Search This Blog

Saturday, 24 October 2020

ସୁମନ ମାୟାଧର - ଭାଗ ୪ ଓ ୫।

(ଆଗରୁ ଆମେ ପଢିଛନ୍ତି, ସୁମନ ଓ ମାୟାଧର ରାଜଧାନୀ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ଏକ ପ୍ରକୋଷ୍ଠରେ ରହୁଛନ୍ତି। ଉଭୟ ଚିତ୍ରକର, କିନ୍ତୁ ସୁମନର ଧ୍ୟାନ ମୂଖ୍ୟତଃ ପାଠରେ ଓ ମାୟାଧରର ଚିତ୍ରକଳାରେ। ଦୁଇଜଣ ପରସ୍ପର ପାଇଁ ଆବଶ୍ୟକ ଓ ବେଶ୍ ଭଲରେ ଅଛନ୍ତି। ଏବେ ସେମାନେ ଶେଷବର୍ଷର ଛାତ୍ର)



 


ଛାତ୍ରାବାସରେ ଆମ ପ୍ରକୋଷ୍ଠର ପଂକ୍ତିଟି ବାହାର ରାସ୍ତାକୁ ଲାଗିଥାଏ । ସେହି ରାସ୍ତାରେ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ସକାଳ ସାତଟା ପୁର୍ବରୁ କଲେଜ ଯାଆନ୍ତି । ଆମ ଛାତ୍ରାବାସର ଦଶମ ଓ ଏକାଦଶ ଶ୍ରେଣୀର ପିଲାଏ ପ୍ରତି ଝରକା ପାଖରେ ରୁଣ୍ଡ ହୋଇ ସେମାନଙ୍କୁ ଅନାଇ ରହନ୍ତି ସବୁଦିନ । କଲେଜ ଝିଅଙ୍କୁ ହାଇସ୍କୁଲ ପିଲାଏ କିଛି ମନ୍ତବ୍ୟ ଦେବାକୁ ସାହସ କରୁନଥିଲେ ମଧ୍ୟ ନିଜ ନିଜ ମଧ୍ୟରେ ସେମାନଙ୍କ ବାବଦରେ କଥାହୋଇ ମଜା ନେଉଥାନ୍ତି । ଥରେ ଅଣ୍ଡିରିଚଣ୍ଡୀ ଝିଅଟିଏ ଚପଲ ଉଠାଇ ଅଖି ତରାଟିକହିଲା, -ମେଞ୍ଚଡ ଛୁଆ, ଗାଲ ଚିପିଦେଲେ ଦୁଧ ବାହାରି ପଡିବ, ଓଳିଆରୁ ଗଜା ହେଉଛ । ଦେଖିବ ତୁମ ହେଡ୍‌ମାଷ୍ଟ୍ରେଙ୍କୁ କହିବୁ । ପିଲାଏ ଯିଏ ଯୁଆଡେ ଦୌଡିଲେ । ପରଦିନ ଯେଉଁ କଥାକୁ ସେଇ କଥା । ସେ ଝିଅଟି ମଥାରେ ହାତପିଟି ମୁରୁକି ହସି ଚାଲିଗଲା, ଯେମିତି କହିଲା; ଏମାନଙ୍କ ବୟସକୁ ପାରିହେବ ନାହିଁ ।

ମାୟାଧର ଏ ଦର୍ଶକ ବର୍ଗରେ ନଥାଏ । ମୁଁ କିନ୍ତୁ ଝରକା ପାଖରେ ଦେଖେ । କେତେ କିସମର ବେଶ ପୋଷାକ, କେଶ ବିନ୍ୟାସ, ଚୁଡି, କାନଫୁଲ, ସରୁସରୁ ସୁନାଚେନ ଓ ରଙ୍ଗିନ ଚପଲ । ମୋତେ ଲାଗେ ପରୀମାନେ ଚାଲିଗଲେ, ମୁଁ ବି ଚାଲନ୍ତି ସେମିତି, ଦୁଇପାଖରେ ଲମ୍ବା ଲମ୍ବା ବେଣୀ ଝୁଲାଇ । ମୋ ବୟସଟି ଅମାନିଆ ହେଲାଣି । ମାୟାଧର ଏ ବାବଦରେ ମତେ କିଛି ପଚାରେ ନାହିଁ କିମ୍ବା ମୁଁ ବି ତାକୁ କିଛି କହେ ନାହିଁ । ହୁଏତ ଭାବୁଥିବ ସୁମନ ଏବେ ଟୋକା ଫିଟିଲାଣି, ଝିଅ ମାନଙ୍କୁ ନଜର କରୁଛି ।

ଆମେ ଦିହେଁ ଜଗବନ୍ଧୁ ସାରଙ୍କ ଘରକୁ ଅନେକବାର ଯାଉ, କେତେବେଳେ ଚିତ୍ରାଙ୍କନ ଓ ଆଉ କେତେବେଳେ ପାଠ ବୁଝିବାକୁ । ପୁଣି କେବେ କେବେ ସାର ତାଙ୍କ ଘରେ ପର୍ବପର୍ବାଣିରେ ଖାଇବାକୁ ଡାକନ୍ତି । ଜଗବନ୍ଧୁ ସାରଙ୍କ ଅତି ସୁନ୍ଦର ଝିଅଟିଏ ଥାଏ, ପିଙ୍କି । ସେ ମାୟାଧରର ଚିତ୍ରକଳା ମାନଙ୍କୁ ତାରିଫ କରେ । ସେସବୁକୁ ବୁଝାଇ କହିବାକୁ ଅଳି କରେ । ଆମକୁ, ଅର୍ଥାତ ମାୟାଧରକୁ ଦେଖିଲେ ତା ମଧ୍ୟରେ ଖୁସି ସ୍ପଷ୍ଟ ବାରି ହୋଇପଡେ ।  ଧୀରେ ଧୀରେ ମୋର କାହିଁକି ସନ୍ଦେହ ହେଲା ସେ ମାୟାଧରକୁ ଭଲ ପାଉଛି । ମାୟାଧର ବି ତା ସହ ହସିକି କଥା ହୁଏ । ମାୟାଧର ଭଳି ଚୁପଚାପ ପିଲା ପୁଣି ପିଙ୍କି ସହ ହସିହସି କଥା ହୋଇପାରେ! 

ମୁଁ ବିଚଳିତ ଅନୁଭବ କଲି । ରାତିରେ ନିଦ ହେଲାନାହିଁ । ଭୋକଶୋଷ ଭୁଲିଗଲି । ପାଠପଢାରେ ଏକାଗ୍ରତା ରହିଲା ନାହିଁ । ମୋ ମଧ୍ୟରେ ଏକ ହାହାକାର ଅବସ୍ଥା ଅନୁଭବ କଲି । ଲୁଚି ଲୁଚି ଖୁବ୍ କାନ୍ଦେ । ଆହାଃ, ମୁଁ ଯଦି ପିଙ୍କି ଭଳି ହୋଇଥାନ୍ତି! ମନେ ହେଲା ପିଙ୍କି ମୋ ମାୟାଧରକୁ ମୋଠାରୁ ଛଡେଇ ନେଉଛି । ମନେହୁଏ ଆହୁରି ଅନେକ କିଛି । ଆବିଷ୍କାର କରେ; ପିଙ୍କି ମାୟାକୁ ଭଲପାଉକି ନପାଉ, ମାୟା ତାକୁ ଭଲପାଉକି ନପାଉ, ମୁଁ ନିଶ୍ଚେ ମୋ ମାୟାକୁ ଭଲ ପାଉଛି । ଦିନେ ଭାବୁଥିଲି ସେ ମୋ ଭାଇ ଭଳି, ଆଉ ଦିନେ ମାଆ ଭଳି ତାକୁ ଖୁଆଇ ଦେଇଥିଲି । ଏବେ କିନ୍ତୁ ସେମିତ ନୁହେଁ, ବୁଝୁଥିଲି ମୁଁ ଏକ ପ୍ରସ୍ଫୁଟନମାଣ ମନ; ସେ ମନଟି ମୁଁ ଦେଇ ଦେଇଛି ମୋ ମାୟାଧରକୁ ।

ମୁଁ ବଡ କଷ୍ଟ ଅନୁଭବ କରେ । ଗାଆଁରେ ଥରେ କୌଣସି ପ୍ରସଙ୍ଗରେ ଜଣେ ବୁଢାସାଅନ୍ତ କହିବାର ଶୁଣିଛି, ନିଆଁ ପାଖରେ ଘିଅ ରହିଲେ ତରଳି ଯିବା ନିଶ୍ଚିତ । ଏବେ କଥାଟିର ମାନେ ବୁଝିପାରେ । ବାସ୍ ଆଉ କିଛି ନୁହେଁ, ମୁଁ କେବଳ ଏତିକି ଭାବେ; ମୁଁ ଯେ ନିଆଁ ନୁହେଁ ଘିଅ ଏତିକି ବୁଝୁ ମାୟାଧର । ତେବେ ମୁଁ ଖୁବ୍ ସତର୍କ ଥାଏ ଘିଅର ଗିନା ମଧ୍ୟରେ । ଗିନାକୁ ଆହୁରି ଗଭୀର କରେ ଯେମିତି ତରଳି ଡବ୍‌ଡବ୍ ଫୁଟିଲେ ମଧ୍ୟ ବାହାରକୁ ଛିଟିକିବ ନାହିଁ । ମୁଁ ପଛେ କଷ୍ଟ ପାଏ ମୋ ମାୟା ଏକଥା ନଜାଣୁ, ସେ କଷ୍ଟ ନପାଉ । ଏ ନିଷିଦ୍ଧ ଅଭିସାର ଯେଉଁ ମନ ମଧ୍ୟରେ ସୃଷ୍ଟି ସେଇଠି ତାହାର ବିଲୟ ଘଟୁ । ଭଗବାନଙ୍କୁ ଅଭିଶାପ ଦିଏ, ମୋ ମନଟାକୁ ଏମିତି କାହିଁକି କଲେ? ମନ ଓ ଶରୀର ମଧ୍ୟରେ ଏତେ ଫରକ ରଖିଲେ କେଉଁ ଅପରାଧରୁ ।

ପୁଣି ଦିନେ, ପଙ୍କିି, କଥା ହେଉ ହେଉ ମାୟାର ମୁଣ୍ଡବାଳ ସାଉଁଳେଇ ଦେଲା । ସେଦିନ ମୁଁ ଆଉ ସହିପାରିଲି ନାହିଁ । ଖୁବ୍‌କାନ୍ଦିଲି । ଲୁଚିକି ନୁହେଁ ମୋ ରୁମରେ, ମାୟା ସାମ୍ନାରେ । ସେ କିଛି ବୁଝିଲା । ଦୁଃଖକଲା । ପ୍ରଥମ ଥର ପାଇଁ ମୋତେ ବୁଝାଇଲା, - କାହିଁକି ଚିନ୍ତା କରୁଛୁ ତୋତେ ବି କେତେ ଝିଅ ସାଙ୍ଗ ମିଳିବେ କଲେଜ ଗଲେ, ତା ଛଡା ପିଙ୍କି ପ୍ରତି ମୋର ଟିକେ ମଧ୍ୟ ଦୁର୍ବଳତା ନାହିଁ । 

ମାୟା ଭାବୁଥିଲା ମୋର ଝିଅ ସାଙ୍ଗ ନାହିଁ ବୋଲି ମୁଁ ତାକୁ ଈର୍ଷା କରୁଛି । ତା କଥା ମୋତେ ସାନ୍ତ୍ୱନା ଦେଉନଥିଲା କିମ୍ବା ଦୁଃଖ ଦେଉନଥିଲା ।

ମୁଁ କିନ୍ତୁ ଅସୁସ୍ଥ ହୋଇ ପଡିଲି । ମାୟାଧର ମୋର ଅନେକ ଯତ୍ନ ନେଲା । ମୁଁ, ତା ସେବା ସୁଶ୍ରୁଷା କରିବା ଏକ ସାଧାରଣ କଥା ହୋଇଯାଇଥାଏ କିନ୍ତୁ ଏମିତି ଓଲଟା କଥା କେବେ ଆବଶ୍ୟକ ପଡିନଥିଲା । ମୋତେ ଖୁବ୍ ଭଲ ଲାଗୁଥିଲା । ଇଛା ହେଉଥିଲା ଏମିତି ବାରମ୍ବାର ଅସୁସ୍ଥ ହୁଅନ୍ତି କି । ପୁଣି ଭାବୁଥିଲି, ଏକାଦଶ ଶ୍ରେଣୀ, ଅସୁସ୍ଥ ହେଲେ ଚଳିବ ନାହିଁ । ସେ ମୋ କପାଳରେ ପାଣି ପଟି ପକାଉଥାଏ । ଆଉଁସି ଦେଉଥାଏ । ମୁଁ କଷ୍ଟରେ କି ଆନନ୍ଦରେ ଅବା ମନର କୋହରେ କଇଁକଇଁ ହୋଇ କାନ୍ଦୁଥାଏ । ମୁଁ ଉଠିବସିଲି । ସେ ମୋ ଲୁହପୋଛି ଦେଲା, ମୋ ମୁଣ୍ଡକୁ ତା ଛାତିରେ ଆଉଜାଇ ନେଲା । ମୁଁ ବି ଲୋଟିପଡିଲି । ମୋର ଅନୁଭବ ହେଲା ବିଚିତ୍ର । ଯେମିତି ଏକ ସ୍ୱଭାବିକ ଘଟଣା ଘଟିଗଲା । ମୋ ଦୁଃଖ ମଧ୍ୟରେ ବି ମୁଁ ଅନୁଭବ କଲି, ଏକ ବିଶାଳ ହୃଦୟରେ ମୁଁ ଶୋଭା ପାଉଛି । ମୁଁ ଖୋଜି ପାଇଛି ମୋର ଅବଲମ୍ବନ । ତେବେ ମୁଁ ପର ମୁହୂର୍ତ୍ତରେ ନିଜକୁ ସଚେତନ କରାଇନେଲି ଓ ଏଣିକି ସତର୍କ ରହିଲି ଆହୁରି ଅଧିକ ମୋ ନିଜ ଆୟତ୍ତରେ । 

ମୁଁ ସୁସ୍ଥ ହେଲି ।

ମୁଁ ଆହୁରି ଦାୟିତ୍ୱ ସମ୍ପର୍ଣ୍ଣ ବଡ ପିଲା ହୋଇ ଯାଇଥିଲି । ମାୟା, ତା ଘର, ତା ମାଆ ସବୁକିଛି ମୋତେ ନିଜର ନିଜର ଲାଗିଲେ ବି ମୁଁ ବୁଝିଥିଲି ଅବାସ୍ତବ ଆକାଶ କଇଁଆ ଖୋଜୁଛି । ବାମନ ହୋଇ ଚାନ୍ଦକୁ ହାତ ବଢାଉଛି । ଏତେ ବଡ ଖାନଦାନରେ ବିଧବା ମାଆ ଜଣେ କେତେ ଆଶା ନେଇ ପୁଅଟିକୁ ବଢାଇଛନ୍ତି । ସେମାନଙ୍କ ପରିବାର ହସଖୁସିରେ ଆଗକୁ ବଢିବ । ଅଥଚ ମୁଁ! ନିଜକୁ ତିରସ୍କାର କଲି । କାହାର ବିଶ୍ୱାସରେ ବିଷ ଦେବା ମୋ ଚରିତ୍ରର ଅଂଶ ହୋଇନପାରେ ।  ଧୀରେ ଧୀରେ ମୁଁ ଅଭିନୟ ମଧ୍ୟରେ ଆହୁରି ଅଭିନୟ କରେ । ମୁଁ ଲକ୍ଷ୍ମୀମା କଥା ମନେ ପକାଏ । ମୋର ପ୍ରଥମେ ଦରକାର ସରକାରୀ ଚାକିରି । 

ମୁଁ ମନକୁ ଦୃଢକରେ, ଘିଅ ପୁଣି ଜମାଟ ବାନ୍ଧିଯାଏ । ହେଲେ ସେଇଟିକି ଆଉ ପଥର ହୋଇପାରେ!

ମୁଁ ବୁଝିସାରିଥାଏ ପ୍ରତି କଥାରେ ମୁଁ ମୋ ବିନା ଦୋଷରେ ନିଜକୁ ହୀନ ମନେ କରୁଛି, କେତେବେଳେ ସମାଜର କଟାକ୍ଷରେ ଆଉ କେତେବେଳେ ଆପଣାର ଅଭାବ ବୋଧରେ । କଣ ପାଇଁ! ମୁଁ ଶପଥ ନିଏ ନା ମୁଁ ଯେମିତି ମୁଁ ସେମିତି । ମୁଁ ନିଜକୁ ପ୍ରଥମେ ପ୍ରଚୁର ଭଲପାଇବା ଦରକାର । ମୁଁ ବୁଦ୍ଧିମତୀ, କଳାକାର, ଦାୟିତ୍ୱସମ୍ପର୍ଣ୍ଣା ଓ ଜଣେ ଦକ୍ଷ ଖେଳାଳୀ; ମୁଁ କାହିଁକି ନିଜକୁ ହୀନ ମନେ କରିବି ଯେ । ନା ଆଉ ନୁହେଁ ।

ବାସ୍ତବିକ ମୁଁ ନବ ଜନ୍ମ ପାଇଲି । ମୁଁ ପୁଣି ନିଜକୁ ଭଲପାଇବା ଆରମ୍ଭ କଲି । କିନ୍ତୁ ନିଜକୁ ଯେତେ ଭଲ ପାଇଲେ ବି ମଣିଷ ତ ସ୍ୱୟଂସମ୍ପୂର୍ଣ୍ଣ ହୋଇନପାରେ । ସେ ଲୋଡିବ ସମାଜରୁ ଅନେକ କଥା । ଭାବନା ଓ ସମ୍ବେଦନକୁ ବିଜୟ କରିବ କେମିତି?

ମୁଁ ସିନା ବୁଝିନେଲି ମାୟା ମୋ'ଠୁ ସ୍ୱାଧୀନ, ତା ମାନେ ନୁହେଁ ମୋର କିଛି ପ୍ରତିକ୍ରିୟା ହେବ ନାହିଁ । କିନ୍ତୁସବୁ ଆଲୋଡନକୁ  ନିଜ ମଧ୍ୟରେ ଆୟତ୍ତ‌ କରିନେବା ମହତ ପଣିଆ, ଏତିକି କଥା ବୁଝିନେଲି ।

ଆମେ ହାଇସ୍କୁଲ ପାଶକଲୁ । ମୁଁ ବହୁତ ଅଧିକ ନମ୍ବର ରଖିଥାଏ । ମାୟାଧର ଦ୍ୱିତୀୟ ଶ୍ରେଣୀରେ ପାଶ କରିଥାଏ । ମାଆ ବହୁତ ଖୁସି ହୋଇ କହିଲେ ଉଭୟ ଏବେ କଲେଜରେ ପଢ । ମୋ ଘରେ ବି କହିଲେ, ପାଠ ପଢିବା ପାଇଁ । ବୃତ୍ତି‌ ଅବଧି ଶେଷ ହେଲା । ପଢିବି କେମିତି?

ମୁଁ ମନ କଥା ମନରେ ରଖିଥାଏ । କିଛି ଟଙ୍କା ଥାଏ । ଆମେ ମହାବିଦ୍ୟାଳୟରେ ଭର୍ତ୍ତି ହୋଇଗଲୁ । ତା’ର ରାଜଧାନୀ କଲେଜରେ କଳାରେ ଓ ମୋର ବିଜେବି କଲେଜରେ ବିଜ୍ଞାନରେ ।



ମୁଁ ବିଜେବି କଲେଜରେ ମୋ ସଞ୍ଚିିତ ଅର୍ଥରେ ନାମ ଲେଖାଇଲି । ଘରେ ସହଜରେ କହିଦେଲେ ପାଠ ପଢ । ମୁଁ ଦୂରରେ ରହିଲେ ସେମାନଙ୍କ ଶାନ୍ତି । ସେମାନେ ଭାବୁଥିଲେ ମୁଁ ଟିଉସନ କରି ପଢିବି । ବିଜ୍ଞାନ ପାଠ, ସମୟ ଅନ୍ୟ ଆଡେ ଦେଲେ ଅସୁବିଧା ହୋଇପାରେ । ପୁଣି କାହାଘରେ ଯାଇ ପଢାଇବା ଏତେ ସହଜ କଥା କି ମୋ ଭଳି ତଥାକଥିତ ଜଣେ ମାଇଚିଆ ପାଇଁ । ମୁଁ ଏ ଶବ୍ଦଟିକୁ ଆଦୌ ଭଲ ପାଉନଥିଲେ ମଧ୍ୟ ବିକଳ୍ପ ଶବ୍ଦଟିଏ ସ୍କୁଲବେଳେ ଜାଣିନଥିଲି । ବୁଝିଥିଲି, ମୁଁ ମାୟାଧର ନୁହେଁ କି ପିଙ୍କି ବି ନୁହେଁ । ଚାରିବର୍ଷ ସିନା ରୁମ ମଧ୍ୟରେ କାଟିଦେଲି ଏବେ ନିଜକୁ ଲୁଚାଇବା ସମ୍ଭବ ହେବା ଭଳି ମନେ ହେଉ ନଥିଲା । ଇଛା ହେଉଥିଲା ନା ଆଉ ନୁହେଁ, ମୁଁ ଯେମିତି ମୁଁ ସେମିତି ରହିବି । ପୁଣି ମନେ ପଡିଲା ଲକ୍ଷ୍ମୀମାକୁ ଦେଇଥିବା କଥାର ବି ଏକ ମହତ୍ୱ ଅଛି । ମାୟାଧର ସହ ଚଳି ଶିଖିଥିଲି । ପୁଣି ଛାତ୍ରାବାସରେ ନୂଆ ପିଲାଙ୍କ ସହ ରହିବା ମୋତେ ଅସମ୍ଭବ ଲାଗୁଥିଲା । ମୁଁ ସେତେବେଳକୁ କିଛି ପତ୍ରିକା ପଢି ଆମ୍ଭ ମାନଙ୍କ ସମ୍ପର୍କରେ ଅଧିକ ଜାଣିଲିଣି । ମନେହେଲା ଛାତ୍ରାବାସ ଓ ଛାତ୍ରୀ ନିବାସ ବାଦ ଆମ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରହଣି ବ୍ୟବସ୍ଥା ହେବା ଉଚିତ୍‌, ଛୋଟ ହେଉ ପଛେ ।

 ମୁଁ ବୁଝିଲିଣି ରାଜଧାନୀରେ ମୋ ଭଳି ଅନେକ ଅଛନ୍ତି । ସେମାନଙ୍କର ଏକ ସମାଜ ଅଛି । ଭାବିଲି ସେମାନଙ୍କୁ ଭେଟିବି, ସେମାନେ କିଛି ବୁଦ୍ଧି ଦେଇପାରନ୍ତି । ଶିକ୍ଷିତ ହିସାବରେ ମୋତେ ଲାଗିଲା, ମୋ ଭଳି ଲୋକଙ୍କ ଅଧିକାର ବାବଦରେ ଭାବିବା ଓ ସମସ୍ୟାର ଆଲୋଚନା କରିବା ମୋର ଏକ କର୍ତ୍ତବ୍ୟ । ବିଭିନ୍ନ କଲେଜରେ ଫର୍ମ ପକାଇବାକୁ ଗଲାବେଳେ ମୁଁ ବୁଝି ଯାଇଥିଲି ଚାରି ବର୍ଷର ସୁରକ୍ଷା ପରେ ପୁଣି ମୋତେ ଟାହିଟାପରା ଶୁଣିବାକୁ ପଡୁଛି । ମାଇଚିଆ ଶବ୍ଦର ଅନେକ ପ୍ରତିଶବ୍ଦରେ ମୋତେ ଟିପ୍ପଣି କଲା ସମାଜ; ଛକା, ରଙ୍ଗ, ହିଞ୍ଜିଡା, କିନ୍ନର, ବେଜୁ । ତଥାପି କିନ୍ତୁ ମୋତେ ଖୁବ୍ ଭୟ ଲାଗୁଥିଲା ମୋ ସମାଜର ଲୋକଙ୍କୁ ଭେଟିବାକୁ । ମୁଁ ରେଳ ଯାତ୍ରା କାଳରେ ଜାଣିଥିଲି ମୋ ଭଳି କେତେ ମଣିଷ ଭିକ୍ଷା ବୃତ୍ତି କରନ୍ତି । ମୋତେ ସେମିତି ବାଧ୍ୟ କରିବେ ନାହିଁ  ତ?

ମାଆ କହୁଥାନ୍ତି । ତୁମେ ଦୁହେଁ ଘରଭଡା ନେଇ ରୁହ । ରୋଷେଇଆ ରହିବ । ତୁମେ କେବଳ ପାଠ ପଢିବ । ସେ ନିଜେ ପାଇକାଳୀ ଛାଡି ରହିପାରିବେ ନାହିଁ; ଚାଷବାସ, ମନ୍ଦିର, ବନ୍ଧୁବାନ୍ଧବ ଓ ଆହୁରି ଅନେକ ଦାୟିତ୍ୱ । ମୁଖ୍ୟକଥା ହେଲା, ସେ ଭାବୁଥିଲେ ମୁଁ ତାଙ୍କ ପୁଅ ପାଖରେ ନରହିଲେ ସେ ଚଳି ପାରିବ ନାହିଁ । ପାଠ ପଢିବ ନାହିଁ । ସେ କିଛି ଭୁଲ ଭାବୁ ନଥିଲେ । ସେଇଟା ଠିକ୍ ଉପାୟ ଜଣା ପଡୁଥିଲା । କିନ୍ତୁ ମୋ ସ୍ୱାଭିମାନ ମୋତେ ବାଧା ଦେଉଥିଲା । ମନାକଲେ ମାଆଙ୍କ ମନଦୁଃଖ ହେବ । ସବୁ ଆଡୁ ଭାବିଲେ କିଛି ବୁଦ୍ଧିବାଟ ଦିଶୁ ନଥିଲା । ମାୟା ଏକ ସୁନ୍ଦର ପ୍ରସ୍ତାବ ଦେଲା । ଘର ଭଡାନେଇ ଏକ କଳା ପ୍ରତିଷ୍ଠାନ କରିବା । ଆୟ ହେବ ବୋଲି ଆମ ଭରସା ଥାଏ । ସେତେବେଳକୁ ‘ସୁମନ ମାୟାଧର’ ନାମରେ ବହୁତ କଳାକୃତି ଅନେକ ସମ୍ବାଦପତ୍ର ଓ ପତ୍ରିକାରେ ପ୍ରକାଶ ପାଉଥାଏ । କିଛି ଆୟ ଦେଉଥାଏ । ପରୀକ୍ଷାମୂଳକ ଭାବେ କିଛି କଳାକୃତି ବିକ୍ରି ମଧ୍ୟ ହେଉଥାଏ । ବିଜ୍ଞାପନ ଓ ଜନ ସଚେତନତା କାମ ବି ମିଳିବ । ଛାତ୍ର ସମାଜ ପାଇଁ ଏକ ଉଦାହରଣ ହେବ । ହୁଏତ ଆଉ କିଛି ଛାତ୍ର-ଶିଳ୍ପୀ ଯୋଗ ଦେବେ, ନିଜ ଗୁଜୁରାଣ ପାଇଁ । ମୁଁ ଜାଣିଥିଲି, ଯଦିଓ ଅଧିକାଂଶ ଆୟ ମାୟା ମାଧ୍ୟମରେ ହେବ ତଥାପି ମୋତେ କୌଣସି ଅସ୍ୱସ୍ତି ଲାଗିବ ନାହିଁ । କିଛିଟା ସାହାଯ୍ୟ ତ ମୁଁ କରିବି । ଘର ଦାୟିତ୍ୱ ନେବି । ମୁଁ ବଡ ପିଲା ହୋଇ ଯାଇଥିଲି, ମାୟାଧର ସହ ରହିବାରେ ସେମିତି କିଛି ନିଆଁ ଘିଅର ପ୍ରେମ ଭାବନା ଆଉ ନଥିଲା । ମତେ ଲାଗିଲା ମାୟାଧରର ଚକ୍ରଉହାଡରେ ରହିବା ବିଧି ନିର୍ଦ୍ଦେଶିତ ।

ମାଅଙ୍କ ମୂଳପୁଞ୍ଜିରେ ଜନ୍ମ ନିଏ, “ସୁମନ ମାୟାଧର ଚିତ୍ରକଳା ପ୍ରତିଷ୍ଠାନ” । ମୋ ସୁବିଧା ପାଇଁ ଘରଟି ନିଆ ଯାଇଥିଲା ଆମ କଲେଜ ପାଖରେ । ମାୟାଧର ସ୍ୱଭାବରେ ଅନେକ ପରିବର୍ତ୍ତନ ହୋଇଥିଲା । ସେ ଖୁବ୍ ଜିଦି ଓ ଜବରଦସ୍ତିଆ  ହୋଇ ଯାଇଥିଲା । ସଫା ସଫା କହିଦେଲା ତା ଉଦ୍ଦେଶ୍ୟ କି ମୁଁ ବିଜ୍ଞାନର ଛାତ୍ର ହୋଇଥିବାରୁ ମୂଖ୍ୟତଃ ପାଠ ପଢିବି, ପ୍ରତିଷ୍ଠାନ କଥା ବୁଝିବି ନାହିଁ, ଫଳ ଯେମିତି ଭଲ ହେବ, ପୁଣି ଯେମିତି ଡାକ୍ତରୀ ପାଠ ପଢିବି ।

ଅଭିମାନ କରି କହିଲି, -ଆଉ ତୁ? ତୁ ପଢିଲେ ମୁଁ ଖୁସି ହେବିନି କି?

ସେ ହସିଲା । ପୁଣି କହିଲା -ପାଠ! କେବଳ ମାଆକୁ ଖୁସି କରିବାକୁ ପଢୁଛି । ପାଶ କରିଗଲେ ଗଲା । ମୋର ମୂଳଲକ୍ଷ କଳା ଓ ବ୍ୟବସାୟ । ଆଗକୁ ତୁ ଡାକ୍ତରୀ ପଢିଲେ କେତେ ଟଙ୍କା ଦରକାର ହେବ ଜାଣିଛୁ? ରୋଜଗାର ଦରକାର ।

ମୁଁ ଆଦୌ ସେମିତି ଭାବୁନଥିଲି । ମୁଁ ଚାହୁଁଥିଲି ଶୀଘ୍ର ସରକାରୀ ଚାକିରି । ଡାକ୍ତରୀ ପଢିଲେ ବହୁତ ଦିନ ଲାଗିବ । କିନ୍ତୁ ତା କଥାରେ ହଁ ଭରିଲି । ମୁଁ ତା ମନରେ ଦୁଃଖ ଦେବାକୁ ଚାହୁଁ ନଥିଲି । ମନକଥା ମନରେ ରହିଲା ।

-କିନ୍ତୁ ଦେଖ୍‌, ରୋଷେଇଆ ସିନା ରୋଷେଇ କରିବ, ଘର ଦାୟିତ୍ୱ ମୋର, ମୁଁ ହସି ହସି କହିଲି । ସେ ପୁଣି ଥରେ ହସିଲା ।

ଆଉ ଥରେ ଶପଥ ନେଲି ମୁଁ ନିଖୁଣ ଅଭିନୟ କରିବି, ନିଜ ମଧ୍ୟରେ ନିଜକୁ ଛୁପାଇ ଦେବି ସମାଜ ସହ ଲୁଚକାଳି ଖେଳି । ଦୀର୍ଘଶ୍ୱାସଟିଏ ବାହାରି ଆସିଲା ହୃଦୟର ନିଭୃତ କନ୍ଦରରୁ ।

ଆମ ବ୍ୟବସାୟ ସଫଳ ହୁଏ । ଦୁଇଜଣ ଇଣ୍‌ଟରମିଡିଏଟ୍ ଛାତ୍ରଙ୍କ ଏ ଅଭିନବ ଉଦ୍ୟମ ଆଲୋଚିତ ହୁଏ ସହରରେ । ବଡ ଅଜବ କଥା, ନିଜେ ଜଣେ ଶିଳ୍ପୀ ହୋଇ ନିଜ ନାମର ପ୍ରତିଷ୍ଠାନରେ ବୃତ୍ତିଗତ ଭାବେ ପ୍ରାୟତଃ ସାମିଲ ନଥାଏ । କଲେଜ ଯାଏ, ପାଠ ପଢେ, ଘରକୁ ଆସେ ରୋଷେଇଆ ମାନଗୋବିନ୍ଦକୁ ଧରି ଖାଇବା ପିଇବା କଥା ବୁଝେ, ଘର ଓ ପ୍ରତିଷ୍ଠାନର ସାଜସଜା କରେ ପୁଣି ଡେରି ରାତିଯାଏ ପାଠ ପଢେ । ମାୟାଧର ଚିତ୍ରଶିଳ୍ପରେ ବୁଡି  ରହେ, ଭଲ ଗରାଖ ଯୋଗାଡ କରେ ତା ବିଶେଷ କାମକୁ ବିକିବା ପାଇଁ; କଲିକତା, ବମ୍ବେ ଓ ଦିଲ୍ଲୀକୁ ଯାଏ ।  କେତେ ଜଣ ଛାତ୍ର ପ୍ରଶିକ୍ଷଣ ନିଅନ୍ତି । ଆଉ କେତେଜଣ ଛାତ୍ର କଳାକାର କାମ କରି କଲେଜ ଖର୍ଚ୍ଚ ଉଠାନ୍ତି । ମୋଟାମୋଟି ଭଲ ଆୟ ହୁଏ । ଆୟ ମାୟାର, ଖର୍ଚ୍ଚ ସୁମନର । ମୋତେ କିନ୍ତୁ କିଛି ମାଡି ପଡେନି । ଏତେ ବର୍ଷର ଚଳନିରେ ଏମିତି ଆପଣାର ଭାବ ଆସି ଯାଇଥାଏ ।

ମୁଁ ତା ପଢାକଥା ମନେ ପକାଇଦେଲେ, ଏ କାନରେ ପୁରାଇ ସେ କାନରେ ବାହାର କରିଦିଏ । ସବୁବେଳେ କହେ, ଆଗକୁ ବହୁତ ଟଙ୍କା ଦରକାର, ତୁ ଡାକ୍ତରୀ ପଢିବୁ ।

ମୁଁ ହସିଦିଏ । ମନର କଥା ମନରେ ରଖେ । ଲକ୍ଷ୍ମୀମା କିଛି ନାକରା କଥା କହିନି, ମୋର ଦରକାର ଶୀଘ୍ର ଏକ ମର୍ଯ୍ୟାଦାପୂର୍ଣ୍ଣ ସରକାରୀ ଚାକିରି । ସେ ସମୟ ଆସୁ, ଏବେଠୁ କାହିଁକି ତା ମନରେ କଷ୍ଟ ଦେବି!

ନୂଆବର୍ଷ ପୂର୍ବରୁ ଆମର ଦୁଇଟି ଅଭିନନ୍ଦନ ପତ୍ରକୁ କିଣି ନେଇଥାଏ ବିଶିଷ୍ଟ ଗ୍ରୀଟିଙ୍ଗ୍‌ସ କମ୍ପାନୀ ଆର୍ଚ୍ଚିଜ୍ । ‘ସୁମନ ମାୟାଧର’ ନାମଟି ଖ୍ୟାତ ହେବା ଆରମ୍ଭ କରିଥାଏ ।

ଦୁଇ ବର୍ଷ ଚାହୁଁ ଚାହୁଁ ଚାଲିଗଲା । ମୁଁ ଖୁବ ବେଶି ନମ୍ବର ରଖି ପ୍ରଥମ ଶ୍ରେଣୀ ପାଇଥିବା ବେଳେ ମାୟାଧର ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥାଏ ।

ଘରେ ଖୁସି ହେଲେ । ମାଆଙ୍କ ଖୁସି କହିଲେ ନସରେ ।


16 comments:

  1. Read the 4& 5th part in one flow.nice. I know exact storyline will come gradually

    ReplyDelete
  2. Thanks mam, probably the complexity is coming up.

    ReplyDelete
  3. ସୁନ୍ଦର ଭାବପୂର୍ଣ୍ଣ ଅଭିବ୍ୟକ୍ତି ସୁମନ ଚରିତ୍ରର ।
    ବହୁତ ଭଲ ଲାଗିଲା ।

    ReplyDelete
  4. ଖୁବ ସୁନ୍ଦର

    ReplyDelete
  5. ବହୁତ ଭଲ ଲାଗିଲା ସୁମନ ମାୟାଧର ପିଲାଦିନ ର ଅନୁଭୂତି ପଢି।
    ଅଗେଇଚାଲୁ ତାଙ୍କର kala ପ୍ରତିଷ୍ଠାନ ଆଗକୁ ଆଗକୁ।

    ReplyDelete
  6. ବହୁତ ଭଲ ଲାଗିଲା। ସତେଯେମିତି ନିଜସ୍ବ ଅନୁଭୂତି, ଯାହାକି ଅବର଼ନନୀୟ। ଲେଖକଙ୍କର ଲେଖା ଚାତୁରୀ ହିଁ ମନକୁ କିଣି ନେଉଛି।

    ReplyDelete
  7. ବଡ ଉତ୍ସାହପ୍ରଦ ଏ ମନ୍ତବ୍ୟ।

    ReplyDelete
  8. Replies
    1. ବହୁତ ଧନ୍ୟବାଦ। ଆଗକୁ ପଢିବାକୁ ନିମନ୍ତ୍ରଣ।

      Delete