ମାଆ।
ସେଦିନ ଥାଏ ପ୍ରଥମ ରଜ। ଆଜିର ଫିକା ଫିକା ରଜପର୍ବ ନୁହେଁ, ଗତ ଶତାବ୍ଦୀର ଅଶି ଦଶକର ଅସଲି ରଜ। ପାଣିବୁହା ଓ ପିଠା ପାଇଁ ପ୍ରସ୍ତୁତିରେ ଯାଏ, ପୂର୍ବଦିନ। କୁଣିଆ ଘରକୁ ଯିବା ଆସିବା ଲାଗିରହେ। ଘରେ ଆମ୍ବ ପଣସ ଓ ନାନାଦି ସୁଖାଦ୍ୟର ଅଭାବ ନଥାଏ। ଗାଁରେ ଲାଗିଥାଏ ଅନେକ ପଟା ଦୋଳି। ପିଲାଏ ସେଇଠି ରୁଣ୍ଡ। ବାଳିକା ମାନେ ଭଳିକି ଭଳି କଣ୍ଢେଇ ସଜେଇକି ରଖନ୍ତି; କଣ୍ଢେଇ ପୂଜା ବା ଖେଳ। ମିଳିମିଶି ପାନ ଭାଙ୍ଗନ୍ତି ଓ ଗାଁଆସାରା ବାଣ୍ଟନ୍ତି। ଯୁବକ ମାନେ ଖେଳରେ ମାତିଥାନ୍ତି। ମଧ୍ୟ ବୟସ୍କ ମାନେ ତାସ ପଶା ଖେଳିବାରେ ବ୍ୟସ୍ତ। କିନ୍ତୁ ମାଆ, ବୁଢୀମା, କେବଳ କାମରେ ବ୍ୟସ୍ତ। ପାଣିବୁହା ଦିନସାରା କାମ ପୁଣି ରାତିରେ ନାନାଦି ପିଠା ଗଢିବା; କେତେ କିସମର ପୋଡପିଠା, ଆରିସା କାକରା। ଚୁଲି ନାମକୁ ମାତ୍ର ବନ୍ଦ, ସମସ୍ତଙ୍କ ଖିଆ ପିଆ ପାଇଁ ଉଠା ଚୁଲିରେ ରୋଷେଇ। ନିଶ୍ବାସ ନେବାକୁ ତର ନଥାଏ। ମାଆ କେବେ ଅଭିଯୋଗ କରିନାହିଁ, ଏ ପର୍ବ ପର୍ବାଣି ତା ପାଇଁ ଖୁବ୍ କଷ୍ଟ। ସେ ନିଜେ ହିଁ ନୂଆ ନୂଆ ପଧିପ (ତା ଭାଷା) ଯୋଗ କରି ଚାଲେ। କିଛି ଗୋଟେ ନିଆରା।
ସେ ମାଆ।
ଶ୍ରେଷ୍ଠ ମାଆ, ସବୁ ମାଆ ଶ୍ରେଷ୍ଠ।
ଦେଈ! ଦେଈ! ଦେଈ!
ହୁରି ପକାଇଲା ଈନ୍ଦ୍ରମଣି। ଈନ୍ଦ୍ରମଣି ଜଣେ ସେବାକାରୀ, ଗୋରୁ ଗାଈଙ୍କ ଯତ୍ନ ନିଏ। ମାଆଙ୍କୁ ଦେଈ ସମ୍ବୋଧନ କରେ। ସେ ବି ପର୍ବରେ ନୂଆ ଲୁଗା ପିନ୍ଧି, ପିଠା ପଣା ଖାଇ ଖୁସି। କାମ ବନ୍ଦ। କେବଳ ଯାହା ଘରେ ବନ୍ଧା ଗୋରୁଗାଈଙ୍କୁ କୁଣ୍ଡାପାଣି, ନଡା ଘାସ ଖୁଆଇବା କଥା। ପିଠାପଣାରେ ତାଙ୍କର ମଧ୍ୟ ଭାଗ ଥାଏ।
କଣ ହେଲାକିରେ ଈନ୍ଦର?
ଦେଈ ତୁମେ ଜଲଦି ଆସ, ଭାଇଙ୍କୁ ଡାକ ପକାଅ। ମୁଁ ଏଠି ଜଗିଛି। ମୁଁ ଯାଇ ପାରିବି ନାହିଁ।
କଣ କିଛି ଅଜବ ଜନ୍ତୁ ଜାନୁଆର ବାଡିପଟେ ବାହାରିଛିକି? ହଠାତ କାହିଁକି ଏମିତି ଭାବନା ମନକୁ ଆସିଲା କହିହେବ ନାହିଁ। ମାଆ କାମଛାଡି ଝପଟି ଗଲେ। ତାଙ୍କୁ କିଛି ବୁଦ୍ଧି ବାଟ ଦେଖାଗଲା ନାହିଁ। ବୁଢୀମା ଦାଣ୍ଡ ପାଖକୁ ଯାଇ ପୁଅ ନାମଧରି ହୁରି ପକାଇଲା। ଆମେ ଯେତେ ଭାଇ ଭଉଣୀ ଯେଉଁଆଡେ ଥିଲୁ ଘରକୁ ଦୌଡିଲୁ। ସାନମାମୁଁ ବି ଭଉଣୀ ଘରକୁ ଆସିଛନ୍ତି। ବଡଦେଈ ଓ ଭିଣୋଇ ଆସିଥାନ୍ତି ସମସ୍ତେ ଘଟଣା ସ୍ଥଳରେ ଉପସ୍ଥିତ ହେଲେ।
କୈଳାସ ମାମୁଁ, ଈନ୍ଦ୍ରମଣିଙ୍କ ଉପରିସ୍ଥ, ଓ ଘରର ନିଜଲୋକ ପ୍ରାୟ ସହାୟକ, ଏକ ମସ୍ତବଡ ଠେଙ୍ଗା ଧରି ଠିଆ ହୋଇଥାଏ। ତେବେ ବାପା ନପହଞ୍ଚିବା ପର୍ଯ୍ୟନ୍ତ ସମସ୍ତେ କିଂକର୍ତ୍ତବ୍ୟବିମୁଢ।
ବାପା ଆସି ପହଞ୍ଚିଲେ।
ଦୃଶ୍ୟଟି ଥିଲା ଏମିତି। ବାଡିର ଦକ୍ଷିଣ ପଶ୍ଚିମ କୋଣରେ ଥାଏ ଖତ ଗାଡିଆ। ଏ ଖତଗାଡିଆ ଓ ସନ୍ନିକଟ ବାଉଁଶ ବୁଦା ମଧ୍ୟରେ ଥାଏ ଅପେକ୍ଷାକୃତ ଖାଲୁଆ ଭୂମି। ଘରବାଡିର ବର୍ଷା ପାଣି ଏହି ବାଟ ଦେଇ ଗଡିଯାଏ ଦକ୍ଷିଣତମ ପ୍ରଦେଶରେ ଅବସ୍ଥିତ ତିନି କୋଣିଆ ପୋଖରୀକୁ। ସେହି ପାଖରେ ଥାଏ ଏକ ପିଜୁଳି ଗଛ ଓ ଆରିସା ବୁଦା। ପିଜୁଳି ଗଛଟି ତାର ସ୍ବାଦିଷ୍ଟ ଖସମସ ହୋଇ ଚୋବେଇ ହୋଇପାରୁଥିବା ଫଳ ଅନୁସାରେ କାକୁଡିଆ ଗଛ।
ଆରିସା ବୁଦାଟି ପରିବାରରେ କାହାକୁ କେବେ ହୋଇଥିବା ଅର୍ଶ ବେମାରିର ପ୍ରତିକାର ଉଦ୍ଦେଶ୍ୟରେ। ଆରିସା ବୁଦାକୁ ଲାଗିରହିଥାଏ ମଣ୍ଡାଫୁଲର ଗଛ। ସେ ଯେଉଁ ପିଆଜ ଚୋପା ରଙ୍ଗର ବଡ ବଡ ନେନ୍ଥାପ୍ରାୟ ଦେଖାଯାଉଥିବା ଫୁଲ। ବାଉଁଶ ବୁଦା, ଆରିସା ବୁଦା ଓ ପିଜୁଳି ଗଛ ଯେଉଁ ତ୍ରିକୋଣ କରିଥାନ୍ତି ତାହାର ମଧ୍ୟଭାଗରେ ଥାଏ ଧାନଉଁସା ଚୁଲି ଦୁଇଟି। ତେବେ ସେବର୍ଷର ଧାନଉଁସା ମାଘ ଫଗୁଣରୁ ସରିଲାଣି। ଆଉ ଟିକେ ଦକ୍ଷିଣକୁ ଥାଏ ଏକ ଦୁର୍ବଳିଆ ବେଲଗଛ। ପାଣି ନାଳ ତଥା ଖତଗାଡିଆ କଡରେ ଅନେକ ବର୍ଷ ହେଲା ଥିବା ସତ୍ତ୍ଵେ, ଏହା ଉଧାଏ ନାହିଁ। ସମସ୍ତେ କହନ୍ତି ବାଉଁଶ ଚେର ଯେଉଁ ପର୍ଯ୍ୟନ୍ତ ଯାଏ, ଅନ୍ୟ ଗଛ ତହିଁ ବଢେନାହିଁ। ସେହି ବେଲଗଛ ମୂଳେ, ଏକ ବିଶାଳ ନାଗସାପ ତାର ଫଣାଟେକି ନିଶ୍ଚଳ ଠିଆ ହୋଇଥାଏ। ଈନ୍ଦ୍ରମଣି ପ୍ରଥମେ ଡାକଦେବା ସମୟରୁ ସେପର୍ଯ୍ୟନ୍ତ ସେ ନିଶ୍ଚଳ ଫୁତ୍କାର ଛାଡୁଥାଏ। ତା ସାମ୍ନାରେ ଠିଆ ହୋଇଥାଏ ଆମ ସୁବିଖ୍ୟାତ କୁନିନ୍ଦା ଗାଈ। ଭାଉଜଙ୍କ ଗ୍ରାମ ଅନୁସାରେ ତାହାର ନାମ। ସେ ମଧ୍ୟ କେବେ ଶୁଣାଯାଇନଥିବା ଏକ ଅଦ୍ଭୁତ ଶବ୍ଦ ସୃଷ୍ଟିକରୁଥାଏ। ନା ଆଗକୁ ଯାଉଥାଏ ନା ପଛକୁ ହଟୁଥାଏ। ମଝିରେ ମଝିରେ ମୁହଁ ବୁଲାଇ ତା କଅଁଳା ବାଛୁରୀକୁ ଚାହୁଁଥାଏ। ଯେମିତି ତାକୁ ଆକଟ କରୁଥାଏ; ଖବରଦାର, ଆଗକୁ ଯିବୁନି, ଆଗରେ ବିପଦ। ।
ବାପା ପ୍ରଥମେ ସାପକୁ ଠେଙ୍ଗା ଦେଖାଇ ଡରାଇଲେ। ସେ ଅଧିକ ଶବ୍ଦ କଲା, ଠେଙ୍ଗାକୁ ଚୋଟ ମାରିଲା ସିନା ହଟିଲା ନାହିଁ।
ବାପା କହିଲେ, ବାଛୁରୀଟିକୁ ଗୁହାଳକୁ ନେଇଯାଅ।
କୈଳାସ। କୈଳାସ ମାମୁ ସେମିତି କଲାପରେ , ଗାଈଟି ବି ଛାଆଁକୁ ଚାଲିଗଲା ଗୁହାଳକୁ। ଧେନୁ ପଛେ ପଛେ ବତ୍ସା ବଦଳରେ ବତ୍ସା ପଛେ ପଛେ ଧେନୁ। ଗୋମାତା ଆଶ୍ବସ୍ତ, ବାଛୁରୀ ଏବେ ସୁରକ୍ଷିତ।
ସେପଟେ ସାପ ମଧ୍ୟ ମୋଡି ମାଡି ହୋଇ ଗଛମୂଳେ ନିଜକୁ ଆୟତ୍ତ କଲାସିନା, ଠେଙ୍ଗା ମାଡକୁ ଡରି ପଳାଇ ଗଲାନି।
ଗ୍ରାମରେ ଥାଏ ଜୀବେ ଦୟା ଭାବ। ଦେଖିଲା ସାପ ଗାତକୁ ଛାଡିବା କଥା ନୁହେଁ; ଏ ଭାବନାଟି ଆମ ଗ୍ରାମ ପାଇଁ ପ୍ରଯୁଜ୍ୟ ନୁହେଁ। ପୁରୁଷାନୁକ୍ରମିକ ଗ୍ରାମରେ ଅଛନ୍ତି ସାପୁଆ ସାହି ବା ସିଂ ସାହି। ସେମାନେ ସାପକୁ ଧରି ନିଅନ୍ତି। ପେଡିରେ ପୁରେଇ ଗାଁ ଗାଁ ବୁଲେଇ ଖେଳ ଦେଖାନ୍ତି।
କଂସର ଘରଣୀ, ପଦ୍ମାବତୀ ରାଣୀ,
ସେ କଲା ଧନତିରି ଓଷା,
ଲକ୍ଷେ ଭାର ପଦ୍ମ ଦେବୁରେ କହ୍ନାଇ,
ନଥିବ ପାଖୁଡା ମିଶା।
ରାମ କି ଗୋବିନ୍ଦ, ଭାଲେ, ଆରେ ଦେଖା ତୋ ବେଙ୍ଗ ଖିଆ ପାଟି। ବାମ ହାତରେ ଡମ୍ବରୁ, ଡାହାଣ ହାତରେ ସାପ ପେଡିର ଢାଙ୍କୁଣି ଧରି ଗୋଟିଏ ଗୋଡରେ ବସି ଆର ଆଣ୍ଠୁଟିକୁ ଏମିତି ହଲାଏ ସାପୁଆ, ବୁଝି ହୁଏନି ସେ ସାପକୁ ଖେଳାଉଛି କି ସର୍ପ ତାକୁ ଖେଳାଉଛି।
ଆଜି ରଜ ମଉଜ ସେମାନେ ସବୁ ସାହିରେ ଥିବେ। କିଏ ଜଣେ ଦୌଡିଲା, କସ୍ତୁରା ଆଡି ଓ ମଙ୍ଗଳା ଦେଇ ସିଂ ସାହିକୁ। ଗନ୍ଧର୍ବ ସିଂ ସଙ୍ଗେ ସଙ୍ଗେ ହାଜର।
ଟିକେ ନିରୀକ୍ଷଣ କରି ମୁହଁ ଆମ୍ବିଳା କରି କହିଲା, ଏ ଜାତିଆ ସର୍ପ ଅଣ୍ଡା ଦେଇଛି। ଧରିବା ବହୁତ କଷ୍ଟ।
ଏଁ ଅଣ୍ଡା ଦେଇଛି!
ସମସ୍ତେ ନିର୍ବାକ ଦେଖାଗଲେ। ଏଥିକୁ କି କର୍ତ୍ତବ୍ୟ ଜାଣିବା ପାଇଁ ବାପାଙ୍କ ଆଡକୁ ଚାହିଁଲେ। ସେତେବେଳକୁ ସାହିର ଅନ୍ୟ ମୁରବି ଲୋକେ ପହଞ୍ଚି ଥିଲେ। ବାପା ସେମାନଙ୍କ ଆଡକୁ ଅନାଇଲେ।ସମସ୍ତଙ୍କ ମୁଁହରେ ଭୟ। କେଜାଣି କେତେ ଗଣ୍ଡା ଅଣ୍ଡା ଦେଇଥିବ, ବୋଧହୁଏ ସେମାନେ ଭାବୁଥିଲେ ସାପ ଛୁଆ ମାନେ ଭାଗ ଭାଗ ହୋଇ ସମସ୍ତଙ୍କ ଘରେ ବାସ କରିବେ।
ଏ ସର୍ପ ତାହେଲେ ଏଇଥିପାଇଁ ଏତେ ବିଚିତ୍ର ବ୍ୟବହାର ଦେଖାଉଥିଲା। ବୋଧହୁଏ ସେ ବି ଭାବୁଥିଲା (ଯଦି ତା'ର ଭାବିବାର ଶକ୍ତି ଥାଏ); କାଳେ ଗାଈ ମାଡି ଆସି ତା ଖୁରାରେ ଅଣ୍ଡାତକ ଦଳନ କରିଦେବ! ସେ ସେଇଠି ରହି ଶବ୍ଦ କରୁଥିଲା ସିନା, ନା ଆକ୍ରମଣ ପାଇଁ ଆଗେଇ ଯାଉଥିଲା ନା ଠେଙ୍ଗାକୁ ଭୟ କରି ଗାତରେ ପଶୁଥିଲା ଅବା ଦୌଡି ପଳାଉଥିଲା।
ଜଣେ ଚତୁଷ୍ପଦ ଓ ଆଉଜଣେ ଶ୍ବାପଦ ନିଜ ମାତୃତ୍ବର କରୁଣାକୁ ସାକାର କରୁଥିଲେ।
କିନ୍ତୁ ମଣିଷ, ହୋଇଯାଇଥିଲା କିଂକର୍ତ୍ତବ୍ୟବିମୁଢ।
ସମସ୍ତେ ନୀରବ। ଗନ୍ଧର୍ବ ସିଂ କାହାର ଅନୁମତି ନେବାର ଆବଶ୍ୟକତା ଅନୁଭବ କରିନଥିଲା। ସାପ ବାବଦରେ ତା ପରାମର୍ଶ ସମସ୍ତେ ସିନା ଗ୍ରହଣ କରିବେ, ସେ ପୁଣି କାହାଠୁ ଉପଦେଶ ନେବ।
ତା'ର ପରାମର୍ଶ ନମାଗିବା ବି ସେ ସମୟରେ ବାପାଙ୍କ ସମେତ ଅନ୍ୟ ସମସ୍ତଙ୍କୁ ସମ୍ଭବତଃ ଆଶ୍ବସ୍ତ କରିଥିବ।
ଅନ୍ୟ ଦିନ ମାନଙ୍କରେ ସେ ପଦ ଡାକେ। ସାପ ବାହାରି ଆସେ, ଅତି ସାଧାରଣ ଭାବେ ଗୋଟିଏ ବାଡିଧରି ସାପର ମୁଣ୍ଡ ଉପରେ ଚାପି ଧରି ଆର ହାତରେ ଲାଞ୍ଜଟିକୁ ଟେକି ଧରେ ଏକ କାଳୀନ। ସାପର ହଲଚଲ ହେବାକୁ ଜୁ ନଥାଏ। ଆଜି ସେ ସବୁ କାମ ଦେବନି। କିନ୍ତୁ ସେ ସାପୁଆ, ତା ଆଖିରେ ନିଶା, ଆହ୍ବାନ ଦୁର୍ବାର। ସେ ହାରିବ ନାହିଁ, ସେ ମଣିଷ। ଯେମିତି ହେଲେ ସେ ଆୟତ୍ତ କରିବ। ପାଇକଛା ମାରିଛି, ମୁଣ୍ଡରେ ଠେକା, ନାଲି ଗାମୁଛାଟିଏ ଅଣ୍ଟାରେ କସିକରି ବାନ୍ଧିଛି। ଏକ ଛୋଟ ଫାଉଡାରେ ସେ ପ୍ରଥମେ ଗୋଟିଏ କଡରୁ ଖୋଳିବାକୁ ଲାଗିଲା। ସାପ ପୂର୍ବ ଭଳି ଫଣା ବାହାର ନକରି ସେ ଭିତରେ ଲୁଚିଯିବାକୁ ଚେଷ୍ଟା କଲା। ଗନ୍ଧର୍ବ ଚିଲ ଭଳି ଅନାଇ ଥାଏ। ସାପର ଲାଞ୍ଜକୁ କେମିତି କେଜାଣି ବାମ ହାତରେ ଧରି ପକାଇଲା ଓ ଧୀରେ ଧୀରେ ଟାଣିଲା। ସମସ୍ତେ ତଟସ୍ଥ ହୋଇ ଚାହିଁଥାନ୍ତି। ଡାହାଣ ହାତରେ ଥାଏ ତାହାର ବାଡି। ସାପକୁ ଟିକେ ଟିକେ କରି କ୍ରମଶଃ ଝିଙ୍କି ଝିଙ୍କି ଆଣିଲା। ବାଡିର ବ୍ୟବହାର କରୁଥାଏ ସାପ ଯେମିତି ଓଲଟି ପଡି ଆକ୍ରମଣ ନକରିବ। ପ୍ରାୟ ଦୁଇଫୁଟ ଟାଣି ଆଣିଲା ପରେ ଜଣା ପଡିଲା ପରବର୍ତ୍ତୀ କାମ ସହଜ ହୋଇ ଆସିଲା ଓ ଶେଷରେ ସର୍ପ ଆୟତ୍ତ। କଳସିଟିଏ ତାପାଇଁ ରଖାଯାଇଥାଏ। ସେ ଦେଖେଇବା କ୍ଷଣି ସାପ ତା ମନକୁ ମନ କଳସି ମଧ୍ୟକୁ ପଶିଗଲା। ଗନ୍ଧର୍ବ ଏକ ମୋଟା କପଡାରେ କଳସି ମୁହଁକୁ ବନ୍ଦ କରିଦେଲା।
ସମସ୍ତଙ୍କର ଉତ୍ସାହ ଏବେ, ସତରେ ସାପ ଅଣ୍ଡା ଦେଇଛି କି ନାହିଁ। ସାପ ଅଣ୍ଡା ଓଭୋଭିଭିପାରସ ଅର୍ଥାତ ଏ ଡିମ୍ବ ମଧ୍ୟରେ ଛୁଆ ହୋଇଥିବା ଅବସ୍ଥାରେ ଏହା ବାହାରକୁ ଆସିଥାଏ। ଅଣ୍ଡାଗୁଡିକ ବଡ ଡଙ୍କି ଦ୍ବାରା ଏକ ପାଛିଆ ମଧ୍ୟରେ ରଖାଗଲା। ଗଣି ଗଣି ଏକୋଇଶଟି। ଅର୍ଦ୍ଧାଧିକ ଫାଟିଯାଇ ତତ୍କ୍ଷଣାତ।ତହିଁରୁ ବାହାରିଲେ ନବଜାତ, ଚଞ୍ଚଳ ଶାବକ ସର୍ପ। ସବୁ ପାଛିଆରେ ରହିଲେ। ଗନ୍ଧର୍ବ ସ୍ତ୍ରୀ କଳସିକୁ ଓ ସେ ପାଛିଆକୁ ଧରି ଚାଲିଲେ। ସଭିଏଁ ଜାଣିଲେ ସେ ଛୁଆତକ ପାଳିବ।
ପରଦିନ ଜଣା ପଡିଲା ସେ ଛୁଆଙ୍କୁ ନେଇ ଦୂର ଚାଷଜମିରେ ଛାଡି ଦେଇ ଆସିଥିଲା।
ସେମାନେ କଣ ବଞ୍ଚିଥିବେ?
ଏ ବାବଦରେ କେହି ଆଲୋଚନା କଲେ ନାହିଁ। ଅନୁଭବ କରି ହେଉଥିଲା, ସମସ୍ତଙ୍କ ମନ ଶୋକ ସନ୍ତପ୍ତ। ବିଶେଷ କରି ମାଆର ମନ।
ମାଆ, ଏ ମାଆ ସେ ଛୁଆତକ ବଞ୍ଚିବେ କି ନାହିଁ? ରଜ ବର୍ଷା ହୋଇଯାଇଛି, ବର୍ଷା ତାଙ୍କୁ ଉପକାର ଦେଇଥିବ ନା ମାରି ଦେଇଥିବ? ସେଦିନ ଯେମିତି ଆକାଶରୁ ମାଟିଆଚିଲ ଖସି ଆସି ଝାମ୍ପି ନେଇଥିଲା କୁକୁଡା ଚିଅଁ ସେମିତି ଏ ଟିକି ଟିକି ନାଗଛୁଆଙ୍କୁ ଝାମ୍ପି ନେଇନଥିବ ତ। ଆଛା ରାତି ହୋଇ ଆସିଥିଲା ଚିଲ, ଗିଧ କି ଛଞ୍ଚାଣ କେଉଁଠୁ ଆସିବେ? ଆଛା ମାଆ, ପେଚା ଯେ ରାତିରେ ବାହାରେ। ପେଚା, ବାଦୁଡିଙ୍କ ଭଳି ପିଜୁଳି ଖାଏ ନା ମୁଷା, ବେଙ୍ଗ ଖାଏ? ଏମିତି ନାନାଦି ପ୍ରଶ୍ନ ଆମେ ପିଲାଏ ପଚାରିଲେ ବି ମାଆ କିଛି ଉତ୍ତର ଦେଇ ନଥିଲା। ରଜର ଉତ୍ସାହ ଆଉ ଥିବା ଭଳି ଜଣା ପଡୁନଥିଲା।
ସେ କେବଳ କହୁଥିଲା, ସାପ ଛୁଆ ମାଆଠୁ କ୍ଷୀର ଖାଏନି, ନିଜେ ପୋକ ଜୋକ ଖାଇ ବଞ୍ଚି ପାରିବେ। କଥା ତାହାର କିନ୍ତୁ, ଛୁଆଙ୍କୁ ଭଣ୍ଡେଇବା ଭଳି ଜଣା ପଡୁଥିଲା।
ଏ ବିଷୟରେ କେହି ଯେମିତି ଆଲୋଚନା କରିବାକୁ ଆଦୌ ପସନ୍ଦ କରୁନଥିଲେ।
ବହୁଦିନ ପରେ, ଗନ୍ଧର୍ବ ସେହି ସାପକୁ ଖେଳାଉଥିଲା, ଅନ୍ୟ ଯେକୌଣସି ନାଗୁଣୀଙ୍କ ପରି ବେଶ୍ ସ୍ବଭାବିକ। କକା ତୁମେ ମିଛୁଆ, ଛୁଆ ଗୁଡାକୁ ପାଳିବ କହି ବିଲରେ ଛାଡିଦେଲ?
ଗନ୍ଧର୍ବ ଦାନ୍ତ ନିକୁଟି କହିଲା, "ତୁମେ ବାବୁ ଆଦୌ ବ୍ୟସ୍ତ ହୁଅନି, ମୁଁ ତା ବ୍ୟବସ୍ଥା କରିଦେଇଛି, ସେମାନେ ସେହି ବିଲରେ ବୁଲୁଥିବେ, ଗାଁ ଆଡେ ଆସିବେ ନାହିଁ। ଡରିବାର କିଛି କାରଣ ନାହିଁ।"
ଡର? ଗନ୍ଧର୍ବ କାକା ତାହେଲେ ଏଇଆ ବୁଝିଲା!
ଅନେକ ଦଶନ୍ଧି ଚାଲିଗଲାଣି। ଦରବୁଢା ହୋଇ ସାରିଲୁଣି, କିନ୍ତୁ ସେ ସର୍ପର ଫଣା ଏବେବି ଦିଶିଯାଉଛି।
ଆଜି ପ୍ରସିଦ୍ଧ ଗାଳ୍ପିକା ଅର୍ଚ୍ଚନା ନାୟକଙ୍କ, 'ଶାପମୁକ୍ତି' ଗଳ୍ପଟି ପଢିଲି। ଗୋଟିଏ ଗର୍ଭିଣୀ ନାଗୁଣୀକୁ ମାରିଥିବା ଲୋକଟି କେତେ ଅଭିଶାପର ଶୀକାର, ତାହା ସେ ଗଳ୍ପ କହୁଛି। ବିଜୁଳି ବେଗରେ ଦେହରେ ତରଙ୍ଗ ଖେଳିଗଲା। ଚକ୍ଷୁ ଆଦ୍ର। ନା ନା, ଆମେ ସେମିତି କରିନୁ। ଆମେ ଯାହା କରିଛୁ ଅତ୍ୟନ୍ତ ସ୍ବଭାବିକ, ସମ୍ଭବତଃ ସମସ୍ତଙ୍କର ମଙ୍ଗଳ ତହିଁରେ ଥିଲା। ସେ ଛୁଆ ମାନେ ବଞ୍ଚି ନଥିବେ ବୋଲି ଆମେ କାହିଁକି ଭାବିବା? ତେବେ ସାଂଘାତିକ ଅହେତୁକ ଭାବନାଟି ଆସି ବିଦୀର୍ଣ୍ଣ କରୁଥିଲା ହୃଦୟକୁ। ମାଆ ମାଆ, ତୁ ଆଉ ନାହୁଁ, ତୁ ବି କଣ ସେ ସର୍ପର ଅଭିଶାପ ସହିନେଲୁ, ବାପା ମାଆଙ୍କ ଆଖି ଆଗରେ ଆମ ଦେବପ୍ରତିମ ସନ୍ୟାସୀ ଭାଇ ଅକାରଣେ ଅଧା ବୟସରେ ଚାଲିଗଲେ। ବୋଧହୁଏ ସେଇଠି ସମାପ୍ତ ଏ ଅଭିଶାପ, ଏକ ମହତ ଆତ୍ମାର ବଳିଦାନ ଆମ ସମସ୍ତଙ୍କ ପାଇଁ ଶାପମୁକ୍ତି।
ଏ ସନ ଆଉ ତିନୋଟି ଦିନପରେ ରଜ। ତୋ ବିହୁନେ ରଜ ଆଉ ରଜ ନୁହେଁ, ତୋ ଅବର୍ତ୍ତମାନରେ ବୁଝି ହେଉଛି, ମାଆ କଣ, ବୟସ ନିର୍ବିଶେଷରେ ଓ ଜୀବର ପ୍ରକାର ନିର୍ବିଶେଷରେ।
ଏ ମାଆ!

No comments:
Post a Comment