ବଡ ଆଜ୍ଞା।
ବହୁଦିନ ପରେ ଖଡିଆଳର ବବି ଓ ଗୁଡି ଆମ ଘରକୁ ଆସିଥିଲେ। ଗୁଡି ଆମ ଖଡିଆଳ ଚାକିରି ବେଳର ବଡଦିଦି ଓ ଫାର୍ମାସିଷ୍ଟ ରଫିକ ବାବୁଙ୍କ ବଡଝିଅ। ବବି ହେଲେ ଜ୍ବାଇଁ। ବହୁତ କଥା ପଡିଲା। ଏଇ ଗୁଡି, ତା ଦୁଇ ଭଉଣୀ ଜୁଗୁ ଓ ପିଙ୍କି କଲୋନିର ପିଲା ମାନଙ୍କୁ ଶ୍ରଦ୍ଧା କରନ୍ତି। ରାମ, କୃଷ୍ଣ ଇତ୍ୟାଦି ନାନାଦି ବେଶରେ ବିଦ୍ୟାଳୟର ପର୍ବ ମାନଙ୍କରେ ପଠାଇ ଦିଅନ୍ତି। କଲୋନିର ଜୀବନ ଥିଲା ବେଶ ଆମୋଦ ପୂର୍ଣ୍ଣ। କେମିତି ପାଞ୍ଚଟି ବର୍ଷ କଟିଗଲା ଜଣା ପଡିଲାନି। ଏହା ମଧ୍ୟରେ ଖଡିଆଳ ଛାଡିବା ଦୁଇ ଦଶନ୍ଧି ପାର ହୋଇଗଲାଣି। ଚାକିରି ଜୀବନର କେବଳ ସେହି ସମୟତକ ଆମେ ସାଥିରେ ଥିଲୁ।
ଆମେ ଥିଲୁ ବହୁ କନିଷ୍ଠ। ସ୍ଥାନୀୟ ଅଫିସରସ କ୍ଲବର ସବୁଠୁ ଶ୍ରଦ୍ଧେୟ ସଦସ୍ୟ ଦମ୍ପତି। ସୁଖର କାରଣ ବି ଅନେକ। ସେସବୁ ଆନନ୍ଦର ମୂଖ୍ୟ କାରଣ ଯେଉଁ ବ୍ୟକ୍ତି ଜଣଙ୍କ ଥିଲେ, ତାଙ୍କ କଥା ତତ୍କ୍ଷଣାତ ମନକୁ ଆସିଲା।
ଆରେ ଗୁଡି, ବଡଆଜ୍ଞାଙ୍କ ଫୋନ ନମ୍ବର ଅଛି? ଆଜ୍ଞାଙ୍କ ଖବର ସବୁ କଣ?
"ଆଜ୍ଞା, ଯେନ୍ତାକୁ ସେନ୍ତା ଅଛନ୍, ମାଡାମବି ହେନ୍ତା ଏକା ଅଛନ୍। ବଲାଙ୍ଗିରଥି ରହସନ୍। ତାଙ୍କର ଝିଅ ମାନେ ଓ ବାବୁ ସଭେଁ ବନେ ଅଛନ୍", କହିଗଲା ଗୁଡି।
ଆଜ୍ଞାଙ୍କ ନମ୍ବର ଦେଲା।
ମନ ମଧ୍ୟରେ ଘୋଟିଆସିଲା ବଡ ଆଜ୍ଞାଙ୍କ ଛତ୍ରଛାୟା ତଳେ କଟିଥିବା ସେ ଦିନଗୁଡିକର ସ୍ମୃତି।
କାଲିଭଳି ଲାଗୁଛି।
୧୯୯୪ ଏପ୍ରିଲ ଏକ ତାରିଖ, ସରିତା ଓ ମୁଁ ବଦଳି ହୋଇ ଆସିଲୁ ଖଡିଆଳ, ଯଥାକ୍ରମେ ଯାଜପୁରର ବରୀ ଓ ସେହି ଜିଲ୍ଲାର ବୁଦ୍ଧିକୋମନାରୁ।
ଖଡିଆଳ ଉନ୍ନୀତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ହୋଇଥିବାରୁ ଖୁବ୍ ଜଣେ ବରିଷ୍ଠ ଡାକ୍ତର ଓ ଭେଷଜ ବିଶେଷଜ୍ଞ ଡା ଅମ୍ବରୀଷ ପ୍ରଧାନ ଏହାର ଅଧିକାରୀ, ଉଚ୍ଚତା କମ କିନ୍ତୁ ବପୁ ବଳିଷ୍ଠ। କେଜାଣି କାହିଁକି ପ୍ରଥମରୁ ଅନୁଭବ ଆସିଲା, ଏ ଜଣେ ଉପଯୁକ୍ତ ଅଧିକାରୀ।
ଜାଣିଲୁ ତାଙ୍କ ପରିଚୟ, "ବଡ ଆଜ୍ଞା"।
ମୋର ପୋଷ୍ଟିଂ ହୋଇଥାଏ ଶିଶୁ ବିଶେଷଜ୍ଞଙ୍କ ଶୂନ୍ୟ ସ୍ଥାନରେ। ସରିତାର ହୋଇଥାଏ ଗ୍ରାମୀଣ ପରିବାର ମଙ୍ଗଳ କେନ୍ଦ୍ର ଡାକ୍ତର ଭାବେ। ବଡଆଜ୍ଞା ଆମକୁ ବିଶେଷଜ୍ଞ କ୍ବାର୍ଟରଟି ଦେଇଦେଲେ।
ପୂର୍ବ ଚାକିରି, ଏକ ଡାକ୍ତର ବିଶିଷ୍ଟ ଛୋଟ ଡାକ୍ତରଖାନାରେ। କାମ ଅଳ୍ପ, କର୍ମ ହିଁ ନିଜ ଗୁରୁ। ଅପେକ୍ଷା କୃତ ବଡ ଡାକ୍ତରଖାନାରେ କାମ ଓ ଦାୟିତ୍ୱର ବିବିଧତା ଅଛି ଓ ବରିଷ୍ଠ ମାନଙ୍କଠାରୁ ଅନେକ କିଛି ଶିଖିବାର ଅଛି।
ତହିଁ ଥାଆନ୍ତି ଦୀର୍ଘ ଦିନର ଓ ଆପାତତଃ ସ୍ଥାୟୀ ଅନ୍ୟ ଜଣେ ଡାକ୍ତର, ପ୍ରସୂତି ବିଶେଷଜ୍ଞ ଡା କୈଳାସ ପ୍ରଧାନ। ସେ ବହୁତ କାର୍ଯ୍ୟ ବ୍ୟସ୍ତ, ବିଶେଷଜ୍ଞ ଓ ଅଣ ବିଶେଷଜ୍ଞ ତଥା ପୋଲିସ କାମରେ ସିଦ୍ଧହସ୍ତ। ବହୁତ ଲୋକଙ୍କ ସହ ତାଙ୍କ ଘନିଷ୍ଠତା ଥାଏ। ତାଙ୍କ ଘର କଟକର ଟାଙ୍ଗୀ ଅଞ୍ଚଳରେ। ଆମେ ହେଲୁ ତାଙ୍କ ପଡୋଶୀ।
ଡାକ୍ତରୀ କାମ ଦୁଇ ପ୍ରକାରେ କରାଯାଇପାରେ। ସମାଜକୁ ସରକାର ଦେଇଥିବା ସ୍ବାସ୍ଥ୍ୟ ପ୍ରତିଶ୍ରୁତି ଓ ଦାୟିତ୍ୱ ଅନୁସାରେ, ଉପଲବ୍ଧ ମାନବ ସମ୍ବଳଠୁ ଅଧିକ କାମ ଆଦାୟ କରି। ଅଥବା କର୍ମଚାରୀଙ୍କୁ ସରକାର ଦେଇଥିବା ସ୍ବାଛନ୍ଦ୍ୟ ଓ ତାଙ୍କ ମାନବାଧିକାରକୁ ସୁରକ୍ଷା ଦେଇ ଯେତିକି ପାରିବ ସେତିକି ସେବା ଦେଇ ଓ ଅନେକ କାମକୁ ଅଣଦେଖା କରି।
ପ୍ରଥମେ ଜାଣିଲି, ବଡଆଜ୍ଞା ପ୍ରଥମ ପ୍ରକାରର। ସେ ସମସ୍ତଙ୍କୁ ଡରାଇ, ଶାସନ କରି କାମ ଆଦାୟ କରୁଛନ୍ତି ଓ କାମର ଶ୍ରେୟ ସ୍ବଭାବିକ ଭାବେ ଅନୁଷ୍ଠାନ ଓ ଏହାର ଅଧିକାରୀ ଭାବେ ନିଜେ ପାଉଛନ୍ତି। ଭଲକଥା, ଲୋକେ ଗଣ୍ଡଗୋଳ କଲେ ସେକଥାକୁ ସେ ବୁଝୁଛନ୍ତି, ଆମ ମୁଣ୍ଡ ବିନ୍ଧୁନାହିଁ; ଅତୟବ ତାଙ୍କ କହିବା ଅନୁସାରେ ଆମେ କାମ କରିବା ଉଚିତ।
ଖୁବ୍ ସହଳ ବୁଝି ପାରିଲୁ ସେ ଦ୍ବିତୀୟ କିସମର ମଧ୍ୟ। ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କ ସୁଖ ସୁବିଧା ଓ ନ୍ୟାର୍ଯ୍ୟ ଅଧିକାର ବାବଦରେ ସେ ସଚେତନ। ଏଣୁ ସେ ଆମ ଅଫିସ ଠାରୁ ଜିଲ୍ଲା ଆଫିସ ପର୍ଯ୍ୟନ୍ତ, ଖଡିଆଳ କର୍ମଚାରୀଙ୍କ ସମସ୍ତ କାମ କେମିତି ସୁରୁଖୁରୁରେ ଓ ବିନା ପାଉଣାରେ ହେବ ସେ ପାଇଁ ସର୍ବଦା ପ୍ରଚେଷ୍ଟିତ ଥାଆନ୍ତି। ବିଶୃଙ୍ଖଳା ସେ ବରଦାସ୍ତ କରନ୍ତି ନାହିଁ, ଏହାର କାରଣ ଜନସାଧାରଣ ହୁଅନ୍ତୁ କି ଆମ ଷ୍ଟାଫ ହୁଅନ୍ତୁ କେହି ତାଙ୍କ ରଡିରୁ ବଞ୍ଚି ପାରନ୍ତି ନାହିଁ।
ଅବଶ୍ୟ 'ଉଞ୍ଚାଇଥିବ ପିଟିବ ନାହିଁ' କଥାଟିର ଉଦାହରଣ ତାଙ୍କଠୁ ବଳି କେହି ହୋଇନପାରେ।
ବାରମ୍ବାର ସେ ଠକ କର୍ମଚାରୀଙ୍କୁ ଦରମାବନ୍ଦ'ର ଧମକ ଦେଇଛନ୍ତି। ସେ ଜଣେ ଅଦ୍ଭୁତ ଲୋକ, ପ୍ରତି ଧମକାଣି ସତ ଲାଗିବ କିନ୍ତୁ ଥରୁଟିଏ ବି କାହାର ଦରମା କଟା ଯିବନି। ଏ ବିଶେଷତ୍ୱ ସମ୍ପର୍ଣ୍ଣ ଅଧିକାରୀ ଜଣଙ୍କ ଆମ ସ୍ବାର୍ଥ ଓ ଜନତାଙ୍କ ସ୍ବାସ୍ଥ୍ୟ ମଧ୍ୟରେ ଏମିତି ଅବିକଳ୍ପ ସମନ୍ୱୟ ରଖିଥାନ୍ତି ତାହା ଏ ଜୀବନରେ ଆଉ କେଉଁଠି ଦେଖିବା ସମ୍ଭବ ହେଲା ନାହିଁ।
ସେବେଳେ ଆମ ସରକାରୀ କାମ ଥାଏ; ବହିର୍ବିଭାଗ ଓ ଅନ୍ତର୍ବିଭାଗ ରୋଗୀଙ୍କ ଦାୟିତ୍ୱ, ପରିବାର କଲ୍ୟାଣ ଦାୟିତ୍ୱ, ଜନ ସ୍ବାସ୍ଥ୍ୟ, ବିଭିନ୍ନ ବିଭାଗ ତଥା ଅଧିକାରୀଙ୍କ ସହ ସମନ୍ୱୟ, ସ୍ଥାନୀୟ ଏକ ଆଶ୍ରମର ଦାୟିତ୍ୱ, ସମନ୍ବିତ ଶିଶୁ ବିକାଶ ଯୋଜନାରେ ସକ୍ରିୟ ଭୂମିକା ଓ ପଛୁଆ ଅଞ୍ଚଳ ଦୃଷ୍ଟିରୁ ହେଉଥିବା ଅନେକ ଭ୍ରାମ୍ୟମାଣ ଚିକିତ୍ସାଳୟ ତଥା ଶିବିର ମାନଙ୍କର ଦାୟିତ୍ୱ। ଏହା ବ୍ୟତୀତ ଖଡିଆଳ ଥାଏ ଶବ ବ୍ୟବଛେଦ କେନ୍ଦ୍ର, ଏଣୁ ଅନେକ ପୋଲିସ ବିଭାଗର କାମ। ସମଗ୍ର ଜିଲ୍ଲାରେ, ଏମଧ୍ୟରୁ କୌଣସିଟି କାମରେ ଆମ ବ୍ଲକ ଦୁଇ ନମ୍ବରକୁ ଯିବାର ସମ୍ଭାବନା ନଥିଲା। କେତେଥର ମହାଶୟଙ୍କ ସହ ଜିଲ୍ଲା ସଭାକୁ ଯାଇ ଦେଖିଛି, ଖଡିଆଳ ବାବଦରେ କୌଣସି ରିଭିୟୁ ହୁଏନି ବରଂ ବହୁକ୍ଷେତ୍ରରେ ବଡଆଜ୍ଞାଙ୍କ ପରାମର୍ଶ ମଗାଯାଏ।
ଅନାହାର ମୃତ୍ୟୁ ଭଳି ମେଡିଆ ଭେଳିକିକୁ ମୁକାବିଲା ଖରିବା ପାଇଁ, ଜଣେ ବୟସ୍କ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନେକ ରୋଗୀଙ୍କୁ ଆଣି ଆମ ଡାକ୍ତରଖାନାରେ ଭର୍ତ୍ତି କରନ୍ତି। ସେମାନଙ୍କ ଗୁରୁତ୍ୱ ଦୃଷ୍ଟିରୁ ଓ ଆଜ୍ଞା ଭେଷଜ ବିଶେଷଜ୍ଞ ହୋଇଥିବାରୁ ତାଙ୍କ ତତ୍ତ୍ବାବଧାନରେ ସେମାନେ ଭର୍ତ୍ତି ହୁଅନ୍ତି ସତ କିନ୍ତୁ ସେମାନଙ୍କ ପ୍ରକୃତ ଦାୟିତ୍ୱ ମୋ ଉପରେ ଛାଡି ଦିଅନ୍ତି ଆଜ୍ଞା। ସେମିତି ଟିବି ତଥା ଅନ୍ୟାନ୍ୟ ରୋଗୀଙ୍କୁ।
ମୁଁ ଯେମିତି ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଶିଖେ ତାହାର ବ୍ୟବସ୍ଥା କରନ୍ତି। ଥରେ ସିଡିଏମଓ ପ୍ୟାରୀମୋହନ ସିଂହ କହିଥିଲେ ଯେ ସେଇ ଛଅଟି ଟଙ୍କାରେ ସମସ୍ତଙ୍କ ଲୋଭ, କେହି କାହାକୁ ଶିଖାଏ ନାହିଁ। ଅବଶ୍ୟ ମୋ ପାଇଁ ତାହା ଭୁଲ ସାବ୍ୟସ୍ତ ହୋଇଥିଲା। କୈଳାସ ପ୍ରଧାନ ମହାଶୟ ମୋତେ ମୂଖ୍ୟାଳୟରେ ଶିଖାଇବାକୁ ଭଲ ପାଆନ୍ତି ହେଲେ ସେସବୁ କେତେବେଳେ ଗୋଟିଏ ଅଧେ ଆସି ସରି ଯାଆନ୍ତି ମୁଁ ଅନ୍ୟତ୍ର ବ୍ୟସ୍ତ ଥାଏ। ଶିବିର ମାନଙ୍କ ପାଇଁ ଟିମ୍'ଟି ମୋତେ ଭୁଆଁ ବୁଲାଏ। ମୁଁ ଗଲେ ଓ ଶିଖିଲେ ସମସ୍ତଙ୍କର ଡେରି ହେବ। ସେମାନେ ମୋତେ ଠକି ଦିଅନ୍ତି। ବଡଆଜ୍ଞାଙ୍କ ତାଗିଦ ଓ ମୋର କିଞ୍ଚିତ୍ ନିଷ୍ଠାବଳେ ଏହା ଶିଖି ପକାଇଲି।
ଆଜ୍ଞାଙ୍କ ଅଫିସ ଖଡିଆଳ ରାଜାଙ୍କ ଅମଳର ଏକ ଷଡ କୋଣିଆ ସୁନ୍ଦର ପ୍ରକୋଷ୍ଠ। ସକାଳ ଡିଉଟି ସରିଲେ ପ୍ରାୟ ସମସ୍ତେ ସେଠି ଉପସ୍ଥାନ ପକାନ୍ତି। କାମ ନଥିଲେ, କେତେଯେ ସମୟ ବିତିଯାଏ ଜଣା ପଡେନି। ବହୁତ ଜୋକ କୁହନ୍ତି ଆଜ୍ଞା। ଆଲୋଚନା ହୁଏ ଅନେକ ଦିଗରେ। ଶାସନ ଓ ସରକାରୀ କାମ ବାଦ ସେ ସମସ୍ତଙ୍କ ସହ ସାଙ୍ଗ ପ୍ରାୟ ଗପନ୍ତି। ସାହିତ୍ୟ, ସମାଜ ଓ ନାନା ଦିଗରେ ଚର୍ଚ୍ଚା ହୁଏ। ସଦା ସର୍ବଦା ସେ ଏତେ ପାନ ଖାଆନ୍ତି ଯେ ନଜାଣିଲା ଲୋକ କେବେ ଭାବି ପାରିବ ନାହିଁ, ଏସବୁ ସାଧା ପାନ। ଷ୍ଟାଫ ହେଉକି ବାହାର ଲୋକ, ସାନ କର୍ମଚାରୀ ହେଉ କି ସମ୍ଭ୍ରାନ୍ତ, ଯେ କେହି ବିଡାଏ ପାନ ଦେଲେ ସେ ଆହ୍ଲାଦିତ ହୁଅନ୍ତି। ଅବଶ୍ୟ ସେ ସାହସ ଆମେ କେବେ ଜୁଟାଇ ପାରି ନଥିଲୁ।
ସ୍ଥାନୀୟ ବ୍ୟାଙ୍କ ଓ ଅନ୍ୟ କ୍ଷେତ୍ରର ଦଳେ ଯୁବ କର୍ମଚାରୀ ଉପରବେଳା ଆସନ୍ତି। ଭଲ ଜମେ ଆସର, ଅଧିକାଂଶ ସମୟ ଠିଆ ଠିଆ ଆଲୋଚନା ଚାଲୁଥାଏ, ଅନ୍ୟ ମାନେ ସିନା ଥକ୍କି ପଡନ୍ତି ସେ ପୃଥୁଳ ହେଲେ ମଧ୍ୟ ସେମିତି ଠିଆ ଠିଆ ଗପ ମାରୁଥାନ୍ତି। ପ୍ରାୟତଃ ଏହା ଡାକ୍ତରଖାନା ମଧ୍ୟରେ ଚାଲେ ବା ସନ୍ନିକଟରେ। ସେଇଠୁ ସେ ନିଘା ରଖିଥାନ୍ତି ଅନୁଷ୍ଠାନକୁ।
ଘରୋଇ ଭାବେ ଚିକିତ୍ସା କରିବାକୁ ସେ ଆଦୌ ଭଲ ପାଆନ୍ତି ନାହିଁ। କେଉଁ ଯୁଗର ଭେଷଜ ବିଶେଷଜ୍ଞ, ସେବେଳେ କଲେଜ ଚାକିରିରେ ନପଶି ପେରିଫେରି କାଡରକୁ ସ୍ବଇଛାରେ ଆସିଲେ। ଅଥଚ ଅନ୍ୟ ମାନଙ୍କ ଭଳି ଶହ ଶହ ରୋଗୀ ଦେଖି ଅଜସ୍ର ରୋଜଗାରକୁ ଏଡେଇ ଦେଲେ। ତାଙ୍କ ସରକାରୀ ଚାମ୍ବରକୁ ଯାଇ ସେବାର ସୁଯୋଗ ନିଅନ୍ତି ଲୋକେ କିନ୍ତୁ ବେସରକାରୀକୁ ପ୍ରାୟତଃ ଛି କରି ଦେଇଥାନ୍ତି।
ଏହାର କାରଣ, କେ କେତେ ପ୍ରକାରେ କୁହେ। ଗଉନ୍ତିଆ ଘର ଲୋକ, କାହାର ରେ ପଦ କାହିଁକି ଶୁଣିବେ? ଶାସନ ସର୍ବସ୍ବ ଭାରପ୍ରାପ୍ତ ଅଧିକାରୀ, କଣପାଇଁ କାହାଠୁ ଶୁଣିବେ। ତାଙ୍କ କଡା ମିଜାଜ କୁଆଡେ ଘରୋଇ ଚିକିତ୍ସାର ପରିପନ୍ଥୀ। ସ୍ଥାନୀୟ ଅଞ୍ଚଳରେ ଡାକ୍ତରଟି ନିଜେ କଣ ନା କଣ ଏକ ସୁଜା ଫୋଡିବା ହିଁ ଥାଏ ରୋଗୀଙ୍କଠୁ ପଇସା ପାଇବାର କାରଣ। ରୋଗୀ ଦେଖି କେବଳ ଚିଠାଟିଏ ଲେଖିଦେବାକୁ ଏକ କାମ ବିଚାର କରା ଯାାଏନି। ଅର୍ଥାତ ଅଧିକାଂଶ ଡାକ୍ତର ଘରୋଇ ଚିକିତ୍ସାରେ ସୁଜାଟିଏ ଫୋଡିବା ଥାଏ ନିୟମ, ତେଣିକି ତାହା କେତେ ଆବଶ୍ୟକ ଓ ଷ୍ଟେରାଇଲ ଉପାୟରେ ଦିଆଯାଉଛି ସେକଥାକୁ ଆଖିବୁଜିଦିଏ ଡାକ୍ତର। ସେ ଏହି କାମ କରିବାର ସମ୍ଭାବନା ନଥିଲା। ତାଙ୍କୁ ଆମେ ଗୁରୁ କରି ପକାଇଲୁ।
ଯେକୌଣସି ଜଣେ ଲାବ ଟେକ୍ନିସିଆନ ଆଜ୍ଞାଙ୍କ ସାନିଧ୍ୟରେ ରହିବାକୁ ପସନ୍ଦ କରୁଥିଲେ। ଏକ ଜେନୁଇନ ଚିଠାରେ ନିଦାନ ବ୍ୟବସ୍ଥା ତ ରହିବ।
ଶିଶୁ ବିକାଶ ବିଭାଗ ଓ ଆମ ବିଭାଗ ସହ ସେ ଏତେ ସମନ୍ୱୟ ରଖିଥାନ୍ତି ଯେ ଜଣାପଡେନି ଏହା ଏକ ପୃଥକ ବିଭାଗ। ମାସକୁ ଥରେ ଏକତ୍ର ବୈଠକ ହୁଏ। ସେବେଳେ ଆଶା କର୍ମୀ ନଥାନ୍ତି, ଅଙ୍ଗନବାଡି କର୍ମୀ ସ୍ବାସ୍ଥ୍ୟ ବିଭାଗର ନହୋଇ ମଧ୍ୟ ଅନେକ ସ୍ବାସ୍ଥ୍ୟସେବା ଦିଅନ୍ତି। ଖଡିଆଳର ପ୍ରତି କୋଣ ଅନୁକୋଣର ସ୍ବାସ୍ଥ୍ୟ ଚିତ୍ର ସେ ନଖ ଦର୍ପଣରେ ରଖିଥାନ୍ତି।
ଏମିତି କିଛି ଖବର ନଥାଏ ଯାହା ତାଙ୍କୁ ଅଗୋଚର। କେମିତି କେଜାଣି ଏସବୁ ସେ ସଂଗ୍ରହ କରନ୍ତି?
କ୍ଷେତ୍ର ପରିଦର୍ଶନ ତାଙ୍କର ଅଭ୍ଯାସ। ଅଧିକାଂଶ ଥର ଏହାକୁ ସେ ଯୋଗ କରନ୍ତି ଭ୍ରାମ୍ୟମାଣ ଚିକିତ୍ସା ସେବା ସହ, କାରଣ ଆଡାପ୍ଟ, ଜେଏସଏସ ଓ ଅନ୍ୟାନ୍ୟ ନାମର ଅନେକ ସେମିତି ଶିବିର କରିବାକୁ ପଡେ ଅପହଞ୍ଚ ଇଲାକା ମାନଙ୍କରେ। ଏହି କ୍ରମରେ ପ୍ରାୟତଃ ମୁଁ ଯାଏ ତାଙ୍କ ସହ।
ନିୟମ କାନୁନ ବାବଦରେ ଆଜ୍ଞାଙ୍କ ମୁଁହରୁ ବାହାରେ ଶେଷ କଥା। ଆମ ବିଭାଗର କେହି କର୍ମଚାରୀ, କିରାଣି, କିମ୍ବା ଅନ୍ୟ ବିଭାଗର କେହି ତାଙ୍କୁ ଭୁଆଁ ବୁଲାଇବାର ସମ୍ଭାବନା ନଥାଏ।
ଡାକ୍ତର ଅଭାବୀ ଜିଲ୍ଲାରେ ଖଡିଆଳ ଉପରେ ଲୋଲୁପ ଦୃଷ୍ଟି ରହିଥାଏ ଜିଲ୍ଲା ପ୍ରଶାସନର। କେଉଁଠି ଦରକାର ପଡିଲେ ଆମ ଡାକ୍ତରଙ୍କୁ ଡେପୁଟେସନରେ ନେବାକୁ ସିଡିଏମଓ ଓ ଜିଲ୍ଲାପାଳ ବ୍ୟଗ୍ର। ମୋତେ ଦୁଇଥର ଅନ୍ୟତ୍ର ଯିବାକୁ ପଡିଛି ବଡଆଜ୍ଞାଙ୍କ ପ୍ରତିରୋଧ ସତ୍ତ୍ୱେ। ତାଙ୍କ ପ୍ରଚେଷ୍ଟାରେ ଏହା ଖୁବଶୀଘ୍ର ବାତିଲ ହୁଏ।
ଏକଦା ଖଡିଆଳ ଗସ୍ତର ନୂଆପଡା ଜିଲ୍ଲାପାଳଙ୍କୁ କୋମନାରେ ଘେରାଉ କଲେ ଲୋକେ, ତାଙ୍କର ଦାବି ଡାକ୍ତର। ହଁ ମୁଁ ଖଡିଆଳରୁ ଆଣିବି କହି ସେ ଖସି ପଳାଇ ଆସିଲେ ଓ ମୋ ଡେପୁଟେସନକୁ କ୍ୟାମ୍ପ ଅର୍ଡର କରିଦେଲେ, ବ୍ଲକରେ ବସି। ଏ ଚିଠି ଆମ ଅଫିସକୁ ଆସିବା ସହ ଖବରଟି ମୋ କାନରେ ପଡିଲା। ସେଦିନ ଆଜ୍ଞା ନଥାନ୍ତି। ଚାର୍ଜରେ ଥିବା କୈଳାସ ସାର୍ ଇଛା ନଥିଲେ ବି ଜିଲ୍ଲାପାଳଙ୍କ ଆଦେଶ ଶିରୋଧାର୍ଯ୍ୟ କରୁଥାନ୍ତି। ମୁଁ ଅସୁସ୍ଥତାର ଏକ ଛୁଟି ଦରଖାସ୍ତ ଦେଇ ଅଡି ବସିଲି ଯେ ଏହାକୁ ତୁରନ୍ତ ମଞ୍ଜୁର କରନ୍ତୁ। ଅଗତ୍ୟା ମୋ ଦରଖାସ୍ତକୁ ବି ସେ ଗ୍ରହଣ କଲେ। ମୁଁ କିନ୍ତୁ ରିଲିଭ ଅର୍ଡର ଗ୍ରହଣ କଲିନି। ସେପଟେ ଜିଲ୍ଲାପାଳ ନୂଆପଡା ଫେରି ପାରୁନଥାନ୍ତି। ସଂଧ୍ୟା ବେଳକୁ ବଡ ଆଜ୍ଞା ଫେରିଲେ ଓ ଏବାବଦରେ ନିର୍ବିକାର ରହି ଭିନ୍ନ ଗପ ମାରିଲେ। ବ୍ଲକର ବାବୁଜଣେ ପୁନଶ୍ଚ ଆସିଲେ। କଲେକ୍ଟର ତଥାପି ଫେରିନଥାନ୍ତି ଓ କ୍ଷୁବ୍ଧ।
ସେ କଥା ଠିକ ଯେ, ଏ ଡାକ୍ତରଟି ମୋ ନାମରେ କେଶ କରିବ ଧମକାଇଲାଣି, ଏହାତ ନିୟମ ବହିର୍ଭୁତ। ଜିଲ୍ଲାପାଳ ମହାଶୟ ସିଡିଏମଓଙ୍କୁ କୁହନ୍ତୁ ଓ ସିଡିଏମଓ ଅର୍ଡର ଆସୁ, ମୁଁ ରିଲିଭ କରିଦେବି।
ବଡଆଜ୍ଞା ମୋ ପାଇଁ ଏମିତି ଓକିଲାତି କରିଦେଲେ ବେପରୁଆ ଭାବେ। ମୋ ଯିବା ନୋହିଲା। ଏ ହେଲା ତାଙ୍କ ଅଦମନୀୟ ସ୍ବଭାବ।
ଆଉଥରେ ସୁନାରୀ ସିକୁଆଁରେ ଆମ ଭ୍ରାମ୍ୟମାଣ ଗାଡିକୁ ସ୍ଥାନୀୟ ସରପଞ୍ଚ ଶ୍ରୀ ବୈଠାରୁଙ୍କ ନେତୃତ୍ୱରେ ଲୋକେ ବନ୍ଧକ ରଖିଲେ ତାଙ୍କ ଗ୍ରାମରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଦାବିରେ। ସଂଧ୍ୟା ହେଲା ପୋଲିସ ଗାଡିସହ ସେ ପହଞ୍ଚିଲେ ସଦଳବଳେ। ଲୋକଙ୍କୁ ବୁଝାସୁଝା କରି ଆମକୁ ମୁକ୍ତ କଲେ।
ଏକଦା ଖୁବ୍ ଅପହଞ୍ଚ ଏକ ଗ୍ରାମ ...ଗୁମା(ରାମପୁର ଗୁମା ନୁହେଁ)ରେ ଏକ ଅନ ଦି ସ୍ପଟ୍ ଶବ ବ୍ୟବଛେଦ ହେବାର ଥାଏ। ପୋଲିସ ଇନକ୍ବେଷ୍ଟରେ ଏହା ହେବନାହିଁ, ମାଜିଷ୍ଟ୍ରେଟ ଇନକ୍ବେଷ୍ଟ ଦରକାର କହିଲେ ଆଜ୍ଞା। ତହସିଲଦାର ଯିବାକୁ ଅମଙ୍ଗ। ସେ କଲେକ୍ଟରଙ୍କୁ ଫୋନକଲେ। ଜିଲ୍ଲାପାଳ ଆମକୁ ସମର୍ଥନ କଲେ। ପୋଲିସ ଗାଡି, ଆମ ଗାଡି ଓ ତହସିଲ ଗାଡି ବୋଝେଇ ହୋଇ ଗଲୁ। ଆଜ୍ଞା ନିଜେ ଗଲେ ମୋତେ ସାଥିରେ ନେଇ।
ପୋଲିସ ବାଟରେ ପଡୁଥିବା ଏକ ଦେଶୀ ମଦଭାଟିରୁ ବିନା ପାଉଣାରେ ମଦ ସଂଗ୍ରହ କଲା କାରଣ ଶବକଟା କର୍ମଚାରୀ ଓ ତା ସାଥି ମଦ ନହେଲେ ସେ ପଚାସଢା କାମ କରିପାରିବେ ନାହିଁ ବୋଲି ଚୁପ୍'କି ଜଣାଇଦେଲେ ପୋଲିସକୁ।
ଜିପ ଅଟକିବା ସ୍ଥାନରୁବି ଅନେକ ବାଟ ପାହାଡିଆ ରାସ୍ତାରେ ଚାଲିବାକୁ ପଡିଲା। ଓଜନିଆ ବଡଆଜ୍ଞା ଅନାୟାସରେ ଚାଲିଚାଲି ଗଲେ।
ସେମାନେ ପ୍ରଥମେ ଖାଇବା ବନ୍ଦୋବସ୍ତ କଲେ। କେବଳ ଏକ ଖାସି କାଟି ତାହାକୁ ଘିଅ ହଳଦୀ ଓ ଲୁଣ ଲଙ୍କା ଦେଇ ବିନା ମସଲାରେ ରାନ୍ଧିଦେଲେ ସ୍ଥାନୀୟ ଲୋକେ। ମୁଁ ସେବେଳେ ଆମିଷାସି ଥିଲି। ଭାତ ଓ ସେ ତରକାରୀର ସ୍ବାଦ ଅପୂର୍ବ, ଅନନ୍ୟ ଓ ଭବିଷ୍ୟତରେ ଅଣସମ୍ଭାବି। ଏହା କଠିନ ପରିଶ୍ରମ ତଥା କ୍ଷୁଧା ଜନିତ ହୋଇଥାଇପାରେ।
ଏକଦା ସ୍ଥାନୀୟ କଲେଜ ସଂସଦର ସଭାପତି ତାଙ୍କ କଣନଖା ଦେଖାଇବା ପାଇଁ ସପାଦୁକା ଗୋଡଟି ଥୋଇଦେଲେ ରୋଗୀ ବସିବା ଷ୍ଟୁଲ ଉପରେ। ବହୁତ ଅସନା ଲାଗିଲା। ତାଙ୍କ ସହ ମୋର ବଚସା ହେଲା। ତାହା ପ୍ରବଳ ହେଲା, ଥାନାକୁ କଥାଗଲା। ମେଳି ହୋଇ ଯୁବକମାନେ ଆସି ଫେରାଦ ହେଲେ। ଆଜ୍ଞା କହିଲେ, ପ୍ରଥମେ ତୁମ ଚିକିତ୍ସା ହେଉ। ଆଗେ ଚିଠାଟିଏ କୌଶଳରେ ସେ ସଭାପତିଙ୍କୁ ଧରାଇ ଦେଲେ। ମୋତେ ଥରୁଟିଏ ବି ନିର୍ଦ୍ଦେଶ ଦେଲେନି ସାଲିସ କରିବା ପାଇଁ। ଏ ସମାଧାନ ଏତେ ସହଜ ନଥିଲା।
ଆଜ୍ଞାଙ୍କ ବାସଗୃହକୁ ଗଲେ ସତେ ଯେପରି ଲାଗେ ଆମପ୍ରତି ଥିବା ସ୍ନେହ ଶ୍ରଦ୍ଧା କେବଳ ଏକୁଟିଆ ତାଙ୍କର ନୁହେଁ। ସର୍ବଦା ରୁଚିଶୀଳ ଓ ସମ୍ଭ୍ରାନ୍ତ ଆଦବ କାଇଦାର ମାଡାମ ହସ ହସ ଆମକୁ ଶ୍ରଦ୍ଧା ବ୍ୟବହାର କରନ୍ତି। ବହୁତ ଭଲଲାଗେ।
ଆଉଥରେ କେଉଁ କାରଣରୁ ତାଙ୍କ ସମ୍ପର୍କୀୟ ଜଣେ ଆୟୁଷ ଡାକ୍ତର ମୋ ସହ ବଚସା କଲେ ତାଙ୍କ ଉପସ୍ଥିତିରେ। ବଚସାର ବିଷୟବସ୍ତୁ, କଟକିଆଙ୍କ ପଶ୍ଚିମାଞ୍ଚଳ ଲୁଟ। ଆଜ୍ଞା ମୁରୁକି ମୁରୁକି ହସୁଥାନ୍ତି ଯାହାର ମାନେ ମୁଁ ବୁଝୁଥାଏ ସମର୍ଥନ ଓ ଅନ୍ୟ ଜଣଙ୍କ ବି ବୁଝୁଥାନ୍ତି ସେଇଆ। ଜଣେ ଆଜ୍ଞାଧିନ କନିଷ୍ଠ ସହକର୍ମୀ ଓ ଅନ୍ୟ ଜଣକ ସମ୍ପର୍କୀୟ।
ଏମିତି ସ୍ମୃତି ବଖାଣୁଥିଲେ ବହୁତ ଲମ୍ବା ହେବ।
ସେ ଆମ ସହ ବନ୍ଧୁ ଭଳି ଯେତେ ମିଶୁଥିଲେ ମଧ୍ୟ, ତାଙ୍କ ପ୍ରତି ଭୟ ଉଣା ହୁଏ ନାହିଁ, ଏହା ତାଙ୍କର ଏକ ବିରଳ ବିଶେଷତ୍ବ। ଯେକୌଣସି ଲୋକର ଆଚରଣ ସହ ଉଦ୍ଦେଶ୍ୟଟି ଯଦି ମହତ ହୋଇଥିବ ତାହେଲେ ଏମିତି ଭୟ ସ୍ବଭାବିକ।
ପରେ ଡାକ୍ତରଖାନାରେ ଯୋଗଦେଲେ, ଡା ଜଦୁମଣି ସାହୁ ଓ ଡାକ୍ତର ମାନସ ରଞ୍ଜନ ଦାସ।
ଶେଷରେ ଆମେ ଛୁଟିରେ ଆସିଲୁ, ପିଜି ପ୍ରବେଶିକା ପାଇଁ ପ୍ରସ୍ତୁତ ହେବାକୁ। ଏତେ କଡା ଅଧିକାରୀ ବିନା ପ୍ରତିବାଦରେ ଆମକୁ ଛାଡିଦେଲେ, ଯଦିଓ ମୁଁ ଥିଲି ତାଙ୍କ ହାତ ବାରିସୀ। ଏ କଥାର ଗୁରୁତ୍ୱ କେତେ ଯେ ବେଶି ସେକଥା କେହି ଡାକ୍ତର ନହୋଇଥିଲେ ବୁଝି ପାରିବେ ନାହିଁ। ଯେତେ ସେବା ଯୋଗାଇଥିଲେ ମଧ୍ୟ ଛୁଟିକଥା କହିଲେ ଆମ ଅଧିକାରୀ ମାନେ ଚୌକିରୁ ଡେଇଁ ପଡନ୍ତି। ଆମେ ଦୁଇଜଣ ପୁଣି ଏକାଠି ଛାଡିବୁ। ଆମେ ଦୁହେଁ ଚାକିରି କରି ମଧ୍ୟ ଆମ ପାଖରେ ଅର୍ଥାଭାବ କଥା ସେ ହୃଦୟଙ୍ଗମ କରୁଥିଲେ। ଏଣୁ ମଝିରେ ମୁଁ ଯାଇ କିଛିଦିନ କାମକରି କିଛି ଦରମା ଧରି ଫେରିବାକୁ ସେ ଆଦୌ ପ୍ରତିବାଦ କରିନଥିଲେ।
ପ୍ରତିମାସ ଦରମା ସେ ସ୍ବହସ୍ତେ ପ୍ରଦାନ କରନ୍ତି, ସଂଗ୍ରହ କଲାବେଳେ ଆପେ ଆପେ ତାଙ୍କ ମାଧ୍ୟମରେ ଈଶ୍ୱରଙ୍କୁ ମଥାନତ ହୋଇଯାଏ ଯେମିତି ସ୍କୁଲରେ ପୁରସ୍କାର ସଂଗ୍ରହ କଲାବେଳେ ହୁଏ।
ମାନସ ରଞ୍ଜନ ଯେତେବେଳେ ବି କଥା ହୁଅନ୍ତି, କଥା ମଧ୍ୟରେ ଥାଏ ଖଡିଆଳ, ବଡଆଜ୍ଞା ଓ ସେ ସମୟର କେବଳ ସୁଖଦ ଅନୁଭୂତି।
ସରିତା, ମୁଁ ଓ ମାନସ ଆମେ ସମସ୍ତେ ଏକ ସ୍ବରରେ କହୁ ଚାକିରି ଜୀବନରେ ସର୍ବଶ୍ରଷ୍ଠ ଅଧିକାରୀ ବଡଆଜ୍ଞା। ତାଙ୍କର ବିକଳ୍ପ ସମ୍ଭବ ନୁହେଁ।
ପରେ ସେ କଳାହାଣ୍ଡି ସିଡିଏମଓ ହୋଇଗଲେ। ଶୁଣାଯାଏ ତାଙ୍କ ଶୈଳୀରେ ସକାଳ ଆଠଟାରେ ଯାଇ ବହିର୍ବିଭାଗରେ ଘଡିଏ ବସିଯାନ୍ତି। ବାସ, ଏତିକି ହେଲେ ଚିକିତ୍ସା ଉଇଙ୍ଗରେ ଛାଆଁକୁ ସବୁ ସଜାଡି ହୋଇଯିବ। ଫିଲ୍ଡ ଉଇଙ୍ଗ ତ ତାଙ୍କ ବିଶେଷ ପାରଦର୍ଶିତାରୁ ସର୍ବୋତ୍ତମ ରହିବାକୁ ବାଧ୍ୟ।
ପରେ ଆଜ୍ଞା ଜଏଣ୍ଟ ଡାଇରେକ୍ଟର ହୋଇ ଭୁବନେଶ୍ୱର ଗଲେ। ଡାଇରେକ୍ଟର ହେବା ତାଙ୍କର ଉଚିତ ଥିଲା କିନ୍ତୁ ନୋହିଲା। ସେଠି ଥରୁଟିଏ ଭେଟି ଥିଲି, ମୋ କାମ ତାଙ୍କ ହାତରେ ଥିଲେ ନିଶ୍ଚିତ ସୁରୁଖୁରୁରେ ହୋଇଥାନ୍ତା। ତାଙ୍କ ଅବସର ଅଠାବନରେ ହେବା ପରେ ପରେ ଅବସର ବୟସ ସୀମା ଶାଠିଏ ହୋଇଗଲା।
ସେ ଯାହାବି ହେଉ ଏବେ ପ୍ରାୟ ତେସ୍ତୋରି ବୟସରେ ବଡଆଜ୍ଞା ବେଶ ସକ୍ଷମ ଓ ସକ୍ରିୟ ହୋଇ ବଲାଙ୍ଗୀରରେ ନିଜ ଜନ୍ମମାଟିରେ ସର୍ବକୁଶଳେ ସପରିବାରେ ରହୁଥିବା ଠାରୁ ଆଉ କଣ ଆନନ୍ଦର ବିଷୟ ହୋଇପାରେ।
ଏମିତି ଅଧିକାରୀ କେବଳ ଭାଗ୍ୟବାନଙ୍କୁ ମିଳେ, ଏକଥା ଅତିରଞିତ ନୁହେଁ। ଶାସନ, ସୁରକ୍ଷା, ସ୍ବାଭିମାନ ରକ୍ଷା ଓ ଶ୍ରଦ୍ଧା ସାହାଯ୍ୟର ସୁନିର୍ଦ୍ଦିଷ୍ଟ ଉଦାହରଣ।
ପ୍ରଭୁ ଜଗନ୍ନାଥ, ମା ସମଲାଇ, ମା ପାଟେଣେଶ୍ବରୀଙ୍କ ଶ୍ରୀଚରଣରେ ଆଜ୍ଞା ଓ ମାଡାମଙ୍କ ନିରାମୟ, ଆନନ୍ଦମୟ ଦୀର୍ଘଜୀବନ ପ୍ରାର୍ଥନା କରୁଛୁ।
ଶ୍ରଦ୍ଧେୟ ସେନାପତି ଓ ସରିତା।

No comments:
Post a Comment