Search This Blog

Monday, 29 June 2015

ବିଶାଦ ଏକ ଅନ୍ତରଂଗ ଆତ୍ମୀୟତାର ସ୍ପର୍ଶ ।

ବିଶାଦ ଏକ ଅନ୍ତରଂଗ ଆତ୍ମୀୟତାର ସ୍ପର୍ଶ ।

ବିଶାଦ ଆସିଲା ସମ୍ଭ୍ରମେ,
କହିଲା ସେ ଅତି ଅନ୍ତରଙ୍ଗେ,
 "ହେ ବନ୍ଧୁ!
 ମୁଁ ସାମାନ୍ୟ ଶ୍ରଦ୍ଧାଭରା ଅଭିନଂଦନ,
କରଇ ଜଜ୍ଞାସା,
ଏତେ ହତାଦର କିଆଁ, କେଉଁ ଅପରାଧେ।।


ତୁମ୍ଭ ବିମର୍ଷତା ଏକ ଭ୍ରମ,
କୁହ କେବେ କରିଛିକି କ୍ଷତି?
ମୁଁ ଆସିଛି,
 ତ୍ୟାଗେ ଯେବେ ଧନଜନ, ସୌଭାଗ୍ୟ, ଐଶ୍ୱର୍ଯ୍ୟ,
ତୁମ୍ଭେ ଭାବ; ତୁମ୍ଭ ପ୍ରୀୟ ପରିଜନ,
ମଳିନ ଏ ଅସହାୟତାକୁ,
 ଉପହାସ କରିବା ଉତ୍ତାରେ,
ରାଜଦ୍ୱାରେ ବେତ୍ରାଘାତ ଅବା,
 ଶ୍ମଶାନର ବୈରାଗ ଉହାଡେ,
କୁହ ତେବେ,
 ମୁଁ ତୁମ୍ଭ ଶତୃ ହେଲି କେଉଁଭାବେ?
ଏତେ ହତାଦର କିଆଁ, କେଉଁ ଅପରାଧେ  ॥


ମୁଁ ଆସେ ଏକ ସଂଗୁପ୍ତ ପ୍ରଳୟ ପ୍ରାୟେ,
 କେଉଁଏକ ସୂକ୍ଷ୍ମ ବତାୟନେ,
ନିରେଖି ପ୍ରବେଶେ ତୁମ୍ଭ,
 ସୁରା ନାରୀ ଅଭିସାର କାଳେ,
ଅହଂ, ଆସ୍ପର୍ଦ୍ଧା ଓ ଉନ୍ମାଦ ବିଭୋର ବେଳାରେ,
ଖୁବ ସୂକ୍ଷ୍ମେ ଅତି ସଂଗୋପନେ,
ଯେତେ ଅଲୋଡା ଆବର୍ଜନା,
 ମୋ ପ୍ରଭାବେ ପରାହୁତ,
 ଯାନ୍ତି ଦୂରେ,ଦେଇ ମୁକ୍ତି,
କେବଳ ମୁଁ କବଳିତ କରେ ତୁମ୍ଭେ,
ଅନ୍ତର ଓ ବାହ୍ୟ ଆବରଣେ,
ସେ ଆସୁରିକ ଆନଂଦର ଛଳନା ଓ ମୋ ଆଘାତ ତୁମ୍ଭେ କୁହ କେଉଁଗୋଟି ଶ୍ରେୟ,
ମୁଁ ଯେବେ ଏତେ ଲୋଡା,
ଏତେ ହତାଦର କିଆଁ, କେଉଁ ଅପରାଧେ॥


ମୁଁ ତ କେବେ ଆସିନାହିଁ ଆଦ୍ୟ ଶୈଶବ୍ୟରେ,
ତୁମ୍ଭ ପରୀକ୍ଷାରେ,
 ସାମାନ୍ୟ କେତୋଟି ଅଂକ କମିବା ଉତ୍ତାରେ,
କୈଶୋର୍ଯ୍ୟର ଆଦ୍ୟ ଉଷା କାଳେ,
 ମୋର ପ୍ରଥମ ପ୍ରବେଶ,
ତୁମ୍ଭେ ମୋତେ ବେଶ୍ ସହିଗଲ,
ନିସଂଗ ଉଦାସେ,
ଟାଳିଦେଇ ସମସ୍ତ ଆସକ୍ତି,
 ଜାଳିପୋଡି ଅନ୍ତରର ସୁବର୍ଣ୍ଣ ପ୍ରକାଶ,
ଉଦ୍ଭାସିତ ହେଲ ଯେବେ,
 ସର୍ବଜନ ଗୌରବ ଟୀକାରେ,
କୁହ,
ମାଗିଲିକି ମୋର ପ୍ରାପ୍ୟ,
 ବରଂ ଅପସରି ଗଲି, ତୁମ୍ଭେମୋତେ ସଚେତନେ ତଡିବା ଆଗରୁ,
ମୁଁ ଯେବେ ଏତେ ଆଜ୍ଞାଧିନ, କୁହତେବେ,
 ଏତେ ହତାଦର କିଆଁ, କେଉଁ ଅପରାଧେ ॥


ମୁଁ ଉଦାସ, ଖେଳେ ଲୁଚକାଳି,
ତୁମ୍ଭେ ମୋତେ ଭୁଲିଗଲ, ମୁଁ ବି ତୁମ୍ଭଂକୁ,
ବରଂ ଠିକ୍,
ନଥିଲା ଆବଶ୍ୟକ ଉଭୟ ପକ୍ଷରୁ,
ମୋ ସମୟ ଆସିଗଲା ଯେବେ ହୁରିପଡିଥିଲା, ପ୍ରକାଶ୍ୟ ଓ ମୌନ ନିନ୍ଦାବାଦ,
ବିଶର୍ଣ୍ଣ ବିମର୍ଷ ଘୋର ବିପଦ କାଳରେ,
ଚାଲୁଥିଲ ଏକା ଅଂଧକାରେ,
ଅବଶ୍ୟ ଏକା ନୁହେଁ,
 ମୁଁ ଥିଲି ସାଥେ,
ଶତୃ ଏକ ଆତ୍ମୀୟ ଭାବରେ,
କୁହ ମୁଁ’କି ଟପିଛି ଲକ୍ଷ୍ମଣ ରେଖା,
ଦେଇଛିକି ଅସହ୍ୟ ଯାତନା,
ସହିବାର ସୀମା ଆରପାରେ,
ଏକଥାବ ସତ ଯଦି, କୁହତେବେ,
 ଏତେ ହତାଦର କିଆଁ କେଉଁ ଅପରାଧେ॥


ହାରିବାର ଦୁର୍ବଳ ମୁହୁର୍ତ୍ତେ ମୁଁ ଆସିଥିଲି,
ଯେବେ ଗ୍ରାସିଥିଲା ଇର୍ଷା,
ଦୁର୍ବିସହ ଯଂତ୍ରଣାରେ ହନ୍ତସନ୍ତ,
ମୁଁ ତୁମ୍ଭ ବଂଧୁ,
ଇର୍ଷାନୁହେଁ, ସେ ସ୍ଥାନେ ନମ୍ର ନିରାଶା,
କଣ୍ଟାହୋଇ ଅପସରି ଦେଲି କଣ୍ଟା,
ପୁନର୍ଜନ୍ମ, ସ୍ୱାଧିନତା ତା’ର ଅନ୍ୟନାମ,
 କିଏ ଆଣିଦେଲା?
ଇର୍ଷା ଦ୍ୱେଶ,ସେମାନେ ନିଜର ହେଲେ,
ନିରନ୍ତର ଆଦରେ ରଖିଲ,
ମୁଁ  କିଂତୁ ପର,
ଦୁଃଖ ମୋର ଅନ୍ୟନାମ ସତ,
 ତଥାପି ମୁ ଶ୍ରଦ୍ଧା ନିରିମାଖୀ,
କି କ୍ଷତି କରିଛି କୁହ?
 ଏତେ ହତାଦର କିଆଁ, କେଉଁ ଅପରାଧେ ॥


ଆତ୍ମୀୟତାର ସଂଦେଶ ଧରି ମୁଁ ଆଜି ଲେଉଟିଛି,
ଉଦବେଳିତ ତୁମ୍ଭେ, ଅକାରଣେ,
ଦେଖ ଶ୍ରଦ୍ଧାଭରେ ସ୍ୱାଗତ ଜଣାଅ,
ପରଖି ନିରେଖି,
ସୂକ୍ଷ୍ମ ରହସ୍ୟ ଉଦ୍ଦେଶ୍ୟ ତା’ର,
ମୁଁ ଯେବେ ଆସିଛି ଘଟିଛିକି ଅଘଟଣ କେବେ,
ମୁଁ ବିଶାଦ,
ଏକ ଅଂତରଂଗ ଆତ୍ମୀୟତାର ନିର୍ଭେଜାଲ ସାଥୀ,
ମୁହୁର୍ମୁହୁ ସ୍ମରଣର ପ୍ରତିଶୃତି,
କୋଟି ସୂର୍ଯ୍ୟପ୍ରଭା ପାରିବ’କି ସହି,
ଏଣୁ ତୁମ୍ଭ ବଂଧୁ,
 ବିଶାଦର ପେଟୀକା ମଧ୍ୟରେ ସାଇତି ରଖିଛି ତା’ରେ,
ଦେବ ଉପହାର,
କି କାରଣେ କର ହତାଦର, କେଉଁ ଅପରାଧେ ॥

No comments:

Post a Comment