Search This Blog

Saturday 5 December 2020

ଭାଗ ୨୦, ସୁମନ ମାୟାଧର। ଶବ୍ଦସଂଖ୍ୟା ୨୧୫୦

 ୨୦

ଏହା ମଧ୍ୟରେ ଅନେକ ଦିନ ଚାଲିଗଲାଣି, ମାୟାଧର କେବଳ ଯାହା ପୂର୍ବାହ୍ନ ସମୟ ଯାଉଥାଏ ଆମ ପ୍ରତିଷ୍ଠାନକୁ । ପରିଚାଳକ ଜଣେ ଅନେକ କଥା ବୁଝୁଥାନ୍ତି । ମୁଁ କେତେକାଂଶରେ ଉପଦେଷ୍ଟା ପ୍ରାୟ ପରିଚାଳକଙ୍କୁ ସହଯୋଗ କରୁଥାଏ । ମାୟା ଲାଗିଥାଏ ପ୍ରିୟ ଚିତ୍ରଟିରେ । ରଙ୍ଗ, ତୁଳୀ ଓ ଆଲୋକ ସହ ସେ ଏକାକାର ହୋଇଯାଇଥାଏ । ବ୍ୟକ୍ତିଗତ ଜୀବନ ପରିଚାଳନା, ନିଜର ସ୍ୱାସ୍ଥ୍ୟ, ପରିବାରର ଦାୟିତ୍ୱ, ମାଆ, ଅଂଶୁ ଓ ମୁଁ; କୌଣସି ପ୍ରତି ତାହାର ନିଘା ନଥାଏ । ଆମେ ତା କାମରେ କୌଣସି ବ୍ୟାଘାତ ସୃଷ୍ଟି କରୁନଥାଉ । ମୁଁ ମାୟାର ଖାଇବା ପିଇବା ଓ ଆନ୍ୟନ୍ୟ ଆବଶ୍ୟକତା ପୁରଣ କରିବାର ଦାୟିତ୍ୱ ନେଉଥାଏ । ଯେତେବେଳେ ସେ ଚିତ୍ରକଳାକୁ ନିରେଖି ଚାହେଁ ତାହା ମୋତେ ସମ୍ପୂୂର୍ଣ୍ଣ ଲାଗେ ଅଥଚ ପୁଣି ଅଧିକ କଣ ଚିନ୍ତା କରୁଛି ମାୟା! କିନ୍ତୁ ସେ ନୂଆ ବିନ୍ଦୁଟିଏ ଦେଲେ ତାହା ମୋତେ ଠିକ୍ ଲାଗେ । ଅନେକ ସମୟ ସେ କେବଳ ତନ୍ମୟ ଭାବେ ଦେଖୁଥାଏ । ପୁଣି ଭିନ୍ନ ଭିନ୍ନ ରଙ୍ଗର ଆଲୋକରେ ଅବଗାହନ କରୁଥାଏ କଳାଟିକୁ । କେବେ କେବେ ଦ୍ୱାର ବନ୍ଦ କରିଦିଏ, କଣ କରେ ସେ କଥା ସେ ଜାଣେ ।

ଏହା ମଧ୍ୟରେ ଯେତେ ଯାହା ଘଟିଯାଉଛି ତାହା ସେ ଜାଣୁନଥାଏ । କେବେ କେବେ ଅଂଶୁ ସେ ଘରକୁ ଯାଏ ବାପା ଓ ତାଙ୍କ କାମକୁ ଦେଖେ । ତାଙ୍କ ସାମ୍ନାକୁ ଆସି କାମ ବନ୍ଦ କରାଏ । ବାପ ପୁଅ ପରସ୍ପର ଗେହ୍ଲା ହୁଅନ୍ତି । ସେତିକିବେଳେ ଅଂଶୁ ତାକୁ କିଛି କିଛି କୁହେ, ତା ଛୋଟପିଲାର ମୁଣ୍ଡରେ । ଆଉ ବେଳେବେଳେ ହଠାତ୍ ସ୍ମରଣ  ହେଲା ଭଳି ମାୟା ମୋତେ କିଛି ପଚାରି ଦିଏ ଯାହା ପରିସ୍ଥିତିକୁ ଆଦୌ ଖାପ ଖାଏନି । ମୁଁ ହସି ଦିଏ । ମୋ ହସକୁ ସେ ଗ୍ରହଣ କରେ ବଡ ଅମାୟିକ ଭାବରେ, ସତେ ଯେମିତି କହେ, ହଁ ସମ୍ଭାଳୁଥା ସବୁକିଛି, ମୋତେ ଛାଡି ଦେ । ତା ଚାହାଣିରେ ଥାଏ କୃତଜ୍ଞତା, ଥାଏ ପ୍ରଚୁର ଶ୍ରଦ୍ଧା ଓ ପ୍ରତିଶ୍ରୁତି । ବୁଝି ପାରେନା କିଏ କାହା ପ୍ରତି କୃତଜ୍ଞ ହେବା କଥା । ମାୟାଧର ବିନା ମୁଁ ମୋର ଅଧୂନାତନ ସ୍ଥିତିକୁ କଳନା କରି ପାରେନା । ଜୀବନ ସାରା ସେ ମୋତେ ସାହାରା ଦେଇଛି । ଖୁଆଇବା, ପିଆଇବା ଖର୍ଚ୍ଚବାର୍ଚ୍ଚ ଦେବାର ସାହାରା କଥା ମୁଁ ଭାବେନି । ଦୁନିଆ ଠାରୁ ମୋତେ ଲୁଚାଇ ଦେବା, ଢାଲ ହୋଇ ଉହାଡ କରିବା, ମୋ ମନ ବୁଝିବା ଓ ମୂଖ୍ୟ କଥା ହେଲା ଏସବୁ ଏମିତି ସ୍ୱଭାବିକ କରିଚାଲିବା ଯେ କୌଣସି ସମୟରେ ମୋତେ ଅଣନିଶ୍ୱାସୀ ନଲାଗିବା କି ମୁଁ ତା ଉପରେ ବୋଝ । ଏଇଟା କଣ? ଜଣେ ବାପା ନୁହେଁ କି ଭାଇ ନୁହେଁ ଅଥଚ ଏଡେ ନିଜର, ତା ଅଶ୍ରା ସବୁବେଳେ ଶୀତଳତା ଭରି ଦେଇଛି ମୋ ପ୍ରାଣରେ!  ମୁଁ ମୋ ତରଫରୁ ଭାବିନିଏ, ତା ପ୍ରତି ମୋର ଗଭୀର ପ୍ରେମ ଭାବନା ମୋ କଢି ବୟସରୁ ମୋତେ ଏମିତି ଝୁଲାଇ ରଖିଛି ତା ବଳୟରେ । କେବଳ ଲୋକାଚାର, ତ୍ୟାଗ, କର୍ତ୍ତବ୍ୟ ଭାବନା ଓ ଯାବତୀୟ ସଚେତନ ଅହଂ ମୋତେ ବାରଣ କରିଛି ନା ଏମିତି ନୁହେଁ ସୁମନ୍ । ସେ ତୋର ନୁହେଁ, ତୁ ତାହାର ଯୋଗ୍ୟା ନୁହେଁ । ଭଲପାଇବାକୁ ମନ ମନ୍ଦିରରେ ସଜେଇ ଦେଇ ସାରା ଜୀବନ ପୂଜା କରିବାରେ ମୁଁ ବ୍ରତୀ । ଏ ଭାବନା ସଚେତନ ।

 ଅବଚେତନରେ ମୁଁ କଣ ଭାବେ ତାହା ତ ଜାଣେନି କିନ୍ତୁ ସ୍ୱପ୍ନ ଉପରେ ମୋର କଣ ଆୟତ୍ତ ଅଛି? ସ୍ୱପ୍ନ ମୋତେ ସଚେତନ କରିଦିଏ, ମୁଁ ମୋ ମାୟାକୁ ଭଲପାଉଛି, ଅଂଶୁକୁ ନେଇ ଆମ ସୁନ୍ଦର ସଂସାର, ମାଆ ଖୁବ୍ ଖୁସି । ଅମିନାକୁ ଏଠି ସମସ୍ତେ ଗ୍ରହଣ କରିନେଇଛନ୍ତି । ସମାଜ ଆମକୁ ଗ୍ରହଣ କରିନେଇଛି । ମୋ ପରିବାର ବହୁତ ଆଶ୍ୱସ୍ତ । ଆମେ ଦୁହେଁ  ବେଶ୍ ସୁଖରେ ଅଛୁ । ଏସବୁ ସ୍ୱପ୍ନ ଅନେକ ସମୟରେ ଆମ ଚିତ୍ରକଳା ଠାରୁ ଆହୁରି ସୁନ୍ଦର, ଯେମିତି ସହସ୍ର କୁସୁମର ସୁବାସ, ଇନ୍ଦ୍ରଧନୁଠୁ ରଙ୍ଗୀନ୍ ଓ ଖୋଦ ମାୟାର ବାହୁ ବନ୍ଧନ ଠାରୁ ଉଷୁୁମ । ତେବେ, ଏସବୁ ସ୍ୱପ୍ନ । କେଉଁଟି ବାସ୍ତବ, ମୋ ସଚେତନ ଅଗ୍ରାହ୍ୟ ବା ମୋ ସ୍ପପ୍ନର ଝିଲିମିଲି ପ୍ରାସାଦ ତାହା ମୁଁ କେମିତି କଳନା କରିବି? ପୁନଶ୍ଚ ଭଲମନ୍ଦ ଓ ସ୍ୱାଭିମାନର ପ୍ରଶ୍ନ ମୋ ସ୍ୱପ୍ନକୁ ନିମିଷକେ ଚୁରମାର କରିଦିଏ । ମୁଁ ଲଜ୍ଜିତ ଅନୁଭବ କରେ । ସତେ ଯେମିତି ଜବରଦସ୍ତିଆ ଅନଧିକାରର ଆଚରଣ ମୁଁ କରୁଛି ।

ଏମିତି ଭାବୁଭାବୁ ହଠାତ୍ କେତେବେଳେ ଅଂଶୁ ଆସି ଜାବୁଡି ଧରେ । -ମାମା ମାମା, ଆସନି ଦେଖିବ ଆମ ସ୍କୁଲରେ ଦେଇଥିବା ଚିତ୍ରଟି ମୁଁ କେମିତି ଆଙ୍କିଛି । 

ସ୍ୱପ୍ନ ଆଉ ବାସ୍ତବତା ମଧ୍ୟରେଏହା ଆଣିଦିଏ ଭିନ୍ନ ଏକ ବାସ୍ତବତା । ଏକ ତୃତୀୟ ଅବସ୍ଥା, ଠିକ୍ ମୋ ଭଳି, ମୋ ପରିଚୟର ଅସ୍ପଷ୍ଟତା ପରି । ଅଧ୍ୟାପିକା ସୁମନ ପ୍ରଧାନର ସ୍ପଷ୍ଟ ପୃଥିବୀ ମଧ୍ୟରେ ଘନ କୁହୁଡି; ମୁଁ କିନ୍ନର, ମୁଁ ସୁମନ କିନ୍ନର, ଅଂଶୁ ଓ ଅମିନାର ମାଆ । ଏଇଟା ବାସ୍ତବତା ଯଦିଓ ଏହା ଏକ ତୃତୀୟ ଅବସ୍ଥା । ମୁଁ ଈଶ୍ୱରଙ୍କୁ ଓ ଗୁରୁଙ୍କୁ ସ୍ମରଣ କରେ । କୁଣ୍ଢେ ମୋଟ ମନର ଏକ କୋଣମାତ୍ରରେ ଅଂଶୁକୁ କୋଳାଇ ନେଇ ଅନୁଭବ କରେ ମାତୃତ୍ୱର ସ୍ଫିତି । ଏ ସାରା ସଂସାରକୁ ତା ମଧ୍ୟରେ ଆବୋରି ନେବା ପାଇଁ ଯଥେଷ୍ଟ ସ୍ଥାନ । ମନେହେଲା ଅଂଶୁ ମଧ୍ୟରେ କାହ୍ନାର ବିଶ୍ୱବ୍ରହ୍ମାଣ୍ଡ ଓ ସେ କାହ୍ନାବି ଯଶୋଦା ସୁମନ’ର ପଣତ ତଳେ କେତେ ଛୋଟିଆ ।

କିନ୍ତୁ, ମାୟାଧର? ସେ କଣ ଭାବେ! ସେ କିଛିଭାବେ ତ! ଅପ୍ରକାଶ୍ୟ ଏକ ଅଦ୍ଭୁତ ମଣିଷର ମନ ମଧ୍ୟକୁ ଟିକିଏ ବୁଝି ପାରିବାର ଶକ୍ତି ହେଲେ ଥାଆନ୍ତା । ଛାଡ, ତା ମନ ମଧ୍ୟରେ ଯାହା ଥାଉ ନା କାହିଁକି ତାହା ଜାଣିବା ମୋର କି ଦରକାର? ତା ଉପରେ ମୋ ନିର୍ଣ୍ଣୟ ନିର୍ଭରଶୀଳ ନୁହେଁ । ମୁଁ ସଚେତନ ସବୁ ଉଦ୍ୟମ କରିବି ସେ ମୋତେ ମୁକ୍ତି ଦେଇ ତା ସୁଖ ସଂସାର କରୁ ।

କିନ୍ତୁ, ମୋ ମିତ, ମୋ ଭାଉଜ ଓ ସର୍ବୋପରି ମୋ ଗୁରୁଜୀ କହିଛନ୍ତି, ଅପେକ୍ଷା ମୋ କରଣୀୟ ଉପେକ୍ଷା ନୁହେଁ । କିନ୍ତୁ, ଏମାନେ ଗୁରୁତ୍ୱପୂର୍ଣ୍ଣ ହେଲେ ବି ବୃହ‌ତ୍ତର ସମାଜ ନୁହନ୍ତି । ମୋ ମନ କହୁଛି ରକ୍ତ ସମ୍ପର୍କ ନଥିବା ଏକ ଉଚ୍ଚପ୍ରାଣ ମଣିଷଠାରୁ ଯେତିକି ସଂଗ୍ରହ କରିଛି ସେତିକି ଶୁଝିବାକୁ କେତେ ଜନ୍ମ ଲାଗିଯିବ, ଆଉ ଅଧିକ ଧାରୁଆ ହେବା ଅନୁଚିତ । ଏତିକିବେଳେ ମନେ ପଡିଯାଏ; ମୂଳରୁ ତା ମନଟି ଜାଣିନି, ନଦୀ ଆହୁରି ଅନେକ ଦୂର, ନଦୀ ଗଭୀର କି ଶୁଷ୍କ ତାହା ନଜାଣି ନାଆ ଖୋଜିବାର କି ଆବଶ୍ୟକତା!

ମୁଁ  ପୁଣି ମୋ ସମ୍ପ୍ରଦାୟ କାମରେ ଅଣ୍ଟା ଭିଡିଥାଏ । ଭୁବନେଶ୍ୱରର ସମସ୍ତଙ୍କୁ ସୂଚନା ପୁସ୍ତିକାରେ ଅନ୍ତର୍ଭୁକ୍ତ କଲାପରେ, ଓଡିଶାର ଅନ୍ୟ ସ୍ଥାନରୁ ସୂଚନା ନେବା ଆରମ୍ଭ ହୋଇଥାଏ ।

କଲେଜରେ ଆମ ଚିତ୍ରକଳା ବିଭାଗର ଏକାଦେମିକ କାମ ଯେମିତି ପଛାଇ ନଯାଏ ସେ ପ୍ରତି ମଧ୍ୟ ଧ୍ୟାନ ଦେଉଥାଏ । ପ୍ରତି ମାସରେ ଗୋଟିଏ ଦୁଇଟି କର୍ମଶାଳା ଓ ପ୍ରଦର୍ଶନୀ ଆୟୋଜନ କରୁଥାଏ । ଆମ ପିଲାଙ୍କୁ ଭାରତର ବିଭିନ୍ନ ସ୍ଥାନକୁ ପଠା ଯାଉଥାଏ ପ୍ରଦର୍ଶନୀ ଓ ପ୍ରତିଯୋଗିତାରେ ଭାଗ ନେବାକୁ

ସେମାନଙ୍କ ପ୍ରଦର୍ଶନ ଭଲ ହେଉଥାଏ । କେବଳ ଚିତ୍ରକଳା ନୁହେଁ, କଳା ମହାବିଦ୍ୟାଳୟର ବିଭିନ୍ନ ବିଭାଗର କର୍ମଶାଳା ମାନଙ୍କରେ ପ୍ରାୟତଃ ମୁଁ ଉପସ୍ଥିତ ଥାଏ ଭିନ୍ନ ଭିନ୍ନ ଦାୟିତ୍ୱରେ । 

ଏକଦା ମନେ ରଖିବା ଭଳି କର୍ମଶାଳା ଆୟୋଜନ କରିଥିଲେ ଆମ ନାଟ୍ୟକଳା ବିଭାଗ । ଆଜି ସେ ସ୍ୱର୍ଗତାଃ। ଋତିପୂର୍ଣ୍ଣା ଘୋଷ କର୍ମଶାଳାଟିରେ ଥିଲେ ମୂଖ୍ୟ ଆକର୍ଷଣ । କର୍ମଶାଳା ଅତି ଉଚ୍ଚକୋଟୀର ହୋଇଥିଲା । ସେଥିପାଇଁ କିନ୍ତୁ  ଏହା ମୋର ସ୍ମରଣୀୟ ନୁହେଁ । ଘୋଷ ମହାଶୟାଙ୍କ ସହ ବ୍ୟକ୍ତିଗତ ଭାବେ ପରିଚିତ ହୋଇ ପାରିଲି । ଆମ ସମ୍ପ୍ରଦାୟ ବାବଦରେ ପରସ୍ପର ଅନେକ ଭାବ ଓ ବିଚାରର ବିନିମୟ, ଏହାପରେ ଅନେକବାର ସମ୍ଭବ ହୋଇଥିଲା । କିନ୍ତୁ ହାୟ, ଯଶସ୍ୱୀ ଘୋଷ ଅକାଳରେ ଚାଲିଗଲେ ହୃଦଘାତରେ ।  ତାଙ୍କ ଅବର୍ତ୍ତ‌ମାନରେ ମଧ୍ୟ ଆମ ସମ୍ପ୍ରଦାୟକୁ ଆଲୋକ ଦେଖାଉଛନ୍ତି ସେ । ଏ ଆତ୍ମଲେଖା ମାଧ୍ୟମରେ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।    

ଏମିତି ଅନେକ ବୃତ୍ତିଗତ କାମ ଏବଂ ଘର ଓ ବାହାର କାମ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ମୁଁ ଶିଖିଯାଇଥାଏ । ଚାହୁଁ ଚାହୁଁ ଜାଗର ଅମାବାସ୍ୟା ଆସିଗଲା । ଗାଆଁ ମନ୍ଦିରରେ ଏହା ପାଳନ କରାଯାଏ ବେଶ୍ ନିଷ୍ଠାର ସହ । ଏହାର ଆୟୋଜନ ପାଇଁ ମାଆ ପାଇକାଳୀ ଚାଲିଗଲେ ସାତଦିନ ଆଗରୁ । ସହାୟିକା ମଧ୍ୟ ଚାଲିଯାଇଛି । ମୋ ଯିବା ସମ୍ଭବ ହେଉନଥାଏ । ମାୟାଧର ତା କାମରେ ଏତେଦୂର ଏକାତ୍ମ ହୋଇଯାଇଥାଏ ଯେ ତା’ର ଖାଇବା ପିଇବାର ଯତ୍ନ ନେବାକୁ ପଡୁଥାଏ । ଶିବରାତ୍ରୀ ଆଗଦିନ ଅଂଶୁକୁ ମଧ୍ୟ ଗାଆଁରେ ଛାଡି ଆସିଲି । ମାୟାଧର ଓ ମୁଁ ପ୍ରତିବର୍ଷ ଏହିଦିନ ଉପବାସ କରୁ, ମନ୍ଦିରରେ ମହାଦୀପ ଉଠିଲା ପରେ ବ୍ରତ ଭାଙ୍ଗୁ । ଏଥର କଣ ଯେ କରିବି ବୁଝି ପାରୁନଥାଏ । ତାହାର ସମସ୍ତ ଉପାସନା ସେ କୋଠରୀ ମଧ୍ୟରେ ସୀମିତ । ଗତ ସପ୍ତାହରେ ଥରେ ହେଲେ ସେ ଆମ ପ୍ରତିଷ୍ଠାନକୁ ବି ଯାଇନି ।

ମୋ ସମ୍ପ୍ରଦାୟ ସହ ମିଶି ଏଥର ଜାଗର ବ୍ରତ ପାଳନ କଲି । ମହାଦୀପ ବହୁତ ଡେରିରେ ଉଠିଲା । ପୂଜାଭୋଗ ଧରି ଘରେ ପହଞ୍ଚିିଲି । ବାହାରୁ ମାରିଥିବା ତାଲା ଖୋଲି ପଶିଲି । ଦେଖିଲି, ମାୟାଧର ସେ ରାତିରେ ଗାଧୁଆପାଧୁଆ କରି ସେ କଳାକୃତି ସାମନାରେ ଦୀପଟିଏ ଜାଳୁଛି । ଘରଟି ପରିସ୍କାର, ସୁସଜ୍ଜିତ । ଉପକରଣ ସବୁ ଧୁଆଧୁଇ ହୋଇ ଯତ୍ନରେ ସୁରକ୍ଷିତ । ପ୍ରସନ୍ନତାର ଏକ ମୂର୍ତ୍ତିଭାବେ ଉଭା ତା ସମଗ୍ର ଚେତନା ଯେମିତି ଶିବମୟ ଦେଖାଯାଉଛି । ହାତରେ ଧରିଛି ନୂଆ କଜ୍ଜ୍ୱଳ ଡବାଟି ଯେଉଁଟି ମୁଁ ଏବେ ଏବେ ଆଣିଥିଲି । ସେମିତି ଠିଆ ହୋଇଛି । ମୁଁ ଅନେକ ସମୟ ଲକ୍ଷ କଲି । ସେ ଫେରିଆସି ଚଟାଣରେ ବସିଲା । କହିଉଠିଲା ନା ହେବନି । ସୁମନ ଆସୁ । ମୁଁ ଆବାଜ ଦେଲି, -ଆସିଯାଇଛି ମାୟା । ସେ ଯେମିତି ଭାବେ ମୋ ଆଡେ ଚାହିଁ ହସିଲା, ମନେହେଲା ଏତେ ଖୁସି ମୁଁ ତା’ଠି କେବେ ଦେଖିନଥିଲି ।

- ଆ ସୁମନ, ସେମାନେ ଚାହୁଁଛନ୍ତି ଜୀବନ୍ୟାସ ତୋ ହସ୍ତରୁ ପାଇବେ, ଚକ୍ଷୁଦାନ ତୁ କରିବୁ । ପ୍ୟାରିସର ଲୋଭ୍ରେ ମ୍ୟୁଜିୟମରେ ତୋ’ଠୁ ସେମାନେ ଆରମ୍ଭ ହୋଇଥିଲେ, ମନେ ଅଛି ନା? ଦେଖ୍ ଏତେକାମ ପରେ ବି ତୋର ସେ ପ୍ରଥମ ଛୁଆଁଟି ତା ମଧ୍ୟରେ ହଜି ଯାଇନି । ଆଜି ସମାପ୍ତି ତୁ କରିବୁ ।

ମୋର ପ୍ରଥମ ଭାବନା ଥିଲା ଏକ ସମାପ୍ତିର ସୁଖଦ ରୋମାଞ୍ଚ ।  ଦ୍ୱିତୀୟ ଭାବନା ଥିଲା ତା’ର ବହୁବଚନର କଥା;- ସେମାନେ ଜୀବନ୍ୟାସ ପାଇବେ । ଦୁଇଟି ଚକ୍ଷୁ, ଜଣେ ମାତ୍ର ଅର୍ଦ୍ଧନାରୀଶ୍ୱର ଦେଖୁଛି ସାମ୍ନାରେ । ମାୟା କହୁଛି ସେମାନେ ଜୀବନ୍ୟାସ...! ସେ ଯାହାହେଉ ମାୟା ଏବେ ମୁକ୍ତହେବ ଏହାଠୁ ଅଧିକ ଖୁସି କଣ ହୋଇପାରେ । ରାତି ଆଉ ଘଡିଏ ଅଛି, ଚାରିଆଡେ ଭକ୍ତିର ପରିବେଶ । ଚିରଦିନର ଦୁଇ ସହଚର, ଉଭୟ ବ୍ରତ କରିଛନ୍ତି, ନିଷ୍ଠା ଉପବାସରେ ଅଛନ୍ତି ଓ ହେବାକୁ ଯାଉଛି ଏକ ଯଜ୍ଞର ପୂର୍ଣ୍ଣାହୁତି । ମନେହେଲା ମୋ ପିଲାଦିନରୁ  ଥିବା ଅଭ୍ୟାସବଶତଃ କଜ୍ଜ୍ୱଳ ଲଗାଇବାକୁ  ଯାଉଛି, କୁହାଯାଏ ଅର୍ଦ୍ଧନାରୀଶ୍ୱରର ପ୍ରତୀକ ଆମେ । ସେହିଭଳି ଜଣେ କିନ୍ନର ଦେବତା, କୈଳାସପତି ମହାଦେବ ଯାହାଙ୍କୁ ଅନେକ ତପସ୍ୟା ପରେ ଆବାହାନ କରିଛି ମୋର ପରମମିତ୍ର ମାୟାଧର; ତାଙ୍କ ଚକ୍ଷୁଦାନ ତଥା ଜୀବନ୍ୟାସ ଦେବ ମୋର ଏ ଚର୍ମହସ୍ତ! ଅତି ଆନନ୍ଦରେ ମୁଁ ଶିହରି ଉଠିଲି । ଯେମିତି ସେ ଆନନ୍ଦ ମୋର ତନୁ, ମନ ଓ ପ୍ରାଣକୁ ଛୁଇଁଲା ପରେ ମୋ ଆତ୍ମାସହ ଏକାକାର ହୋଇ ଉଠିଲା । କିନ୍ତୁ, ବେସୁରା ଲାଗିଲେ ବି କହିପକାଇଲି, କାହିଁକି, ତୁ ଦେଉନୁ ।

ସବୁବେଳେ ମୁଁ ଏମିତି; ବିଶେଷକରି ମାୟା ପାଖରେ । କିଛି ଗୋଟେ ଭିନ୍ନ କହିବି ମୋ ଭିନ୍ନତା ପରି, ଯେଉଁଟି ସେ ବାଧ୍ୟହୋଇ ମାନିବ ଓ ମତେ ଲାଗିବ ମୋ ମତ ଭାଙ୍ଗି ଦିଆଯାଉନି, ମୋ ଗୁରୁତ୍ୱ ରହିବାର ଅଛି । ମନେହେଲା ଏମିତି କହି କେବେ କେବେ ଦୁଃଖ ଦେଇଛି ମାୟାକୁ । ଆଜି ପୁଣି ଏ ସୁଖର ସମୟରେ ମୋ ବଦଗୁଣ ଗଲାନି ।

ସେ ଧର୍ଯ୍ୟର ସହ ହସି କହିଲା, ସେତିକି ହେବାର ଥିଲେ କେତେବେଳ ହୁଅନ୍ତାଣି, ପାରୁନି । ସେମାନେ ସେମିତି ଚାହୁଁଛନ୍ତି ।

ଅଗତ୍ୟା ମୁଁ ସୂକ୍ଷ୍ମାତିସୂକ୍ଷ୍ମ ତୁଳୀ ଧରି, ଈଶ୍ୱରଙ୍କୁ, ଗୁରୁ ଜଗବନ୍ଧୁଙ୍କୁ, ଗୁରୁ ଗୋପିକୃଷ୍ଣାଙ୍କୁ ଓ ସାଥୀ ମାୟାଧରକୁ ସ୍ମରଣକରି ଏକ ବିଶ୍ୱସ୍ତରୀୟ କୃତିର ଶେଷସ୍ପର୍ଶ ଦେଲି । ମୋ ଅନ୍ତରରେ ପୁନଶ୍ଚ ଖେଳିଗଲା ଏକ ତରଙ୍ଗ । ସେ ଅନୁଭବର ତୁଳନା ନାହିଁ । ହୁଏତ ତାହା ମୋ ପାଇଁ ଥିଲା ଈଶ୍ୱର ପ୍ରାପ୍ତି ।

ମନ ମୋର ଖୁସିରେ ଭରିଗଲା । ମୁଁ ମାୟାକୁ ମହାଦେବଙ୍କ ପ୍ରସାଦ ଖୁଆଇ ଚାଲିଲି, ଯେମିତି ଅଂଶୁକୁ ଖୋଇଦିଏ, ଯେମିତି ଦିନେ ମାୟାକୁ ଖୁଆଇଥିଲି ସ୍କୁଲ ଛାତ୍ରାବାସର ଆମ କୋଠରୀରେ । ତାକୁ ପେଟଭରି ଖୁଆଇଲା ପରେ ବଳକାତକ ଥିଲା ମୋ ପାଇଁ ଯଥେଷ୍ଟ ।

ଏଥର ମୁଁ ଇଛାକଲି ବୁଝିବାକୁ ସେ କଳାକୃତିକୁ । ମନେ ପଡିଗଲା ବିଶ୍ୱଭାରତୀର ମୋ କ୍ୱାର୍ଟରରେ ଅମିନାକୁ ମାୟା ବୁଝାଉଥିଲା ଏହା ଜଣଙ୍କର ପ୍ରତିକୃତି ନୁହେଁ । ଆଜି ପୁଣି ସେ କହୁଛି ସେମାନଙ୍କ ଜୀବନ୍ୟାସ ହେବ । କଥା କଣ?

ମାୟା ସେ ପ୍ରକୋଷ୍ଠକୁ ଉଜ୍ଜଳ ଆଲୋକ ବ୍ୟବସ୍ଥା କଲା । ଝଲକି ଉଠିଲା କଳାଟି । ବରଫାବୃତ୍ତ କୈଳାସର ଶିଖରରେ ବାଳସୂର୍ଯ୍ୟଙ୍କର ଅରୁଣିମା ଯେମିତିଲେପି ଦେଇଛି ଏକ ସ୍ୱର୍ଣ୍ଣିମ ମୁକୁଟ । ସମସ୍ତ ପର୍ବତ ଦିଶୁଛି ଜୀବନ୍ତ । ନୀଳାଭ ନଭ ମଣ୍ଡଳ ସତେ ଅବା ଅତି ଯତ୍ନରେ ତା ଛାୟାତଳର ଏ ନୈସର୍ଗିକ ଦୃଶ୍ୟରେ ନିଜେ ବିଭୋର । ମହାଦେବ ବା ମହାମାୟାଙ୍କ ଜଟ୍ଟାରୁ ବିଚ୍ଛୁରିତ ଗଙ୍ଗାମାତା ଏକ ପ୍ରପାତ ପ୍ରାୟ ନିମ୍ନଭାଗକୁ ଅଗ୍ରସର । ତୁଶାରବୃତ୍ତ କୈଳାସର ସମ୍ମୂଖ ଭାଗରେ ଥିଲେ ମଧ୍ୟ ନିଜସ୍ୱ ଆଭାରେ ମାତା ଦିଶୁଛନ୍ତି ସ୍ପଷ୍ଟ । ନିମ୍ନଭାଗରେ କ୍ରମଶଃ ସବୁଜିମା ଓ ପ୍ରାଣୀ ମାନଙ୍କର ଉପସ୍ଥିତି । ଦେବଙ୍କ ଦକ୍ଷିଣ ଅର୍ଦ୍ଧେକ ପୁରଷ ଓ ବାମ ଅର୍ଦ୍ଧେକ ନାରୀ ପରସ୍ପର ଅନାବିଳ ସହାବସ୍ଥାନ କରିଛନ୍ତି । ଉଭୟ ଭାଗରେ ଫୁଟି ଉଠିଛି କଳାର କମନୀୟତା ଅନେକ ସ୍ପଷ୍ଟ କାରୁକାର୍ଯ୍ୟ । ତଥାପି ମାୟାଧର ଭୁଲି ନାହିଁ, କ୍ଷୁଦ୍ରାତିକ୍ଷୁଦ୍ର କାଲିଗ୍ରାଫିରେ ପାଦଯୁଗଳରେ ଲେଖିଦେଇଛି “ସୁମନ ମାୟାଧର” ।

ମୁଁ ସହାସ୍ୟ ପଚାରିଲି । ଶିଳ୍ପୀବର! ତୁମେ ପୁରୁଷର ପାଦରେ ସୁମନ ଓ ନାରୀର ପାଦରେ ମାୟାଧର ଲେଖିଦେଲ ଯେ ।

- ସୁମୀ! ତୁ କଣ ମନେ ରଖିନୁ ତୋର ସେ ଲିଙ୍ଗ ପରିବର୍ତ୍ତତନ ଶଲ୍ୟଚିକିତ୍ସା ପୂର୍ବରୁ ଟରେଣ୍ଟୋରେ ଡାକ୍ତର ସୁବ୍ରତ ମିଶ୍ର ବୁଝାଇଥିବା ପାଠ । ଏ ସମଗ୍ର ମାନବ ସତ୍ତତାର ଅୟମାରମ୍ଭ କେବଳ ନାରୀ । ପୁରୁଷ ଗୁଣସୂତ୍ରଧାରୀ ମଧ୍ୟରେ କୌଣସି କାରଣରୁ ଯଦି ମୁଲେରିଆନ ବିଭବକୁ ବର୍ଜନ ନକରିହୁଏ ତାହେଲେ ସେ ବି କନ୍ୟା ହେବ । ଏମିତି ବି, ଏକା କୃଷ୍ଣଙ୍କୁ ବାଦଦେଲେ ଆଉ ସଭିଏଁ ତ ଗୋପୀ । ପୁଣି ତୋ ଭଳି ସମଗ୍ର ଶରୀରକୁ ପୁରୁଷ କରି ଗଢିଦେଲେ ବି ଈଶ୍ୱରଙ୍କ ଭୁଲାପଣରେ ତୋ ମନର ମୌଳିକତା ବଦଳେଇବାକୁ ଭୁଲିଯାଇ କି ଦହଗଞ୍ଜ କରିଛନ୍ତି ତୋତେ । ଅର୍ଥାତ ନାରୀ ଏକ ସ୍ୱଭାବିକ ସ୍ୱୟଂ ପ୍ରକାଶ ବ୍ୟବସ୍ଥା । ପୁରୁଷ ଏକ ପରକାଳ କଥା । କେବେ କେବେ ପୁଣି ନାରୀକୁ ତିଆରି କରି ଓ ନବଦଳାଇ ତା ମନକୁ ପୁରୁଷ କରିଦେଉଛି ସୃଷ୍ଟି, ନାରୀର ଦେହ ମଧ୍ୟରେ ଛଟପଟ ପୁରୁଷର ମନ । ତେଣୁ ଉପରର ଶିଳ୍ପୀ ଯଦି ଏମିତି ଓଲଟପାଲଟ କରି ଦେଉଛନ୍ତି ଆମର ଏ ଟିକକ ଚଳିବ ନାହିଁକି? ମୋଟାମୋଟି କହିବା କଥା, ଅର୍ଦ୍ଧନାରୀଶ୍ୱର, ଭାବିଲେ ଏକ ମଧ୍ୟ ଅବସ୍ଥା, ଭାବିଲେ ଉଭୟ ଅବସ୍ଥା, ଭାବିନେଲେ କ୍ଳୀବ ଓ ଭାବିନେଲେ ସମ୍ପୂର୍ଣ୍ଣ ଲିଙ୍ଗ ନିରପେକ୍ଷ ଓ ଭାବିଲେ ସ୍ୱୟଂସମ୍ପୂର୍ଣ୍ଣ । ତା ବାଦ ସେ ତ ଈଶ୍ୱର, ଆମର ସେ ପାଦ ତଳେ ମିଳିଥିବା ସ୍ଥାନ ଟିକକ ଏକ ଆସ୍ପର୍ଦ୍ଧା । ଶରଣାଗତର ପ୍ରଭୁ ପାଖରେ ନାରୀ କଣ ପୁରୁଷ ବା କଣ? କେବଳ ସମର୍ପିତ ।

ଇଏ ମାୟାଧର ନା ଆଉ କିଏ । ମନେହେଲା ସେ ବି ଏ ଛବି ଆଙ୍କୁ ଆଙ୍କୁ ବିବର୍ତ୍ତନର ସ୍ୱଭାବିକ କ୍ରୀୟା ତାକୁ କେତେ ପାହାଚ ଅଧିକ ଚଢାଇ ଦେଇଛି । ମୋ ଭାବନାକୁ ଲୁଚାଇ ଦେଇ ପଚାରିଲି, - ଆଛା ମାୟା ଯାହା କହିଲୁ ବୁଝିଲି, ସତ ବୋଲି ମାନିଲି, ଏବେ କହ ଏତେ ସବୁ ରଙ୍ଗୀନ ଆଲୋକରେ ଏତେଦିନ ପର୍ଯ୍ୟନ୍ତ କରୁଥିଲୁ କଣ?

- ସୁମୀ ଗେହ୍ଲୀ! ତୁ ତ ବିଜ୍ଞାନ ପଢିଛୁ, ଏ ଧଳା ମଧ୍ୟରେ କଣ ସବୁରଙ୍ଗ ନାହିଁ? ସବୁ ରଙ୍ଗ ଶୋଷିନେଲେ ଏକ ପ୍ରଛଦ କଳାହୋଇ ଯାଏନି କି? ରଙ୍ଗୀନ ଚଷମାରେ ଦୃଷ୍ଟିଭଙ୍ଗ ହୁଏନି କି? ତେଣୁ ଆମେ ଯାହା ଆଙ୍କିବା ତାହା କଣ ସତ ପ୍ରତିଶତ ସମାନ କି ସବୁ ପରିସ୍ଥିତିରେ । ଯଦି ଏବେ ଏ ଘରର ଆଲୋକ ନିର୍ବାପିତ ହୋଇଯାଏ ତାହେଲେ ଆମେ ସମସ୍ତେ ଓ ଏ ଉଦ୍ଭାସିତ ଚିତ୍ରପଟ୍ଟ ସ୍ୱୟଂ ଅଦୃଶ୍ୟ ହୋଇ ଯିବନିକି? ତା ମାନେ ନୁହେଁ ତ ଆମେ ସବୁ ଅନୁପସ୍ଥିତ । ପୁଣି, ଅନ୍ଧକାରରେ  ତୁ ଡରୁଛୁ କି ଲାଜ କରୁଛୁ ତାହା ମୁଁ ଜାଣିବାର ବାଟ ବି ନଥାନ୍ତା ।


- ଏଁ ଏଁ କଣ କହିଲୁ, କୁଆଡୁ ଆଜି ସୂର୍ଯ୍ୟ ଉଦୟ ହେଲେକି ଏ ଅମେଇସିଆ ରାତିରେ । ଯେମିତି ଅନ୍ଧାର ରାତିରେ ତୋ ସାଙ୍ଗରେ ମୁଁ ଆଦୌ ରହିନି । ହଁ ତାଳଲୟ ଭଙ୍ଗ ନକରି କହ ତା ପରକଥା ।  ନିଉଟନ ମହାଶୟଙ୍କ ଚତୁର୍ଥ, ପଞ୍ଚମ ଓ ଇତ୍ୟାଦି ନିୟମ ।

- ଓ ହୋ ଏତେ ଦିନେ ଟିକେ ମନ ହୋଇଛି ମୋ ପ୍ରିୟତମା ସାଥୀ ସହ କଥା ସରସ ହେବାକୁ, କାହିଁକି ମଝିରେ ବେତାଳ କରୁଛୁ ।

- ହେଉ ହେଲା, ବୁଝା ତୋ ପାଠ । ବିଜ୍ଞାନ ପଢିଲି ମୁଁ, ଚିତ୍ରକଳାରେ ଏତେଗୁଡାଏ ପାଠ ପଢିଲି, ଶହେ ସରିକି ଆଲୋଚନାରେ ଭାଗନେଲିଣି ତଥାପି ମୁଁ ପ୍ରକୃତରେ ବୁଝିନି ତୋ ଆଲୋକ ବିଶ୍ଳେଷଣର କଳା । ବୁଝାଇ କହ ।

- ମନେକର ତୁ ଲାଜ କରୁଛୁ ଅନ୍ଧକାର ମଧ୍ୟରେ । ତୋ ମୁହଁରେ ଗୋଲାପୀ ବା ଅସ୍ତରାଗର ଆଲୁଅ ପକାଇଲେ ଯେମିତି ଦେଖାଯିବୁ, ଲାଲ୍ କିମ୍ବା ହଳଦିଆ ଆଲୋକରେ କଣ ସେମିତି ଦେଖାଯିବୁ କି? ନା କେବେ ନୁହେଁ? ଅର୍ଥାତ ସମାନ ଏକ ଅଭିବ୍ୟକ୍ତି ଭିନ୍ନ ଦେଖା ଯାଇପାରେ, ବାକିସବୁ ଠିକ୍ ରଖି କେବଳ ଆଲୁଅର ରଙ୍ଗ ବଦଳାଇ ଦେଲେ । ଏହି ବଦଳକୁ ଆମେ ଶିଳ୍ଫୀ ଯଦି ବୁଝି ପାରନ୍ତେ ତାହେଲେ ଆମେ ତାକୁ ବ୍ୟବହାର କରି ସମାନ ଚିତ୍ରକୁ ବିଭିନ୍ନ ରଙ୍ଗର ଆଲୋକ ପକାଇ ଭିନ୍ନଭିନ୍ନ କଳାରେ ପରିଣତ କରି ପାରନ୍ତେ ନାହିଁକି? 


ସେତିକି ପ୍ରୟାସକରିଛି ।

ହଠାତ ସେ ପ୍ରୋଜେକ୍ଟର ମଧ୍ୟରୁ ବିଛୁରିତ କଲା ଏକ ପ୍ରକାର ନୀଳରୁ ଘନ ନୀଳ ଆଲୋକ । ଏବେ ସେ ଆଲୋକରେ ଚିତ୍ରଟି ଦେଖି ମୁଁ ଚମକି ପଡିଲି । କେବଳ ଦେବଙ୍କର ଛବି ଅଂଶକୁ ବାଦ ଦେଲେ କୈଳାସ ପର୍ବତ, ଆକାଶ, ଗଙ୍ଗାମାତାଙ୍କ ଅବତରଣ ସବୁ ଅସ୍ପଷ୍ଟ ହୋଇଗଲା । ଛବିଟି  କିନ୍ତୁ ଏକ ନୂତନ ଆଭାରେ ରୂପାନ୍ତରିତ ହେଲା ଭିନ୍ନ ଏକ ସୁନ୍ଦର ଚିତ୍ରପଟରେ । ପୁରୁଷ ଭାଗଟି ମନେହେଲା ପ୍ରଣୟୀ ଗୋପୀ ଓ ନାରୀ ଭାଗଟି ସ୍ୱୟଂ ଶ୍ରୀକୃଷ୍ଣ ମାୟାଧର । ମୋ ପାଟିରୁ ବାହାରି ଆସିଲା, ଚମତ୍କାର! ଗୁରୁଙ୍କ ନାମ ଉଚ୍ଚାରିତ ହୋଇଗଲା, ଗୋପୀକୃଷ୍ଣା ଗୋପୀକୃଷ୍ଣା । ଓ ତାହେଲେ ଏଇଥି ପାଇଁ ସେ କହୁଥିଲା ବହୁବଚନରେ!

- ଏବେ କହ ସୁମୀ, ସୁମନ ମାୟାଧର ପ୍ରଭୁଙ୍କ ସଠିକ ଚରଣରେ ନାହାନ୍ତି କି? କିନ୍ତୁ ଦେଖ୍ ଏ କାମଟି ଆମେ ସର୍ବସାଧାରଣଙ୍କୁ ପ୍ରଦର୍ଶିତ କରିବା ନାହିଁ ଏବେ । ଏ କଳାଉପରେ ଆଉ କିଛି ଦକ୍ଷତା ଓ ଆଉ କିଛି ଉପଲବ୍ଧି ନହେଲା ପର୍ଯ୍ୟନ୍ତ, ଏହା ଏମିତି ଗୁପ୍ତ ରହୁ ।

- କଣ ତୁମେ କହିବାକୁ ଚାହୁଁଛ? 

- ମୁଁ କିଛି କହିବାକୁ ଚାହୁଁନି, ତୁମ ପୁଅ ଝିଅଙ୍କୁ ଡାକ, ମାଆ ଆସନ୍ତୁ । ଏ କଳା ବାହାରେ ବି ଏକ ଜୀବନ ଅଛି । ଅଂଶୁର ଜନ୍ମଦିନ ପାଖେଇ ଆସୁଛି ।

ହଠାତ୍ ଉଭୟ ପରସ୍ପରଙ୍କୁ ତୁ ବଦଳରେ ତୁମେ ସମ୍ବୋଧନ କରିଦେଇଥିଲୁ ଆମ ଅଜାଣତରେ, ତାହା ଆଉ ବଦଳିବାର ନଥିଲା । ରାତି ପାହି ଆସୁଥିଲା, ସାରା ରାତି ଉଜାଗରର ପ୍ରଭାବ ନଥିଲା । ଆମେ ଉଭୟ ପୁନଶ୍ଚ ଶୁଭ୍ର ଆଲୋକରେ ମଙ୍ଗଳମୟ ଶିବଙ୍କ ଅର୍ଦ୍ଧନାରୀଶ୍ୱର ଚିତ୍ରପଟ୍ଟ ସାମ୍ନାର ଶିଳ୍ପୀ ବେଞ୍ଚରେ ବସିଥିଲୁ ପାଖାପାଖି । ସେ ମୋ ଦକ୍ଷିଣହସ୍ତକୁ ଅତି ଶ୍ରଦ୍ଧାରେ ତାଙ୍କ ଦୁଇହାତରେ ଜାବୁଡି ଧରିଥିଲେ । ମୁଁ ହାତଟିକୁ ମୁକୁଳାଇ ଆଣି ପାରୁନଥିଲି । ଜାଣେନି ସେ ପାଇଁ ମୁଁ ପ୍ରୟାସ କରିଥିଲି କି ନାହିଁ । ଅପେକ୍ଷା ଓ ଉପେକ୍ଷାର ଦ୍ୱନ୍ଦ୍ୱର ଅବକାଶ ନଥିଲା । ସାମ୍ନାର ଛବିର ଜୀବନ୍ତ ଈଶ୍ୱରଙ୍କୁ ମୁଁ ଆଉ ଚାହୁଁ ନଥିଲି, କାଳେ ମୋ ସ୍ୱାଧୀନ ମନକୁ କିଛି ନିର୍ଦ୍ଦେଶ ଆସିଯିବ । ଅହଂର କବଳିତ ମୋ ମନକୁ ଗୁରୁ ଗୁରୁଜନ କିମ୍ବା ଈଶ୍ୱର ପରିଚାଳିତ କରିବାକୁ ମୁଁ ଚାହୁଁନଥିଲି । ମନର ଆବେଗରେ ସାରାଜୀବନ ପରିଚାଳିତ କିନ୍ନର ଜଣେ ମୁଁ । ମୋ ମନ ଓ ହୃଦୟର ଯୁଦ୍ଧରେ ମନ ହାରିଯିବା ଏତେ ସହଜ ନୁହେଁ । ମନ କହିଉଠିଲା, ଉଠ ଯିବା, ଚା ତିଆରି କରୁଛି! ଏତେ ହସଖୁସିର ସମୟକୁ ହଠାତ୍ ଭାରାକ୍ରାନ୍ତ କରିବାକୁ ମନ କହିଲା ନାହିଁ । ଚା ପିଇଲୁ । ମୁଁ ଘର ଓଳାଓଳି କଲି । ସେ ତାଙ୍କ ପ୍ରୋଜେକ୍ଟର ଇତ୍ୟାଦିକୁ ହଟାଇ ସେ କୋଠରୀକୁ ଖାଲି କରିବା କାମରେ ଲାଗିଲେ । କିଛି ସମୟ ପରେ ଦୁଇବେଲା ପଖାଳ ସହ ଚାରିକିସମର ବ୍ୟଞ୍ଜନ ବାଢିଦେଲି । ସେଦିନ ବି ରବିବାର ଥିଲା । ଉପବାସ ଓ ଅନିଦ୍ରାକୁ ଏ ଖାଦ୍ୟର ସଂଯୋଗରେ ନିଦ ଘୋଟି ଆସିଲା । 




5 comments: