Search This Blog

Tuesday 10 November 2020

ସୁମନ ମାୟାଧର, ଭାଗ ୧୧, ଶବ୍ଦସଂଖ୍ୟା ୧୧୫୦।


 (ସୁମନ ନିଜ ସାଥୀ ମାୟାଧର, ମାୟାଧରଙ୍କ ମାଆ, ଓ ନିଜ ପରିବାର ତଥା ମହୁଲକୁସୁମ ଗ୍ରାମବାସୀଙ୍କୁ ଆପଣାର ବିଶେଷ ପରିଚୟ ଦେଇ ସାରିଛନ୍ତି। ଲକ୍ଷ୍ମୀମାଙ୍କୁ ସଫଳ ଚିକିତ୍ସା କରାଇଛନ୍ତି ନିଜ କର୍ମକ୍ଷେତ୍ରକୁ ନେଇ)

୧୧

ମୁଁ, ମୋ ମିତ ସୁମନ ମିତ୍ରଙ୍କୁ ଡକାଇଲି । ସମସ୍ତ ବିଷୟ ଶୁଣି ସେ ଖୁସି ହେଲେ । ସେ ଏବେ ପ୍ରତ୍ୟକ୍ଷ ରାଜନୀତିରେ ଜଡିତ । ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ, ଶିକ୍ଷକ ସଂଘ ଓ କର୍ମଚାରୀ ସଂଘ ସମସ୍ତଙ୍କର ପ୍ରିୟ ସେ । ସେ ମୋତେ ସାହସ ଦେଲେ । ସବୁ ମହଲରେ ମୋ ପରିଚୟ ସପକ୍ଷରେ ମତ ରଖିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସହାନୁଭୁତିର ସହ ମୋ ଦରଖାସ୍ତକୁ ଗ୍ରହଣ କରି ଉପରିସ୍ଥ ଅଧିକାରୀ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଞ୍ଜୁରି ପାଇଁ ପଠାଇଲେ । ଏହା ଏତେ ସହଜ ନଥିଲା । ଚାକିରିରେ ସେ ସମୟରେ ଆମ କିନ୍ନରଙ୍କ ପାଇଁ ବର୍ଗ ହିଁ ନଥିଲା । ତେବେ ସମସ୍ତେ ସହାନୁଭୁତିର ସହ ବିଚାର କରି ନିର୍ଦ୍ଦେଶ ଦେଲେ କି ନିଯୁକ୍ତି ପୁସ୍ତିକାରେ କୌଣସି ପରିବର୍ତ୍ତନ ନକରି ମୋତେ ମୋ ହିସାବରେ ଚଳିବାକୁ ଓ ବେଶଭୂଷା ହେବାକୁ ଅନୁମତି ମିଳୁ । ଛାତ୍ରଛାତ୍ରୀ ମାନେ ଖୁବ୍ ଶ୍ରଦ୍ଧା ଓ ସମ୍ମାନ କରୁଥାନ୍ତି । 

ସେଦିନ ଅଗଷ୍ଟ ନଅ ତାରିଖ, ମୋ ମିତ ଉପସ୍ଥିତିରେ ମୁଁ ଦେବୀ ରୂପରେ ଶିକ୍ଷାଦାନ ପାଇଁ ଗଲି । ଛାତ୍ରଛାତ୍ରୀ ମାନେ ତତ୍କ୍ଷଣାତ୍ ମାଡାମ୍ ସମ୍ବୋଧନ ଆରମ୍ଭ କରିଦେଲେ । ଚିତ୍ରକଳାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ସହଜ ଥିଲା । କଳା ସର୍ବକାଳେ ଲିଙ୍ଗ ନିରପେକ୍ଷ ।

ବୋଧହୁଏ ସବୁଠୁ ଖୁସି ଥିଲେ ଲକ୍ଷ୍ମୀମା ।

ଏଣିକି ମୋ ନିଜ ସମାଜ ସହ ଯୋଡି ହେବା ସହଜ ହୋଇ ଯାଇଥିଲା । ସେ ଯୋଗସୂତ୍ର ହେଲା ଅମିନା । ସେହି ଅମିନା କଥା କହୁଛି, ଯେଉଁ ଅଳ୍ପ ବୟସର କିନ୍ନର ଅମିନା ପ୍ରତି ଏକଦା ରେଳଗାଡିରେ ଦୁର୍ବ୍ୟବହାର କରିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଇ ଥିଲୁ ମୋ ମିତର ନେତୃତ୍ୱରେ । ଟିପି ରଖିଥିବା ତା ଠିକଣାରେ କେତେ ଥର ଚିଠି ଦେଇ ଡକାଇବା ପରେ ମଧ୍ୟ ଜାଣି ପାରୁ ନଥାଏ ସେ ମୋ ପତ୍ର ପାଇଲା କି ନାହିଁ । ତା ଠିକଣାରେ କଣ ଅବା ସ୍ଥାୟୀତ୍ୱ ଆଶା କରାଯାଇପାରେ । ମୋ ସମ୍ବନ୍ଧୀୟ ଖବର ସେତେବେଳେ ସମାଜରେ ଆଲୋଡନ ସୃଷ୍ଟି କରିଥାଏ । ସ୍ଥାନୀୟ କିନ୍ନର ସମାଜ ମୋ ସହ ସାକ୍ଷାତ କଲେ । ସେମାନଙ୍କ ପ୍ରଚେଷ୍ଟାରେ ଅମିନାର ପତ୍ତା ମିଳିଲା। ସେ ଆସି ପହଞ୍ଚିଲା । ଅମିନା ମୋତେ ମାମା ଡାକିବାରେ ବିଳମ୍ବ କଲା ନାହିଁ ଠିକ୍ ଯେମିତି ମୁଁ ଦିନେ ଲକ୍ଷ୍ମୀଧରଙ୍କୁ ଡାକିଥିଲି ଲକ୍ଷ୍ମୀମା । ଲକ୍ଷ୍ମୀ ମାଆକୁ ନାତୁଣୀଟିଏ ବି ମିଳିଗଲା । ଅମିନାକୁ ଆମେ ସ୍ନେହ ଶ୍ରଦ୍ଧାରେ ବାନ୍ଧି ପକାଇଲୁ । 

କ୍ରମେ ମୁଁ ଆମ ସମାଜର ରୀତିନୀତି, ବିଶ୍ୱାସ, ପୂଜାପାଠ ଓ ସାମାଜିକ ଚଳନି ସହ ପରିଚିତ ହେଲି । ମୋତେ ଗୁରୁ ମିଳିଗଲେ । ଗୁରୁ ଗୋପୀକୃଷ୍ଣା, ପ୍ରଚଣ୍ଡ ଜ୍ଞାନସମ୍ପର୍ଣ୍ଣା ସିଦ୍ଧ ଆତ୍ମା । ତାଙ୍କ ନିର୍ଦ୍ଦେଶରେ ମୁଁ ମୋ ସମାଜ ସହ ପରସ୍ପର ସାହାଯ୍ୟର ଏକ ଶ୍ରଦ୍ଧା ଡୋରିରେ ବାନ୍ଧି ହୋଇଗଲି । ସମାଜ ମୋତେ ଅନୁମତି ଦେଲା, ଅମିନାକୁ ପାଳିତ କନ୍ୟା ରୂପେ ମଣିଷ କରିବାକୁ ।

କିନ୍ତୁ ଅମିନା ମାନସିକ ଭାବେ ବିଚଳିତ ଓ ଅସୁସ୍ଥ ମନେ ହେଉଥିଲା ।

ଅମିନା ।

ମୋ ଜୀବନରେ ଝଡ ସୃଷ୍ଟିହେବା ପୁର୍ବରୁ ମୁଁ ସୁରକ୍ଷା ପାଇ ଯାଉଥିଲି । ବାରମ୍ବାର ସେହି ଏକା କଥା ମୋତେ ଆଶ୍ଚର୍ଯ୍ୟ କରେ; ଯଦି ଟାଟାର କଳା ବୃତ୍ତି ପାଇ ନଥାନ୍ତି, ଯଦି ମାୟାଧର ଭଳି ସାଥୀ ଓ ସୁରକ୍ଷା କବଚ ପାଇ ନଥାନ୍ତି, ଯଦି ଆମ “ସୁମନ ମାୟାଧର” ପ୍ରତିଷ୍ଠାନ ଅସଫଳ ହୋଇଥାନ୍ତା, ଯଦି ତା ପରିବାର ମୋତେ ଭୁଲ ବୁଝିଥାନ୍ତା, ଯଦି ସହଜରେ ଚାକିରି ମିଳି ନଥାନ୍ତା ଓ ଏମିତି ଅନେକ ଗୁଡା “ଯଦି”,  ଯଦି ମୋ ଭାଗ୍ୟାକାଶରେ ଉଦୟ ହୋଇ ନଥାନ୍ତା ତାହେଲେ ମୋ ଅବସ୍ଥା କେମିତି ହୋଇଥାନ୍ତା!

 ହୁଏତ ଅମିନା ଭଳି ।

ଅମିନା, ମୋ ସହ ଅନେକ ଦିନ ରହିଲା ପରେ ମଧ୍ୟ ରାତିରେ ଭୟଙ୍କର ପ୍ରଳାପ କରେ, ସବୁ କଥାରେ ଭୟ, କୌଣସି କାମରେ ଆଗ୍ରହ ନଥାଏ । କେବଳ ମୋ ପାଖରେ ରହିବାକୁ ଭଲ ପାଉଛି, ନିଜର ନିରାପତ୍ତା ପାଇଁ । ବୁଝିଲି ମୁଁ କିମ୍ବା ଲକ୍ଷ୍ମୀମା ତା ମନକୁ ବଦଳାଇବା ସମ୍ଭବ ନୁହେଁ । ଭାବିଲି ମାନସିକ ବିଶେଷଜ୍ଞଙ୍କ ସହାୟତା ନେବି । କିନ୍ତୁ ପଛାଇଗଲି । ମୋ ନିଜ ଅଭିଜ୍ଞତାରୁ ଜାଣିଛି ସେମାନଙ୍କ ସମସ୍ତ ଧ୍ୟାନ ଚାଲିଯାଏ ଆମ ଲିଙ୍ଗଗତ ପରିଚୟ ବିଷମତା ଉପରେ । ପୁଅ ବା ଝିଅଙ୍କ ପରି ଆମର ଯେ ଅନ୍ୟ କୌଣସି ମାନସିକ ରୋଗ ହୋଇପାରେ, ସମାଜର ବାଛବିଚାର ଆମ ମନର ଭାରସାମ୍ୟ ନଷ୍ଟ କରିପାରେ, ଶାରିରୀକ ଓ ଯୌନ ନିର୍ଯ୍ୟାତନାର ଶୀକାର ହେଲେ ଆମର ବି ଭୟ ଇତ୍ୟାଦି ବିକାର ଆସିପାରେ; ଏକଥାକୁ ସେମାନେ ଆଦୌ ଭାବନ୍ତି ନାହିଁ । ମୁଁ ଲକ୍ଷ୍ମୀମାଙ୍କୁ କହେ, ତା ସହ ସବୁବେଳେ ହସଖୁସିର କଥା ହେଉହେଉ କଥା ଆଦାୟ କରିବାକୁ । ଭାଷାଗତ ଅସୁବିଧା ଥିବା ସତ୍ତ୍ବ‌ ସେମାନେ ଉଭୟ ପରସ୍ପରକୁ ବୁଝନ୍ତି ।

କ୍ରମେ ସେ ବର୍ଣ୍ଣନା କରେ ତା ପ୍ରତି ଘଟିଥିବା ଲୋମହର୍ଷକ ଅତ୍ୟାଚାରର କଥା । ସେ ସବୁ କେମିତି ଲେଖିବି, ସେ ତ ମୋ ଝିଅ । ତାହା ସବୁ ବର୍ଣ୍ଣନା ସାପେକ୍ଷ ନୁହେଁ । ବୟସ ତାହାର ଏଗାର ଠାରୁ ଏବେ କେଜାଣି ପନ୍ଦରରୁ ବର୍ଷେ ଅଧେ ଏପଟ ସେପଟ ହେବ । ଏ ସମୟତକ ଛଟପଟ ହୋଇ ବ‌ଞ୍ଚିଛି ସେ, କିନ୍ନର ସମାଜ ସହ ମିଶିବା ଆଗରୁ ଓ ପରେ ମଧ୍ୟ । ମୁଁ ତାକୁ ଆହୁରି କେତେ ମାସ ସମୟ ଦେବାର ମନସ୍ଥ କଲି । କେବେ କେବେ ସେ ମୋତେ ବି ଭୟ କରୁଥିଲା, କାଳେ ମୁଁ ମଧ୍ୟ ତାକୁ ପୁଣି ଠକି ଦେବି ।

ମଝିରେ କେତେ ଦିନ ମାୟାଧର ଆସି ତା ଅଧାଅଙ୍କା ଚିତ୍ରକୁ ପୁରା କରୁଥାଏ । ପ୍ରଥମେ ତ ଅମିନା କହିଲା, ସେ ଲୋକଟା ରହିଲେ ତାକୁ ଖୁବ୍ ଭୟ ଲାଗୁଛି, ରାତିରେ ନିଦ ହେଉନି । ଲାଗୁଛି ସେ ତାକୁ କଷ୍ଟ ଦେବ ।

ମୁଁ ଅନେକ ବୁଝାଇଲି । - ସେ ମାୟାଧର, ମୋ ସାଙ୍ଗ, ଆମେ ଗୋଟିଏ କୋଠରୀରେ ଜୀବନର ଅନେକ ବର୍ଷ କାଟିଛୁ, କେବେ ତ ସେ କିଛି ଅସଦବ୍ୟବହାର କରି ନାହାନ୍ତି, ତୁ ଡରନି ମାଆ ।

ମାୟାଧର ସବୁ ଶୁଣେ କିଛି କହେ ନାହିଁ, ତା କଥା ତା ରଙ୍ଗତୁଳୀ କହେ ।

ଦିନେ ଅମିନା ମୋତେ କହିଲା, - ମା, ସେ ଜଣେ ଆମ ଭଳି ଦେବୀଙ୍କର ଚିତ୍ର ଆଙ୍କୁଛି ନା? ମଝିରେ ମଝିରେ ମୁଁ ଦେଖୁଛି, ସେ ଚିତ୍ରକୁ ସେ ପ୍ରଣାମ କରୁଛି । ତାକୁ ସୁନ୍ଦରରୁ ସୁନ୍ଦରତର କରୁଛି । ସେ କାହିଁ ତା ଚିତ୍ର ଉପରେ ରଙ୍ଗତୁଳୀରେ ଅତ୍ୟାଚାର କରୁନି । ସେଇଟା ଗୋଟେ ଭଲ ମଣିଷ ବୋଧହୁଏ ।

ତା ଭାଷା ଅମାର୍ଜିତ ହେଲେ ମଧ୍ୟ ମୋ ବିଚାରରେ ଏହା ଶୁଭ ସଙ୍କେତ ମନେହେଲା । ମୁଁ ଦେଖିଲି, ଚିତ୍ରକର ମାୟାଧର ନିଶ୍ଚିତ ଅମିନାର ମାନସିକ ଡାକ୍ତର ହୋଇଯିବେ । ପୁରୁଷ ଲୋକଙ୍କ ପ୍ରତି ଅମିନାର ଥିବା ଘୃଣା ଉଭେଇ ଯିବ । ମୁଁ କେବଳ ତାକୁ କହିଲି, - ଦେଖ ମାଆ, ସେ ଜଣେ ମୋର ପ୍ରିୟ ଲୋକ, ତାଙ୍କ ପ୍ରତି କଟୁଭାଷା କହିଲେ ମୋ ମନ କଷ୍ଟ ହେବନି? ସେ ମୋତେ ଜୀବନସାରା ସୁରକ୍ଷା ଦେଇଛନ୍ତି, ନଚେତ ମୋ ଅବସ୍ଥା କଣ ହୋଇଥାନ୍ତା ତାହା ମୁଁ ଜାଣେନି । ମୋତେ ସେ ପାଠ ପଢାଇଛନ୍ତି ନିଜ ପଢା ବନ୍ଦ କରି । ତୁ ମା, ତାଙ୍କୁ ଖରାପ ନଜରରେ ଦେଖନା ।

ଆଉ ଦୁଇଦିନ ପରେ ଦେଖିଲି, ମାୟା ଅଙ୍କନରେ ବୁଡି ଯାଇଛି, ଅମିନା ଦୂରରୁ ସେ କଳାକୃତିକୁ ଏତେ ତନ୍ମୟ ହୋଇ ଦେଖୁଛି ଯେ, ସେ ବି ନିଜ ଭିତରେ ହଜି ଯାଇଛି । ମୋ ଉପସ୍ଥିତି କେହି ଜାଣି ପାରୁ ନାହାନ୍ତି । ମୋତେ ଲାଗିଲା ଏ କଳାହିଁ ଅମିନାକୁ ରୋଗମୁକ୍ତ କରିବ । ନିଜେ ଜଣେ ଶିଳ୍ପୀ ହୋଇଥିବାରୁ ନିଜକୁ ଧନ୍ୟ ମନେ କଲି ।

ଆଉ କେଇଟା ଦିନ ପରେ ଅମିନାକୁ ଦେଖିଲି ମାୟା ସହ କଥା ହେବାର । ଚାଚା ସମ୍ବୋଧନ କରି ତା କଳାର ବ୍ୟାଖ୍ୟା ବୁଝାଇବା ପାଇଁ ଜିଦ୍ କରିବାର ଦେଖିଲି । ମୋ ମନରେ ଆନନ୍ଦ ଖେଳିଗଲା ।

ମାୟାଧର ବି ତାକୁ ବୁଝାଇବାକୁ ଚେଷ୍ଟାକରେ ତା କଳା ବାବଦରେ । ଆମ ପାଠ ବାହାରର ଯେଉଁ କଳା: ମୁଁ କିମ୍ବା ଆମ ବିଭାଗର ପ୍ରଫେସର ବୁଝିବା ସମ୍ଭବ ନୁହେଁ, ସେ କଳା ବୁଝିବ ଅମିନା! ହସ ଲାଗିଲା ଯେତେ ସୁଖ ଲାଗିଲା ସେତେ ।

କ୍ରମେ ଅମିନା ସହଜ ହୋଇଉଠିଲା । ମୋତେ କହିଲା ପୁଅ ଲୋକମାନେ ବି ଚାଚାଙ୍କ ଭଳି ଭଲ ମଣିଷ ହୋଇ ପାରନ୍ତି, ମାମା!

ଆଉଦିନେ କହିଲା, -ମାମା, ମୁଁ ଘରେ ଖାଲି ବସି ଖାଉଛି । କିଛି କାମକଲେ ଭଲ ହୁଅନ୍ତା ନାହିଁ! 

- କି କାମରେ ତୋର ରୁଚି କହ, ଆମେ ନିଶ୍ଚିତ ସେ କାମ କରିବା ।

- ମାମା, ମୋ ବାପା ଜଣେ ମାଷ୍ଟର ଦରଜୀ, ମୁଁ ସିଲେଇ କାମ ଟିକେଟିକେ ଶିଖିଛି, ମୋତେ ସେହି କାମରେ ପ୍ରଶିକ୍ଷଣ ଦେଲେ ମୁଁ ଆଗେଇବି । ଚାଚା ନୂଆ ନୂଆ ଡିଜାଇନ ଅଙ୍କା ଝିଅ ଚିତ୍ର କରିବେ, ମୁଁ ସେମିତି ପୋଷାକ ତିଆରି କରିବି ।

ଆମେ ହସିଲୁ, - କାହିଁକି, ତୋ ଚାଚା ଖାଲି ଡିଜାଇନ କରିପାରିବେ, ମୁଁ ପାରିବି ନାହିଁ ।

- ପାରିବ ଯେ ହେଲେ ତୁମେ କଣ ସେମିତି ପାରିବ? ନା ନା ତୁମେ ବି ପାରିବ ମାମା ।

ବୁଝିଲି, ଅମିନା ଏବେ ସ୍ୱଭାବିକ୍ ବ୍ୟବହାର କରୁଛି, ସଙ୍ଗେ ସଙ୍ଗେ ପରିସ୍ଥିତି ଅନୁସାରେ କଥା ବଦଳାଇ କହି ପାରୁଛି । ମୁଁ ତାକୁ ବୁଝାଇଲି, ଘାସ କାଟ ଅବା ଘୋଡା ଚଢ କିନ୍ତୁ ପ୍ରତିକାମ ଠିକ୍‌ରେ କରିବା ପାଇଁ ନିଷ୍ଠା ଦରକାର, ଅଧ୍ୟବସାୟ ଦରକାର ।

ଆମ ବିଶ୍ୱବିଦ୍ୟାଳୟରେ ଫେସନ ବିଭାଗରେ ସାଧାରଣ ଦରଜୀ ମାନଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ଥାଏ । ଅମିନାର ଆଉ ଭୟ ନଥିଲା । ସେ ମନଦେଇ ଯଥା ସମ୍ଭବ ଶିଖିଲା । ମୋ ପାଇଁ, ତା ନିଜ ପାଇଁ କେତେ କିସମର ପୋଷାକ ତିଆରିକଲା ।

- ବୁୁଝିଲ ମାମା, ମୁଁ ବି ଦିନେ ମୋ ବାପା ଭଳି ମାଷ୍ଟର ଦରଜୀ ହେବି । ମୋ ବାପା ଭଲ ମଣିଷ । କିନ୍ତୁ ମାମା, ମତେ ଦିନେ ବି କହିବ ନାହିଁ ଆମ ଘରକୁ ଯିବାକୁ । ମୁଁ ପାରିବି ନାହିଁ ମାମା । ମୋତେ ତଡି ଦେବନି । ମୋ ପାଇଁ ଦୋକାନ କରିଦିଅ । ମୁଁ ନିଜେ ରୋଜଗାର କରିବି । ମୋ ମାମାକୁ ଟଙ୍କା ଦେବି ।

କହୁ କହୁ ମୋ ଆଡକୁ ଆଉଜି ହୋଇ ପଡିଲା । ମୁଁ ତାକୁ କୋଳେଇ ନେଲି ।

ତେବେ ମୁଁ ସମୟ ନେଲି । ସେ ଆଉ ଅଧିକ ପାରଦର୍ଶିତା ଦେଖାଇଲା ପରେ ତା ବାପା ‘ହୋସେନ’ ନାମକୁ ନେଇ ଆରମ୍ଭ ହେଲା, “ହୋସେନ ଅମିନା ବୁଟିକ” । ଏହାକୁ ଆଶୀର୍ବାଦ କରିଥିଲେ ମୋ ଗୁରଜୀ ମହାଶୟା । ସେ ଦିନ ଆମ ସମାଜରେ ଆନନ୍ଦର ଲହରି ଖେଳିଗଲା । ନାଚଗୀତ, ଖିଆପିଆକୁ ସମସ୍ତେ ଉପଭୋଗ କରିବା ସହ ଅମିନାକୁ ଦେଇଗଲେ ଆପଣାର ପାରୁ ପର୍ଯ୍ୟନ୍ତ ଆର୍ଥିକ ସାହାଯ୍ୟ । ସେମାନଙ୍କ ଖୁସିକୁ ମୁଁ ଭାଙ୍ଗି ପାରି ନଥିଲି ।

ତା ପ୍ରତିଷ୍ଠାନ ଖୁବ୍ ଶୀଘ୍ର ବ୍ୟବସାୟିକ ସଫଳତା ପାଇବା ପଛରେ ଥିଲା, ଆମ ଫେସନ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ନୂଆ ନୂଆ ଡିଜାଇନ, ବିଶ୍ୱବିଦ୍ୟାଳୟର ଛାତ୍ରୀ ମାନଙ୍କ କାରଣରୁ ବିପୁଳ ଚାହିଦା ତଥା ଆମ କିନ୍ନର ସମାଜର ପିନ୍ଧିବା ସଉକ ।

ଅମିନା ନିଜ ଗୋଡରେ ଠିଆ ହେବା ପରେ ମୁଁ ପାଇଥିଲି ଏକ ଅବର୍ଣ୍ଣନୀୟ ଦିବ୍ୟ ଆନନ୍ଦ, ଯାହା ଆଜୀବନ ମୋ ମାତୃତ୍ୱକୁ ଆହ୍ଲାଦ ଦେଇଛି ।


9 comments: