Search This Blog

Saturday 17 July 2021

ଛବିର ଗଳ୍ପ, ମଧୁମାଳତୀ।

ଆଠ

ସାତ
ଛଅ
ପାଞ୍ଚ
ଚାରି
ତିନି


ଏଠାରେ ସାତଟି ଛବି ଅଛି। ସେମାନଙ୍କୁ ଏକ ଠାରୁ ଆଠ ପର୍ଯ୍ୟନ୍ତ ଦର୍ଶାଯାଇଥିଲେ ମଧ୍ୟ ପ୍ରକୃତରେ କୁଣ୍ଡରେ ଥିବା ଦୁର୍ବଳିଆ ମଧୁମାଳତୀ ଯାହାର ସଂଖ୍ୟା ଦୁଇ, ତାହାକୁ ବାଦଦେଲେ ବାକି ସବୁ ସେହି ଗୋଟିଏ ଯୁଗ୍ମ-ଲତାର କଥା କହୁଥିବା ଛବି। 

କଣ କହୁଛନ୍ତି ସେମାନେ। କୁଣ୍ଡରେ ଥିବା ଗଛଟି ଲଗା ଯାଇନି। ଏକ ଭିନ୍ନ କୁଣ୍ଡ ପାଖରେ ଥିଲା ଏ କୁଣ୍ଡଟି, କେମିତି ଉଠିଲା? ମଧୁମାଳତୀର କଣ ମଞ୍ଜି ଅଛି କି? ଶେଷରେ ଏଇଆ ଭାବିଲି ଯେ, ବୋଧହୁଏ ମଧୁମାଳତୀର ଚେର ତା କୁଣ୍ଡରୁ ବାହରି ଏ କୁଣ୍ଡର ତଳ କଣା ବାଟେ କେତେବେଳେ ପଶିଯାଇଛି ଓ କୁଣ୍ଡ ଦୁଇକୁ ପରସ୍ପର ଠାରୁ ଦୂରେଇ ନେଲାବେଳେ ଏହି ଛିଡିଯାଇଥିବା ଚେର, ନିଜର ଉପସ୍ଥିତି ଜାହିର କରିବା ପାଇଁ ପୁଣି ତହିଁରୁ ଲତା ବାହାର କରିଛି। 
ଛବି ନମ୍ବର ଏକଟି ଆହୁରି ବିଚିତ୍ର, ଟାଇଲ ପିଣ୍ଡାରୁ କୁଣ୍ଡ ହଟାଇବାର ଆଠ ମାସ ପରେ ଛାଆଁକୁ ବାହାରିଛି। ମୌସୁମୀର ଆଦ୍ରତା ହୁଏତ କେଉଁଠି ଥିବା ସାମାନ୍ୟ ଚେରକୁ ପୁଣି ଜୀବନ୍ୟାସ ଦେଇଛି।
ଏ ସାମାନ୍ୟ କଥା ବାବଦରେ ସେଦିନ କହି ପୁଣି ଆଉଥରେ କହିବାର ଉଦ୍ଦେଶ୍ୟ କଣ ଲେଖକର? କାହିଁକି ସେ ଏତେ ଜଡିତ ହୋଇପଡିଛି। 

କାରଣ ଅଛି।

ତିନି ଚାରିବର୍ଷ ଘରର ସାମ୍ନା ବାରଣ୍ଡାରେ କେତୋଟି କୁଣ୍ଡ ଥିଲେ। ମୂଖ୍ୟତଃ ମଧୁମାଳତୀ ଗ୍ରିଲ୍ଉପରେ ଘୋଟିଥିଲା। (ଛବି ଆଠ) କେତେକ ଭଲ କହନ୍ତି ଓ ଆଉ କେତେକ ନାପସନ୍ଦ କରନ୍ତି ସରିସୃପ ଆସିବେ ଭୟରେ। ସରକାରୀ ଘରଟି ଯଦିଓ ମୋ ପାଇଁ ଉଦ୍ଦିଷ୍ଟ ଏହା ପ୍ରାୟତଃ ଆଶ୍ରୟ ଦେଇଥାଏ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଡାକ୍ତର କାହାଙ୍କୁ। ଏକୁଟିଆ ଲୋକ, ସାଥୀ କିଏ ରହିଲେ ଭଲଲାଗେ। ଡା ଆଶାଚରଣ ମାଝୀ ଆଜି ନାହାନ୍ତି, ସେ ଥିଲେ ବହୁତ ଦିନ। 

ମନେହୁଏ, ଏ କୁଣ୍ଡସବୁ ଭୟସୃଷ୍ଟି କରୁଥିଲା। ଜଣେ ସାନଭାଇ ଜାଣିଲେ, ଏ ତ ଅରଣା ଲୋକଟା ହଟେଇବ ନାହିଁ ବରଂ ତାଙ୍କ ଅନୁପସ୍ଥିତିରେ ହଟାଇଦେଲେ ଭଲ। ସେମିତି ଦିନେ ମୁଁ ବଡ ବିଚଳିତ ହୋଇପଡିଲି। ହଟାଇଥିବା ଶ୍ରମିକ ସେ କୁଣ୍ଡ ଦୁଇଙ୍କୁ ବାହାରେ ଫିଙ୍ଗି ଦେଇଥିଲେ। କୁଣ୍ଡ ଭାଙ୍ଗିଗଲା।
ସେ କୁଣ୍ଡର ସେହି ସମାନ ମୃତ ଘୋଷିତ ଗଛ ଏବେ ପୁଣି ସେମାନଙ୍କ ସମାନ କୁଣ୍ଡରେ ବଞ୍ଚିଛନ୍ତି ପଛ ଅଗଣାରେ। ଅବଶ୍ୟ ଯାହା ହେଲା ଭଲ ହେଲା। ଏମିତି ହେବା ଉଚିତ ଥିଲା।

କେବେ କେବେ ପିଣ୍ଡାର ସେହି କଣକୁ ଅନାଇଲେ କେମିତି ଶୂନ୍ୟ ଲାଗେ। 

ସେହି ଶୂନ୍ୟତାକୁ ଭରିଦେଇଛି ଏ ଯୁଗ୍ମ ଲତା। କିନ୍ତୁ କେତେଦିନ? ହୁଏତ ସରକାରୀ ଘରର ବାରଣ୍ଡା ନଷ୍ଟ ହେବ? ହୁଏତ ଏବେ ସିନା ନିଜ ଉପସ୍ଥିତି ଜାହିର କରୁଛନ୍ତି, ପାଣି ନପାଇ ଜୀର୍ଣ୍ଣ ଶୀର୍ଣ୍ଣ ହୋଇ ବାହୁଡିଯିବେ!

ଏବେ କିନ୍ତୁ ଅନେକ ଦରୋଟି କଥା କହୁଛନ୍ତି ସେମାନେ, ବାଲାଡ୍ ନାଚୁଛନ୍ତି ଯେମିତି। ଘର ଝାଡୁ ପୋଛା କଲାବେଳେ ଦଖିଲି, ସେମାନେ ପଶ୍ଚିମକୁ ଅର୍ଥାତ ମୋ ଆଡକୁ ଚାହିଁଛନ୍ତି। ଟିକେ ସମୟ ପରେ ମୁଁହ ମୋଡିଦେଇ ଦକ୍ଷିଣକୁ ଚାହିଁଲେ ଓ ତାପରେ ଘଣ୍ଟା କଣ୍ଟାର ବିପରୀତ ଦିଗରେ ଉଭୟ ଯୋଡି ହୋଇ ଚକର କାଟିଲେ। ମନଟି ମୋର ସେଇଠି ଲାଖିଗଲା।

କାମସାରି ଫେରି ଦେଖେତ, ସେମାନେ ନାଚି ନାଚି ବଢୁଛନ୍ତି। ଭାବିଲି ଏକଥା କିଏ ବିଶ୍ୱାସ କରିବ? ଫଟୋ ଉଠାଇଲି ସେମାନଙ୍କ ଦିଗ ପରିବର୍ତ୍ତନର। ଦକ୍ଷିଣ, ପୂର୍ବ, ଉତ୍ତର, ପଶ୍ଚିମ ଓ ପୁଣି ଦକ୍ଷିଣ। ପ୍ରାୟ ସତୁରି ମିନିଟରେ ସେମାନେ ପୁରା ବୃତ୍ତକୁ ପରିକ୍ରମା କଲେ, ଯାହା ଛବିଗୁଡିକ ସ୍ପଷ୍ଟ କରିଛନ୍ତି।

ଅନେକ ପ୍ରଶ୍ନ, ଅନେକ ଭାବ ଓ ଅନେକ ସ୍ମୃତି ମନରେ ଉଙ୍କି ମାରିଲା।

କି ସୁନ୍ଦର ଏ ପ୍ରକୃତି, କେତେ କଥା ଘଟିଯାଉଛି ଆମେ ଡିଜେ ସଙ୍ଗୀତରେ ନାଚୁଥିବା ବେଳେ ସେମାନେ ନୀରବତାର ମହାନ ସଙ୍ଗୀତ ସହ ନୃତ୍ୟରତ।

ମନେପଡେ ବାଲ୍ୟକାଳ। ମୌସୁମୀ ଆସୁ ଆସୁ କେତେ କିସମର ପୂର୍ବ ସଂଗୃହିତ ମଞ୍ଜିସବୁ ପୋତାହୋଇଥିବ ଅତ୍ର ତତ୍ର ସର୍ବତ୍ର, କେତେ ପରିବା ଓ ଫୁଲ, ସଭିଙ୍କ ବାଡିରେ, ବିଦ୍ୟାଳୟରେ ମଠରେ। ସେମାନେ ସବୁ ନିଜ ନିଜ ସମୟ ନେଇ ବଢିବେ। ବୀଜପତ୍ରରୁ ବି ଜଣା ପଡିଯିବ କେଉଁଟି କଣ।  ବାଇଗଣ କଣ୍ଟାଫଳ, ଭେଣ୍ଡିରେ ଅଂଶା, ବୋଇତ କଖାରୁ ଫୁଲ ଖିଆଯିବ, କଖାରୁ ଫୁଲ ଦେଖା ସୁନ୍ଦର ବେକାର, ଜହ୍ନି ତା ହିସାବରେ ମାଡିବ, ଆଗେ ଫଳିବ ଶିମ୍ବ ଫଳିବ ଡେରିରେ। ମନେହୁଏ ବର୍ଷ ତମାମ ପରିବା ବ୍ୟବସ୍ଥା ପାଇଁ ପ୍ରକୃତି ସେମିତି କରିଥାଏ। କେତେ ଜାତିକା ଫୁଲ। କେତେ ପ୍ରକାର କୀଟ ପତଙ୍ଗ। ଓଃ, ଏସବୁର ମୂଲ୍ୟ କଣ? ଏସବୁ ଆମ ମନର ଗଠନରେ କିଛି ଭୂମିକା ନିଭାଇଛନ୍ତି ନା କେବଳ ପରିବା ଯାହା ବଜାରରେ ମିଳେ? 

ତାଙ୍କ ଗାଈ ଆମ ବାଡିରେ ପଶି ଖାଇଯାଏ, ଓଲେଇ ଗାଈକୁ କାଞ୍ଜିଆ ହୁଦା ଥାଏ। ଏମିତି କଥା ଲମ୍ବିଯିବ, ଧାନକଟା ମଧ୍ୟ ସରିଯିବ, ପିଲାଏ କିଏ କେତେଟା କଚଡା କହ୍ଳେଇ ଭାର ଦେଖିଲା ଗଣିବେ, ସେ ବି ହୋଇପାରେ ଏକ ଖେଳ। ବାଜି ଜିତେ ବାଜି ହାରେ, ଉଭୟକୁ ଗ୍ରହଣ କରେ। ପିଣ୍ଢା ଭଙ୍ଗା ପିଣ୍ଢାରେ ମଧୁମାଳତୀ ଏ ଉଭୟରୁ ଉଭୟେ ଭାରୀ ପଡନ୍ତି ଆପଣା ସମୟ ଅନୁସାରେ। ଏବେ ସେମାନେ ନାଚୁଥାନ୍ତୁ ଆଗକୁ କଣ ହେଉଛି ଦେଖିବା।
ଏକ





ଦୁଇ