୁଛି ତ୍ୟାଗ । ତା’ର ସେମିତି ଭାବିବାର ଅବକାଶ ନାହିଁ । ତାହେଲେ ତା ଭଲପାଇବାଟି ମୋ ଭଲପାଇବାଠାରୁ ଅଧିକ ଉଜ୍ଜ୍ୱଳ ନୁହେଁ କି? ନା ସେମିତି କେମିତି ହେବ? ମୋ ଭଳି ସେ କଣ ପ୍ରତି ମୁହୂର୍ତ୍ତ ଲଢେଇ କରୁଛି କି? ତା ପାଇଁ ସଂସାର ବନ୍ଧୁମୟ, ମୋ ପାଇଁ? ଏମିତି ନାନାଦି କଥା ମନ ସିଳଟରେ ଲେଖୁଥାଏ ଓ ଲିଭାଉ ଥାଏ । ସେ ନିଘୋଡ ନିଦରେ ଶୋଇ ସାରିଥାଏ । ମୁଁ ଟିକେ ଦେଖିନେଲି ତା କମର ପଟି ବନ୍ଧା ହୋଇଛି ତ । ତା ଖସି ପଡିଥିବା ଚାଦରଟିରେ ତା କାନ୍ଧ ପର୍ଯ୍ୟନ୍ତ ଘୋଡାଇ ଦେଲି, ହେମାଳ ଲାଗୁଥିଲା । କାବିନ ଭିତରର ତାପମାତ୍ରା ଅପେକ୍ଷା ମୋ ମନର ତାପମାତ୍ର ଅଧିକ ଶୀତଳ ହୋଇଯାଇଥିଲା । ମନେହେଲା ଆଉ ଏକ ବଡ ଯୁଦ୍ଧରେ ମୁଁ ବିଜୟଲାଭ କରିଛି । ମାୟାକୁ କହିଦେଲା ପରେ ସାରା ସଂସାରକୁ ମୋର ଆଉ ଆଦୌ ଭୟ ନଥିଲା । ଈଶ୍ୱରଙ୍କୁ ଜଣାଇଲି ଶୁଭରାତ୍ରି । ନିଦ୍ରାଦେବୀ ମୋତେ କୋଳାଇ ନେଲେ ।

ପ୍ୟାରିସରେ ରହଣି ଚାରିଦିନ ମନେ ହୋଇଥିଲା ବିଶେଷ କିଛି ଯେମିତି ଘଟିନାହିଁ । ଲୋଭ୍ରେ ମିଉଜିୟମ ମୋତେ ଅଭିଭୂତ କଲା । ମାୟା ସହଜରେ ତା ଭାବନା ପ୍ରକାଶ କରେନି । ସେ ବାସ୍ ସବୁ ଦେଖିଗଲା । ଏପରିକି ମୋନାଲିସା କଳାକୃତି ଯଦିଓ ସେ ନିରୀକ୍ଷଣ କଲା ବେଶ୍ କିଛି ସମୟ କିନ୍ତୁ ତା ମନର ଭାବନା ସେମିତି କିଛି ବ୍ୟକ୍ତ କଲାନାହିଁ । ମୁଁ ସେ କାମରେ କଳାକାର ଭିନିସ୍‌ଙ୍କ ସବଜେକ୍ଟ ଲିସା ଘେରାର୍ଦିନିଙ୍କ ପୃଷ୍ଠଭୂମିରେ ରହିଥିବା ପ୍ରାକୁତିକ ଓ କୃତ୍ରିମ ପରିବେଶକୁ ଅଧିକ ତନ୍ନତନ୍ନ କରି ଦେଖୁଥିଲି । ବୁଝୁଥିଲି, ଏତେ ଶତାବ୍ଦୀ ଧରି କାହିଁକି ଏ କଳା ଶୀର୍ଷରେ ରହିଛି । ମୁଁ ବୋଧହୁଏ ଦେଖୁଥିଲି ମୋ ଏକାଦେମିକ ନଜରରେ, ମାୟା ଦେଖୁଥିଲା କଳାକାର ନଜରରେ । ମୁଁ ଫେରିଲେ ମୋ ଛାତ୍ରମାନଙ୍କୁ କି ଭାବେ ଏହାକୁ ବୁଝାଇବି ଭାବୁଥିଲି । ସେ କଣ ଭାବୁଥିଲା ସେ କଥା ସେ ଜାଣେ ।

କଳା ପ୍ରତିଯୋଗିତା ସମୟ ଆସିଲା ।  ମୁଁ ଜାଣିଥିଲି, ମୁଁ ବା ଆମେ ନୁହେଁ, କେବଳ ସେ ହିଁ ପେଣ୍ଟିଂ‌ କରିବ । ସେ ହଠାତ୍ ରାଜି ହେଲା ନାହିଁ । ତା କହିବା କଥା ଥିଲା, କଳା ପ୍ରତିଯୋଗିତା ପାଇଁ ନୁହେଁ । ସମସ୍ତ କଳାକୃତି ନିଜ ନିଜ ସ୍ଥାନରେ ପ୍ରଥମ । ମୁଁ ତାକୁ ମନେଇବାକୁ ଚେଷ୍ଟାକଲି । ସେ ହସି କହିଲା, କଳା କଣ ଏମିତି ଓଳିଏରେ ହୋଇଯିବ । ଭେନିସଙ୍କ ମୋନାଲିସା କେତେ ବର୍ଷ ନେଇଥିଲା ଅଥଚ ତାଙ୍କ ସ୍ଥାନରେ ଓଳିକରେ କିଛି ଗୋଟେ କରିଦେବା କଣ ଉଚିତ୍ ହେବ? ତଥାପି ମୋ କଥା ସେ ରଖିଲା । ହିମାଳୟର ନୈସର୍ଗିକ କୈଳାସ ପର୍ବତର ପିରାମିଡକୁ ପ୍ରଛଦରେ ରଖି ସେ ଆଙ୍କିବ ଅର୍ଦ୍ଧନାରୀଶ୍ୱର । ସେ ପେଣ୍‌ଟିଂର ପ୍ରଥମ ବିନ୍ଦୁଟି ମୋତେ ଦେବାକୁ କହିଲା । ମୁଁ ମାନିଲି । ଆମ କାମ ପାଖରେ ସର୍ବାଧିକ ଦେଖଣାହାରୀ ଭୀଡ ଲଗାଇଥାନ୍ତି । ଏହା ଅନ୍ୟ କଳାକାରଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । କୌଣସି ଫୁମାଟୋ ପ୍ରଶିକ୍ଷଣ ପାଇ ନଥିବା ମାୟା ଏମିତି କେମିତି କରି ପାରୁଛି! ମୁଁ ବିଶ୍ୱାସ କରୁଥିଲିଏହା ନିଶ୍ଚିତ ଶ୍ରେଷ୍ଠହେବ । କିନ୍ତୁ ହଠାତ୍ ସେ କହିଲା । ଆଜି ଆଉ ହେବନି । ବନ୍ଦ କରିଦେଲା ସମାପ୍ତି ପୂର୍ବରୁ । ଆମ କାମକୁ ଦାଖଲ ନକରି ସେ ଯତ୍ନରେ ନେଇ ଆସିଲା ହୋଟେଲକୁ, ଫ୍ରେମ୍ ସହ । ସେଇଟି ଧରି ଭାରତ ଫେରିଲୁ ।

ଫେରିବା ସମୟରେ ମୁଁ ପୁନଶ୍ଚ ତା ବିବାହ ପ୍ରସଙ୍ଗ ଉଠାଇଲି । ମୁଁ ତାକୁ ବୁଝାଇବାକୁ ଚେଷ୍ଟାକଲି ଯେ ଥରେ ମୁଁ ମହିଳା ଭାବେ ଉଭା ହେଲେ, ଏ ସମାଜରେ ଆଉ ତାକୁ କନ୍ୟା ମିଳିବେ ନାହିଁ ।

ସେ ହସି କହିଲା, - ତୁ ଜାଣିନୁ ସୁମନ, ମୋ ବାପା ଥିଲେ ଗୋସବାପାଙ୍କ ପାଳିତ ପୁତ୍ର । ଗୋସବାପା, ଅଣ ଗୋସବାପା ଓ ପଣ ଗୋସବାପା ବି ଥିଲେପୋଷ୍ୟ ପୁତ୍ର । ମୋ ବଂଶ କଣ ଚାଲିନାହିଁ । ମୁଁ ଏ ବଂଶରେ ଅନେକ ପିଢିପରେ ପ୍ରଥମ ଜନ୍ମିତ ପୁତ୍ର ସନ୍ତାନ । କିନ୍ତୁ ଲାଭ କଣ ହେଲା? ମୋ ବାପା ଚାଲିଗଲେ ମୁଁ ତାଙ୍କୁ ଚିହ୍ନିବା ଆଗରୁ । କୁଳଜ୍ୟୋତିଷ ମାଆ ମୁଣ୍ଡରେ ପୁରାଇ ଦେଇଛନ୍ତି ଯେ ନାତିକୁ ଚାହିଁଲେ ପୁଅକୁ ଚାହିଁବୁ ନାହିଁ । ତୁ ତ ଜାଣୁ, ମାଆ କେତେ ଆଧୁନିକ ଚିନ୍ତାଧାରାର । ଯେତେ ସବୁ ବହି ଓ ସାଧାରଣ ଲୋକଙ୍କ ପାଇଁ ବିଜ୍ଞାନ ପତ୍ରିକା ତୁ ନେଇଯାଉ ତା ପାଇଁ, ସବୁ ସେ ବୁଝି ବୁଝି ପଢେ । ଏମିତି କଥାକୁ ଆମେ ମାଆ ପୁଅ ଅନ୍ଧବିଶ୍ୱାସ ମନେକରୁ । କିନ୍ତୁ ତଥାପି ଅଂଶୁ ଆମ ଜୀବନକୁ ଆସି ଆମ ଭାବନା ଅନେକ ବଦଳେଇ ଦେଇଛି । ତା ଜୀବନର ପରିସ୍ଥିତି ଦୃଷ୍ଟିରୁ ସ୍ୱଭାବିକ ଭାବେ ସେ ଜଣେ ବିଚଳିତ ମାଆ । ତା ମନକୁ ଜ୍ୟୋତିଷଙ୍କ କଥା ଆଲୋଡିତ କରିଛି । ମାଆ ଭାବନ୍ତି ଈଶ୍ୱର ଆମକୁ ସାଙ୍କେତିକ ଚେତାବନୀ ସହ ପ୍ରତିକାର ବ୍ୟବସ୍ଥା ବି କରିଛନ୍ତି ଅଂଶୁ ମାଧ୍ୟମରେ ।

ଏ ତ ଗଲା ବିଶ୍ୱାସ ଓ ଅନ୍ଧବିଶ୍ୱାସର କଥା, କିନ୍ତୁ ସାମାଜିକ ଦିଗଟି ଦେଖ । ଅଂଶୁର ବାପା ମାଆ ଚାଲିଗଲେ । ସେ ଛୋଟ ଥିଲା । ହୁଏତ ସେ ସେମାନଙ୍କୁ ଆଉ ସ୍ମରଣକୁ ଆଣୁନାହିଁ । ମୋ ମାଆ ବା ତା ଜେଜେମାଆ ଏବଂ ମୁଁ ତା ପାଇଁ ସବୁକିଛି । ସେ କଣ ଆମକୁ ଖୁସି ଦେଉନି । ପରିଚାରକ ପରିଚାରିକା ସବୁ ଥାଇ ବି ବାଳକ ଅଂଶୁ ନଥିଲେ ମୁଁ କଣ ମାଆଙ୍କୁ ଛାଡି ଏମିତି ବୁଲି ପାରୁଥାନ୍ତି? ମୋର କଣ ସମ୍ପୂର୍ଣ୍ଣ ଏକ ବାପାର ଭାବନା ତା ପ୍ରତି ଆସୁନି କି? ଆସୁଛି ପୂର୍ଣ୍ଣମାତ୍ରାରେ । ଅତଏବ୍ ସେ ମୋର ପୁଅ ଓ ମୁଁ ତାହାର ବାପା । ତେଣୁ ମନରେ ଦ୍ୱନ୍ଦ୍ୱ, ପୁଅର ଭଲ ହେବ ନା ମନ୍ଦ ହେବ ମୁଁ ଯଦି ବାହାହେବି! ଯଦି ସେ ମୋର ଜନ୍ମିତ ପୁତ୍ର ହୋଇଥାନ୍ତା କଥା ଅଲଗା । ସେ ତା ଅଧିକାର ସାବ୍ୟସ୍ତ କରିଥାନ୍ତା । ଆମେ ତ କୌଣସି ବୈଧାନିକ ବ୍ୟବସ୍ଥା କରି ତାକୁ ଗ୍ରହଣ କରିନୁ, ପାରମ୍ପରିକ ରୀତିରେ ଦିଅଁ ଦେବତାଙ୍କୁ ସାକ୍ଷୀ ରଖି ତାକୁ ଗ୍ରହଣ କରିଛୁ । କାଲି ମୋର ନିଜ ସନ୍ତାନ ଓ ପତ୍ନୀ ମୋ ଜୀବନକୁ ଦୁର୍ବିସହ କରିବେ ନାହିଁକି ଅଂଶୁକୁ ସମ୍ପତ୍ତି ଦେଲେ ।

ଏଣୁ କେବଳ ଅନ୍ଧବିଶ୍ୱାସ ପାଇଁ ନୁହେଁ ବହୁତ ଭାବିଚିନ୍ତି ମୁଁ ଭାବୁଛି ଯେ ଅଂଶୁ ରୂପକ ଉପହାରକୁ ଲାଳନ ପାଳନ କରିବାର ଯୋଗ୍ୟତା ମୋର ରହୁ । ବାସ୍ତବିକ ମୁଁ ଖୁବ ଖୁସି ମୋ ପୁଅକୁ ନେଇ । ଆଉ ଅନିଶ୍ଚିତତା ମଧ୍ୟକୁ ଯିବାର ଇଛା, ଉଦ୍ଦେଶ୍ୟ ବା ସାହସ ନାହିଁ ।

ସେ ନୀରବ ରହିଲା ।

ମୁଁ ତା ତର୍କରେ ପରାଜିତ ଅନୁଭବ କରୁଥିଲି । ମୁଁ ମାୟାର ଏମିତି ନିଷ୍ପତିରେ କିଛି ତ୍ରୁଟି ଦେଖି ପାରୁନଥିଲି । ତା ଭାବନା ମଧ୍ୟରେ ମୋ ପରିଚୟର ପ୍ରଭାବ ତାହେଲେ ନାହିଁ । ମୁଁ ନିଜକୁ ଦୋଷୀ ମନେକରିବାର କାରଣ ନାହିଁ । ମୋ ପଥ ପରିସ୍କାର ଦେଖାଗଲା । ମୁଁ ଆଉ ଅପେକ୍ଷା କରିବାର କାରଣ କିଛି ନଥିଲା ।

ପୁଣି ମୋ ଜୀବନଟି ମୋତେ ଲାଗିଲା ଅନେକ ସୁଯୋଗର ସମାହାର । ଟାଟାର କଳାବୃତ୍ତି ପାଇବା, ଲକ୍ଷ୍ମୀ ମାଆଙ୍କ କଥା ପଦେ ଶୁଣିବା, ମାୟାଧର ପରି ବନ୍ଧୁ ଓ ସୁରକ୍ଷାଟିଏ ପାଇବା, ଭଲ ପାଠ ପଢିବା, ଆମ ବ୍ରାଣ୍ଡ୍ ସଫଳ ହେବା, ମାଆ ଜଣେ ପାଇବା, ମୋ ପରିବାର ମୋ ସହ ଶାନ୍ତିପୂର୍ଣ୍ଣ ବ୍ୟବହାର କରିବା ଓ ଜୀବନରେ ସଫଳ ହେବା; ଏସବୁ ମୋତେ ସ୍ୱପ୍ନ ଭଳି ମନେହେଲା । ତା ସହ ଆମ କଳା ସମ୍ପର୍କ ସୁଦୃଢ ହେବା ଅତି ମହତ୍ୱପୂର୍ଣ୍ଣ ନୁହେଁ କି!

ଏବେ ପୁଣି ଅଂଶୁ । ଇଛା ହେଉଥିଲା କହିବାକୁ, ମାୟା ତୁ ଘର ସଂସାର କର, ଅଂଶୁ କଥା ଚିନ୍ତା କରନାହିଁ । ତା ପାଇଁ ମୁଁ ଅଛି । କିନ୍ତୁ ମୁଁ ବୁଝି ସାରିଥିଲି, ଅଂଶୁ, ତା ଜେଜେମାଆ ଓ ତା ବାପା ଏକ ପରିବାରର ରାସାୟନିକ ସମୀକରଣ ସୂତ୍ରରେ ବାନ୍ଧି ହୋଇ ଯାଇଛନ୍ତି ।

କେବଳ ମାଆ ହିଁ ଶେଷ ଭରସା । ତାଙ୍କୁ ବୁଝାଇ କହିବି ଓ ମାୟା ବାବଦରେ ନିଷ୍ପତି ନେବାକୁ ଅନୁରୋଧ କରିବି । ତାପରେ ଦୁନିଆକୁ କହିବି ମୋର ପରିଚୟ । ଏହା ମୋ ମନରେ ସ୍ଥିର ହୋଇ


ଗଲା । ହେଲେ, ମାଆଙ୍କୁ କହିବାକୁ ମୋତେ ସଙ୍କୋଚ ଲାଗିବ ନାହିଁ ତ! ମାଅ କ’ଣ ଭାବିବେ? ମୋତେ ବେତରେ ପିଟି ଘରୁ ନିକାଲି ଦେବେ ଯଦି!

- ଏ ମାୟା! ମାଆଙ୍କୁ ତ ମୋ ବାବଦରେ କହିବାକୁ ପଡିବ । ତୁ ଟିକେ ମୋ ପାଇଁ କହନ୍ତୁ ନାହିଁ? ମୋତେ ଲାଜ ଲାଗିବ । ଡର ବି ଲାଗୁଛି । ତୁମ ଘର ଦରଜା ମୋ ପାଇଁ ସବୁଦିନ ବନ୍ଦ ହୋଇଗଲା ଜାଣିଥା । ତଥାପି ମୁଁ ଚାହୁଁଛି, ମାଆଙ୍କୁ ଓ ମୋ ପରିବାରକୁ କହିଲା ପରେ ଯାଇ ମୁଁ ଦୁନିଆକୁ କହିବି । ଦୟାକରିଏତିକି ସାହାଯ୍ୟ କରିବୁ ।

- ତୁ ଅଯଥା ଡରୁଛୁ ସୁମନ । ମାଆଙ୍କ ଭାବନା ସବୁବେଳେ ଥାଏ ଅନ୍ୟ ଲୋକଙ୍କୁୁ ତାଙ୍କ କଥା କେମିତି ଲାଗିବ । ସେ କେବେ କାହା ମନରେ ଦୁଃଖ ଦେବା ସମ୍ଭବ ନୁହେଁ । ହେଉ ହେଲା ମୁଁ ମାଆଙ୍କୁ ବୁଝାଇ କହିବି ।