Search This Blog

Saturday 12 December 2020

ସୁମନ ମାୟାଧର। ଭାଗ ୨୧, ଶବ୍ଦସଂଖ୍ୟା ୧୦୨୦।

 ୨୧

ଅପରାହ୍ନରେ ସେ ମୋ କବାଟ ଠକ୍‌ଠକ୍ କରିବା ପରେ ଯାଇ ମୋ ନିଦ ଭାଙ୍ଗିଲା । ଦେଖିଲି ସେ ଭାତ ଓ ଡାଲି ରାନ୍ଧି ଦେଇଛନ୍ତି । ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଆଉ ଯାହା କିଛି ବ୍ୟବସ୍ଥା କଲି । ଆମେ ବାହାରିଲୁ ପାଇକାଳୀ ।

ମୁଁ ଅଂଶୁକୁ ଜଣାଇଦେଲି, ତା ବାପାଙ୍କ କଳାକୃତି କାମ ସରିଛି ସେ ଏବେ ଅଂଶୁକୁ ବହୁତ ଆଡେ ବୁଲାଇ ନେବେ । ତୁମେ ବାପା ପୁଅ ଗୋଟେ ପଟେ । ମୁଁ ରହିଲି ମାଆଙ୍କ ସହ ।

ଅଂଶୁର ଜନ୍ମଦିନ ଆସୁଥାଏ । ଆମଘରୁ ଏଥର କିନ୍ତୁ କେବଳ ବଡଭାଇ ଓ ମୋ ବୋଉ ଆସିଥିଲେ ।  

ଅମିନା ଗୋଡ ଟେକି ବସିଥିଲା, ସେ ବି ନଆସିବ କେମିତି ଅଂଶୁର ପୋଷାକ ଦାୟିତ୍ୱ ତାହାର ।

ଜନ୍ମଦିନ ଆମ ଘରୁଆ ବ୍ୟବସ୍ଥାରେ ପାଳନ କରାଗଲା, ପୂଜାପାଠ ଓ ସତ୍ୟନାରାୟଣ ପାଲାସହ । ସଂଧ୍ୟା ସମୟରେ ଖୁବ୍ ସହଳ ଖିଆପିଆ ସରିଲା ।

ହଠାତ ଅମିନା ମାଆଙ୍କୁ କହିଲା, - ଆଛା ଜେଜେମାଆ, ଅଂଶୁ ତୁମକୁ ଓ ମାମାଙ୍କୁ ଯାହା ଡାକୁଛି ମୁଁ ବି ସେଇଆ ଡାକୁଛି ଅଥଚ ସେ ଯାହାଙ୍କୁ ବାପା ଡାକୁଛି ମୁଁ କଣ ତାଙ୍କୁ ଚାଚା ଡାକୁଥିବି? 

ଜନ୍ମଦିନରେ ଖୁବ୍ ଖୁସିଥିବା ଅଂଶୁ କହି ପକାଇଲା, - ଦିଦି ତୁମେ ଆଗରୁ ସେମିତି ଡାକୁଥିଲ ବୋଲି ଡାକୁଛ । ଡାକ ସହଜରେ ବଦଳାଇ ହୁଏନି । ଦେଖୁନ ମୁଁ ମାମା ଡାକି ପାରୁନଥିଲି ଆମ ମାମାଙ୍କୁ ଅନେକ ଦିନ । ଏବେ ତ ପୁଣି ଡାକିଲି । ତୁମେ ଏଣିକି ମୋ ବାପାଙ୍କୁ ବାପା ଡାକୁନ, ମୋର କିଛି ରାଗ ଆସିବ ନାହିଁ ।

 ଠିକ୍ ଏହି କଥା ଅତୀତରେ ସେ ଶୁଣିଥିଲା ତା ବାପାଙ୍କ ଠାରୁ; ସେ ନିଜେ ଯେବେ ସହଜରେ ମାମା ଡାକ ଆରମ୍ଭ କରି ପରିନଥିଲା ।

ମାଆ ଏବେ କରନ୍ତି କଣ! ହଁ ହଁ ତୁ ଯାହା ଡାକୁଛୁ ଡାକ, ତାକୁ ପଚାର ।

କଥା ସେତିକିରେ ରହିଲା ।

ମୁଁ ସମସ୍ତ କାମସାରି ବୋଉ ସହ ଗପ କରୁଥିଲି । ମାଆ ଆସିଲେ । ବୋଉ ମନେପକାଇ ଦେଲା, ଅଂଶୁର ଜନ୍ମଦିନ ସରିଲା, ଏଣିକି ପିଲାମାନଙ୍କୁ ପଚାରନ୍ତୁ ବିବାହ କଥା । ମତେ କଥାଟି ଖରାପ ଲାଗିଲା । ପିଲାମାନଙ୍କୁ କହିବାର କି ଆବଶ୍ୟକତା ଥିଲା ଯେ । ସେ ତାଙ୍କ ପୁଅକୁ ପଚାରିବେ ସିନା । ପୁଣି ମନକୁ ଆସିଲା ମାଆ ଏତେ ନିଜର, ମୁଁ କଣ ତାଙ୍କର ଗୋଟେ ପିଲା ନୁହେଁ ।

 ବୋଉଠୁ ବିଦାୟନେଇ ଆମେ ଆସିଲୁ । ମାଆ ମୋତେ ସାଙ୍ଗରେ ନେଲେ ଓ ମାୟାଧରଙ୍କୁ ମଧ୍ୟ ତାଙ୍କ ପ୍ରକୋଷ୍ଠକୁ ଡାକିଲେ । ମାଆ ଓ ମୁଁ ଖଟ ଉପରେ ବସିଥାଉ, ମାୟାଧର ଚୌକି ଉପରେ । ପୁଅ ଝିଅ ମୋ କୋଠରୀରେ ଶୋଇ ପଡିଥାନ୍ତି ।

ମାଆ ସିଧାସଳଖ ମାୟାଧରଙ୍କୁ ପଚାରିଲେ, - ପୁଅ ଜନ୍ମଦିନ ତ ସରିଲା, ଏବେ କହ ତୋ ବାହାଘର କଥା କଣ କରିବା?

- ମାଆ, କୁଳଜ୍ୟୋତିଷ କହିଥିବା କଥା କଣ ହେଲା? ଅଂଶୁର ଭବିଷ୍ୟତ କଣ ହେବ? ପୁଣି ଆଉ ଏକ ଅସୁବିଧା ହେଲେ ସୁମନ, ମୁଁ ଏତେବର୍ଷ ସାଥିରେ ରହିବା ପରେ ତାଙ୍କଠୁ ଅଲଗା କିପରି ହୋଇ ପାରିବି? ମୁଁ ଯାହାକୁ ବାହାହେଲେ ସେ କ’ଣ ଆମ ବନ୍ଧୁତ୍ୱକୁ ସ୍ୱୀକାର କରିବ? ସହଜରେ ଗ୍ରହଣ କରିବ? ଅଂଶୁ ସହ ସୁମନଙ୍କ ସମ୍ପର୍କକୁ କ’ଣ ସହଜରେ କାଟି ହେବ? ସୁମନଙ୍କ ଉପସ୍ଥିତିରେ ମୁଁ ଏତେସବୁ କଥା ସତ ସତ କହୁଛି ଏଇଥି ପାଇଁ ଯେ କୌଣସି ପରିସ୍ଥିତିରେ ସେ ଏକ ତରଫା ନିଷ୍ପତ୍ତି ନେଇ ଆମକୁ ଛାଡି ଚାଲିନଯାନ୍ତୁ । ହଁ ଏକଥା ଠିକ୍‌, ଯଦି ସୁମନଙ୍କ ବାହାଘର ହୋଇ ଯାଆନ୍ତା ସେ ଶାଶୁଘର ଚାଲିଯାଆନ୍ତେ ତାହେଲେ ଯେମିତି ହେଉ ଅଂଶୁକୁ ବୁଝାଇ ହୁଅନ୍ତା କଷ୍ଟ ପାଇଲେ ମଧ୍ୟ, ସେ ତ ଆଉ ଅତି ଛୋଟ ପିଲାହୋଇ ନାହିଁ । କିନ୍ତୁ ସୁମନଙ୍କ ବିବାହ କଣ ଏତେ ସହଜ କି? ସେ ତ ସର୍ବଦା ମୋ ସହ ବା ଆମ ସହ ଜଡିତ ହୋଇରହିଲେ । କେଉଁଠି ଅବା କାହା ସହ ଏ ପରିସ୍ଥିତିରେ ଏକ ସମ୍ପର୍କ ଗଢିଉଠିବ ତାଙ୍କର? ଏଣୁ ପ୍ରେମ ବିବାହ ଏ ବୟସରେ ପ୍ରାୟ ଆଉ ସମ୍ଭବ ନୁହେଁ । ବୁଝାବୁଝି କରି ପ୍ରସ୍ତାବ ପକାଇ ତାଙ୍କ ବିବାହ କରାଇବା ମଧ୍ୟ ସହଜ ନୁହେଁ ।

- ଦେଖ ସୁମନ, ମୁଁ ତୁମ ବାବଦରେ କୌଣସି ନିର୍ଣ୍ଣୟ ନେଉନି ।  ମୋ ଭାବନା କହୁଛି ମାତ୍ର । ତୁମ ନିର୍ଣ୍ଣୟ ତୁମର । ମାଆ, ସେ ଜ୍ୟୋତିଷଙ୍କ କଥା ମୁଁ ନିଜେ ବିଶ୍ୱାସ କରୁନାହିଁ କିନ୍ତୁ ସେ ବାବଦରେ ତୁମର ନିର୍ଣ୍ଣୟ ହିଁ ମୋତେ ପାଳନ କରିବାକୁ ପଡିବ । ତୁମେ ସବୁବେଳେ ଆଶଙ୍କାରେ ରହିବା ମୋର ଇଛା ନୁହେଁ । ଏଣୁଏମିତି ପରିସ୍ଥିତିରେ ବତ୍‌ର୍ତମାନର ସ୍ଥିତି ବଜାୟ ରହୁ, ଏହା ମୋ  ମତ । ବାକି ନିର୍ଣ୍ଣୟ ତୁମର, ଯାହାକୁ ମୁଁ ଅମାନ୍ୟ କରିବି ନାହିଁ ।

ମାୟାଧରଙ୍କ ସଫା ସଫା କଥା ତଥାପି କେତେ ଅସ୍ପଷ୍ଟ । ସିଧାସଳଖ କହିଲେ ନାହିଁ, ମୋ ବାବଦରେ ତାଙ୍କ ମନରେ ଅଛି କଣ । ସେ କ’ଣ ଟିକେ ବି ମୋତେ ନିଜର କରିବାକୁ ଚାହୁଁ ନାହାନ୍ତି? ସେ ଚାହୁଁଥାନ୍ତେ ମୁଁ ମନା କରିଥାନ୍ତି, ଏମିତି ସିନା । କ’ଣ ପାଇଁ ନା? ମୋ ପରିଚୟ ପାଇଁ । ନା ସେମିତି ତ ନୁହେଁ ତାଙ୍କ ମନରେ ବାଛବିଚାର ନଥାଏ । ତେବେ ସେ କଣ ମୋ ମାଆ ହେବାର ଅକ୍ଷମତାକୁ ନେଇ ମୋତେ ଆପଣାଇ ପାରୁ ନାହାନ୍ତି? ବୋଧହୁଏ ତାହା ବି ନୁହେଁ । ହୁଏତ ସେ ଏମିତି ଭାବୁଥିବେ, କାଳେ ସୁମନ ଏହା ଚାହୁଁନଥିବ, କାଳେ ସେ ରୋକଠୋକ ମନା କରିଦେବ । କାଳେ ତା ପାଠଶାଠ ଓ ପଦବୀ ନେଇ ଅଭିମାନ ଥିବ? କାଳେ ମାଆଙ୍କ ସମର୍ଥନ ନମିଳିବ! ଯାହା ବି ହେଉ ମାୟାଧରଙ୍କୁ ଭୁଲ୍ ବୁଝିବା ମୋ ଦ୍ୱାରା ସମ୍ଭବ ନଥିଲା ।

ଏଥର ମାଆ ମୋତେ ପଚାରିଲେ, -ସୁମନ ତୁ ପର ନୋହୁଁ, ଏ ମାଆଟିର କଥାରେ ତୁ କ’ଣ କିଛି ମତ ରଖିବୁ ନାହିଁ, ତୋ ବାବଦରେ କିମ୍ବା ତୋ ସାଥୀ ମାୟା ବାବଦରେ ।

- ଦେଖନ୍ତୁ ମାଆ, ମୁଁ ପର ହୋଇଥିଲେ କେମିତି ଏଠି ରହି ପାରୁଥାନ୍ତି । ଜୀବନର ପ୍ରତି ପାହାଚରେ ତଳେ ପଡିବା ପୂର୍ବରୁ ଈଶ୍ୱର ମୋତେ ତୋଳି ନେଇଛନ୍ତି । ଜଣେ କିନ୍ନର ଭାବରେ କେଉଁ ସଫଳତା ଅବା ମୁଁ ପାଇନାହିଁ? ଆଉ ଅଧିକ ଆଶା କାହିଁକି ରଖିବି? ଏହା ସତ୍ୟ ମାୟାଧର ହେଉଛନ୍ତି ଏ ପୃଥିବୀରେ ମୋର ପ୍ରିୟତମ ମଣିଷ । ପ୍ରିୟ ମଣିଷଙ୍କ ମନ୍ଦ ଚାହିଁ ହୁଏ କି? ମୋ ସହ ସମ୍ପର୍କ ତାଙ୍କ ଜୀବନରେ ଝଡ ସୃଷ୍ଟି କରିବ ଜାଣି ବହୁ ଦୂରକୁ ଚାଲିଗଲି । ଚିଠିଟିଏ ବି ଦେଲିନି । ଅଥଚ ସେ ଓ ଆପଣ ମୋତେ ତ୍ୟାଗ କଲେ ନାହିଁ । ମୋ କିନ୍ନର ପରିଚୟ ଦେଲାପରେ ବି ମୋତେ ଦୂରେଇ ଦେଲେ ନାହିଁ । ଅଂଶୁର ମାମା ମାମା ଡାକକୁ କେହି ବାରଣ କଲେ ନାହିଁ । ତେବେ ଯେହେତୁ ମୁଁ ସନ୍ତାନ ସମ୍ଭବା ନୁହେଁ ମୋ ମନରେ ବିବାହର କୌଣସି ଆକର୍ଷଣ ନାହିଁ । ତା ଅର୍ଥ ମାଆ, ଏମିତି ନୁହେଁ ଯେ ମାତୃତ୍ୱ କଣ ମୁଁ ଅନୁଭବ କରିନାହିଁ । ଅମିନା ଓ ଅଂଶୁ ମୋର କ‌ର୍ତ୍ତବ୍ୟ ଜ୍ଞାନର ସମ୍ପର୍କ ହୋଇ ରହିନାହାଁନ୍ତି । ସେମାନଙ୍କ ସହ ମା ମନର ଭାବାବେଗ ଜଡିତ, ଦାୟିତ୍ୱ ବୋଧ ରହିଛି । ସେମାନଙ୍କୁ ତ୍ୟାଗ କରିବା ମୋ ପକ୍ଷେ ସମ୍ଭବ ନୁହେଁ । ମୁଁ ବୁଝି ପାରୁଛି ମାଆ ଏ ଏକ ବିଚିତ୍ର ଓ ଅନନୁଭୂତପୂର୍ବ ଅବସ୍ଥା, ଆମେ ସମସ୍ୟା ତିଆରି କରିଚାଲିଛନ୍ତି କି ସମାଧାନ କରିଚାଲିଛନ୍ତି ତାହା ବିଚାର କରିହେବ ନାହିଁ । ଭାଗ୍ୟ ଆମକୁ ଯେମିତି ବାଟ କଢାଇଛି ଆମେ ସେମିତି କରିଛନ୍ତି । ମୋଟାମୋଟି ମୋ ମତରେ ମାୟାଧର ତାଙ୍କ ସଂସାର କରନ୍ତୁ କେବଳ ଏତିକି ବୁଝାଇ ଦେଇ କି କେଉଁ ପରିସ୍ଥିତିରେ ଅଂଶୁ ଓ ମୋ ମଧ୍ୟର ସମ୍ପର୍କ ଚିର ଅତୁଟ । 

ସତରେ ମାଆ ଦିନେ ଏମିତି ବ୍ୟତିବ୍ୟସ୍ତ ହୋଇ ଭାବି ନେଇଥିଲି, ଏ ଜୀବନରେ ସଫଳତାର ବୋଝ ବୋହିବା ମୋ ପକ୍ଷେ ଆଉ ସମ୍ଭବ ନୁହେଁ । ଆତ୍ମହତ୍ୟାର ନିଷ୍ପତି ବି ନେଇଥିଲି । କିନ୍ତୁ ଦୁଇ ଦୁଇଟା ପିଲାଙ୍କୁ ଛାଡି ଏମିତି କାମ କି କରିହୁଏ! ଏ ଶେଷ କଥାଟି ପାଇଁ ଆପଣ ଓ ମାୟାଧର ମୋତେ କ୍ଷମା କରିଦେବେ । ମୋର ଓ ମାୟାଧରଙ୍କ ସମ୍ପର୍କ କଣ କେବେ ତୁଟିବ? ନା ଏହା ହବେନି । ତା ଅର୍ଥ ନୁହେଁକି ମୁଁ ମାୟାଧରଙ୍କୁ ଜୀବନସାଥୀ କରିବାକୁ ଚାହୁଁଛି । ନା ବରଂ ସେ ବାହାହେଲେ ସବୁଠୁ ବଡ ବୋଝ ମୋ ମୁଣ୍ଡରୁ ଓହ୍ଲାଇଯିବ ।

ମୁଁ ଏତେଗୁଡା କଥା କହିଦେଲି? ମୁଁ ନିଜେ ବିଶ୍ୱାସ କରିପାରୁ ନଥିଲି ।

ମାଆ କହିଲେ ରାତି ଅନେକ ହେଲାଣି, ଶୋଇଯାଅ । ଆମେ ତାଙ୍କୁ ଶୁଭରାତ୍ରି ଜଣାଇ ଫେରି ଆସିଲୁ, ନିଜ ନିଜ କୋଠରୀକୁ । ଅଂଶୁ ଓ ଅମିନାଙ୍କ ନିଦରେ ବ୍ୟାଘାତ ନକରି ଚଟାଣରେ ସପ ପାରି ଶୋଇଗଲି । ନିଦ ଆସିଲା ନାହିଁ । ମାଆ କ’ଣ ନିର୍ଣ୍ଣୟ ନେବେ । ଯଦି ଆମକୁ ଏକାଠି କରାନ୍ତି ତାହେଲେ କଣ ମାନିନେବି? କେମିତି? ସ୍ପଷ୍ଟ ଭାବେ ମାୟାଧର ଥରେ ବି କହିନାହାନ୍ତି ସେ ମୋତେ ଭଲପାଆନ୍ତି ଓ ଜୀବନସାଥୀ କରିବାକୁ ଚାହୁଁଛନ୍ତି ବୋଲି । ମାଆଙ୍କ ଆଜ୍ଞାଧିନ ହୋଇ ଏତିକି କଥା କହିଦେଲେ ଚଳିବ କି? ନା ତାହା ସମ୍ଭବ ନୁହେଁ । ମୁଁ ଏହାକୁ ସ୍ୱୀକାର କରିବି ନାହିଁ । କିନ୍ତୁ ମାୟାଧର ନିଜେ ଯଦି ଥରୁଟାଏ କହନ୍ତେ, ମୁଁ କଣ ରାଜିହୋଇ ଯାଆନ୍ତି? କାହିଁକି ରାଜି ନହେବି? ମୁଁ ଯଦି ମୋ ନିଜକୁ ହୀନ ମନେ କରିବି ତାହେଲେ ଦୁନିଆ ସେମିତି କଲେ ମୁଁ କାହିଁକି ଅଭିଯୋଗ କରିବି? ପରିସ୍ଥିତି ଯାହା, ଏହା ହିଁ ଏକମାତ୍ର ରାସ୍ତା । ସବୁ ଦିଗରୁ ଦେଖିଲେ, ଆମେ ଓ ଆମ ଚାରିକଡର ମଣିଷ ବେଶ ସୁଖରେ ରହିବେ । ତଥାପି ରାତି ପାହି ନଥାଏ । ମୁଁ ଉଠି ଆସିଲି, କେମିତି ଏକ ଅସ୍ୱସ୍ତି ଲାଗୁଥାଏ । ଛାତ ଉପରକୁ ଗଲେ ଭଲ ଲାଗିପାରେ । ଦେଖିଲି ମାୟାଧର ପଦ ଚାରଣ କରୁଛନ୍ତି ସେଠାରେ । ଏ କଣ, ବେନିଜନେ ସମ ଦଶା! ମୁଁ ଫେରି ଆସୁଥିଲି, ସେ ମୋତେ ଦେଖି ନେଇଥିଲେ । ସୁମୀ ନାମଧରି ସ୍ନେହଭରେ ଡାକିଲେ । ମୁଁ ପାଖକୁ ଗଲି । ପାଖରେ ବସିଲି । 



ଆସନ୍ତା ଥର ଏ ଉପନ୍ୟାସର ଶେଷ ଭାଗ ପ୍ରକାଶିତ ହେବ। ସମସ୍ତ ପାଠକଙ୍କୁ ସକୃତଜ୍ଞ ଧନ୍ୟବାଦ।


6 comments: