ସୈନିକ ସରପଞ୍ଚ ।
ଉଦୟପୁର ଗ୍ରାମ
ପଞ୍ଚାୟତର ସରପଞ୍ଚ, ବିବେକ ବାବୁ ତାଙ୍କ
ଦାମୀ ଫୋନରେ ଏକ ଭିଡ଼ିଓ ଦେଖୁଥିଲେ ଯାହାକୁ କୁହାଯାଉଛି ଭାଇରାଲ୍ ଭିଡ଼ିଓ । ବାଣପୁର
ଡାକ୍ତରଖାନାର କଥା ।
ଲୋକେ ରୋଗୀଟିଏ
ପହଞ୍ଚାଇଲା ବେଳକୁ ମୃତ୍ୟୁ ହୋଇସାରିଥାଏ । ଡାକ୍ତର ବାବୁଙ୍କ ଘୋଷଣା ଏକ ଔପଚାରିକତା ମାତ୍ର ।
ସମ୍ବେଦନର ପ୍ରାବଲ୍ୟରେ ଲୋକେ ଏକଥା ମାନୁ ନଥାନ୍ତି । ଏଟା କ’ଣ ଜାଣିଛି ମ ? କଟକ ବଡ଼
ଡାକ୍ତରଖାନା ନେବାକୁ ଜିଦ୍ କରୁଛନ୍ତି । ସେଠି ଗନ୍ଧମାର୍ଦ୍ଦନ ଧରି ହନୁମାନ ଅଛନ୍ତି ।
ବିଶଲ୍ୟକରଣୀ ହେଉକି ଅନ୍ୟ ଯାହାକିଛି ସବୁ ଭରିଛି ଗନ୍ଧମାର୍ଦ୍ଦନ । ଅଶ୍ୱିନୀ କୁମାର ପ୍ରାୟ
ବୈଦ୍ୟ ଅଛନ୍ତି । ତାଙ୍କ ନିର୍ଦ୍ଦେଶରେ ପୁରୁଖା ଦିଦି କଡ଼ା ଇଂଜେକ୍ସନ୍ ଦେଲେ ଲୋକ ଜୀବନ୍ୟାସ
ପାଇବ । ତା’ପରେ ଆଇସିୟୁକୁ
ନେଲେ ସେ ଚେଙ୍ଗା ହୋଇ ଉଠିବ । ବାଣପୁରର ଏ ଛାର ଡାକ୍ତରର ଏତେ ବହପ, ଦେବସତ୍ତା ମାନବକୁ
ମୃତ୍ୟୁ ଘୋଷଣା କରିବ ।
“ଦିଅ ଆମ୍ବୁଲାନ୍ସ, ଦିଅ ୧୦୮, ଦିଅ ଅକ୍ସିଜେନ୍, କର ରିଫର୍ ।”
ବିଚରା କିଂକର୍ତ୍ତବ୍ୟବିମୁଢ଼ ଯୁବଡାକ୍ତରର ରକ୍ତ ଗରମ ହୋଇ ଯାଉଥାଏ । ରୋଗୀକୁ ବୋହିବାକୁ ୧୦୮
କମ୍ ପଡ଼ୁଛି । ଏମିତି ଅକାରଣେ ଗାଡ଼ି ଚାଲିଲେ ତ କଥା ସରିଲା । ମୃତ ବ୍ୟକ୍ତିଙ୍କୁ ରିଫର
କରିହେବନି ଲୋକେ ଯେତେ ଛେଚିକୁଟି ହେଲେ । ୧୦୮ ଅଫିସରୁ ଫୋନ ଆସିବ, “ଆପଣ କେଉଁ
ଡାକ୍ତରଖାନା, କେଉଁ ଜିଲ୍ଲାରୁ
କିପ୍ରକାର ରୋଗୀଙ୍କୁ ଉଚ୍ଚତ୍ତର ଡାକ୍ତରଖାନା କେଉଁଠିକୁ ପଠାଉଛନ୍ତି । ଆପଣଙ୍କ ନାମ କ’ଣ ? ରିଫର ନମ୍ବର କଣ ? ଅକ୍ସିଜେନ୍ ଦରକାର
ଅଛି କି ନାହିଁ ? ଓ ଏମିତି କେତେ
ପ୍ରଶ୍ନ ।
ଗାଡ଼ି ପୁଣି କେତେ
ଦୂରରେ ଥିବ ଓ କେତେବେଳେ ଆସିବ । ଏତେ ସବୁ ପ୍ରଶ୍ନର କି ଉତ୍ତର ଦେବେ ଯୁବଡାକ୍ତର ! ମୃତ
ବ୍ୟକ୍ତିକୁ ଲୋକେ ଜବରଦସ୍ତ ଜୀଅନ୍ତା କହି ନେବାକୁ ଚାହୁଁଛନ୍ତି କହିଲେ ତ ଗାଡ଼ି ମିଳିବ ନାହିଁ ।
ପୁଣି ଗାଡ଼ିରେ ପଠାଇବା କଥାରେ ରାଜିହେଲା ମାନେ ଲୋକଟି ବଞ୍ଚିଛି ବୋଲି ରାଜିହେଲେ, ଅର୍ଥାତ୍ ଦଶମିନିଟ୍
ପରେ ଲୋକେ ଯଦି ସମ୍ବେଦନକୁ ଶୀତଳ କରି କହିଲେ କାହିଁକି ଆଉ ନେବା, ତାହେଲେ ବିଚରା ଚିକିତ୍ସକକୁ
ମିଛ ଜୀଅନ୍ତା ଲୋକକୁ ପୁନଶ୍ଚ ମାରିବାକୁ ପଡ଼ିବ ଓ ମୃତ୍ୟୁର ଏକ କାରଣ ଲେଖିବାକୁ ପଡ଼ିବ, ଆଇନ୍ ଜାଲରେ ଛନ୍ଦି
ହୋଇଯିବ ।
ଏମିତି ଅତୀତରେ
ଘଟିଛି । ଏକ ଉପାନ୍ତ ଇଲାକାର ରାଜପରିବାର ନିଜ କୁଟୁମ୍ବର ଜଣଙ୍କୁ କୌଶଳରେ ହତ୍ୟାକରି
ଡାକ୍ତରଖାନା ଆଣିଲେ । ଡାକ୍ତରବାବୁଙ୍କୁ ଏମିତି ତନ୍ଦରା କଲେ ଯେ ନକହିବା ଭଲ । କୁମ୍ଭୀର
କାନ୍ଦଣା କାନ୍ଦି ନେହୁରା ହେଲେ । ଡାକ୍ତରବାବୁ ଫଟାଫଟ୍ ଦୁଇଟା ଜୀବନରକ୍ଷାକାରୀ ଜରୁରୀ
ଇଂଜେକ୍ସନ୍ ଫୋଡ଼ିବାକୁ ନିର୍ଦ୍ଦେଶ ଦେଲେ । ପରେ ସେ ସମ୍ଭ୍ରାନ୍ତ ହତ୍ୟାକାରୀମାନେ ଏହାକୁ
ଅଦାଲତରେ ପ୍ରମାଣ କରାଇଲେ ଯେ ଯଦି ଜୀବିତ ଅବସ୍ଥାରେ ନଆଣିଥାନ୍ତେ, ଡାକ୍ତରବାବୁ
ଇଂଜେକ୍ସନ କେମିତି ଦେଇଥାନ୍ତେ ?
ବାଣପୁରରେ ଚାଲିଲା
ତୁମୁଳ କାଣ୍ଡ । ଆଜିକାଲିର ଯୁବ ସ୍ୱେଚ୍ଛାସେବୀ ବାହିନୀମାନେ ହଠାତ୍ ଉନ୍ମତ ହୋଇ ପିଟାପିଟି, ଧସ୍ତାଧସ୍ତି, ଭଙ୍ଗାରୁଜା ଆରମ୍ଭ
କରିଦେଲେ । ସାମ୍ପ୍ରତିକ ବେମୁରବିଆ ସମାଜର ପରିସ୍ଥିତି ଆଣାୟତ୍ତ । ସ୍ମାର୍ଟ ଫୋନରେ
ଚିତ୍ରୋତ୍ତଳନ କରାଯାଏ ସତେ ଅବା ଲାଲ୍କିଲ୍ଲାରୁ ଇୟୁନିୟନ ଜ୍ୟାକ୍ ହଟାଇ କେହି ତ୍ରିରଙ୍ଗା
ଉଡ଼ାଉଛନ୍ତି । ବୟସ୍କ ଦିଦି ଜଣେ ଭିଡ଼ିଓରେ କହିବାର ଶୁଣାଯାଉଛି ମାରିକି ଆଣି ଏତେ କାଣ୍ଡ, ଭାଗ୍ୟ ଆମର ଭଲ ।
ଯଦି ଜୀବାବସ୍ଥାରେ ଆଣି ପାଞ୍ଚ ମିନିଟରେ ମରିଥାନ୍ତା ତାହେଲେତ ପ୍ରଳୟ ହୋଇ ଯାଇଥାନ୍ତା । ହେ
ପ୍ରଭୁ ଯିଏ ବଞ୍ଚିବା ସମ୍ଭବ ସେ ଆସୁ, ମୃତ୍ୟୁ ଯାହାର ନିଶ୍ଚିତ ସେ ବାଟରେ ମରିଆସୁ। ଅବଶ୍ୟ ଦିଦିଙ୍କ
ଭାଗ୍ୟଭଲ ତାଙ୍କ ସ୍ୱର ଶୁଣାଯାଉଛି କିନ୍ତୁ ସେ ଦେଖାଯାଉ ନାହାନ୍ତି । ଏଣୁ ସେ ଦିଦି ନହୋଇ
ସାଧାରଣ ଜନତା ହୋଇଥାଇପାରନ୍ତି ଯେ ସତ୍ୟ କହୁଛନ୍ତି ।
ବାଣପୁରରୁ ଉଦୟପୁର
ଚାରିଜିଲ୍ଲା ପାର, ଦୁଇଶତ କିଲୋମିଟର
ଦୂର । ତାହେଲେ ଏ ଅବସର ପ୍ରାପ୍ତ ସୈନିକ ସରପଞ୍ଚ ଏ ଭିଡ଼ିଓକୁ ଧ୍ୟାନ ସହକାରେ ଦେଖି ଆଲୋଡ଼ିତ
ହେଉଛନ୍ତି କିଆଁ ? ସେ ଏମିତି ସେମିତି
ସୈନିକ ନୁହନ୍ତି । ଏକଦା କାରଗିଲ୍ ମାଟିରେ ଭାରତୀୟ ବିଜୟ ଧ୍ୱଜା ପୁନସ୍ଥାପିତ କରିଥିବା ସୈନିକ
ଦଳର ସଦସ୍ୟ । ଉଦୟପୁର ମାଟିର ଗୌରବ । ଅବସର ପରେ ଏହି ଗୌରବର ଟୀକା ସରକାରୀ ଦଳ ନିଜ ମୁଣ୍ଡରେ
ତିଳକ କରିବାକୁ ତାଙ୍କୁ ଆମନ୍ତ୍ରିତ କଲା ନିଜ ଦଳରେ ମିଶାଇବାକୁ । ସେବେଠୁ ଆଜି ପର୍ଯ୍ୟନ୍ତ ସେ ଉଦୟପୁରର ଅପ୍ରତିଦ୍ୱନ୍ଦୀ
ନେତା ଓ ଅପରାଜେୟ ସରପଞ୍ଚ ।
ବିବେକ ବାବୁ ପ୍ରଥମ
ଦଫାରେ ଦଳୀୟ ଭୋଟ ସହ ତାଙ୍କ ବୀରତ୍ୱ ଗାରିମାର ମହକରେ ବେଶ୍ ସୁରୁଖୁରୁରେ ନିର୍ବାଚନ ବୈତରଣୀ
ପାରକଲେ ଏକ ତରଫା ଭାବେ । କିଛିଦିନ ନିଜର ମିଲିଟାରୀ କାଇଦାରେ ସ୍ଥାନୀୟ ଦୁର୍ନୀତିଗ୍ରସ୍ତ
ବ୍ୟବସ୍ଥାକୁ ନିୟନ୍ତ୍ରଣ କଲେ ଓ ସାଧାରଣ ଲୋକଙ୍କ ପ୍ରଶଂସା ଭାଜନ ହେଲେ । କିନ୍ତୁ ସେ କ୍ରମଶଃ
ହୃଦୟଙ୍ଗମ କଲେ; ଯେଉଁ କୌଶଳରେ
କାରଗିଲ ବିଜୟ କରିଥିଲେ ତାହା ରାଜନୀତିରେ ଅଲୋଡ଼ା । ନିଜଦଳର ଅସାଧାରଣ କର୍ମୀ ଓ ଖୋଦ ବିଧାୟକ
ତଥା ମନ୍ତ୍ରୀ ଯେ ତାଙ୍କ ମିଲିଟାରୀ କାଇଦାରେ ବିବ୍ରତ ହେଉଛନ୍ତି ଏହା ବୁଝିଗଲେ ଖୁବ୍ ଅଳ୍ପ
ଦିନରେ । ରାଜନୀତିରେ ଲୋଡ଼ା ସାମ, ଦାନ,
ଦଣ୍ଡ ଓ ଭେଦ
ନୀତିକୁ ସେ ଏଡ଼ାଇ ଯିବାକୁ ଅନୁଚିତ ମନେକଲେ । ମହତ୍ୱାକାଂକ୍ଷା କବଳିତ ତାଙ୍କ ମଗଜ ସବୁ ଛଳ ବଳକୁ
ଆପଣାଇ ନେଲା । ସେ’ବି ବିଧାୟକ ହେବାକୁ
ଅଧିକ ଯୋଗ୍ୟ ଭାବେ ନିଜେ ଅନୁଭବ କଲେ । ସ୍ୱପ୍ନ ସାକାର ହେବାପାଇଁ ଅର୍ଥ ଦରକାର ଓ ଅର୍ଥ ଆସିବାର
ଉପାୟମାନ ଛାଆଁକୁ ଉଦ୍ଭାସିତ ହେଲେ ତାଙ୍କ ବୁଦ୍ଧି ବିଚାରରେ । ସେ ହେଉଥିଲେ ବିକଶିତ ଓ ପାକଳ ।
ଦଳ ମଧ୍ୟରେ ନିଜ ବ୍ୟକ୍ତିଗତ ବାହିନୀ ସୃଷ୍ଟିକଲେ, ସମସ୍ତ ବିଧାନସଭା ଅଞ୍ଚଳରେ ପ୍ରତି ଗ୍ରାମରେ ରହିଲେ
ତାଙ୍କ ଅନୁଗତ । ତାଙ୍କ ବ୍ୟକ୍ତିଗତ ସଂଗଠନ ସ୍ପଷ୍ଟ ବାରି ହୋଇପଡ଼ିଲା । ତାଙ୍କ ନାମରେ ଏକ ଫ୍ୟାନକ୍ଲବ
ମଧ୍ୟ ଚାଲୁ ହେଲାଣି।
ଲୋକେ କହିଲେଣି, ବିବେକ ତୁଛାଟାକୁ
ଦୀର୍ଘଦିନ ସରପଞ୍ଚ ରହି ନିଜର କ୍ୟାରିୟର ବରବାଦ କରୁଛନ୍ତି । ଅନ୍ୟଦଳ ତାଙ୍କୁ ନିଜଆଡ଼କୁ ଟାଣିଲେଣି
। କେହି କେହି କହନ୍ତି ସେ ସ୍ୱାଧୀନ ଭାବେ ଲଢ଼ାଇ କଲେ ଜିତିବା ନିଶ୍ଚିତ ।
ମନ୍ତ୍ରୀ, ଏବେ ଏହି
କାରଗିଲ ବିଜୟୀ ସରପଞ୍ଚଙ୍କୁ ନିଜ ପଥର କଣ୍ଟା ମନେକଲେଣି । କଣ୍ଟା ନୁହେଁତ ‘ଶତ୍ରୁ’ । ବିବେକ ବାବୁ ଏକଥା
ବୁଝିଗଲେଣି । ଯେ କୌଣସି ମୁହୂର୍ତ୍ତର୍ରେ ସଂଗ୍ରାମ ହୋଇପାରେ ।
ଫାଟଟି ଏତେ ଓସାରିଆ ହେଲାଣିଯେ ମୁଖ୍ୟମନ୍ତ୍ରୀଙ୍କ ଜୟକାର ସହ ପ୍ରତିସଭାରେ ଅର୍ଦ୍ଧେକ ଜୟକାର
କରନ୍ତି ବିଧାୟକଙ୍କର ଓ ଅନ୍ୟ ଅର୍ଦ୍ଧେକ ବିବେକ ବାବୁଙ୍କର । ଜଣାପଡ଼େ ଏଠି ଆଉ ବିରୋଧୀ ଦଳ
ନାହାନ୍ତି । କେବଳ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟଙ୍କ ମଧ୍ୟରେ ଛକାପଞ୍ଜା
ପ୍ରତିଟି ଛୋଟବଡ଼
ଘଟଣାରେ ଉଭୟପକ୍ଷ ଠିଆ ହୋଇପଡ଼ନ୍ତି । ଜନତାଙ୍କ ସାହାଯ୍ୟାର୍ଥେ । ମନ୍ତ୍ରୀଙ୍କ ସପକ୍ଷବାଦୀ
ଭାବନ୍ତି ବିବେକ ମହତ୍ୱାକାଂକ୍ଷୀ ଓ ବେଇମାନ । ତାଙ୍କ ସମର୍ଥକମାନେ ଭାବନ୍ତି ଅଞ୍ଚଳଟି ଜଣଙ୍କର
ବୋପା ବୁନିଆଦି ନୁହେଁ କିମ୍ବା ମନ୍ତ୍ରୀ, ବିବେକ ବାବୁଙ୍କ ଅପେକ୍ଷା ଅଧିକ ଯୋଗ୍ୟ ବା କର୍ମଠ
ନୁହନ୍ତି।
ତିନିମାସ ତଳେ ଏକ
ଦୁଃଖଦ ଘଟଣା ଘଟିଗଲା । ଉଦୟପୁର ପଞ୍ଚାୟତରେ ବିବେକ ବାକୁଙ୍କ ଏକାନ୍ତ ଅନୁଗତ ଯୁବକ ବାବୁ’କୁ ବିଷଧର ସର୍ପ
ଦଂଶନ କଲା । ସେ ଦୂରାନ୍ତର ଗମନ କରିଥିଲେ । ତାଙ୍କ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ ବାବୁକୁ
ତୁରନ୍ତ ଢ଼େଙ୍କାନାଳ ମୁଖ୍ୟ ଡାକ୍ତରଖାନା ନେବାକୁ । ମାତ୍ର ସତର କିଲୋମିଟର ଦୂର ଅଥଚ ଅନୁଗତମାନେ
କିଛି କରିବା ପୂର୍ବରୁ ମନ୍ତ୍ରୀଙ୍କ ଲୋକେ ବାବୁକୁ ନେଇଗଲେ ସ୍ଥାନୀୟ ଜଣେ ବିଖ୍ୟାତ ଗୁଣିଆଙ୍କ
ପାଖକୁ । ଏହା ସ୍ଥାନୀୟ ଅଧିକାଂଶଙ୍କର ମତ ଥିଲା । ପ୍ରତିରକ୍ଷା ବିଭାଗରେ କାମକରି ବିବେକ ମୌଳିକ
ଭାବେ ଜାଣିଥିଲେ ଏସବୁ ଅନ୍ଧବିଶ୍ୱାସ । ଏହାର ପ୍ରାଥମିକ ଚିକିତ୍ସା, ଲକ୍ଷଣ ଇତ୍ୟାଦି
ବାବଦରେ ସେ ତାଲିମ୍ ପ୍ରାପ୍ତ । ଏଣୁସେ ମନେ ମନେ କ୍ଷୂବ୍ଧ ହେଲେ । ହୁଏତ ପ୍ରତ୍ୟକ୍ଷ ଉପସ୍ଥିତ
ଥିଲେ ସଠିକ୍ ମାର୍ଗ ଦର୍ଶନ ଦେଇଥାନ୍ତେ । ରାଜନୈତିକ ମତ ତାଙ୍କ ହେତୁବାଦୀ ମତକୁ ଗ୍ରାସ
କରିଦେଲା । ଯଦି ବହୁତ ଲୋକ ଚାହୁଁଛନ୍ତି ବାବୁକୁ ଗୁଣିଆ ପାଖକୁ ନେବାକୁ ତାହେଲେ ନିଅନ୍ତୁ ।
ଗଣତନ୍ତ୍ରର ସ୍ୱରୂପ ସେଇଆ, ବହୁମତଟି ଠିକ୍ ।
ନିଜ ମନର ଦରଜକୁ ମନରେ
ଚାପିରଖି ଫେରୁଥାନ୍ତି । ଏଇ ବାବୁ, ସେ କହିଲେ ଖଣ୍ଡା, ତରୁଆଲ ଧରି ରଣକୁ ବାହାରି ଯିବ । ବସ୍ତୁତଃ ସେ
ବିବେକଙ୍କ ଏକ ମୂଖ୍ୟଅସ୍ତ୍ର ଓ ଢ଼ାଲ । ମୁହୁର୍ତ୍ତକୁ ମୁହୁର୍ତ୍ତ ଖବର ଆସୁଥାଏ । ଗାଡ଼ିର ବେଗ
ଦେଡଶହରେ ଫେରୁଥାନ୍ତି ସେ । ଗୁଣିଆ ଲାଗି ଲାଗି ଥକ୍କି ପଡ଼ିଲେ ଓ ମନ୍ତ୍ର ଚାଉଳ ଚାରିଆଡ଼େ
ବିଞ୍ଚି ସିଦ୍ଧାନ୍ତ କଲେ, ଏ ସର୍ପ ଦଂଶନ ଘଟିଛି
କ୍ରୋଧରୁ । ଏକଦା ସାଥୀ ସର୍ପଟିକୁ ପିଟି ପିଟି ମାରିଥିଲେ ବାବୁ । ଏହାର ପ୍ରତିଶୋଧ ସେ ନେଇଛି ।
ଏହା ଗୁଣୀରେ ଭଲ ହେଉନାହିଁ । ଆଉ ମାତ୍ର ପାଞ୍ଚ ଘଣ୍ଟା ଜୀବନ ଅଛି । ତୁରନ୍ତ ଢ଼େଙ୍କାନାଳ ନିଅ ।
ହୁଏତ ଆଧୁନିକ ଚିକିତ୍ସା କାମ କରିପାରେ । କିନ୍ତୁ
ଶିକ୍ଷିତ ବ୍ୟକ୍ତିଜଣେ ନିରୋଳାକୁ ଯାଇ ବିବେକଙ୍କୁ ଫୋନକଲେ, “ଏ ମୂର୍ଖ ଓଝା
ଖେଳୁଛି, ପ୍ରକୃତରେ ବାବୁ
ହୁଏତ ଚାଲିଗଲାଣି । ତା ଶରୀରରେ ଜୀବନର କୌଣସି ଲକ୍ଷଣ ନାହିଁ ।
ଅନ୍ଧବିଶ୍ୱାସ ଓ
ରାଜନୀତିର ପଶାପାଲି ଅତିକ୍ରମ କରି ଢ଼େଙ୍କାନାଳ ମୂଖ୍ୟ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ବାବୁର
ମୃତ୍ୟୁ ଘୋଷଣା କେବଳ ମାତ୍ର ଔପଚାରିକ ଡାକ୍ତରୀ ଭାଷା ଥିଲା । ଅଧିକାଂଶ ଲୋକ ମାନିବାକୁ
ପ୍ରସ୍ତୁତ ନୁହନ୍ତି । ପାଞ୍ଚ ଘଣ୍ଟାର ଜୀବନ ତଥାପି ଅଛି ବୋଲି ଗୁଣିଆ କହିଛନ୍ତି । କ୍ରମେ
ତୁହାକୁ ତୁହା ଲୋକେ ପହଞ୍ଚିଲେ । ଡାକ୍ତରଙ୍କୁ ତିନିଥର ଦେଖିବାକୁ କହିଲେ । ଆଉ ତିନିଜଣ
ଡାକ୍ତରଙ୍କୁ ଦେଖିବାକୁ ବାଧ୍ୟକଲେ । ଗୁଣିଆ କହିଛି ନା ।
ବଚସା ଆରମ୍ଭ
ହୋଇଗଲା । ଆଗରୁ ଏମିତି ରୋଗୀ ନେଇ କଟକରେ ଭଲ କରି ଆଣିଛନ୍ତି । ପାଞ୍ଚଘଣ୍ଟାରୁ ମାତ୍ର ଅଧାଘଣ୍ଟା
ଯାଇଛି । ଏବେ ସରପଞ୍ଚ ବିବେକ ପହଞ୍ଚିଗଲେ ।
ସେତେବେଳକୁ ବାବୁର ବାମହାତ ଖାଡ଼ା ହୋଇ ଠିଆ ହେଲାଣି । ବିବେକ ଏମିତି କେତେ ମୃତ୍ୟୁ ଆଖି
ସାମ୍ନାରେ ଦେଖିଛନ୍ତି । ସେ ଭାବୁଥିଲେ ତାଙ୍କ ମଧ୍ୟରେ ସୈନିକଟି ମୃତ । ଏହି ବାବୁ, ଯେ ଧର କହିଲେ
ବାନ୍ଧି ଆଣୁଥିଲା ଆଜି ଏମିତି ଦୟନୀୟ ପଡ଼ିରହିଛି ଓ ପରିସ୍ଥିତିକୁ ଅଧିକ ହୃଦୟ ବିଦାରକ କରୁଛନ୍ତି
ତାଙ୍କ ନିଜ ପଞ୍ଚାୟତର ନିଜ ଲୋକମାନେ । ସେ ନାଚାର, ମଲା ସୈନିକର ଶରୀରରେ ଜୀବନ୍ତ ସରପଞ୍ଚ ଚିହିଁକି ଉଠିଲେ
। ତାଙ୍କର ଦରକାର ଜନମତ । ଗଣତନ୍ତ୍ରରେ କେଉଁଠିତ କୁହାଯାଇନି, ଅନ୍ଧ ଜନମତ, ଅବା କୁ ଜନମତ, ଅର୍ଥ ସର୍ବସ୍ୱ
ଜନମତ ଅବା ମଦ୍ୟ ଜନମତରେ ପାର୍ଥକ୍ୟ ଅଛି ,ସବୁ ସମାନ ।
ଅନ୍ଧ ଜନମତକୁ
ବେଖାତିରି କରାଯାଇ ନପାରେ । ଡାକ୍ତରବାବୁଙ୍କୁ ଭଦ୍ରଭାବରେ କହିଲେ, “ଆଜ୍ଞା ଆପଣଙ୍କର
ଦେଖିବାରେ ତୃଟି ଅଛି ବୋଲି ଆମେ କହୁନୁ । କିନ୍ତୁ ଆପଣ ପବ୍ଲିକର ଚାକର, ପବ୍ଲିକ ଯେତେଥର
କହିବେ ଆପଣ ସେତେଥର ଦେଖିବେ । ଦେଖିବାକୁ ବାଧ୍ୟ । ସେତେବେଳକୁ ସେ ନିଜର ପରିଚୟ ଦେଇ ସାରିଥିଲେ
। ଡାକ୍ତରବାବୁ ନିଜକୁ ରୋକିନପାରି କହି ପକାଇଲେ ଯେ ତାଙ୍କ ଭାଇମାନେ ଏ ସମଗ୍ର ଅଞ୍ଚଳର ପ୍ରଥମ
ସୈନିକ, ଅବସର ପ୍ରାପ୍ତ ।
ବିବେକ ଭାବୁଥିଲେ, ଏ ଡାକ୍ତରଟି
ନିଶ୍ଚେ ଜାଣିଥିବ, ସବୁପ୍ରକାର
ପ୍ରତିଶେଧକ ବ୍ୟବସ୍ଥା ଥିବା ସତ୍ତ୍ୱେ ଯଦି ମେଲେରିଆ ଜ୍ୱର ହେଲା, ସୈନିକଟିକୁ କୈଫିୟତ
ଦେବାକୁ ପଡ଼େ । ଆଉ ସର୍ପଦଂଶନରେ ଗୁଣି ବିଦ୍ୟାର ପ୍ରଶ୍ନ କେଉଁଠୁ ଆସିବ । ଅନ୍ଧବିଶ୍ୱାସ ଠାରୁ
ସେ ବହୁ ଦୂରରେ । କିନ୍ତୁ ତାଙ୍କ ରାଜନୈତିକ ମଗଜ କହୁଥାଏ, ଏତେ ଲୋକ ଯେଉଁଠି ଚାହୁଁଛନ୍ତି ସେ କେମିତି ତାକୁ
ବିରୋଧ କରିବେ । କାରଗିଲ ଜିତିବାରେ ସାହସ ଓ ସାମରୀକ କୌଶଳ ଦରକାର । ନିର୍ବାଚନ ଜିତିବା ପାଇଁ
ଛଳନାତ୍ମକ ଜନ ସମ୍ପର୍କ ଦରକାର ।
ସେ ନିଜକୁ କହିଲେ “ହାୟରେ ବାବୁ କାଳ
ତୋ ଦର୍ପ ହରଣ କରି ନେଲା, କାଲି ମୋ ଦର୍ପବି
ହରଣ କରିନେବ । କିନ୍ତୁ ଏ ମହୀରେ ଥିବ ଯେତେଦିନ, ଆନନ୍ଦ କରୁଥିବ ମନ । ମୋ ଆନନ୍ଦ ନିର୍ବାଚନ ପହଁରିବାରେ
। ସେ ପାଇଁ ମୁଁ ତୋର ମୃତ ଦେହର ପଶା ପାଲିରେ ବି
ବିରୋଧୀକୁ ଜିତିବାକୁ ଦେବି ନାହିଁ ।”
ଏବେ ସେ ଦାବୀ କଲେ, ଆମ୍ବୁଲାନ୍ତସ, ଅକ୍ସିଜେନ, ରିଫରାଲ୍, ଦୋହରାଇଲେ, ହଁ ଜୀବନ ଅଛି ।
ଆମେ ନେଇଯିବୁ କଟକ । ସେ ଡାକ୍ତରଙ୍କର ସେତେବେଳକୁ କର୍ତ୍ତବ୍ୟ ସରିଯାଇଥାଏ । ବଦଳ ଡାକ୍ତରବି
ଆସି ସାରିଥାନ୍ତି । ସେ କେବଳ ସୈାଜନ୍ୟତା ଦୃଷ୍ଟିରୁ ଲୋକମାନଙ୍କ ସମସ୍ତ ପ୍ରଶ୍ନକୁ ବୁଦ୍ଧି
ବିବେକ ଖଟାଇ ଉତ୍ତର ଦେଉଥାନ୍ତି । ନିଜର ଉତ୍ତେଜନାକୁ କାବୁ କରୁଥାନ୍ତି । ଉଚ୍ଚ ଅଧିକାରୀଙ୍କୁ
ଜଣାଉଥାନ୍ତି । ପୋଲିସ୍ ବଳ ତଥାପି ଆସିନଥାଏ । ଏହି ସମୟରେ ଅଧସ୍ତନ କର୍ମଚାରୀ ଜଣେ ଖାତାଟିଏ
ଧରି ଆସିଲା ପ୍ରସୂତି ଗୃହରୁ ଡାକରା ଆସିଥାଏ । ବିବେକ ବାବୁ ତାଙ୍କ ସାଥିରେ ପ୍ରସୂତି ଗୃହ
ପର୍ଯ୍ୟନ୍ତ ଗଲା ବାଟରେ ଦେଲେ ଏକ ସ୍ୱୀକାରୋକ୍ତିଯେ ସେ ଠିକ୍ ଜାଣିଛନ୍ତି, କିନ୍ତୁ କଣବା
କରିପାରିବେ । ଏତେ ଲୋକଙ୍କ ମତକୁ ଅବମାନନା କରିବାର ସାହାସ ଜଣେ ଜନ ପ୍ରତିନିଧିର ନାହିଁ ।
ଡାକ୍ତରବାବୁଙ୍କୁ କହିଲେ ଯେ ତାଙ୍କ କର୍ତ୍ତବ୍ୟ ଅବଧି ସରିଗଲାଣି ସେ ଭିନ୍ନ ପଥରେ ଚୁପ୍ ଚାପ୍
ଚାଲିଯାଆନ୍ତୁ । ସେପଟ ସମ୍ଭଳିବା ଦାୟିତ୍ୱ ତାଙ୍କର ।
କହିବା ବାହୁଲ୍ୟ, ପ୍ରସୂତିଗୃହର
ମୁଖ୍ୟ ସେବିକା ଅନୁରୂପ ବୁଦ୍ଧି ଖର୍ଚ୍ଚ କରି ଡାକ୍ତରଙ୍କୁ ସେ ଭୀଡ଼ ମଧ୍ୟରୁ ନେଇ ଆସିଲେ ରୋଗୀର
ଜଟିଳତା'ର ସାହାରା ନେଇ ।
ଥରେ ସେ ପ୍ରସୂତି ଗୃହକୁ ପଶିଲେ ଅନେକ ଶାନ୍ତି । ପୃଥିବୀର ସମସ୍ତ ଅସୁବିଧାରୁ ମଣିଷ ମୁକ୍ତି ।
କାରଣ ସେଠି ଅମୃତର ସୃଷ୍ଟି ନିତ୍ୟନୈମିତ୍ତି ସମ୍ଭାବନା । ସେହି ଜଟିଳତାରୁ ଏ ସୃଷ୍ଟି ଅନବରତ
ଚାଲିଛି । ସେପଟର ମୃତ୍ୟୁକୁ ଏପଟର ଜନ୍ମ ବଳି ପଡ଼ୁଛି । ଏ ଉଭୟରେ ସାକ୍ଷୀ ସେ । ସେ ଡାକ୍ତରଟିଏ
। ଧନ୍ୟ ମାତାମାନେ ।
ଯାହାବି ହେଉ ଆଇନ୍
ଉଲଂଘନରେ ସମସ୍ୟା ବାବଦରେ ମୁଖ୍ୟ ଚିକିତ୍ସାଧିକାରୀ ଜଣାଇଲେ ଜିଲ୍ଲାପାଳ ଓ ଆରକ୍ଷୀ
ଅଧ୍ୟକ୍ଷଙ୍କୁ । ସେମାନେ ତୁରନ୍ତ ପଦକ୍ଷେପ ନେଇ ସେ ଲୋକମାନଙ୍କ ସରକାରୀ ଖର୍ଚ୍ଚରେ କଟକ ପଠାଇବା
ଭଳି ହାସ୍ୟାସ୍ପଦ କାମଟି କରିଥିଲେ ।
ଭିଡ଼ିଓଟି ଦେଖୁଦେଖୁ
ବିବେକ ବାବୁ ନିଜକୁ ଆବିଷ୍କାର କରୁଥିଲେ, ବାଣପୁର ଗଣ୍ଡଗୋଳରେ ଯେମିତି ସେ ନିଜେ ସାମିଲ । ଲାଭ
କଣ ହେଲା? ପାଞ୍ଚ ଶହ ଲୋକ
ରାତି ଉଜାଗର ହେଲେ । କଟକ ଡାକ୍ତରମାନେ ଅନେକ ନିନ୍ଦାକଲେ । ପୋଷ୍ଟମର୍ଟମ୍ ରିପୋର୍ଟ ସିଧାସଳଖ
ସାପକାମୁଡ଼ା ନଦେଇ ନାନାଦି ପରୀକ୍ଷାରେ ଝୁଲାଇ ରଖିଲେ । ହୁଏତ ଢ଼େଙ୍କାନାଳରେ ସେମିତି ନକରି
ଡାକ୍ତରବାବୁ ମାନେ ସିଧାସଳଖ ସାପ କାମୁଡ଼ା ଲେଖି ଦେଇଥାନ୍ତେ । ଲୋକ ଚାରିଲକ୍ଷ ତୁରନ୍ତ
ପାଇଥାନ୍ତା । ସର୍ବୋପରି ବିଚରା ବାବୁ ପ୍ରତି ଯେଉଁ ଅନ୍ୟାୟ ଘଟିଗଲା । ତାହାତ ବିବେକ ସାଥିରେ
ବୋହିନେବେ ଯଦି ପୂନର୍ଜନ୍ମ ବୋଲି କିଛି ଥାଏ ।
ଅସଲ ଦୋଶୀ, ଅନ୍ଧବିଶ୍ୱାସୀ
ମଣିଷ ଓ ମୂର୍ଖ ଗୁଣିଆ ପ୍ରତି ପ୍ରଶାସନ ବା ସମାଜର କୌଣସି ଆକ୍ରୋଶ ରହିଲା ନାହିଁ । ଅଥଚ ମଲା
ଲୋକଙ୍କୁ ଚାରି ଚାରିଜଣ ଡାକ୍ତର ମୃତ୍ୟୁ ଘୋଷଣା କଲେବି ସେଇଠି ଲଙ୍କାକାଣ୍ଡ ହେବାକୁ ଯାଉଥିଲା ।
ସେଦିନୁ ବିବେକବାବୁ ବହୁତ ବିଚିଳିତ ଥିଲେ । ଏ ବାଣପୁର ଘଟଣା ନିମିତ୍ତ ମାତ୍ର । ଏହା ତାଙ୍କୁ
ସମସ୍ତ ବାଚାଳାମୀରୁ ମୁକ୍ତ କରିଦେଲା । ସେ ତାଙ୍କର ସମସ୍ତ ପାପାର୍ଜିତ ସମ୍ପତ୍ତିକୁ ଢ଼େଙ୍କାନାଳ
ସୈନିକ ବୋର୍ଡ଼କୁ ଦାନ କରି ସରପଞ୍ଚ ଓ ଦଳର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇ ଚାଷବାସ ଓ ପେନସନରେ
ସୁଖରେ କାଳାତିପାତ କରିବାର ନିଷ୍ପତ୍ତି ନେଲେ । ତାଙ୍କ ସମସ୍ତ ରାଜନୈତିକ ଜୀବନ ସତେଅବା ଥିଲା
ଏକ ଦୁଃସ୍ୱପ୍ନ ।
ଏକଥା ସର୍ବପ୍ରଥମେ
ସେ ଡାକ୍ତରବାବୁଙ୍କୁ ଫୋନରେ ଜଣାଇ ତୃପ୍ତ ହୋଇଥିଲେ । ପରଦିନ ବିଭିନ୍ନ ସମ୍ବାଦପତ୍ରରେ ସ୍ଥାନୀୟ
ସଂସ୍କରଣରେ ତାଙ୍କ ଫଟୋ ସହ ଖବର ପ୍ରକାଶ ପାଇଥିଲା । ସେ କୌଣସି ବିବୃତି ଦେବାକୁ ସେ ଆଗ୍ରହୀ
ହୋଇ ନଥିଲେ ।
No comments:
Post a Comment