Search This Blog

Wednesday, 1 June 2016

ପ୍ରେମର ଜୀବନୀ

ପ୍ରେମର ଜୀବନୀ 
  (I have written a very long story of nearly 12000 words, as it is meant for a magazine that needs unpublished stories, I keep it for that purpose. Trying it in Odia.)

ପୁରୁଣା ଦିନର ମଧୁରତା ସେବେବି କେତେକାଂଶରେ ଉପଲବ୍ଧ ଥାଏ। ବିଚିତ୍ରତା ଏହିଯେ, ମହାଭାରତର ବିପରୀତ ରୀତିରେ, ଦୀପକର ବାପା କୃଷ୍ନ ଥିଲେ ଦରିଦ୍ର, ସ୍ୱଳ୍ପ ଶିକ୍ଷିତ ତାଂକର ସେମିତି କିଛି ଉଚ୍ଚାକାଂକ୍ଷା ନଥିଲା ଓ ସେ ନିଜର ପିଲାଦିନର ସାଥି, ଗ୍ରାମର ସର୍ବାଧିକ ବିତ୍ତଶାଳୀ ସୁଦାମାଂକ ପାଖରେ ମାଳି କାମ କରୁଥାଂତି। ଅତି ସୁଂଦର ଏକ ବଗିଚା ଗ୍ରାମର ଶୋଭା ବର୍ଦ୍ଧନ କରିଥାଏ। ବଂଧୁତାର ପ୍ରେରଣାରେ ସୁଦମା ଅନୁଗ୍ରହ କରିବା ପାଇଁ ନିରଂତର ପ୍ରଚେଷ୍ଟିତ ଥାଆଂତି କିଂତୁ କୃଷ୍ନ ସେ ସୁଯୋଗ ଗ୍ରହଣ କରିବାକୁ ସଂକୁଚିତ ବୋଧ କରଂତି। ସେ, ବାସ୍ ତାଂକ କାମରେ ଖୁସି ଥାଆଂତି। ସେ ଜାଣିଥାଂତି ଲୋଭର ବଶବର୍ତ୍ତୀ ହେଲେ ଦିନେ ନା ଦିନେ ବଂଧୁତା ଉଣା ହେବ। ଏହି ଉଚ୍ଚା ନୀଚ୍ଚାର ପ୍ରଭେଦ ସତ୍ୱେ ସେମାନେ ସମୟ ବାହାରକରି ସାଥିରେ ବୁଲିଯିବା, ଭୋଜି କରିବା, ମାଛ ମରିବା ଓ ପୂଜାପାଠ କରିବାରେ ବେଶ୍ ଆନଂଦ ପାଆଂତି। ପର୍ବ ପର୍ବାଣୀରେ ସାଥିରେ ବସି ଖାଆଂତି। ଏକ ଗ୍ରାମ ପରିବେଶରେ ଏପ୍ରକାର ଚଳଣୀ ସେ ସମୟରେ ଅତ୍ୟଂତ ସ୍ୱଭାବିକ ଥିଲା, ଏବେ ମଧ୍ୟ ଅଛି। କୃଷ୍ନଂକ  ଛଅ ଜଣ ସଂତାନଂକ ମଧ୍ୟରେ କନିଷ୍ଠତମ ଦୀପକ, ବାରମମ୍ବାର ବାପାଂକ ସାଥିରେ ସୁଦାମା କାକାଂକ ଘରକୁ ଯାଏ, ଯଦିଓ କକା ଖୁଡିଂକର ଏକମାତ୍ର କନ୍ୟା ମୀରାର ବ୍ୟବହାର ତା ପ୍ରତି ଥାଏ ବହୁତ ଋକ୍ଷ କକା ଖୁଡୀ କିଂତୁ ଖୁସି ହୁଅଂତି। ମୀରାର ସ୍ୱଭାବ କାରଣରୁ ତାକୁ କେହି ସାଥି କରୁନଥାଂତି, ଦୀପକ ତାପାଇଁଏକ ମାତ୍ର ସାଥି।  ପରିବାରର ସାନ ପୁଅ ଦୀପକ ବାପା,ମାଆ, ଭୋଉଣୀ, ଭାଇ ଏବଂ ଏହି କକା ଖୁଡୀଂକ ଠାରୁ ଯେତେ ସ୍ନେହ ପାଅଂତି, ସେ ତୁଳନାରେ ମୀରାର ଅଝଟ ଓ ରାଗଋଷା ଲାଗେ ଅତି ସାମାନ୍ୟ ବରଂ ସେଠରେ ମିଳୁଥିବା ଅନେକ ଖେଳନା, ଅନ୍ନ ବ୍ୟଂଜନ ଓ କକା ଖୁଡୀଂକର ଆଦର ତାର ପିଲା ମନକୁ ଆକୃଷ୍ଟ କରେ। ସେ ଭାବେ, ସେ ନିଜେ ଯେମିତି ନିଜ ଭାଇ ଭୋ ଉଣୀଂକ ପାଖରେ ଅଳି ଅର୍ଦ୍ଦଳି କରୁଛି ଓ ସେମାନେ ସହୁଛ୍ଂତି ସେହିପରି ଏ ମୀରା ପାଖରେ ତା ବ୍ୟତୀତ କିଏ ଅଛିଯେ ଅଭିମାନ କରିବାକୁ। ମୀରାର ଯାବତୀୟ ଦାବି ଯଥା କଂକି ପ୍ରଜାପତି ଧରି ଆଣିବା, ଆମ୍ବ ପିଜୁଳି ତୋଳି ଆଣିବା, କାଗଜର ଖେଳନା, ତାଳପତ୍ରର ଚକ୍ରି ଓ ପେଏଁକାଳି ତିଆରି କରିବା, ନାନା ଜାତି ରଂଗୀନଫୁଲ ତୋଳି ଆଣି ମାଳ ବନାଇବା, ଗଭାରେ ସଜାଇବା, ଏ ସମସ୍ତ କାମ, ଦୀପକ ଏ ସୁଂଦର ଟିକି ପରୀଟି ପାଇଁ କରିଚାଲେ
ସତେ ଅବା ବୁଢୀମା କାହଣୀର କେଉଁ ଏକ ଜେମା ଓ ମାଳି ପୁତ୍ରର ସ୍ୱଭାବିକ ଗଳ୍ପ।
ବିଭାହର ଅନେକ ବର୍ଷ ପରେ ମୀରାର ଜନ୍ମ ମାଆଂକର ଆର୍ ଏଚ ରକ୍ତଗ୍ରୁପ ଓ ମୀରାର ଗ୍ରୁପ୍ର ମଧ୍ୟର ବିଷମତା ଦୃଷ୍ଟିରୁ  ସୃଷ୍ଟ ଜଟିଳତା ପରବର୍ତ୍ତି ଗର୍ଭର ପ୍ରତିବଂଧକ ସାଜିଥାଏ। ଏହାର ଚିକିତ୍ସା ହୋଇ ପରିଥାଂତା ଯଦି ମୀରାର ଜଂମ ପରେ ମାଆଂକୁ ଏକ ଇଂଜେକ୍ସନ ଦିଆ ଯାଇଥାଂତା। ଆବଶ୍ୟକ ଇଂଜେକ୍ସନର ଉଚ୍ଚମୂଲ୍ୟ ପାଇଁ ସକ୍ଷମତା ଥିବା ସତ୍ତ୍ୱେ ତାହା ସହଜରେ ମିଳୁନଥିଲା ମୀରାର ଦାବି ଏକ ଭାଇ ଅବା ଭଉଣୀପାଇଁ ପୁରଣ ହୋଇପାରିଲା ନାହିଁ। ଏ ଅଭାବ ଦୀପକ ଆଂଶିକ ପୁରଣ କରୁଥାଏ।
ନିଜେ ମୀରାବି ଅନେକ ପ୍ରଚେଷ୍ଟା ଓ ଚିକିତ୍ସା ପରେ ଗର୍ଭସ୍ଥ ହୋଇଥିଲା। ଲୋକେ କହଂତି, ଇଶ୍ୱର ଏହି ବହୁଜନ ହିତାୟ ଦମ୍ପତିଂକ ଅଚଳ ଭକ୍ତିରେ ସଂତୁଷ୍ଟ ହୋଇ କନ୍ୟାରତ୍ନଟିଏ ଦେଲେ।
ଆଉ କେହି କେହି କହଂତି ସେସବୁ ମିଥ୍ୟା, ଦୁହେଁ କଲିକତା ଯାଇ ତେଷ୍ଟ ଟ୍ୟୁବ ବେବି କରିଛଂତି। ଏ ସମ୍ପର୍କରେ କାହାରକିଛି ଧାରଣା ନଥିଲେବି ଲୋକେ ଖବର କାଗଜରୁ ଜାଣୁଥିଲେ ଏମିତି ଚିକିତ୍ସା ଅଛି ଏବଂ କଲିକତାରେ ଅଛି। ସେ ଯାହାବି ହେଉ ସମସ୍ତଂକର ଏଥିପାଇଁ ଆନଂଦିତ ହୋଇଥିଲେ।
ମୀରାର ଉଗ୍ର ସ୍ୱଭାବ ପାଇଁ ସମସ୍ତେ ଚିଂତିତ ଥିଲେ ମଧ୍ୟ ସେ ଛୋଟ ପିଲା ବଡ ହେଲେ ବଦଳି ଯିବ ଏ ଅଶା ସଭିଏଁ  କରୁଥାଂତି।
ଦୀପକ ଠାରୁ ଅଢେଇ ବର୍ଷ ସାନ ଏହି ଟିକି ପରୀଟିକୁ, ନଦେଖିଲେ ସେ ଯେତିକି ବିକଳ ହୁଏ ତାହାଠାରୁ କେତେଗୁଣ ଅଧିକ ସଂତପ୍ତ ହୁଏ ଝିଅଟି ଅଝଟିଆ ବିକଳତାକୁ ବେଶ ଉପଭୋଗ କର୍ଂତି ସେଠାକାର ବୟସ୍କ କର୍ମଚାରୀ ତଥା ପିତା ମାତାଦୀପକ ତାର ପୀଉସୀ ଝୁମାଅପା ଭଳି ଖୁବ୍ ମେଧାବୀ  ଝୁମାଅପା ସେ ଅପାଠୁଆ ପରିବାରରେ ଥିଲା ବ୍ୟତିକ୍ରମ, ଘରୋଇ ଉଦ୍ୟମରେ ପରୀକ୍ଷା ଦେଇ ସେ ଏମ୍ ଏ ପାଶ କରିଥାଆଂତି ଓ ଗ୍ରାମରେ ନବ ଗଠିତ ଉଚ୍ଚ ବିଦ୍ୟାଳୟରେ ସବୁ ଶିକ୍ଷକଂକ ପରି ନଗଣ୍ୟ ବେତନରେ ଶିକ୍ଷାଦାନ କରନ୍ତି।
ଦୀପକର ଦୁଇ ଭୋଉଣୀ ବିଭା ହୋଇ ସାରିଥନ୍ତି ଉଚ୍ଚ ଶିକ୍ଷିତା ଝୁମା ଅପା ଆପାତତଃ ଚିରକୁମାରୀ ରହିବା ସମସ୍ତେ ଗ୍ରହଣ କରି ନେଇ ଥାଆଂତି। ତାଂକ ପାଠୁଆପଣ ଓ ଚାକିରୀ ସେ ସମୟରେ ତାଂକ ବିବାହର ପରିପନ୍ଥୀ ସାଜିଥାଏ। ସେ ଦୀପକକୁ ପୁତ୍ରବତ୍ ସ୍ନେହ କରୁଥାଂତି ଓ ତାର ମେଧାର ବିକାଶ ପାଇଁ ସର୍ବ ପ୍ରକାର ଯତ୍ନ ନେଉଥାନ୍ତି
ସମୟର ଗତି ବଦଳିଯାଏ  ଭାଗ୍ୟର ବୀପରିତ କାଳ ଅଚାନକ ଉପସ୍ଥିତ ହୁଏ  ଦୂର ମୟୂରଭଂଜ ଜିଲାର କୀଚେକେଶ୍ୱରୀ ମଂଦିର ଦର୍ଶନରୁ ଫେରିଲା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୀରାର ମା ଓ ଦୀପକର ବାପା ପ୍ରାଣ ହରାନ୍ତି ଅଥଚ ଅନ୍ୟ ସମସ୍ତେ ନିରାପଦ ରୁହନ୍ତି

ଗ୍ରାମରେ ଖେଳିରହେ ଏକ ଶୋକାକୁଳ ନିରବତା ବେଶ୍ କେତେଦିନ। ସେହି ବାଲ୍ୟକାଳରେ ଓ ଅତି ଦୁଃଖ ମଧ୍ୟରେ ମଧ୍ୟ ଦୀପକ ବୁଝିପାରେ ଗ୍ରାମଟି ଯେମିତି ଏକ ବଡ ପରିବାର ଏବଂ ସମସ୍ତେ ତାଂକର ଦୁଃଖ ଲାଘବ କରୁଛଂତି। ଆଉ ମଧ୍ୟ ସେ ବୁଝିପାରେ ଯେ, ଜଣେ ସାଥିର ଦୁଃଖ ଲାଘବ କରିବାରେ ବ୍ରତୀ ହେଲେ ଆପଣାର କଷ୍ଟ ମଧ୍ୟ ଉଣା ହୋଇଥାଏ। ଯଦିଓ ଏ କଥା ବ୍ୟକ୍ତ କରିବାରେ ସେ ସକ୍ଷମ ହୁଏ ନାହିଁ ତେବେ ଅନୁଭବ କରେ ଓ ଆକ୍ଷିର ଲୁହ ପୋଛି ମୁହଁରେ ହସ ଫୁଟାଏ। ତା ନିଜର କିଂତୁ ତା ଅପେକ୍ଷା ଅଧିକ ତା ଅଂତରର ଗେଲ୍ହା ମୀରାର।  ଗୋଟିଏ ପରିବାର ରୋଜଗାରିଆ ମଣିଷ ଓ ଆଉ ଏକ ପରିବାରର ପାଦ ତଳର ପୃଥିବୀ ହଜି ଯାଇଥିଲେ ଏହି ପରିପ୍ରେକ୍ଷୀରେ ଉଭୟ ପରିବାର ପରସ୍ପର ସହଯୋଗ କରିବା ସ୍ୱଭାବିକ ଥିଲା ମୀରା କେବଳ ଅପାଂକୁ ଛାଡିଦେଲେ କାହାରି କଥା ଶୁଣୁ ନଥିଲା। ବୋଧହୁଏ ଦୀପକ ପ୍ରତି ଅପାଂକର ଯେଉଁ ମାତୃବତ କରୁଣା ମୀରା ଅନୁଭବ କରେ ତାହା କେତେକାଂଶରେ ତାକୁ ଅନୁପ୍ରାଣୀତ କରେ। ଅପା ମଧ୍ୟ ଏହି ଅଝଟିଆ ହତଭାଗିନୀ ଟିକି ଝିଅଟିର ଯତ୍ନ ନେବା ଅତ୍ୟନ୍ତ ସ୍ୱଭାବିକ ମନେହୁଏ।
ପ୍ରତିବର୍ଷ ରକ୍ଷାବଂଧନ ଦିନ ଅପା ତାଂକ ନିଜ ଭାଇ କୃଷ୍ନଂକ ହାତରେରାକ୍ଷୀ ବାଂଧିବା ସହ ଭଗ୍ନୀହିନ ସୁଦାମାଂକୁ ମଧ୍ୟ ଅନୁରୁପ ଭୋଉଣୀର ମମତାରେ ରାକ୍ଷୀ ପିଂଧାଉଥିଲେ। ଠିକ୍ ସେହିପରି ମୀରା ମଧ୍ୟ ଦୀପକ୍କୁ ଏହି ଶ୍ରଦ୍ଧାର ବଂଧନରେ ବାଂଧୁଥାଏ ତାର ହେତୁ ହେବା ଦିନରୁ। ଭାଇ ମାନଂକର ଏହ ଯେପରି ଭୋଉଣୀ ମାନଂକୁ ସର୍ବକାଳ ନିର୍ଭୟ ଦେବାର ଏକ ବ୍ରତ। ଭାଇତ ଚାଲିଗଲେ ଏଣିକି ଭାଇ ବଦଳିଆ ଏହି ସୁଦାମା ଭାଇଂକର ଯାବତୀୟ ଘରକାର୍ଯ୍ୟର ଯତ୍ନ ଓ ତାଂକ ଶିଶୁକନ୍ୟାର ଘରୋଇ ଶିକ୍ଷକ ଦାୟୀତ୍ୱ ନେଇ ପ୍ରତିବଦଳରେ କିଛି ପାରିଶ୍ରମିକ ନେଲେ ଦୀପକର ପରିବାର ଉପକୃତ ହୁଅନ୍ତି ଏଥିରେ କୌଣସି ଅସ୍ୱଭାବିକତା ବାରି ହୁଏ ନାହିଁ।
ଦୀପକ ଆଉ ଅପା ଏଣିକି ସକାଳ ଛଅରୁ ରାତିରେ ମୀରା ତା ଅକର୍ମଣ୍ୟ ଜେଜେମା କୋଳରେ ଶୋଇଲା ପର୍ଯ୍ୟ୍ଂତ ତା ସହ ରହନ୍ତି ସାଥିରେ ପଢଂତି, ଗ୍ରାମର ସ୍କୁଲ ପୁଂଜକୁ ଯାଆନ୍ତି, ସାଥିରେ ଖାଆନ୍ତି, ଖେଳନ୍ତି ଓ ଗପ ଶୁଣନ୍ତି।
ତେବେ ଏହାଥିଲା ଏକ ଅସ୍ଥାୟୀ ବ୍ୟବସ୍ଥା। ଏକ ବର୍ଷର ପାରମ୍ପରିକ ଶୋକ ସମାପନ ଉତ୍ତାରେ ଗ୍ରାମର ମୂଖିଆ ଓ ବଯସ୍କ ମାନେ ସୁଦାମାଂକୁ ଦ୍ୱିତୀୟ ପକ୍ଷ ପାଣିଗ୍ରହଣ ପାଇଁ ପ୍ରବର୍ତ୍ତାଇଲେ। ବାପା ଓ ଝିଅଂକ ବ୍ୟତୀତ ସମସ୍ତଣ୍କ ପାଇଁ ମନେହେଲା ଏହା ଏକ ସ୍ୱଭାବିକ ତଥା ଯୁକ୍ତିଯୁକ୍ତ ଚିଂତାଧାରା। ଆଉ ପ୍ରାୟ ବର୍ଷେଯିବା ପରେ ସୁଦାମା ମଧ୍ୟ ଏଥିପାଇଁ ଆପାତତଃ ରାଜି ହେବା ବୋଧହେଲା। କିଂତୁ ମୀରା ସଦା ସର୍ବଦା ତା ଜେଜେ ମାଆଂକ ଏ ସମ୍ପର୍କୀୟ ସାମାନ୍ୟ ଆଲୋଚନାର ଆଭାସ ପାଇଲେ ଭୟଂକର ଭାବେ ଉତକ୍ଷିପ୍ତ ହେବା ସହ ବିଶାଦଗ୍ରସ୍ତ ହେଉଥିଲା। ଏଣୁ ଏହା ଆଗେଇବାର ଅବକାଶ ନଥିଲା।
ଜେଜେମା ଓ ନାତୁଣୀଂକ ମଧ୍ୟରେ ଏଥିପାଇଁ ଅନେକ ସମୟରେ ଅପଡ ହେଉଥିଲା।
ଏମିତି ଆଉ ବରଷେ ମାଡିଗଲା  ଦିନେ ଜେଜେମା ଗାରୁ ଗାରୁ ହୋଇ କହୁଥାଏ ଓ ମୀରାକୁ ବୁଝାଉ ଥାଏ, “ତୋର କଣ ମାଆ ଦରକାର ନାହିଁ। କୂଳ ରକ୍ଷା ପାଇଁ ଭାଇଟିଏ ଦରକାର ନାହିଁ!”
ମୀରା କ୍ରୋଧରେ ହିତାହିତ ଜ୍ନାନ ହରାଇ କହିଲା, “ମୋର ମାଆ କଣ ନାହିଁକି, ଅପା ମୋର ମାଆ ନୁହେଁକି?” ସେ ଯାହା କହିଲା ପ୍ରକୃତରେ ତାହା ସେ ଅଂତରରେ ଭାବୁନଥିଲେ ମଧ୍ୟ, ସାରା ଗ୍ରାମରେ  ଯେମିତି ଏହାର ପ୍ରତିଧ୍ୱନୀ ଶୁଣାଗଲା ବୁଢା ବୁଢୀ ମାନେ କହିଲେ, “ହଜିଲା ବଳଦ ଖୋଜିଲା ଠାଇଁ”।
ହଠାତ ଏକ ତତ୍ପରତା ଖେଳିଗଲା।
ଅପାଂକୁ ଏହା ଅତ୍ୟଂତ ଅପ୍ରିତିକର ପରିସ୍ଥିତିରେ ପକାଇଲେ ମଧ୍ୟ ସେଦିନ ଠାରୁ ମୀରା ଅପାଂକୁ ମାତୃବତ ବ୍ୟବହାର କରିବା ସହ ମାଆ ମାଆ ଡାକିଲା ସେ ଡାକର ଥିଲା ଏକ ସମ୍ମୋହନ ଶକ୍ତି। ସେ ସମ୍ମୋହାନ ଅପାଂକ ମାନସିକ ଉଦ୍ବେଳନକୁ ସର୍ବ ସମ୍ମୂସମ୍ମୂଖରେ ଯେତିକି ବଢାଉଥିଲା ଏକାଂତରେ ସେତିକି ଲାଘବ କରୁଥିଲା।
ଲୋକେ ଏହି ପ୍ରସ୍ତାବକୁ ଆଗେଇନେଲେ  ରକ୍ଷାବଂଧନର ଏକ ମହତ ସମ୍ପର୍କର ସ୍ଥାନ ମାତୃତ୍ୱର ଦାୟୀତ୍ୱକୁ ରୂପାଂତରିତ ହେଲା।  ଅପା, ଦେଇପିଣ୍ଡିରେ ମୀରାର ପ୍ରକୃତ ମାଆ ସମେତ ବିଗତ ଚଉଦ ପୁରୁଷ ପିତ୍ରୁପକ୍ଷଂକୁ ଅନ୍ନ ବାଢିଦେଇ, ସବୁଦିନ ପାଇଁ ମୀରାକୁ ତାଂକ ପଣତ କାନୀରେ ସର୍ବସୁରକ୍ଷାରେ ଘୋଡାଇ ପକାଇଲେ।
ଚେସ୍ ବୋର୍ଡ୍ର ରଜା ରାଣୀମାନଂକ ପୁନଃ ସଜ୍ଜୀକରଣକୁ ସାରା ଗ୍ରାମବାସୀ ବେଶ ଏକ ହର୍ଷପୂର୍ଣ ଗମ୍ଭୀରତାରେ ଗ୍ରହଣକଲେ।

ନୂଆ ସମ୍ପର୍କ ଯୋଡି ହୋଇଗଲା, ମୀରା ଏବେ ଦୀପକର ପିଉସୀ, ଝୁମା ଅପାର ଝିଅ, ଏଣୁ ଭୋଉଣୀ, କଜିନ୍ ସିଷ୍ଟର୍ ତାହା ପୁଣି ସାବତ ସାବତ କଜିନ୍, ଦୀପକକୁ ହସ ଲାଗିଲା, ମନେ ମନେ ପୁଣି କହିଲା ପିଉସୀ ଅପାର ସାବତ ଝିଅ ଭୋଉଣୀ ସବୁ ଅଡୁଆ ତଡୁଆ ଲାଗିଲା ହଁ ଏ କେଉଁ ନୂଆ ସମ୍ପର୍କ, ଆଗରୁବି ତ ସେ ଡାକେ, ଦୀପକ ଭାଇ, ମୋର ତମ ସହ କଟି”। ଦୀପକ ଫିକ୍କକିନା ହସି ଦେଲା। କେହି ତାକୁ ଦେଖିନଥିଲେ ସେ ଚତୁର୍ଦିଗକୁ ଚାହିଁ ନିଶ୍ଚିତ ହେଲା।
ଏଣିକି ଦୀପକ ସଟଲ ଗାଡିଭଳି ସକାଳେ ଅପାଘରେ ହାଜର ହୁଏ ଓ ରାତ୍ରୀ ଭୋଜନ ପରେ ଘରକୁ ଫେରେ।
ଦୀପକ ଏବେ ହାଇସ୍କୁଲର ଛାତ୍ର ଯେଉଁଠି ଅପା ଜନସାଧାରଣଂକ ଦାନରୁ ମିଳୁଥିବା ଅର୍ଥର ଏକ ସମାନ୍ୟ ଭାଗ ବେତନ ପାଆଂତି। ମୀରା ଘରୁ ଆଗେ ଯାହା ମିଳୁଥିଲା ତାହାତ ସ୍ୱଭାବିକ ଭାବେ ବଂଦ ହେଲା, ଦୀପକ ଘରର
ଦାରିଦ୍ର୍ୟତା ଏବେ ଅନାହାର ଅବସ୍ଥାକୁ ଅବନତ ହେଲା। ବଡ ଭୋଉଣୀ ଦୁଇଜଣ ତାଂକ ମଜୁରୀଆ ସ୍ୱାମୀ ମାନଂକ ସହ କଲିକତାରେ ରହୁଥିଲେ, ଘରକୁ ସାହାଯ୍ୟ କରିବା ତାଂକ ପକ୍ଷେ ସମ୍ଭବ ନଥିଲା। କ୍ରମରେ ତୃତୀୟ ଓ ଚତୁର୍ଥ ଭଗ୍ନୀ ଦ୍ୱୟ ପଢାରେ ଡୋରୀ ବାଂଧି, ଗାଁଆର ଛୋଟ ମୋଟ ସିଲାଇ କାମ କରୁଥିଲେ, ସମୁଦ୍ରକୁ ଶଂଖେ ରୋଜଗାର କରୁଥିଲେ ସେବେଳର ଚଳନୀ ହିସାବରେ ଝିଅ ମାନେ ବେଶି ହେଲେ ଶୋହଳ ବର୍ଷ ବୟସରେ ସେ ଅଂଚଳରେ ବାହା ହୋଇ ଯାଉଥିଲେ, ଯଦିଓ ଏହା ସରକାରୀ ନିୟମର ପରିପଂଥି ଥିଲା ଦୁଇ ବଡ ଦେଇ ମାନଂକ ବୟସ ଯଥାକ୍ରମେ ଅଠର ଓ କୋଡିଏ ହୋଇ ଯାଇଥାଏ କିଂତୁ ସେମାନଂକ ବାହାଘର କଥା ସାମ୍ପ୍ରତିକ ଅନାଟନ ମଧ୍ୟରେ ଚିଂତା କରାଯାଇ ପାରୁନଥାଏ।
ଏକମାତ୍ର ବଡଭାଇ, ବୟସ ଯାହାର ଶୋହଳ, ପଢାରେ ଡୋରୀବାଂଧି, ଅଣ୍ଟାରେ ଗାମୁଛା ଭିଡି, ସ୍ୱଳ୍ପ କିଛି ପୈତୃକ ଜମିକୁ ଭାଗଚାଷରୁ ଫେରାଇ ଆଣି ନିଜେ ଚାଷ କରିବା ଅରମ୍ଭ କଲା ଉଦ୍ୱେଶ୍ୟ ଚାଉଳ ବର୍ଷମୁଣ୍ଡ ପାଇବ। ଆହୁରି ମଧ୍ୟ ସମୟ ପାଇଲେ ଫେରିବାଲା ପ୍ରକାରେ ଗ୍ରାମରେ କିଛି ଛୋଟ ମୋଟ ବେପାର କରେ।
ଆଉ ଦୀପକ୍, ପିଂଗ ପଂଗ ବଲ ଭଳି ଅପା ଘରୁ ନିଜ ଘରକୁ ଯାଉଥାଏ, ସ୍ୱଛଳତା ଏବଂ ନିଃସ୍ୱ ଅବସ୍ଥା ମଧ୍ୟରେ ନିତି ପ୍ରତିଦିନ ଏକ ସମୀକରଣ କରୁଥାଏ, ମାତ୍ର ଦୁଇ ଫର୍ଲଂଗ ବ୍ୟବଧାନରେ, ଏକ ଛୋଟିଆ ଗ୍ରାମ ମଧ୍ୟରେ।
ଇଂଦ୍ରଧନୁ ଦେଖି ଦୌଡିବା, କଂକି ଧରିଆଣି ମୀରା ହାତରେ ଧରାଇବା ବୟସ ଆଉ ତାର ନଥିଲା। ଇଂଦ୍ରଧନୁ ଅବା ପ୍ରଜାପତିଂକୁ ସେ ଏବେ ଭିନ୍ନ ପୁଲକରେ ଅନୁଭବ କରୁଥିଲା। ସେ ଏବେ ଲାଜ ଅନୁଭବ କରୁଥିଲା ମୀରା ଗଭାରେ ସଜାଇବା ପାଇଁ ଫୁଲ ତୋଳିବାକୁ, ଯଦିଓ ପ୍ରତି ସକାଳର ପୂଜାଫୁଲ ସଂଗ୍ରହ କରିବା ତାର କାମ ଥିଲା। ସେ ଫୁଲ ମଧ୍ୟରେ ମୀରାପାଇଁ ଫୁଲ ନୂଆ ସରାଗରେ ରଖୁଥିଲେ ମଧ୍ୟ ସେ ଚାହୁଁଥିଲା ନା ମୀରା ନା ତା ଅପା ଏ କଥା କେବେ ଜାଣି ପାରଂତୁ। ନାନାଦି ପରସ୍ପର ବିରୋଧି ଭାବନା ତା କିଶୋର ମନକୁ ଚଳ ଚଂଚଳ କରୁଥିଲେ ମଧ୍ୟ ଦାରିଦ୍ର୍ୟର ସାମାଜିକ ଆକୃତିକୁ ବାସ୍ତବ ବିଚାରରେ ଆକଳନ କରି ଯାବତୀୟ ଭାବପ୍ରବଣତାକୁ ଏକ କ୍ଷୁଦ୍ର ବଳୟ ମଧ୍ୟରେ ଆବଦ୍ଧ କରିବାରେ ସେ ବେଶ ସକ୍ଷମ ହେଉଠିଲା। ଲଜ୍ଜାବୋଧ, ସାମଜିକ ମୂଲ୍ୟବୋଧତା, ଶିକ୍ଷା ପ୍ରତି ଆଗ୍ରହ, ବୈଜ୍ଂୟାନିକ ଗଳ୍ପ ପଢା ଏମିତି ନାନାଦି ନୂଆସାଥି ତକୁ ଶୃଂଖଳିତ କରୁଥାଂତି। ସେ ନିଜକୁ ଚିହ୍ନିବା, ଉଂକି ଉଠୁଥିବା ନାନା ଜଟିଳ ପ୍ରଶ୍ନର ସ୍ୱୟଂ ନିର୍ବାଚିତ ଉତ୍ତର ଖୋଜିବା, ସ୍କୁଲ୍ର ପାଠାଗାରରେ ଉପଲବ୍ଧ ଯତ୍କିଂଚିତ ପୁସ୍ତକ ପଠନ କରିବା, ଖବର କାଗଜରୁ ନାନା ତଥ୍ୟ ମନେ ରଖିବା ଏମିତି ଅନେକ ଗଠନମୁଳକ କାର୍ଯ୍ୟରେ ନିୟୋଜିତ ରଖି ସମସ୍ତଂକର ପ୍ରୀୟଭାଜନ ହୋଇଥିଲା ଲୋକେ ତାଠୁ କିଛି ଅଧିକ ଆଶା କରିବା ଆରମ୍ଭ କରିଦେଇ ଥିଲେ। ଶିକ୍ଷକ ମାନେ ତାକୁ ସୁନଜରରେ ରଖୁଥିଲେ।
ଥରେ ସେ ଖବର କାଗଜରୁ ଏକ ବିଜ୍ଂଯାପନ ଦେଖିଲା ଜାତୀୟ ବିନଜ୍ଂଯାନ ତର୍କ ପ୍ରତିଯୋଗୀତା ପାଇଁ ଆଗ୍ରହୀ ହେଲା। ବିଜ୍ଂଯାନ ଶିକ୍ଷକ ତା ସହ ଦିନରାତି ଲାଗିପଡିଲେ, କିବା ଅସାଧ୍ୟ ! ବିଷୟବସ୍ତୁ, “ଗ୍ରେଗର ଜନ ମେଣ୍ଡେଲ୍ଂକର ଗୁଣସୂତ୍ର ତତ୍ୱ ଓ ଏହାର ବ୍ୟାପକ ପ୍ରଭାବ” ସେ ଓ ତା ଶିକ୍ଷକଂକ ସମେତ ସାରା ଗ୍ରାମ ଅଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ, ସେ ହୋଇଥିଲା ଜାତୀୟ ଚମ୍ପିୟାନ୍।
ଘଟଣାଟି ତା ପାଇଁ ଓ ଉଭୟ ପରିବାର ପାଇଁ ଆଣି ଦେଇଥିଲା ବ୍ୟାପକ ପରିବର୍ତ୍ତନ।..... କ୍ରମଶଃ   

  



   

No comments:

Post a Comment