Search This Blog

Monday, 31 August 2020

ଗାଈ ଚୋରି।

ଗାଈ ଚୋରି ।
ରବିନାରାୟଣ ସେନାପତି, ତୁଳତୀ, କୋରେଇ, ଯାଜପୁର, ୭୫୫୦୨୨।

ବିଳମ୍ବିତ ସଂଧ୍ୟାରେ ଲେଉଟାଣି, ପଥ ବହୁ ଦୂର । ଚତୁର୍ଦ୍ଦିଗେ ବିଜୁଳୀର ଚମକ । ସୁନାଝରି ପାହାଡ ଚୁଳରେ ସେ ଚମକ ବହଳ। ଅନ୍ଧାରେ ଅଦୃଶ୍ୟ ସୁନାଝରିକୁ କ୍ଷଣପ୍ରଭା କ୍ଷଣିକ ପାଇଁ ଉଦ୍ଭାସିତ କରୁଛି । ସୁନାଝରି ମୁଣ୍ଡେଇ ଧରିଛି ଆଶୁ ବର୍ଷଣସମ୍ଭବା ଘନକେଶୀ ମେଘ । ରାଜୁବାବୁ ଫାଟକ ଟପି ନବ୍ୟନୂତନ ଢଳେଇ ରାସ୍ତାକୁ ତାଙ୍କ ଟିକି କାରଟିକୁ ଉଠାଇ ଆଣିଲାବେଳକୁ ବର୍ଷା ଟୁପୁରୁଟାପୁରୁ । ବିଳମ୍ବ ହେଲାଣି, ଅଟକି ରହିବାର ଉପାୟ ନାହିଁ । ବର୍ଷା ବଢିପାରେ, ଆଗେଇଯିବା ଭଲ । ନିର୍ଜନ ରାସ୍ତା, ସ୍ଥାନୀୟ ଜନତା ସୁପ୍ତ । ଉଭୟ ପାଖର ଚାଷ ଜମି ମଧ୍ୟରେ ତାଙ୍କ ଗାଡିର ହେଡଲାଇଟରୁ ଅବା କ୍ରମଶଃ ବିଛେଇ ହୋଇ ପଡୁଛି ଶୁଭ୍ର ଏକ ରାସ୍ତା। ସେ, ରାସ୍ତାର ଏକଲା କାରାରୋହୀ । କେବଳ ବର୍ଷିଲା ନାହିଁ ପବନ ହେଲା ପ୍ରବଳ । ଅଜାଡି ପଡୁଥିଲା କୁଆପଥର । କାଚ ଭାଙ୍ଗି ଯିବନି ତ? ଉପାୟ ବା କଣ, ନିରାପଦରେ ଗାଡି ରଖିିବାର ସୁବିଧା ନାହିଁ । ଯେଉଁଠି ନିସ୍ତାର ନାହିଁ ସେଠି ଦ୍ୱନ୍ଦ୍ୱ ବି କାହିଁ! ସେ ଆଗେଇ ଚାଲିଲେ ।
ଅସିଲା ପାଖ ଗାଁ ମାଳପୁର । ରାସ୍ତାରେ ପ୍ରାୟ କୋଡିଏ ସରିକି ଗାଈ । ସେହି ଏକା କଥା, ଯେଉଁଠି ନିସ୍ତାର ନାହିଁ ସେଠି ଦ୍ୱନ୍ଦ୍ୱ ବି ନାହିଁ, ବଡ ନିର୍ବିକାର, ବର୍ଷା କୁଆପଥରକୁ ଖାତିରି ନାହିଁ, ନା ଅଛି ଚଳନ୍ତା କାରକୁ ।
ରାଜୁବାବୁଙ୍କୁ ହତାଶାବୋଧ ହେଲା, କି ଅଭାବନୀୟ ଦୃଶ୍ୟ ସେ ଦେଖୁଛନ୍ତି । ତାଙ୍କ ବାଲ୍ୟକାଳରେ ଦୁଇବୁନ୍ଦା ବର୍ଷା ହେଲେ, ଗାଈ ବଳଦମାନେ ହମ୍ବାରଡି ଛାଡି ଘରମୁହାଁ ଦୌଡୁଥିଲେ । ଗୁହାଳେ ପଶିଲେ ଶାନ୍ତି । ଆଜି ଏତେ ହତାଦର କିଆଁ । ଏତେ ଛୋଟିଆ ଗାଁରେ ଗୁହାଳ ହରା ଏତେଗୁଡେ ଗାଈ ଥାଇପାରନ୍ତି, ଏହା ତାଙ୍କ ଧାରଣା ବାହାରେ ଥିଲା । ସେମାନେ ଅବିଚଳିତ, ଅବଶ୍ୟ ଅଭ୍ୟସ୍ତ । ସେ ତାଙ୍କ ମଣିଷ ପଣିଆକୁ ପେଟ୍ରୋଲ ସହ ଜାଳି ସେମାନଙ୍କ ମଧ୍ୟରେ ଧସେଇ ପଶିଲେ ଓ ପାର ହୋଇଗଲେ । ଗତି ବଢାଇଲେ । ବର୍ଷାର ଗତି ଓ କୁଆପଥରର ଆକାର ବଢିଲା । ପ୍ରକୃତି ତାଙ୍କୁ ଅବିବେକୀ ମଣିଷର ପ୍ରତିନିଧି ହିସାବରେ ଶାସ୍ତି ଦେଉଛି କି? ତାଙ୍କ ଦୁର୍ବଳିଆ କାର ଉପରେ ଦୁମଦାମ ପଡୁଥିବା ପଥରତକ ଢଁଢାଁ ଆବାଜ କରୁଥିଲେ। ବିକଳ୍ପ ନାହିଁ, ସେ ଚାଲିଲେ ଆପଣା ଗୁହାଳକୁ, ଦୂର ସହରରେ । ସେଇଠି ଶାନ୍ତି ।
ଗୋଠ ମଧ୍ୟରେ ଥିବା ଏକମାତ୍ର କଷରିଗାଈଟି ଭାରି ଚିହ୍ନା ଚିହ୍ନା ମନେ ହୋଇଥିଲା । ତାଙ୍କ କର୍ତ୍ତୃତ୍ୱ ଥିଲେ ସେଇଟିକୁ ମୁକୁଳାଇ ଅଣିଥାନ୍ତେ କି! ସେମିତି ଟିକେ ଭାବିନେଇ ସେ ଅରାମ ଅନୁଭବ କଲେ । ଅନ୍ଧାର ମଧ୍ୟରେ ମୃଦୁହାସ୍ୟଟିଏ ବି ଉକୁଟି ଆସିଲା । 
ହସଟି ଲିଭିଗଲା । ମନେ ପଡିଗଲା ଏକଦା ତାଙ୍କ ତିନି ଚାରିବର୍ଷର ବାଳୁତ ପୁଅ କାନ୍ଦକାନ୍ଦ ହୋଇ ପଚାରିଥିଲା ଯେ ଏବେ ଏଠି ଉଡିବୁଲୁଥିବା କଙ୍କି ପ୍ରଜାପତି ମାନେ ଏ ଝଡ ବର୍ଷାରେ କୁଆଡେ ଗଲେ, ତାଙ୍କ ଘର କେଉଁଠି? ଉତ୍ତର ଦେଇ ପାରିନଥିଲେ ରାଜୁବାବୁ । କଙ୍କି ପ୍ରଜାପତି କଥା ଛାଡ, ଏ ଗାଈ ମାନଙ୍କ ଘର କେଉଁଠି? କେଉଁଠି ସତେ!
କଷରିଗାଈଟି ପୁଣି ମାନସପଟରେ ବିଚରଣ କଲା । ଆହା! କାରଣଟି ମନେ ପଡିଗଲା । ଏମିତି ଏକ ଗାଈ ଥିଲା ତାଙ୍କର । ସବୁ ଗାଈ ବଳଦଙ୍କ ପରି ତାକୁ ବି ସେ ନାମଧରି ଡାକୁଥିଲେ । ସ୍ୱଭାବିକ ଭାବେ ନାମଟି ଥିଲା କଷରୀ ।
ଆଜି ଯେମିତି ତାଙ୍କରି କଷରୀ ସେଠି ଝଡବର୍ଷାର ସାମ୍ନା କରୁଛି । ବଡ ଅସହାୟ । ଗୋଟିଏ ଟ୍ରଲି ଥିଲେ ଉଠାଇ ଆଣିଥାନ୍ତେ ତାକୁ। କେଉଁଠି ନା କେଉଁଠି ଥଇଥାନ କରିଥାନ୍ତେ । ଅବଶ୍ୟ ମାଲିକଟିଏ ଗାତରୁ ବାହାରି ତାଙ୍କୁ ଚୋରି କେସ୍‌ରେ ପକାଇଥାନ୍ତା, ତହିଁରେ ସନ୍ଦେହ ନାହିଁ । ତାଙ୍କ ଦାଢୀ ଉପୁଡାଇ ପକାଇଥାନ୍ତେ ସମାଜସେବୀ ମାନେ।
ଏକଦା ତାଙ୍କ କଷରୀ ପାଇଁ କମ ବଡ ଘଟଣାଟିଏ ଘଟିନଥିଲା ସତେ!
ହଠାତ୍ ଦିନେ ସକାଳେ ଜଣା ପଡିଲା କଷରୀ ଗୁହାଳରେ ନାହିଁ । ସେ ଥିଲା ଗର୍ଭବତୀ । ରାତିରେ ଭଲକି ଖୁଆଇଥିଲେ ବାପା । କିଏ ନେଇଗଲା ତାକୁ! ସେ ଯାବତ ଗାଈଚୋରି କିମ୍ବା ଲୁଣଚୋରି ଥିଲା ଅଶ୍ରୁତପୂର୍ବ । ଏ ଦୁଇ ଚୋରିକୁ, ଚୋରମାନେ ବି ବର୍ଜନ କରୁଥିଲେ ।
କଷରୀ ସନ୍ଧାନରେ ଘର ଲୋକ ଓ ସାହି ପଡିଶାର ଲୋକମାନେ ଆଖପାଖ ବିଭିନ୍ନ ଗ୍ରାମକୁ ଖେଦିଗଲେ । ହଜି ଯାଇଥିଲେ ସିନା ମିଳିଥାନ୍ତା, ଏହା ତ ଚୋରି । ଖୁଣ୍ଟରୁ ପଘାକୁ ଫିଟାଇ କିଏ ନେଇଯାଇଛି । ଗାଈ ହଜିଲେ ଖବର ନମିଳିବା ପର୍ଯ୍ୟନ୍ତ ମୁରବି ରହିବେ ଓପାସ, ବାପା କିଛି ଖାଇଲେ ନାହିଁ ।
ରାଜୁଙ୍କ ବାପା ମଧୁବାବୁ ଶିକ୍ଷକ, ତାଙ୍କ ଛାତ୍ର କଳ୍ପତରୁ ରେଳ ଫାଟକରେ ରାତି ଡିଉଟି କରେ । ମଜାଦାର ତାଙ୍କ କାମ । ରାତିସାରା ଗେଟ ପଡିଥାଏ । ରେଳ ଅପେକ୍ଷା ରାତିରେ ଅନ୍ୟଗାଡି ଯାଆନ୍ତି କମ । ସେମାନେ ଡାକିଲେ ଗେଟ ଖୋଲନ୍ତି । କାଳେ ସେହିବାଟେ ଗାଈଟି ଯାଇଥିବ? ସେ ଜାଣିଥିବେ ।
କଥାଟି ସତ ବାହାରିଲା ।
"ଆପଣଙ୍କ ଗ୍ରାମର ରଘୁ ଗେଟ ଫିଟାଇବାକୁ କହିଲା ଗାଈପାଇଁ ଶାଶୁଘରେ ବଡ ଖୁଣ୍ଟା ଶୁଣୁଛି ତା ଭଉଣୀ । ଦଶ କୋଶ ରାସ୍ତା, ରାତିରୁ ନଗଲେ ନଚଳେ, ଖରା ଆସିଲେ ବାଧିବ ବୋଲି କହିଲା । ମୁଁ ଗେଟ୍ ଟେକିଦେଇ କହିଲି ହେଉ ଯା ଯା, ଥଣ୍ଡା ସମୟରେ ପଳାଇ ଯା।" ଏମିତି କହିଲେ କଳ୍ପତରୁ ।
କିନ୍ତୁ ରଘୁର ତ ଗାଈ ନଥିଲା, ତା ଭଉଣୀ ଚମ୍ପା ବାହାହେବା ପାଞ୍ଚ ବର୍ଷ ହେଲାଣି!
କଳ୍ପତରୁ ଗାଈର ବର୍ଣ୍ଣନା ଯେମିତି ଦେଲେ ତାହା କଷରୀ ହୋଇପାରେ । 
ମଧୁବାବୁ ଥାନାରେ ଏତଲା ଦେଇ ଫେରିଲେ ।
ଗାଁରେ ଅନେକ ଦିନରୁ କଥା ଟୁପୁରୁ ଟାପୁରୁ ହେଉଥିଲେ, ରଘୁ ରେଳଗାଡିରେ ଚୋରି କରୁଛି । ରାତିରେ ଘରକୁ ଆସେ ଓ ରାତି ପାହିବା ଆଗରୁ ଚାଲିଯାଏ । କେହି ତାକୁ ଦେଖନ୍ତି ନାହିଁ । ଚାଲି ଚାଲି ଆସେ ଓ ଫେରିଯାଏ । ରାଜୁବାବୁ ବି ଏକଥା ଶୁଣନ୍ତି । ତାଙ୍କ ପିଲାମନରେ ଚୋର ପ୍ରତି ଭୟ ଆସେ। ଚୋର ମାନେ ନିଶ୍ଚିତ ଛୁରି କି ପିସ୍ତଲ ରଖୁଥିବେ। ସେ ରଘୁକାକାଙ୍କ ଘର ପାଖକୁ ଯିବାକୁ ଖୁବ୍ ଭୟ କରେ । ତାଙ୍କ ପ୍ରତି ଦୟା ବି ଆସେ, ଦିନୁଟାଏ ରାତି ଅନିଦ୍ରା ହୋଇ ଯାତରା ଦେଖିଲେ ପରଦିନ ଯାହା ଅବସ୍ଥା, ଅଥଚ ରଘୁକାକା ରାତି ରାତି କେମିତି ଉଜାଗର ରହି ଚୋରି କରୁଥିବେ!
ହଠାତ ଦିନେ ମଧୁସାର୍ ରାତିରେ ରଘୁକୁ ଅନୁସରଣ କଲେ ।

-କୁଆଡେ ଯାଉଛୁ କିରେ ରଘୁ?

-ନାଇଁ ମ ଭାଇ, ମାଛଗାଡିରେ(ଏକ ପାସେଞ୍ଜର ଗାଡି) କଲିକତା ଯିବି, ମନୋହରୀ ଜିନିଷ କିଣି ଆଣି ବେପାର କରିବି। ନହେଲେ କହୁନ ଭାଇ କେମିତି କୁଟୁମ୍ବ ପୋଷିବି?

-ଠିକ୍ ଠିକ୍‌, ହଁ ଯାହା ହେଲେ ଗୋଟେ ବେପାର କର । ମୁଁ ବି ଆଜି ଗାଡିରେ ବାଲେଶ୍ୱର ଯାଉଛି, ଭଲ ହେଲା, ସାଥିରେ ଯିବା । ଆ ବସ ଆଗରେ ।
-ନାଇଁ ଭାଇ ତୁମେ ଯାଅ, ବେଳ ଅଛି, ମୁଁ ଚାଲି ଚାଲି ଯାଏ । ମୁଁ ବସିଲେ ବାହିବା କଷ୍ଟ ହେବ।

-ନାଁ ରେ, ମୁଁ କଣ ବୁଢା ହେଲିଣି, ଆ ବସ ।

- ହେଉ ତାହେଲେ ଭାଇ, ତୁମେ ବସ, ମୁଁ ଚଲାଇବି ।

- ଆରେ ରଘୁ, ମୁଁ ଦେଖୁଛି, ତୁ ସତରେ ମତେ ବୁଢା ବୋଲି ଭାବୁଛୁ । ଆ ବସ ।

ପଛରେ କ୍ୟାରିଅର ଖୋଲା ଯାଇଥାଏ । ଅଗତ୍ୟା ରଘୁ ବସିଲା ଆଗ ରଡରେ, ମଧୁସାରଙ୍କ ଦୁଇ ବଳିଷ୍ଠ ହାତର ବନ୍ଧନୀ ମଧ୍ୟରେ । ଯିବ କୁଆଡେ, ବାଟରେ ପଡେ ଥାନା । ସାଇକେଲ୍ ସେ ଆଡକୁ ଗଡିଲା ।

-ଏପଟେ କୁଆଡେ ଭାଇ?

-ନାଇଁରେ ରଘୁ, ମୁଁ ଯେଉଁ ଗାଆଁକୁ ଯାଉଛି, ସେଇଟି ଥାନାବାବୁଙ୍କ ନିଜ ଗାଁ । କଣ ଗୋଟେ ଜିନିଷ ପଠାଇବେ କହୁଥିଲେ । ବେଳ ଅଛି, ସଂଗ୍ରହ କରିନେବା ।
ଦ୍ୱନ୍ଦ୍ୱ ମଧ୍ୟରେ ରହି ରଘୁ ପଳାୟନର ଉଦ୍ୟମ କରିନଥିଲା । ଥାନାବାବୁ ଗିରଫ କଲେ । ସାକ୍ଷୀ କଳ୍ପତରୁଙ୍କୁ ଡାକି ଆଣିଲେ । ରଘୁ ସବୁକିଛି ମାନିଗଲା ।
ଚୋରଙ୍କର ବହୁତ ବଳ । ଜିଲ୍ଲା ପାର ହୋଇ ଦୀର୍ଘ କୋଡିଏ ମାଇଲ ଦୂରକୁ ନିର୍ଦ୍ଦୟ ଭାବେ ଏକ ଗର୍ଭବତୀ ଗାଈକୁ ଚଲାଇ ଚଲାଇ ନେଇ ସେଠାରେ ଜଣେ ବୁଢୀକୁ ବିକି ଦେଇଛି ।
ସ୍ଥାନୀୟ ପୋଲିସଙ୍କ ସହାୟତା ନେଇ ବୁଢୀଘରେ ପହଞ୍ଚିଲେ ସଭିଏଁ । ବିଧବା ବୁଢୀ ଭାରି ନିରୀହ । ଏକୁଟିଆ ଲୋକ, ଘରଟି ଚିକ୍କଣକରି ସଫା ରଖିଛି । ଗୁହାଳରେ କଷରୀ ବନ୍ଧା ହୋଇଥାଏ ଆଉ ପଟେ ଦୁଧିଆଳୀ ଗାଈ ପାଖରେ ।
- ହଇରେ ଅଳପାଇସ, ବାପା ମରିଯାଇଛି ଶୁଦ୍ଧିକ୍ରୀୟାରେ ଖର୍ଚ୍ଚକରିବୁ କହି ଗାଈ ବିକିଲୁ । ହାତେ ହାତେ ଦୁଇଶହ ଟଙ୍କା ଗଣିନେଲୁ, ଦେଖିଲା ବେଳକୁ ଚୋରିମାଲ୍ । ଗୋରୁ ଗାଈ କିଏ ଚୋରିକରେ? ତୁ ଟା ନରକରେ ପଡିବୁ ।

ସରଳିଆ ବୁଢୀ ଅବିଶ୍ୱାସ କରିବାର ପ୍ରଶ୍ନ ଉଠୁନଥିଲା । ଗାଈଟିଏ କେହି ଚୋରି କରିବା ଥିଲା ଅଭୂତପୂର୍ବ, ଅଶ୍ରୁତପୁର୍ବ ।
ଗାଁ ଲୋକେ ରୁଣ୍ଡହେଲେ । ବୁଢୀକୁ ବୁଝାସୁଝା କଲେ, ସେ ଠକାମିରେ ପଡିଥିଲେ ମଧ୍ୟ ଗାଈଟିକୁ ଫେରାଇ ନଦେଲେ ମାମଲାରେ ଛନ୍ଦିହେବ । ସେ କଣ ହାଟରୁ ଲେଖାପଢା କରି ଗାଈ କିଣିଛି କି? ଚୋରିମାଲ କିଣିଛି, ଚୋର ମାଉସିଆ ସାବ୍ୟସ୍ତ ହେବ । ବୁଢୀ ଆଖିରୁ ଠପ ଠପ ଲୁହ ଗଡି ପଡିଲା ।
ରଘୁ ପାଖରେ ସମୁଦାୟ ଥାଏ ପଚାଶ ଟଙ୍କା । ଥାନାବାବୁଙ୍କ ନିର୍ଦ୍ଦେଶରେ ସେତିକି ଫେରାଇଲା ।
ଏକ ମିନିଟ୍ରକ ଭଡାରେ ମିଳିଲା, କଷରୀ ଫେରିଲା । ଗଲାବେଳେ ଥାନାଗାଡିରେ ତେଲ ଭରିଥିଲେ, ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରହିଛି । ଗାଈର ମୂଲ୍ୟକୁ ଖର୍ଚ୍ଚ ଟପିଗଲେ ମଧ୍ୟ ଉପାୟ ନାସ୍ତି । ହେଉ, ପରେ ରଘୁଠାରୁ ମିଳିପାରେ ।
ରଘୁକାକାକୁ କିଏ ଜାମିନୀରେ ଆଣିଲା, ମନେ ପଡୁନଥିଲା ରାଜୁବାବୁଙ୍କର ।
ରଘୁ ଜୀବନର ଗତି ବଚିତ୍ରରୁ ବିଚିତ୍ରତର ହୋଇ ଉଠିଲା । ସେ ଦିନରେ ଶୁଏ ରାତିହେଲେ ବାହାରି ଯାଏ । ଲୋକେ କହନ୍ତି ସେ ଟ୍ରେନରେ ଚୋରି କରୁଛି । ଲୋକଙ୍କ କହିବାରେ କଣ ଅଛି! ସତ କିଏ ଜାଣିଛି! ତା ସ୍ତ୍ରୀ ରଙ୍ଗ ଗହଣା ନାଇଲା ବୋଲି, ତା ପିଲାଛୁଆ ତିନିହେଁ ଚିକ୍କଣ ଦେଖାହେଲେ ବୋଲି ଓ ସେ କେଉଁଠି କିଛି ଜଣା ରୋଜଗାରରେ ନିଯୁକ୍ତ ନୁହେଁ ବୋଲି ତଥା ଥରେ ଗାଈଟିଏ ଚୋରି କରିଛି ବୋଲି ତାକୁ ଚୋର କହିବା କେତେଦୂର ସମିଚୀନ? ସେଇ ଥରକୁ ଛାଡିଦେଲେ ସେ କେବେ ଗାଆଁରେ ଚୋରି କରିନି । ଲୋକଙ୍କର କହିବାରେ କଣ ଅଛି ।
ଲୋକେ ସେତିକିରେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ତା ସ୍ୱର୍ଗତଃ ବାପା ଘନ ନାମରେ ବି ଅନେକ ଅପବାଦ ଦିଅନ୍ତି । ସେ କୁଆଡେ ଏକାଧିକ ପତ୍ନୀଙ୍କୁ ହତ୍ୟା କରିଛି । ପୁଣି ଏକଥା ବି ଲୋକେ କହନ୍ତି; ରଙ୍ଗ ଓ ରଘୁ ମିଶି ରୋଗୀଣା ଘନ ବେକରେ ଶାବଳ ପକାଇ ମାଡି ବସିବାରୁ ସେ ମରିଗଲା । ଲୋକଙ୍କ ଏସବୁ କହିବା କଥା ଯେମିତି ହେଉ ରାଜୁଭଳି ପିଲା ମାନଙ୍କ କାନରେ ପଡେ । ଖୁବ୍ ଡର ଲାଗେ । ଅସ୍ୱଭାବିକ ଲାଗେ ପରିବାରଟି । ରଘୁକୁ ଗାଆଁରେ କେହି ଦେଖେନି । ରଙ୍ଗ ଗହଣା ଗାଣ୍ଠି ପିନ୍ଧି ନିଜେ ନିଜକୁ ଦେଖେ । ଆଉ ପାଞ୍ଚ ମାଇପିଙ୍କୁ ଦେଖାଇ ହୁଏନି ଅନ୍ୟ ମାନଙ୍କ ଭଳି। ତାଙ୍କ ପିଣ୍ଡାକୁ ଚଢନ୍ତି ନାହିଁ ପିଲାଏ । ତାଙ୍କ ଛୁଏ ଆସନ୍ତି ନାହିଁ ସାହିଛୁଆଙ୍କ ସହ ଖେଳିବାକୁ । ତାଙ୍କ ବାଡିର ପିଜୁଳି ଗଛରୁ ଅନ୍ୟ ପିଲାଏ ପିଜୁଳି ତୋଳନ୍ତି ନାହଁ । ଭାରି ଡର ଲାଗେ । ସତ କିଏ ଜାଣିଛି?
କିବା ଛାର ଏକ ଗାଈ ଚୋରି କେସରେ କେତେ ଅବା ଖର୍ଚ୍ଚ! ଦେଖାଗଲା କ୍ରମଶଃ ରଙ୍ଗ ହେଉଥିଲା ଗହଣା ବିହୀନ ବେରଙ୍ଗ । ଛୁଆ ମାନେ କଙ୍କାଳ ସାର ହେଲେଣି । ମାମଲତିକାର ଦୁଇଜଣଙ୍କ ପଛରେ ଗୋଡେଇ ହୁଅନ୍ତି ରଘୁ ଓ ରଙ୍ଗ । ପରେ ରଘୁ କୁଆଡେ ଗଲା କେଜାଣି, ତା ଦେଖା ମିଳିଲାନି ।
ଦିନେ ବଡ ହୀନିମାନି ବେଶରେ କଙ୍କାଳ ସାର ଛୁଆ ତିନୋଟିଙ୍କୁ ଧରି ପହଞ୍ଚିଲା ମଧୁସାରଙ୍କ ପାଖରେ । ଲମ୍ବ ଲମ୍ବ ଗୋଡତଳେ ପଡିଗଲା।

-ଭାଇ ତୁମେ ଆପଣ ସେ କେସ୍ ଉଠାଇ ଆଣନ୍ତୁ । କେସ୍ ଖର୍ଚ୍ଚ ନାଁରେ ତଳି ତଳାନ୍ତ କରିଦେଲେଣି ଟାଉଟର ମାନେ । ଯଦି ସେକଥା ନକରନ୍ତି ପିଲା ଛୁଆଙ୍କୁ ଧରି କୂଅକୁ ଡେଇଁବା ଛଡା ଆଉ କିଛି ଗତି ନାହିଁ ।

-ହେଉ ଯା ମାଆ, ମୋର ଯେତିକି ଖର୍ଚ୍ଚ ହୋଇଛି ଆଣିଦେ ମୁଁ ମାମଲା ଊଠାଇ ନେବି ।

- କେଉଁଠୁ ଆଣିବି, ତା ବାପା ତ ତିନି ଦିନ ହେଲା ଆସିନି। କୁଆଡେ ଗଲା କି ପୋଲିସ ବାନ୍ଧିଲା ଜଣା ନାହିଁ । ବାଳୁତ ଛୁଆମାନେ ଭୋକ ଓପାସରେ ଅଛନ୍ତି । ଛୁଆଙ୍କର କିବା ଦୋଷ? ତୁମ ସାମ୍ନାରେ ସେମାନେ ଏମିତି ରହିବେ!
ରାଜୁବୋଉ ଡଲାଏ ଚାଉଳ ଓ ଆଉ ଇତ୍ୟାଦି ଧରାଇଦେଲେ ରଙ୍ଗ ହାତରେ । ଗାଁ ମାନଙ୍କର ଚଳନି ଥାଏ ସେମିତି । ପଡୋଶୀ ଉପବାସରେ ରହିଲେ ଲକ୍ଷେ ଦାନଧର୍ମର ଫଳ ମିଳେନା ବୋଲି ବିଶ୍ୱାସ ଅଛି । କେବଳ ସେଦିନ ନୁହେଁ, ଏହା ପରେ ବି ଅନେକ ଥର ସେମାନଙ୍କୁ ସାହାଯ୍ୟ କରନ୍ତି ରାଜୁବୋଉ ।
ମଧୁସାରଙ୍କ ଇଛା ଥାଏ କେସ୍ ଉଠାଇଦେବା ପାଇଁ । ଦେଢଶୁର ବୋଲି ମାନୁଛି ତଥାପି ଆସି ଗୋଡତଳେ ପଡିଲା । ଅତିଟା ଭଲ ନୁହେଁ । କିନ୍ତୁ ରଘୁକୁ ଧରିବାରେ ସାରା ରାତି ବଡ ପୁଅ ରହିଥିଲା ଅନିଦ୍ରା। ଧରିବା କୌଶଳଟି ବି ତାହାର । ସେ ଆଦୌ ରାଜି ହେଲା ନାହିଁ । କେବଳ ଏହି ଗାଈଚୋରି ନୁହେଁ ଆହୁରି କେତେ କେତେ ପ୍ରସଙ୍ଗରେ ରଘୁ ତାଙ୍କ ପରିବାରର କ୍ଷତି କରିଛି । ତାକୁ ପାନେ ନଦେଇ ଏମିତି ଛାଡିଦେବା ଭଲ ନୁହେଁ ।
କେସ୍ ଚାଲିଲା, କଳ୍ପତରୁ ଓ ସେ ବିଧବା ବୁଢୀ ଆସି ସାକ୍ଷୀ ଦେଲେ । ଦଣ୍ଡ ସୁନିଶ୍ଚିତ ।

ମଧୁସାର୍ କହିଲେ, -ଦଣ୍ଡିବା ଶକ୍ତି ଯାର ଥାଇ, ସେ ଯେବେ କ୍ଷମା ଆଚରଇ । ଏହା ଭାଗବତ ବାଣୀ । ମୁଁ କଣ ଈଶ୍ୱର ନିର୍ଦ୍ଦେଶରୁ ଉପରେ ।

ସେ ମନ ସ୍ଥିର କରିନେଲେ । ସରକାରୀ ଓକିଲଙ୍କ ମାଧ୍ୟମରେ ଦରଖାସ୍ତ ଦେଲେ କି ପରସ୍ପର ଆପୋଷ ସମାଧାନ ହୋଇଯାଇଛି । ରଘୁ ସମୟକ୍ରମେ କ୍ଷତିପୁରଣ ଦେଇଦେବ । ସେ ବହୁତ ଅନୁତାପ କରୁଛି ।

ଅବଶ୍ୟ ଏହା କାର୍ଯ୍ୟକାରୀ ହେଲା ।

ରାଜୁବାବୁ ଗାଡି ମଧ୍ୟରୁ ହସି ପକାଇଲେ । ସେ ଜାଣିବାରେ ରଘୁକାକା କେବେ ତାଙ୍କ ବାପାଙ୍କୁ ସାକ୍ଷାତ ବି କରିନଥିଲା, ଅନୁତାପ କରିବା ଓ କ୍ଷତିପୁରଣ ଦେବା ପଛକଥା । ବାପାଙ୍କର ଏତାଦୃଶ ଆଚରଣକୁ ସେ ଆଜି ପର୍ଯ୍ୟନ୍ତ ସଠିକ ଗ୍ରହଣ କରିନଥିଲେ । ବଡ ବିଚିତ୍ର ମଣିଷର ମନ, ହାଠାତ ରାଜୁବାବୁ ଭାବିଲେ; ବାପା ଏକଦମ ଠିକ୍ କରିଥିଲେ ।

ପର ସପ୍ତାହରେ ଅବଶ୍ୟ ମାଳପୁର ଯାଇ, ଯଦି ସମ୍ଭବ କଷରୀକୁ କିଣି ତାଙ୍କ କାର୍ଯ୍ୟସ୍ଥଳିରେ ରୋଷେଇଆ ବାଇନକୁ ପାଳିବାକୁ ଦେବେ । ଅବଶ୍ୟ ତା ମାଲିକ ବିକିବାକୁ ରାଜିହେବା ଦରକାର, ବାଇନ ପାଳିବାକୁ ରାଜି ହେବା ଦରକାର ।
ଝଡ ଛାଡିଯାଇଥିଲା, ତାଙ୍କ ମନ ମଧ୍ୟ ପ୍ରଶାନ୍ତ ହୋଇ ଯାଇଥିଲା । ଘରେ ପହଞ୍ଚିଯିବା କ୍ଷଣି, ପୋଷା କୁକୁର ଟିପୁ ତାଙ୍କ ଏପରକୁ କୁଦି ପଡିଲା ଗେହ୍ଲା ହେବା ପାଇ; କୁଁ କୁଁ ହୋଇ ସତେ ଯେମିତି କହୁଥିଲା କଷରୀ ନଥାଉ ମୁଁ ପା ଅଛି । ଜଣାନାହିଁ ରାଜୁବାବୁ ଶେଷ ନିଷ୍ପତ୍ତି କଣ ନେବେ ।

3 comments:

  1. A beautiful description on happenings around us. Really I feel very sad on seeing the cattle wandering in the night. Once the speeding trucks killed five buffaloes near Balugaon, on N.H.

    ReplyDelete
  2. Real childhood story.Once I asked you about this childhood memory while traveling in a local bus at Kolkata.You narrated in short.This story is amazing.Thank You.

    ReplyDelete
  3. ରଘୁବାବୁର ବାଲ୍ୟ ମନରେ ଯାହା ଭୂଲ ମନେ ହେଇଥିଲା ଆଜି ପରିଣତ ବୟସରେ ତାହା ଠିକ୍ ମନେ ହେଲା ।ଏଇଟା ହିଁ ବୋଧେ ସମୟର ଖେଳ । ଭଲ ଲାଗିଲା ଗପଟିର ବର୍ଣ୍ଣନା ଶୈଳୀ ।

    ReplyDelete