୨୨
ସେ ସିଧା କହିଲେ, - ସୁମୀ! ଆମେଦୁହେଁ ପରସ୍ପରକୁ ଗ୍ରହଣ କରିନେଲେ କ୍ଷତି କଣ? ମୋ ମନର ଭଲପାଇବାକୁ ଆଜି ପର୍ଯ୍ୟନ୍ତ କହି ପାରୁନାହିଁ ଖାସ ଗୋଟିଏ ଭୟରେ କି ତୁମେ ଯଦି ଅସ୍ୱୀକାର କରିବ, ଯଦି ଛାଡି ଚାଲିଯିବ! ତୁମକୁ ମୋ ଭଲପାଇବାର ବିଶ୍ୱାସ ଦେବାର ଆବଶ୍ୟକତା କିଛି ଅଛି? ତୁମେ ଏକ ପରିସ୍ଥିତିର ସମାଧାନ, ଏ ବିଚାର କରି ଏକଥା କହୁନି ସୁମୀ । ଅଂଶୁ କିମ୍ବା ମାଆଙ୍କ ଦୃଷ୍ଟିକୋଣରୁ ଏହା କହୁନି । ସେମାନଙ୍କ ପାଇଁ ହୁଏତ ତୁମର ଆବଶ୍ୟକତା ଥାଇପାରେ କିନ୍ତୁ ମୁଁ ମୋ ନିଜ ଭାବନା କହୁଛି, ଅଂଶୁଠୁ ମୁଁ ଅଧିକ ନିର୍ଭରଶୀଳ ତୁମ ଉପରେ । ତୁମକୁ ବାଦ ଦେଇ ମୋ ଜୀବନକୁ ଆଦୌ ଚିନ୍ତାକରିନି । ଆଜି ନୁହେଁ ସୁମୀ, ଅନେକ କାଳୁ ମୁଁ ତୁମକୁ ଭଲପାଉଛି ସୁମୀ । କିନ୍ତୁ ସେ କଥା ବି କହିପାରେନା, କ'ଣ ତୁମ ଉତ୍ତର ହେବ ସନ୍ଦେହ କରି । ତୁମେ ପରା ସେହି ବ୍ୟକ୍ତି, ବିଶ୍ୱଭାରତୀ ଗଲାପରେ ଚିଠିଟାଏ ବି ଦେଲନି । ମୁଁ କୌଣସି ରିସ୍କ ନେବାକୁ ଭୟ କଲି । ଆଜି କହିବାକୁ ବାଧ୍ୟ । କାରଣ, ମାଆ ଯଦି ଭିନ୍ନ ନିର୍ଣ୍ଣୟ ନେବେ, ଦୁନିଆ ମୋ ପାଇଁ ଅନ୍ଧକାର ହୋଇଯିବ । ତୁମେ କଣ ମୋତେ ସେ ପରିସ୍ଥିତିକୁ ଠେଲିଦେବ?
ତାପରେ ସେ ନୀରବ ହୋଇ ମୋ ଆଡେ ଚାହିଁ ରହିଲେ ଉତ୍ତର ଅପେକ୍ଷାରେ ।
ମୁଁ ମଥାନତ କରି ଠିଆ ହୋଇଥାଏ, କିଛି କହିବା ଅବସ୍ଥାରେ ନଥାଏ, ଆଖିରୁ ବହିଯାଉଥାଏ ଧାର ଧାର । ମୋ ନୀରବତାକୁ ସେ ବୁଝିଲେ । ଲୁହ ପୋଛିଦେଲେ । କିଛି ସମୟ ମୁଁ ସ୍ଥାଣୁ ଭଳି ଠିଆ ହୋଇରହିଲି । ସେ ସମୟ ମଧ୍ୟରେ ସମଗ୍ର ଜୀବନଟା ଯେମିତି ଆଉଥରେ ମୁଁ ଜୀଇଁଗଲି । ତଥାପି ମୁଁ ନୀରବ ରହିଲି ।
- ସୁମୀ, ତୁମକୁ କହିବାକୁ ପଡିବ ସୁମୀ, ମୋତେ ତୁମେ ଗ୍ରହଣ କରିବ କି ନାହିଁ?
ମୁଁ ଅନୁଭବ କଲି, ମୁଁ ତାଙ୍କୁ ଯନ୍ତ୍ରଣା ଦେଉଛି । ମୋ ମାୟାଧରଙ୍କୁ ମୁଁ କଷ୍ଟ ଦେବା ସମ୍ଭବ ନୁହେଁ । ଲଜ୍ଜା ଓ କୋହ ସମ୍ବରଣ କରି କହିଲି । - ଅମିନାର ଇଛା ରଖିବ? ତା ବାପା ସମ୍ବୋଧନ ସ୍ୱୀକାର କରିବ?
ଏତିକି କହି ମୁଁ ଦୌଡି ପଳାଉଥିଲି । ସେ ମୋତେ ପାଖକୁ ଭିଡିନେଲେ । ଇପ୍ସିତ ପୁରୁଷର ନିବିଡ ଆଲିଙ୍ଗନର ବନ୍ଧନରେ ମୋର ସମସ୍ତ ଅହଂ ଚୁରମାର ହୋଇଗଲା । ପୁର୍ବାଶାରେ ଫିଟି ଆସୁଥିଲା ସିନ୍ଦୁରା, ହୁଏତ ସମସ୍ତେ ଉଠିବେ ଏବେ । ମୁଁ କହିଦେଲି, -ଗୋପୀକୁ ଛାଡ ମାୟାଧର ।
ମାଆଙ୍କ କୌଣସି ନିର୍ଣ୍ଣୟ ପୂର୍ବରୁ ତାଙ୍କ ଏକ ମାତ୍ର ନନ୍ଦନ ମାଗି ଆଣିଲେ ବର । ଏ ଧରାଧାମରେ ହେବ ନର କିନ୍ନରଙ୍କ ମିଳନ । ବଡଭାଇ ଓ ବୋଉ କେବଳ ସମୟ ମାଗିନେଲେ ମୋ ବାପାଙ୍କ ମତନେବା ପାଇଁ, ଯାହା ମାତ୍ର ଥିଲା ଔପଚାରିକତା ।
ଅମିନା ସେହିଦିନଠୁ ଡାକିବା ଆରମ୍ଭ କରିଦେଲା,- ବାପା!
ମାଆଟିଏ, ବାପାଟିଏ, ଝିଅଟିଏ, ପୁଅଟିଏ, ଶାଶୁଘରଟିଏ ଓ ବାପଘରଟିଏ ।
ମହୁଲକୁସୁମରେ ଆନନ୍ଦ ଖେଳିଗଲା । ସମସ୍ତଙ୍କ ସହଯୋଗରେ ଧୁମଧାମରେ ମୋ ପରିବାର ଲୋକେ ଏ ବିବାହ ସମ୍ପର୍ଣ୍ଣ କରାଇଥିଲେ । ସୁଦାମ ସାର୍ କହିଲେ ଇତିହାସରେ ମହୁଲକୁସୁମ ଲିପିବଦ୍ଧ ହୋଇଗଲା ।
କାନକୁ କାନ ଏ ବାର୍ତ୍ତା ପ୍ରଚାର ହୋଇ ଅଖଣ୍ଡ ଭାରତର ମୋ କିନ୍ନର ସମାଜ ପାଇଁ ଆଣି ଦେଇଥିଲା ଆନନ୍ଦ । ଭୁବନେଶ୍ୱରରେ ଆମ ଅଭିନନ୍ଦନ ଭୋଜିରେ ସାରା କିନ୍ନର ସମାଜ ହର୍ଷ ଉଲ୍ଲାସରେ ଯୋଗଦେଲେ । ଜଗବନ୍ଧୁସାର୍, ପିଙ୍କି ଓ ତାଙ୍କ ପରିବାର, ମୋ ମିତ ଓ ତାଙ୍କ ସ୍ୱାମୀ, ଲକ୍ଷ୍ମୀମା, ଆମ ସମସ୍ତ ସାଙ୍ଗସାଥୀ, ସହକର୍ମୀ, କଳା ଜଗତର ଲୋକେ ଆମକୁ ଅଭିନନ୍ଦନ ଓ ଆଶୀର୍ବାଦ ଦେଲେ ।
ସବୁଠୁ ବିଶେଷ ଘଟଣା ଥିଲା ଗୋପିକୃଷ୍ଠା ଗୁରୁଜୀଙ୍କ ସଦୟ ଉପସ୍ଥିତି । ଗୁରୁ ଆଶୀର୍ବାଦର ସୌଭାଗ ଲାଭ ହୋଇଥିଲା । ତାଙ୍କ ସହ ଆସିଥିଲେ ସମ୍ଭ୍ରାନ୍ତ ବେଶଭୂଷାରେ କାଳିଜାଈ କିନ୍ନର । ମାଆ ଦୌଡିଯାଇ ତାଙ୍କୁ କୁଣ୍ଢାଇ ପକାଇଲେ କୋଟିନିଧି ପାଇଲା ଭଳି । ସେ ତାଙ୍କ ହଜିଯାଇଥିବା କାଳନ୍ଦୀ! ମୁଁ ବିଶ୍ୱାସ କରି ପାରୁନଥିଲି । ମୋର ଏତେ ଜଣାଶୁଣା ହେଲେ ମଧ୍ୟ ସେ ଜଣେ ଓଡିଆ ବୋଲି ପରିଚୟ ଦେଇନଥିଲେ! କାଳିଜାଈ ନାମରୁ ମୋର ସନ୍ଦେହ ଅବଶ୍ୟ ହୋଇଥିଲା । ପୁଣି ନିମନ୍ତ୍ରଣ ପତ୍ରରେ ଠିକଣା ଉପରେ ନଜର ପକାଇ ସେ ପ୍ରଥମେ ଆଶ୍ଚର୍ଯ୍ୟ ଓ ପର କ୍ଷଣରେ ଆନନ୍ଦିତ ହେବା ମୁଁ ବାରି ପାରିଥିଲେ ମଧ୍ୟ କାରଣ ଅନୁମାନ କରି ନଥିଲି । ମାଆଙ୍କ ମାଉସୀ ପୁଅ ଭାଇ ବା ମାଉସୀ ଝିଅ ଭଉଣୀ । ମୁଁ ଭାବିନେଲି ସମ୍ପର୍କଟି; ମାଉସୀ ଶାଶୁ । ମାଆଙ୍କର ଥିବା ବିଶ୍ୱାସ, ମୋରି ପାଇଁ ସେ ଦିନେ କାଳନ୍ଦୀକୁ ଫେରିପାଇବେ; ଦୈବାତ ତାହା ସତ୍ୟ ହୋଇଗଲା । ସମସ୍ତଙ୍କ ଆଶୀର୍ବାଦ ନେଇ ସୁମନ ଜୀବନର ନୂଆ ସୋପାନରେ ପାଦ ଦେଲା ।
ପରିସମାପ୍ତି ।
‘ସୁମନ ମାୟାଧର’ ନାମବହନ କରୁଥିବା ଆମ ଏ ଘରର ବାଲକୋନୀରୁ ଦିନ ପରେ ଦିନ ମୋର ଏ ଆଂଶିକ ଆତ୍ମଜୀବନୀ ଲେଖିଲି । ଏ ଘର ଏକ ସୁଖର ସଂସାର । ଅମିନା ଭୁବନେଶ୍ୱରକୁ ଚାଲିଆସିଛି ତା ପ୍ରତିଷ୍ଠାନ ସହ । ଆମ କଳା ପ୍ରତିଷ୍ଠାନ ଓ ତା ନିଜର ବୁଟିକ୍ କଥା ସୁରୁଖୁରୁରେ ବୁଝୁଛି । ସେ ତା ନିଜ ନାମରେ ଆଜି ଏ ରାଜଧାନୀରେ ପ୍ରତିଷ୍ଠିତ । ନିସଙ୍ଗ ତା ଜୀବନ । ତହିଁରେ ସେ ଖୁସି । ତା ଆତ୍ୟାଚାରିତ ଇତିହାସକୁ ସେ ସମ୍ପୂର୍ଣ୍ଣ ଭାବେ ଭୁଲିବା ସମ୍ଭବ ହେଲା ନାହିଁ । ବିବାହ ପାଇଁ ଆଦୌ ରାଜି ହେଲା ନାହିଁ । ସେ ଯେମିତି ଅଛି ସେମିତିରେ ଆମେ ଖୁସି ।
ଅଂଶୁ ଜଣେ ନାମକରା ଡାକ୍ତର । ତା ବାପା ଦିନେ ଚାହିଁଥିଲେ ସୁମନ ଡାକ୍ତରୀ ପଢୁ, ସେ ଇଛା ଆମ ପୁଅ ପୁରଣ କରିଛି । ବୋହୂ ସୁଗୃହିଣୀ, ନାତିଟିଏ, ନାତୁଣୀଟିଏ । ଆମ ଦୁହିଁକର ଜୀବନ ଧନ ।
ଲକ୍ଷ୍ମୀମା’ଙ୍କୁ ତାଙ୍କ ପରିବାର ଲୋକେ ସସମ୍ମାନେ ଫେରାଇ ନେଲେ, ସେ ଏବେ ପରଲୋକଗତା ।
କାଳିଜାଈ ମାଉସୀ ମଧ୍ୟ ଭୁବନେଶ୍ୱର ଚାଲି ଆସିଲେ ଗୁରୁଙ୍କ ନିର୍ଦ୍ଦେଶରେ । ତାଙ୍କ ତନ ମନ ଧନ ଦେଇ ରାଜଧାନୀର କିନ୍ନର ସମ୍ପ୍ରଦାୟର ଅନେକ ଉନ୍ନତି କଲେ । ସେ ମଧ୍ୟ ସ୍ୱର୍ଗବାସୀ ହେଲେଣି । ସୁଦାମସାର, ଜଗବନ୍ଧୁସାର୍ ଓ ମୋ ଗୁରୁଜୀ ବି ଇହଧାମ ତ୍ୟାଗ କଲେଣି । ବାପା ବାର୍ଦ୍ଧକ୍ୟ ପୀଡିତ, ମହୁଲକୁସୁମ ଛାଡିବାକୁ ନାରାଜ । ବୋଉର ଶେଷ ଜୀବନ ଆମ ପାଖରେ କଟିଲା, ତା ଚିକିତ୍ସା ସୁବିଧା ପାଇଁ ।
ମାଆଙ୍କ ବୟସ ନବେ ପାଖାପାଖି ହେବ । କିନ୍ତୁ ଅଣନାତି ଓ ଅଣନାତୁଣୀଙ୍କ ସହ କୁସ୍ତିକରି ସେ ଏବେବି ଖୁବ୍ ମଜବୁତ୍ ।
ଆମର ଏକ କୋଠରୀ କେବଳ ରଖା ଯାଇଛି ମାୟାଧରଙ୍କ ସେ ବିଶେଷ ଚିତ୍ରଟି ପାଇଁ । ବହୁତ ସମୟ ତା ସମ୍ମୁଖରେ ବସି ସେ ଧ୍ୟାନ କରନ୍ତି । ସେ ଘରେ ସମସ୍ତ ଆଲୋକ ସଜ୍ଜିକରଣ ଥିଲେ ମଧ୍ୟ ଏହାର ରହସ୍ୟ କେବଳ ଦେଖିଥିଲେ ଜଗବନ୍ଧୁସାର ଓ ମୋ ଗୁରୁଜୀ । ସଂସାରକୁ ଏହା ଅଗୋଚର । ଅଂଶୁ ଓ ଅମିନା ଅବଶ୍ୟ ଏ କଥା ଜାଣନ୍ତି ।
ମାୟାଧର ତାଙ୍କ ଗବେଷଣା ଜାରି ରଖିଛନ୍ତି । ପ୍ରତ୍ୟେକ ସିଦ୍ଧାନ୍ତକୁ ଟିପି ରଖିଛନ୍ତି । ଅନେକ କଥା ସରଳଭାବେ ବୁଝାଇ ଦେଇଛନ୍ତି । ତାଙ୍କ ଉଦ୍ଦେଶ୍ୟ ତାଙ୍କର ସେ କଳା ସଂହିତା ସହ ଏ କଳାକୃତିକୁ ଆମ କଳା ମହାବିଦ୍ୟାଳୟକୁ ଦାନ କରିବେ । ସୁମନ ମାୟାଧର ଚିତ୍ରଶିଳ୍ପୀ ଏବେ ସାରା ଜଗତରେ ପରିଚିତ । ବୃତ୍ତି, ବ୍ୟବସାୟ, ପ୍ରଶିକ୍ଷଣ ଓ ଗବେଷଣା ସବୁଥିରେ ସେ ସଫଳ ।
ଆଉ ମୋ କଥା କଣ କହିବି? ଏହା ଗତାନୁଗତିକ । ପିଲାମାନଙ୍କ ଦାୟିତ୍ୱ ନେବା, ଶାଶୁଙ୍କ ସେବାକରିବା, ବୋଉର ଯତ୍ନ ନେବା । ବୋହୂମାଆକୁ ଆଜିର ସମାଜର ନିୟମ ଅନୁସାରେ ଜଣେ ସାଙ୍ଗ ଭଳି ଆଦର ସ୍ନେହରେ ରଖିବା, ନାତି ନାତୁଣୀଙ୍କ ଅଳି ଅର୍ଦ୍ଦଳି ଶୁଣିବା; ଏତିକି ମୋ ଘର କଥା ।
ଛାତ୍ରମାନଙ୍କ ପ୍ରିୟଭାଜନ ହେବା ସହ ମୋ ମହାବିଦ୍ୟାଳୟରେ କ୍ରମଶଃ ପଦୋନ୍ନତି ପାଇ ପ୍ରଧ୍ୟାପକ ଓ ପରେ ଅଧ୍ୟକ୍ଷ ହୋଇ ଅବସର ନେଇଛି । ଅବସରର ପ୍ରଥମ କାମଭାବେ, ଲେଖୁଲେଖୁ ଲେଖିଦେଲି ଏ ଜୀବନୀ ।
ମୋ ସମ୍ପ୍ରଦାୟ ସହ ଯଥା ସମ୍ଭବ ଯୋଗଦାନ ଚାଲୁ ରହିଛି । ମୋ କଳାକୁ ସୀମିତ ରଖିଛି ମୋ ସମ୍ପ୍ରଦାୟ ବାବଦରେ ନାନାଦି ଜନ ସଚେତନତାର ବାର୍ତ୍ତା ଦେବାକୁ । ଆମ ସମାଜର ଅବସ୍ଥା ବହୁତ ବଦଳିଲାଣି । ତୃତୀୟ ଲିଙ୍ଗର ମାନ୍ୟତା ଦେଶର ସମ୍ବିଧାନ ଓ ଆଇନ ଦେଇ ସାରିଲାଣି । ଏଣୁ ବାକି ଅଛି କେବଳ ସାମାଜିକ ପରିବର୍ତ୍ତନ ।
ଏ କେବଳ ଶବ୍ଦଟି ହିମାଳୟଠାରୁ ବଡ । ଯେ ପର୍ଯ୍ୟନ୍ତ କେବଳ କିନ୍ନର ନୁହେଁ ପ୍ରତ୍ୟେକଟି ଶିଶୁର ବିଶେଷତାକୁ ଧ୍ୟାନ ଦିଆନଯାଇ, ତା ଦୃଷ୍ଟିକୋଣରୁ ତାକୁ ଗଠନ କରିବାର ପ୍ରୟାସ କରାଯାଇନି ସେ ପର୍ଯ୍ୟନ୍ତ ପ୍ରତ୍ୟେକଟି ଶିଶୁ ମଧ୍ୟରେ ରହିଯିବ ଅଭାବ ବୋଧ । ଏ ଅଭାବ ବୋଧ ସ୍ୱଭାବିକ ଭାବେ ପରିଚୟ ସଂକଟରେ ଥିବା ତୃତୀୟ ଲିଙ୍ଗର ଶିଶୁଟି ପାଇଁ ଅଧିକ ଜଟିଳ । ତା ଜୀବନକୁ କେବଳ ସହଜ କରିପାରିବେ ତା ପିତାମାତା ଓ ତା ପରିବାର । ଶାରୀରିକ ଗଠନରେ କୌଣସି ଅସ୍ୱଭାବିକତା ନଥିବା ପୁଅଟି ମଧ୍ୟରେ ଯେ ଝିଅଟିର ମନ ଥାଇପାରେ ଓ ସେମିତି ଝିଅଟି ମଧ୍ୟରେ ପୁଅଟିର ମନ ଥାଇପାରେ ଏହା ଏକ ସତ୍ୟ ବୋଲି ପରିବାରକୁ ଗ୍ରହଣ କରିବାକୁ ପଡିବ । ଏହା କଣ ଆଜିର କଥା? ଶାସ୍ତ୍ର ପୁରାଣ, ଇତିହାସ ସମସ୍ତେ ଏ ଅବସ୍ଥାକୁ ମାନିଥିବା ସତ୍ତ୍ୱେ ଆଜି ଏ ଜାଣି ଅଜଣା ହୋଇ ସତ୍ୟକୁ ଏଡାଇ ଯିବାର କାରଣ କିଛି ନାହିଁ । କେବଳ ଚରମ ନିର୍ବୋଧତା । ପରିବାର ତରଫରୁ ସଂଘର୍ଷ ନରହି ଗ୍ରହଣୀୟତା ରହିଲେ ପ୍ରାୟ ତା ଜୀବନରେ ସେମିତି ବିଶେଷ ଅସୁବିଧା ରହିବ ନାହିଁ । ଆଇନ ଯାହା କହିଲେ ବି ଅବୋଧ ଶିଶୁର ଏ ବାବଦରେ ଜ୍ଞାନ କଣ ଅଛି? ତା ଅଧିକାର ଓ ମର୍ଯ୍ୟାଦା ପାଇଁ ଲଢିବା କଥା ତା ପରିବାର । ଅଥଚ ତାର ମୂଖ୍ୟ ଲଢେଇ ହୁଏ ତା ପରିବାର ସହ । ସେ କଣ ନିଜ ପରିବାର ବିରୁଦ୍ଧରେ ଆଇନର ଆଶ୍ରୟ ନେଇ ପାରିବ ଜଣେ ଶିଶୁ ହୋଇ । ଅତୟବ୍ ପରିବାର ଓ ଶୈଶବ ହେଉଛି କିନ୍ନର ଜୀବନର ହାରିଯିବାର ପ୍ରଥମ ଓ ଶେଷ କାରଣ ।
ଯେତେସବୁ କାମ ବର୍ତ୍ତମାନ ଆମ କିନ୍ନର ସମାଜରେ ହେଉଛି ତାହା ମୁଖ୍ୟତଃ ଥଇଥାନ କାର୍ଯ୍ୟକ୍ରମ, ଜଣେ ପୀଡିତାର ମୂଖ୍ୟସ୍ରୋତକୁ ଫେରିବାର କାମ । କେତେଜଣଙ୍କୁ ଆମେ ଥଇଥାନ କରିବା? ପୁଣି ମାଡିଆସିବେ ନୂଆ ପୀଡିତା । ସମାଜ ନିଷ୍ଠୁର, କୌଣସି କାରଣରୁ ଜଣେ ଅସହାୟ ହେଲେ, ସେ ନାରୀ ହେଉକି ନର ଅବା କିନ୍ନର; ସମାଜ ତାକୁ ଝୁଣି ଖାଇଯିବାର ବନ୍ଦୋବସ୍ତ କରେ । ଏହା ସତ୍ୟ । ଅତୟବ୍ ଆମକୁ ଆଉ ପାଦେ ଆଗେଇବାକୁ ପଡିବ । ପରିବାର, ଶିଶୁସୁରକ୍ଷା ବିଭାଗ, ଅଙ୍ଗନବାଡୀ, ବିଦ୍ୟାଳୟ ଓ ସାଧାରଣ ସମାଜ ସଚେତନ ହେବା ଜରୁରୀ କି ଶିଶୁଟି ମଧ୍ୟରେ ବିଭିନ୍ନ ପ୍ରକାର ବିଶେଷତା ଥାଇପାରେ, ଏହାର ପରିପ୍ରକାଶକୁ କୌଣସି ସ୍ତରରେ ଏଡାଇ ନଯାଇ ଶିଶୁଟିକୁ ତାହାର ବିଶେଷତାକୁ ନେଇ ଆଗକୁ ଯିବାର ବ୍ୟବସ୍ଥା କରିବା ଉଚିତ୍ ।
ମୋ ଜୀବନୀ ଏକ ଘଟଣାବହୁଳ ସଫଳ କାହାଣୀ ହେଲେ ମଧ୍ୟ ଏହା ମାନକ ଦୃଷ୍ଟାନ୍ତ ନୁହେଁ । ସବୁବେଳେ ଦୈବକୃପା, ଭାଗ୍ୟ ଓ ପାରିପାଶ୍ୱିର୍କ ଅବସ୍ଥା ମୋତେ ସହାୟତା ଦେଇଛି । କିନ୍ତୁ ମୋ ଜୀବନରେ ଭେଟିଥିବା ପ୍ରତ୍ୟେକ ଜଣ କିନ୍ନରର କାହାଣୀ ଲକ୍ଷ୍ମୀମା, କାଳିଜାଈ ମାଉସୀ ଓ ଅମିନା ଠାରୁ ମଧ୍ୟ ଆହୁରି ଦୁଃଖ, ନିର୍ଯ୍ୟାତନା ଓ ସଂଘର୍ଷର କାହାଣୀ; ଶୈଶବ ଅପହୃତ, କୈଶୋର ଅବୁଝା ଅବହେଳିତ ଓ ପୀଡିତ, ଯୌବନ ଅତ୍ୟାଚରିତ ଓ ନିନ୍ଦିତ, ପ୍ରୌଢାବସ୍ଥା ନିସଙ୍ଗ ଓ ଦୟାର ନିର୍ଭର ଏବଂ ବାର୍ଦ୍ଧକ୍ୟ ସମ୍ପୂର୍ଣ୍ଣ ଏକ ଅଭିଶାପ । ଏଣୁ ମୁଁ ମୋ ସମ୍ପ୍ରଦାୟର ଦୃଢ ସମର୍ଥକ । ସମ୍ପ୍ରଦାୟ ଅଧିକାଂଶଙ୍କର ସମ୍ମାନ, ଆଦର ଓ ଆଶ୍ରୟର ସ୍ଥଳ । ବ୍ୟକ୍ତି ଅତ୍ୟାଚାରିତ ହେଲେ ଯୁଗେ ଯୁଗେ ଗଢିଉଠିଛି ସଂଘ ।
ସାଧାରଣ ସମାଜ ସହଜରେ କହି ଦେଉଛି ମୋ ସମ୍ପ୍ରଦାୟର ଲୋକେ ନିନ୍ଦନୀୟ କାର୍ଯ୍ୟରେ ଲିପ୍ତ । କିନ୍ତୁ କାହିଁକି? କାହାପାଇଁ ସେ ଘର ପରିବାର, ଅଧିକାର ଓ ସମ୍ମାନର ଜୀବନ ଛାଡି ଆସିଛି?
ସୁଯୋଗ ମିଳିଲା ମାତ୍ରେ କହେ, କେତେ ଆମେ ନିର୍ଯ୍ୟାତିତାକୁ ଥଇଥାନ କରିବା, ଚାଲ ମୂଳକୁ ଯିବା, ନିର୍ଯ୍ୟାତନା ହେବାର ସମୟ ପୁର୍ବର ସମାଜକୁ ସୁଧାରିବା ।
କେବଳ କିନ୍ନର ନୁହେଁ ପ୍ରତିଟି ଶିଶୁ ତା’ର ବିଶେଷତାର ସହ ବିକଶିତ ହେଉ । ବିଶେଷତା ନଥିବା ଶିଶୁ ଏ ଧରାରେ ଜନ୍ମ ହୋଇ ନାହାନ୍ତି କିନ୍ତୁ ଏହା ବିକଶିତ ହୋଇଛି କ୍ୱଚିତ୍ କ୍ଷେତ୍ରରେ ତାହ ପୁଣି ଦୈବାତ୍ ।
ଆମ ବାଲ୍କୋନିରୁ ପ୍ରତି ସୂର୍ଯ୍ୟାସ୍ତରେ ମୁଁ ଦେଖେ ମୋ ପ୍ରିୟ ଜନ୍ମମାଟି ଓଡିଶାର ସଂଘର୍ଷ ଓ ଶାନ୍ତିର ପ୍ରତୀକ ଧଉଳିକୁ । ମୋ ଅନ୍ତରରେ ଉଚ୍ଚାରିତ ହୋଇଉଠେ ସଂଙ୍ଘ ଶରଣଂ ଗଛାମି, ଧର୍ମଂ ଶରଣଂ ଗଛାମି, ବୁଦ୍ଧଂ ଶରଣଂ ଗଛାମି । ଶାନ୍ତ ଶାନ୍ତି ଶାନ୍ତି ।
ମୋର ଏ ଆତ୍ମଜୀବନୀ, ମୋ ସମ୍ପ୍ରଦାୟ ଓ ସାଧାରଣ ସମାଜ ମଧ୍ୟରେ ଏକ ସେତୁ ଭୂମିକା ତୁଲାଇବ, ଏ ଆଶା ସହ, ମାୟାଧର ମୋର ତ୍ରାଣକର୍ତ୍ତାଙ୍କୁ ଏହାକୁ ସମର୍ପଣକରୁଛି ।
ସମାପ୍ତ ।
ତା.୦୩.୧୦.୨୦୨୦
(କୃତଜ୍ଞତା- ଅକ୍ଟୋବର ୧୮, ୨୦୨୦, ଆଜକୁ ଠିକ୍ ଦୁଇ ମାସ ତଳେ ଏ "ସୁମନ ମାୟାଧର" ଆତ୍ମଜୀବନୀ ପ୍ରାୟ ଉପନ୍ୟାସର ପ୍ରଥମ ଭାଗ ପ୍ରକାଶିତ କରିଥିଲି। ପ୍ରଥମ ଭାଗକୁ ପାଖାପାଖି ଆଠଶହ ଥର ଖୋଲାଯାଇଛି। ବୋଧହୁଏ ଚାରି ଶହ କିମ୍ବା ପାଞ୍ଚଶହ ପଢିଥିବେ। ସୌଭାଗ୍ୟର କଥା ଏ ସଂଖ୍ୟା ଅଦ୍ୟାବଧି ଏକଶହ ପଚିଶରୁ ଏକଶହ ପଚାଶ ମଧ୍ୟରେ ରହିଛି। ଏହାକୁ ଲେଖକ ମନେକରେ ସଫଳତା। ଏମିତି ଭାଗ ଭାଗ କରି ଇଫର୍ମାଟରେ ପଢିବା ଏକ କଷ୍ଟକର ବ୍ୟାପାର। କୌଣସି କାରଣରୁ କେହି ଅଧାରୁ ରହିଲେ ଆଉ ତାଳମେଳ ସମ୍ଭବ ନୁହେଁ। ତଥାପି ଏତେଜଣ ପଢୁଥିବା ଲେଖକ ମନରେ ସୁଖ ଯେତିକି ଦେଇଛି କୃତଜ୍ଞତା ଭାବ ତହିଁରୁ ଅଧିକ ଦେଇଛି। କେତେଜଣ ପୂଜ୍ୟ ଓ ବୟସ୍କ ପାଠକ ଏହାକୁ ପଢୁଛନ୍ତି ଓ ଆଶୀର୍ବାଦ ସହ ମନ୍ତବ୍ୟ ତଥା ପରାମର୍ଶ ଦେଉଛନ୍ତି ଯାହା ମୋପାଇଁ ଅନେକ ମୂଲ୍ୟବାନ। ଅନ୍ୟୁନ ଆଠଜଣ କିନ୍ନର ଭଗ୍ନୀ ଏ ଉପନ୍ୟାସ ପଢୁଛନ୍ତି ବୋଲି ପ୍ରମାଣ ମିଳୁଛି ଯଦିଓ ପଦେହେଲେ ମନ୍ତବ୍ୟ ଦେଇନାହାନ୍ତି। ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ ଅନୁରୋଧ କରୁଛି ଯେ ଦୟାକରି ଉପନ୍ୟାସରେ ରହିଯାଇଥିବା ତ୍ରୁଟି ଓ ଅଭାବକୁ ଅବଗତ କରାଇଲେ ଆମେ ଏହାକୁ ଉନ୍ନତ ଏକ ବହିକୁ ରୂପାନ୍ତର କରିପାରିବା।
ଅନେକ ମତ ଦେଇଛନ୍ତି ବହିଟିକୁ ଇଂରାଜୀରେ ଲେଖିବା ପାଇଁ। ଅବଶ୍ୟ ଆସନ୍ତା ବର୍ଷ ଏହି ସମୟକୁ ଏହାର ଇଂରାଜୀ ଲେଖା ମୁଁ ଆରମ୍ଭ କରିବି। ଦୁଇ ପାଠକ ଏହାକୁ ସିନେମା କରିବାର ଉତ୍ସାହ ଦେଖାଇଛନ୍ତି। ଏହାକୁ ସତରେ କେହି ସେ ଦିଗକୁ ନିଅନ୍ତି ତେବେ ଲେଖକ ଅତ୍ୟନ୍ତ ଖୁସି ହେବ କିନ୍ତୁ ଏକ ସର୍ତ୍ତ ରଖିବ ଯେ ଯେଉଁ ପାଞ୍ଚ ଛଅ ଜଣ କିନ୍ନର ଚରିତ୍ର ଅଛନ୍ତି ତାହା ସତକୁ କିନ୍ନର ମାନେ ନିଭାଇବେ।
ପ୍ରାୟ ଛଅ ମାସ ବିରତି ନେଇ ଏହାର ବହି କଥା ଚିନ୍ତା କରିବି। ବିଶ୍ୱାସ ବହି ହେବା ବେଳକୁ ଖୁବ୍ ଭଲଭାବେ ସମ୍ପାଦିତ ହୋଇଥିବ, "ସୁମନ ମାୟାଧର"।
କୌଣସି କଥା ଅଯଥା ଘଟେ ନାହିଁ। କେଉଁ କାରଣରୁ 'ଭିନ୍ପମଣିଷ ଭିନ୍ନ କଥା' ଟିଭି କାର୍ଯ୍ୟକ୍ରମ ଆମୂଳଚୂଳ ଦେଖିଲି। କାହିଁକି ଅନୁଭବ କଲି ଏ ସମାଜ ବଦଳିବା ଦରକାର ଓ କାହିଁକି ଏ ଉପନ୍ୟାସ ଲେଖିଲି ସେ କଥାର ଗୁଢ ରହସ୍ୟ ଲେଖକକୁ ଅଗୋଚର। କିନ୍ତୁ ଦୃଢ ବିଶ୍ୱାସ କେଉଁଠି ଏମିତି କାହାଣୀ ଘଟିଯାଇଛି ଯାହା କେବଳ ଏ କିଞ୍ଚିତ୍ ସାମର୍ଥ୍ୟ ଲେଖକର ଅବଲମ୍ବନ ନେଇଛି। ମୋ ସୁମନ ଯେମିତି ସଫଳ ସେମିତି ସଫଳ ହୁଅନ୍ତୁ ସମସ୍ତ କିନ୍ନର ଭଗ୍ନୀ ନିଜ ଶୈଶବ କାଳରୁ, ଥଇଥାନ ନୁହେଁ ସ୍ବଭାବିକ ବାଛବିଚାର ରହିତ ଉନ୍ନତି। କିନ୍ନର ସମାଜର ଆଶୀର୍ବାଦ ଭିକ୍ଷା କରୁଛି। ଆସନ୍ତୁ ଶେଷ ଭାଗ ପଢି ସାରିଦେବା ଆଉ ଆପଣ ମାନଙ୍କୁ ହଇରାଣ କରିବି ନାହିଁ। ଏତେ କଥା କହିଲି ଆପଣମାନେ ପଦେ ପଦେ ନକହିଲେ ଲେଖକର ମନ ଦୁଃଖ ହେବନି କି? ଲେଖିବେ। ଲେଖିବେ ନା?
ଧନ୍ୟବାଦ।)