ଉଦବାସିତ ଆତ୍ମୀୟତା
ସମୀର,
ତୁମ୍ଭ ପାଦରେ ମୋର ଅନେକ ପ୍ରଣତି, ଜାଣେ ମୋ ଆପଣାର ମାନସିକ ଚାପରେ ମୁଁ ଏହା ଲେଖୁଛି । ଏ ପତ୍ର ମୁଁ ତୁମ୍ଭଙ୍କୁ ପ୍ରେରଣ କରିବାରେ ସମ୍ଭାବନା ନାହିଁ, ତୁମ୍ଭେ ପଢ଼ିବ ଅବା କେମିତି ! ଏ କୁଷ୍ଠ ପଲ୍ଲୀର ଲୁକ୍କାୟିତ ଜୀବନକୁ ପୁଣି ଥରେ ଉନ୍ମୋଚନ କରିବାର କୌଣସି ଅଭିପ୍ରାୟ ନାହିଁ । ହୁଏତ ଅନେକ ପ୍ରଚେଷ୍ଟା ପରେ ଯେଉଁ ଦୁଃଖ ତୁମ୍ଭର ବିସ୍ମୃତ ଇଲାକାକୁ ପ୍ରତ୍ୟାଗତ ହୋଇଥିବ, ସେ ଦୁଃଖକୁ ପୁନଶ୍ଚ ସ୍ମରଣ କରାଇବା ଅନୁଚିତ୍ ଏକଥା ଅବଶ୍ୟ ମୁଁ ଜାଣେ । ତେଣୁ ମୁଁ ଲେଖିବି, ମୁଁ ହୋଇ, ତୁମ୍ଭ ସୁମିତ୍ରା ହୋଇ ଏବଂ ମୁଁ ପଢ଼ିବି ତୁମ୍ଭେ ହୋଇ । ଅତୀତର କୋଣ ଅନୁକୋଣ, ଘଟଣା, ଅଘଟଣ, ହସକାନ୍ଦ ସବୁ ଚଳଚ୍ଚିତ୍ରର ଛବି ପରି ଭାସମାନ ହେଉଛନ୍ତି ।
ମନେପଡେ, ମୋ ଜ୍ୟେଷ୍ଠଭ୍ରାତାଙ୍କ ସାଥୀ ହୋଇ ଆମ ଘରକୁ ଯେବେ ଆସୁଥିଲ, ଆମ ପରିବାରର ସ୍ନେହମମତା ପାଉଥିଲେ ଯେତିକି ଲେଉଟାଉ ଥିଲେ ତାହାଠୁ ଅଧିକ । ମୋ ବିବାହର ପ୍ରସ୍ତାବ ଚାଲିଲା ଉପାଧି ଶ୍ରେଣୀ ପରେ । ତୁମ୍ଭେ ବି ମୋ ବାପା, ଭାଇଙ୍କୁ ସେଦିନ ମାନଙ୍କର ଆୟୋଜନରେ ସାହାଯ୍ୟ କରୁଥିଲ, ଯେବେ ଏ ସମ୍ବନ୍ଧୀୟ ଯିବା ଆସିବା ଲାଗି ରହୁଥିଲା । କେମିତି ତୁମ ବାପା ମାଆଙ୍କର ହଠାତ୍ ମନେପଡ଼ିଲା, ସୁମୀକୁ ବୋହୁ କରିବା ପାଇଁ ଏବଂ ସେମାନେ ପ୍ରସ୍ତାବ ଆଣିଲେ । ସେବେଠୁ ତୁମ୍ଭେ ଗାୟବ୍ ହୋଇଗଲା । ଏମିତି ବିି ସମ୍ଭବ ତୁମ୍ଭେ ଆମ ଘରକୁ ଆସିବା ବନ୍ଦ କରିଦେଇ ସେ ପଟେ କୌଣସି ଉପଯୁକ୍ତ ବ୍ୟକ୍ତିଙ୍କୁ ଲଗାଇଦେଲ, ନିଜ ପିତା ମାତାଙ୍କୁ ଏ ପ୍ରସ୍ତାବ ଆଣିବାକୁ ପ୍ରବର୍ତ୍ତାଇବା ପାଇଁ । ଭାଇ ଓ ବାପା ମାଆ ଆମ ଘରେ ଅରାଜି ହେବାର କାରଣ ନଥିଲା । ସେମାନେ ସମସ୍ତେ ଭାବିନେଲେ, ଅନୁମାନ କଲେ ଯେ ଆମ୍ଭେ ପରସ୍ପରକୁ ପ୍ରେମ କରନ୍ତି । ନାଇଁତ, କେଜାଣି ତୁମ କଥା ମୁଁ ଆଜି ପର୍ଯ୍ୟନ୍ତ ଜାଣିପାରିଲି ନାହିଁ । ଶ୍ରଦ୍ଧା, ସେନେହ ଥିଲା ଅନେକ । ପ୍ରେମ, ବିବାହ; ଅର୍ଥାତ୍ ସ୍ୱାମୀ ଅବା ସ୍ତ୍ରୀ ପ୍ରାପ୍ତିର ଉଦ୍ଦେଶ୍ୟରେ ଭଲ ପାଇବା! ନା, ବୋଧହୁଏ ନୁହେଁ କିନ୍ତୁ ପ୍ରସ୍ତାବଟି ଆସିବା ପରେ ଏବଂ ସାଦରେ ଗୃହୀତ ଦେଲା ଉତ୍ତାରେ ହୁଏତ ଆମେ ଉଭୟ ଅତ୍ୟନ୍ତ ସୁଖୀ ଅନୁଭବ କରିଥିଲେ ଯେ ବହୁ ଦିନର ପରସ୍ପର ଚିହ୍ନା ଏବଂ ଆଚାର ବ୍ୟବହାର ସହ ପରିଚିତ ଜୀବନ ସାଥୀଟିଏ ପାଇଥିବା ହେତୁ ।
ମନେପଡ଼େ ବିବାହର ବର୍ଷଟାଏ ପରେ ତୁମ୍ଭେ ଯେବେ ଆଇ. ଏ. ଏସ୍. ପାଇଲ ଏବଂ ଆପାତତଃ ସମ କାଳରେ ଆମ ପୁତ୍ର ରାଜୁ ଜନ୍ମ ହେଲା । ତୁମ ଘରେ ଭାବି ନେଲେ ମୁଁ କୁଆଡ଼େ ବହୁତ ଲକୀ ତୁମ୍ଭମାନଙ୍କ ପାଇଁ । ଆଜିବି ମନେଅଛି ତୁମ୍ଭେ କହିଥିଲ, ‘ପୁତ୍ରବତୀ ସୁମୀ ତୁମ୍ଭେ ଭାଗ୍ୟବତୀ ହୁଅ’ ଯେବେ ରାଜୁକୁ ପ୍ରଥମ କରି କୋଳକୁ ନେଇଥିଲ ତମେ, ପୁତ୍ର ତ ତୁମ୍ଭର ଏବଂ ଭାଗ୍ୟ ତ ତୁମ୍ଭେ । ପୁଅ ଜନ୍ମ ହୋଇଥିଲା ୧୯୬୭ ଏପ୍ରିଲ ୨୩ ତାରିଖରେ ତୁମ୍ଭେ ପ୍ରଶାସନିକ ତାଲିମ ପାଇଁ ଯାଇଥିଲ ଦୁଇବର୍ଷ ପରେ, ୧୯୬୯ ମସିହା, ତୁମ୍ଭେ ଯୋଗଦିଅ, ସବ ଅର୍ବାନ୍ ଏସ୍. ଡି ଓ ହୋଇ କଲିକତାରେ ।
କେତେ ମାସ ଖୁବ୍ ଆନନ୍ଦରେ କଟିଯାଏ । ବଡ଼ ବଙ୍ଗଳା, ଲୋକବାକ ସାହାଯ୍ୟକାରୀ କେଉଁଥିରେ ଅଭାବ ନଥାଏ । ତା ପରେ -
ତାପରେ କେଜାଣି ଯେମିତି ସାମାନ୍ୟ ଏକ ବଧିରା ଛଉ ରୂପରେ ପଶିଆସେ ରୋଗଟାଏ ତୁମ ଫାଟକ ଟପି। ସାଧାରଣ ଜନତା ଅବା ଚୋର ତସ୍କର ସିନା ଆସିବା ସମ୍ଭବ ନୁହେଁ କିନ୍ତୁ ରୋଗ, ସେଇଟା ତ ଚାଲିଆସିଲା । ଡାକ୍ତର କହିଲେ ଲେପ୍ରସୀ, କୁଷ୍ଠ । ମୁଁ ବୁଝିଲି ବଡ଼ରୋଗ, ସଂକ୍ରାମକ- ସ୍ୱାମୀ ଓ ପୁଅକୁ ବ୍ୟାପିବ । ମୁଁ ପଢ଼ିଥିଲି, ଜାଣିଥିଲି ଏହା ରୋଗ । ଏହା ଅଭିଶାପ ପାଇଁ ହୁଏ ନାହିଁ । ତୁମ ସାଙ୍ଗ - ମୋ ଭାଇ ସେତେବେଳକୁ ନୂଆ ନାମକରା ଡାକ୍ତର ହୋଇଗଲାଣି, ତୁମେ ବୁଝାଇଲ ଭାଇ ବି ବୁଝାଇଲା ମୁଁ ବି ବୁଝୁଥିଲି କିନ୍ତୁ ସବୁ ବୁଝି ବୁଝି କେବଳ ଗୋଟିଏ ବିନ୍ଦୁରେ ମନ ମୋର କେନ୍ଦ୍ରୀଭୂତ ହୋଇଥିଲା । ଏହା ସଂକ୍ରାମକ, ଏହା ସ୍ୱାମୀ ଓ ପୁଅକୁ ବ୍ୟାପିବ । ପୁଣି ଭାବୁଥିଲି ଏହାତ ଅଭିଶାପ ଯୋଗୁଁ ଶାମ୍ବଙ୍କୁ ଫଳି ଥିଲା, ସେ ସୂର୍ଯ୍ୟ ପୂଜା କରି ଆରୋଗ୍ୟ ହୋଇଥିଲେ ତେଣୁ ଅଭିଶପ୍ତା ସୁମିତ୍ରା ସିନା ରୋଗଗ୍ରସ୍ତା ହେଲା ସ୍ୱାମୀ ଏବଂ ପୁତ୍ର କାହିଁକି ହେବେ ଯେ ।
କେତେ ମାସ ଖୁବ୍ ଆନନ୍ଦରେ କଟିଯାଏ । ବଡ଼ ବଙ୍ଗଳା, ଲୋକବାକ ସାହାଯ୍ୟକାରୀ କେଉଁଥିରେ ଅଭାବ ନଥାଏ । ତା ପରେ -
ତାପରେ କେଜାଣି ଯେମିତି ସାମାନ୍ୟ ଏକ ବଧିରା ଛଉ ରୂପରେ ପଶିଆସେ ରୋଗଟାଏ ତୁମ ଫାଟକ ଟପି। ସାଧାରଣ ଜନତା ଅବା ଚୋର ତସ୍କର ସିନା ଆସିବା ସମ୍ଭବ ନୁହେଁ କିନ୍ତୁ ରୋଗ, ସେଇଟା ତ ଚାଲିଆସିଲା । ଡାକ୍ତର କହିଲେ ଲେପ୍ରସୀ, କୁଷ୍ଠ । ମୁଁ ବୁଝିଲି ବଡ଼ରୋଗ, ସଂକ୍ରାମକ- ସ୍ୱାମୀ ଓ ପୁଅକୁ ବ୍ୟାପିବ । ମୁଁ ପଢ଼ିଥିଲି, ଜାଣିଥିଲି ଏହା ରୋଗ । ଏହା ଅଭିଶାପ ପାଇଁ ହୁଏ ନାହିଁ । ତୁମ ସାଙ୍ଗ - ମୋ ଭାଇ ସେତେବେଳକୁ ନୂଆ ନାମକରା ଡାକ୍ତର ହୋଇଗଲାଣି, ତୁମେ ବୁଝାଇଲ ଭାଇ ବି ବୁଝାଇଲା ମୁଁ ବି ବୁଝୁଥିଲି କିନ୍ତୁ ସବୁ ବୁଝି ବୁଝି କେବଳ ଗୋଟିଏ ବିନ୍ଦୁରେ ମନ ମୋର କେନ୍ଦ୍ରୀଭୂତ ହୋଇଥିଲା । ଏହା ସଂକ୍ରାମକ, ଏହା ସ୍ୱାମୀ ଓ ପୁଅକୁ ବ୍ୟାପିବ । ପୁଣି ଭାବୁଥିଲି ଏହାତ ଅଭିଶାପ ଯୋଗୁଁ ଶାମ୍ବଙ୍କୁ ଫଳି ଥିଲା, ସେ ସୂର୍ଯ୍ୟ ପୂଜା କରି ଆରୋଗ୍ୟ ହୋଇଥିଲେ ତେଣୁ ଅଭିଶପ୍ତା ସୁମିତ୍ରା ସିନା ରୋଗଗ୍ରସ୍ତା ହେଲା ସ୍ୱାମୀ ଏବଂ ପୁତ୍ର କାହିଁକି ହେବେ ଯେ ।
କଲିକତା ସହରରେ ପୁରାତନ ମେଡିକାଲ କଲେଜର ଲେପ୍ରସୀ ହୋମରେ ତୁମ୍ଭେ ଆଉ ଭାଇ ମୋତେ ନେଇ ଭର୍ତ୍ତି କରି ଦେଲ । କୌଣସି ବେସରକାରୀ ଡାକ୍ତରଖାନା ଅବା ସେମିତି କେହି ଘରୋଇ ଦେଖିବା ଭଳି ଡାକ୍ତର ବ୍ୟବସ୍ଥା ସେବେଳେ ଥିଲା କି ? ବୋଧହୁଏ ନୁହେଁ । ମୁଁ କାନ୍ଦୁଥିଲି, ତୁମେ ମତେ ବୁଝାଉଥିଲ । ମୁଁ ତୁମ୍ଭଙ୍କୁ କିମ୍ବା ରାଜୁକୁ ପାଖ ମଡ଼ାଉ ଦେଉନଥିଲି । ବିଛଣା ଅଲଗା। ଲୋକବାକ ଆସିବା ବନ୍ଦ କରିଦେଲେ । ଦୁର୍ଭାଗ୍ୟକୁ ଡାପ୍ସୋନ୍ ନାମକ ଔଷଧକା ମୋ ଦେହରେ ଗଲା ନାହିଁ । ଦେହ ହାତ ଚକଡ଼ା ଚକଡ଼ା ଫଳିଗଲା । ଏହା ପରେ ତ ମୁଁ ଲେପ୍ରସୀ ହୋମରେ ରହିବାକୁ ବାଧ୍ୟ ହେଲି । ତୁମେ ଜାଣ ସେଠି ବି କେମିତି ବାଛ ବିଚାର ଥାଏ । ସେଠି ରୋଗୀ ମାନେ ରୋଗୀ, ବଡ଼ ରୋଗୀ, ଦୂରରୁ ଥାଇ ଚିକିତ୍ସା, ଅଛୁଆଁ ରୋଗୀ; ଆଜି ଏତେ ବର୍ଷ ପରେ କଥା ଅନେକ ବଦଳିଗଲାଣି । ଆଧୁନିକ ଭାଷା ସେବେଳେ ବି ଶୁଣାଯାଉଥିଲା । କିନ୍ତୁ ଚଳନି ବଦଳି ନଥିଲା । ଭୟ ଥିଲା ଅନେକ । ବିଶେଷ କରି ମୋର ଭୟ କାଳେ ମୋ ସ୍ୱାମୀଙ୍କୁ ବ୍ୟାପିବ, କାଳେ ମୋ ରାଜୁକୁ ଡେଇଁବ । ସମଜନେ, ସମବେଦନାର ସାମୂହିକ ସମାଜ ଗଠନ କରନ୍ତି । ଧିରେ ଧିରେ ମୁଁ ଦୂର ଦୂରାନ୍ତରୁ ଆସିଥିବା ଓ ବିିଭିନ୍ନ କୁଷ୍ଠ ପଲ୍ଲୀର ଅଭିଜ୍ଞତା ଥିବା ଭାଇ, ଭଉଣୀ, ମଉସା, ମାଉସୀଙ୍କ ସହ ସହଜ କଥା ହେଲି । ଅଧିକାଂଶ ଘର ଛାଡ଼ିଛନ୍ତି ଗୋଷ୍ଠୀ ଜୀବନ ସ୍ଥାପନ କରିଛନ୍ତି । ଭିକ୍ଷା ବୃତ୍ତି କରୁଛନ୍ତି । ମଉସା ଜଣେ ବୁଝାଇଦେଲେ କୁଳଶ୍ରେଷ୍ଠ ବ୍ରାହ୍ମଣ ଯଦି ଭିକ୍ଷା କରି ଚଳୁଛି, ରୋଗୀଟିଏ କଲା ତ କଣ ହେଲା!
ମୁଁ ବି ସ୍ଥିର କଲିି ତୁମ୍ଭଙ୍କୁ ଏବଂ ରାଜୁକୁ, ପରିବାରକୁ, ପିତୃକୁଳ ଓ ଶ୍ୱଶୁରାଳୟକୁ ସମ୍ପୂର୍ଣ୍ଣ ତ୍ୟାଗ କରି କେଉଁ ଅଜଣା ମୁଲକକୁ ପଳାଇବି । କ୍ରମେ ଏହି ଅବାସ୍ତବ ଭାବନାଟା ବାସ୍ତବତାରେ ପରିଣତ ହେବାର ସମ୍ଭାବନା ଦେଖାଦେଲା । ମୁଁ ଜାଣିଥିଲି ତୁମ୍ଭେ ମୋତେ ଖୋଜି ପାଇଯିବ ।
ମୋ ପୁଅ ପାଇଁ ଏବଂ ତୁମ୍ଭ ପାଇଁ ହୃଦୟଟା ରାମ୍ପିବିଦାରି ପକାଉଥାଏ, ସେ ପରିସ୍ଥିତିରେ ପଡ଼ି ନଥିବା କେହି ଜଣେ ବି ବୁଝିପାରିବ ନାହିଁ, କେଉଁ କାରଣରୁ ସାଧାରଣ ଘରୁ, ଗ୍ରାମରୁ ଏବଂ ସମାଜରୁ ରୋଗୀଟିଏ ବାହାରିଯାଏ । ସେଦିନ ଚାକର ଟୋକାଟା ଗଲାବେଳେ କେମିତି ଅତି ନିରୀହ ଭାବେ କହିଦେଲା, ବାବୁ ମତେ ଡର ଲାଗୁଛି । ମୁଁ ରହିଲେ ତୁମ୍ଭେ ଚଳିବ କେମିତି ? ମୋ ରାଜୁର ଦାୟିତ୍ୱ ନେବ କିଏ । ସମସ୍ତେ ତ ଭୟ କରିବେ ।
ଛାତିରେ ପଥର ରଖିଲି । ପାଖରେ ତୁମ୍ଭେ ଦେଇଥିବା ଦୁଇ ହଜାର ଟଙ୍କା ଥିଲା । ଠିକ୍ ଆଦି ଭଳି ଏକ ଲମ୍ବା ଚଉଡ଼ା ପତ୍ର ଲେଖିଲି କି ମୁଁ ଯାଉଛି କାଶୀ ଅବା ବୃନ୍ଦାବନା ଗଙ୍ଗା କିମ୍ବା ଯମୁନାରେ ଝାସଦେବି, ତୁମ୍ଭେ ପୁନଶ୍ଚ ବିବାହ କରି ସାଧାରଣ ଜୀବନ ଯାପନ କରିବ । ପ୍ରକୃତରେ କିନ୍ତୁ ପହଞ୍ଚିଲି ନୀଳାଚଳ ଧାମରେ, ଶହ ଶହ କୁଷ୍ଠରୋଗୀ ରହୁଛନ୍ତି, ମତେ କଣ ସ୍ଥାନ ମିଳିବ ନାହିଁ ! ରୋଗୀ ମାଉସୀଟିକୁ ସିଂହଦ୍ୱାରେ ଭେଟିଲି । ମତେ ଲୁଚାଇ ରଖିବା ପାଇଁ ତାକୁ ପାଞ୍ଚ ଶହ ଟଙ୍କା ଦେଲି । ମାଉସୀ ମତେ ନେଇ ତା କୁଡ଼ିଆରେ ଗାନ୍ଧୀ କୁଷ୍ଠ ପଲ୍ଲୀରେ, ଲୋକନାଥ ମନ୍ଦିର ପାଖରେ ରଖିଲା । ନାମ ବଦଳିଗଲା ବିମଳା। ମାଉସୀ ତା ନିଜ ଝିଆରୀ ତା ଗ୍ରାମରୁ ଆସିଛି କହି ନାମ ପଞ୍ଜିକରଣ କରି ରଖିଦେଲା । ପ୍ରାୟ ମାସଟାଏ ବାହାରକୁ ବାହାରିଲି ନାହିଁ । କ୍ରମେ ପଲ୍ଲୀର ଚଳନି ଶିଖିଗଲି, ମାଉସୀ ଛିଡ଼ା ଶାଢ଼ୀ ଯୋଗାଇଲା, ଥାଳି ଯୋଗାଇଲା, ସତ ଖଣ୍ଡିଆ ସହ ମିଛ ଖଣ୍ଡିଆକୁ ଗଜ କପଡ଼ା ଗୁଡ଼ାଇ ମୋତେ ଦାଣ୍ଡକୁ ପଠାଇଲା । ମୁଁ ଭିକାରୁଣୀ ହେଲି । ଶଙ୍ଖ କ୍ଷେତ୍ରର ଭିକାରୁଣୀ ।
ସେଦିନ କାନ୍ଦି ନଥିଲି । କାନ୍ଦିବା ମୋର ସରିଯାଇଥିଲା ଅନେକ ଦିନରୁ । ମୋ ରାଜୁର ଅଲରା ବାଳ କେରାକ ମନେ ପଡ଼ୁଥିଲା । ସ୍ମରଣ ଥିଲା ଆମ୍ଭ ମାନସିକ; ରାଜୁର ବାରବର୍ଷ ହେଲେ ତା ଠାକୁର ବାଳକୁ ପୁରୀରେ ପକାଇବା ନୀଳାଚଳ ଧାମରେ । ସେଇଠି ମୁଁ ହେଲି ଭିକାରୁଣୀ, ଗ୍ରାଜୁଏଟ୍ ଭିକାରୁଣୀ, ଆଇ. ଏ. ଏସ୍. ସମୀରଙ୍କ ସହଧର୍ମିଣୀ ସୁମିତ୍ରା ଭିକାରୁଣୀ, ବଡ଼ ଡାକ୍ତର ଭାଇର ଭଉଣୀ ଭିକାରୁଣୀ । ମନେ ପଡ଼ୁଥିଲା, ସେଇ ଯେଉଁ ଗଳ୍ପଟି ‘ଜାତିର ଧକ୍କା’ । ମୁଁ ସେମିତି ପାଇଥିଲି ରୋଗର ଧକ୍କା, ଘୃଣାର ଧକ୍କା, କ୍ଷତର ଧକ୍କା, ଉପାୟଶୂନ୍ୟ ହେବାର ଧକ୍କା, ଯାହା ଅବିଶ୍ୱାସ ଯୋଗ୍ୟ ତାହା କେତେ ବାସ୍ତବରେ ଘଟିଯାଉଥିଲା ।
ସେ ପଲ୍ଲୀ ବାସ୍ତବ ଚିତ୍ର ଜାଣିବାକୁ ଅଧିକ ଦିନ ଲାଗିଲା ନାହିଁ । ଚୂନ ଧୋଉଳା ଚାଳ ଛପର ପକ୍କା ଘର ମଧ୍ୟରେ ରୋଗୀମାନେ ପରିବାର କରି ରହିଛନ୍ତି । ଘରକୁ ରଖନ୍ତି ପରିସ୍କାର । ନିଜକୁ ନିହାତି ଅସହାୟ ଦେଖାଇବା ତାଙ୍କର ଅଭିନୟ । ଭେକ ନଥିଲେ ଭିକ ମିଳେନି । ତାଙ୍କର ଆଉ କଣ! ମୁଁ ତ ତହିଁରେ ସାମିଲ । ବସ୍ତି ମଧ୍ୟ ଶହେ ହେବ ନଡ଼ିଆଗଛ । ଅମୁକ ଗାଁରୁ ଆସିଥିବା ମାଇପି ରୋଗୀଟି ସମୁକ ଗାଆଁରୁ ଆସିଥିବା ପୁରୁଷ ରୋଗୀକୁ ବାହାହୋଇଯାଏ । ଏମିତି ଉଭୟ ରୋଗୀ ଥାଇ ବି ଜନ୍ମ କରିଛନ୍ତି ଚାରି ପାଞ୍ଚ ସନ୍ତାନ । ସେମାନେ ଟିକେ ବଡ଼ ହୋଇ ଗଲେ ବିଭିନ୍ନ ସରକାରୀ ଆବାସିକ ବ୍ୟବସ୍ଥାରେ ରହି ପାଠ ପଢନ୍ତି । ପରେ ସମଜାତୀୟ ପାତ୍ର ପାତ୍ରୀ ଦେଖି ସାଧାରଣ ସମାଜରେ ସହଜରେ ବସବାସ କରନ୍ତି । ସେମାନେ ରୋଗୀ ହୋଇ ନଥାନ୍ତି ।
ରୁହ ସମୀର ପ୍ରଥମେ ମୋ କଥା କହିସାରେ ।
ଏଠାକାର ବସ୍ତି ମାନଙ୍କର ସମିତି ଅଛି । କେହି ରୋଗୀ ମରିଗଲେ ସେ କୁଟୀରଟି ସମିତିର ହୋଇଯାଏ । ସେଇଟା ପୁଣି ନୂଆ ରୋଗୀ ସମିତି ଠାରୁ କିଣି ନିଅନ୍ତି ଅଥବା ଭଡ଼ା ସୂତ୍ରରେ ନିଅନ୍ତି । ତୁମ୍ଭର ଏ ପ୍ରିୟତମା ସୁମୀକୁ ଚାରିଶହ ଟଙ୍କା ଦେଇ ଏମିତି କୁଡ଼ିଆଟିଏ କିଣିବାକୁ ପଡ଼ିଲା । ମାଉସୀର ଆଶା ଥିଲା ଭିନ୍ନ, ସେ କେବଳ ତା ରୋଜଗାରକୁ ଦୁଇଗୁଣ କରିବାକୁ ମୋତେ ଏତେ ଆଦର ଯତ୍ନ କରୁଥିଲା ।
ଶୁଣିବ ତା ପରର କଥାଗୁଡ଼ା ! ବଡ଼ ବେଦନା ଦାୟକ । ଭିକାରୁଣୀ ଜୀବନ, ତା ବାଦ ପୁଣି ବସ୍ତିଟିରେ ଅବିଭାବକ ପଣିଆ ଜାହିର କରୁଥିବା ରୋଗୀଙ୍କୁ ସମ୍ମାନ ଦେବାକୁ ପଡ଼େ । ସମିତି ବାଧ୍ୟ କରୁଥିଲା ନୂଆ ସଂସାର ଗଢ଼ିବାକୁ । ଏକରକମ ଯେମିତି ଏହା ସେଠାର ପ୍ରଥା ଓ ନିୟମ । ଅଳ୍ପ ବୟସ୍କା ସ୍ୱାମୀ ପରିତ୍ୟକ୍ତାଟି କଣ ରୋଗୀ ହେଲା ବୋଲି ଜୀବନ ସାରା ବେସାହାରା ରହିବ । ବୁଢ଼ାବୁଢ଼ୀ ହେଲେ ଚଳିବେ କେମିତି । ପ୍ରତ୍ୟେକ୍ଷ ଦାୟିତ୍ୱ ନ ନେଲେ ବି ପିଲା ଛୁଆମାନେ ପରୋକ୍ଷ ଦାୟିିତ୍ୱ ତ ନେବେ । ଛିଃ ଛିଃ କି ଯନ୍ତ୍ରଣାର ଦିନ ଗୁଡ଼ା । ନିଷ୍ଠୁର ସେମାନଙ୍କ ଉପଦେଶ । ତୁମ୍ଭ ଛାତିର ଉଷ୍ଣତା ଏବେ ବି ମୁଁ ଅନୁଭବ କରେ ସମୀର । ତୁମ୍ଭ ନିଃଶ୍ୱାସର ଶବ୍ଦ ମୋ କାନର ପରଦାରେ କମ୍ପନ ସୃଷ୍ଟି କରେ । ତୁମ୍ଭର ସେ ସ୍ନେହ ବୋଳା କଥା ଅଦ୍ୟାବଧି ମୋ ରୋଗୀଣା ମନକୁ ଆଶ୍ୱାସନା ଦିଏ, ହୃଦୟକୁ ଶାନ୍ତି ଫେରାଇ ଆଣେ । ତୁମେ କେମିତି ଜାଣିବ ଏ କୁଡ଼ିଆ ମାନଙ୍କ ସମ୍ପର୍କରେ । ଏମାନଙ୍କର ଲାଳସା ଜୀବନର ଅପରାହ୍ନ ପର୍ଯ୍ୟନ୍ତ ଥାଏ ପ୍ରଖର । ବହୁ ବୟସ୍କରୋଗୀ ବି ଖୋଲା ଖୋଲି ପ୍ରସ୍ତାବ ଦିଅନ୍ତି ବାହା ହେବାକୁ । ଗଞ୍ଜେଇ, ଅଫିମ ଖୋର ରୋଗୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ପଲ୍ଲୀ ମଧ୍ୟରେ ଏମାନଙ୍କ କଳି ଶୁଣିଲେ ତୁମ୍ଭେ ନିଜକୁ ବିଶ୍ୱାସ କରିପାରିବ ନାହିଁ । ଅସହାୟତା ଏକ ଆପେକ୍ଷିକ ଅବସ୍ଥା । ସମାନ ଅସୁବିଧାର ଅନେକ ଲୋକ ସାଥିରେ ରହିଲେ ଅସହାୟତା ଅପସରିଯାଏ । ସେମାନେ ପୁଣି ସାଧାରଣ ଲୋକଙ୍କ ଭଳି ରାଗ, ହିଂସା, ବାଦବିବାଦ ଯାବତୀୟ ମାନବୀୟ ଦୁର୍ଗୁଣର ବେଶ୍ ଉପଯୋଗ କରନ୍ତି । ମାଡ଼ପିଟ ବି ଲାଗନ୍ତି ।
ଭଲଗୁଣ ଯେ ଏମାନଙ୍କର ଦୂର ହୋଇ ଯାଇଛି ସେ କଥା ନୁହେଁ । ସହଯୋଗ କରନ୍ତି । କେବେ କେବେ ମିଳିମିଶି ଉପାର୍ଜନକୁ ଭାଗ କରି ନିଅନ୍ତି । ରୋଗ ବାଧିକୀ ବଢ଼ିଲେ ଡାକ୍ତରଖାନା ନିଅନ୍ତି । ପର୍ବ ପର୍ବାଣିରେ ଯଦିଓ ସମସ୍ତେ ବ୍ୟସ୍ତ ରହନ୍ତି, କିଛି କିଛି ପର୍ବ ବସ୍ତିରେ ପାଳନ ହୁଏ । ସେମାନଙ୍କ ପିଲାଏ ଛୁଟିରେ ଘରକୁ ଆସିଲେ କ୍ଲବ ଘର ବା କୋଠ ଘରେ ରହନ୍ତି । ମୁଁ ସେମାନଙ୍କୁ ବେଳେ ବେଳେ ପାଠ ପଢ଼ାଏ । ମୋ ଶିକ୍ଷାର ମହତ୍ତ୍ୱ ସେମାନେ ବୁଝିଲେ । ମତେ ଆଉ ସେମାନେ ବିବାହର ପ୍ରସ୍ତାବ ଦେଇ ହରକତ କଲେ ନାହିଁ । ମତେ କେହି ମୋ ସ୍ୱାମୀ ଓ ରାଜୁଠାରୁ ଅଲଗା କରିପାରିବେ ନାହିଁ । ଏ ଉଦବାସନ ଏକାନ୍ତ ଇଚ୍ଛାକୃତ । ଆତ୍ମୀୟତା ଅମଳିନ, ଅତୁଟ ।
ମୋ ଗୋଡ଼ର କେତୋଟି ଆଙ୍ଗୁଠି ଛିଡ଼ିଯାଇଛି । ହାତ ଠିକ୍ ଅଛି । ବ୍ଲାକ୍ ବୋର୍ଡ଼ରେ ଲେଖିବା, ଚିତ୍ର କରିବା, ଏ ସବୁ ମୋ ପାଇଁ ସହଜ । ରୋଗ ଆଉ ବଢ଼ୁନି । ନିଜର ଯତ୍ନ ପାଇଁ ଯେଉଁସବୁ ସରକାରୀ ପ୍ରଶିକ୍ଷଣ ଦିଆଯାଉଛି ତାହା ଯେପରି ସମସ୍ତେ ଶିଖିବେ ଓ କାମରେ ଲଗାଇବେ ସେଥିରେ ମୁଁ ଲାଗି ରହିଥାଏ । ବସ୍ତି ବାଲା ଏବେ ସଭିଏଁ ମତେ ଶ୍ରଦ୍ଧା କରନ୍ତି । ମୁଁ ଆଉ ଭିକ୍ଷା ବୃତ୍ତି କରେ ନାହିଁ । ଝିଅ ପିଲା ମାନେ ଦୂର ଆବାସିକ ବିଦ୍ୟାଳୟକୁ ପ୍ରାୟ ଯାଆନ୍ତି ନାହିଁ । ସେମାନେ ଏହି ସ୍ଥାନୀୟ ବିଦ୍ୟାଳୟ ମାନଙ୍କରେ ପଢ଼ନ୍ତି । ମୁଁ ସେମାନଙ୍କ ପଢ଼ାର ଯତ୍ନ ନେଇ ସେମାନଙ୍କ ପରୀକ୍ଷା ଫଳ ବେଶ୍ ଉତ୍ତମ କରାଏ । ସମସ୍ତେ ମତେ କିଛି ପାରିଶ୍ରମିକ ଦେଉଛନ୍ତି । ମୁଁ ତହିଁରେ ଚଳି ଯାଉଛି । ବଳକା ବି ରହୁଛି । ମୋ ଗଳ୍ପ, କବିତା ଛଦ୍ମନାମ, ‘ବିମଳା ଦେଇ’ ନାମରେ ପ୍ରକାଶିତ । ବଜାରରେ ଉପଲବ୍ଧ । ତୁମ୍ଭେ ବି କିଣିପାରିବ । କିନ୍ତୁ କେମିତି ? ତୁମ୍ଭଙ୍କୁ ତ ଏଇ ଚିଠି ମୁଁ ପଠାଇବି ନାହିଁ । ମୋର ଆୟ ହେଉଛି । ମୁଁ ତହିଁରେ ତିନିଜଣ ଝିଅଙ୍କୁ ଉଚ୍ଚ ଶିକ୍ଷାରେ ସାହାଯ୍ୟ କରୁଛି । ତପନ ଏବଂ ପ୍ରଶାନ୍ତ ନାମକ ଦୁଇଜଣ ଯୁବକ ଆର ଇ ସି (ଏନଆଇଟି) ରାଉରକେଲାରେ ଇଞ୍ଜିନିୟରିଂ ଛାତ୍ର ।
କିନ୍ତୁ ହତାଶାର ସ୍ୱର ମୋ ଅନ୍ତରରୁ ଲିିଭିନାହିଁ । ନିଶବ୍ଦ ହୋଇ ପାରିବ ନାହିଁ । ମୋ ରାଜୁ ମୋ କୋଳରେ ନାହିଁ । ୧୯୮୦ ମସିହାରେ ତାକୁ ଦେଖିଥିଲି । ଭାଇ, ତୁମ୍ଭେ ଓ ସେ ପୁରୀ ଆସିଥିଲା । ରାଜୁ ଲଣ୍ଡିତ ହୋଇଥିଲା । ତୁମ୍ଭେ ମାନସିକ ରକ୍ଷା କରିଛି । ମୋ ରାଜୁ ସ୍ୱହସ୍ତରେ ସମସ୍ତଙ୍କୁ ଦାନ କରୁଥିଲା । ସେତେବେଳେ ମୁଁ ଭିକ୍ଷା ବୃତ୍ତି କରୁଥିଲି । ମୋ ଥାଳିରେ ବି ପକାଇଲା ରାଜୁ । ତୁମ୍ଭେ ଏବଂ ମୋ ଭାଇ ମୋତେ ଦେଖୁଥିଲ । ଦଶ ବର୍ଷ ତଳେ ଆତ୍ମହତ୍ୟା କରିଥିବା ଏକ ଭୂତକୁ ଦେଖି ଚିହ୍ନିପାରିବା ସମ୍ଭବ ହୋଇନଥିଲା ତୁମ୍ଭର । ସଭିଏଁ ମତେ ବିମଳୀ ଡାକୁଥିଲେ । ମୁଁ ତୁମ୍ଭଙ୍କୁ ଠକିଦେଲି । ବିମଳୀ ସୁମିତ୍ରାଙ୍କୁ ସବୁ ବେଳେ ଠକିଛି ।
କିଏବା କଳନା କରିପାରିବ ସେଦିନର ସେ ହାହାକାରର ଅନ୍ତର୍ବେଦନା । ଉଦବାସିିିତ ମୋର ସେ ଆତ୍ମୀୟତା, ଲେଉଟାଣି ଅସମ୍ଭବ । ମୁଁ ଭୟ କରୁ ନଥିଲି ରୋଗକୁ । ମୁଁ ବସ୍ତିର ପିଲାଛୁଆଙ୍କୁ ନିରୋଗ ଦେଖି ଜାଣି ସାରିଥିଲି ଏହା ମୋ ପରିବାରକୁ, ପିଲାଙ୍କୁ ଆଉ ବ୍ୟାପିବାର ସମ୍ଭାବନା ନାହିଁ । କିନ୍ତୁ ମୁଁ କି ଆଉ ଲେଉଟି ପାରିବି । ସହସ୍ର ଅଗ୍ନିଚିତା ଅପେକ୍ଷା କରିବେ ମୋର ପରୀକ୍ଷା ନେବା ପାଇଁ ଏ ବସ୍ତିରୁ ମୋତେ କେହି ଖୋଜି ନେଇ ତୁମ୍ଭ ପାଖରେ ପହଞ୍ଚାଇବାରେ ଆଦୌ ସମ୍ଭାବନା ନଥିଲା । ଏ ବସ୍ତି ଏକ ପରିତ୍ୟକ୍ତ ସମାଜ ଏଠି ସମସ୍ତଙ୍କ ଅତୀତ ଠିକଣା ଭସ୍ମୀଭୂତ ସେ ଭସ୍ମରୁ କେହି ତାର ଠିକଣା ପୁନରୁଦ୍ଧାର କରିବା ସମ୍ଭବ ହୋଇନାହିଁ । ନା ସେ ବ୍ୟକ୍ତି ସ୍ୱୟଂ, ନୁହେଁ ତାର ପରିବାର କିମ୍ବା ସରକାରୀ ବ୍ୟବସ୍ଥା । କୁଷ୍ଠ ପଲ୍ଲୀର କୁନି କୁନି ପିଲାଙ୍କ ଗହଣରେ ସେ ଦୁଃଖକୁ ବିସର୍ଜନ କରିଥିଲି । ରାଜୁକୁ ତୁମ୍ଭେ ଏକୁଟିଆ ପାଳିଛ । ସାରା ଜୀବନ ତୁମ୍ଭଙ୍କୁ ଏମିତି ନିଃସଙ୍ଗ କରି ମୁଁ ଚାଲି ଆସିଲି । ମୁଁ ତ ତୁମ୍ଭଙ୍କୁ ଅନୁମତି ଦେଇଥିଲି, ଅନୁରୋଧ କରିଥିଲି । ଅବଶ୍ୟ ବିଶ୍ୱାସ କରିଥିଲି ତୁମ୍ଭେ ପୁଣି ସଂସାରକୁ ସଜାଡ଼ିବ । ସାଥୀ ଖୋଜିବ । ଯଦିଓ ତୁମ୍ଭେ ଆଉ କେବେ ମୋର ନୁହେଁ ତଥାପି ଦୁଃଖ ମଧ୍ୟରେ ସୁଖ ବି ଲାଗୁଥିଲା ତୁମ୍ଭର ସେ ସୁମିତ୍ରା ଆସନଟି ଅଦ୍ୟାବଧି ଶୂନ୍ୟ ପଡ଼ିଛି । ମୁଁ ନାରୀ ମୋର ଭାବନା ନାରୀମୟ । ଆଉ ତୁମ୍ଭେ -ତୁମ୍ଭର ତୁଳନା ନାହିଁ ।
ଆଜି ୧୯୮୬ ମସିହା, ମୋର ବୟସ ଚାଳିଶ ହେଲାଣି । ତୁମ୍ଭେ କେଉଁ ଉଚ୍ଚ ପଦବୀରେ ଅଛ ମୁଁ ଜାଣିନି । ମହାତ୍ମାଗାନ୍ଧୀଙ୍କ ନାମ ବହନ କରି, କଣ ଗୋଟିଏ ମହାଭାରତୀୟ ଅନୁଷ୍ଠାନ ଅଛି ଖଦୀ ଓ କୁଟୀର ଶିଳ୍ପ ଇତ୍ୟାଦିକୁ ନେଇ । ତୁମ୍ଭେ ତାହାର ଅଧ୍ୟକ୍ଷ ଏବଂ ତୁମ୍ଭ ଅନୁଷ୍ଠାନ ପୁରୀରେ ବିଭିନ୍ନ କୁଷ୍ଠପଲ୍ଲୀ ପାଇଁ ଅନେକ କାର୍ଯ୍ୟକ୍ରମ କରୁଛି । ସୋଲାର ହିଟର, ଉନ୍ନତ ମାନର ତିନିଚକିଆ ଗାଡ଼ି, ବିଭିନ୍ନ କିସମର ସୁରକ୍ଷା ଯୋତା ଆହୁରି କେତେଜଣ । ଏ ସବୁ ମୁଁ ଜାଣିଲି ଖବର କାଗଜର ବିଶାଳ ବିଜ୍ଞାପନ ଦେଖି । ପଲ୍ଲୀର ଆନନ୍ଦମୟ ଆଲୋଚନା ଶୁଣି ।
ତୁମ୍ଭେ କଣ ସେଦିନର ସେ ସାମାନ୍ୟ ଦେଖାରେ ଆଜି ପର୍ଯ୍ୟନ୍ତ ଧନ୍ଦି ହେଉଛି । ୧୯୭୦ ରେ ଆତ୍ମହତ୍ୟା କରିଥିବା ତୁମ୍ଭର ପତ୍ନୀକୁ ଖୋଜୁଛ! ଖୋଜିବା ସ୍ୱାଭାବିକ୍ । ପ୍ରଶାସନ ଜଣେ ଏତେବଡ଼ ଅଫିସର ପତ୍ନୀର ଲାସ୍ ଖୋଜି ତୁମ୍ଭଙ୍କୁ ଦେଇ ପାରିନଥିଲା । ନା ବୃନ୍ଦାବନରୁ ନାଁ କାଶୀ ବାରଣାସୀରୁ । ତୁମ୍ଭେ କି ପରତେ ଯାଇଥିବ ସୁମିତ୍ରା ମୃତ । ତୁମେ ସେ ଦିନ ଦେଖିଥିବା ସେ ବିମଳୀକୁ ପୁଣି ଠାବ କରିବାକୁ ଚାଲିଆସିଲ କି ?
ତୁମ୍ଭର ଏଠି ତିନି ଦିନିଆ ରହଣି । ପଲ୍ଲୀରେ ସମସ୍ତେ ଯାଇଛନ୍ତି, ସେମାନଙ୍କୁ ନାନାଦି ସାମଗ୍ରୀ ମିଳିଛି । ସମସ୍ତେ ତୁମ୍ଭର ଏ କାର୍ଯ୍ୟକ୍ରମକୁ ଓ ତୁମ୍ଭଙ୍କୁ ପ୍ରଶଂସା କରୁଛନ୍ତି । ସ୍ଥାନୀୟ ପ୍ରଶାସନ, ପଲ୍ଳୀରେ ସରକରୀ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟସେବା ଇତ୍ୟାଦିକୁ ଉପଭୋକ୍ତା ମାନଙ୍କ ପାଖରେ ଗ୍ରହଣୀୟ କରାଇବାରେ ମୋର ଭୂମିକା ଦୃଷ୍ଟିରୁ, ମୋତେ ଏକ ପୁରସ୍କାର, ମାନପତ୍ର ଓ ନଗଦ ଦେବାର ବ୍ୟବସ୍ଥା କରିଛନ୍ତି । ବିମଳୀ ଦାସ ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କୃତ ହେଲା ତୁମ୍ଭରି ସ୍ୱହସ୍ତରେ । କେଉଁ ଉତ୍ତମ କାର୍ଯ୍ୟ ? ସ୍ୱାମୀ ଓ ପୁତ୍ରଙ୍କୁ ଉପେକ୍ଷା କରି ଚାଲିଆସିବାର ଉତ୍ତମ କାର୍ଯ୍ୟ । ମୁଁ ଖୋଜୁଥିଲି ରାଜୁକୁ । ସେ ଅଠର ବର୍ଷର ହେବଣି । କେଉଁଠି କଲେଜରେ ପଢ଼ୁଥିବ । ସେ କାହିଁକି ସରକାରୀ କାର୍ଯ୍ୟକ୍ରମରେ ତୁମ୍ଭ ସହ ଆସିବ! ମୁଁ ଗ୍ରହଣ କଲି ମୋର ପୁରସ୍କାର । ତୁମ୍ଭ ହସ୍ତରୁ, ମୁଁ ତୁମ୍ଭଙ୍କୁ ଚାହିଁଥିଲି, ତୁମ୍ଭେ ବି । ଚାରି ଚକ୍ଷୁର ମିଳନ ହୋଇଥିଲା । ମୋ ନୟନରୁ ଦୁଇଧାରା ଗଡ଼ି ଆସିଥିଲା । ମୁଁ ମୋର ପ୍ରାପ୍ତ ଅର୍ଥକୁ ବସ୍ତି ଉଦ୍ଦେଶ୍ୟରେ ଦାନ କଲି । ସମସ୍ତେ ଧରି ନେଇଥିଲେ ଝରି ପଡ଼ିଥିବା ଅଶ୍ରୁ ଆନନ୍ଦର । ମୁଁ ଜାଣିଥିଲି ତାହା ଉତ୍ତପ୍ତ ଲାଭା ହୁଏତ ପୃଥିବୀ ଉପରେ ପଡ଼ିଲେ ବସୁଧା ଦୁଇଭାଗ ହୋଇଯିବ । ମାତା ସୀତାଙ୍କ ପରି ମୁଁ ତା ମଧ୍ୟରେ ଲୀନ ହୋଇଯିବି । ଏତେ ବଡ଼ ଆସ୍ପର୍ଦ୍ଧା । ମୁଁ ଅଗତ୍ୟା ଶାଢ଼ୀ କାନୀରେ ଲୁହ ପୋଛିଲି । ମୋତେ ତଳକୁ ଓହ୍ଲାଇବାର ପାହାଚ ଗୁଡ଼ାକ ସ୍ପଷ୍ଟ ଦେଖାଦେଲା । ତଳକୁ ତଳକୁ ଓହ୍ଳାଇବାରେ ଝୁଣ୍ଟି ପଡ଼ିବାର ସମ୍ଭାବନା ନଥିଲା । ମୁଁ ଆଜି ପଡ଼ିବି କି ଝୁଣ୍ଟିି, ତୁମ୍ଭେ ମୋର ଛଳନାର ପରଦା ଅପହୃତ କରି ସର୍ବ ସମ୍ମୁଖରେ ସୁମିତ୍ରାକୁ ଉନ୍ମୋଚନ କରିଦେବ କି,ଏ ସନ୍ଦେହ ମୋର ଅମୂଳକ ସାବସ୍ତ୍ୟ ହେଲା । ମୁଁ ମାଟିତଳ ବସୁଧାରା ଶକ୍ତ ବାସ୍ତବତାରେ ପହଞ୍ଚି ଯାଇଥିଲି । ଭୂମି ମୋର ଖଣ୍ଡିଆ ପାଦକୁ ଦୃଢ଼ତା ପ୍ରଦାନ କରିଥିଲା ।
ଭାବପ୍ରବଣତା ମୋତେ ସିନା ଏ ଚିଠିଟି ଲେଖିବାକୁ ବାଧ୍ୟ କରୁଛି କିନ୍ତୁ ଏହା ତୁମ୍ଭ ପାଖରେ ପହଞ୍ଚିବ ନାହିଁ । ପ୍ରଭୁ ଜଗନ୍ନାଥ ମୋ ସ୍ୱାମୀ, ମୋ ପୁତ୍ର ରାଜୁକୁ ଶଂଖରେ ପୁରାଇ, ଘୁଣ୍ଟ ଘୋଡ଼ାଇ ଚକ୍ର ଉହାଡ଼ରେ ରଖନ୍ତୁ ଏତିକି ମୋ କାମନା ।
ଇତି, ତୁମର ସୁମୀ।
ଦାଦା ହୃଦୟସ୍ପର୍ଶୀ ହେଇଛି ଲେଖାଟି, ମତେ ତ ବହୁତ ଭଲ ଲାଗିଲା।
ReplyDelete