Search This Blog

Monday, 20 August 2018

ନିଦ୍ରାନୁବର୍ତ୍ତିତା, ଏକ ଅନୁରକ୍ତି।

ନିଦ୍ରାନୁବର୍ତ୍ତିତା, ଏକ ଅନୁରକ୍ତି।

ସମ୍ଭବତଃ ଆରୋଗ୍ୟର ମହୌଷଧି ନିଦ୍ରା।

ପିଲାବେଳ କଥା ମନେଅଛି। ଭାଇ ଭଉଣୀ ଝଗଡାରେ ଇଛା ହୁଏ ଭଗବାନ ଆଜି ତାକୁ ମାରି ଦିଅନ୍ତେ କି। କିଏ ବି ନିଜେ ହଣାକଟା କରିବା କଥା ଚିନ୍ତା କରିଥାଇ ପାରେ। ସକାଳୁ ନିଦ ଭାଙ୍ଗେ ହୁଏତ ସେହି ଭଉଣୀର ସ୍ନେହ ବୋଳା ଡାକରେ। ନିଦ ମସ୍ତିଷ୍କକୁ ସଜାଡି ଦିଏ।
ଏକ ଓଉତିଆ ବିଲବୁଣା ସାରି, ସ୍ନାନ ଓ ଭୋଜନ ପରେ ଦୁଇ ଘଣ୍ଟା ନିଦ୍ରା ଗଲେ, ଚାଷୀ ମୂଲିଆ ପୁନଶ୍ଚ କର୍ମପ୍ରବଣ ହୋଇପଡେ। ନଥାଏ କୌଣସି କ୍ଳେଶ।
 ଆଦିମ ମଣିଷ ଦିନସାରା ଖାଦ୍ୟ ଅନ୍ବେଷଣ କରୁଥିଲା ବିହଙ୍ଗ ଓ ଚତୁଷ୍ପଦ ପ୍ରାୟ, ଅନ୍ଧାର ହେଲେ ଶୋଉଥିଲା ନିଘୋଡ। କେତେକ ରାତ୍ରିଚର ପ୍ରାଣୀଙ୍କ ବାଦ୍ ଶୁପ୍ତ ନିଶ୍ଚଳ ଧରାପରେ ଶାନ୍ତି ବିରାଜମାନ କରୁଥିଲା। କେଜାଣି ଆଲୋକ ମହାନ କି ଅନ୍ଧାର ମହାନ। ନିଆଁର ବ୍ୟବହାର ଜାଣି ମନୁଷ୍ୟ ହେଲା ଉନ୍ନତ। ରାତି ଉପରେ ଓ ନିଜର ନିଦ୍ରା ଉପରେ ଅତ୍ୟାଚାର କରି ଚାଲିଲା। ସଂଧ୍ୟା ଘଡିକ ଦିନ ସହ ମିଶାଇ ଦେଲା।
ରିଡର ଡାଇଜେଷ୍ଟ ଥରେ ଲେଖିଥିଲେ, ମଣିଷ କୁଆଡେ (ଶିଆଳଙ୍କ ପରି) ଘଡିଏ ରାତିରେ ଉଠିପଡ଼ି ନିଜକୁ ଟିକେ ସଜ କରି ସାହି ପଡୋଶୀ ମେଳି କରୁଥିଲା, ଅଗି ଜଳାଇ ରୁଣ୍ଡ ହେଉଥିଲା ଓ ପୁଣି ଶୋଇପଡୁଥିଲା।
ସତୁରି ଦଶକରେ ମୋ ଗାଁକୁ ବିଜୁଳି ଆସିଲା। ମନେଅଛି ସାଧାରଣ ଲୋକର ଶୋଇବା ସମୟ ଥିଲା ସଂଧ୍ୟା ସାତଟା କିମ୍ବା ଆଠଟା, କାରଣ କିରୋସିନି ଅଭାବ। ପଢାପିଲା ଥିବା ଚଳିବା ଘରେ, ଶୋଉଥିଲେ ରାତି ନଅରୁ ଦଶ ମଧ୍ୟରେ। ବେତାର ନାଟକ କିମ୍ବା ଗୀତ ଅବଶ୍ୟ ନିଦର ବଇରୀ ହେଉଥିଲା। ବିଜୁଳି ସେହି ମାନଙ୍କ ଘରକୁ ଗଲା ଓ ଶୋଇବା ଆଉ ଘଣ୍ଟାଏ ଘୁଞ୍ଚିଗଲା। କିଏ କେତେ ଡେରିରେ ଶୋଇବ ଏହା ଏକ ଅକୁହା ଆଭିଜାତ୍ୟର ସଂକେତ ଥିଲା।
ଗରିବ ଶୀଘ୍ର ଶୋଇପଡିବାକୁ ବାଧ୍ୟ ହୁଏ ଓ ତା ପିଲାଏ ଭଲ ପାଠ ପଢିବା ସଂଭବ ହୁଏ ନାହିଁ।
(ଏ ବୈଷମ୍ୟକୁ ଅଣଦେଖା କରି ଥୋକେ ନିଜକୁ ଜ୍ଞାନୀ ଭାବିବା ହାସ୍ୟକର।)
ଶୋଉ ଶୋଉ ରାତି ବାର ହେଉଛି କହିବାରେ ଲୁଚି ଯାଏ ନିଜର ପରୋକ୍ଷ ଅହଂ ବଡିମା। ଏକଥା କହି ଅନେକ ଆନନ୍ଦ ପାଆନ୍ତି।
ଦୂରଦେଖଣା ଆସିଲା ପରେ ନିଦ ନିୟନ୍ତା ହେଲେ ନାନାଦି କାର୍ଯ୍ୟକ୍ରମ।
ଖେଳକୁଦ, ବିଦେଶରେ କ୍ରିକେଟ ଇତ୍ୟାଦି ସିଧା ପ୍ରସାରଣ ହେବା ପରେ, ଏହ ପୁନଶ୍ଚ ସଂକୁଚିତ ହେଲା।
ସମାନ୍ତରାଳ ଭାବେ ପିଲାଙ୍କ ଜ୍ଞାନ ଅର୍ଜନର ସମୟବି ବଦଳିଗଲା।
ବ୍ୟାସଦେବ ହୁଅନ୍ତୁ କି ବିବେକାନନ୍ଦ, ରାତିରେ ନିଜକୁ ସେମାନେ ନିଦ୍ରାଙ୍କୁ ସମର୍ପଣ କରୁଥିବେ, ଅବଶ୍ୟ ହୁଏତ ସରସ୍ୱତୀ ସ୍ବପ୍ନ ଦେବୀଙ୍କୁ ଦୂତକରି କେତେ ସୂତ୍ର ଓ ସନ୍ଦେଶ ଦେଉଥିବା ସମ୍ଭବ। କିନ୍ତୁ ଆଧୁନିକ ପିଲାଏ ଦିନ କାଟିବାର ବ୍ୟବସ୍ଥା ଆସିଗଲା ଗୁଲିଖଟିରେ, ସିନେମା, ଦୂରଦେଖଣାରେ ଓ ରାତିରେ ଧୂମପାନ କରି ଅନିଦ୍ରା ରହି ପାଠ ପଢିବାରେ। ଆଉ କିଛି ଦୃଢମନା ଜ୍ଞାନ ପିପାସୁ ଦିନ ରାତି ପଢି ଚାଲିଲେ। କାହାର ଆଇ ଏ ଏସ ହେବାର ଅଛି ତ କାହାର ଆମେରିକା ଟିକେଟ ଦରକାର। ବିଚରା ନିଦ!
ଶୁଭ ସକାଳର ଦୃଶ୍ୟବି ବଦଳି ଚାଲିଲା।
କଟକ ସହର ଅଶି ଦଶକରେ ଭୋର ପାଞ୍ଚଟାରେ ଯେତିକି ଚଞ୍ଚଳ ଥିଲା, ଜନସଂଖ୍ୟା ବଢିବା ସତ୍ତ୍ୱେ ଆଜି ସେତିକି ଚଞ୍ଚଳତା ପାଇବା ପାଇଁ ସକାଳ ସାଢେ ଛଅକୁ ଅପେକ୍ଷା କରୁଛି। ସକାଳ ଆଠଟା ପୂର୍ବରୁ କାହାକୁ ଫୋନ କରିବା ଅସୌଜନ୍ୟତା ହୋଇଗଲାଣି।
ସମସ୍ତଙ୍କର ନିଦ ବି ସମାନ ନୁହେଁ। ଏ ଲେଖକ ତା ସମୂଦାୟ ଶୈଶବ୍ୟ ଓ କିଶୋର କାଳରେ ଖରାବେଳେ ହାତଗଣତି କେତେଦିନ ଶୋଇଥିବ। ଯଦି କେବେ ନିଦ ହେଲା, ସଂଧ୍ୟା ପର୍ଯ୍ୟନ୍ତ ଶୋଇଯାଏ ଓ ଉଠି ପଡିଲେ ସକାଳ ହେବାର ଭ୍ରମରେ ପଡେ।
ମନେ ଅଛି ସାଥି ସୁଜିତ ନାୟକ (ଏବେ ପ୍ରଫେସର ମାନସିକ ବିଭାଗ, ରାଏପୁର) ଦିନେ ଜିଦ୍ କରି କ୍ଲାସରେ ସତକୁ ନିଦ୍ରା ଆବାହନ କରି ପାରିଥିଲା।
ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ରାତିରେ ଯେତେବେଳେ କାମ ସାରିଲେ ବି ପୁଣି ଘଣ୍ଟାଏ ପଢିସାରି ନିଦ୍ରା ଯିବାକୁ ଚେଷ୍ଟା କରନ୍ତି। ଏହା ତାଙ୍କ ମୂଖନିଃସୃତ ବାଣୀ।
ଥରେ ଦେଖିଛି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଘଡେଇ ରାତି ଦୁଇଟାରେ ତାଙ୍କ ଦରବାର ଆରମ୍ଭ କଲେ। ବହୁତ ଲୋକ ଥାଆନ୍ତି। ଶୁଣିଲି ସମସ୍ତଙ୍କ କାମ ସାରିଲେ ସେ ନିଦ୍ରା ଯିବେ।
ଅନେକ ଗବେଷକ ସ୍ବଳ୍ପ ନିଦ୍ରା ଯାଆନ୍ତି।
 ଦିନକୁ ତିନି ଚାରି ଘଣ୍ଟା ଶୋଇ କାମ କରିହେବ, ଅବଶ୍ୟ ସମୟେ ସମୟେ ନିଦ ଟଳମଳ ହୋଇ।

ଦୁନିଆର ଚଳନିର ବେଗ ଦୃତ ହେଲା। କାର୍ଯ୍ୟଭାରା ବିଚଳିତ ମନୁଷ୍ୟ ଉପରେ ଅତ୍ୟାଚାରିତ ରାତି ଓ ନିଦ୍ରା ପ୍ରତିଶୋଧ ନେଉଛନ୍ତି।
ନିଦ୍ରାହୀନତା ପ୍ରମୁଖ ବ୍ୟାଧି ହେଲାଣି। ଅନେକ ବ୍ୟାଧିର ଉପଶମକାରୀ ପ୍ରାକୃତିକ ଔଷଧରୁ ମନୁଷ୍ୟ ବଞ୍ଚିତ। ସେ ନିଜେ ଔଷଧ ନିର୍ଭରଶୀଳ।
 ଏବେ ପୁଣି ବିଜ୍ଞାନ ଆଗେଇଲା। ଆମ ଦିନ ବେଳେ ଆମେରିକା ରାତିକୁ ବିଶ୍ବ ବୁଢ଼ୀଆଣି ଜାଲ(WWW) ଏକାଠି କରିଦେଲା। ଲୋକେ ଶୋଇବା ଭୁଲିଗଲେ। ଅନେକ କାମ କମ୍ପୁଟର କଲା। ଘର ହେଲା ଉଭୟ ଚୋର ଓ ସାଧୁଙ୍କ କାର୍ଯ୍ୟାଳୟ। କମ୍ପୁଟର ହେଲା କାର୍ଯ୍ୟ ଷ୍ଟେସନ। ରାତିହେଲା ପ୍ରକୃଷ୍ଟ ସମୟ। ବ୍ରାହ୍ମ ମୂହୁର୍ତ୍ତର ଶ୍ରେଷ୍ଠତା ନ୍ୟୂନ୍ୟ ହୋଇଗଲା ଅଧିକାଂଶଙ୍କ ପାଇଁ।
ଗତକାଲି ରାତିରେ ଶୋଇଥିଲି ମଧ୍ୟ ରାତ୍ରରେ, ନିଦ ଭାଙ୍ଗିଲା ଭୋର ଚାରି। ଇଛାକୃତ ଭାବେ ପୁଣି ଶୋଇଲି। ଆଶ୍ଚର୍ଯ୍ୟ! ଡିଉଟି ଅଛି ଆଠଟା ବେଳେ ଓ କାହାର ଫୋନରେ ନିଦ ଭାଙ୍ଗିଲା ସେତିକି ବେଳେ। ବୋଧହୁଏ ଗତ ଚାରି ଦଶନ୍ଧିରେ କେବେ ଏମିତି ନିଦ ହୋଇ ନଥିଲା।
ପରୀକ୍ଷା ଆଗ ସଂଧ୍ୟାରେ ହଠାତ କରେଣ୍ଟ ଚାଲିଗଲେ ଦୁଃଖ ବଦଳରେ ଆନନ୍ଦ ଲାଗୁଥିଲା ମୋତେ, ଯେମିତି ବାଧ୍ୟ ବିରାମ ଈଶ୍ବରଙ୍କ ଇଛା। ଆଜି ସେମିତି ଲାଗିଲା, ନିଦଠୁ ବଳି ସାଥି କେହି ନୂହନ୍ତି।
ଏ ଲେଖାଟି ସେ ନିଦ୍ରାର ପ୍ରଗାଢ ଅନୁରକ୍ତି।

No comments:

Post a Comment