Search This Blog

Monday 31 August 2020

ଗାଈ ଚୋରି।

ଗାଈ ଚୋରି ।
ରବିନାରାୟଣ ସେନାପତି, ତୁଳତୀ, କୋରେଇ, ଯାଜପୁର, ୭୫୫୦୨୨।

ବିଳମ୍ବିତ ସଂଧ୍ୟାରେ ଲେଉଟାଣି, ପଥ ବହୁ ଦୂର । ଚତୁର୍ଦ୍ଦିଗେ ବିଜୁଳୀର ଚମକ । ସୁନାଝରି ପାହାଡ ଚୁଳରେ ସେ ଚମକ ବହଳ। ଅନ୍ଧାରେ ଅଦୃଶ୍ୟ ସୁନାଝରିକୁ କ୍ଷଣପ୍ରଭା କ୍ଷଣିକ ପାଇଁ ଉଦ୍ଭାସିତ କରୁଛି । ସୁନାଝରି ମୁଣ୍ଡେଇ ଧରିଛି ଆଶୁ ବର୍ଷଣସମ୍ଭବା ଘନକେଶୀ ମେଘ । ରାଜୁବାବୁ ଫାଟକ ଟପି ନବ୍ୟନୂତନ ଢଳେଇ ରାସ୍ତାକୁ ତାଙ୍କ ଟିକି କାରଟିକୁ ଉଠାଇ ଆଣିଲାବେଳକୁ ବର୍ଷା ଟୁପୁରୁଟାପୁରୁ । ବିଳମ୍ବ ହେଲାଣି, ଅଟକି ରହିବାର ଉପାୟ ନାହିଁ । ବର୍ଷା ବଢିପାରେ, ଆଗେଇଯିବା ଭଲ । ନିର୍ଜନ ରାସ୍ତା, ସ୍ଥାନୀୟ ଜନତା ସୁପ୍ତ । ଉଭୟ ପାଖର ଚାଷ ଜମି ମଧ୍ୟରେ ତାଙ୍କ ଗାଡିର ହେଡଲାଇଟରୁ ଅବା କ୍ରମଶଃ ବିଛେଇ ହୋଇ ପଡୁଛି ଶୁଭ୍ର ଏକ ରାସ୍ତା। ସେ, ରାସ୍ତାର ଏକଲା କାରାରୋହୀ । କେବଳ ବର୍ଷିଲା ନାହିଁ ପବନ ହେଲା ପ୍ରବଳ । ଅଜାଡି ପଡୁଥିଲା କୁଆପଥର । କାଚ ଭାଙ୍ଗି ଯିବନି ତ? ଉପାୟ ବା କଣ, ନିରାପଦରେ ଗାଡି ରଖିିବାର ସୁବିଧା ନାହିଁ । ଯେଉଁଠି ନିସ୍ତାର ନାହିଁ ସେଠି ଦ୍ୱନ୍ଦ୍ୱ ବି କାହିଁ! ସେ ଆଗେଇ ଚାଲିଲେ ।
ଅସିଲା ପାଖ ଗାଁ ମାଳପୁର । ରାସ୍ତାରେ ପ୍ରାୟ କୋଡିଏ ସରିକି ଗାଈ । ସେହି ଏକା କଥା, ଯେଉଁଠି ନିସ୍ତାର ନାହିଁ ସେଠି ଦ୍ୱନ୍ଦ୍ୱ ବି ନାହିଁ, ବଡ ନିର୍ବିକାର, ବର୍ଷା କୁଆପଥରକୁ ଖାତିରି ନାହିଁ, ନା ଅଛି ଚଳନ୍ତା କାରକୁ ।
ରାଜୁବାବୁଙ୍କୁ ହତାଶାବୋଧ ହେଲା, କି ଅଭାବନୀୟ ଦୃଶ୍ୟ ସେ ଦେଖୁଛନ୍ତି । ତାଙ୍କ ବାଲ୍ୟକାଳରେ ଦୁଇବୁନ୍ଦା ବର୍ଷା ହେଲେ, ଗାଈ ବଳଦମାନେ ହମ୍ବାରଡି ଛାଡି ଘରମୁହାଁ ଦୌଡୁଥିଲେ । ଗୁହାଳେ ପଶିଲେ ଶାନ୍ତି । ଆଜି ଏତେ ହତାଦର କିଆଁ । ଏତେ ଛୋଟିଆ ଗାଁରେ ଗୁହାଳ ହରା ଏତେଗୁଡେ ଗାଈ ଥାଇପାରନ୍ତି, ଏହା ତାଙ୍କ ଧାରଣା ବାହାରେ ଥିଲା । ସେମାନେ ଅବିଚଳିତ, ଅବଶ୍ୟ ଅଭ୍ୟସ୍ତ । ସେ ତାଙ୍କ ମଣିଷ ପଣିଆକୁ ପେଟ୍ରୋଲ ସହ ଜାଳି ସେମାନଙ୍କ ମଧ୍ୟରେ ଧସେଇ ପଶିଲେ ଓ ପାର ହୋଇଗଲେ । ଗତି ବଢାଇଲେ । ବର୍ଷାର ଗତି ଓ କୁଆପଥରର ଆକାର ବଢିଲା । ପ୍ରକୃତି ତାଙ୍କୁ ଅବିବେକୀ ମଣିଷର ପ୍ରତିନିଧି ହିସାବରେ ଶାସ୍ତି ଦେଉଛି କି? ତାଙ୍କ ଦୁର୍ବଳିଆ କାର ଉପରେ ଦୁମଦାମ ପଡୁଥିବା ପଥରତକ ଢଁଢାଁ ଆବାଜ କରୁଥିଲେ। ବିକଳ୍ପ ନାହିଁ, ସେ ଚାଲିଲେ ଆପଣା ଗୁହାଳକୁ, ଦୂର ସହରରେ । ସେଇଠି ଶାନ୍ତି ।
ଗୋଠ ମଧ୍ୟରେ ଥିବା ଏକମାତ୍ର କଷରିଗାଈଟି ଭାରି ଚିହ୍ନା ଚିହ୍ନା ମନେ ହୋଇଥିଲା । ତାଙ୍କ କର୍ତ୍ତୃତ୍ୱ ଥିଲେ ସେଇଟିକୁ ମୁକୁଳାଇ ଅଣିଥାନ୍ତେ କି! ସେମିତି ଟିକେ ଭାବିନେଇ ସେ ଅରାମ ଅନୁଭବ କଲେ । ଅନ୍ଧାର ମଧ୍ୟରେ ମୃଦୁହାସ୍ୟଟିଏ ବି ଉକୁଟି ଆସିଲା । 
ହସଟି ଲିଭିଗଲା । ମନେ ପଡିଗଲା ଏକଦା ତାଙ୍କ ତିନି ଚାରିବର୍ଷର ବାଳୁତ ପୁଅ କାନ୍ଦକାନ୍ଦ ହୋଇ ପଚାରିଥିଲା ଯେ ଏବେ ଏଠି ଉଡିବୁଲୁଥିବା କଙ୍କି ପ୍ରଜାପତି ମାନେ ଏ ଝଡ ବର୍ଷାରେ କୁଆଡେ ଗଲେ, ତାଙ୍କ ଘର କେଉଁଠି? ଉତ୍ତର ଦେଇ ପାରିନଥିଲେ ରାଜୁବାବୁ । କଙ୍କି ପ୍ରଜାପତି କଥା ଛାଡ, ଏ ଗାଈ ମାନଙ୍କ ଘର କେଉଁଠି? କେଉଁଠି ସତେ!
କଷରିଗାଈଟି ପୁଣି ମାନସପଟରେ ବିଚରଣ କଲା । ଆହା! କାରଣଟି ମନେ ପଡିଗଲା । ଏମିତି ଏକ ଗାଈ ଥିଲା ତାଙ୍କର । ସବୁ ଗାଈ ବଳଦଙ୍କ ପରି ତାକୁ ବି ସେ ନାମଧରି ଡାକୁଥିଲେ । ସ୍ୱଭାବିକ ଭାବେ ନାମଟି ଥିଲା କଷରୀ ।
ଆଜି ଯେମିତି ତାଙ୍କରି କଷରୀ ସେଠି ଝଡବର୍ଷାର ସାମ୍ନା କରୁଛି । ବଡ ଅସହାୟ । ଗୋଟିଏ ଟ୍ରଲି ଥିଲେ ଉଠାଇ ଆଣିଥାନ୍ତେ ତାକୁ। କେଉଁଠି ନା କେଉଁଠି ଥଇଥାନ କରିଥାନ୍ତେ । ଅବଶ୍ୟ ମାଲିକଟିଏ ଗାତରୁ ବାହାରି ତାଙ୍କୁ ଚୋରି କେସ୍‌ରେ ପକାଇଥାନ୍ତା, ତହିଁରେ ସନ୍ଦେହ ନାହିଁ । ତାଙ୍କ ଦାଢୀ ଉପୁଡାଇ ପକାଇଥାନ୍ତେ ସମାଜସେବୀ ମାନେ।
ଏକଦା ତାଙ୍କ କଷରୀ ପାଇଁ କମ ବଡ ଘଟଣାଟିଏ ଘଟିନଥିଲା ସତେ!
ହଠାତ୍ ଦିନେ ସକାଳେ ଜଣା ପଡିଲା କଷରୀ ଗୁହାଳରେ ନାହିଁ । ସେ ଥିଲା ଗର୍ଭବତୀ । ରାତିରେ ଭଲକି ଖୁଆଇଥିଲେ ବାପା । କିଏ ନେଇଗଲା ତାକୁ! ସେ ଯାବତ ଗାଈଚୋରି କିମ୍ବା ଲୁଣଚୋରି ଥିଲା ଅଶ୍ରୁତପୂର୍ବ । ଏ ଦୁଇ ଚୋରିକୁ, ଚୋରମାନେ ବି ବର୍ଜନ କରୁଥିଲେ ।
କଷରୀ ସନ୍ଧାନରେ ଘର ଲୋକ ଓ ସାହି ପଡିଶାର ଲୋକମାନେ ଆଖପାଖ ବିଭିନ୍ନ ଗ୍ରାମକୁ ଖେଦିଗଲେ । ହଜି ଯାଇଥିଲେ ସିନା ମିଳିଥାନ୍ତା, ଏହା ତ ଚୋରି । ଖୁଣ୍ଟରୁ ପଘାକୁ ଫିଟାଇ କିଏ ନେଇଯାଇଛି । ଗାଈ ହଜିଲେ ଖବର ନମିଳିବା ପର୍ଯ୍ୟନ୍ତ ମୁରବି ରହିବେ ଓପାସ, ବାପା କିଛି ଖାଇଲେ ନାହିଁ ।
ରାଜୁଙ୍କ ବାପା ମଧୁବାବୁ ଶିକ୍ଷକ, ତାଙ୍କ ଛାତ୍ର କଳ୍ପତରୁ ରେଳ ଫାଟକରେ ରାତି ଡିଉଟି କରେ । ମଜାଦାର ତାଙ୍କ କାମ । ରାତିସାରା ଗେଟ ପଡିଥାଏ । ରେଳ ଅପେକ୍ଷା ରାତିରେ ଅନ୍ୟଗାଡି ଯାଆନ୍ତି କମ । ସେମାନେ ଡାକିଲେ ଗେଟ ଖୋଲନ୍ତି । କାଳେ ସେହିବାଟେ ଗାଈଟି ଯାଇଥିବ? ସେ ଜାଣିଥିବେ ।
କଥାଟି ସତ ବାହାରିଲା ।
"ଆପଣଙ୍କ ଗ୍ରାମର ରଘୁ ଗେଟ ଫିଟାଇବାକୁ କହିଲା ଗାଈପାଇଁ ଶାଶୁଘରେ ବଡ ଖୁଣ୍ଟା ଶୁଣୁଛି ତା ଭଉଣୀ । ଦଶ କୋଶ ରାସ୍ତା, ରାତିରୁ ନଗଲେ ନଚଳେ, ଖରା ଆସିଲେ ବାଧିବ ବୋଲି କହିଲା । ମୁଁ ଗେଟ୍ ଟେକିଦେଇ କହିଲି ହେଉ ଯା ଯା, ଥଣ୍ଡା ସମୟରେ ପଳାଇ ଯା।" ଏମିତି କହିଲେ କଳ୍ପତରୁ ।
କିନ୍ତୁ ରଘୁର ତ ଗାଈ ନଥିଲା, ତା ଭଉଣୀ ଚମ୍ପା ବାହାହେବା ପାଞ୍ଚ ବର୍ଷ ହେଲାଣି!
କଳ୍ପତରୁ ଗାଈର ବର୍ଣ୍ଣନା ଯେମିତି ଦେଲେ ତାହା କଷରୀ ହୋଇପାରେ । 
ମଧୁବାବୁ ଥାନାରେ ଏତଲା ଦେଇ ଫେରିଲେ ।
ଗାଁରେ ଅନେକ ଦିନରୁ କଥା ଟୁପୁରୁ ଟାପୁରୁ ହେଉଥିଲେ, ରଘୁ ରେଳଗାଡିରେ ଚୋରି କରୁଛି । ରାତିରେ ଘରକୁ ଆସେ ଓ ରାତି ପାହିବା ଆଗରୁ ଚାଲିଯାଏ । କେହି ତାକୁ ଦେଖନ୍ତି ନାହିଁ । ଚାଲି ଚାଲି ଆସେ ଓ ଫେରିଯାଏ । ରାଜୁବାବୁ ବି ଏକଥା ଶୁଣନ୍ତି । ତାଙ୍କ ପିଲାମନରେ ଚୋର ପ୍ରତି ଭୟ ଆସେ। ଚୋର ମାନେ ନିଶ୍ଚିତ ଛୁରି କି ପିସ୍ତଲ ରଖୁଥିବେ। ସେ ରଘୁକାକାଙ୍କ ଘର ପାଖକୁ ଯିବାକୁ ଖୁବ୍ ଭୟ କରେ । ତାଙ୍କ ପ୍ରତି ଦୟା ବି ଆସେ, ଦିନୁଟାଏ ରାତି ଅନିଦ୍ରା ହୋଇ ଯାତରା ଦେଖିଲେ ପରଦିନ ଯାହା ଅବସ୍ଥା, ଅଥଚ ରଘୁକାକା ରାତି ରାତି କେମିତି ଉଜାଗର ରହି ଚୋରି କରୁଥିବେ!
ହଠାତ ଦିନେ ମଧୁସାର୍ ରାତିରେ ରଘୁକୁ ଅନୁସରଣ କଲେ ।

-କୁଆଡେ ଯାଉଛୁ କିରେ ରଘୁ?

-ନାଇଁ ମ ଭାଇ, ମାଛଗାଡିରେ(ଏକ ପାସେଞ୍ଜର ଗାଡି) କଲିକତା ଯିବି, ମନୋହରୀ ଜିନିଷ କିଣି ଆଣି ବେପାର କରିବି। ନହେଲେ କହୁନ ଭାଇ କେମିତି କୁଟୁମ୍ବ ପୋଷିବି?

-ଠିକ୍ ଠିକ୍‌, ହଁ ଯାହା ହେଲେ ଗୋଟେ ବେପାର କର । ମୁଁ ବି ଆଜି ଗାଡିରେ ବାଲେଶ୍ୱର ଯାଉଛି, ଭଲ ହେଲା, ସାଥିରେ ଯିବା । ଆ ବସ ଆଗରେ ।
-ନାଇଁ ଭାଇ ତୁମେ ଯାଅ, ବେଳ ଅଛି, ମୁଁ ଚାଲି ଚାଲି ଯାଏ । ମୁଁ ବସିଲେ ବାହିବା କଷ୍ଟ ହେବ।

-ନାଁ ରେ, ମୁଁ କଣ ବୁଢା ହେଲିଣି, ଆ ବସ ।

- ହେଉ ତାହେଲେ ଭାଇ, ତୁମେ ବସ, ମୁଁ ଚଲାଇବି ।

- ଆରେ ରଘୁ, ମୁଁ ଦେଖୁଛି, ତୁ ସତରେ ମତେ ବୁଢା ବୋଲି ଭାବୁଛୁ । ଆ ବସ ।

ପଛରେ କ୍ୟାରିଅର ଖୋଲା ଯାଇଥାଏ । ଅଗତ୍ୟା ରଘୁ ବସିଲା ଆଗ ରଡରେ, ମଧୁସାରଙ୍କ ଦୁଇ ବଳିଷ୍ଠ ହାତର ବନ୍ଧନୀ ମଧ୍ୟରେ । ଯିବ କୁଆଡେ, ବାଟରେ ପଡେ ଥାନା । ସାଇକେଲ୍ ସେ ଆଡକୁ ଗଡିଲା ।

-ଏପଟେ କୁଆଡେ ଭାଇ?

-ନାଇଁରେ ରଘୁ, ମୁଁ ଯେଉଁ ଗାଆଁକୁ ଯାଉଛି, ସେଇଟି ଥାନାବାବୁଙ୍କ ନିଜ ଗାଁ । କଣ ଗୋଟେ ଜିନିଷ ପଠାଇବେ କହୁଥିଲେ । ବେଳ ଅଛି, ସଂଗ୍ରହ କରିନେବା ।
ଦ୍ୱନ୍ଦ୍ୱ ମଧ୍ୟରେ ରହି ରଘୁ ପଳାୟନର ଉଦ୍ୟମ କରିନଥିଲା । ଥାନାବାବୁ ଗିରଫ କଲେ । ସାକ୍ଷୀ କଳ୍ପତରୁଙ୍କୁ ଡାକି ଆଣିଲେ । ରଘୁ ସବୁକିଛି ମାନିଗଲା ।
ଚୋରଙ୍କର ବହୁତ ବଳ । ଜିଲ୍ଲା ପାର ହୋଇ ଦୀର୍ଘ କୋଡିଏ ମାଇଲ ଦୂରକୁ ନିର୍ଦ୍ଦୟ ଭାବେ ଏକ ଗର୍ଭବତୀ ଗାଈକୁ ଚଲାଇ ଚଲାଇ ନେଇ ସେଠାରେ ଜଣେ ବୁଢୀକୁ ବିକି ଦେଇଛି ।
ସ୍ଥାନୀୟ ପୋଲିସଙ୍କ ସହାୟତା ନେଇ ବୁଢୀଘରେ ପହଞ୍ଚିଲେ ସଭିଏଁ । ବିଧବା ବୁଢୀ ଭାରି ନିରୀହ । ଏକୁଟିଆ ଲୋକ, ଘରଟି ଚିକ୍କଣକରି ସଫା ରଖିଛି । ଗୁହାଳରେ କଷରୀ ବନ୍ଧା ହୋଇଥାଏ ଆଉ ପଟେ ଦୁଧିଆଳୀ ଗାଈ ପାଖରେ ।
- ହଇରେ ଅଳପାଇସ, ବାପା ମରିଯାଇଛି ଶୁଦ୍ଧିକ୍ରୀୟାରେ ଖର୍ଚ୍ଚକରିବୁ କହି ଗାଈ ବିକିଲୁ । ହାତେ ହାତେ ଦୁଇଶହ ଟଙ୍କା ଗଣିନେଲୁ, ଦେଖିଲା ବେଳକୁ ଚୋରିମାଲ୍ । ଗୋରୁ ଗାଈ କିଏ ଚୋରିକରେ? ତୁ ଟା ନରକରେ ପଡିବୁ ।

ସରଳିଆ ବୁଢୀ ଅବିଶ୍ୱାସ କରିବାର ପ୍ରଶ୍ନ ଉଠୁନଥିଲା । ଗାଈଟିଏ କେହି ଚୋରି କରିବା ଥିଲା ଅଭୂତପୂର୍ବ, ଅଶ୍ରୁତପୁର୍ବ ।
ଗାଁ ଲୋକେ ରୁଣ୍ଡହେଲେ । ବୁଢୀକୁ ବୁଝାସୁଝା କଲେ, ସେ ଠକାମିରେ ପଡିଥିଲେ ମଧ୍ୟ ଗାଈଟିକୁ ଫେରାଇ ନଦେଲେ ମାମଲାରେ ଛନ୍ଦିହେବ । ସେ କଣ ହାଟରୁ ଲେଖାପଢା କରି ଗାଈ କିଣିଛି କି? ଚୋରିମାଲ କିଣିଛି, ଚୋର ମାଉସିଆ ସାବ୍ୟସ୍ତ ହେବ । ବୁଢୀ ଆଖିରୁ ଠପ ଠପ ଲୁହ ଗଡି ପଡିଲା ।
ରଘୁ ପାଖରେ ସମୁଦାୟ ଥାଏ ପଚାଶ ଟଙ୍କା । ଥାନାବାବୁଙ୍କ ନିର୍ଦ୍ଦେଶରେ ସେତିକି ଫେରାଇଲା ।
ଏକ ମିନିଟ୍ରକ ଭଡାରେ ମିଳିଲା, କଷରୀ ଫେରିଲା । ଗଲାବେଳେ ଥାନାଗାଡିରେ ତେଲ ଭରିଥିଲେ, ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରହିଛି । ଗାଈର ମୂଲ୍ୟକୁ ଖର୍ଚ୍ଚ ଟପିଗଲେ ମଧ୍ୟ ଉପାୟ ନାସ୍ତି । ହେଉ, ପରେ ରଘୁଠାରୁ ମିଳିପାରେ ।
ରଘୁକାକାକୁ କିଏ ଜାମିନୀରେ ଆଣିଲା, ମନେ ପଡୁନଥିଲା ରାଜୁବାବୁଙ୍କର ।
ରଘୁ ଜୀବନର ଗତି ବଚିତ୍ରରୁ ବିଚିତ୍ରତର ହୋଇ ଉଠିଲା । ସେ ଦିନରେ ଶୁଏ ରାତିହେଲେ ବାହାରି ଯାଏ । ଲୋକେ କହନ୍ତି ସେ ଟ୍ରେନରେ ଚୋରି କରୁଛି । ଲୋକଙ୍କ କହିବାରେ କଣ ଅଛି! ସତ କିଏ ଜାଣିଛି! ତା ସ୍ତ୍ରୀ ରଙ୍ଗ ଗହଣା ନାଇଲା ବୋଲି, ତା ପିଲାଛୁଆ ତିନିହେଁ ଚିକ୍କଣ ଦେଖାହେଲେ ବୋଲି ଓ ସେ କେଉଁଠି କିଛି ଜଣା ରୋଜଗାରରେ ନିଯୁକ୍ତ ନୁହେଁ ବୋଲି ତଥା ଥରେ ଗାଈଟିଏ ଚୋରି କରିଛି ବୋଲି ତାକୁ ଚୋର କହିବା କେତେଦୂର ସମିଚୀନ? ସେଇ ଥରକୁ ଛାଡିଦେଲେ ସେ କେବେ ଗାଆଁରେ ଚୋରି କରିନି । ଲୋକଙ୍କର କହିବାରେ କଣ ଅଛି ।
ଲୋକେ ସେତିକିରେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ତା ସ୍ୱର୍ଗତଃ ବାପା ଘନ ନାମରେ ବି ଅନେକ ଅପବାଦ ଦିଅନ୍ତି । ସେ କୁଆଡେ ଏକାଧିକ ପତ୍ନୀଙ୍କୁ ହତ୍ୟା କରିଛି । ପୁଣି ଏକଥା ବି ଲୋକେ କହନ୍ତି; ରଙ୍ଗ ଓ ରଘୁ ମିଶି ରୋଗୀଣା ଘନ ବେକରେ ଶାବଳ ପକାଇ ମାଡି ବସିବାରୁ ସେ ମରିଗଲା । ଲୋକଙ୍କ ଏସବୁ କହିବା କଥା ଯେମିତି ହେଉ ରାଜୁଭଳି ପିଲା ମାନଙ୍କ କାନରେ ପଡେ । ଖୁବ୍ ଡର ଲାଗେ । ଅସ୍ୱଭାବିକ ଲାଗେ ପରିବାରଟି । ରଘୁକୁ ଗାଆଁରେ କେହି ଦେଖେନି । ରଙ୍ଗ ଗହଣା ଗାଣ୍ଠି ପିନ୍ଧି ନିଜେ ନିଜକୁ ଦେଖେ । ଆଉ ପାଞ୍ଚ ମାଇପିଙ୍କୁ ଦେଖାଇ ହୁଏନି ଅନ୍ୟ ମାନଙ୍କ ଭଳି। ତାଙ୍କ ପିଣ୍ଡାକୁ ଚଢନ୍ତି ନାହିଁ ପିଲାଏ । ତାଙ୍କ ଛୁଏ ଆସନ୍ତି ନାହିଁ ସାହିଛୁଆଙ୍କ ସହ ଖେଳିବାକୁ । ତାଙ୍କ ବାଡିର ପିଜୁଳି ଗଛରୁ ଅନ୍ୟ ପିଲାଏ ପିଜୁଳି ତୋଳନ୍ତି ନାହଁ । ଭାରି ଡର ଲାଗେ । ସତ କିଏ ଜାଣିଛି?
କିବା ଛାର ଏକ ଗାଈ ଚୋରି କେସରେ କେତେ ଅବା ଖର୍ଚ୍ଚ! ଦେଖାଗଲା କ୍ରମଶଃ ରଙ୍ଗ ହେଉଥିଲା ଗହଣା ବିହୀନ ବେରଙ୍ଗ । ଛୁଆ ମାନେ କଙ୍କାଳ ସାର ହେଲେଣି । ମାମଲତିକାର ଦୁଇଜଣଙ୍କ ପଛରେ ଗୋଡେଇ ହୁଅନ୍ତି ରଘୁ ଓ ରଙ୍ଗ । ପରେ ରଘୁ କୁଆଡେ ଗଲା କେଜାଣି, ତା ଦେଖା ମିଳିଲାନି ।
ଦିନେ ବଡ ହୀନିମାନି ବେଶରେ କଙ୍କାଳ ସାର ଛୁଆ ତିନୋଟିଙ୍କୁ ଧରି ପହଞ୍ଚିଲା ମଧୁସାରଙ୍କ ପାଖରେ । ଲମ୍ବ ଲମ୍ବ ଗୋଡତଳେ ପଡିଗଲା।

-ଭାଇ ତୁମେ ଆପଣ ସେ କେସ୍ ଉଠାଇ ଆଣନ୍ତୁ । କେସ୍ ଖର୍ଚ୍ଚ ନାଁରେ ତଳି ତଳାନ୍ତ କରିଦେଲେଣି ଟାଉଟର ମାନେ । ଯଦି ସେକଥା ନକରନ୍ତି ପିଲା ଛୁଆଙ୍କୁ ଧରି କୂଅକୁ ଡେଇଁବା ଛଡା ଆଉ କିଛି ଗତି ନାହିଁ ।

-ହେଉ ଯା ମାଆ, ମୋର ଯେତିକି ଖର୍ଚ୍ଚ ହୋଇଛି ଆଣିଦେ ମୁଁ ମାମଲା ଊଠାଇ ନେବି ।

- କେଉଁଠୁ ଆଣିବି, ତା ବାପା ତ ତିନି ଦିନ ହେଲା ଆସିନି। କୁଆଡେ ଗଲା କି ପୋଲିସ ବାନ୍ଧିଲା ଜଣା ନାହିଁ । ବାଳୁତ ଛୁଆମାନେ ଭୋକ ଓପାସରେ ଅଛନ୍ତି । ଛୁଆଙ୍କର କିବା ଦୋଷ? ତୁମ ସାମ୍ନାରେ ସେମାନେ ଏମିତି ରହିବେ!
ରାଜୁବୋଉ ଡଲାଏ ଚାଉଳ ଓ ଆଉ ଇତ୍ୟାଦି ଧରାଇଦେଲେ ରଙ୍ଗ ହାତରେ । ଗାଁ ମାନଙ୍କର ଚଳନି ଥାଏ ସେମିତି । ପଡୋଶୀ ଉପବାସରେ ରହିଲେ ଲକ୍ଷେ ଦାନଧର୍ମର ଫଳ ମିଳେନା ବୋଲି ବିଶ୍ୱାସ ଅଛି । କେବଳ ସେଦିନ ନୁହେଁ, ଏହା ପରେ ବି ଅନେକ ଥର ସେମାନଙ୍କୁ ସାହାଯ୍ୟ କରନ୍ତି ରାଜୁବୋଉ ।
ମଧୁସାରଙ୍କ ଇଛା ଥାଏ କେସ୍ ଉଠାଇଦେବା ପାଇଁ । ଦେଢଶୁର ବୋଲି ମାନୁଛି ତଥାପି ଆସି ଗୋଡତଳେ ପଡିଲା । ଅତିଟା ଭଲ ନୁହେଁ । କିନ୍ତୁ ରଘୁକୁ ଧରିବାରେ ସାରା ରାତି ବଡ ପୁଅ ରହିଥିଲା ଅନିଦ୍ରା। ଧରିବା କୌଶଳଟି ବି ତାହାର । ସେ ଆଦୌ ରାଜି ହେଲା ନାହିଁ । କେବଳ ଏହି ଗାଈଚୋରି ନୁହେଁ ଆହୁରି କେତେ କେତେ ପ୍ରସଙ୍ଗରେ ରଘୁ ତାଙ୍କ ପରିବାରର କ୍ଷତି କରିଛି । ତାକୁ ପାନେ ନଦେଇ ଏମିତି ଛାଡିଦେବା ଭଲ ନୁହେଁ ।
କେସ୍ ଚାଲିଲା, କଳ୍ପତରୁ ଓ ସେ ବିଧବା ବୁଢୀ ଆସି ସାକ୍ଷୀ ଦେଲେ । ଦଣ୍ଡ ସୁନିଶ୍ଚିତ ।

ମଧୁସାର୍ କହିଲେ, -ଦଣ୍ଡିବା ଶକ୍ତି ଯାର ଥାଇ, ସେ ଯେବେ କ୍ଷମା ଆଚରଇ । ଏହା ଭାଗବତ ବାଣୀ । ମୁଁ କଣ ଈଶ୍ୱର ନିର୍ଦ୍ଦେଶରୁ ଉପରେ ।

ସେ ମନ ସ୍ଥିର କରିନେଲେ । ସରକାରୀ ଓକିଲଙ୍କ ମାଧ୍ୟମରେ ଦରଖାସ୍ତ ଦେଲେ କି ପରସ୍ପର ଆପୋଷ ସମାଧାନ ହୋଇଯାଇଛି । ରଘୁ ସମୟକ୍ରମେ କ୍ଷତିପୁରଣ ଦେଇଦେବ । ସେ ବହୁତ ଅନୁତାପ କରୁଛି ।

ଅବଶ୍ୟ ଏହା କାର୍ଯ୍ୟକାରୀ ହେଲା ।

ରାଜୁବାବୁ ଗାଡି ମଧ୍ୟରୁ ହସି ପକାଇଲେ । ସେ ଜାଣିବାରେ ରଘୁକାକା କେବେ ତାଙ୍କ ବାପାଙ୍କୁ ସାକ୍ଷାତ ବି କରିନଥିଲା, ଅନୁତାପ କରିବା ଓ କ୍ଷତିପୁରଣ ଦେବା ପଛକଥା । ବାପାଙ୍କର ଏତାଦୃଶ ଆଚରଣକୁ ସେ ଆଜି ପର୍ଯ୍ୟନ୍ତ ସଠିକ ଗ୍ରହଣ କରିନଥିଲେ । ବଡ ବିଚିତ୍ର ମଣିଷର ମନ, ହାଠାତ ରାଜୁବାବୁ ଭାବିଲେ; ବାପା ଏକଦମ ଠିକ୍ କରିଥିଲେ ।

ପର ସପ୍ତାହରେ ଅବଶ୍ୟ ମାଳପୁର ଯାଇ, ଯଦି ସମ୍ଭବ କଷରୀକୁ କିଣି ତାଙ୍କ କାର୍ଯ୍ୟସ୍ଥଳିରେ ରୋଷେଇଆ ବାଇନକୁ ପାଳିବାକୁ ଦେବେ । ଅବଶ୍ୟ ତା ମାଲିକ ବିକିବାକୁ ରାଜିହେବା ଦରକାର, ବାଇନ ପାଳିବାକୁ ରାଜି ହେବା ଦରକାର ।
ଝଡ ଛାଡିଯାଇଥିଲା, ତାଙ୍କ ମନ ମଧ୍ୟ ପ୍ରଶାନ୍ତ ହୋଇ ଯାଇଥିଲା । ଘରେ ପହଞ୍ଚିଯିବା କ୍ଷଣି, ପୋଷା କୁକୁର ଟିପୁ ତାଙ୍କ ଏପରକୁ କୁଦି ପଡିଲା ଗେହ୍ଲା ହେବା ପାଇ; କୁଁ କୁଁ ହୋଇ ସତେ ଯେମିତି କହୁଥିଲା କଷରୀ ନଥାଉ ମୁଁ ପା ଅଛି । ଜଣାନାହିଁ ରାଜୁବାବୁ ଶେଷ ନିଷ୍ପତ୍ତି କଣ ନେବେ ।

Sunday 23 August 2020

ପ୍ରାଣୀଙ୍କ ଆରତ।

ପ୍ରାଣୀଙ୍କ ଆରତ।
ରବିନାରାୟଣ ସେନାପତି, ଶ୍ରୀଗଣେଷ ଚତୁର୍ଥୀ ୨୦୨୦।

ଗତକାଲି ଭବାନୀପାଟଣାରେ ଭାଲୁ-ଏକ ଲହୁଲୁହାଣ କଲା କେତେଜଣ ମଣିଷଙ୍କୁ। ଆଉ କେଉଁଠି ହାତୀ ଆକ୍ରମଣ କରୁଛି। ଆଜିକାଲିର ଯୁବପିଢ଼ି କିନ୍ତୁ ବଡ ସନ୍ତୁଳିତ ମତ ଦିଅନ୍ତି ଏ ସମ୍ପର୍କରେ। ପୁଅ ସୋହମ କହିଲା, - ସେମାନଙ୍କ ଦୋଷ କ'ଣ। ତାଙ୍କ ଉପରେ ମଣିଷର ଆକ୍ରମଣ ଏହାଠୁ ଅନେକ ଗୁଣ। ଜଙ୍ଗଲ ପାହାଡ ସବୁକିଛି ଚଳୁ କରିଥିବା ମଣିଷର କୃରତା ସେମାନେ ବୁଝି ପାରୁଥିଲେ ଆହୁରି ଅଧିକ ପ୍ରତିହିଂସା ପରାୟଣ ହୁଅନ୍ତେ। ଯାହା କିଛି ସେମାନଙ୍କ ତରଫରୁ ହେଉଛି ସେସବୁ ଦୁର୍ଘଟଣା ମାତ୍ର। ମଣିଷ ଜାଣି ବୁଝିକି ସେମାନଙ୍କୁ ସଙ୍କଟରେ ପକାଉଛି କିନ୍ତୁ ସେମାନେ ସହଜାତ ପ୍ରବୃତ୍ତି ଦୃଷ୍ଟିରୁ ଆକ୍ରମଣ କରୁଛନ୍ତି।
କେବଳ ସେ ନୁହେଁ, ଆଜି ଯୁବକ ମହେଶ ମୁର୍ମୁ ମଧ୍ୟ ସେମିତି ଏକ ଦୀର୍ଘ ଉତ୍ତର ଲେଖିଛନ୍ତି ମୋ ଛୋଟିଆ ପ୍ରଶ୍ନର।
ମହେଶଙ୍କ ଶ୍ରଦ୍ଧାନାମ ମୁନା, ଆମ ଡାକ୍ତରଖାନା ପରିସରରେ ଥିଲେ ସମସ୍ତଙ୍କ ପ୍ରିୟ। ମଜବୁତ ଶରୀରରେ ନବଯୁବକ, କିନ୍ତୁ ବଡ ସୁଧାର ଓ ଅମାୟିକ ତାଙ୍କ ଚାଲିଚଳଣି। ମୁନାଙ୍କ ବାବା ଶ୍ରୀ ମନ୍ମଥ ମୁର୍ମୁ ଥାଆନ୍ତି ଜନସ୍ବାସ୍ଥ୍ୟ ନିରୀକ୍ଷକ।  ସରକାରୀ କାମରେ ତାଙ୍କର ନିଷ୍ଠା ତ ଥାଏ କିନ୍ତୁ ଏହା ବାଦ ଅନେକ କାମ ପାଇଁ ସେ ଅଭୁଲା। ୨୦୦୩ରୁ ଦୀର୍ଘ ଦଶବର୍ଷ ସାଥିରେ କାମ କଲାପରେ ତାଙ୍କ ବଦଳି ହେଲା। ତା ପୂର୍ବରୁ ମୁନାବାବୁ ପ୍ରାଣୀ ବିଜ୍ଞାନରେ ଉପାଧି ପ୍ରାପ୍ତ ହୋଇ ଶିକ୍ଷକ ଭାବେ ଯୋଗ ଦେଇସାରିଥାନ୍ତି ନିଜ ଜିଲ୍ଲା ବାଲେଶ୍ଵରର ଉତ୍ତରଭାଗରେ।
ମନ୍ମଥ ବାବୁ ପ୍ରତିଦିନ ଭୋରୁ ଉଠି ଆମ ସୁକିନ୍ଦା ଡାକ୍ତରଖାନାର ବିଶାଳ ପରିସରକୁ ତନ୍ନ ତନ୍ନକରି ଛାନଭିନ୍ କରନ୍ତି କେଉଁଠି କଣ ଆବର୍ଜନା ପଡିଛି। ଦିଆସିଲିଟିଏ ଧରିଥାନ୍ତି ଜାଳିବା ପାଇଁ। ଗୋଟିଏ ବାଡି ଅଗରେ ଏକ ମୁନିଆ ତାର ଏମିତି କାଇଦାରେ ଲଗାଇଥାନ୍ତି ଯେ ପଡିଥିବା ଜରିଟିକୁ ଫୁଟାଇ ଦେଲେ ତାହା ଲଟକି ଯାଏ। ଏମିତି ସବୁ ଜରିକୁ ସେ ଅଲଗା ଏକାଠି କରନ୍ତି। ସେତେବେଳକୁ ଡାକ୍ତରଖାନାରେ ବର୍ଜ୍ୟ ପରିଚାଳନା ଲାଗୁ ହୋଇନଥାଏ। ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲା ପରେ। ନା ଅର୍ଥ ଥାଏ ନା ସଫେଇ କର୍ମଚାରୀ। ଏହା ଉଦାହରଣ ମାତ୍ର, ଏମିତି ଅନେକ କାମ କରୁଥିଲେ ସେ।
ଆଜି ଯେଉଁ ନଗଡାର ଦୁସ୍ଥ ଅବସ୍ଥା ବହୁ ପ୍ରଚାରିତ, ସେଠାକୁ ସେ ଚଢୁଥିଲେ ବର୍ଷରେ ଦୁଇଚାରିଥର। ବିଭିନ୍ନ ସ୍ବାସ୍ଥ୍ୟସେବା ଓ ସଚେତନତା ଯୋଗାଇଦେବା ଉଦ୍ଦେଶ୍ୟରେ। ତାଙ୍କ ଉତ୍ସାହ ଆମକୁ ସଂକ୍ରମିତ ହେଉଥିଲା। ଆମେ ବି ଚଢୁଥିଲୁ ଟୁମୁଣି, ନଗଡା ଓ ଗୁହିଆଶାଳ। ବଣ, ବଣୁଆ ଓ ବନ୍ୟଜନ୍ତୁଙ୍କ ପ୍ରତି ଥାଏ ତାଙ୍କର ଅଦମ୍ୟ ଆଗ୍ରହ ଓ ସହାନୁଭୂତି। ତାଙ୍କ ସାଥିରେ ଯାଇ ସେଠାରେ ରାତି ରହଣି, ଜୁଆଙ୍ଗ ନୃତ୍ୟ ଦେଖା ଓ ଅସଲି ଜଙ୍ଗଲ ହାତୀ ଦେଖିବା ସମ୍ଭବ ହୋଇଥିଲା। ଏହା ଅଭୁଲା ସ୍ମୃତି।
ହଁ ଆଜି ସ୍ମୃତି ମାତ୍ର, ଏକ ମାସ ହେଲାଣି ସେ ସ୍ବର୍ଗବାସୀ; ମୁନାବାବୁ ଲେଖିଛନ୍ତି।

ହୁଏତ ତାଙ୍କ ବଦଳି ପରେ ସୁକିନ୍ଦାର ସେସବୁ ଦୁର୍ଗମ ଅଞ୍ଚଳର ସ୍ବାସ୍ଥ୍ୟ ସମସ୍ୟା ବଢି ବେହାଲ ହୋଇଥିବ।
ତେବେ, ମୋ ଅସଲ ପ୍ରଶ୍ନ ମୁନାବାବୁଙ୍କୁ ଥିଲା କଣ ହେଲା ସେ ରଖିଥିବା ଏକ ବିରାଟ କଙ୍କଡା ବିଛାର।
ଡାକ୍ତରଖାନାର ବଡ ବଡ ଡିଡିଟି ଗୋଳା ବାଲ୍ଟି ଥାଏ ତାଙ୍କ ଘରେ। ମୁଁ ଥରେ ଦେଖିଲି ଏକ ବିଶାଲ ବିଛା ତା ମଧ୍ୟରେ ରଖିଛନ୍ତି ମୁନାବାବୁ। ପ୍ରଥମେ ଏକ ସୂତାରେ ବାନ୍ଧିଥିଲେ ତା ଲାଙ୍ଗୁଡ ପରେ ତାହାକୁ ବନ୍ଧନ ମୁକ୍ତ କରିଥିଲେ। ପ୍ରାଣୀ ବିଜ୍ଞାନର ଛାତ୍ର, ଏମିତି ପ୍ରକୃତି ପ୍ରିୟ ବାବାଙ୍କ ପୁଅ, ପୁଣି ପ୍ରକୃତି ସହ ଘନିଷ୍ଠ ସାନ୍ତାଳ ଯୁବକ ପକ୍ଷେ ଏ କାମଟିରେ କିଛି ବିଚିତ୍ରତା ନଥିଲା, ଯଦିଚ ଅନ୍ୟ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲା।
ବିଛାଟି ଉଚ୍ଚା ବାଲ୍ଟିକୁ ଚଢି ବାହାରକୁ ଯାଇ ପାରୁନଥିଲା ବୋଲି ଆମେ ଭାବୁଥିଲୁ। ମୁନାବାବୁ ଭାବୁଥିଲେ ସେ ପୋଷା ମାନି ଯାଇଛି। ଦିନ କେଇଟିରେ ଜଣା ପଡିଲା ଏ ଉଭୟ କଥା ମିଛ। ଅସଲକଥାଟି ହେଲା ବିଛା ପେଟରେ ତିଆରି ହେଉଥିଲେ ଦୁଇ ତିନି କୋଡି ଛୁଆ। ଅସଜିଆ ଜୀବଟିକୁ ଏକ ନିରାପଦ ସ୍ଥାନ ଦରକାର ଥିଲା ଯାହା ଦୈବାତ୍ ଯୋଗାଇ ଦେଇଥିଲେ ମୁନାବାବୁ। ମୁଁ ଥରେ ଦେଖିଥିଲି ଅନେକ ନବଜାତ ବିଛା ତହିଁ ସାଲୁବାଲୁ ହେଉଥିଲେ। ମୁନାବାବୁଙ୍କ ଯୋଜନା ଥିଲା ସେସବୁକୁ ନେଇ ଦୂର ଜଙ୍ଗଲରେ ଛାଡି ଦେବେ।
ଏହାପରେ କଣ ପ୍ରକୃତରେ ହେଲା ମୁଁ ଖବର ରଖିନଥିବାରୁ ଓ ଏବେ ନାନାଦି ପ୍ରାଣୀଙ୍କୁ ନେଇ ଗପ ଲେଖୁଥିବାରୁ ମୋ ମନଟି ସନ୍ଧାନୀ ହେଲା। ମୁଁ ଲେଖି ଜଣାଇଲି ଓ ସେ ଉତ୍ତର ଜଣାଇଲେ।
ଏକ ବିଛାକୁ ନେଇ ଗପଟିଏ ହୋଇପାରେ? ମୁଁ ଯାହା ଲେଖୁଛି ତାହା ଗପ ପଦବାଚ୍ୟ ହେଉ କି ନହେଉ ମୁନାବାବୁଙ୍କ ଉତ୍ତର ଏ ସଂସାର ଆଗରେ ଗପିବା ଉଚିତ। ଏଣୁ ମୁଁ ଲେଖୁଛି।

ତାଙ୍କ ଉତ୍ତରର ଉଦ୍ଧୃତି ନଦେଇ ମୋ ହିସାବରେ ଲେଖୁଛି।

ମୁନାବାବୁ ଏକ ସନ୍ଧାନୀ ମନ ନେଇ ବିଛାଟିକୁ ଉଦ୍ଧାର କରିଥିଲେ ଲୋକେ ପିଟିଦେବା ଆଗରୁ। ଏହାର ଦେହଟି ପ୍ରାୟ ଛଅ ଇଞ୍ଚ ଲମ୍ବଥିଲା ଓ ଏହା ସହ ଥିଲା ଏକ ବିରାଟ ପୁଛ୍ଛ। ସେ ଆଦୌ ବ୍ୟଗ୍ର ନଥିଲା ମୁକ୍ତ ହେବାକୁ। କୀଟ ପତଙ୍ଗ ସେଇଠି ପକାଇଲେ ଧୀରେ ସୁସ୍ଥେ ଖାଉଥିଲା। ବହୁ ସମୟ ନିଶ୍ଚଳ ରହୁଥିଲା। ମୁନାବାବୁ ଆଗରୁ କେତେଥର ନେସନାଲ ଜିଓଗ୍ରାଫିରେ ଦେଖିଥିଲେ ବିଛା ମାନଙ୍କ ବାବଦରେ। ସେତେବେଳେ ଇଉଟ୍ୟୁବ ଓ ସ୍ମାର୍ଟ ଫୋନ ଯୁଗ ଆସି ନଥାଏ। କଲେଜ ଲାଇବ୍ରେରୀରରୁ କିଛି ତଥ୍ୟ ହାସଲ କଲେ। ଏକ ଧାରଣା ହେଲା, ସେଇଟି ମାଈ ବିଛା। ସେ ଅଣ୍ଡା ବା ଛୁଆ ଦେଇପାରେ। ସତକୁ ସତ ଦିନେ ଦେଖିଲେ ବିଛା ବାହାର କରିଛି ତା ଦେହରୁ ଏକ ଥଳିଆ, ତହିଁ ମଧ୍ୟରେ ସ୍ପଷ୍ଟ ଜଣା ପଡୁଛି ଅଛନ୍ତି ପୁଳାଏ ଲାର୍ଭା। ମୁନାବାବୁ ଆଶ୍ଚର୍ଯ୍ୟ ହେଲେ, ସେ ଆଶା କରୁଥିଲେ; ଝିଟିପିଟି, ଏଣ୍ଡୁଅ ଇତ୍ୟାଦି ପରି ଏହା ଅଣ୍ଡା ଦେବ କିମ୍ବା ସାପ ପରି ଓଭୋଭିପାରସ ହୋଇଥିବ ଯେ ଭୂଇଁରେ ପଡିଲେ ଛୁଆ ବାହାରି ଆସିବେ। ଅବଶ୍ୟ ସେ ପିଲାବେଳେ ତାଙ୍କ ଗାଁ ପୋଖରୀରୁ ଧରିଥିବା ଏକ ମାଢୁଆ କଙ୍କଡାର ପେଟ ଫ୍ଲାପ ଉଠାଇ ଦେଖିଥିଲେ, ସେଇଟି କେମିତି ଛୁଆ କଙ୍କଡା ସାଲୁବାଲୁ ହେଉଥିଲେ। ସମ୍ଭବତଃ ଏ ବିଛା କ୍ଷେତ୍ରରେ ବି ତା ପେଟ ମଧ୍ୟରେ ଏ ଲାର୍ଭା ତକ ତିଆରି ହୋଇ ବାହାରିଛନ୍ତି।
ମୁନାବାବୁ ମା ବିଛା ପାଇଁ ତା ମନପସନ୍ଦର ଖାଦ୍ୟ ଯଥେଷ୍ଟ ପକାଇବା ସତ୍ତ୍ୱେ ସେ ଆଉ ତାହା ଗ୍ରହଣ କରୁନଥିଲା। ସେ ପାଠାଗାରକୁ ତନ୍ନତନ୍ନ ଖୋଜି ଏନସାଇକ୍ଲୋପେଡିଆରୁ ପାଇଲେ ତଥ୍ୟ ଯେ ନୂଆ ଛୁଆଗୁଡିକ ମା'ର ପିଠିରେ ଚଢିବେ ଓ ମା ଇତସ୍ତତଃ ଭ୍ରମଣ କରିବ। ଏହାର ଚିତ୍ର ବି ଦେଖିଲେ, ଯେମିତି ପୁଳାଏ ଯାତ୍ରୀ ଡଙ୍ଗା ଉପରେ ଅଛନ୍ତି।
ଲାର୍ଭାରୁ ଛୁଆ ବିଛା ତିଆରି ହୋଇଗଲେ। ପ୍ରକୃତିର କରାମତିରେ ସେ ଅଭିଭୂତ ହୋଇ ପଡୁଥାନ୍ତି।  ମନେ ମନେ ସ୍ଥିର କଲେ ପରଦିନ ସେ ପରିବାରକୁ ନେଇ ଜଙ୍ଗଲରେ ଛାଡି ଆସିବେ।
କିନ୍ତୁ ପରଦିନ ସକାଳେ କିଛି ଭିନ୍ନ ଦୃଶ୍ୟ ଦେଖିଲେ। ମା ବିଛା ତଥାପି କିଛି ଆହାର ଖାଇ ନଥାଏ। ଜୀବନ୍ତ ଥିବାର ପ୍ରମାଣ ମିଳୁଥାଏ। ଛୁଆ ବିଛା ମାନେ ମାଆର ଶରୀରକୁ ଖାଉଥାନ୍ତି। ତାଙ୍କୁ ବଡ ବିମର୍ଷ ଲାଗିଲା। ସେ ଏକ ସାଇବର କେଫକୁ ଯାଇ ଯତସମ୍ଭବ ତଥ୍ୟ ସଂଗ୍ରହ କଲେ। ସେ ଜାଣିଲେ ବୁଢିଆଣୀ ଜାତୀୟ କେତେକ କୀଟ, କେତେ ପ୍ରକାର ମାଛ ଓ ଗୋଟିଏ ଅକ୍ଟୋପସ୍ କ୍ଷେତ୍ରରେ ଏମିତି ଘଟେ। ମା ନୀଜ ଶରୀର ଦାନ କରିଦେଇଥାଏ ଛୁଆ ମାନଙ୍କ ପାଇଁ। କିନ୍ତୁ ବିଛା କ୍ଷେତ୍ରରେ ଏମିତି ହେବାର ପ୍ରମାଣ ପାଇଲେ ନାହିଁ। ଶେଷରେ ଗୋଟିଏ ଏମିତି ଘଟଣା ଆଫ୍ରିକାରୁ ରିପୋର୍ଟିଂ ହୋଇଥିବାର ପ୍ରମାଣ ପାଇଲେ।
ସେ ବଡ ଭାବୁକ ହୋଇଗଲେ। ଘରେ ମାଆକୁ ଯାଇ କୁନିଛୁଆ ଭଳି ଟାଣି ଆଣିଲେ କାନିଧରି। ମାଆକୁ ବୁଝାଇଦେଲେ। ସେତେବେଳକୁ ବହୁଅଂଶ ସେବନ କରିସାରିଥିଲେ ପିଲାଏ। ଆଉ ତାହାର ଜୀବନ ନଥିଲା। ମା ତାଙ୍କ କଲେଜ ପଢୁଆ ପୁଅକୁ କୋଳାଇ ନେଲେ।
 - ହଁରେ ବାପା ଏହା ସମ୍ଭବ। ମା ସବୁବେଳେ ନିଜପାଇଁ କମ ଓ ସନ୍ତାନ ପାଇଁ ଅଧିକ ଚିନ୍ତା କରେ। ମନ ଦୁଃଖ କରିବା ଆବଶ୍ୟକ ନାହିଁ, ଏହା ଯଦି ପ୍ରକୃତିର ନିୟମ ଏହାହିଁ ହେଉ। ମାଆଟି ଏବେ ଏତେଗୁଡିଏ ଛୁଆ ମଧ୍ୟରେ ଜୀବିତ।

ମୁନାବାବୁ ବୁଝିଲେ, ମା ତାଙ୍କର କଥାଟିକୁ ସ୍ବଭାବିକ ଓ ହାଲୁକା ଢଙ୍ଗରେ ନେଇଛନ୍ତି। ତାଙ୍କର ମନେ ପଡିଗଲା, ମା କେମିତି ତାଙ୍କପାଇଁ ଓ ନାନୀଙ୍କ ପାଇଁ କେତେ ହଇରାଣ ହୁଅନ୍ତି। ସେ ମନେ ମନେ ସ୍ଥିର କଲେ, ମା'ଙ୍କ ବୁଢୀ କାଳରେ ଖୁବ୍ ଯତ୍ନରେ ରଖିବେ ତାଙ୍କୁ।

କ୍ରମଶଃ ସମ୍ପୂର୍ଣ୍ଣ ମାଆ ବିଛାକୁ ଖାଇଗଲେ ଛୁଆ ବିଛା ମାନେ। ସେ ସେମାନଙ୍କୁ ନେଇ ଜଙ୍ଗଲରେ ଛାଡି ଆସିଲେ।
  କେବେ କେବେ ଭାବନ୍ତି ଏ ତଥ୍ୟ ତକର ଫଟୋ ପ୍ରମାଣ ରଖିଥିଲେ ସେ ହୁଏତ କୌଣସି ବିଜ୍ଞାନ ପତ୍ରିକାକୁ ଦେଇଥାନ୍ତେ। ପୁଣି ଭାବନ୍ତି, ସେ ମାଆଟିକୁ ବନ୍ଦୀ କରିବାରୁ ଏମିତି ହେଲାକି?
ମୁନାବାବୁଙ୍କୁ କିନ୍ତୁ ମାଆଙ୍କ ସେବା କରିବାର ବିଶେଷ ସୁଯୋଗ ମିଳିଲା ନାହିଁ। ମାଆ ମଞ୍ଜୁରାଣୀ ମୁର୍ମୁ ସ୍ବର୍ଗଗାମୀ ହେଲେ ମାତ୍ର ପଞ୍ଚାବନ ବର୍ଷରେ। ପୁଣିଥରେ ମନେ ପଡିଯାଇଥିଲା ତାଙ୍କ ପୁରୁଣା ଅନୁଭୂତି। ଦୁଇଧାର ଲୁହ ଗଡିଗଲା।

ତେବେ ସେ ତାଙ୍କ ସଂକଳ୍ପରୁ ହଟି ନାହାନ୍ତି। ଅନେକ ମାଆ ଓ ବାବାଙ୍କ ସେବା କରିବାର ସୁଯୋଗ ମିଳିଛି ତାଙ୍କୁ। ଏକ ବୃଦ୍ଧାଶ୍ରମ ସହ ସେ ବିଶେଷ ଭାବେ ଜଡିତ ହୋଇପଡିଛନ୍ତି।

ଅଯଥା ପ୍ରକୃତି ଉପରେ ଆକ୍ରମଣ ନକରିବାକୁ ସଚେତନ କରୁଛନ୍ତି ସମାଜକୁ। ସାପ ହେଉ କିମ୍ବା ବିଛା ଅବା ଯେକୌଣସି ପ୍ରାଣୀ; ପ୍ରକୃତି ଛାଆଁକୁ ସନ୍ତୁଳନ କରୁଛି। କେବଳ ମଣିଷ ଗୋଟିଏ ଜୀବ, ଏହାକୁ ବିଗାଡିବାରେ ବ୍ୟସ୍ତ।
ଫଳ ହେଉଛି ସଂଘର୍ଷ।

ଏ ସଂଘର୍ଷ ରୋକିବାକୁ ସଂଗଠନଟିଏ ହୋଇଛି ସ୍ଥାନୀୟ ଅଞ୍ଚଳରେ। ହାତୀ ଘଉଡେଇବା ଏକ ସମାଧାନ ନୁହେଁ। ସେମାନଙ୍କ ପାଇଁ ଜଙ୍ଗଲ ସମ୍ପଦ ବଢାଇବାରେ ଲାଗିପଢିଛି ସଂଗଠନଟି। କ୍ରମଶଃ ଘଞ୍ଚ ହୋଇଆସୁଛି ଜଙ୍ଗଲ। ହାତୀଙ୍କ ଅନୁପ୍ରବେଶ ବି ଏ ସନ କମ ହୋଇଛି। ମୁନାବାବୁଙ୍କ ସାଙ୍ଗ ଜଣେ ନୀଳଗିରିର କୁଲଡିହା ଅଭୟାରଣ୍ୟରେ କାର୍ଯ୍ୟରତ। ଛୁଟି ପାଇଲେ ସେଠାକୁ ଯାଉଛନ୍ତି, ହାତୀ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ଗତିବିଧି ଲକ୍ଷ୍ୟ କରିବାକୁ। ସେ ଏବେ ଅନେକ କିଛି ଜାଣିଲେଣି। ବହୁତ ପଢାପଢି ମଧ୍ୟ କରୁଛନ୍ତି।
ଲୋକମାନେ ତାଙ୍କ କଥାକୁ ଗୁରୁତ୍ୱ ଦେଇ ଶୁଣୁଛନ୍ତି।

 ସ୍ଥାନୀୟ ଅଞ୍ଚଳରେ ସାପମାନଙ୍କ ତ୍ରାଣକର୍ତ୍ତା ମହେଶ, ଲୋକଙ୍କୁ ସଚେତନ କରୁଛନ୍ତି  ବିଷଧର ଓ ବିଷହୀନ ସାପଙ୍କ ପ୍ରଜାତି ବାବଦରେ। ଅସଂଖ୍ୟ ସାପଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡୁଛନ୍ତି।
ପତ୍ର ସହ ପଠାଇଛନ୍ତି ସେହିଦିନ ଉଦ୍ଧାର କରିଥିବା ଛୁଆ ଗୋଖରର ଫଟୋ।

ସାବାସ୍ ମୁନାବାବୁ, କେହି ହୋଲେ ବୁଝୁଥାନ୍ତୂ, ପ୍ରାଣୀଙ୍କ ଆରତ।

ମୁନାବାବୁଙ୍କ ପିଉସୀ ନାନୀଙ୍କ ଦେହାନ୍ତ ହେଲା ମାସେ ପୂର୍ବରୁ। ଏ ଖବରରେ ବିଚଳିତ ହୋଇ ହଠାତ୍ ହୃଦଘାତରେ ଜୀବନ ଚାଲିଗଲା ବାପା ମନ୍ମଥ ବାବୁଙ୍କର, ଏକଥା ଲେଖିଛନ୍ତି ସେ।
 ତାଙ୍କ କାମରେ ଅବଶ୍ୟ ପରିବାର ଲୋକେ ଅନେକ ଉତ୍ସାହ ଓ ସହଯୋଗ ଦେଉଛନ୍ତି, ଠିକ୍ ଯେମିତି ତାଙ୍କ ବାବା ଦେଉଥିଲେ। ସେ ବି ଉତ୍ସାହିତ କରୁଛନ୍ତି ଶିଶୁପୁତ୍ର ମହେଶ୍ବରକୁ।

Saturday 15 August 2020

ହାରଜିତ।

ହାରଜିତ।
ରବିନାରାୟଣ ସେନାପତି। ତା. ୧୯.୦୮.୨୦୨୦
ବିଜୟ ଗୃହ ଭିତର ଓ ବାହାର ଆଲୋକିତ କଲେ । ଟିକେ ବାହାରକୁ ଆସିଲେ, ସାମ୍ନାର ଆମ୍ବଗଛ ଆଡକୁ ଚାହିଁଲେ, ମନେହେଲା କଣ ଗୋଟେ ଜୀବ ତାଙ୍କ ଉପସ୍ଥିତିର ସୁରାକ ପାଇ ଗଛକୁ ଝପଟିକି ଚଢିଗଲା, ଓଧ କି ଗୋଧୀ ଜାତୀୟ । ସେ ପୁଣି ହସିଲେ, ଜୀବଟି ପ୍ରାୟ ବେଙ୍ଗମାନଙ୍କୁ ଆହାର କରୁଥିଲା । ଘର ଚାରିପଟ ଜଳାର୍ଣ୍ଣବ, ବେଙ୍ଗ ମାନଙ୍କ ସମ୍ମିଳନୀ। ଖାଦ୍ୟ ଓ ଖାଦକର ସମ୍ପର୍କରେ ସେ କିଏ ବିଘ୍ନ ସୃଷ୍ଟି କରିବେ ଯେ!

କିଛି ସମୟ ପୂର୍ବରୁ ପ୍ରାଣୀ ବିଜ୍ଞାନୀ ବିଜୟ ଭାବୁଥିଲେ ଏଇଠି ବାଇଦ ବଜାଉଥିବା ବେଙ୍ଗ ମାନଙ୍କ କଥା।  ସେ ଭାବନା ଆଉ ନଥିଲା । ସେ ସ୍ଥାନ ନେଇଥିଲା ସେହି ଅଚିହ୍ନା ଜୀବଟି।

 ପିଲାବେଳର ଆଉ ଏକ କଥା ମନେ ପଡିଗଲା ।
       
ତାଙ୍କ ଯୁବ ବୟସରେ ବି ଏହି କଥାଟି ମନେ ପଡିଥିଲା ଥରେ।

ଦିନେ ସେ ପଢିଥିଲେ ବିଖ୍ୟାତ ଗାଳ୍ପିକ, ମହାଶୟ ଅଚ୍ୟୁତାନନ୍ଦ ପତିଙ୍କ ଚର୍ଚ୍ଚିତ ଗଳ୍ପ, "ଦୁର୍ବାର", ସେଇ ଯେଉଁ ମୂଷା ପଛରେ ପଡିଯାଇଥିବ ମଣିଷ; ସେହି ଗଳ୍ପଟି। ଅନେକ କ୍ଷଣ ଗମ୍ଭୀରତାର ସହ ଗପ ନିମଜ୍ଜିତ ହେଲେ। ପୁଣି ଲଘୁଜ୍ଞାନରେ ହସିଲେ, ମଜା ଲାଗିଲା। ହଠାତ୍ ମନେହେଲା, ଏ ଗପଟି ଯେମିତି ସେ ଦେଖିଥିବା ଏକ ଘଟଣା, ଦେଜା ଭୁ। ତାଙ୍କ ପିଲାବେଳେ ତାଙ୍କ ଗାଁ ମଗଧର ସୁବିଖ୍ୟାତ ପୋଖରୀ 'କୁସୁମା' କୂଳରେ ଘଟିଥିଲା ଘଟଣାଟି। ମୂଷା ବଦଳରେ ଏକ ଅଜଣା ସରୀସୃପ ପଛରେ ପଡିଯାଇଥିଲେ  ଲୋକେ। ସେ ଆଗରେ ଲୋକେ ପଛରେ।

ସେକଥାକୁ ବିଜୟବାବୁ ଲେଖିବାକୁ ଚାହିଁଲେ କିନ୍ତୁ ତାଙ୍କ ଆତ୍ମା ବାଧାଦେଲା। ଏଡେ ସୁନ୍ଦର ଗଳ୍ପର ନକଲ କରିବା ଉଚିତ୍ ନୁହେଁ। କଥାଟି ସତ ହେଲେବି ଆଉ ସତହେଲା କେଉଁଠି, ସୂତ୍ରଟି ତ ନକଲି। ଲେଖିବା ନୋହିଲା। କେତେଦିନ ଏ ଭାବନା ବିଜୟଙ୍କୁ କବଳିତ କରି ଅପସରି ଗଲା ସମୟକ୍ରମେ।

ଏ ମଧ୍ୟରେ କେତେ ଦଶନ୍ଧି ବିଗତ। ଆଖିଦେଖା ଘଟଣା ମନେଅଛି କିନ୍ତୁ ଦୁର୍ବାର' ଗଳ୍ପ ଆଦୌ ମନେ ନାହିଁ। ମନେ ନଥିଲେ ବି ମନେ ଥାଏ ବହୁତ କଥା।
 ବିଜୟବାବୁଙ୍କ ସ୍ମରଣକୁ ପୁଣି ସେ ଘଟଣା ଆସିଗଲା। ଆଜି ଆମ୍ବ ଗଛକୁ ଯେମିତି ବେଙ୍ଗଖିଆ ସରୀସୃପଟି ସେ ଅନାଉ ଅନାଉ ଚଢିଗଲା, ସେମିତି ସେଦିନ କୁସୁମା ଆଡିରେ ଥିବା ଦୋଳି ଅଶ୍ବଥ ଗଛ ଉପରକୁ ଚଢି ଯାଇଥାଏ ସେ ଜୀବଟି।
କେହି କହୁଥାଏ ସେଇଟି ବଉଳି ଆଉ କିଏ କହୁଥିଲା ନେଉଳର ବଡ ଭାଇ ନେଉଳି, କିଏ ପୁଣି କହୁଥିଲା ଓଧ, ଆଉ ବି କିଏ କହୁଥିଲା ସେଇଟି ଗୋଟେ ପ୍ରକାଣ୍ଡ ଗୋଧୀ। ଆମେ ପିଲାମାନେ ନେଉଳ ଓ ଗୋଧୀ ଏ ଦୁଇଟି ଜୀବଙ୍କୁ ଚିହ୍ନିଥାଉ। ଏ ଜୀବଟି ସେମିତିକା ନୁହେଁ। ତେଣୁ ଏ ନାମଗୁଡିକ ଆମପାଇଁ କିଛି ମାନେ ରଖୁନଥିଲା। ଅସଲକଥା ହେଲା ସେମାନେ ବି ସେଇଟିକୁ ଚିହ୍ନି ପାରୁନଥିଲେ ବୋଧେ।

କେତେଦିନ ହେଲା ଏହି ଜୀବଟିକୁ ଲୋକେ ଦେଖୁଛନ୍ତି। ଗଛ କୋରଡରେ ରହୁଛି ପୁଣି ପୋଖରୀକୁ ପଶି ମାଛ ଖାଉଛି, ବଡ ମାଛ ଧରିନେଉଛି। ଜଣାନାହିଁ ଜୀବଟି ଆଗରୁ ଥିଲା କି ନାହିଁ, ଏକୁଟିଆ ରହୁଛି କି ସପରିବାରେ। କୁସୁମାରେ ମାଛ ଚାଷ ହୋଇଥାଏ। ଲୋକେ ବିଚାର କଲେ, ଇଏ ତ ସବୁ ଖାଇଦେବ, ସେମାନଙ୍କ ଚାଷ ଉଜୁଡି ଯିବ।
ଏହାକୁ ଜବତ କରିବାକୁ ପଡିବ।
ଲୋକମାନେ ବାହାରି ପଡିଲେ। ଗଛ ଚାରିକଡେ ଜାଲ ବସାଇଲେ। ଗଛଟି ପୋଖରୀର ନୈଋତ କୋଣରେ।  ଜାଲର ଏକ ଅଂଶ ମେଲା ରଖିବାକୁ ବାଧ୍ୟ ହେଲେ, ସେ ଅଂଶଟି ପୋଖରୀର ପାଣିରେ ପଡୁଥିବାରୁ। ବହୁତ ଲୋକ ରୁଣ୍ଡ ହେଲେ। ବିଜୟ ଓ ଗାଁର ଅନ୍ୟ ପିଲାଏ କଣ ହେଉଛି ମଜା ଦେଖୁଥାନ୍ତି। ଗଛ କୋରଡର ତଳ ଆଡୁ ଗୋଟେ ମୋଟା ବରିଆ ଜାଳି ଧୁଆଁଁ ଦିଆଗଲା। ଜୀବଟି କିଛି ସମୟ ପରେ କୋରଡର ଉପରମୁଣ୍ଡରେ ଥିବା ବାଟରୁ ବାହାରି ଯାଇ ଗଛ ଅଗ ଆଡକୁ ଚଢିଲା।
ପିଲାଏ ଭାବୁଥିଲେ, ଏଇଟି କ'ଣ ହୋଇପାରେ? ଚାରିଗୋଡ ଅଛି, ଲାଙ୍ଗୁଡ ଅଧିକ ଲୋମଶ। ମୁହଁ କଟାସ ଭଳି ଦିଶୁଛି କିନ୍ତୁ କଟାସ ନୁହେଁ। ସେମାନେ କଟାସ ଦେଖିଛନ୍ତି। ଏହା ନେଉଳ ବା ନେଉଳି ସେମିତି କିଛି ନୁହେଁ, ଏହା ମୁହଁଟି ଗୋଜିଆ ନୁହେଁ। ଏହା କେବେ ଗୋଧୀ ନହୋଇପାରେ, ପିଲାଏ କଥା ହେଲେ। ଗୋଧୀ ସେମାନେ ଦେଖିଛନ୍ତି, ଯେମିତି ବଡ ଏଣ୍ଡୁଅ। ନା ଏହା ଗୋଧୀ ନୁହେଁ। ଅତୟବ୍ ଏହା ବଉଳି କିମ୍ବା ଓଧ ହୋଇଥିବ। ଓଧର ଚିତ୍ର ସେମାନେ ବହିରେ ଦେଖିଥିଲେ ବି ସଠିକ ନିର୍ଣ୍ଣୟ କରି ପାରୁ ନଥାନ୍ତି। ବୋଉଳି ବୋଲି ଏକ ନାମ ସେମାନଙ୍କ କାନରେ ପ୍ରଥମ କରି ପଡୁଥାଏ। ବଡମାନେ କିଛି ସଠିକ୍ ନଜାଣି ଏ ସମସ୍ତ ନାମକୁ ନିଜ ନିଜ ମଧ୍ୟରେ ବାଣ୍ଟିନେଇ ତା ସପକ୍ଷରେ କହୁଥାନ୍ତି। ପିଲାଏ କିନ୍ତୁ ଦୁଇଭାଗ ହୋଇଥାନ୍ତି; ଦଳେ ବଉଳିବାଦୀ ଆଉଦଳେ ଓଧବାଦୀ। ବିଜୟ ମନେ ପକାଉଥିଲେ, ସେ ଏହାକୁ ଓଧ ବୋଲି ଧରି ନେଇଥିଲେ।

ପ୍ରାଣୀବିଜ୍ଞାନୀ ବିଜୟ ଆଜି ମଧ୍ୟ ସଠିକ୍ ଭାବି ପାରୁନାହାନ୍ତି ସେଇଟି ପ୍ରକୃତରେ କ'ଣ। ସେ ଓଧ ସପକ୍ଷରେ।

ଗୋଟିଏ ସାମାନ୍ୟ ଜୀବପାଇଁଁ ଏତେଲୋକ ରୁଣ୍ଡହେବା ପଛରେ ମଣିଷର ମନସ୍ତତ୍ତ୍ବକୁ ଆଜି ବୟସର ଅପରାହ୍ନରେ ମଧ୍ୟ ବୁଝିପାରୁନାହାନ୍ତି ବିଜୟ। ତାଙ୍କ ଛାତ୍ରଜୀବନ କଥା ମନେ ପଡିଲା। ବିଶ୍ବବିଦ୍ୟାଳୟ ତରଫରୁ ସେମାନଙ୍କ ବିଭାଗ ଲଗାତାର କେତେଦିନ ଯାଉଥାଏ ପ୍ରାଣୀ ଉଦ୍ୟାନ ନନ୍ଦନକାନକୁ। ଦିନେ ତାଙ୍କ ସାଙ୍ଗ ଗିରିଜା ପାଇଁ ଡେରି ହେଉଥାଏ। ପ୍ରାୟ ପାଞ୍ଚମିନିଟ ଅପେକ୍ଷା ପରେ ସେ ଆସିଲା। ସମସ୍ତଙ୍କ ପ୍ରିୟ ବାସୁସାର୍ ଥାଆନ୍ତି ଦାୟିତ୍ୱରେ। ଥଟ୍ଟାକରି କହିଲେ, କିରେ ଗିରିଜା ତୋ ପାଇଁ ଦୁଇଘଣ୍ଟା ବରବାଦ ହୋଇଗଲା।
- ସେ ପାଇଁ ଦୁଃଖିତ ସାର୍ କିନ୍ତୁ ମୋ ବିଳମ୍ବ ମାତ୍ର କେଇ ମିନିଟକୁ ଆପଣ ଦୁଇଘଣ୍ଟା କେମିତି କହୁଛନ୍ତି।
ପରବର୍ତ୍ତୀ କାଳରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିବା ବାସୁସାର୍ ସେଦିନ ବୁଝାଇଦେଲେ, ବସରେ ଥିବା ସମୁଦାୟ ଚବିଶ ଜଣଙ୍କ ପାଞ୍ଚ ମିନିଟ ହେଲେ ସମୁଦାୟ ଦୁଇଘଣ୍ଟା ହେଲାକି ନାହିଁ! ଆରେ ସତେ ତ! ବିଜୟ ମନେ ପକାଇଥିଲେ ସେ ଓଧ ପ୍ରସଙ୍ଗ। ଅନେକ ମଣିଷ କେଜାଣି କେତେ ଘଣ୍ଟା ଲାଗି ରହିଥିଲେ ଓଧଟିକୁ ଜବତ କରିବାକୁ। ସେତିକି ସମୟ ସମ୍ମିଳିତ ଦାନ କରିଥିଲେ ଅଧାମାଇଲ ରାସ୍ତା ସୁନ୍ଦରଭାବେ ମରାମତି ହୋଇଥାନ୍ତା।

ଆଉଦିନେ ସାଥୀ ମାନଙ୍କ ଗହଣରେ ସିନେମା ଦେଖିବାବେଳେ ଏହିକଥାଟି ମନେପଡି ତାଙ୍କୁ ହସାଇଥିଲା। ମନେ ମନେ ଭାବିଥିଲେ, ଏ ଭରା ପ୍ରେକ୍ଷାଳୟର ସମବେତ ଜନତା ଯଦି ଏତିକି ସମୟ .... । ସେ ବୁଝିନେଲେ, ମନୋରଞ୍ଜନ ମଧ୍ୟ ହୋଇପାରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏବଂ ତାଙ୍କ ମଗଧର ପ୍ରିୟ ଗ୍ରାମବାସୀ ସେଦିନ ସେମିତି ଏକ ମନୋରଞ୍ଜନରେ ବ୍ୟସ୍ତ ରହିବାରେ ବିଚିତ୍ର କଣ ରହିଲା ଯେ! ଆଦ୍ୟଯୁଗର ଶିକାରୀ ମନୁଷ୍ୟ ତଥାପି ତା ମଧ୍ୟରେ ଉପସ୍ଥିତ।
କେବଳ ମନୋରଞ୍ଜନ ନୁହେଁ ଲୋକଙ୍କର ଚଢିଥିଲା ଜିତିବାର ନିଶା। ଗୋଟିଏ ଇତ୍ତର ପ୍ରାଣୀ ତାଙ୍କ ମର୍ଯ୍ୟାଦା ସମ୍ପର୍ଣ୍ଣ କୁସୁମାରୁ ମାଛ ଚୋରେଇ ଖାଇବ ଓ ସେମାନେ ସହିନେବେ? ନା ସେମିତି ହୋଇନପାରେ।
କହିଜଣେ ଧନୁରୁ ନିକ୍ଷେପ କଲା ଏକ ପରେ ଏକ ବିଟା। ଓଧ ଡାଳ ଉହାଡରେ ଛପିଗଲା। ଆଠ ଦଶ ଲୋକ ଆଙ୍କୁଡା ଧରି ଚଢିଗଲେ। ସେମାନେ ସାହସୀ। ବିଶାଳ ଗଛ, ଆଙ୍କୁଡି ପାଇଲା ନାହିଁ। ସେମାନେ ଓହ୍ଲାଇ ପଡିଲେ। ଯେଉଁ ଚାରି ପାଞ୍ଚଜଣ ଧନୁର୍ଦ୍ଧର ମଗଧର ଶିକାରୀ ତାଲିକାରେ ଥାଆନ୍ତି ସେମାନେ ବିଭିନ୍ନ ଦିଗରୁ ଶର ସନ୍ଧାନ କଲେ। ପ୍ରକୃତରେ ଶର ନୁହେଁ, ଯାହାକୁ କୁହାଯାଏ ବିଟା। ଧାତୁରେ ତିଆରି ନୁହେଁ କି ମୁନିଆ ନୁହେଁ। ପିଲାଏ ସେସବୁ ଗୋଟେଇ ଆଣି ଶିକାରୀଙ୍କୁ ଦେଉଥାନ୍ତି। ଯଦି ପାଣିରେ ପଡିଲା ତାହାବି ସଂଗ୍ରହ ହେଉଥାଏ। ଜଣେ ଜଣେ ପହଁରି ଯାଉଥାନ୍ତି। ଓଧଟି ଆଉ ଲୁଚିବା ସମ୍ଭବ ହେଲାନି।
ସେ ଏଡାଳ ସେଡାଳ ଦୌଡାଦୌଡି କଲା। ଗଛର ଯେଉଁ ଅଂଶ କୁସୁମା ଆଡକୁ ବ୍ୟାପ୍ତ ସପଟକୁ ଚାଲିଗଲା। ପୁରା ଅଗକୁ ଚଢିଗଲା। ନହକା ଡାଳ ଯେତିକି ନଇଁଲା ତାହା ବି ଉଚ୍ଚ। କିନ୍ତୁ ସେ ପ୍ରାଣ ବିକଳେ ସେଇଠୁ ଡେଇଁ ପଡିଲା ପାଣିରେ। କୁସୁମାର ମଧ୍ୟଭାଗ ଆଡକୁ ପହଁରି ଚାଲିଲା। ଲୋକେ ଭାଗ ଭାଗ ହୋଇ ଚତୁର୍ଦ୍ଦିଗକୁ ଘୋଟିଗଲେ। ଜଣେ ଦୁଇଜଣ ସ୍ବଭାବେ ନେତାସୁଲଭ ଲୋକ ନିର୍ଦ୍ଦେଶ ଦେଉଥାନ୍ତି; ଏମିତି କର, ସେମିତି କର। ସତେ ଯେମିତି ଏଭଳି ବହୁ ଅଭିଜ୍ଞତା ସେମାନଙ୍କର ଆଗରୁ ରହିଛି! କୈବର୍ତ୍ତ ସାହି ଲୋକେ ତାଙ୍କ ନୂଆ ପୁରୁଣା ସବୁ ଜାଲ ଆଣି ଜଳାଶୟ ଚାରିପାଖରେ ସଜାଡି ବସାଇଲେ। ଲୋକେ ଯଗି ରହିଲେ। ଯେଉଁ ଅଂଶ ତଥାପି ଅନାବୃତ୍ତ ରହିଲା ସେଠି ଲୋକେ ଠେଙ୍ଗାବାଡି ଧରି ପାଖାପାଖି ଠିଆ ହେଲେ।

ବିଜୟଙ୍କର ଯାହା ମନେପଡେ ସେତେବେଳେ ବି ତାଙ୍କୁ କେମିତି ଅଦ୍ଭୁତ ଲାଗିଥିଲା ଏ କାରବାର। ଯେମିତି ଏକ ବାଘ ଅବା ସିଂହ ଅବା ହାତୀକୁ କାବୁ କରିବା ପାଇଁ ମଣିଷ ମାତିଛି। ବୟସ ବଢିବା ସହ ଏ କଥାଟି ବାରମ୍ବାର ନୂଆ ପରିଭାଷା ସହ ତାଙ୍କ ସାମ୍ନାରେ ଉଭା ହୋଇଛି।

ଜଣେଲୋକ ଯେମିତି ଜିଦଖୋର ହୋଇପାରେ ସେମିତି ସମୟେ ସମୟେ ଏକ ସମୁହ ସମାଜବି ଜିଦ୍'ର ନିଶାରେ ଚୁର୍ ହୋଇଯାଏ। ସାମାନ୍ୟ ଏକ ଅଦ୍ଭୁତ ଅଚିହ୍ନା ସରୀସୃପ ଯାହାକୁ ସେ ଓଧ କହୁଛନ୍ତି, ତା ପଛରେ ମଗଧ ଗାଁ ମାତିଯିବ? ଏହା ପୂର୍ବେ କେବେ ହୋଇନଥିଲା କି ପରେ କେବେ ହୋଇନି ତାଙ୍କ ଜାଣତରେ।
ଖାଲି କଣ ସେତିକି, କୁସୁମା ମଧ୍ୟକୁ ଡେଇଁ ପଡିଲେ ଦଳେ ସନ୍ତରଣକାରୀ। ମଗଧରେ ଡଙ୍ଗା ନଥାଏ। ଗୋଟିଏ ପଟାଖଟର ଗୋଡରେ କାର ଟିଉବ୍ ଗଳାଇ କାଳିଆ ଭାଇ ଭେଳା ତିଆରି କରନ୍ତି କେବେ କେବେ। ସେଇ ଭେଳାକୁ ସେ ବୋହି ଆଣିଲେ।
ଗୋଟେ ଖୁସି ଆଉ କ'ଣ।
ଚାଲିଲା ଛକାପଞ୍ଝା। ମଣିଷ ତା ସହ ପହଁରି ପାରୁନଥାଏ। ଭେଳାର ଗତି ଆହୁରି ଧୀର। ଓଧ କେତେବେଳେ ଭାସୁଥାଏ ଓ କେତେବେଳେ କୁସୁମାର ଅଥଳ ଜଳରାଶିରେ ବୁଡପକାଇ ଅନେକ ଦୂରରେ ବାହାରୁଥାଏ। ସନ୍ତରଣକାରୀ ବଳୟ କରି ତା ପାଖକୁ ଗଲେ ସେ ବୁଡିଯାଇ ବଳୟ ବାହାରକୁ ଚାଲିଯାଏ। ଏମିତି ଯେତେ ସମୟ ଚାଲିଥିଲେ ବି ତାକୁ କାବୁକରିବା ଅସମ୍ଭବ ହୋଇଥାନ୍ତା। କୁସୁମାର ଆକାର ଓ ଗଭୀରତା ବାବଦରେ ଜାଣିଥିବା ମଣିଷ ଏକଥା ନିଶ୍ଚିତ ବୁଝିପାରିବେ।

ତେବେ, ଓଧ ମଧ୍ୟ ଏ ଖେଳକୁ ଆଉ ପସନ୍ଦ କଲାନି ବୋଧହୁଏ। ଦେଖାଗଲା ସେ ଏବେ କୂଳକୁ ଆସୁଛି। ଆଉ ନିସ୍ତାର ନାହିଁ। ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ରହିଥାନ୍ତି ସମସ୍ତେ। ପିଲାଏ କଥା ହେଉଥାନ୍ତି, ଏବେ ନିଶ୍ଚେ ଧରା ପଡିବ। ବିଜୟର ଥାଏ ଘୋର ସନ୍ଦେହ। ଏବେ ମନେପଡେ ବିଜୟଙ୍କୁ, ସେ ବୋଧହୁଏ ଭାବୁଥିଲେ ; ଏ ମଣିଷଗୁଡା ହାରନ୍ତେ କି!
କଣ ହୋଇପାରେ ତା କାରଣ। ପ୍ରାଣୀବିଜ୍ଞାନୀ ବିଜୟ ଆଉକିଛି ସଠିକ୍ ମନେରଖିନଥିଲେ ମଧ୍ୟ ଅନୁମାନ କରୁଛନ୍ତି; ସତେ ଯେମିତି ଓଧଟିକୁ ସେ ସାମିଲ କରିଦେଇଥିଲେ ତାଙ୍କ ପିଲାଦଳ ମଧ୍ୟରେ। ତାଙ୍କ ଭଳି ଦୁର୍ବଳ, ସରଳ ଓ ନିରୀହ। ବଡମାନେ ଛୋଟ ପିଲାମାନଙ୍କୁ ମାଡପିଟ କଲାଭଳି ଆଜି ଏ ଓଧ ପଛରେ ପଡିଯାଇଛନ୍ତି।
 ଆଉ ଏକ କାରଣ ବି ହୋଇଥାଇପାରେ ଯେ ପିଲାଏ ଏ ଅଭିଯାନରେ ସାମିଲ ନୁହନ୍ତି, ଦେଖଣାହାରୀ ମାତ୍ର। ତାଙ୍କୁ କାହିଁକି ମିଶାଇ ନାହାନ୍ତି; ପାନେ ପାଆନ୍ତୁ। ଏମିତି ବି ହୋଇପାରେ, ସେ ଓଧ ମଧ୍ୟରେ ଦେଖୁଥିଲେ ତାଙ୍କ ପୋଷା ନେଉଳ 'ହୀରା'। ଯେଉଁଥିପାଇଁ ହେଉନା କାହିଁକି, ବଡବେଳେ ଏ ଘଟଣା ଯେବେ ମନେପଡିଛି  ସେ ବଡ ହତାଶ ଅନୁଭବ କରିଛନ୍ତି। ସାମୁହିକ ମତିଭ୍ରମ ତାଙ୍କ ଆଭିଜାତ୍ୟସମ୍ପର୍ଣ୍ଣ ଗ୍ରାମରେ ଘଟିପାରେ! ଭାବିଲେ ତାଙ୍କୁ ପ୍ରତିଥର ସରମ ଲାଗିଛି।
ଓଧ ଆଉ ଭୟ ନକରି କୂଳ ଆଡକୁ ଚାଲିଲା। ଲୋକେ ଉତ୍କଣ୍ଠିତ କିନ୍ତୁ ସଜାଗ। କ୍ରମେ ସେ ଅଗ୍ନିକୋଣକୁ ଚାଲିଲା, ଯେଉଁଠି ରହିଛି ସ୍କୁଲ ତୁଠ। ସେଇଠି ଜାଲଥାଏ ମଜବୁତ। ଓଧକଣ ଧରାଦେବ! ଆସିଲା ଏକଦମ କୂଳ ପାଖକୁ। ସେଇଠି ଥାଏ ବଳକା ଜଳ ନିଷ୍କାସନ ପାଇଁ ହୋମପାଇପ। ହଠାତ୍ ତା ମଧ୍ୟରେ ପଶିଯାଇ, ଆଖିପିଛୁଳାକେ ଆରପାଖକୁ ବାହାରି ଯାଇ ଦୌଡିଲା। ବିସ୍ତୀର୍ଣ୍ଣ ଦକ୍ଷିଣପଶିର ଉଭା ଧାନକ୍ଷେତ ମଧ୍ୟ ଦେଇ। ଲୋକେ ଟିକେ ବାଟ ଖେଦିଗଲେ ସିନା, ଫେରିଆସି ନିଜ ନିଜର ଜାଲ ଉଠାଇବାରେ ଲାଗିପଡିଥିଲେ।
ବୃଦ୍ଧଜଣେ କହିଲେ, "ତୋ ମାଆ ଦ୍ବିତୀୟା ପୂଜିଥିଲା, ଏତେ ଲୋକଙ୍କୁ ଠକି ଚାଲିଗଲୁ"।
ବିଜୟ ବୁଝିପାରିଥିଲା, କେବଳ ସେ ନୁହେଁ ସବୁ ପିଲା ଯେମିତି ଆନନ୍ଦିତ ହୋଇଥିଲେ।
ସବୁଠୁ ଆଶ୍ଚର୍ଯ୍ୟ କଥା ଓଧ ବା ସେ ଜୀବଟି ଫେରିଆସିଲା ଦୋଳିଅଶ୍ବଥ  ଗଛକୁ, ସେଇଠି ରହିଲା। ମନଇଚ୍ଛା ମାଛ ଶିକାର କରି ଖାଇଲା। ଗ୍ରାମବାସୀଙ୍କ ମତିଭ୍ରମ ହଟିଥିଲା। ଆଉ କେହି ତା ବାବଦରେ ଆଗ୍ରହ ପ୍ରକାଶ କରିନଥିଲେ।

Friday 14 August 2020

ରାଜ୍ୟପାଳ ପୁରସ୍କୃତ ଶିକ୍ଷକ।

ରାଜ୍ୟପାଳ ପୁରସ୍କୃତ ଶିକ୍ଷକ।

ରବିନାରାୟଣ ସେନାପତି।

ରାଜୁବାବୁ ଖବରକାଗଜ ପଢୁଥିଲେ। ସରକାର ଭଲ ଦଶ ଜଣ ଡାକ୍ତରଙ୍କୁ ଦଶଲକ୍ଷ ମୁଦ୍ରା ପୁରସ୍କାର ଦେବେ, ସେମିତି ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ମଧ୍ୟ ପାଇବେ; ଘୋଷଣା କରିଛନ୍ତି ଖୋଦ ମୂଖ୍ୟମନ୍ତ୍ରୀ। ଧେତ୍, ତାଙ୍କ ପରିବାରରେ ବା ସମ୍ପର୍କୀୟ କେହି ଚିକିତ୍ସକ ନାହାନ୍ତି। ହଁ, ଦଶଲକ୍ଷ ଏମିତି କେତେକି, ସେମାନେ ପାଇଲେ ପାଆନ୍ତୁ, ମନକୁ ବୁଝାଇଦେଲେ।
ତା ଛଡା, ପୁରସ୍କାର ପାଇବା ମଧ୍ୟ ଏକ ନିନ୍ଦନୀୟ ବ୍ୟାପାର ହେଲାଣି, ତାଙ୍କ ସାହିତ୍ୟ ଜଗତ କଥା ଭାବି ରାଜୁବାବୁ ଏ ନିର୍ଣ୍ଣୟ ନେଲେ। ପାଞ୍ଚ ଜଣ ଲବି କରି ପାଇଥିବେ, ଯେଉଁ ଜଣକ ପ୍ରକୃତ କୃତି ବଳରେ ସେ ତାଲିକାରେ ଥିବେ, ସେ ବିଚରା ବଡ କଷ୍ଟ ପାଇବେ ସନ୍ଦେହର ଆଙ୍ଗୁଳି ଗୁଡା ତାଙ୍କୁ ମଧ୍ୟ ରାମ୍ପି ବିଦାରି ପକାଇବେ।

ବହୁତ ଦିନ ତଳର କଥା ମନେ ପଡିଲା। କଥାଟି ପୁଣି ତାହାଠୁ ଆହୁରି ବହୁଦିନ ତଳକୁ ବ୍ୟାପିଛି, ମାନେ ସ୍କୁଲ ବେଳ କଥା। ନାଥ ସାରଙ୍କ କଥା। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନାଥ ପୁହାଣ।

ନାଥ ସାର, ରାଜୁବାବୁଙ୍କ ସାନବାପାଙ୍କ ବାଲ୍ୟସାଥୀ, ତାଙ୍କ ନିଜ ଅଞ୍ଚଳର। ଦୂର ଇନ୍ଦୁପୁର ସହରରେ ଛାତ୍ରାବାସରେ ରହି ପଢୁଥିଲେ ରାଜୁବାବୁ। ଖୁବ ବଡ ସ୍କୁଲ। ନାଥସାର ଦିନେ ନାମ, ଗ୍ରାମ ଠିକଣା ଶୁଣି ଖୁସିହେଲେ, ତାହାଠୁ ଅଧିକ ସୁଖ ପାଇଲେ ରାଜୁ ତାଙ୍କ ସାଥୀଙ୍କ ପୁତୁରା ଜାଣି। ଭଲମନ୍ଦ କଥା ପଚାରନ୍ତି।

 ନାଥସାର ଘର-ଜ୍ବାଇଁ। ଇନ୍ଦୁପୁରରୁ ଦଶ କିଲୋମିଟର ଦୂର କାମକେଡା ଗାଁରେ ରହନ୍ତି। ନିତି ସାଇକେଲରେ ଯିବା ଆସିବା କରନ୍ତି। ସେ ଗାଁ'ର କେତେ ପିଲା ତାଙ୍କ ବିଦ୍ୟାଳୟରେ ପଢନ୍ତି। ସେମାନଙ୍କ ମଧ୍ୟରୁ ଗୋପାଳ ପଣ୍ଡା ରାଜୁଙ୍କ ସାଙ୍ଗ।

ନାଥସାର ବିଦ୍ୟାଳୟରେ ସେମିତି ଆଗୁଆ ଶିକ୍ଷକ ନୁହନ୍ତି। ଷଷ୍ଠ ଓ ସପ୍ତମରେ ସାହିତ୍ୟ ପଢାନ୍ତି। ଉଚ୍ଚ ଶ୍ରେଣୀର କ୍ଲାସ ତାଙ୍କୁ ସାଧାରଣତଃ ଦିଆଯାଏ ନାହିଁ। ତେବେ ସେ ତାଙ୍କ ଦଶମ ଶ୍ରେଣୀର ସାହିତ୍ୟ କ୍ଲାସ ନେଉଥିଲେ ଏକ ବ୍ୟତିକ୍ରମ ହିସାବରେ।

ସ୍କୁଲ ଛାଡିବା ଅନେକ ବର୍ଷ ହେଲାଣି। ରାଜୁବାବୁ, ଓଡିଆ ଅଧ୍ୟାପକ ଦୂର ଉପାନ୍ତ ଗଡଜାତିଆ କଲେଜରେ। ଖବର କାଗଜରୁ ଦେଖିଲେ, ନାଥସାର ରାଜ୍ୟପାଳ ପୁରସ୍କାର ପାଇଲେ, କୃତି ଶିକ୍ଷକ। ମାନେ ସେ ସହଦେବ ସାର, ଦେବ ସାର ଓ ପୂର୍ଣ୍ଣ ସାରଙ୍କ ପରେ ତାଙ୍କ ଚତୁର୍ଥ ଶିକ୍ଷକ, ଯେ ଏହି ପୁରସ୍କାର ପାଉଛନ୍ତି। ମାନପତ୍ର ଓ ନଗଦ ପୁରସ୍କାର ବାଦ ଆଉ ଏକ ସୁବିଧା ହେଲା ଅବସର ଘୁଞ୍ଚିଯିବ ଦୁଇ ବର୍ଷ।

ସେ ବର୍ଷ ଏକ ବ୍ୟକ୍ତିଗତ କାମରେ ରାଜୁବାବୁଙ୍କ ଇନ୍ଦୁପୁର ଯିବା ହେଲା। ଶାରଦୀୟ ଛୁଟି ସମୟ, ଅନେକ ସାଙ୍ଗ ଦେଖା ହେଲେ। ଦାମ, ସୁର, ସତ୍ୟ ଓ ସୁବ୍ରତ ମିଶି ଗୋପାଳ ଘରକୁ ବୁଲିଯିବାକୁ ମନ ବଳାଇଲେ। ନାଥସାରଙ୍କୁ ଅଭିନନ୍ଦନ ଜଣାଇବା ପ୍ରସ୍ତାବ ଦେଲା ସୁର। ସୁର, ମେଧାବୀ ଯେତିକି ବଗୁଲିଆ ସେତିକି।
ନାଥସାରଙ୍କୁ ସୁର ଡାକେ ପିୟରଲେସ ସାର। ସେତେବେଳେ ଆଜିକଲିକା ଆମୱ ବେପାର ଭଳିଆ କିଛି କର୍ମଚାରୀ ପିୟରଲେସ କମ୍ପାନୀର ଏଜେଣ୍ଟ ପ୍ରାୟ କାମ କରୁଥିଲେ। ଟଙ୍କା ଜମାକାରୀ କମ୍ପାନୀ, ବ୍ୟାଙ୍କ ଓ ବୀମାର ମିଶାଣିଆ କାରବାର। ନାଥସାର ତହିଁରେ ମାତିଥିଲେ, ଅନାମ ସାରଙ୍କ ଭଳି। କେଉଁଆଡେ ବୁଲି ବୁଲି ଡେରି କରନ୍ତି ଓ ସେଥିପାଇଁ ବିଜୁଳି ବେଗରେ ସାଇକେଲ ଚଳାଇ, ସାର୍ ସ୍କୁଲ ଭିତରକୁ ପଶନ୍ତି ଏକାଦଶ ଶ୍ରେଣୀ ଛାତ୍ର ମାନଙ୍କ ଗତିରେ।

ନାଥସାର ଶ୍ରେଣୀରେ ଗପନ୍ତି। ଦିନେ ନିଜର ବାମ ହାତର ବୃଦ୍ଧ ଆଙ୍ଗୁଳିକୁ ତାଙ୍କ ଭଳି ଘରର ମୁରବି କରି ଅନ୍ୟ ଆଙ୍ଗୁଳି ଗୁଡିକୁ ସ୍ତ୍ରୀ, ଛୁଆପିଲା ଭାବେ ଉପସ୍ଥାପନ କଲେ। ତାଙ୍କ ସେଦିନ ବକ୍ତବ୍ୟର ସାରାଂଶ ହେଲା, ବୁଢା ଆଙ୍ଗୁଠି ସମ ସେ ନିଜେ ସବୁ ବୋଝ ଉଠାଉଛନ୍ତି, ଖଟି ଖଟି ନୟାନ୍ତ ହେଉଛନ୍ତି ଓ ଅନ୍ୟମାନେ ମଲାଙ୍ଗ ପ୍ରାୟ ତାଙ୍କୁ ଶୋଷୁଛନ୍ତି। ସେ ସେଦିନ ଏତେ ବିହ୍ଵଳିତ ହୋଇ ପଡିଥିଲେ ସେକଥା ଅନେକ ଥର ରାଜୁବାବୁ ମନେ ପକାନ୍ତି ତାଙ୍କ ଅଧ୍ୟପନା ଜୀବନରେ।

 ହଁ, ରତ୍ନାକରଙ୍କ ପ୍ରାରବ୍ଧ ଥିଲା ସେ ଏ ଉପଲବ୍ଧି ପାଇ ବାଲ୍ମୀକି ହେଲେ, ନାଥସାର ସ୍କୁଲରେ ଛାତ୍ରମାନଙ୍କ ଆଗରେ ଗପି ନିଜକୁ ପ୍ରଶମିତ କରି ପକାଇ ନଥିଲେ ସେ ମଧ୍ୟ ମରା ମରା ଜପି ତପସ୍ୟା କରିଥାନ୍ତେ ଅବା। କେବଳ ଛାତ୍ର ମାନଙ୍କ ବିଦ୍ୟାଳୟ, ଏଣୁ ସ୍ତ୍ରୀକୁ ବି ମଲାଙ୍ଗ କହିଦେଲେ, ହୁଏତ ଛାତ୍ରୀମାନେ ଥିଲେ ସାହସ କରିନଥାନ୍ତେ।
ସେଦିନ ରାଜୁବାବୁ ତାଙ୍କ ନିଜ ମାଆଙ୍କ କଥା ଭାବୁଥିଲେ ସ୍କୁଲରେ, ବାପା ରୋଜଗାର କରୁଛନ୍ତି ସତ ହେଲେ ମାଆ କଣ ମଲାଙ୍ଗ। ମା ଭୋରୁ ଉଠେ ଓ ରାତି ଅଧରେ ଶୁଏ ବାପାଙ୍କ ଭଳିଆ। ମଝି ସମୟତକ କେବଳ ଖଟୁଥାଏ ବିନା ପାରିଶ୍ରମିକର ଖଟଣି, ସେ କେମିତି ପରାଙ୍ଗପୁଷ୍ଟ! ନାଥସାରଙ୍କ ଘରେ ଗୁରୁମାତା ମାଉସୀ କଣ ଦିନସାରା ଶୋଉଥିବେ!

ଦିନେ ନାଥସାର, "ପୂଣ୍ୟ ଗଙ୍ଗାଧର" କବିତା ପଢାଉଥିଲେ। ଶ୍ରେଣୀକୁ ଶିବମୟ କରିଦେଲେ, ଛାତ୍ରମାନେ ପିଇ ଯାଉଥିଲେ। ବଗୁଲିଆ ସୁର ହଠାତ ବେଙ୍ଗା କରିଦେଲା ସେ ପରିବେଶକୁ। ଗାହାଣ ନାଥସାରଙ୍କୁ ଶିରିପାଳିଆ ପ୍ରାୟ ପଚାରି ପକାଇଲା, ସାର୍ କବିତାଟି ସତରେ କ'ଣ ଶିବଙ୍କ ବାବଦରେ! ପୂଣ୍ୟାତ୍ମା ସ୍ବାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ ଗଙ୍ଗାଧରଙ୍କ ବାବଦରେ ନୁହଁ?

 ହଁ ହୋଇଥିବ, ହୋଇଥାଇପାରେ, ଆଛା ଦେଖିବା କହି ସାର ପାଠ ସାଙ୍ଗକରି କମନରୁମ ପଳାଇଗଲେ। ସେ ଆଉ ପଢାଇ ନାହାନ୍ତି, ଟେଷ୍ଟ ପରୀକ୍ଷା ପୂର୍ବରୁ ଆଉ ମାତ୍ର ତିନୋଟି କ୍ଲାସଥିଲା। ସେହି ଦିନ ମାନଙ୍କରେ ସେ ଛୁଟିରେ ରହିଗଲେ।

ଟେଷ୍ଟ ପରୀକ୍ଷା ସରିଲା, ଛାତ୍ରାବାସରେ ସମସ୍ତେ ଧ୍ୟାନମଗ୍ନ ପ୍ରସ୍ତୁତି ଚଳାଇଛନ୍ତି। ବିଦ୍ୟାଳୟରେ ଦିନେ ଅଣତାଲିମପ୍ରାପ୍ତ ଶିକ୍ଷକ ମାନଙ୍କର କଣ ଗୋଟେ ପରୀକ୍ଷା ହେଉଥାଏ। ଇନ୍ଦୁପୁର ଉପଖଣ୍ଡର ସମସ୍ତ ସେଭଳି ଶିକ୍ଷକ ପରୀକ୍ଷା ଦେଉଥାନ୍ତି। ସେଦିନ ବିଷୟ ଥାଏ ଗଣିତ। ନାଥସାର ପ୍ରଶ୍ନ ଗୁଡିକ ଟିପିଆଣି ଛାତ୍ର ମାନଙ୍କୁ କଷିବାକୁ ଦେଲେ।

ସହଜ ପ୍ରଶ୍ନ। ସଙ୍ଗେ ସଙ୍ଗେ ସରିଗଲା।

 ଅସଲକଥାଟି ହେଲା, ନାଥସାରଙ୍କ ଚିହ୍ନା ଶିକ୍ଷକ ମାନଙ୍କ ପାଖକୁ ସେସବୁ ଯିବ, ସେମାନେ ନକଲ କରିବେ। ନେଇକି ଯିବ କିଏ? ସମସ୍ତଙ୍କୁ ଡର ମାଡିଲା। ସତ୍ୟ ସତ୍ୟର ପୂଜାରୀ। ଦାମର ଦମ୍ ନାହିଁ, ସୁବ୍ରତ ମୁଁହରେ ଜବାବ ଦେଇ ନାଥସାରଙ୍କୁ ଅପଦସ୍ତ କଲା।
ରାଜୁ ନିଜେ କାଇଦା କରି ଖସି ପଳାଇଲା କୂଅମୁଳକୁ, ଦେହରେ ପାଣି ଢାଳି ଗାଧୋଇଲେ। ଆଉ ଯେତିକ ପରୀକ୍ଷାର୍ଥୀ ଛାତ୍ର ନିଜ ନିଜ ପ୍ରକୋଷ୍ଠରେ ଥାଆନ୍ତି ସେମାନଙ୍କ କଥା ନାଥସାର ଭୁଲି ଯାଇଥାନ୍ତି। ସୁର ଭରସା। ସୁର ଆଗଭର ହୋଇ ସାରଙ୍କ କହିବା ମୁତାବକ କପି ଯୋଗାଇଲା। ସେଦିନ ଶ୍ରେଣୀରେ ଯାହା କରିଥିଲା ସେ ପାଇଁ ତା ମନ ମଧ୍ୟରେ ଥିବା ଗ୍ଳାନୀ ଦୂର ହୋଇଗଲା।

ଆଉଥରେ ଗୋପାଳ କହୁଥିଲା, ରେଭେନ୍ସା କଲେଜରେ ଶେଷବର୍ଷ ପିଜି ବେଳେ, ନାଥସାର ପହଞ୍ଚିଗଲେ, ଗୋଟିଏ ଗାଁର ଲୋକ ଯେହେତୁ। ଦୁଇ ତିନିଦିନ ତା ହଷ୍ଟେଲରେ ରହିଲେ। ଗୋପାଳ ଚଟାଣରେ ସପ ପାରି ଶୋଇଲା। କହନ୍ତି ତ ମେଡିକାଲ କାମରେ ଆସିଛନ୍ତି କିନ୍ତୁ ପ୍ରକୃତରେ ସେ ଆସିଥିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ କିଛି ଛାତ୍ରଙ୍କ ନମ୍ବର ବଢାଇବା କାମରେ। ସାରଙ୍କ ଟିପାଖାତା ଦେଖି ଏକଥା ବୁଝିଥିଲା ଗୋପାଳ।

ଏମନ୍ତ ନାଥସାର କେମିତି ପଛରେ ପଡିବେ। ଆଗରୁ ବିଦ୍ୟାଳୟର ତିନି ଶିକ୍ଷକ ରାଜ୍ୟପାଳ ପୁରସ୍କାର ପାଇଛନ୍ତି। ସହଦେବ ସାର, ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଛନ୍ତି। ପୁରସ୍କାର ପାଇଁ ରାସ୍ତା ଆବିଷ୍କୃତ ହୋଇ ସାରିଛି। ସେ ରାସ୍ତାରେ ସମ୍ଭବତଃ ନାଥସାର ତାଙ୍କ ପିୟରଲେସରୁ ପ୍ରାପ୍ତ ସାଇକେଲ ବଦଳିଆ ହିରୋହୋଣ୍ଡି ଖଣ୍ଡିକ ମାଡି ଚାଲିଗଲେ। ହୁଏତ ଏକଥା ମଧ୍ୟ ହୋଇପାରେ, ଏ ଅନେକ ବର୍ଷ ମଧ୍ୟରେ ତାଙ୍କର ଉତ୍ତରଣ ଘଟିଛି, ରାମାୟଣ ଲେଖିବା ପର୍ଯ୍ୟାୟକୁ ନହେଲା ତ କଣ ହେଲା ଅନ୍ତତଃ ରାଜ୍ୟପାଳ ପୁରସ୍କାର ପାଇବା ପାଇଁ ତାହା ଯଥେଷ୍ଟ।

ଯେଉଁ ପ୍ରକାରେ ହେଉ ମଧ୍ୟ, ଆମ ସାର ଯେତେବେଳେ, ଚାଲ ତାଙ୍କୁ ପ୍ରଣାମ କରିବାକୁ ଯିବା, ଅଭିନନ୍ଦନ ଜଣାଇବା, ଗୋପାଳ ପଣ୍ଡା ଗାଆଁକୁ ଆସିଛି ଦେଖାହେବ। ସୁର ଥିଲାବେଳେ ରାଜୁ, ଦେବ ଓ ସୁବ୍ରତ ସମସ୍ତେ ତାକୁ ନେତା ମାନି ଯାଆନ୍ତି, ତା କଥା ମାନନ୍ତି।
ସେ ପର୍ଯ୍ୟନ୍ତ ସେ ଯୁଗ ଆସି ନଥିଲା କି ସମସ୍ତଙ୍କର ବ୍ୟକ୍ତିଗତ କାର ଥିବ। ନବେ ଦଶକର କଥା। ଟାକ୍ସିଟିଏ ଯୋଗାଡ ହେଲା। ଗାଡି ଆଜି ନେଇ ଛାଡି ଆସିବ ଓ ଆସନ୍ତାକାଲି ପୁଣି ଯାଇ ନେଇ ଆସିବ। ରାତିରେ ସେମାନେ ନଦୀ ପଠାରେ ଗୋପାଳ ଘର ଫାର୍ମ ହାଉସରେ ଭୋଜି କରିବେ, ନାଥସାରଙ୍କୁ ସସମ୍ମାନେ ନିମନ୍ତ୍ରଣ ଜଣାଇବେ।

ଗାଁ ମୁଣ୍ଡରେ ରାସ୍ତା କାମ ହେଉଥାଏ, ଘର ପର୍ଯ୍ୟନ୍ତ ଯିବା ସମ୍ଭବ ହେଲାନାହିଁ। ସେଇଠୁ ବୋକଚାତକ ବୋହିବାକୁ ପଡିବ। ହଁ କେତେ ବାଟ ଅବା। ଏମିତି ଭାବୁଛନ୍ତି, ନାଥସାର ପହଞ୍ଚିଗଲେ।
ସମସ୍ତେ ଦଣ୍ଡବତ କଲେ। ଉପସ୍ଥିତ ଶ୍ରମିକ ଶ୍ରେଣୀ ଓ ଠିକାଦାର ବାପୁଡା ଦେଖିଲେ, ଆହାଃ କି ସଂସ୍କାରରେ ବଢିଥିଲେ ସେ ଯୁଗର ପିଲାଏ।
ନାଥସାର ପଚାରିଲେ, "ପିଲାଏ, ସେ କାରଟିକୁ ଛାଡିଦେଲ କିଆଁ? ବୁଲାଣି ବାଟରେ ଗୋପାଳ ଘରେ ପହଞ୍ଚି ଯାଇଥାନ୍ତା। ହେଉ ବୋହିବା ଦରକାର ନାହିଁ, ପହଞ୍ଚାଇବା ବ୍ୟବସ୍ଥା କରୁଛି"।

ବଗୁଲିଆ ସୁରର ବଗୁଲିଆମି ବାହାରିଲା। ସାର୍ ଆପଣ ଗାଁରେ ଅଛନ୍ତି, ଅଥଚ ବୁଢା ମଉସା ଜଣେ କହିଦେଲେ, ସେ ଆଉ ଏଠି ରହୁନାହାନ୍ତି, ପୁଅ ପାଖରେ ଭୂବନେଶ୍ୱରରେ ରହୁଛନ୍ତି। ଆ ହା! ଟିଭି ବାଲା ଭୂବନେଶ୍ୱରରୁ ଆସିଥିଲେ ଆପଣଙ୍କ ସାକ୍ଷାତକାର ନେବାକୁ। ଆମ ସହ ଯୋଗାଯୋଗ କରି ଆସିଥିଲେ। ଆମେ ତାଙ୍କୁ ଛାଡିଦେଲୁ। ବୁଢାଲୋକ କଣ ମିଛ କହନ୍ତି? ହେ ଭଗବାନ! ବରଗଛ ମୂଳେ ଠିଆ ହୋଇଥିଲେ ଆମେ ଆସିବାର କାରଣ କହିଲାରୁ ଏମିତି କହିଲେ। ଆମେ କାରଣଟି ନକହିଥିଲେ ଭଲ ହୋଇଥାନ୍ତା।

ନାଥସାର ବିଷର୍ଣ୍ଣ ଯେତିକି ହେଲେ ତତୋଧିକ ହେଲେ ପ୍ରସନ୍ନ। ଭୂବନେଶ୍ୱରରୁ ଟିଭି ବାଲା ଗୁଣ ଚିହ୍ନି ଆସିଲେ, ତୁମ୍ଭେମାନେ କେତେ ଦାୟିତ୍ୱ ଛାଡି ଏହି ଗୋଟିଏ ଲୋକକୁ ପ୍ରଣାମ କରିବାକୁ ଆସିଲ।(ବୁଢା ଆଙ୍ଗୁଠିକୁ ଗୋଟିଏ ଲୋକ ଦର୍ଶାଇ କହିଲେ।) ରାଜ୍ୟପାଳ ଚିହ୍ନି ପାରିଲେ, ଅଥଚ ମୋ ଗାଁ ଲୋକଙ୍କ ଛାତି ଫାଟିଗଲା, ସେ ପୁଣି ବୃଦ୍ଧଜନ!

ସତ୍ୟ, କହିବ କହିବ ହେଉଥିଲା ସତ୍ୟକଥା କିନ୍ତୁ କହିଲା ନାହିଁ। ସତ୍ୟ କଥା ଶୁଣିଲେ ସାର ଧର୍ଯ୍ୟ ଧରିବେ ତ! ସୁବ୍ରତ ଓ ଦେବ ମିଳିମିଶି କହିଲେ, ବୃଦ୍ଧ ଲୋକ ହୁଏତ ବିସ୍ମରଣ ରୋଗରେ ପୀଡିତ। ସେ ସେମିତି ଦିଶୁଥିଲେ। ନଚେତ ସେ କଣ ଆମକୁ ଗୋପାଳ ଘରକୁ ବିକଳ୍ପ ବାଟ ଦେଖାଇ ନଥାନ୍ତେ! କହିଲେ,- କେଉଁ ଗୋପାଳ?

ସେ ଯାହା ହେଉ, ସେଦିନ ଭୋଜି ହେଲା। ନାଥସାର ଭୋଜିରେ ଯୋଗଦେଲେ, ଜୀବନ ସଙ୍ଗୀତରୁ ଅନେକ ପାଠ ପଢାଇଲେ। ଅସଲି ପାଠ। ଅନୁଭବ ହେଉଥିଲା, ତାଙ୍କ ଉତ୍ତରଣ ଏ ରାଜ୍ୟପାଳ ପୁରସ୍କାରଠାରୁ ମଧ୍ୟ ଅଧିକ।

ଏହା ମଧ୍ୟରେ ଅନେକ ବର୍ଷ ବିଗତ। ସୁର ସେଦିନୁ ତା ସାବାଳକତ୍ବ ହାସଲ କଲା, ଏବେ ଦଶପଦ ଶୁଣିଲେ ପଦେ କହେ, ଉତ୍ତମ କଥା କହେ, ହ୍ବାଟସ ଆପ ଓ ଫେସବୁକରେ ଭାରି ପଛୁଆ।