Search This Blog

Friday 26 July 2019

Payal Tadvi, ପାୟଲ ତାଢବୀ।

ପାୟଲ ତାଡଭି।
କାଲି ଭଳି ମନେହୁଏ, ଓୟୁଏଟି ଛାଡି ଏସସିବି ଆସିଲି। ଓୟୁଏଟି ରାଗିଂ ତୁଳନାରେ ସେବେଳେ ଏସସିବିର ରାଗିଂ ବହୁତ କମ ଥିଲା। ମୋତେ ଆଦୌ ଭୟ ଲାଗୁନଥିଲା। ପ୍ରଥମ ବର୍ଷ ପିଲାମାନଙ୍କୁ ହଷ୍ଟେଲରେ ତୁରନ୍ତ ସିଟ ମିଳୁ ନଥିଲା। କମନ ରୁମରେ ଦାଦନିଆଙ୍କ ପରି ରହୁଥିଲୁ ପ୍ରଥମ ମାସେରୁ ଛଅ ମାସ ପର୍ଯ୍ୟନ୍ତ।
ଏହାହିଁ ଥିଲା କର୍ତ୍ତୃପକ୍ଷ କର୍ତ୍ତୃକ ସବୁଠୁ ବଡ ରାଗିଂ।
ମନେଅଛି ପ୍ରମୋଦ ଭାଇ ଓ ବରୁଆ ଭାଇ ତାଙ୍କ ପ୍ରାକ୍ଟିକାଲ ଖାତା ଲେଖିବାକୁ ଧରାଇଦେଲେ।
ମୁଁ ବହୁତ ସେନ୍ସିଟିଭ ଥିଲି ବୋଧହୁଏ। ସେ ଖାତା ଗୁଡିକ ସେମିତି ପଡି ରହିଲେ। ଲେଖିଲି ତ ନାହିଁ, ସେଗୁଡିକ ହେପାଜତରେ ରଖିଲି ନାହିଁ କି କହିଲି ନାହିଁ ବି ଲେଖିବି ନାହିଁ ବୋଲି।
ସମ୍ଭବତଃ ମୋର ଅଣ ଓଡିଆ ବୈରଭାବ ଥିଲା, ଯାହା ଉଚିତ ନୁହେଁ। ମୁଁ ବୁଝିଥିଲି ଏମାନେ ଓଡ଼ିଆ ମାନଙ୍କ ସିଟ ନେଇ ଯାଉଛନ୍ତି, ବୁଝି ନଥିଲି ଓଡ଼ିଆ ପିଲାଟି ବି କଲିକତା ଅବା ବମ୍ବେରେ ସେ ରାଜ୍ୟର ସିଟ ନେଇଥିବ।  ଏ ଦୁହେଁ ଅଣ ଓଡିଆ ଥିଲେ।
ସେମାନେ ହତାଶ ହେଲେ, ମତେ ବିରକ୍ତ ହୋଇ କହିଲେ, ତୁ କଣ ଡରୁନୁ? ମୁଁ କହିଲି, ନା ସେମିତି ନୁହେଁ, ସମୟ ପାଇଲି ନାହିଁ।
କଣ କରୁଛୁ କି?
ପାଠାଗାର ଯାଉଛି। ହଷ୍ଟେଲରେ ତ ସିଟ ନାହିଁ। ସେଠି କେମିତି ଲେଖିବି? ତା ଛଡା ମୋ ଅକ୍ଷର ଅତ୍ୟନ୍ତ କଦର୍ଯ୍ୟ, ଦେଖୁନ ମୋ ନୋଟ।
ପିଲାମାନଙ୍କ ରାଗିଂ ଅପେକ୍ଷା କର୍ତ୍ତୃପକ୍ଷଙ୍କ ରାଗିଂ ଥିଲା ଅଧିକ। ହିପୋକ୍ରଟିକ ଓଥ ଅନୁସାରେ ତଥା ଭାରତୀୟ ପରମ୍ପରା ଅନୁସାରେ ଗୁରୁନିନ୍ଦା କରିବା ମହାପାପ। କିନ୍ତୁ ଏ ଆଲୋଚନା, ତା ବିନା ଅଧୁରା।
ଜଣେ ସର୍ବୋତ୍ତମ ପ୍ରଫେସର କହିଲେ, କାନ୍ଥବାଡରେ ବି କାନ ଅଛି, କେଉଁଠି କଣ ମେଳି କଲ ବା ନେତା ହେଲ ଖବର ପହଞ୍ଚିବ। ଏ କଥାର ମାନେ କଣ? ଏଠି କଣ ପ୍ରତିଯୋଗିତା ହେବ, ଛାତ୍ର ବନାମ ବ୍ୟବସ୍ଥା।
ପୁଣି ଏସସିବିରେ ବହୁତ ପିଲାଙ୍କୁ ପ୍ରଥମ ଏମବିବିଏସ ପରୀକ୍ଷାରେ ଫେଲ କରୁଥିଲେ। ଶୁଣାଯାଏ ମାନ ଉତ୍ତମ ପାଇଁ ଏହା କରାଯାଏ। ପିଲା ଡରିକି ପାଠ ପଢିବେ। ଜାଣେନି ଏହା କେତେ ସଠିକ। ତେବେ ହଠାତ ନିଜକୁ ଖୁବ ଉତ୍ତମ ଛାତ୍ର ଭାବୁଥିବା ବେଳେ ଏ ଫେଲ କଥା କେତେ ଭୟାନକ ତାହା ଅନୁଭବି ହିଁ ଜାଣେ। ସବୁପିଲା ସମାନ ନାହାନ୍ତି। ସାଥି ସୋମ୍ୟ ସେନ ଓ ସେମିତି କେତେ ପିଲା ପରୀକ୍ଷାକୁ ଏତେ ଭୟ କରନ୍ତି ନକହିବା ଭଲ, ଯଦିଓ ସେମାନେ ଖୁବ ମେଧାବୀ।
ସତକୁ ସତ ପ୍ରାୟ କୋଡିଏ ପିଲାଙ୍କୁ ଫେଲ କରିଦେଲେ ଆମ ଉପର ବ୍ୟାଚରେ ଓ ଆମ ବ୍ୟାଚରେ। ମାନେ ଛଅ ମାସ ପଛୁଆ। ପିଲା ଫେଲ ହେବା ପିଲାଙ୍କୁ ଯେମିତି ଅପମାନ ବ୍ୟବସ୍ଥାକୁ ସେମିତି ଅପମାନ ହେବା ଉଚିତ। ବାଛି ବାଛି ମଲେଇ ଦିଆଗଲା, ପୁଣି ଫେଲ କଣ?
ଏ ବାକ୍ୟ ବିତର୍କିତ। ଯାହିଁ ତାହିଁ କଣ ପାଶ କରି ରୋଗୀ ମାରିବେ ନା କଣ?
ଏହା ବୁଝାଇ ହେବନି କିନ୍ତୁ ସତ୍ୟ ଯେ ଯେଉଁମାନେ ଫେଲ ହେଉଥିଲେ ତାଠୁ କମ ପ୍ରସ୍ତୁତ ପିଲା ପାଶ କରୁଥିଲେ। ଏବଂ ପାଶ ଫେଲର ଗୁରୁତ୍ୱ ଭବିଷ୍ୟତ ପାଇଁ ସେମିତି କିଛି ନାହିଁ। କିନ୍ତୁ ତତ୍କାଳୀନ ଭୟ ଦୃଷ୍ଟିରୁ ଏହା ପିଲା ଉପରେ ନାକାରତ୍ମକ ପ୍ରଭାବ ପକାଏ।
ସୌମ୍ୟ ପାଠ ସମ୍ପୂର୍ଣ୍ଣ କଲା ନାହିଁ।
ବରଂ ଯଦି କୁହାଯାଇଥାନ୍ତା ଯେ ତୁମେ ସବୁ ଖୁବ ମେଧାବୀ ପିଲା ଓ ଆମେ ଶିକ୍ଷକ ମାନେ ତୁମକୁ ସର୍ବଦା ସହାୟତା ଦେବୁ, ଏଣୁ ନିର୍ଭୟ ପଢ ଓ ଆମକୁ ପଚାର; ତାହେଲେ ଏହା ଉତ୍ତମ ହୋଇଥାନ୍ତା।
ଦ୍ୱିତୀୟ ପ୍ରକାରେ ଘଟୁଥିଲା ବୁର୍ଲାରେ। ଆମର କୋଡିଏ ପ୍ରତିଶତ ଫେଲ ଓ ଜଣେ ଅଧେ ଅନର୍ସ ବେଳେ ସେମାନଙ୍କର ଘଟିଥିଲା ଠିକ ଓଲଟା।
ପିଲାଙ୍କୁ ଶାସନ କରିବାର ଏ ବିଚିତ୍ର ବ୍ୟବସ୍ଥା ଥିଲା  ସର୍ବବୃହତ ରାଗିଂ।
ବ୍ୟକ୍ତିଗତ ଭାବେ ଏହା ମୋର କ୍ଷତି କରିନଥିଲା ପ୍ରତ୍ୟକ୍ଷ। କିନ୍ତୁ ହୁଏତ ଭୟର ବାତାବରଣ ନଥିଲେ, ଡାକ୍ତରୀ ପାଠ ଭଳି ପୁଳାଏ ମନେ ରଖିବାର କଷ୍ଟ କିଛି ଲାଘବ ହୋଇଥାନ୍ତା।

ପିଜି ବେଳର କଥା।
କିଛି ପାୟଲ ତାଢବୀ ଭଳି ସମସ୍ୟା ସର୍ବବ୍ୟାପି।ସିନିୟର ଦୁଇ ପ୍ରକାରର, କିଛି ଜୁନିୟର ମାନଙ୍କୁ ଶିଖାଇ ଦାୟିତ୍ୱ ହସ୍ତାନ୍ତର କରିବା ଭଳି। ମାନେ ଭଲ ଶାଶୁ। ଆଉ କିଛି, ଆମେ ଏମିତି ହଇରାଣ ହୋଇଥିଲୁ ଏମାନେ କାହିଁକି ହେବେ ନାହିଁ? ଏ ଦ୍ବିତୀୟ ପ୍ରକାରର ଶାଶୁ। ଭଲ ହୁଅନ୍ତୁ କି ମନ୍ଦ ହୁଅନ୍ତୁ, ପ୍ରଥମ ବର୍ଷର ସମ୍ପର୍କ ଦ୍ବିତୀୟ ବର୍ଷ ସହ ହେଲା ବଡ ଯାଆ ପ୍ରକାରର ଓ ତୃତୀୟ ବର୍ଷ ସହ ଶାଶୁ ବୋହୂ ପ୍ରକାରର। କେଉଁ ନୂଆ ପିଜି କେମିତି ଏହାର ରିପୋର୍ଟିଂ ପ୍ରାୟ ହୁଏ ଫାକଲ୍ଟି ମାନଙ୍କ ପାଖରେ। ବୋହୂ ପୁଣି ଦିନେ ଶାଶୁ ହୁଏ ଓ ଏମିତି ଚାଲେ।
ତେବେ ପାଞ୍ଚ ଛଅ ବର୍ଷ ପେରିଫେରିରେ ବହୁତ ଦାୟିତ୍ୱ ସମ୍ପର୍ଣ୍ଣ କାମ କରି, ଚାରି ପାଖରେ ରୋଗୀ ହାଉଯାଉର ଏକ ପରିବେଶରୁ ହଠାତ ବୋହୂ ହେବା ବଡ କଷ୍ଟ। ତହିଁରେ ପୁଣି ଇନ ସର୍ଭିସ ପିଜିଙ୍କୁ ବିଚାର କରାଯାଏ ଟିକେ ପଛୁଆ ବୋଲି। ଜୁନିୟର ପିଲାଏ ଉପର ଶ୍ରେଣୀରେ ଥିବେ।
ଏ ମାହୋଲ, ରାଗିଂ ଶୂନ୍ୟ ବଡ ରାଗିଂ। ତେବେ ଏଠି କୌଣସି ନିର୍ଦ୍ଦିଷ୍ଟ ଜାତି, ଧର୍ମ ବା ଆଞ୍ଚଳିକତାର ଭେଦ ନଥାଏ। ଏହାକୁ ଭାଙ୍ଗିବାର ଇଛା କଲାଭଳି ଜଟିଳତା ଏ ବ୍ୟବସ୍ଥାରେ ନଥାଏ। କିନ୍ତୁ ତାଢବୀ କଥାଟି ଏହା ପୁନଶ୍ଚ ସୂଚିତ କରୁଛି ଯେ ଯାହାକୁ ଆମେ ଅତି ସାଧାରଣ ମନେ କରୁଛୁ ତାହା ସଧାରଣ ନହୋଇ ଜୀବନ ନାଶକ ହୋଇପାରେ। ସମସ୍ତେ ସମାନ ଭାବେ ସମ୍ବେଦନଶୀଳ ନୁହନ୍ତି। ସେନସିଟିଭ ହେବା ଏକ ଦୋଶ ନୁହେଁ କାହାର ସମ୍ବେଦନରେ ଆଘାତ ଦେବା ନିଶ୍ଚିତ ଏକ ଦୋଶ।
ତେଣୁ ବିଚାରୀ ପାୟଲ କ୍ଷେତ୍ରରେ ଆମେ ମାନିନେବା ଉଚିତ ଯେ ସେମିତି କଷ୍ଟ ଅନୁଭବ ନହେଲେ ଜଣେ ମେଧାବିନୀ ଏଭଳି ମାନସିକ ଭାରସାମ୍ୟ ହରାଇ ନପାରେ। ଏମିତି ଭାବି ନେବାରେ ହିଁ ଭବିଷ୍ୟତ ପାଇଁ ଭଲ। ପୁଣି ସତରେ ଯଦି ତାଙ୍କୁ ଦଳିତ ହୋଇଥିବରୁ ଯାତନା ମିଳିଥାଏ ତାହେଲେ ଏହା ସାଂଘାତିକ ବ୍ୟାପାର।
ଏହା ବିଚାରାଧୀନ ଓ ଆଶା କରିବା ସୁବିଚାର ହେବ। ଯଦି ଅଭିଯୁକ୍ତା ମାନେ ପ୍ରକୃତରେ ଦୋଷୀ ନୁହନ୍ତି ତେବେ ସେମାନେ ରକ୍ଷା ପାଇବେ ଯଦି ଦୋଷୀ ତାହେଲେ ଦଣ୍ଡ ବିଧାନ ହେବ।
ତେବେ କର୍ତ୍ତୃପକ୍ଷଙ୍କ ଭୁମିକା ବି ଗୁରୁତ୍ୱପୂର୍ଣ୍ଣ।

ମନେ ଅଛି, ମୋ ପାଖେ ଟଙ୍କା ନଥାଏ, ଛଅ ମାସ ପର୍ଯ୍ୟନ୍ତ ଶିକ୍ଷା ଛୁଟି ମଞ୍ଜୁର ହୋଇ ନଥାଏ, ହଠାତ ମୋଟର ସାଇକେଲ ଚୋରି ହୋଇଗଲା। ଏଭଳି ସଙ୍ଗିନ୍ ପରିସ୍ଥିତିରେ ହଠାତ ଦିନେ ମତେ ଆମ ସଂଘ ସମ୍ପାଦକ ଖୁବ କଡା କରି ଓ ପୂର୍ଣ୍ଣ ସାରଙ୍କ ନାମ ନେଇ ତାଗିଦ କଲେକି ତୁମେ ତୁରନ୍ତ ସଙ୍ଘ ସଭ୍ୟ ଚାନ୍ଦା ଦିଅ। ହୁଏତ ପ୍ରଥମ ବର୍ଷର ଛାତ୍ର ନହୋଇଥିଲେ ଏମିତି କଥା ଶୁଣି ନଥାନ୍ତି। ଅବଶ୍ୟ କିଛି କହିବାକୁ ପଡି ନଥିଲା ମୋ ବକ୍ତବ୍ୟ ମୋ ଶାରୀରର ଭାଷା ଜଣାଇ ଦେଇଥିଲା। ପଇସା ହେଲେ ଦେବି କହିଲି, ମାତ୍ର ପାଞ୍ଚ ଶହ ଟଙ୍କା। ଏଠି ମୋ ବ୍ୟକ୍ତିଗତ କଥା ଗୌଣ୍ୟ, ମୂଖ୍ୟ କଥା ହେଲା ମାନବିକ ସମ୍ବେଦନରେ କନିଷ୍ଠ ଓ ବରିଷ୍ଠର ଭିନ୍ନ ଦୃଷ୍ଟିଭଙ୍ଗି ଯାହାର ଫଳ ହେଉଛି ସ୍ବର୍ଗୀୟା ଡା ପାୟଲ ତାଢବୀ।
ପୁଣି ଥରେ; ସମ୍ବେଦନ ସହି ନପାରିବା ଏକ ଭୁଲ ନୁହେଁ, ସମ୍ବଦନକୁ ଆଘାତ ପହଞ୍ଚାଇବା ନିଶ୍ଚିତ ଅପରାଧ।

No comments:

Post a Comment