Search This Blog

Thursday 9 August 2018

ଗାଳ୍ପିକ ଓ ସାହିତ୍ୟିକ।


ଗାଳ୍ପିକ ଓ ସାହିତ୍ୟିକ।

ପ୍ରଥମଟି ହେବାରେ ଭାରି ସରାଗ। ଗପ କହିବା ମାନେ, ଇଆଡୁ ସିଆଡୁ ଜାଣିଥିବା, ଦେଖିଥିବା ଓ ଅନୁଭବର କଥାକୁ କିଛି ଗାଲୁକଥାର ସିମେଣ୍ଟରେ ଫେଣ୍ଟି ଉପସ୍ଥାପନା କରିବା ତ! ଯେକୋୖଣସି ବର୍ଣ୍ଣନା ଏକ ଗଳ୍ପ କାରଣ ସବୁକଥା ଏକଦମ ଠିକ କହି ହୁଏନି, ସାମାନ୍ୟ ନାଟକୀୟତା ମିଶିଯାଏ। ଆମେ ସଭିଏଁ ଗାଳ୍ପିକ। ଅଧିକ ନାଟକ କଲେ ହେବା ଗାଲୁଆ ଓ ତାଠୁ ଅଧିକ କହିଲେ ଡିବେଟର ହୋଇଯିବା। ଆଉ କିଛି ଅଧିକ ହେଲେ ନେତା।

ଗପରେ ସ୍ରଷ୍ଟାର ସେମିତି କିଛି ଦାୟିତ୍ୱ ନାହିଁ।  ନାୟକ ଓ ଜଘନ୍ୟ ଖଳନାୟକ ହିଁ ଶ୍ରେୟ ଓ ତୃଟି ପାଇଁ ଉତ୍ତରଦାୟୀ। ଗାଳ୍ପିକ ଆରାମ ଚୌକିରେ ବସିପଡି ମଜା ଦେଖିଲା। ଭାଷା ଯାହା ହେଲେ ବି ଚଳିବ; ଓଡ଼ିଆ, ଇଂରାଜୀ ଅବା ଖେଚୁଡ଼ି। କାରଣ  ଜଣେ ବୁଝି ପାରିବା ଭଳି କାହାଣୀଟିଏ କହୁଛୁ। ବିଶୁଦ୍ଧ ସଂସ୍କୃତରେ ଗପଟିଏ ବା ତତ୍'ସମ ଶବ୍ଦରେ ଛୋଟ ପିଲାଙ୍କୁ କହିବାରେ କିଛି ମାନେ ନାହିଁ। ଏସବୁ କାରଣରୁ, ଗାଳ୍ପିକ ହେବା ପାଇଁ କୌଣସି ଭାଷାରେ ବିଦ୍ବାନ  ହୋଇଥିବା ଅତି ଜରୁରୀ ନୁହେଁ। ଦକ୍ଷତା ଥିଲେ ଉତ୍ତମ।
ସାଧୁଶବ୍ଦରେ କୁହାଯାଏ ସୃଜନଶୀଳତା। ଏହା ଥିଲେ ଗପଟି ପାହାଡ଼ ଫଟାଇ ଝରଣା ବାହାରିଲା ପରି ଯାହିଁତାହି ଭାଷାରେ ବି ମନଛୁଆଁ ହେବ। ପୁଳାଏ ମନଛୁଆଁ ଗପ କହିଲେ ତାହା ଏକ ଶୈଳୀରେ ପରିଣତ ହେବ।
କଥା ହେଉଛି, ଅନେକ ଲେଖିଲେ କେହି କେହି କହି ପକାଇବେ ସାହିତ୍ୟିକ।
ଏଥିରେ ବିପଦ ଅଛି। ଲେଖୁଥିବା ଭାଷା ପ୍ରତି ଦାୟିତ୍ୱ ଅଛି। ଗାଳ୍ପିକର ସ୍ବାଧୀନତା ଅପହୃତ। ସମାଲୋଚକର ଚାବୁକ ମାଡକୁ ପିଠି ଦେଖାଇବାକୁ ପଡିବ। ଭାଷାରେ ଦକ୍ଷତା ବଢାଇବାକୁ ପଡିବ।

 ନିର୍ଦ୍ଦିଷ୍ଟ ଭାଷାର ଶିକ୍ଷକ ବା ଅଧ୍ୟାପକଙ୍କୁ କିଛି କଷ୍ଟ ନୁହେଁ ସାହିତ୍ୟିକ ହେବା, କିନ୍ତୁ ଜଣେ ଶ୍ରମିକ, ଦୋକାନୀ, ବିଜ୍ଞାନୀ, ସୈନିକ ବା ଡାକ୍ତରଙ୍କୁ ତ ସମ୍ଭବ ନୁହେଁ। ଯଦି ସେ ସୃଜନଶୀଳ ହୋଇଥାଆନ୍ତି ସେ କଣ କରିବେ? ସେ ତ ନଲେଖି ରହି ପାରିବେ ନାହିଁ। ତାଙ୍କ ଲେଖା ପାଠକ ପସନ୍ଦ କରି ପାରନ୍ତି। କିନ୍ତୁ ଏହାର ଭାଷା ଓ ସାହିତ୍ୟ ଦିଗ ଯଦି ଦୁର୍ବଳ, ସମାଲୋଚକ କହିପାରନ୍ତି ଯେ ଏ ଗାଳ୍ପିକ ଆମ ଶାସ୍ତ୍ରୀୟ ଭାଷାକୁ ବୁଡାଇବ ବୋଧେ।
ହଁ। ଶାସ୍ତ୍ରୀୟ ଓ ଦାଣ୍ଡି ଏ ବିବାଦ ଏ ଓଡିଶାରେ ବୋଧହୁଏ ଅତିବଡ଼ିଙ୍କ ଠାରୁ ରହିଛି।
ବିପରୀତ ବି ସମ୍ଭବ। ଜଣେ ଭାଷା ପଣ୍ଡିତଙ୍କ ସୃଜନ ଭାଗଟି ଶୂନ୍ୟ ହୋଇପାରେ। ସେ ଗପ, କବିତା ଓ ଏପରିକି ପ୍ରବନ୍ଧଟିଏ ଭାଷାରେ ସୁସଂହତ କଲେ କଣ ହେବ ପାଠକେ ବାକ୍ୟଗୁଡିକ ଜୀଵନ୍ତ ନହୋଇଥିବା ଅନୁଭବ କରିବେ।
ବହୁ ସୁନ୍ଦର ସାଜସଜ୍ଜାରେ କିଛି ଲେଖା ଯାଇପାରେ, ଏହା ସୁଭାଷା ବି ହୋଇପାରେ କିନ୍ତୁ ଜୀବନୀ ଶକ୍ତି ନଥିଲେ ଆଦୌ ଭଲ ଲାଗିବ ନାହିଁ। ପ୍ରକାରାନ୍ତେ ସାଧାରଣ ପୋଇ ମଞ୍ଚାପରି ମାଡିଥିବା ସରଳ ଲେଖାଟି ବେଶ ମନଛୁଆଁ ହୋଇପାରେ।
ଏସବୁ ବାଜେକଥାରୁ ଉପରକୁ ଉଠିଗଲେ, ଯାହା ସ୍ରଷ୍ଟାର କଲମରୁ ଝରିବ ତାହା ସାହିତ୍ୟର ଧାରା ବା ନୂତନ ଶୈଳୀ ହୋଇଯିବ।
ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ଶାନ୍ତନୁ ଆଚାର୍ଯ୍ୟ ମହାଶୟ ମାନଙ୍କୁ ମାପିବାର ଦକ୍ଷତା କାହାର ଅବା ଅଛି! ସେମାନେ ସାହିତ୍ୟ କ୍ଷେତ୍ର ବାହାରର ଲୋକ କିନ୍ତୁ ଏକ ଜାତିର କଥା ସାହିତ୍ୟରେ ସର୍ବକାଳପାଇଁ ଏକ ଏକ ପିଲାର। ମହାଶୟ ସର୍ବଶ୍ରୀ ମହାପାତ୍ର ନୀଳମଣି ସାହୁ, ବିଭୁତି ପଟ୍ଟନାୟକ ଓ ମନୋଜ ଦାସ ସାହିତ୍ୟ କ୍ଷେତ୍ରର ଲୋକ ବୋଲି ସୃଜନଶୀଳ ନୁହନ୍ତି। ସେମାନଙ୍କ ସୃଜନଶୀଳତା ଓ ସାହିତ୍ୟ ଜ୍ଞାନକୁ ଆମେ ଭିନ୍ନ କରି ଦେଖିବା ସମୀଚୀନ। କହି ହେବନାହିଁ, ସେମାନଙ୍କ ସୃଜନ ସାହିତ୍ୟ ଉପରେ ନିର୍ଭର କରିଛି କିମ୍ବା ତାଙ୍କ ସାହିତ୍ୟ ଓ ଆମ ଭାଷା ସାହିତ୍ୟ ସେମାନଙ୍କ ସୃଜନୀକୁ ଅବଲମ୍ବନ କରିଛି ଅଥବା ଉଭୟ ପରସ୍ପର ପରିପୁରକ।

No comments:

Post a Comment