୭
ଗ୍ରୀଷ୍ମଛୁଟି ହେଲା । ମୁଁ ପ୍ରଥମେ ପାଇକାଳୀରେ ପହଞ୍ଚିଲି। ମୁଁ ଜାଣିନଥିଲି, ଏହା ମଧ୍ୟରେ ଘଟିଯାଇଥିଲା ଅତି ଦୁଖଦଃ ଘଟଣା । ଆମ ମାନଗୋବିନ୍ଦ ଏବଂ ତାଙ୍କ ସ୍ତ୍ରୀ ଗାଡି ଦୁର୍ଘଟଣାରେ ମୃତ ହୋଇଥିଲେ । ସେମାନେ ପ୍ରକୃତରେ ଲେଖାଯୋଖାରେ ମାୟାର ନିଜ ସମ୍ପର୍କୀୟ । ତାଙ୍କର ଥାଏ ଟିକି ପୁଅଟିଏ । ତା ଦାୟିତ୍ୱ ନେବାକୁ କେହି ନଥାନ୍ତି । ମାଆ ନିଜେ ତାକୁ ପାଳୁଥାନ୍ତି ।
ରାଜଧାନୀରେ ମାନଗୋବିନ୍ଦଙ୍କ ସହ ଦୁଇବର୍ଷର ସ୍ମୃତି ସଜୀବ ହୋଇ ଉଠିଲା । ଗାଆଁରେ ପତ୍ନୀଙ୍କୁ ଛାଡି ଆମ ରୋଷେଇ ପାଇଁ ରହିଥାନ୍ତି । କେବେ କେବେ ବିକଳ ହୋଇ କହନ୍ତି, -ବାବୁ, ମନଟି ଭଲ ଲାଗୁନି ଟିକେ ଗାଆଁ ଆଡେ ବୁଲି ଆସନ୍ତି ।
ମାୟାଧର ଅରାଜି ହୁଏ ମୋ ପଢା ଖରାପ ହେବ ବୋଲି । ମୁଁ ମାୟାକୁ ରାଜି କରାଏ । କେଜାଣି ମୁଁ କେମିତି ବୁଝିନିଏ ତାଙ୍କ ଯିବାଟି ଜରୁରୀ । ମଣିଷର ମନଟି କଣ ତାହା ମୋତେ ଅଧିକ ଜଣାଥାଏ ବୋଧେ । ତା ଛଡା ମୋର ଗୃହ ବିଭାଗଟି ଥିବାରୁ ମାନ'ଙ୍କ ସହ ବେଶି ଭାବଗତ ସମ୍ପର୍କ ଥାଏ । ମୁଁ ତାଙ୍କ ଛୁଟି ଯେମିତି ହେଲେ ମଞ୍ଜୁର କରିଦିଏ ଓ ତାଙ୍କ କାମଟି ତାଙ୍କ ଅନୁପସ୍ଥିତିରେ କରେ । ସେ ମୋତେ ମୁଣ୍ଡରେ ବସାଇଥାନ୍ତି । ମନଟି ବଡ ବିଚଳିତ ହୋଇ ପଡିଲା । କାହାର ଖବର ନରଖିଥିବାରୁ ନିଜକୁ ଦୋଷୀ ମନେକଲି । ମଣିଷ କେଡେ ସ୍ୱାର୍ଥପର, କାମ ସରିଗଲେ କିଏ କାହାକୁ ପଚାରେ । ମାନ ଚାଲିଗଲେ ସାଥିରେ ସ୍ତ୍ରୀଙ୍କୁ ନେଇ, ତାଙ୍କର ପୁଣି ଟିକି ପୁଅ ଅଛି! ଅଥଚ ମୁଁ ଜାଣିନି । ନିଜେ ଏତେ ଆତ୍ମକୈନ୍ଦ୍ରିକ! ସେଇଆ ନୁହେଁ ତ ଆଉ କଣ! ମନର ଆବେଗ ତରଳି ଯାଇ ଝରି ପଡିଲା ଦୁଇ ଆଖିରୁ ।
ପୁଣି ନିଜକୁ ପ୍ରକୃତିସ୍ଥ କଲି । ମୋ ଉଦ୍ଦେଶ୍ୟରୁ ବିଚ୍ୟୁତ ହେବାର ନାହିଁ । ମାଆଙ୍କୁ କହିଲି, ଏଥର ଭାଉଜ ଆଣିବା । ଭାବିଲି, ଏ ବିଷମ ପରିସ୍ଥିତିରେ ମାଆଙ୍କ ମନକୁ କଥାଟି ପାଇବ । ସେ ଭାବି ପାରନ୍ତି କି ମାୟା ବାହାହେବାକୁ ଚାହିଁଲାଣି, ସୁମନ ତା ପାଇଁ ଓକିଲାତି କରୁଛି । ଭାବିଲେ ଭଲ । ଟିକେ ଟିକେ ରାଜନୀତି ଦୋଷାବହ ନୁହେଁ ।
କଥାଟି ଓଲଟା କାମ ଦେଲା । ମାଆ କହିଲେ, -ଏହାସମ୍ଭବ ନୁହେଁ । ନା, ଏ ଛୁଆଟି ଟିକେ ବଡ ନହେଲେ ଆମେ ସେମିତି କରିବା ନାହିଁ । ନଆସୁଣୁ ପରଝିଅ ହାତେ ଏତେ ବୋଝ ଲଦିଦେବା ଠିକ୍ ନୁହେଁ । ସେ ଘାବରେଇ ଯିବ । ମାୟାଧରର ବୟସ ମାତ୍ର ବାଇଶି । ଯାଉ ଆଉ ତିନିବର୍ଷ । ମୋ ବୟସ ଏମିତି କେତେ କି? ମାୟା ଜନ୍ମ ବେଳକୁ ମୋତେ ହୋଇଥିଲା ଏକୋଇଶ । ପୁଅ ବି ସେମିତି ଚାହୁଁଛି ।
ଆଉ କିଛି କହିବାର ନଥିଲା । ସବୁ ବୟସ ହିସାବ ପାଇଗଲି । ମୋ ବୟସ ମାତ୍ର ଉଣେଇଶ ପୁରିଲା । ମନେ ହେଉଥିଲା କିନ୍ତୁ, ଏକ ଯୁଗ ଜୀଇଁ ସାରିଲିଣି ମୁଁ । ମୋ ବିଶ୍ୱାସ ତୁଟିଗଲା କି ଆଉ ତିନିବର୍ଷ ଅପେକ୍ଷା କରିହେବ ନିଜ ପରିଚୟ ଲୁଚାଇବାରେ ।
କେଡେ ବିଶାଳ ହୃଦୟ ମାଆ ଓ ପୁଅଙ୍କର । ସେ ଘରର ଧୂଳିକଣା ବି ମୋତେ ବଡ ପବିତ୍ର ଲାଗିଲା । ମୁଁ ତାହାକୁ ମୁଣ୍ଡରେ ମାରିଲି ।
ଆମେ ଗ୍ରୀଷ୍ମାବକାଶର ବିଶ୍ବଭାରତୀଳ ପ୍ରକଳ୍ପ କାମ ଆରମ୍ଭ କଲୁ । କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଦିଆ ଯାଇ ନଥିଲା । ଆମେ ମିଳିମିଶି କଲୁ ‘ସୁମନ ମାୟାଧର’ ବ୍ୟାନରରେ । କଳାଟି ଥିଲା, ଏକ ଅସହାୟ ଶିଶୁ ଦିଗବଳୟରେ ଦେଖୁଛି ସୂର୍ଯ୍ୟଙ୍କୁ । ପିଲାଟିକୁ ସ୍ୱଭାବିକ ଶିଳ୍ପୀ ଦେଖୁଛି ତା ଛାଇପଟରୁ । ଏଣୁ ସେ ଅସ୍ପଷ୍ଟ । ତା ପରିସୀମାରେ ଏକ ଉଜ୍ଜ୍ୱଳ ବଳୟ । ଜଣା ନାହିଁ ତା ଜୀବନକୁ ଅନ୍ଧାର ଘୋଟି ଆସୁଛି ଅଥବା ନୂତନ ସୂର୍ଯ୍ୟ ଉଇଁ ଆସୁଛନ୍ତି । ଖୁସି ମନରେ ଦେଖିଲେଏହା ଦେଖାଯିବ ଏକ ଆଶାର ପ୍ରତୀକ । ଦୁଃଖ ମନରେ ଦେଖିଲେ ନିରାଶା । ଚିତ୍ରର ଶୀର୍ଷକ "ଅଂଶୁ" ।
ସେ କୁନିପୁଅର ନାମଟି ଥାଏ ଅଂଶୁ । ଅଂଶୁକୁ କୋଳେଇ ନେଲାବେଳେ ମୁଁ ଭାବୁଥିଲି ମୋ ଜୀବନ ଆକାଶର ପୂର୍ବାଶାରେ ନବ ରବି ଉଇଁ ଆସିଛି ।
"ଅଂଶୁ", ସେ ବର୍ଷର ଶ୍ରେଷ୍ଠ ପ୍ରକଳ୍ପ ହୋଇଥିଲା ।
ଏହାପରେ ଆମକୁ ଅନେକ ଏକାଦେମିକ୍ କାମ ମିଳିଲା । ସବୁ କାମ ଗ୍ରହଣୀୟ ହେଲା । ଅଚିରେ ମାୟାଧର ପାଇଲା ପାଠ୍ୟକ୍ରମ ବାହାରର ଡିପ୍ଲୋମା । ସେ ଏଣିକି ଆମ ବିଶ୍ୱଭାରତୀରେ ତଥା ଅନ୍ୟତ୍ର ପ୍ରଦର୍ଶନୀରେ ଏକକ ବା ଆମ ସହ ମିଶି ଭାଗ ନେବା ସମ୍ଭବ । ଏଇଟା ଏତେ ସହଜ ନୁହେଁ । ଆମ ବିଶ୍ୱବିଦ୍ୟାଳୟର ଏତେ ବର୍ଷର ଇତିହାସରେ ଏମିତି ଡିପ୍ଲୋମା ପାଇଥିଲେ ମାତ୍ର ଚାରିଜଣ । ମାୟାଧର ପଞ୍ଚମ ଚିତ୍ରକର । ତାପରେ ଆମେ ଆଉ ପଛକୁ ଫେରି ଚାହିଁନୁ ।
ଉପାଧି ପ୍ରାପ୍ତ ହେଲାପରେ ତୁରନ୍ତ ଟିଉଟର ପଦରେ ନିଯୁକ୍ତି ପାଇଲି ଅସ୍ଥାୟୀ ଭାବରେ । ତା ସହ ଉପାଧ୍ୟୁତ୍ତର ପାଠ ମଧ୍ୟ ପଢିଲି ।
ତା ପରେ ମୋ ଚାକିରି ସ୍ଥାୟୀ ହୋଇଗଲା ।
ପୁଣି ଏକ ଦ୍ୱନ୍ଦ୍ୱ । ଚାକିରି ସ୍ଥାୟୀ ହେଲାପରେ ନିଜର ପରିଚୟ ସମାଜକୁ ଦେବି ବୋଲି ମୋ ମନର କଥାକୁ ନେଇ ଦ୍ୱନ୍ଦ୍ୱ । ଆଉ ଅପେକ୍ଷା କରିହେବ ନାହିଁ । କିନ୍ତୁ ଏହାପରେ ଯେଉଁ ଝଡ ସୃଷ୍ଟିହେବ, ତାହାକୁ ସୁମନ ମୁକାବିଲା କରି ପାରିବ ତ! ଝଡ ହେବ ବିଶ୍ୱଭାରତୀରେ । ପ୍ରଳୟ ବି ହୋଇପାରେ, ମାୟା କେମିତି ଗ୍ରହଣ କରିବ! ଆଉ ମାଆ କିପରି ଭାବିବେ! ମହୁଲକୁସୁମରେ ମୋ ପରିବାର ଲୋକେ ପୁଣି କଷ୍ଟ ପାଇବେ । ମୋ ଗାଆଁ ଲୋକେ କଥାଟିକୁ କେମିତି ଗ୍ରହଣ କରିବେ! ହୁଏତ ଖବରକାଗଜରେ ଫର୍ଦ୍ଦ ଫର୍ଦ୍ଦ ଲେଖାହେବ । ଏମିତି ନାନାଦି ଭୟ ମୋ ମଗଜକୁ ଉଦବେଳିତ କରୁଥାଏ । କିନ୍ତୁ ମୋ ଭଳି ଭୁକ୍ତଭୋଗୀ କେବଳ ବୁଝିପାରିବ ଏସବୁ କେତେ ହାଲୁକା ଜୀବନର ସତ୍ୟକୁ ଲୁଚାଇ ରଖିବା ତୁଳନାରେ । ମୁଁ ଯେମିତି ମୁଁ ସେମିତି । ମୁଁ ନିଜକୁ ସର୍ବାଧିକ ଭଲ ପାଉଥିବାର ଅନୁଭବ କଲି । ଏହା ସ୍ୱାର୍ଥପରତା ନୁହେଁ । ଏହା ମୋର ମନର କଥା, ମୋ ଅନୁରକ୍ତି ସତ୍ୟ ପ୍ରତି । ଯାହାହେବ ପଛେ ମୁଁ ମୋ ଅଭିନୟରୁ ବାସ୍ତବ ଜୀବନକୁ ଫେରିବି । ଏତିକି କଥା, ମୋତେ, ମୋ ଭଳି ଆଉ ଜଣେ, ମୋ ଗାଆଁରେ କହିଥିଲେ; ଲକ୍ଷ୍ମୀମା ।
ମୁଁ ଚିନ୍ତାକଲି କୌଣସି ଏକ ପ୍ରଦର୍ଶନୀ କାଳରେ ମାୟା ସାଥିରେ ଯାଇଥିବ, ସେଇଠି ତାକୁ କହିବି । ଏମିତି କେତେ ପ୍ରଦର୍ଶନୀ ଗଲାଣି, ଆମେ ଅନେକ ଭ୍ରମଣ କରୁଛୁ ସାଥିରେ କିନ୍ତୁ ମୁଁ ପାରେନି । ଭୟ ହୁଏ, କାଳେ ମାୟାଧର ମୋତେ ତ୍ୟାଗ କରିଦେବ । ବେଳେବେଳେ ବଡ ଭାବୁକ ହୋଇଯାଏ । ସବୁ ସମୟରେ ଈଶ୍ୱର ମୋତେ ସହାୟତା ଦେଇଛନ୍ତି । ଭଲ ପଢିବା, ଲକ୍ଷ୍ମୀ ମାଆଙ୍କ ଉପଦେଶ, କଳାବୃତ୍ତି, ମାୟାଧର ପରି ସାଥୀ, ତା ମାଆଙ୍କ ପରି ଭଲ ମଣିଷ, କଳା ପ୍ରତିଷ୍ଠାନର ସଫଳତା, ମାୟାର ସାହାଯ୍ୟ, ସୁମନ ମିତ ଓ ମୋ ଉଚ୍ଚଶିକ୍ଷା ଏତେ ସବୁ ଥାଇ ମୁଁ କେଡେ ଅସହାୟ! ଆମେ ସାଥିରେ ବୁଲୁଛୁ ଅଥଚ ଏ ମନ ଓ ସେ ମନ ମଧ୍ୟରେ କଣ ଘଟୁଛି ତାହା ପରସ୍ପରଙ୍କୁ ଅଗୋଚର । ମୁଁ ଯାହା ମୁଁ ତାହା ହିଁ ଅଛି, ସେ ଯାହା ସେ ତାହା ହିଁ ଅଛି ଓ ଆମେ ଏତେ ସାଥୀ: ଅଥଚ ସତଟିଏ ପ୍ରକାଶ କରିଦେଲେ ପରିସ୍ଥିତି ବଦଳିଯିବ! ମାନେ, ପ୍ରତି ସମ୍ପର୍କ ଏକ ଗୋପନୀୟ ବୁଝାମଣା ଉପରେ ଖିଲିଖିଲି ହସୁଥାଏ! ଏମିତି ତ ହେବାକଥା ନୁହେଁ! ସତ ଯଦି ଏକ ସମ୍ପର୍କକୁ ଭାଙ୍ଗିଦେବ ତାହେଲେ ସେ ସମ୍ପର୍କଟିର ପ୍ରଗାଢତା ଅତି ସାମାନ୍ୟ ନୁହେଁକି? ମୁଁ ଅନ୍ୟମନସ୍କ ହୋଇପଡେ । କାମ ଚଳିବ କେମିତି? ସେ ତ ସ୍ୱଭାବିକ ତା ଖିଆଲ ମଧ୍ୟରେ ଥାଏ । ଅନେକ କଥା ଭୁଲିଯାଏ । ମୁଁ ସେମିତି ହେଲେ ଚଳିବ ନାହିଁ । ଏମିତି କଟିଗଲା ପ୍ରାୟ ଛଅ ମାସ ।
ମୁଁ କହି ନପାରିବାର ମୂଖ୍ୟ ପ୍ରତିବନ୍ଧକ ଥାଏ ମାୟାର ବିଭାଘରରେ ସମ୍ଭାବ୍ୟ ପ୍ରତିବନ୍ଧକ ।
ମୁଁ ପୁଣି ଥରେ ମାଆଙ୍କ ପାଖରେ ପ୍ରସ୍ତାବ ରଖିଲି ଯେ ମାୟାଧର ପାଇଁ କନିଆ ଖୋଜିବା । ମାଆ କହିଲେ ଯେ ସେ ତ ରାଜିହେଉନି, ଆହୁରି ସମୟ ମାଗିଛି । ଅଂଶୁ ଦଶ ବର୍ଷର ହେଲେ ଯାଇ ସେ ବାହାହେବ । କେଜାଣି, ସତ କି ଅଂଶୁର ବାହାନା ନେଉଛି ।
ମୁଁ ଏକ ଭିନ୍ନ ଚିନ୍ତାକଲି । ମୁଁ ନିଜେ ତାକୁ ନିଜର ପରିଚୟଗତ ନାନାଦି ସାମାଜିକ ଅସୁବିଧା ବାବଦରେ କହିବି ଓ ସେଥିପାଇଁ ସେ ବାହା ହୋଇଯିବା ଭଲ ବୋଲି ବୁଝାଇବି । ତାପରେ ଯାଇ ନିଜ ପରିଚୟ ସମାଜକୁ ଦେବି । କଥାଟି ଠିକ୍ ମନେହେଲା । ସତ୍ୟ ଓ ସାମାଜିକତା ମଧ୍ୟରେ ଏକ ସମନ୍ୱୟର ଏ ଯୋଜନା, ମୋ ମନକୁ ବ୍ୟାପକରୁ ବ୍ୟାପକତର କଲା । ମୁଁ ଏଥିପାଇଁ ମୋ ପ୍ରେମକୁ ବଳିଦାନ ଦେଉଛି, ସେ କଥା ବହୁତ ଛୋଟିଆ ଲାଗିଲା । ଅବଶ୍ୟ ଭାବିଲି ସେଇଟା ମୋ ବ୍ୟକ୍ତିଗତ କଥା । ମାୟା ତ ମୋତେ ସେମିତି ନଜରରେ ଦେଖି ନଥିବ, ଅତୟବ୍ ସେ କଷ୍ଟ ପାଇବାର ସମ୍ଭାବନା ନାହିଁ । ଭାବିଲି, ହଁ ମ, ମୋ ଭଳି ଲୋକେ କେତେ ଦୁଃଖକଷ୍ଟରେ ଅଛନ୍ତି, ସେ ତୁଳନାରେ ମୁଁ ଅନେକ କିଛି ପାଇଛି । କଥା ପକ୍କା, ମୁଁ କହିବି ମାୟାଧରକୁ ମୋ ପରିଚୟ ବାବଦରେ । ମୋ ମନର ଗୋପନୀୟ ବ୍ୟାକୁଳତାକୁ ନିଦ୍ରାରେ ଶୁଆଇ ଦେବି ।
Interest badhi badhi jauchhi. Puni kana hela.
ReplyDeleteThank you so much.
Deleteଉତ୍କଣ୍ଠା ରହିଲା ଆଗାମୀ ଅଧ୍ୟାୟ ପାଇଁ। ଲେଖିଚାଲନ୍ତୁ
ReplyDeleteଆପଣ ବହୁମୂଲ୍ୟ ସମୟ ଦେଇ ପଢୁଛନ୍ତି, ଉତ୍ସାହପ୍ରଦ ମନ୍ତବ୍ୟ ଦେଉଛନ୍ତି ସେ ପାଇଁ ସୁଖ ମିଳୁଛି। ମନଟି କୃତଜ୍ଞତାରେ ଭରି ଯାଉଛି।
Deleteପ୍ରଣାମ ମାମ୍, ଆନ୍ତରିକ ଧନ୍ୟବାଦ।
ଭାଗ ୪,୫,୬ ଓ ୭ ପଢ଼ିଲି
ReplyDeleteଉତ୍କଣ୍ଠା ବଢି ବଢି ଯାଉଛି।
ଘଟଣା ପ୍ରବାହ ଅତି ସୁନ୍ଦର ଓ ଚତୁରତାର ସହ ବର୍ଣ୍ଣନା କରା ଯାଇଛି ଯେମିତି ପାଠକ ବାନ୍ଧି ହୋଇ ରହିଯିବ । ଅପେକ୍ଷା ରହିଲା ପରବର୍ତ୍ତୀ ଭାଗକୁ......
ଏମିତି ଉତ୍ସାହପ୍ରଦ ବହୁମୂଲ୍ୟ ମନ୍ତବ୍ୟ ପାଇଁ ଆନ୍ତରିକ ଧନ୍ୟବାଦ।
ReplyDeleteAti unata chintadhara ra galpa.my name is Archana Mohanty.from Bhadrak.Sarita's school friend.
ReplyDeleteThank you so much, Archana mam. Felt so happy. Actually I have completed the novel, however sharing in piecemeal is helping me to do another round of editing. Such inspiring words build writers. Thanks again.
DeleteAti unata chintadhara ra galpa tia.7th bhaga padijiba pare au apeksha kariheunanhi
ReplyDeleteA beautiful mind can only feel and write like this. Your compassion, understanding and your ability at looking at things as they actually are and not as appear to be and Divine blessing have made your pen eternal. Stay blessed
ReplyDeleteThank you so much. I accept such kind words with humility only to remind me again and again about what is expected from me by my friends God has blessed me.
DeleteWow! Marvelous expression. I like such type of writing. Thanks a lot.
ReplyDeleteThank you do much. The next chapter is also published now. Please read. Your name is not showing sir/mam.
Delete👌ବହୁତ ଭଲ ଲାଗିଲା
ReplyDeleteThanks
Delete👍👍
ReplyDeleteThanks.
ReplyDelete