Search This Blog

Friday, 10 April 2015

ଅନନ୍ତା ।

ଅନନ୍ତା
ସେମାନେ ଦିଶୁଥିଲେ ଅତ୍ୟଂତ ପ୍ରସନ୍ନ, ତହିଁରେ କୌଣସି ବିଶେଷତ୍ୱ ଥିବାର କାରଣ ନଥିଲା । ମାତୃତ୍ତ୍ୱର  ପ୍ରଥମ ସ୍ୱାକ୍ଷର ବହନ କରୁଥିବା ସଲଜ୍ଜ ବଧୂଟି ପ୍ରଥମକରି ଡାକ୍ତରୀ ପରୀକ୍ଷା ପାଇଁ ସ୍ୱାମୀସହ ବାହାରକୁ ଆସିଛି ସମସ୍ତ ସମ୍ଭ୍ରମତାର ପରିପାଟୀ ସହ। ସ୍ୱାମୀ ତାର ଚିକିତ୍ସା ବ୍ୟତିରେକ ଯେପରି ଆଉ କିଛି କହିବାକୁ ଚାହୁଁଛି କିଂତୁ କହି ପାରୁନାହିଁ। ମନେହୁଏ ପ୍ରସଂଗଟି ଉତ୍ସାହପ୍ରଦ ଯାହା ତାର ମୁହଁର ଉଜ୍ଜ୍ୱଳ ଭାବଭଂଗୀ ପ୍ରକାଶ କରୁଛି। ଡାକ୍ତରୀ କାମ ସମାପ୍ତ ହୁଅଂତେ ବୋହୁଟି ଚୌକି ଛାଡି ଯାଉନି, କେବଳ ତା ସ୍ୱାମୀ ଆଡକୁ ଅର୍ଥପୂର୍ଣ ଦୃଷ୍ଟିରେ ଚାହିଁ ରହିଛି, ସତେ ଅବା କହୁଛି,”କହିବ କହିବ ବୋଲି ଭଜି ହେଉଥିଲ କହୁନ କାହିଁକି?”
ଡାକ୍ତର କହିଲେ କଣ କଥା, ଆଉ କିଛି କହିବ!
ମୋତେ ଚିହ୍ନି ପାରୁଛଂତି ସାର?
ଡାକ୍ତର ନିରିଖେଇ ଦେଖିଲେ, “ଚିହ୍ନୁଛି କିଂତୁ ସଠିକ ମନେ ପଡୁ ନାହିଁ”।
“ମୁଁ ମୁଢ ଅନଂତା ଆଗ୍ୟାଁ। ଆପଣ ମୋତେ ଦେଖିଥିଲେ ସରକାରୀ ବାଳାଶ୍ରମରେ ପ୍ରଥମ ଥର” ।
ହଁ ହଁ ମନେ ପଡିଲା । କିଛି ବର୍ଷ ପୂର୍ବେ ସେ ଦିନେ ଅତିଥି ହୋଇ ଯାଇଥିଲେ ବାଳଶ୍ରମକୁ। ସଭାକାର୍ଯ୍ୟ ସରିଲାପରେ ଅଂତେବାସୀ ଓ ତତ୍ତ୍ୱାବଧାରଂକ ସହ ମୁହାଁମୁହିଁ କଥା ହୋଇ ନାନାଦି ସମସ୍ୟା ବାବଦରେ ଆଲୋଚନା ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଛି ଥାଏ। ବିଗ୍ୟଁ ବ୍ୟକ୍ତି ମାନେ ନିଜର ସୁଚିଂତିତ ମତ ଦେଉଥାଂତି। ସେ କେବଳ ଶ୍ରୋତାପ୍ରାୟ ବସିଥାଆଂତି। ତହୁଁ ଆସିଲା ଅନଂତା ପ୍ରସଂଗ। ଅନଂତା ଠିଆ ହୋଇଥାଏ ସାଥିମାନଂକ ସହ । ସତେ ଅବା ଅନାହାରକ୍ଳୀଷ୍ଟ ଦଳେ କ୍ଷୀଣ ଶରୀର କିଶୋରଂକର  ଭୀମ ସ୍ୱରୁପ ଦଳପତି। ଆକ୍ଷିରେ ତା’ର ଝଲକୁଛି ବିଶ୍ୱାସର ପ୍ରତିଶୃତି, କୈଶୋର୍ଯ୍ୟର କଅଁଳ ସ୍ପର୍ଶ ଗଜ୍ଜୁରିତ ନୀଷ ଇତ୍ୟାଦି ସହ ଅନେକ ବ୍ରଣ ଅନଂତାକୁ ଅନ୍ୟ ମାନଂକଠୁ ପୃଥକ କରୁଛି।
ତତ୍ତ୍ୱାବଧାରକ କହିଲେ ଅନଂତାକୁ ଆଉ ଏଠାରେ ରଖିହେବନାହିଁ। କଥା ମାନୁନାହିଁ, ଗେଟ ବଂଦ ହେଲାପରେ ପାଚେରୀ ଡେଇଁ ପଳାଉଛି, କଡା ପାନ ଖାଉଛି, ବାହାରେ କୁସଂଗରେ ପଡିଛି, ସେମାନେ କୁବୁଦ୍ଧି ଦେଉଛଂତି, ଶୁଣଯାଏ ବେଳେ ବେଳେ ସ୍କୁଲ ନଯାଇ କେଉଁ ଏକ ମୋଟର ଗ୍ୟାରେଜରେ ସାମୟିକ କାମ କରି ପଇସା ଆଣୁଛି, ବେଳେ ବେଳେ ସ୍କୁଲ ସାଥି ମାନଂକ ଘରକୁ ଯାଇ ପିଜୁଳି,ଆମ୍ବ, ନଡିଆ ଆଉ କେତେକଣ ଗଛରେ ଚଢି ତୋଳି ଦେଉଛି, ସେମାନଂକ ଘରେ ଖାଇ ପିଇ ଆସୁଛି, ନଦୀ ଗଣ୍ଡରେ ପହଁରୁଛି, ପାଠ ଆଦୌ ପଢୁନାହିଁ, ପାଶ କରିବାର କୌଣସି ସମ୍ଭାବନା ନାହିଁ। ଅନ୍ୟ ଅଂତେବାସୀ ମାନେ ଅନେକ ଦୃଷ୍ଟାଂତ ଦେଲେ ତତ୍ତ୍ୱାବଧାରକଂକ କଥାକୁ ଠିକ ପ୍ରମାଣ କରିବାପାଇଁ।
ସମସ୍ତେ ଅନଂତାକୁ ତାଗିତ କଲେ, ଶୃଂଖଳା ପାଳନ କରିବାକୁ ପରାମର୍ଶ ଦେଲେ, ପରୀକ୍ଷାରେ ପାଶ କରିବା ପାଇଁ ପାଠ ପଢିବା ନିହାତି ଜରୁରୀ; ସେକଥା’ବି କହିଲେ। କେମିତି ମନେହେଲା, ତାକୁ ତା ପକ୍ଷ ରଖିବାକୁ କୌଣସି ସୁଯୋଗ ଦିଆ ଯାଉନାହିଁ । ସେ ଦୁଃଖ ଅବା ବିରକ୍ତ ହେବାପରି ଜଣା ପଡୁ ନଥିଲା । ସମସ୍ତଂକ କଥା ମାନି ନେଇଛି ବୋଲି ଯେଉଁ ଧାରଣାଟି ସୃଷ୍ଟି ହେଲା ତାହା ମଧ୍ୟ  ଅତ୍ୟଂତ ଭ୍ରମପୂର୍ଣ ଅନୂଭୁତ ହେଉଥିଲା । ଲାଗୁଥିଲା ଏ ପ୍ରତି ସେ ସମ୍ପୁର୍ଣ ବେପରୁଆ ।
ଡାକ୍ତରବାବୁ କହିଲେ, ବାବା ଅନଂତା ତୁମର ସମସ୍ୟା କଣ ଆମ୍ଭଂକୁ ଫିଟାଇ କୁହ ।
ମୁଁ କଣ କହିବି ସାର, ମୁଁ’ତ ରାଣ୍ଡି ପୁଅ ଅନଂତା । (ଜଣେ ବିଧବାର ଦୁଷ୍ଟ ଏବଂ ଏକମାତ୍ର ପୁଅ ଅନଂତା ଗ୍ରାମକୁ ବନ୍ୟାରୁ ରକ୍ଷା କରିବା ପାଇଁ ପ୍ରାଣ ଉତ୍ସର୍ଗ କରିବାର ମର୍ମସ୍ପର୍ଶୀ ଗଳ୍ପ – ଫକୀର ମୋହନ)
ଦେଖାଗଲା ତତ୍ତ୍ୱାବଧାରକଂକ ମୁହଁ ଶୁଖି କଳାକାଠ ପଡିଗଲା, ଅନଂତା ବିରୁଦ୍ଧରେ ସାକ୍ଷୀ ଦେଉଥିବା ପିଲାଏ ହତଭମ୍ବ ଦେଖାଗଲେ । ଅନଂତା ଜିଭ କାମୁଡି ପକାଇଲା । ଯେମିତି ମସ୍ତବଡ ଭୁଲ କରିପକାଇଛି । ସେତେବେଳର ତାପମାତ୍ରା ଅଧିକ ନ’ହୋଇଥିବା ତଥା ବେଗରେ ପଂଖା ଘୁରୁଥିବା ସତ୍ତ୍ୱେ ମହାଶୟଂକ ଦେହ ମୁଣ୍ଡରୁ ସ୍ୱେଦ ନିର୍ଗତ ହୋଇ ପରିବେଶକୁ ଗମ୍ଭୀର କରିଥିଲା। ପଛପାଖ ଆମ୍ବ ଓ ବଉଳ ଗଛ ସ୍ତବ୍ଧ ଓ ନିଶ୍ଚଳ ହୋଇ ଯାଇଥିଲେ । କେତେବେଳୁ ସୁ ସ୍ୱରରେ ରବ କରୁଥିବା କୌଣସି ଏକ ବିହଂଗର ସ୍ୱର କର୍କଶ ଓ ବିକଟାଳ ଶୁଭିଲା । ମନେହେଲା ବିନାମେଘେ ବଜ୍ରପାତ ଘଟିଲା ।
ପରିସ୍ଥିତିକୁ ଲଘୁ କରିବା ଉଦ୍ଦେଶ୍ୟରେ ଅତିଥିମାନେ ଅନ୍ୟ ପ୍ରସଂଗ ଉତ୍ଥାପନ କଲେ ଏବଂ ପିଲାମାନଂକୁ ବସିବାକୁ ନିର୍ଦ୍ଦେଶ ଦେଲେ ।
ଅନଂତାକୁ କିଛି କହିବାକୁ ସୁଯୋଗ ଦେବାକୁ ଡାକ୍ତର ସମସ୍ତଂକୁ ଅନୁରୋଧ କଲେ । ସୁଯୋଗ ଦିଆଗଲା ମଧ୍ୟ ।
ଅନନ୍ତା ସାଂଗ ସାଥୀ ମାନଂକୁ ଚାହିଁଲା, ତତ୍ତ୍ୱାବଧାରକଂକ ଆଡକୁ କଣେଇକି ଅନାଇଲା, ଏବେ ସେ ନିଜେ ଦୋଶୀ ପ୍ରାୟ ଦେଖା ଯାଉଥିଲା ।
“ନାଇଁ ଆଗ୍ୟାଁ, ମୁଁ କଣ କହୁଥିଲିକି, ମୁଁ ମୁଁ  ମାନେ ମୁଁ ଜଣେ ବାପ ଛେଉଣ୍ଡ ପିଲା, ଦୁଃଖିନୀ ବିଧବା ମାଆ ମୋର ବଡ କଷ୍ଟରେ ଚଳୁଛି, ମୋତେ ସେହି ଫକୀରମୋହନଂକ,’ରାଣ୍ଡିପୁଅ ଅନଂତା’ ଗଳ୍ପଟି ପଢିବାକୁ କେହି ଚିଡାଇବା ଉଦ୍ଦେଶ୍ୟରେ କହି ନାହାଂତି, ସୁପରିଟେଣ୍ଡେଣ୍ଟ ସାର ମଧ୍ୟ କହି ନାହାଂତି, କିଂତୁ ମୋ ନାଁ’ଟି ଅନଂତା ହୋଇଥିବାରୁ ଆଉ ମୋ ବାପା ମରି ଯାଇଥିବାରୁ ଏହା ମୋ ନିଜ ଗଳ୍ପ ଭାବି ମୁଁ ପଢିଛି, ବାରମ୍ବାର ପଢିଛି, ଭାବିଛି ମୋର ଏହି ଧିକ ଜୀବନ ମଧ୍ୟ ଦିନେ ବହୁ ମୂଲ୍ୟବାନ କାମରେ ଲାଗିବ । ସତ କହୁଛି, ଆମ ସାର ମୋତେ ଜମାରୁ ସେମିତି କହି ଅପମାନିତ କରି ନାହାଂତି । “
ବାତାବରଣର ଗମ୍ଭୀରତା ବଢିଥିଲା କି କମିଥିଲା କହିବା ସହଜ ନଥିଲା ତେବେ ବୋଧ୍ ହେଲା ଫକୀର ମୋହନଂକୁ ଏଭଳି ସମ୍ମାନ ତାଂକ ଜୀବଦ୍ଦଶା ଅବା ମରଣତ୍ତୋରେ ମଧ୍ୟ କେଉଁଠାରେ ମିଳି ନଥିବ । ସତେଅବା ସେ ମହାନ ଆତ୍ମା ଏକ ବେତ ଧରି ସବୁ ବୟସ୍କ ବ୍ୟକ୍ତିଂକୁ ଛାଟେ ଛାଟେ ଦେଇ ପୁଣି ସେହି ବାତାୟନ ବାଟେ ଆମ୍ବ ଗଛର ସେ ବିହଂଗ ପୃଷ୍ଠରେ ବସି କେଉଁଆଡେ ଅଦୃଶ୍ୟ ହୋଇଗଲେ । ପକ୍ଷୀଟିର ରାଗ ଅବା ବିରାଗ ଆଉ ଶୁଣା ଯାଉ ନଥିଲା ।
ଡାକ୍ତରଂକ ମନ ଶାନ୍ତି ହୋଇନଥିଲା । ସେ ଅନଂତାଂକୁ ପାଖକୁ ଡାକି କହିଲେ, “ ତୁମେ ବହୁତ ଉନ୍ନତି କରିବା ଦୃଢନିଶ୍ଚିତ, ତେବେ ତୁମର ଦୁଷ୍ଟାମୀ କାହିଁକି ବାବା!”
ମୁଁ କଣ ଭାବୁଛି ଜାଣିଛନ୍ତି ସାର୍, ପାଠ  ମୋ ଦ୍ୱାରା ହେଉନାହିଁ କି ହେବନାହିଁ । ଏଣୁ ବଡ ହେଲେ ଗାଡି ଚଲାଇବି । ସେଥିପାଇଁ ଲୁଚିଛପି ଗ୍ୟାରେଜରେ କାମ କରେ, ଗାଡିର ଭିତର ବାହାର ଚିହ୍ନେ, ଭାରୀ ସୁଖ ଲାଗେ, କେବେ କେବେ ଗାଡି ଚଲାଇବାକୁ ମିଳେ । କିଛି ଟଂକାବି ରଖିଛି, ଭାବିଛି ଲାଇସେଂସ ବାହାର କରିବି, ଗ୍ୟାରେଜବାଲା ଏ ଦିଗରେ ସାହାଯ୍ୟ କରିବାର ପ୍ରତିଶୃତି ଦେଇଛି। ପାଠ ପଢି କଣ କରିବି, ମୋ ପାଠକୁ ଚାକିରୀ ନାହିଁ, ମୋ ମାଆକୁ କେତେ ଦିନ ଆଉ ବାର ଦ୍ୱାର ବୁଲି ପାଇଟି କରିବାକୁ ଛାଡିଦେବି। ସାର ମୁଁ ଲାଇସେଂସ ବାହାର କଲେ ମୋତେ ଡ୍ରାଇଭର ରଖିବେ!
ଦେଖ ବାବୁ ତୁମ ବୟସ ହିସାବରେ ତୁମ ବୁଦ୍ଧି ବହୁତ ପରିପକ୍ୱ , ତୁମେ ଏମିତି ବ୍ୟସ୍ତ ହୁଅ ନାହିଁ, ତୁମ ପାଇଁ ସଫଳତା ଅବଶ୍ୟ ଅପେକ୍ଷା କରିଛି।
କ୍ରମେ ଘଟଣାଟି ବିସ୍ମୃତ ହୋଇଯାଇଥିଲା ।
କିଛି ବର୍ଷ ପରେ ପୁଣି ଅନଂତା ସହ ଦେଖାହେଲା । ଏଥର ତାକୁ ପୋଲିସ ବାବୁ ମାନେ ଆଣିଥିଲେ ଜଣେ ଅଭିଯୁକ୍ତ ରୂପେ, ଗ୍ୟାରେଜ ମାଲିକର ନାବାଳିକା ଝିଅ ଲାନୀକୁ ଅପହରଣ ଇତ୍ୟାଦି ମାମଲାରେ । ଅନଂତାକୁ ସେବେଳକୁ ଅଠର ବର୍ଷ ଏବଂ ଲାନୀ ମାତ୍ର ପଂଦର ବର୍ଷର ନାବାଳିକା ।
ଲାନୀର ମଂତବ୍ୟ ଥିଲା ସେ ଅନଂତାକୁ ଭଲପାଏ ଓ ନିଜ ଇଛାରେ ତା’ସହ ଯାଇଥିଲା ବାହାହୋଇ ଘର ସଂସାର କରିବାକୁ । ସେ ଡାକ୍ତରୀମାଇନା ହେବାକୁ ଆଦୌ ରାଜି ହେଲାନାହିଁ ।
ଅନଂତା କହିଲା, “ମୁଁ ଏତେ ନିୟମ କାନୁନ ଯାଣିନଥିଲି, ଲାନୀକୁ ଭଲପାଏ ବାହା ହେବାକୁ ଚାହୁଁଛି କହିବାରୁ ତା ବାପା ରାଜି ହେଲେ ନାହିଁ ଏବଂ ଅନ୍ୟ ପ୍ରସ୍ତାବରେ ଲାନୀକୁ ବାଧ୍ୟକରି ବାହା ଦେବାର ଯୋଜନା କଲେ । ସେଥିପାଇଁ ମୁଁ ଲାନୀକୁ ନେଇ କୋର୍ଟ ଯାଇଥିଲି ବାହା ହେବାପାଇଁ । ସେଠିକାର ବାବୁମାନେ ଏହା ବୟସ ଦୃଷ୍ଟିରୁ ଆଇନ ସମତ୍ତ ନୁହେଁ କହି ଥାନାବାବୁଂକୁ ଡାକି ଆଇନ ଅନୁଯାଇ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ କହିଲେ, ବାସ ତା’ପରେ ଆମକୁ ଏଠାକୁ ଅଣାଗଲା । ଆପଣ ସାର କୁହଂତୁ ଯଦି ତା’ର ବୟସ ହୋଇନାହିଁ ସେ ଅନ୍ୟତ୍ର ବାହା ହୋଇଥାଂତା କିପରି! କେତେ ବୟସରେ ବାହାହେବା ଠିକ ସେକଥା ମୋତେ ଗାଆଁରେ କି ଘରେ ଅବା ବିଦ୍ୟାଳୟରେ କେହି କହି ନାହାଂତି କିମ୍ବା ପାଠ ବହିରେ ଲେଖାଯାଇ ନାହିଁ । ମୁଁ ଜାଣିବି କେମିତି! ସେ ବୟସ ହେବା ଆଗରୁ ଝିଅଟିଏ ସହ ଭଲପାଇବା ଭାବନା ଆସିବାକୁ ଭଗବାନ ରୋକୁନାହାଂତି କାହିଁକି? ମୁଁ ଭାବିଥିଲି ଯେହେତୁ ରୋଜଗାର କରୁଛି,  ମୋ ମାଆର ସୁବିଧା ପାଇଁ ମୋତେ ବାହାହେବା ଜରୁରୀ ଏବଂ ଲାନୀ ସେଥିରେ ରାଜି ହେଲା । ତା’କୁ ପଚାରିଲେ ସେ କହିବଯେ ।“
ଅଠର ବର୍ଷର ଡ୍ରାଇଭର ପିଲାଟିଏ ଏକଥା କହୁଛି କିମ୍ବା ଜଣେ ଦକ୍ଷ ଓକିଲ ଯୁକ୍ତି କରୁଛି ସେକଥା ଭାବୁଥିଲେ ଆଶ୍ଚର୍ଯ୍ୟଚକିତ ଡାକ୍ତରବାବୁ ।
କେଶଟି ଖୁବ ଶୀଘ୍ର ଫୈସଲା ହୋଇ ଯାଇଥିବାର ସୂଚନା କୌଣସି ସୂତ୍ରରୁ ଡାକ୍ତର ପାଇଥିଲେ । ଉଭୟଂକ ବୟସ ଉପଯୁକ୍ତ ନହେବା ପର୍ଯ୍ୟଂତ ବିବାହ ହୋଇ ପାରିବ ନାହିଁ, ଲାନୀ ନିଜଘରେ ରହିବ, ତା’ଉପରେ କୌଣସି ନିର୍ଯାତନା ଯେପରି ନହୁଏ ସେ ପ୍ରତି ମହିଳା ଓ ଶିଷୁ କଲ୍ୟାଣ ବିଭାଗ ଧ୍ୟାନ ଦେବ, ଉଭୟ ପକ୍ଷ ପରସ୍ପରକୁ ବିଭାହେବାକୁ ବାଧ୍ୟ ନୁହଂତି, ଏବଂ ନିର୍ବୋଧତା ବ୍ୟତୀତ ଅନ୍ୟ କୌଣସି ଅପରାଧ କରିଥିବାର ପ୍ରମାଣ ନ’ଥିବାରୁ ଅନଂତାକୁ କୌଣସି ଦଣ୍ଡ ମିଳିବା ସମିଚୀନ ନୁହେଁ; ଏହି ପ୍ରକାର ଆଦେଶ ମାନ୍ୟବର ଅଦାଲତ ଦେଇଥିଲେ ।
ଏହାପରେ ଅନଂତାକୁ ସେ ପାଶୋରି ପକାଇଥିଲେ । ଏହି ଚଇନି ଫିଟ ଯୁବକ ଜଣକ କ’ଣ ଅନଂତା ହୋଇପାରେ । ଆଉ ଏ ବୋହୁଟି ଲାନୀ କିମ୍ବା ଅନ୍ୟକେହି !
ଓ ବାବୁ ଜଣକ ତା ନାମ ଅନଂତା ବଦଳରେ ଅନଂତ କହିନଥିଲେ ସେ ସଂଗେ ସଂଗେ ଜାଣି ପାରିଥାଂତେ ପରା । ଡାକ୍ତର ପୁଣି ଟିକେ ଚିଠା ଉପରେ ନଜର ପକାଇଲେ। ଏଁ! ସତେ’ତ , ଆରେ ବାଃ ତାହେଲେ ଅନଂତା ତୁମ କାହାଣୀ ସମ୍ପୂର୍ଣ ନହେଲା ପର୍ଯ୍ୟଂତ ଆଜି ସବୁ କାମ ବଂଦ ।
ସହାୟକଂକୁ ଡାକି ମୃଦୁ ପାନୀୟର ବ୍ୟବସ୍ଥା କରିବାକୁ କହିଲେ ।
“ସେ ଅନେକ କଥା ସାର୍, ଆପଣଂକୁ କହିଲେ ଅତ୍ୟଂତ ଆନଂଦ ଲାଗିବ । ଆପଣଂକ କଥା ମୋତେ ଗଭୀର ବିଶ୍ୱାସ ଦେଇଥିଲା, ମୁଁ ମନେମନେ ଭାବିଲି ଏତିକି ପାଠକୁ କେଉଁ ଚାକିରୀ ମିଳିବ? ଆତ୍ମ ପ୍ରତ୍ୟେୟ କହିଲା ସୈନ୍ୟବାହିନୀ ତୋତେ ଅପେକ୍ଷା କରିଛି”।
ବର୍ଷା ଦିନର କଥା, ପ୍ରବଳ ବୃଷ୍ଟିପାତ ବନ୍ୟାର ତାଣ୍ଡବ ସୃଷ୍ଟି କରିଥାଏ ସାରା ଓଡିଶାରେ। ନଦୀରେ ନଦୀଏ ପାଣି, ଦୁର୍ବଳ ବଂଧ ଭାଂଗି କେତେ ଗାଆଁ ଗଣ୍ଡାକୁ ଉଛନ୍ନ କରିଥାଏ। ଉଦ୍ଧାର କାର୍ଯ୍ୟରେ ସୈନ୍ୟବାହିନୀ ମୂତୟନ ହୋଇଥାଏ । ସରକାରୀ ବେସରକାରୀ ନାଆ ସବୁ କାମରେ ଲାଗିଥାଂତି, ଲୋକେ କଥା ହେଉଥାଂତି ଏମିତି ବନ୍ୟା କେବେ ହୋଇନଥିଲା । ବୈତରଣୀର ସମସ୍ତ ପାଣି ଯେମିତି ତାଂକରି ଇଲାକାକୁ ଛାରଖାର କରିବାକୁ ଶପଥ ନେଇଛି । ଉଭାକ୍ଷେତର ଫସଲ ପାଣି ଲହରୀ ତଳେ ଅଦୃଶ୍ୟ, ଯାହାକିଛି ଧନ ଜୀବନ ସବୁ ନଦୀବଂଧ ଉପରେ । ନେତାଏ ପ୍ରତିଯୋଗୀତା କରି ନିଜ ଗ୍ରାମକୁ ସମସ୍ତ ସାହଯ୍ୟ ନେବାକୂ ବ୍ୟସ୍ତ । କେଉଁଠି କେଉଁଠି ଭୋକିଲା ଗୋମେଷାଦି ପଶୁମାନେ ରଡି ଛାଡୁଛଂତି । ଚୁଲି ଜଳିବାର ବ୍ୟବସ୍ଥା ନାହିଁ । ପାଣି ଘେର ମଧ୍ୟରେ ଫସି ଯାଇଥିବା ଗୋଟିଏ ଛୋଟ ଗ୍ରାମରୁ ଲୋକମାନଂକୁ ବାହାର କରିବାରେ ସୁରକ୍ଷା ବଳ ଲାଗିପଡିଛଂତି, ନାଉରିଆ ବି ଲାଗିଛଂତି.ସ୍ଥାନେ ସ୍ଥାନେ ପାଣି ଭଉଁରି ଖେଳୁଛି। ସେମିତି ଏକ ଭଉଁରିରେ ଦେଶୀ ଡଂଗାଟିଏ ପଡିଗଲା, ଡଂଗା ଓଲଟି ପଡିଲା , ଲୋକମାନେ ପହଂରିବା ଆରମ୍ଭ କଲେ କିଂତୁ ପହଁରା ଜାଣି ନଥିବା ଦୁଇଜଣ ମହିଳା ଭାସି ଗଲେ । ସୁରକ୍ଷାବଳ ସେଠାରୁ ଟିକେ ଦୂରରେ ଥାଆଂତି। ଲୋକମାନେ ପରସ୍ପରକୁ ଅନାଇବାଠୁ ଅଧିକ କୌଣସି କର୍ତ୍ତବ୍ୟ ଚିଂତା କରୁ ନଥାଂତି । ଅନଂତା ପାଣିକୁ ଲମ୍ଫଦେଲା । ସେମାନେ ଭାସି ଯାଉଥାଆଂତି ଧାନବିଲ ଉପରେ ଉବୁଟୁବୁ ହୋଇ। ଅନଂତା ତା’ର ସମସ୍ତ ଶକ୍ତି ଲଗାଇ ଦେଇଥାଏ । ହାତରେ ପଡିଲା ଭାସିଯାଉଥିବା ଏକ ଲମ୍ବା ବାଉଁଶ । ସେ ତାହାକୁ କାତ ଭଳି ବ୍ୟବହାର କରି ଆହୁରି ବେଗରେ ଆଗେଇ ଗଲା ।
ଦୁଇଜଣଂକୁ କିଭଳି ରକ୍ଷା କରିବ ସେମାନଂକ ମଧ୍ୟରେଏବେ ଅନେକ ବ୍ୟବଧାନ ହୋଇ ସାରିଥାଏ । ଜଣେ ଚିତ୍କାର ଛାଡୁଥାଏ ଆଉଜଣେ ସମ୍ଭବତଃ ପାଣି ପିଇ ନାକେଦମ ହୋଇଗଲାଣି । ମନ କହିଲା ଯେ ଗଲା ସେ ଯାଉ, ଅଂତତଃ ଯେ ନିଶ୍ଚିତ ବଂଚିଛି ତାକୁ ରକ୍ଷା କରାଯାଉ । ଚିତ୍କାର ଛାଡୁଥିବା ଆର ଗ୍ରାମର ମହିଳାଂକ ପାଖକୁ ଝପଟି ଗଲା । ତାର ବାହୁ ଧରି ପ୍ରଥମେ ତାଂକୁ ଥୟ କଲା । ଅନ୍ୟ ହାତରେ ବାଉଁଶଟି ଧରିବକୁ ନିର୍ଦ୍ଦେଶ ଦେଲା ଏବଂ ତାହାକୁ କାତଭଳି ଭୂମିରେ ପୋତିବାକୁ କହିଲା । କାତଟି ତଳେ ଲାଗିଲା କ୍ଷଣି କାମ ସହଜ ହୋଇଗଲା ଅନଂତା ନିଜର ସମସ୍ତ ଶକ୍ତି ସହ କାତଟିକୁ ଭୂମିରେ ପୋତି ପକାଇ ମହିଳାଂକୁ ତହିଁ ନିର୍ଭୟ ହୋଇ ଭାସି ରହିବାକୁ କହିଲା ଓ ଅନ୍ୟ ଜଣଂକ ଦିଗରେ ଗତି କଲା । ଜୀବିତ ହେଉକି ମୃତ ହେଉ ଉଦ୍ଧାର କରିବାକୁ ପଡିବ । ଯନ୍ତ୍ର ଚାଳିତ ଡଂଗାର ଶବ୍ଦ ପାଖେଇ ଆସୁଛି, ଅନଂତାର ଉତ୍ସାହ ବଢିଗଲା । ବେଗ ଆହୁରି ବଢାଇବା ପାଇଁ ସେ ଅପେକ୍ଷାକୃତ ଅଧିକ ପ୍ରଖର ସ୍ରୋତ ମଧ୍ୟକୁ ଇଛାକୃତ ଭାବେ ଚାଲିଗଲା । ନିଜେ ବିପଦରେ ପଡିଗଲା । ଇଶ୍ୱରଂକୁ ସ୍ମରଣକରି ଆଗକୁ ମାଡି ଚାଲିଲା । ଜୀବନ ଓ ମୃତ୍ୟୁ ମଧ୍ୟରେ କେତେ ଅବା ପାର୍ଥକ୍ୟ, ମୋଟର ବୋଟ ପାଖେଇ ଆସୁଥାଏ ସେ ପାର୍ଥକ୍ୟକୁ ଯୋଡିବା ପାଇଁ । ଅନଂତା ଏବେ ପହଂଚି ଯାଇଥାଏ ଅନ୍ୟ ମହିଳାଂକ ପାଖାପାଖି । ଆପାତତଃ ସେ ପ୍ରଖର ସ୍ରୋତରୁ ରକ୍ଷା ପାଇ ଯାଇଛି।
 ସୁରକ୍ଷାବଳଂକ ମୋଟର ବୋଟ ପହଂଚି ସମସ୍ତଂକୁ ଉଦ୍ଧାର କଲା । ଦ୍ୱିତୀୟ ମହିଳା ମଧ୍ୟ ସେମାନଂକ କ୍ୟମ୍ପ ଡାକ୍ତରଂକ ଚିକିତ୍ସାରେ ଆରୋଗ୍ୟ ହେଲେ ।
“ଅତଃପର କଣ ହେଲା ଜାଣଂତି ସାର୍, ଆପଣଂକ ଆଶୀର୍ବାଦରୁ ସେମାନଂକ ଅଫିସର ବନ୍ୟା ସରିଲା ପର୍ଯ୍ୟଂତ ମୋତେ ତାଂକ ଟିମ୍’ରେ ରଖିଲେ । ମୋ ନାମ ସୁପାରିଶ କଲେ । ମୋତେ ଡ୍ରାଇଭର ଚାକିରୀ ମିଳିଗଲା ।“
ଆଛା!
“ହଁ ସାର୍, ମୁଁ  ହୀରୋ ହୋଇଗଲି, ଶ୍ୱଶୁର ଖୋସାମତ କରିବାକୁ ଆସିଲେ ମୋ ମାଆଂକ ପାଖକୁ”।
ଲାନୀ ରାଗିଗଲା । “ସାର ମିଛକଥା, ମୋ ବାପାଂକ ଗ୍ୟରେଜରେ ବାପା ୟାଂକୁ କାମରେ ଲଗାଇ ସାରିଥିଲେ ଏବଂ ଶ୍ରଦ୍ଧା କରୁଥିଲେ, କେବଳ ଯାହା ବୟସକୁ ଅପେକ୍ଷା କରୁଥିଲେ, ବେଇମାନ ଲୋକ”।
ମୁହଁ ଲାଲ ପଡିଗଲା ।
ସେମିତି କୁହଂତି ଅନଂତା? ଡାକ୍ତର ବାବୁ ମୃଦୁ ଭର୍ସନା କଲେ ।
“ ମୁଁ ଅଟକିଲି ନାହିଁ ଯାହା ସୁଯୋଗ ଆସିଲା ଗ୍ରହଣକଲି, ଅଟୋମୋବାଇଲରେ ଆଇ.ଟି.ଆଇ କଲି, ପରେ ପରେ ପରୀକ୍ଷା ଦେଇ ଚାଲିଲି, ମୁଁ ଏବେ ଜଣେ ଗ୍ରାଜୁଏଟ । ସମାଂତରାଳ ଭାବେ ମୋର ପ୍ରମୋଶନ ହୋଇଚାଲିଲା, ଅଧୁନା ଭାରତୀୟ ପଦାତିକ ବାହିନୀର ‘ଡେୟାର ଡେଭିଲ’ ଟିମର ମୁଁ ଅନ୍ୟତମ ସଦସ୍ୟ, ମୋର ପ୍ରମୋଶନ ଅନେକ ବାର ହୋଇ ମୁଁ ଏବେ ଜୁନିୟର କମାଣ୍ଡିଂ ଅଫିସର୍ । ଲୁଚି ଲୁଚି ଗ୍ୟାରେଜରେ କାମ କରୁଥିବା ‘ରାଣ୍ଡିପୁଅ ଅନଂତା’ ଆଜି ଆପଣଂକ ଆଶୀର୍ବାଦରୁ ବହୁତ ଆଗକୁ ଯାଇ ପାରିଛି । ମା ଛେଉଣ୍ଡ ଏହି ଲାନୀ ପାଇଁ ମୋ ଶ୍ୱଶୁର ବେଶ ଆସ୍ୱସ୍ତ । ମୋ ମାଆ ଆଜି ଗାଆଁରେ ମୁଣ୍ଡ ଟେକି ଚାଲୁଛି । ସବୁବେଳେ ତା’ର ଗୋଟିଏ ଉପଦେଶ, “ବିପଦ ବେଳେ ଅଧିର ହେବନାହିଁ ଆଗକୁ ଭଲ ସମୟ ନିଶ୍ଚିତ ଆସିବ” । ମା ମୋର ଏବେ ବାଳଶ୍ରମରେ ଜଣେ ସ୍ୱେଛାସେବୀ କିଛି ସମୟ ସେଇଠି ପିଲାମାନଂକସେବାରେ କଟାଏ । ଆପଣଂକୁ ଦେଖାକରି ସମସ୍ତ କଥା କହିବାର ଆବେଗଭରା ଇଛାଟି ଆଜି ପୂରଣ ହେଲା ।“
ଏତିକି କହି ଆଣ୍ଠେଇ ପଡି ଡାକ୍ତରଂକୁ ପ୍ରଣାମ କରିବା ପୂର୍ବରୁ ସେ ତାକୁ ଆଲିଂଗନ କରିଥିଲେ । ଭାବୁଥିଲେ ସେ ସ୍ୱପ୍ନ ଦେଖୁ ନାହାଂତି’ତ ! ବୋଧହେଲା ଏହା ତାଂକ ଜୀବନର ଶ୍ରେଷ୍ଠ ଅନୁଭୁତି ।
 ସେ ଅନୁଭବ କରୁଥିଲେ ବାତାବରଣରେ ଯେପରି କେଉଁ ଅଦୃଶ୍ୟ ମହତ୍ତର ସତ୍ତା ଉପସ୍ଥିତ ରହି ସମସ୍ତଂକୁ ଆଶୀର୍ବାଦ ଦେଉଛି ।

(ଗଳ୍ପଟି ତା.04.04.2015 ରୁ ତା.10.04.2015 ମଧ୍ୟରେ ଲେଖା ଯାଇଛି । ଏହି ସମୟ ଲେଖକ ଜୀବନ ପାଇଁ ଅତି ମୂଲ୍ୟବାନ, କାରଣ ଗୁରୁଜୀ ଶ୍ରୀ ମନୋଜ ଦାସ ବିଭିନ୍ନ କାର୍ଯ୍ୟପାଇଁ ଓଡିଶାରେ ଅବସ୍ଥାନ କରୁଛଂତି ଏବଂ ତାଂକର ତିନିଟି ମୂଲ୍ୟବାନ ଭାଷଣ ପ୍ରତ୍ୟକ୍ଷ ଶ୍ରବଣ କରିବା ସହ ପ୍ରଥମ ଥର ପାଇଁ ମହାତ୍ମାଂକୁ ଦର୍ଶନ କରିଛି ଏବଂ ନିକଟକୁ ଯାଇ ପାଦସ୍ପର୍ଶ କରିଛି, ଗଳ୍ପଟି ତାଂକ ଭଦ୍ରଖ ବକ୍ତୃତାରେ ବର୍ଣିତ ଠଗ ଚରିତ୍ର ପ୍ରତି ସମର୍ପିତ । ଗଳ୍ପଟି ଲେଖିବା ମଧ୍ୟରେ ଗୁରୁକୃପାର ଅନୁଭବ ଅବଶ୍ୟ ମିଳିଛି।)     

7 comments:

  1. ଭଲ ଲାଗିଲା..ହେଲେ ବାସ୍ତବତା ଠାରୁ ଟିକିଏ ଦୂର ଲାଗୁଛି..

    ReplyDelete
    Replies
    1. Yes,correct. This is intentional. Ananta in FM"s story sacrificed his life for the village. This had a tremendous impact on the author. Second point is.. I wanted to experiment to bring the first Odia prose writer as reference. Thanks.

      Delete
  2. https://twitter.com/rabinarayan2304/status/875049568022351872

    ReplyDelete
  3. ବହୁତ ସୁନ୍ଦର ଗପ। ଶୁଭେଚ୍ଛା ରବି ବାବୁ

    ReplyDelete