Search This Blog

Monday 23 October 2017



ଦୃଷ୍ଟି କୋଣ।
(ଛବିର ଗଳ୍ପ-୩)
ଗଳ୍ପଟି ପଢିବା ଆଗରୁ ଛବିକୁ ଦେଖନ୍ତୁ।





ଆମ ଜମି ପାଖ ରାସ୍ତା କଡରେ ଯେଉଁ ଦିନ ମୋ ବୋଉର ସ୍ମୃତିରେ ବର ଗଛଟି ଲଗାଇ ଲକ୍ଷ୍ମୀପ୍ରିୟା ନାମ ଦେଲି ମତେ କେହି କେହି କହିଲେ ଓସ୍ତ ଗଛଟିଏ ଲଗାଇବା ପାଇଁ। ମନ ବଳିଲା ନାହିଁ, ଏ ଗପୁଡା ମନକୁ ଢେର୍ କଥା ଆସିଲା। ଭାବିିଲି, ବରଂ କିଛି କାଗଜି ଫୁଲ, କନିଅର ଲଗାଇବି, ଗୋଟିଏ କଣ୍ଟା ଗଛ ଓ ଅନ୍ୟଟି ଗୋରୁ ଛେଳି ଖାଆନ୍ତି ନାହିଁ, ଭାରି ମେଳାପୀ ମୋ ବୋଉବି କିଛି ଆଳାପ କରି ପାରିବ।
ବର ଗଛ ଛାଇରେ ଦୁବ କଅଁଳେ ନାହିଁ, ଏତେ ବଡ ହେବା ପୂର୍ବରୁ ବାଲ୍ୟକାଳରେ ତ ସାଙ୍ଗ ସାଥି ଦରକାର। ବଡ ବଡ ଲୋକଙ୍କର ବି ବାଲ୍ୟସାଥି ଥାଆନ୍ତି। 
ଲଗାଇଥିବା ଗଛ ଗୁଡିକ କିଛି ବଞ୍ଚିଲେ। କାଗଜି ଫୁଲ ଜଣାଗଲା ପାଞ୍ଚଟି ବଞ୍ଚିଲେ। ଭଲ କଥା। ସବୁଦିନ ଟିକେ ଦେଖେ। ହତା ବାହାରେ ତ, ଅନେକ ଦୁର୍ଯୋଗର ସମ୍ଭାବନା ଅଛି, ଦେଖିଦେଲେ ପେଟ ପୁରିଯିବ। କ୍ରମଶଃ ମୃତବତ୍ ଶୁଖି ଯାଇଥିିବା ଡାଳରୁ ପତ୍ର କଅଁଳିଲା ସଂଖ୍ୟା ବଢି ନଅରେ ପହଞ୍ଚିଲା, ଓ ସେତିକି। ହଠାତ୍ ଆବିଷ୍କାର କଲି, ସମ୍ପୂର୍ଣ୍ଣ ଶୁଖିଲା ଗଛଟିର ଏକ ସରୁ ଡାଳଟିରେ ପତ୍ର ନୁହେଁ, କଣ ଗୋଟେ କଅଁଳୁଛି। କାଠ ଛତୁ ହେବ ବୋଧହୁଏ। ତହିଁରେ ରଙ୍ଗ ଭରିଲା, ଫୁଲ ନେନ୍ଥା ପେନ୍ଥା ହେଲା, ଏଣ୍ଡୁଅ ଡାଳଟିକୁ ଶରଧା କଲା। ଏକାଥରେ ଫୁଲ, ବିଚିତ୍ର। 

ସମସ୍ତଙ୍କ ପ୍ରିୟ ପ୍ରସୁନ୍ ରାୟଚୌଧୁରୀ ସାର, ଛବି ଉପରେ ଚମତ୍କାର ଚିନ୍ତନ କଲେ, "Those that look dormant often hide a mine within, nature is mysterious".  ବହୁ ପତିତ ଭୂମି ରତ୍ନଗର୍ଭା, ପ୍ରକୃତି ବୈଚିତ୍ରମୟ। । 
ଏମିତି ଭାବି ଚିତ୍ର ଦ୍ବୟଙ୍କୁ ଚାହିଁଲି। 
ସେମାନେ ହସି କହିଲେ, 'ଦୃଷ୍ଟି କୋଣ'। 

ମୁଁ ହସିଲି, ପୁଣି ଚାହିଁଲି। 
ସତେ ତ। ଗୋଟିଏ ମୋବାଇଲରେ, ଗୋଟିଏ ସ୍ଥାନରୁ ନିଆଯାଇଥିବା ଦୁଇଟି ଛବି କେତେ ଭିନ୍ନ। ସାମାନ୍ୟ ଟିକେ କ୍ୟାମେରାର ସ୍ଥିତି ଓ ଦୃଷ୍ଟି କୋଣ ବଦଳାଇ ଦେଲେ।
ପ୍ରଛଦ ପଟ ଏତେ ଗୁରୁତ୍ୱ ପୂର୍ଣ୍ଣ!
ନୂହେଁ କି? 
କେତେ ସ୍ଥାନୀୟ ବୋଲର୍ ନେଟ୍ସରେ ବୋଲିଂ କରନ୍ତି କିନ୍ତୁ ମେଡିଆ ବିଚରା ଅର୍ଜୁନ ତେନ୍ଦୁଲକରଙ୍କ ଅଯଥା ପ୍ରଚାର କରି ତାଙ୍କ ଉପରେ ମାନସିକ ଚାପ ପକାଏ। ପ୍ରଛଦ ପଟକୁ ଛବି ସହ ଦେଖାଯାଏ।

ଆକାଶର ଉଜ୍ଜ୍ୱଳ ପ୍ରଛଦ ପଟରେ ଫୁଲଡାଳଟି ବହୁ ଉପରେ ଥିବା ଜଣା ପଡୁଛି ସତ କିନ୍ତୁ କେତେ ନିଷ୍ପ୍ରଭ ସେ ସମୁଜ୍ଜ୍ବଳ ପରଦା ଉପରେ। ବରଂ ତାର ଅବସ୍ଥିତି ନା ଉପରେ ନା ତଳେ, ତଥାପି ଭୂମି ଉପରର ସବୁଜିମାରେ ପାଦ ଥାପି ତାର ଶୋଭା କେତେ ରଙ୍ଗିନ୍ କି ସୁନ୍ଦର। ଫୁଲ ସେହି ସମାନ, କ୍ୟାମେରା ବି ସମାନ, ଦେଖୁଛି ବି ସେହି ଏକା ଲୋକ, କେବଳ ଯାହା, ଭିନ୍ନ ଦୃଷ୍ଟି କୋଣ।
ଏହି ଯେମିତି ସାମାଜିକ ଗଣ ମାଧ୍ୟମରେ ସମାନ କଥାକୁ ନିଜ ଦୃଷ୍ଟି କୋଣରେ କୁହାଯାଏ। 

1 comment: