Search This Blog

Friday 31 July 2020

ନୀରଞ୍ଜନ ।

ନୀରଞ୍ଜନ ।
ରବିନାରାୟଣ ସେନାପତି ।
ଆଶ୍ଚର୍ଯ୍ୟ, ପ୍ରାଣୀ ବିଜ୍ଞାନୀ ପ୍ରଫେସର ବିଜୟଙ୍କ ଜ୍ଞାନୀ ତଥା ଅଭିଜ୍ଞ ମଗଜକୁ ଏକ ବେଙ୍ଗ କବଳିତ କରିପାରିଲା ! କୌଣସି ଜୀବବିଜ୍ଞାନ ସମ୍ବନ୍ଧୀୟ ଗବେଷଣାର ବିଷୟବସ୍ତୁ ନଥିଲା ବେଙ୍ଗ । ନା ସେ କଳ୍ପନା କରୁଥିଲେ ଗଙ୍ଗଦ‌ତ୍ତ ବା ସମଗୋତ୍ରୀୟ ଅନ୍ୟ ବେଙ୍ଗଙ୍କୁ, ନା ତାଙ୍କ ସରକାରୀ ବାସଭବନ ପାଖରେ ଥିଲା ସାରୁଗଛ, ଯେଉଁଠି ଥିବ ଏକ ଆପେ ବୋଲାଉଥିବା ବେଙ୍ଗରାଜା । ସମୟ, ବର୍ଷାଦିନିଆ ସଂଧ୍ୟା । ବର୍ଷା ଘଡଘଡି ହେଉଛି, ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ତାଙ୍କ ସରକାରୀ ବାସଭବନ ଚାରିକଡେ ଜମିରହିଛି ପାଣି । ନିଃସଙ୍ଗ ବାସଭବନ ମଧ୍ୟରେ ସେ ବି ନିଃସଙ୍ଗ । ରାସ୍ତା ଓ ବାସଭବନ ବାଦଦେଲେ ସବୁଆଡେ ଜଳ । ଏ ବାବଦରେ ତାଙ୍କର ଅଭିଯୋଗ ନଥାଏ । ଇଛାକୃତ ଭାବେ ସେ ଆଲୋକ ଜଳାଇ ନାହାନ୍ତି । କେବଳ ଯାହା ମଶା ଧୂପଟିଏ ତାଙ୍କ ଗୋଡପାଖେ ମିଞ୍ଜିମିଞ୍ଜି ଲାଲ୍ ଦେଖାଯାଉଛି । କୁଆଡେ ଥାଆନ୍ତି ବେଙ୍ଗମାନେ, ଏ ସମୟରେ କେଁ କଟର ଲଗାଇ ଦିଅନ୍ତି? ନିରୀହ ଜୀବ ମାନଙ୍କ ଜୀବନଚକ୍ର ସେ ଜାଣନ୍ତି । ଯେକୌଣସି ଉଚ୍ଚତ୍ତର ଆଲୋଚନାରେ ଏ ବାବଦରେ କିଛିଜଣା ଓ କିଛି ଅଜଣା କଥା ସେ ଅନର୍ଗଳ କହିପାରନ୍ତେ । ଅଥଚ ସେ ଚାହିଁଛନ୍ତି, ଅନ୍ଧକାରରେ ଅଜ୍ଞ ବିଚାରରେ ସେ ଭାବୁକ ହେବେ । କେଉଁଆଡେ ସଂଗୁପ୍ତ ଭାବେ ଏମାନେ ସବୁ ରହନ୍ତି ବାକିକାଳ! ତାଙ୍କ ବିଜ୍ଞାନକୁ କୋଲପ ମାରି ସେ ଭାବି ଚାଲନ୍ତି ।

ପୁଣି ଏକ ବିଜୁଳି, ପୁଣି ଏକ ବଜ୍ର ନିର୍ଘୋଷରେ ବିଚଳିତ ସେମାନେ, ପରସ୍ପରକୁ ଆହ୍ୱାନକରି ଦେଉଥିବା ସମ୍ମିଳିତ ରଡି କ୍ଷଣିକ ପାଇଁ ବନ୍ଦ ରଖି ପୁନଶ୍ଚ ଆରମ୍ଭ କଲେ । ଯେମିତି କହିଲେ, ଯା ଯା ଆମେ କି ବାଇଦ ବଜାଇ ଜାଣିନୁ! ଏ ପରା ରସଘନ ପ୍ରେମର ବାଇଦ । କେଜାଣି କାହିଁକି ବେଙ୍ଗ ମାନଙ୍କ ସହ ଅହଂକାର ଯୋଡି ଦିଅନ୍ତି କବି ଓ ଲେଖକମାନେ । କେତେବେଳେ ସେ ରାଜା ବୋଲାଏ ପୁଣି କେତେବେଳେ ମାଆ ବେଙ୍ଗଟି ଫୁଲି ଫୁଲି ଫାଟିଯାଏ, ପୁଣି କାଳକାଳକୁ ଅପବାଦଟିଏ କୂପମଣ୍ଡୁକ । କିନ୍ତୁ ଅନେକ ବର୍ଷତଳୁ ପରଲୋକଗତା ତାଙ୍କ ଜନନୀ ସେମାନଙ୍କ ପାଇଁ ଥିଲେ କେଡେ ଦରଦୀ । ବାଳକ ବିଜୟଙ୍କୁ ସେ ଶୁଣାଇଥିଲେ;
-ବେଙ୍ଗରାଜାରେ ବେଙ୍ଗରାଜା,
ବାହାଘର ତୋର କେଡେମଜା,
ବଡ ବାଜା ତୋର ଘଡଘଡି,
ଆକାଶେ ଦିଅଇ ଘୋର ରଡି ।

ଠିକ୍ ଆଜି ଯେମିତି ଏଠି ଚାଲିଛି।
ଖାଲି କଣ ଏତିକି? ତାଙ୍କ ମାତା ତାଙ୍କୁ ସବୁବେଳେ ମନେ ହେଉଥିଲେ; ସେନେହକୁ ଏକ ନରମ ଉପାଦାନରେ ପରିଣତ କରି, ତହିଁରୁ ବିଧାତା ଗଢିଥିଲା ତାଙ୍କ ପାଇଁ । ଖାସ ତାଙ୍କ ପାଇଁ । ଖାସ ତାଙ୍କ ପାଇଁ? ନା ସେମିତି କେମିତି ହେବ, ସେ ଥିଲେ ସମସ୍ତଙ୍କ ପାଇଁ କରୁଣାର ମୂର୍ତ୍ତି । ମଣିଷ, ଜୀବଜନ୍ତୁ ଓ ଏପରିକି କୀଟ ପତଙ୍ଗଙ୍କ ପାଇଁ । କେବେ କେବେ ଜନ୍ଦା ପିମ୍ପୁଡିଙ୍କ ଗାତ ମୂଳେ ଟେଳାଏ ଗୁଡ ଥୁଅନ୍ତି ମାଆ । ସେଇଥିପାଇଁ ତ ବେଙ୍ଗ ବାବଦୀୟ ଭାବନାଗ୍ରସ୍ତ ମନରେ ମାଆ ସ୍ମରଣକୁ ଆସୁଛନ୍ତି ବାରମ୍ବାର । କୋଡିଏ ଦିନ କାଳ ମାଆ ଓ ପୁଅ ଜଡିତ ରହିଲେ ବେଙ୍ଗ ସହ । ବିଜୟ ସେ ବେଙ୍ଗର ନାମ ଦେଇଥିଲେ ନୀରଞ୍ଜନ । ହୁଏତ ଗାଁ'ର ଅଲେଖ ନୀରଞ୍ଜନ-ବାବା ପ୍ରାଣବନ୍ଧୁଙ୍କଠୁ ସଂଗ୍ରହ କରିଥିଲେ ଏମନ୍ତ ସୁନ୍ଦର ନାମଟି ।
ବାବା କହିଲେ, -ବାପରେ, ପ୍ରତି ଜୀବନରେ ପ୍ରାଣସତ୍ତା ରହିଛି । ଯାହାକୁ ତୁ ବେଙ୍ଗ ବୋଲି ଦେଖୁଛୁ ସେମିତି କଣ ଗୋଟିଏ ଗଢିପାରିବ ବିପୁଳ ବିଜ୍ଞାନୀ ମଣିଷ? ତାହେଲେ ଏ ଖେଳ କଣ ସ୍ୱୟଂ ନୀରଞ୍ଜନଙ୍କର ନୁହେଁ । ତୁ ତାକୁ ନୀରଞ୍ଜନ ନାମରେ ଡାକ, ତାହାର କିଛି ହାନୀଲାଭ ହେଉ କି ନହେଉ ତୋ ଜୀବନଟି ପ୍ରସ୍ଫୁଟିତ ହେବା ଥୟ । ଖଞ୍ଜଣିର ଝଙ୍କାର ସହ ମହିମା ଦର୍ଶନର ଭଜନଟିଏ ଗାଇଲେ ପ୍ରାଣବନ୍ଧୁ ।
ବାଳକ ବିଜୟ ଦିନେ ତାଙ୍କ ବାଡିର ଦକ୍ଷିଣତମ ଅଂଶରେ ଥିବା ଟୁବି ଗଡିଆ ଯେଉଁଟି ନୀରଞ୍ଜନର ନିଳୟ; ସେହି ପାଖରେ ବସି ମାଛ ମରା ଦେଖୁଥାଏ । ବୈଶାଖ ମାସ ଶେଷ ସପ୍ତାହ । ଧର୍ମମାସ, ଘରେ କେହି ମାଛ ଖାଇବେ ନାହିଁ । ଏପଟେ ପାଣି ଶୁଖିଗଲାଣି ମାଛତକ ନଧରିଲେ ନହୁଏ । ଏଣୁ ମୂଲିଆ ମାନେ ପ୍ରଥମ ଓଳି କାମର ଶେଷଭାଗଟି ଏ ଗଡିଆ ମରା କାମରେ ନିୟୋଜିତ ହୋଇଥାନ୍ତି । ବିଜୟ ଏକ ପାଣିହାଣ୍ଡି ଧରି ବସିଥାଏ । ମାଛଟିଏ ଧରାହେଲେ ଆସି ତହିଁରେ ରଖାଯାଉଥାଏ । ବୈଶାଖ ଶେଷ ପର୍ଯ୍ୟନ୍ତ ସେମାନେ ସେଇଠି ରହିବେ । ବିଜୟ ପଚାରେ, ଏମିତି କେମିତି ହେବ, ଏବେ ଖାଇଲେ ପାପ, ସପ୍ତାହକ ପରେ ଆଉ ପାପ ନାହିଁ? କେହି ତାକୁ ଉତ୍ତର ଦିଅନ୍ତି ନାହିଁ । ହୁଏତ ତା ପ୍ରଶ୍ନ ଉଦ୍ଭଟ ନଚେତ୍ ତା ପ୍ରଶ୍ନର ଉତ୍ତର ବଡମାନଙ୍କ ପାଖରେ ନାହିଁ । ଏଡେଟିକେ ଟୁବି ଗାଡିଆରେ ଏତେ ମାଛ! ମୂଖ୍ୟତଃ କୋଉ ଓ ମାଗୁର ବାକିସବୁ ମାଛ ଅଳ୍ପ କିଛି; ସେଉଳ, ଚେଙ୍ଗ, ଗଡିସ, ବାଲିକିରା । ଚୁନାମାଛ ସାମାନ୍ୟ, ତହିଁରେ ଥାଆନ୍ତି ଚିତ୍ର ବିଚିତ୍ର ଖସିଆ ଓ ଧେଡିରୀ ଜାତୀୟ ମାଛ । ସେମାନେ ବଞ୍‌ଚିବେ ନାହିଁ । ତାଙ୍କଭଳି ପିଲାମାନେ ବୈଶାଖରେ ଖାଇଲେ ଦୋଷ ନାହିଁ । ମୂଲିଆ ମାନେ ବି ଅଳ୍ପେ ସ୍ୱଳ୍ପେ ନେବେ । ଏଣୁ ମତ୍ସ୍ୟାହାର ବନ୍ଦ କଥାଟି କଡାକଡି ନୁହେଁ ।
ବିଜ୍ଞାନୀ ବିଜୟ ନୁହେଁ ବାଳକ ବିଜୟ ଭାବିଚାଲେ ନୀରଞ୍ଜନ କୁଆଡେ ଯାଏ ଏ ପୋଖରୀ ଶୁଖିଲା ପରେ? ପୁଣି ହାଜର ହୋଇଯାଏ ବର୍ଷାଦିନ ଆସିଲେ! ତା ମନରେ ସନ୍ଦେହ ବି ଥାଏ, କେତେବର୍ଷ ହେଲା ନୀରଞ୍ଜନ ନାମ ପାଇଥିବା ବେଙ୍ଗଟି ଗୋଟିଏ ତ! ସେ କେମିତି ଜାଣିବ, ମଣିଷର ଭିନ୍ନ ଭିନ୍ନ ମୁହଁ ଭଳି ବେଙ୍ଗ ମାନଙ୍କ ମୁହଁର ଭିନ୍ନତା ସେ ଜାଣି ପାରୁଥାନ୍ତା ହେଲେ । ସେ ବିଶ୍ୱାସ କରେ ନୀରଞ୍ଜନ ଏକ ଓ ଅଭିନ୍ନ, କାରଣ ପ୍ରତିବର୍ଷ ଠିକ୍ ବିଜୟ ଭଲି ସେ ଆକାରରେ ବଢୁଛି । ବର୍ଷା କାଳରେ ଟୁବି ଗାଡିଆ ଫୁଲିଉଠେ । ତା ସହ ଫୁଲି ଉଠେ ବିଜୟର ମନ । ଖାଲି କଣ ବେଙ୍ଗ; କେତେ କଙ୍କଡା, କଇଁଛ, କୋଚିଆ ତାଙ୍କ ହାଜିରା ପ୍ରଦାନ କରି ଚମକାଇ ଦିଅନ୍ତି ବିଜୟକୁ । ଭେଳା ଭେଳା ହୋଇ ଭାସନ୍ତି ପଣା(ନବଜାତ) ମାନେ । ବେଙ୍ଗ ପଣାଙ୍କ ଗୋଡ ନଥାଏ ମାଛ ପଣାଙ୍କ ପରି । ସେମାନଙ୍କ ଭିନ୍ନତା ସେ ବୁଝି ପାରେ ନାହିଁ । କେବଳ ଏ ଟୁବିରେ ନୁହେଁ, ଗାଆଁରେ ଥିବା ମାଳ ମାଳ ପୋଖରୀରେ ସେହି ଅବସ୍ଥା । ତା ସାଙ୍ଗମାନେ ତ ତା ଭଳି ସାନ, ସେମାନେ ବା କଣ ଜାଣନ୍ତି । ବଡମାନେ ତା ପ୍ରଶ୍ନକୁ ତୁଚ୍ଛ ମନେ କରନ୍ତି । ସେ ଆଜି ଭାବନ୍ତି, ଯଦି ଜୀବବିଜ୍ଞାନୀ ନ ହୋଇଥାନ୍ତେ ଏ ପ୍ରଶ୍ନ ମାନଙ୍କର ଉତ୍ତର ସେ ପାଇ ନଥାନ୍ତେ । ଆଜି ସବୁ ଜାଣି ବି ସେ ସବୁ ଭୁଲିଯିବାକୁ ଚାହାନ୍ତି । ନାନାଦି ଅଜବ ଗଜବ ଚିନ୍ତାଧାରାର ପିଲାଳିଆ ସ୍ୱାଦ ପୁନଶ୍ଚ ଆସ୍ୱାଦନରେ ଆନନ୍ଦ ଅଛି ।
ବେଙ୍ଗମାନେ ବାହାରେ ରଡୁଥିଲେ । ବିଜୟ ପୁଣି ଫେରିଗଲେ ତାଙ୍କ ଟୁବି ଗଡିଆକୁ । ମାଛଧରାଳୀ ମାନେ କଥା ହେଉଥିଲେ, ବାହ୍ମୁଣୀବେଙ୍ଗଟା ଗଲା କୁଆଡେ? ଏତେ ବଡ ହେଲାଣି ପାଖାପାଖି ଅଧକିଲେ ମାଉଁସ ବାହାରିବ । ଚମଡାଟି ବି ଶକ୍ତ ହୋଇଯିବଣି, ବାବା ପ୍ରାଣବନ୍ଧୁ ଅନେକ ଦିନ ହେଲା କହିଲେଣି, ସେ ଏକ ନୂଆ ଖଞ୍ଜଣି କରିଛନ୍ତି ତହିଁରେ ବ୍ରାହ୍ମଣୀ ବେଙ୍ଗ ଚମଡା ପକାଇବାକୁ ଚାହୁଁଛନ୍ତି, ନିନାଦ କୋମଳ ହେବ ।   ବିଜୟ ବଡ ସଙ୍କଟରେ ପଡିଲେ । ଏମାନେ ତାହେଲେ ବେଙ୍ଗ ମାଂସ ଖାଆନ୍ତି । ଆଉ ବାବାଙ୍କ ଆଶା ଏକ ବେଙ୍ଗ ଚମଡା । ହଠାତ୍ ତାଙ୍କ ପିଲାମନ ସଚେତନ ହୋଇଗଲା । ଆଛା ଅଛା, ଏମିତି ତ ଅନେକ ଚମଡାଲଗା ବାଦ୍ୟଯନ୍ତ୍ର ଅଛି । ପୁଣି ମନ୍ଦିର ମଧ୍ୟରେ ବି ଗାନାବଜାଣା ହେଉଛି, ତା’ଠୁ ଅଧିକ ଭାବିବାର ବୟସ ହୋଇନଥିଲା । ଅଳ୍ପ ଦିନ ତଳେ ମାଆ ବୁଝାଇ ଦେଇଥିଲେ, ‘ଚଟୁ ଆମିଷ ବେଣ୍ଟ‌ ନିରାମିଷ’ର ଅର୍ଥ କଣ । ଆଜି ତା ବୁଝିବା ସମ୍ପୂର୍ଣ୍ଣ ହେଲା । ଆରେ ଆରେ, ଏଇ ବାବା ତାକୁ କହିଥିଲେ ନା ସକଳ ଘଟେ ନୀରଞ୍ଜନ ବା ନାରାୟଣ । କିନ୍ତୁ ସେ ଖୋଜନ୍ତି ନୀରଞ୍ଜନର ଚମଡା । ବିଜୟ ଅନାଇଲେ, ପଙ୍କ ସୁଡୁବୁଡୁ ନୀରଞ୍ଜନ ଗୋଟେ ଗାତ ଭଳି ସ୍ଥାନରେ ଅଛି, ଏମିତି ଧ୍ୟାନସ୍ଥ ଯେ ଜଣା ପଡୁନି । ଆଛା, ଏମାନେ ଯଦି ଦେଖିନେବେ, ତାହେଲେ? ତାହେଲେ ସେ କାନ୍ଦିବ, ସେମାନଙ୍କୁ ଆଦୌ ଦେବ ନାହିଁ । ଛଡେଇ ଆଣିବ । କିନ୍ତୁ ଯଦି ମରିଗଲା ଏମିତି ଛଡାଛଡିରେ?
ସେ କହିଲା, ନୀରଞ୍ଜନ କଣ ଆଉ ଅଛି କି ମାମୁଁ, ସେଦିନ ସେ ଗଡିଆ କୂଳେ ବସିଥିଲା, ଏକ ଭୁଣ୍ଡା ଚିଲ ଆସି ଝାମ୍ପି ନେଇଗଲା ନୀରଞ୍ଜନକୁ । ମୁଁ ବା କଣ କରିଥାନ୍ତି, ସେଇ ଚିଲଟା କେତେ କୁକୁଡା ଚିଆଁ ବି ନେଇ ଯାଉନି କି? (ଜଣେ ମାଛଧରାଳୀଙ୍କୁ ସେ ମାମୁଁ ଡାକେ)
ସେମାନେ ଆଉ ବାହ୍ମୁଣୀ ବାବାଦରେ ଉତ୍ସାହ ଦେଖାଇଲେ ନାହିଁ । କିନ୍ତୁ ବିଜୟ ନିଜକୁ ବୁଝାଇଦେଲା, ଚିଲ ଯେମିତି କୁକୁଡା ଚିଆଁ ଖାଉଛି, ସେ ସେମିତି ମାଛ ଖାଉଛି, ବାବା କହିବା ଦିନୁ ସେ ଯେଉଁ ଦ୍ୱନ୍ଦ୍ୱରେ ଥିଲା ତାହା ଦୂର ହୋଇଗଲା । ସେ ମାଛ ଖାଇବ କିନ୍ତୁ ତା ପ୍ରିୟ ନୀରଞ୍ଜନକୁ ବଞ୍ଚାଇବ ନିଶ୍ଚିତ ।
ସେଦିନ ମାଛ ଧରା ପର୍ବ ସରିଲା, ନୀରଞ୍ଜନ ଭାଗ୍ୟବାନ ଥିଲା । ତେବେ ବିଜୟର ସନ୍ଦେହ, ଏମାନେ ତ ସବୁବେଳେ ଏଇଠି କାରବାର କରୁଛନ୍ତି, ତାଙ୍କ ନଜରକୁ ନଆସିବ କେମିତି । ସେ ତା କାରସାଦିରେ ଲାଗିଲା । ଚୁପି ଚୁପି ସେଇଠିକୁ ଗଲା, ନୀରଞ୍ଜନ ଏ ନୀରଞ୍ଜନ ଡାକିଲା । ସେ ଜାଣିଛି, ସେଇଟି କୁକୁର କି ବିଲେଇ ନୁହେଁ ଯେ ଏକ ନାମପ୍ରତି ତାର ଆନୁଗତ୍ୟ ରହିବ । ତଥାପି ସେ ଡାକିଲା, ଏମିତି ଅନେକ ବାର ସେ ଡାକିଛି ଆଗରୁ କିନ୍ତୁ କୌଣସି ଆଭାସ ପାଇନି ବେଙ୍ଗଠାରୁ । ତଥାପି ସେ ଡାକିଲା, ନୀରଞ୍ଜନ ତରକିଲା ନାହିଁ, ହୁଏତ ସେ ଶୁଣୁନି କିମ୍ବା ହୁଏତ ସେ ତଥାପି ତା ଧ୍ୟାନଯୋଗରେ ଅଛି । ସେ କ୍ରମଶଃ ତା ପାଖକୁ ଗଲା, ପଙ୍କ କାଦୁଅ ମଧ୍ୟଦେଇ । ସେ ଜାଣିଥିଲା, ଯଦି ସେ ଡିଆଁଡିଇଁ କରେ ତଥାପି ତାକୁ ଗୋଡାଇ ଧରିପାରିବ ସେ । ଆଗରୁ ଦୁଇଥର ଧରି ଛାଡିଦେଇଛି । ସେ ହଟୁନି, ଆରେ ସେ ଜୀବନରେ ଅଛି କି ନାହିଁ? ନୀରଞ୍ଜନ ତା ପଙ୍କ ଲେପିତ ନିମୀଳିତ ଚକ୍ଷୁ ପରଦାକୁ ଉନ୍ମୁକ୍ତ କଲା ଓ ନିର୍ନିମେଷ ନୟନରେ ଚାହିଁ ରହିଲା । ତା ଢିମା ଢିମା ଆଖି ଯେମିତି ବିଜୟ ସହ ଏକାନ୍ତ ଘନିଷ୍ଠ ।
ଆଜିର ବିଜ୍ଞାନୀ ବିଜୟ ମଧ୍ୟ ଏ କାରବାରଟିର ବ୍ୟାଖ୍ୟା ପାଇନାହାନ୍ତି । ବିଜୟ ହସିଲେ, ସେ ହସଟି ଯେମିତି ଯାଇ ବେଙ୍ଗ ମାନଙ୍କ ରଡିରେ ମିଶିଗଲା, ଯାହାକୁ ସ୍ୱାଗତ କଲେ ସେମାନେ । ବିଜୟଙ୍କ ମନ ପରିବର୍ତ୍ତନ ‌ ହୋଇଗଲା, ଅନ୍ୟଥା ସେ ଭାବୁଥିଲେ ଏ ବେଙ୍ଗ ମାନଙ୍କ ନିନାଦ ତାଙ୍କ ବିଜ୍ଞାନୀ ପଣିଆ ପ୍ରତି ଅଭିଯୋଗ । ପାଠ ପଢିବା ଓ ପଢାଇବା ଅବସରରେ କେତେ ଯେ ନୀରଞ୍ଜନଙ୍କ ଜୀବନ ସେ ନେଇନାହାନ୍ତି । ଟିକିନିଖି କାଟିକୁଟାକି ସେ ପରଖିଛନ୍ତି ଓ ପିଲାମାନଙ୍କୁ ଶିଖାଇଛନ୍ତି, ନିୟନ୍ତାଙ୍କ ଅଙ୍ଗସଜ୍ଜା, ସ୍ନାୟୂ ଓ ମଗଜ ପର୍ଯ୍ୟନ୍ତ । ସେମାନଙ୍କ ପିଠି ଓ ମୁଣ୍ଡର ସଂଯୋଗ ସ୍ଥଲରେ କଣା କରି ବା ପିଥିଂ କରି ସେମାନଙ୍କୁ ମସ୍ତିଷ୍କକୁ ଅକାମି କରି ବଞ୍ଚାଇ ରଖି କିଲିବିଲି କରିଛନ୍ତି ଗବେଷଣା ନାମରେ । ଆଜି ସେମାନେ ବିଦ୍ରୋହ କରିବାରେ ଅସ୍ୱଭାବିକତା କଣ ଅଛି? ବରଂ ସେ ସଂଧ୍ୟା ପରେ ସଂଧ୍ୟା ସେମାନଙ୍କ ଗହଣକୁ ଆଣିଛନ୍ତି । କାଳେ କିଏ ତାଙ୍କୁ ଦେଖିନେବ, ସେ ପାଇଁ ସେ ଅନ୍ଧକାରକୁ ବରଣ କରିଛନ୍ତି ।
ବାବା ପ୍ରାଣବନ୍ଧୁ ତାଙ୍କ ଖଞ୍ଜଣି ପାଇଁ ଚମଡାଟେ ମାତ୍ର ଖୋଜୁଥିଲେ, ସେହି ବାହାନାରେ ଅନ୍ୟମାନେ ଲୋଭେଇଥିଲେ ତା କଅଁଳ ମାଉଁସ ପାଇଁ । ସେମାନଙ୍କ ତୁଳନାରେ ସେ ଅବଶ୍ୟ ଏକ ଅଧିକ ମାର୍ଜିତ କାରଣ ପାଇଥିଲେ ସେମାନଙ୍କୁ ହତ୍ୟା କରିବାରେ; ଗବେଷଣା । ଦୁର୍ବଳ ଓ ନିରୀହ ଉପରେ ସବଳର ଗବେଷଣା । ସେ ଭାବନ୍ତି ସେ ଯଦି ନାଜି ସାମୁଖ୍ୟର ବୈଜ୍ଞାନିକଟିଏ ହୋଇଥାନ୍ତେ ତାହେଲେ କେତେ ମଣିଷଙ୍କୁ ଏମିତି କିଲିବିଲି କରିଥାନ୍ତେ; ଗବେଷଣା ନା!
 ସେ ହସିଲେ । ଭାବିଲେ, ଟୋଡ୍ ପରି ଅପର୍ଛନିଆ ନୁହନ୍ତି ଫ୍ରଗ୍ ମାନେ । ନୀରଞ୍ଜନ ଥିଲା ଖୁବ୍ ଚିକ୍କଣ ରାଣା ଟିଗ୍ରିନା, ଭାରତୀୟ ବୁଲ ଫ୍ରଗ୍‌, ବହୁତ ସୁନ୍ଦର । ସେ ତାକୁ ପ୍ରଥମେ ଦେଖିଥିଲେ ତାକୁ ଧରିବାର ପାଞ୍ଚ‌ ବର୍ଷ ତଳେ, ସେତେବେଳକୁ ସେ ମଜବୁତ୍ । କେଜାଣି କେତେ ବର୍ଷର ହୋଇଥିବ! କେଜାଣି ସେ ଆଉ କେତେବର୍ଷ ଜୀବିତ ରହିବ?
ସେଦିନ ସେ ତାକୁ ଗାଧୋଇ ପାଧୋଇ ଦେଲାପରେ ପ୍ରଥମ କରି ଜାଣୁଥିଲା, ନୀରଞ୍ଜନ ଖୁବ୍ କମନୀୟ । ଠିକ୍ କହୁଥିଲେ ବାବା ପ୍ରାଣବନ୍ଧୁ, ବିଜ୍ଞାନୀ ମଣିଷ କଣ ଏମିତି ଗଢିପାରେ!
ଘରେ କେହି ନଥିଲେ, ମାଆଙ୍କୁ ସବୁକଥା ବଖାଣିଲା ପରେ, ସେ ଖୁସି ହେଲେ । ଭିନ୍ନ ଏକ ହାଣ୍ଡିରେ ତାକୁ ପାଣିରେ ଛାଡି ଏକ ଥାଳି ଘୋଡାଇ ଦେଲେ । ସେ ସଇଠି ରହିଲା, ତା ଖାଇବା ପାଇଁ ଚିଙ୍ଗୁଡି ଶୁଖୁଆ ଦିଆଗଲା । ଘରେ ଅନ୍ୟମାନେ ବି ଏକଥା ଜାଣିଲେ । ମୂଲିଆ ମାନେ ଏଣିକି ତାକୁ ଠକ ବିଜୁ ବୋଲି ଡାକିଲେ ।
ତେବେ କେତେ ଦିନ ତାକୁ ଏମିତି ରଖାଯାଇପାରେ । ଜଣାନାହିଁ ଗାଡିଆ ଶୁଖିଲା ପରେ ସେ କେଉଁଆଡେ ଯାଉଥିଲା! ମାଆ ଯେତେ କହିଲେ ବି ବିଜୟ ତାକୁ ଛାଡିବାକୁ ପ୍ରସ୍ତୁତ ନଥିଲା । କାଳେ ଡେଇଁ ପଳାଇବ, କାଳେ ବିଲେଇ ଖାଇଦେବ; ଭୟରେ ଏକ ଥାଳି ଢାଙ୍କି ତା ଉପରେ ଇଟାଟିଏ ଥୋଉଥିଲା । ସେ ଜାଣେନି, ବାପା କଣ ଭାବୁଥିଲେ । ସେ ଜାଣେ, ବାପା ଯେଉଁଦିନ ମୁହଁ ଖୋଲି ତାଙ୍କ ନିଷ୍ପତ୍ତି ଶୁଣାଇବେ ତାହା ହେବ ଶେଷ କଥା । ହଠାତ କଣ ହେଲା କେଜାଣି, ନୀରଞ୍ଜନ ଆଉ ଚିଙ୍ଗୁଡି ଶୁଖୁଆ ଖାଇଲା ନାହିଁ । ମାଆ ବୁଝାଇଦେଲେ, - ଦେଖେ ଧନମଣି, କଣ ସେ ଭାବୁଛି ଆମେ ଜାଣି ନାହାନ୍ତି, ନଖାଇ ମରିଗଲେ କିଏ ଦାୟୀ ହେବ, ପାପ ଲାଗିବ ନାହିଁ?
ଅଗତ୍ୟା ସେ ଦିନେ ତାକୁ ନେଇ କେହି ନଦେଖିବା ସମୟରେ ଛାଡି ଆସିଲା ଗ୍ରାମର ସବୁଠୁ ବଡ ଓ କେବେ ନଶୁଖୁଥିବା ପୋଖରୀ କୁସୁମାରେ ।
ସେବେଠୁ ମାଆଙ୍କ ଆମିଷ ଖିଆ ବନ୍ଦ ହୋଇଗଲା । ବିଜୟ ବି ବେଶ୍ କେତେଦିନ ନଖାଇ ରହିଲା, ପରେ ଅବଶ୍ୟ ଚଳାଇ ନେଲା ଅନ୍ୟ ମାନଙ୍କ ବାଧ୍ୟରେ, ଯାହା ସେ ଅପେକ୍ଷା କରିଥିଲା ।
ସନ୍ଧ୍ୟା କ୍ରମଶଃ ଗଭୀର ହେଉଥିଲା, ବିଜୟ ଭାବୁଥିଲେ, ଆଜି ରନ୍ଧାରନ୍ଧି କରିବେ ନା ନାହିଁ । ସେ ଭାବୁଥିଲେ ବେଙ୍ଗ ମାନଙ୍କ ଠାରୁ ବିଦାୟ ନେବେ, ସେମାନେ ବି ଶବ୍ଦ ବନ୍ଦ କରି ଦେଇଥିଲେ । ବିଜୟ ମନେ ପକାଇବାକୁ ଚାହୁଁଥିଲେ, ସେ ନିଜେ କାହିଁକି ଓ କେବେଠୁଁ ଆମିଷ ଖାଇବା ବନ୍ଦ କରିଥିଲେ । ବୋଧହୁଏ ବାବା ପ୍ରାଣବନ୍ଧୁଙ୍କ ସେହି ଉକ୍ତି ଅଧିକରୁ ଅଧିକ ତାଙ୍କ ଅନ୍ତରରେ ଶୁଣାଗଲା ।  “ବାପରେ, ପ୍ରତି ଜୀବନରେ ପ୍ରାଣସତ୍ତା‌ ରହିଛି । ଯାହାକୁ ତୁ ବେଙ୍ଗ ବୋଲି ଦେଖୁଛୁ ସେମିତି କଣ ଗୋଟିଏ ଗଢିପାରିବ ବିପୁଳ ବିଜ୍ଞାନୀ ମଣିଷ?...” ସେ ଆଉ ସେଥିରୁ ମୁକୁଳି ପାରିଲେ ନାହିଁ ।
ପୁଣି ସେ ବର୍ଷ ରଜ ପର୍ବ ହେଲା, ତାପରେ ବର୍ଷାଦିନ । ଟୁବି ଗାଡିଆଟି ଉବୁଟୁବୁ ହେଲା । ବିଜୟ ସେ ଆଡକୁ ଯାଉ ନଥାଏ । ନୀରଞ୍ଜନ ବିନା ସେ ଗାଡିଆର କି ମହତ୍‌ତ୍ୱ? ସେହି ମାମୁଁ ଦିନେ ହାତଧରି ଘୋସାରି ନେଲେ ସେ ସ୍ଥାନକୁ, ଆ ବିଜୁ ଦେଖିବୁ ଆ, ତୋ ନୀରଞ୍ଜନ ପୁଣି ହାଜର ।
ଆରେ ସତେ ତ! କହିବା ବାହୁଲ୍ୟ, ନୀରଞ୍ଜନ ଉପରେ ଆକ୍ରମଣର ଆଉ ସମ୍ଭାବନା ନଥିଲା ।
ଚାଷବାସ ଭାଙ୍ଗିଲା, ସେ ପୋଖରୀରୁ ଆଉ ପଙ୍କୋଦ୍ଧାର ହେଲାନାହିଁ । କ୍ରମଶଃ ପୋତି ହୋଇ ପଡିଲା, ଯାହା କିଛି ବାକିଥିଲା, ମାଟିଘର ଭଙ୍ଗା ହେଲାବେଳେ ସେତିକି ବି ପୋତିଦିଆଗଲା । ଆଉ ନୀରଞ୍ଜନ? ବିଜୁ ଜାଣିବାରେ, ସେ ତା ସମୁଦାୟ ଜୀବନ ଜୀଇଁ ସାରିଥିବ, ସେତେବେଳକୁ । ଟୁବି ଗାଡିଆର ମୃତ୍ୟୁ ଓ ବିଜୟଙ୍କ ଶାକାହାରୀ ହେବା ପ୍ରାୟ ଘଟିଥିଲା ଏକ ସମୟରେ, ଅବଶ୍ୟ ତାହା ସଂଯୋଗ ମାତ୍ର ।
ବିଜୟ ଗୃହ ଭିତର ଓ ବାହାର ଆଲୋକିତ କଲେ । ଟିକେ ବାହାରକୁ ଆସିଲେ, ସାମ୍ନାର ଆମ୍ବଗଛ ଆଡକୁ ଚାହିଁଲେ, ମନେହେଲା କଣ ଗୋଟେ ଜୀବ ତାଙ୍କ ଉପସ୍ଥିତିର ସୁରାକ ପାଇ ଗଛକୁ ଝପଟିକି ଚଢିଗଲା, ଓଧ କି ଗୋଧୀ ଜାତୀୟ । ସେ ପୁଣି ହସିଲେ, ଜୀବଟି ପ୍ରାୟ ବେଙ୍ଗମାନଙ୍କୁ ଆହାର କରୁଥିଲା । ଖାଦ୍ୟ ଓ ଖାଦକର ସମ୍ପର୍କରେ ସେ କିଏ ବିଘ୍ନ ସୃଷ୍ଟି କରିବେ ଯେ! ନୀରଞ୍ଜନ ତାଙ୍କ ମନରେ ଆଉ ନଥିଲା । ସେ ସ୍ଥାନ ନେଇଥିଲା ସେହି ଅଚିହ୍ନା ଜୀବଟି, ତାଙ୍କ ପିଲାବେଳର ଆଉ ଏକ କଥା ।         

Monday 27 July 2020

ମଣି।

ତପୋଧନ ବାବୁ କେତେଥର ହସିଲେଣି। ତାଙ୍କର ଆଜି ମନେପଡୁଛି ଇମ୍ରାନ କଥା, ବରଂ ଠିକ୍ କରି କହିଲେ ହେବ ଇମ୍ରାନଠରୁ ହାରିଥିବାର କଥା ତିନୋଟି। ପିଲାବେଳେ ପାଖ ମୁସଲମାନ ଗାଁଆ ତାବିଜପୁରରେ ନୂଆ ମସଜିଦ ହେଲା। ଇମୁ ତାକୁ ନେଇ ଦିଅଁ ନଥିବା ତାଙ୍କର ସେ ଉପାସନା ଗୃହ ମଧ୍ୟର ବୁଲେଇ ଆଣିଲା। ସେ କିନ୍ତୁ ଇମୁକୁ ଦେଖାଇ ପାରିଲା ନାହିଁ ତାଙ୍କ ମନ୍ଦିରମାଳିନୀ ଗାଁ ମଗଧ'ର ଗୋପୀନାଥ, ଜଗନ୍ନାଥ, ମଦନମୋହନ, ମଧୁସୂଦନ, ଅନନ୍ତ ବାସୁଦେବ କିମ୍ବା ଶିବ ମହାଦେବଙ୍କୁ। ଅବଶ୍ୟ ରାସ୍ତା ଉପରୁ ଦେଖାଇଥିଲା; ମଙ୍ଗଳା, ହିଙ୍ଗୁଳା, ବାସୁଳାଈ, ଜାଗୁଳାଈ, ବୁଢିଆଣୀ, ସଞ୍ଜେଈ ଓ ମା ତାରେଣୀଙ୍କୁ। ଏତିକି ସାନ୍ତ୍ବନା। ଯା ଯା ତୁମର ସିନା ଜଣେ ଠାକୁର ଆଲ୍ଲା, ଆମର ଏ ଛୋଟିଆ ଗାଁରେ ଜାଣିଛୁ କେତେ ଠାକୁର, କେତେ ରୂପ କେତେ ସାଜସଜା, କେତେ ପର୍ବ ପର୍ବପର୍ବାଣି। ତୁମର ତ ଦୁଇଟା କି ତିନିଟା ପର୍ବ ମାତ୍ର। ଇମୁ ପ୍ରତ୍ୟୁତ୍ତର ଦେଇଥିଲା, ଠାକୁର ତ ସବୁଠୁ ଶକ୍ତିଶାଳୀ ଓ ସବୁଠୁ ଦୟାବାନ; ସେ କେମିତି ମନାକରିବେ କାହାକୁ ଯିବାକୁ ତାଙ୍କ ନିକଟକୁ। ତପୁକୁ କିଛି ବୁଦ୍ଧି ଦିଶିଲା ନାହିଁ କି ଉତ୍ତର ଦେବ। ଆଜି ଏ ବୟସର ଅପରାହ୍ନରେ ସେ ଏବାବଦରେ ବହୁତ ଯୁକ୍ତି ସଂଗ୍ରହ କରିଛନ୍ତି କିନ୍ତୁ ଆଉ ଏତେ ବର୍ଷ ପରେ ସେକଥା କହିଲେ, ଇମୁ ପାଖରେ ସେ ନ୍ୟୂନ ହୋଇଯିବେ। ବରଂ ସେ ଅତୀତର ଗ୍ଳାନିବୋଧ ସହ ଜୀଇଁବା ସହଜ। ଇମୁ ସହ ଘନିଷ୍ଠତା ଅତୁଟ।

ଦ୍ବିତୀୟ ଥରର କଥାଟି ଭିନ୍ନ।
 ମଗଧରେ ଚହଳ ପଡିଲା, ଗାଁର ବିଶିଷ୍ଟ ସାପୁଆ ଶ୍ରୀ ମହାଦେବ ହନୁମାନ ମନୋହର ସିଂ ବା ମହମ'କୁ ତାବିଜପୁର ବାଲା ଅଟକ ରଖିଛନ୍ତି। ଆଉ କିଏ କହିଲା ବାନ୍ଧି ପକାଇଛନ୍ତି। ପୁଣି ଏଡେ ବହପ, ଗାଁ ମୁଖିଆ ଧନେଶ୍ୱରଙ୍କ ପାଖକୁ ପିଆଦା ପଠାଇ ଡକାଇଛନ୍ତି କି ପାଞ୍ଚଲୋକ ଧରି ଆସ ନିଷାପ ହେବ। ବିରୋଧୀ ମୁଖିଆ ଜୟନ୍ତ ବି ସହଯୋଗର ହାତ ବଢାଇ ଗାଁରେ ହୁରି ପକାଇଛନ୍ତି ଯେ ଠେଙ୍ଗାବାଡି ଧରି ବାହାରି ଆସରେ ମଗଧିଆ ଦଳ, ତାବିଜପୁରିଆଙ୍କୁ ସାବାଡ କରିବା। ଧନେଶ୍ୱର ସମସ୍ତଙ୍କୁ ବୁଝାସୁଝା କଲେ, କଥା ହେଲା ଯେ ପାଞ୍ଚ ଜଣ ମୁରବି ନିରସ୍ତ୍ର ଯିବେ। ତେବେ ସାପୁଆ ସାହିର ଆବାଳବୃଦ୍ଧବନିତାଙ୍କୁ ଅଟକାଇବା ସମ୍ଭବ ନଥିଲା। ଅବଶ୍ୟ ମୁରବି ମାନଙ୍କ କଥା ମାନି ସେମାନେ ବି ଚାଲିଲେ ନିରସ୍ତ୍ର।
ତପୁଭଳି ପିଲାମାନଙ୍କୁ ମଣିଷରେ କିଏ ଗଣେ! ସେମାନେ ଗଲେ କେତେ, ନଗଲେ କେତେ, କିଛି ଦୋଷ ନାହିଁ। ଛୁଟିଦିନ ଥିଲା, ପିଲାଏ ଦୌଡିଲେ କୌତୁହଳ ବଶତଃ।
ତପୁଙ୍କ ସବୁ ମନେ ଅଛି। ତାବିଜପୁର ଲୋକେ ମହମ'କୁ ଇମୁ ଘର ଏକ ବିଲାତି କଇଁଆ ଗଛରେ ବାନ୍ଧି ଦେଇଥିଲେ। ତପୁ ରକ୍ତ ଟକମକ ହେଲା। ଇମୁ ବାହାରକୁ ଆସି ମୁହଁ ଦେଖାଇ ଟିକେ ମୁରୁକି ହସି ଫେରିଗଲା ଘର ଭିତରକୁ। ତପୁ ଲାଜ ଓ କ୍ରୋଧରେ ଲାଲ୍ ପଡିଗଲା।
ମହମକୁ ଏ ପରିସ୍ଥିତିରେ ଦେଖି ଧନେଶ୍ୱର ଗମ୍ଭୀର ଦେଖାଗଲେ ଓ ନିଜେ ଗଲେ ମହମକୁ ବନ୍ଧନ ମୁକ୍ତ କରିବାକୁ। ଅଗତ୍ୟା ଇମୁର ଆବାଜାନ୍ ଦୌଡି ଆସି ଫିଟାଇଦେଲେ। ଜୟନ୍ତ ଓ ଅନ୍ୟ ମୁରବି ମାନେ ଭୀଷଣ କ୍ଷୁବ୍ଧ ଦିଶୁଥାନ୍ତି। ସିଂ ସାହି ଲୋକଙ୍କ ହାତ ମୁଠା ମୁଠା ହୋଇ ଯାଉଥାଏ, ଅଣ୍ଟାର ଗାମୁଛାକୁ ଭିଡି ଦେଉଥାନ୍ତି। ସିଂ ସାହି ମାଇପେ ସଭାଠୁ ଦୂରରେ ଥାଇ ମହମର ଭାରିଜାକୁ ତୁନି କରୁଥାନ୍ତି। ତାଙ୍କ ପିଲାଏ ଆମ ପାଖରେ ଆକାବାକା ଠିଆ ହୋଇଥାନ୍ତି।
ଘଟଣା କେହିଜଣେ ବର୍ଣ୍ଣନା କଲେ।
 ମହମ ତା'ର ଡମ୍ବରୁ ପିଟି ଇମୁ ଘର ସମ୍ମୁଖରେ ଖେଳ ଦେଖାଉ ଦେଖାଉ ହଠାତ୍ କହିଲା, ଇମୁଘରେ ସାପ ଅଛି, ସେ ତା'ର ସୁ ସୁ ଗର୍ଜନ ଶୁଣି ପାରୁଛି ତା ସାପୁଆ କାନରେ, ସେ ପଦ ଡାକିଲେ ସାପ ବାହାରିବ। ସାହିଲୋକେ ରୁଣ୍ଡ ହେଲେ, ଇମୁଘର ଲୋକେ ଅନୁମତି ଦେଲାପରେ ମହମ ଗାରେଡି ଗାଇଲା।
କଂସର ଘରଣୀ ପଦ୍ମାବତୀ ରାଣୀ, ସେ କଲା ଧନତିରି ଓଷା।
ଲକ୍ଷେଭାର ପଦ୍ମ ଦେବୁରେ କହ୍ନାଇ, ନଥିବ ପାଖୁଡା ମିଶା। ଭାଲେ, ରାମ କି ଗୋବିନ୍ଦ ଭାଲେ ଭାଲେ.......
ସତକୁ ସତ ପ୍ରକାଣ୍ଡ ଏକ ସାପ କିଛି ସମୟ ପରେ ଦୃଶ୍ୟମାନ ହେଲା।
ଏହି ସମୟରେ ଘରପାଖ ବିଲରେ କାମ କରୁଥିବା ମୂଲିଆଟିଏ ଆସି ସାକ୍ଷୀ ପ୍ରମାଣ ଦେଲା ଯେ ମହମ ନିଜେ ଏ ସାପଟି ତାଙ୍କ ଘର ପଶ୍ଚିମ ପାଖରୁ ପ୍ରେରଣ କରିଛି, ଏହା ତାର ପାଳିତ ସାପ। ସେଇଠୁ ଚାଲିଛି ଏ ପାଲା।

ଧନେଶ୍ୱର, ମହମ'କୁ ନିଜ ପକ୍ଷ ରଖିବାକୁ କହିଲେ।
ମହମ ନିଜର ଦୋଷ ସ୍ବୀକାର କରିବା ପୂର୍ବକ କହିଲା ଯେ ତା ଅପେକ୍ଷା ଅଧିକ ଦୋଷ କରିଛନ୍ତି ସେମାନେ। ତା ମଣିକୁ ସେମାନେ ପିଟିପିଟି ମାରି ଦେଇଛନ୍ତି। ମଣି ଏମିତି ସେମିତି ସାପନୁହେଁ, ଏହା ମଣିନାଗ।

"କଣ ହେଲା, ଏମିତି କଣ କହୁଛୁ, ତୁ ଦେଖିଛୁ?" ତାଙ୍କ ଲୋକ ପଚାରିଲେ।
"ଦେଖିବି କଣ ଆଜ୍ଞା, ମଣି ଏ ଆଖପାଖରେ ଜୀବିତ ବୁଲିଲେ ମୁଁ ଛାଆଁକୁ ଜାଣି ପାରିବି। ସେ ନାହିଁ। ନାହିଁ ମାନେ ସେ ମୃତ। ମୃତ ମାନେ, ତାକୁ ପିଟିଦେଲେ। ଏମାନଙ୍କ କୋଳାହଳରେ ସେ ଛାନିଆ ହୋଇ ପୁଣିଥରେ ଲୁଚିବାକୁ ଚେଷ୍ଟା କଲା। ବାବୁଙ୍କ ଘର ଭିତରକୁ ଚାଲିଗଲା। ତାପରେ ସେ ନାହିଁ। ବିଶ୍ୱାସ କରନ୍ତୁ, ଶ୍ରୀ ମହାଦେବ ହନୁମାନ ମନୋହର ସିଂ ଯାହା କହୁଛି ସତ।"
"ସାପ କେଉଁ ଆଡେଗଲା କିଏ କହିପାରିବ, କେଉଁଠି ଗାତରେ ପଶିଥିବ। ଡାକୁନୁ ପଦ ସେ ପଳାଇ ଆସିବ।" ଏମିତି କହିଲେ ଜଣେ।
ମୁରବି ମାନେ ମଧ୍ୟ ମହମକୁ ସେଇ ପରାମର୍ଶ ଦେଲେ।
ମହମ କିନ୍ତୁ ଆଦୌ ସେମିତି କଲାନାହିଁ। ସେ କହିଲା, ସାପ ତ ନାହିଁ ଅଯଥା ପଦ ଡାକିଲେ ତା ପଦ ସବୁଦିନ ପାଇଁ ଦୁର୍ବଳ ହୋଇଯିବ।
ମୋଟ ଉପରେ, ଇମୁ ଘର ଅଭିଯୋଗ ମହମ ମାନିନେଲା ଓ ମଗଧର ନାମ ପକାଇଥିବାରୁ ମୁରବି ମାନଙ୍କୁ କ୍ଷମା ମାଗିଲା। କୌଣସି ଉପାୟରେ ତାକୁ କେହି ମନେଇ ପାରିଲେ ନାହିଁ କି ଇମୁର ଆବାଜାନ୍ ବା ତାବିଜପୁରିଆଙ୍କୁ କ୍ଷମା ମାଗିବାକୁ। ସେ କହିଲା, ତାକୁ ପୋଲିସରେ ଦିଅନ୍ତୁ, ତା ନାଁରେ ମକଦ୍ଦମା କରନ୍ତୁ ବା ଯାହାକିଛି କରନ୍ତୁ ସେ ଭୋଗିବାକୁ ପ୍ରସ୍ତୁତ କିନ୍ତୁ ମଣିକୁ ସେମାନେ ମାରି ଦେଇଥିବା କଥା ସମସ୍ତେ ଜାଣନ୍ତୁ।
ମହମକୁ ବୁଝାସୁଝା କରି ଗାଁକୁ ଅଣାଗଲା। ମୁରବି ମାନେ ଲଜ୍ଜିତ ଅନୁଭବ କଲେ। ମହମର ଅଭିଯୋଗକୁ ମିଥ୍ୟା ବୋଲି ଭାବୁ ନଥିଲେ ସେମାନେ।
ତପୁ ବି ସେମିତି ଭାବୁଥିଲା। ନଭାବିବ କେମିତି? ଆଛା ଯଦି ସତରେ ସେମାନେ ମଣିକୁ ମାରି ନଥାନ୍ତେ ଓ ମଣି ସେଇଠି କେଉଁଠି ଛପିଥାନ୍ତା, ତାହେଲେ ସେମାନେ କଣ ବ୍ୟସ୍ତ ବିବ୍ରତ ହୋଇନଥାନ୍ତେ? ଅନ୍ୟ ସାପୁଆଙ୍କୁ ଡାକି ମଣିକୁ ଉଦ୍ଧାର କରିବାକୁ ଚେଷ୍ଟା କରିନଥାନ୍ତେ। ବଡ ମାନଙ୍କ ମଗଜରେ ଏତିକି ସାଧାରଣ କଥା ପଶୁ ନାହିଁ!
ତପୁ ମନଟା କଣ ନା କଣ ହୋଇଗଲା। ମଣି ଭଳି ମୂଲ୍ୟବାନ ସର୍ପକୁ ମାରିଦେଇ ପାରନ୍ତି ଇମୁଘର ଲୋକେ! ସେ ଛାଡିବ ନାହିଁ, ଇମୁଠୁ କଥା ଆଦାୟ କରିବ, ତାକୁ ସାକୁଲେଇ ହେଉ କି ଧମକାଇକି ହେଉ। ମଣି ସାଧାରଣ ନୁହେଁ, ତପୁ ଓ ଅନ୍ୟପିଲାଙ୍କ ଏମିତି ଧାରଣା ଥିଲା।

ପିଲାଏ ପ୍ରଥମତଃ ଗର୍ବ କରୁଥିଲେ ଯେ ଏ ଆଖପାଖରେ କେବଳ ତାଙ୍କ ଗାଁରେ ଅଛନ୍ତି ସାପୁଆ। ସଂସାରରେ ସବୁପିଲାଏ ସାପୁଆ ମାନଙ୍କ ସାପଖେଳ ଦେଖି ଖୁସିହୁଅନ୍ତି କିନ୍ତୁ ମଗଧିଆ ପିଲେ ଦେଖନ୍ତି ସାପକୁ କେମିତି ଖୁଆଯାଏ, କେମିତି ତାଙ୍କର ବିଷ ଦାନ୍ତ ଝଡାଯାଏ, କେମିତି ଗରଳ ସଂଗ୍ରହ କରି ସେମାନେ ଶିଶିରେ ରଖନ୍ତି ବିକ୍ରି ପାଇଁ, କେମିତି ସାପ କାତି ଛାଡନ୍ତି ଓ କେମିତି ଚିହ୍ନିବ ମାଈ ସାପ ଓ ଅଣ୍ଡିରା ସାପ। ସେପାଇଁ ତପୁ ଓ ସାଙ୍ଗମାନେ ମଝିରେ ମଝିରେ ତାଙ୍କ ସାହିକୁ ଯାଆନ୍ତି। ବେଳେ ବେଳେ ମହମ ମହାଦେବଙ୍କ ପ୍ରସାଦ ଗଞ୍ଜେଇ ସେବନ କରେ, ହନୁମାନ ଚାଳିଶା ଗାଇ ସାପ ଖେଳାଏ ବିଶେଷ ଶୈଳୀରେ, ପୁଣି ପିଲାଙ୍କୁ କହେ ଅତି ମନୋହର କଥା। ଭିନ୍ନ ଭିନ୍ନ ସାପଙ୍କୁ ପେଡିରୁ ବାହାର କରି ଚିହ୍ନାଇ ଦିଏ ସେମାନଙ୍କ ପ୍ରଜାତି। ସେମାନଙ୍କ ନାମ ଦେଇଥାଏ।
ମଣିର ବିଶେଷତ୍ୱ ମହମ ବୁଝାଏ।
-ଏହା ମଣିନାଗ,  ଯଦି ଘାସ ଉପରେ ଚାଲିଯିବ,ତା ବିଷର ପ୍ରଭବରେ ଘାସ ପୋଡି କଳା ହୋଇଯିବ। ତା ମସ୍ତକରେ ମଣି ଅଛି। ତେବେ ତାହା ପାକଳ ହେବାକୁ ନିଏ ସାପର ସମୁଦାୟ ଆୟୁଷ, ପ୍ରାୟ କୋଡିଏ ବର୍ଷ। ମଣିର ବୟସ ମାତ୍ର ଦୁଇ। ଏଇଟିକୁ ଧରିଥିଲି ସାତକୋଶିଆ ଜଙ୍ଗଲରୁ। ଧରିବି କଣ, ମଣିନାଗ ଧରିବା ସମ୍ଭବ ନୁହେଁ, ସେମାନେ ଦୟା ପରବଶ ହୋଇ ଧରା ଦିଅନ୍ତି ସୌଭାଗ୍ୟବାନ କ୍ବଚିତ୍ ସାପୁଆଙ୍କୁ। ମହାଦେବ କେବଳ ମଣିନାଗ ଗୁଡାଇ ହୁଅନ୍ତି, ହା ହା ଶ୍ରୀ ମହାଦେବ ହନୁମାନ ମନୋହର ସିଂ, ହା ହା ତୁ କେଡେ ଭାଗ୍ୟବାନ, ତୋ ବେକରେ ବି ଝୁଲିପାରେ ମଣିନାଗ। ମଣିକୁ ଅଣ୍ଡା ଖୁଆଉ ଖୁଆଉ ଏକଥା କହିଲା ମହମ।
 ପିଲାଏ ତାକୁ ପଚାରିଲୁ, ମଣିନାଗର ମଣିର ମୂଲ୍ୟ କେତେ?
-କେତେ ମାନେ, ଦେଖୁଛ ତ ସେ ବଡ ଆମ୍ବ ଗଛକୁ, ଗଣି ପାରିବ ତାର ପତ୍ର? ସମୁଦାୟ ମଗଧରେ ଯେତିକି ଟଙ୍କା ଅଛି ତା ଅପେକ୍ଷା ଅଧିକ ପତର ଏ ଗଛରେ ଆଉ ଏ ଗଛରେ ଯେତିକି ପତର, ତା ଅପେକ୍ଷା ଅଧିକ ଟଙ୍କା ଏକ ମଣି।
ପିଲାଏ ବୁଝିଲେ, କୋଡିଏ ବର୍ଷ ପରେ ମହମ ହେବ ଏ ଗାଁ କ'ଣ, ଏ ରାଇଜର ସବୁଠୁ ବଡ ଧନୀକ। ହୁଏତ ମଗଧରେ ଗଢିବ ବଡ ବଡ କାରଖାନା। ସେବେଠୁ ତପୁ ଓ ତା ସାଙ୍ଗ ମାନେ ଅନୁଭବ କରନ୍ତି, ମହମ ସାଧାରଣ ମଣିଷ ନୁହେଁ, ଜଣେ ଭବିଷ୍ୟତର ସମ୍ମାନିତ ବ୍ୟକ୍ତି, ମଗଧର ଭବିଷ୍ୟତ ଭାଗ୍ୟବିଧାତା।
ତାକୁ ପୁଣି ଇମୁ ଗାଁର ଲୋକେ ବାନ୍ଧିବେ? ତପୁ କାନ୍ଦ କାନ୍ଦ ହୋଇପଡିଲା ଯେବେ ଭାବିଲା ମଣି ଚାଲିଗଲାନି ଯେ ମଗଧର ଭବିଷ୍ୟତ ଖିନଭିନ୍ ହୋଇଗଲା।
ପିଲାବେଳେ ତପୁ ସିନା ସେମିତି ଭାବୁଥିଲା, ଟିକେ ବୟସ ବଢିଲା ପରେ ସେ ବୁଝିଲା, ମହମର କଥା ଡାହା ବାହାସ୍ଫୋଟ। ସତରେ କଣ ମଣିନାଗ ଥାଏ? ତା ମଣି ଏତେ ମୂଲ୍ୟବାନ! ତା ଗରଳ ଏତେ ଭୟଙ୍କର!
ତେବେ ଦ୍ବନ୍ଦାତ୍ମକ ଭାବନାରୁ ଯେଉଁଟି ନିଜ ଅହଂର ପରିପନ୍ଥୀ ତାହା ଏଡେଇଯାଏ ମଣିଷ। ତପୁ ସେପାଇଁ ମହମର ବାହାପିଆ କଥାକୁ ସତ ମଣିନିଏ। ଯାହା ହେଲେ ବି ଇମୁଘର ଏତାଦୃଶ ଆଚରଣକୁ ତପୁ ଖୁବ୍ ଘୃଣା କରୁଥିଲା।9
ସେଦିନ ସଂଧ୍ୟାବେଳେ ସାପୁଆ ସାହି ଲୋକେ ହୁରି ପକାଇଲେ, ମହମ ପାଗଳ ହୋଇଯାଇଛି। ପୁଳାଏ ଗଞ୍ଜେଇ ଭିଡି ଉନ୍ମାଦ ପ୍ରାୟ ଆଚରଣ କରୁଛି। କେତେବେଳେ କହୁଛି, "ମୋ ମଣିକୁ ମାରିଦେଲେ, ପୁଣି କେତେବେଳେ କହୁଛି ମହାଦେବଙ୍କ ଦୟାରୁ ଆସିଥିଲା, ମହାଦବ ସହି ପାରିଲେ ନାହିଁ ତା'ର ଠକାମି, ତାକୁ ବାହୁଡାଇ ନେଲେ। ଧିକ୍ ତା ଜୀବନ। ମୁଁ କିନ୍ତୁ ଛାଡିବି ନାହିଁ, କେଶ୍ କରିବି। ଥାନାକୁ ଯିବି।"
ତାଙ୍କ ସାହିଲୋକ ଅଟକାଇବାରୁ ତରୱଲ୍ ଧରି ଗୋଡାଉଛି।
ସମସ୍ତେ ପହଞ୍ଚିଲେ, ତାକୁ ବୁଝାଇ ବୁଝାଇ ଥକ୍କିଲେ କିନ୍ତୁ ତା'ର ଏକା ଜିଦ୍ ସେ ଥାନାକୁ ଯିବ।
ଶେଷରେ ସେଇଆ ହିଁ ହେଲା। ସେ ନିଜ ବିରୁଦ୍ଧରେ ଯାଇ ଥାନାରେ କହିଲା କି ସେ ଚାରିଶହକୋଡିଏ ଧାରାରେ ଦୋଷୀ କିନ୍ତୁ ସେମାନେ ମୋ ସମ୍ପତ୍ତି ନଷ୍ଟ କରିଛନ୍ତି,  ମୋ ପୋଷା ମଣିକୁ ମାରିଛନ୍ତି। ସେମାନେ ବି ଦଣ୍ଡ ପାଇବା ଜରୁରୀ। ସେ ସମୟରେ ପ୍ରାଣୀ ସୁରକ୍ଷା ଓ ଅଧିକାର ବାବଦରେ ସଚେତନତା ନଥାଏ। ସାପ ପାଳିବା ଉପରେ ଆଇନ କଣ ଥିଲା କେଜାଣି କିନ୍ତୁ କଟକଣା ନଥାଏ। ଥାନାବାବୁ ଘଟଣାକୁ ହସ ମଜାରେ ଉଡାଇ ଦେଲେ। ମହମ ବିଫଳ ମନୋରଥରେ ଫେରି ଆସିଲା କିନ୍ତୁ ମଣିକୁ ଭୁଲି ପାରିଲା ନାହିଁ।

ତପୁ ପଚାରିଲା ଇମୁକୁ। ତା'ଠୁ ସଠିକ କିଛି ଉତ୍ତର ମିଳିଲା ନାହିଁ। ସେ କୁଆଡେ ସେ ସମୟରେ ଘରେ ନଥିଲା। ସେ ଆସିଲା ବେଳକୁ ବନ୍ଧା ହୋଇସାରିଥିଲା ମହମ। ସେ ବି ସନ୍ଦେହ ଘେରରେ ରହିଥିଲା। ସାପଟି ସେଇଠି ଥିଲେ ତ ତାଙ୍କ ଘରେ ଡରିଥାନ୍ତେ। କିନ୍ତୁ ସାପକୁ ଏତେଶୀଘ୍ର କେହି ମାରି ଲୁଚାଇଦେଲେ କେମିତି। ଇମୁ ମଧ୍ୟ ସନ୍ଦେହ କରୁଥିଲା, ମହମର ଠକାମିରେ ଅସନ୍ତୁଷ୍ଟ ହୋଇ ମଣିନାଗ ଅନ୍ତର୍ଦ୍ଧାନ ହୋଇଗଲେ, ମହାଦେବଙ୍କ ପ୍ରିୟ ଜୀବ ଯେହେତୁ। ଏ ଦ୍ବିତୀୟ ବାର ବି ତପୋଧନଙ୍କ ଭାବନ୍ତି କି ତପୁ ହାରି ଯାଇଛି ଇମୁ ନିକଟରୁ।
କ୍ରମଶଃ ଏ ଘଟଣା ଅନେକ ଲୋକ ଭୁଲିଗଲେ। ତେବେ ମହମ ସବୁଦିନ ପାଇଁ ଝୁରିହେଲା ମଣିକୁ। ସେ ବାହାସ୍ଫୋଟରେ ନୁହେଁ, ସତରେ ଭାବୁଥିଲା ତା ବିଶାଳ ସମ୍ପତ୍ତି ଅପହୃତ। ଏଣିକି ସେ ଆଡପାଗଳ ଭଳି ଜୀବନ ନିର୍ବାହ କଲା।
ଓକିଲାତି ପଢୁଥିବା ବାବୁଲି ଭାଇ ସହାୟତାରେ ଜଣେ ଓକିଲ ସହ କଥା ହେଲେ ସେମାନେ। କୋର୍ଟରେ ଏକ ଅଭିଯୋଗ ମାମଲା ଦାୟର ହେଲା। କିନ୍ତୁ କଚେରୀରେ ବି ଏ ମାମଲାକୁ କୌଣସି ଗୁରୁତ୍ୱ ଦେଲେନାହିଁ।
କ୍ରମେ ସମୁଦାୟ ଘଟଣାଟି ସମସ୍ତଙ୍କ ପାଇଁ ଗୁରୁତ୍ୱ ହରାଇଲା।
ଏହା ମଧ୍ୟରେ ଅନେକ ବର୍ଷ ବିତିଯାଇଛି। ସାପ ପାଳିବା ମଧ୍ୟ ବେଆଇନ ଘୋଷଣା ହୋଇଛି। ଆଂଶିକ ସନ୍ତୁଳିତ ମାନସିକ ଅବସ୍ଥା ଫେରି ପାଇଛନ୍ତି  ଶ୍ରୀ ମହାଦେବ ହନୁମାନ ମନୋହର ସିଂ। ଉଭୟ ସ୍ବାମୀ ସ୍ତ୍ରୀ ଯେନତେନ ପ୍ରକାରେଣ କାମଧନ୍ଦା କରି ଗୁଜୁରାଣ ମେଣ୍ଟାନ୍ତି। ଝିଅ ତାଙ୍କର ପାଠଶାଠ ପଢି ମହିଳା ସ୍ବାସ୍ଥ୍ୟକର୍ମୀ ଚାକିରି ପାଆନ୍ତି। ତାଙ୍କ ସ୍ବାମୀ ମହାଶୟ ଏକ ପ୍ରାଣୀ ସୁରକ୍ଷା ସଂଗଠନ ସହ ଜଡ଼ିତ। ସମସ୍ତ ଘଟଣା ଶୁଣି ସେ ନିଜ ସଂଗଠନର ଜୋର୍ ଲଗାଇଦିଅନ୍ତି ଏ ବିସ୍ମୃତ ମାମଲାଟିକୁ ଜୀବନ୍ୟାସ ଦେବାକୁ। ତାଙ୍କ ସଂଗଠନର ଓକିଲ ଲଢନ୍ତି ମହମଙ୍କ ପାଇଁ। ସେପଟେ ଇମୁ ଏହା ମଧ୍ୟରେ ଜଣେ ନାମକରା ଓକିଲ।  ବେଶ୍ କିଛି ଜବାବ ସୁଆଲ ହୁଏ। ଓକିଲ ଯେତେ ବୁଝାଇଲେ ବି ମହମଙ୍କ ପାଟିରୁ ମିଛ ବାହାରି ପାରିଲା ନାହିଁ। ସାପକୁ ପିଟି ମାରିବା ସେ ଦେଖିନାହାନ୍ତି କିନ୍ତୁ ତାଙ୍କ ଅନୁମାନ ନିର୍ଭୁଲ।
 ଇମୁ ଯୁକ୍ତି କଲେ, ଅନୁମାନ ଉପରେ ଭରସା ରଖି ଆଇନ ଚାଲି ପାରେନା। ସେ କିନ୍ତୁ ମହମଙ୍କ ଠକାମି ବାବଦରେ କୌଣସି ଗୁରୁତ୍ୱ ଦେଇ ନଥିଲେ। ପରିଣାମ ଆଶାନୁରୂପ ଭାବେ ମହମଙ୍କ ବିରୁଦ୍ଧରେ ଗଲା ଯଦିଓ ତାଙ୍କ ଠକାମି ପାଇଁ ଦଣ୍ଡ ମିଳିଲା ନାହିଁ। ତପୋଧନଙ୍କୁ ମନେହେଲା, ସେ ତୃତୀୟ ବାର ହାରିଛନ୍ତି ଇମ୍ରାନ ପାଖରୁ।
ଏହା ମଧ୍ୟରେ ଝିଅଜ୍ବାଇଁ ମହମଙ୍କୁ ନେଇ ମାନସିକ ବିଭାଗରେ ପରାମର୍ଶ କରିଛନ୍ତି। କ୍ରମେ ଚିକିତ୍ସାରେ ରହି ମହମ ତାଙ୍କ ବଦ୍ଧମୂଳ ଧାରଣାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍ବଭାବିକ ଭାବେ ଚଳୁଛନ୍ତି ସେ। ଡାକ୍ତରଙ୍କ ପରାମର୍ଶରେ ଗଞ୍ଜେଇ ପରିତ୍ୟାଗ କରିଛନ୍ତି।

ହଠାତ୍ ଇମୁ ଫୋନ କରିଛନ୍ତି ତପୁଙ୍କୁ। କୋର୍ଟର ରାୟ ଯାହା ହେଉନା କାହିଁକି, ସତ୍ୟ ଯାହା ହେଉ ପଛେ, ସେ ଏକ ଆପୋଷ ମିଳାମିଶା କରିବାକୁ ଚାହୁଁଛନ୍ତି ମହମଙ୍କ ପରିବାର ସହ।
ତପୁଙ୍କ ବୈଠକ ଘରେ ଏ ଆୟୋଜନଟି ହୋଇଛି। ଇମୁ ନିଜର ଦୁଃଖ ପ୍ରକାଶ କରି କହିଛି କି ସତ୍ୟ ହେଲା ମଣି ଏକ ଗାତରେ ପଶିଯିବା ଦେଖି ତାଙ୍କ ଘରଲୋକେ ସେ ଗାତ ଉପରେ ଏକ ବଡ ମାଙ୍କଡା ପଥର ଦବାଇ ଦେଇଥିଲେ। ପରେ ଭିନ୍ନ ଗ୍ରାମରୁ ଆସିଥିବା ସାପୁଆ ପଥର ବାହାର କରି ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ନିରାଶ ହେଲେ ଓ କହିଲେ ସମ୍ଭବତଃ ମଣି କୌଣସି ଭିନ୍ନ ରାସ୍ତା ପାଇ ବାହାରି ଗଲା କିମ୍ବା ଅନ୍ତର୍ଦ୍ଧାନ ହୋଇଗଲା। ସେ ଦୃଢଭାବେ କହିଲେ କି ମଣିର ମୃତ୍ୟୁ ହୋଇନାହିଁ। ତେବେ ଜଣେ ଓକିଲ ହିସାବରେ ସେ ନିଜ ପରିବାରର ଆଚରଣ ପାଇଁ ଅନୁତପ୍ତ। ମହମଙ୍କୁ ବାନ୍ଧିବା ଏକ ଅନୁଚିତ କାମ ଥିଲା। ଯେଉଁମାନେ ସେକାମ କରିଥିଲେ ସେମାନେ ସମସ୍ତେ ଆରପାରିକୁ ଗଲେଣି। ସେ କେବଳ ଏତିକି କହିବାକୁ ଚାହେଁ କି ମହମ ତାଙ୍କ ମନରୁ ସମସ୍ତ କଥା ପରିତ୍ୟାଗ କରି ଦିଅନ୍ତୁ ଓ ଇମ୍ରାନଙ୍କ ବାବଦରେ କୌଣସି ଦୁର୍ଭାବନା ନରଖନ୍ତୁ। ମଣିକୁ ଆଉ ଫେରାଇ ଆଣିବା ସମ୍ଭବ ନୁହେଁ କିନ୍ତୁ ସାଙ୍କେତିକ ପ୍ରାୟଶ୍ଚିତ ହିସାଵରେ ସେ  ଉପଯୁକ୍ତ ମୂଲ୍ୟ ଦେବାକୁ  ପ୍ରସ୍ତୁତ।
ହଠାତ ମହମଙ୍କ ମୁହଁରେ ହସଟିଏ ଖେଳିଗଲା। ସେ କହିଲେ କି ଏକ ତମ୍ଵାର ନାଗ ତିଆରି କରିଛନ୍ତି ମହାଦେବଙ୍କ ଉପରେ ଚଢେଇବା ପାଇଁ, ଇମୁ ଚାହିଁଲେ ଅଉ ଏକ ଚାନ୍ଦିର ନାଗ ହୋଇ ପାରନ୍ତା ଯାହା ହୁଅନ୍ତା ମଣିର ପ୍ରତିନିଧି।
ଅଚିରେ ତାହା ହିଁ ହେଲା। ଏବେ ଯେଉଁ ତମ୍ବା ଓ ରୂପାର ନାଗ ଦୁଇଟି ମଗଧର ଶିବ ମନ୍ଦିରରେ ଶୋଭା ପାଉଛନ୍ତି, ଏମିତି ତାହାର ପଟ୍ଟଭୂମି। ମହମ ଏବେ ଇମୁଙ୍କୁ ଖୁବ୍ ସ୍ନେହ ଦିଅନ୍ତି ଓ ସେହି କ୍ରମରେ ତପୁଙ୍କୁ ବି।
ଆଉ ହାରଜିତ ରହିଲା କେଉଁଠି?

Friday 24 July 2020

ଜଲୁ।

ଜଲୁ।
ରବିନାରାୟଣ ସେନାପତି, ତୁଳତୀ।

ପୁରୁଣା ଚାଳଘର ଆଉ ନାହିଁ। ଜାଉଁଳି ଖଞ୍ଜାର ଯେଉଁ ଅଂଶ ଆଜବେଷ୍ଟସ ଘରକୁ ବଦଳି ଯାଇଛି, ତାହା ସଂଲଗ୍ନ ଦାଣ୍ଡପିଣ୍ଢାରେ ତଥାପି ପଡିଛି ପଛକୁ ଆଉଜି ହେବା ଭଳି ଚାରି ଆସନ ବିଶିଷ୍ଟ ଲମ୍ବା କାଠ ଚୌକି। ଆଗେ ଦାଣ୍ଡ ପିଣ୍ଡାରେ ଏମିତି ବ୍ୟବସ୍ଥା ଅନେକଙ୍କ ଘରେ ଥିଲା।
 ବ୍ରଜବାବୁ ସେଇଠି ତାଙ୍କ ନାତିକୁ ଧରି ବସିଛନ୍ତି ଦିନେ ଯେମିତି ତାଙ୍କ ଜେଜେ ତାଙ୍କୁ ଧରି ବସୁଥିଲେ, ଗପ କହୁଥିଲେ। ଏକମାତ୍ର ନାତି ଘରକୁ ଆସିଛି ଏକମାତ୍ର ପୁଅ ବୋହୂଙ୍କ ସହ ରାଜ୍ୟାନ୍ତର ମହାନଗରୀରୁ। ନାତି ଧୃବ ସବୁ ପ୍ରଚଳିତ ଗପ ଆଦାୟ କରି ସାରିଛି, ମାଙ୍କଡ କୁମ୍ଭୀରଠୁ, ଧୃବ, ପ୍ରହ୍ଲାଦ, ଅଭିମନ୍ୟୁ, ଧରମା ଓ ବାଜିରାଉତ ପର୍ଯ୍ୟନ୍ତ। ଘରେ ଯେତିକି ବହି ଅଛି ସବୁ ମାତୃଭାଷାରେ ଲେଖାଯାଇଛି, ସେ କେମିତି ପଢିବ କିନ୍ତୁ ଓଡ଼ିଆ ବୁଝେ ଓ କହେ ଭଲ, ସେତିକି ସାନ୍ତ୍ବନା। ବର୍ଷା ହେଲା, ପାଣି ଛାଟିଲା, ଜେଜେ ନାତି ଦୁହେଁ ବେଞ୍ଚ୍ ଉପରକୁ ଗୋଡ ଉଠାଇ ଆଣିଲେ। ଏଇଟି ଗାଁର ପ୍ରଥମ ଘର। ସାହିର ଚାରୋଟି ଛେଳି ଦୌଡିକି ନିଜ ଘରକୁ ଫେରୁଥିଲେ, ଅଗତ୍ୟା ପିଣ୍ଡା ଉପରକୁ ଚଢି ଆସିଲେ। ଛେଳିକୁ ପାଣି ଅଡୁଆ। ଧୃବ ଉଠିପଡ଼ି ସେମାନଙ୍କ ପାଖକୁ ପହଞ୍ଚିଲା। ବାରଣ୍ଡା ଶେଷଟି ଅଧାକାନ୍ଥି ହୋଇଛି, ଛାଗଦଳ ସେଇଠି ଆଉଜି ହୋଇ ପଡିଲେ।

"ଜେଜେ, ଜେଜେ ଏମାନେ କଣ ପୋଷା, ଡରୁ ନାହାନ୍ତି ଯେ"।

"ଆରେ ଧୁରି, ବର୍ଷାକୁ ଡରି ସେ ଆମଠି ଶରଣ ପଶିଛନ୍ତି ପୁଣି ଆମକୁ ଡରିବେ କାହିଁକି? ସେମାନେ ଭାରି ନିରୀହ, କାମୁଡନ୍ତି ନାହିଁ। ସବୁ ଛେଳି ପୋଷା, ବୁଲା କୁକୁରଙ୍କ ଭଳି ବୁଲା ଛେଳି ନଥାନ୍ତି।" କହିଲେ ଜେଜେ।

"ଆମର କାହିଁକି ପୋଷିନ, ମୁଁ ସେମାନଙ୍କ ସହ ଖେଳିଥାନ୍ତି।" କହୁ କହୁ, ଧୃବ ସେ ଛେଳି ମାନଙ୍କ ପିଠି ଆଉଁସୁ ଥାଏ।
 ମନେ ପଡିଗଲା, ବ୍ରଜବାବୁ ଏମିତି ତାଙ୍କ ପିଲାବେଳେ ଜଲୁ ଓ ଅନ୍ୟ ଛେଳିଙ୍କ ପିଠି ଆଉଁସୁଥିଲେ।
"ବୁଝିଲୁ ଧୁରି, ହଁ, ଆମେ ବି ରଖିଥିଲୁ ପୁଞ୍ଜାଏ ଛେଳି। ତହିଁରୁ ଜଲୁ ଥିଲା ମୋର ଭାରି ପ୍ରିୟ। ଏହି ଯେଉଁ ପିଣ୍ଡା ସେଇଠି ପଶ୍ଚିମ ପଟେ ସରିଛି, ତା ସେକଡକୁ ଥିଲା ଆମ ଗୁହାଳ। ଛଅଟି ବଳଦ, ସମସ୍ତଙ୍କୁ ମୁଁ ନାମ ଧରି ଡାକୁଥିଲି, ଆମ୍ବଚୁଳୁ, ଶୁଙ୍ଖୁଚୁଳୁ, ସଂସରା, ରଙ୍କିଆ, କସରା ଓ ଗୁଡୁମୁଳୁ। ଥିଲେ ତିନୋଟି ଗାଈ; ନାଲି, କାଞ୍ଚିଆ ଓ କୁନିଦା। ସେମାନଙ୍କ ବାଛୁରୀମାନେ। ମୋ ବାପା, ମାନେ ତୋ ଅଣଜେଜେ କୁନିଦା ଗାଈର ପୁଅକୁ ଷେଣ୍ଢ ଛାଡି ଦେଇଥିଲେ। ମଣିଷେ ଉଚ୍ଚା ହୋଇଥିଲା, ହରିୟାଣା ଷେଣ୍ଢ। ଜନ୍ମ ଜାଗାକୁ ଫେରିଆସେ ସଂଧ୍ୟାରେ। ସେ ଲମ୍ବା ଚାଳିଆରେ ତଥାପି  ଯାଗା ବଳେ, ସେଇଠି ରହନ୍ତି ଜଲୁ ଓ ଅନ୍ୟ ଛେଳି। ଜାଉଁଳି ଖଞ୍ଜା ମାନେ ବୁଝୁନଥିବୁ। ଖଞ୍ଜା ମାନେ ହେଲା ଚାରିକଡେ ଘର ଓ ମଝିରେ ଖାଲି ସ୍ଥାନ ଯେଉଁଠୁ ଖୋଲା ଆକାଶ ଦିଶିବ, ମଝି ବାହାର। ଆମର ଥିଲା ଦୁଇ ମଝି ବାହାର ଥିବା ଜାଉଁଳି ଖଞ୍ଜା, ଚାଳ ଛାଉଣି। ପୂର୍ବ ଦିଗରେ କୋଠାଘର ତିଆରି ସରିଲା। ଖଞ୍ଜା ଘରୁ କୋଠାଘର ମଝିରେ ଥାଏ ଖାଲିସ୍ଥାନ। ପୂର୍ବ ପାଖ ଅଧାଖଞ୍ଜା ଭଙ୍ଗାଗଲା। କୋଠାଘର ସହ ଯୋଡି ଦିଆଗଲା ଧାଡିକିଆ ଘର।"
ଧୃବ ମନଦେଇ ଶୁଭୁଥିଲା, ସେ ଠିକ୍ ଜାଣିଛି ଏମିତି ଗୌରଚନ୍ଦ୍ରିକା(ଶବ୍ଦଟି ତା ନୂଆ ଆମଦାନୀ) ଦେଉ ଦେଉ, ଜେଜେ ଆରମ୍ଭ କରିଦେବେ ଅସଲ ଗପ। ଛୁଆ ଛେଳିଟିଏ କୁଣ୍ଡେଇ ଧରି ଜେଜେଙ୍କ ପାଖରେ ବସିଲା। ବର୍ଷା ତଥାପି ହେଉଥାଏ। ଧୃବ ମନକୁ ବେଶ୍ ପାଇଲା ଏ ଅନୁଭବ। ଲାଗିଲା ସେ ଯେମିତି ଏକ ବଡଛତା ତଳେ ଅଛି। ପାଣି ଛାଟୁଛି, ଆଜବେଷ୍ଟସରୁ ପାଣି ଧାର ଗଡୁଛି। ଶବ୍ଦ ବି ମୁଷୁମଷିଆ ହେଉଛି।
"ହଁ ଜେଜେ କୁହ, ତାପରେ କଣ ହେଲା। ଖଞ୍ଜା ଘରକୁ କୋଠାଘର ଯୋଡି ଦିଆଗଲା।"

 "ହଁ ରେ ଧୁରି। ପଛ ଖଞ୍ଜାର ଦକ୍ଷିଣ କଡକୁ ଥାଏ ଏକ ତେନ୍ତୁଳି ଗଛ। ତାହାର ଡାଳଗୁଡିକ ଖଞ୍ଜାର ଗଡାଣିଆ ଚାଳକୁ ଲାଗିଥାଏ।"

"ଜେଜେ ଜେଜେ, ତେନ୍ତୁଳି ମାନେ ଟାମାରିଣ୍ଡ ତ, ଯାହା ଫଳ ଆମ୍ବିଳା। ଆଚର କିନ୍ତୁ ବଢିଆ କରେ ଜେଜେ ମା। ସେ ଗଛଟି ତ ଅଛି। ମୁଁ ଦେଖିଛି। କୁନି କୁନି ପତ୍ର ବହୁତ। ତା କଷି ପତର ବି ଆମ୍ବିଳା ନା ଜେଜେ। କଅଁଳ ପତ୍ର ଫେମିନି ହେଲେ ଲୋକେ ଖାଆନ୍ତି ଭୋକ ସହି ନପାରି। ଆମ ବହିରେ ଫେମିନି ଗପରେ ସେମିତି ଲେଖାହୋଇଛି।"
"ହଁ'ରେ ଧୁରି, ନଅଙ୍କ ଦୁର୍ଭିକ୍ଷ ବେଳେ ସେମିତି ହୋଇଥିଲା, ସେତେବେଳକୁ ମୋ ବାପା ମଧ୍ୟ ଜନ୍ମ ହୋଇନଥିଲେ। ନଅଙ୍କ ମାନେ, ଆମ ସେତେବେଳର ରାଜାଙ୍କ ଶାସନର ନବମ ବର୍ଷ। ରାଜା ନାମକୁ ମାତ୍ର, ଶାସନ କରୁଥିଲେ ଗୋରା ଫିରିଙ୍ଗି ସରକାର। ଲୋକେ ଖାଦ୍ୟ ଅଭାବରୁ ମଲେ। କୁଆଡେ ଗୋଟିଏ ଗୋଟିଏ ତେନ୍ତୁଳି ଗଛରେ ଆଠ ଦଶ ଲୋକ ଚଢି ପତ୍ର ଖାଉଥିଲେ। ଅଖାଦ୍ୟ, ହୁସିଆର, ଖାଇବୁ ନାହିଁ।"
"ନା ନା ମୁଁ କେବେ ଖାଇବି ନାହିଁ ଜେଜେ, ଛି, ତା କଅଁଳିଆ ପତ୍ର ଭାରି ଆମ୍ବିଳା ଲାଗେ।"

ବ୍ରଜବାବୁ ହସିଲେ ଟିକେ ଜୋରରେ।

"ଓ ହୋ! ମୁଁ ଖାଇନି, ଶୁଣିଛି ଜେଜେ।"

ବ୍ରଜବାବୁ କହିଲେ, " ହୋଉ ହେଲା। ଛେଳିମାନେ ଘାସ ପତ୍ର ଖାଆନ୍ତି, କିନ୍ତୁ ଜଲୁ ଥିଲା ଅଲଗା। ଯେମିତି ଷେଣ୍ଢ ଆଉ ବଳଦ ସେମିତି ବୋଦା ଆଉ ଖାସି। ଜଲୁ ଥିଲା ମଝାମଝି, ବୋଦା ଭଳି ବଡ ହୋଇଥିଲା, ତା'ର ଦାଢି ଉଠିଥିଲା, ତା ଆଖି ତଳ ଚିକ୍କଣିଆ ଦେଖାଯାଉଥିଲା କିନ୍ତୁ ବୋଦାର ଗନ୍ଧ ନଥିଲା। ମୁଁ ତାକୁ ଡଲାରେ ଚାଉଳ ଆଣି ଖୁଆଉ ଥିଲି, ଗମୁଆ ପିଜୁଳି କେହି ଖାଆନ୍ତି ନାହିଁ, ସେଗୁଡା ଚକୁଟିକି ଖୁଆଉଥିଲି ତାକୁ। କେତେ ଡାଳପତ୍ର ଦାଆରେ କାଟିଆଣି ଦେଉଥିଲି ତାକୁ। ତେନ୍ତୁଳି ଡାଳ ଥିଲା ତା'ର ସବୁଠୁ ପ୍ରିୟ। ମୁଁ ଯେମିତି ଖଟା ଖାଇବାକୁ ପିଲାବେଳେ ଖୁବ୍ ଭଲପାଉଥିଲି, ସେ ମଧ୍ୟ ସେମିତି। ମୁଁ ନଥିଲା ବେଳେ ସେ ପାହାଚ ଚଢି ଛାତ ଉପରକୂ ଯାଉଥିଲା, ସେଇଠୁ ଚାଳ ମଥାନ ଉପର ଦେଇ ପୂର୍ବରୁ ଯାଇ ଦକ୍ଷିଣ ପଶ୍ଚିମ କୋଣରେ ପହଞ୍ଚୁଥିଲା।
ସିଧାସଳଖ ଗଛରୁ ଖାଉଥିଲା। ଗଡାଣିଆ ଚାଳରୁ ତା'ର ଏ କାରବାର ଥିଲା ବିପଦଜନକ।"
'ଜେଜେ ସେ ଛାତରୁ ଏ ତେନ୍ତୁଳି ଗଛ ତ ଖୁବ୍ ଦୂର, ସେ ଏତେ ସାହସୀ ଥିଲା! ମଥାନ ମାନେ ଚାଳର ପିକ୍ ତ ଜେଜେ?"
"ହଁ, ଠିକ୍ ବୁଝିଛୁ। ବଦସାହସ ଭଲ ନୁହେଁ। ଦିନେ ଶନିବାର ଆମର ସକାଳୁଆ ସ୍କୁଲ୍ ଛୁଟି ହେଲା। ମୁଁ ଆସି ଦେଖେ ତ ଜଲୁ ସେଇଠି ହାଜର। ମନ ଇଛା ଖାଉଛି। ସେ ଖୁବ୍ ହୃଷ୍ଟପୁଷ୍ଟ ହୋଇଥାଏ। ମୋର ଧାରଣା ହେଲା ସେ ଯେଉଁଠି ଠିଆ ହୋଇ ଯେମିତି ଖାଉଛି, ଖୁବଶୀଘ୍ର ତଳକୁ ଖସି ପଡିବ। ମୋତେ କିଛି ବୁଦ୍ଧି ବାଟ ଦେଖାଗଲା ନାହିଁ। ଭାବିଲି, ଚାଉଳ ଡାଲା ଦେଖିଇଲେ ସେ ବୋଧେ ଫେରି ଆସିବ। ପାଖକୁ ଗଲେ କାଳେ ହଡବଡେଇବ ବୋଲି ଖଣ୍ଡେ ଦୂରରୁ କମଳା ଗଛ ମୂଳରେ ଡାଲା ଧରି ଠିଆ ହେଲି। ସେ ଗଛ ଆଉ ନାହିଁ। ଡାକିଲି, ଜଲୁ ଏ ଜଲୁ, ଆ ଆ ଚାଉଳ ଖାଇବୁ ଆ। ସେ ଶୁଣିଲା। ବୁଲି ଚାହିଁଲା। ଲେଉଟିବାକୁ ଚେଷ୍ଟା କରୁ କରୁ ଭାରସାମ୍ୟ ହରାଇଲା। ମୁଁ ଅନାଇ ଥାଏ ସେ ଖସି ପଡିଲା ତଳକୁ।"
ଏତିକି କହୁ କହୁ ବ୍ରଜବାବୁ ଧୃବକୁ ଜାବୁଡି ଧରିଲେ, କାଳେ ସେ ଚମକି ପଡିବ। ଧୃବ କୋଡରୁ ସେ ଛେଳିଟି ଖସିଗଲା। ବର୍ଷା ଛାଡି ଯାଇଥାଏ, ସେମାନେ ଦୌଡି ପଳାଇଲେ ସାହି ଭିତରକୁ ତାଙ୍କ ନିଜ ଘରକୁ। ବ୍ରଜବାବୁ ନାତିକୁ ଜଲୁ ବାବଦରେ ପ୍ରବୋଧନା ଦେଉଥିଲେ କି ନାତି ତାଙ୍କୁ ସମ୍ଭାଳୁଥିଲା ଜାଣିବା ସମ୍ଭବ ନୁହେଁ।
" ଜଲୁର କଣ ହେଲା ଜେଜେ?"
"କଣ ଆଉ ହେବ, ମୋଟାସୋଟା ଜଲୁର ଡାହାଣ ଗୋଡ ଭାଙ୍ଗିଗଲା ଆଣ୍ଠୁ ତଳକୁ। ଜାଣିଛୁ, ସେଇଠି ଦୁଇଟି ହାଡ ଅଛି। ଉଭୟ ହାଡ ଭାଙ୍ଗି ବାହାରକୁ ଦିଶୁଥିଲା।
ମୁଁ ଡାକ ପକେଇଲି, କାନ୍ଦିଲି, ସମସ୍ତେ ରୁଣ୍ଡ ହେଲେ। ଜଲୁ ଠିଆ ହୋଇ ଅସ୍ବାଭାବିକ ଶବ୍ଦ କରୁଥାଏ କଷ୍ଟରେ। ସେମିତି ଠିଆ ହୋଇଥାଏ, ହଲ୍ ନାହିଁ କି ଚଲ୍ ନାହିଁ। ବାପା ଆସି ପହଞ୍ଚି ଯାଇଥିଲେ। ତାକୁ ଟେକିନେଲେ ଘର ଭିତରକୁ। ସେଇଠି ଦୁଇଜଣ ଜଲୁକୁ ଶୁଆଇ ମାଡି ବସିଲେ। ବାପା ତା ହାଡକୁ ଯେତିକି ସମ୍ଭବ ଚମଡା ଭିତରକୁ ପୁରାଇ ତା ଉପରେ ଆୟୋଡିନ୍ ଲୋସନ ଢାଳିଲେ। ଏକ ସଫା ଧୋତିକୁ ଚିରି ଗୋଡଟିକୁ ଗୁଡାଇ ଗୁଡାଇ ବାନ୍ଧି ଦେଲେ। ବାହାର ପାଖେ ଏକ ବତା ଦେଲେ ଓ ପୁଣି କପଡା ଗୁଡାଇ ବାନ୍ଧି ଦେଲେ। ମୋ କାନ୍ଦିବା ବନ୍ଦ ହୋଇଯାଇଥିଲା। କିଛିଦିନ ତଳେ ମୋର ଦୁଇହାତ ଜାମୁକୋଳି ଗଛରୁ ପଡି ଭାଙ୍ଗି ଯାଇଥିଲା। ମୁଁ ଜାଣିଥିଲି ଜଲୁକୁ କେତେ କଷ୍ଟ ହେଉଥିବ। ମୁଁ ବିଶ୍ୱାସ କରୁଥିଲି, ମୋ ହାତ ଭଲ ହେଲାଭଳି ଜଲୁ ଗୋଡ ବି ଭଲ ହୋଇଯିବ। ମୁଁ ଲୁହପୋଛିଲି। ଜଲୁକୁ ଚାଉଳ ଡାଲା ଦେଖାଇଲି, ସେ ଖାଇଲା ନାହିଁ।"

ବ୍ରଜବାବୁ ନିଶ୍ବାସ ନେଲେ, ଧୃବ ମନଟି ବି ସ୍ବଭାବିକ ହୋଇଗଲା। ଟିକେ ସମୟ ପୂର୍ବରୁ ତା ହାତରୁ ଛେଳିଟି ଖସିଯିବା ବାବଦରେ ସେ ଜେଜେଙ୍କ କଥା ଶୁଣୁ ଶୁଣୁ ସଚେତନ ହୋଇ ପାରିନଥିଲା। ଏବେ ମନେ ପଡିଗଲା।

"ଛେଳିମାନେ ପଳାଇ ଗଲେ ନା ଜେଜେ! ଜେଜେ, ଧୋତି ମାନେ ସେ ଯେଉଁ ପତଳା ଧଳା ଲୁଗା ଯେଉଁଟା ବୁଢାଜେଜେ ପିନ୍ଧନ୍ତି? ଜଲୁ ଭଳି ତୁମେ ବି ବଡ ଦୁଷ୍ଟ ନା ଜେଜେ, ଜାମୁଗଛ କାହିଁକି ଚଢୁଥିଲ? ଜଲୁ ଗୋଡ ଠିକ୍ ହେଲା?"

ଏହି ସମୟରେ ବୋହୂମା ଡାକିଲେ ଜେଜେ ଓ ନାତିଙ୍କୁ। ଧୃବ ପାଇଁ ରାବିଡି ପ୍ରସ୍ତୁତ କରିଛନ୍ତି ଜେଜେମା, ବ୍ରଜବାବୁଙ୍କ ପାଇଁ ଚା ବିସ୍କୁଟ୍।
ଜଲୁ ଗୋଡ ଠିକ୍ ହେଲା ପ୍ରଶ୍ନର ଉତ୍ତର କେମିତି ଦେବେ ଦ୍ବନ୍ଦରେ ପଡିଥିବା ଜେଜେ ବିରତି ପାଇଲେ। ନିଜକୁ ପ୍ରଶ୍ନ କରୁଥିଲେ ଯେ ସେ କେତେଦୂର ସତ୍ୟ କଣ ଜାଣନ୍ତି! ସେ ଭାବୁକ ହୋଇଗଲେ, ଏ ଅସମାହିତ ପ୍ରଶ୍ନରେ। ଧୃବ ଛୋଟ ପିଲା, ତା ମନକୁ ପାଇଲା ଭଳି ଉତ୍ତର ସେ ଦେବେ। ସେ ଭୁଲିବା ପିଲା ନୁହେଁ, ଖିଆ ସରିଲେ ପୁଣି ପ୍ରଶ୍ନ କରିବ।
ପରବର୍ତ୍ତୀ କାଳରେ ଛେଳି ସମ୍ପର୍କରେ ତାଙ୍କ ଅନୁଭୁତି ମାନ ମନେ ପଡିଯାଉଥାଏ ପଛକୁ ପଛ। କିଶୋର ବ୍ରଜ ମହାତ୍ମାଗାନ୍ଧୀଙ୍କ ଜୀବନୀରୁ ପଢିଲେ କି, ପରିବାରର ନିୟମ ଭଙ୍ଗ କରି ଛେଳିମାଂସ ଖାଇଥିବାରୁ ରାତିରେ ସେ ଶୁଣିଲେ ମେଁ, ମେଁ ବିକଳ କାନ୍ଦଣା ଏବଂ ତାହା ବୋଧେ ତାଙ୍କ ଭବିଷ୍ୟତ ଜୀବନ ଉପରେ ବହୁତ ପ୍ରଭାବ ପକାଇଥିଲା। ଆଗେ, ମାଂସ ଖାଇବା ଦିନ ଭାବୁଥିଲେ ଆଜି ରାତିରେ ଛେଳି ତାଙ୍କ ହୃଦୟରେ ବୋବାଳି ଛାଡିବ ଓ ସେ ତେଣିକି ଭଲ ମଣିଷ ହେବା ନିଶ୍ଚିତ।  କିନ୍ତୁ ଜଲୁ ଗୋଡ ଭାଙ୍ଗିଲା ପରେ କେଜାଣି କଣ ହେଲା ସେ ଆଉ ମାଂସ ଖାଇଲେ ନାହିଁ। ତାଙ୍କୁ କେହି ଖୁଆଇ ପାରିଲେ ନାହିଁ ବରଂ ସମସ୍ତେ ଶାକାହାରୀ ହୋଇଗଲେ କ୍ରମଶଃ। ଏହା ସହ ଘଟିଥିଲା ଆଉ ଏକ ଘଟଣା। ତାଙ୍କ ବାପା ମହାଦେବଙ୍କ ପାଇଁ ହରିଆଣା ଷେଣ୍ଢ ଛାଡିଲା ପରି ଏକ ବଡ ବୋଦା ଛାଡିଦେଇଥିଲେ ମା  ତାରେଣୀଙ୍କ ନାମରେ। କିନ୍ତୁ ବଳୀ ପକାଇବାକୁ ତାଙ୍କ ବିବେକ ବାଧା ଦେଉଥିଲା। ମା କଣ ବଳୀ ଖାଇବ। କୀଟ, ପତଙ୍ଗ, ବୃକ୍ଷଲତା, ପଶୁପକ୍ଷୀ ଓ ମନୁଷ୍ୟ; ସକଳେ ମାଆଙ୍କ ସନ୍ତାନ। ମା କି ଛୁଆକୁ ଖାଇବ? ବୋଦାଟି ହୃଷ୍ଟପୁଷ୍ଟ ହୋଇ ଚରିବୁଲେ। କିନ୍ତୁ ଦିନେ ସଠିକ ଖବର ଆସିଲା ଗାଁର ଚାରିଜଣ ଚୌର୍ଯ୍ୟବୃତ୍ତି ପାରଙ୍ଗମ ମାନବ ତାହାକୁ ଖାଇଦେଇଛନ୍ତି। ବ୍ରଜ ଖୁବ୍ ଦୁଃଖ ପାଇଲେ। ମନେହେଲା ଏସବୁ କଥା ସେ ନଜାଣିଥାନ୍ତେ କି? ଏଣୁ ସେ ମନେ ମନେ ସ୍ଥିର କରିନେଲେ, ଧୃବକୁ ପରବର୍ତ୍ତୀ ବର୍ଣ୍ଣନା କିପରି କରିବେ, ଅସତ୍ୟ ନୁହେଁ କି ବେଦନା ଦାୟକ ନୁହେଁ। ପୁଣି ଗପରେ ପଢିଥିଲେ, ଶାସ୍ତ୍ର ବ୍ୟାଖ୍ୟା କରୁଥିବା ପଣ୍ଡିତେଙ୍କ ଛେଳି ଦାଢିକୁ ଦେଖି ବୁଢୀର ଆଖିରେ ଲୁହ। ପଣ୍ଡିତେ ଭାବିଲେ ବୁଢୀ ଭାବ ଗଦଗଦ, ସେ କିନ୍ତୁ ଝୁରୁଥିଲେ ତାଙ୍କ ଦାଢିଆ ଛେଳିକୁ।
ଆଉ ଯେବେ କଲେଜ ଗଲେ, ସାଳନ୍ଦୀର ପୋଲତଳେ ଅନ୍ୟ ଛେଳିଙ୍କ ମେଁ ମେଁ କରୁଣ କଟାଳ ସାମ୍ନାରେ କଟାଳୀଟି କାଟି ଚାଲେ ଛେଳି। ସେ ଦେଖନ୍ତି ଓ ଭାବନ୍ତି, ଯେମିତି ଜଲୁ ତାଙ୍କ ମଧ୍ୟରେ ମେଁ ମେଁ କରୁଛି। ସେ କିନ୍ତୁ ବରଜୁରୁ ଉତ୍ତୀର୍ଣ୍ଣ ହୋଇ ମହାତ୍ମା ହୋଇପାରିଲେ ନାହିଁ। ତେବେ ଏସବୁ କଥା ତ ଧୃବକୁ କୁହାଯାଇପାରେନା। ନା କେବେ ନୁହେଁ।

"ହଁ ଜେଜେ କୁହ, ଜଲୁ ଗୋଡ ଠିକ୍ ହେଲା?" ଶୀଘ୍ର ଶୀଘ୍ର ରାବିଡି ଗିନାକ ସାରିଦେଇ ପଚାରିଲା ଧୃବ।
ବ୍ରଜବାବୁ ଏଥର ନାତିକୁ କୋଳରେ ଧରିଲେ, ନାତି କୋଳବସା ବୟସ ପାର କରିଥିଲା ଅବଶ୍ୟ।
"ଜଲୁ ସେମିତି ନିରୀହ ଭାବେ ଠିଆ ହୋଇଥାଏ, ଯେମିତି କିଛି ଦୋଷ କରିଛି। କଷ୍ଟରେ ତା ଆଖିରୁ ଲୁହ ଗଡୁଥିଲା, ମୁଁ ତା ଆଖିକୁ ଏକ ଗାମୁଛାରେ ପୋଛି ଦେଲି। ତାକୁ ଆଉଁସୁ ଆଉଁସୁ ସେ ମୋ ହାତକୁ ଚାଟି ପକାଇଲା, ଯେମିତି ସେ ପାଉଥିବା ସେବା ପାଇଁ କୃତଜ୍ଞତା ଜଣାଉଛି।
କେତେ ସମୟ ପରେ କରିମ୍ ଚାଚା ଆସିଲେ।  ଅନେକ ଥର ଆସି ଆମ ଗାଁରୁ ଛେଳି କିଣି ନିଅନ୍ତି। ମୁଁ କାନ୍ଦି କାନ୍ଦି ଘରଦ୍ବାର ଫଟାଇଲି। ସମସ୍ତେ ମୋତେ ବୁଝାଇଦେଲେ, କରିମ ଚାଚାଙ୍କ ଖୁବ୍ ଚିହ୍ନା ଅଛନ୍ତି ଜଣେ ପଶୁଡାକ୍ତର, ସେ ନେଇ ତାଙ୍କ ପାଖରେ ଜଲୁର ଗୋଡ ଠିକ୍ କରାଇବେ। ହୋଇଥିବ ସତ। ଜଲୁର ଗୋଡ ଠିକ୍ ହେବା ଜରୁରୀ। କରିମ୍ ସେଦିନ କିଛି ମୂଲଚାଲ୍ କଲେନି କି ଟଙ୍କା ଦେଲେନି, ଡାକ୍ତରଖାନା ନେଉଛନ୍ତି, କିଣୁ ନାହାନ୍ତି । ଜଲୁକୁ ବି ପାଛିଆରେ ନବାନ୍ଧି ବା ଅଖାମୁଣିରେ ନଝୁଲାଇ ଏକ ରିକ୍ସାରେ ଧରି ବସିଲେ କରିମ୍ ଚାଚା। ଜଲୁ ଡାକ୍ତରଖାନା ଗଲା। ମୁଁ ତା ଫେରିବା ବାଟ ଚାହିଁ ରହିଲି। ନା ସେ ଫେରିଲା, ନା କରିମ୍ ଚାଚାଙ୍କ ଦେଖା ମିଳିଲା। ମୁଁ ସବୁଦିନ ବୋଉ ବାପାଙ୍କୁ ଅଳିକଲି ଜଲୁକୁ ଫେରାଇ ଆଣିବାକୁ। ମୋତେ ବୁଝାଇ ଦିଅନ୍ତି, ତା'ର ଅପରେସନ କରାଯାଇ ଗୋଡ ଯୋଡା ଯାଇଛି, ଭଲ ହେଲେ ଆସିବ। ମୁଁ ବୁଝିଯାଏ। ଦିନେ ଜିଦ୍ କଲି କରିମ୍ ଚାଚାଙ୍କୁ ଡକାଇ ଆଣିବାକୁ। ସେ ଆସିଲେ, ସେହି ଏକା କଥା କହିଲେ। ସେ ଏଣିକି ଛେଳି ବେପାର କରୁନଥିଲେ, ପୀରବାବାଙ୍କ ସ୍ଥାନରେ ସେବା ନିଯୁକ୍ତ ହୋଇଥିଲେ। କହିଲେ ପେଟ ପୋଷ ନାହିଁ ଦୋଷ, ସମସ୍ତେ କହନ୍ତି ଯେ କିନ୍ତୁ ଆଉ ହେଲାନି ମୋ ଦ୍ବାରା। ଅନେକ ଦିନ ପରେ ସେ ଜଲୁକୁ ଧରି ଆସିଲେ।"
"ରୁହ ରୁହ ଜେଜେ, ଜେଜେମା ଦିନେ କହୁଥିଲା ଏକଥା ମୋ ମନେ ପଡୁଛି, ଜଲୁ ଗୋଡ ଭାଙ୍ଗିଲା ପରେ, ଆମଘରେ ସବୁ ମାଁଉସ ଖାଇବା ବନ୍ଦ କରିଦେଲ ନା, ସେପଟେ କରିମ୍ ଚାଚା ବି ଛେଳି କାରବାର ବନ୍ଦ କରିଦେଲେ!" ଟିକେ ଆଶ୍ଚର୍ଯ୍ୟ ହେଲାଭଳି କହିଲା ଧୃବ।

"ଏକଥା ଠିକ୍, ଗୋଟିଏ ଗୋଟିଏ ଘଟଣା ମଣିଷର ଅଭ୍ୟାସ ବଦଳାଇ ଦିଏ। ହଁ, କରିମ ଚାଚା ଆଣିଥିବା ଜଲୁକୁ ମୁଁ ବାରିଲି, ଇଏ ଜଲୁ ନୁହେଁ, ତା ନାମଧରି ଡାକିଲେ ଅନାଉ ନାହିଁ, ଏଇଟା ପତଳା, ଏହାର ରଙ୍ଗ ବି ଫିକା। ତା ଦାଢି ମଧ୍ୟ  ଜଲୁଠୁ ଥିଲା କମ। ତା ଗୋଡ ବି ଅଭଙ୍ଗା ଦିଶୁଥିଲା।
ମୋତେ ସମସ୍ତେ ବୁଝାଇଦେଲେ, ମୁଁ ଯେମିତି ପାଠ ଭୁଲିଯାଏ ଜଲୁ ସେମିତି ତା ନାମ ଭୁଲି ଯାଇଛି, କେତେ ଦିନ ହେଲାଣି ସେ ଆମକୁ ଦେଖିନାହିଁ ଏଣୁ ହୁଏତ ଭୁଲି ଯାଇଛି। ଭଲକି ଖିଆପିଆ କରିନି ତ, ସେପାଇଁ ଦୁର୍ବଳ ଦିଶୁଛି, ତା ରଙ୍ଗ ବି ଫିକା ପଡିଛି ଓ ତା ଦାଢି କମି ଯାଇଛି ଔଷଧ ପ୍ରଭାବରୁ। କେତେ ଔଷଧ ଅଛି ଖାଇଲେ ଚୁଟି ଉପୁଡେ, ଏକଥା ମୁଁ ଜାଣିଥିଲି। ହେଲେ ତା ଅପରେସନ ଗୋଡରେ କିଛି ଦାଗ ନଥିଲା। ସେକଥା ପଚାରିଲାରୁ ସେମାନେ ମତେ ଓଲଟି ପ୍ରଶ୍ନ କଲେ ଯେ ମୋ ଦୁଇ ହାତ ଭାଙ୍ଗିଥିଲା, ଚିହ୍ନ କୁଆଡେ ଗଲା?
ମୁଁ ଉତ୍ତର ଦେଲି ମୋ ହାଡ ଭିତରେ ଭାଙ୍ଗିଥିଲା ଚିହ୍ନ କାହିଁକି ରହିଥାନ୍ତା, ମୋର କଣ ଅପରେସନ ହୋଇଥିଲା କି? ତଥାପି ଦେଖୁନ ହାତ କେମିତି ବଙ୍କା ଅଛି। ହେଲେ ଜଲୁର ହାଡ ଚମଡା ଫୁଟାଇ ବାହାରକୁ ଆସିଥିଲା, ପୁଣି ଅପରେସନ ବି ହୋଇଛି, ଚିହ୍ନ ତ ଥାଆନ୍ତା!"
ଧୃବ କେମିତି ଶିହରି ଉଠିଲା ଏ ଶେଷ ବାକ୍ୟ ଶୁଣି।
ବ୍ରଜବାବୁ ତାକୁ ଟିକେ ଭିଡିଧରିଲେ, ଭାବିଲେ ସେ ଏମିତି ଯନ୍ତ୍ରଣାଦାୟକ ବର୍ଣ୍ଣନା କରିବା ଠିକ୍ ହେଲା ନାହିଁ।
ସେ ପୁଣି କହିଲେ, "ବାପା ବୁଝାଇଦେଲେ, ଜଲୁ ଲୋମଶ ପ୍ରାଣୀ, ତା ଅପରେସନ ଚିହ୍ନ ଉପରେ ଲୋମ ମାଡି ଗଲାଣି, ଆଉ ଜଣା ପଡିବ ନାହିଁ। ମୁଁ ଭାବିଲି, ହଁ ସେମିତି ହୋଇଥିବ।
ସମସ୍ତେ ତାକୁ ଜଲୁ ଜଲୁ ଡାକିଲେ। ପରେ ମୁଁ ବି ଡାକିଲି। ସେ ଶୁଣିଲା, ମେଁ କହି ଜବାବ ଦେଲା। ଚାଉଳ ବି ଖାଇଲା। ଗମୁଆ ପିଜୁଳି ଚକଟିକି ଦେଲେ, ମୋ ହାତରୁ ଚାଟି ଚାଟି ଖାଇଲା। ତେନ୍ତୁଳି ପତ୍ରକୁ ଖୁବ୍ ଭଲ ପାଇଲା। ଏଣିକି ମୋତେ ଗାଁ ସାଥୀମାନେ ଓଲଟି ଚିଡାଇଲେ, ସେଇଟି ନକଲି ଜଲୁ। ମୁଁ ସେମାନଙ୍କ କଥା ଶୁଣିଲି ନାହିଁ। ମୋ ମନରେ ଆଉ ସନ୍ଦେହ ନଥିଲା। ଜଲୁ ସବୁ ପୁରୁଣା ଅଭ୍ୟାସ ପୁଣି ମନେ ପକାଇ ପାରିଲା କେବଳ ଗୋଟିଏକୁ ଛାଡି। ସେ ଆଉ ଛାତ ଓ ଚାଳକୁ ଚଢିଲା ନାହିଁ, କେମିତି ଚଢିବ, ଥରେ ମଜା ପାଇଛି ନା।"
ଧୃବ ଏଥର ପଚାରିଲା, " ଜଲୁ ଏବେ କେଉଁଠି?"
ବ୍ରଜବାବୁ ଧୃବକୁ ନେଇ ବାଡିଆଡେ ଗଲେ। ତଳବାଡିରେ ଥିବା ଭରା ଲେମ୍ବୁ ଗଛକୁ ଦେଖାଇ କହିଲେ, "ଜଲୁ ଅନେକ ବର୍ଷ ରହିଲା, ଖୁବ୍ ଡେଙ୍ଗା ଓ ବଳୁଆ ହୋଇଥିଲା। ଆମେ ଆଉ ଛେଳି ପାଳୁ ନଥିଲୁ, ଅନ୍ୟ ଛେଳି ମୂଲିଆ ମାନେ ନେଇ ପାଳିଲେ। କେବଳ ଜଲୁ ଥିଲା। ସେ ଏବେ ଘର ଭିତରେ ରହୁଥିଲେ ବି ଆଦୌ ଅପରିସ୍କାର କରୁ ନଥିଲା। ରାତିରେ ମୋ ଖଟତଳେ ଶୋଉଥିଲା। ବହୁତ ଲୋକ ତାକୁ ଦେଖି କାବା ହୋଇ ଯାଉଥିଲେ। ମୁଁ ଦୂର ସହରରେ କଲେଜରେ ପଢିଲି, ସେ ଗାଁରେ ରହିଲା। ସେମାନେ ମଣିଷଙ୍କ ଭଳି ଏତେ ଲମ୍ବା ଆୟୁର ନୁହନ୍ତି, ବୁଢା ହୋଇଗଲା। ରୋଗ ବାଧିକିରେ ପଡି ନଥିଲା। ଦଶହରା ଛୁଟିରେ ମୁଁ ଘରେଥାଏ, ଦିନେ ସକାଳେ ସେ ଆଉ ନିଦରୁ ଉଠିଲା ନାହିଁ। ଆମେ ସମସ୍ତେ କଷ୍ଟ ପାଇଲୁ ଯେତିକି, ଖୁସି ବି ହେଲୁ ସେତିକି। କିଛି ରୋଗକଷ୍ଟରେ ଘାଣ୍ଟି ନହୋଇ ସେ ସୁଖରେ ଚାଲିଗଲା। ବୁଢା ହେଲେ ଦିନେ ତ ଯିବାକୁ ପଡିବ। ତୋ ଜେଜେ ବି ଦିନେ ଯିବେ।"
ଧୃବ ବ୍ରଜବାବୁଙ୍କ କାନମୋଡି କହିଲା, "ଦୁଷ୍ଟ ଜେଜେ, ସେମିତି କହନ୍ତି! ଜେଜେମା କହୁଥିଲା, ମଣିଷର ଆୟୁଷ ଶହେକୋଡିଏ ବର୍ଷ, ତୁମେ ତ ଶହେ ବି ହୋଇନ। ତୁମ ଜନ୍ମଦିନରେ ବାପା ଆମର ସେଠି କେକ୍ କାଟିଥିଲେ, କହୁଥିଲେ ତୁମକୁ ଅଶି ହେଲା। ଫଟୋ ପଠାଇଥିଲି ଦେଖି ନାହଁ? ହଁ, କୁହ, ତାପରେ କଣ ହେଲା।"
"ହଁ ହଁ, ସେ ଫଟୋ ବି ଦେଖିଛି, ସେ ଫଟୋରୁ କେକ୍ ଆଣି ତୋ ଜେଜେମା ସହ ଖାଇଛି। ସେଦିନ ତୋ ଜେଜେମା ଏଠି ପିଠା କରିଥିଲା ଯେ।
ହଁ, ଜଲୁକୁ ଏଇଠି ସମାଧି ଦିଆଗଲା। ଦେଖୁନୁ, କେତେ ଲେମ୍ବୁ ଫଳିଛି। ଆମଠୁ ଯେତିକି ଖାଇଥିଲା ତା'ଠୁ ଅଧିକ ଫେରେଇଲାଣି। ସେ ଖତ ସାରରେ ବଦଳି ଯାଇଥିଵ, ସେଥିପାଇଁ ଏ ଗଛଟି ଏମିତି ଛନଛନିଆ।"
ବ୍ରଜବାବୁ ନିଜର କୋହ ସମ୍ବରଣ କରିଦେଲେ,  ଧୃବ କିନ୍ତୁ ଜାଣି ପାରିଲା। "ଜେଜେ ତୁମେ ଜଲୁକୁ ଏବେ ବି ଝୁରି ହେଉଛ, ତୁମେ ଏଥର ଆମ ସହିତ ଯିବ କହିଛ ନା। ଆମର ଗୋଟିଏ ଜଲୁ ଆଣିବା, ସେ ଚାଉଳ, ପିଜୁଳି, ତେନ୍ତୁଳି ପତ୍ର ଖାଇବ ନାହିଁ, ସେ ତ ଛେଳି ନୁହେଁ କୁକୁର, ଆମେ ତାକୁ ଦୁଧଭାତ ଖୋଇବା, ତା ପାଇଁ ଅଲଗା ବିସ୍କୁଟ ଆଣିବା। ଭଲ ହେବ ନା ଜେଜେ?"
ବ୍ରଜବାବୁ ଖୁସିହେଲେ, ଯାହା ହେଉ ଧୃବ କିନ୍ତୁ ଭୁଲି ଯାଇଛି, ଠିକ୍ ପିଲାବେଳେ ତାଙ୍କୁ ଯେମିତି ଭୁଲାଇ ଦେଇଥିଲେ ବଡମାନେ। ସେ ସାରା ଜୀବନ ନିଜକୁ ପ୍ରବୋଧନା ଦେଇଚାଲିଛନ୍ତି, ଜଲୁ ଅସଲି ଏ ଗଛର ଲେମ୍ବୁ ଭଳି। ଏ ପ୍ରବୋଧନା, ସେ ଆଜି ନାତିକୁ ବି ପରୋକ୍ଷରେ ଦେଇପାରିଲେ। ଫେରିଆସିଲା ବେଳେ ସତେ ଅବା ଲେମ୍ବୁ ଗଛଟି ଜେଜେ ଓ ନାତିଙ୍କଠୁ ଅଧିକ ପ୍ରସନ୍ନ ଦିଶୁଥିଲା।
(ପ୍ରିୟବନ୍ଧୁ ଓ ପାଠକ, ଶ୍ରୀ ଅଶୋକ ସ୍ବାଇଁଙ୍କ ମତାମତ ଅନୁସାରେ ସଂପାଦିତ।)

Tuesday 14 July 2020

ଝପ୍ସୁଭାଇ ନମସ୍କାର ।(ସ୍ମୃତିଗଳ୍ପଟି ଭାରତୀୟ ଡାକ ବିଭାଗକୁ ସମର୍ପିତ)

ଝପ୍ସୁଭାଇ ନମସ୍କାର ।
(ସ୍ମୃତିଗଳ୍ପଟି ଭାରତୀୟ ଡାକ ବିଭାଗକୁ ସମର୍ପିତ)
ରବିନାରାୟଣ ସେନାପତି, ତୁଳତୀ, କୋରେଇ, ଯାଜପୁର ।
ସମ୍ପ୍ରତି ତାମିଲନାଡୁର ଆଇଏସ, ମହାଶୟା ସୁପ୍ରିୟା ସାହୁ ଜଣେ ଅବସରକାଳୀନ ଡାକୁଆ ଶ୍ରୀ ଡି ଭାସନଙ୍କୁ ପ୍ରଶଂସା କରିଛନ୍ତି, ଯେ କି ନିରବିଛିନ୍ନ ଭାବେ ପ୍ରତିଦିନ ପନ୍ଦର କିଲୋମିଟର ଚାଲି ଡାକସେବା ଯୋଗାଉଥିଲେ ଅଗମ୍ୟ ଅଞ୍ଚ‌ଳରେ । ପାଦଚଲା ପାହାଡି ରାସ୍ତାରେ ଅତିକ୍ରମ କରୁଥିଲେ ଝରଣା ଓ ଜଳପ୍ରପାତ । କେବେ କେବେ ବଣୁଆ ହାତୀଙ୍କୁ ସାମ୍ନା କରୁଥିଲେ କିନ୍ତୁ ଦିନୁଟାଏ ବି ସେବା ବନ୍ଦ କରୁନଥିଲେ ।
ବାସ୍ତବିକ, ଏମିତି ସାଧାରଣ ଲୋକର ଅସାଧାରଣ ନିଷ୍ଠାରେ ଏକ ସମାଜ ତିଷ୍ଠିରହେ ।
ଅବଶ୍ୟ ଆମ ଝପ୍ସୁଭାଇ ଡାକୁଆ ଦୈନିକ ଯିବା ଆସିବା ମିଶି ଆଠ କିଲୋମିଟର ଚାଲୁଥିଲେ ସମତଳ ରାସ୍ତାରେ, କୋରେଇରୁ ତୁଳତୀ ଓ ତୁଳତୀରୁ କୋରେଇ । ତଥାପି କିନ୍ତୁ ସେ ନିଆରା, ଅପାଶୋୋରା ମଣିଷ ।
ସମସ୍ତେ ତାଙ୍କୁ ସମ୍ବୋଧନ କରନ୍ତି, -ଝପ୍ସୁଭାଇ ନମସ୍କାର । ମନେହୁଏ ସେ ଖୁସି ହୁଅନ୍ତି, ପ୍ରତି ନମସ୍କାର ଜଣାନ୍ତି ତହିଁରେ ଏକ ନରମ ହସ ମିଶାଇ । ନାକତଳେ ତାଙ୍କ ଧାଡିଏ ରାଜକାପୁରିଆ ସରୁ ନୀଷ, ପାନଖିଆ ଲାଲ ମୁହଁରେ ସେ ହସଟି ତାଙ୍କୁ ଖୁବ୍ ମାନେ । ଆମେ ପିଲାଏ ଦୁଇ ଚାରିବାର ଝପ୍ସୁଭାଇ ନମସ୍କାର କହିଲେ ବି ସେ ଥଟ୍ଟାମଜା ନଭାବି ସେମିତି ହସି ଜଣାନ୍ତି ପ୍ରତି ନମସ୍କାର ।  ଅତି ଛୋଟବେଳେ ଭ୍ରମ ହୁଏ, ତାଙ୍କ ନାମଟି ଯେମିତି ଝପ୍ସୁଭାଇ ନମସ୍କାର । ସେ କେବେ କାହାକୁ ତାଙ୍କଆଡୁ ପ୍ରଥମକରି ନମସ୍କାର ଜଣାନ୍ତି ନାହିଁ । କହନ୍ତି, କୋରେଇ ଉପ ଡାକଘରର ପୋଷ୍ଟମାଷ୍ଟର ଗୋଲେଖ ବାବୁ ଓ ତୁଳତୀ ଶାଖା ଡାକଘରର ପୋଷ୍ଟମାଷ୍ଟର ନାରାୟଣ ବାବୁଙ୍କୁ ବାଦଦେଲେ ଆଉ କେହି ତା ହାକିମ ନୁହେଁ ଯେ ସେ ସାଲୁଟ୍ ମାରିବ । କୋରେଇ ଥାନା, ଡାକଘର, ମସଜିଦ୍ ପାଖାପାଖି ଥାଏ କୋରେଇ ଦେବୀଙ୍କ ଆସ୍ଥାନ । ସେଇ ପାଖରେ ଥିବା ମୁସଲମାନ ବସ୍ତିରେ ଝପ୍ସୁଭାଇଙ୍କ ଘର ।
ତୁଳତୀର ଡାକଘର ସାହିକୁ କେହି କହନ୍ତି ବଢେଇ ସାହି, କିଏ କହେ ରାଢି ସାହି ଓ ଆଉ କିଏ କହେ ଖରଡା ସାହି । ସାହିଟି ସର୍ବଦା ଚଳଚଞ୍ଚଳ; ଚାଷୀ ଯାଏ କୃଷି ଉପକରଣ ତିଆରି ବା ମରାମତି ପାଇଁ, କିଏ ଚୁଡା ଆଣିବାକୁ ଯାଏ । ପୁଣି ଖରଡା ଘରୁ ମିଳେ ଟିଣ ତିଆରି ଜିନିଷ, କଲି ଚୁନ । ତୁଳତୀ ଗାଁଆର ଅନ୍ୟ ସମସ୍ତ ସାହି ସିଧା ପୂର୍ବରୁ ପଶ୍ଚିମକୁ ବ୍ୟାପିଥିଲା ବେଳେ ଡାକଘର ସାହିଟି ଦକ୍ଷିଣ-ପଶ୍ଚିମ କୋଣରୁ ଉତ୍‌ତର-ପୂର୍ବ କୋଣକୁ ତେର୍ଛିଆ ହୋଇ ଲମ୍ବିଛି । ଆରମ୍ଭ ଘରଟି ଶିବମନ୍ଦିରର ତତ୍ୱାବଧାରକ ପୂଜକ ତଥା ଆମ ମଧ୍ୟ ଇଂରାଜୀ ବିଦ୍ୟାଳୟର ଶିକ୍ଷକ, ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡା ମହାଶୟଙ୍କର ଓ ଶେଷଘରଟି ତାଙ୍କ ବାଡିରେ ବଡ ଏକ କଇଥ ଗଛଥିବା ବିଶିଷ୍ଟ ବ୍ରାହ୍ମଣ, ବୃକୋଦର ଶ୍ରୀଯୁକ୍ତ ଦୋଳଗୋବିନ୍ଦ ଦାଶ ମହାଶୟଙ୍କ ଯୌଥ ପରିବାର । ସାହିଟିକୁ କେହି କିନ୍ତୁ ବ୍ରାହ୍ମଣ ସାହି କହନ୍ତି ନାହିଁ, ଗ୍ରାମରେ ଥାଏ ନାମପ୍ରାପ୍ତ ଅନ୍ୟ ଏକ ବ୍ରାହ୍ମଣ ସାହି । ଦକ୍ଷିଣପୂର୍ବ ପାଶ୍ୱର୍ରେ ଗ୍ରାମର ସାପୁଆ ସାହି ଡାକଘର ସାହିଟିର ଅବତଳ କୋଳରେ ଆଉଜି ହୋଇପଡିଛି, ସେମିତି ବିପରୀତ ଅର୍ଥାତ ଉତ୍ତର ପଶ୍ଚିମ ପାଶ୍ୱର୍ରେ ଉପର ଦଳିତ ସାହି ଏହାକୁ ଭିଡିଲାଗିଛି । ସାହିଟିର ଅନ୍ୟଏକ ବିଶେଷତ୍ୱ ହେଲା, ଗାଁଆର ସର୍ବ ପୁରାତନ ଡିଜେଲ ଚାଳିତ ଧାନପେଶା କଳ ଧନୀକ ଖରଡା ଘର ବସାଇ ଥାନ୍ତି । ଏହିପରି ଅନେକ କାରଣରୁ ସାହି ଉପରେ ଗ୍ରାମ ଥାଏ ନିର୍ଭରଶୀଳ । ଧାନକଳରେ ଦୁଇଟି ବଡ ବଡ ଜଳ କୁଣ୍ଡ ଥାଏ, ତାହା କଳ ବନ୍ଦହେବାପରେ ଅନେକ ବର୍ଷ ସେମିତି ଥିଲା । ଅଦ୍ୟାବଧି ଥାଇପାରେ । କଳଟି କେମିତି ଚାଉଳ ଓ କୁଣ୍ଡାକୁ ଚିହ୍ନି ଅଲଗା କରିଦେଉଛି, କମାର ଶାଳରେ ଯନ୍ତ ଦ୍ୱାରା କିପରି ପବନ ଯାଉଛି ଶାଳକୁ, ଶାଳ ହୁ ହୁ ଜଳୁଛି ଅଧିକ ଅମ୍ଳଜାନ ପାଇ ଏବଂ ଲାଲ ଲୁହାକୁ ହାତୁଡିରେ ପିଟି ପଜା ଯାଉଛି, ଚୁନ ପଥରରୁ ପାନରେ ଲେପିବା ଚୁନ କିପରି ତିଆରି ହେଉଛି; ଏସବୁ ଆମ ବିଜ୍ଞାନ ପାଠ ପାଇଁ ସତେ ଅବା ପ୍ରୟୋଗଶାଳା । ପୁଣି ବୁଢୀ'ମା ଜଣେ ଗୋଟିଏ ହାତରେ ଚୁଡା ସୁଁକାଇବା ବେଳେ ଅନ୍ୟ ହାତରେ କେମିତି ଧାନ ଭାଜୁଛି ବାଲିରେ, ତାହା ଦେଖି ମନ ବିମୁଗ୍ଧ ହୁଏ । ସେମିତି ମଜାଲାଗେ, ଅନାଉ ଅନାଉ ଟିଣରୁ ତିଆରି ହୁଏ ଝରା, ନାଳିଆ । ସେ ସାହିରୁ କୌଣସି ଶ୍ରେଣୀ ସାଥୀ ନଥିଲେ ବି ବହୁତ ଭଲଲାଗେ ସେଠାକୁ ବାରମ୍ବାର ଯିବାକୁ ।
କିନ୍ତୁ ଏସବୁ ବାଦ ମୂଖ୍ୟ ଆକର୍ଷଣ ଥାଏ ଡାକଘର ।
ଡାକଘର ପୋଷ୍ଟ ମାଷ୍ଟର ଶ୍ରୀଯୁକ୍ତ ନାରାୟଣ ସାହୁଙ୍କ ନିଜଘରେ ଚାଲୁଥାଏ । ସେଇଠି ଆମ ବିଦ୍ୟାଳୟର ଦୈନିକ ସମାଜ ଆସେ । ଆଉ ଖଣ୍ଡେ ଦୁଇଖଣ୍ଡ ମଧ୍ୟ ଆସେ । ଖେଳଛୁଟି ହୁଏ ଦିନ ଗୋଟାଏରେ । କେତେବେଳେ ଶିକ୍ଷକଙ୍କ ନିର୍ଦ୍ଦେଶରେ ଓ କେତେବେଳେ ମନକୁ ମନ ଡାକଘରକୁ ଦୌଡିଥାଏ ସମାଜ ଆଣିବାକୁ ।  ଜଣପରେ ଜଣେ ଭାଇ ସୈନ୍ୟବାହିନୀରେ ଯୋଗ ଦେଇଥିବାରୁ ଚିଠିର ଅପେକ୍ଷା ଆମଘରେ ଥାଏ ସବୁଦିନ । ଏହା ମଧ୍ୟ ଏକ ପ୍ରମୁଖ କାରଣ ସେଆଡେ ଯିବାର । ଏଇଥିପାଇଁ ଝପ୍ସୁଭାଇକୁ ପାଖରୁ ଚିହ୍ନେ ।  ଝପ୍ସୁଭାଇ ଆସନ୍ତି ସେତିକିବେଳେ, ବେଶିହେଲେ ଦଶ ପନ୍ଦର ମିନିଟ ଏପଟ ସେପଟ । ଯେଉଁଦିନ ବିଦ୍ୟାଳୟ ଛୁଟି କିନ୍ତୁ ଡାକଘର ଖୋଲା ସେଦିନ ଡାକଘରେ ବେଶି ସମୟ କଟେ । ତତ୍କାଳୀନ ପୋଷ୍ଟମ୍ୟାନ ବାବୁଲା ଅଜା(ଶ୍ରୀ ବିଜୟ କୁମାର ମହାନ୍ତି) ମୋତେ ଭାରୀ ଶ୍ରଦ୍ଧା କରନ୍ତି । ବଡ ବଡ ମାନେ ସମାଜ ପଢି ନାନାଦି ରାଜନୈତିକ ଓ ଅନ୍ୟାନ୍ୟ ଖବର ଉପରେ ଆଲୋଚନା କରନ୍ତି । ମୁଁ ପଢୁପଢୁ ଏ ଆଲୋଚନା ଶୁଣେ, ମାତ୍ର ଦଶବର୍ଷ ବୟସରୁ । ବଡମାନେ ମୂଖ୍ୟପୃଷ୍ଠା ପଢିଲାବେଳେ ମୁଁ କ୍ରୋଡପତ୍ର ଧରେ, ସେଇଠି ଥାଏ ଅଜଗର ସାପ ଧରାପଡିଲା, କୁନି ବାଳକର ବୁଦ୍ଧି ପରି କୁନି କୁନି ଖବର ।
କୋରେଇ ଡାକଘରୁ ଡାକ୍ତରଖାନା ଛକ ପ୍ରାୟ ଏକ କିଲୋମିଟର । ସେ ଛକରୁ ସିଧା ଉତ୍ତରକୁ ସେ ଚାଲନ୍ତି ତିନି କିଲୋମିଟର, ବାଟରେ ପଡେ ହାଡଗୁଣ୍ଡ କଳଘର ଓ ସଂଲଗ୍ନ ପୋଖରୀ, ଜାଇତିରା ବା ଇସଲାମପୁର ଗାଁ, ଆମ ଚାଷ ପୋଖରୀ, ପରିଆ ସାଆନ୍ତଙ୍କ ବରଗଛ, ବିନସାରଙ୍କ ଅଶଥ୍ୱ ବୃକ୍ଷ, ଆମ ଗାଁ ଶ୍ମଶାନ ଓ ଭଲିବଲ ପଡିଆ, ମହାଜନ ଘର ଗଡା ଓ ବରଗଛ, ସ୍କୁଲ ଓ ଆମସାହିକୁ ରାସ୍ତା, ମହୁଲିଆ ଗଡିଆ ସବଷ୍ଟେସନ ଓ ଆର ସାହିକୁ ରାସ୍ତା, ସୁନ୍ଦର ପୋଖରୀ ଗ୍ରାମକୁ ରାସ୍ତା ଓ ଶେଷରେ ଡାକଘର ସାହିକୁ ଦାଶଘର ପଟୁ ଦାଣ୍ଡ । 
ଝପ୍ସୁଭାଇ, ବୁଲାଣି ହେଉପଛେ ସେହି ଦାଣ୍ଡପଟୁ ଆସନ୍ତି, ବାଟ ଭାଙ୍ଗନ୍ତି ନାହିଁ । ସରକାରୀ ଲୋକ ଗଳିଛପି ଆସିବେ! ଏ ରାସ୍ତାରେ ଥାଏ ତିନୋଟି ମାଇଲ ଖୁଣ୍ଟ, ପ୍ରଥମଟି ହାଡଗୁଣ୍ଡି କଳ ପାଖେ, ଦ୍ୱିତୀୟଟି ଆମ ଗଡିଆ ପାଖେ ଓ ତୃତୀୟଟି ମହୁଲିଆ ପାଖେ।  ବାଟରୁ ନମସ୍କାର ଗୋଟେଇ ଫେରେଇ ଆସନ୍ତ ସିନା ଝପ୍ସୁଭାଇ, କେଉଁଠି ବିରାମ ନେବା ହୁଏନି ତାଙ୍କଦେଇ । ନମସ୍କାର ପକାଇବାକୁ ମୁଁ ଓ ଅନ୍ୟ କେତେ ପ୍ରସ୍ତୁତ ଥାଉ । ପତଳା ଗେଡା ମଣିଷ, ଦେହରେ ମୋଟା ଖାକି କପଡାର କମିଜ୍ । କଛାମାରି ଧୋତି ପିନ୍ଧିଥାନ୍ତି । ମୁଣ୍ଡ ଉପରେ ପଡିଥାଏ ଜଳ ନିରୋଧକ ଖାକିମୁଣି । ତାହାର ମୁହଁ ପାଖଟି ବେଣୀ ଭଳି ପଛକୁ ଓହଳିଥାଏ । ସେଇଠି ଲାଗିଥାଏ ଢାଉ ରଙ୍ଗର ଜଉମୁଦ, ସତେ ଅବା ବେଣୀର କ୍ଲିପ୍ । ସେ ଛୋଟାନୁହନ୍ତି କିନ୍ତୁ ସାମାନ୍ୟ ଛୋଟେଇ ଛୋଟେଇ ଚାଲନ୍ତି । ଏମିତି ଭାବିବାର ହେତୁହେଲା, ବ୍ୟାଗ କାନ୍ଧରୁ ଉତ୍ତୁରି ଗଲେ ସେ ସଳଖ ଚାଲନ୍ତି, ନବାବ ଭଳି । ମୁଁ ଏହାର କାରଣ ଖୋଜେ । ସମ୍ଭବତଃ ସରକାରୀ ଛତାଟି ବାମ କାନ୍ଧରେ ଓହଳାଇ ରଖିଥିବାରୁ ଦେହର ସନ୍ତୁଳନ ପରିବ‌ର୍ତ୍ତିତ ହୁଏ ଯାହା ତାଙ୍କ ଚାଲିକୁ ପ୍ରଭାବିତ କରେ । ତାଙ୍କ ମୁହଁରୁ କେବେ କେବେ ଧାରେ ପାନପିକ ପାଟିର ବାମ କଣରୁ ବୋହିଯାଇଥାଏ । ସେ ଛତା ସେମିତି ନୂଆ ରହିଥାଏ । ମୁଣାଟି ତାଙ୍କୁ ଖରା ବର୍ଷାରୁ ରକ୍ଷାକରେ । ପ୍ରତିବର୍ଷ ଡାକ ବିଭାଗରୁ ପାଆନ୍ତି ବେଶ୍ ମଜବୁତ ଛତା । ପର ବର୍ଷ ନୂଆ ଛତା ପାଇଲା ପରେ, ପୁରୁଣାଟି ନୂଆଥିଲେ ବି ବିକନ୍ତି ନାହିଁ । ତାହେଲେ ଯେତେ ବର୍ଷ ଚାକିରୀ ସେତେ ଛତା ତାଙ୍କ ଘରେ! ତା ବାଦ ପିତ୍‌ତଳ ମୁଠି ଲାଗିଥିବା ତିନିଫୁଟିଆ ମୋଟା ବେତବାଡି ଧରିଥାନ୍ତି ଡାହାଣ ହାତରେ । ପାଞ୍ଚ ଖଣ୍ଡ ଗାଆଁର ସମସ୍ତ ଗୋପନୀୟ ତଥ୍ୟ ସେ ନେବା ଆଣିବା କରୁଛନ୍ତି ଯେ । ବଡମୁଣା ଭିତରେ ଥାଏ ବେଶ୍ ମୋଟା ଚମଡାର ଛୋଟ ମୁଣାଟିଏ, ତହିଁରେ ଟଙ୍କା ଯିବା ଆସିବା କରେ ତାଲା ମରାହୋଇ; ଡାକଘର ଜମାରାଶି ସଞ୍ଚୟ ଓ ଉଠାଣ ପୁଣି ମନି ଅର୍ଡର । ଏଣୁ ସେ ଲାଠି ନଧରିବେ କେମିତି?

ମଟର ସାଇକେଲ ତ ଗାଁରେ ପ୍ରାୟ ନଥାଏ, ଗଲା ଆଇଲା ବେଳେ କେହି ଯଦି ଝପ୍ସୁଭାଇଙ୍କୁ ସାଇକେଲରେ ବସିବାକୁ କହେ, ସେ ରୋକ୍ ଠୋକ୍ ମନା କରିଦିଅନ୍ତି । ଏତେବଡ ନିରପେକ୍ଷ ଦାୟିତ୍ୱରେ ସେ କେମିତି କାହାର ସାହାଯ୍ୟ ନେବେ । ବାଦ ବିବାଦ କେଉଁ ଗାଆଁରେ ନାହିଁ ଅବା । ଅଭିଯୋଗ ହୋଇପାରେ । ସାଇକେଲ ସେ ଚଢିଲେ ନାହିଁ ।

 କିନ୍ତୁ ସମୟ ତାଙ୍କର ସୁନିର୍ଦିଷ୍ଟ ।

କେତେ ସୁନିର୍ଦ୍ଦିଷ୍ଟ! ସେବେଳେ ଦିନ ମଜୁରିଆ ଓ ମୁଲିଆ ମାନଙ୍କର ସମୟ ଅବଧି ଉପରେ ହକ୍ ଜାହିର କରିବାର ବେଳ ଆସିଗଲାଣି । ଝପ୍ସୁଭାଇଙ୍କ ଯିବା ଆସିବା ସେଇଟିକୁ ସ୍ଥିର କରେ ।  ଡାକ ଆଣି ଆସିବା ଦେଖିଲେ ରାସ୍ତାର ଉଭୟ ପାଖରେ କୃଷି ଶ୍ରମଜୀବି ମାନଙ୍କ ଦୁଇ ଓଉତିଆ କାମର ପ୍ରଥମ ପାଳି ସରେ । ଆଉ ତାଙ୍କୁ ଅଟାକାଇବା ସମ୍ଭବ ନୁହେଁ, ସମୟ ଗୋଟାଏ ପାଖାପାଖି । ସେମିତି ଡାକ ଫେରାଇ କୋରେଇ ଗଲାବେଳେ ଏକ ଓଉତିଆ କାମର ଛୁଟି ହୁଏ, ସମୟ ତିନିଟା ପାଖାପାଖି । ଏଣୁ, ସେ ଜଣେ ସମୟ ରକ୍ଷକ ନିଜ ଅଜାଣତରେ । 
ଡାକଘର ପାଖୁ ଝପ୍ସୁଭାଇ ଆସୁଥିବାର ଦେଖିଲେ ମନ ଆନନ୍ଦ ହୋଇଯାଏ ।
“ଝପ୍ସୁଭାଇ ନମସ୍କାର ।”
“ନମସ୍କାର”, ହସି କହିଲେ ସେ ।
“ତୁମେ ଛତାଟି କାହିଁକି କେବେ ଖୋଲୁନ?”
“ମୁଣା ମୋର ସବୁକିଛି, ଛତା କାହିଁକି ଫୁଟାଇବି?”
“ତାହେଲେ ସେଇଟିକୁ ବୋହୁଛ କାହିଁକି?”
“ବୋହୁଛି! ତାହାର କଣ ଓଜନ ଅଛି । ସରକାର ମୋତେ ଛତା ଦେଇନି ବୋଲି ଲୋକେ କହିବେ ଯେ, ମୋ ମାଲିକ ବଦନାମ ହେବନି? ସେଇଟା ମୋ ସରକାରୀ ପୋଷାକ ପରା । ଲୁଙ୍ଗି ଫତେଇ ପିନ୍ଧି ଆମ ଗାଆଁ କୋରେଇରେ ବୁଲେ, କାମକୁ ଆସିଲେ ଧୋତି ଖାକି ପିନ୍ଧୁଛି କାହିଁକି?”
“ତୁମର ବୟସ କେତେ, ଆଉ କେତେ ବର୍ଷ ଚାକିରି?”
“ବୟସ ଚାକିରି ଖାତାରେ ଅଛି, କିଏ ଜାଣୁଛି । ଆରମ୍ଭରେ ମୋ ବୟସ ଅଠର ବର୍ଷ ଲେଖା ହୋଇଥିଲା, ଆଠବର୍ଷ ଅଲଗା ଆଡେ ବୋହୁଥିଲି, ଦଶ ବର୍ଷ ତୁମ ଗାଆଁକୁ ବୋହିଲିଣି ।”
ମୁ ହିସାବ କରିବାରୁ କ୍ଷାନ୍ତ ହେଲି, ଏ ତଥ୍ୟ ସତ ନୁହେଁ । ଆମ ଗାଆଁ ଡାକଘରର ଆୟୁଷ ସେତିକି ହୋଇ ନଥାଏ ।
ଝପ୍ସୁଭାଇ ପୁଣି କହିଲେ । “ମୋ ଚାକିରି ଏମିତି ସେମିତି ନୁହେଁ, ଈନ୍ଦିରା ଗାନ୍ଧୀ କଲମ ମୁନରେ ମୁଁ ପାଇଛି । ମରିବା ପର୍ଯ୍ୟନ୍ତ କାମ କରିିବି। ମୋତେ କିଏ ଛୁଟି କରିବ । କାମ ଏମିତି ଚାଲିଥିବ ।”
କଣ ତହିଁରୁ ମୁଁ ବୁଝିବି?  ଏ କଥାବାର୍ତ୍ତା ବେଳକୁ ଈନ୍ଦିରା ଗାନ୍ଧୀ ଗାଦିରୁ ହଟିଥାନ୍ତି, ପୁଣି ଲେଉଟିବା ପୂର୍ବରୁ । କିଛି ଫରକ ପଡିନି ଝପ୍ସୁ ଭାଇଙ୍କୁ ।
ସେ ବାହାଦୁରିରେ ଏମିତି କହନ୍ତି ନାହିଁ । ଏହାକୁ ନିଜେ ସତ ମଣନ୍ତି ।
କେବେ କେବେ କଥୋପକଥନ ହୁଏ । ଅଧିକ ଦିନ କିନ୍ତୁ ତାଙ୍କୁ ତର ନଥାଏ । ବ୍ୟାଗଟି ମୁଣ୍ଡରୁ ଓହ୍ଲାଇ ଦୁମକିନା ରଖନ୍ତି । ତାଙ୍କ ରଖିବାରୁ ଜଣାପଡେ କିଛି ପାର୍ଶଲ୍ ପ୍ୟାକେଟ ଅଛି କି? ମାଷ୍ଟରଙ୍କୁ ନମସ୍କାର ଜଣାଇ ବାହାରି ଆସନ୍ତି । ବୋଲ ହାକ ଶୁଣନ୍ତି ନାହିଁ, କହନ୍ତି ସେ କୋରେଇ ଷ୍ଟାଫ୍ ତୁଳତୀରେ କାହିଁକି କାମ କରିବେ । ସମ୍ଭବତଃ ସେ କୋରେଇରେ ଠିକ୍ ଓଲଟା କହୁଥିବେ । (ସେ କେଉଁ ଅଫିସର କର୍ମଚାରୀ? ଏମିତି ଏକ ଅମୂଳକ ଅସମାହିତ ପ୍ରଶ୍ନ ସାରା ବାଲ୍ୟକାଳରେ ରହିଗଲା । ଏ ପାହିଛୁଆଁ ଚାକିରିରେ ତାଙ୍କ ଉପସ୍ଥାନଟି ପ୍ରଥମେ ପଡୁଥିବ କୋରେଇ ଡାକଘରେ ।)  ଗୁଡାଖୁ ଟେଳେ ଓ ପାଣି ଲୋଟାଏ ସଂଗ୍ରହ କରନ୍ତି କୃଷ୍ଣସାରଙ୍କ ଘରୁ । ଗୁଡାଖୁ ସମୟଟି ନବାବ ମୁହଁରେ ଜବାବ ଦେବାର ବେଳ । ଏକଥା ସଭିଏଁ କହନ୍ତି । ସେ ପର୍ବ ସରିଲେ ପହଞ୍ଚ‌ନ୍ତି ତାଙ୍କ ଗୋବାରା ଭାଇଙ୍କ ଘରେ । ଆମ ମଧ୍ୟ ଇଂରାଜୀ ବିଦ୍ୟାଳୟର ଅନ୍ୟତମ କଡା ଶିକ୍ଷକ ଶ୍ରୀ ନୃସିଂହ ଚରଣ ମହାରଣାଙ୍କ ବଡଭାଇ ଶ୍ରୀ ଗୋବର୍ଦ୍ଧନ ମହାରଣାଙ୍କୁ ଝପ୍ସୁଭାଇ ସେମିତି ଡାକନ୍ତି । ସେମାନେ ଆମ ଧର୍ମ ମାମୁଁ । ମାଇଁ ବେଲାଏ ପଖାଳ ବାଢି ଦିଅନ୍ତି, ଝପ୍ସୁଭାଇଙ୍କ ଶ୍ରମକଷ୍ଟ ଲାଘବ ହୁଏ ନିଶ୍ଚେ । କେବେ କେବେ ସାହିରୁ ଚୁଡା ବା ଚୁନ ସଂଗ୍ରହ କରିଥାନ୍ତି । ସେତେବେଳକୁ ତାଙ୍କ ଫେରିବା ସମୟ ହୋଇଯାଇଥାଏ । ଡାକବ୍ୟାଗ ବେଳେବେଳେ କୌଣସି ଶେଷମୁହୂର୍ତ୍ତ‌ ଗ୍ରାହକଙ୍କ ପାଇଁ ଡେରି ହେଲେ ସେ ଗରଗର ହୁଅନ୍ତି । କୋରେଇରେ ବିଳମ୍ବରେ ପହଞ୍ଚିଲେ ସେଦିନର ଆମ ଗାଁ ଡାକ ଫେଲ୍ ହେବାର ସମ୍ଭାବନା ଥାଏ । ସେଇକଥାକୁ  ବାରମ୍ବାର କହି ବିରକ୍ତ ହୁଅନ୍ତି ସେ । ଡେରି ହୋଇଯାଇଥିଲେ ସେ ବେଗରେ ଚାଲନ୍ତି ସିନା ଡାକ ଫେଲ୍ ହେବାର ସମ୍ବାବନା ନଥାଏ ।
 ସାହି ବାହାରକୁ ଯିବାକୁ ତାଙ୍କୁ ଆଦୌ ତର ହୁଏ ନାହିଁ । ତାହା ଘଟେ କ୍ୱଚିତ । ଡାକଛୁଟିଦିନ କଦବାୟ କେମିତି ପର୍ବ ପର୍ବାଣି ଥିଲେ ସେ ଆସିବାର ସମ୍ଭାବନା ଥାଏ । ସେଦିନ ସେ ଗାଁର ଅନ୍ୟ ଆଡେ ବୁଲିବାକୁ ଯାଆନ୍ତି; ରଜରେ ପିଠା ଓ ଦଶରାରେ ଭେଟି ସଂଗ୍ରହ କରନ୍ତି । କର୍ତ୍ତବ୍ୟ ବାହାରର ଭିନ୍ନଜଣେ ଝପ୍ସୁଭାଇଙ୍କୁ ଦେଖିଲେ ଖୁସିଲାଗେ । ସେ ବି ହସଖୁସି ଥାଆନ୍ତି । ବ୍ୟାଗ ନାହିଁ ଯେ ସେ ସମସ୍ତଙ୍କଠୁ ଦୂରରେ ରହିବେ!
ଗାଁ ସୁଖ ଆଉ ରହିଲା କେଉଁଠି? ଛାତ୍ରାବାସରେ ରହିଲି ଅଷ୍ଟମ ଶ୍ରେଣୀରୁ । ଲମ୍ବା ଛୁଟି ମାନଙ୍କରେ ଅବଶ୍ୟ ଝପ୍ସୁଭାଇ ଦେଖା ହୁଏ । ନମସ୍କାର ଓ ପ୍ରତି ନମସ୍କାରରେ ଫରକ ପଡେନି । ପଡେନି କେମିତି? ଏଣିକି ମୋ ନମସ୍କାରରେ ମଜା ଦେଖିବା ନଥାଏ । କୃତଜ୍ଞତା ଥାଏ । ପନ୍ଦର ପଇସାର ପୋଷ୍ଟକାର୍ଡଟିଏ ସେହି ଡାକବ୍ୟାଗରେ ଘରେ ପହଞ୍ଚିଲେ କେତେ କେତେ ଛାତ୍ରଙ୍କ ପାଖକୁ ମନିଅର୍ଡର ବୋହିନିଏ ସେଇ ବ୍ୟାଗଟି । ବୟସ ବଢିଲା, ସେହି ବ୍ୟାଗ ବୋହି ଆଣିଲା ପାଟ୍ଟହଂସୀର ଚିଟାଉ, ଲୁହ ଓ ହସର ଓ ସେସବୁର ପ୍ରତ୍ୟୁତ୍ତର । ସେ ମୁଣିରେ ଥାଏ କେତେବେଳେ କାହା ରାଖି, କେତେବେଳେ ନିମନ୍ତ୍ରଣ, କେବେ ଅଭିନନ୍ଦନ ପୁଣି କେବେ ରାଜଦ୍ୱାର ଦଣ୍ଡ ଆଲିଙ୍ଗନ, କେବେ ଯାଏ ତାର(ଟେଲିଗ୍ରାମ୍‌) କାହା ଆସନ୍ନ ବା ମୃତ୍ୟୁର ଖବର । ପ୍ରବାସ ସହ ଗ୍ରାମର ସମ୍ପର୍କର ସେତୁ, ବୋହିନିଏ ମାଆ ଅବା ଭାର୍ଯ୍ୟାର ବେଉରା, ବାଡିଗଛରେ ତିନିକାନ୍ଧି କଦଳୀ ଫଳିଛି, ଛୁଆଙ୍କ ଦେହ ଭଲ ଅଛି, ଦାଦନରୁ ଭାତିଆ ଆସେ ସେ ମୁଣିରେ ।  ସେହି ବ୍ୟାଗ ପ୍ରତି ସମ୍ଭ୍ରମତା ଉଦ୍ରେକ ହେଲା । ସେ ବିଭାଗ ପ୍ରତି ସମସ୍ତଙ୍କ ଆଦର । କେଡେ ନିରୀହ, କେତେ ଆପଣାର, କେତେ ନିରପେକ୍ଷ ଓ କେତେ ନିୟମ ବା ସମୟରେ ବନ୍ଧା । ଏମିତି ଏ ସମାଜରେ କେହି ନାହିଁ, ଉପକୃତ ହୋଇନି ସେ ମୁଣି ମାଧ୍ୟମରେ ।
ଆଉ ତା ବାହାକ ଝପ୍ସୁଭାଇ । ତାଙ୍କ ବୟସ ବଢିନି ମୋ ବୟସ ଅନୁସାରେ । ମୋ ପିଲାବେଳେ ସେ ଯେମିତି ଦିଶୁଥିଲେ ମୋ ଆଖି ଚଷମା ଖୋଜିଲା ବେଳେ ବି ସେ ସେମିତିକା ଥିଲେ । ଥରେ ଭେଟହେଲେ ରାସ୍ତାରେ, ମୁଁ ବାଇକ ଅଟକାଇ କହିଲି, “ଝପ୍ସୁଭାଇ ନାମସ୍କାର” ।
“ନମସ୍କାର”, ସେମିତି ହସି କହିଲେ ସେ ।
ଆସ ମୋ ବାଇକରେ ବସ । ସେ ରାଜକାପୁର ଠାଣିରେ ବେତବାଡିଟିରେ ଡାକମୁଣିକୁ ଶୂନ୍ୟକୁ ଟେକିଦେଇ ପୁଣି ମୁଣ୍ଡ ଉପରେ ଥୋଇଦେଲେ । ମନେହେଲା ସେ କହିଲେ, ଦିଲ୍‌ମେ ହୀନ୍ଦୁସ୍ତାନି, ହମସେ ନେହି ହୋଗା ପୁତର୍ ।
ମନେହେଲା ସେ ପଥ ଓ ଝପ୍ସୁଭାଇର ପାଦ ପରସ୍ପର ପରିପୁରକ । ସେ ବାଟତକ ତାଙ୍କଠୁ ଅଧିକ ସମୟ କିଏ ଚାଲିଛି? ଦିନକୁ ଆଠ କିଲୋମିଟର ସପ୍ତାହକ ଛଅଦିନ, ବର୍ଷକ ବାଉନ ହପ୍ତା ଏମିତ ପ୍ରାୟତଃ ଚାଳିଶିଟି ସାଲ, ଲମ୍ବା ହିସାବ । ଖୁବ୍ ଇଛାହୁଏ ଏକ ଫଳକ ମାରିବାକୁ ଝପ୍ସୁଭାଇ ମାର୍ଗ ।

ତାଙ୍କ ବାବଦରେ ମଜାକଥା ହେଲା, ଯେତେବେଳେ ମନ୍ଦିର ପାଇଁ ଇଟା ସଂଗ୍ରହ ଆନ୍ଦୋଳନ ହେଲା, ତାଙ୍କୁ କେହି କହିଲା, ଝପ୍ସୁଭାଇ ତୁମେ ଦୁଇଟା ଇଟା ଦେଉନା, ଆଉ ସେ ଇଟା ସହ ଦୁଇଟଙ୍କା ବି ଦେଇଥିଲେ । ସେ ଇଟା ଓ ସେ ଟଙ୍କା କଥା ପାଶୋରି ଦେବାକୁ ତାଙ୍କୁ ମୁହୂର୍ତ୍ତୈ ଲାଗିନଥିବ।
ହୁଏତ ଏହି ଝପ୍ସୁଭାଇମାନେ ଏ ମୁଲକର ଆତ୍ମା । ଯେତେବେଳେ ଯେଉଁଠି ଭାରତର ଆତ୍ମା ଉପରେ ଅତ୍ୟାଚାର ଘଟିଛି ପ୍ରଥମ କଥା ମନେ ପଡିଛି ସେଇଠି ଯଦି ଜଣେ ଝପ୍ସୁଭାଇ ଥିବେ ତାଙ୍କୁ କଣ ଗୁଡାଖୁ କି ବେଲାଏ ପଖାଳ ଦେବା ବନ୍ଦ କରୁଥିବେ କେହି? ଉତ୍ତର ଦେଲାଭଳି ସାଧାରଣ ମଣିଷ ସହ ଭେଟ ହୋଇନାହିଁ । ତଥାପି ଅପେକ୍ଷା କରିଛି ବିଶ୍ୱାସର ସହ ।
୨୦୧୪ ମସିହାର କଥା, ଝପ୍ସୁଭାଇ ପରିଚୟ ଦେଇ କେହି ଜଣେ ରୋଗୀ ମୋ ପାଖକୁ ଆସିଥାନ୍ତି । ତାଙ୍କଠୁ ତଥ୍ୟ ମିଳିଲା, ଝପ୍ସୁଭାଇ ଈଶ୍ୱରଙ୍କ ଡକରା ପାଇ ସାରିଥିଲେ, ଆଲ୍ଲାକୋ ପ୍ୟାରା । ଆଉ ଚିଠିର  କି ପ୍ରୟୋଜନ, ଏକଥା ଫୋନରେ ଜଣାଇଥିଲି ପାଟ୍ଟହଂସୀଙ୍କୁ ।
ମୋର କେବେ ସେ ଉତ୍ସାହ ହୋଇନି କାହାକୁ ପଚାରିବାକୁ, ଝପ୍ସୁଭାଇ ସତରେ କଣ ଅବସର ନପାଇବା କର୍ମଚାରୀ ଥିଲେ । ମୋ ମଧ୍ୟରେ ଥିବା ଛୋଟପିଲାର ବିଶ୍ୱାସ, ସେ ପିତ୍ତଳ ମୁଠିଲାଗା ବେତବାଡିରେ ଖେଦିଛି- ଶିକ୍ଷିତ ବୟସ୍କ ମୁଁ’ର ହେତୁ ଯୁକ୍ତିକୁ । ସତ କଣ ସବୁବେଳେ ମିଛଠାରୁ ଭଲ? ସେ ଯାହା ହେଉ, ହେ ପରଲୋକ ଗତ ଝପ୍ସୁଭାଇ, ତୁମ୍ଭେ ନିଶ୍ଚେ ନନ୍ଦନକାନନେ । ହେ ପ୍ରିୟ, ଘେନମୋର ବିଶେଷ ଜୁହାର, ଅନୁମାନ କରିନିଏ ପ୍ରତି ନମସ୍କାର । 

Sunday 5 July 2020

କଣାବୁଢା। (ଏକ ସ୍ମୃତି ଗଳ୍ପ)

କଣାବୁଢା।
ବୁଢା ସହ ଦେଖାହୁଏ ୧୯୯୩ ମସିହା ଶେଷଭାଗରେ। ନୂଆ ଚାକିରି, ଗ୍ରାମ ବୁଦ୍ଧିକୋମନା, ଜିଲ୍ଲା ନୂଆପଡା। ରହିବା ଘର ନଥାଏ, କିଛିଦିନ ବାସ୍ତୁହରା ଇତସ୍ତତଃ ହେବାପରେ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କୋଠରୀରେ ଥାଏ ଅସ୍ଥାୟୀ ଭାବେ। ପତ୍ନୀ ମଧ୍ୟ ଲମ୍ବା ଛୁଟିରେ ଆସିଥାନ୍ତି ଯାଜପୁରର।ବରୀରୁ।
ଏମିତି ସମୟରେ ବନ୍ଦୋବସ୍ତ ବିଭାଗର କାମ ସରିଲା ସେ ଗ୍ରାମରୁ। ସେମାନଙ୍କ ଅଧିକାରୀ ଗାଁ'ଠୁ ଅଧା ମାଇଲ ଦୂର ଇନ୍ଦିରା ଆବାସ ବୃହତ୍ତର କଲୋନୀର ଗୋଷ୍ଠୀ ଗୃହରେ ରହୁଥିଲେ। ସେ ଘରଟି ମୋତେ ମିଳିଲା କିଛିଟା ଜିଦ୍ କରିବା ପରେ।
ସବୁ ଝରକା କବାଟ ଭଙ୍ଗା, କେଜାଣି କେମିତି ସେ ରହୁଥିଲେ? କଲୋନୀଟି ବି ପରିତ୍ୟକ୍ତ ଅନେକାଂଶରେ। ଚାରିଧାଡି ଘର, ସମୁଦାୟ ଚାଳିଶ ଘରରୁ ରହୁଥାନ୍ତି ମାତ୍ର ପାଞ୍ଚ ସାତ ପରିବାର, ସଭିଏଁ ଶବର। ଅନ୍ୟ ସମସ୍ତେ ସେ ସରକାରୀ ଘର ଛାଡି ପଳାଇ ଯାଇଥାନ୍ତି, କେହିଜଣେ ଯୁବତୀ ଆତ୍ମହତ୍ୟା କରିବା ପରେ। ସେମାନେ ପ୍ରାୟତଃ ହରିଜନ।
ମୋ ସହକର୍ମୀ ଜଣେ କହିଲେ,"ସେମାନଙ୍କ ନିଜ ଭିଟାମାଟି ହୋଇଥିଲେ ଛାଡି ଯାଇଥାନ୍ତେ? ଦାଦନିଆଙ୍କୁ ଘରେ ଅଟକାଇବେ ସରକାର! ଗରିବ ଧନୀ ମିଶାମିଶି ରହିଲେ ଭଲ, ପରସ୍ପର ନିର୍ଭରଶୀଳ, ଦିନ, ସପ୍ତାହ, ମାସ ବା ବର୍ଷ ମାପରେ ନୁହେଁ ବରଂ ପ୍ରତି ମୁହୂର୍ତ୍ତରେ।  ଏମାନେ ଦୂରେ ରହିଲେ, ଘରବାଡି ପାଇଲେ ମାଗଣା, ବାହାନା ମିଳିଲା, ଛାଡି ପଳାଇଲେ; ରାୟପୁର, ବିଜୟନଗରମ। କେବଳ ସେତିକି ନୁହେଁ, ଏ ଘରମାନଙ୍କରୁ କବାଟ ଝରକା , କଡି ବରଗା ଓ ଏମିତିକି ବରପାଲି ପାଇଖାନା ଚୋରି ହୋଇଗଲା। କିଏ ନେଲା ଏ ତଥାକଥିତ ଅଛୁଆଁଙ୍କ ପାଇଖାନା?"
 ସେ ସମାଜତତ୍ତ୍ୱ ମୁଁ ସେବେ ବୁଝିଲି କି ନାହିଁ ଜାଣେନି କିନ୍ତୁ ମନେ ରଖିଲି।
(ସରକାର ସେକଥା ଅବଶ୍ୟ ପରେ ବୁଝିଲେ ଓ କଲୋନୀ ବ୍ୟବସ୍ଥା ହଟାଇ ବ୍ୟକ୍ତିଗତ ବ୍ୟବସ୍ଥା କଲେ।)
ପରିତ୍ୟକ୍ତ କଲୋନୀ ଦିଶୁଥାଏ ଭୂତଖାନା ଭଳି, ଯଦିଓ ସବୁ ସୁବିଧା ଥାଏ; କୂଅ, ପୋଖରୀ, ନଳକୂପ, ବିଜୁଳି।
ଘରଟିକୁ ସଜଡା ସଜଡି କରୁଥାଏ। ବୁଢାଟିଏ ଆସି ନୀରବରେ ଠିଆହେଲା ଏକ ବିଚିତ୍ର ଢଙ୍ଗରେ। ଡେବିରି ହାତରେ ଧରିଥାଏ ଖୋକରା ଗଣ୍ଠି କାଠଟିଏ, ଉଈ ଚରୁଥାନ୍ତି ତା ଭିତରେ ଓ ବାହାରେ। ଉଈମାନେ ତା ହାତ ଉପରେ ବି ଚରିବୁଲୁ ଥାନ୍ତି। ମୁହଁରେ ତାହାର ଥୁଣ୍ଟା ଥୁଣ୍ଟା ପାଚିଲା ଧଳା ଦାଢି। ସେ ଉଈ ମାନେ ବି ତା ହାତରେ ସେମିତି ଧଳା ରଙ୍ଗର ଭ୍ରମଣ ରତ ଥୁଣ୍ଟା ଦାଢିର ଭ୍ରମ ସୃଷ୍ଟି କରୁଥାଏ। ଖାଇ ହାତରେ ଧରିଥାଏ ଏକ କୁକୁଡା ଚିଆଁ। ଚିଆଁଟି ପଳେଇବାକୁ ବିକଳ ନହୋଇ ଟୁକ୍ ଟାକ୍ ଗିଳି ଚାଲିଥାଏ ଉଈ ମାନଙ୍କୁ। ଯେମିତି ସେ ମାଆର ଉଷୁମ କୋଳରେ। ମୁଁ ଚାହିଁଲି। କେମିତି ଏକ ଚମକ ପାଇଲି। ସେ ଚମକଟି ଭୁଲିନି ବୋଲି ତ ଏତେ ବର୍ଷ ପରେ କଥାଟି ଲେଖୁଛି। ଯେମିତି ବୁଢାର ଜିଦ୍, ଗୋଟେ ବି ଉଈ ବାଦ ପଡିବନି, ସବୁତକ ଚିଆଁ ଚଳୁ କରି ଦିନକରେ ବଢିଯିବ।
ସେ ମୋତେ ଆଗରୁ ଚିହ୍ନି ନଥାଏ, ହଠାତ୍ କଥା ହୋଇ ପାରିଲା ନାହିଁ। କିଛି ସମୟ ପରେ ଅବଶ୍ୟ କହିଲା। "ଆଜ୍ଞା, ଦେଖୁଛନ୍ତି ତ କେମିତିକା ଉଈ ଯାଗା ଇଏ। ଆଲକାତରା ଲଗାନ୍ତୁ କବାଟ ଝରକାରେ।"
ତୁମ ନାମ କଣ?
ସେ ହସିଲା, ତା ଛାମୁଦାନ୍ତ ଦୁଇ ତିନୋଟି ଗଳି ପଡିଛି। ତା ନାମଟି ମୋତେଶୁଭିଲା ଆଶାରାମ। ମୋ ସହକର୍ମୀ ଏହା ବୁଝିପାରି କହିଲେ, "ଆଶାରାମ ଭାବିଲେକି ସାର୍? ପ୍ରକୃତରେ ସେ କହୁଛି ଆତ୍ମାରାମ। କେଇଟା ଦାନ୍ତ ନଥିବାରୁ ସେମିତି ଶୁଭୁଛି। ଆପଣ ମନୋଜ ଦାସଙ୍କ ଗପ ପଡ଼ିଛନ୍ତି? ସମାନ ପରିସ୍ଥିତିରେ ଷ୍ଟିୱର୍ଟ ସାହେବ କେମିତି ଶୁଆ ସାହେବ ବୋଲି ଡକାହେଲେ। ତେବେ ତାକୁ ସମସ୍ତେ କଣା ବୁଢା ଡାକନ୍ତି।"ମୁଁ ଚାହିଁଲି ବୁଢା ମୁହଁକୁ, କାଇଁ କଣା ଭଳି ଜଣା ପଡୁନି ତ!
ଆତ୍ମାରାମ ହସିଲା, ଡାକୁନ ଯାହା ଡାକୁଛ, ମୋ ସାଙ୍ଗି ମଣିଷ ସବୁ ଚାଲିଗଲେ, ମୁଁ ବଞ୍ଚିଜୀଇ ରହିଛି, ନାଁ'ଟି କଣା ବୋଲି ଯମ ଅସୁଖ ପାଉଛି ମତେ। ଆଜ୍ଞା, ମୋର କେହି ଭାଇ ଭଉଣୀ ବଞ୍ଚୁ ନଥିଲେ, ସେଇଥିପାଇଁ ମୋତେ କଣା ଡାକିଲେ। ଦିଶିବାରେ ଅସୁବିଧା ନାହିଁ, ଏ ଉଈ ମାନଙ୍କ କୁନି କୁନି ଗୋଡ ବି ଖାଲି ଆଖିରେ ଦେଖି ପାରୁଛି।

 ଆମେ ରହିଲୁ। ବୂଢା ଘର ସେଇଠି ପାଖରେ, ଚାରିକଡ ଅରଣା। ଅଘରଦ୍ବାର ଘୋଟିଛି ଝୁଡୁଙ୍ଗ ଲତା।  ଆଉ ଭଳିକି ଭଳି ପରିବା ସାମାନ୍ୟ ମାତ୍ରାରେ କିନ୍ତୁ ଝୁଡୁଙ୍ଗ ଘୋଟି ଯାଇଛି। ଖପର ଘରଟି ସମ୍ପୂର୍ଣ୍ଣ ଭାବେ ଘୋଡେଇ ହୋଇ ପଡିଛି ଝୁଡୁଙ୍ଗ ଲତାରେ। ତା ଘରକୁ ଯିବାରାସ୍ତାର ଦୁଇକଡ ଓ ଉପରେ ଝୁଡୁଙ୍ଗ ଝୁଲୁଛି, ସବୁଆଡେ ଗହଳ ଛାଇ। ସେ ବିକ୍ରି କରେ ବେହିସାବୀ।
ଏଗୁଡା ତୁମେ ଲଗାଇଛ?
ନାଇଁ ଆଜ୍ଞା, ବୁଢୀ ଲଗାଇଥିଲା। ପାଞ୍ଚ ବରଷ ହେଲାଣି ତା ଯିବା। ହେଲେ ଏ ବରବଟି ଶାଗ ସରୁନି। ସବୁ କଣ ତୋଳି ପାରିବା, ମଞ୍ଜି ଛାଆଁକୁ ପଡିବ,  ପୁଣି ଆରବର୍ଷକୁ ମାଡିବ। କେହି ନେବେନି, ଗୋରୁ ମେଳଛା ଖାଇବେନି, ବୁଢ଼ୀ ଜଗିଛି। କିନ୍ତୁ କାହିଁ, ମୋତେ ତ ଦିନେ ଦେଖା ଦେଉନି କି କଥା ହେଉନି! କିନ୍ତୁ ସେ ନଥିଲେ ଏ ବରବଟି କଣ ଥାଆନ୍ତା, ଆଉ କାହା ବାଡିରେ ଫଳୁନି ତ! ପୁଣି ସମୟ ଅସମୟ ନାହିଁ, ବାରମାସୀ ହୋଇଯାଇଛି। ବୁଢ଼ୀ ନିଶ୍ଚେ ଜଗିଛି। ଯଦି ସେ ନଥାନ୍ତା, ମୁଁ କଣ ଏ ଅରଣାରେ ଏକୁଟିଆ ରହିପାରନ୍ତି, ଡର ଲାଗନ୍ତା ନାହିଁ। ଏଠି ମାଳ ମାଳ ନାଗ ସାପ, ଡରିବେ ନାହିଁ ଆଜ୍ଞା, ମାରିବେ ନାହିଁ ତାଙ୍କୁ। ହେଇ ଦେଖୁଛ, ଗ୍ରାମ ଦେବତୀ ମା ବସ୍ତରଣୀ ସେଇଠି ଅଛନ୍ତି ସେ ଖୁବ୍ ମୋଟା ଶିଶୁ ଗଛମୂଳେ। ଆଜ୍ଞା ତୁମେ ଜାଣନି, କେମିତି ଜାଣିବ, ପଚାରୁନା ତୁମ କୁମ୍ପାଉଣ୍ଡରଙ୍କୁ ସେ ଜାଣିଛନ୍ତି ଏ ସାପ ମାନଙ୍କ ମାଲିକ ହେଲେ ମା ବସ୍ତରଣୀ। ସେମାନେ କାହାକୁ କାମୁଡିବେ ନାହିଁ। ତୁମେ ଯମା ତାଙ୍କୁ ପିଟିବ ନାହିଁ। ଆମ ବୁଢ଼ୀ ଯାଇ ମାଆଙ୍କୁ କହିଦେବ, ଆମ ପୁଅ ବୋହୂ ଅଛନ୍ତି, ତାଙ୍କୁ ସାହା ହୋଇଥା ମାଆ। ବଞ୍ଚିଥିଲା ବେଳେ ନିଇତି ମାଆଙ୍କୁ ଫୁଲ ଚଢାଉଥିଲା।
ଆତ୍ମାରାମ ଆଉ କାମ ପାଇଟି କରିବା ବୟସରେ ନଥିଲା। ସମୟ ତା ପାଖେ ଥିଲା ପ୍ରଚୁର। ଝୁଡୁଙ୍ଗ ବିକି ଚଳେ। ବାକି ସମୟ ସେ କବିତା ଲେଖେ। ଲେଖେନି ମ, କେମିତି ଲେଖିବ ମୂର୍ଖ ଲୋକ, କବିତାରେ ଜୀଏଁ, ସେଦିନ ଯେମିତି ସେ ଚିଆଁକୁ ଉଈ ଖୋଉଥିଲା ସେମିତି। ଏମିତି କେତେ କେତେ ବିଚିତ୍ର କଥା କରେ। ଆମ ଘରେ ବସେ, ଛୋଟିଆ ବାଲ୍ଟିରେ ନଳକୂପରୁ ପାଣି ଆଣି ଦିଏ। ଘର ଓଳେଇ ଦିଏ। କହିଲେ କରିବ ନାହିଁ, ମନକୁ ମନ କରିବ। ସେ ରାନ୍ଧିବି ଜାଣେ, ଜାଣିବ ନାହିଁ କେମିତି, ବୁଢ଼ୀ ମଲାପରେ କିଏ ତାକୁ ରାନ୍ଧି ଦେଉଛି ଯେ। ଦିନେ ତରକାରୀ ଆଣି ଦେଲା, ଆମେ ଖାଇଲୁ।
ତୁମେ ତ ଭଲ ରାନ୍ଧୁଛ- ପତ୍ନୀ କହିଲେ।
ବନ୍ଦୋବସ୍ତ ଆଜ୍ଞା ଥିଲେ, କିଏ ରାନ୍ଧୁଥିଲା କି ଆଉ। ସବୁ ମୁଁ କରେ ମା। ଆଜ୍ଞା ହୁକୁମ ଦେଲେ ରାନ୍ଧନ୍ତି। ନରାନ୍ଧିଲେ ବି ସାହାଯ୍ୟ ତ କରନ୍ତି।- ସେ କହିଲା।
ବୁଢାର ଏତେଗୁଣ, ଆମେ ଜାଣି ନଥିଲୁ। ତେଣିକି ସେ ଆମ ଘରେ ଧରାବନ୍ଧା ସାହାଯ୍ୟ କଲା। ଭୋଜନ ମୁଠାକରେ ତା'ର ସଉକ। ଦରମା ନେଉଥିଲା କି ନାହିଁ ମନେ ନାହିଁ।
ସେଠାରେ ରହିବାର ପ୍ରଥମ ଦୁଇମାସ ଆମେ ଆମିଷ ଖାଉଥିଲୁ। ସେଦିନ ତା ମନ ଖୁସି ଥାଏ। କେଉଁଦିନ ବଜାରରୁ ଆମିଷ କିଣା ହୁଏନି। କେହି ନା କେହି ଆଣି ଦେଇଯାଏ। ମାଗଣା ନୁହେଁ ବରଂ ବଜାର ଦରରୁ ଅଧିକ। ଦିନେ ରାତି ପ୍ରାୟ ଆଠଟାରେ ଜଣେ କୁକୁଡାଟିଏ ଆଣି ଆସିଲା। ଆଜ୍ଞା, ନରଖିଲେ ନହୁଏ, ଘରେ ଚାଉଳ ନାହିଁ। ମୁଁ ବନେଇ ଦେବି।- କହିଲା ଲୋକଟି।
ଏଣେ ଦେଖିଲା ବେଳକୁ ଆମ ରୋଷେଇ ଅଧା ସରିଥାଏ। ତେଲ ବି ସରି ଯାଇଥାଏ। ମାଂସ ରାନ୍ଧିବା ଭଳି ମସଲା କିଛି ନଥାଏ।
ବୁଢା ଘରକୁ ଗଲା, ସବୁକିଛି ଧରି ଆସିଲା।
ନପଚାରିଲେ ବି ସେ କହିଲା- ଦେଖୁଛ ମାଆ, ତୁମ ଘରୁ ଲୁଚାଇ ଚୋରାଇ ନେଇ ରଖିଥିଲି ବୋଲି ସିନା କାମରେ ଲାଗିଲା।
ସତେ ଯେମିତି, ଚୋରି ନୁହେଁ ସଞ୍ଜୟ। ଆମେ ଦିହେଁ ଆଜି ବି ମନେ ପଡିଲେ ହସୁ।
ସେଦିନ ସେ ଅଧିକ ଫୁର୍ତ୍ତିରେ ମସଲା ବଟା ଇତ୍ୟାଦିରେ ସାହାଯ୍ୟ କରିଥିଲା।ମଜାକଥା ହେଲା, ଫେରିଲାବେଳେ ସେ ତେଲବୋତଲକୁ ପୁଣି ନେଇଗଲା। ଚୋରି ସିନା କେବେ କରିଥିଲା, ଆଜି ତ ତା ନିଜଘରୁ ଆଣି ଦେଇଥିଲା ନା, ଯଦି ସେ ଚୋରି କଥା ନକହିଥାନ୍ତା? ଲାଗିଲା ସେ ଭାବୁଛି ସେଇଟା ତା ହକ।

ହକ ନହେବ କାହିଁକି?
 ଦିନେ ଛୁଟିଦିନ ଅପରାହ୍ନରେ ଡିଉଟି ନଥାଏ। ବିସ୍ତୀର୍ଣ୍ଣ କଲୋନୀ, ନିର୍ଜନ ଇଲାକାର ରାଜା ରାଣୀ ଆମେ। ସୂର୍ଯ୍ୟ ଆମ ରାଇଜର ପଶ୍ଚିମରେ, ଈଷ୍ଟଦେବୀ ବସ୍ତରଣୀଙ୍କ ପୃଷ୍ଠଭୂମିରେ ଥିବା ପାହାଡ ଉପରେ। ଡାହାଣୀଆ ଖରା ପଡିଥାଏ। ସବୁଆଡେ ନୀରବତାର ରାଜୁତି। ଆମେ ଦିହେଁ ଗଲୁ କଲୋନୀର ପୋଖରୀ ଆଡକୁ। ମଧ୍ୟମ ଆକାରର ପୋଖରୀ, କାଚକେନ୍ଦୁ ପରି ସ୍ବଛ ନୀର। ବ୍ୟବହୃତ ହେଉନଥିବାରୁ ଅସନା ନୁହେଁ। ପାଣି ଭିତରେ ପଶିଲୁ। ପରସ୍ପରକୁ ଛାଟିହେଲୁ। ତଳେ ବାଲିସରା ପଙ୍କ ନାହିଁ। ଅସମୟ ନହୋଇଥିଲେ ହୁଏତ ସେଇଟିକୁ ସୁଇମିଂ ପୁଲ୍ ହିସାବରେ ସେଦିନ ବ୍ୟବହାର କରିଥାନ୍ତୁ। ସେଠି ବିପଦ ନାହିଁ, କେତେଥର ମୁଁ ଏକା ଆସି ବେଶ୍ ସମୟ ଗାଧୋଇଛି। ଏତେ ଗଭୀର ନୁହେଁ। ଆମେ ଆସି ପୋଖରୀ ଆଡିରେ ବସିଲୁ ନୀରବତା ବି କେବେ କେବେ ବିଶେଷ ପରିସ୍ଥିତିରେ ଲାଗେ ଖୁବ୍ ରୋମାଣ୍ଟିକ। ଗୋରୁଗାଈ ଛାଡ ସମୟ। ଗାଈଆଳ ନଥାନ୍ତି। ସେମାନେ ଗ୍ରାମମୁଖୀ ଫେରୁଥାନ୍ତି। ଫେରିଲା ବେଳେ ବି ଘାସ କେରେ ଦେଖିଲେ ମୁଁହ ଲଗାଉ ଥାନ୍ତି।
ଦେଖିଲ ସେଇଟା କି ସାପ?- ପତ୍ନୀ ପଚାରିଲେ, ସମ୍ଭବତଃ ଡରରେ ମୋ ଆଡକୁ ଘୁଞ୍ଚି ଆସି। ସ୍ବାପଦଟି ଆମଠୁ ମାତ୍ର ଦଶମିଟର ହେବ ଦୂରତାରେ ବେଗରେ ଯାଉଥିଲା ଠିକ୍ ଗୋଧୁଳି ଅନୁସରଣ କରି। କ୍ରମେ ସେ ବେଫିକର ଗୋରୁ ମାନଙ୍କୁ ଅତିକ୍ରମ କରି ଚାଲିଲା। ସେଇଟି ବଡ ଏକ ନାଗ ସାପ।
ଯଦି କେଉଁ ଗୋରୁର ଖୁରା ତା ଉପରେ ପଡିଯିବ? ସେ ପ୍ରତି ସାପର ନଥାଏ ଖାତିରି। ସେମିତି ସେ ଗାଈଗୋରୁ ମାନେ ବି ସ୍ବଭାବିକ ଚାଲୁଥାନ୍ତି ସାପ ପ୍ରତି ବେଫିକର। କେବେ କବେ ଆମେ ଦିହେଁ ଏକଥା ସ୍ମରଣ କରି ଶିହରି ଉଠୁ। ପ୍ରକୃତି କେତେ ଉଦାର।
ହେଲେ ଆମେ ସେଦିନ ଶିହରି ଉଠିଲୁ କଣାବୁଢାର ଡାକରେ। ସେ ଡାକରେ ଉଦାରତା ନଥିଲା, ଥିଲା କଡା ତାଗିଦ।
ଏଠି ଏ ସମୟରେ ଏମିତି ବସନ୍ତି? ଏଇଟା ସେ ଦୋଉଡି ଦିଆ ଟୁକେଲ୍'ର ଏ ଦିଗରେ ଯିବା ସମୟ।। ଏଇଠି ସେ ନିତି ଗାଧାଏ। ସେ ପାଇଁ ଏ ବନ୍ଧକୁ କେହି ଆସନ୍ତି ନାହିଁ। ହ୍ୟାପ ବେମୁରବା, ବଡ ବଡଙ୍କୁ ପଚରାଉଚରା ନାହିଁ।
ସବୁ ରୋମାନ୍ସ ବରଫ ହୋଇଗଲା। ମନେହେଲା ବୁଢାର ପିଲାଛୁଆ ସିନା ନାହାନ୍ତି ହେଲେ, ବୟସ ତାକୁ ବାପା ଅବା ଜେଜେ କରିଦେଇଛି। ପରିବାର ବାଦ୍ ଏମିତି ଅନ୍ତରଙ୍ଗ ତାଗିଦ ଆଉ ପ୍ରାୟ କେହି କେଉଁଠି କରି ନାହାନ୍ତି। ହୁଏତ ତା ସୁପ୍ତ ମନରେ ଆମକୁ ପୁଅ ବୋହୂ ଭାବି ନେଲା ସେ। ଆମେ ସୁନାପିଲା ପ୍ରାୟ ଫେରି ଆସିଲୁ। ଆଉଦିନେ ଏଠାକୁ ଆସି ଗାଧେଇବାର ଭାବନା ସବୁଦିନ ପାଇଁ ମରିଗଲା।
ଯେଉଁ ପାଖରେ ବୁଢା ଘର, ତାହାର ବିପରୀତ ପାର୍ଶ୍ଵରେ ରହୁଥାନ୍ତି ଆଉ ଏକ ପରିବାର। ବୁଢାଟିଏ ଓ ବୁଢ଼ୀଟିଏ। ସେମାନଙ୍କର ବିଶେଷତ୍ୱ ହେଲା, ଖୋଲା ପଡିଆରେ ପିଢା ଉପରେ ବସାଇ ବୁଢ଼ୀ ବୁଢାକୁ ତେଲ ହଳଦୀ ଲଗାଇ ଗାଧୋଇ ଦିଏ ନିୟମିତ ବ୍ୟବଧାନରେ। ଏ ଅଜବ କଥା ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥାଏ। ଆମେ ଦିନେ ଏକଥା ଗପକରି ହସୁଥିଲୁ। କଣାବୁଢା ବାବଦରେ ସଚେତନ ନଥିଲୁ। ଏତେ ନିରୀହ ସେ, ଯଚେଇ ହୋଇ କହିଦେଲା, "ତା ବୁଢ଼ୀ ତା'ର ବହୁତ ଜତ୍ନ ନେଉଥିଲା। ଜଡିବୁଟି ପକାଇ ପାଣି ଫୁଟାଇବ, ତାକୁ ଥଣ୍ଡା କରି ତହିଁରେ ବୁଢାକୁ ଗାଧୋଇ ଦିଏ। ସେହି କାରଣରୁ ତାକୁ କିଛି ରୋଗ ନାହିଁ। ତା ବୁଢୀ ତା'ର ନିଜ ମାଇକିନା ଥିଲା। ଆଉ ସେ ଯେଉଁ ଜଟିଆ ଶବର ସେଇଠି ଗାଧୋଉଛି, ସେ ତା ବୁଢୀକୁ କେଉଁଠୁ ଉଡାଇ ଆଣିଛି, ତା ସ୍ବାମୀ ଓ ପିଲାଛୁଆଙ୍କଠୁ। ଜଟିଆ ବି ଏଇ ବୁଢୀ ପାଇଁ ତା ଘର ପରିବାର ଛାଡିଛି। ଲାଜ ନାହିଁ ଯା ଲୋକ ଦେଖାଣିଆ ମେଲା ପଡିଆରେ ଗାଧୋଉଛନ୍ତି, ଛି।
ଲାଗିଲା, ବୁଢା ଈର୍ଷାରେ କହୁଛି।
ଅବଶ୍ୟ ତା କଥାଟି ସତ ବୋଲି ଅଚିରେ ଜଣା ପଡିଲା। ଦିନେ ଜଟିଆ ଓ ତା ବୁଢୀ ଝଗଡା ଲାଗିଲେ। ଉଭୟ ସତ ଉଗାଳି ପକାଇଲେ। ଏ କହୁଥାଏ, ତୁ କ'ଣ ମୋ ନିଜ ମରଦ, ସେ କହୁଥାଏ ତୁ କଣ ମୋ ନିଜ ମାଇଝି!
ଏ ବି ବିଚିତ୍ର।
କିଛିଦିନ ପରେ କଲୋନୀର ଚନ୍ଦ୍ରା ନାମ୍ନୀ ଝିଅଟିଏ ଆସି ବାସିକାମ କଲା। କଣାବୁଢା ଗରଗର ହେଲା। ସେ କରିବ ନାହିଁ କି କାହାରିକୁ କରାଇ ଦେବନି। ସେ ଝିଅ ଥରେ ସୁନା ଜିନିଷଟିଏ ପାଇ ଫେରେଇ ଦେଲା। ପତ୍ନୀ ଏକଥାକୁ ତାରିଫ କଲେ। ବୁଢା କହିଲା, ଏତେ ଖୁସି ହେବା ଭଲ ନୁହେଁ। ତା ମା ଗୁଣୀ ଗାରିଡି ଜାଣିଛି। କେତେବେଳେ ଆଜ୍ଞାଙ୍କୁ ଓଷଦ କରିଦେବ ଯେ ପାନେ ପାଇବ। ଅବଶ୍ୟ ବୁଢା କଥାକୁ କୌଣସି ଗୁରୁତ୍ୱ ଦେଇ ନଥିଲୁ ଆମେ।

ଆଉ ଜଣେ ସେ କଲୋନୀରୁ ପୋଲିସ ବିଭାଗରେ କନେଷ୍ଟବଳ କାମ କରୁଥାଏ। ନାମଟି ବିସ୍ମୃତ, ସେ ସବୁବେଳେ ମଦ ପିଉଥାଏ, ମଦ ପିଇ ଆମ ବିରୁଦ୍ଧରେ ଗପେ। କଣ ହୋଇଥିବ ସମ୍ଭାବ୍ୟ କାରଣ? ବୁଢା କହିଲା, "ଏ କଲୋନୀରୁ ଯେତେ ସବୁ କବାଟ ଝରକା, ପାଇଖାନା ଚୋରି ହୋଇଗଲା ସେଗୁଡା ସେ କରିଛି। ଲୋକେ ତା'ଠୁ ନିଅନ୍ତି। ଗାଁ ଟୋକାଏ ଭୋଜିକରନ୍ତି ଏହି ଘରେ, ମଦ ମାଉଁସ ପାଏ। ତୁମେ ରହିଲ, ଏବେ ସେସବୁ ବନ୍ଦ। ସେଇଥିପାଇଁ ସେ ଗରଗର। ସିଏ ମଝିରେ ଚାକିରିରୁ ତଡା ଖାଇଥିଲା। ତା'ର ବେଶି ରାଗ ମୋ ଉପରେ, ମୁଁ କାହିଁକି ମରୁନି, ମଲେ ମୋ ଘର ମାଡି ବସନ୍ତା।"
କଲୋନୀରେ ଆମେ ଭାବୁଥିଲୁ, ଏ ନିର୍ଜନ ଦ୍ବୀପରେ- ଦେଖଇ ନେତ୍ର ଯାହା ଚୋଉଦିଗରେ, ତା'ର ଅଧୀଶ୍ବର ଆମେ' କିନ୍ତୁ ଆମେ ତାହେଲେପ୍ରଜା ମାତ୍ର। ତଥାପି ସେ ଯୁବକ ସହ ହସି ହସି କଥା ହେଉ। ମଦ ନପିଇଥିଲେ ସେ ପୋଲିସିଆ ସାଲ୍ୟୁଟ୍ ପକାଏ, ସମ୍ଭ୍ରମତାର ସହ ଆମ ଭଲମନ୍ଦ ପଚାରେ, ତା ଟିକି ଟିକି ପିଲା ମାନଙ୍କ ଦେହ ପା ହେଲେ ଔଷଧ ନିଏ। କିନ୍ତୁ ମଦ ପିଇଲେ ତା ଅବଚେତନ ଉଦ୍ଭାସିତ ହୁଏ, ସେ ବା କଣ କରିବ?
ମଣିଷର ମନ ତଳର କଥା ଅନୁଭବ କରିହୁଏ ଧୀରେ ଧୀରେ ବୟସ ପଚିଶ ଟପିଲେ।
ଆଉ ଏକ ପରିବାର ଥାଏ, ତିନି ଚାରିଟି ପିଲା ଟୁକେଲ୍, ବାପାଟିଏ। ମାଆ କାହା ସହ ପଳାଇ ଯାଇଛି ଛୁଆଙ୍କୁ ଛାଡି। ବାପଟି ବଡ ହୀନସ୍ତା। ବୁଢା ଗପେ, "ଏବେ ଭାବିଲେ କଣ ହେବ? ଶଅର ଘର, କନିଆ ଆଣିଥିଲା ଉଚ୍ଚ ଜାତିରୁ, ଗୋତ୍ର ସୁମରି ବାହୁଡିଲା, କାନ୍ଦିଲେ କି ହେବ?।"
ସମୁଦାୟ ପରିବାରଙ୍କ କଥା କହିଲି, ସମସ୍ତେ ଗୋଟେ ଗୋଟେ କାହାଣୀ। ଆମେ ନୋହୁଁ କି? ଏ ଦୁନିଆରେ ଯେତେ ଲୋକ ଚଳ ପ୍ରଚଳ ହେଉଛନ୍ତି, ତାଙ୍କ ବାବଦରେ ବୁଝିଲେ, କୁଢ କୁଢ କାହାଣୀ ହେବ। ଜୀଅନ୍ତା ଇତିହାସ ମାନଙ୍କ ଚଳପ୍ରଚଳରେ ଚଞ୍ଚଳିତ ଏ ସମାଜ। ପୁଣି ଯେତିକି ସେମାନଙ୍କ ବିଷୟରେ ଜଣା ତହୁଁ ଅଧିକ ଥିବ ଅଜଣା। ଆହା! ସେସବୁ କେମିତି ଜାଣନ୍ତି କି? ଜାଣିଲେ ଭଲ ହେବ? ଜାଣିବ ନାହିଁ ଯଦି, ସୁଖ ଦୁଃଖ ବାଣ୍ଟିବ କେମିତି! ମନେହୁଏ ଯେତେ ସବୁ ଖୁସିବାସର ଚଳନି କେବଳ ଉପର ଠାଉରିଆ, ଛଳନା ମାତ୍ର। ସନ୍ତୋଷ ଅନୁଭବ ହେଲା, ଅତି କମରେ ଏ କଣାବୁଢା ବାବଦରେ ତ ଜାଣିଛୁ। ଜାଣିଛୁ? କଣ ବା ଜାଣିଛୁ?
କଣ ହେଲା କେଜାଣି, ଆମେ ଆମିଷ ଖାଇବା ଛାଡିଦେଲୁ। ଏଣିକି ଲୋକେ ଆଣି ଯଚେଇ ହୋଇ କୁକୁଡ଼ା ବିକିଲେ ସେମାନେ ସେମିତି ରହିଯାଉଥିଲେ। ଘର ଚାରିକଡରେ ଯେଉଁ ହତା ବନାଇଥିଲୁ ବାଉଁଶ ତଲେଇ ଯୋଡିଯାଡି, ବୁଢା ଓ ମୁଁ ମିଶି ତା ମଧ୍ୟରେ ଏକ କୁକୁଡା ଘର କଲୁ। ଯାହା ମନେ ପଡେ ପ୍ରାୟ ଏଗାରଟି କୁକୁଡା ଥିଲେ। ସେମାନେ ବୁଲିଚରି ଖାଆନ୍ତି, ସଂଧ୍ୟାରେ ତାଙ୍କ ଘରେ ଢୁକନ୍ତି। ଆମେ ସେ ଘରର କବାଟ କିଳି ଦେଉ। ବିସ୍ତୀର୍ଣ୍ଣ ଇଲାକାରେ ସେମିତି କିଛି ଅସନା ଲାଗେନି ସେମାନଙ୍କ ସହାବସ୍ଥାନ।
ଶୀତ ଦିନ, ଯୁବକସଂଘ କ୍ରୀକେଟ ମ୍ୟାଚ କଲେ। ପୁଳାଏ ଟିଣ ଚେୟାର ରାତିରେ ମୋ ହତାରେ ରଖନ୍ତି ଓ ପୁଣି ଦିନବେଳା ନେଇ ଯାଆନ୍ତି।
ଦିନେ ସକାଳୁ ଜଣାଗଲା, ଗତ ରାତିରେ ଚୋରି ହୋଇ ଯାଇଛି। ଗୋଟିଏ ଛାଡି ସବୁତକ କୁକୁଡା, ବୁଢାଘରୁ ଟାଣିଥିବା ମୋଟା ବିଜୁଳି ତାର ଓ ବୁଢାର ସର୍ଭିସ୍ ତାର। ପରେ ଜଣାଗଲା, କେତେଖଣ୍ଡ ଚେୟାର ବି ଉଭାନ।
ପୋଲିସ ବାବୁ ଜଣଙ୍କ ତା ପୋଲିସିଆ ବୁଦ୍ଧି ଲଗାଇ କହୁଥିଲେ, ତିନି ଦଳ ଚୋରି କରିଛନ୍ତି। ଗନ୍ଧକର୍ପୁର ଓ ଚାଉଳ ମିଶାଇ କୁକୁଡାଙ୍କୁ ଖୋଇଲେ ସେମାନେ ନିର୍ବାକ ନିସ୍ତେଜ ହୋଇଯାଆନ୍ତି। ସେମିତି କରି କିଏ ନେଇଛି, ନଚେତ୍ ଏତେଗୁଡିଏ କୁକୁଡା ରାବରେ ନିଦ ଭାଙ୍ଗିଥାନ୍ତା। ଦୈବାତ୍ ଗୋଟେ ରହି ଯାଇଛି। ବିଜୁଳି ତାର ଚୋରି କରିଛି ଅନ୍ୟ କେହି। ଏବଂ ଚେୟାର ଚୋରି କରିଛି ଆଉଜଣେ।
ସେ ଗଲାପରେ, ବୁଢା କହିଲା- ଆଜ୍ଞା ବୁଝୁନ୍, ସେ କିପରି ଏତେ କଥା କହିଲା। ସେ ବୋଧେ ଏହା ମଧ୍ୟରୁ ଗୋଟିଏ ଚୋରି କରିଛି; କୁକୁଡା କିମ୍ବା ତାର। ତାକୁ ଆଶ୍ଚର୍ଯ୍ୟ ଲାଗୁଛି ସେପାଇଁ ଅନ୍ୟ ଚୋରି ଦେଖି।
ହଁ ହୋଇଥିବ। ସେହି ଦିନ ତାର ଟଣାଟଣି କଲୁ। ପିଲାମାନେ ଆଉ ଚେୟାର ରଖିଲେ ନାହିଁ। ରହି ପଡିଥିବା କୁକୁଡାଟି ସେମିତି ଚରିବୁଲିଲା। ଆମକଥାକୁ ନେଇ ବୁଢା ଚାରିଆଡେ କହି ବୁଲିଲା, "ଖବରଦାର ସେଇଟି ମା ବସ୍ତରଣୀଙ୍କ କୁକୁଡା, ଯିଏ ଖାଇବ, ରକ୍ତ ଝାଡାହୋଇ ମରିବ।"
ଏହାର କିଛିଦିନ ପୂର୍ବେ, ତତ୍କାଳୀନ ସିଡିଏମଓ ଡା ପ୍ୟାରୀମୋହନ ସିଂହ ଦିନେ ସଦୟ ଅତିଥି ହୋଇଥିଲେ। ପତ୍ନୀ ତାଙ୍କରି ନିଜ ଇଲାକାର ଝିଅ। ସେଦିନ ବୁଢା ଓ ମୁଁ ବେଶ୍ ଭଲଭାବେ ରାନ୍ଧି ଖୁଆଇଲୁ ସାରଙ୍କୁ। କୁକୁଡ଼ାଟି ଗାଁରୁ କିଣି ଆଣିଥିଲୁ। ପତ୍ନୀ, କୁନିପୁଅ ସାୟମକୁ ଧରି ମହାଶୟଙ୍କ ସହ ଆଳାପରେ ସମୟ କାଟିଥିଲେ। କେଜାଣି କେତେ ଭଲ ଲାଗିଲା ମୁଁ ତ ଖାଉନଥିଲି, ଜାଣିବି କେମିତି? ତା ପରଠୁ ସବୁବେଳେ ଥଟ୍ଟାରେ କହନ୍ତି, ଜ୍ବାଇଁଟି ଆମର ଭଲ ରାନ୍ଧୁଣିଆ। ତାଙ୍କ ଲେଖାବଳରେ ଓ ପତ୍ନୀଙ୍କ ନିଜ ପ୍ରଚେଷ୍ଟାରେ ଆମେ ଉଭୟ ନିଜ ନିଜ ସ୍ଥାନରୁ ବଦଳି ହୋଇ ଖଡିଆଳ ଗଲୁ।
କଣାବୁଢା ଭାବିଲା, ଲୋକେ ଚୋରି କରିବାରୁ ଆମେ ରୁଷି ପଳାଇଲୁ। ଗାଁର ବୁଢାବୁଢୀ ମହଲରେ ଏହା ଆଲୋଚିତ ହେଲା।
ବୁଢାକୁ ଛାଡି ଆସିଲା ବେଳେ ଆମ ମନ ଦୁଃଖ ହୋଇଥିଲା କିନ୍ତୁ ତା ମନରେ ଦୁଃଖ ନଥିଲା କି ସୁଖ ନଥିଲା। ସେ ସେମିତି ଠିଆ ହୋଇଥିଲା। ମନେ ପଡିଯାଇଥିଲା ପ୍ରଥମ ଦେଖାବେଳେ ସେ କେମିତି କୁକୁଡ଼ା ଚିଆଁକୁ ଉଈ ଖୋଉଥିଲା, ସେମିତି ସେ ଦିଶୁଥିଲା ସ୍ଥିତପ୍ରଜ୍ଞ।
ତା ଖବର ଅନ୍ତର ପଚାରୁ ସେ ଗାଁ ଲୋକେ ଖଡିଆଳରେ ଦେଖାହେଲେ। କେଇ ବର୍ଷପରେ ଶୁଣିଲି ତା ଗୋଡହାତ ଓ ଦେହ ଫୁଲି ଯାଇଛି। ସେ ବର୍ଷ ସେ ଚାଲିଗଲା। ଏତେବର୍ଷ ପରେ କଲମ ମୁନକୁ ଫେରିଥିବା ଅପାଶୋର ନିରୀହ କଣାବୁଢାକୁ ଏ ପୁଅର ଆନ୍ତରୀକ ପ୍ରଣାମ।