Search This Blog

Saturday 9 September 2017

।।।।।।।।।ବ୍ୟାପ୍ତି।।।।।।।।

।।।।।।।।।ବ୍ୟାପ୍ତି।।।।।।।।
ସାଗର କୂଳେ ନୀଳାଚଳ,
ନୀଳ ଫେନିଳ କୋଳାହଳ,
ଆପଣାର ସଙ୍ଗେ କଥା ହୁଏ,
ଫୁତ୍କାରେ ଫୁତ୍କାରେ,
ଦିଗ୍-ବଳୟ ସୀମା ସେପାରିର
ବାର୍ତ୍ତା ଆଣେ, ବେଳାଭୂମି-ପରେ,
ସେ ନିର୍ଘୋଷ ମୋତେ ବ୍ୟାପ୍ତ କରେେ ,
ଇଛା ହୁଏ ଗୋଟାପଣେ କରନ୍ତି ଆୟତ୍ତ,
ସାଇତି ରଖନ୍ତି ତାରେ, ହୃଦୟର ଗମ୍ଭୀରା ଗହ୍ବରେ।।

ଆଞ୍ଜୁଳାଏ ଭରିବାକୁ,
ପାଏ ନାହିଁ କାଣିଚାଏ ଶୂନ୍ୟସ୍ଥାନ,
ଭରିଅଛି ସବୁ କୋଣ ଅନୁକୋଣ,
ହିଂସା, ଦ୍ଵେଷ, ଅହଂକାର, କ୍ରୋଧ, ଅଭିମାନ,
ବଡପଣ ମିଳାଇଲା ବୁଦ୍-ବୁଦ୍ ସ୍ବଭାବେ,
ପଚାରିଲି ରତ୍ନାକରେ,
ଏଡିକି ବିଶାଳ ହେଲା କି ଭାବରେ,
ଆନମନା ଭିଜିଗଲି, ତା'ର ଏକ କ୍ଷୂଦ୍ର ଲହଡିରେ,
ଏ ତ ଏକ ମୃଦୁ ହାସ୍ୟ ମାତ୍ର,
ଦରିଆ କହିଲା ତା'ର, ଅବିରାମ ଚପଳ ଛନ୍ଦରେ।।

ଭରେ ଆଖି ଦେଖି ତା'ର ବ୍ୟାପ୍ତି,
ଗଭୀରତା ମାପିବି କେମିତି,
ଗମ୍ଭୀର ସେ ଯେଉଁଠି ଗଭୀର,
ଅଗଭୀର ଅଟ୍ଟହାସ୍ୟେ ବଡିମା ଦେଖାଏ,
କାଲି ଯିଏ ଦିଶୁଥିଲେ,
ମହାଦୃମ ସାଗର ପରାଏ।
କେଡ଼େ କ୍ଷୂଦ୍ର, ମରଭୂମେ ଗବ ବୃକ୍ଷ ପ୍ରାଏ।
ଅତି କ୍ଷୂଦ୍ର ପୁନଶ୍ଚ ଲହଡି,
ପିଟିଦେଇ ଭାଙ୍ଗିଦେଲା,
ମୋ ମନର ଅବଶିଷ୍ଟ ଅହମିକା, ଯେତେ ବାଲିଘର।।

ସାଗର କହିଲା, ମୁଁ କି ବଡ!
ଦେଖୁଛ ତ ଜ୍ୟୋତିର୍ମୟ ସହସ୍ରାଂଶୁ,
ସିଏ ବଡ଼,
ଝଲକାଏ ତା କିରଣ,
ମୋର ବ୍ୟାପ୍ତ ପରିସୀମା କରେ ଆଛାଦନ,
ତ୍ବେଜଦୀପ୍ତ ଆତ୍ମ ଜ୍ବଳନ ମଧ୍ୟେ,
ନଭଲୋକେ ଋଷି ପ୍ରାୟ,
ପାଳୁଥାଏ ନବ ଗ୍ରହ, ସହର୍ସ ପ୍ରଶାନ୍ତ,
ସେହି ତା ମହତ୍ତ୍ଵ।

ସେ ମହତ୍ତର ଆଭା,
ଭରିଦେଲା ରୋମଞ୍ଚନ,
ଦୁଃସାହସେ ଚାହିଁଲି ମୁଁ ତାରେ,
ଅବିଚଳ ସ୍ଥିତପ୍ରଜ୍ଞ,
ଜାଣି ନପାରିଲି, ଚାହିଁଲା କି ନାହିଁ,
ପାଇଲି ଉତ୍ତର,
"ମୁଁ ତପନ ନିମିତ୍ତ ମାତର,
ମୋ ପରିବାର ବାହାରର ବିଶ୍ବ, ଅନେକ ଆକାର,
ଜଣେ ମାତ୍ର ଯାହାର ନିୟନ୍ତା,
ସିଏ ଅଣାକାର"।

ଅଣାକାରେ କିଏ ବା କଳିବ,
ସାଗରରେ, ଆକାରେ ଭାସିଲା କାଳେ,
ଅନନ୍ତକୁ ଆୟତ୍ତିଲା ବିଶ୍ୱାବସୁ ଶବର ରାଜନ,
ଛଳେ ଚୋରାଇଲା ଆର୍ଯ୍ୟ,
କାହା ଇଚ୍ଛା ବଳେ ଖଣ୍ଡିଆ ପ୍ରତିମା,
ନାହିଁ ଚଳତ୍ ଶକ୍ତି,
ଇନ୍ଦ୍ରଦ୍ୟୁମ୍ନ ବନ୍ଦୀ କଲେ ବଡ ଦେଉଳରେ,
ସାମ୍ନା ସାମ୍ନି ଲାଖିଗଲି ଦେଖି ଚକାଆଖି,
ନକହି କହିଲି,
କହରେ କାଳିଆ ଅଥର୍ବ, ସୂର୍ଯ୍ୟ ଠାରୁ କେତେ ବଡ଼,
କେତେ ତୋର ବ୍ୟାପ୍ତି??

ତା ହସ ତ ଅଲିଭା,
ଅକଳନ୍ତ ସହସ୍ର ବିଷ୍ବ ବ୍ରହ୍ମାଣ୍ଡ,
ଅକଳ୍ପେୟ ଅଣାକାର ସର୍ବେ ସମାହିତ,
ଗୋଲାକାର ଚକ୍ଷୁ ମଧ୍ୟେ,
ତା ମଧ୍ୟେ ମୋ ସତ୍ତାବି ହେଲା ଦ୍ରବୀଭୁତ,
ଭୁଲି ଗଲି ମୋର ଉପସ୍ଥିତି,
ଅପଚରା ଶେଷ ପ୍ରଶ୍ନ କେମିତି ଶୁଣିଲା ସତେ,
ନିର୍ବାକ ଉତ୍ତର, ନଶୁଣି ଶୁଣିଲି,
ପଚାରୁଛୁ ବ୍ୟାପ୍ତି କା'ର କେତେ,
ବେଳାଭୂମି ସାଥେ ଏ ସାତ ସମୁଦ୍ର,
କୋଟିସୂର୍ଯ୍ୟ, ଅର୍ବୁଦ ବ୍ରହ୍ମାଣ୍ଡ,
ଯେତେ ସୃଷ୍ଟି ମୋର,
ସବୁକୁ ଏକାଠି କଲି , ଥୋଇଲି ମୁଁ ମୋ ସମେତ, ତୋର ହୃଦୟରେ,
କାହିଁ ଅହଂ, ହିଂସା, ଭୟ, ଲୋଭ, କ୍ରୋଧ,
ସବୁ ନାଶି ମୋ ହୃଦୟ ବ୍ୟାପ୍ତ କଲା,
 ବ୍ୟାପ୍ତି ମଧ୍ୟେ ଆପଣାର ସତ୍ତା ହରାଇଲି।

Tuesday 5 September 2017

ରାଜୁବାବୁଙ୍କ ସାହିତ୍ୟ ଶିକ୍ଷା।

ରାଜୁବାବୁଙ୍କ ସାହିତ୍ୟ ଶିକ୍ଷା।
ରାଜୁବାବୁ ଲେଖକ ପଦବାଚ୍ୟ ହୋଇଥିବା ଆପଣାକୁ ପ୍ରତ୍ୟୟ ହୁଏ, ତାଙ୍କ ଗଳ୍ପଟି କାହାଣୀ ପତ୍ରୀକାରେ ପ୍ରକାଶିତ ହୋଇଛି ଯେହେତୁ। ଆତ୍ମବିଶ୍ୱାସର ପ୍ରାବଲ୍ୟରେ ସେ ତାଙ୍କ ସବୁ ପୁରୁଣା ଲେଖା ଗୁଡା ଅଣ୍ଡାଳି ପକାଇଲେ। ଇଛା ସେ ସବୁରୁ କିଛି କଇଁଚିରେ କର୍ତ୍ତନ କରି ଓ ପୁଣି ଥରେ ରଙ୍ଗ ତୂଳୀର ଆଉ କିଛି କାରୁକାର୍ଯ୍ୟ ଯୋଡ଼ା ଯୋଡ଼ି କରି ସେମାନଙ୍କୁ ପଠନଯୋଗ୍ୟ କରାଇବେ। ଆଜିକାଲି ତାଙ୍କ ସମୟତକ ସାହିତ୍ୟମୟ ହୋଇଗଲାଣି। 
ପୁରୁଣା ଖୋଇ, କିଛି ଲେଖିବା ଆଗରୁ, ତାଙ୍କ ପାଠାଗାରର ଏକ ନିର୍ଦ୍ଦିଷ୍ଟ କୋଣରୁ ଅନ୍ଧ ହିସାବରେ ବହିଟିଏ ଉଠାଇ ତାହାର କୌଣସି ଏକ ପୃଷ୍ଠା ପଢି ଚାଲିବେ। ସେ ଭାଗରେ ଗଛିତ ସମସ୍ତ ପୁସ୍ତକ ଲବ୍ଧପ୍ରତିଷ୍ଠ ସାହିତ୍ୟିକଙ୍କ ଲୋକପ୍ରିୟ କୃତି। ସବୁତକ ସେ ପଢିଛନ୍ତି, କେତେକ ଏକାଧିକ ବାର। କିନ୍ତୁ ପୁରୁଣା ଅଭ୍ୟାସ। ସେଦିନ ଯେଉଁ ଉପନ୍ୟାସଟି ହାତରେ ପଡିଲା ତାହା 'ପ୍ରଭଞ୍ଜନ'ମନୋଜ ଦାସଙ୍କ ପ୍ରଭଞ୍ଜନ।
ଏହି ପ୍ରବାଦ ପୁରୁଷ, ପ୍ରକୃତିର ପ୍ରତିଟି ମହତ୍ତ୍ୱପୂର୍ଣ୍ଣ ଉପାଦାନକୁ କେବଳ ଯେ ବ୍ୟକ୍ତିତ୍ବ ସମ୍ପର୍ଣ୍ଣ ଚରିତ୍ରରେ ପରିଣତ କରିଛନ୍ତି ତାହା ନୁହେଁ, ସ୍ଥାନ କାଳ ପାତ୍ର ହିସାବରେ ଜଣେ ପ୍ରକୃତି ବିଭବଙ୍କୁ ଭିନ୍ନ ଭିନ୍ନ କରିଛନ୍ତି। ଯେମିତି, ବାଳରବି, ପୁଣି କିଶୋର ଓ ଯୁବରବି। ସେମାନେ ଏକ ବୃକ୍ଷର ଛାଇକୁ ବିଭିନ୍ନ ଆକାର ଓ ପ୍ରକାରର କରିଦିଅନ୍ତି, ସେ ଛାଇ ପୁଣି ମୃଦୁ ମଳୟ ଅବା ପ୍ରଖର ପବନ ପ୍ରଭାବିତ ହୋଇ ଶାସ୍ତ୍ରୀୟ କିମ୍ବା ଜ୍ୟାକ୍ନସନୀୟ ନୃତ୍ୟ କରିବା ସମ୍ଭବ। ଏସବୁ ବର୍ଣ୍ଣନା, ଉପନ୍ୟାସର ଗତିଶୀଳତାକୁ ବ୍ୟାହାତ ନକରି ବରଂ ତ୍ବରାନ୍ବିତ କରିଛି।
ରାଜୁବାବୁ ଭାବିଲେ, ଏ ବର୍ଣ୍ଣନା କଣ ମଣିଷ ଦ୍ବାରା ସମ୍ଭବ। ସେ ନିଜେ ତ ଗପଟିଏ ଲେଖିଲେ, ନିଜକୁ ସୀମିତ ରଖିଦିଅନ୍ତି ତାହାର ମାନବୀୟ କଳାକାରଙ୍କ ମଧ୍ୟରେ। ଅତି ବେଶିରେ କେଉଁଠି ଥିବ କୁକୁରଟିଏ, ଛେଳି, ବିଲେଇ, ମାଙ୍କଡ଼ କମ୍ବା ବାଛୁରୀ ଛୁଆଟିଏ। ଯଦି ଦୈବାତ ପ୍ରକୃତି କଥା ସ୍ମରଣ ହେଲା ଓ ଦୁଇ ପଦ ଯୋଡା ଗଲା, ତାହେଲେ ଗଳ୍ଫଟି ଆଗକୁ ଯାଇପାରେନି। ବର୍ଣ୍ଣନା ଅତ୍ୟନ୍ତ କୃତ୍ରିମ ମନେ ହୁଏ। ସେ ନିଜେ ଅନୁଭବ କଲେ, ତାଙ୍କ କାହାଣୀ, ଏକ ପନ୍ଦର ଗୁଣନ ଦଶ ଫୁଟର ମଞ୍ଚରେ ସୀମିତ, ଯଦିଓ ଆଦ୍ୟରେ ଏହା ବ୍ୟାପକ ମୁକ୍ତ ସମାଜର ବିସ୍ତୃତ ରଙ୍ଗମଞ୍ଚରେ ଉଦ୍ଭାସିତ ହେବା ସେ ଆଶା କରିଥିଲେ।

ଆହାଃ ସେ ସେମିତି ଲେଖି ପାରନ୍ତେ ନାହିଁ! 
ଗଭୀର ଭାବେ ଚିନ୍ତା କରି ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ବୋଧହୁଏ ସେ ପ୍ରକୃତି ସହ ଏକାତ୍ମ ହୋଇ ପାରୁନାହାନ୍ତି। ଯଦି ପ୍ରକୃତିକୁ ଉତ୍ତମ ରୂପେ ଚିହ୍ନିପାରନ୍ତେ ତାହେଲେ ସେ ମହାଶୟା ସଦଳବଳେ କଲମ ମୁନକୁ ରୋଷଣୀ କରି ଆସନ୍ତେ।
ଏହା ଦିନକର ଭାବନା ନୁହେଁ। ଅନେକ ଦିନ ହେଲା ସେ ଆତ୍ମୀୟତା ଜାଗ୍ରତ ପ୍ରୟାସୀ ହୋଇଛନ୍ତି। ସୂର୍ଯ୍ୟୋଦୟ ଦେଖିବାକୁ  ନିଦ ମଳ ମଳ ଆଖିରେ ସେ ଘର ବାହାରକୁ ନିଜକୁ ଠେଲି ନେଇଛନ୍ତି। ସୂର୍ଯ୍ୟାସ୍ତର ବହୁବିଧ ବର୍ଣ୍ଣାଳିକୁ ମାନସ ପଟରେ ଲେପ ଦେବାକୁ ଚେଷ୍ଟା କରିଛନ୍ତି  ଚନ୍ଦ୍ର ଉଦୟ, ଓ ତାର ଗତିପଥ, ତାରା ପୁଞ୍ଜର ଛକା ପଞ୍ଝା ପଶ୍ଚିମା ଗତିକୁ ବିନିଦ୍ର ନୀରିକ୍ଷଣ କରି ବିଭୋର ହୋଇଛନ୍ତି। ବଗିଚାର ଫୁଲଫଳ ସହ ଭ୍ରମର ଓ ପ୍ରଜାପତିଙ୍କ ଚପଳ ଛନ୍ଦ ଓ ସବୁଜିମାର ସ୍ନିଗ୍ଧ ଶୀତଳତାରେ ଅବଗାହନ କରିଛନ୍ତି। ଆହୁରି ଅଧିକ ଆତ୍ମୀୟ ହେବା ପାଇଁ ଝାଳ ନାଳ ହୋଇ ବୃକ୍ଷଲତାର ସେବା କରିଛନ୍ତି। 
ମନରେ ଭରସା ଆସିଛି, ଏଣିକି ହେବ। 
କିନ୍ତୁ କାହିଁ, ଲେଖା ତା ବାଟରେ, ତେଲ ଲୁଣ ଅଭାବ ଅସୁବିଧାରେ ନିମଗ୍ନ ହୋଇ ରହିଯାଏ। ଅଳଙ୍କାର ସବୁ, କୋଲପ ଦିଆ ମନ ସିନ୍ଦୁକରେ କଇଁଚର ବେକ ଭଳି ଜାକିଜୁକା ହୋଇ ରହିଯାନ୍ତି, ଯେତେ ନିଶବ୍ଦରେ ଅପେକ୍ଷା କଲେ ବି କଇଁଚ ଭଳି ପୁନରପି ମୁଣ୍ଡ ବାହାର କରନ୍ତି ନାହିଁ, କୁଞ୍ଚିକାଠି ମିଳେନିଲେଖା ଗୁଡା ସେମିତି ଚାଲୁ ରହିଯାନ୍ତି। 

ରାଜୁବାବୁ ଗୋପୀନାଥ ମହାନ୍ତିଙ୍କ 'ପରଜା' କି 'ଅମୃତର ସନ୍ତାନରେ ଘାଏ ପଢିଛନ୍ତି; ଦେଶୀୟ ଲୋକେ ଯେବେ ଘାଟି ରାସ୍ତାର ଅଙ୍କା ବଙ୍କା ଉଠାଣି ଓ ଗଡାଣିରେ, ହାତରେ ଲେଲିହାନ ଦିହୁଡି ସହ ଶୋଭାଯାତ୍ରା ଲମ୍ବାଇଛନ୍ତି, ତାହା କେଉଁ ପ୍ରାଗୈତିହାସିକ ଜ୍ୟୋତିର୍ମୟ ଗତିଶୀଳ ବିଶାଳ ସରୀସୃପର ଭ୍ରମ ସୃଷ୍ଟି କରୁଛି। ବାଃ, ସତେ କଣ ସେ ଡାଇନୋସର ଜାତୀୟ ଜୀବ ଦେଖିଥଲେ, ଷ୍ଟିଭେନ୍ ସ୍ପିଲବର୍ଗ ଜୁରାସିକ୍ ପାର୍କ ଦେଖାଇବା ଆଗରୁ। ବାକ୍ୟଟି ମଧ୍ୟରେ ଲକ୍ଷେ ଜୁରାସିକ୍ ଦ୍ରବୀଭୁତ ହୋଇଛନ୍ତି।
ରାଜୁବାବୁ ସଂକଳ୍ପ କଲେ, ଆସନ୍ତା କାଲି ସକାଳେ ନିଜର ଅନ୍ୟାନ୍ୟ ବ୍ୟକ୍ତିଗତ ଓ ବୃତ୍ତିଗତ କାର୍ଯ୍ୟ ବନ୍ଦ କରି, ଏକନିଷ୍ଠ ଚିତ୍ତରେ ପ୍ରକୃତିକୁ ଅନୁଧ୍ୟାନ କରିବେ।
ବ୍ରାହ୍ମ ମୁହୁର୍ତ୍ତରୁ ଉଠିପଡି ଛାତ ଉପରକୁ ଚଢିଗଲେ। ବର୍ଷା ଦିନ, ଛତାଟିଏ ସାଥିରେ  ଅଛି। ଏବେବି ଆକାଶରେ କାଁ ଭାଁ ତାରା ଦିଶୁଛନ୍ତି। ଅମ୍ବର ନିର୍ମଳ। କୁଆଁତାରାର ଅଳ୍ପ କ୍ଷଣର ଉଜ୍ଜ୍ୱଳ ଉପସ୍ଥିତି। କୃଷ୍ଣ ପକ୍ଷ ଦ୍ବିତୀୟା ତିଥି। କାଲି ରାତି ଏକ ଘଡିରେ ଜହ୍ନ ଉଇଁଥିଲା, ପୁନେଇ ପର ଦିନର ବେଶ୍ ବଡ଼ ଜହ୍ନ, ଯେମିତି ଶିଶୁଟିଏ  କଅଁଳ ହସ୍ତରେ ମଣ୍ଡୁଳା ଲେଖିବା ବେଳେ ସାମାନ୍ୟ କିଛି ଅଂଶ କମିଯାଇଛି। ଆଜି ପ୍ରାତଃ ଏକ ଘଡି ପର୍ଯ୍ୟନ୍ତ ପଶ୍ଚିମ ଦିଗର ଏକ ଅନୁଚ୍ଚ ଓ ବେନମୀ ପାହାଡ ଚୁଳରେ, ଚନ୍ଦ୍ରମା ଅବଶ୍ୟ ବିଦାୟ ପୂର୍ବର ଉପସ୍ଥିତି ଜାହିର କରୁଛନ୍ତି। ସୁରୁଜ ଉଇଁଲେ ଯାଇ, ସେ ମେଲାଣି ନେବେ। ସୂର୍ଯ୍ୟ କେଉଁ ସିଧାରେ ଉଇଁବେ, ତାର ଏକ ଆନୁମାନିକ ବିନ୍ଦୁ କଳନା କରି ତହିଁ ଉପରେ ଦୃଷ୍ଟି ନିବଦ୍ଧ କଲେ। ପୂର୍ବ ଦିଗନ୍ତ, ମଧୁବନର ମାଳ ମାଳ କାରଖାନାର କୃତ୍ରିମ ଆଲୋକରେ ଆଲୋକିତ। ସିନ୍ଦୁରା ଫିଟିବାର ଦୃଶ୍ୟରୁ ବଞ୍ଚିତ ହେବା ଅବଶ୍ୟମ୍ଭାବୀ। ଚତୁର୍ଦିଗ କ୍ରମେ ଉଦ୍ଭାସିତ ହୋଇ ଆସିଲା। କୃତ୍ରିମ ଆଲୋକ ମାଳା ନିଷ୍ପ୍ରଭ ହେବାକୁ ଲାଗିଲେ। ସହସ୍ରାଂଶୁ ତଥାପି ସ୍ବଦେହେ  ଆବିର୍ଭୂତ ହୋଇ ନାହାନ୍ତି।
ଏକ ଭ୍ରମପୂର୍ଣ୍ଣ ଅନୁଭବ ଏମିତି ହେଲା ଯେ, ସତେ ଅବା ଏହି ବର୍ଦ୍ଧିତ ଉଜ୍ଜ୍ବଳତାର ଉତ୍ସ ସେହି ବିଦାୟୀ ଚନ୍ଦ୍ରମା। ରାଜୁବାବୁଙ୍କ ପରି, ଦକ୍ଷିଣର ସେ ସୁନାଝରି ପାହାଡ଼ ବି ଏମିତି ଏକ ଭ୍ରମରେ ପଡିଥାଇ ପାରେ, ତାହା ଜାଣିବାର ଉପାୟ ନାହିଁ, ମାତାଙ୍କ ଆବକ୍ଷ ଆଛାଦିତ କରିଛି କନ୍ୟାକୁଆଁରୀ ପତଳା ମେଘମାଳା, ଏ ଅନ୍ୟଥା ନିର୍ମଳ ପରିବେଶରେ, କେଜାଣି କେଉଁ ଆଡୁ ଏ ଫେନିଳ ଚାଦରଟି ବାର ବାର ଆସି ସୁନାଝରିକୁ ଆବୃତ କରେ, ଆଦ୍ର କରେ ଅବା ବର୍ଷିଯାଏ। ରାଜୁବାବୁଙ୍କ ପାହାଡ ତଳର ଏ କୃଷିଜୀବି ନିମ୍ନବର୍ଗର ଗ୍ରାମ ଶ୍ରେଷ୍ଠପାଳ, ଉପକୃତ ହୁଏ, ମା ଝିଅଙ୍କ ଏ ବର୍ଷଣ ପିଆସୁ ଖେଳରେ। ଚତୁର୍ଦିଗରେ ଚାଷ କାମ ଲାଗି ଗଲାଣି। ଅସ୍ପଷ୍ଟ ଆଲୋକରେ ବି, ଜମି ସବୁ ହସୁଥିବା ଅନୁଭବ ହେଲା। ଚମ୍ପାଗଛ ଏବେବି ପୁଷ୍ପଭରା, କିନ୍ତୁ ତାର ସୁବାଷର ତୀବ୍ରତାକୁ ନିୟନ୍ତ୍ରିତ କରିଛି ଜଳ କଣା, ତଥାପି ସେ ମନ୍ଦିତ ସୁଗନ୍ଧ ମନ୍ଦ ନୁହେଁ। ତା ସେପାଖକୁ, ହତାର ଅଗ୍ନି କୋଣରେ କଦମ୍ବ ଗଛଟି ଘୋ ଘୋ ବଢି ଚାଲିଛି, ବର୍ଷ କେଇଟାରେ ବିଶାଳ ବପୁ ଧାରଣ କରିଛି। ପ୍ରତି ଶାଖା ପ୍ରଶାଖାରେ ଖେନ୍ଦି ହୋଇଥିବା ଗୋଲ ପୃଥିବୀ ଆକୃତିର ପୁଷ୍ପସମ୍ଭାର, ଅନ୍ଧକାର ଉପରେ ବିଜୟ ଲାଭ କରି ନିଜ ଉପସ୍ଥିତି ଜାହିର କଲେଣି। ରାଜୁବାବୁ କିନ୍ତୁ ଗଛଟି ଉପରେ କେତେ ଦିନରୁ ଖପ୍ପା। ଏତେ ବଢିବା କି ଦରକାର ଯେ, କେତେ ବଡ ଇଲାକାକୁ ଛାଇ କରୁଛି, ସେଠି ଦୁବ ବି କଅଁଳୁ ନାହିଁ। ଅନେକ ଥର ଭାବିଛନ୍ତି ମୂଳ ଆଡୁ ତାର ଲମ୍ବା ଲମ୍ବା ସିଧା ଶାଖା ଗୁଡା ଛେଦନ କରିବେ।  ଭାବନ୍ତି ଶ୍ରୀକୃଷ୍ଣଙ୍କ ପ୍ରିୟ ବୃକ୍ଷରୁ ଡାଳ କାଟିବେ କେମିତି?  ଫୁଉଉ! ଏଇଟା କଣ କେଳି କଦମ୍ବ କି? ବୃନ୍ଦାବନର ସେ କେଳି କଦମ୍ବ ବୃକ୍ଷର ବଗିଚାକୁ, ଜଣେ ଗାଇଡ ଶ୍ରେଣୀୟ ପଣ୍ଡା ବହୁ ବର୍ଷ ତଳେ ବୁଝାଇ କହିଥିଲେ, ସେଗୁଡିକ କାଳେ ଚିର ଯୌବନ ସମ୍ପର୍ଣ୍ଣ। ପତ୍ର ଶୁଖେ ନାହିଁ କି ଝଡେ ନାହିଁ। କାହାକୁ ଓଳେଇବାକୁ ପଡେ ନାହିଁ। ରାତିରେ ବଂଶୀସ୍ବନ ଓ ଘୁଙ୍ଗୁରର ରୁଣୁଝୁଣୁ ଅଦ୍ୟାବଧି ଶୁଣାଯାଏ। ବାଳକ ରାଜୁ ହସିଦେବାରୁ ବୟସ୍କ ଜଣେ ଆକଟ କରି କହିଥିଲେ, ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର। ସେ ଜାଣନ୍ତି ନାହିଁ ତାଙ୍କ ବିଶ୍ୱାସର ପ୍ରଗାଢତା କେତେ, କିନ୍ତୁ ଏ କଦମ୍ବ ସେ କେଳି ଜାତୀୟ ହୋଇ ନଥିଲେ ମଧ୍ୟ ତାଙ୍କ ହାତ ଯାଏନି ଡାଳଟିଏ କାଟିବା ପାଇଁ। 
ନାଁ ଆଉ ନୁହେଁ କଟାକଟି କରିବା ବି ଏକ ପ୍ରକାର ଯତ୍ନ। ଯତ୍ନ ପାଇଁ ତାଙ୍କ ମନରେ ପ୍ରଯତ୍ନ  ଜାଗ୍ରତ ହେଲା।
ସୂର୍ଯ୍ୟ ତଥାପି ରଞ୍ଚେ ବି ଉଠି ନାହାନ୍ତି। ଶ୍ରେଷ୍ଠପାଳର ଗୃହ ଭୁଆସୁଣୀ ଓ କନ୍ୟା ରତ୍ନ ମାନେ ହାତରେ ପାଣି ଢାଳ ଧରି ସ୍ବଛ ଭାରତ କାର୍ଯ୍ୟକ୍ରମ ପାଳନ ପାଇଁ ସବୁଦିନ ପରି ବୁଦା ଆଡକୁ ଚାଲିଲେ। ରାଜୁବାବୁଙ୍କୁ ବହୁତ ସଚେତନ ଲାଗିଲା, କାହାର ନଜର ହୁଏତ ଛାତ ଉପରକୁ ପଡିନାହିଁ, ସେମାନେ ବି କେଉଁ ବୁଦା ଆଢୁଆଳକୁ ଚାଲିଗଲେ।  
ସରକାରୀ ସୁବିଧାରେ ଶୌଚାଳୟ କାର୍ଯ୍ୟକ୍ରମ ମଝିରେ ଜମକ ଧରିଥିଲା, ଯେଉଁମାନେ ଆଗଭର ହୋଇ ତିଆରି ଥିଲେ, ସେମାନେ ବି ଆଉ  ବ୍ୟବହାର କରୁଛନ୍ତି କି ନାହିଁ ସନ୍ଦେହ।
ରାଜୁବାବୁ ଭିନ୍ନ ଦିଗକୁ ମୁହଁ ବୁଲାଇଲେ। ଅନ୍ଧାରୁଆ ଦଳେ ଲୋକ ପଥର କଟା ହତିଆର ଓ ପାୱାର ଟିଲର୍ ଧରି କାମକୁ ବାହାରିଛନ୍ତି। ସେମାନେ ଏମିତି ଲୁଚିଛପି ମାଙ୍କଡା ପଥର କାଟୁଛନ୍ତି ଯେବେଠୁ ତହସିଲଦାର ମହାଶୟ ତାଙ୍କ କର୍ତ୍ତବ୍ୟ ପ୍ରତି ସଚେତନ ହୋଇ ଗଲେଣି। ଅବଶ୍ୟ ରାଜୁବାବୁ ଜାଣିଛନ୍ତି, ଏହି ନିକଟରେ କୌଣସି ଏକ ସରକାରୀ କାମରେ ଠିକାଦାର ବାବୁ ଏହି ଶ୍ରେଷ୍ଠପାଳିଆ ପଥର ହିଁ କିଣିଥିଲେ।
କେଉଟ ବିକେ ମାଛ, ଖାଏ କଙ୍କଡା; ଏହି ଲୋକେ ସଂସାରକୁ ପଥର ଦିଅନ୍ତି, ଅଥଚ ନିଜେ ରହନ୍ତି ଝାଟି ମାଟି ଘରେ, ପଡନ୍ତି ଚୋରି କେଶରେ। କେତେକ ଅବଶ୍ୟ ଇନ୍ଦିରା ଆବାସ ପାଇଛନ୍ତି। 
ରାଜୁବାବୁ, ଏହି ଲୋକେ କେମିତି ଏତେ ଅଭାବ ମଧ୍ୟରେ ଅତି ଭାବ୍'ରେ ଚଳନ୍ତି ତା'ର ଟେର୍ ପାଆନ୍ତି ନାହିଁ। କାହାଣୀର ଖୋରାକ ପାଇବା ପାଇଁ ବହୁତ ଥର ଏମାନଙ୍କ ସହ ଆଳାପ କରନ୍ତି। କାହାଣୀ ଧରା ଦିଏ ନାହିଁ ସତ, କିନ୍ତୁ ମିଳେ ନିରୋଳା ଆନନ୍ଦ। ବାଘ ଯେପରି ଶୀକାର ଖାଇ ବି ପାପୀ ନୁହେଁ, ବରଂ ନୀରିହ, ପ୍ରକୃତିର ସଚ୍ଚା ଅନୁଗାମୀ, ଏମାନେ ସେମିତି ଚୋରାରେ ପଥର କାଟି ବି, ଆଇନ ଉଲଙ୍ଘନ ପ୍ରତି ସମ୍ପୂର୍ଣ୍ଣ ନିର୍ଲିପ୍ତ। କେବେ କେବେ ଜୋରିମାନା, ଲାଞ୍ଚ ଧମକ ସମ୍ମୁଖରେ ଲାଙ୍ଗୁଡ଼ ଜାକି ଆତ୍ମ ସମର୍ପଣ କରିବାକୁ ପଡେ। ଚିନ୍ତା ନାହିଁ। ପାୱାର ଟିଲର ମାଲିକ, ଶ୍ରୀ କରୁଣା କର ବାବୁ ଭଡା ନିଅନ୍ତି, ମେସିନ ଜବତ କଥା ସେ ନିଜେ ବୁଝନ୍ତି। ତାଙ୍କ ପାଇଁ ମନ୍ତ୍ରୀଙ୍କ ଫୋନ୍ କଲ ଆସିବ, ବ୍ୟସ୍ତ କାହିଁକି? ସେ ବି ଏ ଶ୍ରେଷ୍ଠପାଳର ଅଧିକାଂଶ ଭୋଟ'ର ଅସଲ ମାଲିକ। ଏ ରାସ୍ତାର ଚଞ୍ଚଳତାରେ ତାଙ୍କ ଅବଦାନ ଏତେ ଯେ, ରାଜୁବାବୁ କେବେ କେବେ ଏହାକୁ କହନ୍ତି 'କରୁଣା କର' ମାର୍ଗ। କର ବାବୁ ଥରେ ଏକଥା ଶୁଣି ବହୁତ ହସିଲେ, କହିଲେ, "ରାଜୁବାବୁ! ମତେ କଣ ଜେଲରେ  ପୁରାଇବେ?"
ସେ ବି ସେମିତି ବଡ ନୀରିହ ଅସହାୟତା ସହ ତାଙ୍କର ଏ ନିର୍ଲିପ୍ତ ଚୌର୍ଯ୍ୟବୃତି ଜାରି ରଖିଛନ୍ତି। ରାଜୁବାବୁ ଏମାନଙ୍କ ବିରୁଦ୍ଧରେ କାଣିଚାଏ ଭାବି ପାରନ୍ତି ନାହିଁ। ସେ କ'ଣ ତେବେ ଚୋର ମାଉସୀଆ? ବିଚିତ୍ର ଏକ ଭାବନାରେ ଆନ୍ଦୋଳିତ ହୁଅନ୍ତି। ସବୁ ଚୋରଙ୍କ ପରି ସେ ବି ଭାବନ୍ତି, କର ବାବୁ କାହିଁକି ଚୋର ହେବମ, ଏ ସବୁ ଶ.. ବେଇମାନ ଯୁଗରେ ତାହୁଁ ତାହୁଁ ବଡ ଚୋର ତ ଆକାଶ ମାର୍ଗରେ ଛଞ୍ଚାଣ ପରି ଉଡୁଛନ୍ତି, ଯେଉଁଠି ଶୀକାର ଦେଖୁଛନ୍ତି, ବିଜୁଳି ବେଗରେ ଝାମ୍ପୁଛନ୍ତି।
ଛଞ୍ଚାଣ କଥାଟି ଦିମାକକୁ ଆସିଲା ପରେ ସେ ପୁଣି ସଚେତନ ହୋଇ ପଡିଲେ ଆଜି ସକାଳର ଅଭିସାର ସମ୍ପର୍କରେ।
କାଉ କେଇଟା କା କା କଲେଣି, ଏକ ବିଗତ ସଭ୍ୟତାର ସ୍ବଳ୍ପ ଅବଶିଷ୍ଟାଂଶ। କେଉଁ ଆଡେ ହଜିଗଲେ ସେମାନେ। ଉସୁନା ଧାନ ଶୁଖାଇଲା ବେଳେ, ଏମାନଙ୍କୁ ଘୋଉଡାଇବା ଥିଲା ଏକ ବିଶେଷ କାମ। ଆଜି ସେମାନେ ଅନେକ କିସମ ଜୀବଜନ୍ତୁଙ୍କ ପରି ନିଶ୍ଚିହ୍ନ ହେବାକୁ ବସିଲେଣି। ବିଜୁଳି ଟ୍ରାନ୍ସଫର୍ମରରେ ଲାଗି ଗୋଟିଏ କାଉ ମରୁଥିଲେ, ଶହଶହ କାଉ ଆସି ଓଳିଏ ରାଉ ରାଉ ହେଉଥିଲେ।  ଆଜି ମଲା ଡାମରାକୁ ଦେଖି ଆସିବାକୁ ଖଣ୍ଡିଆ କାଉର ବି ଦର୍ଶନ ମିଳେନି। କାହିଁ କେତେ କାଳ ହେଲା ସେ ନିଜେ ତ ଡାମରା କାଉଟିଏ ଦେଖି ନାହାନ୍ତି, ଶଙ୍ଖଚିଲ, ଫୁଲଶାଗୁଣା ବହୁ ଦୂରର କଥା। ଶୃଗାଳ ପଲ ଆଉ ରାତିର ପ୍ରହର ବାରି, ହୁକେ ହୋ ଅନୁଷ୍ଠାନ କରୁ ନାହାଁନ୍ତି।
କୁଆଡେ ଗଲେ! କୀଟନାଶକ ଖାଇ କୀଟ ମଲେ, ସେ କୀଟକୂ ଖାଇ ମୁଷା ମଲେ, ତାକୁ ଖାଇ ଏମାନେ ମରିଗଲେ କି? ତାଙ୍କ କଳ୍ପନା ପ୍ରବଣ ମନରେ ଏମିତି ନାନା ଭାବନା ପଶିଲା। କେଉଁଠି ପଢ଼ିଥିଲେ, ମଣିଷ ଓ ଗୋରୁଗାଈଙ୍କ ଔଷଧ ଡାଇକ୍ଲୋଫେନାକ୍ କୁଆଡେ ଚିଲ ଶାଗୁଣାଙ୍କ  ପାଇଁ ଭାରି ମାରାତ୍ମକ। 
ପ୍ରଭାତର ପ୍ରଥମ ପ୍ରହର ବିଗତ, ଜହ୍ନ ଆଉ ଦିଶୁ ନାହିଁ। ସେ ପୁଣି ପୂର୍ବ ଦିଗକୁ ମୁଁହ ବୁଲାଇଲେ। ଧେତ୍ ଆଜି ଆଉ ସୂର୍ଯ୍ୟୋଦୟ ଦେଖି ହେଲା ନାହିଁ। ସମ୍ଭବତଃ ମା ଭୋଉଣୀ ଓ ଝିଅ ମାନେ, ଫେରି ସାରିବେଣି। ସୁନାଝରି ଚୁଡାରୁ ଫେନିଳ ମେଘ, କଅଁଳ କିରଣର ସ୍ପର୍ଶରେ ଦିଶୁଛି ସେହି ସୂର୍ଯ୍ୟ ଦେବତାଙ୍କ ପାଇଁ ପ୍ରସ୍ତୁତ ଏକ ମନୋରମ ଦ୍ୟୁତିପୂର୍ଣ୍ଣ ଦିବ୍ୟରଥ। କିନ୍ତୁ ସିଧା ସଳଖ ଦେଖିଲେ, ବାଳରବି କଦମ୍ବ ଗଛ ଆରପାରିରେ ଅଦୃଶ୍ୟ। ରାଜୁବାବୁ ନିଷ୍ପତ୍ତି ନେଲେ ଆଜି କିଛି ନିମ୍ନ ଭାଗର ଶାଖା ପ୍ରଶାଖା ଛେଦନ କରିବେ।
ତଳକୁ ଓହ୍ଲାଇଲେ। କଟୁରୀ ଧରି ଗଲେ ପାଚେରୀ ପାଖକୁ। ସେଇଠି ପାଚେରୀ ଉପରେ ଚଢିଲେ, ତଳ ଡାଳ ଗୁଡା ହାତ ପାଇବ। ପତ୍ର ଝଡିଗଲେ ଏଥିରେ ମଞ୍ଚା କରିବେ, ତହିଁରୁ ଝୁଲିଵ ଛଚିନ୍ଦ୍ରା। ରଞ୍ଜା ଦେବେ, ଝୁଲିବ ଝୁଡୁଙ୍ଗ, କଲରା, ଶିମ୍ବ। ମୃତ୍ୟୁ ପରେ ବି ଉପକାର ପାଇଁ ପ୍ରସ୍ତୁତ। ଶୁଖିଲା ଡାଳକୁ ଆଶ୍ରିତ ଲତା କରେ ଜୀବନ୍ତ। ଗଛ କାଟିବା ଜନିତ ଖେଦ ଦୂର ହୋଇଗଲା। ପାଚେରୀରୁ କିଛି ଦୂରରେ ଉଈ ହୁଙ୍କାଟିଏ ଦେଖା ଯାଉଛି। ଛଅ ଜଣ ଶିଶୁ ସେଠାରେ ଏ ବଡି ସକାଳୁ ପହଞ୍ଚି ଗଲେଣି।
  'ଣ ଖୁଣ୍ଟୁଚ କିରେ?" ପଚାରିଲେ ରାଜୁବାବୁ। 
ତାଙ୍କ ଦଳପତି ଭଳି ଦେଖା ଯାଉଥିବା, ଗଞ୍ଜି ପ୍ୟାଣ୍ଟ ପିନ୍ଧା ବରିଷ୍ଠ ବାଳକଟି କହିଲା, "ଆଜ୍ଞା, ବାଲି ଛତୁ, ଢେର ହୋଇଛି, ତମେ ନେବ କି, ଭାରି ଭଲ ଲାଗିବ, ହେଲେ ମୁଁ ତ ଏହାର ଦର ଜାଣି ନାହିଁ, ମୋ ମାଆ ଆସି ତମକୁ ବିକିବ। କାଲି କର ବାବୁ କିଣିଥିଲେ।"
ନାମ ପଚାରିଲେ ରାଜୁବାବୁ। କହିଲା, "ବାଇନ"
ରାଜୁବାବୁଙ୍କ ପ୍ରକୃତି ଗବେଷଣାକୁ, ଏ ବାଇନ ତେଲ ଲୁଣକୁ ଟାଣିନେଲା। ଖାଇବା ଅପେକ୍ଷା ବିକିବା, ଅଧିକ ଗୁରୁତ୍ୱପୂର୍ଣ୍ଣ ଏକଥା ବୋଧହୁଏ ପେଟର ଭୋକ ତାକୁ ଶିଖାଇ ସାରିଲାଣି। ଅବଶ୍ୟ ତାହାର, 'ଢେର ହୋଇଛି' ଖଣ୍ଡ ବାକ୍ୟ ଆଶ୍ବାସନା ମୂଳକ, -ବିକିଲା ପରେ ବି ବଳିବ। ଆଉ ତିନି ଜଣ ପୁଅ ପିଲା ଚଡି ଖଣ୍ଡେ ବି ପିନ୍ଧି ନାହାନ୍ତି। ବାଳିକା ଦୁଇ ଜଣ, ଝିଅ ପିଲାଙ୍କ ପ୍ୟାଣ୍ଟ ପିନ୍ଧିଛନ୍ତି, ହାତରେ ପଟେ ଲେଖା ପ୍ଲାଷ୍ଟିକ ଚୁଡି, ଦେହଟା ମୁକୁଳା। କି'ଜାତିକା ବାପା ମାଆ କେଜାଣି, ଏତେ ଭୋରୁ ପିଲା ମାନଙ୍କୁ ଏମିତି ଫୁଙ୍ଗୁଳା କରି ପଠାଇ ଦେଇଛନ୍ତି! 
କେତେ  ଦିନ ତଳେ ରାଜୁବାବୁ ଦେଖିଥିଲେ, ସେ ହୁଙ୍କା ମଧ୍ୟକୁ ପଶିଥିଲା ଏକ ବିଷଧର ସର୍ପ। ସେ ପିଲା ମାନଙ୍କୁ ସତର୍କ କରିଦେଲେ। ସେମାନେ ଶୁଣିଲେ, କିନ୍ତୁ କିଛି ଫରକ ପଡିଲା ନାହିଁ ତାଙ୍କୁ। ଚାହାଣି ଥିଲା, ତାତ୍ସଲ୍ୟ ସୂଚକ। ସତେ ଅବା କହୁଛି ସାପ କଣ ତା ଗାତ ଭିତରେ ରୁହନ୍ତା ନାହିଁକି? ତାର ଥାଉ। ଆମେ ଏତେ ପିଲା ଅଛୁ, ସେ ଯଦି ନ ଡରୁଛି, ଆମେ ଡରିବୁ କିଆଁ? ତୁମେ ବାବୁ ଭାରି ଚାଲାଖ, ଆମକୁ ଡରେଇ ଦେବ, ଆମେ ପଳାଇଲେ ନିଜେ ଲୋକ ପଠାଇ ଛତୁ ତକ ତୋଳି ନେବ। ବାଃ!                                                                                                                             ସେମାନେ ଖୁଣ୍ଟି ଖାଣ୍ଟି ପଲିଥିନରେ ଭରି ଚାଲିଲେ। 
ରାଜୁବାବୁଙ୍କର, ଆଉ ଆକଟ କରିବାର କିଛି ନଥିଲା। ହଁ ସତ କଥା, ସାପ ଗାତରେ ନରହି କଣ ତାଙ୍କ ଶୟନ କକ୍ଷରେ ରୁହନ୍ତା!
 ସେ ବରଂ କଦମ୍ବ ଡାଳ ହାଣିବାରେ ମନୋନିବେଶ କଲେ। ଏକ ପରେ ଏକ ଡାଳ ହାଣି ଚାଲିଲେ। 
ପିଲାଏ  ଛତୁ ତୋଳା ସାରି ପାଚେରୀ ପାଖରେ ପହଞ୍ଚିଲେ। ଭିତରକୁ ଆସିବା ପାଇଁ ଉଦ୍ୟମ କରୁଛନ୍ତି। ତଳେ ପଡି ଥିବା ପାଚିଲା ପିଜୁଳି ନେବେ। ହୁଏତ ଗଛ ନଚଢିବାକୁ ତାଗିଦ କରା ହୋଇଥବାରୁ, ରାଜୁବାବୁଙ୍କ ଉପସ୍ଥିତିରେ ସେ ସାହସ ତାଙ୍କର ନାହିଁ।
ସେ ଡାଳ କାଟି କାଟି ଥକି ଗଲେଣି। ତାଙ୍କ ନଜର ପିଲା ମାନଙ୍କ ଆଡକୁ ଗଲା। ସମସ୍ତେ ହାତ ବଢାଉଛନ୍ତି, ବାଇନ ତାଙ୍କୁ ଛୋଟ ଛୋଟ ଚିରା ଗୁଟୁକା ପ୍ୟାକେଟରୁ ଝାଡି ଝୁଡାକି ଦେଉଛି। ସେମାନେ ଚାଟି ଯାଉଛନ୍ତି।
-
ଏ ପିଲେ, ସେଗୁଡା ଖାଅନିରେ, ମୁଣ୍ଡ ବୁଲାଇବ। କେଉଁଠୁ ପାଇଲ କିରେ ବାଇନ
ଆଜ୍ଞା, ପାଖ ଡାକ୍ତରଖାନା ଓ ସେ ଇସ୍କୁଲ୍ ପାଖକୁ ଯେଉଁ ଲୁକଗୁଡା ଆସୁଛନ୍ତି, ସେମାନେ ଅଧା ଖାଉଛନ୍ତି, ଆଉ କିଛି ଖୋଳରେ ରହି ଯାଇଛି। ଆମେ ସେ ଖୋଳ ସବୁ ଏକାଠି କରି ଝାଡି ଝୁଡାକି ଖାଉଛୁ। ଭାରି ମଜା। ସେ ଏକଥା କହୁଥିଲା ବେଳେ, ପାଞ୍ଚଟି ହାତ ତା ଆଡକୁ ଲମ୍ବି ଯାଇଥିଲା ଗୁଟୁକା ଗୁଣ୍ଡ ଟିକେ ପାଇବା ପାଇଁ। ସେମାନେ ଛତୁ ଯେପରି ତୋଳିଲେ, ସେହିଭଳି ଉତ୍ସାହରେ ଏ କାଗଜ ଥଳିଆ ଗୋଟାଇ ତାହାର ମଜା ନେଉଛନ୍ତି, ତୁମେ ରାଜୁବାବୁ ଆକଟ କରିବ କିଆଁ
ଏମିତି ଯେ ଘଟେ, ନିଜ ଆଖିରେ ନଦେଖିଥିଲେ ସେ କସ୍ମିନ୍ କାଳେ ପରତେ ଯାଇନଥାନ୍ତେ 

 ରାଜୁବାବୁ ନିର୍ବାକ ରହିଗଲେ, ତାଙ୍କର ସ୍କୁଲ୍ ସମୟର ଏକ ବଣଭୋଜି କଥା ମନେ ପଡିଲା।  ଭୋଜି ଦଳ ମାନଙ୍କର ଅଇଁଠା ପତ୍ରକୁ ଝାମ୍ପି ନେଇ ପେଟ କାଙ୍ଗାଳ ଛୁଆ ମାନେ ଖାଦ୍ୟ ସଂଗ୍ରହ କରୁଥିଲେ। ଆଜି ପାଖାପାଖି ଚାରି ଦଶନ୍ଧି ବିଗତ ହେବା ସତ୍ତ୍ୱେ, ସେ ଦୁଃଖଦ ଦୃଶ୍ୟ ସତେଜ ହୋଇ ରହିଛି। ଗପ କବିତାରେ ଝରିଛି। ଆଉ ଆଜି  ଛାର ଛିଡା ଗୁଟୁକା ଜରି ପିଲାଏ ଏକାଠି କରୁଛନ୍ତି, ସ୍କୁଲ୍ ସାମ୍ନାରୁ, ଯେଉଁଠିକୁ ସେମାନେ ପାଠ ପଢିବାକୁ ଯିବା କଥା। ସରକାର ଟଙ୍କିକିଆ ଚାଉଳ ବାଣ୍ଟୁଛି କ୍ଷୂଧାରେ କେହି ନରହୁ, କିନ୍ତୁ ନୂଆ ପ୍ରକାରର ଭୋକ ଜାଗ୍ରତ ହେଉଛି।  ନିଶାର ଭୋକମଦ, ଗଞ୍ଜେଇ, ଗୁଟୁକାର ଭୋକ। ଏ ଭୋକର ଜ୍ବାଳାରେ ମର୍ମାହତ ସାଂସଦ କେତେଜଣ କହି ପକାଇଲେ, ଗଞ୍ଜେଇକୁ ଆଇନ ସମ୍ମତ କରାଯାଉ। ରାଜୁବାବୁ ଏତେ ବଡ ଦିମାକର ଅଧିକାରୀ ନୁହନ୍ତି ଯେ, ଏ ପ୍ରକାର ଯୁକ୍ତିକୁ ସଠିକ ତର୍ଜମା କରି ପାରିବେ। ହଁ ବେଆଇନ କରିବାର ବି କି ଫାଇଦା। ଗୁଟୁକା କଣ ବ୍ୟାନ୍ ହୋଇ ନାହିଁକି?
ସୂର୍ଯ୍ୟ ଆଉ ଚେନାଏ ଉପରକୁ ଉଠିଲେଣି, ଶ୍ରମଝାଳ ସହ ଚିକ୍ ମିକିଆ ଖରାର ତେଜ, ତାଙ୍କ ମନର ଭାବନା ସହ ବେଶ୍ ତୁଳନୀୟ ବୋଧ ହୋଇଥିଲା।
ସେପଟେ ତାଙ୍କ ଦୋକାନକୁ ଗରାଖ ଆସିଲେଣି। ସେ ଦୃତ ପଦଚାଳନା କରି ଗଲେ ଏ ଲେଖା ଲେଖି ଶିକ୍ଷା କରିବା ଜଗତରୁ ତାଙ୍କ ବାସ୍ତବ ଜୀବନକୁ। ପେଟ ପାଟଣାର ନିତ୍ୟ ନୈମିତ୍ତିକ ଜୀବନ, ସେଇ ଏକା କଥା, ସାପର ଭୟ ନକରି ଛତୁ ତୋଳିବାର ଦୁର୍ବାର ଆହ୍ବାନ।
ସେ ମନେ ମନେ ନତ ମସ୍ତକ ହେଲେ ସେହି ଅମୃତ ଧାରାର ସୃଜନୀ ମାନଙ୍କୁ ଯେଉଁ ମାନେ ରାଜୁବାବୁ ମାନଙ୍କ ସମ୍ମୁଖରେ, ହିମାଳୟ ପରି ଉତ୍ତୁଙ୍ଗ ସାହିତ୍ୟର ସୃଷ୍ଟିସମ୍ଭାର ଉପଲବ୍ଧ କରାଇଛନ୍ତି।