Search This Blog

Saturday 24 June 2017

ସତୁରି ଦଶକର ଯୁବକ ଓ ଆମ ଗ୍ରାମର ଉତ୍ଥାନ।

ସତୁରି ଦଶକର ଯୁବକ ଓ ଆମ ଗ୍ରାମର ଉତ୍ଥାନ
(ମୋ ସାହିର ଦେବସ୍ଥାନ, ଶ୍ରୀ ଶ୍ରୀ ଗୋପୀନାଥ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ)

ଆଜି ୨୦୧୭, ଆଶାଢ ମାସ ୧୦ ଦିନ, ମହାପୁରୁ ନବ ଜୌବନ ପ୍ରାପ୍ତି ହେଉଛନ୍ତି ନୀଳାଚଳ ଧାମରେ, ଶୁଭ ଦିନରେ ଯୋଡି ହୋଇଯାଇଛି ଆନନ୍ଦ। ମୋ ଗାଁ ତୁଳତୀର, ଆମ ସାହି ରହେମାନପୁରର ଇଷ୍ଟ ଦେବ ଗୋପୀନାଥଙ୍କ ମନ୍ଦିର ସମାପ୍ତ ଅନ୍ତେ, ପ୍ରତିଷ୍ଠା ଉତ୍ସବ ପାଳନ ହେଉଛି। ମନରେ ଅପାର ଆନନ୍ଦର ଫଲ୍ଗୁ।
ଅଳ୍ପ ବର୍ଷ ଅତୀତରେ ପୂର୍ବ ଦିଗରେ ଜଗନ୍ନାଥ ମନ୍ଦିର ଓ ପଶ୍ଚିମ ଦିଗରେ ମା ହିଙ୍ଗୁଳାଙ୍କ ମନ୍ଦିର ନବକଳେବର ହୋଇଛନ୍ତି। ଗ୍ରାମ ଦେବତୀ ମା ମଙ୍ଗଳାଙ୍କ ମନ୍ଦିର କାର୍ଯ୍ୟ ଚାଲିଛି। ମା ବାସୁଳାଇଙ୍କ ପୀଠର ପୁନନିର୍ମାଣ ଚାଲିଛି। ବିଶ୍ୱାସ ଅଛି, କେହିଜଣେ ଉଦ୍ୟମ କରିବେ ଉତ୍ତର ଦିଗର ଶିବ ମନ୍ଦିରର ପୁନନିର୍ମାଣ ପାଇଁ। ଗୋପୀନାଥ ଓ ମଦନମୋହନ ଯାଆନ୍ତି ସାଥିରେ ଦୋଳ ଖେଳିବାକୁ। ଏଣୁ ଆର ସାହି ତୁଳତୀର ଇଷ୍ଟଦେବ ମଦନମୋହନ ନିଶ୍ଚିତ ତାଙ୍କ ଆଳୟ ପାଇଁ କିଛି ବ୍ୟବସ୍ଥା କରୁଥିବେ। ମଧୁସୂଦନ ଓ ଅନନ୍ତ ବାସୁଦେବ ମନ୍ଦିର ବ୍ୟକ୍ତିଗତ ଉଦ୍ୟମରେ ସଂରକ୍ଷିତ। ରାଧାରମଣଙ୍କ ଆଗମନି ସ୍ମୃତି ମନ୍ଦିର ଅବଶ୍ୟ ଭୁଲୁଣ୍ଠିତ।  ବାଲୁଙ୍କେଶ୍ବର, ଜାଗୁଳାଇ, ବୁଢ଼ୀଆଣୀ, ସଞ୍ଜେୟୀ, ତାରେଣୀ ଓ ଅନ୍ୟାନ୍ୟ ଦେବା ଦେବୀ ବି ସେମିତି କାଳ କାଳ ପୂଜା ପାଉଥିବେ।
ପ୍ରତ୍ୟେକ ମନ୍ଦିରର ପୁନନିର୍ମାଣରେ ସାଧୁ ନେତୃତ୍ୱ ନେଇଛନ୍ତି ସେହିମାନେ ଯେଉଁ ମାନେ ସତୁରି ଦଶକରେ ଥିଲେ ଯୁବକ, ଆମ ଶୈଶବ କାଳରେ। ଅବଶ୍ୟ ବର୍ତ୍ତମାନର ଉତ୍ତମ ଯୁବବର୍ଗଙ୍କ ଶ୍ରେୟକୁ  ନ୍ୟୂନ୍ୟ କରାଯାଇ ନପାରେ, କିନ୍ତୁ ପୂଜ୍ୟ ପୂଜାର ପରମ୍ପରା ଦୃଷ୍ଟିରୁ ଶ୍ରଦ୍ଧା ଜଣାଉଛି ସେହି ସମୟର ଧୁରୀଣ ବର୍ଗଙ୍କ କାର୍ଯ୍ୟାବଳୀକୁ।
ସେମାନେ ଗଢିଥିଲେ ବାଜିରାଉତ ଯୁବକ ସଂଘ। ବିଭିନ୍ନ ପ୍ରକାର କ୍ରୀଡ଼ାରେ ଥିଲେ ନିପୁଣ, ବିଶେଷ କରି ଫୁଟବଲ। ପ୍ରତି ବର୍ଷ ମଞ୍ଚସ୍ଥ କରୁଥିଲେ ଦୁଇ କିମ୍ବା ତିନୋଟି ଡ୍ରାମା। ବହୁ ଉଚ୍ଚକୋଟୀର କଳାକାର ସେମାନେ। ନୃସିଂହ ମାମୁଁ, ବଳୀଆ ଭାଇ, ରାମମାମୁଁ, ନିରାକାର ଦାଦା, ଟୁଙ୍କ, ଟିଙ୍କ ଓ ଟୁକୁନୁ ଦାଦା, ଅକ୍ଷୟ ଦାଦା, ଆଲୋକ ଭାଇ, ପୁରିଆ ଭାଇ ତଥା ନିର୍ଦ୍ଦେଶକ ଚିରଞ୍ଜୀବି ଦାଦା ଓ ଅନ୍ୟ ମାନେ, ଆହାଃ ସତରେ ଚମତ୍କାର ସେମାନଙ୍କ ଡ୍ରାମା। ଆଣୁଥିଲେ ମାଟିର ମଣିଷ, କା, ଶେଷ ଶ୍ରାବଣ ଓ ଧରିତ୍ରୀ ଭଳି ଉଠା ସିନେମା। ରାସ୍ତା ଘାଟ ଓ ପୁଷ୍କରଣୀ ମାନଙ୍କର ସଫେଇ କରୁଥିଲେ। ଲୋକଙ୍କ ସୁଖଦୁଃଖରେ ସହଯୋଗ କରୁଥିଲେ। ସର୍ବୋପରି ୧୯୭୫ରେ ସ୍ଥାପିତ ହୋଇଥିଲା ଗ୍ରାମର ଉଚ୍ଚ ବିଦ୍ୟାଳୟ।  ଅଞ୍ଚଳର ଶ୍ରେଷ୍ଠ କ୍ରୀଡାବୀତ୍ ଯୁବକ ହରିହର ଦାଦା(ପ୍ରଫୁଲ୍ଲ) ମଧ୍ୟ ସେହି ସମୟର। ୧୯୭୭ ମସିହା ପ୍ରଥମାଷ୍ଟମୀ ଦିନ ପ୍ରଥମ କରି କ୍ରିକେଟ୍ ଖେଳ ଆରମ୍ଭ କରିଥିଲେ ଭୁବନେଶ୍ୱର ସହ ଜଡିତ କିଛି ଯୁବକ, ଯଦିଚ ଅନ୍ୟତ୍ର ଗ୍ରାମାଞ୍ଚଳରେ ଏହି ଖେଳ ସାର୍ବଜନୀନ ହୁଏ ୧୯୮୩ କପିଲଙ୍କ ବିଶ୍ବବିଜୟ ପରେ। ମନେହୁଏ ଆର୍ଥିକ ଦୃଷ୍ଟିରୁ ଆମ୍ଭେ ଥୂଲୁ ପଛୁଆ। କାରଣ ଥରେ ଚୋଉଷଠି ପଡାକୁ ଭଲି ଖଳିବାକୁ ଯାଇଥିବା ଟିମ୍ ସହ ମୁଁ ଯାଇଥାଏ ଶିଶୁ ଅବସ୍ଥାରେ, ଯେହେତୁ ଏହା ମାମୁଁଘର ପାଖ। ବଲଟିକୁ ମୋତେ ଧରାଇଥାନ୍ତି। ଏହାର ଅବସ୍ଥା ସାଂଘାତିକ। ମୋତେ ବି ଲାଜ ଲାଗୁଥାଏ। ତେବେ ଉଦ୍ୟମ ଓ ଆର୍ଥିକ ଅସ୍ବଛଳତା ପରସ୍ପର ବିରୋଧୀ ନୁହନ୍ତି। କୋରେଇରୁ ଜେନାପୁର ସିକ୍ସ ଅପ୍ ରେ ଗଲୁ, ବ୍ରାହ୍ମଣୀ ନଦୀ ଉପରେ ସଂଭବତଃ ରେଳ ମନ୍ଥର ହବାରୁ ପାଗୁନୀ ଦାଦା କହୁଥାନ୍ତି, ଆଉ ଜେନାପୁର ପର୍ଯ୍ୟନ୍ତ ନଯାଇ ସେଇଠି, ଚୋଉଷଠି ପଡାରେ ଖପ୍ କିନା ଡେଇଁ ଓହ୍ଲାଇ ପଡିବେ। ଦୁଇ ପାହାଚ ତଳକୁ ବି ଓହ୍ଲାଇ ଓହଳିଛନ୍ତି, ଅନ୍ୟମାନେ ବାରଣ କରିଛନ୍ତି ଓ ମୁଁ ଭୟରେ ଥରୁଛି। ଅବଶ୍ୟ ସେ ଓହ୍ଲାଇଲେ ନାହିଁ। ଆଜି ସେ ଆମ ସାହି ମନ୍ଦିରର ଗଠନରେ ଆଗରେ ଥିବାରୁ ଶ୍ରଦ୍ଧାରୁ ଏ କଥା ମନେ ପଡ଼ିଲା।
ଯେଉଁ ତିନୋଟି ଜିନିଷ ଆମ ଗ୍ରାମର ବିଶେଷ୍ବତ ଭାବେ ମୋ ମନକୁ ଆନ୍ଦୋଳିତ କରେ, ତାହା ହେଉଛି, ୧-ଏକ ଛୋଟିଆ ଗ୍ରାମରେ ଏତେ ଦେବସ୍ଥାନ ହେଲା କେମିତି। ଲୋକଙ୍କର ଆଉ କିଛି କାମ ନଥିଲା ବୋଧହୁଏ! ଅନ୍ଧ ବିଶ୍ବାସୀ!  କିନ୍ତୁ ଦ୍ବିତୀୟ ଓ ତୃତୀୟ କଥା ଏହାର ବିପରୀତ ମତ ପ୍ରତିପାଦନ କରେ। ୨-ଏତେ ନିପଟ ମଫସଲରେ ୧୮୮୬ ମସିହାରେ କେମିତି ପ୍ରାଥମିକ ବିଦ୍ୟାଳୟ ହେଲା! କିଭାବେ? ୩- ଏତେ ପୋଖରୀ ଖୋଳାଗଲା କିପରି! ପ୍ରାୟ ପ୍ରତି ପରିବାରର ଏକ କିମ୍ବା ଏକାଧିକ ଗାଡିଆ ଥିବା ସତ୍ବେ, ଅନେକ ସାର୍ବଜନୀନ ପୁଷ୍କରଣୀ ଖୋଳାଗଲା କାହିଁକି? ପ୍ରତ୍ୟେକ ପୋଖରୀର ନାମ ମନେ ପଡୁଛି, ତେବେ ସେ ଆଲୋଚନା ଅନ୍ୟ ଦିନକୁ। ଆଜି ଜଳ ସଂରକ୍ଷଣରେ ପୋଖରୀର ଉପାଦେୟତା, ସରକାର ଅନୁଭବ କରି ଋଣ ଓ ସବ୍ସିଡି ଦେଉଛି କିନ୍ତୁ ବହୁ ଅତୀତରୁ ଏକ ଛୋଟ ଗ୍ରାମର ଲୋକେ ନିଜ ଉଦ୍ୟମରେ ଏହା କରିଥିଲେ। ମହାନ ସେମାନେ। ତା ମଧ୍ୟରୁ କସ୍ତୁରା ଓ ନୂଆ ଗଡିଆ କେତେ ବଡ। ସେହି ମହାନ ଆତ୍ମା ମାନଙ୍କର ବିଭୁତି ଏବେବି ଆମ ଅଲକ୍ଷ୍ୟରେ ଆମକୁ ପ୍ରେରଣା ଦେଉଥିବ। ଜ୍ଞାତସାରରେ କିନ୍ତୁ ଏହି ସତୁରି ଦଶକର ଯୁବକ ମାନେ ପ୍ରବଳ ଭାବେ ମୋତେ ଅନୁପ୍ରାଣୀତ କରନ୍ତି। ଆଜି ମୋ ସାହିର ସ୍ବର୍ଗତଃ ଆତ୍ମାମାନେ ସୁଖ ଅନୁଭବ କରୁଥିବେ। ସେମାନଙ୍କର ଜୀବନ୍ତ ପ୍ରତିନିଧି ବୟୋଜ୍ୟେଷ୍ଠ ଶ୍ରୀ ବିନୋଦ ମହାନ୍ତି ତାଙ୍କ ବୟସାଧିକ ଅସ୍ପଷ୍ଟ ଭାବରାଜ୍ୟରେ ସସ୍ତ୍ରୀକ ଅନୁଭବ କରୁଥିବେ , ପ୍ରଗାଢ଼ ପ୍ରଶାନ୍ତି, ଯେମିତି କରୁଥିବେ ମୋ ବାପା, ଆମ ଦାଦା ଘର ସାଆନ୍ତମା, ଶଂଶାଦାଦା, ରଜନାଦାଦା, ମନୁଆ ଅଜା ଓ ଆଈ, ତଥା ଅନ୍ୟ ସମସ୍ତେ। ଅନେକ ଝଡଝଞ୍ଜାର ଉର୍ଦ୍ଧ୍ବରେ ଏକ ରାଜ୍ୟର ଆବଶ୍ୟକତା ଅନୁଭବ କରାଯାଏ, ଯେଉଁଠି ସର୍ବେ ଏକାକାର। ସେ ରାଜ୍ୟର ବାସିନ୍ଦା ଆମ ଗୋପୀନାଥ, ଆମ ସମସ୍ତଙ୍କୁ ସୁଖରେ ରଖନ୍ତୁ, କଲ୍ୟାଣ କରନ୍ତୁ, ଏତିକି କାମନା। ପ୍ରଭୁଙ୍କ ସହ ସମସ୍ତ ଗୁରୁଜନ ମାନଙ୍କୁ ପ୍ରଣାମ, ସାଥି ଓ  ସାନ ମାନଙ୍କୁ ଶ୍ରଦ୍ଧା, ଶଭେଛା ଓ ଅଭିନନ୍ଦନ। ଆପଣଙ୍କର, ରବି ଏବଂ ସରିତା।
(ମୋ ବୋଉ ବାରମ୍ବାର ଏସବୁ ତଥ୍ୟ ଗପୁଥିବାରୁ ମୁଁ ଲେଖି ପାରୁଛି, ଲେଖାଟି ଗୋପୀନାଥଙ୍କ ପାଦତଳେ ମୋ ବୋଉ ଉଦ୍ଦେଶ୍ୟରେ ଶ୍ରଦ୍ଧା ସମର୍ପିତ)

Thursday 22 June 2017

ମାଗୁଣିର ଶଗଡ

ଗଳ୍ପଟି ୨୦୦୩ ମସିହାରେ ପ୍ରକାଶିତ। ଅନେକ ତୃଟିର ସଂଶୋଧନ, କଳେବରକୁ ଅସୁନ୍ଦର କରୁଥିବା ସତ୍ତ୍ବେ, ନିର୍ଦ୍ଦିଷ୍ଟ ବର୍ଗର ପାଠକଙ୍କ ପାଖରେ ସବିନୟ ଉପସ୍ଥାପନା କରୁଛି ଯେଉଁମାନେ ମନେ କରି ପାରନ୍ତି ଏ ଗଳ୍ପରେ ବର୍ଣ୍ଣିତ ଘଟଣାବଳି ସତକୁ ସତ, ଘଟି ଚାଲିଛି। ଗଳ୍ପର ମୂଖ୍ୟ ଚରିତ୍ର ସହ ଯଦି ଏ ଲେଖକର କିଛି ସାମଞ୍ଜସ୍ୟ ରହିଛି ତାହା ଅନିଛାକୃତ। ସେଥିପାଇଁ କ୍ଷମା ଚାହୁଁଛି। ଗଳ୍ପ ଲେଖି ସାରିଲା ପରେ ଅନୁଭବ କଲି, ନୂଆ ଆଉ କଣ ଲେଖିଲି, ଅତି ଚମତ୍କାର ଗଳ୍ପ, 'ମାଗୁଣିର ଶଗଡ' ତ ଚିର ବନ୍ଦନୀୟ ଗୋଦାବରୀଶ ମହାପାତ୍ର କାଳ କାଳକୁ ଲେଖି ଯାଇଛନ୍ତି। ପୁରସ୍କାର ପ୍ରାପ୍ତ 'ଭୂଖା' ଚଳଚ୍ଚିତ୍ର ବି ଏହି କଳା ପ୍ରିୟ ମାଟିରେ ହୋଇଛି। ଗଳ୍ପର ନାମ କରଣ ଶ୍ରଦ୍ଧା ବଶତଃ ଚୋରାଇ ଆଣିଲି। ତେଣୁ ସେହି ପୁରୁଣା କଥା ବାରମ୍ବାର ଘଟୁଥିବା ସତ୍ବେ ମୁଁ କାହିଁକି ଭାବିବି ଯେ ଯାହା କଳ୍ପନାରେ ଆସିଥିଲା ତାହା ସତରେ ଘଟିଲା, ଯେମିତି ସରକାର ଶେଷରେ ଟେଲିଗ୍ରାଫ୍ ବିଭାଗଟା ବନ୍ଦ କରିଦେଲେ। ଗଳ୍ପଟିରେ ଥିବା ବିରୋଧାଭାସ ଚରିତ୍ର ପ୍ରତି କର୍ତ୍ତବ୍ୟ ପ୍ରସୁତ, ଲେଖକର ବ୍ୟକ୍ତିଗତ ଭାବନା ନୁହେଁ। ଏତେ ତୃଟି ଥିବା ସତ୍ବେ ଏହା ଉକ୍ତ ପତ୍ରୀକାର ସେ ବର୍ଷର ଶ୍ରେଷ୍ଠ ଗଳ୍ପ ବିବେଚିତ ହୋଇଥିଲା। 'ସ୍ମୃତିଲିପି' ସହ ଜଡିତ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି।  










Sunday 11 June 2017

ଅଢେଇଟା ମୂଳା। ସ୍ବଳ୍ପ ଗଳ୍ପ।

ସ୍ବଳ୍ପ ଗଳ୍ପ।

ଅଢେଇଟା ମୂଳା।
ଆଜ୍ଞା ମୂଳା ନେବେ, ନିଅନ୍ତୁ, ଏ ବଡ ମୂଳା ଗୁଡା ବୁଢା ଭାବିବେ ନାହିଁ, କଅଁଳିଆ, ଗୋଟିକୁ ପଚାଶ ପଇସା ତିନୋଟିକୁ ଏକ ଟଙ୍କା। ଏ ଅନେକ ଦିନ ତଳର କଥା, କଲେଜ ହଷ୍ଟେଲରେ ଆମ୍ଭେ ଚାରି ଜଣ କରୁଥିବା ଭୋଜିର ସାଲାଡ଼ ପାଇଁ, ଭୁଲିଯାଇଥିବା ମୂଳା ଆଣିବାକୁ ଯାଇଥାଏ ମୁଁ। ତିନୋଟି ଆଣିଲି ଶସ୍ତା ହେତୁ। ଫାଳେ ପଡିଲା ବାକିତକ ବଳିଲେ। ଭାବିଲୁ ମେସ୍ କୁ ଦାନ ହେବ। ଭୁଲି ଗଲୁ, ପରିବା ଶୁଖିଯିବା ଚାଷୀଭାଇର ଦୁଃଖ, ପରିବା ବେପାରୀର ଟଙ୍କାକୁ ତିନିର ଦୁଃଖ, ଆମ ରୁମକୁ ସେ ଦୁଃଖ କିଣା ହେଲା, ପଚାଶ ପଇସାରେ। ଏ କଥାଟି ମନେ ପଡ଼ିଲା ଯେବେ ମୋ ମଧୁର ସମ୍ପର୍କ ବିଜୟ ତାଙ୍କ ସିନେମା ଲାବ୍ ରେ ମାରିଥିବା ଆର୍ଚିଜ୍ ପୋଷ୍ଟରର ସ୍ଲୋଗାନ ପଢ଼ିଲି, 'ଦରକାରୀ ମନେ କଲେ କିଣ, ଶସ୍ତା ଲୋଭରେ ନୁହେଁ'। ସେ ବି ଅନେକ ଦିନ ତଳର କଥା। କାଲି ବାଦାମବାଡିରେ ବସରୁ ଓହ୍ଲାଇଲି ଏକ ସପିଂମଲ୍ ସାମ୍ନାରେ। ଚିତ୍କାର ପ୍ରାୟ ପ୍ରଚାର, ମହା ମେଗା ଅଫର୍; ଅଢେ଼ଇଟି ମୂଳା ମାଗଣା ନିଅନ୍ତୁ। ହସିଲି ମନେ ପଡ଼ିଲା ବାଲିଯାତ୍ରାରୁ କିଣିଥିବା ମିଠା ଆଚାର, ମୋର ଭାରି ପ୍ରିୟ। ଧେତ୍ ତେରିଖା, ଡେଟ୍ ପଳେଇଲାଣି।