ଏକ ବିଶେଷ ପ୍ରାତଃ ଭୋଜନ ।
ଅବନ୍ତିପୁର ଦିନେ ଥିଲା ସୁବିଶାଳ ଗଡଜାତ, ବେଶ
ମର୍ଯ୍ୟାଦାବନ୍ତ । ଓଡିଆ ନବ ଜାଗରଣରେ ରାଜା ତ୍ରିବିକ୍ରମଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ ।
ଲୋକହିତରେ ବ୍ରତୀ ରାଜା, ସ୍ୱାଧୀନତା ପରେ
ସ୍ୱଭାବିକ ସାମିଲ୍ ହେଲେ ରାଜନୀତିରେ । ସାହିତ୍ୟ ତାଙ୍କ ଅନ୍ୟ ଏକ ବ୍ୟାକୁଳତା, କାର୍ଯ୍ୟବ୍ୟସ୍ତତା
ମଧ୍ୟରେ ଅନଗ୍ରସର ରହି କେବେ କେବେ ମାନସିକ ଉଦ୍ବେଳନ ଭାବେ ପ୍ରକାଶ ପାଉଥିଲା । ଯୁବରାଜ
ବିଶ୍ୱବିକ୍ରମ, ସେହିଗୋଟିକର ଉପାସକ, ଜଣେ ବିଦ୍ୱାନ ଓ
ବିଶିଷ୍ଟ ସାହିତ୍ୟ ସାଧକ । ରାଜନୀତି ଓ କ୍ଷମତାରେ ନିରାସକ୍ତ ଓ ନିର୍ଲିପ୍ତ । ଏ ଶୂନ୍ୟସ୍ଥାନ
ପୂରଣ କରିଥାନ୍ତି ଯୁବରାଣୀ ।
ଅନେକ ବର୍ଷ କଟିଯାଏ । ବୟସାଧିକ କାରଣରୁ ରାଜା ଅବସର ନିଅନ୍ତି ।
ଅନୁଗତ ସାଧାରଣ ଜନତାଙ୍କ ସୁଖଦୁଖଃରେ ସାମିଲ ହେବାରେ ଯୁବରାଣୀ ଆଦୌ ଅବହେଳା କରୁନଥାନ୍ତି ।
ଦରବାର ସବୁ ସନ୍ଧ୍ୟାରେ ବସୁଥାଏ । ଯଥା ସମ୍ଭବ ଜନତାଙ୍କ ବିଭିନ୍ନ ସମସ୍ୟା ଲାଘବ କରିବା ପାଇଁ
ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଯୁବରାଣୀଙ୍କୁ ଦେଖିବାକୁ ମିଳୁଥାଏ ।
ଜନସାଧାରଣ ପରସ୍ପର କୁହାକୁହି ହେଉଥାନ୍ତି, କିଏ କହିପାରିବ, ଅନ୍ୟଥା
ଅସୂର୍ଯ୍ୟଂସ୍ପର୍ଶ୍ୟା ଏହି ଉଗ୍ର ଆଧୁନିକା ଯୁବତୀ, ରାଜାଘର ମର୍ଯ୍ୟାଦା ଅବମାନନା କରି ବୋମ୍ବେ ପଳାଇ
ଯାଇଥିଲେ ସିନେମାରେ କାମ ଖୋଜିବା ପାଇଁ । ଯେତେହେଲେ ରାଜଜେମା ଓ ରାଜବଧୂ, ଆଭିଜ୍ୟାତ କି
ବୃଥାଯାଏ । ଫେରି ଆସିଲେ ନା,
ନାହିଁ? ଏମିତି ଅନେକ
ଅନୁକୁଳ ମନ୍ତବ୍ୟ କିନ୍ତୁ ଯୁବରାଣୀଙ୍କୁ ନିର୍ବାଚନରେ ବିଜୟୀ କରି ପାରିନଥାଏ । ଏ ପରିଭାଷା
ଥିଲା ଦରବାର ଅନୁଗତ ମାନଙ୍କର ।
ବିପକ୍ଷ, ତାଙ୍କ ବାବଦରେ ବହୁତ ଅରୁଚିକର ଓ ନିମ୍ନମାନର ଆଲୋଚନା କରୁଥିଲେ
ତାଙ୍କ ବିଗତ ଜୀବନକୁ ନେଇ । ସେ କିନ୍ତୁ ହତୋତ୍ସାହିତ ନହୋଇ ସାକାରତ୍ମକ ଭାବେ ଅତ୍ୟଧିକ
କ୍ରୀୟାଶୀଳ ହୋଇ ପଡିଥାନ୍ତି । ରାଜନୀତି ଓ କ୍ଷମତା ଏକ ସୁମଧୁର ନିଶା, ସହଜେ ଛାଡିବାର
ନୁହେଁ ।
ଅବନ୍ତିପୁର କିନ୍ତୁ ଜିଲ୍ଲା ମୂଖ୍ୟାଳୟ ନୁହେଁ ।
ପ୍ରଜାପାଳକ ରାଜା ବହୁ ପୂର୍ବରୁ ଅବନ୍ତିପୁରରେ ସ୍ଥାପନ କରିଥିଲେ ଏକ
ଚିକିତ୍ସାଳୟ, ତାହା ଉନ୍ନୀତ
ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରୂପେ ସୁଚାରୁ ରୂପେ କାର୍ଯ୍ୟ କରୁଥାଏ ଦକ୍ଷ ଅଧିକାରୀ ଡା
ଦେବରାଜ ପତି ମହାଶୟଙ୍କ ନିଷ୍ଠାପର ଉଦ୍ୟମରେ । ତଥାପି କିଛି ରାଜକୀୟ ଛାପ ଇମାରତ ମାନଙ୍କରେ
ରହିଯାଇଥାଏ ଗତ ଶତାବ୍ଦୀର ଶେଷ ଦଶକ ପର୍ଯ୍ୟନ୍ତ । ମହାଶୟଙ୍କ ପରିଚିତି, ‘ବଡଡାକ୍ତର’ । ତାଙ୍କ ପାଖକୁ
ବହୁ ପ୍ରଜାଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଯୁବରାଣୀ ଚାଲି ଆସନ୍ତି । ଅଧସ୍ତନ ଡାକ୍ତର ମାନଙ୍କୁ
ଯୁବରାଣୀ ଯେତିକି ହେୟଜ୍ଞାନ କରନ୍ତି, ବଡଡାକ୍ତର ସେତିକି ଭରସା କରାନ୍ତି ।
ହଠାତ ଅବନ୍ତିପୁରରେ ଚହଳ ପଡିଗଲା, ସ୍ଥାନୀୟ ଏକ ବେସରକାରୀ ଡାକ୍ତରଖାନାରେ ଜଣେ ଏଚ.ଆଇ.ଭି
ରୋଗୀ ଚିହ୍ନଟ ହୋଇଛନ୍ତି । ସେତେବେଳେ ଯଦିଓ ରୋଗ ବାବଦରେ ସଠିକ ବିଧିବ୍ୟବସ୍ଥା ପ୍ରଚଳିତ
ହୋଇନଥାଏ ତେବେ ସାଧାରଣ ଜ୍ଞାନ ଓ ଡାକ୍ତରୀ ପେଶାର ଆଚାର ସଂହିତା ବିଚାରରେ ଏକଥା ପ୍ରଘଟ କରିବା
ଅତ୍ୟନ୍ତ ନିନ୍ଦନୀୟ ବ୍ୟାପାର ଥିଲା । ସମାଜକୁ ରକ୍ଷାକରିବାର କର୍ତ୍ତବ୍ୟ ଭାବରେ ଏହାର
ଆବଶ୍ୟକତା ନଥିଲା; ଏହା’ତ ନଦୀ ନାଳ, ପବନ, ଭୋଜନାଳୟ କିମ୍ବା
ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରୁ ବ୍ୟାପିବାର ନାହିଁ । ଏ ରୋଗ ନବ୍ୟାପିବାର ଉପାୟମାନ କିନ୍ତୁ
ବେଶ୍ ପ୍ରଚାରିତ ହୋଇ ସାରିଥିଲା । ଅଯଥା ସମାଜରେ କୋକୁଆ ଭୟ ସୃଷ୍ଟିହେଲା । ରୋଗୀ ଆଉଥରେ
ଉଚ୍ଚତ୍ତର ପରୀକ୍ଷା ପାଇଁ ରକ୍ତ ଦେଲାପରେ, କେଉଁଆଡେ ଲୁଚି ପଳାଇଲା । ସାଧାରଣ ନିଦାନରେ ସାବ୍ୟସ୍ତ
ହୋଇଥିବା ରୋଗଟି, ସିଦ୍ଧାନ୍ତିକ ନୂତନ
ପରୀକ୍ଷାରେ ଭୁଲ୍ ପ୍ରମାଣିତ ହେଲା ।
ଅକାରଣେ ଅନର୍ଥ ।
ହଠାତ୍ ଦିନେ ବିଚଳିତ ଯୁବରାଣୀ ଆସି କହିଲେ, ତାଙ୍କ ସ୍ୱପ୍ନରେ
ଅବନ୍ତିପୁର ଶ୍ମଶାନ ହୋଇଯାଇଛି । ରୋଗଟି ମହାମାରୀ ଆକାର ଧାରଣ କରିଛି ଏବଂ ସବ୍ଚେକ୍ଟ ମାନଙ୍କ
ପ୍ରତି ତାଙ୍କର କର୍ତ୍ତବ୍ୟର ଦ୍ୱାହି ଦେଇ, ଜିଦ୍ କଲେ ଏକ ଉଚ୍ଚସ୍ତରୀୟ ଆଲୋଚନା କର୍ମଶାଳାର ଆୟୋଜନ
ପାଇଁ ।
ଅବନ୍ତିପୁରରେ ଶୀଘ୍ରହେଲା ଏକ ବିଶେଷ ସଭା । ସହରର ସଭା ପ୍ରେକ୍ଷାଳୟର
ଏକ ଅଣ୍ଡାକୃତି ମେଜ ଚାରିକଡେ ଆସନ ଗ୍ରହଣ କରିଥାନ୍ତି; ଜିଲ୍ଲାପାଳ, ମୂଖ୍ୟ ଚିକିତ୍ସାଧିକାରୀ, ବିଧାୟକ, ସମସ୍ତ ଡାକ୍ତର, ମାନ୍ୟଗଣ୍ୟ
ବ୍ୟକ୍ତି ହିସାବରେ ଅବନ୍ତିପୁର ବନପାଳ, ରାଜଧାନୀରୁ ଜଣେ ସ୍ୱାସ୍ଥ୍ୟ ସହ-ନିର୍ଦ୍ଦେଶକ, ସାମାଜିକ
ପ୍ରତିଶେଧକ ବିଭାଗର ପ୍ରାଧ୍ୟାପକ, ସ୍ଥାନୀୟ ସାମ୍ବାଦିକ ବୃନ୍ଦ, କିଛି ସ୍ୱେଛାସେବୀ ସଂସ୍ଥାର ପ୍ରତିନିଧି ଓ ସର୍ବୋପରି
ଯୁବରାଣୀ ।
ବିଧାୟକ ମହାଶୟ
ସଭାପତି ଆସନ ଅଳଙ୍କୃତ କରି ସଭାକାର୍ଯ୍ୟ ଆରମ୍ଭ କଲେ ଏକ ହାସ୍ୟୋଦ୍ଦିପକ ତୃଟିରୁ । ସଭାଟି
ଆୟୋଜନରେ ତାଙ୍କର ଭୂମିକା ଶୂନ୍ୟ ହୋଇଥିଲେ ମଧ୍ୟ ସେ କହି ପକାଇଲେ ଯେ ତାଙ୍କଠୁ ସୂଚନା
ପାଇଲାକ୍ଷଣି, ଲୋକାଭିମୂଖୀ
ମୂଖ୍ୟମନ୍ତ୍ରୀଙ୍କ ତୁରନ୍ତ ପଦକ୍ଷେପ ଏ ସଭା । ବିଧାୟକ ସଭାର ଶୀର୍ଷକ “ଏଚ.ଆଇ.ଭି ଓ ଏଡ୍ସ” ଉପରେ ନଜର ପକାଇ
କହି ପକାଇଲେ, “ଆପଣ ମାନେ
ଏଚ.ଆଇ.ଭି କରିଚାଲନ୍ତୁ ସରକାର ଯେତେ ଦରକାର ସେତେ ଏଡ୍ସ ଦେଇ ଚାଲିବ ।”
ଯୁବ ଡାକ୍ତର ସୁଧୀର ନିଜର ହସକୁ ନିୟନ୍ତ୍ରଣ କରି ପାରିଲେନି ଓ ଏହା
ସଭାଟିକୁ ସଂକ୍ରମିତ କରି ପକାଇଲା । ଖୋଦ ବିଧାୟକ, ଉଦାର ଚିତ୍ତରେ ହସିଦେଇ ତୃଟି ସୁଧାରି କହିଲେ, “ସରି ସରି, ମୁଁ କ’ଣ ମନେ କରୁଥିଲି କି, “ଆପଣ ମାନେ
ଏଚ.ଆଇ.ଭି ନିୟନ୍ତ୍ରଣ କରିଚାଲନ୍ତୁ ସରକାର ଯେତେ ଦରକାର ସେତେ ଏଡ୍ସ ଦେଇ ଚାଲିବେ ।”(ସେ ସମୟରେ ଏଡ୍ସ
ଶବ୍ଦ ଏତେ ପ୍ରଚଳିତ ହୋଇ ନଥାଏ)
ପୁଣି ହାସ୍ୟରୋଳ ବ୍ୟାପକରୁ ବ୍ୟାପକତର କଲେ ବନପାଳ, ଜିଲ୍ଲାପାଳ, ସାମ୍ବାଦିକ ଅରୁଣ ଓ
ବିଧାୟକଙ୍କ ଅନ୍ୟତମ ବିରୋଧୀ ସ୍ୱେଛାସେବୀ ଭିକାରି ବିଶ୍ୱ । କିଛି ସଭାସଦ ତୃଟିର ମର୍ମ ବୁଝିବା
ପରେ ତୃତୀୟବାର ହସିଲେ । ମିଥ୍ୟାଚାରରେ ସଭାର ଶ୍ରେୟ ବିଧାୟକ ନେଇଯାଉଥିବାରେ କ୍ରୋଧିତ ଯୁବରାଣୀ, ସେମାନଙ୍କ ସହ
ସାମିଲ୍ ହୋଇ ପଡିଲେ । ରାଗରେ ଲାଲ୍ ମୁଁହ ଏବେ ଟିକେ ପ୍ରଶମିତ ହେଲା, ସେ ଦେଖାଗଲେ
ଗୋଲାପୀ ।
ଅସହାୟ ବିଧାୟକ ତୃଟି ସୁଧାରିବା ଉଦ୍ୟମରୁ ବିରତ ହୋଇ, ଚିରାଚରିତ
ରାଜନୈତିକ ଅଜରତାରେ କଥା ଆଗକୁ ବଢାଇ ନେଲେ ଓ ସଭା ସୁରୁଖୁରୁରେ ଚାଲିଲା ।
ଏବେ ଜିଲ୍ଲାପାଳ ଉଠିଲେ । ଏ ସେହି ଜିଲ୍ଲାପାଳ ଯେ ଦିନେ ସୁଧୀରଙ୍କୁ
ତିରିଶ ମାଇଲ ଦୂର ସାନଅବନ୍ତି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅତର୍ଛିଆ ଡେପୁଟେସନ୍ କରାଇ
ନେଇଥିଲେ, ଜିଲ୍ଲା
ଚିକିତ୍ସାଧିକାରୀଙ୍କୁ ଚାପ ପକାଇ । କେବଳ ସେତିକି ନୁହେଁ, ଦିନେ ସେଠିକାର ସର୍କିଟ ହାଉସକୁ ପିଆଦା ପଠାଇ ଡକାଇ
ନେଲେ; କଣ ନା ଜ୍ୱର ହୋଇଛି
। ସେଦିନ ବହୁପୃଥୁଳ ଜିଲ୍ଲାଜଜ୍ ମହାଶୟ ଥାଆନ୍ତି ସେଠି । ଉଭୟ ଉଚ୍ଚ ପଦସ୍ଥ ବ୍ୟକ୍ତି କେଉଁ
ବ୍ରାଣ୍ଡର ମଦ ପିଇ କେତେ ସେଟ୍ ଟେନିସ ଖେଳିଲେ ସର୍ଦ୍ଦି ଛାଡିଯାଏ ସ୍ଥିର କରୁ କରୁ ଆଲୋଚନା
ମଧ୍ୟକୁ ପଶି ଆସିଲେ ଷ୍ଟେଫି ଗ୍ରାଫ୍, ଗ୍ରାବିଏଲା ସାବାତିନି, ମାର୍ଟିନା ନାଭ୍ରାତିଲୋଭା, ମୋନିକା ସେଲେସ୍ ଓ
ଅନ୍ୟାନ୍ୟ ମହିଳା ଖେଳାଳି । ଆଲୋଚନା ଚାଲୁରହିଲା, ସାମ୍ନାରେ ଶିଶୁକଲ୍ୟାଣ ବିଭାଗର ଅନେକ ମହିଳାଙ୍କ
ଉପସ୍ଥିତି ସେମାନେ ଭୁଲି ଯାଇଥିଲେ କିମ୍ବା ସେ ପାଇଁ ଉତ୍ସାହିତ ହେଉଥିଲେ କହି ହେବ ନାହିଁ ।
ଭୋକିଲା ସୁଧୀର ଭାବୁଥିଲେ, ଟେନିସ ତ ପୁଚି ଖେଳ
ନୁହେଁ ଯେ ଏମାନେ ଖାଲି ମହିଳା ଖେଳାଳି ଦେଖିଛନ୍ତି । ସୁଧୀରଙ୍କୁ ସବୁଠୁ ମଜାଦାର ଲାଗୁଥିଲା ଏ
ବହୁପୃଥୁଳ ଜଜ୍, ଯାହାଙ୍କ ପାଇଁ
ଦଶଫୁଟ ଚାଲିବା କଷ୍ଟ, ସେ ପୁଣି ଟେନିସ
ଖେଳିବା କଥା କହୁଥିଲେ । ଜାଣି ଅତ୍ୟଧିକ କଷ୍ଟ ଲାଗିଥିଲା ଯେ ଜିଲ୍ଲାପାଳ ମହୋଦୟଙ୍କ ଅସଲ
ଉଦ୍ଦେଶ୍ୟ ଥିଲା ସୁଧୀର ସେ ସ୍ଥାନକୁ ଆସୁଛନ୍ତି ନା ନାହିଁ ପରଖିବା । ବହୁ ସମୟ ପରେ ତାଙ୍କୁ
ମୁକ୍ତ କରାଗଲା ସିନା ଆଉ ଭୋଜନ ମିଳିଲାନି; ଗ୍ରାମକୁ ବଡ, ସହରକୁ ଛୋଟ, ସାନଅବନ୍ତିର କତିପୟ ଲଘୁ ଭୋଜନାଳୟରେ । ସୁଧୀର ପରଦିନ
ଅସୁସ୍ଥତା କାରଣରୁ ଛୁଟି ଅର୍ଜି ପଠାଇ ଦେଇ ଆଉ ଥରେ ବି ଗଲେନି ସାନଅବନ୍ତି । ଏସବୁ କଥା ଭାବୁ
ଭାବୁ ମହାଶୟଙ୍କ କ୍ଷୁଦ୍ର ଭାଷଣ ସମାପ୍ତ ହୋଇଯାଇଥିଲା
ସୁଧୀର କିଛି ଶୁଣିପାରିଲେ ନାହିଁ ।
ଯୁବରାଣୀ ଏବେ ଉଠିଲେ । ସେ ମଧ୍ୟ ସାବ୍ୟସ୍ତ କରିବାକୁ ଲାଗିଲେ, ଏ ସଭା ତାଙ୍କ
ମର୍ମବେଦନାର ପ୍ରତିଫଳନ । ତାଙ୍କ ସ୍ୱପ୍ନ ବୃତ୍ତାନ୍ତ କହିଲେ, କିପରି ସେ
ଦେଖିଛନ୍ତି ଏ ଗଡ ଶ୍ମଶାନରେ ପରିଣତ ହୋଇଯାଇଛି, ଲୋକେ ଭୟରେ ମଢକୁ ଛୁଉଁ ନାହାନ୍ତି ଚାରିଆଡ
ପୁତିଗନ୍ଧମୟ । ଅବଶ୍ୟ ସେ ବି ସମ୍ବେଦନ ସମ୍ବରଣ କରି ସରକାରଙ୍କ ଅପାରଗତା ଯୋଗୁଁ ରୋଗ ବଢୁଛି
ଦିଗକୁ କଥା ମୋଡିଲେ । ଶିକ୍ଷା,
ସଚେତନତା, କଣ୍ଡୋମର ବ୍ୟାପକ
ପ୍ରସାର, ଏଚ୍.ଆଇ.ଭି
ଟୀକାକରଣ ଓ ଆଉ ଅନେକ ଉପଦେଶ ଦେଇଚାଲୁଥିବା ବେଳେ; ତାଙ୍କ ବିରୋଧୀ ଓ ବିଧାୟକଙ୍କ ବିରୋଧୀ, ଟାଣୁଆ ଦଳିତ
ଯୁବନେତା ତଥା ସ୍ୱେଛାସେବୀ ଭିକାରି ବିଶ୍ୱ ନାତିସ୍ୱଳ୍ପ ଗଳାରେ କହିବାର ଶୁଣାଗଲା, “ୟାଙ୍କର ଏ ରୋଗକୁ
ଏତେ ଭୟ କିଆଁ, କାଇଁ ଆମେ ତ
ଚିନ୍ତା କରୁନୁ! ଆଜି ପର୍ଯ୍ୟନ୍ତ ମ୍ୟାଲେରିଆ ଟୀକା ମିଳିଲାନି, କ’ଣ ନା ଏଚ୍.ଆଇ.ଭି
ଟୀକା! ମନେ ମନେ ଅତି ପଣ୍ଡିତିଆଣୀ!”
ଭିକାରି ବିଶ୍ୱ, ଦୁର୍ଦ୍ଦାନ୍ତ ସାବ୍ୟସ୍ତ୍ୟ ହୋଇ ସାରିଥାନ୍ତି ।
ସ୍ଥାନୀୟ ଜଣେ ବୟସ୍କ ଅଫିସରଙ୍କୁ ଅନ୍ଧାର ରାସ୍ତାରେ ଗାଡି ଅଟକାଇ ଧୁମ ପିଟିଲେ, ପୁଣି ତାଙ୍କ ନାମରେ
ଓଲଟି ଦଳିତ ଦଳନ କେଶ୍ ଦାୟାର କଲେ । ସ୍ୱଭାବିକ୍ ଭାବେ, ତାଙ୍କ ବକ୍ତବ୍ୟ ସୁଧୀର ତଥା ନିକଟରେ ବସିଥିବା
ବନପାଳଙ୍କୁ ଅତି ଅନୁଚିତ ମନେହେଲା । ବନପାଳଙ୍କ ଚାହାଣିରେ ଥିଲା ତାତ୍ପର୍ଯ୍ୟପୂର୍ଣ୍ଣ
ଧମକ ।
ବନପାଳ କାହିଁକି ଡରିବେ ଯେ, ସେ ତ ନିଜେ ଜଣେ ଦଳିତ । ବେଶ୍ ଚଇନି ଚିକ୍କଣ
ଅବିବାହିତ, ସଦ୍ୟ ନିଯୁକ୍ତ
ଯୁବକ । ତାଙ୍କ ବିଫଳ ପ୍ରେମ କାହାଣୀ ଓ ଉଚ୍ଚଜାତିର ପ୍ରେମିକାଙ୍କ ସୌନ୍ଦର୍ଯ୍ୟ, ଅବନ୍ତିପୁରରେ ଖୁବ୍
ଚର୍ଚ୍ଚା ହେଉଥାଏ । ଅବଶ୍ୟ ଅନିନ୍ଦ୍ୟସୁନ୍ଦରୀ ସେହି ଯୁବତୀ, ଖୁବ ସୁଖରେ କୁନି ସନ୍ତାନ ସହ ସାଧାରଣ ପରିବାରରେ
ସ୍ୱାମୀ ସୁହାଗିନୀ ହୋଇ ସେହି ସହରରେ ଥାଆନ୍ତି । ସୁଧୀର ଏକଥା ଜାଣନ୍ତି କାରଣ ସ୍ୱାମୀଟି ତାଙ୍କ
ସାଙ୍ଗ । ସେ ଖୁବ୍ ଉଚ୍ଚମନା,
ଏମିତି ସ୍ତ୍ରୀ
ତାଙ୍କର ଭାଗ୍ୟ ମନେ କରନ୍ତି । ବନପାଳଙ୍କ ଅନେକ ଅବିମୃଷ୍ୟକାରିତାର ଫୋନ କଲ ସେମାନଙ୍କ
ଦାମ୍ପତ୍ତ୍ୟରେ ମୃଦୁ ସ୍ପର୍ଷ କରି ଫେରିଆସେ ସିନା କ୍ଷତି କରିପାରେନା । ଏ ନେଇ ସେମାନଙ୍କର
କୌଣସି ଅଭିଯୋଗ ନଥାଏ । ବେଶ୍ ଉଦାର ହୃଦୟରେ ଉଭୟ କୁହନ୍ତି, ବିଚରାର ଦୋଶ କ’ଣ । ଏମିତି କେତେ ଦିନ ଆଉ! ବଳେ ଚୁପ୍ ପଡିବନି ।
କିମ୍ବା ସେମାନଙ୍କର ବଦଳି ହୋଇଯିବନି କି?
ବାଃ ରେ ମହାତ୍ମା!
ଏବେ ଇଂରାଜୀ ଖବର କାଗଜ ଟାଇମ୍ସର ଯୁବ ସାମ୍ବାଦିକ ତଥା ପ୍ରେସକ୍ଲବ
ସଭାପତି ଅରୁଣବାବୁ, କହୁ କହୁ କହି
ପକାଇଲେ ଯେ ଅମୁକ ଖବରକାଗଜ ଏକ ଗବେଷଣାଧର୍ମୀ ପ୍ରବନ୍ଧରେ କହିଛନ୍ତି ଯେ କଣ୍ଡୋମର ସୂକ୍ଷ୍ମ
ଛିଦ୍ର କୁଆଡେ ଏ ଭୁତାଣୁକୁ ରୋକିପାରିବ ନାହିଁ । ସେ କେଇଧାଡି ପଢିକି ଶୁଣାଇଲେ । କେହି ଯଦିଓ
ତାଙ୍କୁ ବିରୋଧ କଲେ ନାହିଁ, ସୁଧୀର ମନେ ମନେ
ପିଲା ଦିନ କଥା ଭାବୁଥିଲେ । ଗାଁ ହାଟରେ ଦଶ ପଇସାରେ ଗୋଟିଏ ଏମିତି ବଡ ବେଲୁନ ମିଳୁଥିଲା
ଯାହାକୁ ପିଲାଏ କଖାରୁ ବେଲୁନ କହୁଥିଲେ । ଦୋକାନୀ ଫୁଙ୍କିକି କଖାରୁ ଭଳି ଉଡାଇ ରଖିଥାଏ । ସେ
ଦିନେ ସାଙ୍ଗ ଛୁଆଠାରୁ ନେଇ ଆସିଥିଲା ଯେ ଜଣେ ଗୁରୁଜନ ବିରକ୍ତ ହୋଇ ସେଇଟିକୁ ଫୁଟାଇ ଦେବାରୁ ସେ
କାନ୍ଦିଥିଲା । ଅଗତ୍ୟା ତାକୁ ଏକ ତିରିଶ ପଇସାର ମଲାଇ ଆଇସ୍କ୍ରିମ ତୁରନ୍ତ ମିଳିଯାଇଥିଲା । ଏବେ
ସାମ୍ବାଦିକଙ୍କ କଥାଶୁଣି ତାଙ୍କ ସାଧାରଣ ଜ୍ଞାନ କହୁଥିଲା, ଅମ୍ଳଜାନ ଓ ଅନ୍ୟାନ୍ୟ ଅଣୁମାନଙ୍କୁ ଯେଉଁ ବେଲୁନ୍
ଘଣ୍ଟା ଘଣ୍ଟା ରୋକି ପାରୁଥିଲା ତାହା ପୁଣି ଭୁତାଣୁକୁ ଅଟକାଇ ପାରିବ ନାହିଁ କେମିତି । ଭୁତାଣୁର
ଅକାର ତ ବାୟୁ ଅଣୁ ମାନଙ୍କଠାରୁ ଅନେକ ଗୁଣ ବଡ! ତେବେହେଲେ ଏ ଗବେଷଣା ଧର୍ମୀ ପ୍ରବନ୍ଧମାନ କ’ଣ ମଣିଷର ହଟଚମଟିଆ
ମନର କଥା!
ଏ ସମସ୍ତ କଥା ସରିଲା ପରେ, ଉପସ୍ଥିତ
ଉଚ୍ଚପଦସ୍ଥ ଡାକ୍ତର ବୃନ୍ଦ, ରୋଗର ସାମ୍ପ୍ରତିକ
ସ୍ଥିତି ଓ ସଠିକ ମାର୍ଗଦର୍ଶନ ଖୁବ୍ ସରଳ ଓ ଉପାଦେୟ ଭାବେ ଆଲୋଚନା କଲେ । ଏହା ଅବଶ୍ୟ ତତ୍କାଳୀନ
ଅନେକ ସନ୍ଦେହ ଦୂର କରିଥିଲା ।
ସଭା ସରିଲା ବେଳକୁ ସୁଧୀର ବହୁତ ବିବ୍ରତ ଜଣା ପଡୁଥଲେ । ତାଙ୍କର ଏକ
ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଅପ୍ରାସଙ୍ଗିକ ପ୍ରଶ୍ନ ଥିଲା । ସଭାପରେ ଏ ବଡ ଲୋକମାନେ କୁଆଡେ ଚଟାପଟ୍
ଖସି ପଳାଇବେ । ନା ନା, ସେ ପଚାରିବା ଉଚିତ
। ଠିଆ ହୋଇ ପଡିଲେ ।
“ଆଜ୍ଞା ଅସନ୍ତାକାଲି
ଏ ସହରକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଜୀ ଆସୁଛନ୍ତି । ମୋତେ ନିର୍ଦ୍ଦେଶ ଆସିଛି
ତାଙ୍କ ପ୍ରାତଃ ଭୋଜନ ପରୀକ୍ଷା କରିବା ପାଇଁ । ତାହା କେମିତି କରାଯାଏ ମତେ ଜଣା ନାହିଁ, ଯାହାକୁ ପଚାରିଲେ
ସଠିକ କହି ପାରୁ ନାହାନ୍ତି ଓ ଆମ ସାମାଜିକ ସ୍ୱାସ୍ଥ୍ୟ ବିଜ୍ଞାନ ଅଥବା ପ୍ରଫେସର ମୋଦୀଙ୍କ
ସ୍ୱାସ୍ଥ୍ୟ ବିଧି ବ୍ୟବସ୍ଥା ବହିରେ ବି ମିଳୁନାହିଁ । ମୋତେ ଏ ବାବଦରେ ଦିଗ୍ଦର୍ଶନ ଦିଅନ୍ତୁ ।”
ଜିଲ୍ଲାପାଳ, ବିଧାୟକ ଓ ଅନ୍ୟାନ୍ୟ ଅଣସ୍ୱାସ୍ଥ୍ୟବିଭାଗ ମାନ୍ୟଗଣ୍ୟଙ୍କୁ କିଛିମୁହୁର୍ତ୍ତ
ପୂର୍ବରୁ ପ୍ରଭାବିତ କରି ପାରିଥିବା ବିଚକ୍ଷଣ ଡାକ୍ତର ମାନେ ବଡ ଅଡୁଆରେ ପଡିଗଲେ । ଡା ଦେବରାଜ
ପତି ମହାଶୟ ପରିସ୍ଥିତିକୁ ହାଲୁକା କରି କହିଲେ, “ଡା ସୁଧୀର! ଏହା ତୁମ ଭାଗ୍ୟ, ଚନ୍ଦ୍ରଶେଖରଜୀ ତୁମ
ଉଚିଷ୍ଟ ଖାଇବେ । କାହିଁକି ଚିନ୍ତା କରୁଛ ପେଟ ଖାଲି ରଖି ଚାଲିଯିବ । ଅଯଥା ବିଲେଇ କୁକୁରଙ୍କୁ
ଖୋଇବ ନାହିଁ, କେଶରେ ପଡିବ ।
ତୁମେ ପରା ଡାକ୍ତର, କେତେ ଜଣା ଅଜଣା
ଜୀବାଣୁ ଭୁତାଣୁଙ୍କ ସହ ନିତି ସଂସ୍ପର୍ଷରେ ଆସୁଛ । ଡରନି ଏଠି ଚନ୍ଦ୍ରଶେଖରଜୀଙ୍କ ପ୍ରତି ବିପଦ
ନାହିଁ ।”
ସଭା ସାଙ୍ଗ ହେଲା ।
ଯଦି କିଛି ବିପଦ ନାହିଁ, ଏ ଖାଦ୍ୟ ପରୀକ୍ଷା କାହିଁକି? ଆଉ ଯଦି ଅଛି
ତାହେଲେ, ସେ କାହିଁକି? ଧେତ୍ କଥାଟା ପଚାରି
ନଥିଲେ ଭଲ ହୋଇଥାନ୍ତା । ସେ ରାତିରେ ଏକଥା ଭାବି ଭାବି ସେ ଶୋଇ ପଡିଲେ ।
ସେ ଥିଲା ଏକ ବିଶେଷ ସକାଳ । ଶବରୀ ମହାପ୍ରଭୁଙ୍କ ଖାଦ୍ୟ ପରଖି ଥିଲା, ସେ ଧାପେ କମ ।
ଏତେବଡ ଲୋକ । ହଁ ମ, ତାଙ୍କ ଦଳର ସଙ୍ଗଠନ
ଏଠି ନାହିଁ କହିଲେ ଚଳେ । ଅତଏବ ବିରୋଧୀ ବି ନାହାନ୍ତି । ଶୁଣାଯାଏ ପୂର୍ବତନ ପ୍ରଧାନମନ୍ତ୍ରୀ
ହିସାବରେ କଡାକଡି ପ୍ରୋଟକଲ୍ ପାଳନ ହେବ । ସୁଧୀର ତାଙ୍କ ମା ଓ ପତ୍ନୀଙ୍କୁ ବୁଝାଇ ଦେଲେ । ଭୋରୁ
ନିଦ ଭାଙ୍ଗି ଗଲା । ନିତ୍ୟକର୍ମ ସାରି ନିଜକୁ ପ୍ରସ୍ତୁତ କରିଦେଲେ । ବେଶ୍ ଲମ୍ବା, ଇସ୍ତ୍ରୀକରା ଧଳା
ଆପ୍ରୋନ ପିନ୍ଧି କାନ୍ଧରେ ଷ୍ଟେଥୋ ପକାଇ, ନିଜେ କେତେ ପ୍ରସ୍ତୁତ ପରଖିନେଲେ ଅଇନା ଆଗରେ । ଏ
ପରଖରୁ ଲାଭ କ’ଣ, ଅସଲ ପରଖ କାମଟିର
କାଇଦା ତ ଜଣା ନାହିଁ ।
ମା ପ୍ରାତଃଭୋଜନ ବ୍ୟବସ୍ଥା କରନ୍ତେ ସୁଧୀର କହିଲେ, “ମାଆ, ଆଜି ରାଜା ଘର ଖାନା,
ମାଆ ଖାନା ନୁହେଁ ।”
“ଖବରଦାର ଆମର
ସେଗୁଡା ଖାଇବା ଦରକାର ନାହିଁ,
ତୁ ଆଗେ ପେଟେ
ଖାଇଲୁ ।”
ବାଇକ ବାହାର କରୁଛନ୍ତି, ଆସି ପହଞ୍ଚିଲେ ସାମ୍ବାଦିକ ଅରୁଣ, ଗତ କାଲିର ଖବର
କାଗଜ ପଢାଳି । “ଆସନ୍ତୁ ମୋ କାରରେ
ଯିବା, ମୋର ବି ସେଠାରୁ
ଖବର ଦେବାର ଅଛି ।”
ବାଟରେ ସୁଧୀର ତାଙ୍କ ଗତକାଲିର କଖାରୁ ବେଲୁନ କଥା କହିଲେ । ଅରୁଣ
କହିଲେ, ତାଙ୍କୁ ଏ ବାବଦରେ
ଏକ ଲେଖା ଦେଲେ ସେ ଉକ୍ତ ଖବରକାଗଜରେ ବାହାର କରାଇ ଦେବେ ।
ଗାଡି ‘ବନ ବଙ୍ଗଳା’ରେ ପହଞ୍ଚି ଯାଇଥାଏ । ସେଠାରେ ଏ କାର୍ଯ୍ୟକ୍ରମ ।
ପୁଣି ସେହି ଭିକାରି ବିଶ୍ୱ । ବେଶ୍ ସୁନ୍ଦର ବେଶଭୁଷାରେ ଥାଆନ୍ତି ।
ସେ ଚନ୍ଦ୍ରଶେଖରଙ୍କ ଦଳୀୟ ନେତା ଓ ଏ ଆୟୋଜନର ମୁଖିଆ । ତେବେ ପ୍ରୋଟକଲ ଦୃଷ୍ଟିରୁ ପ୍ରଶାସନ
ଖାଦ୍ୟ ପ୍ରସ୍ତୁତି କରୁଥାଏ । ବିଭିନ୍ନ ବିଭାଗୀୟ କର୍ମଚାରୀମାନେ ତତ୍ପରତାର ସହ ଦାୟିତ୍ୱ
ନିର୍ବାହ କରୁଥାନ୍ତି ।
ବନପାଳ ଓ ଜିଲ୍ଲାପାଳ ସାଥୀ ହୋଇ ପହଞ୍ଚିଲେ । ସେମାନେ ଅପେକ୍ଷାଗୃହର
ମୁଖ୍ୟ ସୋଫା ଦୁଇଟିରେ ବସି ପଡିଲେ । ଅନ୍ୟମାନେ ଖୁବ୍ କର୍ମଚଞ୍ଚଳ ହେବା ପ୍ରାୟ ଆଚରଣ
କରୁଥାନ୍ତି । କଣ ବା କରିବେ?
ବସିବାକୁ ସ୍ଥାନ
ନାହିଁ । ମାନନୀୟଙ୍କ ପାଇଁ ଉଦ୍ଦିଷ୍ଟ ଗୃହଟି ବନ୍ଦ କରି ରଖାଯାଇଥାଏ । ବିଶେଷ ସୁରକ୍ଷାକର୍ମୀ, ସମସ୍ତଙ୍କ ପରିଚୟଟି
ଟିପୁଥାଏ ଓ ଦିଆଯାଇଥିବା ତାଲିକା ସହ ମିଳାଉଥାଏ । ସେତେବେଳେ ପରିଚୟ ପତ୍ରର ପ୍ରଚଳନ ସେମିତି
ହୋଇନଥାଏ ।
ଭିକାରି, ଅନୁମତି ମିଳିଥିବା ତାଙ୍କ କତିପୟ କର୍ମୀଙ୍କ ସହ କେଉଁ
ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା କରୁଥିଲେ ସେ କଥା ତାଙ୍କୁ ହିଁ ଜଣା ।
ହଠାତ ପହଞ୍ଚିଲେ ଯୁବରାଣୀ । ଜିଲ୍ଲାପାଳ ସମ୍ଭ୍ରମତାର ସହ ସ୍ୱାଗତ
କଲେ ଓ ସୋଫାରେ ବସିବାକୁ କହିଲେ । ସୁରକ୍ଷାକର୍ମୀ
ଆସି ତାଲିକା ମିଳାଇବାରୁ ତାଙ୍କ ନାମ ଉଲ୍ଲେଖ ନଥିଲା । ଏହାଥିଲା ସ୍ୱଭାବିକ୍ । ସେ ତ
ଭିନ୍ନ ଦଳର ଲୋକ । ସେ ଦୃଢତାର ସହ କହିଲେ ସ୍ୱୟଂ ଚନ୍ଦ୍ରଶେଖରଜୀ ତାଙ୍କୁ ନିମନ୍ତ୍ରଣ କରିଛନ୍ତି
। ଗତ କାଲି ଫୋନରେ ସେ କଥା ହୋଇଥିଲେ । ସେ ବହୁତ ଥର କଥା ହୁଅନ୍ତି ।
ଭିକାରି ଓ ସୁଧୀର ଆଚମ୍ବିତ ଦେଖାହେଲେ । ହୁଏତ ଭିକାରି ଭାବୁଥିଲେ, ସେମିତି ଯଦି ସତ
ହୋଇଥାନ୍ତା, ସେ ନିଶ୍ଚେ
ଜାଣିଥାନ୍ତେ ।
ସୁଧୀର କିନ୍ତୁ ଆଶ୍ଚର୍ଯ୍ୟ ହୋଇଥିଲେ ଭିନ୍ନ କାରଣରୁ । ଗତକାଲି
ସଭାରେ, ଖାଦ୍ୟ ପରୀକ୍ଷା
ବାବଦୀୟ ପ୍ରଶ୍ନର ଊତ୍ତର ନମିଳିବାରୁ ସେ ସଂଧ୍ୟାରେ ଜଣେ ବିଜ୍ଞ ବ୍ୟକ୍ତିଙ୍କୁ ପଚାରିବା ପାଇଁ
ବିଭିନ୍ନ ଟେଲିଫୋନ ବୁଥ ଓ ଶେଷରେ ଏକ୍ସଚେଞ୍ଜକୁ ଯାଇଁ ଚେଷ୍ଟା କରି ନିରାଶ ହୋଇଥିଲେ ।
ଫୋନସେବାରେ ବହୁତ ବଡ ବିଭ୍ରାଟ ହୋଇଥିଲା । କିନ୍ତୁ ଚନ୍ଦ୍ରଶେଖରଜୀଙ୍କୁ ମହାଶୟା କେମିତି ଫୋନ
କଲେ!
ସେ ଯାହା ବି ହେଉ ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ, ସମ୍ଭ୍ରାନ୍ତ
ମହିଳାଙ୍କୁ ଅନୁମତି ମିଳିଗଲା । ମହାଶୟା ଜିଲ୍ଲାପାଳଙ୍କ ସହ ସୋଫା ମଣ୍ଡନ କଲେ । ସମ୍ଭବତଃ ଉଭୟ
ଆପୟିତ ଅନୁଭବ କରୁଥିଲେ । ଭିକାରି ତାଙ୍କ ଦେଖାଦେଖି ବନପାଳ ବସିଥିବା ସୋଫାରେ ଆସନ ନେବାକୁ
ଯାଊଥିଲେ । ବନପାଳ ତାଙ୍କ ବେଶଭୁଷା ଉପରେ ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପ କରି ହଠାତ ହସିକି
ପଚାରିଦେଲେ ତାଙ୍କ ଜୋତା ଓ ଜାକେଟରେ କେଉଁ ପଶୁର ଚମଡା ଲାଗିଛି ।
“ସାତୁଷ ଆଜ୍ଞା”, ସଦର୍ପେ କହିଲେ
ଭିକାରି ।
ଏଥର ବନପାଳଙ୍କ ସ୍ୱର ଶୁଭିଲା ରୁକ୍ଷ, “ହିମାଳୟର ଏହା ଏକ
ଲୁପ୍ତ ପ୍ରାୟ ଜୀବ । ଏହାକୁ ରକ୍ଷା କରିବା ପାଇଁ ସରକାରୀ ନିୟମ କଡା । ଚାହିଁଲେ ଜଙ୍ଗଲ
ଅଧିନିୟମ ଲଗାଇ ଏବେ ଗିରଫ କରି ପାରିବି ।”
“ଆଜ୍ଞା, ଏତେକଥା ତ ମୁଁ
ଜାଣିନଥିଲି ।” ପଛକୁ ହଟୁ ହଟୁ
ଭିକାରି କହିଲେ । ବନପାଳ ସନ୍ତୋଷ ଦେଖାଗଲେ, ଯୁବରାଣୀ ମଧ୍ୟ ।
ଚନ୍ଦ୍ରଶେଖର ପହଞ୍ଚିବାରେ ବିଳମ୍ବ ଘଟୁଥାଏ । ସମସ୍ତେ ପ୍ରସ୍ତୁତ ।
ଏଣେ ତେଣେ ଟହଲ ମାରୁଥାନ୍ତି । ବନ ବଙ୍ଗଳାର ମନୋରମ ବଗିଚାର ଶୋଭାରେ ଆହ୍ଲାଦିତ ଦିଶୁଥାନ୍ତି
ସମସ୍ତେ ।
ତିନି ମାନ୍ୟଗଣ୍ୟ ଅତି ମାମୁଲି କଥା ହେଉଥାନ୍ତି । ସୁଧୀର ସେମାନଙ୍କ
ଆଳାପ ନିଶଙ୍କୋଚ ଶୁଣୁଥାନ୍ତି ।
ଆପଣ ଜିଲ୍ଲା ମଙ୍ଗ ସଠିକ ଧରିଛନ୍ତି । ଜନସାଧାରଣ ଖୁସି । ଆଉ ବନପାଳ
ମହୋଦୟଙ୍କ ଚର୍ଚ୍ଚା ଜୋର ଧରିଛି । ଯାହା ଜଣା ପଡୁଛି ଅବନ୍ତିପୁର ତାହାର ଲୁପ୍ତ ବନାନୀ ଖୁବ୍
ଶୀଘ୍ର ଫେରି ପାଇବ । ଏମିତି କିଛି କଥା କହୁଥିଲେ ଯୁବରାଣୀ ଓ ସେ ବାର୍ତ୍ତାରେ ପ୍ରସନ୍ନଚିତ୍ତ
ଦିଶୁଥାନ୍ତି ଉଭୟେ ।
ଏହା ବାଦ ସେ ବର୍ଣ୍ଣନା କରୁଥାନ୍ତି, ଚନ୍ଦ୍ରଶେଖରଙ୍କ ସହ
ତାଙ୍କର ଘନିଷ୍ଠତାର ସବିଶେଷ ବିବରଣୀ । ଜିଲ୍ଲାପାଳ ଦିଶୁଥିଲେ ନିସନ୍ଦେହ ଓ ଯେମିତି ଅନୁଗୃହିତ
କି ତାଙ୍କୁ ଏସବୁ କଥା କହିପାରୁଛନ୍ତି ଯୁବରାଣୀ, ଘନିଷ୍ଠ ଭାବି । ବନପାଳ କିନ୍ତୁ ବେପରୁଆ
ଶୁଣୁଥାନ୍ତି, ସତେ ଅବା ଏ
ବିଶୁଦ୍ଧ ବାହାସ୍ଫୋଟ କଥା ଗୁଡିକ କେବଳ ସମୟର ଶୂନ୍ୟସ୍ଥାନ ମାନ ପୁରଣ କରୁଛି ।
ଜିଲ୍ଲାପାଳ ଆଉଧାପେ ଆପଣାର ହୋଇ ପଚାରିଲେ । ଆଉ କ’ଣ ଖବର ମାମ୍, ପୂଜା କାର୍ଯ୍ୟକ୍ରମ
କେଉଁଠି? ରାୟପୁର ଅବା
ମହୀଶୁର, ନା ପୁରୀ ଅଥବା
ମୁମ୍ବାଇ ।
“ହା ହା! ସେମିତି
କେବେ ହେଲାଣି ନା ହେବ । ପୂଜାରେ ସବ୍ଚେକ୍ଟ ମାନଙ୍କୁ ଛାଡି ଯାଇ ହେବ! ଲୋକଙ୍କର ବହୁତ ଆଶା କ’ ବ’ ଭେଟି ଆଣି ପୁଳାଏ
ନେବେ । ଆମ୍ଭ ବିନା ଅବନ୍ତିପୁର’ର ପୂଜା କ’ଣ ସମ୍ଭବ! ଆମ୍ଭେ ନରହିଲେ ନହୁଏ ।”
ସେ ଯେଉଁ ଠାଣିରେ କହିଲେ ତାହା ଅନଭିଜ୍ଞ ସୁଧୀରଙ୍କ ଅନ୍ତରକୁ
ଭେଦିଗଲା, ସତେ ଅବା ଦେବୀ
ମାନେ ପୃଥିବୀକୁ ଆସିବାର ଦରଖାସ୍ତ ତାଙ୍କ ଦପ୍ତରକୁ ପଠାଇଛନ୍ତି । ସେ ମଞ୍ଜୁର କରିବେ
ସେମାନଙ୍କୁ ନିରାଶ ନକରି ଆପଣାର ଉଦାରତାରେ ।
ଅରୁଣବାବୁ ପଛରୁ ସାର୍ଟ ଟାଣି ସଙ୍କେତ ଦେଲେ ସେ ବି ସେମିତି
ଭାବୁଛନ୍ତି । ପ୍ରତିକ୍ରୀୟାରେ ସୁଧୀର ହଠାତ ଯେମିତି ପଛକୁ ବୁଲିପଡିଲେ ତାହା ଯୁବରାଣୀ ଓ
ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲା । କଥାର ରାଗ ବେରାଗ ହୋଇଗଲା ।
ଡକରା ପାଇ ସୁଧୀର ଭିତରକୁ ଗଲେ, କର୍ତ୍ତବ୍ୟନିଷ୍ଠ ଭାବେ ବେଶ ସୁସ୍ୱାଦୁ ଜଳଖିଆର ପ୍ରତି
ବ୍ୟଞ୍ଜନରୁ ଦୁଇ ଚାମଚ ଲେଖାଏଁ ଉଦରସ୍ଥ କରି ତୃପ୍ତ ହେଲେ । ଖାଦ୍ୟ ପରୀକ୍ଷିତ କାଗଜରେ ସନ୍ତକ
ଦେଲେ ।
ଡି.ଏସ.ପି ଜଣେ ଝପଟି ଆସି ଆରକ୍ଷୀ ଅଧୀକ୍ଷଙ୍କକ ଖବର ଆସିଛି କହି
ସମସ୍ତଙ୍କୁ ସଜାଗ କରିଦେଲେ ।
ତିନି ମାନ୍ୟଗଣ ନିଜ ନିଜ ଫୁଲତୋଡା ଧରି ପ୍ରସ୍ତୁତ ହୋଇଗଲେ ।
ଭିକାରିଙ୍କ ଖଟା ମନରୁ କୃତ୍ରିମ ହସ ଉକୁଟି ଆସିଲା, ସୁଧୀର ନିଜ ଧଳା କୋର୍ଟଟିକୁ ବିନା ଅଇନାରେ
ଝାଡିଝୁଡାକି ଷ୍ଟେଥୋକୁ ପକେଟରୁ ନେଇ କାନ୍ଧରେ ପକାଇଲେ, ଅରୁଣ ନିଜ ଟିପାଖାତାରେ କଣସବୁ ଗାରେଇ ପରୀକ୍ଷା
କରିନେଲେ ଏହା ଚାଲୁଛି, ସତେ ଅବା ଏତେ ଘଟଣା
ଘଟିବ ଯେ ସେ ତତ୍କାଳ ନଲେଖିଲେ ସ୍ମରଣ କରି ପାରିବେ ନାହିଁ । ଅନ୍ୟମାନେ ଫାଟକଠାରୁ ପଛକୁ ପଛ
ଧାଡି ଲଗାଇଦେଲେ । ଉପସ୍ଥିତ କ୍ଷୁଦ୍ର ଜନ ସମାବେଶ ମଧ୍ୟରେ ଏକୁଟିଆ ଯୁବରାଣୀ ଥିଲେ ମହିଳା, ତା ବ୍ୟତୀତ
ଚନ୍ଦ୍ରଶେଖରଙ୍କ ସେ ଏକମାତ୍ର ଚିହ୍ନାଜଣା । ତେଣୁ ସେ ଆଗରେ ରହିଲେ ।
ଖଦଡର ଧୋତି ଓ ଲମ୍ବା ପଞ୍ଜାବୀ ପିନ୍ଧା ଦୀର୍ଘକାୟ ଚନ୍ଦ୍ରଶେଖର
ଅତୀତରେ ଯେଉଁ ମଜବୁତ ପାଦରେ ଉତ୍ତରରୁ ଦକ୍ଷିଣ, ସାରା ଭାରତ ପଦଯାତ୍ରା କରିଥିଲେ ସେଇ ପାଦ ଯୁଗଳରେ
ଯେବେ ଫାଟକ ମଧ୍ୟକୁ ପ୍ରବେଶ କଲେ, ଦିଶୁଥିଲେ ସୌମ୍ୟ ପ୍ରଶାନ୍ତ । ବାର୍ଦ୍ଧକ୍ୟରେ ବି ତାଙ୍କ କାନ୍ତି
ଝଟକୁ ଥାଏ । ସେ ଗମ୍ଭୀରତା ମଧ୍ୟରେ ନିଜକୁ ପ୍ରସ୍ଫୁଟିତ କରିଥିଲେ ଏକ ସ୍ନିଗ୍ଧ ସ୍ମିତହାସ୍ୟରେ
। ତାଙ୍କ ବ୍ୟକ୍ତିତ୍ୱ ଯେମିତି ସମସ୍ତଙ୍କ ମଧ୍ୟକୁ ସଂଚାରିତ ହୋଇଗଲା । ଆରକ୍ଷୀ ଅଧୀକ୍ଷକ, ବ୍ଳାକ କାଟ୍
କାମାଣ୍ଡୋ ଓ କେତେଜଣ ଦଳୀୟ ରାଜନେତା ତାଙ୍କ ପଛରେ ଥିଲେ ।
ଯୁବରାଣୀ ପ୍ରଥମେ ଫୁଲତୋଡା ଦେଲେ ଓ ପରେ ପରେ ଜିଲ୍ଲାପାଳ ତଥା ବନପାଳ
। ଅଧୀକ୍ଷକ ଏ ତିନିଜଣଙ୍କ ପରିଚୟ ଦେବାବେଳେ ସମ୍ଭବତଃ ମହାଶୟା ଯାହା ସଙ୍କେତ ଦେଲେ ତାହାର ମର୍ମ
ଆମେ ତ ଆଗରୁ ଚିହ୍ନା । ସେ ଚନ୍ଦ୍ରଶେଖରଙ୍କ କଡକୁ ଭିଡିଗଲେ ଜଣେ ଦଳୀୟ ନେତାଙ୍କୁ ପଶ୍ଚାତକୁ
ହଟାଇ । ଭିକାରି ଓ ଅନ୍ୟ ସ୍ଥାନୀୟ ଦଳୀୟ ଲୋକଙ୍କୁ ପରିଚିତ କରିବା କାମଟି ଏହି ନେତା କରିଥାନ୍ତେ
ଯାହା ହୋଇ ପାରିଲା ନାହିଁ । କ୍ଷୂବ୍ଧ ଭିକାରି ବଡ କଷ୍ଟରେ ନିଜକୁ ପ୍ରଫୁଲ୍ଲ ରଖିଥାନ୍ତି ।
ଔପଚାରିକ ଅବା ଆଉକିଛି କଥା କହିବାରେ ଯୁବରାଣୀ ଉଣା କରୁନାଥାନ୍ତି, ଚିହ୍ନା ଲୋକ
ଯେତେବେଳେ । ମହାଶୟ ସେମିତି ଅନୁତ୍କଣ୍ଠିତ ଆଗେଇ ଚାଲିଲେ । ବୋଧହୁଏ ସେ କାହାକୁ ଚିହ୍ନିବାର
ଉଦ୍ୟମ କରୁନଥିଲେ ଯେମିତି ସଭିଏଁ ତାଙ୍କର ଚିହ୍ନା, ତାଙ୍କ ଦେଶବାସୀ, ଅବା ମୁହୁର୍ତ୍ତ ମଧ୍ୟରେ କାହା ସହ ପରଚିତ ହେବାର କି
ବା ଆବଶ୍ୟକତା । ତେବେ ସମସ୍ତଙ୍କ ମଧ୍ୟରୁ ସୁଧୀରଙ୍କୁ ସେ ବେଶଭୁଷାରୁ ଚିହ୍ନି ପକାଇଲେ ଓ ଦୂରରୁ
ହେଲେ ବି ଏକ ଧନ୍ୟବାଦ ସୂଚକ ସଙ୍କେତ ତାଙ୍କ ସ୍ମିତହାସ୍ୟର ଲାଳିତ୍ୟକୁ ବହୁଗୁଣିତ କଲା ।
ସୁଧୀରଙ୍କ ଗତ କେତେ ଦିନର ଦ୍ୱନ୍ଦ୍ୱ ମିଳାଇ ଗଲା ଓ ସେ ଯୋଡ ହସ୍ତ ହୋଇ ସେ ସତେଜ ହସକୁ ଆପଣାର ଅଧରରେ
ପ୍ରତିଫଳିତ କଲେ । ଦିଶୁଥିଲେ ବେଶ୍ ତୃପ୍ତ । ଏ ଭାବଗତ ଆଦାନ ପ୍ରଦାନଟି ତାଙ୍କ ବୃତ୍ତିଗତ
ଜୀବନର ଅଭୁଲା ସ୍ମୃତି ହୋଇ ରହିବ । କେବଳ ଜଳଖିଆ ଖାଇବା ବ୍ୟତୀତ ମହାଶୟଙ୍କ ଅନ୍ୟ କୌଣସି
କାର୍ଯ୍ୟକ୍ରମ ନଥିଲା । ସେ ଖୁବ ଶୀଘ୍ର ପ୍ରତ୍ୟାବର୍ତ୍ତନ କଲେ ।
ଦେଖାଗଲା ସର୍ବପ୍ରଥମେ ବନ ବଙ୍ଗଳା ପ୍ରାଙ୍ଗଣ ତ୍ୟାଗକଲେ ଯୁବରାଣୀ, ଏମିତି କି
ଜିଲ୍ଲାପାଳ କିମ୍ବା ବନପାଳଙ୍କଠୁ ସୌଜନ୍ୟ ମୂଳକ ବିଦାୟ ନନେଇ । ଝଡ ପରି ଆସିଥିଲେ ଅନାହୁତ, ବିଜୁଳି ପ୍ରାୟ ଝଅଟ
ଖସିଗଲେ ।
ଠିକ୍ ତାପରେ ପଳାଇଗଲେ, ବିମର୍ଷ ଭିକାରି ବିଶ୍ୱ ।
ଆମେ ବି ଏବେ ବାହାରି ପଡିଲୁ ।
No comments:
Post a Comment