Search This Blog

Tuesday, 9 May 2017

ଦ୍ୟୁତି ଓ ଦୀପ।

ଦ୍ୟୁତି ଓ ଦୀପ।

ଜେଜେ ସବୁଦିନ ପରି ନାତିଙ୍କୁ ଧରି ତାଙ୍କ ପୂଜା ଘରେ ଆବୃତ୍ତି କଲେ, "ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ଜ୍ୟୋତି ହରେତ୍ ପାପଂ, ସଂଧ୍ୟା ଦୀପଂ ନମସ୍ତୁତେ।"

ସେ ଅନୁଭବ କଲେ ନାତି ନୀରବ।
ଆଳତି ସମାପ୍ତ ହୁଅନ୍ତେ ଏ ବାବଦରେ କୈଫିୟତ ତଲବ କଲେ।
ନାତି କହିଲା, "କେଉଁ ଅସିଆ କାଳର ଶ୍ଳୋକ ନବଦଳିଲା ପର୍ଯ୍ୟନ୍ତ ମୁଁ ଆଉ ଆବୃତ୍ତି କରିବି ନାହିଁ।"
ଜେଜେ ଅବାକ୍ ଅନାଇ ରହିଲେ। ଆଜି ନାତିର ପାଳି।
"କୁହ ଜେଜେ! ଏତେ କିସମର ଆଲୋକ ସଜ୍ଜା, କେତେ ଉଜ୍ବଳ ଓ କେତେ ଝିକ୍ ମିକ୍ ରଙ୍ଗୀନ ଥିବା ସତ୍ବେ, ଆମେ କାହିଁକି ତୁଚ୍ଛା ଏକ ନିଷ୍ପ୍ରଭ ଦ୍ୟୁତି ଶିମ୍ବ ଆକୃତିର ଜ୍ୟୋତିକୁ ଏତେ ଗୁରୁତ୍ୱ ଦେଇ ସ୍ତୁତି କରିବା?"
ଜେଜେ, ଭଲକି ଭାବିଚିନ୍ତି ଏ ପ୍ରଶ୍ନର ଉତ୍ତର ପରେ ଦେବାର ଯୋଜନା କରି, କଥା ବାଆଁରେଇଲେ।
"ପରମ୍ପରା।"
ନାତି'କି ସହଜରେ ଛାଡେ।
"ଠକ ଜେଜେ।"
ତେବେ ସେ ଅସଲ ଉତ୍ତର ଆଉ ଦିନକୁ ରଖି ଗପଟିଏ କହିଲେ।
"ଏ ଯେଉଁ ଦୀପଟି ଠାକୁର ଘରେ ଦେଖୁଛୁ, ତାହାର ଏକ ଇତିହାସ ଅଛି। ଦେଖୁନାହୁଁ, ଏହା କିଭଳି ଏକ ବିଶେଷ ପଥରରେ କମନୀୟ ରୂପରେ ତିଆରି ହୋଇଛି। ତୁ ଆଜି ଯାହା ପ୍ରଶ୍ନ କରୁଛୁ, ଅନେକାଂଶରେ ସେହି ପ୍ରକାରେ ମୁଁ ଯେମିତି ଦିନେ ଶୁଣିଥିଲି ଅବା ମନରେ କଳ୍ପନା କରିଥିଲି ତାହାର ଗୁହାରି। ସେଥିପାଇଁ ସାଥିରେ ନେଇ ଆସିଲି।"
ଏତିକି କହି, ନାତିର ଉତ୍କଣ୍ଠା ମାପିବାକୁ ସ୍ଥିର କଲେ, ଏଣୁ ଉଠିଲେ।
"ନାଁ ନାଁ, ତୁମେ ପୁରାକଥା କୁହ", ନାତି ଅଳିକଲା।

ସେ ବହୁ ଦିନ ତଳର କଥା। ଅଗନାଅଗନି ବଣ ମୁଲକରେ ଥିଲା ଜେଜେଙ୍କ ଚାକିରି। ବଣର ଆଭ୍ୟନ୍ତରରେ ଥିବା ଜଳ ପ୍ରପାତ ଯେଉଁଠି ଚଟାଣ ଉପରେ କଚାଡି ହୁଏ, ସେଇଠୁ ଖଣ୍ଡେ ଦୂରରେ ଥାଏ ଜଣେ ସାଧକଙ୍କ ପୀଠ। ସେ ଦେବୀ ସାଧନା କରନ୍ତି। ସେ ମଧ୍ୟ ଜଣେ ସ୍ଥପତି। କଳା ମଚମଚ, ମୁଗୁନି ନୁହେଁ କି ଗ୍ରାନାଇଟ୍ ନୁହେଁ, ପଥରକୁ କାଟି କାଟି ସେ ତିଆରି କରିଥିଲେ ଏକ ଛୋଟ ଗୁମ୍ଫାକୃତିର ମନ୍ଦିର। ତାହାର ଦ୍ବାର ସାମ୍ନା କାନ୍ଥରେ ଉଦ୍ଭାସିତ କରିଥାନ୍ତି ତାଙ୍କ ଆରାଧ୍ୟ ମାତା ମାତଙ୍ଗୀଙ୍କୁ। ଖୋପଟିଏ ଏଭଳି କରାଇଥାନ୍ତି ଯେ ତହିଁ ଥୁଆଯିବା ଦୀପଟି କସ୍ମିନ୍ କାଳେ ବାହାରକୁ ଦେଖାଯାଏ ନାହିଁ। ମାତା କିନ୍ତୁ ଉଜ୍ଜ୍ବଳ ଦେଖାଯାଆନ୍ତି। ଏହା ଦେଖଣାହାରୀଙ୍କୁ ଚମତ୍କୃତ କରେ। ସେମାନଙ୍କ ସଂଖ୍ୟା ଖୁବ୍ ଅଳ୍ପ। କେହି କେହି କଥା ବଢ଼ାଇ ଚଢ଼ାଇ ଦେବୀଙ୍କ ମହିମା ଗାନ କରି ମାତାଙ୍କୁ ଲୋକ ମାନସରେ ପ୍ରଚାର କରନ୍ତି।
ସ୍ଥପତି ସାଧନା କରନ୍ତି ଅବା ସାଧକଙ୍କ ସାଧନା ହୁଏ ନିହାଣ ମୁନରେ, କହିବା ମୁସ୍କିଲ୍। ଏମିତି ଏକ ପ୍ରାକୃତିକ ଫାଟଥାଏ ଯେ ତା ଉପରେ ତୈଳ ଅବା ଘୃତ ଢ଼ାଳିଲେ ତାହା ଯାଇ ପହଞ୍ଚେ ଦୀପ ମଧ୍ୟରେ। ଅଧିକ ହେଲେ ନିଷ୍କାସନ ଓ ସଂଗ୍ରହ ହେବାର ବ୍ୟବସ୍ଥାବି ଥାଏ। ସେ ତାଙ୍କ କାମ, ମନଧ୍ୟାନରେ କରି ଚାଲନ୍ତି। କେହି ତାଙ୍କ କାମରେ ବ୍ୟାଘାତ ସୃଷ୍ଟି କରନ୍ତି ନାହିଁ ଅବା କରି ପାରନ୍ତି ନାହିଁ। କହିବା ବାହୁଲ୍ୟ, ଭକ୍ତ ସଂଖ୍ୟା ନଗଣ୍ୟ ଓ ଭକ୍ତି ସାମାନ୍ୟ ଇନ୍ଧନ ଦାନରେ ସୀମିତ। ଜେଜେ ଥିଲେ ସେ ନଗଣ୍ୟ ସଂଖ୍ୟାରୁ ଅନ୍ୟତମ ଓ ନିୟମିତ, କାରଣ ବାରମ୍ବାର  ସରକାରୀ କାମରେ ସେ ସ୍ଥାନକୁ ଯିବାକୁ ସେ ବାଧ୍ୟ ଥାଆନ୍ତି। ଜଳର ବେଗବାନ ଶକ୍ତିର ଏକ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପର ସେ ଥାଆନ୍ତି ନିର୍ବାହୀ ଯନ୍ତ୍ରୀ। ପ୍ରକଳ୍ପଟି ସଂପୂର୍ଣ୍ଣ ହେଲା। ସେ ପ୍ରପାତ ଜନପ୍ରୀୟ ହେବା ସହ, ସ୍ଥାନଟିରେ ଜନସମାଗମ ଆଶାତୀତ ଭାବେ ବୃଦ୍ଧି ପାଇଲା। ସ୍ବଭାବିକ ଭାବେ ଏହା ସଂକ୍ରମିତ ହେଲା ସାଧନା ପୀଠକୁ। ପୀଠରେ କଣ ସବୁ ପରିବର୍ତ୍ତନ ହେଲା ତାହାର ବର୍ଣ୍ଣନା ଲୋଡ଼ା ନାହିଁ। ବିଦ୍ୟୁତ ସଂଯୋଗ ହେଲା। ବହୁ ମାମଲ୍ତିକାର ତହିଁ ମୁଣ୍ଡ ଖେଳାଇଲେ ଓ ଷୋଡ଼ଶ ଉପାଚାରରେ ପୂଜାର୍ଚ୍ଚନା ଚାଲିଲା। ମାମଲ୍ତିକାର ମାନେ ସାଧକଙ୍କୁ ଅନୁରୋଧ କରିବା ଆରମ୍ଭ କଲେ, କେଉଁଠି କି ପ୍ରକାର ଭାସ୍କର୍ଯ୍ୟର ଆବଶ୍ୟକତା ଅଛି। ତାଙ୍କ ପାଇଁ ରହିବା ଘର'ବି ତିଆରି ହେଲା। ଦିନେ ଏକାନ୍ତରେ ଯନ୍ତ୍ରୀ ଜେଜେଙ୍କୁ ସାଧକ ଡାକି ଦେଖାଇଲେ, ମା କିପରି ଉଜ୍ଜ୍ୱଳ ଆଲୋକର ପ୍ରଲେପରେ ପ୍ରଚଣ୍ଡ ଦିଶୁଛନ୍ତି।  ପୁଣି ସମସ୍ତ ବିଜୁଳି ବତୀ ବନ୍ଦ କରିଦେଲେ ଓ ଦେଖାଇଲେ ସେହି ଅଲୋଡା ଦୀପ ଅଦ୍ୟାବଧି ପ୍ରଜ୍ବଳିତ ଓ ଅଦୃଶ୍ୟ, ଏକାନ୍ତରେ ଓ ତାର ନିଭୃତ କନ୍ଦରରେ। ଏହା ମାତାଙ୍କ ଅଙ୍ଗରୁ ଦ୍ୟୁତି ବାହାରୁଥିବାର ସ୍ନିଗ୍ଧ ଭ୍ରମ ସୃଷ୍ଟି କରୁଛି। କେବଳ ସେତିକି ନୁହେଁ, ସାଧକ ଜଣକ ଥିଲେ ବିଜ୍ଞାନୀ। ସେ ବୁଝାଇଥିଲେ ଯନ୍ତ୍ରୀଙ୍କୁ ଅନ୍ୟ ଏକ ଭ୍ରମ। କବାଟ କିଛି କ୍ଷଣ ବନ୍ଦ କରି ରଖିଲେ ଓ ଏକ ରନ୍ଧ୍ର ମଧ୍ୟ ଦେଇ ନିରୀକ୍ଷଣ କରିବାକୁ କହିଲେ। ଯନ୍ତ୍ରୀ ଦେଖିଲେ କ୍ରମଶଃ ମାତାଙ୍କ ଜ୍ୟୋତି ନିଷ୍ପ୍ରଭ ହୋଇ ଆସୁଛି ଓ ମାତା ଯେପରି ନିଦ୍ରା ଯାଉଛନ୍ତି। ପୁଣି କବାଟ ଖୋଲିବା ମାତ୍ରକେ, ମାତା ତାଙ୍କ ଉଦ୍ଭାସିତ କାନ୍ତି ଫେରିପାଇ ଅଭୟ ପ୍ରଦାନ କରୁଛନ୍ତି। ଅବଶ୍ୟ ସାଧକଙ୍କୁ ବେଶି କଷ୍ଟ ପଡି ନଥିଲା ବୁଝିବା ଅବା ବୁଝାଇବାକୁ, ଏହା ଅମ୍ଳଜାନର ଭାଗମାପର ଖେଳ। ଉଭୟେ ଉଭୟଙ୍କୁ ବୁଝାଇ ଦେଇଥିଲେ।
ଏସବୁର ମାନେ ଆଉ କିଛି ନାହିଁ। ଲୋକମାନେ ଦୀପ ଲଗାଇ ପରିବେଶରେ କାଳିମା ବୋଳୁଛନ୍ତି, ଏପଟେ ଗାଢା ବିଜୁଳି ଆଲୋକ।
ସେ  ଆଉ ଅଧିକ କିଛି କହି ନଥିଲେ।
ପରବର୍ତ୍ତୀ କାଳରେ ସାଧକ ଅଦୃଶ୍ୟ ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା ଘଟିବା ପୂର୍ବଦିନ ସେ ଯନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ପରଦିନ ଯନ୍ତ୍ରୀ ଆବିଷ୍କାର କରିଥିଲେ ଏ ଦୀପ ଓ ଏକ ପତ୍ର। ପତ୍ରରେ ସାଧକ ଦୀପର ଉଦ୍ଧାର ହେବା ପାଇଁ ଗୁହାରୀ, ଦୀପ ତରଫ ହୋଇ ସାଧକ ଲେଖିଥିଲେ, ଯାହା ଅଦ୍ୟାବଧି ଜେଜେ ସୁରକ୍ଷିତ ରଖିଛନ୍ତି।
ହା ହା ନାତି, ହୋଇପାରେ ଏହା ଆଲାଦିନଙ୍କ କୁହୁକ ଦୀପ। ଏ ଦୀପ ବୋଧହୁଏ ନୂତନତ୍ବର ସନ୍ଧାନରେ ବାହାରିଲାଣି, ସେଥିପାଇଁ ଦୀପଂ ଜ୍ୟୋତି ଆଜି ଅଲୋଡ଼ା।
ନାତିର ମନ କିନ୍ତୁ ବଦଳି ଯାଇଥିଲା।




No comments:

Post a Comment