ଶାସ୍ତ୍ରୀୟ ଓ ସାଧାରଣ। ।ଶାସ୍ତ୍ରୀୟ ଓ ସାଧାରଣ।
ଏ ଆଲେଖ୍ୟଟି ଶାସ୍ତ୍ର ଅଜ୍ଞାନୀ ଜଣେ ସାଧାରଣ ଜନତାର । ଏହା ଧୃଷ୍ଟତା ହୋଇପାରେ, ମାତ୍ର ଏହାର ପୃଷ୍ଠଭୂମିରେ ରହିଛି ଗଭୀର ଶ୍ରଦ୍ଧା ଓ ନିର୍ମଳ ଆନନ୍ଦ । ଶାସ୍ତ୍ରୀୟ ନୃତ୍ୟ ଗୀତ, ବିଜ୍ଞ ଲୋକଙ୍କ ଆଲୋଚନା ବା ଉପଭୋଗରେ ସୀମିତ ରହିବା ଅପେକ୍ଷା ସାର୍ବଜନୀନ ହେବା ଅଧିକ ସମୀଚିନ ବିଚାର କରି ଲେଖିବାକୁ ସାହସ ଜୁଟାଇଛି ।
ଖୁବ ପିଲାଦିନରୁ ରେଡିଓ ଶୁଣିବା ଅଭ୍ୟାସଟି ଥିଲା । ଅଖିଳ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ ଯେ ସେମାନେ ଏତେ ତନ୍ମୟ ଭାବରେ ଗାଆନ୍ତି ବୁଝିହୁଏନି, ରେଡିଓ ବନ୍ଦ କରିଦେବା ସାର ହୁଏ । ସେମିତି କିଛି ନୃତ୍ୟ ଗୀତର ପରିବେଶ ନଥାଏ ଘରେ ଅବା ସାହି ପଡିଶାରେ । ତେବେ, ସେ ବାଲ୍ୟକାଳରେ ମଧ୍ୟ ବୋଧଗମ୍ୟ ହୁଏ, ଶାସ୍ତ୍ରୀୟ ଜିନିଷଟି ସାଧାରଣ ଗୀତ ନାଚ ଠାରୁ ଉଚ୍ଚ ସ୍ଥାନରେ।
ଅଷ୍ଟମ ଶ୍ରେଣୀରେ ଘରଠୁ ଦୂର ଐତିହ ସହର ଯାଜପୁରରେ ଛାତ୍ରାବାସରେ ରହି ପାଠ ପଢା । ଛାତ୍ରାବାସର ତତ୍ତ୍ୱାବଧାରକ ସ୍ୱର୍ଗତଃ ଜଗବନ୍ଧୁ ନାୟକ ମହାଶୟ ଜଣେ ବିଶିଷ୍ଟ ଶିଳ୍ପୀ । ଶ୍ରୀଗଣେଷ ଓ ଶ୍ରୀସରସ୍ୱତୀ ପୂଜାରେ ଆମର ମୂର୍ତ୍ତି କିଣା ହୁଏନି । ମାତ୍ର ଦୁଇଦିନ ଥାଏ ସେ ଛାଞ୍ଚ ବନ୍ଧାଠୁ ରଙ୍ଗ କାମ ପର୍ଯ୍ୟନ୍ତ ସମାପ୍ତ କରନ୍ତି । କଞ୍ଚା ମାଟିରେ ରଙ୍ଗ ଦେବାରେ ଥାଏ ତାଙ୍କର ବିଶେଷ ପାରଦର୍ଶିତା । ସେ ରଙ୍ଗ କାମଟି ନିଆରା । ମାଟିର ମୂର୍ତ୍ତି ଦେଖାଯାଏ ସତେ ଅବା କୋଣାର୍କ ଗାତ୍ରରୁ ବିଚ୍ୟୁତ ଏକ ଜୀବନ୍ତ ଶୀଳା ବିଗ୍ରହ; ଆଶୀର୍ବାଦ ସୂଚକ ଏକ ଓଡିଶୀ ମୂଦ୍ରାରେ ଉପବିଷ୍ଟ ଅବା ଦଣ୍ଡାୟମାନ ଦେବ ଦେବୀ । ଏ ଶାସ୍ତ୍ରୀୟ ବିଗ୍ରହ ଆମ ମନରେ ଗର୍ବ ଆଣେ ସହରର ଅନ୍ୟ ପାଞ୍ଚଟି ବିଦ୍ୟାଳୟ ସହ ତୁଳନାତ୍ମକ ବିଚାରରେ । ବିସର୍ଜନର ଅନେକ ଦିନ ପର୍ଯ୍ୟନ୍ତ ମନ ମଧ୍ୟରେ ଲାଖି ରୁହନ୍ତି ଠାକୁରଙ୍କ କମନୀୟ ମୂର୍ତ୍ତି । ଶାସ୍ତ୍ରୀୟ, ସାଧାରଣଠାରୁ ଶ୍ରେୟଷ୍କର, ଏ ବାବଦରେଏହା ବୋଧହୁଏ ଆମର ପ୍ରଥମ ଦୃଢ ପରିଚୟ । ସେ ମହାଶୟ ପ୍ରତିବର୍ଷ ଆମକୁ ଭ୍ରମଣରେ ନିଅନ୍ତି ସେହି ଗୋଟିଏ ଦିଗରେ, ପୁରୀ, କୋଣାର୍କ ଓ ନନ୍ଦନ କାନନ । ମନ୍ଦିରରେ ଖୋଦେଇ କାରୁକାର୍ଯ୍ୟ ଓ ବାଦ୍ୟ ନୃତ୍ୟର ବିଭିନ୍ନ ମୂଦ୍ରା ଦେଖି ସେ ତନ୍ମୟ ହୋଇଯାନ୍ତି ଓ ଭୋ ଭୋ କାନ୍ଦନ୍ତି ଦୀର୍ଘ ସମୟ ଧରି । ସେ ବୟସରେ ଏକଥାକୁ ସଠିକ ତର୍ଜମା କରି ହେଉନଥିଲା, ଆଜି କିନ୍ତୁ ନିଃସନ୍ଦେହରେ କହିପାରେ, ନର ରୂପରେ ସେ ଥିଲେ ଜଣେ ଗନ୍ଧର୍ବ । ବିଦ୍ୟାଳୟର ଶତବାର୍ଷିକ ଉତ୍ସବରେ ସମଗ୍ର ଭାରତୀୟ ଇତିହାସକୁ, ମହାଶୟ କ୍ଷୁଦ୍ର କ୍ଷୁଦ୍ର ମୂର୍ତ୍ତି ଆକାରରେ ପ୍ରଦର୍ଶିତ କରିଥିଲେ । ଅବସର ପରେ ଯାଜପୁରରେ ଥିବା ଦୁର୍ଲ୍ଲଭ ବରାହ ମନ୍ଦିରର ରକ୍ଷଣା ବେକ୍ଷଣ କରି ସେ ଗନ୍ଧର୍ବ ମୋକ୍ଷ ପ୍ରାପ୍ତ ।
ଚିତ୍ରକଳା, ଭାସ୍କର୍ଯ୍ୟ, ସାହିତ୍ୟ, ସଙ୍ଗୀତ ଓ ନୃତ୍ୟ; ପ୍ରତିଟି କ୍ଷେତ୍ରରେ ଯାହା ଶାସ୍ତ୍ରୀୟ ତାହା କାଳଜୟୀ ବା ଯାହା କାଳଜୟୀ ତାହା ଶାସ୍ତ୍ରୀୟ। ସେହି ଓଡିଶୀ, ଭାରତ ନାଟ୍ୟମ, କଥାକଲି, କଥକ ଓ ଇତ୍ୟାଦି ଶାସ୍ତ୍ରୀୟ ନୃତ୍ୟ ତାଙ୍କର ସ୍ୱଆସନେ ଅଧିଷ୍ଠିତ ଅଥଚ ସମୟକୁ ସମୟ ଭିନ୍ନ ଭିନ୍ନ ନାମରେ ଅନେକ ପ୍ରକାର ଆଧୁନିକ ନାଚ ଆସୁଛି, ଦୁଇ ଚାରି ବର୍ଷ ଲୋକପ୍ରିୟ ରହି କେଉଁଆଡେ ଉଭାନ ହୋଇ ଯାଉଛି ।
କଦାଚିତ ମନେହୁଏ ଆମ ଓଡିଶୀ ନୃତ୍ୟର ସମସ୍ତ ଆଲୋଚିତ ଗୁରୁ ତ ଏହି ଆଧୁନିକ ଯୁଗର, ତାହେଲେ ସେମାନଙ୍କ ପୂର୍ବରୁ ଏ ନୃତ୍ୟ କଣ ବିଲୋପ ହେବାକୁ ଯାଉଥିଲା! ଏହା ପ୍ରଥମ ଥର ହୋଇ ନଥିବ, ଏମିତି ହୋଇଥିବ ବାରମ୍ବାର । ବାର ବାର ଜନ୍ମ ନେଇଥିବେ ଗୁରୁ ପଙ୍କଜ ଚରଣ ଦାସ, ଗୁରୁ କେଳୁ ଚରଣ ମହାପାତ୍ର ଓ ଗୁରୁ ଦେବପ୍ରସାଦ ଦାସ ।
ଭାରତୀୟ ସଂସ୍କୃତିରେ ଜୀବନଧାରଣର ଏମିତି କିଛି ବିଭବ ନାହିଁ ଯାହାର ପଶ୍ଚ୍ୟାତରେ ନାହିଁ ଶାସ୍ତ୍ର । ସେ ଶାସ୍ତ୍ରର ଆଧାର କୌଣସି ଜଣେ ଋଷିଙ୍କ ଜୀବନ ବ୍ୟାପି ତପସ୍ୟା ଓ ଗବେଷଣା; ତାହା ନାଟ୍ୟଶାସ୍ତ୍ର ହେଉ ଅବା ବାଦ୍ୟ, ସଙ୍ଗୀତ ଅଥବା ନୃତ୍ୟ, ତର୍କଶାସ୍ତ୍ର ଓଏପରିକି ନାସ୍ତିକ ଦର୍ଶନ ପର୍ଯ୍ୟନ୍ତ । ଅନେକ ଯୁଗ ଜିଇଁବାର ପ୍ରାଣଶକ୍ତି ଥାଏ ସେ ଶାସ୍ତ୍ରର ।
ଥରେ ଜଣେ ଜିଜ୍ଞାସୁ ପ୍ରଫେସର ମନୋଜ ଦାସଙ୍କୁ ପଚାରିଲେ, “ଆଜ୍ଞା, ମଜାଦାର ସାହିତ୍ୟ ପଢିଲେ ତାହାର ପ୍ରଭାବ କ୍ଷଣିକ ହେଉଥିବା ବେଳେ, କ୍ଳାସିକଟିଏ ପଢିଲେ ଖୁବ ଦୀର୍ଘ ସମୟ କେମିତି ଏହା ମନ ମଧ୍ୟରେ ଲାଖି ରହୁଛି?”
ଉତ୍ତର ଯାହା ହୋଇଥିଲା ଆକ୍ଷରୀକ ସ୍ମରଣରେ ନଥିଲେ ମଧ୍ୟ, ମୁଁ ଯାହା ବୁଝିଛି ତାହା ହେଲା; ପ୍ରେରଣା ପ୍ରସୂତ ସାହିତ୍ୟ ଉଚ୍ଚତ୍ତର ଉତ୍ସରୁ ଆସିଥାଏ ଓ ଏହାକୁ ସମ୍ପୂର୍ଣ୍ଣ ମନଗଢା କୁହା ନଯାଇପାରେ । ଏହାର ପ୍ରଭାବ ଦୀର୍ଘସ୍ଥାୟୀ ହେବାକୁ ବାଧ୍ୟ ।
ଏମିତି ପ୍ରେରଣାର ସ୍ତର କେତେ ବିପୁଳ ହୋଇ ଶାସ୍ତ୍ରମାନ ଧରାବତ୍ତରଣ କରିଥିବେ ଓ ସେ ଅନୁସାରେ ସେମାନଙ୍କ ସ୍ଥାୟୀତ୍ୱ ।
ଯୁଗେ ଯୁଗେ ଏ ପ୍ରେରଣାର ପ୍ରଭାବରେ ଆସିଛନ୍ତି କେତେ ନର ନାରୀ, କୌଣସି ପ୍ରତିକୂଳ ପରିସ୍ଥିତି ତାଙ୍କୁ ବିଚ୍ୟୁତ କରି ପାରିବ ନାହିଁ ଶାସ୍ତ୍ର ଆକର୍ଷଣରୁ ଓ ସାଧନାରୁ ।
ଅବଶ୍ୟ ହଁ, କେବେ କେବେ ବିଚ୍ୟୁତ କରିପାରେ ।
ଯୁବା ବୟସରେ ସାଥୀଟିଏ ଥିଲା, ନାମଟି ତାହାର ସରିତା । ଥରେ ଏକ ଫଟୋ ଦେଖାଇ କହିଲା, “ଚିହ୍ନିପାରୁଛ ଓଡିଶୀ ମୂଦ୍ରାର ଏ ଟିକି ଝିଅଟି କିଏ?” ସେ ଫଟୋଟିରେ ଥିଲା ଏକ ଶାସ୍ତ୍ରୀୟ ଆକର୍ଷଣ, ଏକ ଚମକ । କହିବା ବାହୁଲ୍ୟ ସେ ନିଜେ ହିଁ ସେ ଚମକର ଅତୀତ ସଂସ୍କରଣ । ସାତ ବର୍ଷ ବୟସରେ ମଞ୍ଚ ଉପରେ ଶେଷ ନୃତ୍ୟ ଓ ଆଉ କିଛିବର୍ଷ ସୌଖୀନ ଶିକ୍ଷା ଲାଭ କଲାପରେ ଘୁଙ୍ଗୁର ଓ ଅନ୍ୟାନ୍ୟ ଉପକରଣ ସାଇତା ହେଲା ସିନ୍ଦୁକ ମଧ୍ୟରେ । ଏଣିକି ପାଠ ମାଡିଲା । କଥାଟିର ମର୍ମ ବୁଝିବା ଯଦିଓ ମୋ ପକ୍ଷେ ସମ୍ଭବ ନଥିଲା ତଥାପି ଏତିକି ବୁଝିଥିଲି ମନ ତାହାର ଆଉଟୁ ପାଉଟୁ ହେଉଥିଲା ।
ଚାର୍ଲସ ଡିକେନସଙ୍କ କହିବା ଅନୁସାରେ ଗୋଟିଏ ସହରର ଏକ ସାହିରେ ଘଟୁଥିବା କିଛି ଘଟଣା ଆର ସାହିକୁ ଅଜଣା, ଗୋଟିଏ ଘରର ଘଟଣା ପଡୋଶୀ ଅବା କଣ ଜାଣେ, ଗୋଟିଏ ଘରର ପ୍ରତିଟି କୋଠରୀର ଘଟଣା ଅନ୍ୟ କୋଠରୀ ଠାରୁ ଗୁପ୍ତ ଓ ସେମିତି ଗୋଟିଏ କୋଠରୀରେ ରହୁଥିବା ଦୁଇ ପ୍ରାଣୀ ଅବା ପରସ୍ପରକୁ କେତେ ବୁଝିଛନ୍ତି! ଏକହିଁ ସମୟରେ ଦୁହେଁ ହୁଏତ ଦୁଇ ବିପରୀତ କଥା ଭାବୁଥାନ୍ତି ।
ସେହି ସରିତା ସହ ଘର ସଂସାର କରିବାର ଦୀର୍ଘ ବର୍ଷ ବିଗତ, ଅଥଚ ଡିକେନସଙ୍କ ଉକ୍ତିର ସତ୍ୟତା ବୁଝିବା ହେଲା ଅର୍ଦ୍ଧଶତକ ବୟସ ପାର ହେଲା ପରେ ।
କେବେ କେବେ କଥା ପ୍ରସଙ୍ଗରେ ସେ ନାଚ କଥା ହୁଏ । ସୁଯୋଗଟିଏ ପାଇଲେ ନାଚିଯାଏ କିନ୍ତୁ ଶାସ୍ତ୍ରୀୟ ନୃତ୍ୟ ଓଡିଶୀ ଯେ କେବେ ତା କଳ୍ପନାୟତ୍ତ ହେବ ସେ କଳ୍ପନା ମୋର ନଥିଲା ସମ୍ଭବତଃ ତା ନିଜର ବି ନଥିଲା ।
ହଠାତ ଦିନେ କଥାର ଗୌରଚନ୍ଦ୍ରୀକା ଲଗାଇ କହିଲା ଯେ ତୁମେ ତ ଲେଖାଲେଖି କରୁଛ, କହିଲ ଦେଖି ବିପଞ୍ଚି ମାନେ କଣ? ତହୁଁ ଏକ ଲମ୍ବା ଆଲୋଚନା । ଓଡିଶୀ, ଗୁରୁ ଦେବପ୍ରସାଦ ଦାସ, ତାଙ୍କ ସୁଯୋଗ୍ୟା କନ୍ୟା ସୁଶ୍ରୀ ବିପଞ୍ଚି ଦାସ, ତାଙ୍କ ନୃତ୍ୟ ପାଠଶାଳା ଦେବାଙ୍ଗନା; ଏମିତି ଅନେକ କିଛି । ଶେଷରେ କହିଲା କି, ମହାଶୟା ବିପଞ୍ଚିଙ୍କୁ ଗୁରୁକରି ସେ ଓଡିଶୀ ଶିକ୍ଷା ପୁନରାବୃତ୍ତି କରିବାକୁ ଚାହୁଁଛି । ଅମଙ୍ଗ ହେବାର କାରଣ ବା କଣ ଅଛି । ଚିକିତ୍ସକର ବ୍ୟସ୍ତ ଜୀବନରେ ଆଉ ଏକ ବ୍ୟସ୍ତତା ମିଶାଇ ଦେବା କିମ୍ବା ବ୍ୟସ୍ତ ସମୁଦ୍ରରେ ପୁଣି ଏକ ଲହଡି ବଢିବାରେ ବ୍ୟସ୍ତ ହେବାରେ କଣ ଅଛି!
ହଠାତ କାହିଁକି ମନେ ପଡିଗଲା, କଲେଜ ବେଳେ ସାଥୀ ମୟୁରୀ ପାଣ୍ଡୁ କେମିତି ସୁନ୍ଦର ଓଡିଶୀ ନାଚୁଥିଲେ ଅନେକ ଥର । ମନେ ପଡିଲା ସ୍ପିକ ମାକେ କାର୍ଯ୍ୟକ୍ରମରେ ଦେଖିଥିବା ମହାନ କଳାକାରଙ୍କ ପରିବେଷଣ । ଆହୁରି ମନେ ପଡିଲା ଏକ ଜାତୀୟ ସମ୍ମିଳନୀରେ ଜଣେ ବୟସ୍କା ଡାକ୍ତରାଣୀଙ୍କ ଦୀର୍ଘ ସମୟର ନାଚ । ମନେହୁଏ ସେ ନୃତ୍ୟ ଦେଖିବା ଦିନ ସରିତା ବି ଉଦବୁଦ୍ଧ ହୋଇଥିଲା ।
କହିବାର ଉଦ୍ଦେଶ୍ୟ ଶାସ୍ତ୍ରୀୟ ସାଧନାର ଆକର୍ଷଣ ଓ ସାଧାରଣ ମନରେ ଏହାର ପ୍ରଭାବ ବହୁତ ଭିନ୍ନ । ଯଦି ସେ ଅନ୍ୟ କିଛି କରିବାକୁ ଅଳି କରିଥାନ୍ତା ତାହାର ପ୍ରଭାବ ମୋ ଉପରେ ପଡିନଥାନ୍ତା ।
ଇଛା ଯଦି ଘୋଡା ହୋଇଥାନ୍ତା ତାହେଲେ ବୟସ କିଛି ଫରକ ଆଣନ୍ତା ନାହିଁ, ବୟସ କେବଳ ଏକ ସଂଖ୍ୟା କହିବା ଏକ ଆତ୍ମ ପ୍ରବଞ୍ଚନା । ଦିନାକେତେ ଶିଖିଲା ପରେ ଶାରିରୀକ ଅସୁସ୍ଥତା ତାହା ପୁଣି ଆଣ୍ଠୁରେ ହେଲା । ବନ୍ଦହେଲା ଏ ଲଳିତ ପ୍ରୟାସ ।
ଅନେକ କାଳ ବିତିଗଲା ।
ଭୁଲିଯିବା ଠାରୁ ବଡ ବରଦାନ କଣ ଅବା ଅଛି!
ବୁଝିଲ, ଗୁରୁ ବିପଞ୍ଚି କହିଛନ୍ତି ଏକ ଓଡିଶୀ ଅଭିନୟ କରିବାକୁ, ବେଶି କଠିନ ନୁହେଁ ମ । କହିବା ବାହୁଲ୍ୟ ସେତେବେଳକୁ ପୁନର୍ଭ୍ୟାସ ଆରମ୍ଭ ହୋଇଯାଇଥାଏ ।
ସମୟକ୍ରମେ ଗୁରୁଙ୍କୁ ବି ଦେଖିଲି । ଗୁରୁ ତ ସବୁବେଳେ ପ୍ରେରଣାର ଊତ୍ସ ତଥା ଉଦାହରଣ । ତାଙ୍କ ପିତାଙ୍କ କଳାର ଧ୍ୱଜା ବହନ କରି ଓଡିଶୀ ପ୍ରତି ସେ ସମର୍ପିତ । ତାଙ୍କ ଅନୁଷ୍ଠାନର ମୁଖପତ୍ର ଗବାକ୍ଷ ପାଇଁ ଲେଖାଟିଏ ଦେବାପାଇଁ ଅନୁରୋଧ କରନ୍ତି ସେ ।
ଆଜ୍ଞା ମୋତେ କହୁଛନ୍ତି ଏକ ଶାସ୍ତ୍ରୀୟ କଳାର ପତ୍ରିକାରେ ଲେଖିବା ପାଇଁ! ମୁଁ କଣ ଜାଣିଛି ଯେ ଲେଖିବି! ସେ ଉତ୍ସାହିତ କଲେ, ମୁଁ ବି ଝଲକାଏ ଲୋଭର ବଶବର୍ତ୍ତି ହୋଇ ପଡିଲି । ପ୍ରକୃତରେ ଯେ ଗୁରୁଜୀ ସେ ନିଶ୍ଚିତ ସେ ବିଦ୍ୟାଟି ହାସଲ କରିଛନ୍ତି, କେମିତି ଜଣଙ୍କୁ ଉତ୍ସାହିତ କରା ଯାଇପାରେ ।
ଏହା ମଧ୍ୟରେ ଗୁରୁଜୀ ଓ ତାଙ୍କ ଶିଷ୍ୟାଙ୍କର କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାହିତ । ଏହି ଛୋଟିଆ ଅଭିନୟଟି ଏକ ବିଶାଳ ଉପଲବ୍ଧୀ । ଏହାତ ଆଉ ହଟଚମଟ ଧର୍ମୀ ତୁଚ୍ଛା ମନୋରଞ୍ଜନ ନୁହେଁ ଯେ ଏହାର ପ୍ରଭାବ ତୁରନ୍ତ ହଟିଯିବ । ଏକ ଶାସ୍ତ୍ରୀୟ ନୃତ୍ୟର ପରିବେଷଣ ଈଶ୍ୱର କୃପାରୁ ହୁଏ । ଯାହା ଈଶ୍ୱରଙ୍କ କୃପା ତାହା ସାଧାରଣ ଲୋକଙ୍କୁ ପ୍ରଭାବିତ ନକରିବ କେମିତି?
ପୁଣି, ତାହାର ଏ ଦୃଢ ମନୋବଳର ତରଙ୍ଗରେ ତରଙ୍ଗାୟିତ ହେଲେଣି ଆହୁରି ଅନେକ ମଧ୍ୟ ବୟସ୍କା କର୍ମଜୀବି; ଯେଉଁମାନେ ଠିକ ସେହି କାରଣରୁ ନୃତ୍ୟଶାସ୍ତ୍ର ତ୍ୟାଗ କରି ଅନ୍ୟାନ୍ୟ ବୃତ୍ତି ଉପଯୋଗୀ ପାଠ ଆପଣାଇ ଥିଲେ ।
ହୁଏତ ସେମାନଙ୍କ ମନର ବାତାୟନ ଓ ଦେବାଙ୍ଗନାର ଗବାକ୍ଷ ଏକ ସମତଳରେ ଅପେକ୍ଷାମାଣ ।
ଅଜ୍ଞ ବିଚାରରେ ଅନୁଷ୍ଠାନର ସର୍ବମଙ୍ଗଳ ମନାସୁଛି ଓ ଏ ରାଜ୍ୟର ଗର୍ବ ଗୌରବର ପ୍ରତିନିଧି ସମସ୍ତ ସମର୍ପିତ ଶିଳ୍ପୀଗଣଙ୍କୁ ଯଥାମାନ୍ୟ ଜଣାଉଛି ।
No comments:
Post a Comment