Search This Blog

Monday 20 August 2018

ନିଦ୍ରାନୁବର୍ତ୍ତିତା, ଏକ ଅନୁରକ୍ତି।

ନିଦ୍ରାନୁବର୍ତ୍ତିତା, ଏକ ଅନୁରକ୍ତି।

ସମ୍ଭବତଃ ଆରୋଗ୍ୟର ମହୌଷଧି ନିଦ୍ରା।

ପିଲାବେଳ କଥା ମନେଅଛି। ଭାଇ ଭଉଣୀ ଝଗଡାରେ ଇଛା ହୁଏ ଭଗବାନ ଆଜି ତାକୁ ମାରି ଦିଅନ୍ତେ କି। କିଏ ବି ନିଜେ ହଣାକଟା କରିବା କଥା ଚିନ୍ତା କରିଥାଇ ପାରେ। ସକାଳୁ ନିଦ ଭାଙ୍ଗେ ହୁଏତ ସେହି ଭଉଣୀର ସ୍ନେହ ବୋଳା ଡାକରେ। ନିଦ ମସ୍ତିଷ୍କକୁ ସଜାଡି ଦିଏ।
ଏକ ଓଉତିଆ ବିଲବୁଣା ସାରି, ସ୍ନାନ ଓ ଭୋଜନ ପରେ ଦୁଇ ଘଣ୍ଟା ନିଦ୍ରା ଗଲେ, ଚାଷୀ ମୂଲିଆ ପୁନଶ୍ଚ କର୍ମପ୍ରବଣ ହୋଇପଡେ। ନଥାଏ କୌଣସି କ୍ଳେଶ।
 ଆଦିମ ମଣିଷ ଦିନସାରା ଖାଦ୍ୟ ଅନ୍ବେଷଣ କରୁଥିଲା ବିହଙ୍ଗ ଓ ଚତୁଷ୍ପଦ ପ୍ରାୟ, ଅନ୍ଧାର ହେଲେ ଶୋଉଥିଲା ନିଘୋଡ। କେତେକ ରାତ୍ରିଚର ପ୍ରାଣୀଙ୍କ ବାଦ୍ ଶୁପ୍ତ ନିଶ୍ଚଳ ଧରାପରେ ଶାନ୍ତି ବିରାଜମାନ କରୁଥିଲା। କେଜାଣି ଆଲୋକ ମହାନ କି ଅନ୍ଧାର ମହାନ। ନିଆଁର ବ୍ୟବହାର ଜାଣି ମନୁଷ୍ୟ ହେଲା ଉନ୍ନତ। ରାତି ଉପରେ ଓ ନିଜର ନିଦ୍ରା ଉପରେ ଅତ୍ୟାଚାର କରି ଚାଲିଲା। ସଂଧ୍ୟା ଘଡିକ ଦିନ ସହ ମିଶାଇ ଦେଲା।
ରିଡର ଡାଇଜେଷ୍ଟ ଥରେ ଲେଖିଥିଲେ, ମଣିଷ କୁଆଡେ (ଶିଆଳଙ୍କ ପରି) ଘଡିଏ ରାତିରେ ଉଠିପଡ଼ି ନିଜକୁ ଟିକେ ସଜ କରି ସାହି ପଡୋଶୀ ମେଳି କରୁଥିଲା, ଅଗି ଜଳାଇ ରୁଣ୍ଡ ହେଉଥିଲା ଓ ପୁଣି ଶୋଇପଡୁଥିଲା।
ସତୁରି ଦଶକରେ ମୋ ଗାଁକୁ ବିଜୁଳି ଆସିଲା। ମନେଅଛି ସାଧାରଣ ଲୋକର ଶୋଇବା ସମୟ ଥିଲା ସଂଧ୍ୟା ସାତଟା କିମ୍ବା ଆଠଟା, କାରଣ କିରୋସିନି ଅଭାବ। ପଢାପିଲା ଥିବା ଚଳିବା ଘରେ, ଶୋଉଥିଲେ ରାତି ନଅରୁ ଦଶ ମଧ୍ୟରେ। ବେତାର ନାଟକ କିମ୍ବା ଗୀତ ଅବଶ୍ୟ ନିଦର ବଇରୀ ହେଉଥିଲା। ବିଜୁଳି ସେହି ମାନଙ୍କ ଘରକୁ ଗଲା ଓ ଶୋଇବା ଆଉ ଘଣ୍ଟାଏ ଘୁଞ୍ଚିଗଲା। କିଏ କେତେ ଡେରିରେ ଶୋଇବ ଏହା ଏକ ଅକୁହା ଆଭିଜାତ୍ୟର ସଂକେତ ଥିଲା।
ଗରିବ ଶୀଘ୍ର ଶୋଇପଡିବାକୁ ବାଧ୍ୟ ହୁଏ ଓ ତା ପିଲାଏ ଭଲ ପାଠ ପଢିବା ସଂଭବ ହୁଏ ନାହିଁ।
(ଏ ବୈଷମ୍ୟକୁ ଅଣଦେଖା କରି ଥୋକେ ନିଜକୁ ଜ୍ଞାନୀ ଭାବିବା ହାସ୍ୟକର।)
ଶୋଉ ଶୋଉ ରାତି ବାର ହେଉଛି କହିବାରେ ଲୁଚି ଯାଏ ନିଜର ପରୋକ୍ଷ ଅହଂ ବଡିମା। ଏକଥା କହି ଅନେକ ଆନନ୍ଦ ପାଆନ୍ତି।
ଦୂରଦେଖଣା ଆସିଲା ପରେ ନିଦ ନିୟନ୍ତା ହେଲେ ନାନାଦି କାର୍ଯ୍ୟକ୍ରମ।
ଖେଳକୁଦ, ବିଦେଶରେ କ୍ରିକେଟ ଇତ୍ୟାଦି ସିଧା ପ୍ରସାରଣ ହେବା ପରେ, ଏହ ପୁନଶ୍ଚ ସଂକୁଚିତ ହେଲା।
ସମାନ୍ତରାଳ ଭାବେ ପିଲାଙ୍କ ଜ୍ଞାନ ଅର୍ଜନର ସମୟବି ବଦଳିଗଲା।
ବ୍ୟାସଦେବ ହୁଅନ୍ତୁ କି ବିବେକାନନ୍ଦ, ରାତିରେ ନିଜକୁ ସେମାନେ ନିଦ୍ରାଙ୍କୁ ସମର୍ପଣ କରୁଥିବେ, ଅବଶ୍ୟ ହୁଏତ ସରସ୍ୱତୀ ସ୍ବପ୍ନ ଦେବୀଙ୍କୁ ଦୂତକରି କେତେ ସୂତ୍ର ଓ ସନ୍ଦେଶ ଦେଉଥିବା ସମ୍ଭବ। କିନ୍ତୁ ଆଧୁନିକ ପିଲାଏ ଦିନ କାଟିବାର ବ୍ୟବସ୍ଥା ଆସିଗଲା ଗୁଲିଖଟିରେ, ସିନେମା, ଦୂରଦେଖଣାରେ ଓ ରାତିରେ ଧୂମପାନ କରି ଅନିଦ୍ରା ରହି ପାଠ ପଢିବାରେ। ଆଉ କିଛି ଦୃଢମନା ଜ୍ଞାନ ପିପାସୁ ଦିନ ରାତି ପଢି ଚାଲିଲେ। କାହାର ଆଇ ଏ ଏସ ହେବାର ଅଛି ତ କାହାର ଆମେରିକା ଟିକେଟ ଦରକାର। ବିଚରା ନିଦ!
ଶୁଭ ସକାଳର ଦୃଶ୍ୟବି ବଦଳି ଚାଲିଲା।
କଟକ ସହର ଅଶି ଦଶକରେ ଭୋର ପାଞ୍ଚଟାରେ ଯେତିକି ଚଞ୍ଚଳ ଥିଲା, ଜନସଂଖ୍ୟା ବଢିବା ସତ୍ତ୍ୱେ ଆଜି ସେତିକି ଚଞ୍ଚଳତା ପାଇବା ପାଇଁ ସକାଳ ସାଢେ ଛଅକୁ ଅପେକ୍ଷା କରୁଛି। ସକାଳ ଆଠଟା ପୂର୍ବରୁ କାହାକୁ ଫୋନ କରିବା ଅସୌଜନ୍ୟତା ହୋଇଗଲାଣି।
ସମସ୍ତଙ୍କର ନିଦ ବି ସମାନ ନୁହେଁ। ଏ ଲେଖକ ତା ସମୂଦାୟ ଶୈଶବ୍ୟ ଓ କିଶୋର କାଳରେ ଖରାବେଳେ ହାତଗଣତି କେତେଦିନ ଶୋଇଥିବ। ଯଦି କେବେ ନିଦ ହେଲା, ସଂଧ୍ୟା ପର୍ଯ୍ୟନ୍ତ ଶୋଇଯାଏ ଓ ଉଠି ପଡିଲେ ସକାଳ ହେବାର ଭ୍ରମରେ ପଡେ।
ମନେ ଅଛି ସାଥି ସୁଜିତ ନାୟକ (ଏବେ ପ୍ରଫେସର ମାନସିକ ବିଭାଗ, ରାଏପୁର) ଦିନେ ଜିଦ୍ କରି କ୍ଲାସରେ ସତକୁ ନିଦ୍ରା ଆବାହନ କରି ପାରିଥିଲା।
ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ରାତିରେ ଯେତେବେଳେ କାମ ସାରିଲେ ବି ପୁଣି ଘଣ୍ଟାଏ ପଢିସାରି ନିଦ୍ରା ଯିବାକୁ ଚେଷ୍ଟା କରନ୍ତି। ଏହା ତାଙ୍କ ମୂଖନିଃସୃତ ବାଣୀ।
ଥରେ ଦେଖିଛି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଘଡେଇ ରାତି ଦୁଇଟାରେ ତାଙ୍କ ଦରବାର ଆରମ୍ଭ କଲେ। ବହୁତ ଲୋକ ଥାଆନ୍ତି। ଶୁଣିଲି ସମସ୍ତଙ୍କ କାମ ସାରିଲେ ସେ ନିଦ୍ରା ଯିବେ।
ଅନେକ ଗବେଷକ ସ୍ବଳ୍ପ ନିଦ୍ରା ଯାଆନ୍ତି।
 ଦିନକୁ ତିନି ଚାରି ଘଣ୍ଟା ଶୋଇ କାମ କରିହେବ, ଅବଶ୍ୟ ସମୟେ ସମୟେ ନିଦ ଟଳମଳ ହୋଇ।

ଦୁନିଆର ଚଳନିର ବେଗ ଦୃତ ହେଲା। କାର୍ଯ୍ୟଭାରା ବିଚଳିତ ମନୁଷ୍ୟ ଉପରେ ଅତ୍ୟାଚାରିତ ରାତି ଓ ନିଦ୍ରା ପ୍ରତିଶୋଧ ନେଉଛନ୍ତି।
ନିଦ୍ରାହୀନତା ପ୍ରମୁଖ ବ୍ୟାଧି ହେଲାଣି। ଅନେକ ବ୍ୟାଧିର ଉପଶମକାରୀ ପ୍ରାକୃତିକ ଔଷଧରୁ ମନୁଷ୍ୟ ବଞ୍ଚିତ। ସେ ନିଜେ ଔଷଧ ନିର୍ଭରଶୀଳ।
 ଏବେ ପୁଣି ବିଜ୍ଞାନ ଆଗେଇଲା। ଆମ ଦିନ ବେଳେ ଆମେରିକା ରାତିକୁ ବିଶ୍ବ ବୁଢ଼ୀଆଣି ଜାଲ(WWW) ଏକାଠି କରିଦେଲା। ଲୋକେ ଶୋଇବା ଭୁଲିଗଲେ। ଅନେକ କାମ କମ୍ପୁଟର କଲା। ଘର ହେଲା ଉଭୟ ଚୋର ଓ ସାଧୁଙ୍କ କାର୍ଯ୍ୟାଳୟ। କମ୍ପୁଟର ହେଲା କାର୍ଯ୍ୟ ଷ୍ଟେସନ। ରାତିହେଲା ପ୍ରକୃଷ୍ଟ ସମୟ। ବ୍ରାହ୍ମ ମୂହୁର୍ତ୍ତର ଶ୍ରେଷ୍ଠତା ନ୍ୟୂନ୍ୟ ହୋଇଗଲା ଅଧିକାଂଶଙ୍କ ପାଇଁ।
ଗତକାଲି ରାତିରେ ଶୋଇଥିଲି ମଧ୍ୟ ରାତ୍ରରେ, ନିଦ ଭାଙ୍ଗିଲା ଭୋର ଚାରି। ଇଛାକୃତ ଭାବେ ପୁଣି ଶୋଇଲି। ଆଶ୍ଚର୍ଯ୍ୟ! ଡିଉଟି ଅଛି ଆଠଟା ବେଳେ ଓ କାହାର ଫୋନରେ ନିଦ ଭାଙ୍ଗିଲା ସେତିକି ବେଳେ। ବୋଧହୁଏ ଗତ ଚାରି ଦଶନ୍ଧିରେ କେବେ ଏମିତି ନିଦ ହୋଇ ନଥିଲା।
ପରୀକ୍ଷା ଆଗ ସଂଧ୍ୟାରେ ହଠାତ କରେଣ୍ଟ ଚାଲିଗଲେ ଦୁଃଖ ବଦଳରେ ଆନନ୍ଦ ଲାଗୁଥିଲା ମୋତେ, ଯେମିତି ବାଧ୍ୟ ବିରାମ ଈଶ୍ବରଙ୍କ ଇଛା। ଆଜି ସେମିତି ଲାଗିଲା, ନିଦଠୁ ବଳି ସାଥି କେହି ନୂହନ୍ତି।
ଏ ଲେଖାଟି ସେ ନିଦ୍ରାର ପ୍ରଗାଢ ଅନୁରକ୍ତି।

Saturday 11 August 2018

Swadhin's independence.

ସାଥି ସ୍ବାଧୀନ ଭାରତୀ ମହାନ୍ତିଙ୍କ, ସରକାରୀ ଚାକିରିରୁ ଅବସର।
Swadhin's Independence.

I went through the new article just after her retirement, in her blog, "Spare a moment and spare a thought".
It reminded me of one story, "The Screen, ପର୍ଦ୍ଦା " of the epitome of storytellers in the world, Prof Manoj Das.

The retired officer revisited the very same room where he ruled for years but now as a common man seeking to expedite the pension papers. His replacement new officer has gone out of the office. The peon with utmost courtesy is taking care of his ex-boss.
From the guest's chair, he looks through windows, opposite to the usual direction he was used to. The cutthroat race, to occupy this chair was not a small one.
 The screens from the windows are taken off, allowing the vast arrays of natures play visible in a small chunk of the sky. He gets lost in nature. A sense of gratitude to the new officer and his wisdom to remove the screens makes him very happy. He cursed himself wasting the whole life covered with screens and screens all around over all possible windows of life, through which he could have enjoyed the eternal play of life and lives around.
In fact, the retirement has peeled off the screen of ego and responsibility from him. As the new boss comes in, he unmindfully utters the word, "Screen".
Sorry, sir, the replacement was due as the old ones were torn to some extent. Newer ones are ready ....
He screamed in silence, "Screen again!!! Oh no!"
I wish my dear brilliant friend Swadhin, who used to be transparent all along needed no screen to be removed. The teachings of Krishna and Buddha and their echo in her inner soul made her a commoner shine of ego, from which gems of philosophy came out as often as her demanding profession of a Gynaecologist allowed.
Now she is so lucky and her readers too that she voluntarily retired at fifty and hopefully writes more and more.

Coincidentally her first write up in her blog, " Spare a Moment Spare a Thought" used the same scene. Nature, rain, droplets, ocean, sky, skyscrapers and all through the windows of the living room but actually through the window of her mind that connects her inner living soul to the outer eternal universe. The perfect ambience to see the ocean in the droplets and the beautiful coexistence of the vast many droplets keeping the beauty of each one intact, which she writes so brilliantly.
My friend one of the most brilliant student of my batch shares her birthday with none other than Sage Sri Aurobindo and free Mother India. 15th August is arriving soon.
I wish you Swadhin Bharati Mohanty your second innings as fruitful as the second innings of Sri Aurobindo, for the human race through your pen.
ସ୍ବଧୀନଙ୍କ ବ୍ଲଗ, 'ସ୍ପେୟାର ଏ ମୋମେଣ୍ଟ ସ୍ପେୟାର ଏ ଥଟ୍'କୁ ସମସ୍ତଙ୍କୁ ସାଦର ନିମନ୍ତ୍ରଣ।

Thursday 9 August 2018

ଗାଳ୍ପିକ ଓ ସାହିତ୍ୟିକ।


ଗାଳ୍ପିକ ଓ ସାହିତ୍ୟିକ।

ପ୍ରଥମଟି ହେବାରେ ଭାରି ସରାଗ। ଗପ କହିବା ମାନେ, ଇଆଡୁ ସିଆଡୁ ଜାଣିଥିବା, ଦେଖିଥିବା ଓ ଅନୁଭବର କଥାକୁ କିଛି ଗାଲୁକଥାର ସିମେଣ୍ଟରେ ଫେଣ୍ଟି ଉପସ୍ଥାପନା କରିବା ତ! ଯେକୋୖଣସି ବର୍ଣ୍ଣନା ଏକ ଗଳ୍ପ କାରଣ ସବୁକଥା ଏକଦମ ଠିକ କହି ହୁଏନି, ସାମାନ୍ୟ ନାଟକୀୟତା ମିଶିଯାଏ। ଆମେ ସଭିଏଁ ଗାଳ୍ପିକ। ଅଧିକ ନାଟକ କଲେ ହେବା ଗାଲୁଆ ଓ ତାଠୁ ଅଧିକ କହିଲେ ଡିବେଟର ହୋଇଯିବା। ଆଉ କିଛି ଅଧିକ ହେଲେ ନେତା।

ଗପରେ ସ୍ରଷ୍ଟାର ସେମିତି କିଛି ଦାୟିତ୍ୱ ନାହିଁ।  ନାୟକ ଓ ଜଘନ୍ୟ ଖଳନାୟକ ହିଁ ଶ୍ରେୟ ଓ ତୃଟି ପାଇଁ ଉତ୍ତରଦାୟୀ। ଗାଳ୍ପିକ ଆରାମ ଚୌକିରେ ବସିପଡି ମଜା ଦେଖିଲା। ଭାଷା ଯାହା ହେଲେ ବି ଚଳିବ; ଓଡ଼ିଆ, ଇଂରାଜୀ ଅବା ଖେଚୁଡ଼ି। କାରଣ  ଜଣେ ବୁଝି ପାରିବା ଭଳି କାହାଣୀଟିଏ କହୁଛୁ। ବିଶୁଦ୍ଧ ସଂସ୍କୃତରେ ଗପଟିଏ ବା ତତ୍'ସମ ଶବ୍ଦରେ ଛୋଟ ପିଲାଙ୍କୁ କହିବାରେ କିଛି ମାନେ ନାହିଁ। ଏସବୁ କାରଣରୁ, ଗାଳ୍ପିକ ହେବା ପାଇଁ କୌଣସି ଭାଷାରେ ବିଦ୍ବାନ  ହୋଇଥିବା ଅତି ଜରୁରୀ ନୁହେଁ। ଦକ୍ଷତା ଥିଲେ ଉତ୍ତମ।
ସାଧୁଶବ୍ଦରେ କୁହାଯାଏ ସୃଜନଶୀଳତା। ଏହା ଥିଲେ ଗପଟି ପାହାଡ଼ ଫଟାଇ ଝରଣା ବାହାରିଲା ପରି ଯାହିଁତାହି ଭାଷାରେ ବି ମନଛୁଆଁ ହେବ। ପୁଳାଏ ମନଛୁଆଁ ଗପ କହିଲେ ତାହା ଏକ ଶୈଳୀରେ ପରିଣତ ହେବ।
କଥା ହେଉଛି, ଅନେକ ଲେଖିଲେ କେହି କେହି କହି ପକାଇବେ ସାହିତ୍ୟିକ।
ଏଥିରେ ବିପଦ ଅଛି। ଲେଖୁଥିବା ଭାଷା ପ୍ରତି ଦାୟିତ୍ୱ ଅଛି। ଗାଳ୍ପିକର ସ୍ବାଧୀନତା ଅପହୃତ। ସମାଲୋଚକର ଚାବୁକ ମାଡକୁ ପିଠି ଦେଖାଇବାକୁ ପଡିବ। ଭାଷାରେ ଦକ୍ଷତା ବଢାଇବାକୁ ପଡିବ।

 ନିର୍ଦ୍ଦିଷ୍ଟ ଭାଷାର ଶିକ୍ଷକ ବା ଅଧ୍ୟାପକଙ୍କୁ କିଛି କଷ୍ଟ ନୁହେଁ ସାହିତ୍ୟିକ ହେବା, କିନ୍ତୁ ଜଣେ ଶ୍ରମିକ, ଦୋକାନୀ, ବିଜ୍ଞାନୀ, ସୈନିକ ବା ଡାକ୍ତରଙ୍କୁ ତ ସମ୍ଭବ ନୁହେଁ। ଯଦି ସେ ସୃଜନଶୀଳ ହୋଇଥାଆନ୍ତି ସେ କଣ କରିବେ? ସେ ତ ନଲେଖି ରହି ପାରିବେ ନାହିଁ। ତାଙ୍କ ଲେଖା ପାଠକ ପସନ୍ଦ କରି ପାରନ୍ତି। କିନ୍ତୁ ଏହାର ଭାଷା ଓ ସାହିତ୍ୟ ଦିଗ ଯଦି ଦୁର୍ବଳ, ସମାଲୋଚକ କହିପାରନ୍ତି ଯେ ଏ ଗାଳ୍ପିକ ଆମ ଶାସ୍ତ୍ରୀୟ ଭାଷାକୁ ବୁଡାଇବ ବୋଧେ।
ହଁ। ଶାସ୍ତ୍ରୀୟ ଓ ଦାଣ୍ଡି ଏ ବିବାଦ ଏ ଓଡିଶାରେ ବୋଧହୁଏ ଅତିବଡ଼ିଙ୍କ ଠାରୁ ରହିଛି।
ବିପରୀତ ବି ସମ୍ଭବ। ଜଣେ ଭାଷା ପଣ୍ଡିତଙ୍କ ସୃଜନ ଭାଗଟି ଶୂନ୍ୟ ହୋଇପାରେ। ସେ ଗପ, କବିତା ଓ ଏପରିକି ପ୍ରବନ୍ଧଟିଏ ଭାଷାରେ ସୁସଂହତ କଲେ କଣ ହେବ ପାଠକେ ବାକ୍ୟଗୁଡିକ ଜୀଵନ୍ତ ନହୋଇଥିବା ଅନୁଭବ କରିବେ।
ବହୁ ସୁନ୍ଦର ସାଜସଜ୍ଜାରେ କିଛି ଲେଖା ଯାଇପାରେ, ଏହା ସୁଭାଷା ବି ହୋଇପାରେ କିନ୍ତୁ ଜୀବନୀ ଶକ୍ତି ନଥିଲେ ଆଦୌ ଭଲ ଲାଗିବ ନାହିଁ। ପ୍ରକାରାନ୍ତେ ସାଧାରଣ ପୋଇ ମଞ୍ଚାପରି ମାଡିଥିବା ସରଳ ଲେଖାଟି ବେଶ ମନଛୁଆଁ ହୋଇପାରେ।
ଏସବୁ ବାଜେକଥାରୁ ଉପରକୁ ଉଠିଗଲେ, ଯାହା ସ୍ରଷ୍ଟାର କଲମରୁ ଝରିବ ତାହା ସାହିତ୍ୟର ଧାରା ବା ନୂତନ ଶୈଳୀ ହୋଇଯିବ।
ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ଶାନ୍ତନୁ ଆଚାର୍ଯ୍ୟ ମହାଶୟ ମାନଙ୍କୁ ମାପିବାର ଦକ୍ଷତା କାହାର ଅବା ଅଛି! ସେମାନେ ସାହିତ୍ୟ କ୍ଷେତ୍ର ବାହାରର ଲୋକ କିନ୍ତୁ ଏକ ଜାତିର କଥା ସାହିତ୍ୟରେ ସର୍ବକାଳପାଇଁ ଏକ ଏକ ପିଲାର। ମହାଶୟ ସର୍ବଶ୍ରୀ ମହାପାତ୍ର ନୀଳମଣି ସାହୁ, ବିଭୁତି ପଟ୍ଟନାୟକ ଓ ମନୋଜ ଦାସ ସାହିତ୍ୟ କ୍ଷେତ୍ରର ଲୋକ ବୋଲି ସୃଜନଶୀଳ ନୁହନ୍ତି। ସେମାନଙ୍କ ସୃଜନଶୀଳତା ଓ ସାହିତ୍ୟ ଜ୍ଞାନକୁ ଆମେ ଭିନ୍ନ କରି ଦେଖିବା ସମୀଚୀନ। କହି ହେବନାହିଁ, ସେମାନଙ୍କ ସୃଜନ ସାହିତ୍ୟ ଉପରେ ନିର୍ଭର କରିଛି କିମ୍ବା ତାଙ୍କ ସାହିତ୍ୟ ଓ ଆମ ଭାଷା ସାହିତ୍ୟ ସେମାନଙ୍କ ସୃଜନୀକୁ ଅବଲମ୍ବନ କରିଛି ଅଥବା ଉଭୟ ପରସ୍ପର ପରିପୁରକ।

Monday 6 August 2018

ନୂଆ ଗଣତନ୍ତ୍ର।

ନୂଆ ଗଣତନ୍ତ୍ର।
ଏ ଲେଖାକୁ ଥଟ୍ଟା କଥା ନଭାବି ପଢିବାକୁ ଅନୁରୋଧ। ମଝିରେ ମଝିରେ ଶୁଣାଯାଏ ଗଣତାନ୍ତ୍ରିକ ପଦ୍ଧତିର ଦୂରରେ ରହି ଏହାକୁ ସମାଲୋଚନା କରିବା, ଶିକ୍ଷିତ ଲୋକଙ୍କ ସୁବିଧାବାଦ। ମୁଁ ବି କେତେ ଥର ସେମିତି ଭାବିଛି ଓ କେତେ ମତ ରଖିଛି।  ଭୋଟ ଦେବା ଏକ କର୍ତ୍ତବ୍ୟ ଭାବି ଦୂରରୁ ଦୌଡି ଆସିଛି ଗାଁକୁ। କିନ୍ତୁ ଏବେ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ କେବଳ ନେତା ବା ଦଳଙ୍କୁ ଦୋଶ ଦେବା ଉଚିତ ନୁହେଁ, ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅନେକ ତୃଟି ରହିଛି।
ସହଜ ଉଦାହରଣଟିଏ ଦେଉଛି। ବର୍ତ୍ତମାନ ଯଦି ଏକ ଅନ୍ ଲାଇନ ମତ ନିଆଯାଏ କାହାକୁ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛ। ଓ ଅନ୍ୟ ଏକ ମତ ନିଆଯାଏ କାହାକୁ ପ୍ରଧାନମନ୍ତ୍ରୀ ଭାବେ ସମ୍ପୂର୍ଣ୍ଣ ବିରୋଧ କରୁଛ ତାହେଲେ ଏ ଉଭୟରେ ନିଶ୍ଚିତ ବିଜୟୀ ହେବେ ମାନନୀୟ ମୋଦି ଜି। ସହଜ କଥା ପ୍ରଥମଟି ତାଙ୍କ ବିରୋଧୀଙ୍କୁ ଭାଗ କରିବ ଅନ୍ୟ ସମ୍ଭାବ୍ୟ ପ୍ରାର୍ଥୀ ମାନଙ୍କ ମଧ୍ୟରେ କିନ୍ତୁ ତାଙ୍କ ସମର୍ଥକ ମାନେ ତାଙ୍କୁ ଭୋଟ ଦେବେ। ଦ୍ୱିତୀୟ କ୍ଷେତ୍ରରେ ତାଙ୍କ ବିରୋଧୀ ମାନଙ୍କ ଭୋଟ ଏକଜୁଟ ହୋଇଯିବ ଯେ ସେମାନେ ତାଙ୍କୁ ଚାହାନ୍ତି ନାହିଁ କିନ୍ତୁ ତାଙ୍କ ସମର୍ଥକ ମାନଙ୍କ ଭୋଟ ରାମା ଦାମା ଶ୍ୟାମା , ସୀମା, ମାମା, ଲାମାଙ୍କ ମଧ୍ୟରେ ଭାଗ ହୋଇଯିବ। ଏକ ସମୟରେ ଜଣେ ସବୁଠୁ ଲୋକପ୍ରିୟ ଓ ସବୁଠୁ ଅଲୋଡ଼ା ହେବାକୁ ଯେଉଁ ଗଣତନ୍ତ୍ର ବ୍ୟବସ୍ଥା କରୁଛି ତାହା ନିଶ୍ଚିତ ତୃଟିଯୁକ୍ତ। ଏଣୁ ଏହାର ସୁଧାର ଦରକାର। ସେଦିନ ଏକଥା ଲେଖିଥିଲି। ଜଣେ ବନ୍ଧୁ ଲେଖିଲେ ଏହା ଠିକ ଯେ ବିକଳ୍ପ ଚିନ୍ତା କଣ।
ହଁ ଅଛି। ସେକଥା ପୂର୍ବରୁ କିଛି ଆଲୋଚନା କରୁଛି।

ଏବେର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମାଜକୁ ଏକ ମାଟି ହାଣ୍ଡି ଭଳି ଭାଙ୍ଗି ଦିଆଯାଇଛି। ଯିଏ ସବୁଠୁ ବଡ ଖପରାଟି ପାଇଲା ସେ ଶାସନ କଲା, ଯଦିଓ ଏହା ହାଣ୍ଡିର କୋଡିଏ ପଚିଶ ପ୍ରତିଶତ ହୋଇପାରେ। ଏହାକୁ ବି ଭାଗ କରାଯାଇପାରେ ଓ ଅନ୍ୟମାନେ ବି ଜୋଡି ହୋଇ ପାରନ୍ତି ଓ ସେମିତି ସତକୁ ହେଉଛି ଯାହାକୁ କୁହାଯାଉଛି, ଜୋଡ ତୋଡର ରାଜନୀତି। ଭାଙ୍ଗିବା ହେଉକି ଗଢିବା ହେଉ ଏ ଉଭୟରେ ଘୃଣାଭାବ ହିଁ ବ୍ୟବହାର କରାଯାଉଛି ଯାହାର ନ୍ୟଷ୍ଟି ହେଉଛି ଜାତି, ଧର୍ମ, ଆଞ୍ଚଳିକ ବାଦ ବା ବ୍ୟକ୍ତି ପ୍ରତି ଘୃଣା ଇତ୍ୟାଦି।
ଜଣେ ପଚିଶ ପ୍ରତିଶତ ସମର୍ଥନ ପାଇ ଜିତି ପାରେ। ବାକି ପଚସ୍ତୋରି ପ୍ରତିଶତ ତାଙ୍କ ପ୍ରତି ନିଉଟ୍ରାଲ କି ତାଙ୍କୁ ପୁରା ବିରୋଧ କରନ୍ତି ସେକଥା ଜଣା ପଡେନି। ହୋଇପାରେ ତାଙ୍କୁ ଅଳ୍ପ କିଛି ନଚାହିଁ ପାରନ୍ତି କିମ୍ବା ହୋଇପାରେ ଅନ୍ୟ ତିନି ଚତୁର୍ଥାଂଶଙ୍କ ଇଛା ସେ ଜମା ନହୁଅନ୍ତୁ। କିନ୍ତୁ ସେଥିପାଇଁ ଭୋଟ ନିଆ ଯାଉନି ଜଣା ପଡିବ କେମିତି? ତେଣୁ ପ୍ରାର୍ଥୀ ଚାହିଁବେ ତାଙ୍କର ପୁଳାଏ ଅତି ବିଶ୍ବସ୍ତ ଭୋଟର ହୁଅନ୍ତୁ, ଅନ୍ୟମାନେ ଭୁକିହେଲେ ତାଙ୍କର କିଛି ଯାଏ ଆସେ ନାହିଁ। ଅନ୍ୟ ମାନଙ୍କୁ ଆପଣା କରିବା ଓ ବିରୋଧୀ କଲ୍ୟାଣ ପାଇଁ ମନ ବଳାଇବାର ଆବଶ୍ୟକତା ନାହିଁ।
କିଛି ପାରମ୍ପରିକ ସମର୍ଥକ ଓ ସମ୍ଭାବ୍ୟ ଲାଭ ହାସଲକାରୀ ମାନେ ଜିତାଇଦେବେ। ସେଥିପାଇଁ ଆପଣା ଭାଗର ଖପରାଟି ଯେମିତି ନଭାଙ୍ଗିବ ତାହାରି ପ୍ରୟତ୍ନ ଅର୍ଥ, ମଦ୍ୟ, ଠିକା, ପଦବୀ ଓ ବ୍ୟବସାୟରେ ସୁବିଧା ଦେଇ କରାଅ ଓ ଅନ୍ୟ ଦଳର ଖପରାକୁ ବାଡେଇ ପିଟି ଭାଙ୍ଗିଦିଅ।
ଦଶ ପ୍ରାର୍ଥୀ ଥିଲେ ବି ଅଧିକାଂଶ ସ୍ଥାନରେ ଦୁଇ ଜଣଙ୍କ ମଧ୍ୟରେ ଯୁଦ୍ଧ ହେଉଛି କ ଓ ଖ। ଗ ଦଳ ବା ପ୍ରାର୍ଥୀଙ୍କ ସମର୍ଥକ ଭାବନ୍ତି ସେ ତ ଜିତିବେ ନାହିଁ ତାଙ୍କୁ ଦେଇକି ଲାଭ କଣ? ଏଣୁ ତାଙ୍କ ପ୍ରକୃତ ମତଟି ଲୁଚାଇ ଦେଇ କ ଓ ଖ ମଧ୍ୟରେ ସେ ଯାହାକୁ କମ ଘୃଣା କରନ୍ତି ତାଙ୍କୁ ଦିଅନ୍ତି। ତାଙ୍କ ଗଣତାନ୍ତ୍ରିକ ମତ ଏହା ନୁହେଁ। ରାମାର ଭୋଟ ତାଙ୍କ ସମର୍ଥନର ମତ କି ଦାମାର ବିରୋଧୀ ମତ ତାହା ଜାଣିବାର ଉପାୟ ନାହିଁ। ବହୁଲୋକ ଭୋଟ ଦେବାକୁ ଯାଆନ୍ତି ନାହିଁ କାରଣ ପ୍ରଥମ ଏକ ଦୁଇ ବା ତିନି ତାଙ୍କର ନାପସନ୍ଦ ଏଣୁ ଗୋଟିଏ ଦିନ ନଷ୍ଟ କରିବାର ମାନେ ନାହିଁ।
ମୋ ମତରେ ଜଣେ ଭୋଟର ଦୁଇଟି ଭୋଟ ଦେବା କଥା। କାହାକୁ ସେ ସର୍ବାଧିକ ପସନ୍ଦ କରୁଛନ୍ତି ଓ କାହାକୁ ସେ ସର୍ବାଧିକ ବିରୋଧ କରୁଛନ୍ତି। ବହୁତ ମଜାଦାର ତଥା ଯୁକ୍ତି ଯୁକ୍ତ ହେବ ନିର୍ବାଚନ।
ଏକ ଉଦାହରଣ ଦେଇ କହୁଛି କିନ୍ତୁ ପ୍ରକୃତ ଅବସ୍ଥା ଏହି ଉଦାହରଣ ଠାରୁ ଅଧିକ ଦମଦାର ହେବ।
କ ଖ ଓ ଗ ପ୍ରାର୍ଥୀ ଅଛନ୍ତି। ଭୋଟ ଦେଇଛନ୍ତି ଧରାଯାଉ ଶହେ ଲୋକ। କ ପାଇଲା ୩୩, ଖ ୩୩ ଓ ଗ ୩୪। ଗ ବିଜୟୀ ହେଲା। କିନ୍ତୁ ଅନ୍ୟ ୬୬ ଜଣଙ୍କର ମତ ଅର୍ଥାତ ମେଜରେଟି ଅର୍ଥାତ ଗଣତନ୍ତ୍ରର ମୂଳମନ୍ତ୍ର ଅସିଦ୍ଧ ହୋଇଗଲା। ଏ ୬୬ଙ୍କର ହୁଏତ ଗ ସର୍ବାଧିକ ନାପସନ୍ଦ ପ୍ରାର୍ଥୀ ହୋଇ ପାରେ। ଧରାଯାଉ ମୋ କହିବା ମୁତାବକ ଭୋଟ ହୋଇଥାନ୍ତା ଓ ସେଥିରେ ସବୁଠୁ ନାପସନ୍ଦ ପ୍ରାର୍ଥୀର ଭୋଟ ଧରାଯାଉ କ କୋଡିଏ, ଖ ତିରିଶ ଓ ଗ ପଚାଶ ପାଇ ଥାନ୍ତା। ଅର୍ଥାତ କ କୁ ୩୩ ଜଣ ଚାହୁଁ ଛନ୍ତି ଓ ୨୦ ଜଣ ଆଦୌ ଚାହୁଁ ନାହାନ୍ତି, ଖ କୁ ୩୩ ଓ ୩୦ ଓ ଗକୁ ୩୪ ଓ ୫୦.
ମାନେ ଇଫେକ୍ଟିବ ଭୋଟ କ ପାଇଲା ୩୩-୨୦=୧୩, ଖ ୩ ଓ ଗ ବିଯୁକ୍ତ ୧୬। ଏଣୁ କ ଜିତିଲା।
ହସନ୍ତୁ ନାହିଁ ଭାବି ଦେଖନ୍ତୁ ଏହା ଫଳରେ ଛୋଟ ଖପରା ମାନେ କଣ ଚାହାଁନ୍ତି ତାର ଗୁରୁତ୍ୱ ରହିଲା।
ଯିଏ ତ ଜଣେ ଜିତଛି, ଏ ନୂଆ  ବ୍ୟବସ୍ଥାରେ ଲାଭ କଣ ହେବ?
ନେତା ଚାହିଁବେ କେବଳ ମୋ ନିଜ ଲୋକଙ୍କୁ ପୋଶା କୁକୁର ଭଳି ନରଖି ଏମିତି କାମ କରଯେ ଅନ୍ୟମାନେ ବି ଅସୁଖି ନହୁଅନ୍ତୁ। ଅପରାଧି ଓ କଳାଅର୍ଥ ବଳୁଆଙ୍କୁ ପ୍ରାର୍ଥୀ କରିବାର ରିସ୍କ କେହି ନେବେ ନାହିଁ। କାରଣ ପୋଶା କୁକୁରଙ୍କ ଛଡା ଆଉ ସମସ୍ତେ ଦାଉଦ ମାଲ୍ୟା ଭଳି ପ୍ରାର୍ଥୀକୁ ବିରୋଧ କରିବେ ଓ ସେ ଆଦୌ ଜିତିବେ ନାହିଁ। ମାନେ ମୂଳରୁହିଁ ସବୁଦଳ ଭଲ ପ୍ରାର୍ଥୀ ଦେବେ। ଦଳ ମାନେ ବି ଘୃଣା ଓ ତୁଷ୍ଟିକରଣ ରାଜନୀତି ତ୍ୟାଗ କରି ଶତ୍ରୁ କମ ହେବା ଭଳି ଦେଶ ଗଠନ ରାଜନୀତି କରିବେ।
ଲେଖକର ଏ ମତଟି ନିଶ୍ଚିତ ଆଜି ନହେଲେ ଅନେକ ବର୍ଷ ପରେ ଗ୍ରହଣ କରାଯିବ ସାରା ବିଶ୍ବରେ, ଏ ବିଶ୍ୱାସ ଅଛି। ଏ ଘୁଣଖିଆ ଗଣତନ୍ତ୍ରର ସୁଧାର ହେବା ଅତ୍ୟନ୍ତ ଜରୁରୀ ହୋଇଗଲାଣି।