ଆଠ |
ସାତ |
ଛଅ |
ପାଞ୍ଚ |
ଚାରି |
ତିନି |
ଏକ |
ଦୁଇ |
This blog contents are short stories and memoirs written in English and Odia language. Mostly on changes in society over last four decades.
ଆଠ |
ସାତ |
ଛଅ |
ପାଞ୍ଚ |
ଚାରି |
ତିନି |
ଏକ |
ଦୁଇ |
ମାଷ୍ଟ୍ରେ, ମଧୁ ଓ ମନୋଜ ଦାସ ।
ଜୀବନର ନବେ ଦଶକ ଆଗତ ପ୍ରାୟ, ତଥାପି କିନ୍ତୁ ସ୍ୱଭାବିକ ଚଳ ପ୍ରଚଳ କରନ୍ତି ବିପିନି ମାଷ୍ଟ୍ରେ । ଖବରକାଗଜ, ଗୀତା ଭାଗବତ ପଢନ୍ତି । ଶ୍ରବଣ ଶକ୍ତି ହ୍ରାସ ଜନିତ ଭ୍ରମରୁ ଖୁବ୍ ଉଚ୍ଚ ସ୍ୱରରେ କଥା ହୁଅନ୍ତି । ସମାଜ ପୃଷ୍ଠା ଓଲଟାଉ ଓଲଟାଉ ଡାକ ଛାଡିଲେ ବୋହୂ ମାଆକୁ । ମିନୀ, ମିନୀ ଏ ମିନୀ! ଆ ଦେଖିବୁ ଆ, ମଧୁକୁ ଡାକେ ।
ଏଇଟି ତାଙ୍କ ଅଭ୍ୟାସ, ମଧୁକୁ ସେ ସିଧା ସଳଖ ଡାକନ୍ତି ନାହିଁ, ମିନୀ ମାଧ୍ୟମ ହୁଏ । ଏକଦା ଖୁବ୍ ଖପ୍ପା ହୋଇ ମଧୂକୁ ସେ ସମ୍ପୂର୍ଣ୍ଣ ଅଣଦେଖା ଅଚିହ୍ନା ପ୍ରାୟ ବ୍ୟବହାର କରୁଥିଲେ, ଏବେ ଟିକେ ସୁଧୁରିଲେଣି ।
ଆଜ୍ଞା ବାପା, କଣ ହେଲା?
ଦେଖ୍ ଦେଖ୍ ସମାଜ କଣ ଲେଖିଛି! ମନୋଜ ଆସୁଛି, ଆମ କଲେଜ ବନ୍ଧୁମିଳନକୁ , ମୁଁ ଯିବି, ନିଶ୍ଚିତ ଯିବି । ସେ ମୋ ସାଙ୍ଗ, ତା ଭାଷଣ ଶୁଣିବି, ଅତି ଚମତ୍କାର ସେ ଭାଷଣ ।
ବୋହୂ କିଛି ବୁଝି ନପାରି ଚକିତ ନୟନରେ ଚାହିଁ ରହିଲା, ଯେମିତି କହିବ କେଉଁ ମନୋଜ?
ତୁ ମା ଅଧିକ ପଢିଥିଲେ ଜାଣନ୍ତୁ ମନୋଜ କିଏ? ସାମ୍ପ୍ରତିକ କଥା ସାହିତ୍ୟରେ ସାରା ପୃଥିବୀରେ ତା ସମ କିଏ ଅଛି? ତା ଭାଷଣ ମନଛୁଆଁ, ଜ୍ଞାନଗର୍ଭକ ଓ ଆଧ୍ୟାତ୍ମିକ ପ୍ରଜ୍ଞାମୟ । ଶ୍ରୀ ଅରବିନ୍ଦ ଆଶ୍ରମର ଅନ୍ୟତମ ସାଧକ । ତୁ କୁଆଡୁ ଜାଣିବୁ, ମୂର୍ଖଲୋକ ଅନ୍ଧ ଯେସନ ।
ମିନୀର ମନ ଖଟା ହୋଇଗଲା, ସାନ ବାପା ସବୁବେଳେ ତାକୁ ମୂର୍ଖ ବିଚାରନ୍ତି । ଏ ଦରବୁଢୀ କାଳେ ଏମିତି କଥା ବାଧୁଛି । ସ୍ୱାମୀ ମଧୁ, ଷଷ୍ଠ ଶ୍ରେଣୀ ପଢିଲାପରେ ସପ୍ତମରେ ରହିଗଲେ । ସେ ବର୍ଷ ପ୍ରଥମ କରି ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଲା । ସାନ ବାପା ଥିଲେ ମାଷ୍ଟ୍ରେ । ସବୁ ପିଲାଙ୍କୁ ମଣିଷ କଲେ । ଦେଢଶୁର ମାନେ ଖୁବ ଉଚ୍ଚ ଶିଖିତ, ନଣନ୍ଦ ମାନେ ମଧ୍ୟ ବେଶ୍ ପାଠୋଇ, ସମ୍ଭ୍ରାନ୍ତ ପରିବାର ମାନଙ୍କର କୁଳବଧୂ । ସମସ୍ତେ ଦୂର ଦୂରାନ୍ତରେ, କେତେଜଣ ଦୂର ଅଦୂର ବିଦେଶରେ । କିନ୍ତୁ ସ୍ୱାମୀ ମଧୁଙ୍କୁ ସେ ପାରିଲେ ନାହିଁ । ଚେତାବନୀ ନାମରେ ସେ ଯେବେ ତାଗିଦ୍ କଲେ ମଧୁଙ୍କୁ ଯେ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ମନଦେଇ ପାଠ ପଢ ନହେଲେ ଫେଲ୍ ହେବୁ; ମଧୁ ମନ ଭିତରେ ସେଗୁଡିକ ପଶିଲାନି, କେବଳ ଯାହା ସେ ବୁଝିନେଲା ଫେଲ୍ ହେବା ଥୟ । ଯୌଥ ପରିବାରର ଆଠ ଭାଇ ଭଉଣୀ ମଧ୍ୟରେ ମଧୁ କନିଷ୍ଠ । ବିପିନି ମାଷ୍ଟ୍ରେ ସଭିଙ୍କୁ ପାଠ ପଢାଇ ମେଧାବୀ କଲେ!
କିଏ କାହାକୁ ମେଧାବୀ କରିପାରେ?
ସେ ସମୟର ପ୍ରଣାଳୀ ଥିଲା, ଛାଟ ନହେଲେ ପାଠ ହେବ ନାହିଁ । ମାଷ୍ଟ୍ରେ ଏ ତତ୍ତ୍ୱରେ ଖୁବ୍ ବିଶ୍ୱାସ କରନ୍ତି । ସେ କହନ୍ତି ଭୟ ନଥିଲେ ଜୟ ନାହିଁ । କଠୋର ଶାସନର ଉଦାହରଣ ଥିଲେ ମାଷ୍ଟ୍ରେ । ପ୍ରତି ବର୍ଷ ତାଙ୍କ ବିଦ୍ୟାଳୟର ପିଲାଏ ନିଶ୍ଚିତ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେଉଥିଲେ । ପ୍ରାଥମିକ ଶିକ୍ଷକ ହେଲେ ମଧ୍ୟ, କ୍ରମଶଃ ଗଢିଉଠିଥିବା ମଧ୍ୟ ଇଂରାଜୀ ଓ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ବି ତାଙ୍କ କଡା ନଜର ଥାଏ । ସବୁ ବିଦ୍ୟାଳୟର ଫଳାଫଳ ଚମତ୍କାର ହୁଏ । ସଭିଏଁ ବିପିନିଙ୍କୁ ସମ୍ମାନ ଓ ଭୟ କରନ୍ତି । ପାଞ୍ଚ ଖଣ୍ଡ ଗ୍ରାମରେ ଚର୍ଚ୍ଚା ହୁଏ; ଯଦି ଦୁଇଟି ରାସ୍ତା ଥାଏ, ଗୋଟିକରେ ମାଷ୍ଟ୍ରେ ଓ ଅନ୍ୟଟିରେ ବାଘ, ତେବେ ବାଘ ବାଟେ ପଛେ ପିଲାଏ ଯିବେ ଆର ବାଟେ ନୁହେଁ । ମାଷ୍ଟ୍ରେ ନାନାଦି କଠିନ ପାଠ ଦିଅନ୍ତି ଓ ଅଭିନବ ଶୈଳୀ ଉଦ୍ଭାବନ କରି ପଢାନ୍ତି । ତଥାପି କିନ୍ତୁ ସେ କହନ୍ତି, “ଘୋଷଣ ବିଦ୍ୟା ଘୋଷ, ନହେଲେ ଚାଳରେ ଖୋସ୍” । ସେ କୌଣସି ଗୋଟିକରେ ସନ୍ତୁଷ୍ଟ ହେବାର ସମ୍ଭାବନା ନଥାଏ । ପିଲାଏ ପାଠରେ ଭଲ କରିବା ଓ ବିଦ୍ୱାନ ହେବା ନିଶ୍ଚିତ । ସହଜେ ନିଜ ପରିବାରର ପିଲାଙ୍କ ପ୍ରତି ସେ ହୁଅନ୍ତି ମାତ୍ରାଧିକ କଠୋର । ସେ ପିଲାଏ ନିଜ ନିଜ ଶ୍ରେଣୀରେ ପ୍ରଥମ ହୋଇ ଚାଲନ୍ତି ।
ମୂଳଦୁଆ ମଜବୁତ ହେଲେ ଘର ମଜବୁତ ହେବ । ସମସ୍ତେ ହେଲେ ଉଚ୍ଚ ଶିକ୍ଷିତ ସ୍ୱସ୍ଥାନ ମାନଙ୍କରେ ମଜବୁତ । ମାଷ୍ଟ୍ରେ ଖୁସି ।
କିନ୍ତୁ ଘର!
କିନ୍ତୁ ମଧୁ!
ମାଷ୍ଟ୍ରେଙ୍କ ମନ ବ୍ୟାକୁଳ ହୋଇଯାଏ, ମନେ ପଡିଲେ ମଧୁକୁ ମଣିଷ କରିବାରେ ତାଙ୍କ ଅସଫଳତା । ଘରର କୋଳପୋଛା ପିଲା, ସମସ୍ତଙ୍କ ଗେହ୍ଲା ମଧୁ । ବିଚକ୍ଷଣ, ଦୁଷ୍ଟ । ସମସ୍ତେ କହିଲେ ପିଲାଟା ଭାରୀ ଚାଲାଖ୍ । ସମସ୍ତଙ୍କୁ ପାଠରେ ଟପିବ, ଦେଖୁନ କେମିତି ଭାଇ ଭଉଣୀଙ୍କ ପାଠ ଶୁଣି ଶୁଣି ମନେ ରଖି ଦେଉଛି । ମାଷ୍ଟ୍ରେ ତା ଉପରେ ଏକ ବିଶେଷ ନଜର ରଖିଲେ । ସମସ୍ତେ ଗେହ୍ଲା କଲେ ଚଳିବକି । ଲାଡୟତି ପଞ୍ଚ ବର୍ଷାଣି; ଏହା ସମାପ୍ତ । ମଧୁ ସେତେବେଳକୁ ଶୁଣି ଶୁଣି ପଚିଶିକ ପଣିକିଆ ଓ ଆଉ ଯେତେ ଯେତେ ପାଠ ମନେ ରଖିସାରିଲାଣି । କିନ୍ତୁ ମଣ୍ଡୁଳା ମଡା, ଅ ଆ, ଏକ ଦୁଇ ଇତ୍ୟାଦି ସ୍ଲେଟ ଖଡିରେ ଲେଖିବା ଭଲି ଅସ୍ୱସ୍ତିକର କାମ କରିବାକୁ ତା ମନ ବଳିଲା ନାହିଁ । ପିଠିରେ ପଡିଲା ମୃଦୁ ଏକ ଛାଟ।
ସରିଲା କଥା । ଛାଟର ପୀଡା ନୁହେଁ , ବାଲ୍ୟ ଅଭିମାନରେ କାନ୍ଦି କାନ୍ଦି ଘର ଫଟାଇଲା, ଭୂଇଁରେ ଗଡି ଆସିଲା, ଗପରେ ଶୁଣିଥିଲା ଭଳି, ମଶା ମାଛି ଭଣ ଭଣ, ମୂଷା ମାଟି ଶଣ ଶଣ, ଭାଡିତଳକୁ ଯାଇ ମୁହଁମାଡି ଶୋଇଲା । ଗତ ସପ୍ତାହ ଖଡିଛୁଆଁ ଦିନର ଖୁସି କୁଆଡେ ହଜିଗଲା । ବଅଁଶ ସାରା ବୁଝାଇ ବୁଝାଇ ଥକ୍କିଲେ କିନ୍ତୁ ଅୟମାରମ୍ଭରୁ ସେ ସୂଚନା ଦେଲା, ସେ ଏକ ବିଶେଷ ଉପାଦାନରେ ଗଢା । ବହୁ କଷ୍ଟରେ ତାକୁ ସେଦିନ ବୁଝା ଶୁଝା କରାଗଲା । ଅନେକ ଦିନ ଧରି ସ୍ଲେଟ୍ ଧରିଲା ନାହିଁ । ଏପଟେ ବାବରଠୁ ଆଉରଙ୍ଗଜେବ୍ ପର୍ଯ୍ୟନ୍ତ ମୁଖସ୍ଥ, ଅମର କୋଷ ଜଳବତ୍ ତରଳ ନିର୍ଗତ ହୁଏ ମୁଖରୁ; କେବଳ ଶୃତି ବଳରେ । ପିଲାଟି ବୁଦ୍ଧିଆ, ଆଜି ନହେଲେ କାଲି ପଢିବ ତା ପ୍ରତି କଠୋର ହେବା ସମ୍ଭବ ନୁହେଁ । କିନ୍ତୁ ବଡ ବିଚିତ୍ର ହେଲା ତାର ଆଚରଣ । ତା ପାଇଁ ତ ସଂସାରର ନିୟମ ବଦଳିଯିବ ନାହିଁ । ଘରେ ଅନ୍ୟ ପିଲାଏ ଦଣ୍ଡ ପାଇଲେ ସେ ପ୍ରତିକ୍ରିୟାଶୀଳ ହୋଇ ପଡିଲା, ସେମିତି ବିଦ୍ୟାଳୟରେ ।
ମୋଟାମୋଟି ଭାବେ ମଧୁକୁ ମଣ କରିବା ହେଲା କାଠିକର ପାଠ । ପାଠ ବିଷୟରେ କେହି କିଛି ନକହିଲେ ସେ ନିଜେ ପଢେ । କେବେ କେବେ ଭଉଣୀମାନେ ଗେହ୍ଲାକରି ଲେଖା ଶିଖାଇ ଦିଅନ୍ତି । ତେବେ ପାଠ ଅପେକ୍ଷା ଶାଠରେ ତା ମନ ଅଧିକ ଉତ୍ସୁକ । ଛୋଟବେଳୁ ବଡ ବଡ ଗଛ ଅଗକୁ ଚଢିବା, ଫୁଲ ଫଳ ତୋଳି ଆଣି ଭାଇ ଭଉଣୀ ମାନଙ୍କୁ ଦେବା ହେଲା ତା’ର କାମ । ସାମାନ୍ୟ ବଡ ହେଲା ମାତ୍ରେ ପୋଖରୀରେ ପହଁରିବା, ଚଢେଇ ଧରି ଆଣି ପାଳିବା, ବିଲେଇ, କୁକୁର, ନେଉଳ ପୋଷିବା, ଏମିତି ନାନଦି କଥା ତ ମୁଣ୍ଡକୁ ଅହରହ ପଶିଲା । ଗାଈପାଇଁ ବାଛି ବାଛି ଘାସ ଓ କେତେ କିସମର ଡାଳପତ୍ର ସଂଗ୍ରହ କରିବାରେ ମୁଲିଆ ମାନଙ୍କୁ ସେ ଟପିଲା । ସେ ତୁଳସୀ ଅବା ବିଛୁଆତି ନିର୍ଣ୍ଣୟ କରିବା ବଡ ମାନଙ୍କ ପାଇଁ କାଠିକର ପାଠ ହେଲା ।
ଥରେ ଗ୍ରାମରେ ଯାତ୍ରାଭିନୟ ହେଉଥାଏ, ସେନାପତି ପରାସ୍ତ ଓ ବନ୍ଦୀ ହେଲେ । ତାଙ୍କ ଖଣ୍ଡା ଗୋଟାଳି ଆସିବା ଆଗରୁ ମଧୁ ଦୌଡିଯାଇ ଖଣ୍ଡା ଉଠାଇ ବହେ ବୁଲାଇ ପକାଇଲା । ଦର୍ଶକ କରତାଳି ଦେଲେ । ଏମିତି ନାନାଦି କାମ ।
ମାଷ୍ଟ୍ରେ ହାଇଁପାଇଁ ହୁଅନ୍ତି, କିଛି କରି ପାରନ୍ତି ନାହିଁ ।
ଆଉ ଟିକେ ବଡ ହେଲାରୁ କହିଲା, “ପାଠ ଗୁଡା ପର ଅଇଁଠା । ସେମାନେ ପାଠ ତିଆରି କରିଛନ୍ତି ମୁଁ ଘୋଷିବି, ମୁଁ କାହିଁକି ପାଠ ତିଆରି ନକରିବି?”
ଦିନେ ଭାଇ ଭଉଣୀ ମାନଙ୍କୁ ଚମତ୍କୃତ କରି କହିଲା ଯେ, ବାଘ ଛେଳି ଖେଳଟା ଗୋଟେ ଖେଳ ହୋଇ ନପାରେ, କାରଣ ଏଥିରେ ଠିକ୍ ଠିକ୍ ଖେଳିଲେ ସବୁବେଳେ ଛେଳି ପଟ ଜିତିବ । ସମସ୍ତଙ୍କ ସହ ଖେଳି ଏକଥା ପ୍ରମାଣ କରିଦେଲା ।
ଶୁଣିଲା ଏମନ୍ତ ଗପ; ବାବାଜୀ ଜଣେ ଦାନ୍ତ ଘଷିସାରି ଦାନ୍ତ କାଠିଟିକୁ ପୋତିଦେଲେ ଓ ସେଇଟା ଗଛ ହୋଇଗଲା । ତାକୁ କିଛି ଆଶ୍ଚର୍ଯ୍ୟ ଲାଗିଲା ନାହିଁ । କହିଲା ବାବାଜୀ ଗୋଲାପ ଡାଳରେ ଦାନ୍ତ ଘଷିଥିବେ । ତେବେ ଖୁବ୍ ପିଲାଦିନୁ ଏଥିରେ ଉଦବୁଦ୍ଧ ହୋଇ ସେ ବଗିଚାର ଯାବତୀୟ ଗଛରୁ କଲମୀ ଚାରା ବାହାର କରିବାରେ ମାତିଗଲା, କିଛି କିଛି ସଫଳ ହେଲା ମଧ୍ୟ ।
ଧୁ ଧୁ ଖରାଦିନ ଦ୍ୱିପ୍ରହରେ ସେ କେବେ ଶୋଇନି, ସମସ୍ତେ ନିଦ୍ରାଗଲେ ସେ ଖଳାକୁ କିମ୍ବା ପଡୋଶୀ ଘର ବାଡିକୁ ଚୁପ କରି ଖସିଯାଏ ତା ଗବେଷଣା ଜାରି ରଖିବାକୁ ଯେ, ସେ ଏକ ନୂଆ ଖେଳ ସୃଷ୍ଟି କରିବ । ଘରକାଟି ତା ଉପରେ କେଉଁ ଯୁଗରୁ ଲୋକେ ତିଇଇ ତାଃ ଖେଳ ଡେଇଁ ଡେଇଁ ଖେଳୁଛନ୍ତି, ଅଇଁଠା ଖିଏ ପତର ଚାଟି ମାନଙ୍କୁ ବିରକ୍ତ ଲାଗୁନି । ସେ ନୂଆ ଖେଳଟିଏ କରିବ ଓ ଭାଇ ଭଉଣୀ, ସାଙ୍ଗ ସାଥୀମାନେ ଖେଳିବେ । ପାଖାପାଖି ସଫଳତା ପାଇଲା ବେଳକୁ, ସେ ମନେକଲା ସେଇ ଘର ଓ ଖପରା ତଥା ରାହା ଧରିବାର ଖେଳ, ନୂଆ ହେଲେ ବି ନୂତନତ୍ୱ କାହିଁ? ଅନ୍ୟମାନେ ଖେଳିଲେ ସିନା, ତା ମନକୁ ନିଜ ଗବେଷଣାଲବ୍ଧ ଖେଳଟି ପ୍ରତି ଆଉ ଶ୍ରଦ୍ଧା ନଥିଲା । ଏ ମଧୁକୁ ମଣ କରିବ କିଏ? ମାଷ୍ଟ୍ରେ ହତାଶ ହୋଇ ନିଜ ମାଷ୍ଟ୍ରେପଣିଆର ଅସହାୟତାକୁ ମର୍ମେ ମର୍ମେ ଅନୁଭବ କରନ୍ତି ଓ ଆଜି ବି କରୁଛନ୍ତି । ସ୍ୱଗତକ୍ତି କରନ୍ତି- ମୁର୍ଖ ଅପଗଣ୍ଡ! ମଧୁକୁ ଯେତିକି ନୁହେଁ ତତୋଧିକ ନିଜପ୍ରତି ଏ ସଂଭାଷଣଟି ଉଦ୍ଦିଷ୍ଟ ରଖନ୍ତି ସେ । କେତେ ରାଣ ନିୟମ କରି ଭଉଣୀ ମାନେ ତାକୁ ପାଠସହ ଯୋଗ କରନ୍ତି ଓ ତାହାର ଫଳ ସ୍ୱରୂପ ସେ ଷଷ୍ଠ ପର୍ଯ୍ୟନ୍ତ ପଢିଗଲା । କିନ୍ତୁ ହଠାତ ଏ ଫାଜିଲ୍ ସରକାର ବୋର୍ଡ୍ ପରୀକ୍ଷା ନିୟମ କଲା । ସେ ଆଦୌ ଦେବ ନାହିଁ, କିଏ କଣ କରୁଛି ଦେଖିବା । ପାଠ ପଢି କିଏ ସ୍ୱର୍ଗକୁ ଗଲାଣି, ପାଠ ଯଦି ଭଲ ହୋଇଥାନ୍ତା, ତାକୁ ଏତେ ବିରକ୍ତ କାହିଁକି ଲାଗନ୍ତା! କାହିଁ, ପିଜୁଳି, ଆତ, ଡାଳିମ୍ବ ସବୁଦିନ ଖାଇଲେ ବି ଖରାପ ଲାଗୁନି ତ । ସୁଦ୍ ମୁର୍ଖ ବୁଢୀମାଙ୍କ ଗପ ସବୁଠୁ ଚମତ୍କାର ଲାଗୁଛି କେମିତି । ସେ କାହିଁକି ଗପ ନଲେଖିବ? ସେ ତ ଲେଖି ଶିଖିଛି । ସେ ଲେଖିବ ଓ ତା ଲେଖା ସ୍କୁଲ୍ କଲେଜରେ ପଢାହେବ । ତାହେଲେ ପାଠୁଆ ହେଲା କିଏ?
ସପ୍ତମ ଶ୍ରେଣୀ ଷାଣ୍ମାସିକ ବା ଟେଷ୍ଟ ପରୀକ୍ଷାର ଇଂରାଜୀ ପତ୍ରରେ ସାତଟିରୁ ପାଞ୍ଚଟି ଶବ୍ଦର ବାକ୍ୟ ଗଠନ ପାଇଁ କୁହାଯାଇଥିଲା । ମଧୂକୁ ମାତ୍ର ଦୁଇଟି ଆସିଲା । ବାକି କ, ଖ ଓ ଗ ଶବ୍ଦ ପ୍ରତ୍ୟେକଟିକୁ ସେ ଲେଖିଲା ଏହିପରି । “ କ ର ମାନେ ମୋତେ ଜଣା ନାହିଁ । ଖ ଶବ୍ଦ ବାବଦରେ ବାପାଙ୍କୁ ପଚାରିବି । ଗ ଶବ୍ଦଟିକୁ ଅଭିଧାନରେ ଖୋଜୁଛି ।”
ଇଂରାଜୀ ଶିକ୍ଷକ ଡାକି ତାଗିଦ୍ କଲେ । ମଧୂ ଜିଦି କଲା ସେ ତ ଶବ୍ଦ ଗୁଡିକ ଲେଖିଛି ଓ ତାହା ଏକ ଏକ ବାକ୍ୟ ମଧ୍ୟରେ ଅଛି, ଅତଏବ ତାକୁ ପୂର୍ଣ୍ଣ ମାର୍କ ମିଳୁ । ଇଂରାଜୀ ସାର୍ ତା ମୁଣ୍ଡ ସାଉଁଳାଇ ଖୁବ୍ ତାରିଫ କଲେ ସିନା ମାର୍କ ଦେଲେ ନାହିଁ । ସାହିତ୍ୟରେ ପତ୍ର ଲିଖନ ପଡିଥିଲା । ଠିକଣା ଲେଖିଲା ମହାଦେଶ, ଗୋଲାର୍ଦ୍ଧ, ଗ୍ରହ ଓ ବିଶ୍ୱ ପର୍ଯ୍ୟନ୍ତ । ସାହିତ୍ୟ ଶିକ୍ଷକ ଏକଥା ସବୁଆଡେ କହି ବୁଲିଲେ ।
ସେ ମଧୁ।
ମାଷ୍ଟ୍ରେ ଦିନେ ନାନା ସୁସ୍ୱାଦୁ ଚିଜ ଦେଇ ତାକୁ କୋଳରେ ବସାଇ ବୁଝାଇଲେ, ବାବୁରେ ବୋର୍ଡ ପରୀକ୍ଷା ଆସୁଛି ତୁ ସେପର୍ଯ୍ୟନ୍ତ ତୋ କଥା ଅନୁସାରେ ଏ ଅଇଁଠା ରୂପକ ପାଠଟିକୁ ଘୋଷିଦେ, ନହେଲେ ପା ତୋ ଭବିଷ୍ୟତ ଜାଣିବୁ ଚାଳରେ ଖୋସା ହୋଇଯିବ ।
ପ୍ରତ୍ୟୁତ୍ତର ମିଳିଲା, ଆଜ୍ଞା ସାନବାପା, ଆମ ଏ ଚାଳଘର ବଦଳାଇ ଚୌଧୁରୀ ସାଆନ୍ତଙ୍କ ଭଳି କୋଠାଘର କର, ଚାଳରେ ଖୋସିବା ଭୟ ନଥିବ ।
ହେଉ ହେଲା, କହିଲୁ ପଲାସି ଯୁଦ୍ଧ କେବେ ହୋଇଥିଲା ?
ଅଠର ଶହ ସତାବନ, ସାନବାପା ।
ତାହେଲେ ସିପାହୀ ବିଦ୍ରୋହ?
ସତର ଶହ ସତାବନ ।
ମାଷ୍ଟ୍ରେ ରାଗିକି ଲାଲ୍ ପଡିଗଲେ । ତାହେଲେ ଇଂରେଜ ମାନେ ଶାସନ କରିବା ଆଗରୁ ସିପାହୀ ମାନେ ବିଦ୍ରୋହ କରିଥିଲେ ବୋଧେ?
ନାଇଁ ସାନବାପା ତୁମେଟିକେ କମବୁଝା ମଣିଷ । ପ୍ରଥମେ ବୁଝ, ତୁମେ କହୁଛ ସତର ପରେ ଅଠର, କହି ପାରିବ କି ଏହା କାହିଁକି? ପ୍ରମାଣ କରି ପାରିବ? ମୁଁ ଯଦି କହେ ଛଅ, ଆଠ, ସାତ ଓ ସେମିତି ଶୋହଳ, ଅଠର, ସତର। ଏଣୁ ଅଠର ଶହ ସତାବନ ଆଗ।
ମାଷ୍ଟ୍ରେଙ୍କ ଧର୍ଯ୍ୟଚ୍ୟୁତି ଘଟିଲା । -ମୂର୍ଖ, ଅପଗଣ୍ଡ କାହାଁକା, ମୋ ସହ ଥଟ୍ଟା କରୁଛୁ । ସ୍ୱୀକାର୍ଯ୍ୟ ବା ଆସମ୍ପସନ୍ ମାନଙ୍କୁ ବେଖାତିର୍ କରୁଛୁ । ଯା ଗାଈଚରା ।
ମଧୁ ପୁଣି କହିଲା, ସତ କହିଲ ସାନବାପା, ଏ ଗାଈଚରା କାମଟି ପାଠ ଅପେକ୍ଷା ଭଲ ନୁହେଁ? ଭଗବାନ ଗାଈ ଚରାଉ ନଥିଲେ?
ବସିଲା ଏକ ଚଟକଣି ।
ଏଥର ମଧୁ କାନ୍ଦିଲା ନାହିଁ ।
ପରଦିନ ମଧୁ ଆଉ ଘରେ ନଥିଲା ।
ସମସ୍ତେ ଖୋଜିଲେ, ପୁଲିସ ସମେତ । ବନ୍ଧୁ ବାନ୍ଧବ, ସୁକୃତ ମୈତ୍ର୍ ମାନଙ୍କ ଘର ମାନଙ୍କୁ ଖବର ଦିଆଗଲା କିନ୍ତୁ ମଧୁ କେଉଁଆଡେ ଗଲା ଜଣା ପଡିଲାନି ।
ସାରା ଗ୍ରାମ ହୁଲୁସ୍ତୁଲ ହୋଇଗଲା । ବାଳୁତ ମାତ୍ର, କୁଆଡେ ହଜିଗଲା । ମାଷ୍ଟ୍ରେଙ୍କ ଅବସ୍ଥା ଅନୁମେୟ । ପିତା ମାତା ଓ ସମଗ୍ର ପରିବାର କିଛି ଦିନ କନ୍ଦାକଟା ଅନ୍ତେ ଧରିନେଲେ ମଧୁ ଆଉ ଫେରିବ ନାହିଁ । ଗାଆଁ ମଠକୁ ଆସିଥିଲେ ଜଣେ ତ୍ରିକାଳଦର୍ଶୀ ମୌନୀବାବା । ଧ୍ୟାନରେ ବସି ସେ ସାଂକେତିକ ଉତ୍ତର ଦେଲେ ଉର୍ଦ୍ଧ୍ୱଗାମୀ ମଧୁ । ତାହେଲେ ସେ କି ମୃତ? ମୁଣ୍ଡ ହଲାଇ ସ୍ମିତ ହାସ୍ୟରେ ବାବା ନାସ୍ତି କଲେ । ମଧୁଠୁ ଆସିଥିବା ଚିଠିର ପୋଷ୍ଟାଲ ଷ୍ଟାମ୍ପ ବସିଥାଏ ଋଷିକେଶ ।
ବାବା, ସେ ତେବେ କଣ ଋଷିକେଶରେ? ସଂକେତ ମିଳିଲା ଆହୁରି ଉର୍ଦ୍ଧ୍ବରେ । ଯଥା ସମ୍ଭବ ହିମାଳୟକୁ ଖୋଜାଗଲା । ଏହା କଣ ସମ୍ଭବ? ମଧୁ ମିଳିଲା ନାହିଁ ।
ପ୍ରାୟ ବାର ବର୍ଷ ପରେ ସେ ଫେରିଲା । ସାଧାରଣ ମଣିଷ ଭଳି । ନା କିଛି ଅଭିଯୋଗ ନା କିଛି ସଫେଇ । ନା ଜଟାଜୁଟ ନା ଶୁଭ୍ର ଅବା ଗେରୁଆ ବସ୍ତ୍ର । ତାର ଆଚରଣ ଥିଲା; ଯେମିତି କୌଣସି ବନ୍ଧୁଘର ଯାଇ ଫେରି ଆସିଛି ।
କିଏ ଦିନେ ତାକୁ ସାହାସ କରି ପଚାରି ନାହିଁ । ଗାଆଁଲୋକେ ପଚାରିଲେ ହସିଦିଏ, ନିରୁତ୍ତର ରହେ । ସାନବାପା ସେଦିନରୁ ଅଦ୍ୟାବଧି ମଧୁକୁ କଥା ହୁଅନ୍ତି ନାହିଁ ।
ସେ କଥା ଅନେକ ଦିନୁ ବିଗତ । ସମସ୍ତ ଭ୍ରାତା ଭଗ୍ନୀମାନେ ପାଠ ସମାପ୍ତ କରି ପଦ ପଦବୀରେ ରହିଲେ, ଆତ୍ମ ନିର୍ବାସିତ ହୋଇ । କାଳ କ୍ରମଶଃ ଆବୋରି ନେଇଛି, ବାପା, ବଡବାପା, ମାଆ, କାକୀ ଓ ବଡ ମାଆଙ୍କୁ । ରହିଛନ୍ତି କେବଳ ଏହି ସାନ ବାପା, ବିପିନି ମାଷ୍ଟ୍ରେ । ମଧୁ ଦୁଇ ସନ୍ତାନର ଜନକ । ଏତେ ବଡ ପରିବାର କିଏ କେଉଁଠି ରହିଲେ । ପିଲାଏ ସାଧାରଣ ଭାବେ ସାନ ଜେଜେଙ୍କ ଆଦର ଯତ୍ନରେ ବେଶ ଭଲ ଆଗୁଆ ସବୁ ଦିଗରୁ । ଏବେ ବୈଷୟିକ ଅନୁଷ୍ଠାନ ମାନଙ୍କରେ ଦୂରାନ୍ତରେ ।
ମିନୀ ଆଜି ସାନ ବାପାଙ୍କ କଟୁକଥାରେ ମୁହଁ ଶୁଖାଇ ଘର କାମ ମାନ କରି ଚାଲିଛି । ମଧୁ ଆସି ପହଞ୍ଚିଲା ପରେ ଓ ପଚାରନ୍ତେ, ମନଖୋଲି ସେ କଥା କହିଗଲା ।
ମଧୁ ହାସ୍ୟ ସମ୍ବରଣ କରି ନପାରି ମିନୀକୁ ପିଲାଙ୍କ ପଢାଘରକୁ ନେଇଗଲା । ତା ବ୍ୟକ୍ତିଗତ ବହି ଆଲମୀରା ଖୋଲି ଦେଖାଇଲା, ଏଗୁଡାରୁ ଅନେକ ତୁମେ ପଢିଛ । ପଢିନ କି ଆରଣ୍ୟକ, ଶେଷ ବସନ୍ତର ଚିଠି, ଲକ୍ଷ୍ମୀର ଅଭିସାର ଇତ୍ୟାଦି ଇତ୍ୟାଦି? ଅଥଚ ଜାଣିନ ଲେଖକ କିଏ । ଏମିତି କି “ମନୋଜ ପଞ୍ଚବିଂଶତି” ପଢି କେମିତି ତୁମେ ନାମଟି ଭୁଲିଗଲ!
ଏବେ ମିନୀ ମୁହଁରେ ହସ, “ସାନବାପା ଠିକ୍ କହଛନ୍ତି, ମୋଠୁ ମୂର୍ଖ କେହି ନାହିଁ” ।
ଓ! ଇଏ ତାହେଲେ ସେହି ମନୋଜ ଦାସ, ଯେ ଦ୍ୱନ୍ଦ୍ୱରେ ପକାଇ ଦିଅନ୍ତି, ଅଗି ନିଆଁରେ ମଦୁଆ ଦଳ ମଣିଷ ଅବା ବାର୍ହାକୁ ଖାଇଗଲେ, ମଧୁବନର ମେୟରଙ୍କୁ ସାରା ରାତି ନଦୀପାଣିକୁ ବସ୍ତ୍ରପ୍ରାୟ ଲଜ୍ଜାନିବାରଣ ବ୍ୟବସ୍ଥା କରାନ୍ତି, ସଭ୍ୟ ମନୁଷ୍ୟକୁ ଆଇନା ଆଗରେ ନିର୍ବସ୍ତ୍ର ଟାଇ ପିନ୍ଧାନ୍ତି, ପୃଥୀରାଜଙ୍କ ଘୋଡାର ଶକ୍ତିରେ ମଲା ଦଦରା ପଣ୍ଡିତକୁ ଲକ୍ଷେ ସିଂହର ବଳ ଦିଅନ୍ତି । ମଲା ମଲା, ମୁଁ ଚକୁଳି ଖାଇବା ଲୋକ, ବିରି କିଏ ଚାଷ କଲା ମୁଁ କେମିତି ଜାଣିବି? ମୁଁ କାହିଁକି ଗପ ପଢୁ ପଢୁ କିଏ ଲେଖିଲା ମନେ ରଖିବି ମଁ । ସାନ ବାପା ଠିକ୍ କହୁଥିଲେ ସେ ଲେଖକ ସବୁଠୁ ଆଗରେ । ତା ବ୍ୟତୀତ ଏମିତି ଗପ ଲେଖୁଥିବା ଲୋକ ଜଣଙ୍କ କଣ ଆମ ସାନ ବାପା ଭଳି ନବେ ବର୍ଷର ହୋଇ ପାରନ୍ତି? ମୁଁ ଭାବୁଥିଲି ସେ ଅତି ବେଶି ହେଲେ ଷାଠିଏ ବର୍ଷର ହୋଇଥିବେ । (୨୦୦୭ ମସିହା କଥା) । ସାନ ବାପା କହୁଥିଲେ ସେ ତାଙ୍କ ସହପାଠୀ ।
ମଧୁ ପୁଣି ହସିଲା ।
ହା ହା, ବିରି ଚାଷୀକୁ ନଜାଣ, ସୁଆଦରୁ କହିପାରିବ ନାହିଁ ଚକୁଳି ମାଆ କରିଛି କି ଜେଜେ ମାଆ? ସାନ ବାପା ଠିକ୍ କହିଛନ୍ତି । ସେ ମାଇନର ପାସ କରି ମାଷ୍ଟ୍ରେ ହୋଇଥିଲେ । ଧୀରେ, ଧୀରେ କେବେ କେବେ ଘରୋଇ ପରୀକ୍ଷା ଦେଇ ଆଗକୁ ଗଲେ । ଅନେକ ବର୍ଷ ପରେ ବାଲେଶ୍ୱର ନୈଶ୍ୟ ମହାବିଦ୍ୟାଳୟ ଖୋଲିବାରୁ ସେଇଠି କଲେଜରେ ନାମ ଲେଖାଇଲେ । ଦିନରେ ମାଷ୍ଟ୍ର ରାତିରେ ଛାତ୍ର । ମିତ୍ରପୁରରୁ ବାଲେଶ୍ୱର ନିତି ସାଇେକେଲରେ ଯିବେ ପୁଣି ଘଡିଏ ରାତିକୁ ଫେରିବେ । ପ୍ରକୃତରେ ସେ ପ୍ରାୟ ତେର ଚଉଦ ବର୍ଷ ବଡ । ତେବେ ତାଙ୍କର ଏ ମନସ୍ୱୀ ସାଙ୍ଗ ଜଣକ, ଷାଠିଏ ନୁହେଁ ତେସ୍ତୋରି ବର୍ଷର ହେଲେଣି । ସେ ସମୟରେ ଛାତ୍ରମାନଙ୍କ ମଧ୍ୟରେ ଘନିଷ୍ଠତା ଥିଲା ବୋଧହୁଏ ବହୁତ, ଏଣୁ ନୈଶ୍ୟ ମହାବିଦ୍ୟାଳୟର ଛାତ୍ରମାନେ ବି ସମସ୍ତଙ୍କୁ ଚିହ୍ନୁଥିଲେ । ମନୋଜ ମହାଶୟ ସେତେବେଳକୁ ଲେଖକର ମର୍ଯ୍ୟାଦା ପାଇଲେଣି । ଛାତ୍ର ନେତା, ସାମ୍ୟବାଦୀ ନେତା, କବି, ଗୀତିକାର, ବାଦ୍ୟ ଓ ସଂଗୀତକାର ତଥା ସଂପାଦକ । ସବୁ ଛାତ୍ର ତାଙ୍କୁ ଚିହ୍ନିବା ସ୍ୱଭାବିକ । ସେମିତି ବୁଢାକାଳରେ ପାଠ ପଢୁଥିବା ମାଷ୍ଟ୍ରେଙ୍କୁ ମଧ୍ୟ ସମସ୍ତେ ଚିହ୍ନୁଥିଲେ ଓ ମାଷ୍ଟ୍ରେ ସମ୍ବୋଧନ କରୁଥିଲେ । ତେଣୁ ସେ କିଛି ମିଛ କହି ନାହାନ୍ତି।
ସାନବାପା କାହିଁ ତାଙ୍କ ନାତି ଦୁଇଜଣଙ୍କୁ ତ ଛାଟ ଦେଇ ପାଠ ପଢାଇଲେ ନାହିଁ । ଏଣୁ ସେ ମାନନ୍ତୁ ଅବା ନମାନନ୍ତୁ ଏହା ଯେ ଭୁଲ ପଦ୍ଧତି ଥିଲା ତାହା ସେ ହୃଦୟଙ୍ଗମ କଲେଣି । କେବଳ ସେ କାହିଁକି, ସମାଜ ଓ ଶିକ୍ଷା ବ୍ୟବସ୍ଥା ମଧ୍ୟ ଏକଥା ବୁଝିଲାଣି, ବିଦ୍ୟାଳୟ ଏବେ ଦଣ୍ଡମୁକ୍ତ ଅଞ୍ଚଳ । ସେ ବିଜ୍ଞାପନଟି ଦେଖିଲେ ମତେ ହସ ଲାଗେ ।
ମୋର ଯାହା ଅନୁଭବ ବହୁତ ସମୟରେ ସେ ନିଜକୁ ନିଜେ ମୂର୍ଖ ଅପଗଣ୍ଡ କହିଥାନ୍ତି ।
ଏହି ସାନବାପା ହିଁ ମୋତେ ଫେରାଇ ଆଣିଥିଲେ । ହଠାତ୍ ଦିନେ ମନେହେଲା, ମୋ ପାଇଁ ସେ କେତେ କଷ୍ଟ ପାଇଛନ୍ତି ଓ ପାଉଥିବେ। ମୁଁ ପଢିଲି ନାହିଁ ସେ କଷ୍ଟ ପାଇଲେ, ତାଙ୍କ ଉପରେ ଅଭିମାନ କରି ମୁଁ ଘର ଛାଡିଲି ସେ ଅଯଥା ନିଜକୁ ଦୋଷୀ ମନେ କରୁଥିବେ, ହଠାତ ମୁଁ ଗୁରୁଙ୍କୁ ପଚାରିବାରୁ ଗୁରୁ ମୋତେ ରେଳ ଟିକେଟ ଦେଇ ବିଦା କରିଦେଲେକି ମୋ ଏ ଜୀବନର ସମସ୍ତ କର୍ତ୍ତବ୍ୟ ତାଙ୍କ ପାଖରେ । ଦେଖ, ସବୁ ଚାଲିଗଲେ ସେ ଆମକୁ ଛାଡି ଯାଉନାହାନ୍ତି କାରଣ ମୋତେ ତାଙ୍କ ଇଛା ମୁତାବକ ମଣିଷ କରି ପାରିନଥିବାର କଷ୍ଟ ପାଇବା ତାଙ୍କର ଦୁର୍ଭାଗ୍ୟ ଯାହା ତାଙ୍କର ଆଉ ହୁଏତ କିଛି ବାକି ଅଛି । ଆମେ ତାଙ୍କ ଦାୟିତ୍ୱ ନେବାର ଆନନ୍ଦ ପାଇବା, ସେତିକି ଦେବା ପାଇଁ ସେ ଅଛନ୍ତି । ଯେପର୍ଯ୍ୟନ୍ତ ସେ ବୁଝିନଥିବେ ଯେ ମଧୁ ଓ ମିନୀ ସଫଳ ମଣିଷ ସେ ପର୍ଯ୍ୟନ୍ତ ସେ ନିଜକୁ ଓ ଆମକୁ କହି ଚାଲିଥିବେ ମୂର୍ଖ ଅପଗଣ୍ଡ । ଆମ ପିଲା ମାନଙ୍କ ସଫଳତାକୁ ସେ ଆମ ସଫଳତା ବିଚାର କରୁ ନାହାନ୍ତି । ସଫଳତା ଓ ବିଫଳତାର ସଜ୍ଞା ସେ ନିରୁପଣ କଲେ ଯାଇ ତାଙ୍କ କର୍ତ୍ତବ୍ୟ ସରିବ ।
ମିନୀକୁ ଏସବୁ କଥା ଠିକ ଲାଗିଲେ ସତ, ଏତେ ଗହନକୁ ଯିବାରେ ତାହାର ରୁଚି ନଥାଏ । ବିଶେଷ କରି ସେ କେବେ ମଧୂଙ୍କୁ ପଚାରେ ନାହିଁ, କେଉଁ ଗୁରୁଙ୍କ କଥା ସେ କହନ୍ତି । ତାକୁ ଭୟ ଲାଗେ ଯଦିଓ ସେ ନିଶ୍ଚିତ ସ୍ୱାମୀ କେବେ ତାକୁ ଛାଡି କେଉଁଆଡେ ଚାଲିଯିବେ ନାହିଁ। ସେ କେବଳ ଛୋଟ କଥାଟିଏ ଭାବେ, ମଧୁ ଯଦି ସେମିତି ଏକ ବଡ ପଦବୀରେ ବିଦେଶରେ ଥାଆନ୍ତେ ତାହେଲେ ସାନ ବାପା କେମିତି ମିତ୍ରପୁରରେ ରହି ପରିଥାନ୍ତେ । ସେ କେବେ ଗାଆଁ ଛାଡି କୁଆଡେ ଯାଇ ପାରିଥାନ୍ତେ ! ଆଉ ଏହି ସାନଜେଜେଙ୍କ ପାଇଁ ତ ନାତି ଦୁଇଟି ଉପରକୁ ଯାଇଛନ୍ତି ।
ମଧୁ ପକେଟ ମଧ୍ୟରୁ ଛୋଟିଆ ଶ୍ରବଣ ଯନ୍ତ୍ରଟି ବାହାର କଲେ । ବୁଝିଲ ମିନୀ, ଏଥିରେ ବ୍ୟାଟେରୀ ପକାଇ ଆଣିଲି । ସାନ ବାପା କହିବା ଆଗରୁ ମୁଁ ଅବଗତ ଥିଲି କି ସେ ନଶ୍ଚେ ଏ ସଭାକୁ ଯିବେ । ନିଜର କାଲାପଣ ଲୁଚାଇବାକୁ ଯାଇ ଦିନେ ବି ଏହାକୁ ବ୍ୟବହାର କଲେ ନାହିଁ, ବ୍ୟାଟେରୀ ସରିଗଲା । ଦେଖାଯାଉ ଏଥର ରାଜି ହେଉଛନ୍ତି କି ନାହିଁ?
ଇଛାଥିଲେବି ମୋ କଥା ଶୁଣିବେ ନାହିଁ, ତାଙ୍କୁ ବୁଝାଇ ଶୁଝାଇ ଏଇଟା ଦିଅ ।
କହିବା ବାହୁଲ୍ୟ ମାଷ୍ଟ୍ରେ ଅତ୍ୟନ୍ତ ପ୍ରସନ୍ନ ହେଲେ, “ମୋ ମନକଥା ମଧୁ ବୁଝେ, ଏତେ ବୁଦ୍ଧିମାନ ପିଲାକୁ ମୁଁ ମଣିଷ କରିପାରିଲି ନାହିଁ। ଧିକ୍ ମୋ ମାଷ୍ଟ୍ର ପଣିଆ!”
“କାହିଁକି ଆଉ ସେକଥା କହୁଛ ସାନବାପା । କୁହତ ତୁମ ସାନପୁଅ ମନରେ ଦୁଃଖ ଅଛି? କେତେ ଖୁସି ସେ ପ୍ରତି ମୁହୁର୍ତ୍ତରେ । ତୁମେ ତାଙ୍କୁ କହିବା ତାଙ୍କୁ କିଛି ଫରକ ପଡେନି, ତୁମର ଏ ଝିଅଟି କଷ୍ଟ ପାଏ”, ନିଜ ଆଡକୁ ଆଙ୍ଗୁଳି ଦେଖାଇ ମିନୀ ଏତକ କହିଲା ତ ନାହିଁ ଯେମିତି ପିଚକାରୀ ମାରିଦେଲା ।
ସାନବାପା ସ୍ୱଗତକ୍ତି କଲେ, ସମ୍ଭବତଃ ନିଜ ଆଡକୁ ହାତ ଦେଖାଇ, “ମୂର୍ଖ ଅପଗଣ୍ଡ” ।
ସୁଦିନ ଆସିଲା, ସଜ ବାଜ ହୋଇ ତିନିହେଁ ସଭାକୁ ଗଲେ । କାନରେ ଶ୍ରବଣ ଯନ୍ତ୍ର, ମାଷ୍ଟ୍ରେ ଆଜି ବଡ ଧୀର ସ୍ୱରରେ କଥା ହେଉଥାନ୍ତି । ମନେହୁଏ ସମଗ୍ର ସଭା ମଧ୍ୟରେ ସେ ବରିଷ୍ଠ । ସେ ଯେ ସଭାକୁ ଆସିବେ ଏକଥା କେହି ଭାବିନଥିଲେ, ନଥିଲା ତାଙ୍କପାଇଁ ବିଶେଷ ନିମନ୍ତ୍ରଣ । କିନ୍ତୁ ଆଜି ଫକୀର ମୋହନ କଲେଜର ଅଧ୍ୟକ୍ଷ ତାଙ୍କ ଛାତ୍ର । ମଧୂକୁ ସେ ପିଲାଦିନୁ ଚିହ୍ନନ୍ତି । ତା’ଠୁ ଏକଥା ଶୁଣି ସେ ଆୟୋଜନ କଲେ ବନ୍ଧୁମିଳନ ମଧ୍ୟରେ ଆଉ ଏକ ବନ୍ଧୁମିଳନ ।
ଯେଉଁମାନେ ଶ୍ରୀ ଦାସଙ୍କ ସହପାଠୀ ସେମାନଙ୍କୁ ଗୋଟିଏ ରୁମରେ ବସାଇ ସଭାପରେ ଚା ପର୍ବଟିଏ ହେବ ।
ସଭା ଆରମ୍ଭ, ଶ୍ରୀ ଦାସଙ୍କ ଭାଷଣ ପାଇଁ ସମ୍ମାନ ପ୍ରଦାନ ପର୍ବଟି ପଛକୁ ଘୁଞ୍ଚିଥିବାରୁ ସେ ପ୍ରଥମେ ଦୁଃଖ ପ୍ରକାଶ କରି ତାଙ୍କ ସ୍ୱଭାବ ସୁଲଭ ମଜାଳିଆ ବକ୍ତବ୍ୟ ଦେଇ କହିଲେ, ଆଫ୍ରିକାର ଏକ ପ୍ରଥା ଅନୁସରଣ କରି ଏକଗୋଡରେ ଠିଆ ହୋଇ ଭାଷଣ ଦେବା ପ୍ରଥାଟି ଭାରତରେ ପ୍ରଚଳନ କଲେ ମନ୍ଦ ହୁଅନ୍ତା ନାହିଁ । ବକ୍ତା ଅଳ୍ପ କହିବାକୁ ବାଧ୍ୟ ହୁଅନ୍ତେ ।
ମାଷ୍ଟ୍ରେଙ୍କୁ ଭଲ ଶୁଭୁଛି ସେ ସମସ୍ତଙ୍କ ପରି ହସି ଉଠି ତାଳି ମାରିଲେ। ଲଘୁ ଗମ୍ଭୀର ଭାଷଣ, ସଫଳତା ଓ ବିଫଳତାର ସମୀକ୍ଷା ଦିଗକୁ ଆଗେଇଲା । ସେ କହିଲେ ପାଣ୍ଡୋରା ବାକ୍ସରୁ ବାହାରିଥିବା ଶେଷ କଥାଟି ହେଲା ଅଶା, ଓ ତାକୁ ନେଇ ମଣିଷ ବଞ୍ଚୁଥାଏ । ଓସ୍କାର ୱଇଲ୍ଡି ଓ ବାର୍ଣ୍ଣାଡ ଶ କହିଛନ୍ତି ମଣିଷ ଯାହା ଚାହେଁ ତାହା ପାଇବା ଓ ତାହା ନପାଇବା ଏ ଉଭୟ ଆଣନ୍ତି ତା ପାଇଁ ଦୁଃଖ ।
ପ୍ରାଚୀନ ପାରସ୍ୟର ନରପତି ଜର୍ଗେସ ଗ୍ରୀସ ଅକ୍ତିଆର କରିବା ପାଇଁ ତତ୍କାଳୀନ ପୃଥିବୀର ସର୍ବ ବୃହତ ସ୍ଥଳ ଓ ନୌସେନାକୁ ଟ୍ରୟ ନଗରୀର ପର୍ବତ ଚୁଳରୁ ନିରୀକ୍ଷଣ କରି ସଫଳତାର ହସ ହସିଲା ପରେ ଅବସାଦର ଲୁହ ଝରାଇଲେ, ହାୟ ଆଉ ଶହେ ବର୍ଷପରେ ଏ ଦିଗନ୍ତ ବ୍ୟାପୀ ସୈନ୍ୟବାହିନୀରୁ କେହିଜଣେ ନଥିବେ, ବିଜିତ ଓ ବିଜେତା ବାହୁଡି ଯାଇଥିବେ । ସଫଳତା ତାହେଲେ କାହିଁ? ବିଶ୍ୱବିଜୟୀ ଆଲେକ୍ଜାଣ୍ଡର ଦରିଦ୍ର ଦାର୍ଶନିକ ଡାଓଜେନିସଙ୍କ ପାଖକୁ ଛୁଟିଯାଉଥିଲେ ଜୀବନ ଜିଜ୍ଞାସାର ବିନ୍ଦୁଏ ଦର୍ଶନ ପ୍ରାପ୍ତ ହେବାପାଇଁ। ତାଙ୍କ ଗୁରୁ ଆରିଷ୍ଟଟଲ୍ ତାଙ୍କ ମଧ୍ୟରେ ସୃଷ୍ଟି କରିଥିବା ଅଭିପ୍ସାକୁ ଅବହେଳା କରି ସେ ମର୍ମେ ମର୍ମେ ବିଫଳତା ଅନୁଭବ କରୁଥିବାର ପ୍ରମାଣ । ଆଲି ହାଥିସ ଜଣେ ଜ୍ୟୋତିଷଙ୍କ ପ୍ରରୋଚନାରେ କିଣିଥିବା ପାହାଡିଆ ଭୂମିରୁ ସୁନାଫଳିବ ଭବିଷ୍ୟବାଣୀରେ ନିରାଶ ହୋଇ ତାହାକୁ ସ୍ୱଳ୍ପ ମୂଲ୍ୟରେ ବିକି ଦେଲେ । ଛଅ ମାସ ପରେ ସେଠାରେ ଗୋଲକୁଣ୍ଡା ହୀରାଖଣି ଆବିଷ୍କୃତ ହେଲା । ଏ ଖବରରେ ଅତିଷ୍ଠ ହୋଇ ସେ ପ୍ରାଣତ୍ୟାଗ କଲେ । ନୂଆ ବୃଦ୍ଧ ମାଲିକ ସେତେବେଳକୁ ଧନ ଉପଭୋଗ ବୟସରୁ ଅତିକ୍ରାନ୍ତ, ସେ ଭାଳେଣିରୁ ସେ ଜୀବନ ହାରିଲେ । ତାଙ୍କ ଉତ୍ତରାଧିକାରୀ ରୋଗଗ୍ରସ୍ତ ହୋଇ ପ୍ରାଚୂର୍ଯ୍ୟକୁ ଉପଭୋଗ ନକରି ମରିଗଲେ । ହୀରା ମାନେ ଆଜି କେଉଁଠି?
ପିଲାଳିଆ କଥାଟିଏ କହିଲେ । ଉତ୍ତର ବାଲେଶ୍ୱରର ଏକ ମେଧାବୀ ଛାତ୍ରକୁ ଶିକ୍ଷକମାନେ ପ୍ରସ୍ତୁତ କରାଇଥାନ୍ତି ସ୍କୁଲ ସବଇନିସ୍ପେକ୍ଟର ବାବୁଙ୍କୁ ସାମ୍ନା ହେବାପାଇଁ । “ସୁଦୂର କାବୁଲ ଦେଶେ ଅଟେ ମୋର ଘର, କରିବାକୁ ଆସିଥିଲି କାରବାର ।” ସେ କହିବାର ଥାଏ କବି କହୁଛନ୍ତି କେବଳ ଦୂର ନୁହେଁ, ସୁଦୂର କାବୁଲ ଦେଶରେ ବ୍ୟାପାରୀଙ୍କ ଘର ।
ଠିକ୍ ସମୟରେ ବାବୁଙ୍କ ପ୍ରଶ୍ନରେ ହଡବଡେଇଗଲା ପିଲାଟି କହିଲା, କବି କହୁଛନ୍ତି ଖାଲି ବୁଲ ନୁହେଁ କା ବୁଲ ଦେଶରୁ ବ୍ୟାପାରୀ ଆସିଛନ୍ତି । ନିଜର ତ୍ରୁଟି ପରକ୍ଷଣରେ ବୁଝିପାରି ସେ ଏମିତି ମ୍ରୀୟମାଣ ହୋଇ ପଡିଲା ଯେ ପାଠରେ ଡୋରୀ ବାନ୍ଧିଦେଲା ।
ମଧୁ, ମିନୀ ଓ ମାଷ୍ଟେଙ୍କ ହୃଦୟକୁ କଥାଟି ବେଦନାସିକ୍ତ କରିଦେଲା। ମଧୂ ହସିଦେଲା, ମିନୀ ଝାଉଁଳି ପଡିଲା । ମାଷ୍ଟ୍ରେଙ୍କ ଆଖିରେ ଲୁହ, ସେ ଯେମିତି ଅନୁଭବ କଲେ ସମ୍ପୃକ୍ତ ବାବୁ ଜଣକ ସେ ନିଜେ ଓ ପିଲାଟି ମଧୁ ବ୍ୟତୀତ କେହି ନୁହନ୍ତି ।
ମନୋଜ କହିଲେ, ହିଟଲରଙ୍କ ମସ୍କୋ ଅବରୋଧର ସମସ୍ତ ଗଣନା କିପରି ଅଦୃଷ୍ଟର ଅକାଳ ତୁଷାରପାତରେ ବିଫଳ ହୋଇଗଲା ।
ନିଜର ଯାତ୍ରାଦଳକୁ ତାଙ୍କ ପରବର୍ତ୍ତୀ ନାଟକର ବିୟୋଗାନ୍ତକ ମର୍ମ ଗଛମୂଳେ ବୁଝାଉ ବୁଝାଉ, ଓଃ କି ଟ୍ରାଜେଡି, ଗୋଟିଏ ଛଞ୍ଚାଣର ଆକ୍ରମଣରେ ଅନ୍ୟ ଛଞ୍ଚାଣର ଚଞ୍ଚୁରୁ ଖସି ପଡିଲା ବୋହି ନେଉଥିବା କଛପଟି । ଆସ୍କେଲାସଙ୍କ ଚନ୍ଦାମୁଣ୍ଡ ଦୁଇଫାଳ ହୋଇଗଲା । କେତେବେଳେ କାହା ମୁଣ୍ଡରେ ଏମିତି କଛପ ପତ୍ତନ ଘଟିବ ସେକଥା ଜାଣିବାର ଉପାୟ ନାହିଁ ।
ବିରାଟ ଯୋଦ୍ଧା ଆନସିୟସ ବହୁ ବିଜୟାନ୍ତେ ବିଶ୍ରାମର ସ୍ୱପ୍ନରେ ପ୍ରାସାଦ ନିର୍ମାଣ କରି ବଗିଚାରେ ଚାଷ କରାଇଲେ ଶ୍ରେଷ୍ଠ ଅଙ୍ଗୁର ଓ ତହିଁରୁ ହେବ ଦିନେ ବିଶେଷ ସ୍ୱାଦର ସୁରା ।
ହାୟ! ଖଉନ୍ଦ ସେ ସୁରା ସେବନ କରିପାରିବେ ନାହିଁ ଭବିଷ୍ୟବାଣୀ କରିଥିଲେ ଦାସରୂପୀ ଦାର୍ଶନିକ ।
ସେହି ଦାର୍ଶନିକଙ୍କୁ ସାକ୍ଷୀ ରଖି ସେ ବିଶେଷ ସୁରାପର୍ବ ଆରମ୍ଭ ହେଲା ।
ତଥାପି ଦାର୍ଶନିକ କହିଲେ, ପିଆଲା ଓ ଓଷ୍ଠ ମଧ୍ୟରେ ଅନେକ ପାନୀୟ ଭୂପତିତ ହେବାର ସମ୍ଭାବନା ଥଏ ।
ବାର୍ହା ପଶି ଆସିଲା ବଗିଚାକୁ, ସୁରାପାତ୍ର ଥୋଇ ଅସୀ ହସ୍ତେ ବାହାରିଗଲେ ଆନସିୟସ । ହାୟ, ସୁରାପାନ ନଥିଲା ବିଧାନ!
ଏମିତି ଅସଂଖ୍ୟ ଉଦାହରଣ କଣ ଆମକୁ ଶିକ୍ଷାଦିଏ?
ଆମକୁ ସୂଚନା ମିଳେନା ପର ମୁହୁର୍ତ୍ତରେ କଣ ଘଟିବ, ଆମେ ଅଜ୍ଞାନ । ଜନ୍ମ ଓ ମୃତ୍ୟୁ ଦୁଇଟି ଅଜ୍ଞାତ ତାରିଖର ବନ୍ଧନୀ ମଧ୍ୟରେ ସୀମିତ ଏ ଜୀବନରେ କି ଜ୍ଞାନ ଅବା ସମ୍ଭବ! ତାହେଲେ କଣ ଜ୍ଞାନମାର୍ଗ କିଛିନାହିଁ?
ଅଛି, କିନ୍ତୁ ଅଜ୍ଞାନତା ଓ ଅହଂ; ଜ୍ଞାନ ଅର୍ଜନରେ ପ୍ରତିବନ୍ଧକ । ଅହଂ କବଳିତ ମଣିଷ ନିଜକୁ କେବେ ସନ୍ଦେହ କରିପାରେନା ଯେ ସେ ଅଜ୍ଞାନ ।
ଏଥର ମାଷ୍ଟ୍ରେ, କଥାଟିକୁ ନିଜ ଅନ୍ତରକୁ ଟାଣିନେଲେ । ତାଙ୍କ ସଫଳତା ଓ ବିଫଳତାର ସଜ୍ଞା ବଦଳିଗଲା । ହଠାତ ଅନୁଭବ କଲେ, କେବଳ ଯାହା ଏଇ ମଧୁଟି ପାଇଁ ସିନା ତାଙ୍କ ଜୀବନର ଏ ଅନ୍ତିମ ପର୍ଯ୍ୟାୟ ଉଣା ଅଧିକେ ମଧୁମୟ । ମଧୁକୁ ଅମଣିଷ କରିବାର ଗ୍ଳାନିର ପରିସମାପ୍ତି ଘଟିଲା । କହିବା ବାହୁଲ୍ୟ ସେ ଶ୍ରବଣ ଯନ୍ତ୍ର କାନରୁ ବାହାର କରି ନୀରବତାର ଆଶ୍ରୟ ନେଲେ ।
ସଭା ସରିଲା ପରେ, ସ୍ୱଳ୍ପ ସମୟ ଏକାଠି ହେଲେ । ଶ୍ରୀ ଦାସଙ୍କ ସମେତ ଆଉ ଚାରିଜଣ ବନ୍ଧୁ ମାଷ୍ଟ୍ରେଙ୍କ ଉପସ୍ଥିତିରେ ଦେଖାଯାଉଥାନ୍ତି ଯେମିତି ତାଙ୍କ ଛାତ୍ର । ସମସ୍ତଙ୍କ ସେହି ଗୋଟିଏ ସମ୍ବୋଧନ, ମାଷ୍ଟ୍ରେ! ମାତ୍ର ପାଞ୍ଚ ମିନିଟିରେ ଏ ବୟସ୍କ ବିଜ୍ଞଜନେ ପାଞ୍ଚ ଯୁଗର କଥା ହୋଇଗଲେ । ମାଷ୍ଟ୍ରେଙ୍କୁ ସହାୟତା ଦେବା ପାଇଁ ମଧୁ ଓ ମିନୀ ସେଇଠି ଉପସ୍ଥିତ ଥାଆନ୍ତି । ଅଧ୍ୟକ୍ଷ ଚିହ୍ନାଇ ଦେଲେ । ଇଏ ମଧୁ, ଓରଫ ଗାଳ୍ପିକ ଶ୍ରୀଆନନ୍ଦ, ମାଷ୍ଟ୍ରେଙ୍କ ପୁତୁରା ଓ ତାଙ୍କ ପତ୍ନୀ ମିନତୀ ।
ଶ୍ରୀଆନନ୍ଦ!
ମାଷ୍ଟ୍ରେଙ୍କ ସମେତ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିିଁଲେ । ସେମାନଙ୍କ ମୁହଁରୁ ବାହାରି ଆସିଲା, ଚମତ୍କାର ଗଳ୍ପ ତାଙ୍କର ।
ମିନୀ ଜାଣିଛି, ସେଦିନ ଉପାଧିଶ୍ରେଣୀରେ ପଢାଯାଉଥିବା ଶ୍ରୀଆନନ୍ଦଙ୍କ ଗଳ୍ପଟି ପଢି ସାନବାପା କେତେ ଖୁସି ହୋଇଥିଲେ । ପଚାରିଲେ ଏ ଲେଖକ କିଏ? ମିନୀ ଗପ ପଢେ, ଲେଖକ କିଏ ଜାଣିବାରେ ଆଗ୍ରହ ନଥାଏ । ମଧୁଙ୍କୁ ଏକଥା ପଚାରିବାରୁ ସେ ହସିଦେଇ ଜାଣି ନାହାନ୍ତି ବୋଲି କହିଥିଲେ । ଆଜି ଘରକୁ ଫେରିଲେ ବୁଝିବା ତାଙ୍କ କଥା । ଏତେ ମିଛ ।
ଘରେ ପହଞ୍ଚିଲା ପର୍ଯ୍ୟନ୍ତ ମାଷ୍ଟ୍ରେ କେବଳ ଗୋଟିଏ କଥା ଭାବୁଥିଲେ, କେତେ ସଫଳ ତାଙ୍କର ଏ ପୁଅଟି । ଅହଂ ପ୍ରଣୋଦିତ ମନ ତାଙ୍କର ଅଯଥା ଏ ସଫଳତାର ଆନନ୍ଦ ଟିକକ ଆସ୍ୱାଦନ କରିପାରିଲା ନାହିଁ । ଧିକ୍ ହୀରାଖଣି ଆବିଷ୍କାର ହେଲା ତାଙ୍କ ଆସନ୍ନ ମୃତ୍ୟୁରେ ।
ବହୁଦିନ ପରେ ଦୂର ଦୂରାନ୍ତରୁ ଆସି ସମସ୍ତ ପରିବାର ଏକାଠି ହେଲେ, ମାଷ୍ଟ୍ରେଙ୍କ କ୍ରୀୟାକର୍ମ ସୁରୁଖୁରୁରେ ହୋଇଗଲା । ତା ସହ ସାରା ମିତ୍ରପୁର ସନ୍ଧାନ ପାଇଲା ଶ୍ରୀଆନନ୍ଦଙ୍କର, ଯେ ପାଠ ତିଆରି କରିବ ବୋଲି ବାଲ୍ୟକାଳରେ ଆସ୍ଫାଳନ କରି ନିଜେ ରହିଗଲେ ଷଷ୍ଠ ପାସ ।
ଶ୍ରୀଆନନ୍ଦ ଅନ୍ତରରେ ଗୁରୁଙ୍କୁ ସ୍ମରଣ କରୁଥିଲେ ।
ସେ ସିଧା କହିଲେ, - ସୁମୀ! ଆମେଦୁହେଁ ପରସ୍ପରକୁ ଗ୍ରହଣ କରିନେଲେ କ୍ଷତି କଣ? ମୋ ମନର ଭଲପାଇବାକୁ ଆଜି ପର୍ଯ୍ୟନ୍ତ କହି ପାରୁନାହିଁ ଖାସ ଗୋଟିଏ ଭୟରେ କି ତୁମେ ଯଦି ଅସ୍ୱୀକାର କରିବ, ଯଦି ଛାଡି ଚାଲିଯିବ! ତୁମକୁ ମୋ ଭଲପାଇବାର ବିଶ୍ୱାସ ଦେବାର ଆବଶ୍ୟକତା କିଛି ଅଛି? ତୁମେ ଏକ ପରିସ୍ଥିତିର ସମାଧାନ, ଏ ବିଚାର କରି ଏକଥା କହୁନି ସୁମୀ । ଅଂଶୁ କିମ୍ବା ମାଆଙ୍କ ଦୃଷ୍ଟିକୋଣରୁ ଏହା କହୁନି । ସେମାନଙ୍କ ପାଇଁ ହୁଏତ ତୁମର ଆବଶ୍ୟକତା ଥାଇପାରେ କିନ୍ତୁ ମୁଁ ମୋ ନିଜ ଭାବନା କହୁଛି, ଅଂଶୁଠୁ ମୁଁ ଅଧିକ ନିର୍ଭରଶୀଳ ତୁମ ଉପରେ । ତୁମକୁ ବାଦ ଦେଇ ମୋ ଜୀବନକୁ ଆଦୌ ଚିନ୍ତାକରିନି । ଆଜି ନୁହେଁ ସୁମୀ, ଅନେକ କାଳୁ ମୁଁ ତୁମକୁ ଭଲପାଉଛି ସୁମୀ । କିନ୍ତୁ ସେ କଥା ବି କହିପାରେନା, କ'ଣ ତୁମ ଉତ୍ତର ହେବ ସନ୍ଦେହ କରି । ତୁମେ ପରା ସେହି ବ୍ୟକ୍ତି, ବିଶ୍ୱଭାରତୀ ଗଲାପରେ ଚିଠିଟାଏ ବି ଦେଲନି । ମୁଁ କୌଣସି ରିସ୍କ ନେବାକୁ ଭୟ କଲି । ଆଜି କହିବାକୁ ବାଧ୍ୟ । କାରଣ, ମାଆ ଯଦି ଭିନ୍ନ ନିର୍ଣ୍ଣୟ ନେବେ, ଦୁନିଆ ମୋ ପାଇଁ ଅନ୍ଧକାର ହୋଇଯିବ । ତୁମେ କଣ ମୋତେ ସେ ପରିସ୍ଥିତିକୁ ଠେଲିଦେବ?
ତାପରେ ସେ ନୀରବ ହୋଇ ମୋ ଆଡେ ଚାହିଁ ରହିଲେ ଉତ୍ତର ଅପେକ୍ଷାରେ ।
ମୁଁ ମଥାନତ କରି ଠିଆ ହୋଇଥାଏ, କିଛି କହିବା ଅବସ୍ଥାରେ ନଥାଏ, ଆଖିରୁ ବହିଯାଉଥାଏ ଧାର ଧାର । ମୋ ନୀରବତାକୁ ସେ ବୁଝିଲେ । ଲୁହ ପୋଛିଦେଲେ । କିଛି ସମୟ ମୁଁ ସ୍ଥାଣୁ ଭଳି ଠିଆ ହୋଇରହିଲି । ସେ ସମୟ ମଧ୍ୟରେ ସମଗ୍ର ଜୀବନଟା ଯେମିତି ଆଉଥରେ ମୁଁ ଜୀଇଁଗଲି । ତଥାପି ମୁଁ ନୀରବ ରହିଲି ।
- ସୁମୀ, ତୁମକୁ କହିବାକୁ ପଡିବ ସୁମୀ, ମୋତେ ତୁମେ ଗ୍ରହଣ କରିବ କି ନାହିଁ?
ମୁଁ ଅନୁଭବ କଲି, ମୁଁ ତାଙ୍କୁ ଯନ୍ତ୍ରଣା ଦେଉଛି । ମୋ ମାୟାଧରଙ୍କୁ ମୁଁ କଷ୍ଟ ଦେବା ସମ୍ଭବ ନୁହେଁ । ଲଜ୍ଜା ଓ କୋହ ସମ୍ବରଣ କରି କହିଲି । - ଅମିନାର ଇଛା ରଖିବ? ତା ବାପା ସମ୍ବୋଧନ ସ୍ୱୀକାର କରିବ?
ଏତିକି କହି ମୁଁ ଦୌଡି ପଳାଉଥିଲି । ସେ ମୋତେ ପାଖକୁ ଭିଡିନେଲେ । ଇପ୍ସିତ ପୁରୁଷର ନିବିଡ ଆଲିଙ୍ଗନର ବନ୍ଧନରେ ମୋର ସମସ୍ତ ଅହଂ ଚୁରମାର ହୋଇଗଲା । ପୁର୍ବାଶାରେ ଫିଟି ଆସୁଥିଲା ସିନ୍ଦୁରା, ହୁଏତ ସମସ୍ତେ ଉଠିବେ ଏବେ । ମୁଁ କହିଦେଲି, -ଗୋପୀକୁ ଛାଡ ମାୟାଧର ।
ମାଆଙ୍କ କୌଣସି ନିର୍ଣ୍ଣୟ ପୂର୍ବରୁ ତାଙ୍କ ଏକ ମାତ୍ର ନନ୍ଦନ ମାଗି ଆଣିଲେ ବର । ଏ ଧରାଧାମରେ ହେବ ନର କିନ୍ନରଙ୍କ ମିଳନ । ବଡଭାଇ ଓ ବୋଉ କେବଳ ସମୟ ମାଗିନେଲେ ମୋ ବାପାଙ୍କ ମତନେବା ପାଇଁ, ଯାହା ମାତ୍ର ଥିଲା ଔପଚାରିକତା ।
ଅମିନା ସେହିଦିନଠୁ ଡାକିବା ଆରମ୍ଭ କରିଦେଲା,- ବାପା!
ମାଆଟିଏ, ବାପାଟିଏ, ଝିଅଟିଏ, ପୁଅଟିଏ, ଶାଶୁଘରଟିଏ ଓ ବାପଘରଟିଏ ।
ମହୁଲକୁସୁମରେ ଆନନ୍ଦ ଖେଳିଗଲା । ସମସ୍ତଙ୍କ ସହଯୋଗରେ ଧୁମଧାମରେ ମୋ ପରିବାର ଲୋକେ ଏ ବିବାହ ସମ୍ପର୍ଣ୍ଣ କରାଇଥିଲେ । ସୁଦାମ ସାର୍ କହିଲେ ଇତିହାସରେ ମହୁଲକୁସୁମ ଲିପିବଦ୍ଧ ହୋଇଗଲା ।
କାନକୁ କାନ ଏ ବାର୍ତ୍ତା ପ୍ରଚାର ହୋଇ ଅଖଣ୍ଡ ଭାରତର ମୋ କିନ୍ନର ସମାଜ ପାଇଁ ଆଣି ଦେଇଥିଲା ଆନନ୍ଦ । ଭୁବନେଶ୍ୱରରେ ଆମ ଅଭିନନ୍ଦନ ଭୋଜିରେ ସାରା କିନ୍ନର ସମାଜ ହର୍ଷ ଉଲ୍ଲାସରେ ଯୋଗଦେଲେ । ଜଗବନ୍ଧୁସାର୍, ପିଙ୍କି ଓ ତାଙ୍କ ପରିବାର, ମୋ ମିତ ଓ ତାଙ୍କ ସ୍ୱାମୀ, ଲକ୍ଷ୍ମୀମା, ଆମ ସମସ୍ତ ସାଙ୍ଗସାଥୀ, ସହକର୍ମୀ, କଳା ଜଗତର ଲୋକେ ଆମକୁ ଅଭିନନ୍ଦନ ଓ ଆଶୀର୍ବାଦ ଦେଲେ ।
ସବୁଠୁ ବିଶେଷ ଘଟଣା ଥିଲା ଗୋପିକୃଷ୍ଠା ଗୁରୁଜୀଙ୍କ ସଦୟ ଉପସ୍ଥିତି । ଗୁରୁ ଆଶୀର୍ବାଦର ସୌଭାଗ ଲାଭ ହୋଇଥିଲା । ତାଙ୍କ ସହ ଆସିଥିଲେ ସମ୍ଭ୍ରାନ୍ତ ବେଶଭୂଷାରେ କାଳିଜାଈ କିନ୍ନର । ମାଆ ଦୌଡିଯାଇ ତାଙ୍କୁ କୁଣ୍ଢାଇ ପକାଇଲେ କୋଟିନିଧି ପାଇଲା ଭଳି । ସେ ତାଙ୍କ ହଜିଯାଇଥିବା କାଳନ୍ଦୀ! ମୁଁ ବିଶ୍ୱାସ କରି ପାରୁନଥିଲି । ମୋର ଏତେ ଜଣାଶୁଣା ହେଲେ ମଧ୍ୟ ସେ ଜଣେ ଓଡିଆ ବୋଲି ପରିଚୟ ଦେଇନଥିଲେ! କାଳିଜାଈ ନାମରୁ ମୋର ସନ୍ଦେହ ଅବଶ୍ୟ ହୋଇଥିଲା । ପୁଣି ନିମନ୍ତ୍ରଣ ପତ୍ରରେ ଠିକଣା ଉପରେ ନଜର ପକାଇ ସେ ପ୍ରଥମେ ଆଶ୍ଚର୍ଯ୍ୟ ଓ ପର କ୍ଷଣରେ ଆନନ୍ଦିତ ହେବା ମୁଁ ବାରି ପାରିଥିଲେ ମଧ୍ୟ କାରଣ ଅନୁମାନ କରି ନଥିଲି । ମାଆଙ୍କ ମାଉସୀ ପୁଅ ଭାଇ ବା ମାଉସୀ ଝିଅ ଭଉଣୀ । ମୁଁ ଭାବିନେଲି ସମ୍ପର୍କଟି; ମାଉସୀ ଶାଶୁ । ମାଆଙ୍କର ଥିବା ବିଶ୍ୱାସ, ମୋରି ପାଇଁ ସେ ଦିନେ କାଳନ୍ଦୀକୁ ଫେରିପାଇବେ; ଦୈବାତ ତାହା ସତ୍ୟ ହୋଇଗଲା । ସମସ୍ତଙ୍କ ଆଶୀର୍ବାଦ ନେଇ ସୁମନ ଜୀବନର ନୂଆ ସୋପାନରେ ପାଦ ଦେଲା ।
ପରିସମାପ୍ତି ।
‘ସୁମନ ମାୟାଧର’ ନାମବହନ କରୁଥିବା ଆମ ଏ ଘରର ବାଲକୋନୀରୁ ଦିନ ପରେ ଦିନ ମୋର ଏ ଆଂଶିକ ଆତ୍ମଜୀବନୀ ଲେଖିଲି । ଏ ଘର ଏକ ସୁଖର ସଂସାର । ଅମିନା ଭୁବନେଶ୍ୱରକୁ ଚାଲିଆସିଛି ତା ପ୍ରତିଷ୍ଠାନ ସହ । ଆମ କଳା ପ୍ରତିଷ୍ଠାନ ଓ ତା ନିଜର ବୁଟିକ୍ କଥା ସୁରୁଖୁରୁରେ ବୁଝୁଛି । ସେ ତା ନିଜ ନାମରେ ଆଜି ଏ ରାଜଧାନୀରେ ପ୍ରତିଷ୍ଠିତ । ନିସଙ୍ଗ ତା ଜୀବନ । ତହିଁରେ ସେ ଖୁସି । ତା ଆତ୍ୟାଚାରିତ ଇତିହାସକୁ ସେ ସମ୍ପୂର୍ଣ୍ଣ ଭାବେ ଭୁଲିବା ସମ୍ଭବ ହେଲା ନାହିଁ । ବିବାହ ପାଇଁ ଆଦୌ ରାଜି ହେଲା ନାହିଁ । ସେ ଯେମିତି ଅଛି ସେମିତିରେ ଆମେ ଖୁସି ।
ଅଂଶୁ ଜଣେ ନାମକରା ଡାକ୍ତର । ତା ବାପା ଦିନେ ଚାହିଁଥିଲେ ସୁମନ ଡାକ୍ତରୀ ପଢୁ, ସେ ଇଛା ଆମ ପୁଅ ପୁରଣ କରିଛି । ବୋହୂ ସୁଗୃହିଣୀ, ନାତିଟିଏ, ନାତୁଣୀଟିଏ । ଆମ ଦୁହିଁକର ଜୀବନ ଧନ ।
ଲକ୍ଷ୍ମୀମା’ଙ୍କୁ ତାଙ୍କ ପରିବାର ଲୋକେ ସସମ୍ମାନେ ଫେରାଇ ନେଲେ, ସେ ଏବେ ପରଲୋକଗତା ।
କାଳିଜାଈ ମାଉସୀ ମଧ୍ୟ ଭୁବନେଶ୍ୱର ଚାଲି ଆସିଲେ ଗୁରୁଙ୍କ ନିର୍ଦ୍ଦେଶରେ । ତାଙ୍କ ତନ ମନ ଧନ ଦେଇ ରାଜଧାନୀର କିନ୍ନର ସମ୍ପ୍ରଦାୟର ଅନେକ ଉନ୍ନତି କଲେ । ସେ ମଧ୍ୟ ସ୍ୱର୍ଗବାସୀ ହେଲେଣି । ସୁଦାମସାର, ଜଗବନ୍ଧୁସାର୍ ଓ ମୋ ଗୁରୁଜୀ ବି ଇହଧାମ ତ୍ୟାଗ କଲେଣି । ବାପା ବାର୍ଦ୍ଧକ୍ୟ ପୀଡିତ, ମହୁଲକୁସୁମ ଛାଡିବାକୁ ନାରାଜ । ବୋଉର ଶେଷ ଜୀବନ ଆମ ପାଖରେ କଟିଲା, ତା ଚିକିତ୍ସା ସୁବିଧା ପାଇଁ ।
ମାଆଙ୍କ ବୟସ ନବେ ପାଖାପାଖି ହେବ । କିନ୍ତୁ ଅଣନାତି ଓ ଅଣନାତୁଣୀଙ୍କ ସହ କୁସ୍ତିକରି ସେ ଏବେବି ଖୁବ୍ ମଜବୁତ୍ ।
ଆମର ଏକ କୋଠରୀ କେବଳ ରଖା ଯାଇଛି ମାୟାଧରଙ୍କ ସେ ବିଶେଷ ଚିତ୍ରଟି ପାଇଁ । ବହୁତ ସମୟ ତା ସମ୍ମୁଖରେ ବସି ସେ ଧ୍ୟାନ କରନ୍ତି । ସେ ଘରେ ସମସ୍ତ ଆଲୋକ ସଜ୍ଜିକରଣ ଥିଲେ ମଧ୍ୟ ଏହାର ରହସ୍ୟ କେବଳ ଦେଖିଥିଲେ ଜଗବନ୍ଧୁସାର ଓ ମୋ ଗୁରୁଜୀ । ସଂସାରକୁ ଏହା ଅଗୋଚର । ଅଂଶୁ ଓ ଅମିନା ଅବଶ୍ୟ ଏ କଥା ଜାଣନ୍ତି ।
ମାୟାଧର ତାଙ୍କ ଗବେଷଣା ଜାରି ରଖିଛନ୍ତି । ପ୍ରତ୍ୟେକ ସିଦ୍ଧାନ୍ତକୁ ଟିପି ରଖିଛନ୍ତି । ଅନେକ କଥା ସରଳଭାବେ ବୁଝାଇ ଦେଇଛନ୍ତି । ତାଙ୍କ ଉଦ୍ଦେଶ୍ୟ ତାଙ୍କର ସେ କଳା ସଂହିତା ସହ ଏ କଳାକୃତିକୁ ଆମ କଳା ମହାବିଦ୍ୟାଳୟକୁ ଦାନ କରିବେ । ସୁମନ ମାୟାଧର ଚିତ୍ରଶିଳ୍ପୀ ଏବେ ସାରା ଜଗତରେ ପରିଚିତ । ବୃତ୍ତି, ବ୍ୟବସାୟ, ପ୍ରଶିକ୍ଷଣ ଓ ଗବେଷଣା ସବୁଥିରେ ସେ ସଫଳ ।
ଆଉ ମୋ କଥା କଣ କହିବି? ଏହା ଗତାନୁଗତିକ । ପିଲାମାନଙ୍କ ଦାୟିତ୍ୱ ନେବା, ଶାଶୁଙ୍କ ସେବାକରିବା, ବୋଉର ଯତ୍ନ ନେବା । ବୋହୂମାଆକୁ ଆଜିର ସମାଜର ନିୟମ ଅନୁସାରେ ଜଣେ ସାଙ୍ଗ ଭଳି ଆଦର ସ୍ନେହରେ ରଖିବା, ନାତି ନାତୁଣୀଙ୍କ ଅଳି ଅର୍ଦ୍ଦଳି ଶୁଣିବା; ଏତିକି ମୋ ଘର କଥା ।
ଛାତ୍ରମାନଙ୍କ ପ୍ରିୟଭାଜନ ହେବା ସହ ମୋ ମହାବିଦ୍ୟାଳୟରେ କ୍ରମଶଃ ପଦୋନ୍ନତି ପାଇ ପ୍ରଧ୍ୟାପକ ଓ ପରେ ଅଧ୍ୟକ୍ଷ ହୋଇ ଅବସର ନେଇଛି । ଅବସରର ପ୍ରଥମ କାମଭାବେ, ଲେଖୁଲେଖୁ ଲେଖିଦେଲି ଏ ଜୀବନୀ ।
ମୋ ସମ୍ପ୍ରଦାୟ ସହ ଯଥା ସମ୍ଭବ ଯୋଗଦାନ ଚାଲୁ ରହିଛି । ମୋ କଳାକୁ ସୀମିତ ରଖିଛି ମୋ ସମ୍ପ୍ରଦାୟ ବାବଦରେ ନାନାଦି ଜନ ସଚେତନତାର ବାର୍ତ୍ତା ଦେବାକୁ । ଆମ ସମାଜର ଅବସ୍ଥା ବହୁତ ବଦଳିଲାଣି । ତୃତୀୟ ଲିଙ୍ଗର ମାନ୍ୟତା ଦେଶର ସମ୍ବିଧାନ ଓ ଆଇନ ଦେଇ ସାରିଲାଣି । ଏଣୁ ବାକି ଅଛି କେବଳ ସାମାଜିକ ପରିବର୍ତ୍ତନ ।
ଏ କେବଳ ଶବ୍ଦଟି ହିମାଳୟଠାରୁ ବଡ । ଯେ ପର୍ଯ୍ୟନ୍ତ କେବଳ କିନ୍ନର ନୁହେଁ ପ୍ରତ୍ୟେକଟି ଶିଶୁର ବିଶେଷତାକୁ ଧ୍ୟାନ ଦିଆନଯାଇ, ତା ଦୃଷ୍ଟିକୋଣରୁ ତାକୁ ଗଠନ କରିବାର ପ୍ରୟାସ କରାଯାଇନି ସେ ପର୍ଯ୍ୟନ୍ତ ପ୍ରତ୍ୟେକଟି ଶିଶୁ ମଧ୍ୟରେ ରହିଯିବ ଅଭାବ ବୋଧ । ଏ ଅଭାବ ବୋଧ ସ୍ୱଭାବିକ ଭାବେ ପରିଚୟ ସଂକଟରେ ଥିବା ତୃତୀୟ ଲିଙ୍ଗର ଶିଶୁଟି ପାଇଁ ଅଧିକ ଜଟିଳ । ତା ଜୀବନକୁ କେବଳ ସହଜ କରିପାରିବେ ତା ପିତାମାତା ଓ ତା ପରିବାର । ଶାରୀରିକ ଗଠନରେ କୌଣସି ଅସ୍ୱଭାବିକତା ନଥିବା ପୁଅଟି ମଧ୍ୟରେ ଯେ ଝିଅଟିର ମନ ଥାଇପାରେ ଓ ସେମିତି ଝିଅଟି ମଧ୍ୟରେ ପୁଅଟିର ମନ ଥାଇପାରେ ଏହା ଏକ ସତ୍ୟ ବୋଲି ପରିବାରକୁ ଗ୍ରହଣ କରିବାକୁ ପଡିବ । ଏହା କଣ ଆଜିର କଥା? ଶାସ୍ତ୍ର ପୁରାଣ, ଇତିହାସ ସମସ୍ତେ ଏ ଅବସ୍ଥାକୁ ମାନିଥିବା ସତ୍ତ୍ୱେ ଆଜି ଏ ଜାଣି ଅଜଣା ହୋଇ ସତ୍ୟକୁ ଏଡାଇ ଯିବାର କାରଣ କିଛି ନାହିଁ । କେବଳ ଚରମ ନିର୍ବୋଧତା । ପରିବାର ତରଫରୁ ସଂଘର୍ଷ ନରହି ଗ୍ରହଣୀୟତା ରହିଲେ ପ୍ରାୟ ତା ଜୀବନରେ ସେମିତି ବିଶେଷ ଅସୁବିଧା ରହିବ ନାହିଁ । ଆଇନ ଯାହା କହିଲେ ବି ଅବୋଧ ଶିଶୁର ଏ ବାବଦରେ ଜ୍ଞାନ କଣ ଅଛି? ତା ଅଧିକାର ଓ ମର୍ଯ୍ୟାଦା ପାଇଁ ଲଢିବା କଥା ତା ପରିବାର । ଅଥଚ ତାର ମୂଖ୍ୟ ଲଢେଇ ହୁଏ ତା ପରିବାର ସହ । ସେ କଣ ନିଜ ପରିବାର ବିରୁଦ୍ଧରେ ଆଇନର ଆଶ୍ରୟ ନେଇ ପାରିବ ଜଣେ ଶିଶୁ ହୋଇ । ଅତୟବ୍ ପରିବାର ଓ ଶୈଶବ ହେଉଛି କିନ୍ନର ଜୀବନର ହାରିଯିବାର ପ୍ରଥମ ଓ ଶେଷ କାରଣ ।
ଯେତେସବୁ କାମ ବର୍ତ୍ତମାନ ଆମ କିନ୍ନର ସମାଜରେ ହେଉଛି ତାହା ମୁଖ୍ୟତଃ ଥଇଥାନ କାର୍ଯ୍ୟକ୍ରମ, ଜଣେ ପୀଡିତାର ମୂଖ୍ୟସ୍ରୋତକୁ ଫେରିବାର କାମ । କେତେଜଣଙ୍କୁ ଆମେ ଥଇଥାନ କରିବା? ପୁଣି ମାଡିଆସିବେ ନୂଆ ପୀଡିତା । ସମାଜ ନିଷ୍ଠୁର, କୌଣସି କାରଣରୁ ଜଣେ ଅସହାୟ ହେଲେ, ସେ ନାରୀ ହେଉକି ନର ଅବା କିନ୍ନର; ସମାଜ ତାକୁ ଝୁଣି ଖାଇଯିବାର ବନ୍ଦୋବସ୍ତ କରେ । ଏହା ସତ୍ୟ । ଅତୟବ୍ ଆମକୁ ଆଉ ପାଦେ ଆଗେଇବାକୁ ପଡିବ । ପରିବାର, ଶିଶୁସୁରକ୍ଷା ବିଭାଗ, ଅଙ୍ଗନବାଡୀ, ବିଦ୍ୟାଳୟ ଓ ସାଧାରଣ ସମାଜ ସଚେତନ ହେବା ଜରୁରୀ କି ଶିଶୁଟି ମଧ୍ୟରେ ବିଭିନ୍ନ ପ୍ରକାର ବିଶେଷତା ଥାଇପାରେ, ଏହାର ପରିପ୍ରକାଶକୁ କୌଣସି ସ୍ତରରେ ଏଡାଇ ନଯାଇ ଶିଶୁଟିକୁ ତାହାର ବିଶେଷତାକୁ ନେଇ ଆଗକୁ ଯିବାର ବ୍ୟବସ୍ଥା କରିବା ଉଚିତ୍ ।
ମୋ ଜୀବନୀ ଏକ ଘଟଣାବହୁଳ ସଫଳ କାହାଣୀ ହେଲେ ମଧ୍ୟ ଏହା ମାନକ ଦୃଷ୍ଟାନ୍ତ ନୁହେଁ । ସବୁବେଳେ ଦୈବକୃପା, ଭାଗ୍ୟ ଓ ପାରିପାଶ୍ୱିର୍କ ଅବସ୍ଥା ମୋତେ ସହାୟତା ଦେଇଛି । କିନ୍ତୁ ମୋ ଜୀବନରେ ଭେଟିଥିବା ପ୍ରତ୍ୟେକ ଜଣ କିନ୍ନରର କାହାଣୀ ଲକ୍ଷ୍ମୀମା, କାଳିଜାଈ ମାଉସୀ ଓ ଅମିନା ଠାରୁ ମଧ୍ୟ ଆହୁରି ଦୁଃଖ, ନିର୍ଯ୍ୟାତନା ଓ ସଂଘର୍ଷର କାହାଣୀ; ଶୈଶବ ଅପହୃତ, କୈଶୋର ଅବୁଝା ଅବହେଳିତ ଓ ପୀଡିତ, ଯୌବନ ଅତ୍ୟାଚରିତ ଓ ନିନ୍ଦିତ, ପ୍ରୌଢାବସ୍ଥା ନିସଙ୍ଗ ଓ ଦୟାର ନିର୍ଭର ଏବଂ ବାର୍ଦ୍ଧକ୍ୟ ସମ୍ପୂର୍ଣ୍ଣ ଏକ ଅଭିଶାପ । ଏଣୁ ମୁଁ ମୋ ସମ୍ପ୍ରଦାୟର ଦୃଢ ସମର୍ଥକ । ସମ୍ପ୍ରଦାୟ ଅଧିକାଂଶଙ୍କର ସମ୍ମାନ, ଆଦର ଓ ଆଶ୍ରୟର ସ୍ଥଳ । ବ୍ୟକ୍ତି ଅତ୍ୟାଚାରିତ ହେଲେ ଯୁଗେ ଯୁଗେ ଗଢିଉଠିଛି ସଂଘ ।
ସାଧାରଣ ସମାଜ ସହଜରେ କହି ଦେଉଛି ମୋ ସମ୍ପ୍ରଦାୟର ଲୋକେ ନିନ୍ଦନୀୟ କାର୍ଯ୍ୟରେ ଲିପ୍ତ । କିନ୍ତୁ କାହିଁକି? କାହାପାଇଁ ସେ ଘର ପରିବାର, ଅଧିକାର ଓ ସମ୍ମାନର ଜୀବନ ଛାଡି ଆସିଛି?
ସୁଯୋଗ ମିଳିଲା ମାତ୍ରେ କହେ, କେତେ ଆମେ ନିର୍ଯ୍ୟାତିତାକୁ ଥଇଥାନ କରିବା, ଚାଲ ମୂଳକୁ ଯିବା, ନିର୍ଯ୍ୟାତନା ହେବାର ସମୟ ପୁର୍ବର ସମାଜକୁ ସୁଧାରିବା ।
କେବଳ କିନ୍ନର ନୁହେଁ ପ୍ରତିଟି ଶିଶୁ ତା’ର ବିଶେଷତାର ସହ ବିକଶିତ ହେଉ । ବିଶେଷତା ନଥିବା ଶିଶୁ ଏ ଧରାରେ ଜନ୍ମ ହୋଇ ନାହାନ୍ତି କିନ୍ତୁ ଏହା ବିକଶିତ ହୋଇଛି କ୍ୱଚିତ୍ କ୍ଷେତ୍ରରେ ତାହ ପୁଣି ଦୈବାତ୍ ।
ଆମ ବାଲ୍କୋନିରୁ ପ୍ରତି ସୂର୍ଯ୍ୟାସ୍ତରେ ମୁଁ ଦେଖେ ମୋ ପ୍ରିୟ ଜନ୍ମମାଟି ଓଡିଶାର ସଂଘର୍ଷ ଓ ଶାନ୍ତିର ପ୍ରତୀକ ଧଉଳିକୁ । ମୋ ଅନ୍ତରରେ ଉଚ୍ଚାରିତ ହୋଇଉଠେ ସଂଙ୍ଘ ଶରଣଂ ଗଛାମି, ଧର୍ମଂ ଶରଣଂ ଗଛାମି, ବୁଦ୍ଧଂ ଶରଣଂ ଗଛାମି । ଶାନ୍ତ ଶାନ୍ତି ଶାନ୍ତି ।
ମୋର ଏ ଆତ୍ମଜୀବନୀ, ମୋ ସମ୍ପ୍ରଦାୟ ଓ ସାଧାରଣ ସମାଜ ମଧ୍ୟରେ ଏକ ସେତୁ ଭୂମିକା ତୁଲାଇବ, ଏ ଆଶା ସହ, ମାୟାଧର ମୋର ତ୍ରାଣକର୍ତ୍ତାଙ୍କୁ ଏହାକୁ ସମର୍ପଣକରୁଛି ।
ସମାପ୍ତ ।
ତା.୦୩.୧୦.୨୦୨୦
(କୃତଜ୍ଞତା- ଅକ୍ଟୋବର ୧୮, ୨୦୨୦, ଆଜକୁ ଠିକ୍ ଦୁଇ ମାସ ତଳେ ଏ "ସୁମନ ମାୟାଧର" ଆତ୍ମଜୀବନୀ ପ୍ରାୟ ଉପନ୍ୟାସର ପ୍ରଥମ ଭାଗ ପ୍ରକାଶିତ କରିଥିଲି। ପ୍ରଥମ ଭାଗକୁ ପାଖାପାଖି ଆଠଶହ ଥର ଖୋଲାଯାଇଛି। ବୋଧହୁଏ ଚାରି ଶହ କିମ୍ବା ପାଞ୍ଚଶହ ପଢିଥିବେ। ସୌଭାଗ୍ୟର କଥା ଏ ସଂଖ୍ୟା ଅଦ୍ୟାବଧି ଏକଶହ ପଚିଶରୁ ଏକଶହ ପଚାଶ ମଧ୍ୟରେ ରହିଛି। ଏହାକୁ ଲେଖକ ମନେକରେ ସଫଳତା। ଏମିତି ଭାଗ ଭାଗ କରି ଇଫର୍ମାଟରେ ପଢିବା ଏକ କଷ୍ଟକର ବ୍ୟାପାର। କୌଣସି କାରଣରୁ କେହି ଅଧାରୁ ରହିଲେ ଆଉ ତାଳମେଳ ସମ୍ଭବ ନୁହେଁ। ତଥାପି ଏତେଜଣ ପଢୁଥିବା ଲେଖକ ମନରେ ସୁଖ ଯେତିକି ଦେଇଛି କୃତଜ୍ଞତା ଭାବ ତହିଁରୁ ଅଧିକ ଦେଇଛି। କେତେଜଣ ପୂଜ୍ୟ ଓ ବୟସ୍କ ପାଠକ ଏହାକୁ ପଢୁଛନ୍ତି ଓ ଆଶୀର୍ବାଦ ସହ ମନ୍ତବ୍ୟ ତଥା ପରାମର୍ଶ ଦେଉଛନ୍ତି ଯାହା ମୋପାଇଁ ଅନେକ ମୂଲ୍ୟବାନ। ଅନ୍ୟୁନ ଆଠଜଣ କିନ୍ନର ଭଗ୍ନୀ ଏ ଉପନ୍ୟାସ ପଢୁଛନ୍ତି ବୋଲି ପ୍ରମାଣ ମିଳୁଛି ଯଦିଓ ପଦେହେଲେ ମନ୍ତବ୍ୟ ଦେଇନାହାନ୍ତି। ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ ଅନୁରୋଧ କରୁଛି ଯେ ଦୟାକରି ଉପନ୍ୟାସରେ ରହିଯାଇଥିବା ତ୍ରୁଟି ଓ ଅଭାବକୁ ଅବଗତ କରାଇଲେ ଆମେ ଏହାକୁ ଉନ୍ନତ ଏକ ବହିକୁ ରୂପାନ୍ତର କରିପାରିବା।
ଅନେକ ମତ ଦେଇଛନ୍ତି ବହିଟିକୁ ଇଂରାଜୀରେ ଲେଖିବା ପାଇଁ। ଅବଶ୍ୟ ଆସନ୍ତା ବର୍ଷ ଏହି ସମୟକୁ ଏହାର ଇଂରାଜୀ ଲେଖା ମୁଁ ଆରମ୍ଭ କରିବି। ଦୁଇ ପାଠକ ଏହାକୁ ସିନେମା କରିବାର ଉତ୍ସାହ ଦେଖାଇଛନ୍ତି। ଏହାକୁ ସତରେ କେହି ସେ ଦିଗକୁ ନିଅନ୍ତି ତେବେ ଲେଖକ ଅତ୍ୟନ୍ତ ଖୁସି ହେବ କିନ୍ତୁ ଏକ ସର୍ତ୍ତ ରଖିବ ଯେ ଯେଉଁ ପାଞ୍ଚ ଛଅ ଜଣ କିନ୍ନର ଚରିତ୍ର ଅଛନ୍ତି ତାହା ସତକୁ କିନ୍ନର ମାନେ ନିଭାଇବେ।
ପ୍ରାୟ ଛଅ ମାସ ବିରତି ନେଇ ଏହାର ବହି କଥା ଚିନ୍ତା କରିବି। ବିଶ୍ୱାସ ବହି ହେବା ବେଳକୁ ଖୁବ୍ ଭଲଭାବେ ସମ୍ପାଦିତ ହୋଇଥିବ, "ସୁମନ ମାୟାଧର"।
କୌଣସି କଥା ଅଯଥା ଘଟେ ନାହିଁ। କେଉଁ କାରଣରୁ 'ଭିନ୍ପମଣିଷ ଭିନ୍ନ କଥା' ଟିଭି କାର୍ଯ୍ୟକ୍ରମ ଆମୂଳଚୂଳ ଦେଖିଲି। କାହିଁକି ଅନୁଭବ କଲି ଏ ସମାଜ ବଦଳିବା ଦରକାର ଓ କାହିଁକି ଏ ଉପନ୍ୟାସ ଲେଖିଲି ସେ କଥାର ଗୁଢ ରହସ୍ୟ ଲେଖକକୁ ଅଗୋଚର। କିନ୍ତୁ ଦୃଢ ବିଶ୍ୱାସ କେଉଁଠି ଏମିତି କାହାଣୀ ଘଟିଯାଇଛି ଯାହା କେବଳ ଏ କିଞ୍ଚିତ୍ ସାମର୍ଥ୍ୟ ଲେଖକର ଅବଲମ୍ବନ ନେଇଛି। ମୋ ସୁମନ ଯେମିତି ସଫଳ ସେମିତି ସଫଳ ହୁଅନ୍ତୁ ସମସ୍ତ କିନ୍ନର ଭଗ୍ନୀ ନିଜ ଶୈଶବ କାଳରୁ, ଥଇଥାନ ନୁହେଁ ସ୍ବଭାବିକ ବାଛବିଚାର ରହିତ ଉନ୍ନତି। କିନ୍ନର ସମାଜର ଆଶୀର୍ବାଦ ଭିକ୍ଷା କରୁଛି। ଆସନ୍ତୁ ଶେଷ ଭାଗ ପଢି ସାରିଦେବା ଆଉ ଆପଣ ମାନଙ୍କୁ ହଇରାଣ କରିବି ନାହିଁ। ଏତେ କଥା କହିଲି ଆପଣମାନେ ପଦେ ପଦେ ନକହିଲେ ଲେଖକର ମନ ଦୁଃଖ ହେବନି କି? ଲେଖିବେ। ଲେଖିବେ ନା?
ଧନ୍ୟବାଦ।)
୨୧
ଅପରାହ୍ନରେ ସେ ମୋ କବାଟ ଠକ୍ଠକ୍ କରିବା ପରେ ଯାଇ ମୋ ନିଦ ଭାଙ୍ଗିଲା । ଦେଖିଲି ସେ ଭାତ ଓ ଡାଲି ରାନ୍ଧି ଦେଇଛନ୍ତି । ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଆଉ ଯାହା କିଛି ବ୍ୟବସ୍ଥା କଲି । ଆମେ ବାହାରିଲୁ ପାଇକାଳୀ ।
ମୁଁ ଅଂଶୁକୁ ଜଣାଇଦେଲି, ତା ବାପାଙ୍କ କଳାକୃତି କାମ ସରିଛି ସେ ଏବେ ଅଂଶୁକୁ ବହୁତ ଆଡେ ବୁଲାଇ ନେବେ । ତୁମେ ବାପା ପୁଅ ଗୋଟେ ପଟେ । ମୁଁ ରହିଲି ମାଆଙ୍କ ସହ ।
ଅଂଶୁର ଜନ୍ମଦିନ ଆସୁଥାଏ । ଆମଘରୁ ଏଥର କିନ୍ତୁ କେବଳ ବଡଭାଇ ଓ ମୋ ବୋଉ ଆସିଥିଲେ ।
ଅମିନା ଗୋଡ ଟେକି ବସିଥିଲା, ସେ ବି ନଆସିବ କେମିତି ଅଂଶୁର ପୋଷାକ ଦାୟିତ୍ୱ ତାହାର ।
ଜନ୍ମଦିନ ଆମ ଘରୁଆ ବ୍ୟବସ୍ଥାରେ ପାଳନ କରାଗଲା, ପୂଜାପାଠ ଓ ସତ୍ୟନାରାୟଣ ପାଲାସହ । ସଂଧ୍ୟା ସମୟରେ ଖୁବ୍ ସହଳ ଖିଆପିଆ ସରିଲା ।
ହଠାତ ଅମିନା ମାଆଙ୍କୁ କହିଲା, - ଆଛା ଜେଜେମାଆ, ଅଂଶୁ ତୁମକୁ ଓ ମାମାଙ୍କୁ ଯାହା ଡାକୁଛି ମୁଁ ବି ସେଇଆ ଡାକୁଛି ଅଥଚ ସେ ଯାହାଙ୍କୁ ବାପା ଡାକୁଛି ମୁଁ କଣ ତାଙ୍କୁ ଚାଚା ଡାକୁଥିବି?
ଜନ୍ମଦିନରେ ଖୁବ୍ ଖୁସିଥିବା ଅଂଶୁ କହି ପକାଇଲା, - ଦିଦି ତୁମେ ଆଗରୁ ସେମିତି ଡାକୁଥିଲ ବୋଲି ଡାକୁଛ । ଡାକ ସହଜରେ ବଦଳାଇ ହୁଏନି । ଦେଖୁନ ମୁଁ ମାମା ଡାକି ପାରୁନଥିଲି ଆମ ମାମାଙ୍କୁ ଅନେକ ଦିନ । ଏବେ ତ ପୁଣି ଡାକିଲି । ତୁମେ ଏଣିକି ମୋ ବାପାଙ୍କୁ ବାପା ଡାକୁନ, ମୋର କିଛି ରାଗ ଆସିବ ନାହିଁ ।
ଠିକ୍ ଏହି କଥା ଅତୀତରେ ସେ ଶୁଣିଥିଲା ତା ବାପାଙ୍କ ଠାରୁ; ସେ ନିଜେ ଯେବେ ସହଜରେ ମାମା ଡାକ ଆରମ୍ଭ କରି ପରିନଥିଲା ।
ମାଆ ଏବେ କରନ୍ତି କଣ! ହଁ ହଁ ତୁ ଯାହା ଡାକୁଛୁ ଡାକ, ତାକୁ ପଚାର ।
କଥା ସେତିକିରେ ରହିଲା ।
ମୁଁ ସମସ୍ତ କାମସାରି ବୋଉ ସହ ଗପ କରୁଥିଲି । ମାଆ ଆସିଲେ । ବୋଉ ମନେପକାଇ ଦେଲା, ଅଂଶୁର ଜନ୍ମଦିନ ସରିଲା, ଏଣିକି ପିଲାମାନଙ୍କୁ ପଚାରନ୍ତୁ ବିବାହ କଥା । ମତେ କଥାଟି ଖରାପ ଲାଗିଲା । ପିଲାମାନଙ୍କୁ କହିବାର କି ଆବଶ୍ୟକତା ଥିଲା ଯେ । ସେ ତାଙ୍କ ପୁଅକୁ ପଚାରିବେ ସିନା । ପୁଣି ମନକୁ ଆସିଲା ମାଆ ଏତେ ନିଜର, ମୁଁ କଣ ତାଙ୍କର ଗୋଟେ ପିଲା ନୁହେଁ ।
ବୋଉଠୁ ବିଦାୟନେଇ ଆମେ ଆସିଲୁ । ମାଆ ମୋତେ ସାଙ୍ଗରେ ନେଲେ ଓ ମାୟାଧରଙ୍କୁ ମଧ୍ୟ ତାଙ୍କ ପ୍ରକୋଷ୍ଠକୁ ଡାକିଲେ । ମାଆ ଓ ମୁଁ ଖଟ ଉପରେ ବସିଥାଉ, ମାୟାଧର ଚୌକି ଉପରେ । ପୁଅ ଝିଅ ମୋ କୋଠରୀରେ ଶୋଇ ପଡିଥାନ୍ତି ।
ମାଆ ସିଧାସଳଖ ମାୟାଧରଙ୍କୁ ପଚାରିଲେ, - ପୁଅ ଜନ୍ମଦିନ ତ ସରିଲା, ଏବେ କହ ତୋ ବାହାଘର କଥା କଣ କରିବା?
- ମାଆ, କୁଳଜ୍ୟୋତିଷ କହିଥିବା କଥା କଣ ହେଲା? ଅଂଶୁର ଭବିଷ୍ୟତ କଣ ହେବ? ପୁଣି ଆଉ ଏକ ଅସୁବିଧା ହେଲେ ସୁମନ, ମୁଁ ଏତେବର୍ଷ ସାଥିରେ ରହିବା ପରେ ତାଙ୍କଠୁ ଅଲଗା କିପରି ହୋଇ ପାରିବି? ମୁଁ ଯାହାକୁ ବାହାହେଲେ ସେ କ’ଣ ଆମ ବନ୍ଧୁତ୍ୱକୁ ସ୍ୱୀକାର କରିବ? ସହଜରେ ଗ୍ରହଣ କରିବ? ଅଂଶୁ ସହ ସୁମନଙ୍କ ସମ୍ପର୍କକୁ କ’ଣ ସହଜରେ କାଟି ହେବ? ସୁମନଙ୍କ ଉପସ୍ଥିତିରେ ମୁଁ ଏତେସବୁ କଥା ସତ ସତ କହୁଛି ଏଇଥି ପାଇଁ ଯେ କୌଣସି ପରିସ୍ଥିତିରେ ସେ ଏକ ତରଫା ନିଷ୍ପତ୍ତି ନେଇ ଆମକୁ ଛାଡି ଚାଲିନଯାନ୍ତୁ । ହଁ ଏକଥା ଠିକ୍, ଯଦି ସୁମନଙ୍କ ବାହାଘର ହୋଇ ଯାଆନ୍ତା ସେ ଶାଶୁଘର ଚାଲିଯାଆନ୍ତେ ତାହେଲେ ଯେମିତି ହେଉ ଅଂଶୁକୁ ବୁଝାଇ ହୁଅନ୍ତା କଷ୍ଟ ପାଇଲେ ମଧ୍ୟ, ସେ ତ ଆଉ ଅତି ଛୋଟ ପିଲାହୋଇ ନାହିଁ । କିନ୍ତୁ ସୁମନଙ୍କ ବିବାହ କଣ ଏତେ ସହଜ କି? ସେ ତ ସର୍ବଦା ମୋ ସହ ବା ଆମ ସହ ଜଡିତ ହୋଇରହିଲେ । କେଉଁଠି ଅବା କାହା ସହ ଏ ପରିସ୍ଥିତିରେ ଏକ ସମ୍ପର୍କ ଗଢିଉଠିବ ତାଙ୍କର? ଏଣୁ ପ୍ରେମ ବିବାହ ଏ ବୟସରେ ପ୍ରାୟ ଆଉ ସମ୍ଭବ ନୁହେଁ । ବୁଝାବୁଝି କରି ପ୍ରସ୍ତାବ ପକାଇ ତାଙ୍କ ବିବାହ କରାଇବା ମଧ୍ୟ ସହଜ ନୁହେଁ ।
- ଦେଖ ସୁମନ, ମୁଁ ତୁମ ବାବଦରେ କୌଣସି ନିର୍ଣ୍ଣୟ ନେଉନି । ମୋ ଭାବନା କହୁଛି ମାତ୍ର । ତୁମ ନିର୍ଣ୍ଣୟ ତୁମର । ମାଆ, ସେ ଜ୍ୟୋତିଷଙ୍କ କଥା ମୁଁ ନିଜେ ବିଶ୍ୱାସ କରୁନାହିଁ କିନ୍ତୁ ସେ ବାବଦରେ ତୁମର ନିର୍ଣ୍ଣୟ ହିଁ ମୋତେ ପାଳନ କରିବାକୁ ପଡିବ । ତୁମେ ସବୁବେଳେ ଆଶଙ୍କାରେ ରହିବା ମୋର ଇଛା ନୁହେଁ । ଏଣୁଏମିତି ପରିସ୍ଥିତିରେ ବତ୍ର୍ତମାନର ସ୍ଥିତି ବଜାୟ ରହୁ, ଏହା ମୋ ମତ । ବାକି ନିର୍ଣ୍ଣୟ ତୁମର, ଯାହାକୁ ମୁଁ ଅମାନ୍ୟ କରିବି ନାହିଁ ।
ମାୟାଧରଙ୍କ ସଫା ସଫା କଥା ତଥାପି କେତେ ଅସ୍ପଷ୍ଟ । ସିଧାସଳଖ କହିଲେ ନାହିଁ, ମୋ ବାବଦରେ ତାଙ୍କ ମନରେ ଅଛି କଣ । ସେ କ’ଣ ଟିକେ ବି ମୋତେ ନିଜର କରିବାକୁ ଚାହୁଁ ନାହାନ୍ତି? ସେ ଚାହୁଁଥାନ୍ତେ ମୁଁ ମନା କରିଥାନ୍ତି, ଏମିତି ସିନା । କ’ଣ ପାଇଁ ନା? ମୋ ପରିଚୟ ପାଇଁ । ନା ସେମିତି ତ ନୁହେଁ ତାଙ୍କ ମନରେ ବାଛବିଚାର ନଥାଏ । ତେବେ ସେ କଣ ମୋ ମାଆ ହେବାର ଅକ୍ଷମତାକୁ ନେଇ ମୋତେ ଆପଣାଇ ପାରୁ ନାହାନ୍ତି? ବୋଧହୁଏ ତାହା ବି ନୁହେଁ । ହୁଏତ ସେ ଏମିତି ଭାବୁଥିବେ, କାଳେ ସୁମନ ଏହା ଚାହୁଁନଥିବ, କାଳେ ସେ ରୋକଠୋକ ମନା କରିଦେବ । କାଳେ ତା ପାଠଶାଠ ଓ ପଦବୀ ନେଇ ଅଭିମାନ ଥିବ? କାଳେ ମାଆଙ୍କ ସମର୍ଥନ ନମିଳିବ! ଯାହା ବି ହେଉ ମାୟାଧରଙ୍କୁ ଭୁଲ୍ ବୁଝିବା ମୋ ଦ୍ୱାରା ସମ୍ଭବ ନଥିଲା ।
ଏଥର ମାଆ ମୋତେ ପଚାରିଲେ, -ସୁମନ ତୁ ପର ନୋହୁଁ, ଏ ମାଆଟିର କଥାରେ ତୁ କ’ଣ କିଛି ମତ ରଖିବୁ ନାହିଁ, ତୋ ବାବଦରେ କିମ୍ବା ତୋ ସାଥୀ ମାୟା ବାବଦରେ ।
- ଦେଖନ୍ତୁ ମାଆ, ମୁଁ ପର ହୋଇଥିଲେ କେମିତି ଏଠି ରହି ପାରୁଥାନ୍ତି । ଜୀବନର ପ୍ରତି ପାହାଚରେ ତଳେ ପଡିବା ପୂର୍ବରୁ ଈଶ୍ୱର ମୋତେ ତୋଳି ନେଇଛନ୍ତି । ଜଣେ କିନ୍ନର ଭାବରେ କେଉଁ ସଫଳତା ଅବା ମୁଁ ପାଇନାହିଁ? ଆଉ ଅଧିକ ଆଶା କାହିଁକି ରଖିବି? ଏହା ସତ୍ୟ ମାୟାଧର ହେଉଛନ୍ତି ଏ ପୃଥିବୀରେ ମୋର ପ୍ରିୟତମ ମଣିଷ । ପ୍ରିୟ ମଣିଷଙ୍କ ମନ୍ଦ ଚାହିଁ ହୁଏ କି? ମୋ ସହ ସମ୍ପର୍କ ତାଙ୍କ ଜୀବନରେ ଝଡ ସୃଷ୍ଟି କରିବ ଜାଣି ବହୁ ଦୂରକୁ ଚାଲିଗଲି । ଚିଠିଟିଏ ବି ଦେଲିନି । ଅଥଚ ସେ ଓ ଆପଣ ମୋତେ ତ୍ୟାଗ କଲେ ନାହିଁ । ମୋ କିନ୍ନର ପରିଚୟ ଦେଲାପରେ ବି ମୋତେ ଦୂରେଇ ଦେଲେ ନାହିଁ । ଅଂଶୁର ମାମା ମାମା ଡାକକୁ କେହି ବାରଣ କଲେ ନାହିଁ । ତେବେ ଯେହେତୁ ମୁଁ ସନ୍ତାନ ସମ୍ଭବା ନୁହେଁ ମୋ ମନରେ ବିବାହର କୌଣସି ଆକର୍ଷଣ ନାହିଁ । ତା ଅର୍ଥ ମାଆ, ଏମିତି ନୁହେଁ ଯେ ମାତୃତ୍ୱ କଣ ମୁଁ ଅନୁଭବ କରିନାହିଁ । ଅମିନା ଓ ଅଂଶୁ ମୋର କର୍ତ୍ତବ୍ୟ ଜ୍ଞାନର ସମ୍ପର୍କ ହୋଇ ରହିନାହାଁନ୍ତି । ସେମାନଙ୍କ ସହ ମା ମନର ଭାବାବେଗ ଜଡିତ, ଦାୟିତ୍ୱ ବୋଧ ରହିଛି । ସେମାନଙ୍କୁ ତ୍ୟାଗ କରିବା ମୋ ପକ୍ଷେ ସମ୍ଭବ ନୁହେଁ । ମୁଁ ବୁଝି ପାରୁଛି ମାଆ ଏ ଏକ ବିଚିତ୍ର ଓ ଅନନୁଭୂତପୂର୍ବ ଅବସ୍ଥା, ଆମେ ସମସ୍ୟା ତିଆରି କରିଚାଲିଛନ୍ତି କି ସମାଧାନ କରିଚାଲିଛନ୍ତି ତାହା ବିଚାର କରିହେବ ନାହିଁ । ଭାଗ୍ୟ ଆମକୁ ଯେମିତି ବାଟ କଢାଇଛି ଆମେ ସେମିତି କରିଛନ୍ତି । ମୋଟାମୋଟି ମୋ ମତରେ ମାୟାଧର ତାଙ୍କ ସଂସାର କରନ୍ତୁ କେବଳ ଏତିକି ବୁଝାଇ ଦେଇ କି କେଉଁ ପରିସ୍ଥିତିରେ ଅଂଶୁ ଓ ମୋ ମଧ୍ୟର ସମ୍ପର୍କ ଚିର ଅତୁଟ ।
ସତରେ ମାଆ ଦିନେ ଏମିତି ବ୍ୟତିବ୍ୟସ୍ତ ହୋଇ ଭାବି ନେଇଥିଲି, ଏ ଜୀବନରେ ସଫଳତାର ବୋଝ ବୋହିବା ମୋ ପକ୍ଷେ ଆଉ ସମ୍ଭବ ନୁହେଁ । ଆତ୍ମହତ୍ୟାର ନିଷ୍ପତି ବି ନେଇଥିଲି । କିନ୍ତୁ ଦୁଇ ଦୁଇଟା ପିଲାଙ୍କୁ ଛାଡି ଏମିତି କାମ କି କରିହୁଏ! ଏ ଶେଷ କଥାଟି ପାଇଁ ଆପଣ ଓ ମାୟାଧର ମୋତେ କ୍ଷମା କରିଦେବେ । ମୋର ଓ ମାୟାଧରଙ୍କ ସମ୍ପର୍କ କଣ କେବେ ତୁଟିବ? ନା ଏହା ହବେନି । ତା ଅର୍ଥ ନୁହେଁକି ମୁଁ ମାୟାଧରଙ୍କୁ ଜୀବନସାଥୀ କରିବାକୁ ଚାହୁଁଛି । ନା ବରଂ ସେ ବାହାହେଲେ ସବୁଠୁ ବଡ ବୋଝ ମୋ ମୁଣ୍ଡରୁ ଓହ୍ଲାଇଯିବ ।
ମୁଁ ଏତେଗୁଡା କଥା କହିଦେଲି? ମୁଁ ନିଜେ ବିଶ୍ୱାସ କରିପାରୁ ନଥିଲି ।
ମାଆ କହିଲେ ରାତି ଅନେକ ହେଲାଣି, ଶୋଇଯାଅ । ଆମେ ତାଙ୍କୁ ଶୁଭରାତ୍ରି ଜଣାଇ ଫେରି ଆସିଲୁ, ନିଜ ନିଜ କୋଠରୀକୁ । ଅଂଶୁ ଓ ଅମିନାଙ୍କ ନିଦରେ ବ୍ୟାଘାତ ନକରି ଚଟାଣରେ ସପ ପାରି ଶୋଇଗଲି । ନିଦ ଆସିଲା ନାହିଁ । ମାଆ କ’ଣ ନିର୍ଣ୍ଣୟ ନେବେ । ଯଦି ଆମକୁ ଏକାଠି କରାନ୍ତି ତାହେଲେ କଣ ମାନିନେବି? କେମିତି? ସ୍ପଷ୍ଟ ଭାବେ ମାୟାଧର ଥରେ ବି କହିନାହାନ୍ତି ସେ ମୋତେ ଭଲପାଆନ୍ତି ଓ ଜୀବନସାଥୀ କରିବାକୁ ଚାହୁଁଛନ୍ତି ବୋଲି । ମାଆଙ୍କ ଆଜ୍ଞାଧିନ ହୋଇ ଏତିକି କଥା କହିଦେଲେ ଚଳିବ କି? ନା ତାହା ସମ୍ଭବ ନୁହେଁ । ମୁଁ ଏହାକୁ ସ୍ୱୀକାର କରିବି ନାହିଁ । କିନ୍ତୁ ମାୟାଧର ନିଜେ ଯଦି ଥରୁଟାଏ କହନ୍ତେ, ମୁଁ କଣ ରାଜିହୋଇ ଯାଆନ୍ତି? କାହିଁକି ରାଜି ନହେବି? ମୁଁ ଯଦି ମୋ ନିଜକୁ ହୀନ ମନେ କରିବି ତାହେଲେ ଦୁନିଆ ସେମିତି କଲେ ମୁଁ କାହିଁକି ଅଭିଯୋଗ କରିବି? ପରିସ୍ଥିତି ଯାହା, ଏହା ହିଁ ଏକମାତ୍ର ରାସ୍ତା । ସବୁ ଦିଗରୁ ଦେଖିଲେ, ଆମେ ଓ ଆମ ଚାରିକଡର ମଣିଷ ବେଶ ସୁଖରେ ରହିବେ । ତଥାପି ରାତି ପାହି ନଥାଏ । ମୁଁ ଉଠି ଆସିଲି, କେମିତି ଏକ ଅସ୍ୱସ୍ତି ଲାଗୁଥାଏ । ଛାତ ଉପରକୁ ଗଲେ ଭଲ ଲାଗିପାରେ । ଦେଖିଲି ମାୟାଧର ପଦ ଚାରଣ କରୁଛନ୍ତି ସେଠାରେ । ଏ କଣ, ବେନିଜନେ ସମ ଦଶା! ମୁଁ ଫେରି ଆସୁଥିଲି, ସେ ମୋତେ ଦେଖି ନେଇଥିଲେ । ସୁମୀ ନାମଧରି ସ୍ନେହଭରେ ଡାକିଲେ । ମୁଁ ପାଖକୁ ଗଲି । ପାଖରେ ବସିଲି ।
୨୦
ଏହା ମଧ୍ୟରେ ଅନେକ ଦିନ ଚାଲିଗଲାଣି, ମାୟାଧର କେବଳ ଯାହା ପୂର୍ବାହ୍ନ ସମୟ ଯାଉଥାଏ ଆମ ପ୍ରତିଷ୍ଠାନକୁ । ପରିଚାଳକ ଜଣେ ଅନେକ କଥା ବୁଝୁଥାନ୍ତି । ମୁଁ କେତେକାଂଶରେ ଉପଦେଷ୍ଟା ପ୍ରାୟ ପରିଚାଳକଙ୍କୁ ସହଯୋଗ କରୁଥାଏ । ମାୟା ଲାଗିଥାଏ ପ୍ରିୟ ଚିତ୍ରଟିରେ । ରଙ୍ଗ, ତୁଳୀ ଓ ଆଲୋକ ସହ ସେ ଏକାକାର ହୋଇଯାଇଥାଏ । ବ୍ୟକ୍ତିଗତ ଜୀବନ ପରିଚାଳନା, ନିଜର ସ୍ୱାସ୍ଥ୍ୟ, ପରିବାରର ଦାୟିତ୍ୱ, ମାଆ, ଅଂଶୁ ଓ ମୁଁ; କୌଣସି ପ୍ରତି ତାହାର ନିଘା ନଥାଏ । ଆମେ ତା କାମରେ କୌଣସି ବ୍ୟାଘାତ ସୃଷ୍ଟି କରୁନଥାଉ । ମୁଁ ମାୟାର ଖାଇବା ପିଇବା ଓ ଆନ୍ୟନ୍ୟ ଆବଶ୍ୟକତା ପୁରଣ କରିବାର ଦାୟିତ୍ୱ ନେଉଥାଏ । ଯେତେବେଳେ ସେ ଚିତ୍ରକଳାକୁ ନିରେଖି ଚାହେଁ ତାହା ମୋତେ ସମ୍ପୂୂର୍ଣ୍ଣ ଲାଗେ ଅଥଚ ପୁଣି ଅଧିକ କଣ ଚିନ୍ତା କରୁଛି ମାୟା! କିନ୍ତୁ ସେ ନୂଆ ବିନ୍ଦୁଟିଏ ଦେଲେ ତାହା ମୋତେ ଠିକ୍ ଲାଗେ । ଅନେକ ସମୟ ସେ କେବଳ ତନ୍ମୟ ଭାବେ ଦେଖୁଥାଏ । ପୁଣି ଭିନ୍ନ ଭିନ୍ନ ରଙ୍ଗର ଆଲୋକରେ ଅବଗାହନ କରୁଥାଏ କଳାଟିକୁ । କେବେ କେବେ ଦ୍ୱାର ବନ୍ଦ କରିଦିଏ, କଣ କରେ ସେ କଥା ସେ ଜାଣେ ।
ଏହା ମଧ୍ୟରେ ଯେତେ ଯାହା ଘଟିଯାଉଛି ତାହା ସେ ଜାଣୁନଥାଏ । କେବେ କେବେ ଅଂଶୁ ସେ ଘରକୁ ଯାଏ ବାପା ଓ ତାଙ୍କ କାମକୁ ଦେଖେ । ତାଙ୍କ ସାମ୍ନାକୁ ଆସି କାମ ବନ୍ଦ କରାଏ । ବାପ ପୁଅ ପରସ୍ପର ଗେହ୍ଲା ହୁଅନ୍ତି । ସେତିକିବେଳେ ଅଂଶୁ ତାକୁ କିଛି କିଛି କୁହେ, ତା ଛୋଟପିଲାର ମୁଣ୍ଡରେ । ଆଉ ବେଳେବେଳେ ହଠାତ୍ ସ୍ମରଣ ହେଲା ଭଳି ମାୟା ମୋତେ କିଛି ପଚାରି ଦିଏ ଯାହା ପରିସ୍ଥିତିକୁ ଆଦୌ ଖାପ ଖାଏନି । ମୁଁ ହସି ଦିଏ । ମୋ ହସକୁ ସେ ଗ୍ରହଣ କରେ ବଡ ଅମାୟିକ ଭାବରେ, ସତେ ଯେମିତି କହେ, ହଁ ସମ୍ଭାଳୁଥା ସବୁକିଛି, ମୋତେ ଛାଡି ଦେ । ତା ଚାହାଣିରେ ଥାଏ କୃତଜ୍ଞତା, ଥାଏ ପ୍ରଚୁର ଶ୍ରଦ୍ଧା ଓ ପ୍ରତିଶ୍ରୁତି । ବୁଝି ପାରେନା କିଏ କାହା ପ୍ରତି କୃତଜ୍ଞ ହେବା କଥା । ମାୟାଧର ବିନା ମୁଁ ମୋର ଅଧୂନାତନ ସ୍ଥିତିକୁ କଳନା କରି ପାରେନା । ଜୀବନ ସାରା ସେ ମୋତେ ସାହାରା ଦେଇଛି । ଖୁଆଇବା, ପିଆଇବା ଖର୍ଚ୍ଚବାର୍ଚ୍ଚ ଦେବାର ସାହାରା କଥା ମୁଁ ଭାବେନି । ଦୁନିଆ ଠାରୁ ମୋତେ ଲୁଚାଇ ଦେବା, ଢାଲ ହୋଇ ଉହାଡ କରିବା, ମୋ ମନ ବୁଝିବା ଓ ମୂଖ୍ୟ କଥା ହେଲା ଏସବୁ ଏମିତି ସ୍ୱଭାବିକ କରିଚାଲିବା ଯେ କୌଣସି ସମୟରେ ମୋତେ ଅଣନିଶ୍ୱାସୀ ନଲାଗିବା କି ମୁଁ ତା ଉପରେ ବୋଝ । ଏଇଟା କଣ? ଜଣେ ବାପା ନୁହେଁ କି ଭାଇ ନୁହେଁ ଅଥଚ ଏଡେ ନିଜର, ତା ଅଶ୍ରା ସବୁବେଳେ ଶୀତଳତା ଭରି ଦେଇଛି ମୋ ପ୍ରାଣରେ! ମୁଁ ମୋ ତରଫରୁ ଭାବିନିଏ, ତା ପ୍ରତି ମୋର ଗଭୀର ପ୍ରେମ ଭାବନା ମୋ କଢି ବୟସରୁ ମୋତେ ଏମିତି ଝୁଲାଇ ରଖିଛି ତା ବଳୟରେ । କେବଳ ଲୋକାଚାର, ତ୍ୟାଗ, କର୍ତ୍ତବ୍ୟ ଭାବନା ଓ ଯାବତୀୟ ସଚେତନ ଅହଂ ମୋତେ ବାରଣ କରିଛି ନା ଏମିତି ନୁହେଁ ସୁମନ୍ । ସେ ତୋର ନୁହେଁ, ତୁ ତାହାର ଯୋଗ୍ୟା ନୁହେଁ । ଭଲପାଇବାକୁ ମନ ମନ୍ଦିରରେ ସଜେଇ ଦେଇ ସାରା ଜୀବନ ପୂଜା କରିବାରେ ମୁଁ ବ୍ରତୀ । ଏ ଭାବନା ସଚେତନ ।
ଅବଚେତନରେ ମୁଁ କଣ ଭାବେ ତାହା ତ ଜାଣେନି କିନ୍ତୁ ସ୍ୱପ୍ନ ଉପରେ ମୋର କଣ ଆୟତ୍ତ ଅଛି? ସ୍ୱପ୍ନ ମୋତେ ସଚେତନ କରିଦିଏ, ମୁଁ ମୋ ମାୟାକୁ ଭଲପାଉଛି, ଅଂଶୁକୁ ନେଇ ଆମ ସୁନ୍ଦର ସଂସାର, ମାଆ ଖୁବ୍ ଖୁସି । ଅମିନାକୁ ଏଠି ସମସ୍ତେ ଗ୍ରହଣ କରିନେଇଛନ୍ତି । ସମାଜ ଆମକୁ ଗ୍ରହଣ କରିନେଇଛି । ମୋ ପରିବାର ବହୁତ ଆଶ୍ୱସ୍ତ । ଆମେ ଦୁହେଁ ବେଶ୍ ସୁଖରେ ଅଛୁ । ଏସବୁ ସ୍ୱପ୍ନ ଅନେକ ସମୟରେ ଆମ ଚିତ୍ରକଳା ଠାରୁ ଆହୁରି ସୁନ୍ଦର, ଯେମିତି ସହସ୍ର କୁସୁମର ସୁବାସ, ଇନ୍ଦ୍ରଧନୁଠୁ ରଙ୍ଗୀନ୍ ଓ ଖୋଦ ମାୟାର ବାହୁ ବନ୍ଧନ ଠାରୁ ଉଷୁୁମ । ତେବେ, ଏସବୁ ସ୍ୱପ୍ନ । କେଉଁଟି ବାସ୍ତବ, ମୋ ସଚେତନ ଅଗ୍ରାହ୍ୟ ବା ମୋ ସ୍ପପ୍ନର ଝିଲିମିଲି ପ୍ରାସାଦ ତାହା ମୁଁ କେମିତି କଳନା କରିବି? ପୁନଶ୍ଚ ଭଲମନ୍ଦ ଓ ସ୍ୱାଭିମାନର ପ୍ରଶ୍ନ ମୋ ସ୍ୱପ୍ନକୁ ନିମିଷକେ ଚୁରମାର କରିଦିଏ । ମୁଁ ଲଜ୍ଜିତ ଅନୁଭବ କରେ । ସତେ ଯେମିତି ଜବରଦସ୍ତିଆ ଅନଧିକାରର ଆଚରଣ ମୁଁ କରୁଛି ।
ଏମିତି ଭାବୁଭାବୁ ହଠାତ୍ କେତେବେଳେ ଅଂଶୁ ଆସି ଜାବୁଡି ଧରେ । -ମାମା ମାମା, ଆସନି ଦେଖିବ ଆମ ସ୍କୁଲରେ ଦେଇଥିବା ଚିତ୍ରଟି ମୁଁ କେମିତି ଆଙ୍କିଛି ।
ସ୍ୱପ୍ନ ଆଉ ବାସ୍ତବତା ମଧ୍ୟରେଏହା ଆଣିଦିଏ ଭିନ୍ନ ଏକ ବାସ୍ତବତା । ଏକ ତୃତୀୟ ଅବସ୍ଥା, ଠିକ୍ ମୋ ଭଳି, ମୋ ପରିଚୟର ଅସ୍ପଷ୍ଟତା ପରି । ଅଧ୍ୟାପିକା ସୁମନ ପ୍ରଧାନର ସ୍ପଷ୍ଟ ପୃଥିବୀ ମଧ୍ୟରେ ଘନ କୁହୁଡି; ମୁଁ କିନ୍ନର, ମୁଁ ସୁମନ କିନ୍ନର, ଅଂଶୁ ଓ ଅମିନାର ମାଆ । ଏଇଟା ବାସ୍ତବତା ଯଦିଓ ଏହା ଏକ ତୃତୀୟ ଅବସ୍ଥା । ମୁଁ ଈଶ୍ୱରଙ୍କୁ ଓ ଗୁରୁଙ୍କୁ ସ୍ମରଣ କରେ । କୁଣ୍ଢେ ମୋଟ ମନର ଏକ କୋଣମାତ୍ରରେ ଅଂଶୁକୁ କୋଳାଇ ନେଇ ଅନୁଭବ କରେ ମାତୃତ୍ୱର ସ୍ଫିତି । ଏ ସାରା ସଂସାରକୁ ତା ମଧ୍ୟରେ ଆବୋରି ନେବା ପାଇଁ ଯଥେଷ୍ଟ ସ୍ଥାନ । ମନେହେଲା ଅଂଶୁ ମଧ୍ୟରେ କାହ୍ନାର ବିଶ୍ୱବ୍ରହ୍ମାଣ୍ଡ ଓ ସେ କାହ୍ନାବି ଯଶୋଦା ସୁମନ’ର ପଣତ ତଳେ କେତେ ଛୋଟିଆ ।
କିନ୍ତୁ, ମାୟାଧର? ସେ କଣ ଭାବେ! ସେ କିଛିଭାବେ ତ! ଅପ୍ରକାଶ୍ୟ ଏକ ଅଦ୍ଭୁତ ମଣିଷର ମନ ମଧ୍ୟକୁ ଟିକିଏ ବୁଝି ପାରିବାର ଶକ୍ତି ହେଲେ ଥାଆନ୍ତା । ଛାଡ, ତା ମନ ମଧ୍ୟରେ ଯାହା ଥାଉ ନା କାହିଁକି ତାହା ଜାଣିବା ମୋର କି ଦରକାର? ତା ଉପରେ ମୋ ନିର୍ଣ୍ଣୟ ନିର୍ଭରଶୀଳ ନୁହେଁ । ମୁଁ ସଚେତନ ସବୁ ଉଦ୍ୟମ କରିବି ସେ ମୋତେ ମୁକ୍ତି ଦେଇ ତା ସୁଖ ସଂସାର କରୁ ।
କିନ୍ତୁ, ମୋ ମିତ, ମୋ ଭାଉଜ ଓ ସର୍ବୋପରି ମୋ ଗୁରୁଜୀ କହିଛନ୍ତି, ଅପେକ୍ଷା ମୋ କରଣୀୟ ଉପେକ୍ଷା ନୁହେଁ । କିନ୍ତୁ, ଏମାନେ ଗୁରୁତ୍ୱପୂର୍ଣ୍ଣ ହେଲେ ବି ବୃହତ୍ତର ସମାଜ ନୁହନ୍ତି । ମୋ ମନ କହୁଛି ରକ୍ତ ସମ୍ପର୍କ ନଥିବା ଏକ ଉଚ୍ଚପ୍ରାଣ ମଣିଷଠାରୁ ଯେତିକି ସଂଗ୍ରହ କରିଛି ସେତିକି ଶୁଝିବାକୁ କେତେ ଜନ୍ମ ଲାଗିଯିବ, ଆଉ ଅଧିକ ଧାରୁଆ ହେବା ଅନୁଚିତ । ଏତିକିବେଳେ ମନେ ପଡିଯାଏ; ମୂଳରୁ ତା ମନଟି ଜାଣିନି, ନଦୀ ଆହୁରି ଅନେକ ଦୂର, ନଦୀ ଗଭୀର କି ଶୁଷ୍କ ତାହା ନଜାଣି ନାଆ ଖୋଜିବାର କି ଆବଶ୍ୟକତା!
ମୁଁ ପୁଣି ମୋ ସମ୍ପ୍ରଦାୟ କାମରେ ଅଣ୍ଟା ଭିଡିଥାଏ । ଭୁବନେଶ୍ୱରର ସମସ୍ତଙ୍କୁ ସୂଚନା ପୁସ୍ତିକାରେ ଅନ୍ତର୍ଭୁକ୍ତ କଲାପରେ, ଓଡିଶାର ଅନ୍ୟ ସ୍ଥାନରୁ ସୂଚନା ନେବା ଆରମ୍ଭ ହୋଇଥାଏ ।
କଲେଜରେ ଆମ ଚିତ୍ରକଳା ବିଭାଗର ଏକାଦେମିକ କାମ ଯେମିତି ପଛାଇ ନଯାଏ ସେ ପ୍ରତି ମଧ୍ୟ ଧ୍ୟାନ ଦେଉଥାଏ । ପ୍ରତି ମାସରେ ଗୋଟିଏ ଦୁଇଟି କର୍ମଶାଳା ଓ ପ୍ରଦର୍ଶନୀ ଆୟୋଜନ କରୁଥାଏ । ଆମ ପିଲାଙ୍କୁ ଭାରତର ବିଭିନ୍ନ ସ୍ଥାନକୁ ପଠା ଯାଉଥାଏ ପ୍ରଦର୍ଶନୀ ଓ ପ୍ରତିଯୋଗିତାରେ ଭାଗ ନେବାକୁ
ସେମାନଙ୍କ ପ୍ରଦର୍ଶନ ଭଲ ହେଉଥାଏ । କେବଳ ଚିତ୍ରକଳା ନୁହେଁ, କଳା ମହାବିଦ୍ୟାଳୟର ବିଭିନ୍ନ ବିଭାଗର କର୍ମଶାଳା ମାନଙ୍କରେ ପ୍ରାୟତଃ ମୁଁ ଉପସ୍ଥିତ ଥାଏ ଭିନ୍ନ ଭିନ୍ନ ଦାୟିତ୍ୱରେ ।
ଏକଦା ମନେ ରଖିବା ଭଳି କର୍ମଶାଳା ଆୟୋଜନ କରିଥିଲେ ଆମ ନାଟ୍ୟକଳା ବିଭାଗ । ଆଜି ସେ ସ୍ୱର୍ଗତାଃ। ଋତିପୂର୍ଣ୍ଣା ଘୋଷ କର୍ମଶାଳାଟିରେ ଥିଲେ ମୂଖ୍ୟ ଆକର୍ଷଣ । କର୍ମଶାଳା ଅତି ଉଚ୍ଚକୋଟୀର ହୋଇଥିଲା । ସେଥିପାଇଁ କିନ୍ତୁ ଏହା ମୋର ସ୍ମରଣୀୟ ନୁହେଁ । ଘୋଷ ମହାଶୟାଙ୍କ ସହ ବ୍ୟକ୍ତିଗତ ଭାବେ ପରିଚିତ ହୋଇ ପାରିଲି । ଆମ ସମ୍ପ୍ରଦାୟ ବାବଦରେ ପରସ୍ପର ଅନେକ ଭାବ ଓ ବିଚାରର ବିନିମୟ, ଏହାପରେ ଅନେକବାର ସମ୍ଭବ ହୋଇଥିଲା । କିନ୍ତୁ ହାୟ, ଯଶସ୍ୱୀ ଘୋଷ ଅକାଳରେ ଚାଲିଗଲେ ହୃଦଘାତରେ । ତାଙ୍କ ଅବର୍ତ୍ତମାନରେ ମଧ୍ୟ ଆମ ସମ୍ପ୍ରଦାୟକୁ ଆଲୋକ ଦେଖାଉଛନ୍ତି ସେ । ଏ ଆତ୍ମଲେଖା ମାଧ୍ୟମରେ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।
ଏମିତି ଅନେକ ବୃତ୍ତିଗତ କାମ ଏବଂ ଘର ଓ ବାହାର କାମ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ମୁଁ ଶିଖିଯାଇଥାଏ । ଚାହୁଁ ଚାହୁଁ ଜାଗର ଅମାବାସ୍ୟା ଆସିଗଲା । ଗାଆଁ ମନ୍ଦିରରେ ଏହା ପାଳନ କରାଯାଏ ବେଶ୍ ନିଷ୍ଠାର ସହ । ଏହାର ଆୟୋଜନ ପାଇଁ ମାଆ ପାଇକାଳୀ ଚାଲିଗଲେ ସାତଦିନ ଆଗରୁ । ସହାୟିକା ମଧ୍ୟ ଚାଲିଯାଇଛି । ମୋ ଯିବା ସମ୍ଭବ ହେଉନଥାଏ । ମାୟାଧର ତା କାମରେ ଏତେଦୂର ଏକାତ୍ମ ହୋଇଯାଇଥାଏ ଯେ ତା’ର ଖାଇବା ପିଇବାର ଯତ୍ନ ନେବାକୁ ପଡୁଥାଏ । ଶିବରାତ୍ରୀ ଆଗଦିନ ଅଂଶୁକୁ ମଧ୍ୟ ଗାଆଁରେ ଛାଡି ଆସିଲି । ମାୟାଧର ଓ ମୁଁ ପ୍ରତିବର୍ଷ ଏହିଦିନ ଉପବାସ କରୁ, ମନ୍ଦିରରେ ମହାଦୀପ ଉଠିଲା ପରେ ବ୍ରତ ଭାଙ୍ଗୁ । ଏଥର କଣ ଯେ କରିବି ବୁଝି ପାରୁନଥାଏ । ତାହାର ସମସ୍ତ ଉପାସନା ସେ କୋଠରୀ ମଧ୍ୟରେ ସୀମିତ । ଗତ ସପ୍ତାହରେ ଥରେ ହେଲେ ସେ ଆମ ପ୍ରତିଷ୍ଠାନକୁ ବି ଯାଇନି ।
ମୋ ସମ୍ପ୍ରଦାୟ ସହ ମିଶି ଏଥର ଜାଗର ବ୍ରତ ପାଳନ କଲି । ମହାଦୀପ ବହୁତ ଡେରିରେ ଉଠିଲା । ପୂଜାଭୋଗ ଧରି ଘରେ ପହଞ୍ଚିିଲି । ବାହାରୁ ମାରିଥିବା ତାଲା ଖୋଲି ପଶିଲି । ଦେଖିଲି, ମାୟାଧର ସେ ରାତିରେ ଗାଧୁଆପାଧୁଆ କରି ସେ କଳାକୃତି ସାମନାରେ ଦୀପଟିଏ ଜାଳୁଛି । ଘରଟି ପରିସ୍କାର, ସୁସଜ୍ଜିତ । ଉପକରଣ ସବୁ ଧୁଆଧୁଇ ହୋଇ ଯତ୍ନରେ ସୁରକ୍ଷିତ । ପ୍ରସନ୍ନତାର ଏକ ମୂର୍ତ୍ତିଭାବେ ଉଭା ତା ସମଗ୍ର ଚେତନା ଯେମିତି ଶିବମୟ ଦେଖାଯାଉଛି । ହାତରେ ଧରିଛି ନୂଆ କଜ୍ଜ୍ୱଳ ଡବାଟି ଯେଉଁଟି ମୁଁ ଏବେ ଏବେ ଆଣିଥିଲି । ସେମିତି ଠିଆ ହୋଇଛି । ମୁଁ ଅନେକ ସମୟ ଲକ୍ଷ କଲି । ସେ ଫେରିଆସି ଚଟାଣରେ ବସିଲା । କହିଉଠିଲା ନା ହେବନି । ସୁମନ ଆସୁ । ମୁଁ ଆବାଜ ଦେଲି, -ଆସିଯାଇଛି ମାୟା । ସେ ଯେମିତି ଭାବେ ମୋ ଆଡେ ଚାହିଁ ହସିଲା, ମନେହେଲା ଏତେ ଖୁସି ମୁଁ ତା’ଠି କେବେ ଦେଖିନଥିଲି ।
- ଆ ସୁମନ, ସେମାନେ ଚାହୁଁଛନ୍ତି ଜୀବନ୍ୟାସ ତୋ ହସ୍ତରୁ ପାଇବେ, ଚକ୍ଷୁଦାନ ତୁ କରିବୁ । ପ୍ୟାରିସର ଲୋଭ୍ରେ ମ୍ୟୁଜିୟମରେ ତୋ’ଠୁ ସେମାନେ ଆରମ୍ଭ ହୋଇଥିଲେ, ମନେ ଅଛି ନା? ଦେଖ୍ ଏତେକାମ ପରେ ବି ତୋର ସେ ପ୍ରଥମ ଛୁଆଁଟି ତା ମଧ୍ୟରେ ହଜି ଯାଇନି । ଆଜି ସମାପ୍ତି ତୁ କରିବୁ ।
ମୋର ପ୍ରଥମ ଭାବନା ଥିଲା ଏକ ସମାପ୍ତିର ସୁଖଦ ରୋମାଞ୍ଚ । ଦ୍ୱିତୀୟ ଭାବନା ଥିଲା ତା’ର ବହୁବଚନର କଥା;- ସେମାନେ ଜୀବନ୍ୟାସ ପାଇବେ । ଦୁଇଟି ଚକ୍ଷୁ, ଜଣେ ମାତ୍ର ଅର୍ଦ୍ଧନାରୀଶ୍ୱର ଦେଖୁଛି ସାମ୍ନାରେ । ମାୟା କହୁଛି ସେମାନେ ଜୀବନ୍ୟାସ...! ସେ ଯାହାହେଉ ମାୟା ଏବେ ମୁକ୍ତହେବ ଏହାଠୁ ଅଧିକ ଖୁସି କଣ ହୋଇପାରେ । ରାତି ଆଉ ଘଡିଏ ଅଛି, ଚାରିଆଡେ ଭକ୍ତିର ପରିବେଶ । ଚିରଦିନର ଦୁଇ ସହଚର, ଉଭୟ ବ୍ରତ କରିଛନ୍ତି, ନିଷ୍ଠା ଉପବାସରେ ଅଛନ୍ତି ଓ ହେବାକୁ ଯାଉଛି ଏକ ଯଜ୍ଞର ପୂର୍ଣ୍ଣାହୁତି । ମନେହେଲା ମୋ ପିଲାଦିନରୁ ଥିବା ଅଭ୍ୟାସବଶତଃ କଜ୍ଜ୍ୱଳ ଲଗାଇବାକୁ ଯାଉଛି, କୁହାଯାଏ ଅର୍ଦ୍ଧନାରୀଶ୍ୱରର ପ୍ରତୀକ ଆମେ । ସେହିଭଳି ଜଣେ କିନ୍ନର ଦେବତା, କୈଳାସପତି ମହାଦେବ ଯାହାଙ୍କୁ ଅନେକ ତପସ୍ୟା ପରେ ଆବାହାନ କରିଛି ମୋର ପରମମିତ୍ର ମାୟାଧର; ତାଙ୍କ ଚକ୍ଷୁଦାନ ତଥା ଜୀବନ୍ୟାସ ଦେବ ମୋର ଏ ଚର୍ମହସ୍ତ! ଅତି ଆନନ୍ଦରେ ମୁଁ ଶିହରି ଉଠିଲି । ଯେମିତି ସେ ଆନନ୍ଦ ମୋର ତନୁ, ମନ ଓ ପ୍ରାଣକୁ ଛୁଇଁଲା ପରେ ମୋ ଆତ୍ମାସହ ଏକାକାର ହୋଇ ଉଠିଲା । କିନ୍ତୁ, ବେସୁରା ଲାଗିଲେ ବି କହିପକାଇଲି, କାହିଁକି, ତୁ ଦେଉନୁ ।
ସବୁବେଳେ ମୁଁ ଏମିତି; ବିଶେଷକରି ମାୟା ପାଖରେ । କିଛି ଗୋଟେ ଭିନ୍ନ କହିବି ମୋ ଭିନ୍ନତା ପରି, ଯେଉଁଟି ସେ ବାଧ୍ୟହୋଇ ମାନିବ ଓ ମତେ ଲାଗିବ ମୋ ମତ ଭାଙ୍ଗି ଦିଆଯାଉନି, ମୋ ଗୁରୁତ୍ୱ ରହିବାର ଅଛି । ମନେହେଲା ଏମିତି କହି କେବେ କେବେ ଦୁଃଖ ଦେଇଛି ମାୟାକୁ । ଆଜି ପୁଣି ଏ ସୁଖର ସମୟରେ ମୋ ବଦଗୁଣ ଗଲାନି ।
ସେ ଧର୍ଯ୍ୟର ସହ ହସି କହିଲା, ସେତିକି ହେବାର ଥିଲେ କେତେବେଳ ହୁଅନ୍ତାଣି, ପାରୁନି । ସେମାନେ ସେମିତି ଚାହୁଁଛନ୍ତି ।
ଅଗତ୍ୟା ମୁଁ ସୂକ୍ଷ୍ମାତିସୂକ୍ଷ୍ମ ତୁଳୀ ଧରି, ଈଶ୍ୱରଙ୍କୁ, ଗୁରୁ ଜଗବନ୍ଧୁଙ୍କୁ, ଗୁରୁ ଗୋପିକୃଷ୍ଣାଙ୍କୁ ଓ ସାଥୀ ମାୟାଧରକୁ ସ୍ମରଣକରି ଏକ ବିଶ୍ୱସ୍ତରୀୟ କୃତିର ଶେଷସ୍ପର୍ଶ ଦେଲି । ମୋ ଅନ୍ତରରେ ପୁନଶ୍ଚ ଖେଳିଗଲା ଏକ ତରଙ୍ଗ । ସେ ଅନୁଭବର ତୁଳନା ନାହିଁ । ହୁଏତ ତାହା ମୋ ପାଇଁ ଥିଲା ଈଶ୍ୱର ପ୍ରାପ୍ତି ।
ମନ ମୋର ଖୁସିରେ ଭରିଗଲା । ମୁଁ ମାୟାକୁ ମହାଦେବଙ୍କ ପ୍ରସାଦ ଖୁଆଇ ଚାଲିଲି, ଯେମିତି ଅଂଶୁକୁ ଖୋଇଦିଏ, ଯେମିତି ଦିନେ ମାୟାକୁ ଖୁଆଇଥିଲି ସ୍କୁଲ ଛାତ୍ରାବାସର ଆମ କୋଠରୀରେ । ତାକୁ ପେଟଭରି ଖୁଆଇଲା ପରେ ବଳକାତକ ଥିଲା ମୋ ପାଇଁ ଯଥେଷ୍ଟ ।
ଏଥର ମୁଁ ଇଛାକଲି ବୁଝିବାକୁ ସେ କଳାକୃତିକୁ । ମନେ ପଡିଗଲା ବିଶ୍ୱଭାରତୀର ମୋ କ୍ୱାର୍ଟରରେ ଅମିନାକୁ ମାୟା ବୁଝାଉଥିଲା ଏହା ଜଣଙ୍କର ପ୍ରତିକୃତି ନୁହେଁ । ଆଜି ପୁଣି ସେ କହୁଛି ସେମାନଙ୍କ ଜୀବନ୍ୟାସ ହେବ । କଥା କଣ?
ମାୟା ସେ ପ୍ରକୋଷ୍ଠକୁ ଉଜ୍ଜଳ ଆଲୋକ ବ୍ୟବସ୍ଥା କଲା । ଝଲକି ଉଠିଲା କଳାଟି । ବରଫାବୃତ୍ତ କୈଳାସର ଶିଖରରେ ବାଳସୂର୍ଯ୍ୟଙ୍କର ଅରୁଣିମା ଯେମିତିଲେପି ଦେଇଛି ଏକ ସ୍ୱର୍ଣ୍ଣିମ ମୁକୁଟ । ସମସ୍ତ ପର୍ବତ ଦିଶୁଛି ଜୀବନ୍ତ । ନୀଳାଭ ନଭ ମଣ୍ଡଳ ସତେ ଅବା ଅତି ଯତ୍ନରେ ତା ଛାୟାତଳର ଏ ନୈସର୍ଗିକ ଦୃଶ୍ୟରେ ନିଜେ ବିଭୋର । ମହାଦେବ ବା ମହାମାୟାଙ୍କ ଜଟ୍ଟାରୁ ବିଚ୍ଛୁରିତ ଗଙ୍ଗାମାତା ଏକ ପ୍ରପାତ ପ୍ରାୟ ନିମ୍ନଭାଗକୁ ଅଗ୍ରସର । ତୁଶାରବୃତ୍ତ କୈଳାସର ସମ୍ମୂଖ ଭାଗରେ ଥିଲେ ମଧ୍ୟ ନିଜସ୍ୱ ଆଭାରେ ମାତା ଦିଶୁଛନ୍ତି ସ୍ପଷ୍ଟ । ନିମ୍ନଭାଗରେ କ୍ରମଶଃ ସବୁଜିମା ଓ ପ୍ରାଣୀ ମାନଙ୍କର ଉପସ୍ଥିତି । ଦେବଙ୍କ ଦକ୍ଷିଣ ଅର୍ଦ୍ଧେକ ପୁରଷ ଓ ବାମ ଅର୍ଦ୍ଧେକ ନାରୀ ପରସ୍ପର ଅନାବିଳ ସହାବସ୍ଥାନ କରିଛନ୍ତି । ଉଭୟ ଭାଗରେ ଫୁଟି ଉଠିଛି କଳାର କମନୀୟତା ଅନେକ ସ୍ପଷ୍ଟ କାରୁକାର୍ଯ୍ୟ । ତଥାପି ମାୟାଧର ଭୁଲି ନାହିଁ, କ୍ଷୁଦ୍ରାତିକ୍ଷୁଦ୍ର କାଲିଗ୍ରାଫିରେ ପାଦଯୁଗଳରେ ଲେଖିଦେଇଛି “ସୁମନ ମାୟାଧର” ।
ମୁଁ ସହାସ୍ୟ ପଚାରିଲି । ଶିଳ୍ପୀବର! ତୁମେ ପୁରୁଷର ପାଦରେ ସୁମନ ଓ ନାରୀର ପାଦରେ ମାୟାଧର ଲେଖିଦେଲ ଯେ ।
- ସୁମୀ! ତୁ କଣ ମନେ ରଖିନୁ ତୋର ସେ ଲିଙ୍ଗ ପରିବର୍ତ୍ତତନ ଶଲ୍ୟଚିକିତ୍ସା ପୂର୍ବରୁ ଟରେଣ୍ଟୋରେ ଡାକ୍ତର ସୁବ୍ରତ ମିଶ୍ର ବୁଝାଇଥିବା ପାଠ । ଏ ସମଗ୍ର ମାନବ ସତ୍ତତାର ଅୟମାରମ୍ଭ କେବଳ ନାରୀ । ପୁରୁଷ ଗୁଣସୂତ୍ରଧାରୀ ମଧ୍ୟରେ କୌଣସି କାରଣରୁ ଯଦି ମୁଲେରିଆନ ବିଭବକୁ ବର୍ଜନ ନକରିହୁଏ ତାହେଲେ ସେ ବି କନ୍ୟା ହେବ । ଏମିତି ବି, ଏକା କୃଷ୍ଣଙ୍କୁ ବାଦଦେଲେ ଆଉ ସଭିଏଁ ତ ଗୋପୀ । ପୁଣି ତୋ ଭଳି ସମଗ୍ର ଶରୀରକୁ ପୁରୁଷ କରି ଗଢିଦେଲେ ବି ଈଶ୍ୱରଙ୍କ ଭୁଲାପଣରେ ତୋ ମନର ମୌଳିକତା ବଦଳେଇବାକୁ ଭୁଲିଯାଇ କି ଦହଗଞ୍ଜ କରିଛନ୍ତି ତୋତେ । ଅର୍ଥାତ ନାରୀ ଏକ ସ୍ୱଭାବିକ ସ୍ୱୟଂ ପ୍ରକାଶ ବ୍ୟବସ୍ଥା । ପୁରୁଷ ଏକ ପରକାଳ କଥା । କେବେ କେବେ ପୁଣି ନାରୀକୁ ତିଆରି କରି ଓ ନବଦଳାଇ ତା ମନକୁ ପୁରୁଷ କରିଦେଉଛି ସୃଷ୍ଟି, ନାରୀର ଦେହ ମଧ୍ୟରେ ଛଟପଟ ପୁରୁଷର ମନ । ତେଣୁ ଉପରର ଶିଳ୍ପୀ ଯଦି ଏମିତି ଓଲଟପାଲଟ କରି ଦେଉଛନ୍ତି ଆମର ଏ ଟିକକ ଚଳିବ ନାହିଁକି? ମୋଟାମୋଟି କହିବା କଥା, ଅର୍ଦ୍ଧନାରୀଶ୍ୱର, ଭାବିଲେ ଏକ ମଧ୍ୟ ଅବସ୍ଥା, ଭାବିଲେ ଉଭୟ ଅବସ୍ଥା, ଭାବିନେଲେ କ୍ଳୀବ ଓ ଭାବିନେଲେ ସମ୍ପୂର୍ଣ୍ଣ ଲିଙ୍ଗ ନିରପେକ୍ଷ ଓ ଭାବିଲେ ସ୍ୱୟଂସମ୍ପୂର୍ଣ୍ଣ । ତା ବାଦ ସେ ତ ଈଶ୍ୱର, ଆମର ସେ ପାଦ ତଳେ ମିଳିଥିବା ସ୍ଥାନ ଟିକକ ଏକ ଆସ୍ପର୍ଦ୍ଧା । ଶରଣାଗତର ପ୍ରଭୁ ପାଖରେ ନାରୀ କଣ ପୁରୁଷ ବା କଣ? କେବଳ ସମର୍ପିତ ।
ଇଏ ମାୟାଧର ନା ଆଉ କିଏ । ମନେହେଲା ସେ ବି ଏ ଛବି ଆଙ୍କୁ ଆଙ୍କୁ ବିବର୍ତ୍ତନର ସ୍ୱଭାବିକ କ୍ରୀୟା ତାକୁ କେତେ ପାହାଚ ଅଧିକ ଚଢାଇ ଦେଇଛି । ମୋ ଭାବନାକୁ ଲୁଚାଇ ଦେଇ ପଚାରିଲି, - ଆଛା ମାୟା ଯାହା କହିଲୁ ବୁଝିଲି, ସତ ବୋଲି ମାନିଲି, ଏବେ କହ ଏତେ ସବୁ ରଙ୍ଗୀନ ଆଲୋକରେ ଏତେଦିନ ପର୍ଯ୍ୟନ୍ତ କରୁଥିଲୁ କଣ?
- ସୁମୀ ଗେହ୍ଲୀ! ତୁ ତ ବିଜ୍ଞାନ ପଢିଛୁ, ଏ ଧଳା ମଧ୍ୟରେ କଣ ସବୁରଙ୍ଗ ନାହିଁ? ସବୁ ରଙ୍ଗ ଶୋଷିନେଲେ ଏକ ପ୍ରଛଦ କଳାହୋଇ ଯାଏନି କି? ରଙ୍ଗୀନ ଚଷମାରେ ଦୃଷ୍ଟିଭଙ୍ଗ ହୁଏନି କି? ତେଣୁ ଆମେ ଯାହା ଆଙ୍କିବା ତାହା କଣ ସତ ପ୍ରତିଶତ ସମାନ କି ସବୁ ପରିସ୍ଥିତିରେ । ଯଦି ଏବେ ଏ ଘରର ଆଲୋକ ନିର୍ବାପିତ ହୋଇଯାଏ ତାହେଲେ ଆମେ ସମସ୍ତେ ଓ ଏ ଉଦ୍ଭାସିତ ଚିତ୍ରପଟ୍ଟ ସ୍ୱୟଂ ଅଦୃଶ୍ୟ ହୋଇ ଯିବନିକି? ତା ମାନେ ନୁହେଁ ତ ଆମେ ସବୁ ଅନୁପସ୍ଥିତ । ପୁଣି, ଅନ୍ଧକାରରେ ତୁ ଡରୁଛୁ କି ଲାଜ କରୁଛୁ ତାହା ମୁଁ ଜାଣିବାର ବାଟ ବି ନଥାନ୍ତା ।
- ଏଁ ଏଁ କଣ କହିଲୁ, କୁଆଡୁ ଆଜି ସୂର୍ଯ୍ୟ ଉଦୟ ହେଲେକି ଏ ଅମେଇସିଆ ରାତିରେ । ଯେମିତି ଅନ୍ଧାର ରାତିରେ ତୋ ସାଙ୍ଗରେ ମୁଁ ଆଦୌ ରହିନି । ହଁ ତାଳଲୟ ଭଙ୍ଗ ନକରି କହ ତା ପରକଥା । ନିଉଟନ ମହାଶୟଙ୍କ ଚତୁର୍ଥ, ପଞ୍ଚମ ଓ ଇତ୍ୟାଦି ନିୟମ ।
- ଓ ହୋ ଏତେ ଦିନେ ଟିକେ ମନ ହୋଇଛି ମୋ ପ୍ରିୟତମା ସାଥୀ ସହ କଥା ସରସ ହେବାକୁ, କାହିଁକି ମଝିରେ ବେତାଳ କରୁଛୁ ।
- ହେଉ ହେଲା, ବୁଝା ତୋ ପାଠ । ବିଜ୍ଞାନ ପଢିଲି ମୁଁ, ଚିତ୍ରକଳାରେ ଏତେଗୁଡାଏ ପାଠ ପଢିଲି, ଶହେ ସରିକି ଆଲୋଚନାରେ ଭାଗନେଲିଣି ତଥାପି ମୁଁ ପ୍ରକୃତରେ ବୁଝିନି ତୋ ଆଲୋକ ବିଶ୍ଳେଷଣର କଳା । ବୁଝାଇ କହ ।
- ମନେକର ତୁ ଲାଜ କରୁଛୁ ଅନ୍ଧକାର ମଧ୍ୟରେ । ତୋ ମୁହଁରେ ଗୋଲାପୀ ବା ଅସ୍ତରାଗର ଆଲୁଅ ପକାଇଲେ ଯେମିତି ଦେଖାଯିବୁ, ଲାଲ୍ କିମ୍ବା ହଳଦିଆ ଆଲୋକରେ କଣ ସେମିତି ଦେଖାଯିବୁ କି? ନା କେବେ ନୁହେଁ? ଅର୍ଥାତ ସମାନ ଏକ ଅଭିବ୍ୟକ୍ତି ଭିନ୍ନ ଦେଖା ଯାଇପାରେ, ବାକିସବୁ ଠିକ୍ ରଖି କେବଳ ଆଲୁଅର ରଙ୍ଗ ବଦଳାଇ ଦେଲେ । ଏହି ବଦଳକୁ ଆମେ ଶିଳ୍ଫୀ ଯଦି ବୁଝି ପାରନ୍ତେ ତାହେଲେ ଆମେ ତାକୁ ବ୍ୟବହାର କରି ସମାନ ଚିତ୍ରକୁ ବିଭିନ୍ନ ରଙ୍ଗର ଆଲୋକ ପକାଇ ଭିନ୍ନଭିନ୍ନ କଳାରେ ପରିଣତ କରି ପାରନ୍ତେ ନାହିଁକି?
ସେତିକି ପ୍ରୟାସକରିଛି ।
ହଠାତ ସେ ପ୍ରୋଜେକ୍ଟର ମଧ୍ୟରୁ ବିଛୁରିତ କଲା ଏକ ପ୍ରକାର ନୀଳରୁ ଘନ ନୀଳ ଆଲୋକ । ଏବେ ସେ ଆଲୋକରେ ଚିତ୍ରଟି ଦେଖି ମୁଁ ଚମକି ପଡିଲି । କେବଳ ଦେବଙ୍କର ଛବି ଅଂଶକୁ ବାଦ ଦେଲେ କୈଳାସ ପର୍ବତ, ଆକାଶ, ଗଙ୍ଗାମାତାଙ୍କ ଅବତରଣ ସବୁ ଅସ୍ପଷ୍ଟ ହୋଇଗଲା । ଛବିଟି କିନ୍ତୁ ଏକ ନୂତନ ଆଭାରେ ରୂପାନ୍ତରିତ ହେଲା ଭିନ୍ନ ଏକ ସୁନ୍ଦର ଚିତ୍ରପଟରେ । ପୁରୁଷ ଭାଗଟି ମନେହେଲା ପ୍ରଣୟୀ ଗୋପୀ ଓ ନାରୀ ଭାଗଟି ସ୍ୱୟଂ ଶ୍ରୀକୃଷ୍ଣ ମାୟାଧର । ମୋ ପାଟିରୁ ବାହାରି ଆସିଲା, ଚମତ୍କାର! ଗୁରୁଙ୍କ ନାମ ଉଚ୍ଚାରିତ ହୋଇଗଲା, ଗୋପୀକୃଷ୍ଣା ଗୋପୀକୃଷ୍ଣା । ଓ ତାହେଲେ ଏଇଥି ପାଇଁ ସେ କହୁଥିଲା ବହୁବଚନରେ!
- ଏବେ କହ ସୁମୀ, ସୁମନ ମାୟାଧର ପ୍ରଭୁଙ୍କ ସଠିକ ଚରଣରେ ନାହାନ୍ତି କି? କିନ୍ତୁ ଦେଖ୍ ଏ କାମଟି ଆମେ ସର୍ବସାଧାରଣଙ୍କୁ ପ୍ରଦର୍ଶିତ କରିବା ନାହିଁ ଏବେ । ଏ କଳାଉପରେ ଆଉ କିଛି ଦକ୍ଷତା ଓ ଆଉ କିଛି ଉପଲବ୍ଧି ନହେଲା ପର୍ଯ୍ୟନ୍ତ, ଏହା ଏମିତି ଗୁପ୍ତ ରହୁ ।
- କଣ ତୁମେ କହିବାକୁ ଚାହୁଁଛ?
- ମୁଁ କିଛି କହିବାକୁ ଚାହୁଁନି, ତୁମ ପୁଅ ଝିଅଙ୍କୁ ଡାକ, ମାଆ ଆସନ୍ତୁ । ଏ କଳା ବାହାରେ ବି ଏକ ଜୀବନ ଅଛି । ଅଂଶୁର ଜନ୍ମଦିନ ପାଖେଇ ଆସୁଛି ।
ହଠାତ୍ ଉଭୟ ପରସ୍ପରଙ୍କୁ ତୁ ବଦଳରେ ତୁମେ ସମ୍ବୋଧନ କରିଦେଇଥିଲୁ ଆମ ଅଜାଣତରେ, ତାହା ଆଉ ବଦଳିବାର ନଥିଲା । ରାତି ପାହି ଆସୁଥିଲା, ସାରା ରାତି ଉଜାଗରର ପ୍ରଭାବ ନଥିଲା । ଆମେ ଉଭୟ ପୁନଶ୍ଚ ଶୁଭ୍ର ଆଲୋକରେ ମଙ୍ଗଳମୟ ଶିବଙ୍କ ଅର୍ଦ୍ଧନାରୀଶ୍ୱର ଚିତ୍ରପଟ୍ଟ ସାମ୍ନାର ଶିଳ୍ପୀ ବେଞ୍ଚରେ ବସିଥିଲୁ ପାଖାପାଖି । ସେ ମୋ ଦକ୍ଷିଣହସ୍ତକୁ ଅତି ଶ୍ରଦ୍ଧାରେ ତାଙ୍କ ଦୁଇହାତରେ ଜାବୁଡି ଧରିଥିଲେ । ମୁଁ ହାତଟିକୁ ମୁକୁଳାଇ ଆଣି ପାରୁନଥିଲି । ଜାଣେନି ସେ ପାଇଁ ମୁଁ ପ୍ରୟାସ କରିଥିଲି କି ନାହିଁ । ଅପେକ୍ଷା ଓ ଉପେକ୍ଷାର ଦ୍ୱନ୍ଦ୍ୱର ଅବକାଶ ନଥିଲା । ସାମ୍ନାର ଛବିର ଜୀବନ୍ତ ଈଶ୍ୱରଙ୍କୁ ମୁଁ ଆଉ ଚାହୁଁ ନଥିଲି, କାଳେ ମୋ ସ୍ୱାଧୀନ ମନକୁ କିଛି ନିର୍ଦ୍ଦେଶ ଆସିଯିବ । ଅହଂର କବଳିତ ମୋ ମନକୁ ଗୁରୁ ଗୁରୁଜନ କିମ୍ବା ଈଶ୍ୱର ପରିଚାଳିତ କରିବାକୁ ମୁଁ ଚାହୁଁନଥିଲି । ମନର ଆବେଗରେ ସାରାଜୀବନ ପରିଚାଳିତ କିନ୍ନର ଜଣେ ମୁଁ । ମୋ ମନ ଓ ହୃଦୟର ଯୁଦ୍ଧରେ ମନ ହାରିଯିବା ଏତେ ସହଜ ନୁହେଁ । ମନ କହିଉଠିଲା, ଉଠ ଯିବା, ଚା ତିଆରି କରୁଛି! ଏତେ ହସଖୁସିର ସମୟକୁ ହଠାତ୍ ଭାରାକ୍ରାନ୍ତ କରିବାକୁ ମନ କହିଲା ନାହିଁ । ଚା ପିଇଲୁ । ମୁଁ ଘର ଓଳାଓଳି କଲି । ସେ ତାଙ୍କ ପ୍ରୋଜେକ୍ଟର ଇତ୍ୟାଦିକୁ ହଟାଇ ସେ କୋଠରୀକୁ ଖାଲି କରିବା କାମରେ ଲାଗିଲେ । କିଛି ସମୟ ପରେ ଦୁଇବେଲା ପଖାଳ ସହ ଚାରିକିସମର ବ୍ୟଞ୍ଜନ ବାଢିଦେଲି । ସେଦିନ ବି ରବିବାର ଥିଲା । ଉପବାସ ଓ ଅନିଦ୍ରାକୁ ଏ ଖାଦ୍ୟର ସଂଯୋଗରେ ନିଦ ଘୋଟି ଆସିଲା ।
ମାଆଙ୍କ ଅନୁମତି ନେଲି, ମୋ କିନ୍ନର ସମାଜ ପାଇଁ କିଛି କରିବି, ସମୟ ଦେବି । ମାଆ ବିରୋଧ କରିବା ତ ଦୂରର କଥା, ଉତ୍ସାହିତ କଲେ । ତାଙ୍କର ଏବେ ମଧ୍ୟ ବିଶ୍ୱାସ ଥିଲା ହୁଏତ ଦିନେ ତାଙ୍କ ମଉସା ପୁଅ ଭାଇ କାଳନ୍ଦୀଙ୍କ ସନ୍ଧାନ ମୋ ମାଧ୍ୟମରେ ମିଳିବ ।
ମୁଁ କାମ ଆରମ୍ଭ କରେ । ସେ ସମୟରେ କୌଣସି ସଂଗଠନ ହୋଇ ନଥାଏ । କିନ୍ନର ମାନେ ସବୁଠୁ ଦୁସ୍ଥ ଅବସ୍ଥାରେ ରହୁଥାନ୍ତି । ସମାଜ ଏମିତି ନଜରରେ ଦେଖେ, ସତେ ଅବା ଆମ ସମାଜ ଏକ ଅପରାଧୀ ଗୋଷ୍ଠୀ । କାହାକୁ ଘର ମିଳେନି ଭଡାରେ ରହିବାକୁ । ଚାରି ଦଉଡି କଟା ବାସ୍ତୁହରା ସମସ୍ତେ । ବଡ କାମ କଥା ଛାଡ, ଛୋଟିଆ ମୋଟିଆ ଶ୍ରମିକ କାମ ବି ମିଳେନି । ଗତାନୁଗତିକ ହିଞ୍ଜଡା ସଂସ୍କୃତି ବି ଆମ ରାଜ୍ୟରେ ଆଗେଇ ନଥାଏ । କେଉଁଠି ନାଚଗୀତ ଅନୁଷ୍ଠାନ ନଥାଏ । ବାହାବ୍ରତ, ଏକୋଇଶିଆ ଇତ୍ୟାଦିରେ କିନ୍ନର ମାନଙ୍କଠୁ ଆଶୀର୍ବାଦ ନେବା ସଂସ୍କୃତି ଓଡଶାରେ ନଥାଏ କହିଲେ ଚଳେ । ଖାଇବେ କେମିତି ଚଳିବେ କେମିତି? ଅନେକ କିନ୍ନର ଭଉଣୀ ବାଧ୍ୟ ହୋଇ ଭିକ୍ଷା ବୃତ୍ତି କରନ୍ତି । ତହିଁରେ ମଧ୍ୟ ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ କମ ଉପାର୍ଜନ ହୁଏ । ଜୀବନ ନାଶକ ଏଚଆଇଭି ରୋଗ ପ୍ରବେଶ କରି ଯାଇଥାଏ ଆମ ଭଉଣୀ ମାନଙ୍କ ବାଧ୍ୟ ବିପଦଶଙ୍କୁଳ କାର୍ଯ୍ୟ କଳାପ ପାଇଁ । ଯାହା ସହ କଥା ହେଲେ ମନ ବିମର୍ଷ ହୁଏ, ସମସ୍ତେ ଶୋଷିତ, ନିଷ୍ପେସିତ । କିଛି ବୁଦ୍ଧିବାଟ ଦେଖା ଯାଏନି, କି କାମ କରିବି, କେଉଁଠୁ ଆରମ୍ଭ କରିବି ।
ଗୁରୁଜୀଙ୍କ ଉପଦେଶ ମନେପଡେ । ମୁଁ କେବଳ ସମସ୍ତଙ୍କ ସହ ପରିଚିତ ହୁଏ । ସେମାନଙ୍କ ଠିକଣା ଟିପିରଖେ । ଯେଉଁମାନେ ଏତେ ଅସୁବିଧା ମଧ୍ୟରେ ସମ୍ପ୍ରଦାୟର ଉତ୍ଥାନ ପାଇଁ ମଙ୍ଗ ଧରିଥାନ୍ତି ସେମାନଙ୍କ ସହ ମିଶେ, ତାଙ୍କ କାମ ପାଇଁ ଅଭିନନ୍ଦନ ଜଣାଏ । କ୍ରମଶଃ ସମସ୍ତଙ୍କ ପ୍ରିୟ ଭାଜନ ହୁଏ । ପନ୍ଦର ଦିନରେ ଥରେ ଆମେ ବୈଠକ କରୁ । ମୁଁ ଗୁରୁଙ୍କ ଉପଦେଶ ଅନୁସାରେ ସମୟ ପାଇଲେ ମୋ ନିଜ କାହାଣୀ ସମସ୍ତଙ୍କୁ କହେ । ଗୁରଙ୍କ ଦୁଇଜଣ ଶିଷ୍ୟା, ଅର୍ଥାତ ମୋ ଗୁରୁ ଭଉଣୀଙ୍କ ସହ ପରିଚିତ ହୁଏ ।
ସେତେବେଳର ସ୍ଥିତି ଅତି ସଙ୍ଗିନ । ଆରମ୍ଭ ସମୟରେ କେବଳ ସୀମିତ ରଖୁ ନିଜକୁ ଅତି ଜରୁରୀ କାର୍ଯ୍ୟରେ; ଅଧିକ ଅସୁବିଧାରେ ପଡିଥିବା ଭଉଣୀଟି କେମିତି ଚଳି ପାରିବ, ରୋଗୀ ଓ ବୟସ୍କା ମାନେ କେମିତି ଅବହେଳିତ ନହେବେ, ରୋଗ ବ୍ୟାଧି କେମିତି ନ ବ୍ୟାପିବ । ମୋ କଲେଜ ସମୟର ସାଙ୍ଗମାନେ କେତେଜଣ ଉଚ୍ଚ ପଦରେ ଥାଆନ୍ତି । ସେମାନଙ୍କ ସହ ମୁଁ ସ୍ୱଭାବିକ ସମ୍ପର୍କ ସ୍ଥାପନ କରିଥାଏ । କହି ବୋଲି କିଛି ସୁବିଧା ହାସଲ କରୁଥାଏ । ସବୁଆଡେ ଦୂର୍ ଦୂର୍ ଶୁଣିବା ମଧ୍ୟରେ କଛପ ଗତିରେ ଚାଲିଥାଉ ଆମେ । ଅପରାହ୍ନ ଚାରିରେ କଲେଜ ଛାଡେ, ପର ଦୁଇଘଣ୍ଟା ସମୟ ମୋ ସମ୍ପ୍ରଦାୟ ପାଇଁ ଦେଇ ଆନନ୍ଦ ଅନୁଭବ କରୁଥାଏ ।
ଅଜଣା ଲୋକେ ମୋତେ ଖରାପ ନଜରରେ ଦେଖନ୍ତି । ଜଣା ଲୋକେ ଉପଦେଶ ଦିଅନ୍ତି, ନିଜ ସୁଖରେ ସମୟ ନକାଟି ଏ ମାଗନ୍ତା ହିଞ୍ଜିଡାଙ୍କ ପାଇଁ ସମୟ ଦେବାର ଆବଶ୍ୟକତା ନାହିଁ, ଏମାନେ ସୁଧୁରିବେ ନାହିଁ । ମୋ ଛାତିରେ ଛୁରୀ ଭୁସି ହେଲା ଭଳି ଲାଗେ । ଗୋଟିଏ ଅନୁଭବ ହୁଏ, ଏ ସାଧାରଣ ସମାଜ ତୁଳନାରେ ଆମ ସମ୍ପ୍ରଦାୟ କେଡେ ନିସ୍ୱାର୍ଥପର । ଆଉ ଜଣଙ୍କୁ ଭୋକରେ ରଖି ସେ ଖାଏନି । ସମାଜ ପାଇଁ ଚାନ୍ଦା ମାଗିଲେ ତା ଆୟର ଅଧିକାଂଶ ଦେବାକୁ ସେ ଆଗଭର । ଯେଉଁ ପରିବାର ତାକୁ ତ୍ୟାଗ କରିଦେଲା ବା ସେ ଯାହାଙ୍କୁ ଛାଡି ଆସିଲା, ସେହିମାନଙ୍କୁ ସାହାଯ୍ୟ କରିବାକୁ ସେ ସବୁବେଳେ ପ୍ରସ୍ତୁତ । ଟିକିଏ ଆଦର ପାଇଲେ ସବୁ ଅନ୍ୟାୟ ଅତ୍ୟାଚାରକୁ କ୍ଷମା କରିଦିଏ । କର୍ତ୍ତବ୍ୟ ଜ୍ଞାନରେ ନୁହେଁ ସ୍ୱତଃସ୍ଫୁର୍ତ୍ତ ଭାବେ ମୋ ମନରେ ଏକ ଭଲପାଇବା ଆସିଯାଏ ଆମ ଭଉଣୀ ମାନଙ୍କ ପାଇଁ ।
ସାଧାରଣ ସମାଜର ଆକ୍ଷେପକୁ ମୁଁ ମୋ ମଧ୍ୟକୁ ନିଏ ନାହିଁ । ପ୍ରତ୍ୟେକ ନିଜ ନିଜ ସୀମିତ ଭାବନାର ଦାସ, ସେମାନଙ୍କ ପ୍ରତିକ୍ରିୟା ତାଙ୍କ ନିଜ ଭାବନା ସଂଜାତ । ମୋ ମନ ବା ଆଭିମୂଖ୍ୟକୁ ସେମାନେ ବୁଝନ୍ତି କେତେ? ମୁଁ ବିଚଳିତ ହୁଏ ନାହିଁ । ଲଢିବାର ସାମର୍ଥ୍ୟ ମନେହୁଏନା ଆମର ସେ ସମୟରେ ଥିବା ଭଳି । ମୁଁ ମୋ ମିତ ସୁମନ ମିତ୍ର ଭଳି ରାଜନୀତିରେ ବଳୀଆନ ନୁହେଁ । ଏହି ସମାଜରେ ପୁଣି ଅଛନ୍ତି ମୋ ସୁଦାମ ସାର୍, ଜଗବନ୍ଧୁ ସାର୍, ମୋ ମାୟାଧର, ମାଆ, ମୋ ମିତ ଓ ମୋ ଛାତ୍ରଛାତ୍ରୀଙ୍କ ଭଳି ଭଲ ମଣିଷ । ଏଣୁ ସମାଜ ସହ ସନ୍ଧି କରିବାକୁ ମୋ ମନହୁଏ । ବୁଝାମଣା ବଦଳିଲେ ସମାଜ ବଦଳିବ । ମୋର ପୁଣି ସରକାରୀ ଚାକିରି ଅଛି । ଚେଷ୍ଟାକରେ ମୋ କର୍ମସଂସ୍ଥାନ, ସହକର୍ମୀ, ବ୍ୟକ୍ତିଗତ ଓ ପାରିବାରିକ ଜୀବନ ତଥା ମୋ ସାମ୍ପ୍ରଦାୟିକ କାମ ପରସ୍ପର ସୁସଂହତ ହିସାବରେ ଚାଲୁ, ପରସ୍ପର ଲଢେଇ ନକରୁ । ଏହା ବୋଧହୁଏ ଶିକ୍ଷାର ଅବଦାନ । ମୁଁ ସଫଳ ହୁଏ । ଖୁବ୍ କମ ସମୟରେ ଆମ ସମ୍ପ୍ରଦାୟର ଯତ ସାମାନ୍ୟ ନେତ୍ରୀବୃନ୍ଦା ମୋତେ ଶ୍ରଦ୍ଧାଭରେ ପ୍ରତି କଥାରେ ମତ ମାଗନ୍ତି । ମୋ ପ୍ରତି କାହାର ଈର୍ଷା ନଥାଏ ।
ଏହି ସମୟ ମଧ୍ୟରେ ମୋର ଶକ୍ତି ଭଉଣୀଙ୍କ ସହ ଦେଖାହୁଏ । ସେହି ଶକ୍ତି ଯାହାଙ୍କୁ ଦିନେ ରେଳଯାତ୍ରା କାଳରେ ଭେଟିଥିଲି । ଯାହାଙ୍କୁ ଢେଙ୍କାନାଳ ରଘୁପୁରର ତତ୍କାଳୀନ ସରପଞ୍ଚ ସଦାନନ୍ଦ ମହାନ୍ତି ତାଙ୍କ ଗୃହତ୍ୟାଗୀ କିନ୍ନର ସନ୍ତାନ ସୁବୋଧର ଫଟୋଟିଏ ଦେଇ କହିଥିଲେ ଖୋଜି ଆଣିବାକୁ ।
ମୁଁ ସେ ପ୍ରସଙ୍ଗ ଉଠାଇଲି । ଶକ୍ତି ଏହା ମଧ୍ୟରେ ସୁବୋଧକୁ ଠାବ କରି ସାରିଥାଏ । କିନ୍ତୁ ସୁବୋଧ ଆଦୌ ରାଜି ହେଉନଥାଏ ଘରକୁ ଫେରି ଯିବାକୁ । ଶକ୍ତି ମୋ ସାହାଯ୍ୟ ଚାହିଁଲା । ଆମରେ ଦିହେଁ ପୁନଶ୍ଚ ସୁବୋଧକୁ ଭେଟିଲୁ । ଅନେକ ବୁଝାସୁଝା କରିବା ପରେ ସେ ରାଜି ହେଲା । ସୁବୋଧ କିଛିଟା ପଥଭ୍ରଷ୍ଟ ହୋଇଯାଇଥଏ । ବେଶଭୂଷା, ଚାଲିଚଳନ ଓ ଖାଦ୍ୟ ପାନୀୟରେ ଉଗ୍ରତା ବାରି ହୋଇ ପଡୁଥାଏ । ପ୍ରଥମେ ଶକ୍ତି ତାକୁ ନିଜ ପାଖରେ ରଖି ସୁପଥକୁ ଫେରାଇ ଆଣିବାରେ ଦିନରାତି ଲାଗିପଡିଲା । ସଫଳ ହେଲା ।
ଆମ୍ଭେ ସୁବୋଧଙ୍କୁ ନେଇ ଛାଡି ଆସିଲୁ ତାଙ୍କ ପରିବାରରେ ।
ସଦାନନ୍ଦ ମୁକ୍ତ କଣ୍ଠରେ ଆମ୍ଭଙ୍କୁ ଅନେକ ପ୍ରଶଂସା କଲେ । ଆମ ସମ୍ପ୍ରଦାୟ କାର୍ଯ୍ୟ ପାଇଁ ସାହଯ୍ୟର ହାତ ବଢାଇଲେ ।
ଆମ କଲେଜରେ ଦୁଇ ଜଣ କିନ୍ନର ଛାତ୍ର ଥାଆନ୍ତି । ମୁଁ ସେମାନଙ୍କ ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ବ୍ୟବହାର ସାମାନ୍ୟ ହେବା ଦିଗରେ, ସଚେତନତାର ଗୋଷ୍ଠୀ ଆଲୋଚନା କଲି । ସେ ଦୁହିଁଙ୍କ ପାଇଁ ଆମ ବ୍ୟବସାୟ ପ୍ରତିଷ୍ଠାନରେ କାମ ବ୍ୟବସ୍ଥା କରିଦେଇଥାଏ । ସେଠାରେ ବି ସଚେତନତା ପାଇଁ ଗୋଷ୍ଠୀ ଆଲୋଚନା କରାଇଥାଏ । ମୋର ସହକର୍ମୀ ଶିକ୍ଷକ ମାନଙ୍କ ମଧ୍ୟରେ ବି ମୁକ୍ତ ଭାବେ ଆଲୋଚନା କରିଥାଏ, ଆମଭଳି ମଣିଷ ସମାଜଠାରୁ କଣ ଆଶା କରେ; ଦୟା ନୁହେଁ କେବଳ ବାଛବିଚାରରୁ ମୁକ୍ତି । ଏସବୁ ଛୋଟ ଛୋଟ କାମକୁ ବିଚାର କରେ ସାମାନ୍ୟ ସଫଳତା ।
ମୋର ବିଶ୍ୱାସ ଥାଏ ଆଉ ସେ ଦିନ ଦୂର ନାହିଁ, ଆମେ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବୁ । ବହୁତ ଶିକ୍ଷିତ ଭଉଣୀ ମାନେ ଆମର ଏ ଆରମ୍ଭ କାମକୁ ଆଗକୁ ନେବେ ।
ଆଜି ଏ ଜୀବନୀ ଲେଖିଲା ବେଳକୁ ମନେହୁଏ ସେଦିନର ମୋ ଭାବନା ଭୁଲ ନଥିଲା । ଆଜି ସ୍ଥିତି ବଦଳିଛି ଅନେକ । ମୁଁ ସ୍ୱପ୍ନ ଦେଖିଛି ଆମ ଆଜିର ସଂଗଠିକା ମାନେ ଆମ ସମାଜକୁ ମୁକ୍ତ କରିଦେବେ, ଦିନେ ଯେମିତି ଏ ଧରାଧାମରୁ ମୁକ୍ତ ହୋଇଥିଲା ଦାସତ୍ୱ, ମୁକ୍ତ ହୋଇଥିଲା ବାଲ୍ୟ ବିଧବା ଓ ସତୀପ୍ରଥା, ମୁକ୍ତ ହୋଇଥିଲା ବର୍ଣ୍ଣ ବୈଷମ । ଏହା ଘଟିବ ମୋ ଜୀବଦ୍ଦଶା ମଧ୍ୟରେ । ସେ ସମସ୍ତ ସଂଗଠିକାଙ୍କ ସହ ମୋର ସମ୍ପର୍କ ଅତି ଉତ୍ତମ । ମୁଁ ଏବେ ପ୍ରାୟ ନେପଥ୍ୟରେ ରହି ମୋ ଚିତ୍ରକଳା ମାଧ୍ୟମରେ ମୁକ୍ତିର ବାର୍ତ୍ତା ଦିଏ ।
ଥାଉ ଏକଥା ଏତିକି । ମୋ ପାରିବାରିକ ଓ ବ୍ୟକ୍ତିଗତ ଜୀବନକୁ ଫେରି ଯାଉଛି ।
୧୯
ମହୁଲକୁସୁମରୁ ଫେରିବା ଦିନଠୁ କେମିତି ଏକ ଶଙ୍କା ଓ ସନ୍ଦେହରେ ରହୁଥାଏ ଅଂଶୁ । ବାରମ୍ବାର ମୋତେ ପଚାରିଦିଏ ଯେ ମୁଁ ତାକୁ କେବେ ଛାଡି ପଳାଇବି ନାହିଁ ତ । ତା ଛଡା, ସବୁଦିନ ଏଣିକି ଘରକୁ ଫେରିବା ଡେରି ଦେଖି ସେ ଆହୁରି ଛାନିଆ ହୋଇ ଯାଉଥାଏ । ମୁଁ ବି ବୁଝି ପାରେନା, ସେ ଆଉ ଅତି ଛୋଟ ପିଲା ନାହିଁ, ଅଥଚ ଏତେଟା ଖୋଜୁଛି କାହିଁକି ମୋତେ । ଅସୁରକ୍ଷିତ ଅନୁଭବ କାହାକୁ ବଡ ହେବାକୁ ଦିଏନି । ସେ ଜାହିର କରି ବସେ ତା ମନକଥାକୁ । ସବୁବେଳେ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରେ । ଶିଶୁଟିଏ କାହା ମଧ୍ୟରେ ସମ୍ପୂର୍ଣ୍ଣ ସାବାଳକ ହୁଏ ଅବା! ନିଜକୁ ପ୍ରଶ୍ନ କରେ, ସୁମନ ପ୍ରଧାନ ତୁ ନିଜେ ବଡ ହେଲୁଣି ତ? କାଲି ପରା ଜୀବନ ହାରିବୁ ବୋଲି କହୁଥିଲୁ ।
ସହଜେ ଅଂଶୁର ବାପା ଏବେ ସେ ପ୍ରକଳ୍ପରେ ସମ୍ପୂର୍ଣ୍ଣ ଲାଗି ପଡିଥାନ୍ତି, ସେ ଏକ ପ୍ରକାରେ ପୁଅର ଦାୟିତ୍ୱ ମୋ ଉପରେ ଦେଇ ସାରିଥାନ୍ତି । ସଂଧ୍ୟାବେଳେ ଅଂଶୁ ଅନାଇ ବସିଥାଏ ମୁଁ କେତେବେଳେ ଫେରିବି । ମୁଁ ପହଞ୍ଚିଲା ପରେ ଆମେ ଗୋଡହାତ ଧୋଇ ଠାକୁର ଘରେ ପ୍ରାର୍ଥନା କରୁ । ଅଂଶୁକୁ କିଛି ଖୁଆଇ ଦେଇ ପାଠ ପଢାଏ । ରୋଷେଇ କଥା ବୁଝାବୁଝି କରେ । ପରିବାର ମଧ୍ୟରେ ଆମର ଏକ ଭିନ୍ନ ଦୁନିଆ ତା ରୀତିରେ ଚାଲୁଥାଏ ।
ଦିନେ ଆଉ ବଙ୍କା ଟଙ୍କା ନପଚାରି ସିଧା ସଳଖ ପଚାରିଦେଲା, - ମାମା, ସେଦିନ ମାମୁଁଘରେ ଆମ ଅଜା ଆଈ, ମାମୁଁ ମାଇଁ ଓ ପିଉସୀ ନାନୀ ମାନେ କଥା ହେଉଥିଲେ ତୁମକୁ ବାହା ଦେବା ପାଇଁ । ବାହା ହେଲେ ଶାଶୁ ଘରକୁ ଯାଆନ୍ତି ନା ମାମା? ତୁମେ ସେମିତି ପଳାଇବ? ମୁଁ କଣ କରିବି? ମୋତେ ତୁମ ସାଥିରେ ରହିବାର ଅଛି, ମୋ ଜେଜେ ଓ ବାପାଙ୍କ ସହ ବି ରହିବାର ଅଛି । ବାହା ହେଲେ କି ଲାଭ ପାଇବ ମାମା? ଦିଦି ଓ ମୋତେ ତୁମେ ଜନ୍ମ କରିନ ନା ମାମା? ତୁମେ ଶାଶୁ ଘର ଗଲେ ତୁମକୁ ବି ଡାକ୍ତରଖାନାରୁ ପୁଅ ଝିଅ ମିଳିବେ ନା! ଜାଣିଛ ମାମା ମୁଁ କେମିତି ଏକଥା ଜାଣିଲି? ଦିଦି ମତେ କହି ନାହିଁ, ଅବଶ୍ୟ ସେ ବି ଜାଣିଥିବ ଏକଥା । ମତେ ପାଇକାଳୀରେ ଜଣେ ବୁଢୀ ମାଉସୀ କହୁଥିଲେ କି ମୋ ବାପା ମାମା ମରି ଯାଇଛନ୍ତି । ମୋତେ ପାଳନ କରୁଛନ୍ତି ମୋ ଜେଜେ ମାଆ ଓ ତୁମ ସାଙ୍ଗ ମୋ ବାପା । ସେ କହୁଥିଲେ, ମୋ ବାପା ନୂଆ ମାଆ ଯେବେ ଆଣିବେ ମୋର ଆଉ ଭାଇ ଭଉଣୀ ଆସିବେ । ନୂଆ ମାଆ ମୋତେ ହୀନିମାନ କରିବେ । ଏମିତି ସବୁ ହୁଏନା ମାମା?
ମାମା ଗୋଟେ ଆଇଡିଆ କହିବି । ତୁମେ ଯଦି ମୋ ବାପାଙ୍କୁ ବାହା ହୋଇ ପଡନ୍ତ ମୋତେ ହୀନିମାନ ହେବାକୁ ପଡନ୍ତା ନାହିଁ । ମାମା ମୁଁ ଶପଥ କରୁଛି ତୁମେ ଡାକ୍ତରଖାନାରୁ ଯେଉଁ ପୁଅ କି ଝିଅ ଆଣିବ ମୁଁ ତାଙ୍କ ସହ କଳିଗୋଳ କରିବି ନାହିଁ । ଦେଖୁଛ ମୁଁ କଣ ତୁମ ଝିଅ, ଅମିନା ଦିଦି ସହ କଳି କରୁଛି । କାହିଁକି କରିବି ଯେ କଳି କଲେ ସେ ମୋତେ କିଛି ଦେବ ନାହିଁ, କଳି ନକଲେ ମୋ ପାଇଁ ରାଜକୁମାର ପୋଷାକ ଆଣିଦେବ । ସତରେ ମାମା ଯଦି ଆମ ମାମୁଁ ଘରେ ତୁମକୁ ବାହା ଦେବାକୁ ଚାହୁଁଛନ୍ତି ତୁମେ ମୋ ବାପାଙ୍କୁ ବାହା ହୋଇଯାଅ । ମୁଁ ବାପାଙ୍କୁ ବି ଏକଥା କହିଦେବି, ଜେଜେଙ୍କୁ ବି ଅଳି କରିବି ।
ନହେଲେ ମାମା, କହିଲ ଦେଖି ମୋ ଅବସ୍ଥା କଣ ହେବ?
ମାମା ତୁମେ ଏମିତି କାନ୍ଦୁଛ କାହିଁକି?
ଅଂଶୁ ମୋ ଲୁହ ପୋଛିଦେଲା । କଣ ତାକୁ କହିବି କିଛି ଭାବି ପାରିଲି ନାହିଁ । ଜାଣେନି କିଏ ସବୁ ତାକୁ ଏମିତି ବୁଦ୍ଧି ଦେଲା । ହୁଏତ ଭାଇ ଭଉଣୀ ଦୁହେଁ ଟେଲିଫୋନରେ ଏସବୁ କଥା ହୋଇଛନ୍ତି । କିନ୍ତୁ ଅମିନା ବୁଝିବା ଶୁଝିବାର ହେଲାଣି । ସେ ତ ଏମିତି କହିବ ନାହିଁ ଅଂଶୁକୁ ।
- ନା ମାମା ତୁମେ କାନ୍ଦ ନାହିଁ । ମୁଁ ତ ଛୋଟପିଲା, ମୁଁ କେମିତି ଜାଣିବି ମୋ କଥା ତୁମ ମନରେ କଷ୍ଟ ଦେବ!
ଇଛା ହେଉଥିଲା ତାକୁ କହିଦେବା ପାଇଁ, ଅମିନା ଓ ଅଂଶୁ ବାଦ ଆଉ ମୋର ପିଲାଛୁଆ ହେବେ ନାହିଁ । ଅଙ୍କଲ ମାନେ ବଦଳି ଆଣ୍ଟି ବା ମାମା ହେଲେ ତାଙ୍କୁ ଡାକ୍ତରଖାନରେ ପୁଅ ଝିଅ ଦିଅନ୍ତି ନାହିଁ । ଇଛା ହେଉଥିଲା କହି ଦେବାକୁ, ତୋ ମାମା କେବେ ବି ଶାଶୁଘରକୁ ଯିବାର ନାହିଁ । କିନ୍ତୁ ପିଲାର ମନକୁ ଆଉ କିଛି ନୂଆ ସନ୍ଦେହ ପୁରାଇବାର ଇଛା ହେଲା ନାହିଁ । ମୁଁ ତା ପିଠି ଥାପୁଡାଇ ଶୁଆଇ ଦେଲି ।
ମାଆ କେତେଥର କହଲେଣି ମୋ ବାପା ବୋଉ ଓ ପରିବାର ବର୍ଗଙ୍କୁ ଦେଖିବା ପାଇଁ । ମୁଁ ମୂଖ୍ୟତଃ ମାୟାଧରର କାମରେ ବ୍ୟାଘାତ କରିବାକୁ ଚାହୁଁ ନଥାଏ, କହୁଥାଏ ଏହି କାମଟି ସରିଯାଉ ଆମେ ଯିବା ମାଆ । କାମ ମନେହୁଏ ସରି ଗଲାଣି ଅଥଚ ସେ କଣ କରୁଥାଏ ଓ କେତେଦିନ କରିବ ସେକଥା ସିଏ ଜାଣେ । ମାଆ ବିକଳ୍ପ ପ୍ରସ୍ତାବ ଦେଲେ କି ସେମାନେ ସବୁ ଆସନ୍ତୁ ଆମେ ଜଗନ୍ନାଥ ଦର୍ଶନରେ ଯିବା, କୋଣାର୍କ ବି ବୁଲି ଆସିବା । ମାୟା ତା କାମ କରୁଥାଉ, ଗୋଟିଏ ଦିନର କଥା । ମୁଁ ଘରକୁ ପତ୍ର ଲେଖିଲି ଯଦିଓ ମୁଁ ଜାଣିଥାଏ ସେମାନେ ଆସିଲେ ମୋ ବାହାଘର ବାବଦୀୟ କଥା ଉଠାଇବେ । ସେଥିରେ କିଛି ନାହିଁ ଯେ କିନ୍ତୁ ଅଂଶୁର ବର୍ତ୍ତମାନଳ ଅବସ୍ଥା ଯୋଗୁଁ ଆନ୍ତରିକ ଭାବେ ମୁଁ ସେମିତି ଚାହୁଁ ନଥାଏ । ମାଆର ଭଲପାଇବା ଏତେ ବଡ ବୋଲି ମୁଁ ଜାଣି ନଥିଲି, ଅଂଶୁ ପାଇଁ ମୋ ବାପା ବୋଉ, ଭାଇ ଭାଉଜ ଇତ୍ୟାଦିଙ୍କୁ ଏଡାଇ ଯିବାକୁ ମାଆର ମନଟି କହୁଥାଏ । ଜଣା ପଡିଲାନି ଅମିନା ଓ ଅଂଶୁ ମୋତେ ସତ ସତୁକା ମାଆର ମନଟେ ଦେଇଦେଲେ, ଜନ୍ମ ଦେଇନଥିଲେ ମଧ୍ୟ । ମନେହେଲା ପ୍ରସବ ବେଦନା ନପାଇଲେ ମଧ୍ୟ ମୁଁ ବାଞ୍ଝ ନୁହେଁ । ମୋ ମନ ପୁରି ଉଠିଲା । ମୋର ମନେ ପଡୁଥାଏ ପାର୍ବତୀ ପୁତ୍ର ଗଣେଶଙ୍କ କଥା, ନିଜ ଦେହର ମଳିରୁ ମାତା ଗଢିଦେଲେ ତାଙ୍କୁ କିନ୍ତୁ ସେ କଣ କମ? ବିଜ୍ଞାନର ମନଟି ଭାବିଲା ଆଛା ମାତାଙ୍କ କ୍ଲୋନ ହୋଇ ଗଣେଷ ଦେବୀ ହେବା କଥା ଦେବତା ହେଲେ କେମିତି! ମନେ ପଡିଲା କାନାଡାରେ ଡାକ୍ତର ସୁବ୍ରତ ମିଶ୍ର ମୋ ଅପରେସନ ପୂର୍ବରୁ ବୁଝାଇଥିବା ପାଠ । ପୁଅ ଝିଅ ସବୁକିଛି କେମିତି ସମ୍ଭବ ଗୁଣସୂତ୍ର ଯାହା ବି ଥାଉନା କାହିଁକି । ତା ଛଡା ଆମ ମଣିଷଙ୍କ କଥା ଦେବ ଦେବୀଙ୍କ ସହ ତୁଳନୀୟ ହୋଇ ନପାରେ । ମୁଁ ମାତାଙ୍କୁ କ୍ଷମା ମାଗିନେଲି ।
ନୂଆବର୍ଷ ପ୍ରଥମ ସପ୍ତାହରେ କେବଳ ବଡଭାଇଙ୍କୁ ଘରେ ଛାଡି ମୋ ସାରା ପରିବାର ଆସିଥିଲେ । ଅମିନା ବି ଆସି ଯାଇଥିଲା । ଆମେ ବୁଲି ବାହାରିଲୁ । ଅଂଶୁ ଓ ଅମିନା ଏକ ହୋଇ ଯାଇଥାନ୍ତି । ମାମୁଁଘର ଲୋକଙ୍କ ସହ ବିଶେଷ ମିଶୁ ନଥାନ୍ତି । ସେମାନଙ୍କ ମନର ଅସୁରକ୍ଷିତ ଭାବନା ତୁଳନାରେ ମୋ ଜୀବନରେ ପ୍ରଥମ କରି ମୋ ବାପା ବୋଉ, ଭାଇ ଭାଉଜ, ଭଉଣୀ ଭିଣୋଇଙ୍କ ସହ ବୁଲିଯିବାର ଉତ୍ସାହ ମ୍ଳାନ ଅନୁଭବ ହେଲା । ମୁଁ ବୁଝି ପାରିଲି ମୁଁ ମାଆ । ମୁଁ ସିନା ନାରୀ ହୋଇ ଯାଇଥିଲି ତଥାପି ମୋ ମନରେ ସନ୍ଦେହ ଥିଲା ଏମାନେ ସବୁ ମୋତେ ଶତ ପ୍ରତିଶତ ନାରୀ ଭାବୁଛନ୍ତି କି ନାହିଁ । କିନ୍ତୁ ମୋ ମନରେ ତିଳେ ହେଲେ ସନ୍ଦେହ ଆସୁ ନଥିଲା ମୋ ପିଲାଦୁହିଁଙ୍କ ମନରେ ମୁଁ ଶତ ପ୍ରତିଶତ ମାଆ ଛଡା ଅନ୍ୟକିଛି ବୋଲି । ମୁଁ ସ୍ଥିର କରିନେଲି ମୋର ଆଗାମୀ ଭୂମିକା । ମୋ ନିର୍ଣ୍ଣୟରେ ମୋ ପିଲା ମାନଙ୍କୁ ପ୍ରାଥମିକତା ଦେବା ନିଶ୍ଚିତ କଲି । ଦେଖାଯାଉ ।
ମାଆ ମୋ ପରିବାରକୁ ଆଦର ଯତ୍ନରେ ବାନ୍ଧିନେଲେ । ମାୟା ପାଇଁ ସବୁ ବନ୍ଦୋବସ୍ତ କରି ଆମେ ସବୁ ବୁଲି ବାହାରିଲୁ । ମୋ ପୁତୁରା ଝିଆରୀ ଓ ପିଲା ମାନଙ୍କ କଥା ମୁଁ ବୁଝୁଥାଏ । ସବୁବେଲେ ସେମାନଙ୍କୁ କିଛି ନା କିଛି ଖେଳରେ କିମ୍ବା ଗପସପରେ ବ୍ୟସ୍ତ ରଖୁଥାଏ । ମୁଁ ଚାହୁଁ ନଥାଏ ବଡ ମାନଙ୍କ କଥାରେ ସେମାନେ ମିଶନ୍ତୁ । ଅବଶ୍ୟ ରାସ୍ତାରେ କେବଳ ଖୁସି ଗପ ବ୍ୟତୀତ ଅନ୍ୟ ଆଡକୁ ଆଲୋଚନା ନେଇ ନଥିଲେ ସେମାନେ ।
ଫେରିଲା ପରେ ଆମେ ସବୁ ପାଇକାଳୀ ଚାଲିଲୁ, ଏକେ ତ ମାଆଙ୍କ ନିଜ ସ୍ଥାନ ଦେଖିବେ, ଦ୍ୱତୀୟତଃ ଏତେ ଲୋକଙ୍କ ରହିବା ପାଇଁ ସେଠାରେ ସୁବିଧା ହେବ ।
ପରଦିନ ବାପା ବୋଉ କଥା ପକାଇଲେ ମଆଙ୍କ ସହ କି- ଦିଦି, ଏ ପିଲାମାନଙ୍କ ବୟସ ହୋଇଗଲାଣି ବାହା ସାହା କରାଇ ଦେଲେ ଭଲ ହୁଅନ୍ତା, ବିଶେଷ କରି ମୁଁ ଝିଅ ହୋଇଥିବା ଦୃଷ୍ଟିରୁ ମୋ ବିବାହ ବୟସ କାଳେ ଶୀଘ୍ର ସରିଯିବ ।
ମାଆ କହିଲେ, -ପୁଅ ତ ମାଗି ନେଇଛି ସମୟ, ଅଂଶୁକୁ ଆର ବର୍ଷକୁ ଦଶ ପୁରିଲେ ଯାଇ ସେ ବିଷୟରେ ଚିନ୍ତା କରିବ । ବଳିଆରସିଂ ପରିବାର ସର୍ବଦା ସୁପଥରେ ରହିଛି ବୋଲି ସମାଜରେ ଆଲୋଚନା ହୁଏ, ତଥାପି କେଜାଣି କାହିଁକି ଅଦୃଷ୍ଟର ଏମିତି ବିଧାନ, ଅନେକ ପୁରୁଷ ଧରି ଏ ବଂଶ ପୋଷ୍ୟପୁତ୍ର ଗ୍ରହଣ କରି ସୁରୁଖୁରୁରେ ଆଗେଇଛି । ମାୟାଧର ମୋ ଜନ୍ମିତ ପୁତ୍ର କେତେ ପୁରୁଷ ପରେ, ଅଥଚ ତା ବାପା ଚାଲିଗଲେ । କୁଳ ଜ୍ୟୋତିଷ କହିଦେଲେ ପୁଅକୁ ଦେଖିବୁ ତ ନାତିକୁ ନୁହେଁ । ମୁଁ ଏସବୁ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେନି କିନ୍ତୁ ମୋ ମାଆ ମନ ବଡ ଦ୍ୱନ୍ଦ୍ୱରେ ରହିଛି ସାରା ଜୀବନ । ପୁଣି ଈଶ୍ୱର ଦୁଃଖଦେଲେ ଅଂଶୁକୁ, ଯାହା ସୁଖ ହୋଇ ଲେଉଟି ଆସିଲା ଆମ ଭାଗ୍ୟକୁ । ଅଂଶୁ ବାଦ ଏ ବଂଶର କଳ୍ପନା ମୋ ମନକୁ ଆସେନି । ବାହାର ଲୋକଙ୍କୁ ତ ଏ କଥା ଅବିଶ୍ୱାସ ହେବ କିନ୍ତୁ ଯେ ଅନୁଭବୀ ସେ ବୁଝି ପାରିବ ଅଂଶୁ ହିଁ ଏ କୁଳର ଭବିଷ୍ୟ ପ୍ରଦୀପ । ଏସବୁ ଶୁଣିଲା ପରେ, କେଉଁ ବାପ ତା ଝିଅକୁ ଦେବ ମୋ ପୁଅକୁ । ତେଣୁ ଅଂଶୁର ଉଦୟ ହେବାକୁ, ପୁଅ ସମୟ ମାଗିବାକୁ ଓ ମୋ ମାଆ ମନ ବ୍ୟାକୁଳ ହେବାକୁ ପରସ୍ପର ଛନ୍ଦିଦେଇ ମୁଁ ଖୁବ୍ ଶାନ୍ତିରେ ଅଛି ।
ତା ଛଡା ମାୟା ଓ ସୁମନ ଏତେ ବର୍ଷର ସାଥୀ । ସାଙ୍ଗରେ ରହିଲେ, ଦେଶ ବିଦେଶ ବୁଲିଲେ, ବ୍ୟବସାୟ ପ୍ରତିଷ୍ଠାନ କଲେ, ସୁମନ ପାଠ ପଢି ଚାକିରି କଲା, ପୁଅରୁ ଝିଅ ହେଲା, ଝିଅଟିଏ ପାଳିଲା, ଆଜି ଅଂଶୁ ବି ତାକୁ ଛାଡି ଘଡିଏ ରହୁନି; ଏ ସବୁ ମୁଁ ଦେଖୁଛି । ମନରେ ଏକ ନିଜର ପଣ ଆସି ଯାଉଛି । ତେଣୁ ସେ ଦିହେଁ କଣ ଭାବୁଛନ୍ତି ଆମକୁ ବୁଝିବାକୁ ପଡିବ । ଯେତିକି ଜାଣିଛି ସେମାନେ କେବଳ ସାଙ୍ଗ କିନ୍ତୁ ଏ ବନ୍ଧୁତା ଚିରଦିନର । ନୂଆ ବୋହୂଟିଏ ଆସିବ, କେତେ ସେ ଅଂଶୁକୁ ବୁଝିବ ଯେମିତି ଏକ ପ୍ରଶ୍ନ ସେମିତି ଏକ ପ୍ରଶ୍ନ, କେତେ ସେ ବୁଝିବ ସୁମନକୁ! ପୁଣି କେତେ ସେ ବୁଝିବ ଅଂଶୁ ଓ ସୁମନର ସମ୍ପର୍କକୁ । ପରଝିଅ ପାଇଁ ବଡ ଜଟିଳ ହେବନି କି ଏ ଚଳନି?
ଏସବୁ କିଏ ଇଛା କରି କରିନାହିଁ । ଦୈବ ନିର୍ଦ୍ଦେଶ, ସମସ୍ୟା ନୁହେଁ ସମାଧାନ । କେବେ କେବେ ମନେହୁଏ ମୁଁ କଣ ଭଲ ମାଆ? ସେମିତି ହୋଇଥିଲେ କେବଳ ମୋ ପୁଅ ମାୟାଧର କୈନ୍ଦ୍ରିକ ହୋଇଥାନ୍ତି । ପୁଣି ଭାବେ ମାଆ ତ ଏକ ଚଳନ୍ତି ଧାରା ଗଙ୍ଗା ମାଆ ପରି, କେତେ କେତେ ସନ୍ତାନର ମାଆ । ମୋ ସମଗ୍ର ପାଇକାଳୀ ମୋତେ ମାଆ ଡାକୁଛି । ସୁମନ ଡାକେ ମାଆ । ମୁଁ ଅଂଶୁର ଜେଜେ ମାଆ । ମୁଁ ଗୋଟେ ମାଆ । ମାଆର ପରିଚୟ ନେଇ ଅତି ଅଲ୍ପ ବୟସରୁ ମୁଁ ରହିଛି, ଆପାତତଃ ସୁଖରେ । ତା ବ୍ୟତୀତ ଆଉ କଛି ପରିଚୟ ମୋର ନାହିଁ । ମାଅ କେବେ ପକ୍ଷପାତିତା କରେ? ନା କଣ ଭଉଣୀ?
ମୋ ବୋଉ ଆଡକୁ ପ୍ରଶ୍ନଟି ଗଲା ।
ବୋଉ ଯେମିତି ତା ଜୀବନରେ ପ୍ରଥମ ଥର କେଉଁଠି କହିବାର ସୁଯୋଗ ପାଇଲା । ସେ କହିଲା, - ପ୍ରକୃତ କଥା ହେଲା, ସୁମନ ପାଇଁ ସମସ୍ତଙ୍କ ମନରେ ରହିଛି ପ୍ରାୟଶ୍ଚିତର ଭାବନା । ପିଲାବେଳେ ସମସ୍ତେ ତାକୁ ଭୁଲ ବୁଝିଛନ୍ତି । କଥା କଥାକେ ଅପମାନ ଓ ଯନ୍ତ୍ରଣା ଦେଇଛନ୍ତି । ହେୟଜ୍ଞାନ କରିଛନ୍ତି । ତା ଝିଅ ସୁଲଭ ସ୍ୱଭାବ ପାଇଁ ଅଯଥା ବାର ଲୋକ ବାର କଥା କହିବେ, ଏମାନେ ସବୁ ଶୁଣି ଅପମାନିତ ଅନୁଭବ କରିବେ । ତାକୁ ବୁଝିବାକୁ ଚେଷ୍ଟା ନକରି ରାଗତକ ତା ଉପରେ ସୁଝାଇବେ । ଅବଶ୍ୟ ସେମାନେ ଅଜ୍ଞତା ହେତୁ ଭାବୁଥିଲେ ସୁମନକୁ ଭଲବାଟକୁ ଆଣିବା ପାଇଁ ଏସବୁ ତାଙ୍କ ପ୍ରଚେଷ୍ଟା ।
ସେ ପିଲା, ଆମ ଗାଆଁ କଣ ସେ ଆଖ ପାଖରେ ସବୁଠୁ ଅଧିକ ଆଗକୁ ଗଲା । ବିଦେଶ ଗଲା । ଗାଆଁରୁ ଜଣେ ମୃତପ୍ରାୟ ଲୋକର ସେବା କରି ନବଜୀବନ ଦେଲା । ସମସ୍ତଙ୍କ ମୁଁହରେ ଆଜି ତାହାର ପ୍ରଶଂସା । ସେଥିରେ କେବଳ ଆମେ ବାପା ମାଆ ନୋହୁଁ ମୋ ପରିବାରର ସମସ୍ତେ ବଡ ଗର୍ବ ଅନୁଭବ କରନ୍ତି । ପୁଣି କି ଆଚମ୍ବିତ କଥା ଭଗବାନ ତାକୁ ଦଶ ମାସ ମୋ ପେଟ ମଧ୍ୟରେ ଗଢାଇଥିଲେ ପୁଅ, ସେ ବିଜ୍ଞାନ ବଳରେ ଯେମିତି ତା ପିଲାଦିନୁ ଚାହୁଁଥିଲା ସେମିତି ହେଲା, ଝିଅ । ଆମେ ସେତିକି ସ୍ୱଛଳ ନଥିଲୁ । ସବୁ ପିଲାଙ୍କ କାମ ଯାକ ଅଳ୍ପ ସ୍ୱଳ୍ପରେ କଲୁ । ପିଲା ମାନଙ୍କ ମନ, ଟିକି ବାହାଘର ଖୁବ୍ ଯାକଜମକରେ କରିବେ । କିଛି ତ ଗୋଟେ ବାଟ ବାହାର କରିବେ କରିଥିବା ଦୋଷର ପ୍ରାୟଶ୍ଚିତ କରିବା ପାଇଁ । ଆମେ ବାପା ମାଆ ବା ଯେକୌଣସି ପିତା ମାତା ଆଉ ଅଧିକ କଣ ବା ଚାହାନ୍ତି । କେତେ କେତେ ଦୁଃଖ ଆମେ ନିଜ ମନରେ ଚାପିଦେଉ ଟିକି ଉପରେ ହେଉଥିବା ଅନ୍ୟାୟ ଦେଖି । ଆଜି ସେ ବେଳ ଆସିଛି, ମୋର ସବୁ ପିଲା, ଟିକିକୁ ମୁଣ୍ଡରେ ବସାଇ ବୁଲୁଛନ୍ତି । ଏ କଣ କମ କଥା ।
ତା ନିଜ ପ୍ରଚେଷ୍ଟା ବଳରେ ଓ ଭାଗ୍ୟର ସହାୟତାରେ ସେ ଆଗକୁ ଗଲା, ନଚେତ୍ ସେ କଣ କରୁଥାନ୍ତା ଭାବିଲେ ଏବେ ବି ରାତିର ନିଦ ହଜିଯାଏ । ମୋ ଟିକି ଭଳି ଏ ଦୁନିଆରେ ଯେତେ ଅଛନ୍ତି ଈଶ୍ୱର ସେମାନଙ୍କୁ ତାହାରି ଭଳି ମଣିଷ କରନ୍ତୁ । ମୁଁ ବି ତୁମ ଭଳି ମାଆ । ଯେଉଁଠି ମୋ ଟିକି ଭଳି ପିଲାଟିଏ ଦେଖେ, ତା ମଧ୍ୟରେ ଟିକିକୁ ଦେଖେ । ଭାବେ କହିବାକୁ, ତୁମେ କାହିଁକି ନିଜକୁ ଛୋଟ ମନେ କରୁଛ, ଆସ ମୋ ଝିଅ ଟିକିକୁ ଦେଖ । ତୁମେ ସବୁ ଏମିତି କାମ କରନା । ଭାବି ଦିଏ ସିନା ପୁଣି ଭାବେ କଣ କରିବେ ସେମାନେ, ସମସ୍ତେ ଟିକି ଭଳି ଊଚ୍ଚ ଶିକ୍ଷିତ ହେବା ସମ୍ଭବ ନୁହେଁ । ଲୋକେ ତାଙ୍କୁ ଟିକେ ବୁଝିବା ଦରକାର, କାମ ଦେବା ଦରକାର ।
ଏହି କ୍ରମରେ ଆମ ବାପା ମାଆଙ୍କ ମନରେ ବି ଏକ ଝୁଙ୍କ୍ ଆସିଛି; ଟିକି ପାଇଁ ବର ଆସିବେ ସେ ବାହା ହେବ, ପିଲା ଛୁଆ ହେବେ । ଖୁସି ଓ ସମ୍ମାନର ସହ ସେ ରହିବ । ତା ଭଳି ଅନେକ ଝିଅଙ୍କ ପାଇଁ ଆଗକୁ ବାଟ ଖୋଲିଯିବ । ମୋର ଖୁବ୍ ଇଛା ତା ଭଳି ଝିଅ ମାନଙ୍କ ମାଆ ବାପାଙ୍କୁ ଆମେ ବୁଝା ସୁଝା କରନ୍ତୁ କି ତୁମେ ଜନ୍ମ କରି ତାଙ୍କୁ ହତାଦର କରନି ।
ବୋଉ ତୁନି ପଡିଲା ।
ସବୁ କଥା ମୁଁ ଶୁଣି ପାରି ନଥିଲି । ସାନ ଭାଉଜ ଆସି ମୋ ପାଖରେ ପ୍ରାଞ୍ଜଳ ଭାବେ ଗପିଲେ । ଅଗତ୍ୟା ମୁଁ ଆଉ କଥା ନଲୁଚାଇ କହିଲି ଭାଉଜଙ୍କୁ କି ବିଜ୍ଞାନ ଆମକୁ ମାଆ ହେବାର ଦକ୍ଷତା ଦେବା ଭଳି ଉନ୍ନତି କରିନାହିଁ । ଅତୟବ୍ ବିବାହ କରିବା ଏତେ ସହଜ ନୁହେଁ ।
ଭାଉଜ ଆକାଶରୁ ଖସି ପଡିଲେ ଯେମିତି । –ଓଃ କଥା ତାହେଲେ ଏମିତି । ହେଲା ହେଲା, ତୁମେ ମନ ଦୁଃଖ କରନି । ଦୁଇଟା ଛୁଆର ମାଆ ତୁମେ । ଦେଖିବା ଆଗକୁ କଣ ହେଉଛି ।
ମୋ କାନ ପାଖକୁ ମୁଁହ ଲାଗାଇ ପୁଣି ଚୁପିଚୁପି କହିଲେ, -ବୁଝିଲ ଟିକି, ମାୟାଧର ବାବୁଙ୍କ ମାଆଙ୍କ ସମସ୍ୟା ଯେମିତି, ତୁମେ ତ ତାହାର ସମାଧାନ ।
- ନାଇଁ ଭାଉଜ, ମାୟାଧର ପ୍ରତି ମୋ ପ୍ରଚୁର ଭଲ ପାଇବା ଓ ତା ତରଫରୁ ମୋତେ ସେ ତତୋଧିକ ଭଲ ପାଇବା ମଧ୍ୟରେ ସେମିତି ଗୋଟେ ସ୍ୱାମୀ ସ୍ତ୍ରୀର ଭାବନା ପ୍ରାୟତଃ ନାହିଁ । କିନ୍ତୁ ଏ ସମ୍ପର୍କ ଏ ଜୀବନରେ ଭାଙ୍ଗିବାର ସମ୍ଭାବନା ନାହିଁ । ସେଇଠି ହେଲା ଅସୁବିଧା । ଏହା ତା ବୈବାହିକ ଜୀବନରେ ବାଧା ଉପୁଜାଇ ପାରେ । କିନ୍ତୁ କଣ କରିବି? ଅଂଶୁକୁ ଛାଡି ହେବନି କି ମାୟାକୁ ଅବା ତା ମାଆଙ୍କୁ । ନପାଇ ମରୁଥିଲି ଏବେ ପାଇ ମଲି ।
- ତୁମ ଭାଗ୍ୟ ସବୁବେଳେ ତୁମକୁ ସାଥୀ ଦେଇଛି । ଅପେକ୍ଷା କର ସମୟ ସବୁକିଛି ସମାଧାନ କରେ । ମନେରଖ ଟିକି, ଯଦି ସୁଯୋଗ ଆସେ ଉପେକ୍ଷା କରିବ ନାହିଁ । ଯେଉଁ ପ୍ରକାରର ହେଉନା କାହିଁକି ତୁମ ଭଲପାଇବା ତୁଟି ନଯାଉ ।
ଭାଉଜ ବଡ ଗମ୍ଭୀର ଦିଶୁଥିଲେ କିନ୍ତୁ । ସେ ତ କଥାକୁ ପେଟରେ ରଖି ପାରନ୍ତି ନାହିଁ । ତୁରନ୍ତ ବଡ ଭାଉଜଙ୍କୁ କହିଦେଲେ ପ୍ରକାରନ୍ତେ ସମସ୍ତେ ଜାଣିଗଲେ କେବଳ ମାଆଙ୍କୁ ଛାଡି ଯେ ମୁଁ ମାଆ ହୋଇ ପାରିବି ନାହିଁ ।
କଥା ବୁଲିଗଲା, ସମସ୍ତେ ଟୁପୁରୁ ଟାପୁରୁ ହେଲେ କି, ମଲା ମଲା ଅମିନା ଓ ଅଂଶୁ ଥାଉ ଥାଉ ଆଉ କିଶ ଦରକାର ହେ ଛୁଆ ପିଲା, ନହେବେ ତ ନାହିଁ ।
ପିଲାମାନେ ତାଙ୍କ ଟେରରେ ଥାଆନ୍ତି । ଦୁହେଁ ମୋ ପାଖରେ ହାଜର, - ମାମା ମାମା ତୁମେ ଆଦୌ ମନଦୁଃଖ କରନାହିଁ ତୁମକୁ ଡାକ୍ତରଖାନାରୁ ଛୁଆ ମିଳିବ ନାହିଁ ବୋଲି । ନମିଳୁ, ଆମେ ପା ଅଛୁ ।
କହିବା ବାହୁଲ୍ୟ, ମାଆଙ୍କୁ ବି ଏ ପିଲାଏ ଶୁଣାଇ ଦେଲେ ଏ କଥାଟି ।
ଭଲ ହେଲା, ଯାହା ସତ୍ୟ ତାହା ଦୁନିଆ ଜାଣୁ ଏହା ତ ଜଣେ କିନ୍ନରର ଧର୍ମ । ମୋ ମନ ଅନେକାଂଶରେ ହାଲୁକା ହୋଇଯାଇଥିଲା ମୋ ପରିବାରକୁ ବିଦାୟ ଦେଲାବେଳେ । ସମ୍ଭବତଃ ଅଧିକ କିଛି ଭାବିବାର ଉପାୟ ନଥିଲା ସେମାନଙ୍କ ପାଖରେ । କିନ୍ତୁ ମାଆ? ମୁଁ ବୁଝି ପାରୁଥିଲି ତାଙ୍କ ମନ ମଧ୍ୟରେ ବର୍ତ୍ତମାନ ଯେଉଁ ସମ୍ଭାବ୍ୟ ଆଲୋଡନ ସୃଷ୍ଟି ହୋଇଥିବ ।
ଏତେ ସବୁ ଘଟିଗଲା ମାୟାଧରର ଅଗୋଚରରେ । ମୁଁ ପ୍ରଭୁଙ୍କୁ ଡାକିଲି, ମାଆଙ୍କ ମନ ଶାନ୍ତିରେ ଭରିଯାଉ ।
ସେଦିନ ଥାଏ ଦୀପାବଳି ଅମାବାସ୍ୟା ।
ମାୟାଧର ମୋତେ ପାଖକୁ ଡାକିଲା । ଚିତ୍ରଟି ଯେତିକିରେ ଥିଲା ସେତିକିରେ ଅଛି । ଏତେଦିନ କରୁଥିଲା କଣ? ଘରେ ହରେକ ରଙ୍ଗର ଆଲୋକ ରଖିଛି । ମୁଁ ମୂଳରୁ ଜାଣିଛି ଆମେ ସବୁ ଚିତ୍ରକର ରଙ୍ଗ ଆବଶ୍ୟକ କରୁ କିନ୍ତୁ ମାୟାଧର ରଙ୍ଗତୁଳୀ ସହ ଆଲୋକ ମଧ୍ୟ ଆବଶ୍ୟକ କରେ । କେତେବେଳେ ତା ପେଣ୍ଟିଂ ଜ୍ୟୋସ୍ନା ପ୍ଳାବିତ, କେତେବେଳେ ଲୋହିତ କିରଣ ଭିଜା । କିନ୍ତୁ ଏ କେତେଦିନ କଣ ସେ କରୁଛି ଭଗବାନ ଜାଣନ୍ତି ।
ମୁଁ ପାଖକୁ ଗଲି । ଉଜ୍ଜ୍ୱଳ ଶୁଭ୍ର ଆଲୋକରେ ସେଚିତ୍ରକୁ ଦେଖାଇ କହିଲା, ଏକ ସମସ୍ୟା ଦେଖାଯାଇଛି । ତାହାର ସମାଧାନ ତୁ କରିବୁ । ମୁଁ ଚମକି ପଡିଲି । ଏ ଅର୍ଦ୍ଧନାରୀଶ୍ୱର କଳାଟି ଉପରେ ଏତେ ଦିନ ହେଲା ସେ କାମ କରୁଛି । ଦିନଟାଏ କିଛି ପଚାରି ନାହିଁ । ଏବେ ଏମିତି କଣ ଆବଶ୍ୟକ ପଡିଲା ଯେ? ମୋତେ କଥାଟି ବଙ୍କାଟଙ୍କା ଲାଗିଲା ।
- ଦେଖ, ପଛରେ ସେ କୈଳାସ ପର୍ବତ ଅଛି । ଆଗରେ ଈଶ୍ୱର ତାଙ୍କ ବିଶେଷ ସ୍ୱରୂପରେ । ତାଙ୍କ ଜଟାରୁ ଗଙ୍ଗା ବହି ଯାଉଛି । ଶୁଭ୍ର କୈଳାସ ପର୍ବତର ଅବସ୍ଥିତି ଦୃଷ୍ଟିରୁ ଗଙ୍ଗା ଆଦୌ ଦୃଶ୍ୟମାଣ ହେଉ ନାହାନ୍ତି । କେମିତି ଏହା ସମ୍ଭବ ହେବ?
ମୁଁ ଜାଣେନି, ହଠାତ୍ ଉତ୍ତର ଦେଲି, - ଦେଖ ମାୟା, କୈଳାସ ବହୁତ ପଛରେ, ଗଙ୍ଗାମାତା ଜଟାରୁ ବାହାରୁଛନ୍ତି, ଏଣୁ ପାଖରେ । ଈଶ୍ୱରଙ୍କ ନିଜସ୍ୱ ଆଭା ରହିବା ସମ୍ଭବ । ସେ ଆଭାରେ ଗଙ୍ଗା ଆଲୋକିତ ହେବା ସମ୍ଭବ । ତେଣୁ ଆଲୋକିତ ଗଙ୍ଗା ଶୁଭ୍ର ପ୍ରଛଦରେ ଚହଟି ଉଠିବାରେ କଣ ଅସୁବିଧା ଅଛି ।
- ବାଃ, ସୁମନ ମୁଁ ଯେଉଁଥି ପାଇଁ କେତେ କେତେ ସମୟ ଦେଇ ସମାଧାନ ପାଇ ପାରୁନଥିଲି, ତାହାର ସମାଧାନ ତୁ ।
ଏମିତି ବି ତୁ ସର୍ବଦା ମୋ ପାଇଁ ଏକ ସମାଧାନର ସୂତ୍ର, କେବେ ନିଜକୁ ସମସ୍ୟା ମନେ କରିବୁନି ।
ଏହା କହି, ସେ ଅତ୍ୟନ୍ତ ଉଲ୍ଲସିତ ହୋଇ ମୋତେ ଆଲିଙ୍ଗନ କଲା । ପୁଣି ମୁକୁଳାଇ ଦେଲା । – କ୍ଷମା କରିବୁ ସୁମନ, ମୁଁ ଭୁଲିଗଲି ତୁ ଆଉ ମୋ ଆଗ ସୁମନ ନାହୁଁ । ତୁ ପରା ନାରୀ, ମୁଁ ପୁରୁଷ । ଏକଥା କହିଲା କର ଯୋଡି ।
ମୁଁ ରହସ୍ୟ କରି ତା କାନ ମୋଡିଦେଲି, ଗାଲରେ ଦେଲି କୁନି ଚାପୁଡାଟିଏ । କିନ୍ତୁ ମନ ହେଉଥିଲା ତାକୁ ଏମିତି ଜାବୁଡି ଧରନ୍ତି, ସାରା ପୃଥିବୀର କୌଣସି ଶକ୍ତି ଆଉ ତାକୁ ମୁକୁଳାଇ ପାରନ୍ତା ନାହିଁ ।
କିନ୍ତୁ ।
ହଁ ଆଉ କେଇଟା ଦିନର କଥା । ମୁଁ ନିଜେ ମୁକୁଳି ଯିବି । ମୁକୁଳି ଯିବା ସତେ ଯେମିତି ଜୀବନର ଲକ୍ଷ । ମନେହେଲା ସମାନ ସମୟରେ ମୋର ଦୁଇ ନାକ ପୁଡାରୁ ତପ୍ତ ଓ ହେମାଳ ଶ୍ୱାସ ନିର୍ଗତ ହେଉଛି, ଆସକ୍ତି ଓ ଅନାସକ୍ତିର । ଅଧ୍ୟାପିକା, ଚିତ୍ରଶିଳ୍ପୀ, ସାଥୀ, ମାଆ, ସଫଳତା ଓ ସମ୍ମାନର ଆସକ୍ତି ସହ ଯୁଦ୍ଧ କରୁଛି ମୁକୁଳି ଯିବାର ଇଛା । ଏ ସବୁ ଯେମିତି ମାୟା, ନପାଇବା ପର୍ଯ୍ୟନ୍ତ ପିପାସା, ମିଳିଗଲେ ତୁଚ୍ଛ । ତୁଚ୍ଛ ନୁହେଁ ଆଉ କଣ । ଅନାଗତ ଭବିଷ୍ୟତର ଆଶଙ୍କା ଯେମିତି ଥିଲା ସେମିତି ରହିଛି । ପରିଚୟ ସଙ୍କଟ ତଥାପି ଟଳୁନି । ବିଚାରରେ ଦ୍ୱନ୍ଦ୍ୱ ଦୂର ହେଉନି । ବରଂ ମନରେ ଥିବା ବେପରୁଆ ଭାବ ବଦଳି ସମ୍ଭ୍ରମତାକୁ ମୁଁ ମହତ ଆଚରଣ ଭାବେ ଆବୋରି ନେଇ ଦୁଃଖ ପାଉଛି । ମୋ ଚାରିପାଖର ମଣିଷ ମାନେ ମୋତେ କଣ ଭାବିବେ, ସମାଜ କଣ ଭାବିବ? ତେଣୁ ଗୋଦଡା କୋଡିଛି ଯେତିକି ମାଡିଛି ଯେମିତି ସେତିକି । କି ଲାଭ? ଉପାର୍ଜନ ହୋଇଛି ଅନ୍ୟଥା ଅପରିଚିତ ଭାବ, ‘ଛଳନା’ । ବାହାରି ଆସୁଥିବା ଦୀର୍ଘଶ୍ୱାସକୁ ଏକ ଛଳନାର ମୃଦୁ ହସରେ ସୀମିତ କରି ମୁଁ ବାହାରି ଆସିଲି ।
କାର୍ତ୍ତିକ ପୁର୍ଣ୍ଣମୀ ଚାରି ଦିନ ଆଗରୁ ଛୁଟିନେଲି । ମନେ ମନେ ଭାବିଲି ଏଇଟି ଏ ଘରୁ ମୋ ବିଦାୟ । କେହି ଆଉ ମୋ ସନ୍ଧାନ ପାଇବେ ନାହିଁ । ଗୁରୁଙ୍କ ସହ ସାକ୍ଷାତ ପରେ କେଉଁ ଆଡେ ଯିବି ଜାଣେନା । ନରୁଦ୍ଦିଷ୍ଟ ହେବା ଯେମିତି ଆମ ଭାଗ୍ୟ । ସହକାରୀ ଅଧ୍ୟାପିକା, ଚିତ୍ରଶିଳ୍ଫୀ, ‘ସୁମନ ମାୟାଧର’ ବ୍ରାଣ୍ଡର ସୁମନ ହେବ ନିରୁଦ୍ଦିଷ୍ଟ ।
ଅଂଶୁକୁ ବୁଝାଇ ଦେଲି ଜରୁରୀ କାମ ଥିବାରୁ ଯାଉଛି । ସେ ମତେ ପୁଣି ଥରେ ଶୀଘ୍ର ଫେରି ଆସିବାର ଶପଥ କରାଇ ନେଲା । ପୁଣି ଛଳନା ।
୧୭
ଗୁରୁଜୀ ଗୋପିକୃଷ୍ଣା ତାଙ୍କ ଆସ୍ଥାନରେ ମତେ ଯେମିତି ଅପେକ୍ଷା କରିଥିଲେ । ମୁଁ ଦେବୀମାତା ଓ ଗୁରୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲି । ଇଛାଥିଲେ ବି ପଚାରିଲି ନାହିଁ ଗୁରୁ କଣ ସତରେ ଜାଣିଥିଲେ ମୁଁ ଆସୁଛି ବୋଲି । କିନ୍ତୁ ଆଜି ପୂର୍ଣ୍ଣମୀ ହୋଇଥିବା ସତ୍ତ୍ୱେ ଗୁରୁଜୀ ଏକୁଟିଆ ଅଛନ୍ତି କେମିତି ଓ କାହିଁକି? ସେ ନିଶ୍ଚିତ କିଛି ବିଶେଷ ବାର୍ତ୍ତା ଦେବେ ।
କିନ୍ତୁ ମୋତେ ସେ ପଚାରିଲେ ମୋର ଭଲ ମନ୍ଦ । ସତେ ତାଙ୍କୁ କିଛି ଜଣା ନାହିଁ । ଗୁରୁ ଈଶ୍ୱରଙ୍କ ପାଖକୁ ପ୍ରବେଶ ଦ୍ୱାର, ତାଙ୍କୁ କିଛି ଲୁଚାଇଲି ନାହିଁ । ମୋର ପ୍ରତ୍ୟେକ ଅନ୍ତର୍ଦାହର ଟିକିନିଖି ବିବରଣୀ ତାଙ୍କୁ ସମର୍ପଣ କଲି ।
- ମନୁଷ୍ୟ ଅର୍ଥ କଣ ସୁମନ?
- ଯେ ମନ ସର୍ବସ୍ୱ ପ୍ରାଣୀ ।
- ସବୁ ମନୁଷ୍ୟ ମନ ସର୍ବସ୍ୱ?
- ନୁହେଁ ଗୁରୁଜୀ, ଅଧିକାଂଶ ପଶୁଭଳି ଦେହ ଓ ଇନ୍ଦ୍ରିୟ ପରିଚାଳିତ, ଯାହାକୁ ସେମାନେ ମନର କଥା ଭାବନ୍ତି । କିନ୍ତୁ ନୁହେଁ । ଅସଲରେ, ମନର ପରିଚାଳିତ କାର୍ଯ୍ୟ ସମାପ୍ତି ପରେ ମଧ୍ୟ ଆନନ୍ଦ ଦେଉଥାଏ ।
- ତୁମେ ନିଜେ ଦେହ ସର୍ବସ୍ୱ ନା ମନ ପରିଚାଳିତ?
- ମନ ପରିଚାଳିତ ଗୁରୁଜୀ ।
- କେମିତି?
- ଦେହଟି ମୋର ଥିଲା ଏକ ପୁରୁଷ । ମୁଁ ତହିଁରୁ ଅଲଗା କରି ନେଉଥିଲି ମୋ ମନକୁ । ମନ ମୋର ଥିଲା ନାରୀ । କେବଳ ମୁଁ ନୁହେଁ, ପ୍ରତିଟି କିନ୍ନର ତା ମନକୁ ଅନୁସରଣ କରି ସର୍ବସ୍ୱ ହରାଇ ଦିଏ ଗୁରୁଜୀ । ଘର, ପରିବାର, ଅଧିକାର, ଧନସମ୍ପଦ, ସାମାଜିକ ପ୍ରରାଧାନ୍ୟ ଓ ଆହୁରି ଅନେକ କିଛି । ଦେହ ଗୋଟେ ଭୋକ ଓ ଭୟର ଭୂଗୋଳ । ସେଇଟିକୁ ସେ ଖୁବ୍ ହେୟ ମନେକରେ । ତାକୁ କେବେ ଭିକାରୀ ସଜାଏ ପୁଣି କେବେ ଦୁଇ କଉଡିରେ ବିକ୍ରି କରିଦିଏ । ଆଦୌ ଗୁରୁତ୍ୱ ଦିଏନି ଦୁଃଖ କଷ୍ଟକୁ। ମନଟିର ଧାରଣ ପାଇଁ ଦେହଟି ଦରକାର ଯେହେତୁ । ଦେହଟି ଅତ୍ୟାଚାରିତ ହେଲା, ଅପମାନିତ ହେଲା, କଳୁଷିତ ହେଲା ସିନା ମନଟି ତାହାର ଥାଏ ନିର୍ମଳ । ମୁଁ ହୁଏତ ଭାଗ୍ୟବଳରେ ଆଗକୁ ମାଡି ଚାଲିଲି, ପାରପାଶ୍ୱିର୍କ ପରିସ୍ଥିତି ଓ ଅନ୍ତରଙ୍ଗ ମାୟାଧର ପାଇଁ ମୋ ପଥ ପରିଷ୍କାର ହୋଇଗଲା । କିନ୍ତୁ ମୋ ଝିଅ ଅମିନା? କେତେ କେତେ କଷ୍ଟ ସେ ସହିଛି । ଏକ ପୁଅର ଦେହ ସହ ସମ ଭାବରେ ରହି ତା ବାପା ମାଆଙ୍କ ଛତ୍ରଛାୟା ତଳେ ସୁଖରେ ରହି ପାରିଥାନ୍ତା ସେ । ତା ହେଲେ ତା ମନଟି କଣ କଳୁଷିତ? ଆଦୌ ନୁହେଁ ଗୁରୁଜୀ । ଅତି ନିରୀହ, ନିରିମାଖି ସେ ।
- ତାହେଲେ କିନ୍ନର ଏକ ଅସଲ ମନୁଷ୍ୟର ଚଳନ୍ତି ପରୀକ୍ଷାଗାର ନୁହେଁ କି, ଦ୍ୱିପଦ ପ୍ରାଣୀ ମନୁଷ୍ୟ ବାସ୍ତବିକ ମନ ପରିଚାଳିତ ପ୍ରମାଣ ଦେବାପାଇଁ?
- ଅଜ୍ଞା ମହାଶୟା ।
- ତାହେଲେ ଦ୍ୱନ୍ଦ୍ୱ କାହିଁକି? ନିଜ ମନର ପଥରେ ଯିବା ପାଇଁ?
- ସାମାଜିକ ଲୌକିକତା ଗୁରୁଜୀ ।
- କଥା ଫେରି ଆସିଲା ସାମାଜିକ ଲୌକିକତାକୁ, ମୂଳରୁ କାହିଁକ ସାମାଜର ସାମାଜିକତା ବିରୁଦ୍ଧରେ ଲଢୁଥିଲ?
- କିନ୍ତୁ ନିଜ ମନ ଭଳି, ପାଞ୍ଚ ଜଣଙ୍କ ମନ ବି ଅଛି ଗୁରୁଜୀ । ବେଳେ ବେଳେ ସଂଘର୍ଷ ହେବନି କେମିତି?
- ପାଞ୍ଚ ଲୋକର ମନ ଯାଇ ପରଖି ନିଅ । ନିଜ ମନର ଭାବନାକୁ ସମସ୍ତଙ୍କ ମନରେ ଲଦି ଦେଇ ନିଷ୍କର୍ଷ ବାହାର କରିବାର କାରଣ କିଛି ନାହିଁ ।
- ଆଜ୍ଞା । କିନ୍ତୁ ନିଜ ପାଇଁ ବଞ୍ଚିବା ତ ଆମ ଆଭିମୂଖ୍ୟ ହେବା ଅନୁଚିତ୍ ।
- ସର୍ବଦା ତାହା ନୁହେଁ, କେବେ କେବେ ନିଜର ଚଳନି ଅନ୍ୟମାନଙ୍କ ପଥ ପ୍ରଦର୍ଶକ ହୁଏ ସୁମନ ।
- କିଛି ହାସଲ କରିନେବା ମନର ସ୍ୱଧର୍ମ ନହୋଇପାରେ ମାତା ।
- ତାହେଲେ କିଛି ଦାନ କର । କିଛି ତ୍ୟାଗ କର । ମୂଖ୍ୟତଃ ତୁମ ଅହମିକା ତ୍ୟାଗକର? ଦେଇ ଚାଲ ।
- କିଛି ସମୟ ଦରକାର ଗୁରୁଜୀ ।
- ନିଅ, ଯଥେଷ୍ଟ ସମୟ ନିଅ । ଅପେକ୍ଷା କର, ଉପେକ୍ଷା ନୁହେଁ ।
- ଅପେକ୍ଷା ସମୟତକ କିଛି ଉତ୍ତମ କାର୍ଯ୍ୟରେ ଲଗାଇବାର ଆଶୀର୍ବାଦ ଦିଅନ୍ତୁ ଗୁରୁଜୀ ।
- ଯାଅ ନିଜ ସମାଜ ସହ ଜଡିତ ହୋଇ କିଛି କାମ କର, ସେମାନଙ୍କର ଉତ୍ଥାନ କର ।
- କିଛି ନିର୍ଦ୍ଦିଷ୍ଟ କୁହନ୍ତୁ ମହାଶୟା ।
- ତୁମର କିଛି କରିବା ଆବଶ୍ୟକ ନାହିଁ । କେବଳ ସେମାନଙ୍କୁ ଚିହ୍ନ, ସୁଖ ଦୁଃଖ ବାଣ୍ଟ । ତୁମ ନିଜ କାହାଣୀ ସମସ୍ତଙ୍କୁ ଶୁଣାଅ ତାହା ହିଁ ଯଥେଷ୍ଟ ।
ଗୁରୁଜୀ ତାଙ୍କ ମୁଦ୍ରିତ କରଯୁଗଳକୁ ମୋ ଶୀର ଉପରେ ଖୋଲିଦେଲେ । ବୃଷ୍ଟି ହେଲା କେତେ କିସମର ପୁଷ୍ପ । ମୁଁ ସେସବୁ ଗୋଟାଇ ସାରିଲା ବେଳକୁ ଗୁରୁ ଗୋପିକୃଷ୍ଣା ଧ୍ୟାନଯୁକ୍ତହୋଇସାରିଥିଲେ । ମୁଁ ନୀରବରେ ପ୍ରସ୍ଥାନ କଲାବେଳେ ମନେ ହୋଇଥିଲା ମୋତେ ଏକ ମାର୍ଗ ନିର୍ଦ୍ଦେଶ ହୋଇ ସାରିଛି ।
ଅନେକ ପ୍ରସନ୍ନତା ମଧ୍ୟରେ ଅମିନା ଓ ଲକ୍ଷ୍ମୀ ମାଆଙ୍କୁ ସାକ୍ଷାତ କଲି । ଅନେକ ଦିନହେଲା ଆମେ ଫୋନରେ କଥା ହୋଇ ନଥିଲୁ । ମୁଁ ହୁଏତ ବିବ୍ରତ ଥିବାରୁ ବା ସେମାନଙ୍କୁ ଆଶ୍ଚର୍ଯ୍ୟ କରାଇବା ପାଇଁ କିମ୍ବା ଗୁରୁଙ୍କ ସହ ସାକ୍ଷାତ ପରର କାର୍ଯ୍ୟପନ୍ଥା ଉପରେ ସନ୍ଦେହ ଥିବାରୁ ସେମାନଙ୍କୁ ଜଣାଇ ନଥିଲି । ସେ ମହୁଲକୁସୁମରୁ ଫେରିବା ପରେ ଘର ଲୋକଙ୍କ କଥାରୁ ମୋ ଉପରେ ଅକାରଣେ ଅଭିମାନ କରି କଥା ହେବାକୁ ସଙ୍କୋଚ କରୁଥିଲା ବୋଧହୁଏ ।
ହଠାତ୍ ମୋତେ ଦେଖି ସେମାନ ବହୁତ ସୁଖ ଅନୁଭବ କଲେ । ତା ଅଭିମାନର ଆଭାସ ନଥିଲା ।
ଝିଅ ଯଥେଷ୍ଟ ବଡ ହୋଇ ଯାଇଥିଲା, ମୋ ବାବଦରେ ତା ମନର କଥା ଲକ୍ଷ୍ମୀ ମାଆଙ୍କୁୁ କହି ସାରିଥିଲା ।
ଲକ୍ଷ୍ମୀ ମା କେବଳ ସାଙ୍କେତିକ ହିସାବରେ କହିଲେ ଯେ ପିଲାଏ ଆଦୌ ଚାହୁଁ ନାହାନ୍ତି କି ସେମାନଙ୍କଠୁ ମୁଁ ଦୂରେଇ ଯାଏ । ଏମିତି ତ ଅମିନା ଦୂରରେ ରହୁଛି, ଯାହା ସେ କହିଛି କେବଳ ଅଂଶୁପାଇଁ ଓକିଲାତି ।
ମୁଁ ଲକ୍ଷ୍ମୀ ମାଆଙ୍କୁ ସିଧାସିଧା କହିଦେଲି କି କୌଣସି ପରିସ୍ଥିତିରେ ମୋର ଅଂଶୁଠାରୁ ଦୂରେଇ ଯିବା ସମ୍ଭବ ନୁହେଁ । ମନେ ମନେ ଗୁରୁଙ୍କୁ ପ୍ରଣାମ କଲି । କେଇପଦ କଥା ମୋତେ ଶାନ୍ତ କରିଦେଇଥିଲା ।
ଲକ୍ଷ୍ମୀ ମା ଜାଣିଲେ ତାଛଡା ଅଉ କିଛି ଅଧିକ ପଚାରିବା ଅନୁଚିତ ।
ମୁଁ ଆଉ ଅପେକ୍ଷା ନକରି ଫୋନ ଲଗାଇଲି । ଅଂଶୁ ଭାବି ପାରିଲା ନାହିଁ ଯେ ଏପଟୁ ଶୁଣିବ ତା ମାମାର ସ୍ୱର । କହିଲା, ଦିଦିକୁ ଧରି ଶୀଘ୍ର ପଳାଇ ଆସ । ତା ଦିଦି ମୋ ହାତରୁ ଫୋନ ଛଡାଇ ନେଇ ମୋତେ ସେ ଯାଗାରୁ ତଡିଦେଲା । ବୁଝିଲି, ତା ଓକିଲାତିର ସଫଳତା ଗପିବ ।
ମୋ ମିତ ସୁମନ ମିତ୍ରଙ୍କୁ ଦେଖାକଲି । ମଜାଦାର ଖବର ଥିଲା । ତାଙ୍କ ନିର୍ବନ୍ଧ ହୋଇ ଯାଇଥିଲା ଜଣେ ବିଧାୟକଙ୍କ ସହ, ସେ ପୁଣି ତାଙ୍କ ବିରୋଧୀ ଦଳର । ଘରେ କଳି ଲାଗିବେ ନାହିଁ ତ! ମୁଁ ଆଶ୍ଚର୍ଯ୍ୟ ହେବାରୁ ସେ କହିଲା, କଣ ଆଉ କରାଯିବ, ପିଲାଦିନର ସାଙ୍ଗ । ହା ହା ।
ଓ ହୋ, ମତେ କେମିତି ଜଣାଇ ନଥିଲ, ମୁଁ ଅଭିଯୋଗ କଲି ।
- ରାଜନୀତିଆ ଲୋକ ଗୁଡାକ ଠକ, କାଳେ ଦଳୀୟ ଚାପରେ ମୋତେ ଛାଡିଦେବ, ସେ ଭୟ ଥିଲା । କିନ୍ତୁ ନା । ଏବେ ତ କଥା ପକ୍କା ହୋଇ ଗଲାଣି ।
ତାଙ୍କୁ ଯେମିତି କହିହେବ ଓ ଯେମିତି କହିଲେ ତାଙ୍କ ସାମ୍ପ୍ରତିକ ଉଡନ୍ତା ମନର ଉତ୍ସାହ କମିବ ନାହିଁ, ସେମିତି ଭାବେ ମୋ ଅସୁବିଧାତକ କହିଲି ।
ସେ କହିଲା, - କି କଥା, ଏବେ ପ୍ରଦର୍ଶନୀରେ ବାହାରକୁ ଗଲେ କଣ ଦୁଇଟା ରୁମରେ ରହିବ ନା କଣ? ତାକୁ ବାହା ହୋଇପଡ । ସେ ଖିଆଲି ଲୋକ, ଆଜି କହିବ କାଲି କହିବ ଭାବୁ ଭାବୁ ବୁଢା ହୋଇ ଯାଇଥିବ । ତୁମେ ତାକୁ ସ୍ମରଣ କରାଇ ଦିଅ । ପିଲା ତ ଅଛନ୍ତି । ଆଉ କଣ ଅସୁବିଧା ଯେ । ଦରକାର ହେଲେ ମତେ କହିବୁ, ମୁଁ ତାକୁ ଅଭିଯୋଗ କରିବି, ବାହା ହେବନି ତ ସାଥିରେ ରହୁଥିଲା କାହିଁକି? ସମାଜ ଆଉ କଣ ମୋ ସାଙ୍ଗକୁ ସତୀ ଭାବିବ । ଅଲବତ ବାହା ହେବ ।
ରାଜନୀତିଆ ଲୋକ କଥାଟିକୁ ଏମିତି ଓଲଟାଇ ଦେଲା ।
ମୁଁ ବହେ ହସିଲି । କିନ୍ତୁ ଏମିତିକା ଳଢୁଆ ମିତଟି ଯାହାର ଥିବ ସେ ସମସ୍ତଙ୍କୁ ଜିତିଯିବ । - ଯା ତୋର ଯେଉଁ କଥା ନା । ମୁଁ କହୁଛି ଫେଡାଣ ତୁ ମତେ ପଢାଉଛୁ ମିଶାଣ ।
ବିଦାୟ ନେଲି ।
ମୁଁ ବହୁତ କିଛି ଭାବୁଥିଲି । ନାରୀଟିଏ ପୁରୁଷ ସହ ବାନ୍ଧି ହୋଇ ଯାଇପାରେ, ତାଙ୍କ ଅନ୍ୟ ବିଷମତା ଥିବା ସତ୍ତ୍ୱେ । ଅଥଚ, ମନର ମେଳ ଓ ପରିସ୍ଥିତି ଅନୁକୂଳ ଥିଲେ ମଧ୍ୟ କେମିତି ନିଷିଦ୍ଧ ମନେ ହୁଏ ସୁମନ ମାୟାଧରର ସମ୍ପର୍କ । ଏଥର ନିଶ୍ଚିତ ତାକୁ ପଚାରିବି କଣ ସେ ଭାବୁଛି । କାହାକ ୁଗୋଟେ ବାହା ହେଉନି କାହିଁକି? ମୋ ପ୍ରତି ତା ଭାବନା କଣ? ପୁଣି ମନ କହିଲା, ନା ମୁଁ ଏମିତି କେବେ କହି ପାରିବି ନାହିଁ । ଅପେକ୍ଷା କରିବି । ମୁଁ ତ କିଛି ଦାବୀ କରୁନି । ସେଦିନ ଅମିନା ଉପରେ ମୁଁ ଛେପ ପକାଇଲା ବେଳେ ମାଆ କେମିତି କହିଲେ ଯେ ଯେତେ ଶିକ୍ଷିତ ହେଲେ ବି ମାଆ ମନ ସନ୍ତାନର ଭଲ ପାଇଁ ସବୁ ଅନ୍ଧବିଶ୍ୱାସକୁ ମାନିନିଏ । କିଏ ସେ ଜ୍ୟୋତିଷ, ଜଣେ ଆଧୁନିକ ଚିନ୍ତାଧାରାର ମାଆଙ୍କ ମୁଣ୍ଡରେ ପୁରାଇ ଦେଲା, ପୁଅକୁ ଦେଖିବୁ ତ ନାତିକୁ ନୁହେଁ । ବଡ କଷ୍ଟ ଲାଗିଲା ମୋତେ, ସେ ବିଧବା ମାଆଙ୍କ ପାଇଁ । କଥା ଏଠି ସୁମନର ନୁହେଁ । ସୁମନ ତ ମାୟାଧର ସହ ରହିଲାଣି ଦୀର୍ଘ ତେରବର୍ଷ ଜଣେ ସାଙ୍ଗ ହୋଇ । ଜୀବନ ସାରା ବି ରହି ପାରିବ ସେମିତି । କିନ୍ତୁ କଣ ପାଇଁ ଏକ ଅନ୍ଧବିଶ୍ୱାସ କୌଣସି ବି ମଣିଷକୁଏମିତି କାବୁ କରି ରଖିବ । ଆଗକୁ ସୁମନ ନିଶ୍ଚିତ ଏ ବାବଦରେ ସଚେତନତା ଆଣିବ ।
ଅଂଶୁ କଥା ମନେ ପଡିଲା । କିନ୍ତୁ ଅଂଶୁ ପାଇଁ ସବୁଠୁ ବଡ ସମାଧାନ ସୁମନ ନିଜେ । ସୁମନ ତ ଅଂଶୁକୁ ଧରି ବଳିଆରସିଂ ପରିବାରରୁ ହଟି ଯିବନି । ତା ବାପା ଓ ଜେଜେ ତାକୁ ତ୍ୟାଗ କରିବେ କେମିତି?
ମୁଁ ମନ ସ୍ଥିର କରିନେଲି । ଏଥର ମୋ ସମ୍ପ୍ରଦାୟ କାମରେ ଅଧିକ ମନଦେବି ଓ କେବଳ ଅଂଶୁର ମନ ବୁଝାଇବା ପାଇଁ କିଛି ସମୟ ତା ସହ କଟାଇବି । କିନ୍ତୁ କେଉଁ ସମୟ ତାକୁ ଛାଡିବି? ତା ସ୍କୁଲ ପାଇଁ ପ୍ରସ୍ତୁତ କରିବା ସମୟ, ନା ତା ଗୃହ ପାଠ ପଢିବା ସମୟ, ନା ତାକୁ ଖୁଆଇ ଦେବା ସମୟ ନା କୋଳରେ ଧରି ଶୁଆଇବା ସମୟ । ହଁ, କେଇଟା ଦିନ ଅବା ମୁଁ ତା ଦାୟିତ୍ୱ ବୁଝିଛି, ଆଗରୁ ପୁଣି ମାଆ ସବୁ ବୁଝୁନଥିଲେ କି? ଆଉ ମୁଁ? ମୋ ଜୀବନଟା କଣ? ଯାହାକୁ କିଶୋରୀ କାଳରୁ ମନ ଦେଲି ତାଠୁ ଦୂରେଇ ଯିବା ଏବେ ମୁଁ ଚାହୁଁଛି । ପାରିବି ମଧ୍ୟ । କିନ୍ତୁ ଅଂଶୁକୁ ଛାଡି ରହିବି କେମିତି । ତା ନୂଆ ମାଆ ଆସିଲେ ମୋତେ କଣ ଆଉ ଅଂଶୁ ପାଖ ମଡାଇ ଦେବ । ଗୁରୁଜୀ କହିଛନ୍ତି । ଅପେକ୍ଷା କରିବୁ, ଉପେକ୍ଷା ନୁହେଁ । ସମୟ ହୁଏତ ସମାଧାନ କରିବ । କଣ ପାଇଁ ଏତେ ଚିନ୍ତା କରିବି । ମୋ ସମାଜ ସହ କାମ କରିବି । ସମାଜକୁ ଦେବି, ସମାଜ ମୋ ବାର୍ଦ୍ଧକ୍ୟ ସୁରକ୍ଷିତ ରଖିବ । ମନ ହାଲୁକାହୋଇଗଲା ।
ଛୁଟି ଅଧିକ ନଥିଲା, ମୁଁ ଫେରି ଆସିଲି ।