Search This Blog

Sunday 2 June 2019

ସଂସ୍କୃତ, ହିନ୍ଦୀ, ଓଡିଆ ଓ ଇଂରାଜୀ ଓ ତାମିଲ।

ସଂସ୍କୃତ, ହିନ୍ଦୀ, ଓଡିଆ ଓ ଇଂରାଜୀ ଓ ତାମିଲ।

ହଠାତ ଆଜି ଭାଷା ଦିଗକୁ ମେଡିଆ ମାଡି ଯାଇଛି। ଶ୍ରୀ ପ୍ରତାପ ଶଡଙ୍ଗୀଙ୍କ ସଂସ୍କୃତ ଇଣ୍ଟରଭିଉ ଓ ଦକ୍ଷିଣରେ ହିନ୍ଦୀକୁ ପ୍ରବଳ ବିରୋଧ- ବହୁଦିନ ତଳର କଥା ମନେ ପକାଇଦେଲା। ହାଇସ୍କୁଲ ପଢୁଥିବା ବେଳେ ସଂସ୍କୃତ ଦିବସର ଏକ ତର୍କ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା କେଉଁଟି ଆମର ରାଷ୍ଟ୍ରଭାଷା ହେବା ଉଚିତ। ମୁଁ ସଂସ୍କୃତ ସପକ୍ଷରେ କହି ପୁରସ୍କାର ପାଇଲି ଓ ଅନ୍ୟ ଦୁଇ ବିଜେତା ହିନ୍ଦୀ ସପକ୍ଷରେ କହିଥିଲେ।
ଜାଣେନି କଣ କହିଥିଲି କିନ୍ତୁ ଯାହା କହିଥିଲି ମୌଳିକ ଭାବେ କହିଲି, ମାଗି ଆଣିକି ନୁହେଁ।
କହିବା ବାହୁଲ୍ୟ ଉଭୟ ଭାଷାରେ ମୁଁ ଅଜ୍ଞ। ହାଇସ୍କୁଲ ପରୀକ୍ଷାରେ ଖୁବ୍ ଗୁଡାଏ ନମ୍ବର ସଂସ୍କୃତରେ ରଖି ମଧ୍ୟ ମୁଁ ସଂସ୍କୃତ କିମ୍ବା ହିନ୍ଦୀ ଲେଖି ପାରିବିନି। ପଢେ ଥଙ୍ଗେଇ ଥଙ୍ଗେଇ। ଯଦିଓ ମୋ ସାଥୀମାନେ ଖୁବ୍ ଭଲ ପଢି ପାରିବେ ଓ ହିନ୍ଦୀ ଅନର୍ଗଳ କହି ପାରିବେ। ଭାବୁଛି ମୁଁ ଏତେ ବୋକା ନୁହେଁ ଯେ ଅନ୍ୟ ମାନଙ୍କ ଭଳି ମୁଁ ଶିଖିପାରିଲି ନାହିଁ। ପ୍ରକୃତରେ ମୋର ଏକ ବିରୋଧାଭାଷ ରହିଲା ହିନ୍ଦୀ ପାଇଁ ଓ ସଂସ୍କୃତ ବିନା ଗୁରୁରେ ଅସାଧ୍ୟ ଲାଗିଲା।
ତିନି ତିନିଟା ଭାଷା ଜବରଦସ୍ତ ପଢାଇବା ମୋର ପସନ୍ଦ ନଥିଲା। ମୋର ମୌଳିକ ଭାବନା ଥିଲା ଯଦି ଜାପାନୀ ବା ଜର୍ମାନୀ ଗୋଟିଏ ଗୋଟିଏ ଅଣ ଇଂରାଜୀ ଭାଷା ଜରିଆରେ ଉନ୍ନତ ଆମେ କାହିଁକି କେବଳ ଓଡିଆରେ ହୋଇ ପାରିବା ନାହିଁ? ଏମିତି ଉଦ୍ଭଟ ଯୁକ୍ତି ମୁଁ ପିଲାବେଳେ ଭାବୁଥିଲି ଯାହା ବାସ୍ତବିକତା ଠାରୁ ଦୂରରେ।
ଏକ ଦେଶ ଯେଉଁଠି ଭାଷା ସଂଖ୍ୟା ଅଗଣିତ, ଯେଉଁଠି ଅନେକ ଭାଷା କାଳକ୍ରମେ ମୃତ, ଯେଉଁଠି ମାନ୍ୟତା ପ୍ରାପ୍ତ ଭାଷା ସଂଖ୍ୟା ପନ୍ଦର ବା ଅଧିକ ଓ ଯେଉଁଠି କେବଳ ସାନ୍ତାଳୀକୁ ବାଦ ଦେଲେ ଅନ୍ୟ ଅନେକ ସ୍ବୟଂସମ୍ପୂର୍ଣ୍ଣ ଆଦିବାସୀ ଭାଷା ମାନ୍ୟତା ପାଇବା ଉଚିତ, ସେଠି ଗୋଟିଏ ବିଦେଶୀ ଭାଷା ଇଂରାଜୀ ଆମର ମୂଖ୍ୟ ଭାଷା ହୋଇ ନପାରେ। ତବେ ଏଇଟା କାହାର ଭାଷା ନହୋଇଥିବାରୁ ସମସ୍ତଙ୍କ ଠାରୁ ଏହା ସମଦୂରରେ ଏଣୁ ଅସୂୟାଭାବ ନାହିଁ। ସଂସ୍କୃତ ଲୋକଙ୍କ କଥିତ ଭାଷା ହୋଇ ରହିଲା ନାହିଁ ଏଣୁ ଏହାର ମୋଟାମୋଟି ସାମାଜିକ ଶେଷ ଘଟିଛି ଯଦିଓ ବିଶାଳ ବିଭବ ଓ ଜ୍ଞାନର ଗନ୍ତାଘର ଏ ଦେବ ଭାଷା। କୌଣସି ଭାଷା କେବଳ ସରକାରୀ ଭାଷା ହୋଇ ତିଷ୍ଠି ନପାରେ ଯଦି ଏହା ଲୋକ ମୁଖ ନିସୃତ ହୁଏ ନାହିଁ। ଏଣୁ ସଂସ୍କୃତ ବି ଆମର ରାଷ୍ଟ୍ର ଭାଷା ହେବା ସମ୍ଭବ ନୁହେଁ। ହିନ୍ଦୀ ଭାରତର ବହୁଳ ଅଂଶରେ କଥିତ ଓ ଲିଖିତ ଓ ସେଥିପାଇଁ ଚିନ୍ତା କରାଯାଏ ଏହା ଆମ ରାଷ୍ଟ୍ରୀୟ ଭାଷା ହୋଇ ପାରେ ଓ ଏ ପ୍ରଚେଷ୍ଟା ବହୁ ପୁରାତନ। ରାଷ୍ଟ୍ର ଭାଷା ପ୍ରଚାର ସମିତି ଏ ବାବଦକୁ କାର୍ଯ୍ୟରତ। ଏଠାରେ କୁହାଯାଇପାରେ ଯେମିତି ଏହା ବହୁ ରାଜ୍ୟର ମୂଖ୍ୟ ଭାଷା ସେମିତି ଏହା ତାହାଠୁ ଅଧିକ ଅଞ୍ଚଳରେ ଆଦୌ କୁହାଯାଉନଥିବା ଭାଷା। ଦୂରଦର୍ଶନ ଆରମ୍ଭ ହେବା ପୂର୍ବରୁ କେବଳ ସିନେମା ଓ କ୍ରିକେଟ କମେଣ୍ଟାରି ଶୁଣି ଆମେ ହିନ୍ଦୀ ଭାଷା ସହ ପରିଚିତ ହେଲୁ। ପରେ ଦୂରଦର୍ଶନ ଏହାକୁ ବ୍ୟାପକ କଲା। ଆମେ ହିନ୍ଦୀ ବୁଝିବାରେ ଆଉ ଅସୁବିଧା ନାହିଁ।
କିନ୍ତୁ ଦକ୍ଷିଣ ଭାରତ କଥା ହୁଏତ ସେମିତି ନୁହେଁ। କେତେଜଣ ତାମିଲ ଲୋକ ହିନ୍ଦୀ ସିନେମା ବା ଖବର ଦେଖୁଥିବେ କହିବା ମୁସ୍କିଲ।
ଏଠି ଅନ୍ୟ ଏକ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ବହୁଳ ପ୍ରସାରିତ  ଭାଷା ମାନଙ୍କ ମଧ୍ୟରେ ତାମିଲ ସର୍ବ ପୁରାତନ। ଏହା ପୃଥିବୀର ଅନ୍ୟତମ ଆଦିଭାଷା। ହିନ୍ଦୀ ଏ ଧରାପୃଷ୍ଠକୁ ଆସିବାର ସହସ୍ରାଧିକ ବର୍ଷ ପୂର୍ବରୁ ତାମିଲ ଏକ ବଳିଷ୍ଠ ଭାଷା। ଏହା ଏକ ଶାସ୍ତ୍ରୀୟ ଭାଷା।

ପ୍ରତି ଆଞ୍ଚଳିକ ଭାଷା ଆଜି ଇଂରାଜୀ ଶିକ୍ଷାରେ କବଳିତ। ତେଣୁ ଭାଷାମାନଙ୍କ ସୁରକ୍ଷା ବାବଦରେ ପ୍ରତି ପ୍ରାନ୍ତରେ ଆଲୋଚନା ବ୍ୟାପକ। ତା ମଧ୍ୟରେ ପୁଣି ରାଷ୍ଟ୍ରଭାଷାର ପ୍ରଚଳନ ହୁଏତ ସହଜରେ ଗ୍ରହଣୀୟ ନୁହେଁ। ମୋ ମତରେ ପ୍ରତ୍ୟେକ ଶିଶୁର ଵିଦ୍ୟାରମ୍ଭ ଓ ପ୍ରାଥମିକ ଶିକ୍ଷା କେବଳ ମାତୃଭାଷାରେ ହେବା ଊଚିତ। ପରେ ତେଣିକି ସେ ଇଛାଧିନ ଭାବେ ଯେତେ ଭାଷା ଶିଖୁଛି ଶିଖୁ।
ପୁଣି ଏକ କଥା ଯେ ସରକାରୀ ନିୟମ କରିଦେଲେ ଭାଷା ଗ୍ରହଣୀୟ ହୋଇଯିବନି। ଭାଷା ପ୍ରତି ଆଦର ଓ ଏହାର ଆବଶ୍ୟକତା ହିଁ ଭାଷା ବିକାଶ କରାଏ। ଇଂରାଜୀ ଏମିତି ଏକ ସ୍ଥାନ ନେଲାଯେ ତାହା ହଟିବାର ସମ୍ଭାବନା ନାହିଁ। ଆବଶ୍ୟକତା ବି ନାହିଁ। ଭାରତୀୟ ଭାଷା ମାନଙ୍କୁ ପଛୁଆ କରି ରଖାହୋଇଗଲା। ଉଚ୍ଚ ଶିକ୍ଷା ଦୃଷ୍ଟିରୁ ହିନ୍ଦୀ ହେଉ କି, ଓଡିଆ ହେଉ ଅଥବା ତାମିଲ; ତାହା ଇଂରାଜୀ ଭାଷା ତୁଳନାରେ ସମ ପରିମାଣରେ ଅସୁବିଧା ଜନକ। ଏହା ଆମର ଐତିହାସିକ ଦୁର୍ଭାଗ୍ୟ କିନ୍ତୁ ଏ ଦୁର୍ଭାଗ୍ୟ ସହ ଆମେ ଏତେ ସ୍ବଭାବିକ ହୋଇଗଲୁ ଯେ ଏହା ସୌଭାଗ୍ୟ ଭାବେ ଆମକୁ ଆବୋରି ନେଲା। ଏଥିପାଇଁ ଆଜି ଇଂରାଜୀ ଶିକ୍ଷା ବ୍ୟାପକ ହୋଇଛି। ନିୟମ କରି ଓଡିଆ ଭାଷା ଇଂରାଜୀ ସ୍କୁଲରେ ପଢାଯାଉଛି, ତହିଁରେ ଖୁବ ଭଲ ନମ୍ବରରେ ପାଶ କରିଥିବା ଛାତ୍ର ବି ଓଡିଆ ଖବରକାଗଜ ପଢି ପାରୁନାହିଁ। ଏକ ରାଷ୍ଟ୍ରଭାଷା ଯଦି ଲଦି ଦିଆଯାଏ ତାହାର ଫଳ  ସେମିତି ହିଁ ହେବ।
ବିରୋଧାଭାଷକୁ ଗ୍ରହଣ କରିବା କଷ୍ଟ।
ଆଛା ଏ ତଳ ବାକ୍ୟ ଉପରେ ପାଠକ ମତ ଦିଅନ୍ତୁ।
ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ପ୍ରଥମେ ହିନ୍ଦୀର ଅବକ୍ଷୟ ରୋକାଯାଉ, ତାପରେ ଅଣହିନ୍ଦୀ ଅଞ୍ଚଳରେ ଏହା ପ୍ରଚଳନ କରାଯାଉ।
କଥାଟିର ମର୍ମ ହେଲା, ଇଂରାଜୀ ଶିକ୍ଷାରେ ହିନ୍ଦୀ ସମେତ ପ୍ରତ୍ୟେକ ଅଣଇଂରାଜୀ ଭାଷା ଆଜି ବିପଦରେ। ପ୍ରଥମେ ସେତିକିର ନିରାକରଣ ହେଉ, ତାପରେ ଯାଇ ଭିନ୍ନ ଅଞ୍ଚଳରେ ଏକଥା ପ୍ରଚଳନ କରାଯିବ।
ପୁଣି ଅନ୍ୟ ଏକ ଦିଗ ବି ଅଛି। ବିଶାଳ ହିନ୍ଦୀ ଭୂଖଣ୍ଡରେ ପିଲାଏ ପଢିବେ ହିନ୍ଦୀ ଓ ଇଂରାଜୀ ଦୁଇଟି ଭାଷା କିନ୍ତୁ ତହୁଁ ବଡ ଅଣ ହିନ୍ଦୀ ଅଞ୍ଚଳରେ ପିଲାଙ୍କ ଉପରେ ବୋଝ ପଡିବ ତିନୋଟି ଭାଷା। ଏହା ଅନ୍ୟାୟ ନୁହେଁ କି।
ହିନ୍ଦୀକୁ ରାଷ୍ଟ୍ର ଭାଷା ହିସାବରେ ଇଂରାଜୀ ସହ ପ୍ରତିଦ୍ବନ୍ଦିତା କରି ପାରିଲେ ଯାଇ ଏହା ରାଷ୍ଟ୍ରଭାଷା ହୋଇ ପାରିବ। ଆଞ୍ଚଳିକ ଭାଷା ଉପରେ ଏହାର ବିପରୀତ ପ୍ରଭାବ ନପଡୁ।
ଅନେକ କେନ୍ଦ୍ରୀୟ ପରୀକ୍ଷା ମାନଙ୍କରେ ହିନ୍ଦୀ ଓ ଇଂରାଜୀ ଭାଷାରେ ଫର୍ମ ଭରିବାର ବ୍ୟବସ୍ଥା ଥାଏ। ହିନ୍ଦୀ ଭାଷାଭାଷୀ ଅଞ୍ଚଳର କେତେ ପ୍ରତିଶତ ପ୍ରାର୍ଥୀ ହିନ୍ଦୀରେ ଭରନ୍ତି?
କେବଳ ତାମିଲନାଡୁ ନୁହେଁ କୌଣସି ଅଣହିନ୍ଦୀ ଅଞ୍ଚଳରେ ହିନ୍ଦୀକୁ ବା କୌଣସି ତୃତୀୟ ଭାଷାକୁ ନଲଦି ବିକଳ୍ପ ବାଟରେ ଏହାର ପ୍ରସାର କରାଯାଉ ଯେମିତି ରାଷ୍ଟ୍ରଭାଷା ପ୍ରଚାର ସମିତି କରୁଛି।
ଅନେକ କଥାକୁ ରାଷ୍ଟ୍ରଭକ୍ତି ସହ ଯୋଡା ଯାଉଛି ହିନ୍ଦୀ ଭଳି ଏକ ଜନପ୍ରିୟ ଭାଷା ତହିଁରୁ ମୁକ୍ତ ରହୁ।

No comments:

Post a Comment