Search This Blog

Wednesday, 18 November 2020

ସୁମନ ମାୟାଧର, ଭାଗ ୧୪, ଶବ୍ଦସଂଖ୍ୟା ୧୧୦୦।।


 ୧୪

ମନ ଅଣାୟତ୍ତ‌ ହେଲା । ମୁଁ ଅମିନାକୁ ମୋ ପାଖକୁ ଡକାଇ ଆଣିଲି କିଛିଦିନ ପାଇଁ । ଖୁସି ଲାଗୁଥାଏ ମାଆ ଅମିନାକୁ ଶ୍ରଦ୍ଧା କରୁଥିବା ଦେଖି । ଅମିନା ମଧ୍ୟ ଖୁବ ଖୁସିରେ ମାଆଙ୍କ ସହ ମିଶିଯାଇଥାଏ । ଜେଜେ ମା, ଜେଜେ ମା- ଡାକ ପକାଉ ଥାଏ । ଅମିନା ଏବେ ଚଳନିୟ ଭାବେ ଓଡିଆ କହି ପାରୁଥାଏ ।

ଦିନେ ଦେଖିଲି, ଅମିନା ମାଆଙ୍କୁ ବାଧ୍ୟକରି ଶୁଆଇ ଦେଇ ଗୋଡହାତ ମୋଡି ଦେଉଥାଏ । ମାଆ ଯାହା ପଚାରୁଥାନ୍ତି କହୁଥାଏ । ଅମିନା ସମ୍ଭବତଃ ତା ବାପାମାଆ, ଓ ଅତୀତର ଦୁଃଖ କାହାଣୀ ବିନା ଦ୍ୱିଧାରେ ଗପୁଥାଏ । ସେ ଆଉ ମାନସିକ ବିକାର ମଧ୍ୟରେ ନଥିଲେ ବି ପ୍ରଗଳ୍ଭତା ତାକୁ କେବେ ଛାଡି ଯାଇନାହିଁ । ମାଆ ସବୁ ଶୁଣୁଥାନ୍ତି । ପରେ ସେ ଉଠିବସିଲେ, ଅମିନାର ମୁକୁଳା କେଶରେ ବେଣୀ ପକାଇଦେଲେ ।

ସେଦିନ ଅମିନାକୁ ତାଙ୍କ ପାଖରେ ଶୁଆଇଲେ ।

ଏସବୁ ଟିକି ଟିକି କଥା, ମାଆ ନହୋଇ ଓ କେବେ ମାଅ ହେବାର ସମ୍ଭାବନା ନଥାଇ ବି ମାଆ ହୋଇଥିବା ମୋ ଭଳି ଜଣେ ମଣିଷ ପାଇଁ ଏମିତି ଏଡେ ମୂଲ୍ୟବାନ ହୋଇପାରେ! ଏ ଅନୁଭୂତିରେ ମୁଁ ଅଭିଭୂତ ହୋଇ ପଡିଲି । ଅଂଶୁ ମୋ କୋଳରେ ଜାକି ହୋଇ ଶୋଇଥାଏ । ମନେହେଲା ଏ ତ ଜୀବନର ପୂର୍ଣ୍ଣତା ଆଉ କଣ ଆବଶ୍ୟକ ଅଛି ଯେ । ତଥାପି କାହିଁକି ନିଦ ହେଲା ନାହିଁ । ରୁମ୍ ବାହାରକୁ ଯାଇସବୁ ଦିଗରେ ନଜର କରି ଫେରିଲି । ମାୟାଧର ରୁମରେ ଆଲୋକ ଜଳୁଥାଏ, ଦ୍ୱାର ଅଧା ମେଲା । ମୁଁ ତା କବାଟ ଆଉଜାଇ ଦେଲାବେଳେ ଅନାଇ ଦେଖିଲି । ସେ ଏକ ପ୍ରୋଜେକ୍ଟରରୁ ଭିନ୍ନ ଭିନ୍ନ ରଙ୍ଗର ଆଲୋକ ପକାଇ ଅର୍ଦ୍ଧନାରୀଶ୍ୱର ଚିତ୍ରକଳାକୁ ଦେଖୁଥାଏ । ମୁଁ କିଛି ବୁଝି ପାରିଲି ନାହିଁ । ପାଖକୁ ଗଲି ନାହିଁ । କେତେଦିନ ହେଲା ସେ ଏ କାମରେ ତନ୍ମୟ ଥାଏ, ତହିଁରେ ବାଧା ଉପୁଜାଇବା ମୋର ଇଛା ହେଲା ନାହିଁ । ମନେହେଲା, କେବଳ ଏତିକି ନୁହେଁ, ରାତିରେ ତା କୋଠରୀକୁ  ଯିବାକୁ ମତେ ଲାଜ ଲାଗୁଛି । ଏମିତି କେବେଠୁ ଓ କାହିଁକି ହେଲା ଠିକ୍ ଜାଣି ପାରୁନଥିଲି । ଏହା କଣ ଚିକିତ୍ସାର ପ୍ରଭାବ ନା ପିଲାମାନଙ୍କ ସାମ୍ପ୍ରତିକ ବ୍ୟବହାରର ପ୍ରତିଫଳନ? ନା ମୁଁ ବୁଝି ପାରିଲି ନାହିଁ ।

ମୋ ମନରେ ଏହା ମଧ୍ୟରେ ଏକ ବ୍ୟକ୍ତିସତ୍ତା ଭିନ୍ନ ଭାବେ ଗଢି ଉଠିଥାଏ । କିଶୋରୀ ଓ ଆଦ୍ୟ ଯୌବନା କାଳେ ଯେଉଁ ମାୟାଧର ସହ ଏତେ ବନ୍ଧୁତା ସ‌ତ୍ତ୍ବେ ମୋ ମଧ୍ୟରେ ଏକ ଗୋପନ ଓ ଅପ୍ରକାଶିତ ପ୍ରେମ ଭାବନା ସମାନ୍ତରାଳ ଭାବେ ଝରି ଯାଉଥିଲା ଓ ସମ୍ଭବତଃ ମୋ ସମଗ୍ର ଭଲ ପାଇବାର ମୂଖ୍ୟାଂଶ ଥିଲା; ସେଇଟି ଆଉ ନଥିଲା । ବରଂ ମୁଁ କାୟୋମନବାକ୍ୟରେ ଚାହୁଁଥିଲି ମୋ ମାୟାଧର ଏକ ସାଥୀ ଆଣୁ । ଏ ଘର ପରିବାର ହସି ଉଠୁ । ଯେତିକି ପାଇଲିଣି ସେତିକି ରଖିବା ପାଇଁ ସତେ ଅବା ମୋ ମଧ୍ୟରେ ସ୍ଥାନର ଅଭାବ । ଅନ୍ୟଥା ସମାଜ ମୋତେ କଣ କହିବ,ସେ ଚିନ୍ତା ପଶି ଆସୁଥାଏ । ମୁଁ ଜଣେ କିନ୍ନର, ଏହି ସମାଜର ଟିପ୍ପଣୀର ପ୍ରଖର ସ୍ରୋତ ବିପରୀତରେ ପହଁରିବା ମୋର ସହଜାତ ଧର୍ମ । ତହିଁରେ ବୋଧହୁଏ ମୁଁ ପାରଙ୍ଗମ, ମନତଳେ ଚାପିଦେଇ ସବୁ ଦୁଃଖ । ଘର ପରିବାର, ବନ୍ଧୁ କୁଟୁମ୍ବ ସମସ୍ତେ ଯେତେବେଳେ ସମାଜ ସ୍ରୋତର ଅନୁକୁଳରେ ଥାଆନ୍ତି ଓ ସେମାନେ ଚାହାନ୍ତି ମୁଁ ବି ସେମିତି ରହେ; ମୁଁ ପାରେନି । ହୁଏ ଯୁଦ୍ଧ । ଆଜି ଯୁଦ୍ଧରେ ଆପାତତଃ ବିଜୟୀ ହେଲାପରେ ମୁଁ ଏମିତି କାହିଁକି ଭାବୁଛି; ସମାଜ କଣ ଭାବିବ! ସମାଜ ଉପରେ ମୁଁ କେବେଠୁ ଗୁରୁତ୍ୱ ଦେଲିଣି!  ମୁଁ କଣ ମାୟାଧରକୁ ହାସଲ କରିପାରନ୍ତି ନାହିଁ? ଅଥଚ କେବଳ ମୁଁ ଏକା ଯେମିତି ଚିନ୍ତିତ ତା ଭବିଷ୍ୟତ ପାଇଁ । ସେ ନିଜେ କିମ୍ବା ମାଆ ଚିନ୍ତା କରିବାର ଆଭାସ ନାହିଁ ।

ମାଆ ଠକାମିରେ ପଡିନାହାନ୍ତି ତ? ଭାବୁଥିବେ ଯଦି ସୁମନ ଏବେ ପୁରା ଝିଅ, ମାୟାର ଏତେ ସାଙ୍ଗ, ଶୁଭଚିନ୍ତକ, ତା ବୃତ୍ତିଗତ ସହକର୍ମୀ ଓ ଶକ୍ଷିତା; ସେ ହେତୁ ସବୁ ଦୃଷ୍ଟିରୁ ମାୟା ପାଇଁ ସୁନ୍ଦର ଜୀବନ ସାଥୀ! ଏ ତ ଅବ୍ୟକ୍ତ ଛଳନା ମୋ ତରଫରୁ । ମୁଁ ସ୍ଥିର କଲି, ମାଆଙ୍କୁ ଜଣାଇ ଦେବି ଯେ ବିଜ୍ଞାନ ସେତେ ପର୍ଯ୍ୟନ୍ତ ପହଞ୍ଚିି ନାହିଁ କି ସୁମନ ମାଆ ହୋଇ ପାରିବ । ପୁଣି ଭାବିଲି, ଏକଥା, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନାହିଁ ପରି ହେବ । ମୁଁ କେମିତି ଜାଣିବି ସେ କଣ ଭାବୁଛନ୍ତି ।

ମୁଁ ମୋ ପ୍ରକୋଷ୍ଠକୁ ଫେରି ଆସିଲି । ଅଂଶୁ ଭିଡିମୋଡି ହେଉଥାଏ, ବୋଧହୁଏ ମୋତେ ଖୋଜୁଥାଏ । ମୁଁ ତା କଡରେ ତକିଆ ଥୋଇ ଟେବୁଲ ପାଖକୁ ଆସିଲି । ଅନେକ ଦିନପରେ ଦିନଲିପି ଲେଖିବାକୁ ମନ ହେଲା ।

 ପତ୍ରିକାଟିଏ ପଡିଥାଏ । ଓଲଟାଇ ଦେଖିଲି, ପୋ ପ୍ରିୟ ଲେଖକ ମନୋଜ ଦାସଙ୍କ ଏକ ପ୍ରବନ୍ଧ ପାଇଲି । ଆଜି ତା ଶୀର୍ଷକ ମନେ ନାହିଁ । ଏହା ସଫଳତା ଓ ବିଫଳତା ଉପରେ ପର୍ଯ୍ୟବେସିତ । ଲେଖକ ଲେଖିଛନ୍ତି ଦୁଇଜଣ ବିଶିଷ୍ଟ ଦାର୍ଶନିକ ଓସ୍କାର ୱଇଲ୍ଡ ଓ ଜର୍ଜ ବାର୍ଣ୍ଣାଡ ଶ’ଙ୍କ ବକ୍ତବ୍ୟକୁ ଉଦ୍ଧାର କରି; ଦୁନିଆରେ ଦୁଇଟି ଦୁଃଖ । ପ୍ରଥମଟି ହେଲା, ଚାହୁଁଥିବା ଜିନିଷ ବା ପରିସ୍ଥିତି ନପାଇବା ଓ ଦ୍ୱିତୀୟଟି ହେଲା ସେଇଟି ମିଳିଯିବା । ପ୍ରଥମଟି ଆମେ ସମସ୍ତେ ବୁଝିଛନ୍ତି । ସ୍ୱୟଂ ବୁଦ୍ଧଦେବ ତାହାର ସାରାଂଶ କହି ନାହାନ୍ତି କି କାମନାର ବିନାଶରେ ଦୁଃଖର ବିନାଶ! ଏଣୁ ଏହା ଉପରେ ମନୋଜ ମହାଶୟ ବିଶେଷ ବ୍ୟାଖ୍ୟା କରି ନାହାନ୍ତି । କିନ୍ତୁ ସାଫଲ୍ୟ କିପରି ଜୀବନର ବିଡମ୍ବନା ହୋଇପାରେ ସେ ବାବଦରେ ଦେଇଛନ୍ତି ଅନେକ ମଜାଦାର ଓ ଗମ୍ଭୀର ଦୃଷ୍ଟାନ୍ତ । ତତ୍କ୍ଷଣାତ୍ ମନେହେଲା ସେ ଯଦି ମୋ କଥା ଜାଣିଥାନ୍ତେ ତାହେଲେ ମୁଁ ବି ଏକ ଦୃଷ୍ଟାନ୍ତ । ଆଜି ମୋ ସଫଳତା ମୋ ପଛରେ ଦୁଃଖ ହୋଇ ଗୋଡାଉ ନାହିଁକି? ଦୁନିଆ ଆଖିରେ ମୁଁ ଥିଲି ପୁରୁଷ, ମାୟାଧର ସହ ବନ୍ଧୁତା ଆଲୋଚନା ସାପେକ୍ଷ ନଥିଲା । ଆଜି ମୁଁ ସଫଳ, ମୋ ଇପ୍ସିତ ନାରୀଟିଏ ମୁଁ, ଅନେକାଂଶରେ ସମ୍ପୂର୍ଣ୍ଣା । ବାକି ଅଭାବ ପୁରଣ କରି ଦେଇଛନ୍ତି ଅମିନା ଓ ଅଂଶୁ । ସଫଳତା ହିଁ ସଫଳତା, ଅଥଚ ମୁଁ କଣ ଖୁସି? ଲାଗୁଛି ଏକ ବିପଦରେ ପଡିଯାଇଛି । ପ୍ରାଣଭରି ଭଲ ପାଉଥିବା ମଣିଷଟିକୁ ମୁଁ ଆଉ ଭଲ ପାଇବା ସମ୍ଭବ ହେଉନି । ମାଆ, ଅଂଶୁ, ପାଇକାଳୀ, ଆମ ପ୍ରତଷ୍ଠାନ “ସୁମନ ମାୟାଧର”କୁ ତ୍ୟାଗ କରିବା ମଧ୍ୟ ସମ୍ଭବ ନୁହେଁ । “ସୁମନ ମାୟାଧର” କି ସୁମନ ବିନା ବଞ୍ଚି ପାରିବ ଯଦିଓ ସୁମନର ଯୋଗଦାନ କିଛି ନାହିଁ? ନା କଦାପି ନୁହେଁ । ମୁଁ ହୁଏତ ଏମାନଙ୍କୁ ଛାଡି ରହିଯିବି କିନ୍ତୁ ଏମାନେ? କଣ ହେବ ମୋ ମାୟାଧରର ଅବସ୍ଥା! କଣ ହେବ ଅଂଶୁର ଅବସ୍ଥା! ଏମାନଙ୍କ ଅବସ୍ଥାକୁ ନେଇ କଣ ହେବ ସେହି ମାଆଙ୍କ ଅବସ୍ଥା ଯେ ଆଦ୍ୟ ଯୌବନରୁ ବିଧବା ହୋଇ ଏକ ଖାନଦାନୀ ବଳିଆରସିଂ ବଂଶର ଧ୍ୱଜାକୁ ସଗର୍ବେ ଉଡାଇଛନ୍ତି ସାରା ଜୀବନ । ପରିଣତ ବୟସରେ ସେ କେତେ କଷଣ ପାଇବେ! ମୋ ମୁଣ୍ଡ ଗୋଳମାଳ ହୋଇଗଲା । ନା ମୁଁ ଏମାନଙ୍କୁ ଛାଡି ଯିବା ଠିକ୍ ହେବ ନାହିଁ ।

କିନ୍ତୁ ମୁଁ ଓ ମୋ ଅପ୍ରକାଶିତ ଭଲ ପାଇବାର ଉପସ୍ଥିତି ମଧ୍ୟରେ ଆଉ ଜଣେ ନାରୀ କେବେ ସ୍ୱଛନ୍ଦରେ ରହି ପାରିବ ଏ ଘରେ? ଅଂଶୁ ତାଙ୍କୁ ଗ୍ରହଣ କରିପାରିବ? ଲିଭାଇ ଦେଇ ପାରିବ କେହି ସମ୍ଭବା ମହିୟସୀ, ସୁମନ ଅଂଶକୁ ସୁମନ-ମାୟାଧରରୁ? ନଲିଭାଇ ରହି ପାରିବ ଏକ ଛାତତଳେ? ମୁଁ କଣ ମୋ ଭଉଣୀକୁ ଏମିତି ଘରେ ବାହା ଦେଇଥାନ୍ତି? ନା ତାହା ବି ସମ୍ଭବ ନୁହେଁ ।


ଦୁନିଆରେ କେଉଁଟା କାହା ପାଇଁ ଅଟକିଲାଣି ଯେ, ମାଆ କଣ ଏକୁଟିଆ ଜୀବନ କାଟିଲେ ନାହିଁ,  ବାପା ମାଆ ଚାଲିଗଲା ପରେ ଈଶ୍ୱର ବିକଳ୍ପ ବ୍ୟବସ୍ଥା କଲେନି କି ଅଂଶୁପାଇଁ? ସେମାନେ ସେମିତି ଚଳିଯିବେ । ମୁଁ ମନ ସ୍ଥିର କଲି, ମୁଁ ମୋ ବାଟ ଦେଖିବି । ଯାହା ବି କଷ୍ଟ ଲାଗୁ ପଛେ, ମୁଁ ଏଣିକି ସରକାରୀ ଘର ଆବେଦନ କରିବି । ସେଇଠିକୁ ପଳାଇବି । ଏମାନଙ୍କୁ ଭୁଲି ଯିବି । ସବୁ ସମ୍ଭବ । କିନ୍ତୁ ଏମାନେ ସବୁ ସେଠି ପହଞ୍ଚି ଯିବେ ନାହଁକି? ମନେହେଲା ବିଶ୍ୱଭାରତୀ ଛାଡି ଭୁଲ କଲି । ମୋର ସେଠାରେ ଅମିନା ଓ ଲକ୍ଷ୍ମୀ ମାଆଙ୍କ ସହ ସୁଖରେ ରହିଥାନ୍ତି । ଅଂଶୁ ମୋ ଭାବାବେଗକୁ କବଳିତ କରି ନଥାନ୍ତା ।

କିଛି ବୁଦ୍ଧିବାଟ ଦିଶୁ ନଥିବା ବେଳେ ଦୁର୍ବୁଦ୍ଧି ବାଟ କଢାଏ ।

ଆଛା ସମସ୍ତଙ୍କ ପଥ ପରିଷ୍କାର କରିବା ପାଇଁ ମୁଁ ଯଦି ହଟିଯାଏ?

ହଠାତ୍ କେଉଁ ଦୁଷ୍ଟଶକ୍ତି କବଳରେ ପଡିଗଲି । ମତେ ସବୁ ବିଷମୟ ଲାଗିଲା, ଦୁନିଆ ଓ ମୁଁ ନିଜେ । ମନେହେଲା ଆତ୍ମହତ୍ୟା ବୋଧହୁଏ ଏକ ମାତ୍ର ସମାଧାନ । ମୁଁ ନଥିଲେ, ମୋ ସ୍ମୃତିକୁ ଏମାନେ କେତେ ଦିନ ଅବା ମନେ ରଖିବେ । ସମୟ ସବୁ କିଛି ସମାଧାନ କରିଦେବ । ଅମିନା ତ ନିଜ ଗୋଡରେ ଠିଆ ହୋଇଛି । ଅଂଶୁକୁ ନୂଆ ମାଆ ମିଳିଯିବ । ଅଂଶୁ ଶୋଇଥିଲା । କେଡେ ନିରୀହ! ତଥାପି ମୋ ମନ ଢଳିଲା ନାହିଁ ।

ଆତ୍ମହତ୍ୟାର ଭାବନା ବରଂ ଶାନ୍ତି ଦେଉଥିଲା । ଆଜି ଏ ଜୀବନୀ କେଉଁ ନର୍ଦ୍ଦମାରେ ବି ସ୍ଥାନ ପାଇନଥାନ୍ତା । ଅତୃପ୍ତ ଆତ୍ମା ଯଦି ଥାଏ ତାହେଲେ ମୁଁ ସେମିତି ଥାଆନ୍ତି । କିନ୍ତୁ ସମୟଠୁ କେହି ବଳବାନ ହୋଇ ନପାରେ । ବିଚଳିତ ସମୟରେ ମୋ ସିଦ୍ଧାନ୍ତକୁ ମୁଁ ଭୁଲ୍ ଭାବୁ ନଥିଲି । ମୋ ଘର, ପରିବାର, ମହୁଲକୁସୁମ, ଅମିନା, ଳକ୍ଷ୍ମୀମା, ଅଂଶୁ, ମାୟାଧର, ମାଆ, ମୋ ମଧ୍ୟର ଶିଳ୍ପୀ, ମୋ ଶିକ୍ଷା, ମୋ ଚାକିରି ଓ ମତେ ଖୁବ୍ ଭଲ ପାଉଥିବା ଛାତ୍ରଛାତ୍ରୀ; ଏମାନେ କେହି ମୋତେ ନିବୃତ କରିବାର ଆଶା ନଥିଲା । ସଦ୍ୟ ପାଠ କରିଥିବା ସଫଳତା ଓ ବିଫଳତାର ରଚନାଟି ମୋ ମନକୁ ଛୁଉଁଥିଲେ ମଧ୍ୟ ସେ ମୁହୂର୍ତ୍ତରେ ମୁଁ ଥିଲି ଅପଶକ୍ତିର କବଳରେ । ଭାବୁଥିଲି ଯଦି ଏହା ମୋ ସିଦ୍ଧାନ୍ତ ତେବେ ଡେରି କାହିଁକି? 

ପୁଣି ଭାବିଲି, ନା କାହାକୁ କଷ୍ଟ ଦେବି ନାହିଁ । ଅମିନା ଆଗ ଫେରିଯାଉ । ମୁଁ ଅନ୍ୟତ୍ର ଏକ ଗୋପନୀୟ ସ୍ଥାନକୁ ଯାଇ ପରାଣ ହାରିବି ।

ରାତି ଆଉ ଅଲ୍ପକ୍ଷଣ ଥାଏ, ଅଂଶୁକୁ ପାଖକୁ ଲଗାଇ ଆଣି ଗଡି ପଡିଲି । କେଜାଣି ନିଦ କେତେବେଳେ ହେଲା, ସ୍ୱପ୍ନ ଦେଖିଲି ମୋ ଗୁରୁଜୀ, ଗୋପିକୃଷ୍ଣା ମହାଶୟା ମୋ ପାଖରେ ଉପସ୍ଥିତ । କହିଲେ, - ସୁମନ ତୁମେ ମୋତେ ସାକ୍ଷାତ କରିବ ଆଗାମୀ କାର୍ତ୍ତିକ ପୂର୍ଣ୍ଣମୀ ଦିନ ।

ପରଦିନ ଭାବିଲି, ସ୍ୱପ୍ନ ହୋଇପାରେ କିନ୍ତୁ ଏଡେ ବଡ କାମ କରିବା ପୂର୍ବରୁ ଗୁରୁଙ୍କୁ ସାକ୍ଷାତ କଲେ କ୍ଷତି କଣ? ପୁଣି ଭାବିଲି ଏ ବିଶାଳ ପୃଥିବୀରେ ନିଜକୁ କଣ ଲୁଚାଇ ପାରିବି ନାହିଁ ଯେ ଜୀବନ ହାରିବା ଭଳି ଅପକର୍ମ କରିବି?

ଗୁରୁକୃପା ସମସ୍ତ ଯନ୍ତ୍ରଣାରୁ ମୁକ୍ତ କରିଦେଇପାରେ। ସମସ୍ତ ଦ୍ବନ୍ଦ୍ବର ସମାଧାନର ରାସ୍ତା ଦେଖାଇପାରେ। ସାମାନ୍ୟ ଗୋଟିଏ ରାତିରେ ମୋ ମନ କେତେ କଣ ଭାବିନେଇ, କେତେ ଦୁର୍ଗମ ଓ ଅଗମ୍ୟ ରାଇଜ ଭ୍ରମଣ କରି ପୁଣି ଆପଣାର ସୁରକ୍ଷିତ ବଳୟ ମଧ୍ୟକୁ ଫେରି ଆସିଲା। ମନର ଗତି ସତରେ ସବୁଠୁ ବେଗବାନ। ଗୁରୁଙ୍କ ମଧ୍ୟରେ ଈଶ୍ୱରଙ୍କୁ ଜ୍ଞାନ କରି ମୁଁ ଶାନ୍ତ ହୋଇଗଲି। ଅଂଶୁ ଓ ଅମିନା ବାଦବୁଦିଆ ହୋଇ ମୋ ଦୁଇ ହାତକୁ ଦୁଇଆଡୁ ଟାଣୁଥିଲେ। ଛି, ମୁଁ କେମିତି ଏତେ ସବୁ ନିନ୍ଦନୀୟ କଥା ଭାବିଗଲି!


2 comments: