Search This Blog

Friday, 24 July 2020

ଜଲୁ।

ଜଲୁ।
ରବିନାରାୟଣ ସେନାପତି, ତୁଳତୀ।

ପୁରୁଣା ଚାଳଘର ଆଉ ନାହିଁ। ଜାଉଁଳି ଖଞ୍ଜାର ଯେଉଁ ଅଂଶ ଆଜବେଷ୍ଟସ ଘରକୁ ବଦଳି ଯାଇଛି, ତାହା ସଂଲଗ୍ନ ଦାଣ୍ଡପିଣ୍ଢାରେ ତଥାପି ପଡିଛି ପଛକୁ ଆଉଜି ହେବା ଭଳି ଚାରି ଆସନ ବିଶିଷ୍ଟ ଲମ୍ବା କାଠ ଚୌକି। ଆଗେ ଦାଣ୍ଡ ପିଣ୍ଡାରେ ଏମିତି ବ୍ୟବସ୍ଥା ଅନେକଙ୍କ ଘରେ ଥିଲା।
 ବ୍ରଜବାବୁ ସେଇଠି ତାଙ୍କ ନାତିକୁ ଧରି ବସିଛନ୍ତି ଦିନେ ଯେମିତି ତାଙ୍କ ଜେଜେ ତାଙ୍କୁ ଧରି ବସୁଥିଲେ, ଗପ କହୁଥିଲେ। ଏକମାତ୍ର ନାତି ଘରକୁ ଆସିଛି ଏକମାତ୍ର ପୁଅ ବୋହୂଙ୍କ ସହ ରାଜ୍ୟାନ୍ତର ମହାନଗରୀରୁ। ନାତି ଧୃବ ସବୁ ପ୍ରଚଳିତ ଗପ ଆଦାୟ କରି ସାରିଛି, ମାଙ୍କଡ କୁମ୍ଭୀରଠୁ, ଧୃବ, ପ୍ରହ୍ଲାଦ, ଅଭିମନ୍ୟୁ, ଧରମା ଓ ବାଜିରାଉତ ପର୍ଯ୍ୟନ୍ତ। ଘରେ ଯେତିକି ବହି ଅଛି ସବୁ ମାତୃଭାଷାରେ ଲେଖାଯାଇଛି, ସେ କେମିତି ପଢିବ କିନ୍ତୁ ଓଡ଼ିଆ ବୁଝେ ଓ କହେ ଭଲ, ସେତିକି ସାନ୍ତ୍ବନା। ବର୍ଷା ହେଲା, ପାଣି ଛାଟିଲା, ଜେଜେ ନାତି ଦୁହେଁ ବେଞ୍ଚ୍ ଉପରକୁ ଗୋଡ ଉଠାଇ ଆଣିଲେ। ଏଇଟି ଗାଁର ପ୍ରଥମ ଘର। ସାହିର ଚାରୋଟି ଛେଳି ଦୌଡିକି ନିଜ ଘରକୁ ଫେରୁଥିଲେ, ଅଗତ୍ୟା ପିଣ୍ଡା ଉପରକୁ ଚଢି ଆସିଲେ। ଛେଳିକୁ ପାଣି ଅଡୁଆ। ଧୃବ ଉଠିପଡ଼ି ସେମାନଙ୍କ ପାଖକୁ ପହଞ୍ଚିଲା। ବାରଣ୍ଡା ଶେଷଟି ଅଧାକାନ୍ଥି ହୋଇଛି, ଛାଗଦଳ ସେଇଠି ଆଉଜି ହୋଇ ପଡିଲେ।

"ଜେଜେ, ଜେଜେ ଏମାନେ କଣ ପୋଷା, ଡରୁ ନାହାନ୍ତି ଯେ"।

"ଆରେ ଧୁରି, ବର୍ଷାକୁ ଡରି ସେ ଆମଠି ଶରଣ ପଶିଛନ୍ତି ପୁଣି ଆମକୁ ଡରିବେ କାହିଁକି? ସେମାନେ ଭାରି ନିରୀହ, କାମୁଡନ୍ତି ନାହିଁ। ସବୁ ଛେଳି ପୋଷା, ବୁଲା କୁକୁରଙ୍କ ଭଳି ବୁଲା ଛେଳି ନଥାନ୍ତି।" କହିଲେ ଜେଜେ।

"ଆମର କାହିଁକି ପୋଷିନ, ମୁଁ ସେମାନଙ୍କ ସହ ଖେଳିଥାନ୍ତି।" କହୁ କହୁ, ଧୃବ ସେ ଛେଳି ମାନଙ୍କ ପିଠି ଆଉଁସୁ ଥାଏ।
 ମନେ ପଡିଗଲା, ବ୍ରଜବାବୁ ଏମିତି ତାଙ୍କ ପିଲାବେଳେ ଜଲୁ ଓ ଅନ୍ୟ ଛେଳିଙ୍କ ପିଠି ଆଉଁସୁଥିଲେ।
"ବୁଝିଲୁ ଧୁରି, ହଁ, ଆମେ ବି ରଖିଥିଲୁ ପୁଞ୍ଜାଏ ଛେଳି। ତହିଁରୁ ଜଲୁ ଥିଲା ମୋର ଭାରି ପ୍ରିୟ। ଏହି ଯେଉଁ ପିଣ୍ଡା ସେଇଠି ପଶ୍ଚିମ ପଟେ ସରିଛି, ତା ସେକଡକୁ ଥିଲା ଆମ ଗୁହାଳ। ଛଅଟି ବଳଦ, ସମସ୍ତଙ୍କୁ ମୁଁ ନାମ ଧରି ଡାକୁଥିଲି, ଆମ୍ବଚୁଳୁ, ଶୁଙ୍ଖୁଚୁଳୁ, ସଂସରା, ରଙ୍କିଆ, କସରା ଓ ଗୁଡୁମୁଳୁ। ଥିଲେ ତିନୋଟି ଗାଈ; ନାଲି, କାଞ୍ଚିଆ ଓ କୁନିଦା। ସେମାନଙ୍କ ବାଛୁରୀମାନେ। ମୋ ବାପା, ମାନେ ତୋ ଅଣଜେଜେ କୁନିଦା ଗାଈର ପୁଅକୁ ଷେଣ୍ଢ ଛାଡି ଦେଇଥିଲେ। ମଣିଷେ ଉଚ୍ଚା ହୋଇଥିଲା, ହରିୟାଣା ଷେଣ୍ଢ। ଜନ୍ମ ଜାଗାକୁ ଫେରିଆସେ ସଂଧ୍ୟାରେ। ସେ ଲମ୍ବା ଚାଳିଆରେ ତଥାପି  ଯାଗା ବଳେ, ସେଇଠି ରହନ୍ତି ଜଲୁ ଓ ଅନ୍ୟ ଛେଳି। ଜାଉଁଳି ଖଞ୍ଜା ମାନେ ବୁଝୁନଥିବୁ। ଖଞ୍ଜା ମାନେ ହେଲା ଚାରିକଡେ ଘର ଓ ମଝିରେ ଖାଲି ସ୍ଥାନ ଯେଉଁଠୁ ଖୋଲା ଆକାଶ ଦିଶିବ, ମଝି ବାହାର। ଆମର ଥିଲା ଦୁଇ ମଝି ବାହାର ଥିବା ଜାଉଁଳି ଖଞ୍ଜା, ଚାଳ ଛାଉଣି। ପୂର୍ବ ଦିଗରେ କୋଠାଘର ତିଆରି ସରିଲା। ଖଞ୍ଜା ଘରୁ କୋଠାଘର ମଝିରେ ଥାଏ ଖାଲିସ୍ଥାନ। ପୂର୍ବ ପାଖ ଅଧାଖଞ୍ଜା ଭଙ୍ଗାଗଲା। କୋଠାଘର ସହ ଯୋଡି ଦିଆଗଲା ଧାଡିକିଆ ଘର।"
ଧୃବ ମନଦେଇ ଶୁଭୁଥିଲା, ସେ ଠିକ୍ ଜାଣିଛି ଏମିତି ଗୌରଚନ୍ଦ୍ରିକା(ଶବ୍ଦଟି ତା ନୂଆ ଆମଦାନୀ) ଦେଉ ଦେଉ, ଜେଜେ ଆରମ୍ଭ କରିଦେବେ ଅସଲ ଗପ। ଛୁଆ ଛେଳିଟିଏ କୁଣ୍ଡେଇ ଧରି ଜେଜେଙ୍କ ପାଖରେ ବସିଲା। ବର୍ଷା ତଥାପି ହେଉଥାଏ। ଧୃବ ମନକୁ ବେଶ୍ ପାଇଲା ଏ ଅନୁଭବ। ଲାଗିଲା ସେ ଯେମିତି ଏକ ବଡଛତା ତଳେ ଅଛି। ପାଣି ଛାଟୁଛି, ଆଜବେଷ୍ଟସରୁ ପାଣି ଧାର ଗଡୁଛି। ଶବ୍ଦ ବି ମୁଷୁମଷିଆ ହେଉଛି।
"ହଁ ଜେଜେ କୁହ, ତାପରେ କଣ ହେଲା। ଖଞ୍ଜା ଘରକୁ କୋଠାଘର ଯୋଡି ଦିଆଗଲା।"

 "ହଁ ରେ ଧୁରି। ପଛ ଖଞ୍ଜାର ଦକ୍ଷିଣ କଡକୁ ଥାଏ ଏକ ତେନ୍ତୁଳି ଗଛ। ତାହାର ଡାଳଗୁଡିକ ଖଞ୍ଜାର ଗଡାଣିଆ ଚାଳକୁ ଲାଗିଥାଏ।"

"ଜେଜେ ଜେଜେ, ତେନ୍ତୁଳି ମାନେ ଟାମାରିଣ୍ଡ ତ, ଯାହା ଫଳ ଆମ୍ବିଳା। ଆଚର କିନ୍ତୁ ବଢିଆ କରେ ଜେଜେ ମା। ସେ ଗଛଟି ତ ଅଛି। ମୁଁ ଦେଖିଛି। କୁନି କୁନି ପତ୍ର ବହୁତ। ତା କଷି ପତର ବି ଆମ୍ବିଳା ନା ଜେଜେ। କଅଁଳ ପତ୍ର ଫେମିନି ହେଲେ ଲୋକେ ଖାଆନ୍ତି ଭୋକ ସହି ନପାରି। ଆମ ବହିରେ ଫେମିନି ଗପରେ ସେମିତି ଲେଖାହୋଇଛି।"
"ହଁ'ରେ ଧୁରି, ନଅଙ୍କ ଦୁର୍ଭିକ୍ଷ ବେଳେ ସେମିତି ହୋଇଥିଲା, ସେତେବେଳକୁ ମୋ ବାପା ମଧ୍ୟ ଜନ୍ମ ହୋଇନଥିଲେ। ନଅଙ୍କ ମାନେ, ଆମ ସେତେବେଳର ରାଜାଙ୍କ ଶାସନର ନବମ ବର୍ଷ। ରାଜା ନାମକୁ ମାତ୍ର, ଶାସନ କରୁଥିଲେ ଗୋରା ଫିରିଙ୍ଗି ସରକାର। ଲୋକେ ଖାଦ୍ୟ ଅଭାବରୁ ମଲେ। କୁଆଡେ ଗୋଟିଏ ଗୋଟିଏ ତେନ୍ତୁଳି ଗଛରେ ଆଠ ଦଶ ଲୋକ ଚଢି ପତ୍ର ଖାଉଥିଲେ। ଅଖାଦ୍ୟ, ହୁସିଆର, ଖାଇବୁ ନାହିଁ।"
"ନା ନା ମୁଁ କେବେ ଖାଇବି ନାହିଁ ଜେଜେ, ଛି, ତା କଅଁଳିଆ ପତ୍ର ଭାରି ଆମ୍ବିଳା ଲାଗେ।"

ବ୍ରଜବାବୁ ହସିଲେ ଟିକେ ଜୋରରେ।

"ଓ ହୋ! ମୁଁ ଖାଇନି, ଶୁଣିଛି ଜେଜେ।"

ବ୍ରଜବାବୁ କହିଲେ, " ହୋଉ ହେଲା। ଛେଳିମାନେ ଘାସ ପତ୍ର ଖାଆନ୍ତି, କିନ୍ତୁ ଜଲୁ ଥିଲା ଅଲଗା। ଯେମିତି ଷେଣ୍ଢ ଆଉ ବଳଦ ସେମିତି ବୋଦା ଆଉ ଖାସି। ଜଲୁ ଥିଲା ମଝାମଝି, ବୋଦା ଭଳି ବଡ ହୋଇଥିଲା, ତା'ର ଦାଢି ଉଠିଥିଲା, ତା ଆଖି ତଳ ଚିକ୍କଣିଆ ଦେଖାଯାଉଥିଲା କିନ୍ତୁ ବୋଦାର ଗନ୍ଧ ନଥିଲା। ମୁଁ ତାକୁ ଡଲାରେ ଚାଉଳ ଆଣି ଖୁଆଉ ଥିଲି, ଗମୁଆ ପିଜୁଳି କେହି ଖାଆନ୍ତି ନାହିଁ, ସେଗୁଡା ଚକୁଟିକି ଖୁଆଉଥିଲି ତାକୁ। କେତେ ଡାଳପତ୍ର ଦାଆରେ କାଟିଆଣି ଦେଉଥିଲି ତାକୁ। ତେନ୍ତୁଳି ଡାଳ ଥିଲା ତା'ର ସବୁଠୁ ପ୍ରିୟ। ମୁଁ ଯେମିତି ଖଟା ଖାଇବାକୁ ପିଲାବେଳେ ଖୁବ୍ ଭଲପାଉଥିଲି, ସେ ମଧ୍ୟ ସେମିତି। ମୁଁ ନଥିଲା ବେଳେ ସେ ପାହାଚ ଚଢି ଛାତ ଉପରକୂ ଯାଉଥିଲା, ସେଇଠୁ ଚାଳ ମଥାନ ଉପର ଦେଇ ପୂର୍ବରୁ ଯାଇ ଦକ୍ଷିଣ ପଶ୍ଚିମ କୋଣରେ ପହଞ୍ଚୁଥିଲା।
ସିଧାସଳଖ ଗଛରୁ ଖାଉଥିଲା। ଗଡାଣିଆ ଚାଳରୁ ତା'ର ଏ କାରବାର ଥିଲା ବିପଦଜନକ।"
'ଜେଜେ ସେ ଛାତରୁ ଏ ତେନ୍ତୁଳି ଗଛ ତ ଖୁବ୍ ଦୂର, ସେ ଏତେ ସାହସୀ ଥିଲା! ମଥାନ ମାନେ ଚାଳର ପିକ୍ ତ ଜେଜେ?"
"ହଁ, ଠିକ୍ ବୁଝିଛୁ। ବଦସାହସ ଭଲ ନୁହେଁ। ଦିନେ ଶନିବାର ଆମର ସକାଳୁଆ ସ୍କୁଲ୍ ଛୁଟି ହେଲା। ମୁଁ ଆସି ଦେଖେ ତ ଜଲୁ ସେଇଠି ହାଜର। ମନ ଇଛା ଖାଉଛି। ସେ ଖୁବ୍ ହୃଷ୍ଟପୁଷ୍ଟ ହୋଇଥାଏ। ମୋର ଧାରଣା ହେଲା ସେ ଯେଉଁଠି ଠିଆ ହୋଇ ଯେମିତି ଖାଉଛି, ଖୁବଶୀଘ୍ର ତଳକୁ ଖସି ପଡିବ। ମୋତେ କିଛି ବୁଦ୍ଧି ବାଟ ଦେଖାଗଲା ନାହିଁ। ଭାବିଲି, ଚାଉଳ ଡାଲା ଦେଖିଇଲେ ସେ ବୋଧେ ଫେରି ଆସିବ। ପାଖକୁ ଗଲେ କାଳେ ହଡବଡେଇବ ବୋଲି ଖଣ୍ଡେ ଦୂରରୁ କମଳା ଗଛ ମୂଳରେ ଡାଲା ଧରି ଠିଆ ହେଲି। ସେ ଗଛ ଆଉ ନାହିଁ। ଡାକିଲି, ଜଲୁ ଏ ଜଲୁ, ଆ ଆ ଚାଉଳ ଖାଇବୁ ଆ। ସେ ଶୁଣିଲା। ବୁଲି ଚାହିଁଲା। ଲେଉଟିବାକୁ ଚେଷ୍ଟା କରୁ କରୁ ଭାରସାମ୍ୟ ହରାଇଲା। ମୁଁ ଅନାଇ ଥାଏ ସେ ଖସି ପଡିଲା ତଳକୁ।"
ଏତିକି କହୁ କହୁ ବ୍ରଜବାବୁ ଧୃବକୁ ଜାବୁଡି ଧରିଲେ, କାଳେ ସେ ଚମକି ପଡିବ। ଧୃବ କୋଡରୁ ସେ ଛେଳିଟି ଖସିଗଲା। ବର୍ଷା ଛାଡି ଯାଇଥାଏ, ସେମାନେ ଦୌଡି ପଳାଇଲେ ସାହି ଭିତରକୁ ତାଙ୍କ ନିଜ ଘରକୁ। ବ୍ରଜବାବୁ ନାତିକୁ ଜଲୁ ବାବଦରେ ପ୍ରବୋଧନା ଦେଉଥିଲେ କି ନାତି ତାଙ୍କୁ ସମ୍ଭାଳୁଥିଲା ଜାଣିବା ସମ୍ଭବ ନୁହେଁ।
" ଜଲୁର କଣ ହେଲା ଜେଜେ?"
"କଣ ଆଉ ହେବ, ମୋଟାସୋଟା ଜଲୁର ଡାହାଣ ଗୋଡ ଭାଙ୍ଗିଗଲା ଆଣ୍ଠୁ ତଳକୁ। ଜାଣିଛୁ, ସେଇଠି ଦୁଇଟି ହାଡ ଅଛି। ଉଭୟ ହାଡ ଭାଙ୍ଗି ବାହାରକୁ ଦିଶୁଥିଲା।
ମୁଁ ଡାକ ପକେଇଲି, କାନ୍ଦିଲି, ସମସ୍ତେ ରୁଣ୍ଡ ହେଲେ। ଜଲୁ ଠିଆ ହୋଇ ଅସ୍ବାଭାବିକ ଶବ୍ଦ କରୁଥାଏ କଷ୍ଟରେ। ସେମିତି ଠିଆ ହୋଇଥାଏ, ହଲ୍ ନାହିଁ କି ଚଲ୍ ନାହିଁ। ବାପା ଆସି ପହଞ୍ଚି ଯାଇଥିଲେ। ତାକୁ ଟେକିନେଲେ ଘର ଭିତରକୁ। ସେଇଠି ଦୁଇଜଣ ଜଲୁକୁ ଶୁଆଇ ମାଡି ବସିଲେ। ବାପା ତା ହାଡକୁ ଯେତିକି ସମ୍ଭବ ଚମଡା ଭିତରକୁ ପୁରାଇ ତା ଉପରେ ଆୟୋଡିନ୍ ଲୋସନ ଢାଳିଲେ। ଏକ ସଫା ଧୋତିକୁ ଚିରି ଗୋଡଟିକୁ ଗୁଡାଇ ଗୁଡାଇ ବାନ୍ଧି ଦେଲେ। ବାହାର ପାଖେ ଏକ ବତା ଦେଲେ ଓ ପୁଣି କପଡା ଗୁଡାଇ ବାନ୍ଧି ଦେଲେ। ମୋ କାନ୍ଦିବା ବନ୍ଦ ହୋଇଯାଇଥିଲା। କିଛିଦିନ ତଳେ ମୋର ଦୁଇହାତ ଜାମୁକୋଳି ଗଛରୁ ପଡି ଭାଙ୍ଗି ଯାଇଥିଲା। ମୁଁ ଜାଣିଥିଲି ଜଲୁକୁ କେତେ କଷ୍ଟ ହେଉଥିବ। ମୁଁ ବିଶ୍ୱାସ କରୁଥିଲି, ମୋ ହାତ ଭଲ ହେଲାଭଳି ଜଲୁ ଗୋଡ ବି ଭଲ ହୋଇଯିବ। ମୁଁ ଲୁହପୋଛିଲି। ଜଲୁକୁ ଚାଉଳ ଡାଲା ଦେଖାଇଲି, ସେ ଖାଇଲା ନାହିଁ।"

ବ୍ରଜବାବୁ ନିଶ୍ବାସ ନେଲେ, ଧୃବ ମନଟି ବି ସ୍ବଭାବିକ ହୋଇଗଲା। ଟିକେ ସମୟ ପୂର୍ବରୁ ତା ହାତରୁ ଛେଳିଟି ଖସିଯିବା ବାବଦରେ ସେ ଜେଜେଙ୍କ କଥା ଶୁଣୁ ଶୁଣୁ ସଚେତନ ହୋଇ ପାରିନଥିଲା। ଏବେ ମନେ ପଡିଗଲା।

"ଛେଳିମାନେ ପଳାଇ ଗଲେ ନା ଜେଜେ! ଜେଜେ, ଧୋତି ମାନେ ସେ ଯେଉଁ ପତଳା ଧଳା ଲୁଗା ଯେଉଁଟା ବୁଢାଜେଜେ ପିନ୍ଧନ୍ତି? ଜଲୁ ଭଳି ତୁମେ ବି ବଡ ଦୁଷ୍ଟ ନା ଜେଜେ, ଜାମୁଗଛ କାହିଁକି ଚଢୁଥିଲ? ଜଲୁ ଗୋଡ ଠିକ୍ ହେଲା?"

ଏହି ସମୟରେ ବୋହୂମା ଡାକିଲେ ଜେଜେ ଓ ନାତିଙ୍କୁ। ଧୃବ ପାଇଁ ରାବିଡି ପ୍ରସ୍ତୁତ କରିଛନ୍ତି ଜେଜେମା, ବ୍ରଜବାବୁଙ୍କ ପାଇଁ ଚା ବିସ୍କୁଟ୍।
ଜଲୁ ଗୋଡ ଠିକ୍ ହେଲା ପ୍ରଶ୍ନର ଉତ୍ତର କେମିତି ଦେବେ ଦ୍ବନ୍ଦରେ ପଡିଥିବା ଜେଜେ ବିରତି ପାଇଲେ। ନିଜକୁ ପ୍ରଶ୍ନ କରୁଥିଲେ ଯେ ସେ କେତେଦୂର ସତ୍ୟ କଣ ଜାଣନ୍ତି! ସେ ଭାବୁକ ହୋଇଗଲେ, ଏ ଅସମାହିତ ପ୍ରଶ୍ନରେ। ଧୃବ ଛୋଟ ପିଲା, ତା ମନକୁ ପାଇଲା ଭଳି ଉତ୍ତର ସେ ଦେବେ। ସେ ଭୁଲିବା ପିଲା ନୁହେଁ, ଖିଆ ସରିଲେ ପୁଣି ପ୍ରଶ୍ନ କରିବ।
ପରବର୍ତ୍ତୀ କାଳରେ ଛେଳି ସମ୍ପର୍କରେ ତାଙ୍କ ଅନୁଭୁତି ମାନ ମନେ ପଡିଯାଉଥାଏ ପଛକୁ ପଛ। କିଶୋର ବ୍ରଜ ମହାତ୍ମାଗାନ୍ଧୀଙ୍କ ଜୀବନୀରୁ ପଢିଲେ କି, ପରିବାରର ନିୟମ ଭଙ୍ଗ କରି ଛେଳିମାଂସ ଖାଇଥିବାରୁ ରାତିରେ ସେ ଶୁଣିଲେ ମେଁ, ମେଁ ବିକଳ କାନ୍ଦଣା ଏବଂ ତାହା ବୋଧେ ତାଙ୍କ ଭବିଷ୍ୟତ ଜୀବନ ଉପରେ ବହୁତ ପ୍ରଭାବ ପକାଇଥିଲା। ଆଗେ, ମାଂସ ଖାଇବା ଦିନ ଭାବୁଥିଲେ ଆଜି ରାତିରେ ଛେଳି ତାଙ୍କ ହୃଦୟରେ ବୋବାଳି ଛାଡିବ ଓ ସେ ତେଣିକି ଭଲ ମଣିଷ ହେବା ନିଶ୍ଚିତ।  କିନ୍ତୁ ଜଲୁ ଗୋଡ ଭାଙ୍ଗିଲା ପରେ କେଜାଣି କଣ ହେଲା ସେ ଆଉ ମାଂସ ଖାଇଲେ ନାହିଁ। ତାଙ୍କୁ କେହି ଖୁଆଇ ପାରିଲେ ନାହିଁ ବରଂ ସମସ୍ତେ ଶାକାହାରୀ ହୋଇଗଲେ କ୍ରମଶଃ। ଏହା ସହ ଘଟିଥିଲା ଆଉ ଏକ ଘଟଣା। ତାଙ୍କ ବାପା ମହାଦେବଙ୍କ ପାଇଁ ହରିଆଣା ଷେଣ୍ଢ ଛାଡିଲା ପରି ଏକ ବଡ ବୋଦା ଛାଡିଦେଇଥିଲେ ମା  ତାରେଣୀଙ୍କ ନାମରେ। କିନ୍ତୁ ବଳୀ ପକାଇବାକୁ ତାଙ୍କ ବିବେକ ବାଧା ଦେଉଥିଲା। ମା କଣ ବଳୀ ଖାଇବ। କୀଟ, ପତଙ୍ଗ, ବୃକ୍ଷଲତା, ପଶୁପକ୍ଷୀ ଓ ମନୁଷ୍ୟ; ସକଳେ ମାଆଙ୍କ ସନ୍ତାନ। ମା କି ଛୁଆକୁ ଖାଇବ? ବୋଦାଟି ହୃଷ୍ଟପୁଷ୍ଟ ହୋଇ ଚରିବୁଲେ। କିନ୍ତୁ ଦିନେ ସଠିକ ଖବର ଆସିଲା ଗାଁର ଚାରିଜଣ ଚୌର୍ଯ୍ୟବୃତ୍ତି ପାରଙ୍ଗମ ମାନବ ତାହାକୁ ଖାଇଦେଇଛନ୍ତି। ବ୍ରଜ ଖୁବ୍ ଦୁଃଖ ପାଇଲେ। ମନେହେଲା ଏସବୁ କଥା ସେ ନଜାଣିଥାନ୍ତେ କି? ଏଣୁ ସେ ମନେ ମନେ ସ୍ଥିର କରିନେଲେ, ଧୃବକୁ ପରବର୍ତ୍ତୀ ବର୍ଣ୍ଣନା କିପରି କରିବେ, ଅସତ୍ୟ ନୁହେଁ କି ବେଦନା ଦାୟକ ନୁହେଁ। ପୁଣି ଗପରେ ପଢିଥିଲେ, ଶାସ୍ତ୍ର ବ୍ୟାଖ୍ୟା କରୁଥିବା ପଣ୍ଡିତେଙ୍କ ଛେଳି ଦାଢିକୁ ଦେଖି ବୁଢୀର ଆଖିରେ ଲୁହ। ପଣ୍ଡିତେ ଭାବିଲେ ବୁଢୀ ଭାବ ଗଦଗଦ, ସେ କିନ୍ତୁ ଝୁରୁଥିଲେ ତାଙ୍କ ଦାଢିଆ ଛେଳିକୁ।
ଆଉ ଯେବେ କଲେଜ ଗଲେ, ସାଳନ୍ଦୀର ପୋଲତଳେ ଅନ୍ୟ ଛେଳିଙ୍କ ମେଁ ମେଁ କରୁଣ କଟାଳ ସାମ୍ନାରେ କଟାଳୀଟି କାଟି ଚାଲେ ଛେଳି। ସେ ଦେଖନ୍ତି ଓ ଭାବନ୍ତି, ଯେମିତି ଜଲୁ ତାଙ୍କ ମଧ୍ୟରେ ମେଁ ମେଁ କରୁଛି। ସେ କିନ୍ତୁ ବରଜୁରୁ ଉତ୍ତୀର୍ଣ୍ଣ ହୋଇ ମହାତ୍ମା ହୋଇପାରିଲେ ନାହିଁ। ତେବେ ଏସବୁ କଥା ତ ଧୃବକୁ କୁହାଯାଇପାରେନା। ନା କେବେ ନୁହେଁ।

"ହଁ ଜେଜେ କୁହ, ଜଲୁ ଗୋଡ ଠିକ୍ ହେଲା?" ଶୀଘ୍ର ଶୀଘ୍ର ରାବିଡି ଗିନାକ ସାରିଦେଇ ପଚାରିଲା ଧୃବ।
ବ୍ରଜବାବୁ ଏଥର ନାତିକୁ କୋଳରେ ଧରିଲେ, ନାତି କୋଳବସା ବୟସ ପାର କରିଥିଲା ଅବଶ୍ୟ।
"ଜଲୁ ସେମିତି ନିରୀହ ଭାବେ ଠିଆ ହୋଇଥାଏ, ଯେମିତି କିଛି ଦୋଷ କରିଛି। କଷ୍ଟରେ ତା ଆଖିରୁ ଲୁହ ଗଡୁଥିଲା, ମୁଁ ତା ଆଖିକୁ ଏକ ଗାମୁଛାରେ ପୋଛି ଦେଲି। ତାକୁ ଆଉଁସୁ ଆଉଁସୁ ସେ ମୋ ହାତକୁ ଚାଟି ପକାଇଲା, ଯେମିତି ସେ ପାଉଥିବା ସେବା ପାଇଁ କୃତଜ୍ଞତା ଜଣାଉଛି।
କେତେ ସମୟ ପରେ କରିମ୍ ଚାଚା ଆସିଲେ।  ଅନେକ ଥର ଆସି ଆମ ଗାଁରୁ ଛେଳି କିଣି ନିଅନ୍ତି। ମୁଁ କାନ୍ଦି କାନ୍ଦି ଘରଦ୍ବାର ଫଟାଇଲି। ସମସ୍ତେ ମୋତେ ବୁଝାଇଦେଲେ, କରିମ ଚାଚାଙ୍କ ଖୁବ୍ ଚିହ୍ନା ଅଛନ୍ତି ଜଣେ ପଶୁଡାକ୍ତର, ସେ ନେଇ ତାଙ୍କ ପାଖରେ ଜଲୁର ଗୋଡ ଠିକ୍ କରାଇବେ। ହୋଇଥିବ ସତ। ଜଲୁର ଗୋଡ ଠିକ୍ ହେବା ଜରୁରୀ। କରିମ୍ ସେଦିନ କିଛି ମୂଲଚାଲ୍ କଲେନି କି ଟଙ୍କା ଦେଲେନି, ଡାକ୍ତରଖାନା ନେଉଛନ୍ତି, କିଣୁ ନାହାନ୍ତି । ଜଲୁକୁ ବି ପାଛିଆରେ ନବାନ୍ଧି ବା ଅଖାମୁଣିରେ ନଝୁଲାଇ ଏକ ରିକ୍ସାରେ ଧରି ବସିଲେ କରିମ୍ ଚାଚା। ଜଲୁ ଡାକ୍ତରଖାନା ଗଲା। ମୁଁ ତା ଫେରିବା ବାଟ ଚାହିଁ ରହିଲି। ନା ସେ ଫେରିଲା, ନା କରିମ୍ ଚାଚାଙ୍କ ଦେଖା ମିଳିଲା। ମୁଁ ସବୁଦିନ ବୋଉ ବାପାଙ୍କୁ ଅଳିକଲି ଜଲୁକୁ ଫେରାଇ ଆଣିବାକୁ। ମୋତେ ବୁଝାଇ ଦିଅନ୍ତି, ତା'ର ଅପରେସନ କରାଯାଇ ଗୋଡ ଯୋଡା ଯାଇଛି, ଭଲ ହେଲେ ଆସିବ। ମୁଁ ବୁଝିଯାଏ। ଦିନେ ଜିଦ୍ କଲି କରିମ୍ ଚାଚାଙ୍କୁ ଡକାଇ ଆଣିବାକୁ। ସେ ଆସିଲେ, ସେହି ଏକା କଥା କହିଲେ। ସେ ଏଣିକି ଛେଳି ବେପାର କରୁନଥିଲେ, ପୀରବାବାଙ୍କ ସ୍ଥାନରେ ସେବା ନିଯୁକ୍ତ ହୋଇଥିଲେ। କହିଲେ ପେଟ ପୋଷ ନାହିଁ ଦୋଷ, ସମସ୍ତେ କହନ୍ତି ଯେ କିନ୍ତୁ ଆଉ ହେଲାନି ମୋ ଦ୍ବାରା। ଅନେକ ଦିନ ପରେ ସେ ଜଲୁକୁ ଧରି ଆସିଲେ।"
"ରୁହ ରୁହ ଜେଜେ, ଜେଜେମା ଦିନେ କହୁଥିଲା ଏକଥା ମୋ ମନେ ପଡୁଛି, ଜଲୁ ଗୋଡ ଭାଙ୍ଗିଲା ପରେ, ଆମଘରେ ସବୁ ମାଁଉସ ଖାଇବା ବନ୍ଦ କରିଦେଲ ନା, ସେପଟେ କରିମ୍ ଚାଚା ବି ଛେଳି କାରବାର ବନ୍ଦ କରିଦେଲେ!" ଟିକେ ଆଶ୍ଚର୍ଯ୍ୟ ହେଲାଭଳି କହିଲା ଧୃବ।

"ଏକଥା ଠିକ୍, ଗୋଟିଏ ଗୋଟିଏ ଘଟଣା ମଣିଷର ଅଭ୍ୟାସ ବଦଳାଇ ଦିଏ। ହଁ, କରିମ ଚାଚା ଆଣିଥିବା ଜଲୁକୁ ମୁଁ ବାରିଲି, ଇଏ ଜଲୁ ନୁହେଁ, ତା ନାମଧରି ଡାକିଲେ ଅନାଉ ନାହିଁ, ଏଇଟା ପତଳା, ଏହାର ରଙ୍ଗ ବି ଫିକା। ତା ଦାଢି ମଧ୍ୟ  ଜଲୁଠୁ ଥିଲା କମ। ତା ଗୋଡ ବି ଅଭଙ୍ଗା ଦିଶୁଥିଲା।
ମୋତେ ସମସ୍ତେ ବୁଝାଇଦେଲେ, ମୁଁ ଯେମିତି ପାଠ ଭୁଲିଯାଏ ଜଲୁ ସେମିତି ତା ନାମ ଭୁଲି ଯାଇଛି, କେତେ ଦିନ ହେଲାଣି ସେ ଆମକୁ ଦେଖିନାହିଁ ଏଣୁ ହୁଏତ ଭୁଲି ଯାଇଛି। ଭଲକି ଖିଆପିଆ କରିନି ତ, ସେପାଇଁ ଦୁର୍ବଳ ଦିଶୁଛି, ତା ରଙ୍ଗ ବି ଫିକା ପଡିଛି ଓ ତା ଦାଢି କମି ଯାଇଛି ଔଷଧ ପ୍ରଭାବରୁ। କେତେ ଔଷଧ ଅଛି ଖାଇଲେ ଚୁଟି ଉପୁଡେ, ଏକଥା ମୁଁ ଜାଣିଥିଲି। ହେଲେ ତା ଅପରେସନ ଗୋଡରେ କିଛି ଦାଗ ନଥିଲା। ସେକଥା ପଚାରିଲାରୁ ସେମାନେ ମତେ ଓଲଟି ପ୍ରଶ୍ନ କଲେ ଯେ ମୋ ଦୁଇ ହାତ ଭାଙ୍ଗିଥିଲା, ଚିହ୍ନ କୁଆଡେ ଗଲା?
ମୁଁ ଉତ୍ତର ଦେଲି ମୋ ହାଡ ଭିତରେ ଭାଙ୍ଗିଥିଲା ଚିହ୍ନ କାହିଁକି ରହିଥାନ୍ତା, ମୋର କଣ ଅପରେସନ ହୋଇଥିଲା କି? ତଥାପି ଦେଖୁନ ହାତ କେମିତି ବଙ୍କା ଅଛି। ହେଲେ ଜଲୁର ହାଡ ଚମଡା ଫୁଟାଇ ବାହାରକୁ ଆସିଥିଲା, ପୁଣି ଅପରେସନ ବି ହୋଇଛି, ଚିହ୍ନ ତ ଥାଆନ୍ତା!"
ଧୃବ କେମିତି ଶିହରି ଉଠିଲା ଏ ଶେଷ ବାକ୍ୟ ଶୁଣି।
ବ୍ରଜବାବୁ ତାକୁ ଟିକେ ଭିଡିଧରିଲେ, ଭାବିଲେ ସେ ଏମିତି ଯନ୍ତ୍ରଣାଦାୟକ ବର୍ଣ୍ଣନା କରିବା ଠିକ୍ ହେଲା ନାହିଁ।
ସେ ପୁଣି କହିଲେ, "ବାପା ବୁଝାଇଦେଲେ, ଜଲୁ ଲୋମଶ ପ୍ରାଣୀ, ତା ଅପରେସନ ଚିହ୍ନ ଉପରେ ଲୋମ ମାଡି ଗଲାଣି, ଆଉ ଜଣା ପଡିବ ନାହିଁ। ମୁଁ ଭାବିଲି, ହଁ ସେମିତି ହୋଇଥିବ।
ସମସ୍ତେ ତାକୁ ଜଲୁ ଜଲୁ ଡାକିଲେ। ପରେ ମୁଁ ବି ଡାକିଲି। ସେ ଶୁଣିଲା, ମେଁ କହି ଜବାବ ଦେଲା। ଚାଉଳ ବି ଖାଇଲା। ଗମୁଆ ପିଜୁଳି ଚକଟିକି ଦେଲେ, ମୋ ହାତରୁ ଚାଟି ଚାଟି ଖାଇଲା। ତେନ୍ତୁଳି ପତ୍ରକୁ ଖୁବ୍ ଭଲ ପାଇଲା। ଏଣିକି ମୋତେ ଗାଁ ସାଥୀମାନେ ଓଲଟି ଚିଡାଇଲେ, ସେଇଟି ନକଲି ଜଲୁ। ମୁଁ ସେମାନଙ୍କ କଥା ଶୁଣିଲି ନାହିଁ। ମୋ ମନରେ ଆଉ ସନ୍ଦେହ ନଥିଲା। ଜଲୁ ସବୁ ପୁରୁଣା ଅଭ୍ୟାସ ପୁଣି ମନେ ପକାଇ ପାରିଲା କେବଳ ଗୋଟିଏକୁ ଛାଡି। ସେ ଆଉ ଛାତ ଓ ଚାଳକୁ ଚଢିଲା ନାହିଁ, କେମିତି ଚଢିବ, ଥରେ ମଜା ପାଇଛି ନା।"
ଧୃବ ଏଥର ପଚାରିଲା, " ଜଲୁ ଏବେ କେଉଁଠି?"
ବ୍ରଜବାବୁ ଧୃବକୁ ନେଇ ବାଡିଆଡେ ଗଲେ। ତଳବାଡିରେ ଥିବା ଭରା ଲେମ୍ବୁ ଗଛକୁ ଦେଖାଇ କହିଲେ, "ଜଲୁ ଅନେକ ବର୍ଷ ରହିଲା, ଖୁବ୍ ଡେଙ୍ଗା ଓ ବଳୁଆ ହୋଇଥିଲା। ଆମେ ଆଉ ଛେଳି ପାଳୁ ନଥିଲୁ, ଅନ୍ୟ ଛେଳି ମୂଲିଆ ମାନେ ନେଇ ପାଳିଲେ। କେବଳ ଜଲୁ ଥିଲା। ସେ ଏବେ ଘର ଭିତରେ ରହୁଥିଲେ ବି ଆଦୌ ଅପରିସ୍କାର କରୁ ନଥିଲା। ରାତିରେ ମୋ ଖଟତଳେ ଶୋଉଥିଲା। ବହୁତ ଲୋକ ତାକୁ ଦେଖି କାବା ହୋଇ ଯାଉଥିଲେ। ମୁଁ ଦୂର ସହରରେ କଲେଜରେ ପଢିଲି, ସେ ଗାଁରେ ରହିଲା। ସେମାନେ ମଣିଷଙ୍କ ଭଳି ଏତେ ଲମ୍ବା ଆୟୁର ନୁହନ୍ତି, ବୁଢା ହୋଇଗଲା। ରୋଗ ବାଧିକିରେ ପଡି ନଥିଲା। ଦଶହରା ଛୁଟିରେ ମୁଁ ଘରେଥାଏ, ଦିନେ ସକାଳେ ସେ ଆଉ ନିଦରୁ ଉଠିଲା ନାହିଁ। ଆମେ ସମସ୍ତେ କଷ୍ଟ ପାଇଲୁ ଯେତିକି, ଖୁସି ବି ହେଲୁ ସେତିକି। କିଛି ରୋଗକଷ୍ଟରେ ଘାଣ୍ଟି ନହୋଇ ସେ ସୁଖରେ ଚାଲିଗଲା। ବୁଢା ହେଲେ ଦିନେ ତ ଯିବାକୁ ପଡିବ। ତୋ ଜେଜେ ବି ଦିନେ ଯିବେ।"
ଧୃବ ବ୍ରଜବାବୁଙ୍କ କାନମୋଡି କହିଲା, "ଦୁଷ୍ଟ ଜେଜେ, ସେମିତି କହନ୍ତି! ଜେଜେମା କହୁଥିଲା, ମଣିଷର ଆୟୁଷ ଶହେକୋଡିଏ ବର୍ଷ, ତୁମେ ତ ଶହେ ବି ହୋଇନ। ତୁମ ଜନ୍ମଦିନରେ ବାପା ଆମର ସେଠି କେକ୍ କାଟିଥିଲେ, କହୁଥିଲେ ତୁମକୁ ଅଶି ହେଲା। ଫଟୋ ପଠାଇଥିଲି ଦେଖି ନାହଁ? ହଁ, କୁହ, ତାପରେ କଣ ହେଲା।"
"ହଁ ହଁ, ସେ ଫଟୋ ବି ଦେଖିଛି, ସେ ଫଟୋରୁ କେକ୍ ଆଣି ତୋ ଜେଜେମା ସହ ଖାଇଛି। ସେଦିନ ତୋ ଜେଜେମା ଏଠି ପିଠା କରିଥିଲା ଯେ।
ହଁ, ଜଲୁକୁ ଏଇଠି ସମାଧି ଦିଆଗଲା। ଦେଖୁନୁ, କେତେ ଲେମ୍ବୁ ଫଳିଛି। ଆମଠୁ ଯେତିକି ଖାଇଥିଲା ତା'ଠୁ ଅଧିକ ଫେରେଇଲାଣି। ସେ ଖତ ସାରରେ ବଦଳି ଯାଇଥିଵ, ସେଥିପାଇଁ ଏ ଗଛଟି ଏମିତି ଛନଛନିଆ।"
ବ୍ରଜବାବୁ ନିଜର କୋହ ସମ୍ବରଣ କରିଦେଲେ,  ଧୃବ କିନ୍ତୁ ଜାଣି ପାରିଲା। "ଜେଜେ ତୁମେ ଜଲୁକୁ ଏବେ ବି ଝୁରି ହେଉଛ, ତୁମେ ଏଥର ଆମ ସହିତ ଯିବ କହିଛ ନା। ଆମର ଗୋଟିଏ ଜଲୁ ଆଣିବା, ସେ ଚାଉଳ, ପିଜୁଳି, ତେନ୍ତୁଳି ପତ୍ର ଖାଇବ ନାହିଁ, ସେ ତ ଛେଳି ନୁହେଁ କୁକୁର, ଆମେ ତାକୁ ଦୁଧଭାତ ଖୋଇବା, ତା ପାଇଁ ଅଲଗା ବିସ୍କୁଟ ଆଣିବା। ଭଲ ହେବ ନା ଜେଜେ?"
ବ୍ରଜବାବୁ ଖୁସିହେଲେ, ଯାହା ହେଉ ଧୃବ କିନ୍ତୁ ଭୁଲି ଯାଇଛି, ଠିକ୍ ପିଲାବେଳେ ତାଙ୍କୁ ଯେମିତି ଭୁଲାଇ ଦେଇଥିଲେ ବଡମାନେ। ସେ ସାରା ଜୀବନ ନିଜକୁ ପ୍ରବୋଧନା ଦେଇଚାଲିଛନ୍ତି, ଜଲୁ ଅସଲି ଏ ଗଛର ଲେମ୍ବୁ ଭଳି। ଏ ପ୍ରବୋଧନା, ସେ ଆଜି ନାତିକୁ ବି ପରୋକ୍ଷରେ ଦେଇପାରିଲେ। ଫେରିଆସିଲା ବେଳେ ସତେ ଅବା ଲେମ୍ବୁ ଗଛଟି ଜେଜେ ଓ ନାତିଙ୍କଠୁ ଅଧିକ ପ୍ରସନ୍ନ ଦିଶୁଥିଲା।
(ପ୍ରିୟବନ୍ଧୁ ଓ ପାଠକ, ଶ୍ରୀ ଅଶୋକ ସ୍ବାଇଁଙ୍କ ମତାମତ ଅନୁସାରେ ସଂପାଦିତ।)

No comments:

Post a Comment