Search This Blog

Wednesday 2 May 2018

A Poet’s Death is His Life ଜଣେ କବି'ର ମୃତ୍ୟୁ ହିଁ ତା ଜୀବନ।

A Poet’s Death is His Life

Is it really written by Khalil Gibran?
How could he know his own future! He died young, his literature became more and more popular after his death.
Yes possible, if what we ordinary people write today, becomes true tomorrow then why not this great Prophetic human!
Also possible some follower added it afterwards as devotional deception

 ଜଣେ କବି'ର ମୃତ୍ୟୁ ହିଁ ତା ଜୀବନ।

ଘନକେଶୀ ରାତ୍ରୀର, ବହଳ କଳା ଅନ୍ଧକାର ଉଭୟ ପକ୍ଷ, ଶୁଭ୍ର ହିମ ଆଛାଦିତ ସହରକୁ କୋଳେଇ ନେଇଛି; ଏବଂ ରାସ୍ତାଘାଟ ଜନଶୂନ୍ୟ କରି ସଭିଏଁ ଆପଣା ଗୃହର ଗରମ ପେଡିରେ ଆରାମ କରୁଛନ୍ତି। ବିପର୍ଯ୍ୟସ୍ତ ଆବର୍ଜନା ସମ କଦାଚିତ୍ ସୁନ୍ଦରୀ ଉଦ୍ୟାନକୁ ଉତ୍ତରା ହେମାଳ ବିମର୍ଷ ଅନୁଧ୍ୟାନ କରୁଛି।
      ସହରର ଉପାନ୍ତରେ ଏକ ଜୀର୍ଣ୍ଣ କୁଟୀର, ତୁଷାର ଭାରାରେ ଭୂପତିତ ହେବା ଉପରେ। ଝୁମ୍ପୁଡିଟିର ଏକ କନ୍ଦିରେ, କିଞ୍ଚିତ୍ ଅବଶିଷ୍ଟ ଜୀବନର ରୁଗ୍ଣ ଯୁବକ, ଭଗ୍ନପ୍ରାୟ ଖଟ ଉପରେ ପଡିରହି, ଫାଙ୍କ ମଧ୍ୟଦେଇ ଆସୁଥିବା ପବନରେ ଦ୍ବଳାୟିତ ମ୍ଳାନ ଦୀପଶିଖାକୁ ନିରେଖି ଚାହୁଁଛି। ସେ ନିଶ୍ଚିତ, ବୟସର ଏ ବସନ୍ତରେ ତା ମଧ୍ୟରେ ଶାନ୍ତ ମୃତ୍ୟୁ କ୍ରମଶଃ ଅବତରଣ କରି, ଜୀବନ ଜଞ୍ଜାଳରୁ ତାଙ୍କୁ ଉନ୍ମୁକ୍ତ କରିବାର କ୍ଷଣ ଆସନ୍ନ। 
ସେ ସକୃତଜ୍ଞ ଅପେକ୍ଷାମାଣ, ମୃତ୍ୟୁର ଆଗମନକୁ, ମଳିନ ମୂଖ ମଣ୍ଡଳରେ ଆଶାର ଉଦୟ; ଏବଂ ଅଧରରେ ବିଶାଦର ସ୍ମିତହାସ୍ୟ; ଏବଂ ତାଙ୍କ ଆଖିରୁ ଝରିପଡୁଛି ସଦୟ କ୍ଷମା।

ସେ ବିଳାସୀ ସହରର କ୍ଷୁଧିତ କବି।

ଆପଣାର ସୁନ୍ଦର ଓ ଗାମ୍ଭୀର୍ଯ୍ୟ ଭରା କଥା କବିତାରେ, ଏ ଧରାର ଅସୁମାରୀ ଦୁଃଖ ଦୈନ୍ୟ ପୀଡିତ ଜନତାଙ୍କ ହୃଦୟକୁ ଉତଫୁଲ୍ଲିତ କରିବା ଥିଲା ବିଧି ଅଭିଳାଷ। ବୋଧଶକ୍ତିର କର୍ତ୍ତ୍ରୀଦେବୀ ତାଙ୍କୁ ପଠାଇଥିଲେ ନରନାରୀଙ୍କ ରୁଷ୍ଟ ମାନସକୁ ପ୍ରଷମିତ କରି, ଜୀବନରେ ଭରିଦେବାକୁ ସାବଲୀଳ ଆତ୍ମ ସନ୍ତୋଷ।
କିନ୍ତୁ ହାୟ! ସେ ଖୁସିରେ ବିଦାୟ ଦେଉଛନ୍ତି ଏ ଶୀତଳ ପୃଥିବୀକୁ, ତହିଁର ବିଚିତ୍ର ବାସିନ୍ଦାଙ୍କ ଲେସମାତ୍ର ଖୁସି ନଦେଖି। ସେ ଶେଷ ନିଶ୍ବାସର ଅପେକ୍ଷାରେ, କିନ୍ତୁ ଏକ ମାତ୍ର ଏ ଦୀପକ ବ୍ୟତୀତ କେହି ନାହିଁ ମୃତ୍ୟୁ ଶଯ୍ୟାରେ, ଏବଂ କେବଳ ଯାହା ଅଛି ଲିଖନ ସମ୍ଭବ ଚମଡାର ଫର୍ଦ୍ଦ ଯେଉଁଠି ସେ ଖୋଦନ କରନ୍ତି ହୃଦୟର ସୂକ୍ଷ୍ମ ଅନୁଭବ।

ଶେଷ ଶକ୍ତିର ସ୍ବଳ୍ପ ଅବଶିଷ୍ଟାଂଶ ସଂଗଠିତ କରି ଦୁଇ ବାହୁ ସ୍ବର୍ଗକୁ ଉତ୍ତୋଳନ ପୂର୍ବକ, ଅତ୍ୟନ୍ତ ନିରାଶାରେ ଘୁର୍ଣ୍ଣାୟ ମାନ ଦୃଷ୍ଟି ନିକ୍ଷେପ କରୁଛନ୍ତି, ସତେ ଯେମିତି ଘରର ଛାତ, ହିମପାତ ଓ ଆକାଶର ମେଘମାଳାର ଢାଙ୍କୁଣି ଭେଦକରି ନଭ ମଣ୍ଡଳର ତାରକାପୁଞକୁ ଅବଲୋକନ କରିବା ସମ୍ଭବ।
ଏବଂ ସେ କହୁଛନ୍ତି, "ଆସ ଆଭାମୟୀ ମୃତ୍ୟୁ; ଆତ୍ମା ମୋର ଅନାଇ ରହିଛି। ଆସ ପାଶେ, ଭାଜି ଯାଉ ଲୌହର ଶୃଙ୍ଖଳ, ବହନେ ଯା ନୟାନ୍ତ ମୁଁ। ହେ ମଧୁର ମରଣ ଆସ, ଉଦ୍ଧର ଏ ପଡୋଶୀ ମାନଙ୍କ କବଳୁ। ଶୁଣି ମୋର ଦେବପୁର ସନ୍ଦେଶ ବଖାଣ, କହନ୍ତି ସେମାନେ, କିଏ ଏ ଅଚିହ୍ନା ଆଗନ୍ତୁକ! ହେ କାଳ, ଶୀଘ୍ର ପ୍ରଶାନ୍ତି ଆଣ, ଏ ବିବିଧ ବିକାରରୁ ଦୂରେ ବାହିନିଅ। ମୁଁ ଏ କନ୍ଦିରେ ବନ୍ଦୀ ଓ ବିସ୍ମୃତ, କାରଣ ମୁଁ ଦୁର୍ବଳର ଲୋହୁ ବୁହାଇବାରେ ସେମାନଙ୍କୁ ସାଥି ଦେଇନାହିଁ।

ହେ ଧୀର ନିସ୍ପନ୍ଦ, ତୁମ୍ଭ ଶୁଭ୍ର ପକ୍ଷରେ ପୋଛି ନିଅ ମୋତେ, ମୁଁ ମୋ ପ୍ରତିବେଶୀଙ୍କ ପାଇଁ ଅଲୋଡ଼ା, ହେ ମୃତ୍ୟୁ, ପ୍ରେମମୟୀ କରୁଣା ସ୍ବରୂପ, ଆବୋରି ନିଅ ମୋତେ; ତୁମ ଅଧର ଚୁମିଯାଉ, ପାଇନି ଯେ ମାତାର ଚୁମ୍ବନ, ନାହିଁ ଭଗ୍ନୀ ଛୁଇଁବାକୁ ଯା'ର ନରମ ଚିବୁକ, ନାହିଁ ମୋ ପ୍ରେୟସୀ ଛନ୍ଦିବାକୁ ନରମ ଅଙ୍ଗଳି, ଏଣୁ ଘେନିଯାଅ ମୋତେ, ହେ ମୋର ପ୍ରିୟତମା ମୃତ୍ୟୁ।
ଅତଃପର, ମୁମୁର୍ଷୁ କବିଙ୍କ ଶଯ୍ୟା ପାର୍ଶ୍ବେ ଉଭା, ନୈସର୍ଗିକ ଶୋଭାମୟୀ ଐଶୀ ଦେବକନ୍ୟା, ହସ୍ତେ ଧରି ଦିବ୍ୟ ପୁଷ୍ପ ଚକ୍ର। ଦେବୀ, ଆଲିଙ୍ଗନ କରି ଚକ୍ଷୁ ତାଙ୍କ ମୁଦ୍ରିତ କରନ୍ତି, ଏଣିକି କବି ଦେଖିବେ ଆତ୍ମାର ଜ୍ଞାନ ନେତ୍ରରେ। ଦିବ୍ୟଜନନୀଙ୍କ ଦୀର୍ଘ ଏକ ମୃଦୁ ଚୁମ୍ବନରେ ଉଦ୍ଭାସିତ ହୁଏ ଚିରସ୍ଥାୟୀ ସ୍ବର୍ଗୀୟ ଆନନ୍ଦ ଓ ଚହଟ ଲାସ୍ୟମୟ ପରିପୂର୍ଣ୍ଣତା।
ଶୂନ୍ୟ କୁଟୀରରେ କେବଳ ପଡି ରହେ କବିଙ୍କ ହସ୍ତ ଲିଖିତ ଚର୍ମପରଦା ଓ କାଗଜ ଫର୍ଦ୍ଦମାନ, ଅଙ୍କିତ ଯହିଁ ବ୍ୟଥିତ ହୃଦୟର ଭାବମୟ ତିକ୍ତ କବିତା।

 ଅନେକ ଶତାବ୍ଦୀ ଅନ୍ତେ ସେ ସହର ହୁଏ ବ୍ୟାଧିମୁକ୍ତ, ଜାଗ୍ରତ ହୁଏ ଅଜ୍ଞାନ ତିମିରାଛନ୍ନ ବହଳ ନିଦ୍ରାରୁ। ସହରର ସୁନ୍ଦରତମ ଉଦ୍ୟାନରେ ଏକ ସ୍ମାରକ ପ୍ରତିଷ୍ଠା କରି ପ୍ରତିବର୍ଷ ଉତ୍ସବ ମନାନ୍ତି, ସେ ଦିବ୍ୟ କବିଙ୍କ ସମ୍ମାନାର୍ଥେ, ଯାହାଙ୍କ ରଚନା ସେମାନଙ୍କୁ ମୁକ୍ତ କରିଛି।
ହାୟ, କେତେ ନିଷ୍ଠୁର ମଣିଷର ଅଜ୍ଞତା।

No comments:

Post a Comment