ନୀରଞ୍ଜନ ।
ରବିନାରାୟଣ ସେନାପତି ।
ଆଶ୍ଚର୍ଯ୍ୟ, ପ୍ରାଣୀ ବିଜ୍ଞାନୀ ପ୍ରଫେସର ବିଜୟଙ୍କ ଜ୍ଞାନୀ ତଥା ଅଭିଜ୍ଞ ମଗଜକୁ ଏକ ବେଙ୍ଗ କବଳିତ କରିପାରିଲା ! କୌଣସି ଜୀବବିଜ୍ଞାନ ସମ୍ବନ୍ଧୀୟ ଗବେଷଣାର ବିଷୟବସ୍ତୁ ନଥିଲା ବେଙ୍ଗ । ନା ସେ କଳ୍ପନା କରୁଥିଲେ ଗଙ୍ଗଦତ୍ତ ବା ସମଗୋତ୍ରୀୟ ଅନ୍ୟ ବେଙ୍ଗଙ୍କୁ, ନା ତାଙ୍କ ସରକାରୀ ବାସଭବନ ପାଖରେ ଥିଲା ସାରୁଗଛ, ଯେଉଁଠି ଥିବ ଏକ ଆପେ ବୋଲାଉଥିବା ବେଙ୍ଗରାଜା । ସମୟ, ବର୍ଷାଦିନିଆ ସଂଧ୍ୟା । ବର୍ଷା ଘଡଘଡି ହେଉଛି, ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ତାଙ୍କ ସରକାରୀ ବାସଭବନ ଚାରିକଡେ ଜମିରହିଛି ପାଣି । ନିଃସଙ୍ଗ ବାସଭବନ ମଧ୍ୟରେ ସେ ବି ନିଃସଙ୍ଗ । ରାସ୍ତା ଓ ବାସଭବନ ବାଦଦେଲେ ସବୁଆଡେ ଜଳ । ଏ ବାବଦରେ ତାଙ୍କର ଅଭିଯୋଗ ନଥାଏ । ଇଛାକୃତ ଭାବେ ସେ ଆଲୋକ ଜଳାଇ ନାହାନ୍ତି । କେବଳ ଯାହା ମଶା ଧୂପଟିଏ ତାଙ୍କ ଗୋଡପାଖେ ମିଞ୍ଜିମିଞ୍ଜି ଲାଲ୍ ଦେଖାଯାଉଛି । କୁଆଡେ ଥାଆନ୍ତି ବେଙ୍ଗମାନେ, ଏ ସମୟରେ କେଁ କଟର ଲଗାଇ ଦିଅନ୍ତି? ନିରୀହ ଜୀବ ମାନଙ୍କ ଜୀବନଚକ୍ର ସେ ଜାଣନ୍ତି । ଯେକୌଣସି ଉଚ୍ଚତ୍ତର ଆଲୋଚନାରେ ଏ ବାବଦରେ କିଛିଜଣା ଓ କିଛି ଅଜଣା କଥା ସେ ଅନର୍ଗଳ କହିପାରନ୍ତେ । ଅଥଚ ସେ ଚାହିଁଛନ୍ତି, ଅନ୍ଧକାରରେ ଅଜ୍ଞ ବିଚାରରେ ସେ ଭାବୁକ ହେବେ । କେଉଁଆଡେ ସଂଗୁପ୍ତ ଭାବେ ଏମାନେ ସବୁ ରହନ୍ତି ବାକିକାଳ! ତାଙ୍କ ବିଜ୍ଞାନକୁ କୋଲପ ମାରି ସେ ଭାବି ଚାଲନ୍ତି ।
ପୁଣି ଏକ ବିଜୁଳି, ପୁଣି ଏକ ବଜ୍ର ନିର୍ଘୋଷରେ ବିଚଳିତ ସେମାନେ, ପରସ୍ପରକୁ ଆହ୍ୱାନକରି ଦେଉଥିବା ସମ୍ମିଳିତ ରଡି କ୍ଷଣିକ ପାଇଁ ବନ୍ଦ ରଖି ପୁନଶ୍ଚ ଆରମ୍ଭ କଲେ । ଯେମିତି କହିଲେ, ଯା ଯା ଆମେ କି ବାଇଦ ବଜାଇ ଜାଣିନୁ! ଏ ପରା ରସଘନ ପ୍ରେମର ବାଇଦ । କେଜାଣି କାହିଁକି ବେଙ୍ଗ ମାନଙ୍କ ସହ ଅହଂକାର ଯୋଡି ଦିଅନ୍ତି କବି ଓ ଲେଖକମାନେ । କେତେବେଳେ ସେ ରାଜା ବୋଲାଏ ପୁଣି କେତେବେଳେ ମାଆ ବେଙ୍ଗଟି ଫୁଲି ଫୁଲି ଫାଟିଯାଏ, ପୁଣି କାଳକାଳକୁ ଅପବାଦଟିଏ କୂପମଣ୍ଡୁକ । କିନ୍ତୁ ଅନେକ ବର୍ଷତଳୁ ପରଲୋକଗତା ତାଙ୍କ ଜନନୀ ସେମାନଙ୍କ ପାଇଁ ଥିଲେ କେଡେ ଦରଦୀ । ବାଳକ ବିଜୟଙ୍କୁ ସେ ଶୁଣାଇଥିଲେ;
-ବେଙ୍ଗରାଜାରେ ବେଙ୍ଗରାଜା,
ବାହାଘର ତୋର କେଡେମଜା,
ବଡ ବାଜା ତୋର ଘଡଘଡି,
ଆକାଶେ ଦିଅଇ ଘୋର ରଡି ।
ଠିକ୍ ଆଜି ଯେମିତି ଏଠି ଚାଲିଛି।
ଖାଲି କଣ ଏତିକି? ତାଙ୍କ ମାତା ତାଙ୍କୁ ସବୁବେଳେ ମନେ ହେଉଥିଲେ; ସେନେହକୁ ଏକ ନରମ ଉପାଦାନରେ ପରିଣତ କରି, ତହିଁରୁ ବିଧାତା ଗଢିଥିଲା ତାଙ୍କ ପାଇଁ । ଖାସ ତାଙ୍କ ପାଇଁ । ଖାସ ତାଙ୍କ ପାଇଁ? ନା ସେମିତି କେମିତି ହେବ, ସେ ଥିଲେ ସମସ୍ତଙ୍କ ପାଇଁ କରୁଣାର ମୂର୍ତ୍ତି । ମଣିଷ, ଜୀବଜନ୍ତୁ ଓ ଏପରିକି କୀଟ ପତଙ୍ଗଙ୍କ ପାଇଁ । କେବେ କେବେ ଜନ୍ଦା ପିମ୍ପୁଡିଙ୍କ ଗାତ ମୂଳେ ଟେଳାଏ ଗୁଡ ଥୁଅନ୍ତି ମାଆ । ସେଇଥିପାଇଁ ତ ବେଙ୍ଗ ବାବଦୀୟ ଭାବନାଗ୍ରସ୍ତ ମନରେ ମାଆ ସ୍ମରଣକୁ ଆସୁଛନ୍ତି ବାରମ୍ବାର । କୋଡିଏ ଦିନ କାଳ ମାଆ ଓ ପୁଅ ଜଡିତ ରହିଲେ ବେଙ୍ଗ ସହ । ବିଜୟ ସେ ବେଙ୍ଗର ନାମ ଦେଇଥିଲେ ନୀରଞ୍ଜନ । ହୁଏତ ଗାଁ'ର ଅଲେଖ ନୀରଞ୍ଜନ-ବାବା ପ୍ରାଣବନ୍ଧୁଙ୍କଠୁ ସଂଗ୍ରହ କରିଥିଲେ ଏମନ୍ତ ସୁନ୍ଦର ନାମଟି ।
ବାବା କହିଲେ, -ବାପରେ, ପ୍ରତି ଜୀବନରେ ପ୍ରାଣସତ୍ତା ରହିଛି । ଯାହାକୁ ତୁ ବେଙ୍ଗ ବୋଲି ଦେଖୁଛୁ ସେମିତି କଣ ଗୋଟିଏ ଗଢିପାରିବ ବିପୁଳ ବିଜ୍ଞାନୀ ମଣିଷ? ତାହେଲେ ଏ ଖେଳ କଣ ସ୍ୱୟଂ ନୀରଞ୍ଜନଙ୍କର ନୁହେଁ । ତୁ ତାକୁ ନୀରଞ୍ଜନ ନାମରେ ଡାକ, ତାହାର କିଛି ହାନୀଲାଭ ହେଉ କି ନହେଉ ତୋ ଜୀବନଟି ପ୍ରସ୍ଫୁଟିତ ହେବା ଥୟ । ଖଞ୍ଜଣିର ଝଙ୍କାର ସହ ମହିମା ଦର୍ଶନର ଭଜନଟିଏ ଗାଇଲେ ପ୍ରାଣବନ୍ଧୁ ।
ବାଳକ ବିଜୟ ଦିନେ ତାଙ୍କ ବାଡିର ଦକ୍ଷିଣତମ ଅଂଶରେ ଥିବା ଟୁବି ଗଡିଆ ଯେଉଁଟି ନୀରଞ୍ଜନର ନିଳୟ; ସେହି ପାଖରେ ବସି ମାଛ ମରା ଦେଖୁଥାଏ । ବୈଶାଖ ମାସ ଶେଷ ସପ୍ତାହ । ଧର୍ମମାସ, ଘରେ କେହି ମାଛ ଖାଇବେ ନାହିଁ । ଏପଟେ ପାଣି ଶୁଖିଗଲାଣି ମାଛତକ ନଧରିଲେ ନହୁଏ । ଏଣୁ ମୂଲିଆ ମାନେ ପ୍ରଥମ ଓଳି କାମର ଶେଷଭାଗଟି ଏ ଗଡିଆ ମରା କାମରେ ନିୟୋଜିତ ହୋଇଥାନ୍ତି । ବିଜୟ ଏକ ପାଣିହାଣ୍ଡି ଧରି ବସିଥାଏ । ମାଛଟିଏ ଧରାହେଲେ ଆସି ତହିଁରେ ରଖାଯାଉଥାଏ । ବୈଶାଖ ଶେଷ ପର୍ଯ୍ୟନ୍ତ ସେମାନେ ସେଇଠି ରହିବେ । ବିଜୟ ପଚାରେ, ଏମିତି କେମିତି ହେବ, ଏବେ ଖାଇଲେ ପାପ, ସପ୍ତାହକ ପରେ ଆଉ ପାପ ନାହିଁ? କେହି ତାକୁ ଉତ୍ତର ଦିଅନ୍ତି ନାହିଁ । ହୁଏତ ତା ପ୍ରଶ୍ନ ଉଦ୍ଭଟ ନଚେତ୍ ତା ପ୍ରଶ୍ନର ଉତ୍ତର ବଡମାନଙ୍କ ପାଖରେ ନାହିଁ । ଏଡେଟିକେ ଟୁବି ଗାଡିଆରେ ଏତେ ମାଛ! ମୂଖ୍ୟତଃ କୋଉ ଓ ମାଗୁର ବାକିସବୁ ମାଛ ଅଳ୍ପ କିଛି; ସେଉଳ, ଚେଙ୍ଗ, ଗଡିସ, ବାଲିକିରା । ଚୁନାମାଛ ସାମାନ୍ୟ, ତହିଁରେ ଥାଆନ୍ତି ଚିତ୍ର ବିଚିତ୍ର ଖସିଆ ଓ ଧେଡିରୀ ଜାତୀୟ ମାଛ । ସେମାନେ ବଞ୍ଚିବେ ନାହିଁ । ତାଙ୍କଭଳି ପିଲାମାନେ ବୈଶାଖରେ ଖାଇଲେ ଦୋଷ ନାହିଁ । ମୂଲିଆ ମାନେ ବି ଅଳ୍ପେ ସ୍ୱଳ୍ପେ ନେବେ । ଏଣୁ ମତ୍ସ୍ୟାହାର ବନ୍ଦ କଥାଟି କଡାକଡି ନୁହେଁ ।
ବିଜ୍ଞାନୀ ବିଜୟ ନୁହେଁ ବାଳକ ବିଜୟ ଭାବିଚାଲେ ନୀରଞ୍ଜନ କୁଆଡେ ଯାଏ ଏ ପୋଖରୀ ଶୁଖିଲା ପରେ? ପୁଣି ହାଜର ହୋଇଯାଏ ବର୍ଷାଦିନ ଆସିଲେ! ତା ମନରେ ସନ୍ଦେହ ବି ଥାଏ, କେତେବର୍ଷ ହେଲା ନୀରଞ୍ଜନ ନାମ ପାଇଥିବା ବେଙ୍ଗଟି ଗୋଟିଏ ତ! ସେ କେମିତି ଜାଣିବ, ମଣିଷର ଭିନ୍ନ ଭିନ୍ନ ମୁହଁ ଭଳି ବେଙ୍ଗ ମାନଙ୍କ ମୁହଁର ଭିନ୍ନତା ସେ ଜାଣି ପାରୁଥାନ୍ତା ହେଲେ । ସେ ବିଶ୍ୱାସ କରେ ନୀରଞ୍ଜନ ଏକ ଓ ଅଭିନ୍ନ, କାରଣ ପ୍ରତିବର୍ଷ ଠିକ୍ ବିଜୟ ଭଲି ସେ ଆକାରରେ ବଢୁଛି । ବର୍ଷା କାଳରେ ଟୁବି ଗାଡିଆ ଫୁଲିଉଠେ । ତା ସହ ଫୁଲି ଉଠେ ବିଜୟର ମନ । ଖାଲି କଣ ବେଙ୍ଗ; କେତେ କଙ୍କଡା, କଇଁଛ, କୋଚିଆ ତାଙ୍କ ହାଜିରା ପ୍ରଦାନ କରି ଚମକାଇ ଦିଅନ୍ତି ବିଜୟକୁ । ଭେଳା ଭେଳା ହୋଇ ଭାସନ୍ତି ପଣା(ନବଜାତ) ମାନେ । ବେଙ୍ଗ ପଣାଙ୍କ ଗୋଡ ନଥାଏ ମାଛ ପଣାଙ୍କ ପରି । ସେମାନଙ୍କ ଭିନ୍ନତା ସେ ବୁଝି ପାରେ ନାହିଁ । କେବଳ ଏ ଟୁବିରେ ନୁହେଁ, ଗାଆଁରେ ଥିବା ମାଳ ମାଳ ପୋଖରୀରେ ସେହି ଅବସ୍ଥା । ତା ସାଙ୍ଗମାନେ ତ ତା ଭଳି ସାନ, ସେମାନେ ବା କଣ ଜାଣନ୍ତି । ବଡମାନେ ତା ପ୍ରଶ୍ନକୁ ତୁଚ୍ଛ ମନେ କରନ୍ତି । ସେ ଆଜି ଭାବନ୍ତି, ଯଦି ଜୀବବିଜ୍ଞାନୀ ନ ହୋଇଥାନ୍ତେ ଏ ପ୍ରଶ୍ନ ମାନଙ୍କର ଉତ୍ତର ସେ ପାଇ ନଥାନ୍ତେ । ଆଜି ସବୁ ଜାଣି ବି ସେ ସବୁ ଭୁଲିଯିବାକୁ ଚାହାନ୍ତି । ନାନାଦି ଅଜବ ଗଜବ ଚିନ୍ତାଧାରାର ପିଲାଳିଆ ସ୍ୱାଦ ପୁନଶ୍ଚ ଆସ୍ୱାଦନରେ ଆନନ୍ଦ ଅଛି ।
ବେଙ୍ଗମାନେ ବାହାରେ ରଡୁଥିଲେ । ବିଜୟ ପୁଣି ଫେରିଗଲେ ତାଙ୍କ ଟୁବି ଗଡିଆକୁ । ମାଛଧରାଳୀ ମାନେ କଥା ହେଉଥିଲେ, ବାହ୍ମୁଣୀବେଙ୍ଗଟା ଗଲା କୁଆଡେ? ଏତେ ବଡ ହେଲାଣି ପାଖାପାଖି ଅଧକିଲେ ମାଉଁସ ବାହାରିବ । ଚମଡାଟି ବି ଶକ୍ତ ହୋଇଯିବଣି, ବାବା ପ୍ରାଣବନ୍ଧୁ ଅନେକ ଦିନ ହେଲା କହିଲେଣି, ସେ ଏକ ନୂଆ ଖଞ୍ଜଣି କରିଛନ୍ତି ତହିଁରେ ବ୍ରାହ୍ମଣୀ ବେଙ୍ଗ ଚମଡା ପକାଇବାକୁ ଚାହୁଁଛନ୍ତି, ନିନାଦ କୋମଳ ହେବ । ବିଜୟ ବଡ ସଙ୍କଟରେ ପଡିଲେ । ଏମାନେ ତାହେଲେ ବେଙ୍ଗ ମାଂସ ଖାଆନ୍ତି । ଆଉ ବାବାଙ୍କ ଆଶା ଏକ ବେଙ୍ଗ ଚମଡା । ହଠାତ୍ ତାଙ୍କ ପିଲାମନ ସଚେତନ ହୋଇଗଲା । ଆଛା ଅଛା, ଏମିତି ତ ଅନେକ ଚମଡାଲଗା ବାଦ୍ୟଯନ୍ତ୍ର ଅଛି । ପୁଣି ମନ୍ଦିର ମଧ୍ୟରେ ବି ଗାନାବଜାଣା ହେଉଛି, ତା’ଠୁ ଅଧିକ ଭାବିବାର ବୟସ ହୋଇନଥିଲା । ଅଳ୍ପ ଦିନ ତଳେ ମାଆ ବୁଝାଇ ଦେଇଥିଲେ, ‘ଚଟୁ ଆମିଷ ବେଣ୍ଟ ନିରାମିଷ’ର ଅର୍ଥ କଣ । ଆଜି ତା ବୁଝିବା ସମ୍ପୂର୍ଣ୍ଣ ହେଲା । ଆରେ ଆରେ, ଏଇ ବାବା ତାକୁ କହିଥିଲେ ନା ସକଳ ଘଟେ ନୀରଞ୍ଜନ ବା ନାରାୟଣ । କିନ୍ତୁ ସେ ଖୋଜନ୍ତି ନୀରଞ୍ଜନର ଚମଡା । ବିଜୟ ଅନାଇଲେ, ପଙ୍କ ସୁଡୁବୁଡୁ ନୀରଞ୍ଜନ ଗୋଟେ ଗାତ ଭଳି ସ୍ଥାନରେ ଅଛି, ଏମିତି ଧ୍ୟାନସ୍ଥ ଯେ ଜଣା ପଡୁନି । ଆଛା, ଏମାନେ ଯଦି ଦେଖିନେବେ, ତାହେଲେ? ତାହେଲେ ସେ କାନ୍ଦିବ, ସେମାନଙ୍କୁ ଆଦୌ ଦେବ ନାହିଁ । ଛଡେଇ ଆଣିବ । କିନ୍ତୁ ଯଦି ମରିଗଲା ଏମିତି ଛଡାଛଡିରେ?
ସେ କହିଲା, ନୀରଞ୍ଜନ କଣ ଆଉ ଅଛି କି ମାମୁଁ, ସେଦିନ ସେ ଗଡିଆ କୂଳେ ବସିଥିଲା, ଏକ ଭୁଣ୍ଡା ଚିଲ ଆସି ଝାମ୍ପି ନେଇଗଲା ନୀରଞ୍ଜନକୁ । ମୁଁ ବା କଣ କରିଥାନ୍ତି, ସେଇ ଚିଲଟା କେତେ କୁକୁଡା ଚିଆଁ ବି ନେଇ ଯାଉନି କି? (ଜଣେ ମାଛଧରାଳୀଙ୍କୁ ସେ ମାମୁଁ ଡାକେ)
ସେମାନେ ଆଉ ବାହ୍ମୁଣୀ ବାବାଦରେ ଉତ୍ସାହ ଦେଖାଇଲେ ନାହିଁ । କିନ୍ତୁ ବିଜୟ ନିଜକୁ ବୁଝାଇଦେଲା, ଚିଲ ଯେମିତି କୁକୁଡା ଚିଆଁ ଖାଉଛି, ସେ ସେମିତି ମାଛ ଖାଉଛି, ବାବା କହିବା ଦିନୁ ସେ ଯେଉଁ ଦ୍ୱନ୍ଦ୍ୱରେ ଥିଲା ତାହା ଦୂର ହୋଇଗଲା । ସେ ମାଛ ଖାଇବ କିନ୍ତୁ ତା ପ୍ରିୟ ନୀରଞ୍ଜନକୁ ବଞ୍ଚାଇବ ନିଶ୍ଚିତ ।
ସେଦିନ ମାଛ ଧରା ପର୍ବ ସରିଲା, ନୀରଞ୍ଜନ ଭାଗ୍ୟବାନ ଥିଲା । ତେବେ ବିଜୟର ସନ୍ଦେହ, ଏମାନେ ତ ସବୁବେଳେ ଏଇଠି କାରବାର କରୁଛନ୍ତି, ତାଙ୍କ ନଜରକୁ ନଆସିବ କେମିତି । ସେ ତା କାରସାଦିରେ ଲାଗିଲା । ଚୁପି ଚୁପି ସେଇଠିକୁ ଗଲା, ନୀରଞ୍ଜନ ଏ ନୀରଞ୍ଜନ ଡାକିଲା । ସେ ଜାଣିଛି, ସେଇଟି କୁକୁର କି ବିଲେଇ ନୁହେଁ ଯେ ଏକ ନାମପ୍ରତି ତାର ଆନୁଗତ୍ୟ ରହିବ । ତଥାପି ସେ ଡାକିଲା, ଏମିତି ଅନେକ ବାର ସେ ଡାକିଛି ଆଗରୁ କିନ୍ତୁ କୌଣସି ଆଭାସ ପାଇନି ବେଙ୍ଗଠାରୁ । ତଥାପି ସେ ଡାକିଲା, ନୀରଞ୍ଜନ ତରକିଲା ନାହିଁ, ହୁଏତ ସେ ଶୁଣୁନି କିମ୍ବା ହୁଏତ ସେ ତଥାପି ତା ଧ୍ୟାନଯୋଗରେ ଅଛି । ସେ କ୍ରମଶଃ ତା ପାଖକୁ ଗଲା, ପଙ୍କ କାଦୁଅ ମଧ୍ୟଦେଇ । ସେ ଜାଣିଥିଲା, ଯଦି ସେ ଡିଆଁଡିଇଁ କରେ ତଥାପି ତାକୁ ଗୋଡାଇ ଧରିପାରିବ ସେ । ଆଗରୁ ଦୁଇଥର ଧରି ଛାଡିଦେଇଛି । ସେ ହଟୁନି, ଆରେ ସେ ଜୀବନରେ ଅଛି କି ନାହିଁ? ନୀରଞ୍ଜନ ତା ପଙ୍କ ଲେପିତ ନିମୀଳିତ ଚକ୍ଷୁ ପରଦାକୁ ଉନ୍ମୁକ୍ତ କଲା ଓ ନିର୍ନିମେଷ ନୟନରେ ଚାହିଁ ରହିଲା । ତା ଢିମା ଢିମା ଆଖି ଯେମିତି ବିଜୟ ସହ ଏକାନ୍ତ ଘନିଷ୍ଠ ।
ଆଜିର ବିଜ୍ଞାନୀ ବିଜୟ ମଧ୍ୟ ଏ କାରବାରଟିର ବ୍ୟାଖ୍ୟା ପାଇନାହାନ୍ତି । ବିଜୟ ହସିଲେ, ସେ ହସଟି ଯେମିତି ଯାଇ ବେଙ୍ଗ ମାନଙ୍କ ରଡିରେ ମିଶିଗଲା, ଯାହାକୁ ସ୍ୱାଗତ କଲେ ସେମାନେ । ବିଜୟଙ୍କ ମନ ପରିବର୍ତ୍ତନ ହୋଇଗଲା, ଅନ୍ୟଥା ସେ ଭାବୁଥିଲେ ଏ ବେଙ୍ଗ ମାନଙ୍କ ନିନାଦ ତାଙ୍କ ବିଜ୍ଞାନୀ ପଣିଆ ପ୍ରତି ଅଭିଯୋଗ । ପାଠ ପଢିବା ଓ ପଢାଇବା ଅବସରରେ କେତେ ଯେ ନୀରଞ୍ଜନଙ୍କ ଜୀବନ ସେ ନେଇନାହାନ୍ତି । ଟିକିନିଖି କାଟିକୁଟାକି ସେ ପରଖିଛନ୍ତି ଓ ପିଲାମାନଙ୍କୁ ଶିଖାଇଛନ୍ତି, ନିୟନ୍ତାଙ୍କ ଅଙ୍ଗସଜ୍ଜା, ସ୍ନାୟୂ ଓ ମଗଜ ପର୍ଯ୍ୟନ୍ତ । ସେମାନଙ୍କ ପିଠି ଓ ମୁଣ୍ଡର ସଂଯୋଗ ସ୍ଥଲରେ କଣା କରି ବା ପିଥିଂ କରି ସେମାନଙ୍କୁ ମସ୍ତିଷ୍କକୁ ଅକାମି କରି ବଞ୍ଚାଇ ରଖି କିଲିବିଲି କରିଛନ୍ତି ଗବେଷଣା ନାମରେ । ଆଜି ସେମାନେ ବିଦ୍ରୋହ କରିବାରେ ଅସ୍ୱଭାବିକତା କଣ ଅଛି? ବରଂ ସେ ସଂଧ୍ୟା ପରେ ସଂଧ୍ୟା ସେମାନଙ୍କ ଗହଣକୁ ଆଣିଛନ୍ତି । କାଳେ କିଏ ତାଙ୍କୁ ଦେଖିନେବ, ସେ ପାଇଁ ସେ ଅନ୍ଧକାରକୁ ବରଣ କରିଛନ୍ତି ।
ବାବା ପ୍ରାଣବନ୍ଧୁ ତାଙ୍କ ଖଞ୍ଜଣି ପାଇଁ ଚମଡାଟେ ମାତ୍ର ଖୋଜୁଥିଲେ, ସେହି ବାହାନାରେ ଅନ୍ୟମାନେ ଲୋଭେଇଥିଲେ ତା କଅଁଳ ମାଉଁସ ପାଇଁ । ସେମାନଙ୍କ ତୁଳନାରେ ସେ ଅବଶ୍ୟ ଏକ ଅଧିକ ମାର୍ଜିତ କାରଣ ପାଇଥିଲେ ସେମାନଙ୍କୁ ହତ୍ୟା କରିବାରେ; ଗବେଷଣା । ଦୁର୍ବଳ ଓ ନିରୀହ ଉପରେ ସବଳର ଗବେଷଣା । ସେ ଭାବନ୍ତି ସେ ଯଦି ନାଜି ସାମୁଖ୍ୟର ବୈଜ୍ଞାନିକଟିଏ ହୋଇଥାନ୍ତେ ତାହେଲେ କେତେ ମଣିଷଙ୍କୁ ଏମିତି କିଲିବିଲି କରିଥାନ୍ତେ; ଗବେଷଣା ନା!
ସେ ହସିଲେ । ଭାବିଲେ, ଟୋଡ୍ ପରି ଅପର୍ଛନିଆ ନୁହନ୍ତି ଫ୍ରଗ୍ ମାନେ । ନୀରଞ୍ଜନ ଥିଲା ଖୁବ୍ ଚିକ୍କଣ ରାଣା ଟିଗ୍ରିନା, ଭାରତୀୟ ବୁଲ ଫ୍ରଗ୍, ବହୁତ ସୁନ୍ଦର । ସେ ତାକୁ ପ୍ରଥମେ ଦେଖିଥିଲେ ତାକୁ ଧରିବାର ପାଞ୍ଚ ବର୍ଷ ତଳେ, ସେତେବେଳକୁ ସେ ମଜବୁତ୍ । କେଜାଣି କେତେ ବର୍ଷର ହୋଇଥିବ! କେଜାଣି ସେ ଆଉ କେତେବର୍ଷ ଜୀବିତ ରହିବ?
ସେଦିନ ସେ ତାକୁ ଗାଧୋଇ ପାଧୋଇ ଦେଲାପରେ ପ୍ରଥମ କରି ଜାଣୁଥିଲା, ନୀରଞ୍ଜନ ଖୁବ୍ କମନୀୟ । ଠିକ୍ କହୁଥିଲେ ବାବା ପ୍ରାଣବନ୍ଧୁ, ବିଜ୍ଞାନୀ ମଣିଷ କଣ ଏମିତି ଗଢିପାରେ!
ଘରେ କେହି ନଥିଲେ, ମାଆଙ୍କୁ ସବୁକଥା ବଖାଣିଲା ପରେ, ସେ ଖୁସି ହେଲେ । ଭିନ୍ନ ଏକ ହାଣ୍ଡିରେ ତାକୁ ପାଣିରେ ଛାଡି ଏକ ଥାଳି ଘୋଡାଇ ଦେଲେ । ସେ ସଇଠି ରହିଲା, ତା ଖାଇବା ପାଇଁ ଚିଙ୍ଗୁଡି ଶୁଖୁଆ ଦିଆଗଲା । ଘରେ ଅନ୍ୟମାନେ ବି ଏକଥା ଜାଣିଲେ । ମୂଲିଆ ମାନେ ଏଣିକି ତାକୁ ଠକ ବିଜୁ ବୋଲି ଡାକିଲେ ।
ତେବେ କେତେ ଦିନ ତାକୁ ଏମିତି ରଖାଯାଇପାରେ । ଜଣାନାହିଁ ଗାଡିଆ ଶୁଖିଲା ପରେ ସେ କେଉଁଆଡେ ଯାଉଥିଲା! ମାଆ ଯେତେ କହିଲେ ବି ବିଜୟ ତାକୁ ଛାଡିବାକୁ ପ୍ରସ୍ତୁତ ନଥିଲା । କାଳେ ଡେଇଁ ପଳାଇବ, କାଳେ ବିଲେଇ ଖାଇଦେବ; ଭୟରେ ଏକ ଥାଳି ଢାଙ୍କି ତା ଉପରେ ଇଟାଟିଏ ଥୋଉଥିଲା । ସେ ଜାଣେନି, ବାପା କଣ ଭାବୁଥିଲେ । ସେ ଜାଣେ, ବାପା ଯେଉଁଦିନ ମୁହଁ ଖୋଲି ତାଙ୍କ ନିଷ୍ପତ୍ତି ଶୁଣାଇବେ ତାହା ହେବ ଶେଷ କଥା । ହଠାତ କଣ ହେଲା କେଜାଣି, ନୀରଞ୍ଜନ ଆଉ ଚିଙ୍ଗୁଡି ଶୁଖୁଆ ଖାଇଲା ନାହିଁ । ମାଆ ବୁଝାଇଦେଲେ, - ଦେଖେ ଧନମଣି, କଣ ସେ ଭାବୁଛି ଆମେ ଜାଣି ନାହାନ୍ତି, ନଖାଇ ମରିଗଲେ କିଏ ଦାୟୀ ହେବ, ପାପ ଲାଗିବ ନାହିଁ?
ଅଗତ୍ୟା ସେ ଦିନେ ତାକୁ ନେଇ କେହି ନଦେଖିବା ସମୟରେ ଛାଡି ଆସିଲା ଗ୍ରାମର ସବୁଠୁ ବଡ ଓ କେବେ ନଶୁଖୁଥିବା ପୋଖରୀ କୁସୁମାରେ ।
ସେବେଠୁ ମାଆଙ୍କ ଆମିଷ ଖିଆ ବନ୍ଦ ହୋଇଗଲା । ବିଜୟ ବି ବେଶ୍ କେତେଦିନ ନଖାଇ ରହିଲା, ପରେ ଅବଶ୍ୟ ଚଳାଇ ନେଲା ଅନ୍ୟ ମାନଙ୍କ ବାଧ୍ୟରେ, ଯାହା ସେ ଅପେକ୍ଷା କରିଥିଲା ।
ସନ୍ଧ୍ୟା କ୍ରମଶଃ ଗଭୀର ହେଉଥିଲା, ବିଜୟ ଭାବୁଥିଲେ, ଆଜି ରନ୍ଧାରନ୍ଧି କରିବେ ନା ନାହିଁ । ସେ ଭାବୁଥିଲେ ବେଙ୍ଗ ମାନଙ୍କ ଠାରୁ ବିଦାୟ ନେବେ, ସେମାନେ ବି ଶବ୍ଦ ବନ୍ଦ କରି ଦେଇଥିଲେ । ବିଜୟ ମନେ ପକାଇବାକୁ ଚାହୁଁଥିଲେ, ସେ ନିଜେ କାହିଁକି ଓ କେବେଠୁଁ ଆମିଷ ଖାଇବା ବନ୍ଦ କରିଥିଲେ । ବୋଧହୁଏ ବାବା ପ୍ରାଣବନ୍ଧୁଙ୍କ ସେହି ଉକ୍ତି ଅଧିକରୁ ଅଧିକ ତାଙ୍କ ଅନ୍ତରରେ ଶୁଣାଗଲା । “ବାପରେ, ପ୍ରତି ଜୀବନରେ ପ୍ରାଣସତ୍ତା ରହିଛି । ଯାହାକୁ ତୁ ବେଙ୍ଗ ବୋଲି ଦେଖୁଛୁ ସେମିତି କଣ ଗୋଟିଏ ଗଢିପାରିବ ବିପୁଳ ବିଜ୍ଞାନୀ ମଣିଷ?...” ସେ ଆଉ ସେଥିରୁ ମୁକୁଳି ପାରିଲେ ନାହିଁ ।
ପୁଣି ସେ ବର୍ଷ ରଜ ପର୍ବ ହେଲା, ତାପରେ ବର୍ଷାଦିନ । ଟୁବି ଗାଡିଆଟି ଉବୁଟୁବୁ ହେଲା । ବିଜୟ ସେ ଆଡକୁ ଯାଉ ନଥାଏ । ନୀରଞ୍ଜନ ବିନା ସେ ଗାଡିଆର କି ମହତ୍ତ୍ୱ? ସେହି ମାମୁଁ ଦିନେ ହାତଧରି ଘୋସାରି ନେଲେ ସେ ସ୍ଥାନକୁ, ଆ ବିଜୁ ଦେଖିବୁ ଆ, ତୋ ନୀରଞ୍ଜନ ପୁଣି ହାଜର ।
ଆରେ ସତେ ତ! କହିବା ବାହୁଲ୍ୟ, ନୀରଞ୍ଜନ ଉପରେ ଆକ୍ରମଣର ଆଉ ସମ୍ଭାବନା ନଥିଲା ।
ଚାଷବାସ ଭାଙ୍ଗିଲା, ସେ ପୋଖରୀରୁ ଆଉ ପଙ୍କୋଦ୍ଧାର ହେଲାନାହିଁ । କ୍ରମଶଃ ପୋତି ହୋଇ ପଡିଲା, ଯାହା କିଛି ବାକିଥିଲା, ମାଟିଘର ଭଙ୍ଗା ହେଲାବେଳେ ସେତିକି ବି ପୋତିଦିଆଗଲା । ଆଉ ନୀରଞ୍ଜନ? ବିଜୁ ଜାଣିବାରେ, ସେ ତା ସମୁଦାୟ ଜୀବନ ଜୀଇଁ ସାରିଥିବ, ସେତେବେଳକୁ । ଟୁବି ଗାଡିଆର ମୃତ୍ୟୁ ଓ ବିଜୟଙ୍କ ଶାକାହାରୀ ହେବା ପ୍ରାୟ ଘଟିଥିଲା ଏକ ସମୟରେ, ଅବଶ୍ୟ ତାହା ସଂଯୋଗ ମାତ୍ର ।
ବିଜୟ ଗୃହ ଭିତର ଓ ବାହାର ଆଲୋକିତ କଲେ । ଟିକେ ବାହାରକୁ ଆସିଲେ, ସାମ୍ନାର ଆମ୍ବଗଛ ଆଡକୁ ଚାହିଁଲେ, ମନେହେଲା କଣ ଗୋଟେ ଜୀବ ତାଙ୍କ ଉପସ୍ଥିତିର ସୁରାକ ପାଇ ଗଛକୁ ଝପଟିକି ଚଢିଗଲା, ଓଧ କି ଗୋଧୀ ଜାତୀୟ । ସେ ପୁଣି ହସିଲେ, ଜୀବଟି ପ୍ରାୟ ବେଙ୍ଗମାନଙ୍କୁ ଆହାର କରୁଥିଲା । ଖାଦ୍ୟ ଓ ଖାଦକର ସମ୍ପର୍କରେ ସେ କିଏ ବିଘ୍ନ ସୃଷ୍ଟି କରିବେ ଯେ! ନୀରଞ୍ଜନ ତାଙ୍କ ମନରେ ଆଉ ନଥିଲା । ସେ ସ୍ଥାନ ନେଇଥିଲା ସେହି ଅଚିହ୍ନା ଜୀବଟି, ତାଙ୍କ ପିଲାବେଳର ଆଉ ଏକ କଥା ।