Search This Blog

Thursday, 18 December 2014

ଯାଯାବର ଦୁନିଆ.... ଏହା ପାକିସ୍ତାନରେ ଘଟିଥିବା ଆତଂକବାଦୀ ଆକ୍ରମଣରେ ମୃତ ଶିଶୁମାନଂକ ସ୍ମୃତ୍ତିରେ ଶ୍ରଦ୍ଧା ନିବେଦିତ)

ଯାଯାବର ଦୁନିଆ, ତା.14.12.14. ରୁ 18.12.14.

ଜୀନୁ ଚୁପ ଚୁପ ବିଛଣା ଛାଡିଲା, ଉଦୁଉଦିଆ ଦ୍ୱିପ୍ରହର, ରଜପର୍ବ ଆଉ କେତେଦିନ ବାକି ଅଛି, ବାଡି ଆଡକୁ ଗଲା, କେତେ ଆମ୍ବ ପାଚିଛି, ଗୁଣ୍ଡୁଚି ମୂଷାଗୁଡା ପାଚିଲା ଆମ୍ବ ଖାଉଖାଉ ଗୋଟେ ଗୋଟେ ତଳେ ପଡିବ, ପବନ ବହି ଆମ୍ବ ଡାଳ ହଲିଲେ ଆମ୍ବ ପଡିବ,  ସେ ନଜଗିଲେ ହେବ କେମିତି। ଆଗବେଳ କଥା ଥିଲା ଅଲଗା, ଖରାବେଳେ ବିଛଣା ଛାଡି ପଛପଟ ବାଡି ଆଡେ ଗଲେ ବାପା ରାଗନ୍ତି, କୋଳରେ ପୁରାଇ ବାବନାଭୁତ ଗପ କହି ଡରାନ୍ତି, “ ଜମା ଯିବୁନାହିଁ, ଧୁଳି ବାଲି ଶୁଖିଲା ପତର ସବୁ ବାବନାଭୁତ ଉଡାଏ, ବେଳେ ବେଳେ ଦୁଷ୍ଟ ପିଲାଂକୁ ଉପରକୁ ଶୁଖିଲା ପତ୍ର ପରି ଉଡାଇ ନେଇ ଦୁଲକିନା କଚାଡି ଦିଏ, ଜମା ଯିବୁନି”। ଜୀନୁ ସୁନାପିଲା ଭଳି ହଁ ମାରେ କିନ୍ତୁ ବାପା ଘୁଂଗୁଡି ମାରିଲେ ସେ ଅତି ସୁନାପିଲା ପରି ଚୁପ ଚୁପ ଖସି ଯାଏ ପ୍ରାୟ ସବୁ ଦିନ। ସେ ବାବନାଭୁତକୁ ଡରେ କିନ୍ତୁ ସେ ଜାଣିଛି ତା ବାପା ଘରେ ଥିଲେ ବବନା ହେଉକି ଖାବନା ହେଉ ସବୁ ଭୁତ ତା ବାପାଂକୁ ଡରିବେ। ବାପାଂକ ପାଇଁ ମନଟା ଡହଳ ବିକଳ ହେଲା। ଇଛା ହେଲା ଉଚ୍ଚ ସ୍ୱରରେ ଡାକିବ ବାପା ବାପା । ବାପା କହୁଥିଲେ ଛୋଟ ପିଲା ଅଳି କଲେ ଭଗବାନ ଶୁଣଂତି। ଭଗବାନ ବାପାଂକୁ ନେଇଗଲେ ଆଉ ଫେରାଇଲେ ନାହିଁ। ଏଇଟା କଣ ଭଲ ହେଲା ଭଗବାନ!

ଖରା ଓ ଏତେ ଖରା! ମାଟି ତାତିଛି ଖାଲିପାଦରେ ଚାଲିହେଉ ନାହିଁ। ଜୀନୁର ଛିଣ୍ଡା ଚପଲ ହଜି ଯାଇଛି। କିଏ ଆଣିଦେବ ,ସେ ବୁଝି ସାରିଛି ମା ପାଖରେ ଅଳିକଲେ ମା ଖାଲି କାଂଦିବ। ଆରେ ଏ କଣ, ସେ କେତେବେଳୁ କାଂଦିଲାଣି ତା’ବି ସେ ନିଜେ ବୁଝି ନାହିଁ। ସେ ଏହା ଭିତରେ ବୁଝିଗଲାଣି ଛୋଟ ପିଲାବି ବିନା ରାହାରେ କାଂଦି ପାରଂତି , ଏଇ ସେ ଯେମିତି କାଂଦୁଛି, ବାପା ବାପା ବିକଳ ହେଉଛି। କାହାକୁ ବା ଦୋଶ ଦେବ ତାରି ପାଇଁ ଗତବର୍ଷ ରଜ ଡ୍ରେସ ଫେରା ବଦଳା କରିବାକୁ ଗଲେ, ଭାଇ ଯିଦି କରି ସାଥିରେ ଗଲା, ଜୀନୁ ଏବେ ଜୋରରେ କାଂଦିଲା। ଟ୍ରକ ଗାଡି ଗୁଡା କି’କାରଣେ ରାସ୍ତାରେ ଚାଲୁଛନ୍ତି କେଜାଣି, ମଦୁଆ ମାନେ କାହିଁକି ଟ୍ରକ ଚଲାନ୍ତି ? ବାପା ଆଣିଥିଲେ ଫ୍ରକ , ତା’ର ଏକା ଜିଦ ସେ ଭାଇ ଭଳି ଜୀନ୍ ପ୍ୟାଣ୍ଟ ପିଂଧିବ, ଅଝଟ ଅସମ୍ଭାଳ ହେଲା, ବାପା ଭାଇ ଗଲେ ବଜାରକୁ,ମଦୁଆ ଡ୍ରାଇଭର ଟ୍ରକ ଧକ୍କାଦେଲା, ଦୁହେଁ ଆଉ ବଂଚିନଥିଲେ ଘରକୁ ବୁହା ହୋଇ ଆସିଲା ବେଳକୁ।

 ଜୀନୁ ସେଦିନୁ ଜିଦି କରିବା ଛ।ଡି ଦେଇଛି।

ତା ଆଗଦିନର କଥା କି ସୁଂଦର ଫ୍ରକଟିଏ ବାପା ଆଣିଥିଲେ, କି’ଶ ଦରକାର ଥିଲା ଅଝଟ କରିବାରେ, ଜୀନୁ କାଂଦିଲା, କାନ୍ଦି କାନ୍ଦି ଘର ଫଟାଇଲା, ଏକ ଜିଦ ସେ ଭାଇ ଭଳି ଜୀନ ପ୍ୟାଣ୍ଟ ପିଂଧିବ। ଅତି ହେଲାରୁ ବାପା ଚଟକାଣିଏ ଦେଲେ। ବିଛଣାରେ ମୁହଁ ମାଡି ଶୋଇ ଠାକୁରଂକୁ ଡାକିଲା ମନେ ମନେ, “ ହେ ପ୍ରଭୁ ମୋତେ ମାଡ ଦେଇଥିବା ବାପା ମରୁ ଜୀବନରୁ ମରୁ”। ଆଜି ଆଉ କାଂଦି ଲାଭ କଣ। କିନ୍ତୁ ପରଦିନ ବାପା ଗେଲ୍ହା କରି ବୁଝାଇ କହିଲେ ଠିକ ଅଛି ତୋ ପ୍ୟାଣ୍ଟ ଆସିବ । ଜୀନୁ ଅବଶ୍ୟ ତା ପୁର୍ବରୁ ଠାକୁରଂକୁ ଜଣାଇ ସାରିଥିଲା,   ”ପ୍ରଭୁ ମୋ ବାପା ଭାରି ଭଲ ମୁ ରାଗରେ କାଲି କହିଥିବା 'ବାପା ମରୁ' କଥାଟା ଫେରାଇ ନେଉଛି”। ତା ଛଡା ଏମିତିତ ସେ ଆଗରୁ ବହୁଥର ବାପାଂକୁ ଗାଳିଦେଇଛି, କେବେ ତ ଏପରି ହୋଇ ନଥିଲା।

ଜୀନୁ
ଗୋଡ ତାତି ଯାଉଛି, ଓଃ ତାତି, ନ ଗଲେ ନଚଳେ। ଡେରିକଲେ ଆମ୍ବତକ କିଏ ନେଇ ପଳାଇବ, ସେ ଦିନ ତ ଆଉ ନାହିଁ ଯେ ବାପା ଲୋକଂକୁ ଆମ୍ବ ବାଣ୍ଟିବେ। ତା ଟିକି ବୟସରୁ ସେ ଜାଣି ଗଲାଣି କେବଳ ଆମ୍ବ ନୁହେଁ ବାଡି ଘରୁ ମିଳୁଥିବା ପ୍ରତିଟି ଜିନିଷ ତାଂକ ପାଇଁ ହୋଇଛି ବହୁତ ଜରୁରୀ। ଏତେ ଖରା ସେ କେବେ ଦେଖି ନଥିଲା, ଝାଂଜି ପବନ ଦେହରେ ଫୋଡି ହୋଇ ଯାଉଛି, ଦେହ ସାରା ଘିମିରି ସାଲୁବାଲୁ,ପାଉଡର କେବେଠୁ ସରି ଗଲାଣି।

      (କି ଗପ ଲେଖିବି, କହାପାଇଁ ଲେଖିବି, ପାକିସ୍ତାନର ପେଶ୍ୱାରରେ ଆତଂକବାଦି ଆକ୍ରମଣରେ ଅନେକ ସ୍କୁଲ ପିଲା ମୃତ, ଭଗବାନ ସେମାନଂକ ପିତାମାତାଂକୁ ସାହାସ ଓ ଶକ୍ତି ଦିଅଂତୁ )

କିଂତୁ ସେ’ତ ପ୍ରଭୁଂକ ପାଖରେ ଶପଥ କରିଛି ଆଉ କୌଣସି ଚିଜ ପାଇଁ କେବେବି ଅଳି କରିବ ନାହିଁ। ସେ ଟିକେ ଆକାଶକୁ ଚାହିଁଲା, ସବୁ ତାତିକୁ ସୂର୍ଯ୍ୟ ଯେପରି ଏକ ପିଚକାରୀରେ ତା’ରି ଉପରକୁ ସ୍ପ୍ରେ କରୁଛନ୍ତି, ଏ ଦେବତା ଫେବତା ଗୁଡା ଯମା ଭଲ ନୁହଂତି , ନହେଲେ ତା ବାପାଂକୁ କାହିଁକି , ଭାଇକୁ କାହିଁକି ବଂଚାଇଲେ ନାହିଁ। ଈଛା ହେଉଥିଲା ହନୁମାନ ହୁଅନ୍ତାକି ସୂର୍ଯ୍ୟଟାକୁ ଗୋଟା ଗିଳି ପକାନ୍ତା, ତା’ର ଜାଣିବା ଉଚିତ, ସେ ଛୋଟ ପିଲା, ତା' ଦେହରେ ଏତେ ଘା ଏତେ ଘିମିରି, ତା'କୁ ଟିକେ ଦୟା କଲେ କଣ ଭଲ ହୁଅନ୍ତା ନାହିଁ।

ସେ ବୁଝି ପାରିଲା ନାହିଁ ଦୌଡି ଦୌଡି ଗଲେ ପାଦରେ କମ ଫୋଟକା ହେବ ନା ପାଦ ଥାପି ଥାପି ଗଲେ କମ ଫୋଟକା ହେବ।  ପୁଳାଏ କଦଳୀ ପତର ଛିଡାଇଲା ଗୋଟିଏ ପକାଇ ତା’ଉପରେ ପାଦ ରଖି ଆଗକୁ ଗଲା, ପୁଣି ପଛଟିକୁ ଆଗକୁ ଆଣି, ଏକ ଖେଳ ପ୍ରାୟ ଏକ ଦୁଇ ତିନ , ଏକ ଦୁଇ ତିନ କରି ଆଗକୁ ଆଗକୁ ଚାଲିଲା। ଆବଶ୍ୟକତା ମଣିଷ ମୁଣ୍ଡରେ ନୂଆ ବୁଦ୍ଧି ପୁରାଏ। ଛୋଟ ପିଲାଂକ କେତେ..., ନା..., ଏତେ... ଖେଳ।

ସବୁଠୁ ମିଠା ଗଛ ପାଖକୁ ଆଗେ ଯିବା ତାହାର ସବୁ ଦିନିଆ ଅଭ୍ୟାସ, ଆଉ ଦିଓଟି କଥା ପଛ। ଇସ ଆଜି କଅଣ ଏତେ ଆମ୍ବ ବିଛାଇ ହୋଇ ପଡିଛି। ପବନ କେତେବେଳେ ହେଲାକି, ନିଜକୁ ପ୍ରଶ୍ନ କଲା। ନାଇଁ’ତ । ଛାଡ ଯେମିତି ପଡୁ କଣ ଯାଏ ଆସେ, ଆମ୍ବତକ ଗୋଟାଇ ଘରକୁ ନେଲେ ଯାଏ।

ସେ ଗୋଟି ଗୋଟି କରି କନା ମୂଣାରେ ଭର୍ତ୍ତି କଲା। ହଟାତ ଗଛ ଉପରୁ କିଏ ଜଣେ କହିଲା , ଏ ପିଲା! ସେଗୁଡା ମୋର ତୁ କାହିଁକି ମୁଣିରେ ପୂରାଉଛୁ।

ଜୀନୁ ଚମକି ପଡିଲା, ହାଉଳି ଖାଇଥାନ୍ତା, ବାପାଂକ କଥା ମନେ ପଡିଗଲା, ଯେଉଁ ପିଲା ବାବନା ଭୁତକୁ ଜମା ନଡରେ ଭୁତ ତାର କିଛି କରି ପାରେ ନାହିଁ।

ଉପରକୁ ସନ୍ତର୍ପଣରେ ଚାହିଁଲା, ଗଛର କେତେ ଅଗରେ ଆଂଗୁଳି ସରୁ ଡାଳରେ ଫୁଂଗୁଳା ଦେହରେ କିଏ ଗୋଟାଏ ବେପରୁଆ ହୋଇ ବସି ଆମ୍ବଟିଏ ହାତରେ ଧରି ଖାଉଛି। ଜୀନୁ ଗଛ ଚଢେ, କିନ୍ତୁ ଏତେ ଉଚ୍ଚକୁ! ନା ତାଂକ ଗାଁ’ଟା ସାରାରେ କେହି ଜଣେବି ଏମିତି ସରୁ ଡାଳକୁ ଯାଇପାରିବେ ନାହିଁ। ଏଇଟା ନିଶ୍ଚେ ବାବନା, ତାଛଡା ତାଂକ ଗାଆଁ ଛୁଆ ଇଏତ ନୁହେଁ।

ଆଉଟିକେ ନିରିଖେଇକି ଅନାଇଲା, ଭୟ କାମିଗଲା, ସେଦିନ ଯେଉଁ ବାଉଁଶ ରାଣୀ ଖେଳ ହାଟ ପଡିଆରେ ଦେଖିଥିଲା ସେହି ଖେଳରେ ଏଇ ପିଲାଟା ଗୋଟେ ଦୋଉଡି ଉପରେ ଚାଲୁଥିଲା କେତେ ଚିକିମିକିଆ ଫ୍ରକଟିଏ ପିନ୍ଧି। ଆଜି ଫୁଂଗୁଳା ଦେହରେ ଚିହ୍ନି ହେଲାନାହିଁ । 

ଏଗୁଡାଂକର ସାହାସ ଭୁତଠୁ’ବି ଅଧିକ।

ତୁ କାହିଁକି ଆମ ଆମ୍ବ ଗଛରେ ଚଢିଛୁ?

ଗଛଟା କେମିତି କାହାର ହେବମ, ଆମେତ କେତେ ମୂଲକ ବୁଲୁଛୁ କେତେ ଗଛମୂଳେ ମାସ ମାସ ଧରି ଡେରା କରିଛୁ, କେଉଁଠି ହେଲେ କୌଣସି  ଗଛତ ଆମର ନୁହନ୍ତି ବୋଲି ଅଭିଯୋଗ କରିନାହାନ୍ତି, କିମ୍ବା କୌଣସି ମଣିଷବି ଆସି ଦାବି କରିନାହାନ୍ତି, ଉଠ, ହଟୋ, ଭାଗୋ! ବଡ ବିଚଳିତ ଏବଂ ଚମତ୍କୃତ ହେଲାଭଳି କହିଲା ପିଲାଟି। କହିଲାବେଳେ ସେ ଏପରୀ ବେପରୁଆ ହୋଇ ଦୁଇ ହାତ ଛାଡି ଦେଲାଯେ ଜୀନୁ ଡରିଗଲା, ଆଉ କହିଲା ପଡିପୁଡା ଯିବୁ ମତେ ଡର ଲାଗୁଛି।

ପିଲାଟା ହୋ ହୋ ହସିଲା, ସେ ପୁଣି ପଡିବ ଯିଏ ସରୁ ତାର ଆଉ ଦଉଡି ଉପରେ ଚାଲୁଛି, ଅଧିକ ବେପରୁଆ ଭାବେ କହିଲା।
ଜୀନୁ ଏଥର ଚିତ୍କାର କଲା, ତଳକୁ ଓହ୍ଲା କହୁଛି, ଆମ୍ବ ଫାମ୍ବ ଯାହା ନେବୁ ନେ ତଳକୁ ଆ, ଡର ଲାଗୁଛି, ପିଲାଟିର ଜୀନୁ ଉପରେ ଦୟାହେଲା କିମ୍ବା ସେବି ଭାବୁଥିଲା କାଳେ ଆମ୍ବତକ ହରାଇବ ଏଣୁ କ୍ଷୀପ୍ରଗତିରେ ଓଲ୍ହାଇ ଆସିଲା, ଏତେ ଜୋରରେଯେ ଜୀନୁର ଆଖି ଖୋସି ହୋଇଗଲା।

ତୁ ଆଗେ ପ୍ରଥମେ କହ ଗଛଟା କେମିତି ତମର ହୋଇପାରିବ, ତୁମେ କ’ଣ ଏହାକୁ କୁଆଡେ ସାଥିରେ ନେଇ ପାରିବ? ଆମେ ଗୋଟେ ଦୁନିଆରୁ ଖେଳସାରି ଆଉ ଦୁନିଆକୁ ଗଲେ ଆମ ମାଷ୍ଟର ସାଂଗରେ ସବୁ କଳାକାର, ମାନେ ମଣିଷ, ଛୁଆ ଓ ବଡ, ଆମ କୁକୁର, ମାଂକଡ, ବିଲାତି ମୂଷା, ଛେଳି, ଜିନିଷ ପତ୍ର ଆମ ଭ୍ୟାନ ଗାଡି ଓ ଡାଲା ଗାଡିରେ ବୋହିନିଏ ଏଗୁଡା ସବୁ ତା’ର ବା ଆମର। ଆଉ ଗୋଟିଏ ଦୁନିଆରେ ଖେଳ ସାରିଲେ ପୁଣି ସେଇଆ କରେ, କାହିଁ କେବେ ଗଛ’ତ ବୋହି ନିଏ ନାହିଁ। ତୁମେ କଣ ଗଛକୁ ନୂଆ ଦୁନିଆକୁ ବୋହି ନିଅ!

ଜୀନୁକୁ ପ୍ରଥମେ ହସ ତାପରେ କାନ୍ଦ ଲାଗିଲା କିନ୍ତୁ ସେ ପ୍ରସଂଗକୁ ନଯାଇ ପ୍ରଥମେ ପ୍ରଶ୍ନ କଲା ମୋ ନାମ ଯେମିତି ଜୀନୁ ତୋ ନାମ କଣ?
ମୋଗୁଲି, ମତେ ମାଷ୍ଟର ଡାକେ ମୋଗୁଲି।

ତୁ କ’ଣ ଜଂଗଲ ଜଂଗଲ ପତା ଚଲାହେ ବାଲା ମୋଗୁଲି, ଓ ସେଇଥି ପାଇଁ ଏତେ ଉପରକୁ ଚଢିବାକୁ ଡର ଲାଗୁ ନାହିଁ। ଜୀନୁ ଜୋରରେ ହସିଲା ଆଉ କହିଲା ତୁ ଦୁନିଆ ଛାଡିବା ମାନେ ବୁଝୁଛୁ ଯାଯାବର ପରି ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା, ଆମେ ସେମିତି କରୁନା। ଗୋଟିଏ ଜାଗାରେ ରହୁ, ଏଇଟା ଆମ ଘର , ଏଇ ଆମ୍ବଗଛ ଗୁଡା ଆମ ବାଡିରେ ଥିବାରୁ ଏହା ଆମ୍ଭର, ତେଣୁ ଏ ଗଛରୁ ତୁ ଆମ୍ବ ଖାଇଛୁ ମାନେ ଚୋରି କରିଛୁ।

 ଚୋରି କରିବା ମହାପାପ ଗୋଡାଇ ଖାଇବ ତମ୍ପ ସାପ।

ମୋଗୁଲି ବଡ ଆଶ୍ଚର୍ଯ୍ୟ ହେଲା, ଜୀନୁ କଣ ସବୁ ଅଜବ କଥା କହୁଛି, ଗୋଟିଏ ଜାଗାରେ କଣ ଭଲ ଲାଗୁଛି,ଲୋକେ ତୁମ୍ଭ ଖେଳ ଦେଖି ବୋର ହେଉ ନାହାନ୍ତି! ଘର ବାଡି ଏ ସବୁ କଣ କହୁଛୁ ଜୀନୁ ମୋ ମୁଣ୍ଡରେ ପଶୁନାହିଁ। ଗୋଟେ ଦୁନିଆରେ ବେଶି ଦିନ ରହିବା ଭଲ ନୁହେଁ। ରୋଜଗାର ହେବନାହିଁ ,ଖାଇବାକୁ ମିଳିବ ନାହିଁ।

ଦୁନିଆ ଛ।ଡିବା କାହାକୁ କହନ୍ତି ତାହା ତୁ ଜାଣିନୁ ମୋଗୁଲି, ଏ ମୁଲକରୁ ସେ ମୁଲକ ଯିବା ଦୁନିଆ ଛାଡିବା ନୁହେଁ, ମୃତ୍ୟୂରେ ଜଣେ ଦୁନିଆ ଛାଡେ। ମୋ ବାପା ମଲାବେଳେ ଲୋକେ ଏ କଥା କହୁଥିଲେ, ସେ ଯେଉଁ ଦୁନିଆକୁ ଯାଇଛନ୍ତି ସେଠାକୁ କିଛି ନେଇଯାଇ ପାରିବା ସମ୍ଭବ ନୁହେଁ।

 କେବଳ ତୁମ ଧର୍ମ ତୁମ ସାଂଗରେ ଯିବ, ଅବଶ୍ୟ ଧର୍ମ ମାନେ ଭଲ କାମ କରିବା, ତାହା କେମିତି ମୋ ବାପାଂକ ସାଂଗରେ ଗଲା ସେକଥା ଛୋଟ ପିଲା ବୁଝି ପାରିବେ ନାହିଁ, ଏକଥାବି ସେମାନେ ମୁଁ ପଚାରିଲେ କହୁଥିଲେ।

ତୋ ବାପା କଣ କରନ୍ତି ମୋଗୁଲି?

ମାଷ୍ଟର କହେ ମୋ ବାପା ମା କିଏ ତାହା ସିଏ ଜାଣି ନାହିଁ। ସେମାନେ କେଉଁ ଏକ ଦୁନିଆ ଅହମଦାବାଦରେ ଡେରା ପକାଇଥିଲେ ତହିଁ ଲାଗିଲା କଣ ବଡ ମାଡଫୌଦାରି, ଦଂଗା ଗୋଳ, ଗାଡି ମଟର ବଂଦ ରହିଲା, ସେମାନେ ବିନା ରୋଜଗାରରେ ପଡି ରହିଲେ। ଦିନକର ଘଟଣା ଜଣେ ଲୋକ ଧଇଁସଇଁ ହୋଇ ତାକୁ ଆଣି ମାଷ୍ଟରକୁ ଦେଲା ଏବଂ କହିଗଲା ମୁଁ କୁଆଡେ ତା  ବହୁ ଧନୀ ମାଲିକଂକ ଅଲିଅଳି ଝିଅ, ମୋ ଜୀବନ ବଂଚାଇବା ଦାଇତ୍ୱ ତା’ର। ସମୟ ନଥିଲା ଅଧିକ କଥା ହେବାକୁ। ତେବେ ଏହାକୁ ପାଠ ପଢାଇ ମଣିଷ କରିବ ଏକଥା ବି ଦାୟୀତ୍ୱ ଦେଇଥିଲା।

ମାଷ୍ଟର କହେ ତାଂକ ଭଳି ବାଉଁଶ ରାଣୀ ଖେଳ ଦେଖାଉ ଥିବା ଲୋକଂକ ପାଖକୁ କେହି ଦଂଗାକାରୀ ଆସିବେ ନାହିଁ ଏଣୁ ଯିଏ ତାକୁ ସେଠାରେ ଛଡିଲା ସେ ବୁଦ୍ଧିଆ, କିନ୍ତୁ ପାଠ କେମିତି ସେ ପଢି ପାରିବ ମାଷ୍ଟରତ ମୂର୍ଖ।

 ଆଛା ଜୀନୁ କହି ପାରିବୁକି ଦଂଗାକାରୀ ମାନେ କ’ଣ।

ଜୀନୁ ସେକଥା ଜାଣି ନଥିଲା ଅନୁମାନ କରି କହିଲା ଅସୁର ହୋଇଥିବେ! ସେ ଯେଉଁ ଗପ ସବୁ ଶୁଣିଥିଲା ତା ମଧ୍ୟରୁ ଅସୁର ମାନେ ଯାଇଥିଲେ ଶିଶୁ କୃଷ୍ନଂକୁ ମାରିବା ପାଇଁ।

ତୁ କଣ ସତରେ ପାଠ ପଢିବାକୁ ଚାହୁଁ? ତାହେଲେ ସଂଧ୍ୟାବେଳେ ଆମ ଘରକୁ ଆସୁନୁ, ମୋ ମା’ତ ଏବେ କେତେ ଛୁଆଂକୁ ଟିଉସନ କରୁଛି ଆମ ଘରେ। ମୋ ବାପା ମଲାପରେ ଆମେ ଭାରି ଗରୀବ ହୋଇଯାଇଛୁ, ସେଇଥିପାଇଁ ମା ଟିଉସନ କରୁଛି। ତୁ ଆସିବୁକି ମୋ ସାଂଗରେ ପଢିବୁ, ମୁଁ ମାକୁ କହିବି ମୋଗୁଲି ବି ମୋ ଭଳି ହୀନିମାନୀ ଛୁଆଟିଏ ତା’ଠୁ ପଇସା ନେବୁନାହିଁ।

ମୋ ଭାଇବି ମରିଗଲା ମୁ ଖେଳିବାକୁ ସାଂଗ ପାଉନାହିଁ।

ତୁ ମତେ ଦଉଡି ଉପରେ ଚାଲିବା ଶିଖାଇ ଦେବୁ।

ମୋଗୁଲି କହିଲା ମାଷ୍ଟରକୁ ପଚାରି ଏକଥା କହି ପାରିବ।

ଆମ୍ବ କଥା ଦୁହେଁ ଭୁଲି ଯାଇଥିଲେ।

ମୋଗୁଲିର ମାଷ୍ଟର ଓ ଜୀନୁର ମା ବୋଧେ କେତେବେଳୁ ଏକଥା ସେମାନଂକର ଅଲକ୍ଷ୍ୟରେ ଶୁଣୁଥିଲେ, ଉଭୟ ଠୋ ଠୋ ହସିବାରୁ କଥା ବଂଦ କରି ଦୁହେଁ ଦୁହିଁକର ଗାର୍ଜନ ମାନଂକ ପାଖକୁ ଆଉଜି ଆସିଲେ।

ମାତାଜୀ ! ଏ ମୋଗୁଲି କିଛି ଭୁଲ କଥା କହିନାହିଁ, ଟଂକାରବି ଅଭାବ ନାହିଁ। ଏ ଛୁଆ ସାଂଗରେ ସେ ଯେଉଁ ମୂଣାଟିଏ ପଠାଇଥିଲେ ତହିଁରେ ଶହେ ସତର ଭରିକିଆ ପୂରୁଣା କାଳିଆ ସୂନା ମୋହର ଥିଲା। ଲୋକଟା ପଛରେ ଦଳେ ଶସ୍ତ୍ରଧାରୀ ଦଂଗାକାରୀ ଆସି ପଚରା ଉଚ୍ଚରା କଲେ। ଯେତେଦୂର ସମ୍ଭବ ମୋଗୁଲି ମୁସଲମାନ ଘରର ଛୁଆ ଯାହାକୁ ହିଂଦୁ ଚାକରଟି ଜୀବନକୁ ବାଜୀ ଲଗାଇ ଉଦ୍ଧାର କରି ବଂଚିବର ବ୍ୟବସ୍ଥା କଲା। 

ଝିଅ ଛୁଆଟିକୁ କେଉଁଠି ଛାଡିବି, ପୁଣି ଏତେଗୁଡା ସୂନାମୋହର ଲାଳସାରେ ଯେ କେହିବି ତା’ର ହତ୍ୟା କରିପାରେ। ଏସବୁ ଭାବି ଭାବି ଆଜି ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇ ପାରୁ ନଥିଲି, ଭାବୁଛି ମୁଁ ସହି ଦୁନିଆରେ ପହଂଚିଛି।

 ଏହି ‘ଦୁନିଆ’ ଶବ୍ଦକୁ ନେଇ ଏଥର ଜୀନୁ ଆଉ ଜୀନୁ ମାଆ ଜୋରରେ ହସୁଥିଲେ।

 ଏ ପିଲାର ବହୁତ ବୁଦ୍ଧି ଏ ପଢିବା ଦରକାର୍, ଏହାଥିଲା ଜୀନୁ ମାଆଂକର ମନ୍ତବ୍ୟ।

ଏବେ ଉଭୟ ସପ୍ତମ ଶ୍ରେଣୀର ମେଧାବିନୀ ଛାତ୍ରୀ।

ମାଷ୍ଟର ଆସି ଦେଖି ଯାଏ, ଭାରି ଖୁସି ହୁଏ, ତା’କୁ ଲାଗେ ଭଗବାନ ଏହି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ତାକୁ ଏମିତି ଯାଯାବର କରିଥିଲେ ଏବଂ ତା ଜୀବନ ଧନ୍ୟ ହୋଇଛି।

ଜୀନୁମା ଏପର୍ଯ୍ୟନ୍ତ ସେ ସୂନା ମୋହର ଗୋଟିଏ ମଧ୍ୟ ଖର୍ଚ୍ଚ କରିନାହାନ୍ତି, ସବୁବେଳେ କୁହଂତି ମୋଗୁଲିକୁ ଡାକ୍ତର କରିବେ ଏବଂ ସେହି ଧନରେ ହସ୍ପିଟାଲଟିଏ କରିବେ। ଆଉ ଜୀନୁ ସେ ଚାହେଁ ଅଧ୍ୟାପିକା ହେବାପାଇଁ।

(ଗଳ୍ପଟି ପାକିସ୍ତାନରେ ଘଟିଥିବା ଆତଂକବାଦୀ ଆକ୍ରମଣରେ ମୃତ ଶିଶୁମାନଂକ ସ୍ମୃତ୍ତିରେ ଶ୍ରଦ୍ଧା ନିବେଦିତ)

1 comment:

  1. ମୋଗୁଲି ଏକ ଫଟୋ ଏବଂ ଜୀନୁ ମୋ ସାଥୀ ସୁବ୍ରତ ମିଶ୍ରଂକର ଚମତ୍କାର ।

    ReplyDelete