୧୫
ଏହା ମଧ୍ୟରେ କେତେଦିନ ବିତି ଯାଏ । ଆମର ପାଇକାଳୀରେ ଫୋନ ସେବା ଆରମ୍ଭ ହୋଇ ଯାଇଥାଏ । ମାଆ ଗାଆଁକୁ ଯାଇଥାନ୍ତି । ଅମିନା ତା କର୍ମକ୍ଷେତ୍ରରେ କେତେଦିନ ରହି ପୁନଶ୍ଚ ଆସିଥାଏ ।
ଅଂଶୁ ତଥାପି ମୋତେ ମାମା ବୋଲି ସମ୍ବୋଧନ କରି ନଥାଏ । ଅମିନାକୁ ଦିଦି ଡାକିବାକୁ ସଙ୍କୋଚ କରେ । ମୁଁ ଭାବିଲି ସେ ବୋଧେ ଅମିନାର କିନ୍ନର ପରିଚୟକୁ ବାରୁଛି । କିନ୍ତୁ ଅମିନା ତ ଏମିତି ପୁରା ଝିଅଟିଏ ପରି ଦେଖାଯାଏ । ତା ସ୍ୱର ବି ଫରକ ଆଣେନି । ଅସଲ କଥା ହେଲା ଅଂଶୁ ଆଉ ମତେ କାହା ସହ ଭାଗ କରିବାକୁ ପ୍ରସ୍ତୁତ ନଥିଲା । ଅମିନା, ମାମା ମାମା ଡାକ ପକାଇଲା ବେଳକୁ ଅଂଶୁ ଲଗାଇଲା କଳି । ସେ ଚିଡିଲେ ଅମିନା ଅଧିକ ଅଧିକ ଡାକିଲା । ମୋତେ କିଛି ବୁଦ୍ଧିବାଟ ଦେଖାଗଲାନି । ମାୟାଧର ତା ନୀରବତା ଭଙ୍ଗ କରି ଅଂଶୁକୁ ବୁଝାଇଲା, - ଦେଖ ଅଂଶୁ, ଅମିନା ଦିଦି ତୋ’ଠୁ ଅନେକ ବଡ । ସେ ଆଗରୁ ସେମିତି ଡାକି ଆସିଛି, ଏବେ କେମିତି ବଦଳାଇବ । ତୁ କଣ ତୋ ଡାକ ବଦଳେଇ ପାରିଲୁ? ଦେଖୁନୁ, ତା ମାମାକୁ ତୁ ନା ଡାକୁଛୁ ଅଙ୍କଲ ନା ଡାକୁଛୁ ଆଣ୍ଟି । ଡାକ ବଦଳେଇବା ସହଜ ନୁହେଁ ।
- ନା ବାପା, ସେ କେବଳ ମୋତେ ଗେହ୍ଲା କରିବେ, ତାକୁ ନୁହେଁ ।
- ସେ’ ବୋଲି କାହାକୁ କହୁଛୁ? ତାକୁ’ ବୋଲି କାହାକୁ କହୁଛୁ?
- ସେ ବୋଲି କହୁଛି ତୁମ ସାଙ୍ଗକୁ ଯିଏ ମତେ ତୁମଠୁ ବି ଅଧିକ ଭଲ ପାଉଛନ୍ତି । ତାକୁ ବୋଲି କହୁଛି, ଏଇ ସାମ୍ନାରେ ଯେଉଁ ଠିଆ ହୋଇଛି, ଅମିନା ନା ଫମିନା । ଦେଖୁନା କେତେ କଟିଙ୍ଗରେ ଡ୍ରେସ୍ ପିନ୍ଧିଛି, ଯେମିତି ପରୀ ରାଇଜରୁ ଆସିଛି ।
ଅମିନା ଓ ମାୟାଧର ବୁଝି ପାରିଲେ ନାହିଁ, ଅଂଶୁ ଗାଳି ଦେଉଛି ନା ତାରିଫ କରୁଛି ।
- ଆଛା, ତା ମାମା କଥା ଛାଡ, ଅମିନା ମୋତେ ଚାଚା ଡାକୁଛି ନା ନାହିଁ? ଯଦି ସେ ମୋର ଝିଆରୀ ହେଲା ତୁ ତାକୁ ଦିଦି ଡାକିବା କଥା । ତୁ ତାକୁ ଦିଦି ଡାକିଲେ ସିନା ସେ ତୋ ପାଇଁ ରାଜକୁମାର ପୋଷାକ ବନେଇ ଦେବ ।
ଅମିନା କହିଲା, - ବନେଇ ଦେବି ଆଉ କଣ, ମୁଁ ତା ପାଇଁ ଆଣି ସାରିଛି, କେବଳ ଶୁଭ ବିଜୟାକୁ ଅପେକ୍ଷା କରିଥିଲି । ଦେଖିବୁ କି ଅଂଶୁ?
- ନା ନା ମୋର ଦେଖିବାର ନାହିଁ, ତୁ ଆସିଛୁ ଯାହାକୁ ମାମା ଡାକୁଛୁ ତାକୁ ମୋଠୁ ଛଡେଇ ନେବାକୁ । ମୋତେ ଆଉ ବହଲେଇବାକୁ ଚେଷ୍ଟା କରନି । ଛୋଟପିଲା ଭାବିଛୁ କି?
ମୁୁଁଁ ଟିକେ ଦୂରରୁ ସବୁ ଶୁଣୁଥାଏ । ଅମିନା ମାମା ମାମା ଡାକି ମୋ ଆଡକୁ ଦୌଡି ଆସିଲା । ତା ପୂର୍ବରୁ ଅଂଶୁ ଆସି ମୋତେ ଭିଡି ଧରିଲା ଆଗ ଆଡୁ ।
ଅମିନା ଚିଡାଉ ଥାଏ, - ମୋ ମାମାକୁ ଛାଡ, ମୋ ମାମାକୁ ଛାଡ ।
ମୋତେ ତ ଡର ଲାଗିଲାଣି । ଜଣେ ନଥାଇ ମାତୃହରା, ଆଉ ଜଣେ ଥାଇକି ମାତୃହରା । ମୁଁ କିଂକର୍ତ୍ତବ୍ୟବିମୁଢ ହୋଇ ନୀରବ ରହିଥାଏ ।
ଅଂଶୁ ଉଚ୍ଚ ସ୍ୱରରେ କାନ୍ଦି ଉଠିଲା । କାନ୍ଦି କାନ୍ଦି କହିଲା, - ମୁଁ ଯମା ଛାଡିବି ନାହିଁ, ସେ କଣ ଏକୁଟିଆ ତୋ ମାଆ, ମୋ ମାଆ ନୁହେଁ । ମାମା, ମାମା, ମାମା, ଅଲବତ ସେ ମୋ ମାମା ।
କେତେବେଳେ ଦୁଇଜଣ ଯାକୁ ମୁଁ ଭୀଡି ଧରିଥାଏ ମୁଁ ବି ଜାଣେନି । କଣ କରିବି ବୁଝି ପାରୁ ନଥାଏ । ମାୟାଧର କଣ ଭାବିବ! ସେ ଟେଲିଫୋନ ପାଖକୁ ଚାଲି ଯାଇଥାଏ । ବୋକାଟାଏ ଭଳି ମାଆଙ୍କୁ ଏକଥା ସବୁ ଗପୁଥାଏ ବୋଧହୁଏ ।
ଭିକ ମୁଠାଏ ମାଗିଲେ ଆଞ୍ଜୁଳାଏ ରତ୍ନ ଦେଇଛନ୍ତି ଈଶ୍ୱର, କିନ୍ତୁ ଏତେ ଗ୍ରହଣୀୟ ହୋଇନପାରେ । ସୁଅ ମୁହଁରେ ପତର ପରି ମନଟି ମୋ ଭାସିଗଲା । ଅଂଶୁର ମାମା ଡାକ ମୋ ଭାବନାରେ ନଥିଲା । ମାୟାଧର ମୋ'ଠୁ ଅଭିନ୍ନ, କିନ୍ତୁ ତା ଭବିଷ୍ୟତର ନକ୍ସା ମୁଁ ଭିନ୍ନଭାବେ ଦେଖୁଥିଲି । ବୁଝି ବିଚାରି ମୋ ମନରେ ଅତୀତରେ ଉଠିଥିବା ସମସ୍ତ ଜୁଆରକୁ ମୁଁ ଆୟତ୍ତ କରି ସାରିଥିଲି । ମୁଁ ଏବେ ବୁଝିବା ସୁଝିବା ମଣିଷ । ଧେତ୍, ପିଲାଙ୍କ କଥାରୁ ଏତେ କଣ ଭାବୁଛି ଯେ । ମୋ ବୋଉ ବାଦ ମୋର ମଧ୍ୟ ଜଣେ ମାଆ ଅଛନ୍ତି, ପୁଣି ମୋ ଲକ୍ଷ୍ମୀମା ବି ଅଛନ୍ତି । ଜଗନ୍ନାଥଙ୍କ ମହାପ୍ରସାଦ ଦେଲେ କେତେ ସମ୍ପର୍କ ଗଢି ଉଠୁଛି । ଡାକନ୍ତୁ ପିଲାଏ କଣ ଡାକୁଛନ୍ତି । ମୁଁ ଟିକେ ହସି ଦେଲି । ଗୋଟିଏ ଘରେ ବାପାଟିଏ ମାଆଟିଏ ଗୋଟିଏ ପିଲାର, ସେମାନେ ଦୁଇ ସାଙ୍ଗ, ଦୁଇ ଅଭିନ୍ନ ଆତ୍ମା ଅଥଚ ବାପାଟି ବାପା ନୁହେଁ, ମାଆଟି ମାଆ ନୁହେଁ । ଯଦି ବି ବାପାଟି ବାପା ଓ ମାଆଟି ଆଜି ହେଲା ମାଆ, କିନ୍ତୁ ଧେତ୍ କେବଳ ବନ୍ଧୁଟିଏ, ବଧୂ ନୁହେଁ । ମୁଁ ଜୋରରେ ହସିଲି । –ହଁ ହଁ ଅଂଶୁ ଠିକ୍, ମୋ ଝିଅ ମୋତେ ତୋଠୁ ଛଡେଇ ନେଇ ପାରିବ ନାହିଁ । ସେ ବଡ ହେଲାଣି ତୁ ଛୋଟ ଅଛୁ ।
- ତାହେଲେ ମାମା, ତାକୁ କୁହ, ମୋ ରାଜକୁମାର ପୋଷାକ ଦେଖାଉ ।
- କାହାକୁ?
- ସେଇ ପୋଡାମୁହିଁ ଅମିନା ନା ଫମିନା ଦିଦିକୁ । ନା ନା ଖାଲି ଦିଦି କହିବି ।
ଅମିନା ବୁଝି ପାରିଲା ନାହିଁ ପୋଡାମୁହିଁର ଅର୍ଥ । ରକ୍ଷା ।
ଅମିନା ଦୌଡିଗଲା, ତା ବ୍ୟାଗରୁ ବାହାର କରିଆଣିଲା ହଳେ ଚମତ୍କାର ପୋଷାକ । ଆଗ ଅଂଶୁକୁ ମାପ ଚଖେଇଲା, ଅନୁମାନରେ କରିଛି ଯେତେବେଳେ । ଅଂଶୁ ମନକୁ ପାଇଗଲା । ଆହାଃ କି ସୁନ୍ଦର ନା ମାମା? ଧନ୍ୟବାଦ ଦିଦି ।
- ଦେ ଦେ ମୁଁ ରଖିଦିଏ ଆଗକୁ ଶୁଭ ବିଜୟା ଆସୁଛି, ପିନ୍ଧିବୁ ।
- ଶୁଭ ବିଜୟା କାହାକୁ କୁହାଯାଏ ଦିଦି?
- ଦଶହରା କଣ ଜାଣିନୁ କି ଅଂଶୁ?
- ହଁ ଜାଣିଛି, ଦୂର୍ଗାପୂଜା ।
- ଆହୁରି ରଖିଛି ଯେ ।
ଆଉ ତିନି ହଳ ବାହାର କରିଆଣିଲା ଅମିନା, -ନେ ଦେଖ ଯେଉଁଟି ପସନ୍ଦ ହେବ ରଖ ।
ଅଂଶୁ କି ଆଉ ଛାଡେ! – ସବୁତକ ମୋର ।
ଅମିନା ହସିଲା ।
ତାପରେ ଦେଖିବାର ଥିଲା ତାଙ୍କର ଯୋଡି ।
ପରଦିନ ମାଆ ଆସି ପହଞ୍ଚିଲେ । ଅଂଶୁ ଦଉଡି ଆସି କହି ପକାଇଲା, -ଜେଜେ ଜେଜେ, ଜାଣିଛ ମୋ ମାମାକୁ ଏ ଦିଦି, ଅମିନା ଦିଦି ମଁ,ମାମା ଡାକିଲେ ମୁଁ ଆଉ କଳି କରିବି ନାହିଁ, ସେ ମୋ ଦିଦି ଯେହେତୁ । ଜାଣିଛ ସେ ମୋ ପାଇଁ କେତେ ରାଜକୁମାର ପୋଷାକ ଆଣି ଦେଇଛି । ଅମିନା ଦିଦି ଭାରି ଭଲ ।
- ମୋ ନାତିଟା, ବଡ ଲୋଭୀ ଜଣାପଡୁଛି । ମାଆ ମୋତେ ଅନାଇ କହିଲେ । ମାଆ ଖୁସି ଥିଲେ । ମୁଁ ମଥାନତ କଲି ।
ଦଶହରା ଆସିଗଲା, ଆମେ ସବୁ ପାଇକାଳୀ ଗଲୁ । ସେ ସମୟରେ ମାୟାଧର ପାଇକ ବେଶ ହୁଏ । ଅନେକ ପୂଜା ପାଠ ଓ ପରମ୍ପରାର ପାଳନ କରାଯାଏ । ଭଳିକି ଭଳି ପୋଷାକରେ ଅଂଶୁ ଦିଶୁଥାଏ ସତେ ଅବା ରାଜକୁମାର । ମାଆ ମୋ ପାଇଁ ଏକ ହାର ଗଢାଇଥାନ୍ତି, ମୁଁ କେବଳ ସେହି ଗୋଟିକ ଅଳଙ୍କାର ପକାଇଥାଏ । ହାଲୁକା ରହିବାକୁ ଇଛା ହେଉଥାଏ । ଅମିନାକୁ ମିଳିଥିବା କାନଫୁଲ ହଳକ ସେ ବଡଖୁସିରେ ପିନ୍ଧିଥାଏ । ମୋ ଗହଣାତକ ପିନ୍ଧି ପକାଇଥାଏ । ବଡ ସୁନ୍ଦରବେଶଭୂଷାରେ ଝିଅ ମୋର ଝଟକୁ ଥାଏ । ମୋତେ ତା ଉପରେ ନଜର ରଖିବାକୁ ପଡୁଥାଏ । ମାଆ,ତା ସୁରକ୍ଷା ବ୍ୟବସ୍ଥା ଜଣେ ପରିଚାରିକାଙ୍କୁ ଦେଇଥାନ୍ତି । ଘରକୁ ଯିଏ ବି ଆସିଲେ, ଶୁଭ ବିଜୟା କହି ପ୍ରଣାମ କରୁଥାଏ । ଏ ବଙ୍ଗାଳି ସମ୍ଭାଷଣ ସମସ୍ତଙ୍କୁ ମଧୁର ଲାଗୁଥାଏ । ଆମର ସେଠାରେ କେବଳ ଅସ୍ତ୍ର ଶସ୍ତ୍ର ପୂଜା ହେଉଥାଏ । କେହି ଜଣେ କହିବାର ଶୁଣିଲି, ନାନୀ ତୁମ ଏ ପରଦେଶୀ ନାତୁଣୀଟିକୁ ସେହି ଖଣ୍ଡାଟି ଧରାଇ ଦେଇ ସେଇଠି ଠିଆ କରିଦେଲେ ସାକ୍ଷାତ ମାଆ ଦୂର୍ଗା । ମୋ ମନ ଖୁସି ତ ହୋଇଗଲା କିନ୍ତୁ ଭୟ ବି ଲାଗିଲା । ଅମିନା ମୋ ପାଖରେ ଠିଆ ହୋଇଥିଲା, ମୁଁ ତା ମଥାକୁ ଟେଳାଏ ଛେପ ପକାଇ ଦେଲି, ମୋ ଝିଅ ଉପରେ ନଜର ପଡିଗଲା ଭାବି । ସେ ବିରକ୍ତ ହୋଇ ମତେ ଅନାଇଲା କିଛି ବୁଝି ନପାରି । ଧୁଆଧୁଇ ହୋଇ ପୁଣି ଥରେ ସାଜସଜା ଲଗାଇ ଆସିବା ମଧ୍ୟରେ ମାଆ ମୋତେ କହିଦେଲେ, -ବୁଝିଲୁ ତ ମାଆ, ଏକ ମାଆର ମନଟି କେମିତିକା । ତୁ ଯାହା କଲୁ ତାହା କଣ ଅନ୍ଧବିଶ୍ୱାସ ନୁହେଁ? ଏତେ ପାଠ ତୋତେ ମୁକ୍ତି ଦେଇଛି? କିଛି ବୁଝୁଛୁଟି ମାଆ?
ମୁଁ ଠିକ୍ ବୁଝିଥିଲି ସେ କଣ କହିବାକୁ ଚାହୁଁଛନ୍ତି । ମୁଁ କିଛି କହିଲି ନାହିଁ । ଆଉ କେଇଟା ଦିନର କଥା, କାହିଁକି ତାଙ୍କ କଥାକୁ ଏତେ ଗୁରୁତ୍ୱ ଦେବି! ତଥାପି ମୋ ମନରେ ଦ୍ୱନ୍ଦ୍ୱ ଥାଏ, ଭାବୁଥାଏ ସବୁକିଛି ତ୍ୟାଗକରି ସ୍ଥନାନ୍ତରକୁ ଚାଲିଯିବି, ମୋତେ କେହି ଖୋଜି ପାଇବେ ନାହିଁ । ଦେଖିବା କେମିତି, କେଉଁ ଦାୟିତ୍ୱଶୂନ୍ୟ ଜ୍ୟୋତିଷର କଥା ମାନି, ସେ ତାଙ୍କ ପୁଅକୁ ଅଟକାଇବେ । କିନ୍ତୁ ମୁଁ ତାଙ୍କୁ ଖୁସି କରିବା ପାଇଁ ଟିକେ ହସି ଦେଲି ।
ଦଶହରା ପରେ ଛୁଟି ଆଉ କେତେ ଦିନ ବାକି ଥାଏ । ମୁଁ ମହୁଲକୁସୁମ ଚାଲିଗଲି, ଅଂଶୁକୁ ସାଥିରେ ନେବାର ଅନୁମତି ମିଳିଥିଲା । ଗଲାବେଳେ କହିଲେ, ଘରଟା ଭଲ ଲାଗିବ ନାହିଁ, କିନ୍ତୁ ଟୋକା କଣ ସମ୍ଭଳା ପଡିବ ତୋତେ ଛାଡି । ଯାଉ; ବଣ, ପାହାଡ, ଝରଣା ଦେଖି ଆସୁ । ଅମିନା ଓ ଅଂଶୁ ଜେଜେ ମାଆଙ୍କ ପାଖରେ କେତେ ଗେହ୍ଲା ହୋଇ ବିଦାୟ ନେଲେ । ମାଆ, ସେ ଏକ ବିଶାଳ ଓ ବ୍ୟାପକ ହୃଦୟ । ମାୟାଧର ଯିବାର ସମ୍ଭାବନା ନଥିଲା । ଆମ ସାଥିରେ ଜଣେ ବିଶ୍ୱସ୍ତ ଲୋକ ଯିବାର ବ୍ୟବସ୍ଥା କରାଇଲେ ।
ପ୍ରଥମ ଥର ପାଇଁ ମୋ ଝିଅ ଓ ପୁଅ ମାମୁଁ ଘରକୁ ଚାଲିଲେ । ନୁହେଁ ଆଉ କଣ? ମଣିଷର ମନଟି ବଡ ବିଚିତ୍ର, ଢେଉ ଢେଉକା, କେବେ ଉପରେ କେବେ ତଳେ, କେବେ ଆନନ୍ଦ କେବେ ଅବସାଦ, ବିଶେଷ କରି ମୋ ଭଳି ମଣିଷର ଅନିଶ୍ଚିତ ମନ । ପୁଣି ମୁଁ ଖୁସି ହୋଇଗଲି ।
ମାୟାଧର ଥଟ୍ଟାରେ କହିଲା, - ଆଉ, ଏଥର ଲକ୍ଷ୍ମୀପୁଜାରେ ନାଟ୍ୟାଭିନୟରେ ମିଶିବ ନାହିଁ ତ, ଆମ ନାୟିକା ସାହିବା?
ମୁଁ ହସିଦେଲି, କହିଲି, - କଣ କହିଲ, ଆଉ ଥରେ କହିଲ ଦେଖି ।
ସେ ଲାଜେଇ ଗଲା ବୋଧହୁଏ ଜୀବନରେ ପ୍ରଥମ ଥର ପାଇଁ । ଚୁପ ରହିଥିଲେ ଭଲ ହୋଇଥାନ୍ତା, ବୋକାଟା ପୁଣି କହିଲା, ମଲା ତୁ ଆଉ କେଉଁ ହିରୋଇନ ଠାରୁ କମ କି? ଏଥର ଲାଜେଇ ଯିବାର ପାଳି ଥିଲା ମୋର ।
ମହୁଲକୁସୁମ ସାରା ସମସ୍ତେ କହିଲେ, ସୁମନର ଝିଅ ଓ ପୁଅ ଆସିଛନ୍ତିି । ଭାଇ ଭାଉଜଙ୍କୁ ସେ ଦିହେଁ ମାମୁଁ ମାଇଁ ଡାକିବା ଓ ବାପା ବୋଉଙ୍କୁ ଅଜା ଆଈ ଡାକିବା ଯେତିକି ସ୍ୱଭାବିକ ଲାଗୁଥିଲା ସେତିକି ଅସ୍ୱଭାବିକ । ଭଉଣୀମାନେ ବି ଆସିଥାନ୍ତି । ଘରେ ଏବେ ବହୁତ ପିଲା । ଅମିନା ଓ ଅଂଶୁ ପିଲା ମାନଙ୍କ ସହ ବେଶ୍ ଯୋଡି ହୋଇଗଲେ । ବୟସରେ ଏମାନେ ସବୁଠୁ ବଡ ଥିଲେ । ସୁମନ ସମସ୍ତଙ୍କଠୁ ସାନ ହେଲେ ତା ପିଲାଏ ସମସ୍ତଙ୍କଠୁ ବଡ, ହା ହା ।
ମୋର ତଥାପି ମନେଥାଏ ମୋ ପିଲାଦିନେ କେମିତି ମୋ ସହ କେତେ ଜଣ ଆମ ଗାଆଁ ଲୋକ ଅନୁଚିତ ବ୍ୟବହାର କରିଥିଲେ । ମୁଁ ଅମିନାକୁ ସତର୍କ କରି ଦେଇଥିଲି । ଗାଆଁରେ ହେଉ କି ସହରରେ ଦୁଷ୍ଟ ଲୋକେ ସର୍ବ ବିଦ୍ୟମାନ, ଖୁବ୍ ହୁସିଆର ।
ସାନ ଭାଉଜ ଗତଥର ମୋ ମଥାର ସିନ୍ଦୁର ଦେଖି ନଥିଲେ । ବଡ ଥଟ୍ଟା ହେଲେ, ଖାଲି ପୁଅ ନୁହେଁ ତା ବାପାଟା ବି ତୁମର ମନେ ହୁଏ ।
ମୁଁ ହସି କହିଲି,-ତୁମେ ଯେମିତି ଭାଇଙ୍କ ଦୀର୍ଘାୟୁ ପାଇଁ ସିନ୍ଦୁର ଲଗାଉଛ ଭାଉଜ, ମୁଁ ସେମିତି ଆମ କିନ୍ନର ସମ୍ପ୍ରଦାୟର ପ୍ରଥା ଅନୁସାରେ ମୋ ଗୁରୁଜୀଙ୍କ ଦୀର୍ଘ ଜୀବନ ପାଇଁ ସିନ୍ଦୁର ଲଗାଉଛି । ଆଗଥର ତୁମେ ବୋଧହୁଏ ଭଲକି ଲକ୍ଷ କରିନଥିଲ ।
ମୁଁ ଭାଉଜଙ୍କୁ ନିରୋଳାରେ ମୋ ସମସ୍ୟାର ମାର୍ଜିତ ସଂସ୍କରଣ କହିଲି । ସେ ଚିନ୍ତିତ ହୋଇ ଉଠିଲେ । ସେ ମୋତେ ଖୁବ୍ ଭଲ ପାଆନ୍ତି ।
- ଦେଖସୁମନ, ତୁମେ ତ ଏବେ ଜଣେ ଝିଅ । ଆମେ ନିଶ୍ଚିତରେ ଅଛୁ ତୁମେ ମାୟାଧରକୁ ବାହା ହେବ ବୋଲି । ତାହା ହେବ ନାହିଁ ବୋଲି ତୁମେ ଚାହୁଁଛ, ବୁଝିଲି ତୁମ କଥାର ଯଥାର୍ଥତା । କିନ୍ତୁ ତୁମର ଆଉ କଣ ବୟସ ଆସୁଛି । ଆମେ ବାହାଘର କଥା ବୁଝିବା ଉଚିତ୍ । ମୁଁ ଏବେ ଅପା, ବୋଉ ଓ ତୁମ ଭାଇଙ୍କୁ ଏକଥା କହୁଛି । ରୂପ, ଗୁଣ ଓ ଯୋଗ୍ୟତା, କେଉଁଥିରେ ତୁମର ଅଭାବ ଅଛି ଯେ ।
କହି ଦେଇଥିଲେ ଭଲ ହୋଇଥାଆନ୍ତା, କିନ୍ତୁ କହି ପାରିଲି ନାହିଁ, ଅଛି ଅଭାବ; ମୁଁ ମାଆ ହୋଇ ପାରିବି ନାହିଁ । ନକହିବାର ମୂଖ୍ୟ କାରଣ ହେଲେ ଅଂଶୁ ଓ ଅମିନା । ଦୁଇ ଦୁଇଟା ପିଲାଙ୍କ ମାଆ ହୋଇ କେମିତି ଏକଥା କହିବାକୁ ଜିଭ ଲେଉଟିବ?
ସତକୁ ସତ ଘରେ ସମସ୍ତେ ତତ୍ପର ହୋଇ ଉଠିଲେ ମୋ ବାହାଘର ସମ୍ବନ୍ଧରେ । ଜାଣେନି ସେମାନେ ମୋତେ କେତେ ବୁଝିଥିଲେ ।
ମୁଁ ଲକ୍ଷ କଲି ଏକଥା ଅମିନା ଓ ଅଂଶୁ ଶୁଣିନେଇ ପରସ୍ପର ବୋଧହୁଏ କିଛି କଥା ହେଲେ । ତା ପରେ ହଜିଗଲା ତାଙ୍କ ମାମୁଁଘର ଆନନ୍ଦ ।
ମୁଁ ବହୁତ କଥା ବୁଝିଗଲି । ଭାବୁଥାଏ ଆଉ କେତେଟା ଦିନ ପରେ ମୁଁ ତ ନଥିବି ଏମାନେ ଏମିତି କଷ୍ଟ ପାଇବା ସାର ହେବ ।
ସୁଦାମ ଗୁରୁଜୀଙ୍କୁ ଦେଖାକଲି । ମୋଠାରୁ ଅପରେସନ ବାବଦରେ ସବୁ କଥା ବୁଝିବା ପାଇଁ ତାଙ୍କର ଥିଲା ଅନେକ ଆଗ୍ରହ । ମୁଁ ଯଥା ସମ୍ଭବ ନିଜେ ବୁଝିଥିବା ଅନୁସାରେ ତାଙ୍କୁ ବୁଝାଇଲି ।
ଲକ୍ଷ୍ମୀ ମାଆଙ୍କ କୁଟୁମ୍ବ ଲୋକେ ମୋ ପାଖକୁ ଆସି ସେମାନଙ୍କ କୃତଜ୍ଞତା ଜଣାଇଲେ । ମୋତେ ଓ ମୋ ପିଲାମାନଙ୍କୁ ଅତି ଆଦରରେ ଲୁଗାପଟା ଦେଲେ । ଲକ୍ଷ୍ମୀ ମାଆଙ୍କ ପାଖକୁ କିଛି ଟଙ୍କା ପଠାଇଲେ ।
ମନେହେଲା ଲୋକ ଗୁଡିକ ଭଲ, କେବଳ ଲୋକଙ୍କ ଅଜ୍ଞତା ପାଇଁ ଆମ କିନ୍ନରକୁଳ ଯାତନା ସହୁଛି । ଅନ୍ତରାତ୍ମା କହିଲା ଏ ନେଇ କିଛି କରିବି ।
ଆମେ ଫେରିଲୁ । ଅମିନା ଓଡିଶା ଛାଡି ଗଲାବେଳକୁ ଅଂଶୁ କାନରେ କଣ ସବୁ କହିଗଲା ।
ମାଆ ମୋତେ ପରଦିନ କହିଲେ । ପିଲାମାନେ ଖୁବ୍ ଡରି ଯାଇଛନ୍ତି ତୋ ବାହା ହେବା କଥା ଶୁଣି । ତେବେ ତୁ ଭୟ କର ନା । ସମୟ ସବୁ କିଛି ସମାଧାନ କରିଦିଏ ।
ଲାଗିଲା, ମାଆ କହିଲେ କମ, ଲୁଚାଇ ଦେଲେ ବହୁତ! ମୁଁ ନିଜର ଆନ୍ଦାଜ ତହିଁରେ ଲଗାଇବାକୁ ଉଚିତ ମନେକଲି ନାହିଁ ।
ଅଂଶୁ ମୋତେ କେତେ ଥର କହେ ତୁମେ ସତ୍ୟ କର ମାମା, ତ୍ରିବାର ସତ୍ୟ, ମୋତେ ଛାଡି କୁଆଡେ ଯିବ ନାହିଁ ।
- ତ୍ରିବାର! କଣ ବଉଳା ଗାଈ ବାଘ ପାଖରେ ଯେମିତି କରିଥିଲା? ତାକୁ କୋଳେଇ ନେଇ ପଚାରିଲି ହସି ହସି ।
- ହଁ ମାମା । ମାମୁଁ ଘରେ କହୁ ନଥିଲେ ମାମା, ତୁମକୁ ଶାଶୁଘର ପଠାଇ ଦେବେ । ମୁଁ କି ଅମିନା ଦିଦି ତୁମକୁ ଯମା ଛାଡିବୁ ନାହିଁ । ଆମେ ସେମିତି କଥା ହୋଇଛୁ ଯେ । ତୁମେ ଦିଦି ସହ ଟେଲିଫୋନରେ କଥା ହୁଅ, ବୁଝି ପାରିବ, ସତ ଅବା ମିଛ ।
ଜାଣେନି ଏସବୁ କଥା ମୋତେ ବାନ୍ଧୁଥିଲା କି ବନ୍ଧନ ମୁକ୍ତ କରୁଥିଲା? ବାହାରି ଆସୁଥିବା ଦୀର୍ଘଶ୍ୱାସକୁ ସ୍ମିତହାସ୍ୟରେ ବଦଳାଇ ଅଂଶୁ କପାଳରେ ବୋକଟିଏ ଦେଲି । ଜାବ ପକାଇ ଧରିନେଲା ମୋତେ । ଯେମିତି ଶତ ସହସ୍ର ପ୍ରଶ୍ନ ପଚାରିଦେଲା, ପାରିବ ମୁକୁଳି?
କାହାଣୀ ଅସଲ ମୋଡରେ। ଆହୁରି ଉତ୍କଣ୍ଠା ବଢିଲା
ReplyDeleteପ୍ରଣାମ ମାମ୍। ଆପଣଙ୍କ କଥା ପଦକୁ ମୁଁ ଅପେକ୍ଷାରେ ରହୁଛି। ସକୃତଜ୍ଞ ଆନ୍ତରିକ ଧନ୍ୟବାଦ।
ReplyDeleteAnshu o Amina nkara bartalapa bahut bhala lagila.lekhichala.
ReplyDeleteBahut Bhala laguchi story ra gati.
ReplyDeleteଧନ୍ୟବାଦ। ପରବର୍ତ୍ତୀ ଭାଗଟି ପଢିବାକୁ ନିମନ୍ତ୍ରଣ।
Delete